Unknown

 

 

 

 

 

 

 

 

 

 

 

କୁମ୍ଭାର ଚକ

କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ

 

ଦୁଇପଦ

 

କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକଙ୍କ ଆତ୍ମ-ଜୀବନୀ ‘କୁମ୍ଭାର ଚକ’ କେବଳ ବ୍ୟକ୍ତି ବିଶେଷ କାଳୀଚରଣଙ୍କର ଜୀବନୀ ନୁହେଁ, ଓଡ଼ିଶା ସାହିତ୍ୟ, ସଙ୍ଗୀତ, ନାଟକର ୧୮୯୭ ଠୁ ୧୯୭୫ ଯାଏଁ ଓଡ଼ିଆ ସଂସ୍କୃତିର–ରସୋତ୍ତୀର୍ଣ୍ଣ ଇତିହାସ । ତାଙ୍କର ସଙ୍ଗୀତ ନାଟକ ଯୋଗୁ ସେ ଓଡ଼ିଆ ଲୋକଙ୍କର, ଓଡ଼ିଆ ଦେଶର ବାହ୍ୟ ଶରୀର କି ମନ ପ୍ରାଣ ନୁହନ୍ତି, ଆନନ୍ଦମୟ ଆତ୍ମା ସହ ମିଶି ଯାଇଛନ୍ତି ଯେପରି । ସେଥ‌ିପାଇଁ ସେ ଏତେ ଆଦୃତ, ଏତେ ଜନପ୍ରିୟ । ଭଞ୍ଜଙ୍କୁ ଉପଲକ୍ଷ୍ୟ କରି ପୁଣ୍ୟଶ୍ଳୋକ ଗୋପବନ୍ଧୁ ଯାହା ଲେଖୁଥିଲେ ତାହା ଏ ଯୁଗରେ କାଳୀବାବୁଙ୍କ ପାଇଁ ମଧ୍ୟ ପ୍ରଯୋଜ୍ୟ :

 

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

ପଥେ ପାନ୍ଥ ହୃଷ୍ଟମନା

ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା

ନୃତ୍ୟ ରଙ୍ଗେ ବାରାଙ୍ଗନା ।”

 

ଓଡ଼ିଆରେ ଆଗରୁ ବହୁ ଆତ୍ମ-ଜୀବନୀ ପ୍ରକାଶିତ ହୋଇଛି । ନିଷ୍କପଟ ପ୍ରକାଶ ଭଙ୍ଗୀ, ନିଜକୁ ନିରାଭରଣ କରିବାବେଳେ ସାର୍ବିକ ଚେତନା ଓ ମୂଲ୍ୟବୋଧ ସହ ସମ୍ପର୍କ ପ୍ରତିଷ୍ଠା, ନିଜର ଦୁର୍ବଳ ମୁହୂର୍ତ୍ତଗୁଡ଼ିକୁ ପରିହାସ କରିପାରିବାର ଶକ୍ତି, ସବୁ ମିଶି ‘କୁମ୍ଭାର ଚକ’କୁ ଅବିସ୍ମରଣୀୟ ଆତ୍ମ-ଜୀବନୀ ରୂପରେ ପ୍ରତିଷ୍ଠା ଲାଭ କରି ପାରିବ । ସବୁଠୁ ବଡ଼କଥା ହେଲା ପରିସ୍ଥିତି, ଭାଗ୍ୟ ଓ ମଣିଷମାନଙ୍କଦ୍ୱାରା ପରାଜିତ ହୋଇ, ରକ୍ତାକ୍ତ ହୋଇ, ଧୂଳିରେ ପଡ଼ିଯିବା ବେଳେ ମଧ୍ୟ ସବୁଥରେ ‘କୁମ୍ଭାର’ର ଉପସ୍ଥିତିକୁ ଅନୁଭବ କରିବା, ସମସ୍ତଙ୍କୁ ସୁଖ ପାଇବା–କାଳୀବାବୁଙ୍କ ସାରାଜୀବନ ଏହି ବିଶେଷତାରେ ଋଦ୍ଧିମନ୍ତ ।

 

‘କୁମ୍ଭାର ଚକ’, ‘କଳିଙ୍ଗ’, ‘ଆସନ୍ତା କାଲି’ ଓ ମାସିକ ପତ୍ରିକା ‘ସହକାର'ରେ ପ୍ରକାଶିତ ହୋଇ ବହୁ ଲୋକଙ୍କ ଆଦର ଲାଭ କରିଥିଲା । ବର୍ତ୍ତମାନ ପୁସ୍ତକ ଆକାରରେ ବାହାରି ଓଡ଼ିଶାର ପାଠକ-ପାଠିକାମାନଙ୍କ ପାଇଁ ସର୍ବକାଳୀନ ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ରୂପେ ଆଦୃତ ହେବ ବୋଲି ମୋର ଆଶା ।

 

କାଳୀବାବୁ ମୋର ଅଗ୍ରଜ । ତାଙ୍କ ସହ ମୋର ସ୍ନେହ ସମ୍ପର୍କ ରହି ଆସିଛି । ବହୁ ଦିନୁ ସେ ମୋତେ ସାନଭାଇ ଭାବରେ ଗ୍ରହଣ କରି ବଡ଼ଭାଇର ସ୍ନେହ, ଆଶୀର୍ବାଦ ଦେଇ ଆସିଛନ୍ତି । ଈଶ୍ୱର କରନ୍ତୁ, ସେ ଅନୂନ୍ୟ ଶହେଆଠ ବର୍ଷ ବଞ୍ଚ୍ ରହି ଓଡ଼ିଆ ଜାତିର ହିତସାଧନ କରନ୍ତୁ ଏବଂ ତାଙ୍କର ଜୀବନର ପରିଶିଷ୍ଟ ଖଣ୍ଡ ତାଙ୍କରି ଦ୍ୱାରା ଲେଖା ହୋଇ ପୁସ୍ତକ ଆକାରରେ ପ୍ରକାଶିତ ହେଉ, ଏହା ହିଁ ମୋର କାମନା ।

 

କଟକ

ଅନନ୍ତ ମିଶ୍ର

ଦେବସ୍ନାନ ପୂର୍ଣ୍ଣମୀ ୧୯୭୫

 

✽✽✽

 

କ୍ଷମା ଭିକ୍ଷା

 

“ଚଲ୍‍ତି ଚକ୍‌କି ସବକୋଇ ଦେଖେ

କିଲ୍‌ ଦେଖନ୍‍ କୋଇ

ଯୋ କିଲ୍‍କୋ ପକଡ଼୍‍କେ ରହେ

ସାୱେତ ରହାହୈ ଓହି ।"

 

(ତୁଳସୀ ଦାସ)

 

ଚକି (ପେଷା ବା ପେଷଣା) ଚାଲିଛି (ଘୂରୁଛି) । ବାକି ଚକି ଭିତରେ ଥିବା କିଳା (ଖିଲ)ଟି ଅତି ସାନବୋଲି, ଚକି ଘୂରିବାଟା ସଭିଏଁ ଦେଖୁଛନ୍ତି, ହେଲେ ଭିତରର (ଚକି ମଝିରେ) ଛୋଟ କିଳାଟିକି କେହି ଦେଖନ୍ତି ନାହିଁ ।

 

ସେହିପରି କୁମ୍ଭାର ମାଟି ହାଣି, ଚକଟି, ଚକ ବୁଲାଇ ତା' ମନଇଚ୍ଛା ହାଣ୍ଡି, ଆଟିକା, ସରା, ମାଠିଆ ଗଢ଼ୁଛି । ହଣା ଓ ଦଳାଚକଟାବେଳେ ମାଟିର ରୂପ ନିଆରା, ଆଉ ଗଢ଼ା ସରିଲେ ସେ ଅଲଗା ରୂପ ଧରେ ।

 

କୁମ୍ଭାର ଚକରେ ଗଢ଼ା ଏଇ ଜଞ୍ଜାଳିଆ ଜୀବନର ଗଲା ପଞ୍ଚସ୍ତରି ବର୍ଷର ଘଟଣାମାନ ଠିକେ ଠିକେ ବାଢ଼ୁଛି । ଫଟାକପାଳିଆ ମୁଁ । ଭବିଷ୍ୟତ ଅନ୍ଧାର । ଜୀବନର ସବୁକଥା ତ ବଖାଣି ହେବ ନାହିଁ । ସେ ହେବ ଖଣ୍ଡେ ବିରାଟ ଗ୍ରନ୍ଥ । ଭଲମନ୍ଦ କେତେକ ଘଟଣା ବେଉତିବାରେ ମୋ' ଦୋଷାଦୋଷ ପାଇଁ ସହୃଦୟ ପାଠକ-ପାଠିକାଙ୍କୁ କ୍ଷମା ମାଗୁଛି ।

 

କୁମ୍ଭାରଙ୍କ ପାଆ ତଳେ କୋଟି ଜୁହାର ।

 

କଟକ

 

ଜଗନ୍ନାଥବଲ୍ଲଭ

ଅଧମ

ତା ୫।୫।୭୫

କାଳୀଚରଣ

✽✽✽

 

ସୂଚୀପତ୍ର

 

୧.

ପିଲାଦିନ

୨.

ଚାକିରି ଜୀବନ

୩.

କଳା ଜୀବନ

୪.

ଓଡ଼ିଶା ରଙ୍ଗମଞ୍ଚ ଇତିହାସ

୫.

ଡାଏରୀରୁ ଯତ୍‌କିଞ୍ଚିତ୍

୬.

ପଦ୍ମଶ୍ରୀ

୭.

ଡକ୍ଟରେଟ୍

୮.

ବିଦାୟ ମାଗୁଣି

✽✽✽

 

Unknown

ପିଲାଦିନ

 

ଠିକ୍‌ ଜୀବନୀ ନୁହେଁ । କୁମ୍ଭାରର ଚକରେ ଗଢ଼ା ମାଟିର ସରା, ଠେକି, ମାଠିଆର ଏକ ଛୋଟକାଟିଆ ଜୀବନରୁ କିଛି କହି ବସୁଛି ଜଣେ ଫଟାକପାଳିଆ–ଶୁଣନ୍ତୁ–

 

ଫଟାକପାଳ ଘେନି ମୋର ଜନ୍ମ । ଆଜି ବି ଏଇ ପଞ୍ଚସ୍ତରି ମୁଣ୍ଡାମୁଣ୍ଡି ପହଞ୍ଚିବା ଲୋକଟିର ବାଁ ଫାଳ କପାଳରେ ସେ ଫଟା ଚିହ୍ନ ରହିଛି । କୁମ୍ଭାର ଖାଲି ସେଇ ଫାଟ ଉପରେ ଚମ ଘୋଡ଼ାଇ ଦେଇଛି । ବାକି, ହାତରେ ବାରିଲେ ସେ ଫାଟ ବାରି ହୋଇପଡ଼େ ।

 

କୁଆଁ ଡାକ :

 

ଜେଜେବାପେ ସ୍ୱର୍ଗତ ନିମାଇଁଚରଣ ପଟ୍ଟନାୟକେ ବଡ଼ାମ୍ୱା ରଜାଙ୍କ ଅଧୀନରେ ବଡ଼ ଚାକିରି କରିବାକୁ ଯାଇ, ସେଇଠି ଜମିବାଡ଼ି ଘରଦୁଆର କଲେ । ସେ ଜଣେ ଭଲ ସଂସ୍କୃତ ପଣ୍ଡିତ । ସେତେବେଳେ କଟକରେ ନର୍ମାଲ ସ୍କୁଲ ଥାଏ । ଜେଜେ ନର୍ମାଲ ସ୍କୁଲରେ ପାଠ ଶେଷ କରିଥାଆନ୍ତି-। ତାଙ୍କର ଦୁଇପୁଅ–ଦୁର୍ଗାଚରଣ ଆଉ ମନମୋହନ । ମୁଁ ତାଙ୍କ ବଡ଼ପୁଅ ସ୍ୱର୍ଗତ ଦୁର୍ଗାଚରଣଙ୍କର ପୁଅ । ଉପରେ ତଳେ ଭାଇ ଓ ଭଉଣୀ ଦୁହେଁ ମରିଛନ୍ତି ।

 

ସେଦିନ ମହାଷ୍ଟମୀ । ବାପା ମୋର ଥିଲେ କାଳୀପୂଜକ । ସେ ଅଷ୍ଟମୀ ରାତିରେ ଚଣ୍ଡୀପାଠ ପରେ କଉମାଛ ବଳି ଦିଅନ୍ତି । କଉମାଛର ଜୀବନ ବଡ଼ ଟାଣ । ବାପା କିନ୍ତୁ ମନ୍ତ୍ରପଢ଼ି ଜୀଅନ୍ତା କଉମାଛ ଚାରିପଟେ ମନ୍ତୁରା ପାଣି ବୁଲାନ୍ତି । ମାଛ ମରିଗଲେ, ପୂଜା ସିଦ୍ଧ ବୋଲି ଜଣାଯାଏ । ରାତି ଅଧିକରୁ ଟିକିଏ ବହକିପଡ଼ିଛି । ବାପାଙ୍କର ଦେବୀପୂଜା ଚାଲିଛି । ବଳି ପ୍ରୋକ୍ଷଣବେଳ । ମୋର ଦେଢ଼ବର୍ଷର ବଡ଼ଭାଇଟି ନିଦ ଶେଯରୁ ଉଠି ଗୁରୁଣ୍ଡି ଗୁରୁଣ୍ଡି ଠାକୁରଘର ଦୁଆରକୁ ଆସିଲା । ଠିକ୍‌ ବଳି ଦେବାବେଳେ କବାଟ ମେଲାଇ ବାପାଙ୍କୁ ଚାହିଁ ହସିଲା । ବୋଉହେରିକା ସେତେବେଳେ ରନ୍ଧାଘରେ ପିଠା କରୁଥିଲେ । ବାପାଙ୍କର ପୂଜା ପାଖରୁ ଉଠିବାକୁ ସଜ ନାହିଁ । ବଳି ଦିଆ ସରିଲା । ବାପା ବଡ଼ଭାଇକି କାଖେଇ କରି ବୋଉ ପାଖକୁ ଗଲେ । ମୁହଁ ଶୁଖାଇ କହିଲେ–ପୁଅକୁ ରଖ । ଦେଖ, କ’ଣ ହେଉଛି, ମାଆର ଇଚ୍ଛା । ସବୁକଥା ବୁଝାଇ କହିଲେ-। ପାହାନ୍ତା ପହରକୁ ଭାଇଟି ଝଲକାଏ ରକ୍ତ ବାନ୍ତି କଲା–ସେଇଠୁ ସବୁ ଶେଷ ।

 

ବାପା ଦେବୀଙ୍କୁ ବିସର୍ଜନ କରିଦେବାକୁ ପାଞ୍ଚିଲେ । ରାତିରେ ସପନ ହେଲା–‘‘ମୁଁ କ’ଣ କରିବି ? ବଳିବେଳେ ତ ପିଲା ସାମନାରେ ପଡ଼ିଲା, ତୁ ଆଉ କନ୍ଦାକଟା କର୍‌ନା, ବ୍ୟସ୍ତ ହୁଅନା । ମୁଁ ତୋତେ ଆର ବର୍ଷକୁ ପୁଅଟିଏ ଦେବି ।’’

 

ସେଇ ପୁଅଟି ମୁଁ । ୧୩୦୫ ସାଲ, ଧନୁ ଦଶଦିନ–ବଉଳ ଅମାସ୍ୟା । (ଇଂରାଜୀ ୧୮୯୭ ଡିସେମ୍ବର ୨୩ ତାରିଖ) ଉପରଓଳି କୁଆଁ ଡାକ ଦେଲି । ଜନ୍ମ ହେଲି ସିନା, ହେଲେ କପାଳଟା ଫଟା । ଆଖିରୁ ପୂଜ ବହୁଥାଏ । କେତେ ଚିକିତ୍ସା କରାଯାଉଥାଏ । କଟକ ଅରୁଣୋଦୟ ଛାପାଖାନାର ମାଲିକ ସ୍ୱର୍ଗତ ଡାକ୍ତର ନାରଣ ଦାନ ସେତେବେଳେ ବଡ଼ାମ୍ୱାର ଡାକ୍ତର ଥିଲେ । ବାପାଙ୍କର ସେ ଭାରି ସାଙ୍ଗ । ସେ ଚିକିତ୍ସା କରୁଥାଆନ୍ତି । ବଡ଼ାମ୍ୱା ଗଡ଼ର ସ୍ୱର୍ଗତ ପଣ୍ଡିତ ତାନ୍ତ୍ରିକ ନାରଣ ଦାଶେ ଯନ୍ତ୍ରମନ୍ତ୍ର କରୁଥାଆନ୍ତି; ମାତ୍ର କାହିଁରେ କିଛି ଲାଭ ନାଇଁ ।

 

ବୋଉ, ବାପା, ଜେଜେ, ବୁଢ଼ିମାଆ–ଘରର ସଭିଏଁ ମହାଦୁଃଖରେ ଥାଆନ୍ତି । ବାପା ସ୍ଥିର କଲେ ଯେ ଆଉ ଦେବୀ ପୂଜା କରିବେ ନାହିଁ । ଠାକୁରାଣୀଙ୍କୁ ବିସର୍ଜନ କରିଦେବେ ।

 

ସେଇଦିନ ରାତିରେ ସ୍ୱପ୍ନାଦେଶ ହେଲା ଯେ–‘‘ପାଷାଣଭେଦୀ ପତ୍ର ଓ ଚେର ନିରୋଳା ସୋରିଷ ତେଲରେ ପକାଇ ତୂଳା ବା ଖଣ୍ଡିଏ କନା ବୁଡ଼ାଇ ଫାଟରେ ଦେଲେ ଭଲ ହୋଇଯିବ ।’’

 

‘‘ପାଷାଣଭେଦୀ ଗଛ ପାଇବି କାହୁଁ ? ମୋତେ କାହିଁକି ଠକୁଛ ମାଆ’’ ବୋଲି ବାପା କାନ୍ଦି କାନ୍ଦି ସେଇ ସ୍ୱପ୍ନରେ ଜଣାଇଲେ । ହୁକୁମ ହେଲା–‘‘ତୋ ଦାନ୍ତଘଷା ପିଣ୍ଡି ଉପରେ ଗଛଟିଏ ହୋଇଛି । ଆଣିବୁ ଯା’ ।’’ ସ୍ୱପ୍ନ ତୁଟିଗଲା, ନିଦ ଭାଙ୍ଗିଗଲା । ସଙ୍ଗେ ସଙ୍ଗେ ଦୀପ ନେଇ ବାପା ଦାନ୍ତ ଘଷିଘଷିକା ଚୂନପିଣ୍ଡି ପାଖକୁ ଯାଇ ଦେଖିଲେ ଯେ ସରୁଗଛଟିଏ ସେଠି ଉଠିଛି । ତାକୁ ଆଣି ମାଆଙ୍କ ଆଦେଶମତେ ତେଲରେ ପକାଇ କନା ବୁଡ଼ାଇ ଫଟା ଥାନରେ ଦିଆଗଲା । ଦିନ ଚାରି ଛ’ଟାରେ ଆଖିର ପୂଜ ବୋହିବା ବନ୍ଦ ହେଲା–ଘାଆ କ୍ରମେ ଶୁଖିଗଲା ।

 

ଏବେ ବି ସେଇ ପାଷାଣଭେଦୀର ସେ ଶୁଖିଲା ଗଛପତ୍ର ଟିକକ ମୁଁ ଡେଉଁରିଆରେ ଭରତି କରି ପିନ୍ଧିଛି । ଡେଉଁରିଆଟି ବାପା ବୋଉ ତିଆରି କରାଇ ଯତନରେ ସାଇତି ବେକରେ ପିନ୍ଧାଇ ଦେଇଥିଲେ । ତା’ପରେ ଘରସାରା ଆନନ୍ଦରେ ପୂରିଗଲା । ସେଇ ଫଟାକପାଳିଆ ପୁଅର ନାଆଁ ରଖାହେଲା–‘କାଳୀଚରଣ’ ।

 

ଏଠି ଠିକେ ଠିକେ ବୟାନ କରୁଛି ମୋର ସେ ଫଟାକପାଳିଆ କଳାକାର ଜୀବନ ।

 

ପହିଲି ଗୀତ :

 

ପିଲାଦିନର କଥା ।

 

ବାପା ବୋଉ ଦିହିଁଙ୍କର ସଙ୍ଗୀତ ପ୍ରତି ଆଦର ଥିଲା । ବାପା ବେହେଲା ବଜାଇ ଜାଣିଥିଲେ । ଆମ ଘରେ ଓଡ଼ିଶୀ ଗୀତର ଆସର ମଝିରେ ମଝିରେ ବସେ । ଜଣେ ଜେଜେବାପା ଥିଲେ–ତାଙ୍କ ନାଁ ଯୋଗୀନାଥ ପଟ୍ଟନାୟକ । ବଡ଼ ପାଟିଟାଏ ତାଙ୍କର ଥିଲା । ବେଶ୍‌ ରହସିଆ ଲୋକ । ବହୁତ ପୁରୁଣା ଓଡ଼ିଶୀ ଗୀତ ସେ ଗାଆନ୍ତି, ମର୍ଦ୍ଦଳ ବଜାନ୍ତି । କ’ଣ ତାଳମାନ ନେଇ ବେଳେ ବେଳେ କାହାରି କାହାରି ସଙ୍ଗେ ବାକ୍‌ବିତଣ୍ଡା ବି କରନ୍ତି । ମୋ ନିଜ ଜେଜେବାପା ସ୍ୱର୍ଗତ ନିମାଇଁଚରଣ ପଟ୍ଟନାୟକେ ରାଜକାର୍ଯ୍ୟରୁ ରିଆତି ମିଳିଲାବେଳେ ଗୁଣୁଗୁଣୁ କରି ଗାଇ ଗୀତଗୁଡ଼ିକର ପାରିଜା କରୁଥାଆନ୍ତି । ଛାଏଁ ଛାଏଁ ମୁହଁର ଭାବ ଦେଖାନ୍ତି । ବୁଝି ତ ପାରେ ନାହିଁ କିଛି, ଲୁଚିକରି ଉଣ୍ଡି ଦମାଏଁ ଲେଖାଏଁ ହସେ । ଏସବୁ ପ୍ରାୟ ୧୯୦୬–୦୭ ସାଲର କଥା ।

 

ବଡ଼ାମ୍ୱା ଗଡ଼ରେ ଚନ୍ଦନ ଯାତ୍ରାଟା ଖୁବ୍‌ ଜାକଜମକରେ ହେଉଥିଲା । ଏକୋଇଶି ଦିନ କାଳ–ଗୀତ, ନାଚ, ଯାତ୍ରା, ପାଲା, ସୁଆଙ୍ଗ–ସବୁଦିନ ରାତି ପ୍ରାୟ ୯ଟାରୁ ଫୁକିଆ ଉଇଁଲା ଯାଏଁ ଚାଲିଥାଏ–ଗଡ଼ ଦାଣ୍ଡରେ । ପଞ୍ଝାଏ ଦି’ପଞ୍ଝା ନୁହନ୍ତି, ତିରିଶି ଚାଳିଶ ପଞ୍ଝା । ଗୋଟିପୁଅ, ବାଇନାଟ, ପାଲା, ସୁଆଙ୍ଗ ଇତ୍ୟାଦି ଜମି ରହିଥାଏ । କେତେକ ଗୋଟିପୁଅ ଦଳର ଗୁରୁ ଆମ ଜେଜେବାପାଙ୍କ ପାଖକୁ ଆସି ଗୀତ ଓ ଅବଲୟ ଶିଖନ୍ତି । ପାଲାବାଲାଏ ଚଉପଦୀ ନିଅନ୍ତି, ଅର୍ଥ ବୁଝନ୍ତି । ବୋଉ ମୋର ଛାନ୍ଦ, ଚୌପଦୀ ଇତ୍ୟାଦି ଗାଇପାରୁଥିଲା । ସେ କିଛି ସଂସ୍କୃତ ପଢ଼ିଥିଲା । ଛାନ୍ଦ ଭଲ ଅର୍ଥ କରେ । ବେଳେବେଳେ ମୋତେ କୋଳରେ ବସାଇ ମଥୁରା ମଙ୍ଗଳ, ବିଶି ରାମାୟଣ, ବିଦଗ୍ଧ ଚିନ୍ତାମଣି, ବୈଦେହୀଶ ବିଳାସରୁ ଗୋଟିଏ ଗୋଟିଏ ଛାନ୍ଦ ଗାଇବାକୁ ଶିଖାଏ । ମୁଁ ଭଲ ଗୀତ ଗାଇପାରୁଥିଲି । ମୋଠାରୁ ବଡ଼ ବଡ଼ ଯେଉଁମାନେ ଅଛନ୍ତି ବା ମୋ ସାଙ୍ଗମାନେ ଏଥିପାଇଁ ମୋତେ ଭାରି ଆଦର କରୁଥିଲେ । ବାଲ୍ୟ ଜୀବନଟା ଏହି ପରିବେଶ ମଧ୍ୟରେ କାଟି ମୋର ସଙ୍ଗୀତ ପ୍ରତି ଶ୍ରଦ୍ଧା କ୍ରମେ ବଢ଼ିଲା ।

 

ବଡ଼ାମ୍ୱା ରାଜବାଟିରେ ପିଲାଦିନର ଅଧିକାଂଶ କାଳ କଟିଛି । ରଜାଙ୍କ ନାଆଁ ବିଶ୍ୱମ୍ଭର ମଙ୍ଗରାଜ ମହାପାତ୍ର । ଥରେ ଦୁଦୁରା ଫୁଲିଆ ଗୋଟିଏ ଗ୍ରାମୋଫୋନ୍‌ ରଜା ଅଣାଇଲେ । ଖଣ୍ଡିକେତେ ଓଡ଼ିଆ ଓ ବଙ୍ଗଳା ରେକର୍ଡ଼ ବି ତା’ ସଙ୍ଗେ ଆସିଥାଏ । କଳବାଜା ଗୀତ ଗାଉଛି । ରଜା ନିଜେ କଣ୍ଟା ଲଗାଉଛନ୍ତି । ଆଉ କେହି କଣ୍ଟା ଲଗାଇଲେ ବୋଧହୁଏ ଏଭଳି ଗୀତ କଳବାଜା ଗାଆନ୍ତା ନାହିଁ–ଏଇ ଥିଲା ମୋ ମନର ଧାରଣା । ଲୋକେ ଶୁଣିବାକୁ ଗଦାହୋଇ ପଡ଼ନ୍ତି । ସଞ୍ଜବେଳେ ବେହରଣ ମେଲାରେ କଳଗାଉଣା ହୁଏ । ଶୁଣି ଶୁଣି ଗୋଟିଏ ଓଡ଼ିଆ ଗୀତ ମୁଁ ଶିଖିଲି । ଏବେ ମନେ ମନେ ଅଛି ସେ ଗୀତଟି–‘‘ଆସୁଛନ୍ତି ବ୍ରଜବାସୀ ଧୀରେ ଧୀରେ ଚାଲି ଚାଲି-।’’

 

ଦୁଆରେ ଆମର ପୁରାଣ ହୁଏ । ବୋଉ ମଧ୍ୟ ବେଳେବେଳେ ଅନେକ ପୁରାଣ କଥା କହେ । ଶୁଣିଥିଲି ସ୍ୱର୍ଗରେ ଇନ୍ଦ୍ରସଭାରେ ଗନ୍ଧର୍ବମାନେ ଗାଆନ୍ତି । କଳଗାଉଣା ଶୁଣି ଗାୟକଙ୍କ ରୂପର ଗୋଟାଏ କଳ୍ପନା ମୋ ଆଖି ଆଗରେ ଆଙ୍କି ହୋଇଯାଏ । ସେ କେମିତି ପାଟ ପିତାମ୍ବରୀ ପିନ୍ଧିଥିବେ, ମୁଣ୍ଡରେ ମୁକୁଟ ଥିବ, ବେକରେ ତାଙ୍କର ସୋ’ରା ସୋ’ରା ହୋଇ ମୋତି ମାଣିକ୍ୟର ହାର ଝୁଲୁଥିବ, ଗୋରା ତକ୍‌ତକ୍‌ ହୋଇଥିବେ ଇତ୍ୟାଦି ଇତ୍ୟାଦି । ଗାୟକଙ୍କୁ କେମିତି ଥରେ ହେଲେ ଦେଖନ୍ତିକି !

 

ଗୀତଟି ମନଦେଇ ଶୁଣେ–କଳଗାଉଣା ସାଙ୍ଗରେ କଣ୍ଠ ମିଶାଇ ଗାଏ । ହେଉ ହେଉ–ପୂରା ଗୀତଟି ଉପରେ ଟିକିଏ ଦଖଲ ଆସିଗଲା । ରଜାଙ୍କୁ ଦିନେ ଡରି ଡରି ଗୀତଟି ଶୁଣାଇଲି । ସେ ମୋତେ ପାଞ୍ଚଟି ଟଙ୍କା ଦେଇ ଭାରି ପ୍ରଶଂସା କଲେ । ପ୍ରାୟ ପ୍ରତିଦିନ ସେ ମୋତେ ‘ଆସୁଛନ୍ତି ବ୍ରଜବାସୀ’ ଗୀତଟି ଗାଇବାକୁ କହନ୍ତି । ଦିନେ ମୋତେ ବୈଠକଖାନା ଭିତରେ ତାଙ୍କ ପାଖରେ ବସାଇ ଗୀତ ଗାଇବାକୁ କହିଲେ । ବାପା ଓ ଯୋଗୀ ଜେଜେଙ୍କୁ ସେ ଡକାଇ ପାଖ ଘରେ ବସାଇଥିବା କଥା ମୁଁ ଜାଣିନଥିଲି । ଗୀତ ଗାଇସାରିବା ପରେ ରଜା ବିଶ୍ୱମ୍ଭର ବୀରବର ମଙ୍ଗରାଜେ ସେ ଦୁହିଁଙ୍କୁ ଡକାଇ ବାପାଙ୍କୁ କହିଲେ–‘‘ଦୁର୍ଗାଚରଣ ! କାଳୀ ଏକା ବାପର ପୁଅ । ଶୁଣିଲ କେମିତି ଗାଇଲା ! କି କଣ୍ଠ ! କେମିତି କଳଗାଉଣାରୁ ଛଡ଼ାଇ ଆଣିଛି ! ପାଠ ପଢ଼ୁ–ହେଲେ ଗୀତ ଟିକିଏ ଟିକିଏ ଶିଖୁ । ଯୋଗୀ ପଟ୍ଟନାୟକେ ନଜର ଦେଲେ ପିଲାଟା ଭଲ ଗାଇବ ।’’

 

ଇସ୍‌, ଲାଜରେ ମୋ ମୁହଁ ଜଳିଯାଉଥାଏ । ହେଲେ, କିଛି କହିବାକୁ ଚାରା ନାହିଁ । ବାପା ଆଉ ଯୋଗୀଜେଜେ ସେଠାରୁ ଚାଲିଗଲେ । ରଜା ପୁଣିଥରେ ସେଇ ଗୀତଟି ଶୁଣିବାକୁ ଲଗାଇଲେ-। ଗାଇବା ବଦଳରେ କଇଁ କଇଁ ହୋଇ କାନ୍ଦିଲି । କେତେ ଗେଲ କଲେ, ନିଜେ ରଜା ମତେ ଘୋଡ଼ାଗାଡ଼ିରେ ଘରେ ଛାଡ଼ିଦେଇଆସିଲେ । ସାଙ୍ଗରେ ଦେଉଳ ଭୋଗରୁ ଗୁଡ଼ିଏ ଖଜାପିଠା ନେଇ ଯାଇଥିଲେ । ମୋତେ ଘରେ ଛାଡ଼ି, ବାପାଙ୍କୁ ଡାକି ତୁନି ତୁନି କ’ଣ ସବୁ କହିଲେ-। ଘରେ ମୁଁ ଖାଲି ଚୋରପରି ହେଉଥାଏ । ସେଦିନ ରାତିରେ ଆଉ ବାପାଙ୍କ ସଙ୍ଗେ ସବୁଦିନ ପରି ସୁଖରେ ଭାତ ଖାଇପାରିଲି ନାହିଁ । ରାତିରେ ବୋଉ ମୋତେ ସବୁକଥା ପଚାରି ବୁଝି, ଭାରି ଖୁସି ହେଲା-। ଗୀତ ଶିଖିବାକୁ ସେ ମତେ ଉତ୍ସାହ ଦେଲା । ଯୋଗୀଜେଜେ ବି ବେଳେ ବେଳେ ଗୀତଟିଏ କହିଦିଅନ୍ତି ।

 

ନୂଆ ଗୀତ ଶୁଣାଇଲେ ରଜାଙ୍କଠାରୁ ପ୍ରାୟ ପୁରସ୍କୃତ ହୁଏ । ପିଲାଦିନେ ଆମ ଜେଜେ (ନିମାଇ ପଟ୍ଟନାୟକେ) ମୋତେ ‘ଅମରକୋଷ’ ଘୋଷାଉଥିଲେ, ସହଜରେ ହେତୁ ହୋଇଯିବ ବୋଲି ଅର୍ଥକୁ ପଦ୍ୟ ଛନ୍ଦରେ ତିଆରି କରି ପଢ଼ାଉଥିଲେ । ସେହି ଦିନଠୁଁ ପାଠ ସଙ୍ଗେ ସଙ୍ଗେ ଗୀତ ଶିଖା ବି ମୋର ଚାଲିଲା । ବଡ଼ାମ୍ୱା ଗଡ଼ ମୁଣ୍ଡରେ ଗୋଟିଏ ଟୁବୁରି ମୁଣ୍ଡିଆ ଥାଏ । ମୁଣ୍ଡିଆର ନାଁ କହ୍ନେଇ ମଣ୍ଡପ । ଗଡ଼ର ମୋହନ ଜେନା, ସୁଦର୍ଶନ ରାଉତ, ନାରଣ ରଥେ ଓ ବାମ କର ପ୍ରଭୃତି ସାଙ୍ଗ ହୋଇ ସେ ମୁଣ୍ଡିଆକୁ ଯାଉ । ବେଳେବେଳେ ବଣଭୋଜି ହୁଏ । ଅସଲ କଥା, ମୋଠୁଁ ସେମାନେ ଗୀତ ଶୁଣିବାକୁ ଡାକି ନିଅନ୍ତି । ଏହି ସବୁ ସାଙ୍ଗମାନଙ୍କ ଭିତରୁ ଏବେ କିଏ ଅଛନ୍ତି, ଜାଣି ନାହିଁ । ତେବେ ଅଳ୍ପଦିନ ତଳେ ଶୁଣିଛି, ସୁଦର୍ଶନ ରାଉତେ ନୂଆଗଡ଼ ଟ୍ରେନିଂ ସ୍କୁଲ ଶିକ୍ଷକତାରୁ ଅବସର ନେଇ ବଡ଼ାମ୍ୱା ଗଡ଼ରେ ତାଙ୍କ ଘରେ ଅଛନ୍ତି । ବୈକୁଣ୍ଠ ମୋଠୁଁ ସାନ । ସେ ବେଶି ଭରସି କହିପାରେ ନାହିଁ । ହେଲେ, ମୋ ଗୀତ ଶୁଣିବାକୁ ବଡ଼ ସୁଖ ପାଉଥିଲା । ଏବେ ଆଉ ସେ ପିଲା ନୁହେଁ । ମୁଁ ଆଉ ତୁ ତା କଲେ କଥାଟା ଅଚିକ୍‌କଣ ହେବ । ତାକୁ ଏବେ ‘ତମେ’ ବୋଲି କହେ । ପିଲାଦିନର କଥା ସବୁ ମନେପଡ଼ିଯାଏ ଦେଖାହେଲେ । ସେ ଏଇନେ ଅବସର ନେଲେଣି । ସେହି ପିଲାଦିନର ବୈକୁଣ୍ଠ ଏବେ ଓଡ଼ିଶାର ସୁପରିଚିତ କବି ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ । ଏ ସବୁ ମୋର ୭।୮ ବର୍ଷ ବୟସର କଥା । ୟା’ପରେ ମୋର ଝଡ଼ ଜଞ୍ଜାଳିଆ କଳାକାର ଜୀବନ କାହାଣୀ ଶୁଣାଇବି । ମାତ୍ର ଗୌରଚନ୍ଦ୍ରିକାଟା ଏବେ ଭେଟୁଛି ।

 

ଅ, ଆ, କ, ଖ :

 

ତା’ପରେ ଶୁଣନ୍ତୁ–

 

ବଡ଼ାମ୍ୱା ଗଡ଼ରେ ଗୋଟିଏ ଭର୍ଣ୍ଣାକୁଲର ସ୍କୁଲ ଥାଏ । ସବା ତଳ ଶ୍ରେଣୀର ଛାତ୍ର ମୁଁ । ଶିକ୍ଷକ ଥିଲେ ବଡ଼ାମ୍ୱା ବେଲପଡ଼ା ଗାଁର ସ୍ୱର୍ଗୀୟ କୃପାସିନ୍ଧୁ ପଟ୍ଟନାୟକେ । ଗୋବିନ୍ଦ ରଥଙ୍କ ବର୍ଣ୍ଣବୋଧକ ପରେ ବିଜ୍ଞାନ ପାଠ ଓ ଅଙ୍କ ପୁସ୍ତକ ଥାଏ ଆମର ପଢ଼ା ବହି । କୃପାସିନ୍ଧୁ ମାଷ୍ଟ୍ରେ ଗୀତକୁ ସୁଖ ପାଉଥିଲେ । ‘ଗୀତ’କୁ ବୋଲି କହିଲେ ଠିକ୍‌ ହେବ କି ନାହିଁ, ଛାନ୍ଦକୁ ଭାରି ଟେକନ୍ତି ସିଏ । ପିଲାଙ୍କ ଭିତରେ କିଏ ଭଲ ଗାଇପାରିଲେ, ସେ ହୁଏ ତାଙ୍କର ଗେହ୍ଲା ଚାଟ । ‘‘କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ–କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ ।’’ ଏଇ ଛାନ୍ଦଟି ତାଙ୍କର ଅତି ପ୍ରିୟ । ନିଜର କିନ୍ତୁ ଗଳା ଅପୂର୍ବ । ବଣିଚଢ଼େଇ ବୋବାଇଲା ପରି ଚେଁ ଚେଁ ହୋଇ ଏକ ଚିଇଁଚିଇଁଆ ଗଳାରେ ସେ ଏଇ ଛାନ୍ଦରୁ ପଦକେତେ ଶିଖାଇବାରେ ବ୍ୟସ୍ତ । ସନ୍ଥ ଦେଇସାରି ସେତକ ମୋଠୁଁ ଶୁଣିବାକୁ କହନ୍ତି ସେ । ସ୍କୁଲ ଛୁଟି ହେଲେ, ମାସକେ ପ୍ରାୟ ପନ୍ଦର ଦିନ ତାଙ୍କର ଆଦେଶ ହୁଏ–‘‘କାଳୀ, ପଳାଇବୁ ନାହିଁ, ମୁଁ ତୋତେ ଘରେ ଛାଡ଼ିଦେଇ ଆସିବି ।’’ ଅଥଚ ସ୍କୁଲଠାରୁ ଆମଘର ଖୁବ୍‌ ପାଖ–ଡାକିଲେ ପ୍ରାୟ ଶୁଭିବ ।

 

ଗଡ଼ ବୋଲି ଯାହାକୁ କହୁଛି, ସେ ଟାଉନ୍‌ ନୁହେଁ କି ମଫସଲ ନୁହେଁ । ରାଜା ସେଠି ରାଜଧାନୀ କରିଥିବାରୁ ରାଜ୍ୟ ଭିତରେ ଟାଉନ୍‌ ସେ । କଥାରେ କହନ୍ତି–‘‘ଯାହାଁ ରାଏ–ତହାଁ କଟକ-।’’ ସେଇମିତି ଗଡ଼ଟା ନାଆଁକୁ ମାତ୍ର ଟାଉନ୍‌, ନଇଲେ ମଫସଲ କହିଲେ ବେଶ୍‌ ଚଳିବ-। ସେ ଯାହାହେଉ, ପ୍ରକୃତି କିନ୍ତୁ ଏଠି ହସେ । ଗଡ଼ ପାଖକୁ ଲାଗିକରି ପାହାଡ଼, ତୋଟା, ନାଳ–ପ୍ରକୃତିର ସଜଡ଼ା ସାଇତା ସମ୍ପତ୍ତିତକ ଅଛି, ଯାହା ମଣିଷକୁ ଏକ ସରଳ ତରଳ ସ୍ୱଚ୍ଛନ୍ଦ ଗତିଆଡ଼କୁ ମୁହାଁଇନିଏ । ରାତି ଫସର ଫାଟିବାବେଳକୁ କଜଳପାତିଆ ଡାକମାରେ, ଅଦୂର ପାହାଡ଼ର ନାହାଲବେଲି ଗଛରୁ ଚଷାପୁଅ ଡାକେ–‘‘ମୁଁ ଚଷାପୁଅ’’ । ପାହାଡ଼ ଶିଖରେ ସିଂହନାଥଙ୍କ ଦେଉଳରୁ ଘଣ୍ଟ ଘଣ୍ଟା ଗଡ଼ଟାଯାକ ଉଛୁଳାଇଦିଏ । ପ୍ରକୃତି ଏଠି ସହଜରେ ଲୋକକୁ କଳା ଶିଖାଇଦେବାକୁ ଆଗଭର ।

 

ବଡ଼ ବଡ଼ ଦୋକାନ ବଜାର ଗଡ଼ରେ ନାହିଁ । ନିତିଦିନିଆ ସାଧାରଣ ଚଳଣି ଜିନିଷ ମିଳେ । ବଡ଼ଦାଣ୍ଡ ଦି’କଡ଼େ ସଞ୍ଜ ହେଲେ ଗୁଡ଼ାଏ ଉଠା ପସରା ବସେ । ଚାରିପାଖେ କାଚବାଡ଼ଦିଆ ଲଣ୍ଠନ ମଝିରେ ହାତୀମାର୍କା କିରାସିନି ଭରା ଡିବିରିଟିଏ ଜଳୁଥାଏ । ବଳିତାଟା ତେଜା ହୋଇଥାଏ–ସତେକି ମଶାଲର ଅଣ କି ପଣନାତି ସେ । ପସରାରେ ମିଳିବା ଭିତରେ ଜଳଖିଆ ଚୁଡ଼ା, ଉଖୁଡ଼ା, ଥୋଲିମୁଆଁ (ଗୁଡ଼ପାଗରେ ମୁଢ଼ି ପଡ଼ି ଗୋଟିଏ ଗୋଟିଏ ଛୋଟ ଛୋଟ ମୁଆଁ । ଚାରିକଡ଼ରେ ଚାରୋଟି, ମଝିରେ ଦେଉଳ ଚୂଳପରି ଗୋଟିଏ, ଲଗାଲଗି ହୋଇଥାଏ–ତାକୁ ଥୋଲିମୁଆଁ କହନ୍ତି), ମନୋହର (ଲିଆ କୁଟା ହୋଇ ଗୁଡ଼ରେ ପାଗିଥାଏ, ଛୋଟ ମୁଆଁ–ଏଣ୍ଡୁରି ପରି ପେଟଟା ମୋଟା, କରଟାର ଗଢ଼ଣ କ୍ରମେ ସରୁଆ, ଭିତରେ ଛେନାଗୁଡ଼ର ଖରଡ଼ା ପୁର), ଆଉ ସବୁଠୁଁ ସରସ ମାଲ, ମଣ୍ଡା ପିଠା (ଏ ପିଠା ଗହମ ଚୂନାରେ ତିଆରି ମଣ୍ଡାପିଠା ପରି ତିଆରି, ମାତ୍ର ଉପରେ ଗୁଡ଼ ପାଗଦିଆ), ଆଉ କେଳି ଖଜା (ଛେନା ଓ ଗହମ ଚୂନାରେ ଗୁଡ଼ ପାଗଦିଆ ଚଟକା ଚଟକା ଖଜା) । ଜଳଖିଆ ଦୋକାନୀମାନେ ଉପରିଓଳି ଚାରିଟାବେଳକୁ ଏସବୁ ତିଆରି କରିଥାନ୍ତି ।

 

ମୋଠୁ ଛାନ୍ଦ ଶୁଣିବା ପରେ କୃପାସିନ୍ଧୁ ମାଷ୍ଟ୍ରେ ପୂର୍ବୋକ୍ତ ‘ଜଳଯୋଗ’ମାନଙ୍କର ଖ୍ୟାତନାମା କାରିଗର କଣା ଜଗା (ଜଗନ୍ନାଥ ସାହୁ, ବୋଧହୁଏ ଦୁନିଆଁରେ ଆଉ ସେ ନାହିଁ) ଦୋକାନରୁ ଦୁଇପଇସା ବା ମନ ଅତି ଖୁସି ଥିଲେ ଅଣାକର କିଣି ଧରି ମୋ ସଙ୍ଗେ ଆମ ଘରକୁ ଯାଆନ୍ତି । ବୋଉ ଓ ମାଆ (ଜେଜେମାଆ) ଯେତେ ମନା କଲେ ବି ଏତକ ତାଙ୍କର ଶ୍ରଦ୍ଧାର ଦାନ ହୁଏ । ତାଙ୍କୁ ବେଶିକରି ମନା କଲେ, ସେ କାନ୍ଦିପକାଇ କହନ୍ତି–‘‘ମୋ ପୁଅ ହୋଇଥିଲେ ମୋତେ ତାକୁ ଶରଧାରେ ଜଳଖିଆ ଟିକିଏ ଦେବାକୁ କେହି ମନା କରନ୍ତା କି ? କାଳୀକୁ ମୋର ପରବୋଲି ବିଚାର କରୁଛନ୍ତି ଆପଣମାନେ ସିନା !’’ ବଡ଼ ଭାବପ୍ରବଣ ସେ । ଟିକକ କଥା ତାଙ୍କୁ ବାଧେ । ଏଥିପାଇଁ ତାଙ୍କୁ କେହି ବେଶି କିଛି କହନ୍ତି ନାହିଁ । ମୋତେ କିନ୍ତୁ ଭାରି ଚିଡ଼ି ଲାଗେ । କେତେ ଏବେ ସେଇ ‘କଳା କଳେବର’ ସବୁବେଳେ ଗାଉଥିବି ? ଚିଟା ଲାଗିଯାଏ । ହେଲେ ମାଷ୍ଟ୍ରେ ତ ! ତୁଣ୍ଡ ମୁଦି ରହେଁ । ବୋଉ ଆଗରେ ଯେତେ ଓଜର ମୋର, ମାତ୍ର ତା’ର ମୂଲ୍ୟ କିଛି ନାହିଁ । ଏଣ୍ଡୁଅ ଧାଉଡ଼ି ସିଜୁବୁଦା ମୂଳଯାଏ ସିନା !

 

ତେଣେ ରଜାଙ୍କ ଉଆସକୁ ମନ ଉଡ଼ୁଥାଏ । ଠ–ଠା–ଠି କରି କଳା କଳେବର ଛାନ୍ଦ ପଦେ ଗାଇଦେଇ ବେଗେ ଘରକୁ ପଳାଇଲେ ମଣିଷ ବଞ୍ଚେ । ଏଥିପାଇଁ କେତେଥର ‘ଦୁଇ’ ମଡ଼ାଏ ମୋତେ । ହସ ଲାଗୁଛି ଆଜି ସେ କଥା ଭାବିଲେ । ସତରେ ଦୁଇ ନା ଫୁଇ ! ନଅରକୁ ଯିବାକୁ ଗୋଟାଏ ପେଖେନା ସିଏ । ମୋର ତ ରଜାଙ୍କ ପାଖେ କଳବାଜାରୁ ଗୀତ ଶୁଣି ଶିଖିବାକୁ ମନ ହମ ହମ । କଳା କଳେବର ଦୋହରାଉଛି ବସି କିଏ ? ପୁଣି ତର ବା କାହିଁ ? ବେଳବୁଡ଼ ହୋଇଯିବ, ଘର ପଢ଼ା ମାଷ୍ଟ୍ରେ ଆସିବେ ।

 

ଢୁମ୍ପା ମଉଜ :

 

ବର୍ଷାଦିନ ଆସେ । ମୁଣ୍ଡିଆରେ ମେଘ ଚରେ । ବଡ଼ାମ୍ୱା ରଜା ବିଶ୍ୱମ୍ଭର ମଙ୍ଗରାଜ ମହାପାତ୍ରେ ଲଗାଣ ବର୍ଷା ଆଗମ ଦେଖିଲେ ବେଳେବେଳେ ବାଙ୍କମୁଣ୍ଡିଙ୍କ ମୁଣ୍ଡିଆ ପାଖେ ଢୁମ୍ପା ମଉଜର ସରାଗ କରନ୍ତି । ସ୍ୱପ୍ନ ପରି ସେ କଥା ଆଖି ଆଗରେ ଖେଳୁଛି ଆଜି ବି ।

 

ସାତ ଦଶନ୍ଧି ପରେ ସେ ଛବି ସେମିତି ରହିଛି ଅମଉଳା । କଅଁଳ ଗଛପତ୍ରରେ ମୁଣ୍ଡିଆଟା ସାରା ଯେମିତି କିଏ ଶାଗୁଆ ବିଛଣାଚଦର ପାରି ଦେଇଛି ! ମଥାରେ ମାଳତୀ ଟାହିଆ ଖୋଷି ଲତାଗୁଡ଼ିକ ବେଶହେଲା ନାଗରୀ ଭଳି ନାଚିଯାଉଛନ୍ତି ପବନରେ । ହଳଦିବସନ୍ତ, ବଣକୁକୁଡ଼ା, କୁମ୍ଭାଟୁଆ, ମୟୂର–ମୟୂରୀ, ଶୁଆ, ଭଦଭଦଳିଆ, ଆହୁରି କେତେ ଜାତି ଚିହ୍ନା ଅଚିହ୍ନା, ଚଢ଼େଇ ମନ ମଉଜରେ ପାହାଡ଼ରେ ଗୀତ ଗାଇ ଗାଇ ଲୁଚକାଳି ଖେଳୁଛନ୍ତି ।

 

ଚାରିପାଖ ଘେରିରହିଛି ପାହାଡ଼ । ମଝିରେ ଲୋକ ୩।୪ ହଜାର ଧରିବା ଭଳି ଥଳି । ପାହାଡ଼ ଉପରେ ବାଙ୍କମୁଣ୍ଡ ଠାକୁରାଣୀ । ଏ ଥଳିକି ଖୋଲି କହନ୍ତି ଲୋକେ ।

 

ଏଇଠି ହୁଏ ଢୁମ୍ପା ମଉଜ । ରଜାଙ୍କ ଗହଣରେ ଅନେକ ଲୋକ ଯାଇଥାନ୍ତି । ଦିନରାତି ଖନ୍ଦା ଲାଗିଥାଏ । ନର ସର୍ଦ୍ଦାର ଆଉ ନଟବର ପଶ୍ଚିମରାଏ ଜବର ବାଣୁଆଁ । ତାଙ୍କୁ କୁଆଡ଼େ ଗୁଣିଗାରୁଡ଼ି ଜଣା । ମନ୍ତ୍ର ଫୁଙ୍କି ଧୂଆଁ ବୁଲେଇ ଆଣିଲେ ଜନ୍ତୁ ମୁକର ଆସି ତାଙ୍କ ଜାମୁକି ନଳୀ ମୁହଁରେ ଢୁକିବେ । ମିରିଗ, ସମ୍ଭର, କୋଟରା ଶିଂଘାଳ–ବିଚରା ନିର୍ଦ୍ଦୋଷ ଜୀବଗୁଡ଼ାକ ! ସତେଯେମିତି ମଣିଷର ତୁଣ୍ଡସୁଆଦ ପାଇଁ ଜନ୍ମ ତାଙ୍କର !

 

ପାହାଡ଼ ଉପରେ ଶୁଭେ ଢୁ, ଢା । ଚାରିପାଖର ସାରା ପାହାଡ଼ ଚମକାଇ ପ୍ରତିଧ୍ୱନି ଉତ୍ତର ଦିଏ ଢୁ, ଢା...

 

ଜନ୍ତୁଏ ତରଛରେ ଏଣେ ତେଣେ ଧାଆନ୍ତି । ଆଉ କାଳ ପୂରିଥାଏ ଯାହାଙ୍କର ଭାଗବତ ବାଣୀରେ ‘ସେ ପ୍ରାଣୀ ବୈକୁଣ୍ଠେ ବସଇ’ ଖାସ୍‌ ମଣିଷର ତୁଣ୍ଡ–ସୁଆଦ ପାଇଁ ଯେମିତି ଜନ୍ମ ଏଇ ନିର୍ଦ୍ଦୋଷ ଜାନୁଆରଗୁଡ଼ିକଙ୍କର ।

 

ତେଣେ ବାଙ୍କମୁଣ୍ଡି ଖୋଲରେ ପଡ଼ିଛି ଏକ ବଡ଼ କାଶିଆରୀ ତମ୍ବୁ । ଖନ୍ଦା ତ ଦିନରାତି ଲାଗିଛି–ଧୁନି ଛପିବାକୁ ନାଇଁ । ଶାଗୁଆତି ପୋଡ଼ା, ଭଜାଠୁଁ ଆରମ୍ଭ କରି ତୁଉଣ ତରକାରି ପର୍ଯ୍ୟନ୍ତ ରନ୍ଧା ହେଉଛି । ଶିଆଳୀପତର ଚୌପଦୀରେ ଲୋକଙ୍କର ବୁଲି ବୁଲି ଚାଖଣା ବନ୍ଦ ନାହିଁ । କି ରାଜା କି ପ୍ରଜା–ବାରଣ ନାହିଁ କିଛି । ସଭିଏଁ ସମାନ ।

 

ପଞ୍ଝାଏ ଢୁମ୍ପା–ମଉଜୀ ଲାଗି ଯାଉଛନ୍ତି ଢୁମ୍ପା ମାଡ଼ରେ । ଗଣ୍ଡାଏ ଦି’ଗଣ୍ଡା ପାଟିଟକଳା ବା ପେଟବିକଳିଆଙ୍କ ଛଡ଼ା ରଜାଙ୍କ ସମେତ ବାକି ସଭିଏଁ ତାଙ୍କରି ପାଖେ ରୁଣ୍ଡ । ବଣରୁ ବଛାହୋଇ ମଇ ଗଛର ମୋଟା ଗଣ୍ଡି ଖଣ୍ଡେ ହଣାହୋଇ ଆସିଥାଏ । ତା’ଭିତରୁ କାଠ ବା ଶସ ଅଂଶ ଛେଚା ହୋଇ ବାହାର କରାଯାଇଥାଏ । ଖାଲି ଗଛର ଛେଲି ବା ଖୋଳପାଟି ଦିଶେ ଯେମିତି ଗୋଟାଏ ବେଛପରୀ ପଖାଉଜ ବା ଢୋଲ । ଦୁଇପଟରେ ଦୁଇଟି ଖୁଣ୍ଟ ପୋତା ହୋଇ ସେଥିରେ ଖୋଳଟି ଝୁଲୁଥାଏ । ଦି’ଜଣ ଦେହାଳୁ ଲୋକ ମୁହାଁମୁହିଁ ହୋଇ ଢୁମ୍ପା (ସେଇ ମଇ ଖୋଳଟି)ର ଦୁଇ ଖୋଲା ମୁହଁକୁ ଆପଣା ପେଟ ସମାନରେ ଲଗାଇ ବସନ୍ତି । ଗୀତ ଗାଆନ୍ତି, ସେମାନଙ୍କ ସହିତ ସ୍ୱର ମିଳାନ୍ତି ପଞ୍ଝାଏ ଲୋକ । ଗୀତର ତାଳରେ ଢୁମ୍ପା ମୁହଁରେ ବସିଥିବା ଲୋକଜଣକ ଢୁମ୍ପାକୁ ଆଗକୁ ଠେଲିଦେଲାବେଳକୁ ଆରମୁଣ୍ଡେ ବସିଥିବା ପେଟୁଆ ଲୋକଜଣକ ଟିକିଏ ପଛକୁ ହଟିଯାଆନ୍ତି । ପୁଣି ସେ ଜଣକ ଢୁମ୍ପା ଠେଲିଦେଲାବେଳକୁ ଏ ମୁଣ୍ଡର ଲୋକ ଟିକିଏ ସେହିପରି ପଛକୁ ହଟିଯାଆନ୍ତି । ଏ ଠେଲାଠେଲିଟା ପେଟରେ । ଢୁମ୍ପାର ଆର ଦୁଇ ପଟରେ ଚଉପାଲିଆ ହୋଇ ଆଉ ଦି’ଜଣ ‘ତାଳୁଆ’ ବସିଥାନ୍ତି । ସେମାନଙ୍କ ହାତରେ ପ୍ରାୟ ହାତେଲମ୍ବର କାଠି । ଆଗରେ ଲାଗିଥାଏ ଘୁଙ୍ଗୁର । ଗୀତର ତାଳରେ ଢୁମ୍ପା ଉପରେ ମାଢ଼ ଦେଇ ବାଜା ବାଜେ । ଢୁମ୍ପାଗୀତରେ ବି ପ୍ରକାର ଭେଦ ଅଛି । ଆଜିକି ପ୍ରାୟ ୬୦ ବର୍ଷ ତଳର କଥା ତ ! ହେତୁ ନାହିଁ ବେଶି । ତେବେ ପଦଟାଏ ସେ ଗୀତରୁ କହୁଛି–

 

‘‘ବରଷା ମାଇଲା ଝାଇଁ, ମୋ ଧନରେ

ବିଜୁଳି ମାଇଲା ଝାଇଁ

ଆସିବୁ ବୋଲି ତୁ ଚନ୍ଦ୍ରମାମୁହୀଁ ଲୋ ଜାଇଫୁଲ

ବସିଛି ବାଟ ଅନାଇଁ ।’’

 

ଆଜି ଆଉ ସେ ଢୁମ୍ପା ନାହିଁ କି ସେ ବରଷା ନାହିଁ । ଢୁମ୍ପାରେ ବାଦ ବି ଲାଗେ । ଚଢ଼ା ଉତ୍ତରା ଗୀତ ବୋଲା ହୁଏ । ଗୀତ ଅନେକ ସମୟରେ ଅବସ୍ଥାକୁ ମନାଇଁ ତୁରନ୍ତ ମଧ୍ୟ ରଚନା ହୁଏ-। ଢୁମ୍ପା ମଉଜୀଏ ବସିଗଲେ, ତାଙ୍କର ଆଉ ଦିନରାତି ଜ୍ଞାନ ନଥାଏ । ସାଧାରଣତଃ ଖାଇପିଇ ଦି’ପହରଟା ମଟାଳି ଉପରଓଳି ତିନିଟା ଚାରିଟା ବେଳକୁ ଢୁମ୍ପାଳିଏ ବସିଯାଆନ୍ତି ଆସନ ଜମାଇ, ମଝିରେ ମଝିରେ ଅସରାଏ ଅସରାଏ ବରଷା ବି ଟୋପିବୁଣି ଚାଲିଯାଏ । ଯେ ଚାଲିଲା ଢୁମ୍ପା ମାଡ଼, ରାତିଅଧ କି ତିନିପା ଯାଏଁ । ଚାରିପାଖେ ଯୋଡ଼ି ମଶାଲ ଜଳୁଥାଏ । ତେଣେ ଟିକିଏ ଦୂରଛଡ଼ା ହୋଇ ହୁତ୍‌ହୁତ୍‌ ହୋଇ ଅଗି ଜଳୁଥାଏ । ବେଳେ ବେଳେ ଜଣେ ଅଧେ ମଉଜିଆ କେନ୍ଦୁକାଠ ଖଣ୍ଡେ ଅଧେ ସେଇ ଅଗିରେ ପକାଇ ଦିଅନ୍ତି । ଚଡ଼ଚଡ଼ ହୋଇ ଫୁଟିବା ସଙ୍ଗେ ସଙ୍ଗେ ନିଆଁ ଝୁଲ ଉପରକୁ ଉଠେ, କୁମ୍ପିବାଣପରି ସୁନ୍ଦର ଦିଶେ । ଏ ବି ଗୋଟାଏ ମଉଜ ।

 

ଏବେ କେହି କେମିତି ଢୁମ୍ପା ଗୀତର ସୁର ଅନୁକରଣ କରି ଗାଉଛନ୍ତି; ମାତ୍ର ତା’ ଭିତରେ ଆଧୁନିକତାର ଛିଟା ମିଶିଯାଇ ଠିକ୍‌ ଦେଶୀ ଗଞ୍ଜାର ବିଲାତି ବୋଲି ଭଳି କାନକୁ ଖଟକା ଲାଗୁଛି । ଭାଷାରେ ବି ଟିକିଏ ‘କିନ୍ତୁ’ ରହିଯାଉଛି । ଅସଲ କଥା ଏବର ଏଇ ଢୁମ୍ପା ଗୀତ ଲେଖକ କି ସ୍ୱରକାର ଅବା ଗାୟକ ମୂଳ ଢୁମ୍ପାଗୀତ ଶୁଣିଥିଲେ ଆଉ ଅଚା ହୁଡ଼ିବା କଥା ହୁଅନ୍ତା ନାହିଁ ।

 

ୟା’ଛଡ଼ା ଆହୁରି ବି ବେଳ ବେଳକିଆ ମଉଜି ମଜଲିସ୍‌ ଗଡ଼ୁଆ କରନ୍ତି ରାତି ରାତି ଅନିଦ୍ରା ରହି । ରଜାଙ୍କ ସିଂହଦ୍ୱାର ଛଡ଼ା ଆଉ କାହା ଦୁଆରକୁ ଯିବାକୁ ଆମକୁ ମନା । ସେଇଥିପାଇଁ ଯେ ଯୁଆଡ଼ୁ ଯାତ୍ରାଲୀଳା ଦଳ ଆସିଲେ, ପ୍ରାୟ ଆମ ଦୁଆରେ ବାପା ଓ ଜେଜେ ଦିନେ ଅଧେ କରାନ୍ତି–ପିଲାଏ ଦେଖିବେ ବୋଲି ।

 

ନାଟଦେଖା :

 

ଚଇତିଘୋଡ଼ା ଆଉ ଦଣ୍ଡନାଟ ବି ଦିନାକେତେ ଚାଲେ । ଚଢ଼େଇଆ–ଚଢ଼ଉଣୀ, ବୀଣାକାର, ଭାଲୁନାଟ ଇତ୍ୟାଦି ଦଣ୍ଡନାଟର ଅଙ୍ଗ । ଚଢ଼େଇଆ ଯେତେବେଳେ ମଣିଷ ମୁହଁଠାରୁ ଅସମ୍ଭବ ରକମର ଏକ କାଠ–ମୁଖାପିନ୍ଧା, ଆଗରେ ପକ୍ଷୀପର ବନ୍ଧା ଏକ ଲମ୍ବା ବାଉଁଶ ଧରି ଢୋଲ ମହୁରୀ ବାଜା ସହିତ ନାଚି ନାଚି ଚଢ଼ଉଣୀକୁ ଟାଣେ, ସେତେବେଳେ ଚଢ଼ଉଣୀ ଚଢ଼େଇଆକୁ କହେ–

 

‘‘ହୁଉଁ କଲା ହନୁମନ୍ତ କି ଚଢ଼େୟା,

ହୁଁ କଲା ହନୁମନ୍ତ

ତୋତେ ଘେନି ମୁହିଁ କୁଆଡ଼େ ପଶିବି ଚଢ଼େୟାରେ

ଚାରିଆଡ଼େ ପରବତ ।’’

 

–ସେତେବେଳେ ମନଟା ମୋର କିମିତି ଏକ ସତସତିକା ଆନନ୍ଦରେ କୁରୁଳିଉଠେ ।

 

ରଙ୍ଗ ସାଲୁକନା ଓ ଜରି ଗୁଡ଼ା ହୋଇଥିବା ଗୋଟାଏ କାଣ୍ଡ ବାଉଁଶ । ଗୁଣ ଦଉଡ଼ିରେ ତାର ଝୁଲୁଥାଏ ଗୁଡ଼ିଏ ଘୁଙ୍ଗୁର । ତାକୁ ଗୋଟିଏ ହାତରେ ମୁଣ୍ଡଉପରେ ଟେକି ଧରି ସଭାକୁ ଆସି ଯେ ନାଚେ–ତାଙ୍କ ନାଁ ବୀଣାକାର । ରାଗ ରସକୋଇଲା (ଛାନ୍ଦ ରାଗ–ରସକୂଲ୍ୟା) ଓ ଆଷାଢ଼ ଶୁକ୍ଳ ବାଣୀରେ ବୀଣାକାର ଗୀତ ଗାଆନ୍ତି । ତାଳ ଉପରେ କାଣ୍ଡକୁ ହଲାଇ ଝମ୍‌ଝମ୍‌ ଶବ୍ଦ କରନ୍ତି, ଏଣେ ବଳାଗଣ୍ଠିରେ ଘାଗୁଡ଼ି ବନ୍ଧା ଗୋଡ଼ରେ ବି ତାଳ ପକାଇ ନାଚ ଚାଲିଥାଏ । ଗୀତ ପୂରାପୂରି ମନେ ହେଉ ନାହିଁ ମୋର–ଧାଡ଼ିଏ ଅଧେ ଯାହା ମନେପଡ଼ୁଛି, ଶୁଣନ୍ତୁ–

 

‘‘ଚନ୍ଦ୍ରମା ବଦନୀ ନାଗରୀବର

ଘଡ଼ିଏ ମନୁ ନ ଗଲୁ ପାସୋର...’’

 

ଭାଲୁ ନାଟୁଆ ଗୋଟିଏ ଦଉଡ଼ିରେ ଭାଲୁକୁ ଧରିଥାଏ । ହାତରେ ଖଣ୍ଡେ ରଙ୍ଗବାଡ଼ି ଥାଏ । ଏ ଭାଲୁ ସତ ଭାଲୁ ନୁହେଁ । ଭାଲୁ ମୁହଁ ଓ ଚମଡ଼ାକୁ ଜଣେ ଲୋକ ଘୋଡ଼ାଇ ହୋଇଥାଏ । ସେ ନଇଁପଡ଼ି ହାତ ଓ ଗୋଡ଼ ଭୂଇଁରେ ଲଗାଇ ଫୁକୁରୁ ଫୁକୁରୁ ନାଚେ ବା ଡିଏଁ; ଭାଲୁ ନାଟୁଆ ଗାଏ–

 

‘‘ମେଘ କଲା ନାଲୁ ନାଲୁ

ପର୍ବତ ଶିଖରୁ ଗଡ଼ି ପଡ଼ିଲା

ଶଙ୍କର ପାଟିଆ ଭାଲୁ ।’’

 

ଏସବୁ ଦେଖିବାକୁ, ଶୁଣିବାକୁ ଭାରି ସୁଖ ଲାଗେ ମୋତେ । ନଅରକୁ ଯେଉଁଦିନ ନଯାଏ, ସେଦିନ ବାଡ଼ିପଟ ଅଗଣାରେ ଏକ ନାଚଗୀତମାନଙ୍କର ଅନୁକରଣିଆ ଆଖଡ଼ା ପୂରା ଦମ୍‌ରେ ଚାଲେ । ନଟ ନଟୀର ଅଭାବ ନାହିଁ । ଜୁଟିଯାଆନ୍ତି ଆସି ସାଇପଡ଼ିଶାରୁ ହଟିଆ, ମହନା, ଚଇତା ଆଉ ସାବୀ, ମହନୀ, ତରା ଇତ୍ୟାଦି ଢେର୍‌ ପୁଅ ଝିଅ । ଡକାଡକିର କାରପଟଦାର ରଘୁଦାଦା । ପଡ଼ିଶା ଘର ସେ । ବୟସରେ ମୋଠାରୁ ୪।୬ ବର୍ଷ ବଡ଼ । ବନ୍ଧୁ କୁଟୁମ୍ବ ନୁହନ୍ତି–ଏମିତି ସାଇଭାଇରେ ଡକାଡକିରେ ସେ ‘ଦାଦା’ । ନାଚି, ଗାଇ, ବତାଇ ଗୁରୁଗିରି ସାଧାରଣତଃ କରିଥାଏ ମୁଁ । ଦେଖଣାହାରି ଢେର୍‌–ତେବେ ଏମାନେ ଖାଲି ପ୍ରାୟ ମାଇପି । ମରଦନାମା ଯେବେ ବା କେହି ଥାଆନ୍ତି ସେ ଆମ ଘରର ହଳିଆ ଦୀନା ଶହର, ବାଉରିଆ ଚାକର, ଇତ୍ୟାଦି ଇତ୍ୟାଦି । ଗୀତଗୁଡ଼ାକ ତ ପୂରାପୂରି ମନେ ନଥାଏ; କିନ୍ତୁ ଶିଖାଇବାକୁ ତ ହେବ, ନଇଲେ ଗୁରୁଗିରି ଫସର ଫାଟିଯିବ ଯେ ! ତେଣୁ ଦାୟରେ ପଡ଼ି, ପଦକୁ ପଦ ଯୋଡ଼ି, ଅକ୍ଷର ସମାନ ରଖି, ଶେଷ ଅକ୍ଷର ମିଳାଇ ତିଆରି କରିବାକୁ ପଡ଼େ ମୋତେ ।

 

ଏବେ ବୁଝୁଛି–ସେଇ ନାଚ ଗୀତ କିମିତି ମୋ ଜୀବନରେ କଞ୍ଚା ହାଣ୍ଡିରେ ଗାର ପଡ଼ିଲା ପରି କାମ ଦେଖାଇଛି । ତେଣୁ ଯେଉଁ ଅଚିହ୍ନା ଅଜଣା କୁମ୍ଭାରମାନେ ତାଙ୍କ ଚକରେ ଏ ହାଣ୍ଡି ଗଢ଼ିଦେଇ ଯାଇଛନ୍ତି, (ଅବଶ୍ୟ ଆଜି ଆଉ ସେମାନେ କ’ଣ ଥିବେ ?) ସେଇ ଗୁରୁମାନଙ୍କୁ କୋଟି ଜୁହାର ଜଣାଉଛି ।

 

ରାମନବମୀ :

 

ବଡ଼ାମ୍ୱା ରାଜବାଟୀ ସିଂହଦ୍ୱାରର ଟିକିଏ ଆଗକୁ ହେଇ, ଡାହାଣପଟରେ ଘାଟବନ୍ଧା ବଡ଼ପୋଖରୀ ପାଣି କାଚକେନ୍ଦୁ ପରି (କାର୍ତ୍ତିକେନ୍ଦୁ) ନିର୍ମଳ । କେତେଗୋଟି ନାଲିକଇଁ ଅଧିକାଂଶବେଳେ ସେଥିରେ ଫୁଟିଥାଏ, ଆଉ ପାଣିରେ ପହଁରୁଥାଆନ୍ତି ଧଳା, କଳା, ଚିତ୍ର–ଭଳିକି ଭଳି ରଙ୍ଗ ପାତିହଂସ । ତାଙ୍କ ପାଖେ ପାଖେ ରାଜହଂସ ବି ଥାଆନ୍ତି; କିନ୍ତୁ ପାତିହଂସ ସଂଖ୍ୟାରେ ବେଶି–ପଚାଶ କି ଷାଠିଏ ହେବ । ବେଳବୁଡ଼େ ପାଣି ଛାଡ଼ି ଏମାନଙ୍କ ଘରବାହୁଡ଼ା କାଳର ମଦ–ମନ୍ଥର ଗତି ସହିତ ସେ ଅପୂର୍ବ ସ୍ୱନ ସତରେ ଭାରି ସୁନ୍ଦର । ମନେଅଛି–ଯୋଗକୁ ଦିନେ ଦିନେ ସେତିକିବେଳକୁ ନଅରକୁ ଯାଉଥିବେ, ମୁଁ ଘଡ଼ିଏ ପହଡ଼େ ତାଙ୍କୁ ଚାହିଁରହେ । କେଜାଣି କାହିଁକି ମନଟା ଆନନ୍ଦ ହୁଏ, ଆଖି ସେଇଠି ଲାଖିରହେ । ହଂସ ପାଳିବା ରାଜାଙ୍କର ଗୋଟିଏ ବଡ଼ ସଉକ-। ପୋଖରୀର ବାଆଁପଟକୁ ନଅର ଦୁଆର ଆଗରେ ତିଆରି ହୁଏ ବେଶ୍‌ ଲମ୍ବା ଚୌଡ଼ା, ହାତିଶାଳ ପରି ଡେଙ୍ଗା ଏକ ଛଣଘର, ତାହାରି ତଳେ ରାମନବମୀବେଳେ ‘ରାମନବମୀ’ ଯାତ୍ରା ହୁଏ ନଅଦିନ କାଳ । ଅନେକ ଦିନ ହେଲା ଆଉ ସେ ସବୁ ନାହିଁ । ସ୍ୱର୍ଗୀୟ ରାଜା ନାରାୟଣ ବୀରବର ମଙ୍ଗରାଜ ମହାପାତ୍ରଙ୍କ ଅମଳକୁ ମଧ୍ୟ ରାମନବମୀ ଯାତ୍ରାର ନାଆଁଗନ୍ଧ ନଥିଲା ।

 

ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ଭିତରୁ ସବୁରି ନାଆଁ ଆଉ ହେତୁ ହେଉନାହିଁ, ମାତ୍ର ଦି’ଜଣଙ୍କ ନାଆଁ ମୋର ଅପାସୋରା ହୋଇ ରହିଛି । ରାମ ଭୂମିକାରେ ବିଦ୍ୟାଧର (ବିଦେଇ) ଆଉ ସୀତା ଭୂମିକାରେ ମଦନ (ମଦେଇ)ଙ୍କ ସୁଢଳ ରୂପ ଆଖି ଆଗରେ ଦିଶିଯାଉଛି । ଦୁହେଁ ଠିକ୍‌ ମୋ କଳ୍ପନାର ରାମ-ସୀତା ପରି ଦିଶୁଥିଲେ ମୋତେ । ଅଭିନୟ ବି ବଢ଼ିଆ କରୁଥିଲେ ସେ ଦୁହେଁ-

 

ଅନଙ୍ଗ ଭଣତି ରାମାୟଣ ବୋଲା ହେଉଥାଏ । ବ୍ୟାସାସନରେ ଥୁଆହୁଏ ପୋଥି । ପାଠ ଆଗରୁ ପୋଥି ପୂଜା ହୁଏ, ପାଖରେ ଜଳୁଥାଏ ପିତଳର ପଞ୍ଚମୁହାଁ ପିଲିସଜ ଦୀପ । ପାଠକ ବା ପୁରାଣପଣ୍ଡା ଶୁଦ୍ଧପୂତ ଭାବରେ ବୋଲନ୍ତି ରାମାୟଣ ଗୀତ, ପଞ୍ଝାଏ ପାଳିଆ ଗୀତର ପାଳି ଧରନ୍ତି, ଗିନି ମର୍ଦ୍ଦଳ ଗୀତ ସାଥିର ବାଦ୍ୟଯନ୍ତ୍ର । ପଦେ ଗୀତ ମନେଅଛି–

 

‘‘ହେ ବନଗିରି,

ମୋ କାନ୍ତ ଗଲେ ମୃଗମାରି ।’’

 

ପଦଟି ଆଜି ବି ମୋର ଅପାସୋରା ହୋଇ ରହିଛି । ଏବକାଳ ପରି ହାର୍ମୋନିୟମ, ବଂଶୀ, ବେହେଲା, ସୀତାର କିଛି ନାହିଁ, ଅଥଚ ସେହି ବାଜାରେ ଯାତ୍ରା ଜମିରହେ ବେଶ୍‌ ।

 

ଶୁଣିଛି ଅଂଶଗ୍ରହଣ ଯେଉଁଦିନ କରୁଥିଲେ, ସେମାନେ ଅରୁଆ ଖାଉଥିଲେ ଯାତ୍ରାଦିନତକ । ଯାତ୍ରା ଅନୁକୂଳ ଦିନ ନିଜେ ରାଜା ଗୁଆ, ଅରୁଆଚାଉଳ ଟେକିଦିଅନ୍ତି ସଂକଳ୍ପ କରି-। ଥରକର ଗୋଟାଏ ଘଟଣା ଭୁଲିହେବ ନାହିଁ । କହୁଛି ଶୁଣନ୍ତୁ–

 

ସେକାଳ ରଜା :

 

ରାମନବମୀର ପହିଲିଦିନ ଓପରଓଳି–ବେଳ ରତରତ ହୋଇ ଆସୁଥାଏ, ରାଜା ପୁରୋହିତଙ୍କୁ ଗୁଆ ଚାଉଳ ଟେକିଦେଇ ସାରିଛନ୍ତି । ଠିକ୍‌ ତା’ ପଛେ ପଛେ ନଅର–ଦୁଆରୀ ଛାମୁରେ ଜଣାକଲା–‘‘ମଣିମା ! ଜଣେ ବ୍ରାହ୍ମଣ ଦର୍ଶନକୁ ଆସି କେତେବେଳୁ ସିଂହଦ୍ୱାରେ ବସିଛନ୍ତି-।’’

 

ରଜା ପଚାରିଲେ–କିଏ ସେ ସିଏ ? କୁଆଡ଼େ ଆସିଛନ୍ତି ?

 

ଦୁଆରୀ କହିଲା–ଭାରି ଗରିବ ପରି ଦିଶୁଛନ୍ତି, ମତେ କହିଲେ ଛାମୁରେ ଜଣାଇବା ପାଇଁ ।

 

ଆଜ୍ଞା ହେଲା–ଆଚ୍ଛା ହେଉ, ଡାକିଆଣ । ବ୍ରାହ୍ମଣ ଉପସ୍ଥିତ ହୋଇ, କାନ୍ଧ ଉପରେ ଚଉତିକରି ପକାଇଥିବା ମଳିମହଳ ଗାମୁଛାରେ ଲମ୍ବ ହୋଇ ସାଇତା ହୋଇଥିବା କିଛି ପଦାର୍ଥ ତଳେ ଥୋଇ ରାଜାଙ୍କୁ ଆଶୀର୍ବାଦ କଲେ । ତା’ ପରେ ତାଙ୍କ ଗାମୁଛାବନ୍ଧା ଦରବଟି ଭାରି ଯତ୍ନରେ ଚାରି ଛଅପରସ୍ତ ଗୁଡ଼ିଆ ଫିଟିବା ପରେ ଦେଖାଗଲା–ଦିବ୍ୟ ହଳଦୀରଙ୍ଗର ପ୍ରାୟ ହାତେ ଲମ୍ବ ହେବ ଏକ ପାଚିଲା ଆମ୍ବପତ୍ର । ଆମେ ସବୁ ଯିଏ ସେଠି ଥିଲୁ ହସି ପକାଇଲୁ, ରାଜା କିନ୍ତୁ ବଡ଼ ଆଦରରେ ତାକୁ ନେଲେ । ଘରର ସୁଖ–ଦୁଃଖ ପଚାରିଲେ, ସତେଯେମିତି କେତେକାଳର ଚିହ୍ନା, ଜଣା–କେହି ଭାଇବନ୍ଧୁ କୁଟୁମ୍ବ । ଏବେ ଭାବୁଛି ରଜା–ପ୍ରଜା ଭିତରେ ସେ କି ଆତ୍ମୀୟତା ! ବ୍ରାହ୍ମଣ ନିଜର ଘରକଥା ସ୍ୱଚ୍ଛନ୍ଦରେ ଅତି ଆପଣାର ଲୋକ ଆଗରେ କହିଲା ପରି ଗଡ଼ଗଡ଼ ଗାଇଯାଉଥାନ୍ତି । କଥାରେ ବାଟୁଳି ବାଜିବାକୁ ନାହିଁ । ରାଜା ସମବେଦନା ପ୍ରକାଶ କରୁଥାଆନ୍ତି । ତାକୁ ଦେଖି ଆମ ହସ କୁଆଡ଼େ ଉଭାଇଗଲା, କିମିତି ଲାଜଲାଜ ଲାଗିଲା ମୋତେ । ରାଜା ଧୀରସ୍ଥିର ଭାବରେ ସବୁକଥା ଶୁଣିଗଲେ । କହିଲେ–ବସ ! ସଞ୍ଚା ଦିଆହେଉଛି, ପର୍ବ ଘରେ ରହ, ଆଜି ରାମନବମୀ ଆରମ୍ଭ, ଦେଖିକରି କାଲି ଗାଆଁକୁ ଯିବ ।

 

ବ୍ରାହ୍ମଣ ରାଜାଙ୍କ ଆଜ୍ଞା କେମିତି ହେଣ୍ଟିଦେବେ ବୋଲି ଟିକିଏ ତେଣିକି ହେବାପରି ଲାଗିଲା । ରାଜା ସେ କଥା ଠଉରାଇ କହିଲେ–‘‘ଘରେ ପିଲାଙ୍କୁ କହି ଆସିନା ପରା, ରାତିଏ ରହିବାକୁ । ହଉ, ଜଗନ୍ନାଥଙ୍କର ସଞ୍ଜଧୂପ ଉଠୁ । ଖାଲି ହାତଟାରେ ଘରକୁ କେମିତି ଯିବ ? ଯାଅ, ବଡ଼ ପୋଖରୀରେ ମୁହଁ ହାତ ଧୋଇ ସନ୍ଧ୍ୟା କର । ଯିବ ତ ! ବାଟ କେତେ କି ? ପଲାସି ଗଲେ ରାତି ଘଡ଼ିକି ଘରେ ଗୋଡ଼ ଦେବ ।’’

 

ବ୍ରାହ୍ମଣ ବିଚାରା କ’ଣ ମନରେ ଭାବିଲେ କେଜାଣି, ଟିକିଏ ମୁହଁକୁ ଆମ୍ବିଳେଇ ଦେଇ ଉଠିଗଲେ ।

 

ରାଜା ଡାକିଲେ ଗନ୍ତେଇତ (ଗନ୍ତାୟତ) ଗତି ମହାପାତ୍ରଙ୍କୁ । ସେ ‘ମଣିମା’ ବୋଲି ଭିତରଆଡ଼ୁ ଆସି ରାଜାଙ୍କ ଛାମୁରେ ତୁଣ୍ଡରେ ହାତଦେଇ ଛିଡ଼ାହେଲେ । ହୁକୁମ ଶୁଣିବାକୁ ନଇଁ ପଡ଼ିଥାଆନ୍ତି ଟିକିଏ । ଆଜ୍ଞା ହେଲା କି–‘‘ବ୍ରାହ୍ମଣକୁ ପଚାଶଟି ଟଙ୍କା ଦେବ । ସଞ୍ଜ ଧୂପର ‘ବିଶ୍ୱମ୍ଭର ବଲ୍ଲଭ’ ଖଜା ବଡ଼ ଥାଳିଆଟି ଦେବ । ପିଲାଏ ତାଙ୍କର ଚାହିଁ ରହିଥିବେ–ନନା ଗଡ଼ରୁ କ’ଣ ଆଣିଛନ୍ତି ବୋଲି । ଏ ଆମ୍ବ ପତ୍ରଟିକୁ ବୈଠକଖାନାରେ ଥୋଇଦେଇଥା ।’’

 

ମୁଁ ପଚାରିଲି–‘‘ଛାମୁ ! ପାଚିଲା ଆମ୍ବପତ୍ରଟି କାହିଁକି ଆଣିଥିଲେ ସେ । ଛାମୁ ତ କ’ଣ ଭାରି ପ୍ରଶଂସା କଲେ ପତ୍ରଟିକି !’’

 

ରାଜା କହିଲେ–‘‘ଆରେ ପୁଅ, ତୁ ଜାଣି ନାଉଁ । ତୁଚ୍ଛା ହାତରେ ରାଜଦ୍ୱାରକୁ ଆସିବାଟା ଅବିଧି । ସେ ତ ଗରିବ ବ୍ରାହ୍ମଣ । ତାଙ୍କୁ ଆଉ କ’ଣ ମିଳନ୍ତା ? ଯୋଗକୁ ପାଇଲେ ଏଇ ପାଚିଲା ଆମ୍ବ ପତ୍ରଟିକି । ଦେଖୁଛୁ ନା, କେଡ଼େ ବଡ଼ ହୋଇଛି–କି ସୁନ୍ଦର ହଳଦିରଙ୍ଗ ଦିଶୁଛି । ସହଜରେ, ସବୁଠି ଏଡ଼େ ଲମ୍ବାପତ୍ର ମିଳେ କି ? ତୁ କ’ଣ ଭାବୁଛୁ, ସେ ଛାର ଆମ୍ବ ପତ୍ରଟିଏ ଆଣିଥିଲେ ବୋଲି-? ନାଇଁ, ନାଇଁ, ସେ ତାଙ୍କ ଶ୍ରଦ୍ଧା ଆଣି ଭେଟିଚନ୍ତି । ଛାର ଆମ୍ବପତ୍ରଟାକୁ ପଚାଶ ଟଙ୍କା ଦିଆଗଲା ବୋଲି ବିଚାର କର ନାହିଁ । ଏ ତାଙ୍କ ‘ଶ୍ରଦ୍ଧା’ର ସାମାନ୍ୟ ମୂଲ୍ୟ । ଅବଶ୍ୟ ‘ଶ୍ରଦ୍ଧା’ର ଦାମ୍‌ କେହି ଦେଇପାରିବ ନାହିଁ–ତଥାପି ବିଚାରା ବଡ଼ ଗରିବ–କିଛି ଦିଆଗଲା । ତୁ ବଡ଼ ହେଲେ ବୁଝିବୁ ଏ ସବୁ-।’’

 

ରାଜା ବିଶ୍ୱମ୍ଭର ମଙ୍ଗରାଜେ କେତେକାଳୁ ଦିହ ଛାଡ଼ିଲେଣି । ଆଜିର ବଡ଼ାମ୍ୱା ରାଜା ତାଙ୍କର ନାତି । ସେ ରାଜା କହିଥିଲେ–‘‘ତୁ ବଡ଼ ହେଲେ ବୁଝିବୁ’’ ଖାଲି ବଡ଼ ନୁହେଁ, ବୁଢ଼ା ହେଲି । କଳିଷଠା ଷାଠକ ଡେଇଁଲି । ଫାଉ ବା ଲାଭ ଉପରେ କଳିକାଳ ଭୋଗୁଛି । ଏବେ ତାଙ୍କ କଥା ଭାବୁଛି–କୁଆଡ଼େ ଗଲା ସେ କାଳ, ସେ ରାଜା, ସେ ମନ ! ଏ ସବୁ ସପନ ନୁହେଁ କି ?

 

ହଁ ରାମନବମୀ ଯାତ୍ରା କଥା କହୁ କହୁ ଅଚା ହୁଡ଼ିଗଲି । ରାତି ଘଡ଼ିକପରେ ଯାତ୍ରା ଆରମ୍ଭ ହେଲା । ଧୂପ, ଦୀପ ନୈବେଦ୍ୟ ସହିତ ପୂଜାପୂଜି ସରିଲା । ଯାତ୍ରାରେ ଅଂଶଗ୍ରହଣକାରୀମାନେ ଆସି ପୋଥି ପାଖରେ ମୁଣ୍ଡିଆ ମାରିଲେ ।

 

ପ୍ରଥମେ ଗୁଣୁଗୁଣୁ ଆରମ୍ଭ ହୋଇ ବଡ଼ପାଟିରେ ପାଳିଆ ପଞ୍ଝା ଗାଇଲେ–

 

‘‘ଜୟ ରାମ ହେ, ଭଜ ରାମ ହେ,

ନବ ଦୂର୍ବାଦଳ ଘନଶ୍ୟାମ ହେ ।’’

 

ସେଇଠୁ ଯାତ୍ରା ଅନୁକୂଳ ହେଲା । ପୋଥିରୁ ଗୀତ ପଢ଼ାଗଲା, ପାଳିଆ ପାଳି ଧରିଲେ । ନାଟୁଆମାନେ ତାଳରେ ନାଚି ଟିକିଏ ଟିକିଏ ଅଭିନୟ ଦେଖାଇଲେ । ଦେଖଣାହାରିଏ ବିଷୟ ଅନୁସାରେ ହସିଲେ, କାନ୍ଦିଲେ, ଆହା ହା କଲେ ସଭିଙ୍କ ମନମୁନ ଯେମିତି ଏକାଠେଇଁ ।

 

ଏଇ ରାମନବମୀ ଯାତ୍ରାର ଗୀତ, ବାଜା, ନାଚ, ଅଭିନୟ–ମୋ ମନ ଉପରେ ପ୍ରଭାବ ପକାଏ । ସେଇ ଯେ ପ୍ରଭାବ–ତା’ର ଜୋର୍‌ ଚାଲିଛି ଆଜଅବଧି । ହୋଇପାରେ ତା’ ଏକ ଅସଂସ୍କୃତ ରୀତି (Crude Form) ତଥାପି ତାହାରି ଭିତରେ ଥିଲା–ଅଛି–ଆଉ ଥିବ–ଆମ ସଂସ୍କୃତି–ଆଦିମ ସଂସ୍କୃତି... ଏ ଦେଶରେ ପାଣି ପବନକୁ ମନାଇଥିବା ‘ପ୍ରବୃତ୍ତି’ (Usage) ଯାହା ଅନ୍ୟ ଦେଶର ଚାଲିଚଳଣିଠାରୁ ନିଆରା ବୋଲି ବାରିହୋଇପଡ଼େ । ସେ ଗୀତକୁ Classical କୁହାଯାଇପାରିବ ନାହିଁ; କିନ୍ତୁ ଜନ–ମନୋହାରୀ–ଶାସ୍ତ୍ରୋକ୍ତ ‘ଅବଳା ବାଳଗୋପାଳ’ ଯାହାକୁ ଗାଇ ଅବା ଶୁଣି ଆନନ୍ଦ ଉପଭୋଗ କରନ୍ତି–ଏ ସେଇ ଗୀତ-ସଙ୍ଗୀତ । କ୍ରମେ ନାନା ବିଧିବିଧାନ ଓ ବ୍ୟାକରଣର ରୀତିନୀତିଦ୍ୱାରା ନିୟନ୍ତ୍ରିତ ବା ଶୃଙ୍ଖଳିତ ଶାସ୍ତ୍ରୀୟ ବା ଆଜିକାଲିକା କଥାରେ Classical ସଙ୍ଗୀତର ଜନ୍ମ ଏଇ ଗୀତରୁ । ଏହାକୁ ଗଣ–ସଙ୍ଗୀତ, ଲୋକଗୀତ ବା ପଲ୍ଲୀଗୀତ ଯାହା ଇଚ୍ଛା କୁହାଯାଉ–ତହିଁକି ଓଜର ଆପତ୍ତି ନାହିଁ । ମୋର କହିବା କଥା ଯେ, ଆମ ଓଡ଼ିଶାର ଓଡ଼ିଆତ୍ୱ ବା ଓଡ଼ିଶୀର ଢଙ୍ଗରଙ୍ଗ ଥିଲା ଏଇ ଗଡ଼ଜାତମାନଙ୍କରେ, ରାଜାଜୁଡ଼ାଙ୍କ ଘରେ । ନୋହିଲେ କୋଣାର୍କ ଦେଉଳ ଆସନ୍ତା କୋଉଠୁ ? ଓଡ଼ିଶୀ ସଙ୍ଗୀତକଳାର ବିଶେଷତ୍ୱ ବା ସ୍ୱତନ୍ତ୍ରତାର ଜଡ଼ ଖୋଳିବାକୁ ହେଲେ ପଲ୍ଲୀଗୀତକୁ ପହିଲେ ବିଶ୍ଳେଷଣ କରି ଦେଖିବା ଉଚିତ ବୋଲି ମୋର ଧାରଣା । ଯାହାହେଉ, ୟା’ର ଆଲୋଚନା ଏଠି ନୁହେଁ କି ଆଜି ନୁହେଁ । ମୋତେ କଳାକାର ଜୀବନ ସମ୍ବନ୍ଧେ ବହୁତ କଥା କହିବାକୁ ଅଛି । କହିଛି ତ ଏଇ ରାମନବମୀ ଯାତ୍ରା ମୋ କଳାକାର ଜୀବନରେ ଛାଇ ପକାଇଛି । ଆଜିର ଯେଉଁ ବ୍ୟାଲେ (Ballet) ଏତେ ଟେକ ସାର ହୋଇଛି, ଟିକିଏ ଭିତରକୁ ଦୃଷ୍ଟି ଦେଲେ ଜଣାପଡ଼ିବ ଯେ ବହୁକାଳରୁ ଆମର ଏଇଭଳି ଜିନିଷ ଥିଲା; ମାତ୍ର ତାହା ସେ କାଳର–ଆଜିର ଯାହା ଚଳନ୍ତି କଥାରେ Crude Forms ବୋଲାଉଛି । ଭାବିବା ଲୋକେ ଟିକିଏ ଭାବିଲେ ମୋ କଥାର ସତମିଛ ବାରିବେ । ନାଗପାଟ କୋଡ଼ିଏ ବର୍ଷତଳେ ‘ପ୍ରତିଶୋଧ’ ନାଟକ (ସମାଜିକ ନାଟକ ଲେଖାର ପ୍ରଥମ ପ୍ରଚେଷ୍ଟା ମୋର)ରେ ଲକ୍ଷ୍ମୀ (ଓଡ଼ିଶାର ସୁପରିଚିତା ମଞ୍ଚ ଅଭିନେତ୍ରୀ) ସେତେବେଳେ ଲଳିତ କଣ୍ଠରେ ଗାଉଥିବା ମୋର ଗୋଟିଏ ରଚନା ମନେ ପଡ଼ିଯାଉଛି ।

 

ଉପରଧାଡ଼ିକ ହଠାତ୍‌ ହେତୁ ହେଲା–ବାକିତକ ପାସୋରି ପକାଇଥିଲି । ଦୁର୍ଲଭ (ଅଧୁନା ଅନ୍ନପୂର୍ଣ୍ଣା ‘ଏ’ ଥିଏଟର ଦଳରେ) ଆସିଥିଲା, ସେ କେତେକ ପଦ ଭାବି କହିଲା, ତଥାପି ଗୀତଟି ପୂରା ହେଲା ନାହିଁ । ସେ କାଳର ରାମନବମୀ ଯାତ୍ରା–ଏ କାଳର ‘ବାଲେ’ର ମୂଳଦୁଆ ବୋଲି ମୋର ବିଶ୍ୱାସ । ସେଇ କଥାରୁ ଗୀତଟି ମନେପଡ଼ିଗଲା, ଲେଖୁଛି ସେ ଦରଖଣ୍ଡିଆ ଗୀତଟି–

 

ତୁମେ ଯାହା କହ ନୂଆ

ମୁଁ ବୋଲେଁ ତା ଶାଣଦିଆ

ଭୁଲା ଆଖି ଦେଖେ ନୂଆ

ପାସୋରା ଯାହା ।୦ ।

 

ପାସୋରେ କୋଇଲି ବୋଲି

ବସନ୍ତ ଆସଇ ଫେରି

ଅଳି ଭୁଲେ ଫୁଲ ବୋଲି,

ନିତି ଫୁଟେ ନୂଆ ନୂଆ । ୧ ।

 

ଢେଉ ଭୁଲେ ଜଳଖେଳା

ଭସାଏ ସାଗର ବେଳା

ପୁରୁଣାରେ ମାଜ ବେଳା

ଦୁନିଆଁର ଯାହା ନୂଆ ॥

 

ରାତି ଭୁଲେ ବୋଲି ପ୍ରୀତି

ନୂଆ ଶଶୀ ଆସେ ନିତି

 

X X X

 

ଇତ୍ୟାଦି... ଇତ୍ୟାଦି–

 

ଜୀବନର କେତେ ଦରମଲା ଭାବନା ଭିତରୁ ଏ ବି ଗୋଟାଏ ଦରଖଣ୍ଡିଆ ଲେଖା ।

 

ବଡ଼ାମ୍ୱା ମିଡ଼ିଲ ଭର୍ଣ୍ଣାକ୍ୟୁଲାର ସ୍କୁଲରେ ପଢ଼ୁଥିବାବେଳେ ପ୍ରଥମେ ହେଡ଼୍‌ପଣ୍ଡିତ ଥିଲେ ସ୍ୱର୍ଗୀୟ ଘନଶ୍ୟାମ ରଥ, ଘର ବାଙ୍କିରେ–ନଈ ସେପାରି–ଛଅପୁଟୁ ଭିତରୁ, [ଛଅଟି ଗ୍ରାମ] ଗୋଟିଏ କୌଣସି ପୁଟୁ–ସମ୍ଭବତଃ ବାଙ୍କିର ବିଖ୍ୟାତ ପାଇକାଳି ଗାଆଁ [ଏଠା ପାଇକମାନେ ପଟାଖେଳ ଓ ନକଲି ଲଢ଼େଇ ଦେଖାଇବାରେ ଖ୍ୟାତି ଅର୍ଜନ କରିଥିଲେ, ବର୍ତ୍ତମାନର ଅବସ୍ଥା କହିପାରିବି ନାହିଁ] ବାଉଁଶ ପୁଟ । ୟାଙ୍କ ପରେ ବଡ଼ାମ୍ୱାଗଡ଼ର ସ୍ୱର୍ଗତ ଯୋଗୀନାଥ ମିଶ୍ରେ ହେଡ଼୍‌ପଣ୍ଡିତ ହେଲେ । ସେ ଜଣେ ଆଦର୍ଶ ଶ୍ରେଣୀର ମନୁଷ୍ୟ । ତାଙ୍କରି ସମୟରେ ଛୋଟଲାଟ୍‌ ସାର୍‌ ଏଣ୍ଡ୍ରୁଫ୍ରେଜର ଗଡ଼ଜାତ ପରିଦର୍ଶନରେ ଆସିଥିଲେ କଲିକତାରୁ । ବଡ଼ାମ୍ୱା ପରିଦର୍ଶନ ତାଙ୍କ କାର୍ଯ୍ୟକ୍ରମ ଭିତରେ ସମ୍ଭବତଃ ଥିଲା । ତେଣୁ ସ୍କୁଲପିଲାଙ୍କୁ ତାଙ୍କ ସ୍ୱାଗତ ଲାଗି ଗୀତଶିଖା ହେଉଥାଏ । ରଚୟିତା ଖୋଦ୍‌ ଯୋଗୀ ପଣ୍ଡିତେ । ସେ ଗୀତରୁ ଧାଡ଼ିଏ ଅଧେ ଅବଧି ମନେଥିବାରୁ ଏଣ୍ଡ୍ରୁଫ୍ରେଜରଙ୍କ ନାଆଁଟା ହେତୁ ଅଛି । ଗୀତଟିର ମୂଳଧାଡ଼ି ହେଲା–

 

‘‘ଜୟ ହେ ସାର୍‌ ଏଣ୍ଡ୍ରୁଫ୍ରେଜର ଜୟ ତବ ଜୟ ହେ ।

ଛଳେ କି ସେ ଗୀତ ଗାଏ ମହାନଦୀ,

ଗାବନ୍ତି କାନନେ ପଶୁପକ୍ଷୀ ଆଦି ।’’

 

X X X

 

ଏଇ ପର୍ଯ୍ୟନ୍ତ ସ୍ମରଣ ହେଉଛି । ଏ ଗୀତ ସ୍କୁଲ ଛୁଟି ପରେ ନିର୍ଧୂମ ରଗଡ଼ା ହୁଏ, ଖାଲି କଣ୍ଠରେ । ଆଜିକାଲି ପରି ହାର୍ମୋନିୟମ ବାଜା ନ ଥିଲା, ଗୀତ ଗାଇଲାବେଳେ । ତା’ଛଡ଼ା ସେ ସମୟରେ ହାର୍ମୋନିୟମର ଏତେ ପ୍ରଚଳନ ଥିବାର ମଧ୍ୟ ମୋର ହେତୁ ହେଉ ନାହିଁ । କେତେଜଣ ବେହେଲା ବଜାଉଥିଲେ । କଥା ହୋଇଥିଲା ଗୀତଟି ଠିକଣା ହୋଇଗଲେ ଜଣେ କେହି ବେହେଲା ବଜାଇବା ଲୋକ ମୋ ସହିତ ବଜାଇବେ; କିନ୍ତୁ ସବୁ ସରାଗ ଭାଙ୍ଗିଗଲା । ସାଇବ ସିଆଡ଼ୁ ସିଆଡ଼ୁ ଗଲେ, ବଡ଼ାମ୍ୱାକୁ ଆସିଲେ ନାହିଁ ।

 

ଢେଙ୍କାନାଳରେ :

 

ଏହିସବୁ ଘଟଣା କେତେକ କାଳ ପରେ ବାପା ନରସିଂହପୁରରୁ ଢେଙ୍କନାଳ ବଦଳି ହୋଇଗଲେ । ମୁଁ ଓ ବୋଉ ଢେଙ୍କାନାଳ ଗଲୁଁ ବାପାଙ୍କ ସାଙ୍ଗରେ । ପିଲାଦିନର କଥା ତ ! ବେଶି କିଛି ସେଠା କଥା ମନେନାହିଁ । ତା’ଛଡ଼ା ଯାହା ମନେପଡ଼ୁଛି, ଗଡ଼ର ଭାଗୀରଥୀ ସାଗରର ବିପରୀତ ପାଖରେ ଦିବ୍ୟସିଂହ ବୋଲି ଜଣେ ଭଦ୍ରଲୋକ ରହୁଥିଲେ । ତାଙ୍କରି ଘରେ ଭଡ଼ାକୁ ରହିଲୁ । ମୋର ଜଣେ ଦାଦା କ୍ଷେତ୍ରମୋହନ ପଟ୍ଟନାୟକ ସେତେବେଳେ ଢେଙ୍କାନାଳ ହାଇସ୍କୁଲରେ ପଢ଼ୁଥାନ୍ତି । ସେ ସବୁ ବେଶି କିଛି ମୋ କଳାକାର ଜୀବନ ବାବଦ ନୁହେଁ । କହିରଖେଁ ଯେ, ଏଠି ମୁଁ ଆତ୍ମଜୀବନୀ ପୂରାପୂରି ଲେଖି ବସୁ ନାହିଁ–ଏହା କେବଳ ମୋର କଳାସେବା ଅଧ୍ୟାୟରୁ କିଛି ।

 

ଢେଙ୍କାନାଳରେ, ସୁରପ୍ରତାପ ମହୀନ୍ଦ୍ର ବାହାଦୂର, ସେତେବେଳେ ରାଜା । କୁଳଦାବାବୁ କୃଷ୍ଣଚରିତ କହିବାକୁ ଆସିଥାଆନ୍ତି । ଦେବୋତ୍ତର ମ୍ୟାନେଜର ଥାଆନ୍ତି ପାର୍ବତୀବାବୁ । [ପରେ ସେ ରୀତିମତ ଗୃହତ୍ୟାଗ କରି ବୈଷ୍ଣବ ହେଲେ, କେତେକ ବୈଷ୍ଣବ ଗ୍ରନ୍ଥ ଓ ରାୟ ରାମାନନ୍ଦଙ୍କ ଜୀବନୀ ସେ ଲେଖିଛନ୍ତି] ତାଙ୍କରି ଯୋଗାଡ଼ରେ କୃଷ୍ଣଚରିତ ଚର୍ଚ୍ଚା ରାଜାଙ୍କ ନଅରରେ ହେଉଥାଏ । କୁଳଦାବାବୁ ବଙ୍ଗଳାରେ କୃଷ୍ଣଚରିତ ବୟାନ କରୁଥାଆନ୍ତି ଅପୂର୍ବ ତାଙ୍କର କହିବା ଭଙ୍ଗୀ-ବର୍ଣ୍ଣନା ଚାତୁରୀ । ହସି-ହସାଇ, କାନ୍ଦି-କନ୍ଦାଇ, କଥା ମଝିରେ ମଝିରେ ପଦେ ପଦେ କୀର୍ତ୍ତନ ପଦ ଶୁଣାଇ ସେ ଶ୍ରୋତୃମଣ୍ଡଳୀକୁ ତନ୍ମୟ କରି ରଖିଥାଆନ୍ତି । ତାଙ୍କର ବର୍ଣ୍ଣନା କାନରେ ଶୁଣି–ଘଟଣାବଳୀ ମୋତେ ଆଖି ଆଗରେ ଦେଖିବା ପରି ଲାଗେ । ବାପାଙ୍କ ସଙ୍ଗେ ଧୂମ୍‌ ଲଗାଇ ମୁଁ ତାଙ୍କ ବକ୍ତୃତା ଦେବା ଦିନତକ ବରାବର ରାଜବାଟୀକୁ ଯାଏଁ ।

 

ବଙ୍ଗଳା ମୁଁ ସେତେବେଳେକୁ ବୁଝିପାରୁଥାଏଁ । ତା’ର କାରଣ ହେଉଛି–ଇଂରାଜୀ ଫାଷ୍ଟବୁକ୍‌ ଓ ଅନ୍ୟ କେତେକ ପ୍ରାଥମିକ ପୁସ୍ତକ ଯାହା ସେତେବେଳେକୁ ପଢ଼ିଥିଲି, ତା’ର ଅର୍ଥ ପୁସ୍ତକ ବଙ୍ଗ ଭାଷାରେ ମିଳୁଥାଏ । ତେଣୁ ବାପ ରାଣଟି ଢିଙ୍କି ଗିଳ୍‌–ଅବସ୍ଥାରେ ଗୋଟାଏ ଲାଭ ହେଲା–ଅନ୍ୟ ପ୍ରଦେଶର ଭାଷାଶିକ୍ଷା ।

 

ଖୁବ୍‌ ମନେହେଉଛି, ଏଇ କୁଳଦାବାବୁଙ୍କ କୃଷ୍ଣଚରିତ କଥା–ମୋ ଜୀବନରେ ଏକ ଅଲିଭା ଛାପ ଦେଇଗଲା–ଯେଉଁ ଯୋଗରୁ ଏହି ଘଟଣାର ପରବର୍ତ୍ତୀ ଜୀବନରେ (ଅବଶ୍ୟ ବହୁ ପରେ) ବୈଷ୍ଣବ ଗ୍ରନ୍ଥ ପଢ଼ିବାରେ ମୋର ଶ୍ରଦ୍ଧା ବଳିଲା ।

 

ଢେଙ୍କାନାଳର ହାଇସ୍କୁଲ ସେତେବେଳେ ନଅର ତଳେ ଥାଏ । ବେଶି ବଡ଼ଘର ନଥିଲା-। ହାଇସ୍କୁଲର ହେଡ଼ମାଷ୍ଟର ଥିଲେ ଅନକୂଳବାବୁ ବୋଧହୁଏ । ସ୍ୱର୍ଗୀୟ ଗଣେଶ୍ୱର ମିଶ୍ରେ ଥିଲେ ଆମ ପଣ୍ଡିତେ । ତାଙ୍କ ପୁଅ ଚକ୍ରଧର (ଶ୍ରୀ ଚକ୍ରଧର ମିଶ୍ରେ, ଓଡ଼ିଶାରେ ସର୍ଭିସ୍‌ ବସ୍‌ ଚଳାଚଳ କରାଇବାରେ ମୋ ଜାଣିବାରେ ସେ ପ୍ରଥମ । ଖାଲି ସେତିକି ନୁହେଁ, ସେ ଜଣେ କଣ୍ଟ୍ରାକ୍ଟର, ଭଲ ହୋମିଓପାଥି, ପରୋପକାରୀ, ମୋର ଜୀବନଦିଆ ସାଥୀ ।) ମୋର ସହପାଠୀ ଓ ସଙ୍ଗୀ ଥିଲେ–ଯାହା ଆଜିପର୍ଯ୍ୟନ୍ତ ସେଇପରି ଅତୁଟ ରହିଛି । ଆଉ ଜଣେ ସାଥୀ ଥିଲା ବୈଦ୍ୟନାଥ ଦାଶ ନୂଆଶାସନ ସାହିର ।

 

ଢେଙ୍କାନାଳ ସ୍କୁଲରେ ପୁରସ୍କାର ବିତରଣୀ ଛଡ଼ା ଆଉ କେଉଁଠି ଗୀତ ଗାଇବା ମୋର ହେତୁ ନାହିଁ ।

 

ଢେଙ୍କାନାଳ ପରେ ମୁଁ ଆମ ପୂର୍ବପୁରୁଷୀ ଘର ବାଙ୍କିକୁ ଆସି ଚର୍ଚ୍ଚିକା ମାଇନର ସ୍କୁଲ ୪ର୍ଥ ଶ୍ରେଣୀରେ ପଢ଼ିଲି ।

 

ଏଇଠି ନାଟକ ଲେଖିବା ବା ଶିଖାଇବା ଅନକୂଳ ।

 

ପହିଲି ନାଟକ ଦେଖା :

 

ରାମନବମୀ ଓ କୃଷ୍ଣଲୀଳାର ପ୍ରଭାବ ଯାଇ ନଥାଏ ମନରୁ । ଆଜି ଯାହା ବ୍ୟାଲେ (Ballet) ବୋଲି ପ୍ରଖ୍ୟାତ, ଦିଲ୍ଲୀରେ ଯେଉଁ ରାମଲୀଳା ଓ କୃଷ୍ଣଲୀଳା ବ୍ୟାଲେ ଚାଲିଛି–କହିଛି ତ ସେଭଳି ଜିନିଷର ମୂଳଦୁଆ–ଅବଶ୍ୟ ସେ କାଳକୁ ଚାହିଁ ଟିକିଏ ଅସଂସ୍କୃତ ଅବସ୍ଥା ବା Crude form ବୋଲାଉ ପଛେ–ଆମର ଥିଲା । ତା’ପରେ ଚର୍ଚ୍ଚିକା ସ୍କୁଲରେ ପଢ଼ିବାବେଳେ, ସମ୍ଭବତଃ ୧୯୦୭–୧୯୦୮ରେ ବାଙ୍କିର ଅମଲାମାନେ ଗୋଟିଏ ନାଟକ ମଞ୍ଚସ୍ଥ କରିଥିଲେ–ନାଟକଟି ନାଁ ‘କାଞ୍ଚିକାବେରୀ’, ସ୍ୱର୍ଗୀୟ ରାମଶଙ୍କର ରାୟଙ୍କ ଲେଖା । ଏଇ ହେଲା ମୋ ଜୀବନର ପ୍ରଥମ ନାଟକ ଦେଖା ।

 

ରଜନୀବାବୁ (ସ୍ୱର୍ଗୀୟ ଡ. ରଜନୀକାନ୍ତ ଘୋଷ, ଆଲାମଚାନ୍ଦବଜାର, କଟକ) ପୁରୁଷୋତ୍ତମ ଦେବ, ବାପା–ବିଦୂଷକ, ଆଉ ଭଦ୍ରା ଭୂମିକାରେ ସେତେବେଳର ଖାସମାହାଲ କିରାଣି ବୃନ୍ଦାବନବାବୁଙ୍କ କଥା ମନେଅଛି । ବାକି ଭୂମିକାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିଷୟ ମୋର ତେତେ ସ୍ମରଣ ହେଉନାହିଁ ।

 

ସବୁ ପାସୋରି ହେବ, ବାକି ଜଣଙ୍କର ନାଁ, ଚେହେରା, ଅଭିନୟ ଓ ବଚନିକା ମଲାଯାଏଁ ମନରେ ଗାର ହୋଇ ରହିବ । ସେ ହେଉଛନ୍ତି ବାଙ୍କିର, ସେ ବେଳରେ ଚକଲା କାନଗୋଇ । ତାଙ୍କୁ ଲୋକେ ‘ବଳି କାନଗୋଇ’ ବୋଲି କହନ୍ତି । ଦେଖିବାକୁ ଗୋରା, ବେଶି ଡେଙ୍ଗା ନୁହନ୍ତି । ଉଚ୍ଚତାକୁ ଚାହିଁ ଟକିଏ ଅଧିକ ମୋଟା–ଦୋପୁରିଆ ଦେହରୁ କିଛି ବେଶି । ଅସୁନ୍ଦର ସେ ନୁହନ୍ତି ମୋଟ ଉପରେ । ସେ ମଫସଲରୁ ଟିକଟ ଓ ଚାନ୍ଦା ବାବଦରେ ଟଙ୍କା ଆଦାୟ କରି ଆଣିଥିଲେ । ତେଣୁ ତାଙ୍କ ଖାତିର୍‌ ବେଶ୍‌ ଥିଲା; ମାତ୍ର ଗୋଟାଏ କଥା ତାଙ୍କ ତୁଣ୍ଡ ଲାଗେ ‘ର’ ଓ ‘ଳ’ ଅକ୍ଷରଟିମାନ ସେ ‘ଅ’ ବୋଲି ଉଚ୍ଚାରଣ କରନ୍ତି । ସେ ଚାହିଁଲେ ହେବେ ବୋଲି କାଞ୍ଚି ରାଜାଙ୍କ ମନ୍ତ୍ରୀ । ମନା କରୁଛି ଏବେ କିଏ ? ସେ ଯେ ଟଙ୍କା ଆଦାୟ କରି ଖର୍ଚ୍ଚ ଯୋଗାଇବା ଲୋକ ।

 

ଷ୍ଟେଜ୍‌ ବନ୍ଧାହେଲା । ପଞ୍ଚଲାଇଟ୍‌ ଜଳିଲା । ସିନ୍‌ ଟଣାହେଲା । ଅଂଶଗ୍ରହଣକାରୀମାନେ ପାଉଡ଼ର ବୋଳିହେଲେ, ବଳି କାନଗୋଇ ସବା ଆଗେ ବେଶ ପୋଷାକ ପିନ୍ଧି ତିଆର । ତାଙ୍କ ଅଂଶର କଥାରୁ ଏବେ ଠାଏ ଅଧେ ଟିକିଏ ଟିକିଏ ମନେ ଅଛି ।

 

ପୁରୁଷୋତ୍ତମଦେବଙ୍କ ଦୂତ କାଞ୍ଚି ଦରବାରରେ ଉପସ୍ଥିତ । ରାଜା କ’ଣ ସବୁ କହିବା ପରେ ମନ୍ତ୍ରୀ ଭାଷିଲେ–

 

‘‘କିନ୍ତୁ କହନ୍ତୁ ତ ଭଆ, କେଉଁ ଗତ୍ତ ମୂଏ ଛପି ବସିଛି ଶୁଆଅ, ନିଜ ଉଦଅ ପୁଆଇ ?’’

 

X X X

 

‘‘ଛାମୁ ଆଜ ଆଜେସ୍ୱଅ, ଏହୁ କ୍ଷୁଦ୍ର ଦୂତ ।’’

 

X X X

 

କଥାଟା ତ ବୁଝିହେଉଥିବ ।

 

–‘‘କିନ୍ତୁ କହନ୍ତୁ ତ ଭଲା, କେଉଁ ଗର୍ତ୍ତମୂଳେ ଛପି ବସିଛି ଶୃଗାଳ, ନିଜ ଉଦର ପୂରାଇ ।’’

 

X X X

 

‘‘ଛାମୁ ରାଜ ରାଜେଶ୍ୱର ଏହୁ କ୍ଷୁଦ୍ର ଦୂତ...’’

 

ବଚନିକା ପରେ ହେଲା ତାଳିମାଡ଼ ଅଡ଼ିଟୋରିଅମରୁ । ଯେତେ ଯେ ମଜା କଲେ ବି ବଳି କାନଗୋଇ ତଥାପି ତାଙ୍କ ଭୂମିକା ଶେଷ କରିବେ ଏବଂ କଲେ ମଧ୍ୟ ।

 

ଆମ ହେଡ଼୍‌ମାଷ୍ଟ୍ରେ ରଘୁନାଥ ରାଏ ବେହେଲା ବଜାଉଥାନ୍ତି । ପେଣ୍ଟିଙ୍ଗ୍‌ ସେ କଲେ, ଖଣ୍ଡିଏ ସିନ୍‌ ସେ ଆଙ୍କିଥିଲେ ମଧ୍ୟ ।

 

ପହିଲି ରଙ୍ଗମଞ୍ଚ :

 

ଏଇ ନାଟକ ଦେଖିବା ପରେ ମୁଁ ବି ଗୋଟାଏ ମଞ୍ଚର ପରିକଳ୍ପନା କଲି । ସେ ମଞ୍ଚର ସ୍ଥାନ ହେଲା ବାରିପଟର ଖଳାବାଡ଼ି । ସିନ୍‌ହେଲା ଖଣ୍ଡି କେତେ ଦରି, ଶାଢ଼ି, ବନାରସୀ ପାଟ, ଚାଦର ଇତ୍ୟାଦି ବେଶ ପାଇଁ ଘରୁ ନେଲି ।

 

‘ଉତ୍କଳ ଦୁର୍ଦ୍ଦଶା’ ବୋଲି ଖଣ୍ଡିଏ ନାଟକ ଲେଖା ଥିଲା ସ୍ୱର୍ଗୀୟ ମହାରାଜା ବିକ୍ରମଦେବ ବର୍ମାଙ୍କର । ଡିମାଇ ଆଠପେଜି ସାଇଜର ବହି । ପ୍ରାୟ ପୃଷ୍ଠା ୩୦–୪୦ ହେବ । ଏବେ ସେ ବହିଖଣ୍ଡିକ କେତେ ଖୋଜୁଛି, ଆଉ ମିଳିବାକୁ ନାହିଁ ।

 

ଆମର ଏ ମଞ୍ଚରେ ପାଉଡ଼ରର ବ୍ୟବହାର ନ ଥିଲା । ମୁହଁରେ ଦୁଧସର ଓ ହଳଦୀ ବଟା କିଛି ମିଶାଇ ବୋଳାହେଲା । ଦାଢ଼ି ନିଶ ପାଇଁ ଝୋଟ ସାଉଁଳା ହୋଇ, ଦରକାର ସ୍ଥଳେ କାଳି ଓ ଚକ୍‌ଖଡ଼ି ବୋଳି ଗଙ୍ଗା ଯମୁନା କରାଯାଉଥିଲା । ବଚନିକା (ପୁରୁଷ ଅବା ସ୍ତ୍ରୀ ଭୂମିକାର) କହି ଶିଖାଉଥିଲି ମୁଁ । ଶିକ୍ଷା ଦେବାବେଳେ ବଡ଼ ଗମ୍ଭୀର ରହୁଥିଲି । ସେ କଥାସବୁ ବିଚାରିଲେ ଏବେ ଭାରି ହସ ଲାଗେ । ଦର୍ଶକରୂପେ ଜମୁଥିଲେ ଆମ ଘରର ଏବଂ ସାଇପଡ଼ିଶାର ବୋହୂ, ଝିଅ, ବୁଢ଼ୀ–ଆଉ ଆମ ହଳିଆ, ମୂଲିଆ । ଯେଉଁଦିନ ନାଟକ ଆରମ୍ଭ ହେବ, ସେହିଦିନ ଯେ ସରିବ, ଏମିତି କିଛି ଧରାବନ୍ଧା କଥା ନଥିଲା ।

 

ଉପରଓଳି ଚାରିଟା ପରଠାରୁ ବେଳବୁଡ଼ିବା ଯାଏ ଯେତିକି ହେଲା । ଯାହା ବାକି ରହିଲା, ସେ ଆର ଦିନକୁ ହେଉଥିଲା । ଏଇ ସମୟରେ ବାପାଙ୍କ ଆଲମାରିରୁ ଫିତା, ପିନ୍ ଓ ପେନ୍‌ସିଲ୍‌ ଚୋରି କରିବା ମତଲବରେ ଘାଣ୍ଟୁ ଘାଣ୍ଟୁ ଖଣ୍ଡେ ନେଳି ମଲାଟବାଲା ବହି ମିଳିଲା । ମଲାଟ ଉପରେ ବଡ଼ ବଡ଼ ଅକ୍ଷରରେ ଇଂରାଜୀ ଓ ତା’ ତଳେ ଓଡ଼ିଆରେ ନାଁ ଲେଖାହୋଇଛି–‘ବାବାଜୀ ନାଟକ’ । ଶ୍ରୀ ଜଗନ୍ମୋହନ ଲାଲାଙ୍କଦ୍ୱାରା ପ୍ରଣୀତ ଏବଂ କଟକ ପ୍ରିଣ୍ଟିଂ କମ୍ପାନୀଙ୍କଦ୍ୱାରା ମୁଦ୍ରିତ । ୧୮୭୭ ମସିହାର ଛାପା । ନାଟକଟି ସମୟ ଓ ଆମର ଅପୂର୍ବ ଯୋଗ୍ୟତାକୁ ଚାହିଁ ଭାରି ବଡ଼ ମନେହେଲା । ତେଣୁ ତାକୁ ଆମ ଖଳାବାଡ଼ି ମଞ୍ଚରେ ଆଉ ଦେଖାଇବାର ସାହସ ହେଲା ନାହିଁ । ତଥାପି ବହିରୁ ପାର୍ଟ ଉତୁରା ହେଲା । ଜଣ ଜଣ କରି ପାର୍ଟ ବା ଅଂଶ କି ସୂତ୍ର ବା ନିୟମରେ ଉତ୍ତାରିବାକୁ ହୁଏ, ସେ କଥା ତ ଜଣା ନଥିଲା; ତେଣୁ ଗୋଟିଏ ଗୋଟିଏ ଅଙ୍କ ପୂରାପୂରି ଉତ୍ତାରି ଅଂଶଗ୍ରହଣକାରୀଙ୍କୁ ବଣ୍ଟା ହେଉଥିଲା । ସମସ୍ତେ ‘ଜଳବତ୍‌’ ମୁଖସ୍ଥ କରିବାକୁ ବାଧ୍ୟ । ଏହିପରି ପାର୍ଟ ଉତୁରା ବାବତରେ ଦିନେ ମୋ ଗାଲ ଫୁଲିଯାଇଥିଲା । ଭାଗୀରଥୀ ପଣ୍ଡିତେ ଟିକିଏ କଡ଼ୁଆ ଲୋକ । ଏସବୁ ନାଚ ଗୀତ ତାଙ୍କ ଦେହରେ ଯାଏ ନାହିଁ । ଦିନେ ମୋ ସାହିତ୍ୟ ଉତ୍ତର ଖାତା ଭିତରେ ପାର୍ଟ ଉତ୍ତରା କାଗଜ ମେଞ୍ଚାଏ କେମିତି ଭୁଲରେ ରହିଯାଇଥିଲା । ପଣ୍ଡିତଙ୍କୁ ମୁଁ ମୋ ସାହିତ୍ୟ ଖାତାଟି ବଢ଼ାଇଦେଲି । ସେଥିରେ–

 

‘‘ସ୍ୱପ୍ନ ମାୟା ବଳେ ଦୁଃଖୀ ଅନାଥ ନିର୍ଦ୍ଧନ

ଚିନ୍ତାଶ୍ରୁ ପାସୋରି ହେଳେ ଭୁଞ୍ଜେ ରାଜ ସୁଖ

ବୈଧବ୍ୟ ବିଧୁରା ବାଳା ଲଭି ଆଲିଙ୍ଗନ

ପ୍ରାଣପତି ଉତ୍ସଙ୍ଗରେ କୁତୁହଳେ କରଇ ଶୟନ ।’’

 

‘‘ସାହିତ୍ୟ ତରଙ୍ଗ’’ରେ ମଧୁବାବୁ (ସ୍ୱର୍ଗୀୟ ଭକ୍ତକବି ମଧୁସୂଦନ ରାଓ)ଙ୍କ ଲେଖାର ବିଶଦ ବ୍ୟାଖ୍ୟା ଲେଖାଥିଲା । ପୂର୍ବଦିନ ଏହା ଲେଖି ଆଣିବାକୁ ପଣ୍ଡିତେ ଆଦେଶ ଦେଇଥିଲେ ।

 

ପଣ୍ଡିତଙ୍କ ହାତରୁ ଖାତା ଭିତରେ ଥିବା ‘ବାବାଜୀ’ ନାଟକର ଗୋଟିଏ ଅଙ୍କ ଲେଖା କାଗଜତକ ତଳେ ଖସିପଡ଼ିଲା । ଛାତିଟା ଥରିଉଠିଲା ମୋର । ସେଦିନ ଘରୁ ସ୍କୁଲକୁ ଆସିବା ବାଟରେ ଏକ ଥାଳଧରା ନାଥକୁ (ରଗଡ଼ି ଗାଆଁର ଯୋଗୀ) ଦେଖି ମନଟା ଖୁନ୍ତୁ ଖୁନ୍ତୁ ହେଉଥିଲା–ଭାବି ନେଲି ୟେ ତା’ରି ଫଳ !

 

ଆଉ ଯାଏଁ କୁଆଡ଼େ ? ପଣ୍ଡିତଙ୍କ ଘର ତ ଆମ ଗାଆଁରେ । ଆମ ଘରକୁ ୫।୬ ଘର ଛଡ଼ା । ଆମ ଗୀତ ଆଖଡ଼ା, ଖଳାବାଡ଼ିର ରଙ୍ଗମଞ୍ଚ ଖବର ଟିକିଏ ଟିକିଏ ତାଙ୍କର କାନରେ ବାଜିଥିଲା । ଆଜି ସବୁ ଧରା ପଡ଼ିଗଲା । କାଗଜଖଣ୍ଡମାନଙ୍କୁ ତଳୁ ଗୋଟାଇ ପଢ଼ିଲେ ପଣ୍ଡିତେ, ବଡ଼ପାଟିରେ କେତେ କିସମ ଗଳାରେ । ସେଇଠୁ ହେଲା ମୋତେ ତଲବ–‘‘କାଳିଚରଣ ! ଉଠିଆସ–ଆସ ଏଠିକି ।’’ ଗଲି, ନ ଯାଇ ଅବା ଚାରା କ’ଣ ? ତା’ ପରେ–‘‘ଏଠିକି, ଏଠିକି ପାଖକୁ ଆସ ।’’ ଟିକିଏ ଟିକିଏ ଘୁଞ୍ଚି ଘୁଞ୍ଚି ଯାଉଥାଏଁ । ପଣ୍ଡିତେ ଗର୍ଜିଉଠି କହିଲେ, ‘‘ପାଖକୁ ଆସି ପାରୁନାହୁଁ ?’’

 

ତା’ପରେ କାନ ଧରି ଟାଣିନେଇ କର୍ଣ୍ଣମୂଳେ ଏକ ବ୍ରହ୍ମ ଚଇତନ । ମାଡ଼ କିଭଳି ପଦାର୍ଥ ସେତେଦିନ ଯାଏ ଜାଣି ନଥିଲି । ଏ ‘ଚଇତନରେ’ ମୋର ଚୈତନ୍ୟ ପ୍ରାୟ ଲୋପ ହୋଇଗଲା । ବିଶେଷତଃ ଲାଜରେ ମୁଣ୍ଡ ତଳକୁ ହୋଇଗଲା । ଆଖିରେ ଧାରା ବନ୍ଦ ହେଲା ନାହିଁ । ତା’ ପରେ ସାଥୀ ପିଲାଏ ମୋତେ କେତେ ବୁଝାବୁଝି କଲେ । କଥାଟା ହେଡ଼ମାଷ୍ଟରଙ୍କ କାନକୁ ଗଲା । ସେ ପଣ୍ଡିତଙ୍କୁ ଡାକି କ’ଣ କହିଲେ, ଜାଣିନାହିଁ । ମୋତେ ଡାକି ପଠାଇ ବହୁତ ବୁଝାଇଲେ, ଗେହ୍ଲା କଲେ । ନିଜେ ସାଙ୍ଗରେ ନେଇ ଘରେ ବୋଉ ପାଖେ ଛାଡ଼ିଦେଇ ଆସିଲେ । ତାକୁ ବି କ’ଣ ସବୁ ତୁନି ତୁନି କରି କହିଲେ, ଘରର ଦୁଆର ମୁହଁ ଆରପଟେ ଥାଇ ।

 

ବାବାଜୀ ନାଟକ ଖେଳିବା ଏଇଠି ଇତି ହେଲା ।

 

ଅଥାନିଆଁ ହେବ ବୋଲି ଡର ଲାଗୁଛି । ତଥାପି ସେ ବେଳର ଆମ ଗାଆଁ ପରିବେଶ କଥା ଟିକିଏ କହୁଛି ।

 

ଆମ ଗାଆଁ :

 

ଖମାରଙ୍ଗ ଗାଆଁଟି ଛୋଟ–୪୦।୫୦ଟି ଘର । ବ୍ରାହ୍ମଣ, ଆଠଗଡ଼ିଆ ବ୍ରାହ୍ମଣ, ଘର ପ୍ରାୟ ୨୫।୩୦, ଦି’ତିନି ଘର କେଉଟ, ଘରେ ତନ୍ତୀ, ଘରେ ସାଗରପେଶା, ଆଉ ଘରେ କରଣ । ମଠଟିଏ ଅଛି ଗାଆଁ ମୁଣ୍ଡରେ । ଆମଘର ଆଉ ମଠ, କାନ୍ଥକୁ କାନ୍ଥ ଲଗାଲଗି । ମଠର ମହନ୍ତ ଥିଲେ ବାବାଜୀ ରାଧାଚରଣ ଦାସ । ମାଛିକି ମ’ ବୋଲିବା ଲୋକ ନୁହନ୍ତି ସେ । ଚେଲାଙ୍କ ନାଆଁ ଦୟାନିଧି ଦାସ । ଖନା ସେ–କଥା କହିବାବେଳକୁ ତୁଣ୍ଡ ଲାଗେ, ଅଥଚ ଭାଗବତ, ରାମାୟଣ ସ୍ୱର ଧରି ଗାଇବାବେଳକୁ କିମ୍ବା ଶ୍ଳୋକପାଠବେଳକୁ କେହି ତାଙ୍କୁ ଖନା ବୋଲି କହିପାରିବ ନାହିଁ ।

 

ବ୍ରାହ୍ମଣଘର ଭିତରେ ବାସୁଦେବ ମିଶ୍ରେ ଥାଆନ୍ତି ସ୍କୁଲ ବିଭାଗର ପରିଦର୍ଶକ । ତାଙ୍କ ସାନଭାଇ ନାରାୟଣ ମିଶ୍ରେ ଚର୍ଚ୍ଚିକା ସ୍କୁଲର ଦ୍ୱିତୀୟ ପଣ୍ଡିତ ଓ ସବା ସାନଭାଇ ମାଧବଚନ୍ଦ୍ର ମିଶ୍ରେ ଜଣେ ଶିଶୁସାହିତ୍ୟର ସୁଲେଖକ । ତାଙ୍କ ରଚିତ ‘ଧନମାଳି’ ବହିଟି ସେତେବେଳେ ବଡ଼ ଆଦୃତ ହୋଇଥାଏ । ଶିଶୁସାହିତ୍ୟ ଲେଖା ସେ ସମୟକୁ ଓଡ଼ିଶାରେ କାଁ ଭାଁ ଖଣ୍ଡିଏ ଅଧେ ବାହାରିଥାଏ ।

 

ଆଉ ଘରେ–ଭାଗୀରଥି ପଣ୍ଡାଙ୍କର । ସେ ଚର୍ଚ୍ଚିକା ମାଇନର୍‌ ସ୍କୁଲର ହେଡ଼ପଣ୍ଡିତ । ତାଙ୍କ ସାନଭାଇ ରାମଚନ୍ଦ୍ର ପଣ୍ଡା । ନୂଆଗଡ଼ରେ ଶିକ୍ଷକତା କରନ୍ତି । ଲେଖାଲେଖିରେ ତାଙ୍କର ବେଶ୍‌ ପୋଖତ ହାତ । ସେ ‘ଛାନ୍ଦ ରଘୁବଂଶ’ ବହି ଖଣ୍ଡିଏ ଲେଖିଥିଲେ । ବେଳେବେଳେ ଛୁଟିରେ ଆସିଲେ ବାପାଙ୍କୁ ଶୁଣାଇଁ ଠାଏ ଠାଏ ସଂଶୋଧନ କରାଇନିଅନ୍ତି । ବଡ଼ ସରଳ ମଧୁର ଲେଖା ତାଙ୍କର ।

 

ଆଉ ଘରମାନଙ୍କ ମଧ୍ୟରେ କେଶବ ଶତପଥୀ ବୋଲି ଜଣେ ଥିଲେ । ପୂଜାବିଧି କର୍ମ କର୍ମାଣିରେ ସେ ପଟୁ । ତାଙ୍କର ପୁଅ ଦୁଇଟି । ସେମାନେ ମଧ୍ୟ ଯୋଗା ।

 

ଅନ୍ୟାନ୍ୟ ଘରଭିତରେ ଯେଉଁ ବ୍ରାହ୍ମଣ ଘର ଥିଲେ, ସେମାନେ ପ୍ରାୟ ପାଠୁଆ । ଭୂମି କିଛି କିଛି ଥାଏ–ମଧ୍ୟବିତ୍ତ ଘର । ଆଠଗଡ଼ିଆ ସାହିରେ କୀର୍ତ୍ତନ ଦଳ ଗଢ଼ାହୋଇ ପ୍ରତି ସନ୍ଧ୍ୟାରେ ଗାଁ ମୁଣ୍ଡ ବଟ ଗୋସାଇଁଙ୍କ ଛାଇରେ ସେମାନେ କୀର୍ତ୍ତନ କରନ୍ତି । କାଶୀ ପଣ୍ଡା ଗାୟକ । ବଙ୍ଗଳା କୀର୍ତ୍ତନ ଗୀତ ସେମାନେ ଗାଆନ୍ତି । ମୁଁ ସେତେବେଳକୁ ବଙ୍ଗଳା ବହି କିଛି କିଛି ପଢ଼ିଥାଏ । ଭାଷା ମଧ୍ୟ ଟିକିଏ ଅଧେ ଜାଣିଥାଏ । କୀର୍ତ୍ତନ ଗାୟକଙ୍କ ଗୀତ ଶୁଣି ମୋତେ ହସ ଲାଗେ, ଦୁଃଖ ବି ଲାଗେ । ଓଡ଼ିଆ ସେମାନେ, ଓଡ଼ିଶାରେ ଘର, ଓଡ଼ିଆରେ କୀର୍ତ୍ତନ ଗାଆନ୍ତେ ତ; କିନ୍ତୁ ଓଡ଼ିଆରେ କୀର୍ତ୍ତନ ଗୀତ କାହିଁ ? ଏମିତିକି ଆମ ପିଣ୍ଡିକି ଶ୍ରୀଚନ୍ଦନେ ତ ବସନ୍ତ ରାସ ଲେଖିଲେ ଯେ; ସେ ଖଣ୍ଡିଏ ବଙ୍ଗୋତ୍କଳ ବର୍ଣ୍ଣପରିଚୟ !

 

ଭାଷାକୁ ମୁଁ ଅଣଆଦର କରୁ ନାହିଁ; କିନ୍ତୁ ସେତକ ଶୁଦ୍ଧଭାବରେ ଉଚ୍ଚାରଣ କରିବା ତ ଦରକାର । ଏଇ ଯେଉଁ କୀର୍ତ୍ତନ ଦଳ ଗାଆନ୍ତି, ତା’ର ଗୋଟିଏ ଗୀତର ନମୁନା ଶୁଣନ୍ତୁ । ଧାଡ଼ିଏ ଅଧେ ଏବେ ବି ମୋର ମନେ ଅଛି ।

 

‘‘ମାନବେ ଜନମେ ଆର୍‌ ପାବିନାରେ

ଭାଙ୍ଗଲେ ମାଥା ପାଷାଣରେ–’’

 

ବଙ୍ଗଳା ଭାଷାରେ ହୋଇଥାନ୍ତା–

 

‘‘ମାନବ ଜନ୍ମ ଆର ପାବିନାରେ

ଭାଙ୍ଗ୍‌ଲେ ମାଥା ପାଷାନେରେ–’’

 

ମନେମନେ କାଶୀ ପଣ୍ଡାଙ୍କ ଗାୟକପଣିଆକୁ ଦେଖି ଟିକିଏ ହସେଁ, ମାତ୍ର କଥା କହିବାର ଯୁ’ ନାହିଁ; କାରଣ ଗାଆଁ ସମ୍ବନ୍ଧରେ ସେ ଜଣେ କକେଇ ।

 

ବାରିଆଡ଼େ ପ୍ରାୟ ସମସ୍ତଙ୍କର ଡିଆଁ ବାଟ ଥାଏ, ନିତି ତୁଉଣ ତରକାରି ଦିଆନିଆ ହୁଏ-। ଆମ ଘରେ ସବୁଦିନେ ଦିହିପହରେ କାଞ୍ଜିଗାଡ଼ ପଟ୍ଟା (ଗିଲ ଖେଳ) କସିପାଙ୍ଗି ଓ ଦଶପଚିଶ କଉଡ଼ି ଖେଳ ହୁଏ । ସାଇର ଝିଅମାନେ ଆସି ଆସର ଜମାନ୍ତି । ବୋଉ ଖୁଡ଼ୀଙ୍କ ସାଙ୍ଗରେ ଛୁଟି ଦିନମାନଙ୍କରେ ମୁଁ ତାଙ୍କ ସହିତ ଜୁଆଣ ଦିଏଁ । ଆଉ କିଛି ଖେଳ ତ ମୋତେ ଆସେ ନାହିଁ-। ଏଇ ଘରୁଆ ଖେଳରେ ମୁଁ ପକ୍‌କା ଖେଳୁଆଡ଼ ।

 

ବୋଉ ବୈଦେହୀଶବିଳାସ, ରସକଲ୍ଲୋଳ ପ୍ରଭୃତି ଗାଏ । ମୋତେ ବେଳେବେଳେ ଅର୍ଥ ବୁଝାଏ । ଛାନ୍ଦ ଗାଇବା ପ୍ରଥାଟା ପ୍ରାୟ ସବୁଦିନ ହୁଏ ।

 

ଦେଢ଼ଶୁର, ଶଶୁର, ଶାଶୁ, ବଡ଼ଯାଆ ପ୍ରଭୃତିଙ୍କ ନାଆଁର ଆଦ୍ୟ ଅକ୍ଷର ଧରି ଯେ ଗାଏ ନାଇଁ–ଏଇ ଥିଲା ଆମର ପରମ୍ପରା । ଖୁଡ଼ୀ ଦି’ପହରେ ‘ବ୍ରଜବନ୍ଧୁ ବିରହ’ ଛାନ୍ଦ ଗାଆନ୍ତି, ବାରିପଟ ପିଣ୍ଡାରେ । ତେଣେ ଅଗଣା ଆରପଟେ କୁଟୁତୁଣୀଏ ଧାନ କୁଟୁଥାଆନ୍ତି । ମୋର ମନେପଡ଼ୁଛି, ଏବେ ବି ହସ ଲାଗୁଛି ସେଦିନ କଥା ଭାବିଲେ । ଆମ ବଂଶରେ ଖୁଡ଼ୀଙ୍କର ମାନ୍ୟଲୋକଙ୍କ ନାଆଁ ଥିଲା ପୁରୁଷୋତ୍ତମ, ବ୍ରଜବନ୍ଧୁ, ମହନ, ରାଧା, କିଶୋରୀ ଇତ୍ୟାଦି । ତେଣୁ ‘ବ୍ରଜବନ୍ଧୁ ବିରହ’ ବହିର ନାଆଁ ଖୁଡ଼ୀଙ୍କ ଭାଷାରେ ହୋଇଥାଏ ‘ନ୍ରଜବନ୍ଧୁ ବିରହ’ ! ଗୋଟିଏ ଛାନ୍ଦ ଦିନେ ଖୁଡ଼ୀ ଗାଉଥିଲେ, ଯାହାକୁ କୁଟୁତୁଣୀମାନେ ଭାରି ପ୍ରଶଂସା କରି ‘ବୋହୂ ସାଁଆଣୀ’ କେଡ଼େ ସୁନ୍ଦର ଗାଉଛନ୍ତି ବୋଲି କହୁଥିଲେ, ସେଇଟି ହେଲା–‘ଲେଖି ଅଛନ୍ତି ବ୍ରଜପୁର ମଣ୍ଡନ ବ୍ରଜକିଶୋରୀ ରାଧାଙ୍କୁ ।’ ଏହା ଖୁଡ଼ୀଙ୍କ ଭାଷାରେ ରୂପ ନେଲା–

 

‘‘ଲେଖି ଅଛନ୍ତି ନ୍ରଜନୁର ନଣ୍ଡନ

ନ୍ରଜ-ନିଶୋରୀ ନାଧାଙ୍କୁ ।’’

ଏଇମିତି ଛାନ୍ଦ ସାହିତ୍ୟ ଚର୍ଚ୍ଚା ହୁଏ ନିତିଦିନ ପ୍ରାୟ ।

 

ଦାଣ୍ଡ ପିଣ୍ଡାରେ ଆଗଛାମୁଆ ଘର ସିଂହନାଥ ଶତପଥୀ ରୋଜ ରାତିରେ ପୁରାଣ ପଢ଼ନ୍ତି । ଦରକାର ପଡ଼ିଲେ ବୋଉ ମୋତେ ପୁରାଣରେ ଅବୁଝା ଅଂଶ ବୁଝେଇ ଦିଏ ।

 

ବାରିପଟେ ମହାନଦୀ, ନଈ ବନ୍ଧତଳେ ବୁଦିବୁଦିକିଆ ଲଟୀ, ଆଉ କେତୋଟି ଆମ୍ବ, ବର, ଓସ୍ତ (ଅଶ୍ୱତ୍ଥ) ଗଛ । ନଈରେ ସବୁଦିନେ ପାଣିଥାଏ । ଖରାଦିନେ ପଶା ନଈ ଉପର ମୁଣ୍ଡରୁ ନାଆ ଚଳିବାକୁ ନାଉରୀଏ ଅଳ୍ପ ପାଣିଥିବା ଧାରକୁ ଟିକିଏ ଖୋଳି ଦେଇ ଥାଆନ୍ତି । ୟା’ କୁ କହନ୍ତି ‘ହରଣୀ’ । ନାଆ ଏଇ ରାହା ଧରି ବୁହାଇ ନିଅନ୍ତି । ନଈ ଆରପାରିରେ ବାଲିବନ୍ତ । ଚକୁଆ ଚକୋଈ, ଟେଣ୍ଟେଇ ଚଢ଼େଇ ନଈ କୂଳରେ ଦେଖିବାକୁ ମିଳନ୍ତି । ଜହ୍ନପକ୍ଷ ରାତିରେ ଟେଣ୍ଟେଇ ତା’ର ବାଲି ଭିତରେ ଗାତରୁ ବାହାରି ଟିଇଁ, ଟିଇଁ, ଟିଇଁ ରାବ କରି ନୀରବ ଆକାଶରେ ଉଡ଼ିବୁଲି ଚହଳ ପକାଇ ଦେଉଥାଏ । ସତେଯେମିତି ସେ ନୀରବ ଆକାଶର ଘୁମଭଙ୍ଗା ଡାକରା ! ଜୀବନର ଅପାସୋରା ସେ ଦୃଶ୍ୟ ! ନିଛାଟିଆରେ ନଈବନ୍ଧ ଉପରେ କାଳିଜହ୍ନ ଛାଇରେ ବସି ଏ ଅପୂର୍ବ ପ୍ରକୃତି–ଶୋଭାର ମାଧୁରୀ, କବିଙ୍କ ଭାଷାରେ, ‘‘ଅନୁଭବୀବିନେ ଦୁଃଖ ସୁଖ କହିନୋହେ ବଚନେ-।’’

 

ଏଇଠି ଚୁମ୍ବକରେ ଟିକିଏ ବାପାଙ୍କ କଥା କହି ନ ଦେଲେ ବର୍ଣ୍ଣନାଟା ଖଣ୍ଡିଆ ରହିଯିବ ବୋଲି ବିଚାରୁଛି । ଅବଶ୍ୟ ଏ ବହୁଦିନ ପରର କଥା ।

 

ମୋ ବାପା :

 

ବାପା ସଙ୍ଗୀତ–ସାହିତ୍ୟପ୍ରେମୀ ବୋଲି ତ ଆଗରୁ କହିଛି । ଅଳ୍ପ କଥା କହିବା ତାଙ୍କର ଅଭ୍ୟାସ । ଥର ଅଧକର କଥା କହୁଛି–କଲେଜର ଗ୍ରୀଷ୍ମ ଛୁଟି । ମୁଁ ଗାଆଁକୁ ଯାଇଥାଏ । ଆମର ତ ପୁରୁଣାକାଳିଆ ଆଟୁଘର-। ଦାଣ୍ଡଘରୁ ବାହାରକୁ ଯିବା ବାଟକଡ଼ ଚଉପାଢ଼ିରେ ବାପା ଆରାମଚଉକିଟି ଉପରେ ବସିଥିଲେ-। ଦିନ ଢଳି ଆସିଲାଣି । ମୁଁ ନଈ ବନ୍ଧରେ ବୁଲିଯିବାକୁ ବାହାରିଲି । ୟେ ତ ସେକାଳ କଥା, ବାପା ବସିଛନ୍ତି, ତେଣୁ ଶଂକି ଶଂକି ବହୁମାନରେ ଯାଉ ଯାଉ ପ୍ରଶ୍ନ ହେଲା–‘‘ବାବୁ, କୁଆଡ଼େ ବାହାରିଚ-?’’

 

‘‘ଯାଉଛି ଟିକିଏ ନଈବନ୍ଧକୁ । ଭାରି ଗରମ ।’’

 

ପ୍ରଶ୍ନ : ଗୋଟେ କଥା ପଚାରିବି ?

 

ମୁଁ ନୀରବରେ ଛିଡ଼ା ହୋଇ ରହିଛି ।

 

ପ୍ରଶ୍ନ : ଏଇ ମ୍ୟାନ୍‌ (Man) ଶବ୍ଦର ଅର୍ଥ କ’ଣ କି ?

 

ତାଟକା ହେଲି ମୁଁ । ବାପାଙ୍କ ପରି ସୁଯୋଗ୍ୟ ଲୋକ, ଏ କି ପ୍ରଶ୍ନ କରୁଛନ୍ତି ? କହିଲି–ମ୍ୟାନ୍‌ ଅର୍ଥ ମନୁଷ୍ୟ...ମାନବ ବାପା ମୁହଁ ବଙ୍କାଇଦେଇ କହିଲେ, ‘ଯାଃ ମୋ ଟଙ୍କା ପୂରା ପାଣିରେ ପଡ଼ିଲା... ତମକୁ ପାଠଶାଠ ପଢ଼ାଇ ।’’

 

କିଛି ବୁଝିପାରିଲି ନାହିଁ ! ନୀରବରେ ଛିଡ଼ା ହେଲି, ବାପା କହିଲେ–ଏଇ ମ୍ୟାନ୍‌ ବା ତୁମ କଥାରେ ମନୁଷ୍ୟ... ମାନବ–ଏଇ କଥାରେ ଅର୍ଥ–‘ଭୁଲ ।’

 

ତା’ପରେ ସବୁ ନୀରବ ନିସ୍ତବ୍ଧ ।

 

ବାପା କହିଲେ : ବଡ଼ ଗରମ । ଗୁଳୁଗୁଳିଟା ହଉଚି । ଚାଲ, ତମ ସାଙ୍ଗରେ ନଈକୂଳକୁ ଯିବା । ମୁଁ ପାନବଟା ଧରି ଆଗେ ଚାଲିଲି ।

 

ମୋ ପଛରେ ବାପା । ଆଉ ସେ ମ୍ୟାନ୍‌–ମନୁଷ୍ୟ–ମାନବ ସମ୍ବନ୍ଧେ କିଛି କଥାବାର୍ତ୍ତା ନାହିଁ । ମୁଁ ଖାଲି ବାଟଯାକ ସେ ଶବ୍ଦାର୍ଥ ଭାବି ଭାବି ଚାଲୁଥାଏଁ–ନଈ ବନ୍ଧେ ବନ୍ଧେ । ପବନ ନାହିଁ । ଭାରି ଗରମ । ଯାଉ ଯାଉ ବାଟରେ ନଈବନ୍ଧ ତଳେ କ’ଣ ଗୋଟେ ଖଡ଼ ଖଡ଼ ଶବ୍ଦ ଶୁଭିଲା । ଠିଆ ହୋଇଗଲି । ବାପା ପଛପଟୁ ପଚାରିଲେ–ବାବୁ ! ହଠାତ୍‌ ଏମିତି ଠିଆ ହୋଇଗଲୁ କାହିଁକି ?

 

ମୁଁ ନଈବନ୍ଧକୁ ଚାହିଁ କହିଲି, ‘‘ଶୁଣୁଛନ୍ତି ନା, ପବନର ଆତାଗମ ନାହିଁ–ଖଡ଼ ଖଡ଼ ଖଡ଼-!’’

 

ବାପା, ଟିକିଏ ମୁରୁକିହସା ମାରି ମତେ କହିଲେ : ହଁ, ଏଇ ଓସ୍ତଗଛରେ ପତ୍ର କଥା କହୁଛୁନା ? ଡେମ୍ଫଗୁରା ଲମ୍ବା ଲମ୍ବା, ଅଳ୍ପ ଟିକିଏ ପବନର ଛୁଆଁ ବାଜିଲେ ଥରି ଉଠୁଛନ୍ତି । ପତରକୁ ପତର ଲଢ଼େଇ କରୁଛନ୍ତି–ଖଡ଼ ଖଡ଼ ଶୁଭୁଛି । ଦେଖିଲୁ,–ଗଛର ଗଣ୍ଡି ହୋହଲୁଚି ?

 

ମୁଁ କହିଲି–ନା ।

 

ବାପା ଆଉ କିଛି ନ କହି ମୋତେ କହିଲେ–ହଉ ଦେଖିଲୁ ତ ? ଚାଲ୍‌ ।

 

ଆଉ ମୋର କିଛି ପଚାରିବାର ଅବକାଶ ନାହିଁ । ଆଗେ ଆଗେ ଚାଲିଲି ।

 

ଦିନେ ଦି’ ଦିନ ତାଙ୍କ କଥାର ମର୍ମ କ’ଣ ବୋଲି ଭାବିହେଲି । ପଚାରିବାର ସାହସ ତ ନାହିଁ ।

 

ସାନ ସାନ କଥାରେ ସତେ କେତେ ବଡ଼ ବଡ଼ ଉଦାହରଣ ଉପଦେଶ ଭରି ରହିଛି !

 

ମନୁଷ୍ୟ ଜୀବନଟା ଗୋଟେ ଭୁଲର ସମଷ୍ଟି । ଆଉ ପତ୍ର ଖଡ଼ ଖଡ଼ ହେବାଟା ଓ ଗଣ୍ଡି ଅଚଳ ହୋଇ ରହିବାଟାରୁ ବୁଝିଲି–ବାପା କହିଲେ ଯେ, ଅଳ୍ପ ବା ସାମାନ୍ୟ ଆଘାତ ବା ଅସୁବିଧାରେ ଗଣ୍ଡି ବା ଦେହ ମନ ଦୁର୍ବଳ ହୋଇ ଟଳିପଡ଼ିବାର ନୁହେଁ । ସୁଲୁସୁଲିଆ ବାଆ ଓସ୍ତପତ୍ରକୁ ଚହଲାଇ ଦେଲାପରି, ମନୁଷ୍ୟ ଜୀବନରେ ସାମୟିକ ବିପଦ ଆପଦ ଆସିବ, ଉପରେ ଉପରେ ଚାଲିଯିବ । ଏଥିପାଇଁ ମନପ୍ରାଣ ଦୁର୍ବଳ ହୋଇପଡ଼ିବା ଉଚିତ ନୁହେଁ ।

 

ପହିଲି କବିତା :

 

କୁମ୍ଭାର ଚକ ଭିତରେ ଗୁରାଏ ଏଣୁତେଣୁ ଗାଆଁ କଥା ବାଢ଼ି ବସିଲି । ତା’ର କାରଣ ହେଲା–ଏଇପରି ପରିବେଶ ଭିତରେ ମୁଁ ବାଲ୍ୟରୁ ଗଢ଼ା ହୋଇ ଆସିଲି । ଆମ ଗାଆଁ ନଈକୂଳ ମୋତେ ବଡ଼ାମ୍ବା କୁଶୁରଙ୍ଗିଆ ମୁଣ୍ଡିଆ ଶିଖରେ କଳାହାଣ୍ଡିଆ ମେଘ ଚରୁଥିବାର ଦୃଶ୍ୟ ଦେଖାଇ ‘କଳାହାଣ୍ଡିଆ ମେଘ’ କବିତା ଲେଖାଇଛି । ଏ ମୋର ପହିଲି କବିତା ଲେଖା ।

 

ଆଉ ବାପାଙ୍କର ସେ ଦୁଇଟି କଥା :

 

(କ) ଜୀବନର ଅର୍ଥ ଭୁଲ୍‌, (ଖ) ସୁଲୁସୁଲୁ ବାଆରେ ଓସ୍ତପତ୍ର ଦୋହଲା–ଏ ଦୁଇଟି ଉପଦେଶ–‘‘ଏକୁଁ ଆରେକ ବଳିଆର’’ ବୋଲି ବାରୁଛି । ସାରାଜୀବନ କେତେ ଭୁଲ କରୁଛି, ଠିକଣା ନାଇଁ ତା’ର । ଆଉ ସୁଲୁସୁଲିଆ ଧୀର ପବନ–କେତେ ଝଡ଼ଝଞ୍ଜା ସହିଛି, ସହୁଛି, ତା’ ମଧ୍ୟ ଗଣିହେବ ନାହିଁ । ‘‘ଓସ୍ତଗଛର ମୂଳଗଣ୍ଡି ଦୋହଲିଲେ ଯେ ଗଛଟି ତଳଛୁଆଁ ହୋଇଯିବ’’–ଏ କଥାଟି କେଡ଼େ ମୂଲ୍ୟବାନ୍‌ ସତେ !

 

ମୁଁ ତ ବିଚାରୁଛି–ଦୁନିଆରେ ଚଲାବାଟୋଇର ଏ ଦୁଇଟି କଥା ସଦାସାଥୀ ।

 

ଏଇଭଳି ପରିବେଶ ଓ ପରିସ୍ଥିତି କୁମ୍ଭାର ଚକର ମାଟି ନୁହେଁ କି ?

 

ଗାଆଁ ଭୂଇଁର ସ୍ନେହ–ମାୟା–ମମତା–ଭରା ଲୋକ-ଚଳଣି ମୋ ଜୀବନ ଗଢ଼ାର ମୂଳଦୁଆ ।

 

ପାଠ, ଗୀତ, ବଂଶୀ :

 

ପିଲାଦିନର ଗୋଟିଏ ବଡ଼ କଥା ନ କହିଲେ ଚଳିବ ନାଇଁ ।

 

ଚର୍ଚ୍ଚିକା ମାଇନର ସ୍କୁଲ (ବାଙ୍କି)ରେ ମୁଁ ଯେତେବେଳେ ନାମ ଲେଖାଏଁ, ସେତେବେଳେ ହେଡ଼ମାଷ୍ଟର ଥାଆନ୍ତି ଭାଗୀରଥୀ ରଥେ । କିଛିଦିନ ପରେ ହେଡ଼ମାଷ୍ଟର ହୋଇ ଆସିଲେ ସ୍ୱର୍ଗତ ରଘୁନାଥ ରାୟ । ଘର ତାଙ୍କର ଅଶୁରେଶ୍ୱର (କଟକ) । ବୟସ ସେତେବେଳକୁ ତାଙ୍କର ହେବ ନାଗପାଟ ପଚାଶ କି ପଞ୍ଚାବନ । ତାଙ୍କ ଗଙ୍ଗା ଯମୁନା ମୁଣ୍ଡବାଳ ଓ ଲମ୍ବା ଦାଢ଼ିରୁ ମୁଁ ଅନୁମାନ କରୁଛି, ବୟସଟା । ପଚାରି ବୁଝିବାକୁ ଆଗ୍ରହ ହୋଇନାହିଁ କେବେ । ତାଙ୍କର ଖିଆପିଆ, ଚାଲିଚଳଣ ସବୁଥିରେ ଥିଲା ଗୋଟାଏ ବୁନିଆଦି ବଡ଼ଘରିଆ ଛାପ । ପଢ଼ାନ୍ତି, ପାଠକୁ ବେଶ୍‌ ମଧୁରିଆ କରି । ରାଗ ତାଙ୍କର କେବେ ଦେଖିନାହିଁ ମୁଁ । ଏସବୁ ବାହାରେ, ରଘୁବାବୁ ଥିଲେ ଜଣେ କଳାକାର–ମିଜାଜୀ କଳାକାର । ଚିତ୍ରବିଦ୍ୟା କିଛି ଜଣାଥିଲା ତାଙ୍କୁ । ବେହେଲା ବଜାଉଥିଲେ ମଧ୍ୟ-। ତାଙ୍କ ରଚନା (କବିତା ଓ ଗୀତ) ବି ପଢ଼ିବାକୁ ଓ ଶୁଣିବାକୁ ସୁଖ ଲାଗେ ।

 

ସ୍କୁଲ ପାଠପଢ଼ା ସାଙ୍ଗରେ ମୋତେ ଏଇଠି ଗୋଟାଏ ଅଧିକା ସୁଯୋଗ ମିଳିଗଲା । ଦିନ ଦଶରୁ ଚାରିଯାଏଁ ତ ସ୍କୁଲ ପାଠପଢ଼ା । ତା’ ଛଡ଼ା ସକାଳ ସାଢ଼େ ଛ’ ସାତରୁ ନଅ କି ସାଢ଼େ ନଅ ପର୍ଯ୍ୟନ୍ତ ଶିକ୍ଷକମାନେ ପଢ଼ାନ୍ତି–ବୁଝାନ୍ତି । ସେଥିପାଇଁ ପିଲାଏ ସକାଳେ ସ୍କୁଲକୁ ଯା’ନ୍ତି; ପୁଣି ସଞ୍ଜରେ ଯେ ଚାହିଁଲା ସେ ବି ପଢ଼ିବାକୁ ଆସେ । ଅକୁଣ୍ଠିତ ଚିତ୍ତରେ ରଘୁବାବୁ ସଞ୍ଜରେ ପିଲାଙ୍କୁ ପଢ଼ାନ୍ତି । ସକାଳ ବା ସଞ୍ଜ ପାଠପଢ଼ା ପାଇଁ ଶିକ୍ଷକମାନେ ଅଲଗା ଦକ୍ଷିଣା ନେଉନଥିଲେ । ଅଥଚ ଡିଉଟି ଭଳି ସ୍କୁଲକୁ ଆସନ୍ତି । ସଞ୍ଜବେଳଟା ରଘୁବାବୁ ତ ଥା’ନ୍ତି । ତା’ ଛଡ଼ା ଅନ୍ୟ ଶିକ୍ଷକମାନେ ଆସନ୍ତି ବେଳେବେଳେ ।

 

ହେଡ଼ପଣ୍ଡିତ ଥାଆନ୍ତି ଆମ ଗାଆଁର ଭାଗୀରଥି ପଣ୍ଡା । ମନେପଡ଼େ ତାଙ୍କର ‘‘ରେ ଆତ୍ମନ୍‌, ନିଦ୍ରା ପରିହରି–ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରୀ’’–ଭକ୍ତକବି ମଧୁସୂଦନ ରାଓଙ୍କ ଲେଖା ପଢ଼ି ଟିକିନିଖି କରି ବୁଝାଇବା ରୀତି । ଜଣେ ଭାବୁକ ପଣ୍ଡିତ ସେ । ସେକେଣ୍ଡ ମାଷ୍ଟର ଥାଆନ୍ତି ନାରଣ ମିଶ୍ର । ସେ ବି ଆମ ଗାଆଁର । ଦୁହେଁ ମୋତେ ଭାରି ଆଦର କରୁଥିଲେ । ଥାର୍ଡ଼ ପଣ୍ଡିତ ଚିନ୍ତାମଣି ଦାଶେ (ପଥୁରୀପଡ଼ା) ବି ଜଣେ ସୁସାହିତ୍ୟିକ । ମୋତେ ସେ ନାନା ପୁସ୍ତକ ପଢ଼ିବାକୁ ଦିଅନ୍ତି । ଚର୍ଚ୍ଚିକା ମାଇନର ସ୍କୁଲର ଖୁବ୍‌ ଖ୍ୟାତି ଥାଏ ।

 

ମୁଁ ସେତେବେଳେ ଅପର ପ୍ରାଇମେରୀରୁ ମାଇନରକୁ ଯାଇଥାଏ । ଗୋଟିଏ ଗୋଟିଏ ଛୋଟିଆ ଗୀତ ଲେଖୁଥାଏଁ । ସଂଶୋଧନ କରିଦେବାକୁ ରଘୁବାବୁଙ୍କୁ ଦେଖାଏଁ । ସେ ମୋତେ ଉତ୍ସାହ ଦିଅନ୍ତି, ପୁଅଠୁଁ ବଳି ଆଦର କରି । ମୁଁ ଅନେକ ଓଡ଼ିଆ ଓ ବଙ୍ଗଳା ବହି ପଢ଼ୁଥିଲି । ମୋତେ ଖେଳି ଆସେ ନାହିଁ । ତା’ଛଡ଼ା ବଡ଼ ଦୁର୍ବଳ ଥିଲି । ବାପମାଆଙ୍କର ‘ଏକୋଇର ବଳା ବିଶିକେଶନ’ ହୋଇ ସବୁଥିରେ ଗେଲବସର କରି ମୋତେ ସେମାନେ ଖେଳବୁଲକୁ ଛାଡ଼ନ୍ତି ନାହିଁ, ତେଣୁ ଗୋଟାଏ ‘ଖେଳଛଡ଼ା’ ଅଭ୍ୟାସ ରହିଥିଲା ମୋର । ଖେଳ ଭିତରେ ଖୁବ୍‌ବେଶି ହେଲେ, ସାଇପଡ଼ିଶା ସମବଅସିଆ ଝିଅ ପୁଅ ମିଶି ‘କସିପାଙ୍ଗି’ ‘ଦଶପଚିଶ’ ନଇଲେ ‘କାଞ୍ଜିଗାତ’ ଖେଳଟା ଚଳେ । ତାସ୍‌ ଟିକିଏ ଖେଳି ଆସୁଥିଲି । ତେଣୁ ସ୍କୁଲ ଛୁଟି ହେବା ପରେ ମୁଁ ଗୀତରେ ଲାଗିଯାଏ । ନଇଲେ ଆମ ଗାଆଁ ଖମାରଙ୍ଗର ବୁଢ଼ା ବାଳକୃଷ୍ଣ ମହାନ୍ତିଙ୍କ ହାତ ତିଆରି ବଂଶୀ ବଜାଇବା ଆରମ୍ଭ କରିଦିଏଁ, ମହାନଦୀ ବନ୍ଧ ଉପରେ ଓସ୍ତଗଛ ଛାଇରେ ବସି ।

 

ପହିଲି ଖଣ୍ଡକାବ୍ୟ :

 

ଏହବୁ ନିତିଦିନିଆଁ ନୁହେଁ–ଅକାଳେ ସକାଳେ । କେବେ କେବେ ଚାରିଟାବେଳେ ଘରକୁ ଆସି ଜଳଖିଆ ହେଉ ବା ଦୋଅଡ଼ା ହେଉ ଯାହା ଯେଉଁଦିନ ମନ–ଖାଇଦେଇ ମୁଁ ସ୍କୁଲକୁ ପୁଣି ବହି ଦି’ଖଣ୍ଡ ଧରି ଚାଲିଯାଏଁ । ସେଠି ଅନେକ ସମୟରେ ରଘୁବାବୁ ବେହେଲା ବଜାନ୍ତି । ମୁଁ ଗାଏଁ, ନଇଲେ ସ୍କୁଲ ହତାରେ ଥିବା ‘ନାକୋଇ’ ଆମ୍ବ ଗଛ ମୂଳେ ବାଲିରେ ବସି କବିତା ବା ଗୀତ ଲେଖେଁ । ସେତିକିବେଳେ ଥରେ ବାଙ୍କିର ମହାପର୍ବତକୁ ବୁଲିଯାଇଥିଲି, ହେଡ଼ମାଷ୍ଟରଙ୍କ ସାଥିରେ । ଆଉ ବି କେତେକ ପିଲା ଯାଇଥିଲେ । ମହାପର୍ବତ ବୁଲିଆସି ମୁଁ ‘ମହାପର୍ବତ’ ନାମରେ ଖଣ୍ଡିଏ ଖଣ୍ଡ-କାବ୍ୟ ଲେଖିଲି । ତାହା ଅଦ୍ୟାବଧି ଅପ୍ରକାଶିତ । ଏ ମଧ୍ୟ ମୋର ପ୍ରଥମ ପ୍ରଚେଷ୍ଟା ।

 

ବାଙ୍କିରେ ଜଣେ ସବ୍‌ରେଜିଷ୍ଟ୍ରାର ଥାଆନ୍ତି । ନାଆଁଟା ତାଙ୍କର ପାସୋର ଯାଇଥିଲା । ଗୋପାଳପୁର ଗାଆଁର ଶ୍ରୀମାନ୍‌ ଗୋଲୋକ ମହାରଣା ମତେ ୧୩.୩.୬୧ ରେ ଖଣ୍ଡେ କାର୍ଡ଼ରେ ଲେଖି ପଠାଇଥିବା ଚିଠିର ନକଲ ଏଥି ସହିତ ଲେଖୁଛି । ସେ ମୋତେ ସେ ସବ୍‌ରେଜିଷ୍ଟ୍ରାରଙ୍କ ଠିକଣା ଦେଲେ ।

 

ତାଙ୍କ ଘର ବାଲେଶ୍ୱର ସହରର ବଟେଶ୍ୱରରେ । ନାମ ହାଜି ଅସରଫ ଅଲ୍ଲି ଖାଁ (କାବ୍ୟ ରତ୍ନାକର) ଆପଣଙ୍କ ବର୍ଣ୍ଣିତ ସମୟକୁ ସେ ହାଜି ହୋଇ ନ ଥିବେ । ସରକାରୀ ଚାକିରିରୁ ଅବସର ଗ୍ରହଣ ପରେ ‘ହଜ୍‌’ ହେବାକୁ ଯାଇଥିବେ ।

 

ସଙ୍ଗୀତ–ସାହିତ୍ୟପ୍ରେମୀ ନୁହନ୍ତି ସେ, ଏକାବେଳକେ ରସିକ ଗ୍ରାହକ । ବୀଣାପାଣି ପତ୍ରିକାର ସହକାରୀ ଥିଲାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା । ସେତିକିବେଳେ ତାଙ୍କ ଉଚ୍ଚ ଉଦାର ହୃଦୟ ଓ ସଙ୍ଗୀତ ସାହିତ୍ୟ ପ୍ରେମର ପୂର୍ଣ୍ଣ ପରିଚୟ ପାଇଥିଲି ।’’

 

ଆପଣଙ୍କର

‘ଗୋଲୋକ’

 

ତାଙ୍କୁ ପାଣ୍ଡୁଲିପିଟି ବଡ଼ ଡରିଡରିକା, ଲାଜମିଶା ଭୟରେ ଦେଖାଇଲି । ଭାରି ଖୁସି ହୋଇ ମତେ କୁଣ୍ଢାଇ ପକାଇଲେ ସେ । ଯାହାଙ୍କୁ ଦେଖିଲେ ଭଡ଼ାଏ ମୋ ପ୍ରଶଂସା ଗାଇଲେ–‘‘ବାର ତେର ବର୍ଷ ହବକି ନାହିଁ, ପିଲାଟାର ଲେଖା ଦେଖି ତାଜୁବ ହେଲି ହୋ !’’

 

ଘରେ ଆମର ବଂଶାନୁକ୍ରମେ ଦୁର୍ଗାପୂଜା ହୁଏ । ବାଙ୍କି ରାଜା ଥିଲାବେଳେ ଆମ ବଂଶ ଚର୍ଚ୍ଚିକା ଠାକୁରାଣୀଙ୍କ ଦେଉଳକରଣ । ତା’ର ସାକ୍ଷୀରୂପେ କେତେଗୁଡ଼ିଏ ତାଳପତ୍ରରେ ସେ କାଳର ଭୋଗରାଗ ଓ ଠାକୁରାଣୀଙ୍କ ଯାନିଯାତ୍ରାର ବିବରଣୀ ଆମ ଘରେ ଏବେ ଅଛି । କହିଛି ତ ବାପା ଦେବୀଭକ୍ତ । ବିଧିମତେ ରୋଜ ରାତିରେ ସେ କାଳୀପୂଜା କରନ୍ତି । ସେଇ ଘଟଣା ମୋତେ ଚର୍ଚ୍ଚିକା ଠାକୁରାଣୀଙ୍କ ଚରଣତଳରେ ଭକ୍ତି କରିବାର ଦୃଢ଼ତା ଶିଖାଇଛି । ଏକଥା ଏଠି କାହିଁକି କହୁଛି, ଶୁଣନ୍ତୁ–

 

ବାଙ୍କିରେ ଥିବାତକ ମୁଁ ଫି ଗୁରୁବାର ଦିନ ଠାକୁରାଣୀଙ୍କ ଦର୍ଶନକୁ ଯାଏ । ବୋଉ ମତେ ଶିଖାଇଥାଏ ‘ମାଆଙ୍କୁ ମୁଣ୍ଡିଆ ମାରିବୁ, କିଛି ମାଗିବୁ ନାଇଁ । କହିବୁ, ମାଆ ତୋର ଯାହା ଇଛା ତାହା କର । ମୋତେ ତୋ ପାଦତଳେ ଦୃଢ଼ଭକ୍ତି ରଖିବାକୁ ମନ ଦେ ।’ ସେହିପରି କରେ ମୁଁ । ଦିନେ ଗୋଟିଏ ଗୀତ ଲେଖି ବୋଉ ଆଗେ ଗାଇଲି । ସେ ମୋତେ କହିଲା, ‘ବାପା ମୁଁ ସିନା ତୋର ଜୀଅନ୍ତା ମାଆ, ସବୁଦିନିଆ ନୁହଁ, ଦିନେ ମୁଁ ମରିବି । ଯା’ ସବୁଦିନିଆ ମାଆଙ୍କୁ ଗୀତ ଗାଇ ଶୁଣାଇ ଆସିବୁ । ସେ ପସନ୍ଦ କଲେ ହେଲା ।’ ଏକଥା କହି ଅଗଣାରେ ଥିବା ଗୋଟିଏ ଗୋଲାପ ଗଛରୁ ବଡ଼ ଫୁଲଟିଏ ଦେଲା, ମାଆଙ୍କୁ ଭେଟିବାକୁ । ଫୁଲଟି ମାଆଙ୍କ ସେବକ ଖତି ମହାପାତ୍ରଙ୍କୁ ଭେଟିଦେବାକୁ କହି ମୁଁ ବୋଉର କଥା କଲି । ଠାକୁରାଣୀଙ୍କ ଶୂନ୍ୟବାହିନୀ ମଣ୍ଡପରେ ଠିଆହୋଇ ଆଖିମୁଦି ଗୀତଟି ଗାଇଲି । ଜାଣି ନାହିଁ, କେତେବେଳେ ହେଡ଼ମାଷ୍ଟ୍ରେ ଆସି ମୋ ପିଠି ପଟେ ଠିଆ ହୋଇଛନ୍ତି । ଗୀତଟି ସରିଲା । ମୁଁ ହାତଯୋଡ଼ି ପ୍ରଣାମ କଲି । ପରେ ପରେ ମୁଣ୍ଡ ଉପରେ ଗୋଟିଏ ହାତରେ କଅଁଳ ଛୁଆଁ ପାଇ ଦେଖେଁ ତ–ରଘୁବାବୁ । ସେ ହସି ହସି କହିଲେ–‘ସେ ପାଖେ ମାଆ, ଏ ପାଖେ ଗୁରୁ–ଦୁହିଁଙ୍କ ଆଶୀର୍ବାଦ ନେଇ ଦୀର୍ଘଜୀବୀ ହୋଇଥା ବାବା ।’

 

ମାଆଙ୍କ ଅନୁଗ୍ରହ :

 

ମାଆଙ୍କୁ ମୁଣ୍ଡିଆମାରି ହେଡ଼ମାଷ୍ଟରଙ୍କ ପଛେ ପଛେ ଘରକୁ ଫେରିଲି । ବୋଉ ପଚାରିଲା–ମାଆ କ’ଣ କହିଲେ ? ହସି ହସି କହିଲି, ‘ମା’ କ’ଣ ମଣିଷ ଯେ–କଥା କହନ୍ତେ ? ଏତିକିବେଳେ ଖତି ମହାପାତ୍ରେ ଗୋଟିଏ କଦଳୀପତ୍ର ପୁଡ଼ା ଆଣି ବୋଉକୁ ଦେଇ କହିଲେ, ‘‘ସାଆନ୍ତାଣୀ, ସାନସାଆନ୍ତ ମାଆଙ୍କ ପାଖେ ଭେଟିବାକୁ ଗୋଲାପ ଫୁଲଟିଏ ମୋତେ ଦେଲେ, ସେଇଠୁ ମୁଣ୍ଡିଆ ମାରି ତଳମଣ୍ଡପକୁ ଆସି ଗୀତ ଗାଉଥିଲେ । ମୁଁ ଫୁଲଟିକୁ ମାଆଙ୍କ ମଥାରେ ଚଢ଼ାଇ ଦେଲି, ଭୋଗ କଲି । ଭୋଗ ପରେ ଫୁଲଟି ମଥାରୁ ଖସିଲା । ମୁଁ ଆସି ଖୋଜିଲାବେଳକୁ ସାନସାଆନ୍ତ ଚାଲିଆସିଲେଣି । ହେଇଟି ଫୁଲଟି ନିଅନ୍ତୁ ।’’ ବୋଉ ଫୁଲଟି ନେଇ କିଛି କହିପାରିଲା ନାହିଁ । ମହାପାତ୍ରଙ୍କୁ ଦକ୍ଷିଣା ଦେଇ ବିଦା କରିଦେଲା । ମୋତେ କୋଳକୁ ଟାଣିନେଇ, ଆଖି ଛଳଛଳ କରି କହିଲା–‘ବାପରେ, ମାଆ ଅନୁଗ୍ରହ କରିଛନ୍ତି–ତୁ ଲେଖ ।’

 

ଗୀତଟି ପୂରା ମନେପଡ଼ୁନାହିଁ । ପୂରା ଗୀତଟି ମୋ ‘ଗୀତ–ମଞ୍ଜରୀ’ ବହିରେ ଦେବି ବୋଲି କେତେ ପଛ କଥାର ପେଡ଼ି ଘାଣ୍ଟିଛି । ଯାହା ଯାଏ–ସେ କି ଆଉ ଆସେ ? ପଦେ ଅଧେ ମନେଅଛି ମାତ୍ର । ପିଲାଦିନର କେତେ ଲେଖା ହଜିଯାଇଛି ଅସାବଧାନତାରୁ; ଏ ଗୀତଟି ବି ତା’ ସାଙ୍ଗରୁ ଗୋଟିଏ । ମନେଥିବା ପଦକ ଗୀତ ହେଲା–

 

‘‘ଦେବି ଗୋ, ପରମାନନ୍ଦଦାୟିନୀ

ପଦ୍ମ–ଗନ୍ଧ–ପ୍ରସୂନମାଳିନୀ

ମା ଶ୍ମଶାନ ବିଳାସିନୀ ।

କର ଦୟା ଦିନେ–ସିଂହବାହିନୀ

ହର–ହୃଦୟ–ପରଚାରିଣୀ ।’’

 

ସେ କାଳର ସେ ଯୋଗ୍ୟତାର ଏ ଲେଖା । ସତରେ ଭାବିହେଉ ନାହିଁ, ମୁଁ ନିଜେ ଲେଖିଛି ବୋଲି । କେହି ବି ସହଜେ ବିଶ୍ୱାସ କରିବେ ନାହିଁ ।

 

ଗାଁ ସଙ୍ଗେ ସେତେବେଳେ ତିନି ଚାରିଜଣ ମୋ ଗୀତର ଗରାଖ ଥିଲେ । ଗୀତଟିଏ ଲେଖିଲେ ମନ ଖଜେଇ ବଜେଇ ହେଉଥାଏ । ସେମାନଙ୍କୁ ଥରେ ଶୁଣାଏଁ ତାଙ୍କ ତୁଣ୍ଡରୁ ଭଲମନ୍ଦ ପଦେ ଶୁଣିବା ପାଇଁ । ସେମାନେ ହେଉଛନ୍ତି ଚର୍ଚ୍ଚିକା ଗାଆଁର ହରିଆକକେଇ (ସ୍ୱର୍ଗତ ହରି ମିଶ୍ରେ–ଶିକ୍ଷକ) ଆମ ଗାଆଁର ନାରଣକକେଇ (ସ୍ୱର୍ଗତ ନାରାୟଣ ଶତପଥୀ–କମ୍ପାଉଣ୍ଡର) ଆଉ ଗୋପୀ (ଚର୍ଚ୍ଚିକା ଗାଆଁର ଶ୍ରୀ ଗୋପେନ୍ଦ୍ର କୃଷ୍ଣ ମିଶ୍ର ବି.ଏ., କୋ–ଅପରେଟିଭ ବିଭାଗର ସହକାରୀ ରେଜିଷ୍ଟ୍ରାର ଥିଲେ । ପେନ୍‌ସନ୍‌ ନେଇ ଏବେ ଘରେ ଅଛନ୍ତି) । ଗୋପୀ ଗଳାଟି ମିଠା । ଏବେ ଆଉ ତା’ ଗାଇବା ମୁଁ ଶୁଣିନାହିଁ । ସେତେବଳେ ତା’ କଣ୍ଠର ଗୋଟିଏ ଗୀତ ଛାଇ ଛାଇ ମନେପଡ଼ୁଛି ଧାଡ଼ିଏ ମାତ୍ର–

 

‘‘ବସନ୍ତ ଆସିଲେ ସଖି

ଲତା କି ନ ବୁଝଇ ।’’

 

–ଏଇଟି ସମ୍ଭବତଃ ‘ସୀତା ବିବାହ’ ନାଟକ, ସ୍ୱନାମଧନ୍ୟ ନାଟ୍ୟକାର ସ୍ୱର୍ଗତ କାମପାଳ ମିଶ୍ରଙ୍କ ରଚନାରୁ ଧାଡ଼ିଏ ।

 

Unknown

ଆମଘର ବାଡ଼ିପଟେ ତ ମହାନଦୀ । ଖରାଦିନେ ବେଳେ ବେଳେ ଧାରରେ ଅଳ୍ପ ପାଣି ଥାଏ । ଖଣ୍ଡିଏ ଛୋଟ ହୁଲି କାଠୁଆ ନିଜେ ବୁହାଇ ମୁଁ ନଈ ଆରପାରିରେ ବାଲିକୁ ଯାଏଁ । ଭାରି ସୁନ୍ଦର ସେ ଦୃଶ୍ୟ । ଆରପାରିରେ ବଡ଼ାମ୍ୱାର କୁମୁରଙ୍ଗିଆ ମୁଣ୍ଡିଆ । ଅସ୍ତ-ରବିର ଧୂପଛାୟା ଓଢ଼ଣା ଯେମିତି ପାହାଡ଼ ଶିଖକୁ ଢାଙ୍କି ଢାଙ୍କି ଆସୁଥାଏ । ବାଲିରେ ଟେଣ୍ଟୋଇ ଡାକି ଡାକି ଉଡ଼ି ବସା ଖୋଜେ । ସେ ଡରୁଥାଏ ସତେ ମଣିଷକୁ ଦେଖି କିମ୍ବା ତା’ ରାଜ୍ୟରେ ଜଣେ ନବାଗତର ଅନଧିକାର ପ୍ରବେଶ ତା’ର ଅସୁହା ହେଲା ପରା; ବୈଦ୍ୟେଶ୍ୱର ହାତୀମୁଣ୍ଡିଆରେ ରକ୍ତପେଣ୍ଡୁ ପରି ସୂର୍ଯ୍ୟ ବୁଡ଼ି ଆସୁଥାଏ । ରୁଚିକ ପର୍ବତ ଉପରୁ ଦେବୀ ଚର୍ଚ୍ଚିକାଙ୍କର ସଞ୍ଜ ଘଣ୍ଟ ସଙ୍ଗରେ ମାଗା ହାଡ଼ି ଦଳର ଯୋଡ଼ି ମହୁରୀରେ ଛାନ୍ଦରାଗ ଶୁଭେ, ଖଚୁଆ ତାରା ଉଏଁ । ପୁଣି କାଠୁଆ ବାହି ଫେରେଁ ଘରକୁ । ବହି ଦି’ଖଣ୍ଡ ଧରି ଯାଏ ସ୍କୁଲକୁ, ହେଡ଼ମାଷ୍ଟରଙ୍କ କତିକି ।

 

ନାଟକ–ସରାଗ :

 

ଗୀତ ଲେଖିବା ଛଡ଼ା ଯାତ୍ରା ବା ଲୀଳା ଓ ବାପାହେରିକାଙ୍କର ବାଙ୍କିରେ ନାଟକ ଅଭିନୟ ଦେଖି, ମୋର ନାଟକ ପ୍ରତି ସରାଗ ବଢ଼ିଲା । କଥାରେ ଅଛି–‘ଏମନ ଭାବୁଥାଇ ଯାହା’ ସେହି ରୀତିରେ ଆମଘରେ ଦୈବଯୋଗକୁ ଅବସ୍ଥାଚକ୍ରରେ ପଡ଼ି ଜଣେ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଲେ । ତାଙ୍କ କଥା କହୁଛି–

 

ସ୍ୱର୍ଗୀୟ ନାରାୟଣ ସୁମନ୍ତ ପଟ୍ଟନାୟକ ବଡ଼ାମ୍ବାର ଏକ ବିଶିଷ୍ଟ ପରିବାରର ବଳିଷ୍ଠ ବ୍ୟକ୍ତିତ୍ୱସମ୍ପନ୍ନ କରିତ୍‌କର୍ମା, ସ୍ୱାଧୀନଚେତା, ସ୍ପଷ୍ଟବାଦୀ ପୁରୁଷ । ସେତେବେଳେ ବଡ଼ାମ୍ବାର ଶାସକଙ୍କ ସ୍ୱାର୍ଥରେ ବାଧା ପଡ଼ିବାରୁ ସେ ଯୋଗାଡ଼ଯନ୍ତ୍ର କରି, ପଲିଟିକାଲ ଏଜେଣ୍ଟଙ୍କୁ ଲେଖି ତାଙ୍କୁ ରାଜ୍ୟାନ୍ତରୀ କରାଇଥିଲେ । ଯାହାହେଲେ ସୁଦ୍ଧା ତୁଳସୀ ତୁଳସୀ ସିନା ! ଦେଶବନ୍ଧୁ ପୂଜ୍ୟପାଦ ଉତ୍କଳମଣି ଓ ନମସ୍ୟ ଆଚାର୍ଯ୍ୟ ମହାଶୟ ପ୍ରଭୃତିଙ୍କ ସହ ସାକ୍ଷିଗୋପାଳର ପବିତ୍ର ବକୁଳ କୁଞ୍ଜରେ ସୁମନ୍ତ ପଟ୍ଟନାୟକେ ସମାଦର ପାଇ ଚଳିଛନ୍ତି ଅନେକ ଦିନ । ସେ ଥିଲେ ଜଣେ ସଂସ୍କୃତଜ୍ଞ ପଣ୍ଡିତ-। ଓଡ଼ିଆ ସାହିତ୍ୟ ଉପରେ ତାଙ୍କର ବେଶ୍‌ ଅଧିକାର ଥିଲା । ଛାନ୍ଦଗୁଡ଼ିକର ଅର୍ଥ ନାନା ଭାବରେ ସେ ବୁଝାନ୍ତି । ସମ୍ପର୍କରେ ସେ ମୋର ଜେଜେବାପା । ମୋ ନିଜ ଜେଜେବାପା ନିମାଇଁ ଚରଣ ପଟ୍ଟନାୟକ ଜଣେ ପଣ୍ଡିତ ଓ ସାହିତ୍ୟସେବୀ ଥିବା କଥା ତ ଆଗେ କହିଛି । ଏ ଦୁଇଜଣଙ୍କର କ୍ଷୀର-ନୀର ଭାବ । ତା’ ସାଙ୍ଗକୁ ମିଳିଗଲା ମୋ ବୋଉ । ସେ ପୁରୁଣା ଛାନ୍ଦ ସାହିତ୍ୟକୁ ଭାରି ସୁଖପାଏ–ଅର୍ଥ କରେ, ଗାଏ । ଅଳ୍ପ ଅଳ୍ପ ସଂସ୍କୃତ ବି ପଢ଼ିଥିଲା । ବିଷୟ ପ୍ରସଙ୍ଗରେ ଦାଖଲ ଦେଇ ଶୁଦ୍ଧ ଭାବରେ ସେ ଅନେକ ଶ୍ଳୋକ ଖଞ୍ଜାଇଦିଏ, ଆମ ଛାନ୍ଦରୁ ବି ଉପମାନ ଯୋଗାଏ । ସଙ୍ଗୀତକୁ ତ ସେ ଅତି ସୁଖପାଏ । ଗଲା ୧୯୪୯ ସାଲ ଡିସେମ୍ବର ମାସରେ ସେ ମରିବାଯାଏ ସିଂହାରୀ ଶ୍ୟାମସୁନ୍ଦର କରଙ୍କୁ ଦେଖିଲେ ଦି’ଘଣ୍ଟା ଘଣ୍ଟାଏ ପାଖରେ ବସାଇ ଆଦର ନକରି ଛାଡ଼େ ନାହିଁ-। କେତେ ପୂଜା-ମନ୍ତ୍ର ଶିଖାଏ, ଛାନ୍ଦ ଶୁଣାଏ ।

 

ସୁମନ୍ତଜେଜେ ଆମ ଛାନ୍ଦ ପ୍ରତି ମୋର ଶ୍ରଦ୍ଧା ବଢ଼ାଇବାର ଅନ୍ୟତମ ବ୍ୟକ୍ତି । ଦୈବଯୋଗକୁ ସେ ଆମ ବାଙ୍କି ଘରେ ବର୍ଷେ ଦି’ବର୍ଷ ରହିଥିଲେ । ବେଳ ପାଇଲେ ମୁଁ ତାଙ୍କ ପାଖେ ବସି ଛାନ୍ଦ ବୁଝେଁ, ଗାଏଁ–ଏଇଟା ମଧ୍ୟ ବିଶେଷକରି ବୋଉର ମୋ ପ୍ରତି ନିର୍ଦ୍ଦେଶ ଥିଲା ।

 

‘ବାବାଜୀ’ ନାଟକ କଥା ମୋର ମନେଥାଏ । ଥରକର ଆମର ସେ ‘ବାବାଜୀ’ ନାଟକଟି ମୁଁ ତାଙ୍କୁ ଦେଖାଇଲି–କେମିତି ହୋଇଛି ଆଉ ଆମେ ପିଲାଏ ତାକୁ ଅଭିନୟ କରି ଦେଖାଇପାରିବୁଁ କି ନାହିଁ ବୋଲି ପଚାରିଲି । ସେ ମତ ଦେଲେ–ଏଖଣ୍ଡ ଆମ ଓଡ଼ିଆ ଭାଷାର ପହିଲି ନାଟକ ଲେଖା । ଗୋଟାଯାକ ନାଟକକୁ ଆମେ ପିଲାଏ ପାରିବୁ ନାହିଁ । ଗୋଟିଏ ଅଙ୍କ ସେ ବାଛି ଦେଇଥିଲେ । ବହିରୁ ସେଇ ଅଂଶଟି ଉତ୍ତରା ହୋଇଥିଲା । ଉତ୍ତାରି ଦେଇଥିଲେ ମୋର ଆଉ ଜଣେ ଜେଜେ ଲକ୍ଷ୍ମୀଧର ପଟ୍ଟନାୟକ–ତାଙ୍କ ଡାକ ନା ‘ଖତିଜେଜେ’, ରୋଗ ଭୋଗି ନାକରେ କଥା କହନ୍ତି ସେ । ମନ ଖୁସି ଥିବାବେଳେ–ସେଇଥିରେ ଗେଁ ଗେଁ କରି ପୁଣି ଗୀତ ବି ଗାଆନ୍ତି ସେ । ଅଧିକାଂଶବେଳେ ଗାଉଥିଲେ–‘‘ଯମୁନା କୂଳେ କାଳିଆ କେଡ଼େ ହଟା କଲା ମା’’–ସବୁ ଅକ୍ଷର ଚନ୍ଦ୍ରବିନ୍ଦୁ ବୋଝରେ ଭାରାକ୍ରାନ୍ତ–ତଥାପି ସେ ଗାଇବେ ।

 

ତାଙ୍କରି ହାତଉତ୍ତରା ଲେଖା ଖଣ୍ଡ ରହିଯାଇଛି । ଆମର ଅତି ପୁରୁଣା ନାଟକ ହିସାବରେ ୟା’ର ଦାମ୍ ବହୁତ, ବହି ମିଳିବା ତ ମୋଟେ ସହଜ-ସମ୍ଭବ ନୁହେଁ । ସେକାଳ ଲେଖାର ରୀତି ବା ଧରଣ ଦେଖିବାରେ କିଛି ଲାଭ ଅଛି ବୋଲି ବିଚାରୁଛି ମୁଁ । ପରେ ଅବଶ୍ୟ ଜେଜେବାପାଙ୍କ ବସ୍ତାନିରୁ ଖଣ୍ଡେ ଛିଡ଼ାଧୋତଡ଼ା ବାବାଜୀ ନାଟକ ମିଳିଲା । ମୁଁ ତାକୁ ୧୯୫୭ରେ ପୁଣି ଛପାଇ ଦେଇଛି । ନୋହିଲେ ନାଟକଟି ଲୋକ ଆଖିରୁ ଲୁଚିଯାଇ ଥାଆନ୍ତା ।

 

‘ବାବାଜୀ’ ନାଟକର ଗୋଟିଏ ଅଂଶ ଅଭିନୀତ ହେବାର କଥା ହେଲା । ତାହାକୁ ଦୃଶ୍ୟ ବୋଲି କହିଲେ ଠିକ୍‌ ହେବ ନାହିଁ । କାରଣ ନାଟକଟିରେ ଦୃଶ୍ୟ ବିଭକ୍ତ ନାହିଁ । ଚାରୋଟି ଅଙ୍କ ।

 

‘ବାବାଜୀ’ ନାଟକ ଅଭିନୟରୁ ଶିକ୍ଷା :

 

ପହିଲିରୁ ଯେତେବେଳେ ଏ ନାଟକ ଆମର ଶିଖିବାର କଥା ହୁଏ, ସେତେବେଳେ ସୁମନ୍ତଜେଜେ ଏଇ ନାଟକଟି ଆମ ପିଲାଙ୍କ ପାଇଁ ନୁହେଁ ବୋଲି ମତ ଦେଇଥିଲେ । ମାତ୍ର ଆମ ଦେଖନ୍ତରେ ଆଉ କିଛି ନାଟକ ନଥିଲା । ସୁମନ୍ତଜେଜେ କହିଥିଲେ ଏ ବହିଟି ଠିକ୍‌ ନାଟକ ନୁହେଁ । ବିଶେଷତଃ ଶେଷ ଦୃଶ୍ୟ–ଅର୍ଥାତ୍‌ ଚତୁର୍ଥ ଅଙ୍କଟି ମୋଟେ ମଞ୍ଚ–ଉପସ୍ଥାପନାର ଉପଯୁକ୍ତ ନୁହେଁ । ଖାଲି ଉପଦେଶ–ଗୁରୁଶିଷ୍ୟ ସମ୍ବାଦ ଭଳି ଲେଖା ହେଇଛି । ଗୀତ ଯାହା ଖଣ୍ଡେ ଦି’ଖଣ୍ଡ ଅଛି ତାହା କୁଆଡ଼େ ଗଦ୍ୟ ଭଳି, ପଦ୍ୟ ବା ଗାଇବା ଭଳି ମଧୁରିଆ ପଦ ଯୋଖା ହୋଇନାହିଁ ସେ ଗୀତରେ । ଏଇ ତାଙ୍କର ଧାରଣା ।

 

ତଥାପି ପିଲାଙ୍କ ମନର ଓରିମାନ ମେଣ୍ଟାଇବା ପାଇଁ ସେ କହିଲେ–ହଉ, ଶିଖିବ ତ ଶିଖ । ଏଇମିତି କୁନ୍ଥେଇ କରି କଥା ପଦେ ଅଧେ ତାଙ୍କ ବାଘୁଆ ତୁଣ୍ଡରୁ ବାହାରିଲା । ସେଇଠୁ ଧରା ହେଲା ଖତିଜେଜେଙ୍କୁ । ପାର୍ଟ ଲେଖିଲେ ସେ–ଆମେ ବଚନିକାକୁ ପାଣିପରି ଘୋଷି ପକାଇଲୁ ।

 

ଏଥର ଟିକିଏ ଆଗଥରଠାରୁ ଆଡ଼ମ୍ବରରେ ଷ୍ଟେଜ୍‌ ବାନ୍ଧିବା ବିଚାର ହେଲା । ଆମ ନାଟକ ଦେଖିବାକୁ ଡକରା ହେବେ ବିଶିଷ୍ଟ ଲୋକ କେତେଜଣ, ଯଥା–ଆମ ହେଡ଼ମାଷ୍ଟ୍ରେ, ଥାର୍ଡ଼ ପଣ୍ଡିତ ଚିନ୍ତାମଣି ମାଷ୍ଟ୍ରେ । ସୁମନ୍ତଜେଜେ ତ ଗାଆଁ କନିଆଁ–ତାଙ୍କ କଥା ଛାଡ଼ । ସମସ୍ତଙ୍କୁ ଡକା ହେବ–କେବଳ ବାପାଙ୍କୁ ଛାଡ଼ି ।

 

ଷ୍ଟେଜ୍‌ ବାନ୍ଧିବା ଦାୟିତ୍ୱ ରହିଲା–ଆମ ଜେଜେବାପାଙ୍କ ଅମଳର ପୁରୁଣା କୋଠିଆ ସାରଥିଆ (ସାରଥ ସାହୁ, ଚକାପଦା) ଉପରେ । ସେ ଖଳାବାଡ଼ିର ଦେବଦାରୁମୂଳେ ଥିବା ଦୁଇଟି ପାଳଗଦା ମଝିରେ ଏକ ଲମ୍ବା ବାଉଁଶ ଗଳାଇ ତା’ ଦେହରେ ବଡ଼ ଦରୀଟିଏ ଝୁଲାଇ ଦେଲା । ଘରୁ ଖଣ୍ଡି କେତେ ଶାଢ଼ି ଓ ଖଣ୍ଡୁଆ ହେଲା ଉଇଙ୍ଗ୍‌ସ । ଖଣ୍ଡେ ତକ୍ତପୋଷ ଏଥର ପଡ଼ିଲା । କାରଣ, ନାଟକରେ ନିର୍ଦ୍ଦେଶ ଦିଆଯାଇଛି ବାବୁଙ୍କ ଠାକୁର ପିଣ୍ଡା । ଚାରିହାତ ଲମ୍ବାରେ ଖଣ୍ଡି କେତେ ବାଉଁଶ କଟାହେଲା । ତା’ଅଗକୁ ଚାରି ଚିରୁଡ଼ା କରି ଚିରି କାଠି ଗଳାଗଲା । ବାଉଁଶଫଡ଼ା ଭିତରେ ସରାରେ ଜଡ଼ାତେଲ ଢଳା ହେଲା । ତା’ଭିତରେ ପୁଟୁଳା କରି ବନ୍ଧା ହେଲା ସୋରିଷ । ସେ ବାଉଁଶ ପୋତାଯାଇ ଆଲୁଅ କରା ହେଲା ଷ୍ଟେଜ୍‌ ।

 

ସୁମନ୍ତଜେଜେ କହିଲେ, ବାବାଜୀ ନାଟକଟି ତ ମୂଳରୁ ଶେଷ ପର୍ଯ୍ୟନ୍ତ ଆମେମାନେ ଅଭିନୟ କରୁନାହୁଁ । ଏପଟ ସେପଟ ବାଦ ଦେଇ ମଝିରୁ କାଣ୍ଡିଏ ଶିଖିଛୁଁ । ଆଗରୁ କଥାଟା କ’ଣ ହେଲା, କାହିଁକି, କିଏ, କାହାକୁ କ’ଣ କହିଲା–ସବୁ ବିଷୟ ବୁଝାଇ କହି ନଦେଲେ ଦେଖଣାହାରିଏ କଥାଟା ବୁଝିବେ କିପରି ? ତେଣୁ ଦଶ କୋଡ଼ିଏ ଧାଡ଼ିରେ ପ୍ରଥମ ଅଙ୍କର ବିଷୟ ଲେଖିଦେଲେ । ମୁଁ ତାହା ମୁଖସ୍ଥ କଲି । ତାଙ୍କର ଗୋଟିଏ କଥା ମୋର ନାଟ୍ୟକାର ଜୀବନରେ ବଡ଼ କାମ ଦେଲା । ସେ କହିଥିଲେ–ଯାହା କହିବ, ସେ କଥାଟାକୁ ଯେ କହିବ, ସେ ଆଗେ ଭଲ କରି ବୁଝିବ ଯେ କିଏ କହୁଛି, କାହିଁକି କହୁଛି, କେଉଁଠି କହୁଛି କେତେବେଳେ ଓ କେଉଁ ଅବସ୍ଥାରେ କହୁଛି, ଆଉ କାହାକୁ କହୁଛି । କଥାଟାର ମରମ ନ ବୁଝିଲେ–ଭଲରୂପେ ତାହା ଫୁଟାଇ ପାରିବ ନାହିଁ । ନାଟକର ଏହି ଅଙ୍କଟି ଭିତରେ ସେତେବେଳେ ଆମେ ବୁଝିବା ଭଳି କେତୋଟି ଶବ୍ଦ ଥିଲା–ଯଥା : ଶାଗୁଆତି ଅର୍ଥ ମାଂସ, ସନ୍ତେଇଲୁ ଅର୍ଥ ଦୁଃଖ ଦେଲୁ, ଆହାରମୁଖା ଅର୍ଥ ଭୋକିଲା, କୋହ ପଡ଼ିବ ଅର୍ଥ ଅଭିଶାପ ପଡ଼ିବ, ହାଇ ପଡ଼ିବ, ଦରମାହା ଅର୍ଥ ବେତନ ଦରମା, ପାଉନା ବାଲା ଅର୍ଥ ଯାହାର ଟଙ୍କା ବାକି ଥିବ । ଏ ଶବ୍ଦଟା ତାଙ୍କ କଥିତମତେ, ‘ଯାଉନା ନୁହେଁ’ ସେଟା କୁଆଡ଼େ ପାଉଣା ହେବ, ଆମେ ତାକୁ ପାଉଣା ବୋଲି କହିଲୁ । ମୁଁ ବାବାଜୀ ପାର୍ଟ ନେଇଥିଲି । ପୂଝାରୀ ପାର୍ଟଟା ବି ଭଲ ହେଲା । ଅଭିନୟ ଅଳ୍ପ ବେଳରେ ସରିଗଲା ବୋଲି ରଘୁବାବୁ ହେଡ଼ମାଷ୍ଟ୍ରେ କହିଲେ ଗୋଟି କେତେ ଗୀତ ଗାଇବାକୁ ।

 

ମୋ ସାଙ୍ଗକୁ ଆଉ ଜଣେ ଗାଇବା ପିଲା ଏତେବେଳକୁ ଜୁଟିଯାଇଥାଏ । ସେ ମୋ ବୈଷ୍ଣବଭାଇନା । ଘର ନଈ ସେପାରି ସୁବର୍ଣ୍ଣପୁର ଗାଁରେ । ଚର୍ଚ୍ଚିକା ସଂସ୍କୃତ ଟୋଲରେ ବ୍ୟାକରଣ ପ୍ରଥମା ପଢ଼ୁଥାଏ । ବରାବର ସେ ଆମ ଘରକୁ ଆସେ । ଗୀତ ଗାଇବା ଯୋଗୁଁ ସେ ବୋଉର ଧର୍ମପୁଅ ବନିଯାଇଥାଏ । ମୋତେ ଭାରି ସୁଖପାଏ ସେ, ଗଳାଟି ମିଠା । ସେ ଛାନ୍ଦ ଗାଇଲେ ସେତେବେଳେ ମୋର ତ ମନେହୁଏ ଗଛରୁ ସତେ ପତ୍ର ଖସିପଡ଼ିବ ! ଆମେ ଦୁହେଁଯାକ ଜୀବନ ଦିଆଦେଇ ସାଙ୍ଗ । ବାପା ବି ବୈଷ୍ଣବଭାଇନାକୁ ବଡ଼ ଆଦର କରନ୍ତି । ଆମ ହେଡ଼ମାଷ୍ଟ୍ରେ ସେଇଦିନ ନୂଆକରି ତା’ ଗୀତ ଶୁଣିଲେ । ସେ ଗାଇଥିଲା, ମନେଅଛି; ‘‘ଶ୍ୟାମ ହେ କାହିଁକି ଆଜ ଏ ବିରସ, ବିରସ, ବିରସ’’–ଆଉ, ‘‘ଦେଖି ନବକାଳିକା ବକାଳିକା’’ ଛାନ୍ଦ । ବୋଉ ତାକୁ ଏସବୁ ଶିଖାଇଥିଲା ।

 

ନାଟକ ଖେଳା ସରିଲା ଉତ୍ତାରୁ କେତେକ କଥାବାର୍ତ୍ତା ପଡ଼ିଲା । କାରଣ ଏ ନାଟକଟି ଦେଖଣାହାରି, ବିଶେଷତଃ ସାଇପଡ଼ିଶାର ଝିଅବୋହୂଙ୍କ ମନକୁ ପାଇଲା ନାହିଁ । ସଂସ୍କୃତ ନାଟକ ପରି ଏଥିରେ ନାନ୍ଦୀ କି ସୂତ୍ରଧାର ଭୂମିକା କିଛି ନାହିଁ । ଗୀତଘରେ ଶୂନ୍‌ । ସାଜପୋଷାକ ନଦାରଦ୍‌-। ବିଷୟଟା ବି ଠିକ୍‌ ଆଗପଛ ସମୁଝ ହେଲା ନାହିଁ । ତୁଣ୍ଡ ଖୋଲି କେହି କିଛି ନ କହିଲେ କ’ଣ ହେବ, ମୁହଁ କେଶୁରା ପଡ଼ିଥିଲା ପରି ଦିଶିଲା ଗଲାବେଳେ । ଆମ ହେଡ଼ମାଷ୍ଟ୍ରେ ଏକଥା ଠଉରାଇ ପାରିଲେ ।

 

‘ସାପ ନ ମରୁ–ବାଡ଼ି ନ ଭାଙ୍ଗୁ’–ଏଇ ନ୍ୟାୟରେ ସେ କହିଲେ, ଏଭଳି ନାଟକ ପିଲାଏ ଫୁଟାଇ ପାରିବେ ନାହିଁ । ତାଙ୍କର ସେ ବେଳ ଆସି ନାହିଁ । ଏଇଟି ହେଲା ସାମାଜିକ ଶିକ୍ଷା ବିଷୟ । ସହଜ ନୁହେଁ । ତା’ଛଡ଼ା ଆମ ଲୋକଙ୍କୁ ଏସବୁ ରୁଚିବା ବେଳ ଏଇନେ ହୋଇନାଇଁ–ପରେ ହେବ-। ଏଥରକ ସେ ଆମ ପାଇଁ ନାଟକଟିଏ ବାଛିଦେବେ ଓ ନିଜେ ସାହାଯ୍ୟ କରିବେ-। ବହାରେ କେଉଁଠି ଷ୍ଟେଜ୍‌ ବନ୍ଧାହେବ, ଯେମିତି ସଭିଏଁ ଦେଖିଶୁଣିପାରିବେ । ନାଟକ ଭିତରେ ନାଚ, ଗୀତ ରହିବ ।

 

ନାଚ ଶିଖା :

 

ମୁଁ ବୋଇଲି, ଗୀତକଥା ଭଲା କେମିତି କେମିତି ଚଳିଯିବ ସେଥିକି ଆପଣ ଅଛନ୍ତି । ହେଲେ ନାଚ କେମିତି ହେବ ? କିଏ ନାଚିବ ? କିଏ ଶିଖାଇବ ?

 

ସାର୍‌ କହିଲେ, ମାଳୀସାହିରୁ ସୁଲଭା ରଣାକୁ ଡାକିବା, ତା’ର ତ ଗୋଟିଏ ସଙ୍ଗୀତ ଦଳ ଅଛି, ସେ ଶିଖାଇବ ଆଉ ନାଚିବା କଥା କହୁଛୁ ଯେ, ତୁ କ’ଣ ନାଚିପାରିବୁ ନାହିଁ ?’’

 

‘‘ଛି ଛି, କି ଲାଜର କଥା । ମୁଁ ଗୋଟେ ନାଚିବି କେମିତି ? ମୋତେ ପୁଣି ନାଚି ଆସିବ-? ଆଖଡ଼ା ପିଲାଏ କେତେ ସୁନ୍ଦର ଅବଲୟ କରନ୍ତି । ତାଳରେ କେମିତି ନାଚନ୍ତି-। ତାଙ୍କ ଆଖି, ହାତ, ମୁହଁ, ମୁଣ୍ଡ ସବୁ ବୋଲ କରୁଥାଏ । ୟେ ମୋ ଦେଇ ନ ହେବା ପାଠ ।’’ କିନ୍ତୁ ସାର୍‌ କହୁଛନ୍ତି-। ମୁହଁରେ ତୁଣ୍ଡ ଭିଡ଼ାହେଲା ।

 

ସେ ପୁଣି କହିଲେ–‘‘ଆମ କହ୍ନେଇ ଛାମୁକରଣେ (ଖାସମାହାଲ କଚେରିର ସେ ଜଣେ ପୁରୁଖା କର୍ମଚାରୀ–ତାଙ୍କୁ ‘ଛାମୁକରଣ’ ବୋଲି ଡାକନ୍ତି, ମାତ୍ର ଜାତିରେ ସେ କରଣ ନୁହନ୍ତି–ବ୍ରାହ୍ମଣ) ଗୀତ ଶିଖିବାରେ ସାହାଯ୍ୟ ଦେବେ । ମୁଁ ତାଙ୍କୁ କହିବି, ସେ ସୁନ୍ଦର ବେହେଲା ବଜାନ୍ତି ।’’

 

କହ୍ନେଇ ଛାମୁକରଣଙ୍କର ଟିକିଏ ଚିହ୍ନା ଦେଉଚି । ସେତେବେଳକୁ ବୟସ ତାଙ୍କର ୬୦ ଉପରେ ହେବ, ମୋ ଅନୁମାନରେ । ଦାନ୍ତ ପଡ଼ିବା ନ ପଡ଼ିବା କଥା ଠିକ୍‌ ମନେପଡ଼ୁ ନାହିଁ । ମାତ୍ର ଦାଢ଼ି, ବାଳ ବିବାକ ଧୋବଲା । ଚର୍ଚ୍ଚିକା ହାଟପାଖେ ସେତେବେଳେ କେତେଘର ବେଶ୍ୟା ରହୁଥିଲେ । ସେଠି ମାଣିକ ବେଶ୍ୟାର ସୁଶୀଳା ବୋଲି ଗୋଟିଏ ଝିଅ ଥିଲା–ବୟସ ତା’ର ୧୧–୧୨; ଡଉଲଡାଉଲ ଗଢ଼ଣ । ଗଳାଟି ମିଠା । ଛାମୁକରଣେ ତାକୁ ନାଚ ଗୀତ ଶିଖାଇଥିଲେ । ସୁଶୀଳା ହିନ୍ଦୀ ଗୀତ ଶିଖିକରି ଗାଉଛି । ହିନ୍ଦୀ ଗୀତ–କେଡ଼େ ବଡ଼ କଥା ! ସଭିଏଁ ତାକୁ ପ୍ରଶଂସା କରୁଛନ୍ତି । ମନଟା ମୋର ହିନ୍ଦୀ ଗୀତ ଶିଖିବାକୁ ସକସକ ହୁଏ । ବାକି ଖଜେଇବଜେଇ ହେଲେ କ’ଣ ହେବ ? ମୋତେ ଛାମୁକରଣଙ୍କ ପାଖ ମାଡ଼ିବାକୁ କଟକଣା କରାଯାଇଥାଏ । ଛାମୁକରଣେ କୁଆଡ଼େ ପରା ନିଶାପାଣିଆ ଲୋକ ।

 

ସୁଶୀଳାର ନାଚ ଥରେ ଦି’ଥର ଦେଖିଛି । ଥରଟେ ଆମ ଚଉପାଢ଼ିରେ ସେ ନାଚୁଥିଲା । ଗୀତରୁ ପଦେ ଏବେ ବି କେଜାଣି କେମିତି ମନେଅଛି–‘‘ଚାମେଲୀ ବନେ ଛାଏ ରହେ ରାଜା ମେରୀ’’–ବାସ୍‌ ସେତିକି, ଆଉ ମନେ ନାହିଁ । ସେ କି ସୁନ୍ଦର ଗୀତ ! କି ଗାଉଣା ! କି ନାଚ ! ଦିନାକେତେ କେତେ ଗୁଣୁଗୁଣୁ ହୋଇଚି । ତା’ ନାଚ, ତା’ ଅବଲୟ ଦେଖି; ନକଲ କରି ଏକୁଟିଆରେ ନଈ କୂଳରେ ମନକୁମନ କେତେ ନାଚିଛି । କେହି ଦେଖେ ନାହିଁ–କେହି ଶୁଣେ ନାହିଁ-। କେବଳ ନଈକୂଳର ମଡ଼ାଖାଇ ତୋଟା ତା’ର ଦେଖଣାହାରି । ସେଇ ଛାମୁକରଣଙ୍କଠାରୁ ଗୀତ, ନାଚ ଟିକିଏ ଶିଖିବାର ସୁଯୋଗ ମିଳିବ, ଶୁଣି ମନଟା ଖୁସି ହେଲା ।

 

କେତେଦିନ ପରେ ରଘୁବାବୁ ସାର୍‌ ଖଣ୍ଡିଏ ନାଟକ ବହି ପାର୍ଶଲ ଫିଟାଇ ମୋତେ ଦେଲେ । ସେଇଟି ‘ବାଣ ଦର୍ପଦଳନ ନାଟକ’ ପାରଳା ରାଜବଂଶୀୟ ଶ୍ରୀ ପଦ୍ମନାଭ ନାରାୟଣ ଦେବ ନାଟକର ରଚୟିତା । ସାର୍‌ କହିଲେ–ପୁରାଣ କଥା ୟେ । ସମସ୍ତେ ବୁଝିପାରିବେ । ତା’ଛଡ଼ା ନାଟକଟି ବେଶି ବଡ଼ ନୁହେଁ । ତୁମମାନଙ୍କ ପାଇଁ ମଗାଯାଇଛି, ଶିଖ ।

 

ପଣା ଯାତ୍ରା :

 

ଖରାକାଳ, ପଣାସଂକ୍ରାନ୍ତି ଦିନ ଚର୍ଚ୍ଚିକା ଦେବୀଙ୍କର ପଣାଯାତ୍ରା । ଏଦିନ ଝାମୁଆଁମାନେ ନହକା ପାଣିବେତ ଧରି, ଦାନ୍ତରେ ତିରଣ କାମୁଡ଼ି, ଦେହରେ ହଳଦୀ, ଆଖିରେ କଜ୍ଜ୍ୱଳ ମାଖି, ହଳଦିଆ ଲୁଗାପିନ୍ଧି, ସାତ ଆଠ ହାତଠାରୁ ୧୨୦ ହାତ ପର୍ଯ୍ୟନ୍ତ ଡହକ ନିଆଁ ଗୋହିରୀ ଉପରେ ଝାମୁ ଚାଲନ୍ତି । ଚର୍ଚ୍ଚିକା ହାଟରେ ପଣାଯାତ୍ରା ମେଳା ବସେ, କାରବାର ଭଲ ହୁଏ । ବହୁତ ଆଗରୁ ବେଉସା କରିବାକୁ ଲୋକ ଆସି କାରବାର କରନ୍ତି । ଯାତ୍ରା ମାସେକାଳ ବସେ । ଏଇ ବେଳରେ ତଳଘଟି (କଟକର ପୂର୍ବପଟ) ଆଡ଼ରୁ ଯାତ୍ରା ଦଳ ପ୍ରାୟ ବାଙ୍କି ଆସନ୍ତି । ଏକେତ ଖରାଦିନ । ଗରମରେ ରାତି ନିଦ ଊଣା । ପଣାଯାତ୍ରା ପ୍ରସାଦରୁ କମରରେ କଞ୍ଚା ପଇସା ଥାଏ । ଲୋକଙ୍କର ଯାତ୍ରା ଦେଖିବା ସଉକି ବଢ଼େ । ଯାତ୍ରାଦଳକୁ ବହୁତ ଜାଗାରୁ ବଇନା ମଧ୍ୟ ମିଳେ । ଏମିତିକି ବେଳେବେଳେ ସେମାନେ ଅଚକାର (ଅଗ୍ରିମ) ବାହୁଡ଼ାଇ ଦିଅନ୍ତି ।

 

ଯାତ୍ରା ଦେଖା :

 

ଏଇଭଳି ଗୋଟିଏ ଯାତ୍ରାଦଳ ‘ଉଷାହରଣ’ ଲୀଳା କରୁଥିଲେ । ଯୋଗକୁ ଆମେ ତ ‘ବାଣ ଦର୍ପଦଳନ’ ନାଟକ ଶିଖିବାକୁ ଯାଉଥାଉଁ । ହାଟ ଭିତରେ ‘ଉଷାହରଣ’ ଯାତ୍ରା ହେଉଥିବାର ଶୁଣିଲି । କିନ୍ତୁ ୟା ତା’ ଦୁଆରକୁ ଯାଇ ଯାତ୍ରା ଦେଖିବାରେ ମୋ ପ୍ରତି ଭାରି କଟକଣା ଥାଏ । ବୋଉକୁ ଗେଲକରି, ପାକଳା ପାକଳି କରି, ଆମ ଦୁଆରେ ଯାତ୍ରାର ବ୍ୟବସ୍ଥା କରାଗଲା ।

 

ଛାମୁଣ୍ଡିଆ ବନ୍ଧା, ଚାନ୍ଦୁଆ ଟଣା, ଆଲୁଅ ଯୋଗାଡ଼ରେ ଗୋଡ଼ ଆଉ ତଳେ ଲାଗୁନାହିଁ । ସାଥୀ ପିଲାଏ ଯୁଟିଗଲେ–ସବୁ ବରାଦ ଠିକ୍‌ଠାକ୍‌ । ସେଦିନ ସୂର୍ଯ୍ୟ ବୋଧହୁଏ ହାତୀମୁଣ୍ଡିଆକୁ ଯିବାରେ ଜାଣି ଜାଣି ବଡ଼ ଉଛୁର କଲେ । ଥରକୁ ଥର ଘଣ୍ଟାକଣ୍ଟା ଦେଖି କାଳେ ଭୁଲ୍‌ ହୋଇଗଲା ବୋଲି ସନ୍ଦେହ ହେଉଥାଏ । ଏମିତି ହଉ ହଉ ସତସତିକା ସଞ୍ଜ ଆସିଲା । ଗାଆଁମୁଣ୍ଡ ଜନାର୍ଦ୍ଦନଙ୍କ ଚାଳଘରଟିକୁ ଯାତ୍ରାବାଲାଙ୍କ ବେଶ ଘରପାଇଁ ଠିକଣା କରାହୋଇଥାଏ । ଚର୍ଚ୍ଚିକା ହାଟରେ ବିନୋଦ ପୁଷ୍ଟି ଦୋକାନରୁ ପୁର-କାକରା ଅଣାହୋଇଥାଏ । ସେତେବେଳେ କାକରା ପଟକ ଅଢ଼େଇ ପଇସା । ଆଉ ଆସିଥାଏ ଆମ ଗାଁ ଖଲିଆ ମାଆଘର ବିଖ୍ୟାତ ନାଲି ବଗଡ଼ା ଚୁଡ଼ାର ଦୁଧିଭଜା; ତା’ ସାଙ୍ଗକୁ ନଡ଼ିଆ, ଗୁଡ଼ ଇତ୍ୟାଦି ଇତ୍ୟାଦି । ଯାତ୍ରାଦଳର ଜଳଖିଆ ସାମଗ୍ରୀ ତୁହାକୁ ତୁହା ପିଲାଏ ବୋହିବାରେ ଲାଗିଗଲେ । କିଏ ପାଣି, କିଏ ପାନ, କିଏ ବିଡ଼ି–ଯାତ୍ରାବାଲାଙ୍କର ବାର ଫରମାସୀ । ଏ ଅଧ୍ୟାୟକ ସରୁ ସରୁ ସଞ୍ଜ ଗଡ଼ି ରାତି ଘଡ଼ିଏ । ତେଣେ ବେଶ ବନ୍ଧା ଚାଲିଥାଏ । ରାଜା ବେଶ ବାନ୍ଧୁଛନ୍ତି–ହାତରେ ଖଡ଼ୁ, ବାହାରେ ବାହୁଟି, ଗଳାରେ ସାତନହରୀ ହାର, କାନକୁ ଗୋଖରା, ମୁଣ୍ଡରେ ମୁକୁଟ । ପିନ୍ଧିଲେ ନାଲି ପାଟ, କଳା କୁରୁତା ସେଥିରେ ଜରି, ଚୁମୁକି ଖଞ୍ଜା । ଏ ନାଲିଆ ପାଟ ପିନ୍ଧାକୁ କଳା ମଖମଲ କୁରୁତା–ଅହୋରୂପ ମହୋଧ୍ୟନି ପରି ଅପୂର୍ବ ସାଜ ! ପାଟକୁ କାଛିକରି ପିନ୍ଧି, କୁରୁତା ମଡ଼େଇ, ହାତରେ କଳାରଙ୍ଗର ବାଡ଼ି (ବୋଧହୁଏ ଶିଙ୍ଗର) ଧରି, ଆଖିରେ କଳାଡିମା ପରଚକ୍ଷୁ ଚଢ଼ାଇ, କପାଳରେ ଅଧଲାପରି ଗୋଲ ସିନ୍ଦୂର ଟୋପା ଓ ଆଖିରେ କଜ୍ଜ୍ୱଳ ଘେନି ବେଶ ସରିଲା । ରାଜା ସଭାକୁ ଯିବାକୁ ତିଆର ହୋଇପଡ଼ିଲେ । ଥରେ ଅଧେ ଏପଟ ସେପଟ ଚାଲିଗଲେ । ସେଇଠୁ ଦର୍ପଣରେ ଆପଣା ବେଶ ନିରେଖି ଦେଖି, କୋଉଠି କେମିତି ସଳଖାସଳଖି କରିନେଲେ । ନାକତଳେ ଲମ୍ବା ନିଶ ପିନ୍ଧାହେଲା ।

 

ପୁଣି ରାଣୀ, ଜେମାଦେଈ ଓ ମୁଦୁସୁଲୀଙ୍କ ବେଶ ଚାଲିଲା । ହାତରେ ଖଡ଼ୁ, ପଇଞ୍ଚ, ଗଜରା ଖଡ଼ୁ, ଚୁଡ଼ି, କାଚ, ବାଜୁ । ଗୋଡ଼ରେ ବଳା, ଆଠବାଙ୍କୀ, ଅଣ୍ଟାରେ ଚନ୍ଦ୍ରହାର, ବେକରେ ହରଡ଼ଫାଳିଆ ଓ ସୋରିଷିଆ ହାର । ମୁଣ୍ଡରେ ଚନ୍ଦ୍ରଝୂମ୍ପୀ, ପିହାଣିଆ, କେତକୀରେଖ, ଚିତା, ଝରାକାଠି, ଚଉଁରାଭୁଣ୍ଡି ଇତ୍ୟାଦି ଅଳଙ୍କାର (ରାଣୀ ଓ ଜେମାଙ୍କର ବେଶି ଓ ଦାସୀ, ମୁଦୁସୁଲିଙ୍କର ଊଣା) ମୁଣ୍ଡି ହୋଇସାରି ଶାଢ଼ି ପିନ୍ଧା ସରିଲା । ରାଣୀଙ୍କ ହାତରେ ପାନଡିବା ଧରାହେଲା । ଜଣେ ଅଧେ ଶାଢ଼ି ପଣତ ଅଗରେ ଥୋଲାଏ କାଞ୍ଚିକାଠି ବାନ୍ଧି ସଜ ହୋଇପଡ଼ିଲେ । ନାରଦ, ଦ୍ୱାରୀ, ମନ୍ତ୍ରୀ–କିଏ ବେଶ ଭିଡ଼ୁଛନ୍ତି ଆଉ କାହାର ସରିଆସିଲାଣି । ଆଜି ସିନା ଏକଥା କହୁଛି, ହେଲେ ସେ କାଳରେ ଏଇ ଥିଲା ପସନ୍ଦିଆ ଗହଣା ପୋଷାକ, ଭାରି ବଢ଼ିଆ ବେଶ ।

 

ତେଣେ ସଭାରେ କନସଟ୍‌ ବାଜା ବାଜୁଛି । ଯାତ୍ରାରେ ଜମାଣ ଉଠିଆସିଲାଣି । ନଈକୂଳ ତୋଟାତଳି ବୁଦୁବୁଦିକିଆ ଲଟିତଳେ ବିଲୁ ପଧାନେ ସମୟ ଘଣ୍ଟା ବଜାଇଲେ–‘ହୁକ୍‌କେ ହୋ’ । ଦେଖଣାହାରିଏ ଉଚ୍ଛନ୍ନ ହୋଇପଡ଼ିଲେ । ଆଉ କେତେ ମଠ ହେବ ମ ? ଯାତ୍ରାକାଳିଏ ବାହାରୁ ନାହାନ୍ତି କାହିଁକି ବେଗେ ? କେହି କେମିତି ବେଶଘର ପାଖରେ ପଇନ୍ତରା ମାରି, ଏପଟ ସେପଟ ଡୁଙ୍ଗିଲେଣି ।

ସଙ୍କେତ ପାଇ ସଭାରେ ବନ୍ଦନା ଆରମ୍ଭ ହେଲା–ଟିକିଏ ଟିକିଏ ଗୀତ ବି ମନେପଡ଼ୁଛି, ଖଣ୍ଡିଆ ଦଣ୍ଡିଆ ହୋଇ । ରଚନାର ଧାରଣା ଦେବାପାଇଁ ଭେଟୁଛି–

‘‘ଜୟ ଜୟ ରାଧେକୃଷ୍ଣ କୁଞ୍ଜବିହାରୀ

ଶ୍ରୀରାଧା ଯୁଗଳ ମୂର୍ତ୍ତି ହୃଦରେ ଧରି

ବୃନ୍ଦାବନେ ହେ, ବୃନ୍ଦାବନେ

ବିହାର କରିଲେ ହରି ନାନା ସ୍ଥାନେ ।’’ ...ଇତ୍ୟାଦି ।

ବନ୍ଦନା ସରିବା ପଛେ ପଛେ ଫେର୍‌ ବାଜିଲା ବାଜା । ଗହଳି ଆଡ଼େଇ ଆଡ଼େଇ ହାଡ଼ି ଓ ହାଡ଼ିଆଣୀ ସଭାକୁ ଆସିଲେ । ହାତରେ ଝାଡ଼ୁଧରି ଗୀତ ଗାଇ ଗାଇ ସଭାସ୍ଥଳରେ ଟିକିଏ ଝାଡ଼ୁ ମାରିଦେଲା ହାଡ଼ି । ହାଡ଼ିଆଣୀ, ହାଡ଼ିର ପ୍ରଶ୍ନରେ ନିଜର ପରିଚୟ ଦେଲା–

‘‘ମୋ ନାଆଁଟି

ବାପା ଦେଇଥିଲେ ଜନମକାଳେ

ଅନ୍ତୁଡ଼ିଶାଳେ–ତାରିଣୀ ତରା,

ତ୍ରିଲୋକ-ମୋହିନୀ ସୁଶିଳା ସାରା

ମୋ ନାଆଁ ସରଗ ତରା ଲୋ

ମୋ ନାଆଁ ସରଗ ତରା ।

 

ଦିଅର ଥେଲା

ମୋ ନାଆଁକୁ ସେ ଗେଲରେ ଦେଲା

ଆଲୋ ମରୁଆ–କୁନ୍ଦ ଫରୁଆ

ରୂପେଇ ଝୁମ୍ପେଇ କେତକୀ, କିଆ

ମୋ ନାଆଁ ଚନ୍ଦ୍ରଉଦିଆ ଲୋ ।

ମୋ ନାଆଁ ଚନ୍ଦ୍ରଉଦିଆ ।’’ ଇତ୍ୟାଦି ।

 

X X X

 

ହାଡ଼ି ହାଡ଼ିଆଣୀ ବାହାରିଯିବା ପରେ ଦ୍ୱାରୀ ପହଞ୍ଚି ଗାଇଲା–

 

‘‘ବାହାରେ ଦୁଆରୀ ଦୁଷ୍ଟ

ଛାଡ଼ ଛାଡ଼ ବାଟ,

ଯାଇଥିଲି ଘରେ, ଥିଲି ସିଂହଦ୍ୱାରେ...

 

–ଆଉ ମନେ ପଡ଼ୁ ନାହିଁ ।

 

ଏଥର ଆସିଲେ ରାଜା, ଗୀତରେ ତାଙ୍କର ନିଜର ପରିଚୟ ବୟାନ କରି କରି । ତାଙ୍କ ସଙ୍ଗରେ ଜଣେ ପାଖ-ଲୋକ (ନିଯୋଗ) ରାଜାଙ୍କ ମୁଣ୍ଡ ଉପରେ ଏକ ନାଲି ସାଲୁକନାର ଛତା ଟେକିଛି ସେ । ରାଜା ଗାଇଲେ–

 

‘‘ସଭାକୁ ବାହାର ହେଲେ ବାଣାସୁର

ଇନ୍ଦ୍ରାଦି ଦେବତା ଯେତେ

ଥରି ଉଠିଲେ ସମସ୍ତେ

ଭୟରେ ମେଦିନୀ ହେଲା ଥରହର ହୋ’’ ଇତ୍ୟାଦି ।

 

X X X

 

ରାଜା ବାଣାସୁର ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ସୁଖଦୁଃଖ ପୁଚ୍ଛା କଲେ । ସେଇଠୁ ନାରଦ ମହାମୁନି ସଭାରେ ପହଞ୍ଚିଲେ । ସାପପରି ବଙ୍କାବଙ୍କା ବାଡ଼ି କାଖତଳେ ଜାକିଛନ୍ତି । ମୁଣ୍ଡରେ ଧଳା ଜଟାବାଳ, ଧଳାଦାଢ଼ି, ଗେରୁଆ ଲୁଗା, ବେକରେ ରୁଦ୍ରାକ୍ଷ ଭଳି କୌଣସି ଫଳର ମାଳି, ହାତରେ ଗୋପୀଯନ୍ତ୍ର ଧରି ଗାଇ ଗାଇ ଆସିଲେ ସେ–

 

‘‘ତାକା ତିନି ତିନି ତିନା ଲୋ

ନାରଦ ବଜାଏ ବୀଣା ଲୋ

ନାଉକା ତୁମ୍ବାର ସୁମଧୁର ବାଜେ

ଖିଟା ତାନା ନାନା ନାନା ଲୋ’’ ଇତ୍ୟାଦି ।

 

X X X

 

ଯାତ୍ରା ଏଥର ଜମିଉଠିଲା । ନାରଦ କେବେ ସଳଖ ସରଳ ଶବ୍ଦ ଯୋଗରେ କଥା କହନ୍ତି ନାହିଁ ବୋଧହୁଏ । କାହିଁକି ନା ସେ ସ୍ୱର୍ଗର ଋଷି, ତୁମ ଆମ ପରି ତ ନୁହନ୍ତି । ବଙ୍କା ବଙ୍କା ଭାଷା, କଥାକୁ ଚୋବାଇ ଚୋବାଇ କହନ୍ତି ସେ । ଆଉ ଦେଖଣାହାରିଙ୍କି ଏତେବେଳେ ସମ୍ଭାଳେ କିଏ ?

 

ହସି ହସି ଦେଖଣାହାରିଏ ବେଦମ୍‌ । ଦ୍ୱାରୀ ମଝିରେ ମଝିରେ ନାରଦଙ୍କ ଠେଙ୍ଗା ଓ ତାଙ୍କ ଜଟା ଭିଡ଼ି ଦେଉଥାଏ । ଦୁଆରୀର କେବେ ସଜନା ଛୁଇଁ, କେବେ ବାଛୁରୀ ବନ୍ଧା ଛନ୍ଦ ଦଉଡ଼ି ସହିତ ଜଟାର ଉପମା ଦିଆଟା ଦେଖଣାହାରିଙ୍କ ହାସ୍ୟ ସୃଷ୍ଟି କରେ ।

 

ଏବେ ଭାବୁଛି ସେତେବେଳର ଲୋକଙ୍କ ରୁଚି କ’ଣ ଥିଲା । ୟାକୁଇ ଦେଖିବାକୁ ଲୋକ ଥାଟପଟାଳି । ଏମିତିକି ଠାବ ନ ମିଳିଲେ, ଗଛ ଡାଳରେ ଚଢ଼ି ମଧ୍ୟ ରାତି ଚିଆଁଇ ଯାତ୍ରା ଦେଖନ୍ତି । ଇଏ ୧୯୦୮ । ୦୯ ସାଲର କଥା ।

 

ଆଉ ଗୋଟିଏ କଥା ମନକୁ ଆସୁଛି । ସେତେବେଳେ ଲୋକ ଆଜିକାଲିକାପରି କଥା ପଦକରେ ରୋଷାରୋଷି ହେଉ ନଥିଲେ । ସୁଆଙ୍ଗ, ଲୀଳା ବା ନାଟଟା ନାଆଁ ଅନୁସାରେ ନାଟ-ତାମସା । ସେଥିରେ ଜାତିଆଣତା ବା ହୀନ ସାମ୍ପ୍ରଦାୟିକତାର ଠାବ ନଥିଲା । ଲୋକେ କଥାଗୁରାକ ରହସ୍ୟରେ ଗ୍ରହଣ କରୁଥିଲେ, କେବଳ ରସବୋଧ କରି । କଥାଟାକୁ ଗଣ୍ଠିମୁଠିଆ କରି ଧରି ବସୁ ନଥିଲେ । ତା’ ହେଉଥିଲେ ବୋହୂ ସୁଆଙ୍ଗରେ ବା ପଠାଣ ଗଉଡ଼ୁଣୀଙ୍କ ଚଢ଼ାଉତାର ବଚନିକାବେଳେ ସଭା ଭୂଇଁରେ ରାମ ରାବଣ ଲଢ଼େଇ ଲାଗି ଯାଉଥାଆନ୍ତା । ମୁଣ୍ଡ ଫଟାଫଟି, ରକ୍ତ ବୁହାବୋହି ଯାଏ କଥାଯାଆନ୍ତା । ସେ ପଠାଣ ସୁଆଙ୍ଗ ଭିତରୁ କେତେ ପଦ ମୋର ଅଦ୍ୟାପି ମନେଅଛି । ମାତ୍ର ଲେଖିବାର ସାହସ ନାହିଁ, କାଳକୁ ଅନାଇଁ । ବିଚାରୁଛି ସେତେବେଳେ ଲୋକେ ଖାଉଥିଲେ ଖାଣ୍ଟି ଗୁଆଘିଅ ଆଜି ବାରମିଶା ଡାଲଡା ଯୁଗ । କାଳେ ସେ ଗୀତକୁ କିଏ କୋଉ ଦୃଷ୍ଟିରେ ଦେଖିବ, ତେଣୁ ‘ସବ୍‌ସେ ଚୁପ୍‌ ଭଲା’ । ତାକୁଇ ଦେଖିବାକୁ ଶୁଣିବାକୁ ଯୋଉ ଲୋକ ଭିଡ଼ାଭିଡ଼ି ଥାଟପଟାଳି, ଅଥଚ ଯାତ୍ରା ସରିଲା–ସେ କଥାରେ ବି ସେଇଠି ଇତିଶ୍ରୀ ହେଲା । କାହାରି ମନରେ ଧୂଳିମଳି ଲାଗିଲା ନାହିଁ । ଆଜି ସେଭଳି କଥା ଲୋକଙ୍କର ଦିହସୁହା ହେବ ନାହିଁ । ଚକ ଘୂରୁଚି ତ ୟେ ତା’ରି ଫଳ । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତେଣୁ ପୁରୁଣା ମନପେଡ଼ିରେ ସେ ଗୀତ ପଦଅଧକୁ ଫଙ୍କୁ ମରେଇଦେଲି । ଆଉ ବି ଆମ ଭାବି ବଂଶଧରମାନେ ଏ ସବୁ ବେଭାର ଜାଣିପାରିବେ ନାହିଁ କି ଶୁଣିପାରିବେ ନାହିଁ ।

ଯାତ୍ରାର ଆଉ ଗୋଟିଏ ଅଂଶ ମୁଁ ପାସୋରି ନାହିଁ । ସେ ହେଉଛି ‘ମୁଲକଫେରି’ ।

ବେଳ କାଳ ଉଣ୍ଡି ଅସଲ ଯାତ୍ରା ବିଷୟବସ୍ତୁର ମଝିରେ ମଝିରେ ଦୁଆରୀ, ମୁଦୁସୁଲିଅପା, ନାରଦ, ମୁଲକଫେରି ଇତ୍ୟାଦି ସଭାକୁ ଆସନ୍ତି, ଯାତ୍ରା ଜମାଣ ପାଇଁ । ମୁଲକଫେରି ଗୀତର ବର୍ଣ୍ଣନାକୁ ଭୂଗୋଳ, ଇତିହାସ କହିଲେ ଚଳିବ, ସମାଜ ଚିତ୍ର କହିଲେ ବି ଚଳିବ । ଭାଷା–ହିନ୍ଦୀ, ଊର୍ଦ୍ଦୁ ଏବଂ ଓଡ଼ିଆ ସବୁ ରକମର ଏକ ଜାଗା ଖେଚୁଡ଼ି ।

ଢିଲା ପାଇଜାମା, ଲମ୍ବା ପଞ୍ଜାବୀ, ମୁଣ୍ଡରେ ଧଳା ଟୋପି ପିନ୍ଧି ସଭାରେ ହାଜର ହୁଅନ୍ତି ମୁଲକଫେରି ଅଭିନେତା । ବଡ଼ ଚଞ୍ଚଳ ସେ । ଆଜିକାଲିକା କଥାରେ ଖୁବ୍‌ Smart–ବେପରୁଆ ଆଉ ତାଙ୍କ ହାତ, ଗୋଡ଼, ଆଖି, ମୁହଁ ସମସ୍ତେ କାମ କରୁଥାନ୍ତି । କେମିତି କେଜାଣି ମନେଅଛି ସେ ଗୀତରୁ କାଣ୍ଡିଏ । ବୁଡ଼ି ତ ଗଲାଣି, ଟିକିଏ ବାଢ଼ିଦିଏଁ, ଦେଖନ୍ତୁ, କେମିତି ଲାଗୁଛି–

ଅର୍‌ର–ଶୁନୋ ସବ୍‌ଦୁନିଆ ଦାଆର

କ୍ୟା ବାହାର

ମହମଦିଆ ଲୀଳା

ହୋକେ ଆନନ୍ଦ ଫକିର ଖାଁ

ବିଦେଶ କର୍‌ନେକୁ ଚଲା–

ମିଲେ କଲକତା ସହର ହୋ

ମିଲେ କଲକତା ସହର ।।

ଦେଖା ହାବୁଡ଼ା ପୋଲ୍‌

ଆଦିମ ଭରାଭର

ଗଙ୍ଗା ପାନିମେ ଡୁବ୍‌ ଦେ’କେ

ଦେଖା କାଲି ମାଇ

ହୁଆଁ ହାମ ଭୋଗ ଲଗାୟା

ଦରଶନ୍‌ କିଆ ହୋ–

ଦରଶନ କିଆ, ବଜାର ଗିଆ

ଚଲା ହାମ୍‌ କରକେ ସଫର ହେ,

ଚଲା ହାମ୍‌ କର୍‌କେ ସଫର ।।

ହୁଆଁ ସେ ଫିର୍‌କେ ଆୟା

ବାଲେଶ୍ୱର ଗିଆ

ବାଲେଶ୍ୱର ସେ ହୋକେ ଆନନ୍ଦ

କଟକ ଫିର୍‌ନେ ଗିଆ ।

ବଜାର ଦେଖନେକୋ ଚଲା ହୋ

ବଜାର ଦେଖନେକୋ ଚଲା

ମଉଜିଦ୍‌ ଗଲିମେ ମିଲା ।।

ହୁଆଁ ସବ୍‌ ଖାନକୀ ଖଡ଼ି,

ଛୋଟି ବଡ଼ି

ଖୁସି ସେ ହମକୁ ବୋଲା

‘‘କୁଆଡ଼େ ଯାଉଛ ମିଆଁ ସାହାବ୍‌’’

ହାତ ପକଡ଼କେ ଲିଆ

ହୁଆ ହାମ୍‌ ଖାନା ଖାୟା ।।

 

X X X

 

ଖାନା ପିନା କରକେ ମିଲା

କଟକ କଚହେରି ପର୍‌

ବୈଠେ ହେ ବଡ଼ା କୁରୁଚି ମେ

ଗୋରା ମେଜେଷ୍ଟର

ହୁକୁମ ବଡ଼ା ଜୋର

ହାଜର ହାଜର ।

 

ହୁଆଁ ସେ ଫିର୍‌କେ ଆୟା

ଘରକୁ ଗୟା

ରାତ୍‌ହୁଆ ଫଜର୍‌ ।

ରାତ୍‌ହୁଆ ଫଜର

ଲକ୍ଷ୍ମୀ-ନାରାୟଣ କୋ ନିବେଦନ କର୍‌କେ

ଭଗବାନ୍‌ ଯୋ କର୍‌

ମହମଦ୍‌ ରସୁଲଇଲାହା–

ମହମଦ ରସୁଲଇଲା ହୋ ।’’

 

ଏଇମିତି ନାନା ହାଲ୍‌ଚାଲ୍‌ ମୁଲକିଫେରିରେ ଶୁଣାଯାଏ । ଆଗରେ କହିଛି ତ ଗଉଡ଼ୁଣୀ–ପଠାଣ ସୁଆଙ୍ଗ କଥା । କରଣ, ବ୍ରାହ୍ମଣ, ହିନ୍ଦୁ, ପଠାଣ–ଏଇ ସବୁ ଯେଉଁ ନୀଚ ସାମ୍ପ୍ରଦାୟିକତା ଏବେ ଘନେଇ ଉଠିଛି, କ୍ଷୁଦ୍ର ସ୍ୱାର୍ଥ ନେଇ, ତା’ର ସତ୍ତାପତ୍ତା ନଥିଲା ସେତେବେଳେ-। Crude ବା ଅସଂସ୍କୃତ ପଛେ ବୋଲାଯାଉ, ଲୋକେ କିନ୍ତୁ କଳାକୁ କଳା ହିସାବରେ ସମାଦର କରୁଥିଲେ । ନିରୁତା ଦୁଧପରି ଏ ଯାତ୍ରା ଭିତରେ ଖାଣ୍ଟି ଓଡ଼ିଶୀ ଢଙ୍ଗ ଭରି ରହିଥିଲା-। ଓଢ଼ଣା ତଳେ ମନ ଘୋଡ଼ିଆ ରୀତିର ଆଜିକାଲି ପରି କାଟତି ନଥିଲା ସେତେବେଳେ ବୋଲି ମନେ ହେଉଛି । ଯାତ୍ରାରେ ପୁରୁଷମାନେ ଶାଢ଼ି ଗହଣା ପିନ୍ଧି, ମାଙ୍ଗୁ ପାରି–ରାଣୀ, ଝିଅ, ଦାସୀ ଇତ୍ୟାଦି ନାରୀ ଭୂମିକାରେ ବାହାରୁଥିଲେ । ଦେଖଣାହାରିଙ୍କ ଭିତରେ ବହୁତ ସ୍ତ୍ରୀଲୋକ ତ ଥାଆନ୍ତି । ମୁଁ କେଜାଣି କାହିଁକି ୟାଙ୍କୁ ଚାହେଁ–ତାଙ୍କୁ ଚାହେଁ । ମୋତେ ଯାତ୍ରାଦଳର ଏଇ ଅଣ୍ଡିରା–ମାଇକିନିଆମାନେ ସତସତିକିଆ ମାଇକିନିଆଙ୍କଠାରୁ ଆହୁରି ସୁନ୍ଦର ଦିଶନ୍ତି । ତାଙ୍କ ଚାଲି, ତାଙ୍କ ଢଙ୍ଗ ରଙ୍ଗ ସତରେ ଏକା ବହୁତ ମାଇକିନିଆଙ୍କୁ ଚିତା କାଟିଦେବ । ମୋର ସେତିକିବେଳେ ମନେହୁଏ ମରଦ ଜାତିଟା ବାସ୍ତବରେ ମାଇପି ଜାତିଙ୍କଠାରୁ ସୁନ୍ଦର । ସେଇଠୁ ଆଖି ଆଗରେ ଭାସିଉଠେ ଦୁଇଟି ମୟୂର-ମୟୂରୀ–ଯାହା କେତେଥର ଦେଖିଛି ବଡ଼ାମ୍ୱାର ବାଙ୍କମୁଣ୍ଡିଙ୍କ ମୁଣ୍ଡିଆ ଉପରେ ଢୁମ୍ପା ମଉଜବେଳେ । ଏସବୁ ସତ୍ତ୍ୱେ କେଜାଣି କାହିଁକି ଏଇ ମରଦେ ମାଇକିନିଆ ସାଜି ବାହାରିବାଟା ଠିକ୍ ମୋ ମନକୁ ପାଏ ନାହିଁ । ମାନୁଛି, ଆଖିକି ସୁନ୍ଦର ଦିଶେ, ତାଙ୍କ ନାଚ ଗୀତ ପସନ୍ଦ ହୁଏ । ତଥାପି ପୁରୁଷ ଜଣେ ନାରୀବେଶ ବାନ୍ଧି ବାହାରିଛି–ଏଇ ଧାରଣାଟା ହେତୁ ପଡ଼ିଗଲେ ମନରେ ଗୋଟାଏ କି ଜାତିଆ ‘କିନ୍ତୁ’ ଆସେ, ଏଇ ‘କିନ୍ତୁ’ଟା ମୋର ଓଡ଼ିଶା ଥିଏଟର୍ସ ଗଢ଼ିବାବେଳେ କାମରେ ଲାଗିଲା । ଥାଉ ସେ ସବୁ, ଠିକଣା ବେଳେ ବଖାଣିବି ।

 

ଏଇ ଲୀଳାଯାତ୍ରାର ଗୀତ, ବାଜା, ବେଶ-ପଟୁକା ମୋ ମନରେ କେମିତି ଗୋଟାଏ ଛାଇ ପକାଇଦିଏ । କେତେକ ଅଭିନେତାଙ୍କୁ ମୁଁ ଭାରି ବଡ଼ ଆଖିରେ ଦେଖେଁ । ତାଙ୍କ ସଙ୍ଗେ ପଦେ ଅଧେ କଥା ହେବାଟା ଯେମିତି ଗୋଟାଏ ଗୌରବ ! ଭାରି ମନ ହୁଏ ଦି’ଟା ଗୋଟାଏ ଗୀତ ମୁଁ ଲେଖନ୍ତି କି ! ଯାତ୍ରାକାଳିଏ ମୋ ଗୀତ ଗାଆନ୍ତେ କି ! ସେଇଠୁ ଲାଗିପଡ଼ି ଗୀତ ଲେଖିଲି । ଏଇ ଯାତ୍ରାଦଳ ଆଉ ଗୋଟିଏ ଅଧେ ଥାନରେ ଯାତ୍ରା କଲାବେଳେ ମଧ୍ୟ ଯୋଡ଼ିଏ ଗୀତ ଗାଇଲେ । ଗୋଟିଏ ଗୀତ–ଅନିରୁଦ୍ଧ ଉଷାକୁ କହୁଛନ୍ତି, ଆଉ ଗୋଟିଏ ଗୀତ ଉଷା ଅନିରୁଦ୍ଧଙ୍କୁ–

 

ନିଶି ପାହିଗଲାଣି ଏଥର

ନାଗରବର ଛାଡ଼ି ଦେ

ମଳିନ ହେଲାଣି ବତୀ ହେ

କୋଳ ତେଜିଲେ କୁଳ ଯୁବତୀ ହେ ।

କୁକ୍‌କୁଟ ଝଙ୍କାର ଶୁଭେ ବାରମ୍ବାର

ଉଇଁ ଆସିଲେଣି ଦିନକର ।

 

X X X

 

ଲୀଳାବହି ଦେଖିବାକୁ ମନ ହେଲା । କଳଙ୍କ-ଭଞ୍ଜନଲୀଳା ଲେଖିଲି, ଆମ ହେଡ଼ମାଷ୍ଟ୍ରଙ୍କୁ ଦେଖାଇଲି । ସେ କହିଲେ–‘‘ହେଇଛି ଯେ, ବାକି ତୁ ଏସବୁ ଲେଖିବାକୁ ମନ ଦେ ନା’, ନାଟକ ଲେଖ–ଭଲ ହେବ । ଲୀଳାଦଳ ପାଇଁ ଏଭଳି ଗୀତ ଲେଖିବାକୁ ସେ ମଧ୍ୟ ବାରଣ କରିଥିଲେ । କହିଥିଲେ ଗୀତ ଲେଖିବାକୁ ଯେବେ ଇଚ୍ଛା–ମାଆଙ୍କ ପାଇଁ, ତାଙ୍କ ନାଆଁରେ, ଯାହା ତୋ ମନକୁ ଆସୁଛି ଲେଖ ।’’ ମାଆ ବୋଇଲେ ସେ ଚର୍ଚ୍ଚିକାଙ୍କୁ ଉଦ୍ଦେଶ୍ୟ କରି କହନ୍ତି ଏବଂ ମାଆ ଏଇ ଶବ୍ଦଟି ଉଚ୍ଚାରଣ କଲାବେଳେ ହାତଯୋଡ଼ି ମୁଣ୍ଡରେ ଲଗାନ୍ତି । ଭକ୍ତକବି ମଧୁସୂଦନଙ୍କ କବିତାକୁ ତାଙ୍କର ଭାରି ପସନ୍ଦ । କାରଣ, ଅକାରଣରେ ସେ ତାଙ୍କ ମନକୁମନ ଆବୃତ୍ତି କରନ୍ତି–

 

‘‘ହେ ଈଶ୍ୱର ପତିତ-ତାରଣ

ପ୍ରାଣାରାମ ନିରଞ୍ଜନ

ଭୟ ବିଘ୍ନ ବିନାଶନ

ତୁମ୍ଭେ ପ୍ରଭୁ ସନ୍ତାପିତ

ପ୍ରାଣର ଚନ୍ଦନ

ସଂସାର ବିଷାକ୍ତ ନେତ୍ରେ

ତୁମ୍ଭେ ହେ ଅଞ୍ଜନ ।’’

 

ଆମ୍ଭେମାନେ କେହି ତାଙ୍କ ପାଖରେ ଥିଲେ ମୁଣ୍ଡରେ ଯୋଡ଼ହାତ ଲଗାଇ କହନ୍ତି–ଦେଖ, ଏଇ ଯେ ବାପର ପୁଅ–ୟାକୁ କହନ୍ତି ଲେଖା । ତା’ଛଡ଼ା କବିସୂର୍ଯ୍ୟଙ୍କ ସର୍ପଜଣାଣ ତାଙ୍କର ବଡ଼ପ୍ରିୟ । ହାତରେ ବେହେଲାଖଣ୍ଡ ଧରିଲେ ଯେମିତି ତାଙ୍କ ଅଜଣାରେ ବାହାରି ପଡ଼େ–

 

‘‘ତୁମ୍ଭଙ୍କୁ ଜଗନ୍ନାଥ । ଆଜ ମୋ ମନୋରଥ

ଭରତି କରି ଦେବି ଗାଳି...’’

 

କେତେଥର ଦେଖିଛି–ଗାଉ ଗାଉ ତାଙ୍କ ଆଖିକୋଣ ତିନ୍ତିଯାଏ । ଗଳା ରୋଧି ହୋଇଯାଏ । ମାତ୍ର କାରଣଟା ସେତେବେଳେ ଠିକ୍ ଠଉରାଇ ପାରୁ ନଥିଲି । ମୋତେ ସେ ଏଇ ଜଣାଣଟି ଗାଇବାକୁ ଶିଖାଇଲେ, ବେଳେବେଳେ ଗାଇବାକୁ କୁହନ୍ତି ତାଙ୍କ ବେହେଲା ସ୍ୱର ସହିତ ମିଳାଇ ମଧ୍ୟ ।

 

ଆମ ଦୁଆରେ ଉଷାହରଣ କଥା କହୁ କହୁ ଦୂରକୁ ଚାଲିଯାଉଛି । ଏଇ ଉଷାହରଣ, ବାଣଦର୍ପଦଳନ ନାଟକର ବିଷୟକୁ ମୋତେ ସ୍ପଷ୍ଟ ବୁଝାଇଦେଲା ।

 

ଥରକର ଗୋଟିଏ କଥା ମୋର ମନେ ପଡ଼ୁଛି–ସ୍କୁଲର ହେଡ଼ପଣ୍ଡିତେ (ଭାଗୀରଥି ପଣ୍ଡା) ଆମ ପଢ଼ିବାବେଳେ ଚର୍ଚ୍ଚିକାରୁ ବଦଳିହୋଇ ଯାଇଥାଆନ୍ତି । ଆଉ ଜଣେ କଳା ମଚମଚ ମୋଟାସୋଟା ଗଣେଶ ପେଟୁଆ ପଣ୍ଡିତ ଆସିଥାଆନ୍ତି । ନାଆଁଟା ହେତୁ ହେଉନାହିଁ ମୋର । ଗୋଟିଏ କବିତାର ଅର୍ଥ ବୁଝାଉ ବୁଝାଉ ସେ କହିଥିଲେ ଯେ ଆତ୍ମା ଅବିନଶ୍ୱର । ସଂସାରର ଦୁଃଖ କଥା ଯାହା–ସବୁ ଆମ ଦେହ, ଏଇ ରକ୍ତମାଂସର ଶରୀର କେବଳ ଭୋଗେ । ଆତ୍ମା ଏ ସବୁର ବାହାରେ । ସେଇ କଥାକୁ ମୂଳକରି ମୁଁ ହେଡ଼ମାଷ୍ଟର ରଘୁବାବୁଙ୍କୁ ପଚାରିଲି, ‘‘ସାର, ଜୀବନ ଚିନ୍ତାରେ ମଧୁରାଓ କହିଲେ–

 

‘‘ରେ ଆତ୍ମନ ! ନିଦ୍ରା ପରହରି’

 

ଆତ୍ମା ଶୋଇଲା କେମିତି ଯେ, ତାକୁ କୁହା ହେଉଛି ନିଦ୍ରା ପରିହରି ? ପଣ୍ଡିତେ ଆମକୁ କହିଛନ୍ତି–ଆତ୍ମା, ଦୁଃଖସୁଖ କିଛି ଜାଣେ ନାହିଁ ବୋଲି । ସାର୍ କହିଲେ–ହଁ, ସେ ଗୋଟାଏ ପ୍ରକାର କହିଥିଲେ, ବାକି ଆତ୍ମାକୁ ଛାଡ଼ିଦେଲେ ଯେଉଁ ଦେହ ରହିବ, ତାକୁ ମାରିଲେ ହାଣିଲେ ସେ କଅଣ କଷ୍ଟ ଅନୁଭବ କରିବ ? ଆଚ୍ଛା, ଆମକୁ ‘ବୁଧୁମିଆଁ’ କଂସାଇ ମାଂସ ଦେଇଯାଉଛି । ଆମେ ପୁଣି ତାକୁ ତରକାରି ରାନ୍ଧିବାବେଳେ ଟିକି ଟିକି କରି କାଟୁଁ । କହନା ବାବୁ, ତାକୁ କାଟେ କି ବାଧେ ? ସେ ଛଟପଟ ହୁଏ ? ଯେବେ ନହୁଏ ତେବେ କାଟିଲେ, ହାଣିଲେ କିଏ କଲବଲ ହୁଏ ? –ହୁଏ ଦେହରେ ଜୀବ ଥିଲେ । ଏଇଟା ଆତ୍ମା । ତେଣୁ ଆତ୍ମାଟି ଦେହର ମୂଳ । ସେ ଥିଲାତକ ପ୍ରାଣୀ ‘ଜୀଅନ୍ତା’ ଆଉ ଛାଡ଼ିଗଲେ ହେଲା ‘ମଡ଼ା’ । ମଡ଼ାକୁ କ’ଣ ବାଧିବ କିଛି ? ଆତ୍ମାଥିଲାକୁ ସିନା, ଦୁଃଖ ପାଇଲେ କି ସୁଖ ପାଇଲେ–ଦେହ କାନ୍ଦୁଛି, ହସୁଛି । ସେ ସବୁ ବଡ଼ ଗହନ କଥା ବାବୁ, ତୁ ବଡ଼ ହେଲେ ବହୁତ ପାଠ ପଢ଼ିଲେ ବୁଝିବୁ । ଏଇନେ ସେଥିକି ମନ ବଳାନା ।

 

ବେଳେବେଳେ ଏପରି ସବୁ କଥା ବି ପଡ଼େ ତାଙ୍କ ସଙ୍ଗେ–ସୁଖ ପାଉଥିଲେ ତ । ତେଣୁ ମନଦେଇ ସବୁ ବୁଝାନ୍ତି ସେ । ଆଉ ସବୁକଥା କହିସାରିବା ପରେ କହନ୍ତି–ତୁ ଏଇନେ ପିଲା । ବଡ଼ହୁଅ, ପାଠପଢ଼, ବହୁତ କଥା ଆପେ ଆପେ ବୁଝିପାରିବୁ । ତୁ ପରା କବି ହେବୁ–କବି ତ Philosopher । ତୁ ବୁଝିବୁ ଯେ ।

 

ଏବେ ଭାବେଁ ଗୁରୁଦେବ ତ କହିଥିଲେ–ମୁଁ କ’ଣ ସତରେ କବି ହେଲି ନା philosopher ହେଲି ? ଆମ ଧର୍ମ ମୁତାବକ ଯେବେ ତାଙ୍କ ଆତ୍ମା ସତରେ କୋଉଠି ସ୍ୱର୍ଗ ଉପରେ ଥିବ–ଆଉ ମୋତେ ଦେଖୁଥିବ, ତେବେ ସେ ହସୁଥିବ । କବି ନା ଦାର୍ଶନିକ ! ଛେନାଗୁଡ଼, କୋଉ କୁଳର ହେଲି ମୁଁ ?’

 

ସାରଙ୍କଠାରୁ ବହୁତ ବିଷୟ ଶୁଣେ ମୁଁ । ସେ ମୋତେ ଯାତ୍ରାଦଳଙ୍କ ସହିତ ଏତେ ସମ୍ପର୍କ ରଖିବାକୁ ମନା କରନ୍ତି । ସବୁବେଳେ ବଡ଼ ଆଦର୍ଶ ଥୁଅନ୍ତି ମୋ ଆଖି ଆଗରେ । ବଙ୍ଗୀୟ କବି ମାଇକେଲ ମଧୁସୂଦନଙ୍କ ମେଘନାଦ ବଧ କାବ୍ୟ ତାଙ୍କର ଅନ୍ୟତମ ପ୍ରିୟ ପାଠ୍ୟ ଥିଲା ।

 

ଏପରି ନାନା ପରିସ୍ଥିତିରେ ମୋର ଲୀଳା, ଯାତ୍ରା ଲେଖା ମନର ସରାଗିଆ ହାବୁକାଟା କୁଆଡ଼େ ଉଭେଇଗଲା । ପୁଣି ନାଟକ ଆଡ଼କୁ ଝୁଙ୍କି ବଳିଲା । ଲାଗିପଡ଼ିଲୁ ପିଲା ପଞ୍ଝାଏ ‘ବାଣ ଦର୍ପଦଳନ’ ନାଟକ ଶିଖିବାରେ ।

 

ବାଣ ଦର୍ପଦଳନ ନାଟକ :

 

ଭାଷା-ଜ୍ଞାନ ଅବଶ୍ୟ ନ ଥିଲା ମୋର, ତଥାପି ମଝିରେ ମଝିରେ ଏଇ ନାଟକର ବଚନିକା କେମିତି ଠାଏ ଠାଏ ଅଖଞ୍ଜିଆ ଲାଗେ । ବାବାଜୀ ନାଟକ, କାଞ୍ଚି କାବେରୀ ନାଟକ ବା କାମପାଳବାବୁଙ୍କ ସୀତା ବିବାହ (ସେତେବେଳକୁ ନୂଆକରି ଦେଖୁଥାଏଁ) ର ବଚନିକା ଗୋଟାଏ ଅଲଗା ଢଙ୍ଗପରି ବାରିହୋଇ ପଡ଼ୁଥାଏ ।

 

‘Prompting’ ବା ସୂଚନା ଉପରେ ବିଶେଷ ନିର୍ଭର ନକରି କଥାଗୁଡ଼ାକ ଘୋଷିପକାଇ ‘ଜଳବତ୍ ତରଳଂ’ କରି ପଇଟେଇ ଦେବାକୁ ରଘୁବାବୁଙ୍କର ନିର୍ଦ୍ଦେଶ । ଏଥିପାଇଁ ସନ୍ଥ ଦେଲାପରି ସେ କେତେ ପୃଷ୍ଠା ପାଠ ଠିକଣା କରିଦେଇ ଥାଆନ୍ତି । ବୈଷ୍ଣବଭାଇନା ସଂସ୍କୃତ ଟୋଲରେ ପଢ଼ୁଥିଲେ ବି ଆମ ଗୋଠରେ ବୁଆଣ ଦେଉଥାଏ । ଗୋପୀ, ଜଗୁଲି, ସଉରିଆ, ବନା, ନାଲୁ ଓ ଶିବା ଏମିତି ଆହୁରି କେତେ ପିଲା ପାର୍ଟ ନେଉଥାଆନ୍ତି ।

 

ଏଥର ନାଟଟାର କ୍ଲାସ୍ ପ୍ରମୋଶନ୍ ହୋଇଗଲା । ଆମ ଖଳାବାଡ଼ି ଛାଡ଼ି, ଗାଆଁମୁଣ୍ଡ ପଡ଼ିଆରେ ଷ୍ଟେଜ୍ ବାନ୍ଧିବା କଥା ହେଲା ।

 

ସବୁ ହେଲା ଯେ–‘ଆଲୋ ମଉସା–ଜଡ଼ ପଇସା ।’ ବାଡ଼ିରେ ନାଟକ ହେଲାବେଳେ ଯାହା ସାମାନ୍ୟ ଖର୍ଚ୍ଚ ହୁଏ, ତାକୁ ବୋଉ, ଖୁଡ଼ୀଙ୍କ ଉପରେ ଚାନ୍ଦା ଭିଡ଼ିଦେବାକୁ ପଡ଼େ । ପିଲାଙ୍କ ଖିଆପିଆର ଚିନ୍ତା ନଥାଏ । ଖେଚୁଡ଼ି, ବୁଟଡାଲି ଆଉ ଛଙ୍କା ତରକାରି ବ୍ୟବସ୍ଥାଟା ପାଇଁ ବୋଉକୁ କହିବାକୁ ପଡ଼େ ନାହିଁ । ଲେଖାରେ ଆମର ଜଣେ ଯଶୋଦାଅପା (ପିଉସୀ) ଥିଲେ । ଗୋଟିଏ ଆଖିରେ ତାଙ୍କର ଫୁଲା ପଡ଼ିଥାଏ । ସେ ଟିକିଏ ସବୁ ଖାଆଣ ପିଆଣକୁ ଅମୁରୁଛକ ହୁଅନ୍ତି । ‘ଆ, ସରୁ ନାଇଁ ଯେ, ପର ପୋଷା ହେଉଚି । ନୂଆବୋହୂ (ମୋ ବୋଉ) ଙ୍କର ନ ଥିଲା କଥା’ ବୋଲି କହନ୍ତି ଯଶୋଦାଅପା, ଆପଣାର ହୋଇ । ବୋଉ ଶୁଣିକରି ହସିଦେଇ କହେ–‘‘ତୁମେ ଜାଣିନା ଅପା (ବଡ଼ ନଣନ୍ଦ ହେତୁ) ଉଝୁଳା କୂଅର ପାଣିରେ ପୋକ ନାହିଁ । ବାଳକ ନାରାୟଣ । ତାଙ୍କ ସେବାରେ କିଛି ଲାଗୁ ।’’

 

ଷ୍ଟେଜ୍‌ର ଯେମିତି ପ୍ରମୋଶନ, ଖରଚ ବି ସେଇ ଅନୁସାରେ ବଢ଼ିବ ଘଟିବ ତ ଏଥର; କିନ୍ତୁ ଉପାୟ ଚିନ୍ତା କରିବାକୁ ଆମକୁ ବେଶି ମୁଣ୍ଡ ଘୂରାଇବା ଦରକାର ହେଲା ନାହିଁ । ରଘୁବାବୁ ବାପାଙ୍କୁ କହିଲେ, ସେ ପୁଣି କାହାକୁ କହିଲେ, ଏମିତି ଏମିତି କାହାକୁ କାହାକୁ କିଏ କିଏ କହିବାରେ କାମ ଉଠିଯିବା ଭଳି ପାଣ୍ଠି ସଂଗ୍ରହଟା ଚଳିଗଲା ।

 

ଏଥର ଜିନିଷପତ୍ର, ବେଶ-ପୋଷାକ ଯୋଗାଡ଼ିବା ବଖତ ଆସିଗଲା । କଟକ ବାଲୁବଜାରରେ ସେତେବେଳେ ସାଗରବାବୁ ଦୋକାନର ନାଆଁ ବଡ଼ ଜାହିର ହୋଇଥାଏ । ସେ ଜଣେ ମାରଓ୍ୱାଡ଼ି, ଯାତ୍ରା ପୋଷାକ ବିକନ୍ତି । ତାଙ୍କ ଦୋକାନରୁ କେତେକ ବେଶପୋଷାକ ଓଗେର କିଣାହୋଇ ଆସିଲା । ଯଥା–ସେମିଜ୍, ରାଇକା, କମ୍ ଦାମ୍ ହୋଇଥିବା କାଞ୍ଚଲା, ଦାଢି, ନିଶ, ପରଚୂଳା, ପନିମାଳି ଇତ୍ୟାଦି ଇତ୍ୟାଦି । କଟକରେ ସେତେବେଳେ ଲାଲ୍‌ ଖାଁ ବୋଲି ଜଣେ ଜରିକାମର କାରିଗର ଥିଲେ । ରଘୁବାବୁ ତାଙ୍କର ଜଣେ କେହି ବନ୍ଧୁଙ୍କ ଜରିଆରେ ରାଜକନ୍ୟା ଉଷାର ହାତ ଗହଣା ଓ କମରପଟି ତାଙ୍କଠାରୁ ତିଆରି କରାଇ ଆଣିଲେ ।

 

ନାଟକର ଜୋରସୋର ଅଭ୍ୟାସ (Rehersal) ଚାଲିଥାଏ । ତାଲିମ ଦେଉଥାନ୍ତି ନିଜେ ରଘୁବାବୁ । ସେଇ ତାଲିମର ରୀତି ମୋର ଭବିଷ୍ୟତ୍ ରଙ୍ଗପଥର ପାଥେୟ ।

 

ଏସବୁ ତ ଗୁରୁମୁଖୀ ବିଦ୍ୟା । ଲେଖାରେ ଠିକ୍ ଠିକ୍ ବୁଝାଇ ହେବ ନାହିଁ । ତଥାପି ଯେତେଦୂର ପାରେଁ କହୁଛି–

 

ଶିକ୍ଷା :

 

ପ୍ରଥମେ ପୂରା ନାଟକଟି ପଢ଼ି ଶୁଣାଇଦେଲେ–ଅବଶ୍ୟ ପଢ଼ା ବହିର ଗଡ଼ଗଡ଼ ରିଡିଙ୍ଗ୍ (reading) ପରି ନୁହେଁ, ପାତ୍ରାନୁସାରୀ ସଂଳାପଗୁଡ଼ିକୁ ଯଥାସମ୍ଭବ ଭାବ ଫୁଟାଇବା ଭଳି ଭଙ୍ଗୀ ସହିତ । ତା’ପରେ ଗୋଟି ଗୋଟି କରି ବୁଝାଇଲେ ପ୍ରତି ଚରିତ୍ରର ପ୍ରକୃତି, ସ୍ୱତନ୍ତ୍ରତା, ବିଶେଷତ୍ୱ ଓ ନିର୍ଦ୍ଦିଷ୍ଟ ଚରିତ୍ରକୁ ନାଟ୍ୟକାର କି କାରଣରୁ ଯଥା–ସ୍ଥାନାବସ୍ଥିତ କରିଅଛନ୍ତି । ପାତ୍ରମୁଖୀ ଭାଷା ଯୋଜନାରେ ସେ କେତେକ ସ୍ଥଳରେ ପରିବର୍ତ୍ତନ କଲେ ଏବଂ ସେପରି କାହିଁକି କଲେ ତାହାର ମଧ୍ୟ କାରଣ ଦର୍ଶାଇ ଆମ ମନକୁ ମନାଉଥିଲେ । ଏହା ପରେ ବଚନିକା ବା ସଂଳାପ ପ୍ରକାଶ ବା କଥା କହିବାର ଭଙ୍ଗୀ–ଏଇଟା ନାଟକର ବଡ଼ କଥା ବୋଲି ବୁଝାଇଦେଇଥିଲେ ସେ । ମନେଅଛି ଗୋଟିଏ ଛୋଟ ବାକ୍ୟ–‘ମୁଁ ପଢ଼ିବାକୁ ଯାଉଛି’–ଏଇତକ କଥାକୁ ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରି ବୁଝାଇଥିଲେ, ନାନା ଉଦାହରଣ ଦେଇ ଅର୍ଥାତ୍ ରାଗିଗଲେ କିପରି କହିବା, ବୋଉ ପାଖରେ ଋଷିକରି କିପରି କହିବା, ଠକିକରି କିପରି କୁହାଯାଇପାରେ, ପରିହାସରେ କିପରି କୁହାଯିବ । ନାଟକ ପ୍ରଦର୍ଶନଟା ସବୁରି ପସନ୍ଦ ହେଲା ଏଥର ।

 

ଯାତ୍ରାଦଳର ସମ୍ପର୍କ :

 

ଯାତ୍ରାଦଳଙ୍କ ସଙ୍ଗରେ ବେଶି ସମ୍ପର୍କ ରଖିବି ନାହିଁ ବୋଲି ଗୁରୁଦେବଙ୍କ ଆଦେଶ ବା ଉପଦେଶ ଅବଶ୍ୟ କେତେକ ଅଂଶରେ ପାଳି, ଯାତ୍ରାଦଳ ସହିତ ମିଳାମିଶାଟା ଊଣା ହୋଇଗଲା । ମାତ୍ର ଏକାବେଳକେ ପରମତୁଟ ହୋଇପାରିଲା ନାହିଁ । ମୁଲକଫେରି ଦେଖିବାର ଲୋଭ ଏଡ଼ାଇ ଦେଇପାରିଲି ନାହିଁ କି ଗୋଟିଏ ଗୋଟିଏ ଯାତ୍ରା ଗୀତ ଲେଖିବାର ଆଗ୍ରହ ତୁଟାଇପାରିଲି ନାହିଁ । ସେମାନେ ଗୀତ ନେବାକୁ ହମହମ, ଆଦର ବି କରୁଚନ୍ତି ଢେର୍ । ଚର୍ଚ୍ଚିକା ହାଟରେ ବସାଘର ଭଡ଼ାକୁ ନେଇ ଯାତ୍ରାବାଲାଏ ରହିଥାଆନ୍ତି । ସ୍କୁଲ ଛୁଟି ପରେ ନଈକୂଳକୁ ଯିବା, ତୋଟାରେ ବସି ଲେଖିବା କିମ୍ବା ହେଡ଼ମାଷ୍ଟରଙ୍କ ପାଖେ ଗୀତ ଗାଇବା–ଏସବୁ କାମରେ ଟିକିଏ ଏଣିକି ଖିଲାପ ହେଲା ।

 

‘ଯହିଁକି ଡରେଁ ତହିଁକି ମରେଁ’ କଥାଟା କୋଉ ଅନୁଭବୀ ଅଙ୍ଗେ ଲିଭାଇ କହିଥିଲେ କେଜାଣି ! କୋଟି ଜୁହାର ତାଙ୍କୁ । ଥରେ ଗୁରୁବାର ହୋଇଥାଏ । ହେଡ଼ମାଷ୍ଟରଙ୍କ ସଙ୍ଗରେ ସେଦିନ ଠାକୁରାଣୀ ଦର୍ଶନକୁ ଯାଇଥାଏଁ, ଫି ଗୁରୁବାର ଦିନ ସଞ୍ଜରେ ଯେମିତି ଯାଏଁ । ଦର୍ଶନ କରିସାରି ଘର ବାହୁଡ଼ାଣୀ ହାଟ ମଝିରେ ହୋଇଛି, ପଛରୁ କିଏ ଡାକିଲା–‘‘ବାବୁ, ବାବୁ !’’ ଚିହ୍ନା ସ୍ୱର, ଛାତିଟା ଦୁଲୁକି ଉଠିଲା । ଚେଇଁ ଶୋଇଲା ପରି ଡାକ ଶୁଣିଲି ନାହିଁ । ଟିକିଏ ବଡ଼ପାଟିରେ ସାର୍‍ଙ୍କ ସାଙ୍ଗରେ କଥାବାର୍ତ୍ତା ହେବାକୁ ଲାଗିଲି । ମାତ୍ର କତରା ଘୋଡ଼େଇ ହେଲେ, ଯମ ଛାଡୁଛି କେତେକେ ? ଡାକକୁ ବାଗଡ଼ ନ ଦେବାରୁ, ପଛପଟରୁ ଧାଇଁ ଅଇଲା ସଉରିଆ–ସେ ଯାତ୍ରାଦଳର ରାଣୀ ହୁଏ । ଓଃ, ଆକାଶଟା ସତେ ଛିଣ୍ଡିପଡ଼ିଲା ମୋ ମୁଣ୍ଡ ଉପରେ ! କହିଲା ସେ–‘‘ବାବୁ, ଡାକିଡାକି ଶୁଣୁ ନାହିଁ ? କି ଦୋଷ କରିଛୁ ଆମେ ? ମାଷ୍ଟ୍ରେ (ମୁଲକ ଫେରି) କହୁଥିଲେ କାହିଁକି ଆମ ବସାକୁ କାଳୀବାବୁ ଆସୁ ନାହାନ୍ତି ? ଆମର ଆଜି କୋଉଠି ବଇଣା ନାହିଁ । ଆସ ବସାକୁ ଯିବା ।’’

 

କହିଲି–‘‘ନାଇଁ, ମୋର ପଢ଼ାପଢ଼ି ଅଛି । ରାତି ହେଲାଣି, ଆଉ ଦିନେ ଆସିବି । ସେ କେତେ ନେହୁରା ହୋଇ ଡାକିଲା । ହେଡ଼ମାଷ୍ଟ୍ରେ ଅଳ୍ପ ଦୂରଛଡ଼ା ହୋଇ ଠିଆ ହୋଇଥାନ୍ତି, ମୋତେ ଅନାଇଁ । ଚିଡ଼ି ଲାଗୁଥାଏ ଯେ ମୋତେ, ନାହିଁ ନ ଥିବା । ହେଲେ କହି ହେଉ ନାହିଁ କି ସହି ହେଉ ନାହିଁ । ଶେଷକୁ ମୋ ଆଖି ଦି’ଟା କାମ ଦେଖାଇଲା–ହାଟ ଭିତର ଦୋକାନୀର ମିଞ୍ଜିମିଞ୍ଜି ଆଲୁଅରେ । ଆଖିମରାରୁ ବୋଧହୁଏ ସଉରିଆ ଠଉରାଇ ନେଲା ଯେ ମୋ ସାଙ୍ଗରେ ଥିବା ବୁଢ଼ାଜଣକ କେହି ମୋର ଗୁରୁଜନ ହେବେ । ସଙ୍ଗେ ସଙ୍ଗେ ସେ ଗଳାକୁ ତା’ର ଉଦାରା ସପ୍ତକର ‘ସା’କୁ ଖସାଇ ଦେଇ କହିଲା, ‘‘ତେବେ କାଲି ଆସିବେଟି ?’’ ମୁଣ୍ଡ ହଲାଇ ଚାଲିଆସିଲି, ପୃଥିବୀଟା ସତେଯେମିତି ଗୋଡ଼ ତଳରୁ କୁଆଡ଼େ ଭିତରକୁ ପଳାଉଛି–ଏଇମିତି ଲାଗୁଥାଏ ମୋତେ ।

 

ସାର୍‍ଙ୍କ ପଛେ ପଛେ ଚାଲିଲି । ସଞ୍ଜ ପହରଟା । ଲୋକଙ୍କ ଗହଳ ଚହଳ ବେଳା । ମାତ୍ର ରାତି–ଅଧିଆ ଶୂନଶାନ୍ ପରି ଲାଗୁଥାଏ ମୋତେ । ଏଇ ନୀରବତା ଭାଙ୍ଗି ରଘୁବାବୁଙ୍କ କଠାଉର ଠକ୍ ଠକ୍ ଚାଲି ଶବ୍ଦ ମୋ ବିବେକ–ମୁଣ୍ଡରେ ପାହାର ବଜାଇଲା ପରି ଜଣାଯାଉଥାଏ । କେଡ଼େ ସୁଖ ନ ପାଆନ୍ତି ମୋତେ ସେ ! ତାଙ୍କରି କୁହା ପୁଣି ମୁଁ ମାନିଲି ନାହିଁ ? କି ଅନ୍ୟାୟ କଲି–ଗୁରୁଙ୍କ ଆଦେଶ ଲଂଘିଲି ! ଧର୍ମ ଠିକ୍ ଦେଖାଇଦେଲା । ଅନୁତାପରେ ବୁକୁ ଫାଟିଯାଉଥାଏ–ଆଖି କୋଣ ତିନ୍ତିଗଲା ମୋର ।

 

ସାର୍ ଡାକିଲେ ! ସେଇ ତାଙ୍କର ଆଦର ବୋଲା ଡାକ–‘କାଳୀଚରଣ’ । ପହିଲି ଡାକର ଉତ୍ତର ଦେବାକୁ ସୁବିଧା ନ ଥିଲା ସେତେବେଳେ । କୋହରେ ତଣ୍ଟି ଚିପି ହୋଇ ଯାଉଥାଏ । କାଳେ ମୋ କାନ୍ଦଣାଟା ଧରା ପଡ଼ିଯିବ–ଏଇ ଡରରେ ତୁନି ହୋଇଗଲି । ସେ କିନ୍ତୁ ଆଉ ଆଗକୁ ନ ବଢ଼ି, ସେଇଠି ଠିଆ ହୋଇ ଫେରିପଡ଼ି ପୁଣି ଡାକିଲେ, ‘‘କାଳୀଚରଣ’’ ।

 

ମୁଁ ଟିକିଏ ପଛରେ ଥିଲି । ତାଙ୍କ ଆଗ ଡାକ ଆଉ ପଛ ଡାକ ଭିତରେ ତ ଆଖି ପିଛୁଳାକେ କାଳ ଗମିଛି । ତରତର ହୋଇ ନିଜକୁ ସମ୍ଭାଳି କାନିରେ ଲୁହ ପୋଛିଦେବା ବେଳକୁ ପଛ ଡାକରାଟା କାନ ଛୁଇଁଲାଣି । ମୁଁହ ବୁଲାଇ ଚାହିଁ ଦେଲେଣି ସାର୍ । ତାଙ୍କ ଚଷମା ଦି’ଟା ମୋ ଆଖିରେ ମିଶେ ନ ମିଶେ ହେଲାଣି । କେତେ ଯେ କ’ଣ ସେଇ ମୁହୂର୍ତ୍ତକ ଭିତରେ ଭାବି ହୋଇଗଲା–କହିହେବ ନାହିଁ ।

 

ଉତ୍ତର ଦେଲି–‘ଆଜ୍ଞା’ ଅତି ଧୀର ସ୍ଥିର ଦେବତା ପରି ଲୋକ ସେ । ଠଉରାଇ ନେଲେ ସବୁ । ମୋ ପାଖକୁ ପାହୁଣ୍ଡେ ଫଛଫେରା ହୋଇ ଳୁହ ପୋଛି ଦେଇ ମୁଣ୍ଡରେ ହାତ ବୁଲାଉ ବୁଳାଉ, ଅମୃତଝରା କଣ୍ଠରେ କହିଲେ, ‘‘ବୁଝିଲି, ବୁଝିଲି । ଛି, ଏଇଥିପାଇଁ ଏତେ କାନ୍ଦୁଛ ? ତୁମେ ତ ନିଜର ଭୁଲଟା ବୁଝିପାରୁଛ । ଅନୁତାପ ଆସିଛି ତମର, ଆଉ ମୋତେ ଲୁଚାଉଥିବାର ଅନ୍ୟାୟଟା ରହିଲା କେଉଁଠି ? ସବୁ ଧୋଇ ହୋଇଗଲାଣି । ଚାଲ, ମୁଁ ଯାହା ଯାହା କହୁଛି, ତୁମ ଭଲପାଇଁ କହିଛି । ପିଲାଲୋକ, ଏମିତି ଭୁଲ୍ ହୋଇଥାଏ । ତୁମ ଆଖି ଲୁହରୁ ମୁଁ ବୁଝିପାରିଲି, ତୁମେ ମୋତେ କେତେ ଭକ୍ତିକର, ମୋ କଥାକୁ କି ସମ୍ମାନ ଦିଅ । ଦୁଃଖ କର ନାହିଁ, ଆସ ବୋଲି କହି କୋଳକୁ ଟାଣି ନେଲେ । ତାଙ୍କର କହିଥିବା ଏଇ ‘‘ଦୁଃଖ କର ନାହିଁ’’ କଥା ପଦକ ମୋ ଲୁହ ଦୁଆର ମୁକୁଳା କରିଦେଲା ଏକାବେଳେ । ଏଇଟା ରାସ୍ତା–ଏକଥା ମୋର ଆଉ ହୋସ ରହିଲା ନାହିଁ । ଅଧିକ କୋହ ଉଠିଲା । ଶେଷକୁ କଇଁ କଇଁ ହୋଇ କାନ୍ଦି ପକାଇଲି । ସାର୍ ମୋତେ ବହୁତ ବୁଝାଇ ଶୁଝାଇ ସ୍କୁଲ୍‍କୁ ନେଲେ । ସ୍କୁଲ୍‍କୁ ଲାଗି ବୋର୍ଡ଼ିଂ, ଆଉ ସେଇ ବୋର୍ଡ଼ିଂରେ ତାଙ୍କର ଦି’ ବଖୁରିଆ ବସା । ମୁଣ୍ଡ ତଳକୁ ପୋତି ବସି ରହିଲି ମୁଁ । ସେଦିନ ପଢ଼ାପଢ଼ି ବନ୍ଦ । ବହୁତ ବୁଝାଇଲେ ସେ ମୋତେ ।

 

ତା’ପରେ ଯାତ୍ରାଦଳ ଲୋକେ କେତେଥର ଘରଠିକି ଧାଁ ଧଉଡ଼ କରିଛନ୍ତି, ତାଙ୍କ ଆସିବାର ସୁରାଖ ପାଇଲେ, ମୁଁ ଗାମୁଛା ପାଲଟେଁ, ଢାଳ ଖୋଜେଁ ।

 

ଯୋଗକୁ ସେଇ ସମୟରେ ବୈଷ୍ଣବଭାଇନା ଡାକିଲା ତାଙ୍କ ଗାଆଁକୁ–ସୁବର୍ଣ୍ଣପୁର । ନଈ ସେପାରି, ତାଙ୍କ ଗାଆଁରେ ଥିଏଟର କରିବେ । ମୋତେ ସେଇଥିପାଇଁ ଡାକରା । ବାପା ବୋଉଙ୍କର ଆପତ୍ତି ହେଲା ନାହିଁ । କାରଣ ବୈଷ୍ଣବଭାଇନା ତାଙ୍କର ମଧ୍ୟ ଗେଲବସର ପୁଅ । ମୁଁ ବି ଚାହିଲିଁ–ଯାତ୍ରାଦଳଙ୍କ କଟାଳରୁ ଫାଙ୍କ୍ ପାଇବାକୁ ସୁଯୋଗ ମିଳିଲା ମୋତେ । ତା’ ସଙ୍ଗେ ସଙ୍ଗେ ଗୋଟାଏ ବଡ଼ ଲୋଭ ମୋର ଥିଲା ଅଇଁଶିପା (ଅଂଶୁପା) ହ୍ରଦ ଦେଖିବାକୁ । ଆଗେ ସେଇ ଚୁକ୍ତିଟା କରିନେଇ ମୁଁ ସୁବର୍ଣ୍ଣପୁର ଗଲି ।

 

ଗୁରୁଗିରି :

 

ରହିଲି ଯାଇ ‘ବାୟା’ର ଘରେ । ବାୟାବୋଲି ତାକୁ ବୋଧହୁଏ ତା’ ବୋଉ ଓ ଅପାମାନଙ୍କ ପରେ, ମୋ ଛଡ଼ା ଆଉ କେହି ଡାକନ୍ତି ନାହିଁ । ଭଲ ନାଆଁ ରାଜେନ୍ଦ୍ର ମୋହନ ପଟ୍ଟନାୟକ । ତାଙ୍କ ବାପା ମଦନମୋହନ ପଟ୍ଟନାୟକ ଥିଲେ ବଡ଼ାମ୍ବାର ଦେବାନ । ବନ୍ଧୁଘର ସେ ଆମର । ମୋଉ ତାଙ୍କର ଅତି ଭଲ ମଣିଷ । ସୁବର୍ଣ୍ଣପୁର ଗାଆଁ ଭିତରେ ତାଙ୍କରି ଏକା ଦି’ ମହଲା କୋଠା । କୋଠା ଉପରୁ ମହାନଦୀର ଦୃଶ୍ୟ ବର୍ଣ୍ଣିବାର ଭାଷା ନାହିଁ । ନଈଧାର ଶୁଖି ଆସିଥାଏ । ଦି’ ପାଖେ ବାଲି–ମଝିରେ ପଶା ନଈରେ ଆଣ୍ଠୁଆଣି ପାଣି ଠାଏ ଠାଏ କୋଉଠି କେମିତି ଅବଶ୍ୟ ଗଣ୍ଡ ଥାଏ ।

 

ନାଉରୀଏ ପଶା ନଈରେ ନାଆ ମେଲିବାର ସୁବିଧାପାଇଁ ଖୋଳି ଥାଆନ୍ତି ‘ହରଣୀ’ ଅଳ୍ପ ଗହୀରିଆ କରି । ତାହାରି ଭିତରେ ଧାଡ଼ି ଧରି ଖେଳି ବୁଲୁଥାଆନ୍ତି ଦଣ୍ଡକିରି ମାଛ ଦଳ । ନଦୀର କଟି ମେଖଳା ପରି ସେ ହରଣୀର ସତେଅବା ତାରାବୁଟା ଖଞ୍ଜି ଦେଇଛି କିଏ ! ଠାଏ ଠାଏ କାଶତଣ୍ଡୀବଣ ସନ୍ଧିରେ ଲୁଚି ବସିଥାଏ କାଣ୍ଟି ବଗ–ଆଙ୍କି ଦେଲାପରି ମୂର୍ତ୍ତିଟିଏ ସତେ ! ହଲ୍ ନାଇଁ କି ଚଲ୍ ନାଇଁ–ଏକ ଧ୍ୟାନ, ଏକ ଦୃଷ୍ଟି ନଈ ପାଣିକି ତାର । କାଶ ବଣର ରଜା ତ ! ଦି’ ପଟେ ତା’ର କାଶତଣ୍ଡୀ ପୁଲ ଧୋବ ଚାମର ଢାଳୁଛନ୍ତି ସତେ !

 

ସୁବର୍ଣ୍ଣପୁରକୁ ଯିବା ବାଟରେ ଏଇସବୁ ଦେଖୁ ଦେଖୁ ନଈ ବାଲି ପାରି ହେବାକୁ ବାଧା ଲାଗିଲା ନାହିଁ ଟିକିଏ ହେଲେ । ଚଇତି ମୁଣ୍ଡିଆତଳୁ ସଳଖିଗଲେ ସୁବର୍ଣ୍ଣପୁର । ବାଁ ପଟେ ଦିଶୁଥାଏ ରଣଗଡ଼ ମୁଣ୍ଡିଆ ଉପରେ ମହାଦେବଙ୍କ ଦେଉଳ । ପଛପଟରେ ତା’ର ଜଗୁଆଳ ପରି ଠିଆ ହୋଇଛି ସରଣ୍ଡା ମୁଣ୍ଡିଆ, ଶାଗୁଆ ପୋଷାକ ପିନ୍ଧି । ଭାରି ସୁନ୍ଦର ସେ ଦୃଶ୍ୟ । ମନେପଡୁଛି ସେ ଦେଉଳକୁ ଅନାଇଁ ବୈଷ୍ଣବଭାଇନା ହାତ ତୋଳି ତାର ସ୍ୱଭାବମଧୁର କଣ୍ଠରେ ଗାଇଥିଲା–

 

‘‘ମହାଦେବ ମାହାତ୍ମାନମ୍

ମହାଧ୍ୟାନ ପରାୟଣମ୍

ମହାପାପ ହରଂ ଦେବମ୍

ମହାକାୟ ନମୋନମଃ ।’’

 

ପଛପଟ ଓ ଆଗପଟର ମୁଣ୍ଡିଆ ସତେ ଯେମିତି ତା’ର ଏଇ ପାଠ ସଙ୍ଗେ ସ୍ୱର ମିଳାଇ ସ୍ୱପ୍ନେଶ୍ୱର ମହାଦେବଙ୍କ ସ୍ତବ ଗାନ କରିଥିଲେ, ପ୍ରତିଧ୍ୱନି ଛଳରେ ।

 

ଏବେ ମଧ୍ୟ ଚଇତି ମୁଣ୍ଡିଆ ପାଖ ସଡ଼କରେ ବସରେ ବାଙ୍କି ଯା’ ଆସବେଳେ ଚେତା ମନ ଚମକି ଉଠି ଚାହିଁଥାଏ ମହାନଦୀକି । ସ୍ୱପ୍ନେଶ୍ୱରଙ୍କ ଦେଉଳ ଦିଶେ । ମାତ୍ର ସ୍ୱପ୍ନପରି ସେସବୁ ପୁରୁଣାଦିନିଆଁ କଥା ଭାସି ଆସି ଆଖି ଆଗରୁ ଉଭାଇ ଯାଏ କୁଆଡ଼େ ! ଅନ୍ତର ଭିତରୁ ଏକ ଦୀର୍ଘଶ୍ୱାସ ଅଜାଣତରେ ବାହାରି ଭସା ବଉଦର ସାଥୀ ହୁଏ । ବୁକୁ ଫାଟେ, ମୁହଁ କିନ୍ତୁ ଫିଟେ ନାଇଁ-

 

‘‘ଯାହା ଯାଏ ତାହା ଯାଏ ।’’ ଏଇଥିର ଦକ୍ଷିଣମୋଡ଼ ନାହିଁ । ଧ୍ୟାନୀ, ମୌନୀ ରତାଗଡ଼ ପର୍ବତ ଶିଖରବାସୀ ଜନବସତିରୁ ଅଳ୍ପ ଦୂରଛଡ଼ା, ଏଇ ନାତିଦୀର୍ଘକାୟ ଶିବ ମନ୍ଦିରଟି ନୀରବ-ନିଶ୍ଚଳ-ନିଥର । ପାଦତଳର ଶିଳାରେ ମଥା କଚାଡ଼ି ଅବୁଝା କୁଳୁ ଭାଷାରେ ମହାନଦୀ ତା’ର ମନ-କଥା ଦିନରାତି ନିବେଦନ କରି ଚାଲିଛି । ସତରେ ତା’ର ସେ ‘ଅବୁଝା’ କଥାକୁ–‘ଅଶୁଣା’ ଭାଷାରେ ଶୁଣି ପଥର ଠାକୁର କ’ଣ ଉତ୍ତର ଦେଉଥିବେ କେଜାଣି ! ସେତକ ବୁଝୁଥିଲେ ଆଉ ଛାର ମଣିଷ ହୋଇ ମୁଁ ଥାଆନ୍ତି ନା ?

 

କେତେ କଥା, କେତେ ଆଲୋଚନା ଭିତରେ ଅଜାଣତରେ ପାଦ ତା’ର କର୍ତ୍ତବ୍ୟ ପାଳି ଆଗବଢ଼ା ହେଉଥାଏ । ତଳିପା ପାଣି ଛୁଇଁଲାରୁ ଆଖି, ମନ ମହାନଦୀଆଡ଼କୁ ବାହୁଡ଼ି ଆସିଲା ।

 

ପଣାପାଣି-ସୁଅ ଅପାକ୍ଷାକୃତ ଖର । ଖରାରେ ଆସି ଗରମ ହେଉଥାଏ, ଝାଳ କଣ୍ଟୁଥାଏ ଦିହରୁ । ଗାଧୋଇବାକୁ ଭାରି ଲୋଭ ବଳୁଥାଏ । କିନ୍ତୁ ବୈଷ୍ଣବଭାଇନା ବୈଦ୍ୟଘର ପୁଅ-। ବାପା ତାଙ୍କର ଭାଗବତ ତିଆଡ଼ୀ–ଆଖପାଖ ଗାଁ ଖଣ୍ଡି କେତେର ଡାକବଜା ବଇଦ । ମୋତେ ଏତେବେଳେ ଗାଧୋଇବାକୁ ବାରଣ କଲା ସେ । ଚାହୁଁ ଚାହୁଁ ସୁବର୍ଣ୍ଣପୁର ଗାଁ ମୁଣ୍ଡର ଅତଡ଼ାଖିଆ ନଈକୂଳ, କୂଳକୁ ଲାଗି ଆମ୍ବତୋଟା, ତୋଟା ଛାଇତଳି ସାପପରି ବଙ୍କାଟଙ୍କା ଏକପଦୀ ମାର୍ଗ–ଆମକୁ ବାଟ ମଣାଇଁ ନେଲା ସୁବର୍ଣ୍ଣପୁର ଗାଆଁ ଭିତରକୁ । ଏବେ କ’ଣ ହେବଣି, କହି ପାରୁ ନାହିଁ; ମାତ୍ର ପ୍ରାୟ ୬୦ ବର୍ଷ ତଳର ସେ ଗାଆଁ ଦାଣ୍ଡ ଧୂଳି ଧୂସରିଆ, ଆବୁଡ଼ା ଖାବୁଡ଼ା ଥିଲା । ଗୋହିରୀ ଗଡ଼ାପରି ଗାଆଁ ଭିତରେ ଗୋଟି କେତେ ଅଣଓସାରିଆ ଗଳି ବାଟ ଥିଲା । ୟାକୁ ଚାହିଁଲେ ବଡ଼ାମ୍ବା ଗଡ଼ର ସଡ଼କ ଅବା ଆମ ବାଙ୍କି ଗାଆଁ ଦାଣ୍ଡ ଖୁବ୍ ଓସାରିଆ, ସୁନ୍ଦର । ମୋତେ ଟିକିଏ ଏଠାଟା କେମିତି କେମିତି ଲାଗିଲା; କିନ୍ତୁ ଏ ଧାରଣା ଦିନ ଓଳିକରେ ଓଲଟପାଲଟ ହୋଇଗଲା; ଯେତେବେଳେ ମୋ ବୟସିଆ, ମୋରି ନାଗପାଟ ବୟସିଆ ଅବା ଆଉଟିକିଏ ଊଣା ଅଧିକିଆ କେତେ ଗାଆଁବାଲାଙ୍କ ସମ୍ପର୍କରେ ଆସିଲି ମୁଁ । ବଡ଼ ସ୍ନେହୀ, ଆପଣାଇ ନେଲେ ମୋତେ ଦି’ ଘଡ଼ି ଚାରି ଘଡ଼ିରେ ସେମାନେ । ଭାବିଲି ଦାଣ୍ଡ ସିନା ଧୂଳିଆ–ମଣିଷ କିନ୍ତୁ ମଳିଆ ନୁହନ୍ତି ଏଠି-

 

ନିହାତି ଛୋଟ ଗାଆଁ ନୁହେଁ ସୁବର୍ଣ୍ଣପୁର । ଜଣ କେତେ ଖାସା ଯୋଗ୍ୟ ଲୋକ ବାହାରିଛନ୍ତି ଏ ଗାଆଁରୁ । ମାଟିର ଗୁଣ ଅଛି ବୋଲି ମନେ ମନେ ଭାବିଲି । ମୋର ତ ଏଇ ହେଲା ପ୍ରଥମ ଗାଆଁ ଦେଖା, ଅବଶ୍ୟ ବାଙ୍କିଘର ଆମର ଗୋଟିଏ ଗାଆଁରେ । ହେଲେ, ଆମେ କଚେରି ତଳିଆ । ହାଟ ବଜାର, ଇସ୍କୁଲ, ଡାକ ତାର ଅଫିସ୍, ଡାକ୍ତରଖାନା, ବାଳିକା ଇସ୍କୁଲ, ସଂସ୍କୃତ ଟୋଲ୍ ଇତ୍ୟାଦି ଇତ୍ୟାଦି ସବୁ ଏଠି ଅଛି । ମାନେ–

 

‘‘ଦଉଡ଼ି ନୁହଁକି ଫଉଡ଼ି ନୁହଁ

ବଳି ବଳକିଆଟିଏ ।’’

 

ଏଇ ହେଲା ଆମ ଗାଆଁର ସାରାସାରି ଛବି, ଅର୍ଥାତ୍ ନା ସହର–ନା ମଫସଲ । ସୁବର୍ଣ୍ଣପୁର ଗାଆଁରେ ତ ଏସବୁ ନ ଥିଲା, ତେଣୁ ପହିଲେ ମୁଁ ତାକୁ ଟିକିଏ ନେକ୍ ନଜରରେ ଦେଖିଥିଲି; କିନ୍ତୁ ଲୋକଙ୍କ କଥାଭାଷା, ଚାଲିଚଳଣି, ଆଚାର-ବେଭାର ମୋର ସେ ଧାରଣା ବଦଳାଇ ଦେଲା । ‘ଭାବିଲି’ ହଁ, ମଫସଲରେ ବି ମଣିଷ ପରି ମଣିଷ ଅଛନ୍ତି । ଆଗର ଧାରଣା ପାଇଁକି ନିଜ ଲାଜ ନିଜକୁ ଖାଇଲା । ହେଲେ କାହା ଆଗେ ଚିହ୍ନା ପଡ଼ିବି କାହିଁକି ? ତେଣୁ ମନକଥାଟା କାହାକୁ କିଛି କହିଲି ନାହିଁ ।

 

ସୁବର୍ଣ୍ଣପୁର ଦିନେ ରାଜା ସୁବର୍ଣ୍ଣକେଶରୀଙ୍କର ରାଜତ୍ୱ ସ୍ଥଳି ଥିଲା ବୋଲି ଶୁଣିଲି । ସେ ଗ୍ରାମର ଇଷ୍ଟ ଦେବତା ସୁବର୍ଣ୍ଣେଶ୍ୱର ଆଉ ତାଙ୍କ ଦେଉଳ, ରାଜାଙ୍କ କାଳର ମଉନୀ ସାକ୍ଷୀ ।

 

ସୁବର୍ଣ୍ଣପୁରରେ ଗୋଟିଏ ସ୍କୁଲ ଥାଏ । ରାୟସାହେବ (ପରେ ରାୟବାହାଦୁର) ବିଦ୍ୟାଧର ପଣ୍ଡା ସେ ସ୍କୁଲର ହେଡ଼ପଣ୍ଡିତ । ତାଙ୍କର ଗୀତ, ନାଚ, ନାଟକ ପ୍ରତି ଖୁବ୍ ସରାଗ ଥିଲା–ନ ଥିଲା କଥା କହିପାରିବି ନାହିଁ । ମାତ୍ର ବାଧା ଦେବାର ଦେଖି ନାହିଁ ।

 

ପହଞ୍ଚିବା ଦିନର ରାତିରେ ହେଲା ରିହର୍ସେଲ । ଏଇଠି ମୋତେ ଗୋଟାଏ ସୁବିଧା ଓ ସୁଯୋଗ ମିଳିଲା । ଆମ ଖଳାବାଡ଼ି ନାଟକର ଅବଧାନ ମୁଁ । ବାଣଦର୍ପ ଦଳନ ଗୁରୁଦେବ ରଘୁବାବୁଙ୍କ ନିର୍ଦ୍ଦେଶରେ ଉପସ୍ଥାପିତ ହୋଇଥିଲା । ଏଇ ନାଟକର ରିହର୍ସେଲରେ ପାଇଥିବା ତାଲିମ୍‌ର ପରଖବେଳ ହାବୁଡ଼ିଛି ସୁବର୍ଣ୍ଣପୁର ଗାଆଁରେ ‘ସାବିତ୍ରୀ’ ନାଟକର ରିହର୍ସେଲରେ । କହିବାକୁ ଗଲେ, ନିଜ ଗାଆଁ ବାହାରେ ଏଇ ଗୁରୁଗିରି–ହେଲା ମୋର ପ୍ରଥମଥର ପାଇଁ ଟିକିଏ ଅଧେ ନାଟକର ନିର୍ଦ୍ଦେଶନା ଦେବା ପାଳି ।

 

‘‘ବେକରେ ଢୋଲ ପଡ଼ିଲେ ବଳେ ବଜେଇ ଶିଖନ୍ତି’’ ଆମ ଦେଶର ଏ ଚଳିନ୍ତିକାକୁ କେହି ଠିକ୍ କହୁ ବା କେହି ଭୁଲ୍ କହୁ, ହେଲେ ମୁଁ ଯାହା ଅଙ୍ଗେ ଲିଭାଇଛି, ସେଥିରୁ ବାରିଛି–ଏଇଟା ଜଣେ ପକ୍କା ଅନୁଭବୀର ଛଙ୍କା କଥା ।

 

ହେଡ଼ମାଷ୍ଟର ରଘୁବାବୁଙ୍କ ସନ୍ଥ ଏଡ଼େ ବେଗେ ମନରୁ ପାସୋର ଯାଇ ନ ଥିଲା ମୋର-। ସେଇଗୁଡ଼ିକ କାମରେ ଲଗାଇ ଦେଲି । ତା’ଛଡ଼ା ମୋର ମନେହେଉଛି, କେତେକ ସ୍ଥାନରେ ଠିକ୍ ବିଷୟରେ ଭାବ ଫୁଟାଇବାର ଚାହିଦା ମୁତାବକ କହିବା ଭଙ୍ଗୀ ପ୍ରକାଶ ପାଇଁ ଭାଷା ଯୋଗାଣ ମନକୁ ନ ପାଇଲେ, ନାଟକରେ ଥିବା ଶବ୍ଦକୁ ଟିକିଏ ଅଧେ ଏପଟ ସେପଟ କରିଦିଏଁ ଅଥବା ତା’ ବଦଳିଆ କିଛି ଶବ୍ଦ ଥୋଇଦିଏଁ । କିଟିମିଟିଆ ଶବ୍ଦଗୁରା ମୋର କେମିତି ଦେହ ସୁହାଏ ନାହିଁ-

 

‘ସାବିତ୍ରୀ’ ନାଟକ ଅଭିନୟ ଲାଗି ଯେଉଁ ଦଳେ ଟୋକା ବାହାରିଥିଲେ, ସେମାନେ ମୋତେ ଟିକିଏ ତାଙ୍କଠୁ ଜାଣିଲାବାଲା ବୋଲି ଠଉରେଇଥିଲେ । ଏଇଟା ହେଲା ସବୁଠୁଁ ବଡ଼ ବିପଦ ମୋର । ଏଇଟା କେମିତି ହେବ, ସେଇଟା କେିମିତି କହିବି, କେମିତି ବସିବି, କେମିତି ଠିଆ ହେବି ଇତ୍ୟାଦି ପ୍ରଶ୍ନ ଶଗଡ଼ ମୋ ଉପରେ ଅଜାଡ଼ି ଦେବାରୁ, ବେଳେ ବେଳେ ମୋ ବୁଦ୍ଧି ନିଅଣ୍ଟିଆ ପଡ଼ିଯାଏ । କାଳେ ଧରାପଡ଼ି ଦି’କଡ଼ାର ହେଇଯିବି–ଏଇ ଡରରେ ଗେବରା ଗେବରି କରିବାକୁ ଚିତ୍ତ ଡାକେ ନାହିଁ । ‘ଆଜିତ ବହୁତ ଗୁରାଏ ହେଇଗଲାଣି–ଏଇଟା କାଲିକି ଥାଉ’ କିମ୍ବା ‘ଅମୁକ ଯୋଉଟା ପଚାରିଲେ, ସେଇଟାକୁ ପରା ଠିକ୍ କରୁଛି । ଏଇଟା ଆଗ ହୋଇଯାଉ, ତମକୁ ଶିଖିବାକୁ କେତେ ଘଡ଼ି ଲାଗିବ ଯେ । ମୁଁ କହିଦେବି’–ଏହିପରି ଛଳରେ, ପ୍ରଶ୍ନର ଉତ୍ତର ଠିକଣା କରିବାକୁ ମହଲତ ନିଏଁ । ରିହର୍ସେଲ ସରିଲେ ରାଜେନ୍ଦ୍ରଙ୍କ ଦୋତାଲା ଉପରେ ବହୁତ ଭାବିଚିନ୍ତି ପ୍ରଶ୍ନର ସମାଧାନ କରେଁ–ମୋ ଅନୁସାରେ ଅବଶ୍ୟ ।

 

ଅନେକ ଦିନ ପରେ ବୁଝିପାରିଲି ଯେ, ମଣିଷ ମୁଣ୍ଡରେ ବୋଝ ଲଦାହେଲେ ସେ କିପରି ସମ୍ଭାଳିବାକୁ ଚେଷ୍ଟା କରେ । ଅବଶ୍ୟ ‘ଠାପୁଆ’ ହୋଇଥିଲେ ତା’ କଥା ନିଆରା । ମାତ୍ର ନିଭାଗୁଡ଼ିଆ ହୋଇଥିଲେ ବା ଧିମେଇଁ ଚାଲିଲେ ବି ବେଳସରିକି ସେ ଥାନମୁଣ୍ଡ ପାଆ ନ ପାଆ ହୋଇ ଯାଇପାରିବ । ଆଉ ବୁଝିଲି ପାଞ୍ଚଜଣ ପାଞ୍ଚକଥା ପଚାରିଲେ ଓ ତା’ର ଉତ୍ତର ଦେବାକୁ ଇଚ୍ଛା ଥିଲେ ବୁଦ୍ଧିମାଜି ହେଇଯାଏ । ବେଳେ ବେଳେ ଛାଏଁ ଛାଏଁ ବି କେତେ ନୂଆ ନୂଆ କଥା ଆଖି ଆଗରେ ଭାସିଉଠେ ।

 

ବେଶ୍ ଜୋରସୋରରେ ରିହର୍ସେଲ ପ୍ରାୟ ୭ । ୮ ଦିନ ଚାଲିଲା । ରତାଗଡ଼ ଗାଆଁ ସୁବର୍ଣ୍ଣପୁରକୁ ପାଖ । ସେ ଗାଆଁରୁ ଜଗବନ୍ଧୁ (ସାମନ୍ତରାୟ) ଏଇ ନାଟକରେ ଯୋଗ ଦେଇଥାଆନ୍ତି-। ଜଗବନ୍ଧୁ ମାମଲତକାର ଘରର ପୁଅ । ପାଖ ଆଖ ଗାଆଁରେ ତାଙ୍କ ଘରର ଗୋଟାଏ ଟେକ ଅଛି-। ଜଗବନ୍ଧୁ ଭଲ ଲବଜିଆ ପାର୍ଟ କରନ୍ତି । ନାଟକ ପ୍ରତି ଗୋଟାଏ ଝୁଙ୍କ୍ ଥାଏ ତାଙ୍କର-। ନୋହିଲେ ରାତି ଅନ୍ଧାର, ଗୋହିରୀ ବାଟରେ ଗାଆଁଟାଏ ଛାଡ଼ି ଏ ଗାଆଁଟାକୁ ଆସନ୍ତେ କାହିଁକି ? ତାଙ୍କ ଛଡ଼ା ଓସ୍ତିଆ ଗାଁରେ ତାବଲା ବାଦକ ପଞ୍ଚାନନ ଇତ୍ୟାଦି କେତେକେ ସହଯୋଗ କରୁଥାଆନ୍ତି-। ସୁବର୍ଣ୍ଣପୁରର କୃଷ୍ଣମୋହନ ପଟ୍ଟନାୟକ, ଅନ୍ତରୀ (ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଘର ଗୋଡ଼ି ସାହି ନୂଆଗଡ଼, ସେତେବେଳେ ତାଙ୍କ ବନ୍ଧୁ ରାଜେନ୍ଦ୍ରଙ୍କ ଘରେ ରହି ପାଠ ପଢୁଥିଲେ) ପରମାନନ୍ଦ ମିଶ୍ରେ ଇତ୍ୟାଦି ଏ ଅଭିନୟରେ ଯୋଗ ଦେଉଥାଆନ୍ତି ।

 

ଗାଆଁ ଦାଣ୍ଡ ପାଖରେ ଗୋଟାଏ ଖୋଲା ଜାଗାରେ ଷ୍ଟେଜ୍ ତିଆରି ହେଲା । ନିର୍ଦ୍ଦିଷ୍ଟ ଦିନ ସଞ୍ଜବେଳକୁ ରଙ୍ଗ ବୋଳାବୋଳି କାମ ସାରି, ପଞ୍ଚଲାଇଟ୍ ଆଲୁଅରେ ଥିଏଟର୍ ଚାଲିଲା । ଗାଆଁ ଲୋକେ ଖୁସି ହୋଇଗଲେ । ମୁଁ ପାର୍ଟନେବା ବାହାରେ, ନାଚିଥିଲି ଏଠି, ମାତ୍ର କି ନାଚ ସେ କେଜାଣି ! ତାଳରେ ଗୋଡ଼ ପକାଇବା କଥା ମନମାଫିକେ ହାତ ହଲାଇବା କଥା । ଗୀତ ୨।୪ ଟି ଗାଇଥିଲି । ଏସବୁ ପାଇଁ ପ୍ରଶଂସା ଯେମିତି ପାଇଲି ନାଟକ ବାସି ଦିନ ସେମିତି ଜଣକେତେ ବୁଢ଼ାବୁଢ଼ୀ ପୁରୁଖା ଲୋକ ମୋ ନାଚିବାଟାକୁ ଭଲ ଆଖିରେ ଦେଖିଲେ ନାହିଁ ବୋଲି ଶୁଣା ପାଇଲି-। ‘ଅତି ଅଲାଜୁକ’ ନ ହେଲେ ପରା କେହି ନାଚନ୍ତି ନାହିଁ । ଦୁର୍ଗାଚରଣବାବୁ ଏଡ଼େ ଯୋଗା ଲୋକ ହେଇ ପିଲାଟାକୁ ‘ଛତରା’ କରି ଦେଉଛନ୍ତି ? ଏକଥା ଶୁଣି ମନଟା ଟିକିଏ ମରାମରା ହୋଇଗଲା-। ବୈଷ୍ଣବଭାଇନା ଓଗେର ମୋ ମନ ବହଲେଇବାକୁ ନାନା ଫନ୍ଦି କଲେ ।

 

ଅଂଶୁପା ଦେଖା :

 

ଅଂଶୁପା ଦେଖିଯିବାଟାକୁ ତ ମୁଁ ଆମ ଗାଆଁରୁ ଗୋଡ଼ କାଢ଼ିଲା ଆଗରୁ କରାଇ ନେଇଥିଲି । ବାସ୍, ଏଥର ସେଇକଥା ପଡ଼ିଲା । ମୁଁ, ବୈଷ୍ଣବଭାଇନା, ଆଉ ଅନ୍ତରୀ (ଅନ୍ତର୍ଯ୍ୟାମୀ) ସାଥୀ ହୋଇ ଅଶୁଂପା ଦେଖି ଯିବାର ଠିକଣା ହେଲା ।

 

କିଛି ଚୁଡ଼ା, ପାଚିଲା କଦଳୀ ଓ ନବାତ ସାଥିରେ ଧରି ତହିଁ ଆରଦିନ ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହଉଥାଏ; ଆମେ ତିନିହେଁ ଅଗାଧୁଆ ପଲାଶିଲୁଁ ଅଂଶୁପା ଦେଖିବାକୁ ।

 

କଅଁଳ ଗାଧୁଆବେଳ ସରିକି ଅଂଶୁପା କୂଳରେ ପହଞ୍ଚିଲୁ । ଜୀବନରେ କେବେ ଏଡ଼େବଡ଼ ପାଣିଥିବା ଥାନ ଦେଖି ନ ଥିଲି । ଖୁସିରେ ମନ ପୂରିଉଠିଲା । ଭୋକ ହେଲାଣି ସେତେବେଳକୁ । ହ୍ରଦରେ ଗାଧୋଇ ଆଗେ ଖାଇଦେଇ ସାରି ତା’ପରେ ବୁଲାବୁଲି କରିବା ଏଇ ହେଲା ପ୍ରସ୍ତାବ ।

 

ଏଡ଼ିକି ଓଲୁ ! ଚୁଡ଼ା ଧୋଇବୁ କୋଉଥିରେ, ଖାଇବୁ କୋଉଥିରେ ? ବାସନକୁସନ ତ କିଛି ନାହିଁ । ସମସ୍ତେ ସମସ୍ତଙ୍କୁ ଦୋଷ ଦିଆଦେଇ ହେଲୁଁ । ବୈଷ୍ଣବଭାଇନା ବୁଦ୍ଧି ପାଞ୍ଚି କହିଲା, ‘ବୋକାଗୁଡ଼ାକ ! ରହ, ସବୁ ଯୋଗାଡ଼ ହୋଇଯିବ । ଅଂଶୁପା କୂଳରେ କେଉଟଙ୍କ ମାଛଧରା ହୁଲି କାଠୁଆ କିଳାରେ ଖଟା ହୋଇଥିଲା । ସେଥିରୁ ସେ ଗୋଟିଏ ସେଢୁଅ (ସୋଢୁଅ ବୋଲ ମଧ୍ୟ କହନ୍ତି) ଆଣିଲା । ଏଇଠି କାଠ ତିଆରି ଟିକି ଡଙ୍ଗାଟିଏ ପରି । ଡଙ୍ଗାରେ ଫାଟ ଥିଲେ ଓ ପାଣି ପଶିଲେ ନାଉରୀଏ ଏଇ ସେଢୁଅରେ ଡଙ୍ଗା ଭିତରୁ ପାଣି ଉଝାଳି ଦିଅନ୍ତି । ତାକୁ ଆଚ୍ଛା କରି ଧୁଆମଳା କରି ସେଥିରେ ଚୁଡ଼ା ରଖାଗଲା । ଚୁଡ଼ାକୁ ବତୁରାଇ ଧୋଇ, ପଦ୍ମପତ୍ରରେ କଦଳୀ ଚକଟା ତିଆରି ହେଲା । ଅନ୍ତରୀ ଟିକିଏ ଚାଖି କହିଲା–ଚକଟା ପାଗଟା ଭାରି ବଢ଼ିଆ ହେଇଛି–ବଡ଼ ସୁଆଦ ।

 

ମୁଁ ବୋଇଲି ‘‘ହଇରେ ଭାଇ ! ଭୋକ ସୁଆଦ ନା ଭାତ ସୁଆଦ ?’’ ସତରେ ଭଲ ଲାଗୁଥାଏ । ୟା ସାଙ୍ଗକୁ ଲୁଣ ଆଉ ରାଗ, ଆଉ ଆଚାର ଟିକିଏ ହେଲେ–ତା’ ମଜା କାହିଁକି ପଚାରୁ-?

 

ବୈଷ୍ଣବଭାଇନା କହିଲା, ଲୁଣ ମିଳିବା କଥା ସେମିତି ସେମିତି । ଖଟା ଆଉ ରାଗ କଥା ଦେଖିବା, ବସ । ହୁ କରି ସେଇଠୁ ସେ ନଟାରେ ପଶିଗଲା । ଅଂଶୁପା କୂଳକୁ ଲାଗି ପାଚେରି ପରି ମୁଣ୍ଡିଆ ଠିଆ ହୋଇଛି । ତାଆରି ଭିତରକୁ ଯାଇ ବୈଷ୍ଣବଭାଇନା ଗୁଡ଼ିଏ କୋଳି ଆଉ ଟିକି ପତର ତୋଳି ଆଣିଲା । ପାଣି କୂଳରେ ଆମ୍ବିଳିତି ଲତା, କିଛି ପତ୍ର ସେଥିରୁ ଆଣି, ବଣରୁ ଆଣିଥିବା ପତ୍ର ସହିତ ମିଶାଇ, ଦି’ଖଣ୍ଡ ପଥରରେ ଛେଚା ହେଲା । ଆମ୍ବିଳି ଆମ୍ବିଳି, ରାଗୁଆ ରାଗୁଆ ଲାଗୁଥାଏ–ମନ୍ଦ ନୁହେଁ । ପଚାରି ବୁଝିଲି ବଣୁଆ ତୁଣ୍ଡପୋଡ଼ା ଗଛରୁ ପତ୍ର ଆଣିଛି ସେ । କୋଳି ବି ସେଇ ଗଛର । ଖାଇବସିବାକୁ ଯାଉଛୁଁ । ଠିକ୍ ଏତିକିବେଳେ ଶୁଭିଲା ଟିପା ଶବ୍ଦ ଟିକିଏ ଦୂରରେ, ମୁଣ୍ଡିଆ ଉପରେ ବଣ ଭିତରେ ଖୁସି ହୋଇ ବୈଷ୍ଣବଭାଇନା କହିଲା–ଆରେ ସବୁର୍ କର, ଲୁଣ ବକଟେ ବି ମିଳିଲେ ମିଳିଯାଇପାରେ ।

 

ଟିପାଶବ୍ଦ କାନେଇଲୁଁ–ଶୁଭୁ ନାହିଁ ? ବୁଝିପାରିଲି ନାହିଁ ମୁଁ । ବୈଷ୍ଣବଭାଇନା କହିଲା, ‘‘ଏଇ ଯୋଉ ଟପ୍ ଟପ୍ ଶବ୍ଦ ଶୁଭୁଛି, ସେ କ’ଣ ଜାଣୁନା ? ଗଉଡ଼ ଗୋରୁଗୋଠ ପକେଇଛି । ଗାଈ ବାଛୁରୀ ବଣ ଭିତରେ କୁଆଡ଼େ ଗୋଠବଣା ହୋଇ ହଜିହାଜି ଯିବେ, ଅବା ଓଲେଇ ଗାଈ କି ଓଲିଆ ବଳଦ ଗୋଠରେ ଥିବେ–ତାଙ୍କ ବେକରେ ଗୋଟିଏ ଗଣ୍ଠିଆ ବାଉଁଶର ଚାଖଣ୍ଡେ ଲମ୍ବର ନଳି ଓହଳାଇ ଦେଇ ଥାଆନ୍ତି । ତା’ ଦେହରେ ବାଜିବାକୁ ବାଉଁଶ ଦି’ ପଟରେ ଦି’ଖଣ୍ଡ ସାନ ବାଉଁଶ ଝୁଲାଇ ଦିଅନ୍ତି । ସେଇଟାକୁ କହନ୍ତି ଟିପା; ତୁମେ ବସ ମୁଁ ଲୁଣ ଯୋଗାଡ଼ କରେଁ । ମୁଁ କୁଣ୍ଠିତ ହୋଇ କହିଲି–ଛି, ଛି, ନ ହେଲେ ନାହିଁ ପଛେ, ଲୁଣ ଚିମୁଟାଏ ମାଗିବା ?

 

ଭାଇନା କହିଲା–‘‘ଆରେ ଅକାଳେ ନିୟମ ନାସ୍ତି । ଚଳିଯାଉ କାମ ।’’

 

ମନା ଶୁଣିବା ବେଳକୁ ସେ ଡିଆଁଟାଏ ମାରି ମୁଣ୍ଡିଆ ଉପରେ ହାଜର । ସତକୁ ସତ ଲୁଣ ଅଣାହେଲା । ଚକଟା ସାଙ୍ଗକୁ ରାଗ ଖଟା ଆଉ ଲୁଣ–ମନ୍ଦ ହେଲା ନାହିଁ ବଣଭୋଜିଟା ।

 

ଭୋଜନ ପର୍ବ ପରେ, କାଠୁଆରେ, ବସି ହ୍ରଦରେ ବୁଲି, ନାଆ ଖେଳ ଆଉ ଗୀତ ଗାଇ ଚାରିପଟ ପାହାଡ଼ କାନ୍ଥି ଚମକାଇ ପ୍ରତିଧ୍ୱନି କାନେଇବା ମଉଜ । ସେ ଆନନ୍ଦ ଅଭୁଲା ଏ ଜୀବନରେ । ଅଂଶୁପାରେ ବହୁତ ଶିଙ୍ଗଡ଼ା ଫଳ ଲଟି, ଖାଲି କଣ୍ଟା ବାଲୁ ବାଲୁ । ହାତରେ କଣ୍ଟା ଫୋଡ଼ି ହୋଇ ଯାଉଥାଏ । ତଥାପି ଲୋଭ ତ ! ଗୁଡ଼ାଏ ଶିଙ୍ଗଡ଼ା ତୋଳିଲୁଁ । ବୁଲୁ ବୁଲୁ ଗୋଟାଏ ଠାଆରେ କାତ ପାଇଲା ନାହିଁ । ଏଣେ ଶିଙ୍ଗଡ଼ା ନଟାରେ କାଠୁଆ ଛନ୍ଦି ହୋଇଗଲା । କୂଳ ଦି’ପାଖରେ ନୁହେଁ । କାତରେ ଯେତେ ଆଡ଼ିଆ ଆଡ଼େଇ କଲେ ବି ଶିଙ୍ଗଡ଼ା ନଟା ଯେମିତି ଆମକୁ ବାଟ ଛାଡ଼ିବାକୁ ନାରାଜ । ପହଁରା ଆସେ ନାଇଁ ମତେ । ତା’ଛଡ଼ା ପହଁରା ଜାଣିଥିଲେ ବି ଏ ଅବସ୍ଥାରେ କ’ଣ ଲାଭ ? ଲଟାରେ ଗୋଡ଼ହାତ ଛନ୍ଦି ହୋଇଯିବା କଥା ସିନା ! ମନେ ମନେ ଖାଲି ମା’ ଚର୍ଚ୍ଚିକାଙ୍କୁ ଡାକୁଥାଏ । ବହୁତ କଷ୍ଟରେ କାତ ବାଉଁଶରେ ବାଡ଼େଇ ବାଡ଼େଇ କେମିତି ଟିକିଏ ସରୁ ବାଟ ମିଳିଲା । ସେଇଠୁ ସିଧାସଳଖେ କୂଳମୁହାଁ କରି କାଠୁଆ ମେଲିଲୁ । ଆର କୂଳରୁ କାଠୁଆଟି ଆଣିଥିଲୁଁ । ଏ କୂଳରେ ଓହ୍ଲାଇଛୁଁ । କାହା କାଠୁଆ ଜଣା ନାହିଁ । ଗାଳି ଭରଣ ନିଶ୍ଚେ, ପାହୁଲାଏ ହବ । ସେ ଯାହା ହେବାର ହେଉ, ପଛରେ ସିନା ଆଗରେ ତ ନୁହେଁ । ସୂର୍ଯ୍ୟ ଢଳିଗଲେ ପାହାଡ଼ ଶିଖ ଆରପଟକୁ, ହ୍ରଦ ପାଣି ଉପରେ ଆଉ ଖରା ନାହିଁ । ପାହାଡ଼ରେ ଅନ୍ଧାରିଆ ଛାଇ ଚରିଗଲାଣି । ବେଗେ ଗାଆଁକୁ ବାହୁଡ଼ିଯିବା କେମିତି, ସେଇ ଚିନ୍ତା ପଡ଼ିଲା ଆମର । ତୋଳିଥିବା ଶିଙ୍ଗଡ଼ା ନିଜ ଗାମୁଚ୍ଛା କାନିରେ ବାନ୍ଧିବସିଲା ବୈଷ୍ଣବଭାଇନା । ମୁଁ କହିଲି–‘‘ଆରେ, ଆମେ ତ କାହାର ନାଇଁ କାହାର ନାଆ ଆଣି ମଉଜ କଲେଁ । କିଳାରେ ବି ନାଆ ଖଟାଇ ଦେଲେ ନାଇଁ, ପବନ ପିଟିଲେ ନାଆଟି ପାଣି ଭିତରକୁ ଭାସିଯିବା ଅସମ୍ଭବ ନୁହେଁ । କିଛି ଶିଙ୍ଗଡ଼ା ନେବା, କିଛି ସେ ନାଆବାଲାର ଭଡ଼ା ମଜୁରାକୁ ଥୋଇ ଦେଇ ଯିବା ।

 

ହସି ହସି ସେ ଦୁହେଁ ହଁ ଭରିଲେ । ଅଧା ସେ ଅଜଣା ନାଆବାଲାର, ଅଧା ଆମର । ଭାଗ ବଣ୍ଟା ହୋଇଗଲା ।

 

ଫେରୁ ଫେରୁ ବେଳ ରତ ରତ ହେଉଥାଏ । ଘର ହେଇଥିଲେ କପାଳରେ କେତେ ଗାଳି ବର୍ଷିଥାଆନ୍ତା । ଏଠି ଯେଉଁମାନେ ଆମକୁ ଡକାଇ ଥିଲେ, ସେମାନେ ବାହୁଡ଼ିବାରେ ଉଛୁର ହେବାରୁ ଅବଶ୍ୟ ଟିକିଏ ବ୍ୟସ୍ତ ହେଉଥିଲେ । ହେଲେ ବେଶି କିଛି ନ କହି ଦୋଅଡ଼ା ବାଢ଼ିଦେଲେ ।

 

ଉଷା ନାଟକ ଓ ମୋ ଗୁରୁପଣିଆ :

 

ରାତିକି ଗୋଟି ଗୋଟି ହେଇ ରାଜେନ୍ଦ୍ର ଘରେ ପିଲାଏ ଜୁଟିଗଲେ । କଥା ପଡ଼ିଲା ବାବାଜୀ ନାଟକ ଏଠି କରିବା, ଆରଥରକୁ ବଡ଼ଦିନ ଛୁଟିରେ ।

 

ସୁବର୍ଣ୍ଣପୁରରେ ‘ଅପାଳକ ରାଇଜକୁ ବିଜୁଳି ଲକ୍ଷେ ଟଙ୍କା’ ଭଳି ମୁଁ ନାଟକ ଶିଖାଇବାର ଗୁରୁ ବଛା ହେଲି । ପାଠଗୁରୁ ଓ ନାଟଗୁରୁ ରଘୁବାବୁ ମୋତେ ଚର୍ଚ୍ଚିକାରେ ଥିଏଟରବେଳେ ବତାଇଥିଲେ ସ୍ଥାନେ ସ୍ଥାନେ ଗୋଟିଏ ଗୋଟିଏ କଥା ଶବ୍ଦ ପ୍ରୟୋଗର କି ବିଶେଷତ୍ୱ ଅଛି ଓ ସେଇ ଜାଗାରେ ଅନୁରୂପ ଅର୍ଥବୋଧକ ଆଉ ଗୋଟିଏ ଶବ୍ଦ ଖଞ୍ଜିଲେ କିପରି ଶୁଣାଯିବ ଇତ୍ୟାଦି ।

 

ଆଉ ଗୋଟିଏ କଥା ଗୁରୁ କହିଥିଲେ ଯେ କଥା କହିବାରେ ମଧ୍ୟ ତାଳ କାଳ ବିଚାର ଅଛି । ଅବଶ୍ୟ, ତାଳ ଗୀତର ତାଳପରି ନୁହେଁ । ଏଇଟା କ୍ରିୟାସିଦ୍ଧ ବା Practical, ତେଣୁ ଲେଖାରେ ଫୁଟାଇବା ସମ୍ଭବ ନୁହେଁ ।

 

ଦିନେ ନୁହେଁ କି ଥରେ ନୁହେଁ, ଶିଖାଇବାବେଳେ, ଦରକାର ଦେଖି ଏମିତି ବହୁତ ବହୁତ କଥା ସେ ବୁଝାଇ କହନ୍ତି । ପରେ ସେଗୁଡ଼ିକ ମୋର ଏତେ କାମ ଦେଉଛି ଯେ, ତା’ ଆଉ କହିହେବ ନାଇଁ । ଶୁଝି ହେବ ନାହିଁ, ଗୁରୁଙ୍କ ଋଣ ।

 

ଗୁରୁଙ୍କର ଏଇ ଛାଟଖାଇ ମୁଁ ବଡ଼ଚାଟ ବନିଲି । ଆଉ ଗୋଟିଏ ନାଟକରେ ରିହର୍ସେଲ ଚାଲିଥାଏ । ସାତଦିନ ପରେ ଖେଳା ହେବ । ନାଟକଟିର ନାମ ‘ଭାଷା’ ।

 

ନିର୍ଦ୍ଦିଷ୍ଟ ଦିନରେ ଉଷା ନାଟକର ଅଭିନୟ ପରସାଗଲା । ଉଷା ପାର୍ଟ ନେଇଥିଲି ମୁଁ । ଆଉ ଅଭିନୟ କରିବା ଛଡ଼ା ନାଚିଥିଲି ବି । ଏଥର ପିଲାଙ୍କ ଅନୁରୋଧରେ ପୁଣି ମୋତେ ଦ୍ୱିତୀୟଥର ପାଇଁ ନାଚିବାକୁ ପଡ଼ିଲା । ଦେହରୁ ଗମଗମ ଝାଳ ବହି ଯାଉଥାଏ । ଲାଜ ଓ ଛାନିଆରେ କାହାରିକୁ ନ ଚାହିଁ ନାଚିଲି ମୁଁ । ସତ କହିବାକୁ ଗଲେ ‘ନାଚ ନା ଫାଚ ?’ ବେଙ୍ଗର ନକଲ–ଫକର–ଫକର ଡେଇଁବା କଥା ସେ । ଗୀତଫିତ କିଛି ନାହିଁ, ପାରିଜାତର ଧାର ଧାରିବାକୁ ନାଇଁ । କାହିଁକି ଯେ ନାଚିଲି, ସେକଥା ଜାଣି ନାହିଁ ମୁଁ । ଷ୍ଟେଜରେ ଦରକାର ଗୋଟାଏ ନାଚ–ବାସ୍ ସେତିକି ।

 

ଆମ ସାଙ୍ଗସାଥିଏ କହିଲେ, ‘ଭଲ ନାଚିଲୁ’ । ତା’ ଆଉ କହନ୍ତେ ନାଇଁକି ? ନଇଲେ ଯେ ମନଟା ମୋର ଭାଙ୍ଗିଯିବ । ଏମାନେ ତ ଯାହା କହିଲେ–କହିଲେ, କେତେକ ଯାତ୍ରାଦଳିଆ ନାଟକ ଦେଖିଥିଲେ । ସେମାନେ ପୁଣି ଆସି କେତେ ଟେକି ପକେଇଲେ । ହେଲେ, ମୁଁ ବଡ଼ାମ୍ୱା ଗଡ଼ରେ ନାଚ ଦେଖି ଦେଖି ଥେଇଆ, ମୋତେ ଏମାନେ ଭୁଲାଇବେ କ’ଣ ? ସତରେ ଭଲ ହେଲା ନାହିଁ । ମୋ ମନ ତ ମାନିଲା ନାଇଁ, ଏମାନେ ଯେତେ କହିଲେ କ’ଣ ହେବ ?

 

ନାଟକ ଲୋକଙ୍କର ପସନ୍ଦ ହେଲା । ସଭିଏଁ ଯେଝା ପାର୍ଟ ଭଲ କଲେ । ବାହାଦୁରି ମୋର ନୁହେଁ ମୋଟ–ବିଦ୍ୟାଗୁରୁ, କଳାଗୁରୁ ନମସ୍ୟ ରଘୁବାବୁଙ୍କ ଛାଟର । ସ୍ୱର୍ଗର ଦେବତା ସେ ଆଜି । ‘‘ଗୁରୁ ସାକ୍ଷାତ୍ ପରଂବ୍ରହ୍ମ... ତସ୍ମୈ ଶ୍ରୀ ଗୁରବେ ନମଃ ।’’

 

ତୁଣ୍ଡରେ କହିଦେଲେ କି ମନରେ ଭାବି ପକାଇଲେ ଯେବେ ସବୁ କଥାର ମୁଣ୍ଡମାରି ହୋଇଯାଉ ଥାଆନ୍ତା, ତେବେ ତ ଏ ମାଟିର ଦୁନିଆଁ, ପାଲଟି ଯଆନ୍ତା ସୁନା ମୁଣ୍ଡା ଟିକିଏ ମନ ଫଟାଫଟି ହୋଇ ‘ବାବାଜୀ’ ନାଟକ ଅଭିନୀତ ହେବାର କଳ୍ପନା, ‘ବଇଷମ ହେବାର ନୋହିଲା’ ପରି, ଗଜାରୁ ଡଙ୍କେ ମାଡ଼ି ହୋଇଗଲା । ବଡ଼ଦିନ ଛୁଟିରେ ଆଉ ବାବାଜୀ ନାଟକ ସୁବର୍ଣ୍ଣପୁରରେ ମଞ୍ଚସ୍ଥ ହେଲା ନାହିଁ । ମୁଁ ଘରକୁ ଫେରିଲି ।

 

ଅଓ୍ୱାର ଡେ :

 

ଡିସେମ୍ବର ମାସ । ଭାରି ଜାଡ଼ ପଡ଼ିଥାଏ । ସେ ବର୍ଷ Our day celebration ପାଇଁ ଚାରିଆଡ଼େ ଧୁମ୍‍ଧାମ୍ ଲାଗିଥାଏ, ବିଶେଷତଃ ଆମ ଚର୍ଚ୍ଚିକା ସ୍କୁଲରେ । ଭାରତ ସମ୍ରାଟ ପଞ୍ଚମ ଜର୍ଜଙ୍କ ଗଦିନସିନ ଉତ୍ସବ । କମ୍ କଥା ତ ନୁହେଁ । Most Obedient Servant ବା ଏକାନ୍ତ ଅନୁଗତ ନଉକରମାନଙ୍କର ପ୍ରଭୁ ପଦାରବିନ୍ଦରେ ଆନୁଗତ୍ୟ ନିବେଦନର କୁମ୍ଭମେଳା ଯୋଗ । ଦରଖାସ୍ତ ବା ଚିଠି ଲେଖା ତଳେ ଲେଖିବାକୁ ହେଉଥାଏ, ‘‘I have the honour to be Sir, your most obedient servant’’–ଅମୁକ । ମୁଁ ଏଇ ପାଠରେ ଓଡ଼ିଆ ତର୍ଜମା କରିଥାଏଁ ।

‘‘ଅଛି ହେବାକୁ ତୁମ୍ଭର ଚିର ନଉକର,

–ଆହେ ମହାବାହୁ’’

ସାଥୀ ପିଲାଏ ଏ ତର୍ଜମା ଶୁଣି ହସନ୍ତି ।

‘ଆକାଶ କଇଁଆକୁ ଚିଲିକା ମାଛ’ ପରି କାହିଁ ସେ ସାତସମୁଦ୍ର ପାରି ବିଲାତ–କାହିଁ ଆମ ଭାରତ ! ତଥାପି ଉତ୍ସବ ପାଳନର ଆଡ଼ମ୍ବରରେ ତ୍ରୁଟି ନ ଥିଲା । ସଭାମଣ୍ଡପ ସଜଭଟ, ତୋରଣ ବନ୍ଧାବନ୍ଧି, ମକଦଲ ଫୁଲମାଳ ଟଙ୍ଗାଇବା, କାଗଜ କଟା, ପତାକା ଝୁଲାଇବା ଇତ୍ୟାଦି ଇତ୍ୟାଦି–ତୁଚ୍ଛା ବେଠ କାମ, ଶୀତଦିନେ ବି ଝାଳନାଳ ହୋଇ କରିବାକୁ ପଡ଼ୁଥାଏ–ଆପଣା କାମ ପରି ଭାରି ଉତ୍ସାହରେ । ବିଲାତବାଲାଏ ସତେଯେମିତି, ତାଙ୍କ ଧ୍ୟାନ ଦୃଷ୍ଟିରେ ବାଙ୍କି ଚର୍ଚ୍ଚିକାରେ ଏଇ ମାଇନର ସ୍କୁଲ ପାଖ ଆମ୍ବତୋଟା ଗହଳରେ ଆୟୋଜନକୁ ଅନାଇଁ ବସିଛନ୍ତି ।

 

ଆମ ପିତୃପୁରୁଷ ଆମ ହାତର ପିଣ୍ଡକୁ ଚାହିଁ ରହିଛନ୍ତି କି ନାହିଁ, ସେ କଥା କହିପାରିବି ନାହିଁ । ହେଲେ, ଆମେ ତ ପୁଣି ଶୁଦ୍ଧପୂତ ଭାବରେ ତୁଳସୀକଣ୍ଠିଆ ହୋଇ ସାଲିଆନା ଶ୍ରାଦ୍ଧ କରୁଁ । ବଡ଼ବଡ଼ିଆଙ୍କୁ ପୟା ଆମାବାସ୍ୟା ଦିନ ଅନ୍ଧାର ରାତିରେ ଉଜ୍ଜ୍ୱଳବତୀ ଦେଖାଇ ବାଟ ମଣାଉଁ ।

 

ଏ ସେମିତି ଅଦେଖା ବନ୍ଧୁଙ୍କ ପାଇଁ ବତିଜଳା କଥା । ଆଗେ ଯେ ଗୀତ ଗାଉଥିଲା ତା’ର ଏକଶବ୍ଦୀ ଉପାଧିସ୍ଥଳେ ପ୍ରତିଶବ୍ଦ ହେଲା–‘ଛତରା’ । କିନ୍ତୁ ଏବେ ଏମିତି ସଭାସମିତିଟାଏ ହେଲେ, ଗୀତ ବୋଲା ହେବା ମୁକର । ତେଣୁ ଦିନାକେତେ ବେଶ୍ ଜୋରସୋରରେ ଗୀତର ମାଡ଼ାଣ ଚାଲିଲା । ଓଡ଼ିଶୀ ଢାଞ୍ଚାରେ ଗୀତ ରଚନା କରିଥିଲେ ଆମ ହେଡ଼ମାଷ୍ଟ୍ରେ ରଘୁବାବୁ–‘‘ଭାଗ୍ୟରବି ଜମ୍ବୁଦ୍ୱୀପେ ଉଇଁଲାରେ, ବିଭୁ କୃପାରୁ ଏଣିକି ।’’

 

ଏଇ ମୂଳ ଧାଡ଼ିକ କୋଉ ଭାଗ୍ୟରୁ ଅବଧି ହେତୁ ଅଛି ମୋର । ୧୯୧୧ ସାଲର କଥା କୁଆଡ଼େ ସାତତାଳ ପଙ୍କ ଭିତରେ ପୋତିହୋଇଗଲାଣି । ଏ ଗୀତଟି ଛଡ଼ା ସେତେବେଳର ବାଙ୍କି ଦୋପଟି କିଲଟର (ତହସିଲଦାର ମଧ୍ୟ ତାଙ୍କୁ କହୁଥିଲେ ଲୋକେ) ସ୍ୱର୍ଗତ ବାବୁ ବାଳମୁକୁନ୍ଦ କାନଗୋଇ (ଆମ ନିତ୍ୟାନନ୍ଦବାବୁଙ୍କ ପିତା)ଙ୍କ ବରାଦ ମତେ ମୁଁ ଆଉ ଗୋଟିଏ ଗୀତ ସେଇ ସଭାରେ ମଧ୍ୟ ଗାଇଥିଲି ।

 

ସଭା ସରିଲା, ମିଠେଇ ବଣ୍ଟା ହେଲା । ଗୋଟାଏ ଗୋଟାଏ ଧୋବଲା ମେଡ଼ାଲ ଛାତିରେ ଝୁଲାଇ ଆମେ ଘରକୁ ଫେରିଲୁ–ସତେଯେମିତି କୋଉ ଗଡ଼ ଜିଣିଆସିଛୁଁ । ପା’ତଳେ ପଡୁ ନାହିଁ ।

 

ରାତିକି ପୁଣି ନାଚତାମସାର ବ୍ୟବସ୍ଥା ହୋଇଛି । ଏଥର ଆଉ ସେ ତଳଘଟି ଯାତ୍ରାଦଳ ନାହାନ୍ତି । ଚର୍ଚ୍ଚିକା ଗାଁ ପଧାନ ଘର ଦାସ ମହାପାତ୍ରେ ଓ ତାଙ୍କ ଭାଇ ତା’ର ମହାପାତ୍ରେ ଗୋଟିଏ ଯାତ୍ରାଦଳ ଗଢ଼ିଥାଆନ୍ତି । ସେଇଦଳ ଯାତ୍ରା ଦେଖାଇଲେ । ହେଲେ ତଳଘଟିଆ ଯାତ୍ରାବାଲାଙ୍କ ସମକକ୍ଷ ହେଲେ ନାହିଁ । ରଣପୁର ଗାଆଁ ଦଣ୍ଡଯାତ ସରସ ହେଲା । କେତେବର୍ଷ ତଳେ ବଡ଼ାମ୍ୱାରେ ଦେଖିଥିବା ଦଣ୍ଡଯାତ୍ରାଠାରୁ ଏମାନଙ୍କର ଯାତ୍ରା ଢଙ୍ଗଢାଙ୍ଗ ଟିକିଏ ନିଆରା । ଗୀତର ସ୍ୱର ପ୍ରାୟ ଏକାପରି, ମାତ୍ର ରଚନାରେ ତଫାତ୍ ଥିଲା । ବେଶପୋଷାକ ଚକଚକିଆ ।

 

ଗୋବିନ୍ଦ ରଥଙ୍କ ଆଶୀର୍ବାଦ :

 

ଆମେ ଟୋକାପଞ୍ଝାଏ ଆମ ଥିଏଟର ଆଖଡ଼ା ରଗଡ଼ ଛାଡ଼ି ନ ଥାଉଁ । ମଝିରେ ମଝିରେ ଯାହା ମିଳିଲା ଖଣ୍ଡିଏ ନାଟକ ଅଭିନୟ ବି ଆମର ଚାଲିଥାଏ । ‘‘ପର୍ଶୁରାମ ବିଜୟ’’ ନାଟକ (ସ୍ୱର୍ଗତ ହରିହର ରଥଙ୍କର) ସେଥିମଧ୍ୟରୁ ଅନ୍ୟତମ ମୋ ଯୋଗାଡ଼ ଓ ନିର୍ଦ୍ଦେଶନାରେ ଏ ନାଟକଟି ଭଲ ଉତୁରି ଯାଇଥିଲା ।

 

ଏତେବେଳେ ଆମ ବାଙ୍କିରେ ସ୍ୱର୍ଗତ ଗୋବିନ୍ଦ ରଥଙ୍କ ନାଆଁ ଖୁବ୍ ଡାକବଜା ଥିଲା । ତାଙ୍କ ଘର ଗୋପାଳପୁର । ପାଟପୁର ଆଉ ଗୋପାଳପୁର ଦୁଇଟି ଗାଆଁ ବୋଲାଏ, ହେଲେ କ’ଣ ହେବ–ପାଖକୁ ପାଖ ଲଗାଲଗି, ପ୍ରାୟ ଦୁଇଟି ସାହିପରି । ଆମ ଘରଠାରୁ ଅଢ଼େଇମାଇଲ ଦୂର । ରଥେ ଅଧିକ ସମୟ କଟକରେ ରହୁଥିଲେ । ବଢ଼ିଆ ଲେଖକ କବି ସେ । ତାଙ୍କରି ‘ବର୍ଣ୍ଣବୋଧକ’ (ବର୍ଣ୍ଣବୋଧ ନୁହେଁ) ମୋର ଆଦ୍ୟ ପାଠ ବହି । ସମାଲୋଚନାମୂଳକ ବ୍ୟଙ୍ଗ କବିତା ଲେଖିବାରେ ସେ ବି ଧୁରନ୍ଧର । ଗୋବିନ୍ଦ ରଥେ ଖାରା ଲୋକ । ଲାଞ୍ଚ, ମିଛ, ଅନ୍ୟାୟ, ଅତ୍ୟାଚାର ତାଙ୍କ ଦେହରେ ଯାଏ ନାହିଁ । ଏଇଥିପାଇଁ ସେ ବାଙ୍କି ଡେପୁଟିମାନଙ୍କ ବିରୋଧରେ ମାଲିମୋକଦ୍ଦମା କରି ସେମାନଙ୍କ ଆଖିର ଶୁଖୁଆ କଣ୍ଟା ହୋଇଥାଆନ୍ତି । ଜଣେ ଡେପୁଟି ତାଙ୍କ ମକଦ୍ଦମା ଫଳରେ ବାଙ୍କିରୁ ବିଦାୟ ହେବାବେଳେ ସେ ଗୋଟିଏ କବିତା ଲେଖିଥିଲେ । ସେ ବହି ଛାପା ହୋଇଛି କି ନାହିଁ ଜାଣେ ନାହିଁ । ଅନେକ ପଦ ଭିତରୁ ଗୋଟିଏ ପଦ ପୂରାପୂରି ମନେଅଛି ମୋର–

 

‘‘ମାଣିଆ ବନ୍ଧୀ କପଡ଼ା

ରଖିଛି ଦୁଇଶ ଯୋଡ଼ା

ଆଉ କି ପ୍ରିୟା ପିନ୍ଧିବି

ମୋ ନେତ୍ର ଦେଖିବ ।’’

 

‘‘କାହିଁ ଠାକୁରାଣୀ ବୋଦା–ସବୁତ ପଦା’’ ଇତ୍ୟାଦି,

 

ଛଳେଇ କରି ସେ ବଡ଼ ବାଧୁଣିଆ କଥାମାନ ଲେଖୁଥିଲେ ।

 

‘‘ଏଥର ମଲେ ସାଇବ ହେବି

ଲାଲା ମୁଣ୍ଡରେ କ୍ୟାପି ଦେବି ।’’ ଇତ୍ୟାଦି

 

ଏ ତାଙ୍କ ‘ଫିଉଚର ସାହେବ’ ବହିର ଲେଖା । ତାଙ୍କୁ ବାଙ୍କି ଲୋକେ ସୁଖ ପାଉଥିଲେ, ଭକ୍ତି ମଧ୍ୟ କରୁଥିଲେ । ସେ ଏକାନ୍ତ ଓଡ଼ିଆ ପ୍ରାଣ, ନିରାଡ଼ମ୍ବର, ନିରଳସ ବ୍ୟକ୍ତି ଥିଲେ । ଆମର ‘ପର୍ଶୁରାମ ବିଜୟ’ ନାଟକ ଅଭିନୀତ ହେବାବେଳେ ସେଥିରେ ଗାଆଁକୁ ଆସିଥିଲେ । ରଥେ କେତେ ବଡ଼ ମଣିଷ । ତାଙ୍କୁ ଭେଟି, ତାଙ୍କ ସଙ୍ଗେ କଥା ଦି’ପଦ ହେବା ସହଜ କଥା ନୁହେଁ । ଭାରି ମନ ହେଲା ତାଙ୍କୁ ଦେଖିବାକୁ । ତାଙ୍କ ଗାଆଁକୁ ଗଲି । ପିଣ୍ଡାଟି ଉପରେ ବସିଛନ୍ତି ରଥେ । କାନ୍ଧରେ ଖାଲି ଦୋସଡ଼ା ଖଣ୍ଡିଏ–ଫୁଙ୍ଗୁଳା ଦେହ–ପାଚିଲାଆମ୍ବ ପରି ଗୋରା ତକତକ । ନମସ୍କାର କରି ଚିହ୍ନା ଦେଲି । ବଡ଼ ଆଦର କରି ପାଖରେ ବସାଇଲେ । ତାଙ୍କୁ ଆମ ନାଟକ ଦେଖିବାକୁ ଡରିଡରି ଡାକିଲି । ମୋ ଜାଣିବାରେ କେହି ବିଶିଷ୍ଟ ବ୍ୟକ୍ତି ତଦବଧି ମୋ ନିର୍ଦ୍ଦେଶିତ ନାଟକ ଦେଖିବାରେ ରଥେ ପ୍ରଥମ । ଖୁସି ହୋଇ ଖଣ୍ଡିଏ କବିତାବଳୀ ବହି ସେ ମୋତେ ଦେଇଥିଲେ । ଏବେ ମଧ୍ୟ ଅଛି ସେ ଖଣ୍ଡି । କିନ୍ତୁ ରଥଙ୍କର ଏ ନାଟକ ଦେଖି ଆସିବାରେ କେତେକ ସରକାରୀ ଅମଲା ମଲା ପରି ମୁହଁ ଆମ୍ବିଳାଇ ଦେଇଥିଲେ । କାରଣ ପଚାରି ପରେ ବୁଝିଲି ଯେ ରଥେ ସେମାନଙ୍କର ପରା ବଇରୀ !

 

ହେଲେ–‘‘ବାୟାର କି ଯାଏ

ବାଆ କଲେ ବସା ହୋହଲୁ ଥାଏ ।’’

 

ହେଡ଼ମାଷ୍ଟ୍ରେ ମୋତେ ଏକଥା କହିଥିଲେ । ସେ କାହିଁକି ମାଲିମକଦ୍ଦମା କଲେ, ସେଥିରୁ ଆମକୁ କି ମିଳିବ ? ରଥେ ଯେ ଓଡ଼ିଆ ସାହିତ୍ୟ ପାଇଁ, ଜାତି ପାଇଁ ଯଥେଷ୍ଟ କାମ କରିଛନ୍ତି; ଏଥିଲାଗି ତାଙ୍କୁ ପୂଜା କରିବା ଉଚିତ । ହେଡ଼ମାଷ୍ଟ୍ରେ କହିଥିଲେ ଓଡ଼ିଆ ଭାଷାକୁ ଦଳିଦେଇ ଓଡ଼ିଶାରେ ବଙ୍ଗଳା ଚଳାଇବାକୁ ବଙ୍ଗଳାବାସୀଏ କୁଆଡ଼େ ନିର୍ଧୂମ୍ ଉଦ୍ୟମ ଚଳାଇଥିଲେ । ଯେଉଁମାନେ ତା’ ବିରୋଧରେ ଲଢ଼ି ଆମ ଓଡ଼ିଆ ସାହିତ୍ୟ, ଆମ ପାଠ୍ୟ ପୁସ୍ତକ ଗଢ଼ିଛନ୍ତି, ଗୋବିନ୍ଦ ରଥେ ତା’ ଭିତରୁ ଜଣେ ମୁଖିଆ ଲୋକ । ଗୁଣୀ ଲୋକଙ୍କୁ ଆଦର, ସମ୍ମାନ ଦେବା ମନୁଷ୍ୟର ଧର୍ମ-। ତାଙ୍କୁ ଥିଏଟର ଦେଖିବାକୁ ଡାକି ଗୋଟିଏ ବଡ଼ କାମ କରାହୋଇଛି ବୋଲି ମୋର ମନେହେଲା-। ରଥେ ନାଟକ ଦେଖି ଭାରି ପ୍ରଶଂସା କଲେ । ମୋ ନିର୍ଦ୍ଦେଶିତ ନାଟକ ଦେଖାଇ ପ୍ରଥମ ଆଶୀର୍ବାଦ ଲାଭ କଲି ଆମ ଜାତିର ପୂଜ୍ୟ ପଣ୍ଡିତ ଗୋବିନ୍ଦ ରଥଙ୍କଠାରୁ । ଭାବିଲି କେତେ ଭାଗ୍ୟ ମୋର ସତେ !

 

ତିଗିରିଆ ଗଡ଼ :

 

ବାଙ୍କିରେ ପଢୁଥିବାବେଳେ ମହାନଦୀ ପାର ହୋଇ ଛୁଟିମାନଙ୍କର ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଘର । ବାପାଙ୍କ ମାମୁପୁଅଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି ଦିଆନ । ଚମ୍ପକ ଦ୍ୱାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସବ । ଏଇ ଦ୍ୱାଦଶୀ ବେଳକୁ ସଙ୍ଗୀତ ପିଲାଦଳ (ଆଖଡ଼ା ପିଲା) ତିଗିରିଆ ଆସନ୍ତି ଦଦାଙ୍କ ଦାଣ୍ଡ ଚଉପାଢ଼ିରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆ ଗଡ଼ର ଭାଇପୁଅ ସାଆନ୍ତାଙ୍କ ଭିତରୁ ଜଣେ (ତାଙ୍କୁ ଦଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ ସୁଖ ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିବା ଓ ତାଙ୍କ ବେହେଲାବଜା ସାଙ୍ଗରେ ଗୀତ ଗାଇବାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ ।

 

ଥରେ ଦଦାଙ୍କ ଚଉପାଢ଼ିରେ ସଙ୍ଗୀତ ପିଲାଏ ଗାଉଥିଲେ–

 

କେହୁ ଜାଣିବରେ ଯୁବତୀମତି ?

ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ–

ନିତି ଦକଦକ ହୁଏ ମୋ ଛାତି ।

 

ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି’ଧାଡ଼ି ଓ ତା’ର ସ୍ୱର ମନେ ରଖିଲି-। ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକ ଦକ ହୁଏ ମୋ ଛାତି’’ ଏଇ ପଦକ ମୋତେ ଶୁଣାଗଲା ‘‘ତିନି ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି–ଏଇ ଗର୍ବରେ ଛାତି ଫୁଲି ଉଠୁଥାଏ-। ଦେଖାଇହେବାପାଇଁ ତରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇବାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ, ‘‘ଜକଜକ କ’ଣ ? ସେଇଟା ‘ଦକଦକ’ ଛାତି ଦକଦକ ହୁଏ ସିନା, ‘ଜକଜକ’ କେମିତି ହେବ ? ମୋ ଗର୍ବ ଚୂନା ହୋଇଗଲା ଏକାଥରେ । ସାହିତ୍ୟ ଜ୍ଞାନ ଓ ଲେଖାଲେଖି–ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା-। ସତରେ ଦଇବ କାହାରି ଗରବ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇଥାଆନ୍ତା ! ସେଦିନ ଆଉ ମନରେ ସରାଗ ନ ଥାଏ, ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି-। ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସିଥାଆନ୍ତି ।

 

ସଙ୍ଗୀତ ପିଲା ଗାଇଲା–

 

‘‘ଶ୍ରୀମତୀ, ସରାଗେ ତୋ ମୁଖେ ନାହିଁ

ପରାଗ ମୁଞ୍ଚିଲା ପଙ୍କଜ ପରାଏ

ଦିଶୁଅଛୁ କାହିଁପାଇଁ ।’’

 

ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ ।’ ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ–ସତ ଏ କଥା ।

 

ସେଇଭଳି ହେଲା ମୋ ଦଶା । ନଣ୍ଡାସାଆନ୍ତଙ୍କ ମୁହଁକୁ ଆଉ ତକାଇପାରିଲି ନାହିଁ । ସେଦିନ ରାତିଟା ବଡ଼ ବିତାପର ହୋଇ କଟିଲା ।

 

ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ ଗୋହିରୀ ଭଳି ହୋଇଥାଏ । ଖାଲ ଢିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ କେଇ ବଖରା ନାଆ ଚାଳିଆ ଘର । କାଠ ରେଲିଂ ଦିଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେବ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି । ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ବ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ ଯା’ଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦିକିଆ ନଟା । ଗଡୁଆଙ୍କର ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ଘର ନାଥଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା’ ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।

Unknown

 

ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରାଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିବାକୁ । ବାହାର ଲୋକଙ୍କ ଆଗେ ମୋର ଫୂର୍ତ୍ତି, ଫାଜିଲାମି ଢେର, ମାତ୍ର ନିଜର ବନ୍ଧୁବାନ୍ଧବ ମୁରବିଙ୍କ ଆଗରେ ସଳଖି ଠିଆହେବା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିବାକୁ ତ ଚାରା ନ ଥିଲା । ଗଲି–‘ଚନ୍ଦନଯାତ ଚୋର’ ଭଳି ଗୋଟାଏ କଣରେ ଠିଆ ହେଲି । ଦାଦା କହିଲେ–‘‘ରଜା ତୋତେ ଡାକିଛନ୍ତି । ରାତିକି ପୁରାଣ ପଢ଼ାବେଳେ ବୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ ତମ ବଡ଼ାମ୍ବା ରାଜା ବିଶ୍ୱମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ ଖୁଣୁଖୁଣିଆ ଲୋକ । କୁଞ୍ଚ ଘୋଷାରି ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଇଁ ଜୁହାର କରିବୁ ରଜାଙ୍କୁ ।’’

 

ତୁନି ହୋଇ ଶୁଣିଗଲି ସବୁ । ବଡ଼ାମ୍ୱା ରାଜାଙ୍କ ପାଖରେ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିବାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିବା ପାଇଁ–ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି–‘‘ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ?’’ ଦଦା କହିଲେ–‘‘କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିବାପାଇଁ ତୋତେ ଡାକିଛନ୍ତି । କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇବାର ଶୁଣି ନାଇଁ; ଚାଲ, ଯାହା ମନ ହେବ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ ଭକ୍ତିଅଂଶିଆ ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ ଉଆ କୂଅ ଦଉଡ଼ି । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ୨ ଘଣ୍ଟା ୪ ଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଭାରି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହୋଇଯିବେ ।’’

 

ସଞ୍ଜବେଳେ ଗଲି । କୁଞ୍ଚକୁ ଖୋଷି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ ଆଜ୍ଞା ହେଲେ–‘‘ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାମ୍ୱା ନିମାଇଁ ପନ୍ନାହାକଙ୍କ ନାତି ପରା ?’’

 

ଦଦା–‘ମଣିମା’ !

 

ରାଜା–‘‘ହଁ ଚାଟ ଘର ପୁଅ ଚାଟ, ଦେଖ ତାଙ୍କ ଭବ୍ୟପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିବା ଦେଖ । ରାଜଦ୍ୱାରରେ ଚଳିଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କ'ଣ ହେବ ?’’ ସେଇଠୁ ମତେ କହିଲେ ହଉ ‘‘ବସ ବସ ଟିକି ପନ୍ନାହାକେ ।’’

 

ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ ଛାମୁଆଁ କହିଲେ–‘‘ବସ ବାପା ! ଛାମୁରୁ ତ ଶ୍ରୀମୁଖ ଆଜ୍ଞା ହେଲାଣି । ଆଉ କ'ଣ ? ବସ ।’’

 

ଦାଦା କହିଲେ ବସିବାକୁ । ଏଥର ଚକାମାଲି ପକାଇ ବସିଲି । ପାଦ ନ ଦିଶିବାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହକୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ–ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆପାଟଣିଆ କି ମାଣିଆବନ୍ଧି ଧୋତି । ଗଳାରେ ସୁନାହାର ଗୋଟିକେତେ ଝୁଲୁଛି ।

 

ପୁରାଣ ପାଠ ପାଇଁ ବ୍ୟାସାସନରେ ପୋଥି ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । ଦରହସି ରାଜା ଆଜ୍ଞା ଦେଲେ–‘‘ଆଗଟିକି ପନ୍ନାହଙ୍କଠଉ ଜଣାଣଟିଏ । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’’

 

ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି–‘‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ କି ଗୀତ ଶୁଣାଇବି ?‘‘ ରାଜା କହିଲେ–‘‘ଜଣାଣଟିଏ ତ ଶୁଣିବା । ବାଳୁତ କଣ୍ଠ ମଧୁର ହୋଇଥିବ । ଭଲମନ୍ଦ ବିଚାର ସେଠେଇ କ'ଣ ? ଭଜନ, ଜଣାଣ ସବୁତ ସେଇ ଜଗନ୍ନାଥଙ୍କ କଥା । ତୁଳସୀପତ୍ରରେ ସାନବଡ଼ ବିଚାର କି ଥାଏ ? ଯାହା ଗାଇବ ସେ ଅମୃତ । ସବୁତ ମୁଣ୍ଡ ଉପର ଦରବ ।’’ ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି' ଚାରିଟା ସତେଯେମିତି ଟାକି ବସିଥିଲେ । ଆଖି ପିଛୁଳାକର ଉଛୁର ସହିଲା ନାହିଁ, ସଙ୍ଗେ ସଙ୍ଗେ ଆପଣାହାତ ଉପରକୁ ଟେକି କହିଲେ–ଆହା ହା ! ନାହିଁ ନ ଥିଲା ଭଗତ । ଗାଆ ଗାଆ, ବୋଲ ବାବୁ ! କାନରେ କୃଷ୍ଣନାମ ଅମୃତ ବରଷୁ ।’’

 

ଏଥି ପୂର୍ବେ ଏଭଳି ଅପୂର୍ବ ଅଭିନୟ କେବେ ଦେଖି ନ ଥିଲି । କଅଣ ଏବେ ଗାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରିହେଲି । ଯୋଗକୁ ସେତେବେଳକୁ ବଡ଼ାମ୍ୱା ଉଆସ କଥା ହେତୁ ହୋଇଗଲା । ବାସୁଦେବ ମହାପତ୍ରେ ଗ୍ରାମୋଫୋନ୍ ରେକର୍ଡ଼ରେ ଗାଇଥାନ୍ତି–‘ରାଧାକାନ୍ତା ରାଧାମୋହନ ଗୋବିନ୍ଦ ! ଲବେ ଦୟା ନାହିଁକି' ? ଗାଇଲି ସେ ଗୀତଟି । ପହିଲି ଧାଡ଼ି ବା ଘୋଷା ପଦକ ବୋଲିବା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ ଯୋଡ଼ହାତ ଲଗାଇ ‘ଆହା ହା’ କହିବାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ–ଲଗା ପାଖ ଲୋକ ତରବର ହୋଇ ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲାବେଳକୁ ନାଲି ଦିଶୁଥାଏ । ପାଖଲୋକ ଗାଲ ପୋଛି ଦେଲା ପୋଛାରେ । ଛାମୁରୁ କହି ଆଜ୍ଞା କଲେକି–‘‘ଆଜି ଆମର କି ଯୋଗରେ ରାତି ପାହିଥିଲା ! କାନରେ ଅମୃତ ବର୍ଷା ହେଲା । ଯେଉଁ ଗୀତରେ କୃଷ୍ଣରସ ନାଇଁ, ସେ କ'ଣ ଗୀତ ? ସେଗୁଡ଼ାକ ଫୀତ । ବାଳୁତକଣ୍ଠରେ କୃଷ୍ଣରସ–ରସାବଳୀ ପରି ଲାଗିଲା । ଦିଆନବାବୁ ! ଏ ଟିକି ପନ୍ନାହକେ କେତେ ଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଲ ନାହିଁ, ଏ ଯାଏ ? କେବେ ଯିବେ ?’’

 

ଦଦା କହିଲେ–‘‘ସେତ ଚର୍ଚ୍ଚିକା ସ୍କୁଲରେ ପଢ଼ୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିବ; ସେ କାଲି ଯିବ ।‘‘

 

ରାଜା ଟିକିଏ ଦୁଃଖ କଲେ, କହିଲେ–‘‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିବେ । ହାତୀ ଯିବ ଛାଡ଼ିଦେଇ ଆସିବ । ବାଟ କେତେ କି ? ତିନି ଚାରି କୋଶ ହେବ । ମଝିରେ ମହାନଦୀଟା ସିନା ! ସକାଳେ ଆମ ଦେବାର୍ଚ୍ଚନବେଳକୁ ଦେଉଳକୁ ଆସିବେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇ ଯିବେ ।’’

 

ଛାମୁଆମାନେ ହଁ ମାରିଲେ । ପୁଣି ପୂର୍ବପରି ଅଣ୍ଟା ନୁଆଁଇ ଜୁହାର କରି ବିଦାୟ ନେଲି-। ଦଦା ଭାରି ଖୁସି; ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା–ଶଗଡ଼ ଅଜାଡ଼ି ପକାଇଲେ-

 

ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ୱ । ବଡ଼ଦଦାଙ୍କ ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶି ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେଁ । ବୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରାଜାଘର ଖବର ଶୁଣି ଆଗ ଦଉଡ଼ି ଆସି ‘‘ନନା, ରଜା କ'ଣ କହିଲେ ତମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି’’ ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇଦେଲି, ଏବେ ଘରେ–ସମସ୍ତେ ଅଛନ୍ତି–ଭଲା ଏଠି ଗାଇବି କେମିତି ?

 

ଯୋଗକୁ ଦଦା ଡାକି କହିଲେ, ‘‘ବେଗେ ଗାଧେଇ ପଡ଼, ଦେଉଳକୁ ଯିବୁ । ଛାମୁରୁ ବିଜେ ହୋଇ ପଡ଼ିବେ । ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିଥିବୁ ।‘‘ ଓଃ ! ରକ୍ଷା ମିଳିଗଲା । ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିବେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ ।

 

ଆମେ ସିଂହ-ଦ୍ୱାରେ ପହଞ୍ଚିବାବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ବିଜେ ହେଉଛନ୍ତି । ନଅର ବୋଲନ୍ତେ–ମାଟିଘର । ଭିତରେ କେଜାଣି ଅବା କୋଠାଘର ଥିଲେ ଥିବ, ବାହାରଟା ମଉଡ଼ମରା ଚାଳ । ଘୋଷରା ପାହାଚ । ଘୋଷରା ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାବଧାନ ହୋଇଗଲେ । ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କ'ଣ ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିବାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରି ବା ବିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ–କୋର୍ଟଫିସ ଲାଗୁ ନାହିଁ, କଚେରିକୁ ଦଉଡ଼ ପଡ଼ୁ ନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିବ ନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେବାରେ ଲାଗୁ ହେବ । ପ୍ରଜା ସନ୍ତୋଷ–ରଜା ସନ୍ତୋଷ । ଭାବୁଛି, କାହିଁ ସେ ରଜା–କାହିଁ ସେ ପ୍ରଜା; କାହିଁ ସେ ବିଚାର, କାହିଁ ସେ ଫଏସଲା ?

 

ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡ଼ିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ-ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠ କଲେ–ଜଗନ୍ନାଥସ୍ୱାମୀ ନୟନ ପଥଗାମୀ ଭବତୁଂ ଇତ୍ୟାଦି–ବାକି ଶ୍ଳୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏଁ । ବଡ଼ ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ !

 

କେତେବେଳେକେ ମୋ ପାଳି ପଡ଼ିଲା–ଆଦେଶ ପାଇ ଗାଇଲି–

 

‘‘କୃପାସିନ୍ଧୁ ବଦନ କରି ଅବଲୋକନ

କେଉଁ କରମ ହୀନ ଜନ’’

 

ମୋ ଗୁରୁଦେବଙ୍କଠାରୁ ଶିକ୍ଷା ପାଇଥିବା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାବୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିବାର 'ମୁଣ୍ଡ-ହଲା' ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବି ହେଲା ରଜାଙ୍କ ଆଖିଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟି କେମିତି ବାଧିଲା ମୋତେ ବିବେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ?

 

ଦଦାଙ୍କ ଘରଙ୍କୁ ଆସି ଦେଖିଲି ଗୋଟିଏ ରୁପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି । ସବା ଆଗେ ଆସନ ଦଉଡ଼ି ଆସି ମୋତେ ଖବର ଦେଲା–‘‘ରଜାଘରୁ ତମ ପାଇଁ ବିଦାକି ଆସିଛି ନନା !’’ ମୋଠୁ ତା'ର ଖୁସି ବେଶି । ଦଦା ଓ ଖୁଡ଼ୀମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକବେଳକୁ ଦିଅଁଙ୍କ ଭୋଗ ଖିରି–ଖେଚଡ଼ୀ–ଦଶ ପନ୍ଦର ଜଣ ଖାଇଲାଭଳି ଆସି ପହଞ୍ଚିଲା ।

 

କ୍ରମେ ଦିନପ୍ରାୟ ଢଳିଆସିଲା । ଅମାରି କଶି ହାତୀଆଳ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା । ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ–

 

‘‘ନନା ! ଆଉ କେବେ ଆସିବ ?’’ ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସିମତେ କହିଲି, ‘‘ଦଶହରା ଛୁଟିରେ ।’’

 

‘‘ନନା ! ମୋ ରାଣଟି–ନିଶ୍ଚେ ଆସିବ’’, ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡ଼ୁ ପଡ଼ୁ ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।

 

ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭାଗାର ମାରିଦେଇପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜିଯାକେ କେମିତି ଆଉ କାହିଁକି କେଜାଣି ?

 

ଆସୁ ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରି, କୋଉଠି, କଜଳପାତି, କୋଉଠି ଚଷାପୁଅ, ହଳଦୀବସନ୍ତ, ଗାଆଁପିଲାଙ୍କ ଧୂଳିଖେଳ, ନାଳକୂଳରେ ଗାଆଁ ଝିଅବୋହୂଙ୍କ ସଞ୍ଜ ଗାଧୁଆ, ପାଣିବୁହା–କେତେ କେତେ କଥା ଦେଖି ଦେଖି ଯାଉଥାଏଁ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିବାର ଶୁଣାଯାଉଥାଏ ମୋତେ–

 

‘‘ନନା, ମୋ ରାଣଟି ନିଶ୍ଚେ ଆସିବ ।’’

 

କଥାରେ କହନ୍ତି–‘‘ଏକା ମହାନଦୀ ସହସ୍ରେ କୋଶ’’ । ତାକୁ ପାରି ହେଲି ହାତୀରେ ବସି । ଗାଆଁମୁଣ୍ଡ ଧରିଲା ବେଳକୁ ଫୁଲ-ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢଳ ଆଖି ଦିଓଟି ଆଉ ତା'ର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିବାରେ ଲାଗିଥାଏ–ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନିହେଁ–ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।

 

ମୋ କଥା ମୁଁ ରଖିପାରି ନାହିଁ । ଏଇ ଘଟଣାର ପ୍ରାୟ କୋଡ଼ିଏ ବର୍ଷରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତିମଧ୍ୟରେ ଭଉଣୀର ବାହାଘର ସରି ହତଭାଗିନୀ ବିଧବା ହେଇଯାଇଛି । ମୁଁ ବି କମ୍ ବଦଳି ନାହିଁ ।

 

‘‘ବେଙ୍ଗ ବୋଲେ ବେଙ୍ଗୁଲିଲୋ ପୃଥ୍ୱୀ କ୍ଷଣକେ ଆନ ।’’

 

–କଥାପଦକ ସେଇଠି ମନେ ପଡ଼ି ଦୀର୍ଘନିଃଶ୍ୱାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା । ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା ।

 

କେତେ ଦଶହରା ଛୁଟି ବିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀବନରେ ଆଉଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅବା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକା ସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିବାକୁ-। ତେଣୁ ମନକଥା ମନରେ ମଲା ।

 

‘ଦାନ୍ତ ଗଲେ ଲୋକ ଦାନ୍ତର ମହତ ବୁଝେ ।’

 

ଖୋରଧା ଗଲି :

 

ଚର୍ଚ୍ଚିକା ମାଇନର ସ୍କୁଲ ଛାଡ଼ିବା ପରେ ଏକଥାଟା ହାଡ଼େ ହାଡ଼େ ସମୁଝିଲି । ସ୍ନେହ ଆଦର ସହିତ ଶିକ୍ଷାଦେବା ଓ ଧମକ-ଚମକ ଦେଇ ପାଠ ପଢ଼ାଇବା ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ । ସେ କଥାଟା ସାର୍ ରଘୁନାଥବାବୁଙ୍କଠାରୁ ବିଦାୟ ନେବା ଦିନ ମୋ ଆଖିର ଅସରା ଲୁହ ମୋତେ ଜଣାଇଦେଲା । ଲୋକେ ଶିକ୍ଷା, ଦୀକ୍ଷାକୁ ଏକାଠି ମିଶାଇ ଗୋଳାଇ କହି ପକାଇବାର ଶୁଣାଯାଏ । ମାତ୍ର ଶିକ୍ଷା ଆଉ ଦୀକ୍ଷା ଦୁହେଁ–ସତରେ ଦୁଇଟି ଅଲଗା କଥା । ଶିକ୍ଷା ଥିଲେ ଯେ ଦୀକ୍ଷା ଥିବ–ଏକଥା ଚିରନ୍ତନ ସତ୍ୟ ନୁହେଁ । ରଘୁବାବୁ କିନ୍ତୁ ଏକାଧାରରେ ମୋର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ । ସେ ଗଢ଼ିଦେଇ ନ ଥିଲେ କଞ୍ଚା ହାଣ୍ଡିର ରୂପ ପ୍ରକାରେ ହେଇଥାନ୍ତା ଆଜି । ଏବେ ବିଚାରୁଛି ସେମିତି ଗୁରୁ ଭାଗ୍ୟରେ ଥିଲେ ମିଳନ୍ତି ସିନା ।

 

ଖୋରଧା ଗଲି, ସେତେବେଳକୁ ମୋ ବୟସ ପନ୍ଦର ବର୍ଷ । ମୋର ଦାଦା ସେଠି ସବ୍ଡ଼ିଭିଜନାଲ କଚେରିର ହେଡ଼୍ କିରାଣି ଥାଆନ୍ତି । ତାଙ୍କରି ବସାରେ ରହି ପଢ଼ିବାକୁ ବାପାଙ୍କ ନିଷ୍ପତ୍ତି ହେଲା । ଆମ ଘରର ଜେଜେବାପାଙ୍କ ଅମଳର କୋଠିଆ ସାରଥିଆ ସଙ୍ଗରେ ବଳଦଗାଡ଼ିରେ ବସି ଖୋରଧା ରମାନା ହେଲି । ଘରେ ଝିଅ ବିଦାବେଳର କାନ୍ଦ ବୋବାଳି । ସାର୍ ରଘୁବାବୁ ଦି'ଧାର ଝରାଲୁହ ପୋଛି ମଥା ମୋର ଆଉଁଶି ଦେଲେ, ହେଲେ ପଦେ କଥା କହିପାରିଲେ ନାହିଁ । ବିଦାୟବେଳେ ଲୁହଭରା ଆଖି ଆଡ଼େଇ ନେଇ ବେଗେ ଫେରିଗଲେ । ତାଙ୍କ ଖଡ଼ମର ପ୍ରତି କ୍ଷେପର ଶବ୍ଦ ବୁକୁରେ ମୋର ସ୍ମୃତିର ହାତୁଡ଼ି ପିଟିଲାପରି ଅନୁଭବ କରୁଥାଏ । ଘରୁ ବିଦାୟ ହୋଇ ମାଆ ଚର୍ଚ୍ଚିକାଙ୍କ ଚରଣ ତଳେ ମୁଣ୍ଡିଆମରି, ଶଗଡ଼ଗାଡ଼ିରେ କାନ୍ଦି କାନ୍ଦି ବାହାରିଲି ଖୋରଧା ।

 

ପଛକୁ ରହିଯାଉଥାଏ ପାଟପୁର, ଗୋପାଳପୁର, ଭୋକା ଗହୀର, ତୁଳସୀପୁର, ରଣନଈ, ହଳଦିଆଗଡ଼. ମୁକୁତାପୁର–ଏମିତି ଗୋଟି ଗୋଟି କରି ଗାଆଁ ନାଆଁ ବତାଉଥାଏ ସାରଥିଆ–ମୁଁ ତାକୁ ଭାଇ ବୋଲି ଡାକେଁ । ସେ ବି ମୁରବିପଣିଆଁ କରେ ମୋ ଉପରେ । ବେଳେବେଳେ ଆକଟ କରେ, କେତେ କଥାରେ । ସେ ମୋ ସଙ୍ଗେ ଗପ ଯୋଡ଼ି ମନ ବହଲେଇବାର ଫନ୍ଦି କରୁଥାଏ । ମୁଁ ସବୁ ବୁଝି ପାରୁଥାଏଁ ହେଲେ 'ମନପୋଡ଼ି'ର ଔଷଧ କଅଣ ଏଇଆ ? ଗାଆଁଗଣ୍ଡା, ତୋଟାନଟା ସମସ୍ତେ ଆଖିର ପାଣି ଗାଧୁଆ ହୋଇ ଝାପ୍‌ସା ଝାପ୍‌ସା ଦିଶୁଥାଆନ୍ତି ମୋତେ ।

 

ମୁକୁତାପୁର ଗାଁ ମୁଣ୍ଡରେ ନାଲି ସଡ଼କ । ସଡ଼କକୁ ଲାଗି ଦୋଳବେଦୀ । ଗାଁ ଭିତରକୁ ଯେଉଁ ଶାଖା ସଡ଼କଟି ପଡ଼ିଛି, ତାହାରି ମୁଣ୍ଡରେ ଗୋଟିଏ ଗଉଡ଼ଘର । ନୁଆଁଣିଆ ଚାଳ । ଦୁଆରେ ବାଉଁଶ ତାଟିର କବାଟ । ସାଙ୍ଗରେ ମୋର ବୋଉ ତିଆରି କରି ଦେଇଥାଏ ଖୁରୁମା ଆଉ ମଗଜଲଡ଼ୁ । ଏଗୁଡ଼ିକ ବେଶିଦିନ ରହିବ, ସୁବିଧା ଅସୁବିଧାବେଳେ ଗୋଟିଏ ଗୋଟିଏ ଖାଇବି ବୋଲି ନିର୍ଦ୍ଦେଶ । ବାପା ବୋଉଙ୍କ କୋଳ ଛାଡ଼ି ତ ଏପର୍ଯ୍ୟନ୍ତ ବିଦେଶ କରି ନ ଥିଲି । ତା'ଛଡ଼ା ଆମ ଦଦାଟି ବଡ଼ କୃପଣ । ସେ କଥା ଘରେ ସମସ୍ତେ ଜାଣନ୍ତି । ବାପାଙ୍କର ଠିକ୍ ଓଲଟା ସେ । ଦଦାଙ୍କର ଅଧଲା ପାହୁଲାର ହିସାବ ଖାତାରେ ଚଢ଼େ । ଜଣେ ଜେଜେବାପା ଆମର କହନ୍ତି–ମୋ ବାପାଙ୍କର 'ଚିରା ଖାଳୋଇ’ । ହିସାବ ଲେଖା ତାଙ୍କ ଜନ୍ମ ଜାତକରେ ନ ଥିଲା । ସେ କହନ୍ତି–'ଟଙ୍କାଟା ଗୋଲ, ଗଡ଼ିଆସେ–ଗଡ଼ିଯାଏ ।'

 

ମୁକୁତାପୁର ଗାଆଁ ମୁଣ୍ଡରେ ବଳଦ ଫିଟା ହେଲା । ଗଉଡ଼ ଘରେ ଦହି ମିଳିବ । ସାଥିରେ ଖଲିଆ ମାଆ ଘରର ଚୁଡ଼ା ତ ଅଛି । ସାରଥିଆ ଆଉ ମୁଁ ଦୁହେଁ ଗଉଡ଼ଘରକୁ ଗଲୁ । ସେ କଂସା ବରତନ ଖଣ୍ଡିଏ ଦେଲା । ଛେଦା ଦହି କିଣି, ଚୁଡ଼ା ଦହି ପାଗଟାଏ କଲୁଁ । ବିଚାରି ଗଉଡ଼ୁଣୀ ତା'ଘରୁ ଲୁଣ ମରିଚ ଆଣି ଚକଟା ପାଗକୁ ଜୁଆଣ ଦେଲା । ଭାରି ଆଦରରେ କେତେ କଥା ପଚାରିଲା–ଗାଆଁଗଣ୍ଡା, ବାପମାଆ, ବନ୍ଧୁବାନ୍ଧବ ଟିକିନିଖି କରି ନାନା ପ୍ରଶ୍ନ ? ଗଲାଆଇଲାବେଳେ ଏଇଟା ବାଟବଧା କରିବାକୁ ତୁହାଇ ତୁହାଇ କହିଲା ସେ । ତା' ଆଦର କୁହା ପାସୋରି ପାରି ନାହିଁ ଆଜି ବି ।

 

ଖୋରଧାରେ ପହଞ୍ଚିବାବେଳକୁ ବେଳ ରତରତ ହୋଇ ଆସୁଥାଏ । ବରୁଣାଇ ସାହିରେ ଦାଦାଙ୍କ ବସା, କୃଷ୍ଣମହାଜନଙ୍କ ବାହାର ପାଖ ଘରେ । ଏଇ କୃଷ୍ଣ ମହାଜନଟି କପାଳିଆ ଲୋକ । ପିଅନ ଚାକିରି କରନ୍ତି । ମାତ୍ର ନଡ଼ିଆର କୋଉ ଶିରାରେ ପାଣି କେମିତି ପଶେ କହି ନ ପାରିବା ପରି କୃଷ୍ଣମହାଜନଙ୍କ ଜମିଜମା, ଧାନ, ଧରମ, ଘରବାଡ଼ି ଅଠଲ୍ । ଧାନ କରଜ ଦିଆନିଆ କରନ୍ତି ସେ । କାମ ଚଳିବାମାନିଆଁ ହିସାବପତ୍ର ଟିକିଏ ଆସେ । ଖାତକମାନଙ୍କୁ ସକାଳୁ ଦିଆନିଆ କରିସାରି ପାଣି ଚଳେ ଢାଳି ହୋଇ ପଡ଼ି, ବେକରେ ହୁଦା ପକେଇ ତରବର କରି ମୁଠାଏ ଗିଳିଦେଇ, କୃଷ୍ଣମହାଜନ କଚେରିକୁ ବାହାରି ପଡ଼ନ୍ତି । ଫେରୁ ଫେରୁ ସଞ୍ଜ ଛଅଟା ।

 

ସେଦିନ ଆମ ଗାଡ଼ି ତାଙ୍କ ଦୁଆରେ ପହୁଞ୍ଚିବାବେଳେକୁ ସେ କଚେରିରୁ ଫେରୁଥାନ୍ତି । ଆଗରୁ ବୋଧହୁଏ ଜାଣିଥିଲେ, ତେଣୁ ଚିହ୍ନାଲୋକ ପରି ମୋତେ ଘର ଭିତରକୁ ଡାକି ନେଲେ । ଶଗଡ଼ ତାଙ୍କ ପାଚେରି ଭିତରେ ଖଳାବାଡ଼ିରେ ରହିଲା–ଯାଉଁଳି କବାଟ ମୁଦରେ ।

 

ମନ ନିହାତି ଖରାପ ଥାଏ । ସବୁ ତ ନୂଆ । ସେତେଦିନ ଯାଏ ମୋର ମାଛ ମାଉଁସ ଛଡ଼ା ଆଉ କୌଣସି ପରିବା ତୁଉଣ ଖାଇବାର ଅଭ୍ୟାସ ନ ଥାଏ । ଭଜା ଓ ପୋଡ଼ା ମୋ ଭାତ ଥାଳିର ସାଥୀ । ଏଠି ପୂଜାରୀ ରାନ୍ଧଣା । ତା' ପୁଣି ଗହମ ଗୋଟି ଗଣିତା । ଏତିକି ଡାଲି, ଏତିକି ପରିବା ଇତ୍ୟାଦି ଇତ୍ୟାଦି ଦିବାକ୍ ଟିକିନିଖି ହିସାବରେ ଦାଦାଙ୍କର ଖରଚ । ମୋଟା ଚାଉଳ ଭାତ, ଘିଅ ପଡ଼େ ନ ପଡ଼େ ଖାଲି ବିଧି ରକ୍ଷା–'ଘୃତହୀନକୁ ଭୋଜନଂ'–ହେତୁ ଛଟାଏ ଘିଅ ଭାତରେ ପଡ଼ିବା କଥା । ଘରେ ଖାଉଥିଲି ଗିନାଏ ଘିଅ । ଭଜା ଓ ପୋଡ଼ା ତ ନିଶ୍ଚୟ ଅଛି । ପହିଲେ ଭାତ ଥାଳି ଦେଖି କାନ୍ଦ ମାଡ଼ିଲା । ଗୁଣ୍ଡା ତଣ୍ଟିରେ ଗଳିଲା ନାହିଁ । ସାରଥିଆଭାଇ ବହୁତ ବୁଝାଇଲା । ରାତି ପାହାନ୍ତାରୁ ସେ ଘରକୁ ଫେରିଯିବ । ଆଉ ଦିନେ ଅଧେ ହେଲେ ରହନ୍ତା, ହେଲେ ଦଦାଙ୍କ ହିସାବ–ଜଣେ ବଢ଼ିଲେ, ମାଣେ ଖସେ । ସେ କହିସାରିଲେଣି ରାତି ପାହାନ୍ତାବେଳକୁ ଉଠି ଗାଡ଼ି ଯୋଚି ଫେରିଯିବାକୁ । ବାଟ ଖର୍ଚ୍ଚକୁ ସିଉକାଟିଏ ଦେଇ, ବାପାଙ୍କ ପାଖକୁ ଚିଠି ଦିଆ ପାଇଟି ମଧ୍ୟ ତୁଟାଇ ଦେଇ ସାରିଛନ୍ତି ରାତିରୁ । ଶୀତଦିନ, ପାହାନ୍ତାରୁ ବିଚାରା ଗାଡ଼ି ଯୋଚି ଯିବ, କୋଠିଆ ହେଲେ ବି ଜୀବନ ତ ଅଛି ତା'ର; ମୋତେ ଭାରି ବାଧିଲା । ଏକେ ମୋ ଅବସ୍ଥା, ତା'ଉପରେ ଏଭଳି ବ୍ୟବହାର ଦେଖି; ବୋଝ ଉପରେ ନଳିତା ବିଡ଼ା ପରି ମୋର ଦୁଃଖ ଉବୁକି ପଡ଼ିଲା, ହେଲେ ଉପାୟ ନାହିଁ । ଦାଦା ତ ।

 

ସାରଥିଆ ଗଲା । ସକାଳୁ ମୁଁ ନିତି ପାଇଟି ତୁଟାଇଲି । ପୂଜାରୀ ଚୁଡ଼ାଭଜା ଉଖୁଡ଼ା ଦୁଇ ପଇସାର ଜଳଖିଆ ପାଇଁ କିଣି ଆଣିଦେଲା । ତାକୁ ଦେଖି ମୋଟେ ଆଉ ମୋ ଆଖିର ଲୁହ ସମ୍ଭାଳି ହେଲା ନାହି । ଖାଲି ବୋଉ ମନେପଡ଼ିଲା । ଭାବିଲି ସେ ଜାଣିକରି ମୋ ଟ୍ରଙ୍କରେ ଦୁଇଟି ଟିଣଡବାରେ ଖୁରୁମା ଦେଇଚି । ବୋଉକୁ ମନେ କରି କରି ଜଳଖିଆ ଆଣି ଖାଇଲି । ଚୁଡ଼ାଭଜା ଉଖୁଡ଼ାକୁ–ଏଇନେ ଭୋକ ନାଇଁ ବୋଲି କହି ପୂଝାରିକି ଦେଲି । ବିଚାରା ସନ୍ତୋଷରେ ସେତକର ସଦ୍‌ବ୍ୟବହାର କରିଦେଲା । ଏଇଠି ପୂଝାରି କଥା ଟିକିଏ କହେଁ–ସେତେବେଳର ପୂଝାରି ନାଆଁ 'ନେଉଳ'–ତ୍ରିପଣ୍ଡ କଳା । ମୁହଁଟି ନେଉଳ ପରି । ତା’ର ସଞ୍ଜବେଳେ ଚୁଲିଫୁଙ୍କିବା କଥା ଏବେ ବି ମନେଅଛି । ଖୋରଧାରେ ଭାରି ମଶା । ନେଉଳ ଚୁଲିକୁ ଫୁ ଫୁ କରି ଫୁଙ୍କିଲାବେଳେ ଗାଏ–

 

‘‘ବେଳ ବୁଡ଼ିଲା–ସଞ୍ଜ ହେଲା

ଘରେ ଘରେ ଦେଲେ ଧୂଆଁ

ମଶାମାନେ କବାଟ କଣେ

ହେଲେ ଭୁଆଁ ଭୁଆଁ ।

ବୀରବର ଡାଆଁଶ ପତଙ୍ଗ ବିଦ୍ୟାକାରୀ

ମଶାମାନେ ବଜାଉଛନ୍ତି ମଙ୍ଗଳ ମହୁରୀ ।’’

 

X X X

 

ଗୀତ ସାଥିରେ ଫୁଙ୍କନଳାର ଫୁଙ୍କ, ସତେ ଯେମିତି ତାଳ ପଡ଼ୁଥାଏ । ଭାରି ମଉଜିଆ ଲୋକଟାଏ ସେ ନେଉଳ । ବସାରେ ଚାକର କେହି ନାହିଁ । କୂଅଟାରେ ଅବଶ୍ୟ ଅଳ୍ପ ଦୂରରେ ପାଣି; କିନ୍ତୁ ପାଣି କାଢ଼ି ତ ଜାଣେ ନାହିଁ । ପାଖରେ କେଉଁଠି ପୋଖରୀ ଥିବାର ମୁଁ ଦେଖି ନାହିଁ କି ଜାଣି ନାହିଁ । ମହାନଦୀ ଗାଧୁଆ ଅଭ୍ୟାସ ଯାହାର ସେ କୂଅରୁ ପାଣି କାଢ଼ି ଗାଧେଇବ–ତା ପୁଣି ଦିନେକାଳେ ଯେ ଢାଳ ବା ଗରା ବେକରେ ଦଉଡ଼ି ଛନ୍ଦି ଜାଣି ନାହିଁ; ସେ ପୁଣି କାଢ଼ୁଛି କେତେକେ-? ବହୁ କଷ୍ଟରେ ଦି ଚାରି ଢାଳ ପାଣି କୂଅରୁ କାଢ଼ି 'କାକ ସ୍ନାନ' ସାରିଦେଲି । ଲୁଗା ଚିପୁଡ଼ିବା ପୁଣି ମୋ ପକ୍ଷେ ଗୋଟାଏ ଅଡ଼ୁଆ ପାଠ । କୌଣସି ମତେ ସେତକ ସାରି ଦାଦାଙ୍କ ପାଖରେ–ଅବଶ୍ୟ ସାଙ୍ଗରେ ନୁହେ–ଭୋଜନକୁ ପିଢ଼ାରେ ବସିଲି । ଏ ପିଢ଼ା ଅଭ୍ୟାସ ନ ଥିଲା ମୋର । ଗାଲିଚାରେ ବସି ଖାଇବା କଥା ଅଲଗା । କୌଣସିମତେ ବସିଗଲି ସିନା, ହେଲେ ସେ 'ଜଳବତ୍ ତରଳଂ' ମୁଗ ଡାଲିକି ଦେଖି ଭୋଜନରୁ ବିଲକୁଲ୍ ଭକ୍ତି ଛାଡ଼ି ପଳାଇଲା । ଆଗ ରାତି ପରି ଦରଖିଆ ହୋଇ ଉଠିଲି । ଦାଦା ମୋତେ ସଙ୍ଗରେ ନେଇ ଖୋରଧା ହାଇସ୍କୁଲକୁ ଗଲେ । ସେଠି ଦାଦାଙ୍କ ସଢୁ ଜାଆଁଳର ସ୍ୱର୍ଗତ ପଦ୍ମଚରଣ ପଟ୍ଟନାୟକ ହାଇସ୍କୁଲକୁ Additional Teacher ଓ ଶ୍ରୀ ମହେନ୍ଦ୍ରନାଥ ମଜୁମଦାର ହେଡ଼ମାଷ୍ଟର ଥାଆନ୍ତି ।

 

ନାଆଁ ଲେଖାଗଲା । ଚରଣମଉସା (ପଦ୍ମଚରଣ ପଟ୍ଟନାୟକେ) ମୋତେ ସାଙ୍ଗରେ ନେଇ Fourth Class ବା ମାଟ୍ରିକ୍ ଚତୁର୍ଥ ଶ୍ରେଣୀରେ ବସାଇ ଦେଲେ । ଜଣାଶୁଣା ସାଙ୍ଗସାଥୀ କେହି ନାହିଁ । ମୁଁ କ୍ଳାସକୁ ଗଲାବେଳେ ହେଡ଼ପଣ୍ଡିତ ଫକୀର ମିଶ୍ରେ ସଂସ୍କୃତ ପଢ଼ାଉ ଥାଆନ୍ତି । ବହିଟି ନାଁ 'ଶିକ୍ଷା' । ମନେଅଛି–"ଏକଃ ସ୍ୱାଦୁ ନ ଭଞ୍ଜିତ"–ଏଇ ଧାଡ଼ିକ ମୋର ଖୋରଧା ସ୍କୁଲର ପହିଲି ଶୁଣାପାଠ । ଯୋଗକୁ ମୁଁ ବୋଉ ପାଖରୁ, ଟିକିଏ ଟିକିଏ ସଂସ୍କୃତ ପଢ଼ିଥିଲି–ତେଣୁ ମୋତେ ଏହା ପୁରୁଣା ପାଠ ପରି ଲାଗିଲା । ପଣ୍ଡିତ ଫକୀର ମିଶ୍ରେ ଧାଡ଼ିଏ ଦି'ଧାଡ଼ି ପଢ଼ାଇ ଦେଇ ଚୌକିରେ ବସି ପଡ଼ିଲେ । କୋଉଠି ଥିଲେ ସେ ନିଦ୍ରାଦେବୀ ! ଦଣ୍ଡକେ ଆସି ପଣ୍ଡିତ ମହାଶୟଙ୍କ ନାଶ-ଶୁଙ୍ଘା ଫରଚା ନାକପୁଡ଼ା ଦି'ଟା ଭିତରେ ବିଜୟ ନାଗରା ବଜାଇ ଦେଲେ । ଘଣ୍ଟା ବାଜିଲା । ଅତରଛରେ ନିଦ ଭାଙ୍ଗି ପଣ୍ଡିତ ମହାଶୟ ଅନ୍ୟ ଶ୍ରେଣୀ ବାହାରିଗଲେ ।

 

ପଣ୍ଡିତେ ଏକ ଅଦ୍ଭୁତ ଲୋକ । ତାଙ୍କ ଘର ପୁରୀରେ । ସମ୍ଭବତଃ ଜେନାରୀ ଗଛ ପାଖରେ । କ୍ଲାସକୁ ଆସନ୍ତି ବେକରେ ଖୋଲା, ଢିଲାହାତ କୁରୁତା, ଛାତି ମୁକୁଳା ଥାଏ । ବେଶ୍ ରସିକ ଲୋକ । କ୍ଲାସକୁ ଆସିବାବେଳକୁ ଦିନେ ଦିନେ ଗଳାରେ ମଲ୍ଲୀମାଳ ଝୁଲୁଥାଏ । ଶିକ୍ଷା ଓ ଉପକ୍ରମଣିକା ପଢ଼ାନ୍ତି ସେ । ଶିକ୍ଷା ବହିରୁ କିମ୍ୱା ଉପକ୍ରମଣିକା ବ୍ୟାକରଣରୁ କିଛି ଗୋଟାଏ ପ୍ରଶ୍ନ ପଚାରିଦେଇ, କେହି ଛାତ୍ର ତା'ର ଠିକଣା ଉତ୍ତର ଦେଇ ନ ପାରିଲେ 'ଇଉ, ଇଉ' ବୋଲି କହି ହାତରେ ଧରିଥିବା ସାନ ବେତଟି ଛାତ୍ରମାନଙ୍କୁ ନିର୍ଦ୍ଦେଶ କରି ବୁଲାଇ ଆଣନ୍ତି । ତା'ପରେ ଆଦେଶ ହୁଏ–"ଷ୍ଟାଣ୍ଡଆପ୍ ଇନ୍ ଦି ବେଞ୍ଚ", ମୁହଁ ବୁଲାଇ ଦେଇ ମୁରୁକିହସା ମାରୁଁ ଆମେ ପିଲାଏ । ସେଇଠୁ ପଣ୍ଡିତଙ୍କର ଆସନ ଗ୍ରହଣ, ନସ୍ୟ ସେବନ, ନିଦ୍ରାଦେବୀ ଆରାଧାନ, ନାସିକା ଗର୍ଜନ ଇତ୍ୟାଦି ଚାଲେ ଆନନ୍ଦ ଦପ୍ତରୀର ଘଣ୍ଟାବାଦନ କର୍ମ ପର୍ଯ୍ୟନ୍ତ । ତହୁଁ ସବେଗେ କୁରୁଚି ତ୍ୟାଗ ଏବଂ ବେତାଣ ଖଣ୍ଡି କାନ୍ଧରେ ସଜାଡ଼ୁ ସଜାଡ଼ୁ ଯଥାଶୀଘ୍ର ପ୍ରସ୍ଥାନ ।

 

କିନ୍ତୁ ଗୋଟିଏ କଥା–ଭାଗ୍ୟଯୋଗକୁ ଯେଉଁଦିନ ସେ ପଢ଼ାନ୍ତି, ସେଦିନ ନାନା ଉଦାହରଣ ଦେଇ ଏମିତି ପ୍ରାଞ୍ଜଳ ଭାବରେ ବୁଝାନ୍ତି ଯେ ପାଠ ମନରେ ଲାଖି ରହେ । ମନେହୁଏ ପଣ୍ଡିତେ ସତରେ କିନ୍ତୁ ପଣ୍ଡିତ । ତାଙ୍କ କଥା ଅଭୁଲା ।

 

ମଣିଷଠୁ ବଳି ଅବସ୍ଥାର ବିଶ୍ୱସ୍ତ ନଉକର ଆଉ କେହି ନାହିଁ । ଆଇଁଷତୁଣ୍ଡା ବିରାଡ଼ି, ଉପାସ ରହିଯାଏ ପଛେ, ବିନା ମାଛ, ଶୁଖୁଆରେ ଭାତ ରୁଚେ ନାହିଁ ତାକୁ । କିନ୍ତୁ ମଣିଷ ସବୁ ପାରେ, ଅବସ୍ଥାଚକ୍ରରେ ସବୁକଥା ତା'ର ଦିହସୁହା ହୋଇଯାଏ । ବେକରେ ଢୋଲ ପଡ଼ିଲେ, ବଳେ ବଳେ ବଜେଇ ଶିଖେ ସେ । ଦିନାକେତେ ଖୁବ୍ କଷ୍ଟ ହେଲା । ହପ୍ତାଏ ଅଧେ ପରେ ବୋଉ ଜଳଖିଆ ତିଆରି କରି ପଠାଏ । କିଛି କିଛି ଟଙ୍କା ବି କେହି ଆସୁଥିଲେ ତାଙ୍କୁ ହାତେ ଦେଇ ପଠାଏ-

 

କ୍ରମେ ସାଥୀ ପିଲାଙ୍କ ସଙ୍ଗରେ ଚିହ୍ନାଜଣାଟା ପାକଳ ହେଇଗଲା । ମୋ ଗୀତ ଲେଖା ଆଉ ଗୀତ ପାଇବାଟା ଛାଏଁ ଛାଏଁ କେତେ ବନ୍ଧୁ ଯୋଗାଡ଼ି ନେଲା । ଖେଳଛୁଟିବେଳେ ପଞ୍ଝାଏ ପିଲା ମୋତେ ଘେରିବସି ଗୀତ ଶୁଣିବାକୁ କାଉଲ ବାଉଲ କରି ପକାନ୍ତି । ଧୀରେ ଧୀରେ ମୋ ଗାଇବା କଥା ପ୍ରଚାର ହୋଇଗଲା–ସ୍କୁଲ ଛାଡ଼ି, ବାହାରେ । ମୁଁ ବି ମନେ ମନେ କିଏ କୋଉଠି ଗୀତ ଭକ୍ତ ଗାୟକ ବା ଓସ୍ତାଦ୍ ଅଛନ୍ତି ସେକଥା ଖୋଜି ବୁଲୁଥାଏଁ ।

 

ହଉ ହଉ ଆମ ସାଇରେ ଆମେ ଚାରି ସାଙ୍ଗ ଜୁଟିଗଲୁଁ । ଆମେ ଚାରି କ–କଳୁ, କାଶୀ, କାଳୀ, କୁଳଙ୍କର ମେଣ୍ଟ ହେଲା । କଳୁ ଟିକିଏ ବୟୋଧିକ, ତେଣୁ ସେ 'କଳୁଭାଇ' ବୋଲାଇଲେ । ଚାରିସାଙ୍ଗ ଭିତରୁ ଜଣେ ଆମ ପଢ଼ିବାବେଳୁ ସେପାରିକି ଟିକିଏ କାଟିଛି, ସେ କୁଳମଣି ବ୍ରହ୍ମା–ରାଜକୁମାର ପରି ରୂପ, ଦିବ୍ୟ ସ୍ୱାସ୍ଥ୍ୟ, ଦିନକୁ ଅଠର ଘଣ୍ଟା ଘୋଷିଲାବାଲା, ମାତ୍ର 'ଚିର–ବେଗା' ସେ ବହୁତ ଘୋଷେ ବେଗେ ପାସୋରେ । କୁଳ ତ ଗଜା ବୟସରୁ ସାଙ୍ଗ ଛଡ଼ାହେଲା, ବାକି ରହିଲୁଁ ତିନ୍ । କାଶୀ ଗୀତ ଗାଇ ଜାଣେ–ଅଛି କି ନାହିଁ–ତା' ଖବର ଆଉ ଜାଣି ନାହିଁ । କଳୁଭାଇ ବା କଳ୍ପତରୁ ରାୟ ମଧ୍ୟ କେତେ ବର୍ଷ ହେବ ଆରପାରିକି । ଥୁଣ୍ଟା ବରଗଛ ମୁଁ ମାତ୍ରକ ଅଛି ।

 

କଳୁଭାଇଟା 'ଚିରଚିରା'–ସେ ବହୁତ ଘୋଷେ, ବହୁତବେଳ ପର୍ଯ୍ୟନ୍ତ ମନେରଖେ । କାଶୀ 'ବେଗ୍ ବେଗା'–ଅଳ୍ପକାଳ ଘୋଷେ, ଅଳ୍ପକାଳ ମଧ୍ୟରେ ପାସୋରି ଦିଏ । ଆଉ ମୁଁ ? ବେଗ୍ ଚିରା । ଅଳ୍ପକାଳ ପାଠ ପଢ଼େଁ–ମନେରଖେ । ଆମ ଭିତରେ ସାଙ୍ଗମାନେ ମୋତେ ସୁଖ ପାଉଥିଲେ-

 

ସେତେବେଳେ ଆମ ହେଡ଼ମାଷ୍ଟର ସ୍ୱର୍ଗତ ମହୀନ୍ଦ୍ରବାବୁ–ଚଳନ୍ତି ମହାଦେବଙ୍କ ଭଳି ଅପୂର୍ବ ପୁରୁଷ । ରୂପ ତାଙ୍କର ଦେଖିଲେ ଛାଏଁ ଛାଏଁ ଭକ୍ତି ଆସେ । ଜ୍ଞାନୀ ଯେମିତି, ଗମ୍ଭୀର ସେମିତି । ମନେହୁଏ, ସେ ତ ପାଠକୁ ପଢ଼ାନ୍ତି ନାହିଁ । ପାଠକୁ ଗୋଳି ପିଆଇ ଦିଅନ୍ତି । ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ତାଙ୍କର । ଆଜି ବି ଅଭୁଲା ରହିଛି–ସେ ଅଷ୍ଟାଦଶ ପୁରାଣ ହେତୁ ରଖିବାକୁ ଯେଉଁ ସୂତ୍ରଟି ବତାଇ ଦେଇଥିଲେ । ସେଇଟି ହେଲା–

 

‘‘ମଦ୍ୱୟ, ଭଦ୍ୱୟ ଶ୍ଚୈବ, ବକ୍ରୟ, ବ୍ରଚତୁଷ୍ଟୟ–ଅ, ଗ, ନା, ଲି, କୁ, ପ, ସ୍କନ୍ଦ’’–ଏଗୁଡ଼ିକ ପୁରାଣମାନଙ୍କର ଆଦ୍ୟ ଅକ୍ଷର । ସେକେଣ୍ଡ ଟିଚର୍–ସ୍ୱର୍ଗତ ଗୋପାଳ ଚରଣ ପଟ୍ଟନାୟକ, ଘର ଜାଆଁଳାରେ;–ଜ୍ଞାନୀ, ଗମ୍ଭୀର ବ୍ୟକ୍ତି । ଖୋରଧା ସ୍କୁଲରେ ମୁଁ ପଢ଼ିବାର ବର୍ଷେ ଦି’ବର୍ଷ ପରେ ଶିକ୍ଷା ବିଭାଗ ଛାଡ଼ି, ସେ ହାକିମ ହେଲେ । ତାଙ୍କ ପରେ ଆସିଲେ ଆଉ ଜଣେ ବିଶିଷ୍ଟ ବିଦ୍ଵାନ୍ ଶିକ୍ଷକ ପର୍ଶୁରାମ ବର୍ମା–ଘର ପୁରୀ, ଜଣେ ଯୋଗ୍ୟ ଗୁରୁଙ୍କ ପରେ ଆଉ ଜଣେ ଯୋଗ୍ୟ ବ୍ୟକ୍ତି ମିଳିଗଲେ-

 

ଆଡ଼ିସ୍‌ନାଲ୍‌ ‌ଟିଚର୍‌–ମୋ ମଉସା ପଦ୍ମଚରଣ ପଟ୍ଟନାୟକ । ବେଶ୍‌ ଛାତ୍ରପ୍ରିୟ ବ୍ୟକ୍ତି ସେ । ବକ୍ତା, ଲେଖକ, ମଧୁର ଭାଷୀ, ସୁନ୍ଦର ସ୍ୱାସ୍ଥ୍ୟବାନ୍‌ ଯୁବକ । ଗୋପାଳବାବୁଙ୍କର ସେ ଦାଦିପୁଅ ସାନଭାଇ । ଘର ସେଇ ଜାଆଁଳାରେ । ତାଙ୍କର ବଂଶରେ ସଙ୍ଗୀତ ସାହିତ୍ୟ ଚର୍ଚ୍ଚା ଥାଏ । ପଦ୍ମଚରଣବାବୁଙ୍କ ଡାକ ନାଆଁ ଚରଣବାବୁ । ତାଙ୍କ ଦାଦା ସ୍ଵର୍ଗତ ଗୌରକୃଷ୍ଣ ପଟ୍ଟନାୟକ ଜଣେ ସଙ୍ଗୀତ ଲେଖକ ଓ ଗାୟକ ମଧ୍ୟ । ଚରଣବାବୁ ନିତି ବ୍ୟାୟାମ କରନ୍ତି । ସେ ଖେଳକୁ ଭଲ ପାଆନ୍ତି । ଖୋରଧା ବୋର୍ଡ଼ିଂର ସୁପରିଣ୍ଟେଣ୍ଡେଟ୍‌ ଥିଲେ । ପରେ ଶିକ୍ଷକତା ଛାଡ଼ି, ସେ ଶିକ୍ଷା ବିଭାଗର ଡେପୁଟି ଇନିସ୍‌ପେକ୍ଟର ହୋଇଥିଲେ । ଆମ ସେକେଣ୍ଡ ପଣ୍ଡିତ ଥାଆନ୍ତି ପଣ୍ଡିତ ଶ୍ରୀ କୃପାସିନ୍ଧୁ ହୋତା । ଦେବତା ଭଳି ପୁରୁଷ ଛାଏଁ ଛାଏଁ ଭକ୍ତି ଆସେ ତାଙ୍କୁ ଭେଟିଲେ । ଧୀର ଚାଲି, ଗମ୍ଭୀର ମୁଖ, ହସରେ ମଧୁରତା ଥାଏ; କିନ୍ତୁ ବଡ଼ ଅଳ୍ପ ହସନ୍ତି ସେ । ସତ୍‌ଚରିତ୍ର, ସାଧୁପୁରୁଷ, ଦେଶପ୍ରାଣ ପ୍ରବୀଣ ବ୍ୟକ୍ତି । ପଣ୍ତିତ ହୋତା ଛାତ୍ରମାନଙ୍କ ଚରିତ୍ର ଗଠନ, ଶିକ୍ଷା, ଦୀକ୍ଷା ଓ ସଦ୍‌ବ୍ୟବହାର ପ୍ରତି ସୁଦୃଷ୍ଟି ଦିଅନ୍ତି । ଆମକୁ ସେ ଓଡ଼ିଆ ପଢ଼ାନ୍ତି । ସେତେବେଳେ କବିବର ଚିନ୍ତାମଣି ମହାନ୍ତିଙ୍କ ଲେଖା ‘ସପ୍ତରଥୀ’ ପଢ଼ାଉଥିଲେ ସେ । ପଢ଼ାଉ ପଢ଼ାଉ ଭାବବିହ୍ଵଳ ହୋଇପଡ଼ନ୍ତି ସେ । ହାଇସ୍କୁଲରେ ଶିକ୍ଷକମାନଙ୍କ ଭିତରେ ରୂପ, ଗୁଣ–ସବୁଥିରେ ସେ ବାରି ହୋଇ ପଡ଼ନ୍ତି । ସେ ବଡ଼ ସାଧାସିଧା ଲୋକ, ଗୋଡ଼ରେ ଚଟିଜୁତା ହଳକ ଛଡ଼ା କେବେ ମୁଁ ତାଙ୍କର ଅନ୍ୟପ୍ରକାର ଜୁତା ପିନ୍ଧିବାର ଦେଖି ନାଇଁ । ଖୋରଧା ବଡ଼ବଜାରରେ ସେ ବସା କରି ଥାଆନ୍ତି । ମୁଁ ଟିକିଏ ଲେଖାଲେଖି କରେଁ, ଜାଣିପାରି ସେ ମୋତେ ଆଦର କରନ୍ତି ।

 

ଦିନେ ମୋ ଗୀତ ଲେଖା ତାଙ୍କୁ ଦେଖାଇବି ବୋଲି ସାହସ କରି ତାଙ୍କ ବସାକୁ ଗଲି । କେତୋଟି ଗୀତ ଦେଖି, ପ୍ରଥମେ କିଛି ନ କହି ମୋ ଆଡ଼େ କିଛିବେଳ ଚାହିଁ ରହିଲେ, ମୋତେ ସେ ଉପଦେଶ ଦେଲେ ପ୍ରକୃତି ବର୍ଣ୍ଣନା କରି ଗୀତ ଲେଖିବାକୁ । ଏଇଠି ମୋର ଲେଖକ ଜୀବନର ଘୋର ପରିବର୍ତ୍ତନ ଆସିଲା, ତାଙ୍କରି କୃପାରୁ । ୧୯୧୪–୧୫ରେ ଖୋରଧା ହାଇସ୍କୁଲରୁ ଖଣ୍ଡିଏ ପତ୍ରିକା ଛାପାହେଲା । କେବଳ ତାଙ୍କରି ଉଦ୍ୟମ, ଯତ୍ନ ଓ ପରିଶ୍ରମ ଫଳରୁ । ପତ୍ରିକାଟିର ନାଆଁ ‘ଉଦୁଉଦୁମା’ । ମୋ ଜୀବନର ଏହି କବିତା ପ୍ରକାଶନ ଏକ ମସ୍ତବଡ଼ ସୀମାରେଖା । ୟା ପୂର୍ବରୁ ମୋ ଲେଖା କେବେ ଛାପା ହୋଇ ନ ଥୁଲା । କି ଆନନ୍ଦ ମୋର ! କେତେ କୃତଜ୍ଞ ହେଲି ମୁଁ ପଣ୍ଡିତ ହୋତାଙ୍କ ପାଖରେ ! ମୋର ଗୋଟିଏ କବିତା ଛପା ହୋଇଛି–ସଙ୍ଗେ ସଙ୍ଗେ ବୋଉ ପାଖକୁ ଖଣ୍ଡିଏ ବହି ପଠାଇଦେଲି । କେତେ ଆଶୀର୍ବାଦ କରି ସେ ମୋତେ ଚିଠି ଲେଖିଲା । ଆନନ୍ଦ, ଗର୍ବ, ଆଉ ଗୌରବରେ ବୁକୁ ସେଦିନ ଫୁଲିଉଠିଲା ମୋର । ପଢ଼ା ସାଥୀମାନେ ମୋତେ କେତେ ବଧାଇ ଦେଲେ ।

 

ପହିଲେ ପହିଲେ ଖୋର୍ଦ୍ଧାରେ ମୋର ଖିଆପିଆ, ରୁହାଶୁଆ, ଚଲାଫେରାରେ ସେମିତି ଭାରି କଷ୍ଟ ହେଉଥିଲା, କ୍ରମେ ସାଙ୍ଗସାଥୀ ମେଳରେ ସେ ସବୁ ଦିହର ମଳି ହୋଇଗଲା । ବୋଉ କିନ୍ତୁ ତା'ର ସେ ଖୁରୁମା, ରାଶି ଖଜା ପଠାଇବାକୁ ପାସୋରି ନାହିଁ । ଫି’ ମାସରେ ତା’ର ସେ ଜଳଖିଆ ପଠାଇବାଟା ମୁକର, ତା’ସଙ୍ଗେ ଆଗପରି କିଛି ହାତ ଖରଚ ବି ପଠାଏ । ବସାରେ ଆଉ ଗୋଟିଏ ପିଲା ଥାଏ, ତା' ନାଆଁ ଗିରିଧାରୀ ପଟ୍ଟନାୟକ । ଓହଳସିଂହ କୋଠକରଣ ବାଙ୍କନିଧି ପଟ୍ଟନାୟକଙ୍କ ପୁଅ ସେ । ଦାଦା ତା’ର ‘ପ୍ରାଇଭେଟ୍‌ ଟିଉଟର୍‌’ ମୁରବି । ସେ ତଳ କ୍ଳାସ୍‌ରେ ପଢ଼ୁଥାଏ । ଭାରି ଭଲ ପିଲା । ବେଳେ ବେଳେ ସେ ବି ମୋ ଜଳଖିଆରେ ଭାଗୀଦାର ହୁଏ ।

 

କେତେ ପିଲା ତ ସାଥି ହୋଇ ପଢ଼ୁଥୁଲୁଁ, ହେଲେ କାଶୀ ଭଲ ଗାଇ ଜାଣୁଥିଲା । ଗୀତରେ ତା’ର ମୋର ବାଦ ଲାଗେ । କଳୁଭାଇ ଓ କୁଳ ହୁଅନ୍ତି ବିଚାରକ । ଗଲାଣି ସେ କାଳ କଥା । ଏବେ ଖରଶ୍ୱାସ ସେ ସ୍ମୃତିର ସ୍ମାରକ ସିନା !

 

ବରୁଣାଇ ସାହିରେ ଆଉ ଜଣେ ମୋର ବିଶିଷ୍ଟ ସାଙ୍ଗଙ୍କ ନାଆଁ ଶ୍ରୀ ରାସବିହାରୀ ରାୟ-। ସେ ମୋର ମହାପ୍ରସାଦ । ମୁଁ ତାଙ୍କ ଘରକୁ ବହୁତ ଯା'ଆସ କରେ । ମହାପ୍ରସାଦଙ୍କ ବୋଉ ମୋତେ ପୁଅପରି ଦେଖନ୍ତି । ଭଉଣୀମାନେ ଆଦର ସ୍ନେହ କରନ୍ତି । ମୁଁ ଘର ପରି ଚଳେଁ ତାଙ୍କମାନଙ୍କ ସାଥିରେ । ମହାପ୍ରସାଦ ଶ୍ରୀ ରାୟ ଏବେ କଟକର ଜଣେ ଭଲ ଆଡ଼ଭୋକେଟ୍‌-

 

ଏମାନଙ୍କ ଛଡ଼ା ମୋର ଆଉ କେତେ ସାଙ୍ଗ ଥିଲେ । ସବୁରି ନାଆଁ ହେତୁ ହଉ ନାହିଁ । କେତେ ମନ ଅଛି, କେତେ ଛାତିରୁ ଲିଭିଗଲେଣି । ମନେଥିବା ସାଙ୍ଗମାନେ ହେଲେ–

 

ଅନନ୍ତ ଦାସ–(କ୍ଲାସରେ ଫାଷ୍ଟ ହୁଏ)

 

ଦିବ୍ୟସିଂହ ପଟ୍ଟନାୟକ–(ମୋର ବନ୍ଧୁଘର, ସରଳ, ସଚ୍ଚରିତ୍ର, ମେଧାବୀ ଛାତ୍ର, ଘର–ଦହିମାଛଗଡ଼ିଆ)

 

କୁଳମଣି ସାନ୍ତରା–(ଖଣ୍ଡଗିରି ପାଖରେ ଘର)

 

ଭାଗୀରଥି ଛୋଟରା–

 

ଅବିନାଶ ଘୋଷ–(ଖୋରଧା ଟାଉନରେ ଘର, ଘଡ଼ି ଓ ଗ୍ରାମୋଫୋନ୍‌ ପ୍ରଭୃତି ମରାମତି ଜାଣେ)

 

ଦିଗମ୍ବର ପାଣିଗ୍ରାହୀ–(ଭଲ ସାଙ୍ଗ, ଘର–ସାରୁଅ)

 

ଦୟାନିଧି ଦଳବେହେରା–(ଘର ଦଶପଲ୍ଲା)

 

ଫଜଲୁଲ୍‌ ରହେମାନ୍‌–(ମେଧାବୀ ଛାତ୍ର, ସରଳ, ସ୍ପଷ୍ଟବାଦୀ କ୍ଲାସ୍‌ରେ ପୋଜିସନ୍‌ ରଖନ୍ତି, ତାଙ୍କ ପାଖରୁ ମୁଁ ଟିକିଏ ଟିକିଏ ଉର୍ଦ୍ଦୁ ପଢ଼ୁଥିଲି । ସେ ମୌଲବି ସାରଙ୍କ ପୁଅ । ଘର–ରାଇସୁଗୁଡ଼ା)

 

ଅବଦୁଲ୍‌ ହନାନ୍‌–(ବଡ଼ ମିଶୁକ, ଭଲ ପଢ଼ନ୍ତି କଟକର, ଡି.ପି.ଆଇ. ଦପ୍ତରରେ ଥିଲେ)

 

ଲତିଫୁର ରହେମାନ୍‌–(ମିଷ୍ଟଭାଷୀ, ଘର–ଶରଧାପୁର)

 

ନାରଣ ମିଶ୍ର–(ପଣ୍ଡିତ ଫକିର ମିଶ୍ରଙ୍କ ପୁଅ)

 

ବାଞ୍ଛାନିଧି ପଟ୍ଟନାୟକ–(ନୂଆଗଡ଼)

 

ଗୋପୀନାଥ ପଟ୍ଟନାୟକ–(ସମ୍ଭବତଃ ଛଣଗିରି)

 

ଓ କୃଷ୍ଣମୋହନ ପଟ୍ଟନାୟକ...ଇତ୍ୟାଦି ।

 

ଆଉଜଣେ ସାଥୀ ଉପର କ୍ଲାସ୍‌ରେ ପଢ଼ୁଥିଲେ । ତାଙ୍କ ନାଆଁ ଶ୍ରୀ କୃଷ୍ଣଚନ୍ଦ୍ର ଲାଲା । ଭାରି ମିଶୁକ ବନ୍ଧୁ ସେ । ସାଥିପିଲା ତ ଏମିତି ଅନେକ ଥିଲେ । ହେଲେ ସାହିପିଲା ବୋଲି କହିଛି ତ କଳୁ, କାଶୀ, କୁଳଙ୍କ ଭିତରେ ମେଣ୍ଟଟା ଟିକିଏ ଟାଣ । ପାନଖିଆଟା ମୋର ପିଲାଦିନରୁ ଏକ ବଦଭ୍ୟାସ । କୁଳ ପାନ ଖାଏ ନାହିଁ । କଳୁଭାଇର ଖଣ୍ଡେ ଖଣ୍ଡେ ଚଳେ । ବାକି କାଶୀର ମୋର ପାନଖିଆ, ଦିଆନିଆ, ନୀତି ଭିତରେ ଗଣା ।

 

ଖୋରଧା କଚେରିକୁ ଯିବାର ଚାରିଛକିଆ ଥାନା ମୁଣ୍ଡରେ ଗୋଟିଏ ଦୋକାନ ଥାଏ । ସେଠି ଭଙ୍ଗାପାନ ମିଳେ । ପଇସାକୁ ଚାରିଖିଲି । ଦୋକାନର ବିକାଳି ମଦନ ସରସା ପାନ ଭାଙ୍ଗେ, ସେତେବେଳେ ମିଳୁଥିବା ‘ସେନ୍‌ ସେନ୍‌’ ବଟିକା ମସଲା ଦେଇ । କାଶୀ ଆଉ ମୁଁ ସ୍କୁଲକୁ ଗଲା ଆଇଲାବେଳେ ପ୍ରାୟ ସେଇଠୁ ପାନ ପଇସାକର ଲେଖାଏଁ କିଣୁଁ ।

 

ସ୍କୁଲ ଛୁଟି ପରେ ପିଲାଏ ଖେଳପଡ଼ିଆରେ ହାଜର ହୁଅନ୍ତି । ମୋର କିନ୍ତୁ ଖେଳାଖେଳି ଆଡ଼କୁ ମୋଟେ ମନ ବଳେ ନାହିଁ । ଖୋରଧାର ନବିନାବାଗଟି ମୋର ସେ ବେଳର ପ୍ରିୟ ସାଥୀ । କେବେ ସାଙ୍ଗକୁ ଜୁଟିଲେ ଜଣେ ଦି'ଜଣ ପଢ଼ାସାଥୀ ସେଠିକି ଯାଆନ୍ତି, ନଇଲେ ଅଧିକାଂଶ ଦିନ ଏକାକୀ ଯାଏଁ । ସ୍ଥାନଟି ନିର୍ଜନିଆଁ । ଭାରି ସୁଖ ଲାଗେ । ହାତୀପୋଖରୀର ଅଳ୍ପ ଉଚ୍ଚ ପଥର କାନ୍ଥି ଉପରେ ବସି ଯାହା ମନକୁ ଆସେ ଖାଏଁ ବା ଲେଖେ । ପାଖରେ ଟେଲର୍‌ସାଇବ ବଙ୍ଗଳା–ଦେଖିବାକୁ ଭାରି ସୁନ୍ଦର । ଆଗରେ ଫୁଲ ବଗିଚା । ରାସ୍ତାରୁ ଟିକିଏ ଦୂରେଇ କରି ବଙ୍ଗଳାଟି । ବଡ଼ ନିରୋଳା ନିଛାଟିଆ ଥାନ । ତାହାରି ପାଖରେ ହାତୀପୋଖରୀ । ପଥରକଟା ପାଣି, ବେଶ୍‌ ଗହୀରିଆ । ଦେଖିଲେ ମନରେ କେମିତି ଗୋଟାଏ ନିରାଶିଆ ଗମ୍ଭୀର ଭାବ ଆସେ । ମନଟା କେମିତି କ'ଣ ହୁଏ, କାଗଜ କଲମରେ ତାକୁ ରୂପଦେଇ ପାରୁ ନାହିଁ । ଆଗେ ଏଇ ପୋଖରୀରେ ଖୋରଧା ରଜା ବା ଓଡ଼ିଶା ରଜାଙ୍କ ହାତୀ ଗାଧୋଉଥିଲେ ବୋଲି ଲୋକେ କହନ୍ତି । ପୋଖରୀକି ପ୍ରାୟ ଲାଗିକରି ବୁଦୁବୁଦିକିଆ ଲଟାବଣ । କେତେ ଜାତିର ଚଢ଼େଇ କିଚିରି ମିଚିରି କରୁଥାନ୍ତି । ନାନାପ୍ରକାର ବଣୁଆ ଫୁଲ ବରୁଣାଇ ପରବତରେ ଧକ୍‌କାଖିଆ ବାଟବାହୁଡ଼ା ପବନରେ ଚହଲି ଚହଲି ଦୋଳି ଖେଳୁଥାଆନ୍ତି । ଚଷାପୁଅ, ହଳଦୀବସନ୍ତ, ଘୁଟରୁଘୁମା ଓ କଜଳପାତି ପ୍ରଭୃତିଙ୍କର ଅବାଧ ରାଜତ୍ଵ ।

 

ସେଇଠି, ସେ ପୋଖରୀର ହୁଡ଼ା ଉପରେ ଖାତା, ପେନ୍‍ସିଲ ନେଇ ବସିଯାଏଁ–ଗୀତ ଲେଖେଁ, ଗୀତ ଗାଏଁ । ଦେଖିବା, ଶୁଣିବାକୁ କେହି ନାହିଁ । ନିଜେ ଲେଖେଁ–ନିଜେ ପଢ଼େ, ନିଜେ ଗାଏଁ–ନିଜେ ଶୁଣେଁ । ବସିବସି ଦିନେ ସଞ୍ଜରେ ଲେଖିଥିଲି, ମନେପଡୁଛି–ଆସି ଅନ୍ଧାର ହେଲାଣି

 

ରୁମ ଲୁଚିଲାଣି,

ସଞ୍ଜସଖୀ ବେଶ ହେଲାଣି ।

କଳା ବନାରସୀ–ପାଟ ପିନ୍ଧିଲାଣି

ପୁଞ୍ଜତାରା ବୁ’ଟା ଖଞ୍ଜ ଦେଲାଣି ॥

ନାଇ ନାନା ବନଫୁଲ ଝରା

କେଡ଼େ ସୁନ୍ଦର ଦିଶେ ତୋରା

ଓଢ଼ଣା ଘୋଡ଼ାଇ–ଲାଜେ ଲାଜେ ସତେ

ରବିରେ ଦେଲାଣି ମେଲାଣି ॥

 

X X X

 

–୧୯୧୩ । ୧୪ ସାଲର ଲେଖା । ଆଉ ତେଣିକି କ’ଣ ଲେଖିଥିଲି ମନେପଡୁ ନାଇଁ-

 

ମୁଁ ତ ନବୀନାବାଗକୁ ବରାବର ବୁଲିଆସେଁ । ଦିନକର ଗୋଟିଏ ଘଟଣା ମୋ ଜୀବନର ଅଭୁଲାଛାପ ଦେଇଛି । ମଣିଷ ଯାହା ଚାହେଁ, ବରାଦରେ ଥିଲେ ତାହା ଛାଏଁ କାହୁଁ ଆସି ହାତ ପାହାନ୍ତାରେ ହାବୁଡ଼ି ଯାଏ । କଥାଟା ମିଛ ନୁହେଁ ।

 

ଗୁରୁ ଦର୍ଶନ :

 

‘‘ଏମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ।”–ଏଇଟା ନିରୋଳା ସତ । ଦିନେ ହାତୀପୋଖରୀର ଅଳ୍ପ ଉଚ୍ଚ କାନ୍ଥିନି ଉପରେ ପାଣି ଆଡ଼କୁ ମୁହଁକରି ମୋର ସେତେବେଳର ଏକାନ୍ତ ପ୍ରିୟ ଗୀତଟି ଗାଉଥିଲି–

 

“ରାଧାକାନ୍ତ ରାଧାମୋହନ ଗୋବିନ୍ଦ !

ଲବେ ଦୟା ନାହିଁକି ?”

 

ପିଠିପଟଟା ମାଡ଼ି ମାଡ଼ି ପଡ଼ିଲା ପରି ଲାଗିଲା । ଲେଉଟି ଚାହିଁଲି, ଦି’ଜଣ ଭଦ୍ରଲୋକ ମୋର ଖୁବ୍‍ ପାଖରେ ମୋତେ ଅନାଇଁ ଠିଆ ହୋଇଛନ୍ତି–ମୁହଁରେ ଅପୂର୍ବ ପ୍ରସନ୍ନତା । ଟିକିଏ ଅପ୍ରତିଭ ହୋଇପଡ଼ିଲି । ପୋଖରୀକାନ୍ଥିରୁ ଓହ୍ଲାଇ ଠିଆହେଲି । ଭଦ୍ରଲୋକ ଦୁହେଁ ମୋ ପାଖକୁ ଆସିଲେ । ଜଣେ କଳା, ଡେଙ୍ଗା, ଦୋପୁରିଆ ଦେହ, ବେଶ୍‌ ଲମ୍ବା ଲମ୍ବା ଦି’ପଟା ନିଶ । ଆରଜଣକ ଗୋରା, ଦେହ ମୋଟାକୁ ଚାହିଁ ଡେଙ୍ଗା ନୁହେଁ ବରଂ ଉଚ୍ଚତାକୁ ବପୁ ବଳେଇ ପଡ଼ିଛି । ବଡ଼ ବଡ଼ ଗଙ୍ଗାଯମୁନା ନିଶ ଦି’ପଟ ତାଙ୍କର ।

 

କଳାଜଣଙ୍କ କହିଲେ–ଗାଆ ଗାଆ । କେଡ଼େ ସୁନ୍ଦର ତ ଗାଉଛ । ଆମେ ବୁଲି ଆସିଥିଲୁଁ, ବହୁତ ବାଟକୁ ତମ ଗୀତ ଶୁଭୁଛି । ଶୁଣିକରି ଆସିଛୁ । କାହାଠୁ ଏ ଗୀତ ଶିଖିଥିଲ ? କିଏ ତମ ଗୁରୁ ?

 

ମୁଁ କହିଲି ଏ ଗୀତଟି ରେକର୍ଡ଼ରୁ ଶୁଣିକରି ଶିଖିଛି । ବାସୁଦେବ ମହାପାତ୍ରେ ୟାର ଗାୟକ । ତାଙ୍କୁ ମୁଁ କେବେ ଦେଖି ନାହିଁ, ବାକି ତାଙ୍କ ଗୀତଟି ଯେତେବେଳେ ଶୁଣି ଶୁଣି ଶିଖିଛି, କହିବାକୁ ଗଲେ ସେଇ ମୋର ଗୁରୁ ।

 

ଭଦ୍ରଲୋକ ଦି’ଜଣ ମୁହଁକୁ ମୁହଁ ଚାହାଁଚାହିଁ ହୋଇ ମୁରୁକି ମୁରୁକି ହସିଲେ ।

 

ଗୋରାଜଣକ କହିଲେ–ବସ ବସ–ଗାଆ ଆଉଥରେ ଗୀତଟି, ଶୁଣିବାକୁ ବଡ଼ ମନ ହେଉଛି । କଳାଜଣକ ବି ତାଙ୍କ ସଙ୍ଗେ ଜୁଆଣ ଦେଲେ ।

 

ବସି ବସିକରି ପୂରା ଗୀତଟି ଗାଇଲି । ବେଳ ରତରତ ହୋଇ ଆସୁଥାଏ । ବରୁଣାଇଁ ପାହାଡ଼ ଶିଖର ରଙ୍ଗବୋଳା ହେଲାପରି ଭାରି ସୁନ୍ଦର ଦିଶୁଥାଏ । ସଞ୍ଜକୁ ଡାକୁଥାଆନ୍ତି ସତେ ପକ୍ଷୀଏ !

 

ବେଳବୁଡ଼ ହେବାର ଦେଖି ସେମାନେ କହିଲେ–“ଚାଲ, ଅନ୍ଧାର ହୋଇଯିବ ଟାଉନ୍‌ରେ ପହଞ୍ଚୁ ପହଞ୍ଚୁ ।'

 

ଭାରି ମନ ହେଉଥାଏ–ହେଲେ କେମିତି ପଚାରିବି ସେମାନଙ୍କର ପରିଚୟ ?

 

ତିନିହେଁ ଗଲୁଁ । ସେମାନେ ମୋର ପରିଚୟ ପଚାରିଲେ । କିନ୍ତୁ ସେ ଦୁହେଁ ଢେର୍‌ ବଡ଼ ମୋଠୁଁ ବୟସରେ ବୋଲି ସାହସ ହେଲା ନାହିଁ । ଅଗଜିଭଯାଏ କଥାଟା ଆସି ବାହୁଡ଼ି ଯାଉଥାଏ । ତାଙ୍କ ପରିଚୟ ପଚାରିହେଲା ନାହିଁ ।

 

ଆସି ଟାଉନ ଭିତର ହେଲା । ମୁଁ ଯିବି ବରୁଣାଇଁ ସାହିକି, ସେମାନେ କୁଆଡ଼େ ବା କେଉଁ ବାଟେ ଯିବେ ତା’ ମୋତେ ଅଜଣା । ସବ୍‍ଡିଭିଜନାଲ୍‌ ଅଫିସରଙ୍କ ବଙ୍ଗଳା କଡ଼ର ଗଳିରୁ ମୋତେ ମୋ ବାଟେ ସଳଖିବାକୁ ହେବ । ସେ ଦିହେଁ ଆଗେ ଆଗେ ଯାଉଥାନ୍ତି । ମୁଁ ତ ତାଙ୍କ ଘରଦୁଆର ଜାଣେ ନାହିଁ । ମୋ ବାଟ ପଡ଼ିବାର ଅଳ୍ପ ଆଗରୁ କହିଲି–ମୁଁ ଏଇ ଡାହାଣହାତି ଯିବି, ବରୁଣାଇ ସାହିକି ।

 

ହସି ହସି ଗୋରା, ଗେଡ଼ା ଭଦ୍ରଲୋକ କହିଲେ–ହଉ, ଆସ । ଆମ ଘର ବାଟ ତ ସେଇଟା । ପଛେ ପଛେ ଗଲି । ଏଥର ଭାବିଲି ଘରଟା ଦେଖିଗଲେ, ବଳେ ପଛେ କେବେ ଜଣାପଡ଼ିବ–ଏମାନେ କିଏ ?

 

କିଛି ବାଟ ଗଲେ ବାଆଁକୁ ଆଉ ଗୋଟିଏ ଗଳି ପଡ଼ିଲା । ଗଲି ଡାହାଣପଟକୁ ଅଳ୍ପ ଛାଡ଼ି ଗୋଟିଏ ଚାଳଛପର ଚୂନ ଘରକୁ ଦେଖାଇ ମୋତେ କହିଲେ ଗୋରାବାବୁ ଜଣକ–“ଏଇଟା ଆମ ଘର । ଆସ ଟିକିଏ ବସିକରି ଯିବ ।'”

 

ବେଳବୁଡ଼ ହୋଇ ଯାଉଛି । ଦାଦା କଚେରିରୁ ଫେରିବେଣି । ସଞ୍ଜ ଛଅ, ସାଢ଼େ ଛଅବେଳେ, ଲଣ୍ଠନ ଜାଳି ବହିପୋକ ହେବା କଥା । ଏ ବାବଦରେ ମଧ୍ୟ ଦାଦା ଆମର ଠେଙ୍ଗାପକା ଅବଧାନ । ତେଣୁ ଉଛୁର ହୋଇଗଲେ ତାଡ଼ନା ଭାଗ୍ୟରେ ଥୁଆ । ତୁଣ୍ଡରେ କହିଲେ ତ, କଥା ନ ଥିଲା । ମୁହଁ ଫଣଫଣ କରି ମନେମନେ ଗାରୁଗାରୁ ହେବେ । ଏଣେ ଭଦ୍ରଲୋକ ଡାକୁଛନ୍ତି, କେମିତି ମନା କରୁଛି ? ତଥାପି କୁନ୍ଥୁକୁନ୍ଥୁ ହୋଇ କହିଲି, ‘ସଞ୍ଜ ହୋଇ ଆସିଲାଣି, ଦାଦା ଖୋଜିବେ । ସେ କହିଲେ–‘‘ନାହିଁ, ଡେରି ହେବ ନାହିଁ । ସାଙ୍ଗେ ସାଙ୍ଗେ ଚାଲିଯିବ ।”

 

ଗଲି ପଛେ ପଛେ । ଘରର ବାହାର ପାଖେ ବାରଣ୍ଡାରେ ତାଙ୍କର ପଡ଼ିଥାଏ ଇଜି ବେଞ୍ଚଟାଏ । ସେ ଦୁହେଁ ବସିଲେ, ମୋତେ ବସିବାକୁ କହିଲେ । ତାଙ୍କ ପାଖରେ ବସିବାକୁ ଟିକିଏ ସଙ୍କୋଚବୋଧ କଲି । କଳା ବାବୁଟି ମୋ ହାତ ଟାଣିନେଇ ବସାଇ ଦେଲେ, ଗୋରାଜଣକ ହସି ହସି କହିଲେ–ଆଚ୍ଛା କାଳୀବାବୁ, ଆମେମାନେ କିଏ ବୋଲି ପଚାରିଲ ନାହିଁ ତ ? ମୋତେ ତୁମେ ଜାଣ ?”

 

ମୁଁ–“ନା, ଏଇ ବାଟେ ନିତି ସ୍କୁଲକୁ ଯାଏଁ । ଅଳ୍ପଦିନ ହେଲା ଆସିଛି । ବୁଝି ନାହିଁ ଘରର କର୍ତ୍ତା କିଏ ।’’

 

ସେ–‘‘ମୋ ନାଆଁ ପ୍ରତାପ ଚନ୍ଦ୍ର ନାୟକ, ଆଉ ୟା’ଙ୍କୁ ତ ତୁମେ ଜାଣ’’–ଏହା କହି ସେ ହସିଲେ ମୋ ଆଡ଼କୁ ଅନାଇଁ ।

 

ମୁଁ ତାଟକା ହୋଇ ଚାହିଁଲି, କହିଲି–‘‘ମୁଁ ଜାଣେ ! କାଇଁ ନାଇଁ ତ ! କେବେ ଦେଖି ନାଇଁ-!’’

 

ସେ–‘‘ଯଦି କୁହେଁ ଜାଣ ବୋଲି, ତେବେ ? ହଁ, ତୁମେ ଦେଖି ନ ଥିବ । ସେ ବି ତୁମକୁ ଦେଖି ନ ଥିଲେ–ତଥାପି ତୁମେ ତାଙ୍କୁ ଜାଣ ।”

 

ଆଚ୍ଛା ଅଡ଼ୁଆରେ ମୁଁ ପଡ଼ିଲି । ବୋକାପରି ଚାହିଁରହିଲି ଖାଲି ।

 

କଳାଜଣକ ମୁରୁକି ମୁରୁକି ହସୁଥାଆନ୍ତି । କହିଲେ–“ତୁମ ଗଳାଟି ମିଠା, ମୁଁ ତୁମକୁ ଗୀତ ଶିଖାଇ ଦେବି, ଶିଖିବ ?’’

 

ମୁଁ କହିଲି–ଶିଖିବି ଯେ...

 

ଗୋରାବାବୁ କହିଲେ–“ତୁମେ ଯାହାଙ୍କୁ ନ ଦେଖିକରି ମନେ ମନେ ଗୁରୁ ମାନୁଛ, ଏ ସେଇ ବାସୁଦେବ ମହାପାତ୍ରେ ।’’ ଆକାଶରୁ ପଡ଼ିଲି ମୁଁ, ଉଠି ପଡ଼ି ପାଦଧୂଳି ନେଲି ।

 

‘‘ଥାଉ ଥାଉ ବୋଲି କହି ଗୁରୁ ମହାପାତ୍ରେ ମୋତେ କୁଣ୍ଢାଇ ପକାଇଲେ ।’’

 

ଗୋଟା ଜହ୍ନ ସେଦିନ, ଆକାଶ କୋଣରୁ ଉଇଁ ସତେ ଯେମିତି ଦରହସା ମାରି ଚାହିଁଲା ମୋତେ ! ମନର ଆନନ୍ଦ କୂଳ ଉଛୁଳି ପଡ଼ିଲା ।

 

ଗାଆଁ ବଟ ମୂଳେ ଭାଗବତ ପଢ଼ା ଶୁଣିଛି । ଉଖୁଡ଼ା ନଡ଼ିଆ ଆଉ ଚିଲମ୍‌ ସାଥିରେ ପଢ଼ାହୁଏ–

 

“ଏମନ ଭାବୁଥାଇ ଯାହା

କାଳେ ପ୍ରାପତ ହୁଏ ତାହା ।”

 

ଏଇ ପଦକ ଭାବି ଭାବି ପ୍ରତାପବାବୁ ଓ ଗୁରୁଦେବ ମହାପାତ୍ରେଙ୍କୁ ପ୍ରଣାମ କରି ବସାକୁ ଫେରିଲି । କି ଆନନ୍ଦ ମୋର ! ଅପାସୋରା ସେ ଶୁଭମୁହୂର୍ତ୍ତ । ସେଇ ଦିନଠାରୁ ମହାପାତ୍ରେ ମୋର ଗୁରୁ–ଆଦ୍ୟଗୁରୁ । ପ୍ରତାପବାବୁଙ୍କ ପାଖେ ମୁଁ ଆଜୀବନ କୃତଜ୍ଞ, ତାଙ୍କ ଯୋଗୁଁ ସିନା ମୁଁ ଏ ସୌଭାଗ୍ୟ ଅର୍ଜନ କଲି !

 

ବସାକୁ ଫେରି, ସେ ରାତିରେ ଆଉ ଖିଆପିଆରେ ମନ ନ ଥାଏ । ଆନନ୍ଦରେ ବୁକୁ ଫୁଲି ଉଠୁଥାଏ । ଆଖିରୁ ଲୁହ ବାହାରି ପଡ଼ୁଥାଏ । ସହଜରେ ନିଦ ହେଲା ନାହିଁ । ଶୋଇବାକୁ ଯିବାଆଗରୁ ମାଆଙ୍କୁ ମୁଣ୍ଡିଆମାରି ଶୁଏଁ । ସେଦିନ କେତେ ତାଙ୍କ ଚରଣରେ ଜଣାକଲି । କେଡ଼େ ଦୟା ‘ମା’ଙ୍କର ସତେ !

 

ଲୁହ–ଝରା ଆଖିରେ କେତେ ମୁଣ୍ଡିଆ ମାରି ଶୋଇଲି–ମଝିରେ ମଝିରେ ନିଦ ଭାଙ୍ଗି ଯାଉଥାଏ । ଗୁରୁ ମହାପାତ୍ରଙ୍କ ମୁହଁ, ସେ ହସ ସାଙ୍ଗରେ ପ୍ରତାପବାବୁଙ୍କର “ନିଶ୍ଚୟ ନିଶ୍ଚୟ, ତୁମେ ତାଙ୍କର ଉପଯୁକ୍ତ ଛାତ୍ର ହେବ’’–କଥାଟା କାନେ କାନେ ଗୁଞ୍ଜରି ଉଠୁଥାଏ !

 

ମନର ହମହମଟାକୁ କେତେକରି ଦବାଇଲି । ହେଲେ, ଭାରି ଅମାନିଆଁ ହେଲା ସେ । ନିତି ଖେଳଛୁଟି ହେଲେ ସାଥୀପିଲାଏ ମୋ ଚାରିକଡ଼େ ଜମାଟ ବାନ୍ଧନ୍ତି, ଗୀତ ଶୁଣିବାକୁ । ଆଜି ସେ ଆଖଡ଼ା ବନ୍ଦ କରି ଠିକ୍‌ ଖେଳଛୁଟି ହେବା ଆଗରୁ ପଳାଇଗଲି ପ୍ରତାପବାବୁଙ୍କ ଘରକୁ । ପଚାରିଲି ତାଙ୍କୁ–ଗୁରୁ ମହାପାତ୍ରେଙ୍କ ଦେଖା ମିଳିବ କେତେବେଳେ । ସେ କହିଲେ–“ରବିବାର ଦିନ ଚର୍ଚ୍ଚରୁ ବାହୁଡ଼ିଲେ ତାଙ୍କର ତମକୁ ଗୀତ ଶିଖାଇବାକୁ ତର ହେବ । ଆଉ କେଉଁଦିନ ସୁବିଧା ହେବା ନ ହେବା କଥା ମହାପାତ୍ରେ ନିଜେ କହିବେ ।’’

 

ଚର୍ଚ୍ଚରୁ ବାହୁଡ଼ିଲେ ଶିଖାଇବେ–ସେ ପୁଣି କି କଥା ! ଚର୍ଚ୍ଚ ନାଆଁଟା ପିଲାଦିନେ ଶୁଣିଥିଲି ବଡ଼ାମ୍ବା ବାଳିକା ସ୍କୁଲ ମାଷ୍ଟରାଣୀଙ୍କଠାରୁ । ସେ ଚଟିଜୁତା ପିନ୍ଧି, ଛତାଧରି ଆମ ଘରକୁ ଆସନ୍ତି । ବୋଉ ତାଙ୍କଠାରୁ ବୁଣାବୁଣି କାମ ଶିଖେ । ଅଲଗା ହୋଇ ଖଣ୍ଡିଏ ସଉପ ମସିଣା ଥାଏ । ଦିହେଁ ତା'ରି ଉପରେ ବସାଉଠା କରନ୍ତି । ମାଷ୍ଟ୍ରାଣୀ ଛତା ଟେକି ବଡ଼ଦାଣ୍ଡରେ ଆସିଲାବେଳେ ଶିରିଆମାଆ, ଦନେଇବୋଉ, ରଘୁବୋଉ, ଅଜଗବି ଦାଣ୍ଡ ଦୁଆରେ ଥିଲେ, ଟୁପ୍‌ଟାପ୍‌ ଭୁଟ୍‌ଭାଟ୍‌ ହୁଅନ୍ତି । ମାଳିଆମା’ କହେ–

 

‘‘ଆ, ନା’ଜ ନ ଥାଏ, ନଜଉଥାଏ–ଫଟା ମରୁଦଙ୍ଗ ବଜାଉଥାଏ । ୟେ କି କଥା ଲୋ ମାଆ ! ମାଷ୍ଟ୍ରିୟାଣୀ ହେଲେ ବୋଲି, ବଡ଼ ଦାଣ୍ଡରେ, ନଖେ ମଣିଷଙ୍କ ଜୀଅନ୍ତା ଆଖି ଆଗେ ଛତା ଜୋତା ପିନ୍ଧିକରି ଯିବେ ?’’

 

ଯୋଗୀଜେଜେ ତ ପକା ଲବଜିଆ ! ସଜ ମାଉଁସରେ ପୋକ ପକାଇଲାବାଲା ! ସେ କହନ୍ତି–

 

“ଡେଏଙ୍ଗ ଦୁର୍ବଳ କଳା

ଭବିଷେ ବାଳ ମୁକୁଳା’

 

ମନ କଥାଟା ମନ ଭିତରେ ରହିଲା । ବେଳ ହୋଇଗଲା, ସ୍କୁଲକୁ ଗଲି । ଦପ୍ତରୀ ଆନନ୍ଦକୁ ଚାହିଁ ରହିଥାଏଁ, ଛୁଟି ଘଣ୍ଟା ବଜାଇବ ସେ କେତେବେଳେ । ଯେତିକି ଯେତିକି ମୁଁ ଉତାଲା ହେଉଥାଏ, ହେଡ଼ମାଷ୍ଟରଙ୍କର ଅଫିସର ସେ ବୁଢ଼ା ଘଣ୍ଟାର ହାତଟା ଆଗକୁ ନ ଘୁଞ୍ଚି ସତେଯେମିତି ପଛଘୁଞ୍ଚା ଦେଉଥାଏ ସେଦିନ !

 

ଶେଷରେ ଘଣ୍ଟା ପିଟିଲା ଆନନ୍ଦ । ଟାଙ୍ଗରା ଟୁବୁରୀ ମୁଣ୍ଡିଆରେ ବଇଶାଖୀ ଦୂବ କାଁ ଭାଁ ହୋଇ କେରାଏ କେରାଏ ଦେଖା ଦେବା ପରି ଖୋରଧା କଚେରି ସାମନା ଅଧା ଚନ୍ଦାମୁଣ୍ଡିଆ ଗେଡୁ ବାଞ୍ଚା ସାହୁ ଗୁଡ଼ିଆ ଦୋକାନର ନୁଆଁଣିଆଁ ଚାଳିତଳେ ମୁଣ୍ଡ ଝୁଙ୍କାଇ ଦେଲାକ୍ଷଣି ନିତି ଗରାଖକୁ ଦେଖି ସେ ପାନପିକ ବୋଳା ପଚା ଦାନ୍ତ ଦି’ ପାଟିରୁ କେଜାଣି ବାରପଣ ଦେଖାଇ ବେଉସାଦାରୀ ‘ସ୍ଵାଗତ’ ଜଣାଇଲା । ବାଞ୍ଛା ଦୋକାନର ଛେନାଗଜା ପରି ଲେଡ଼ିକିନ୍‌ ବି ସେତେବେଳର ନାଆଁ ଡାକ ଜଳଖିଆ । ଠିଆ ଠିଆରେ ଦିଓଟି ତହିଁରୁ ଗଳାଧ୍ୟଃକରଣପୂର୍ବକ ମିରିଗଡ଼ିଆଁରେ ପ୍ରତାପବାବୁଙ୍କ ଦୁଆରେ ହାଜର ହେଲି ।

 

କିନ୍ତୁ ଗୁରୁ ମହାପାତ୍ରେ ସେତେବେଳକୁ ଆସି ନ ଥିଲେ । ତେଣୁ ବାଟ ଭାବନାଟା ପୁଣି ମୂଳରୁ ଅନୁକୂଳ କରି ବୁଝିଲି ଯେ–ମହାପାତ୍ରେ ଅଉଲରେ ଥିଲେ ବ୍ରାହ୍ମଣ । ଥିଲା ଚିକିଟିରେ । ରାଜଗୁରୁ ବଂଶର ସେ । ‘ଦଇବ ବିଚାରେ ଆ’ନ–ମଣିଷ ବିଚାରେ ଆ’ନ’’–ଏ କଥା ତ ପୁଣି ଅଛି । ଚିକିଟି ଆଧି ଛାଡ଼ି ସେ ଅନ୍ୟବାଟ ଧରିଲେ । ଏକ ଗୋଟିପୁଅ ବା ଆଖଡ଼ାପିଲା ଦଳ ଥିଲା ତାଙ୍କର-। ନିଜେ ତ ଭଲ ଗାଆନ୍ତି । ଶିକ୍ଷା ମଧ୍ୟ କରିଥିଲେ । ଯେମିତି ବଡ଼ ପାଟି, ସେମିତି ମିଠା ଗଳାଟି-। ସେକାଳେ ତ ଆଜିକାଲିକା ପରି ପାଞ୍ଚ ହାତରେ ବସିଥିବା ଶୁଣାଳିଙ୍କ ପାଇଁ ‘ମାଇକ୍‌’ ଲୋଡ଼ା ପଡ଼ିବା କଥା ଜଣା ନ ଥିଲା । ମହାପାତ୍ରେ ଗାଉଛନ୍ତି ବୋଇଲେ, ଡାକେ ବାଟରୁ ଲୋକେ, କାନରେ ବାଟୁଳି ବାଜିଲା ପରି, କଥାଗୁରାକ ବାରି ପାରୁଥିଲେ, ସ୍ଵର ଲହରୀରେ ଭାସି ଯାଉଥିଲେ-

 

ଥରେ କୁଆଡ଼େ ଭୁବନେଶ୍ୱରକୁ ତାଙ୍କ ଆଖଡ଼ା ପିଲାଦଳ ନେଇ ଯାଇଥିଲେ ସେ । ସେଠା ବାଳିକା ସ୍କୁଲର ଏକ ଶିକ୍ଷୟିତ୍ରୀ ସହିତ ଏକାମ୍ରକାନନରେ ମହାପାତ୍ରେ ବାନ୍ଧି ହୋଇ ପଡ଼ିଲେ । ସେ ଦିନୁ ତାଙ୍କ ନାଆଁ ‘ମେରୀ ମାତାର ନନ୍ଦନ’ ବୋଲି ଖାତାରେ ଦରଜ ହେଲା । ହେଲେ ବାଆଁ ଆଉ ପରମ୍ପରା ସଂଜ୍ଞାଟାର ମୂଳପୋଛ କରି ନାହାନ୍ତି ଅବଧି । କାଳକ୍ରମେ ଦଳ ଭାଙ୍ଗିଗଲା । ମହାପାତ୍ରେ ଏଇନେ ଚର୍ଚ୍ଚର ନମୁଦୀ ପାଷ୍ଟାର । ଅବଶ୍ୟ ଏ ମୋର ପ୍ରତାପବାବୁଙ୍କଠାରୁ ଶୁଣା କଥା ।

 

କେତେବେଳେ ପରେ ଗୁରୁ ମହାପାତ୍ରେ ଖୋଦ୍‌ ଉପସ୍ଥିତ ହେଲେ । କଥା ପ୍ରସଙ୍ଗରେ ପ୍ରଶ୍ନ ହେଲା ମୋତେ–“ଗଳା ସାଧିଛ କେତେ କାଳ ? ଏବେ ସାଧୁଛ ତ ?’’

 

ଗଳା ! ତାକୁ ପୁଣି ସାଧିବାକୁ ହୁଏ କେମିତି ? ଏପାଠ ତ ମୋତେ ମାଲୁମ ନାହିଁ । ଡାକ୍ତର ପାଖେ ରୋଗ ଲୁଚାଇଲେ କି ଚଳିବ ? ମୁଁ ସିଧା ମନାକଲି ଓ ଗଳା ସାଧିବା ମଧ୍ୟ ଜାଣି ନାହିଁ ବୋଲି କହିଲି ।

 

–ହାରମୋନିୟମ ବଜାଇ ଜାଣ ?’’

 

–‘ହେଁ !! ମୁଣ୍ଡ ନାଇଁ–ମୁଣ୍ଡ ବଥାଉଛି ?’’

 

–ଏ ପହଳିଟା ଏକାବେଳେ ଖାପିଗଲା ମୋ ପକ୍ଷରେ, ଏ ସବୁଥିରେ ଅଯୋଗା ପଣିଆ ବିଚାରି ମନଟା ଅମୁରୁଛୁକ ହୋଇଗଲା ମୋର । ମାତ୍ର ମହାପାତ୍ରେ ମୋତେ ଫୋପାଡ଼ି ନ ଦେଇ ହୋ’କ ଦେଲେ, ତାଙ୍କର ସ୍ଵାଭାବିକ ଦରହସା ମାରି ।

 

ପ୍ରତାପବାବୁଙ୍କ ଖଣ୍ଡିଏ ମଣ୍ଡଳ କମ୍ପାନୀର ହାରମୋନିୟମ ଥାଏ । ସେଥିରେ ବିଶିଆଙ୍ଗୁଠିରେ ପରଦା ଚିପି ସ୍ଵର ଧରି ଗୀତ ଗାଆନ୍ତି ଗୁରୁଜୀ । ନିଜେ ତ ସେ ବେହେଲା ଭଲ ବଜାନ୍ତି, ଗାଆନ୍ତି ମଧ୍ୟ ବେହେଲା ବାଦନ ସହ, ଖାଲି ବେହେଲା ନ ଥିଲା କଥାକୁ ହାର୍ମୋନିୟମ ସୁର ଧରି ଗାଆନ୍ତି । ହାର୍ମୋନିୟମ୍‌ ସହିତ ସେ ମୋତେ ସ୍ଵର ମିଳାଇ ଗଳା ସାଧିବାକୁ ଉପଦେଶ ଦେଲେ । ମାତ୍ର ସେ ଉପସ୍ଥିତ ଥିବାବେଳେ କେବଳ ସ୍ଵର ଦେଇ ସା ରେ ଗା ମା ସାଧନ ଶିଖାନ୍ତି ।

 

ମନ ବସିବ ବୋଲି ସେ ପ୍ରଥମେ ମୋତେ ସ୍ଵର ସହିତ ତାଙ୍କ ସାଙ୍ଗରେ ଗୋଟିଏ ଗୀତ ଶିଖାଇଲେ; କିନ୍ତୁ ପ୍ରଥମ ଦିନ ଗୀତଟିର ରାଗ ଅବା ତାଳ କିଛି କହିଲେ ନାହିଁ । କେବଳ ଗାଇବାର ଅନୁସରଣ କରିପାରୁଛି କି ନାହିଁ, ସେତିକି ବାରିବାକୁ, ଯେଉଁ ଓଡ଼ିଶୀ ଗୀତଟି ଶିଖାଇଲେ, ସେ ପହିଲି ଗୀତଟି ହେଉଛି–

 

“କୁନ୍ଦ ପସନ୍ଦ ମନ୍ଦ ହାସିନୀ

ଅରବିନ୍ଦ ବାସିନୀ”

 

ପରବର୍ତ୍ତୀ ଗୀତ ହେଲା–‘ସୁଷମାନନୀ’ ଗଜଗାମିନୀ, ତେଜ ମାନରେ’

 

ନବୀନାବାଗ ହାତୀପୋଖରୀର ପଥର ପାଚେରି ହୋଇଥାଏ, ମୋର ସଙ୍ଗୀତ ଶିକ୍ଷାପୀଠ । ସପ୍ତାହକେ ଶିକ୍ଷା ପାଳି ଦି’ଦିନ । ବେଳ ରତରତ ହେଲେ, ମୋର ଏ ଚାହାଳି ପଡ଼ିଆ-

 

ପ୍ରତାପବାବୁଙ୍କ ଘରେ ଗଳାସଧା କାମଟା ଖେଳଛୁଟିବେଳେ ହୁଏ । ବସାରେ ତ ମୋଟେ ଏ ସବୁର ସୁବିଧା ନ ଥାଏ ।

 

ଆଉ ଟିକିଏ ବେଶିବେଳ ଗୀତ ଶିଖିବାକୁ ମନ ସୋରାଉଥାଏ, ହେଲେ ଦାଦାଙ୍କ ଡର । ମଣିଷକୁ ରୋକିଲେ, ସେ ହଟୁଣୁ କାମ ସାଧିବାର ବାଟ ଉଣ୍ଡେ । କ୍ରମେ ସେଇଆ ହେଲା ।

 

ସେବେଳର ‘ବାସୁ’ ପୂଝାରୀକି କିଛି ଲାଞ୍ଚ ଦେଇ ହାତେଇଲି । ଗିରିଧାରୀ ତଳ ଶ୍ରେଣୀରେ ପାଠ ପଢ଼ୁଥିଲେ । ଏସବୁ ସେ କିଛି ଜାଣି ନ ଥାନ୍ତି । ମୁଁ ଶୀତଦିନେ ଛଡ଼ା ଅନ୍ୟଦିନେ ବାରଣ୍ଡାରେ ଶୁଏଁ–ଏଇଟା ଦୁଷ୍ଟ ବୁଦ୍ଧିର କଳ୍ପନା । ବାହାର ପାଚେରି କବାଟ କିଳେ ‘ବାସୁ’ ପୂଝାରୀ । ତାକୁ ବିଶ୍ୱାସରେ ସବୁ କଥା କହିଲି । ପଢ଼ାସାରି ରାତି ସାଢ଼େ ନଅଟାବେଳେ ଶୁଏ । ମୋ ମଶାରି ତଳେ ମୋ ବଦଳରେ କେତେଥର ଲମ୍ବ ତକିଆଟା ଚାଦର ଘୋଡ଼ିହୋଇ ଶୁଏ । ବାହାର ପାଖ କବାଟ ଆଉଜା ହୋଇ ରହିଥାଏ । ରାତି ବାରଟା ଗୋଟାଏ ବେଳକୁ ଗୀତ ଶିଖି ଫେରିଆସେଁ । ପହିଲେ ପହିଲେ ଟିକିଏ ଟିକିଏ ଛାତି ଧଡ଼ପଡ଼ ହେଲା । ପରେ ପରେ ଏ କାମଟା ଦିହର ମଳି ହୋଇଗଲା । ଖରାଦିନ ସାରା ଏଇ ବେପାର ଚାଲେ । ମୁଁ ଖ୍ରୀଷ୍ଟିୟାନ ପଡ଼ାକୁ ଯାଏଁ । ଗୁରୁ ମହାପାତ୍ରେ ମୋତେ ସାଙ୍ଗରେ ନେଇ ନବୀନାବାଗ ଯାଆନ୍ତି । ଭାଲିଆବାଡ଼ି ହାଟ କଡ଼ ବାଟେ ଆମେ ନବୀନାବାଗ ଯାଉଁ ।

 

କ୍ରମେ ‘ସରଗମ’, ଟିକିଏ ଟିକିଏ ତାଳ ଦେଇ ଗୀତ ସହିତ ଶିଖାଇଲେ ଗୁରୁଦେବ । ଧୀରେ ଧୀରେ, ପ୍ରାୟ ବର୍ଷକ ପରେ ବେହେଲା ଧରିବା ଆରମ୍ଭ କଲି ମଧ୍ୟ ତାଙ୍କ କରୁଣାରୁ ।

 

ସ୍କୁଲର ପୁରସ୍କାର ବିତରଣୀ ସଭାରେ ଗୀତ ଆଉ ନାଟକର ଗୋଟିଏ ଅଧେ ଦୃଶ୍ୟରେ ଅଂଶଗ୍ରହଣକରି ଶିକ୍ଷକ, ଛାତ୍ର ଓ ଶ୍ରୋତା ମହଲରେ ମୁଁ ଜଣାଶୁଣା ହୋଇପଡ଼ିଲି ।

 

ମନେଅଛି ଥରେ ସ୍କୁଲର ପୁରସ୍କାର ବିତରଣୀରେ ମୁଁ ଗୀତ ଗାଇବା ଛଡ଼ା ସ୍ୱର୍ଗତ କାମପାଳବାବୁଙ୍କ ‘ସୀତାବିବାହ’ ନାଟକର ପରଶୁରାମ ଭୂମିକା ଅଂଶ ଗ୍ରହଣ କରିଥିଲି । ରାମ (ପୁରୀର) ହୋଇଥାଏ ରାମ, ଲକ୍ଷ୍ମଣ ଅଂଶ ନେଇଥିଲା ବିଶ୍ୱମ୍ବର । (ଶ୍ରୀ ବିଶ୍ୱମ୍ବର ମହାନ୍ତି ବି.ଏ.ବି.ଏଲ୍.)–ସେ ଏସ୍.ଡ଼ି.ଓ ଥିଲେ ।

 

ଭାରି ପ୍ରଶଂସା ମିଳିଲା ଦର୍ଶକମାନଙ୍କଠାରୁ । ଗୁରୁ ମହାପାତ୍ରେ ସେଦିନ ନିମନ୍ତ୍ରିତ ହୋଇ ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ । ଗୋଟିଏ ଦେଶାତ୍ମବୋଧ ଗୀତ–ସମ୍ଭବତଃ ସ୍ୱର୍ଗତ କୃଷ୍ଣମୋହନ ପଟ୍ଟନାୟକଙ୍କ ରଚନାରୁ ।

 

ମୁଁ ଗୁରୁଙ୍କଠାରୁ ଯେଉଁସବୁ ଗୀତ ଶୁଶିଥିଲି, ସେ ସବୁ ଆମର ଓଡ଼ିଶୀ ରାଗ-ସଙ୍ଗୀତ । ସେ ମଧ୍ୟ ଆଜିକାଲିକା ପରି ଲଘୁ ସଙ୍ଗୀତ ଗାଉ ନ ଥିଲେ । ମୋ ଶିଖିଥିବା କେତୋଟି ଗୀତର ଘୋଷାପଦ ମନେଅଛି ଏବେବି । ଯଥା–

 

–‘‘ନିନ୍ଦେ ଶରଦ ଇନ୍ଦୁ ଲପନ ମ୍ଳାନ ନ କର, ରସସିନ୍ଧୁ ।’’

 

–‘ଶିରୀଶ ପୁଷ୍ପ ସୁକୋମଳା ।’

 

–‘ରାମା ରମଣୀ ତୁରେ, ଗୁମାନ ନ କର ମୋରେ’

 

‘ଭଜ ବରଜରାଜ ରେ ପାମର ମନ, ବ୍ୟାଜ ବିଷୟ ତେଜ–ରେ’

 

–‘ନନ୍ଦ ନୟନ ଇନ୍ଦିବର ଇନ୍ଦୁ ତୋ ଲାଗି ।’ ଇତ୍ୟାଦି ।

 

ଗୁରୁ ମହାପାତ୍ରେ ନିଜେ ବି କେତୋଟି ଗୀତ ରଚନା କରିଥିଲେ । ‘ରାମାରମଣୀ ତୁରେ’ ଗୀତଟିର ଭଣତି ଥିଲା–‘ବାସୁଦେବ ଦ୍ୱିଜ ଭଣେ ଶୁଣ, ବ୍ରଜେଶ୍ୱରୀ ତବହିତ’ ଇତ୍ୟାଦି ।

 

ସ୍ୱର୍ଗତ ବୈଦ୍ୟନାଥ ମିଶ୍ରେ (ଏକଦା କଟକର କଲେକ୍ଟର) ସେତେବେଳେ ଥାଆନ୍ତି ଖୋରଧାର ତହସିଲଦାର । ଜଣେ ସରଳ, ସରସ, ସଙ୍ଗୀତ–ସ୍ନେହୀ ବ୍ୟକ୍ତି ସେ । ନିଜେ ଭଲ ବେହେଲା ବଜାଇ ଜାଣନ୍ତି । ଗୁରୁ ମହାପାତ୍ରଙ୍କ ସହିତ ତାଙ୍କର ବେଶ୍ ଭାବ ଲାଭ । ଦିନେ ଗୁରୁ ମୋତେ ତାଙ୍କ କୋଠିକି ସାଙ୍ଗରେ ନେଇ ମୋ ଗୀତ ଶୁଣାଇଲେ ତାଙ୍କୁ । ଭାରି ଖୁସି ହୋଇଗଲେ ବୈଦ୍ୟନାଥବାବୁ । ମୋତେ ଭଲ କରି ବେହେଲା ଶିଖିବାକୁ ଉପଦେଶ ଦେଲେ । ରବିବାରକୁ ରବିବାର ତାଙ୍କ ବସାକୁ ଯା’ଆସ କରି ବେହେଲା ଅଭ୍ୟାସ ବଢ଼ାଇଲି ।

 

ସେଇ ବର୍ଷ ଦୋଳବେଳକୁ ତାଙ୍କ ବସାରେ ଦିନେ ଆଖଡ଼ା ପିଲା ନାଚ କରାଉଥିଲେ ସେ । ମୋତେ ଡକରାଥିଲା, ଯାଇ ଦେଖିଲି ବେଶ ହୋଇ ଦୁଇଟି ଆଖଡ଼ା ପିଲା ନାଚ ଆରମ୍ଭ କରିଛନ୍ତି । ଜଣେ ଭଦ୍ରଲୋକ ତାଙ୍କ ଡାହାଣପଟରେ ବେହେଲା ବଜାଇ ଗାଉଛନ୍ତି, ଟିକିଏ ଦୂରଛଡ଼ା ହୋଇ । ସବୁବେଳେ ହସ ହସ ମୁହଁ । ଭଦ୍ରଲୋକଙ୍କୁ ନ ଦେଖି କେହି ତାଙ୍କ ଗୀତ ଶୁଣିଲେ, ମିଣିପି କଣ୍ଠ ବୋଲି କହିବ ନାହିଁ । ଯେମିତି ସରୁ, ସେମିତି ଚଢ଼ାଗଳା । ଗୁରୁ ମହାପାତ୍ରେ, ପ୍ରତାପବାବୁ, ଆଉ ଜଣ କେତେ ସେ ବୈଠକରେ ଥିଲେ । ବୁଝିଲି ଗୀତ ଗାଉଥିଲେ ସ୍ୱର୍ଗତ ଗୋବିନ୍ଦ ନନ୍ଦେ–ଗୁରୁଜଙ୍ଗର । ଆଖଡ଼ା ପିଲାଙ୍କର ଓସ୍ତାଦ୍ ସେ । ନାଚ ସରିଲା, ଖିଆପିଆ ହେଲା । ନନ୍ଦଙ୍କ ସାଙ୍ଗରେ ଚିହ୍ନାଜଣା ହୋଇଗଲା ସେଇଠି ।

 

ଗୁରୁଜଙ୍ଗ ଗାଆଁ ଖୋରଧା ଟାଉନରୁ ପ୍ରାୟ ମାଇଲିଏ ବାଟ ହେବ । ଦିନେ ଦିନେ ମୁଁ ନନ୍ଦଙ୍କ ଘରକୁ ଯା’ଆସ କରେଁ, ଉପର ଓଳିଆ । ଗୋବିନ୍ଦ ନନ୍ଦେ ବଡ଼ ସରସ ବନ୍ଧୁ ହସ-ପରିହାସ ପ୍ରିୟ, ମଉଜିଆ ଲୋକ । ତାଙ୍କ ପାଟି, ପାନକୁ ଆଉ ନିଃଶ୍ୱାସ ମାରିବାକୁ ଫୁରୁସତ୍ ଦିଏ ନାହିଁ । ପାନ ବଟୁଆର ପ୍ରିୟ ସାଥୀ ସେ । ତାଙ୍କ ସାଥିରେ ଜଣାଶୁଣା ହେଇ ପୁରୁଣା ଓଡ଼ିଶୀ ଗୀତ ଚର୍ଚ୍ଚାର ଗୋଟିଏ ବଢ଼ିଆ ମଉକା ମିଳିଗଲା ମୋତେ । ତା’ ସହିତ ଗୀତ କଥାର ଅଭିନୟ ପ୍ରତି ବି ମୁଁ ଲକ୍ଷ୍ୟ ରଖିଥାଏ । ଏଇ ସୂତ୍ରରେ ଓଡ଼ିଶୀ ଗୀତ ଲେଖିବା, ପୁରୁଣା କବିମାନଙ୍କ ଲେଖା ଅନୁକରଣ କରିବା ପ୍ରବୃତ୍ତି ମୋର କ୍ରମେ ବଳି ପଡ଼ିଲା । ଓଡ଼ିଶୀ ନାଚ ପ୍ରତି ମଧ୍ୟ ଆକୃଷ୍ଟ ହେଲି ।

 

ଗୁରୁଜଙ୍ଗରେ ଗୋବିନ୍ଦ ନନ୍ଦଙ୍କ ଭାଇନା ହରି ନନ୍ଦଙ୍କ ସହିତ ଏଇଠି ପରିଚୟ ହେଲା । ଗୋବିନ୍ଦ ନନ୍ଦଙ୍କର ଆଖଡ଼ା ପିଲା ଦଳରେ ସଉକ, ହରି ନନ୍ଦେ ଯାତ୍ରାଦଳର ସରାଗୀ । ଦୁଇଜଣଙ୍କର ଢଙ୍ଗରଙ୍ଗ ନିଆରା ନିଆରା । ବପୁରେ ବି ଜଣେ ପାହାଡ଼ ଜଣେ ଟେଳା । ହରି ନନ୍ଦେ ମୋଟାରୋଟା କଳା ମଚମଚ ପାଞ୍ଚହାତ ପୁରୁଷ । ଗୋବିନ୍ଦ ନନ୍ଦେ ସାଧାରଣ ଦୋପୁରିଆ ଦେହାଳୁ ଲୋକ ।

 

ଗୋବିନ୍ଦ ନନ୍ଦଙ୍କର ଓଡ଼ିଶୀ ନାଚ ଆଖଡ଼ା ଦଳ ଏବଂ ହରି ନନ୍ଦଙ୍କର ଯାତ୍ରା ଦଳ ବେଶ୍ ସରଗରମରେ ଚାଲିଥାଏ ।

 

ଭଲମନ୍ଦ ଦିନରେ ହରି ନନ୍ଦଙ୍କ ଦାଣ୍ଡରେ ଯାତ୍ରା ହୁଏ । ମୋତେ ଡାକନ୍ତି ସେ ଯାତ୍ରା ଦେଖିବାକୁ । ଆଗରୁ ତ ମୋର ଯାତ୍ରା ଦେଖା ସଉକଟା ଅଳପେ ବହୁତେ ଥିଲା । ବସାରେ ଠକାଠକି କରି ପୂଜାରୀ ବାସୁଦେବଙ୍କ ଦୟାରୁ ମୁଁ ଯାଏଁ ଗୁରୁଜଙ୍ଗ ଗାଆଁକୁ ଯାତ୍ରା ଦେଖି । ଥରକର ହରି ନନ୍ଦଙ୍କ ଦଳର ଯାତ୍ରାଦେଖା କଥା ଭଲ କରି ହେତୁ ଅଛି । ଏବେ ବେଳେବେଳେ ହସଲାଗେ ସେ କଥା ମନେ ପଡ଼ିଲେ ।

 

ପୁଣି ଯାତ୍ରା ଦେଖା :

 

ଯାତ୍ରା ହେଉଥାଏ ହରି ନନ୍ଦଙ୍କ ଘରଛାମୁଆଁ ଦାଣ୍ଡରେ । ପିଣ୍ଡାରେ ସପ, ସତରଞ୍ଜ ପଡ଼ି ବିଶିଷ୍ଟ ଦେଖଣାହାରିଙ୍କ ଥାନ ଠିକଣା ହୋଇଥାଏ । ଠିକ୍ ସୁଆଙ୍ଗିଆଙ୍କ ଆଗମନୀ ବାଜା ବାଜିବାବେଳକୁ ଜଣେ ଅର୍ଦ୍ଧ ବେଦାନ୍ତି, ଗଙ୍ଗା ଯମୁନା ଚୁଟିଆ, ରଙ୍ଗ ବଟୁଆ ଧରା ବୁଢ଼ା ଦେଖଣାହାରି ବଡ଼ ବିନୟ ସହକାରେ ଲୋକଙ୍କୁ ଘୁଞ୍ଚାଘୁଞ୍ଚି କରି ମୋ ପାଖକୁ ଆସି ବସିଲେ । ମୁଁ ଅଚିହ୍ନା, ଅଜଣା ଦରହସା ମୁହଁ ଦେଖି ନନ୍ଦଙ୍କର କେହି ଅନୁଗୃହିଆ ଲୋକ ବୋଲି ବିଚାରି, ଟିକିଏ ତାଙ୍କୁ ଚାହିଁଲି । ହଠାତ୍ ଚାରିଆଖି ମେଳ ହେଲା । ସେ ଆଗରୁ ଚିହ୍ନିଥିଲାପରି କୁରୁଳି ଉଠିଲେ ଏବଂ ମୋ ପାଖଲଗା ହୋଇ ଆସନ ଜମାଇ ଦେଲେ ।

 

ଏତିକିବେଳେ ଜନତା ଗହଳିରୁ ଏକପଦୀ ମାର୍ଗସ୍ଥ ମୋ ଆଖିର ସେଇ ବହୁ ପରିଚିତ ଚାବିଖୋଲା ଝୁଲା ପଣତ ଏବଂ ଓଉଖମାର ମଣ୍ଡା ପରି ପାନବଟା ସହିତ ରଙ୍ଗସ୍ଥଳୀରେ ପ୍ରବେଶ କଲେ ରାଣୀ ଆଉ ପଛେ ପଛେ ମୁଦୁସୁଲୀ । ଦୁହେଁ ମହଣଦେଇ ମାଙ୍ଗୁ ପାରିଛନ୍ତି କପାଳରେ ସିନ୍ଦୂର ଟୋପା, ଝୁମ୍ପି, ପିହାଣିଆ, ଝରାକାଠି ଆଦି ଗଭା ଅଳଙ୍କାର ମଣ୍ଡି ହୋଇଛନ୍ତି । ବାଜା ତାଳସହ ପାଦର ବାଜେଣୀ–ବଳା ଶବ୍ଦରେ ଚହଳ ପକାଇ ଆସିଲେ ସେ ଦୁହେଁ । ଏଣେ ସେତିକିବେଳୁ ବିଦ୍ୟାଳୟରେ ବୁଢ଼ାଙ୍କ ଅଷ୍ଟାଙ୍ଗ ଶରୀରରେ ତାଳ ପଡ଼ିଲାଣି । ଦୁହେଁ ଯୁବକ–ସାଜିଛନ୍ତି ଯୁବତୀ ବେଶ । ଯୁବାବୟସଟା ଗଳାର ଗୋଟେ ଘଡ଼ିସନ୍ଧି କାଳ । ମଦନ ଆସି ପହଞ୍ଚିଲେ, ଆଖି ପିଛୁଳାକେ ‘ମୋହନ’ କୁଆଡ଼େ ଥାନ ଛାଡ଼ି ପଳାଏ । ମଦନର ୟେ ହେଲା ଅଣଲେଉଟା ଶର । ଯାହା ଯାଏ, ସେ ଚିରଦିନପାଇଁ ଛାଡ଼ପତ୍ର ଦିଏ । ତାକୁ ଆଉ ଝୁରି ହୋଇ, ଅବା ସେଇ ପିଲା ବୟସର କଣ୍ଠସ୍ୱର ଅଛି ବୋଲି ମନେମନେ ମକୁନ୍ଦି ଉଖୁଡ଼ା ଖାଇଲେ ଚଳିବ କୋଉଠୁ ?

 

–ଏ କଥାଟା ସାର୍ଥକ କରୁଥିଲେ ଦୁହେଁ ଗୀତ ଗାଇ । ବିଶେଷତଃ ସଙ୍ଗିନୀଟି । ଏତିକିବେଳେ ବୁଢ଼ା ଗୋଟିଏ କାଗଜ ପୁଡ଼ିଆରେ ଗୁଜୁରାତିଗୁଡ଼ିଏ ଓ ପାନ ଦି’ଖଣ୍ଡି ମୋତେ ବଢ଼ାଇ ଦେଲେ । ଟିକିଏ ପରେ ସଙ୍ଗିନୀଟିକୁ ଠାରି ମୋତେ କହିଲେ–

 

‘ବାବୁ, ଆମେ ଶୁଣୁଚୁଁ ତୁମେ ଭଲ ଗାଆଣ ବାଜଣା ଜାଣିଲାବାଲା । ଦେଖିଲ ଏଇ ସଖୀପଟ ସାଜିଥିବା ପିଲାଟିକି । ରାଣୀ ଓ ମୁଦୁସୁଲୀ ଦୁହେଁ ସଭା ମଝିକି ଆସିବା ପରେ ଆରମ୍ଭ ହେଲା ସମାଜର ଗୀତ । ରାଣୀଙ୍କ ସହିତ ମୁଦୁସୁଲୀ ମଧ୍ୟ କଣ୍ଠ ସହଯୋଗ କଲେ । ସେ କିନ୍ତୁ ବାରି ହୋଇ ପଡ଼ୁଥାନ୍ତି । ଦର୍ଶକ ଓ ଶ୍ରୋତାଙ୍କୁ ହାସ୍ୟରସ ପରଷୁଣିଆ ରୂପେ ଗୀତକୁ ସବୁବେଳେ ସେ ଗାଉ ନ ଥିଲେ, ମଝିରେ ମଝିରେ ଚିହିଡ଼ି ଉଠୁଥିଲେ । ଅନ୍ୟ ସମୟରେ ପାଟି ପାକୁ ପାକୁ କରୁଥିଲେ । ରାଣୀଙ୍କୁ ଟପି ସେ ଗାୟନ କଳାରେ ପଟୁତା ଦେଖାଇ ହେଉଥିଲେ ସତେଯେମିତି ! ତେଣୁ ଠାଏ ଠାଏ ଗଳାରେ ତା’ର ସ୍ୱରରେ ଗୀତର କେତେକ ଶବ୍ଦ ଉଚାରୁଥିଲେ ସେ । ଦେଖିବାକୁ ଅବଶ୍ୟ ରାଣୀଙ୍କଠାରୁ ସୁନ୍ଦର ବୟସ ଷୋଳ ସତର ହେବ । ପୁରୁଷ ପୁଅ ତ ! ଆଗେ ବାର ତେର ବୟସବେଳେ ସେ କୁଆଡ଼େ ପଞ୍ଚମରେ ଗାଉଥିଲେ । ଆଜି ଏ ବୟସକୁ ସେ କଣ୍ଠ ତ ସାତ ସପନ-। ମନେହୁଏ ଏ କଥାଟି ପସୋରି ପକାଉଥିଲେ ସେ ।

 

ମୁଁ ପ୍ରଥମେ ଟିକିଏ ବୁଢ଼ାଙ୍କ କଥାଟା ସମୁଝି ପାରି ନ ଥିଲି । ପରେ ଦରହସା ବୁଢ଼ାଙ୍କ ଠାରିବାର ଦେଖି ବୁଝିଲି ଯେ ସେ ନିଶ୍ଚୟ ଯାତ୍ରାଦଳର ସେହି ସଙ୍ଗିନୀଟିର କେହି ଆତ୍ମୀୟ । କହିବା ବା କ’ଣ ? ଅସୁଆଦି ତିଅଣକୁ ନିମତାଖିଆ ଭଦ୍ରଲୋକ–ମନ୍ଦ ହୋଇ ନାହିଁ ବୋଲି କହିବା ଭଳି ମୁଁ ଉପରୋଧ ମିଛୁଆବନି କହିଲି, ‘‘ଭଲ ଭଲ’’ ।

 

ହେଲେ ବୁଢ଼ା ଏତିକିରେ ସହଜେ ମୋତେ ରିଆତି ଦେଲାବାଲା ନୁହନ୍ତି । ସେ ଦୋହରାଇ ପଚାରିଲେ–‘‘ନାଇଁ, ମାଦୀପଟଯାକ ଭିତରେ ତାକୁ କେମିତି ପସନ୍ଦ କଲ ?’’

 

ଏଥର ବୁଝିପାରିଲି ସେ ଖିଲିପାନ ଓ ଗୁଜୁରାତି ପୁଡ଼ା କାହିଁକି ମୋତେ ହାତଗୁଞ୍ଜା ଦିଆଯାଇଥିଲା । ମନେମନେ ବୁହେ ହସି, ସଂଯତ ହୋଇ କହିଲି–‘ସରସ’ । ସନ୍ତୋଷରେ ବୁଢ଼ା କହିଲେ–‘‘ଆଜ୍ଞା, ସଭିଏଁ ପରା କହନ୍ତି–ନନ୍ଦଙ୍କ ଯାତ୍ରାଦଳ ଭିତରେ ସେଇଟି ଅଳଙ୍କାର ମଇଧେ ନାକକୁ ନିମକାଠି ଥାନେ ।’’

 

ମୁଁ–ତା ରୂପ ଯେମିତି ଗୁଣ ସେମିତି, ଚାଲି ଚଳଣି ଢଙ୍ଗ ରଙ୍ଗ ଦେଖିଲେ କେହି କ’ଣ ତାକୁ ମରଦପୁଅ ବୋଲି କହିଦେବ ? ବୁଢ଼ା ଏଥର ପ୍ରେମରେ ଗଦଗଦ ହୋଇ କହିଲେ–‘‘ହଁ, ୟାକୋଇ ଯେ କହନ୍ତି ଚିହ୍ନରା ଗରାଖ ! ନୋହିଲେ କି ନୋକେ ତମକୁ ପରଶଂସା କରୁଥାନ୍ତେ ? ବଅସର ଊଣା ହେଲେ କ’ଣ ହେବ, ତୁଳସୀ ଦି’ ପତରୁ ପରା ବାସେ । ସେ ପିଲାଟିକୁ ଚିହ୍ନିଛ ନା ବାବୁ !’’

 

ମୁଁ କହିଲି–ନା, ସେ ଯେ ହେଉ, ଧନ୍ୟ ତା’ ବାପା ମାଆ ।

 

ବୁଢ଼ା ହସି ହସି କହିଲେ–‘‘ସେଇଆ ବୋଲ, ସେଇଆ ବୋଲ, ଏଇ ପଦିକରେ ଆମକୁ ବୈକୁଣ୍ଠ ମିଳିଗଲା । ସେଇଟି ବାବୁ’’–କଥା ଖଣ୍ଡିଆ କରି ନିଜ ଛାତିରେ ବିଶି ଆଙ୍ଗୁଠି ମାରି, ତାଙ୍କ ପୁଅ ବୋଲି ଜଣାଇ ଦେଲେ । ମୁଁ ଦେଖିଲି ବୁଢ଼ା ଆପଣା ପୁଅର ଟେକସାରରେ ସ୍ୱର୍ଗ ଦି’ ଆଙ୍ଗୁଳି ମଣୁଛନ୍ତି । ମୋ ସାର୍ଟିଫିକେଟ୍‌ରେ ସେ ଫୁଲିଗଲେ ବା ମୋର କ୍ଷତି କ’ଣ ?

 

ଏତିକିବେଳେ ଗୁଣ୍ଡିନନ୍ଦେ ମୋତେ ଗୋଟି କେତେ ବଢ଼ିଆ ଗୀତ ଲେଖିବାକୁ ଅନୁରୋଧ କଲେ । ମୁଁ ହସି ହସି ହଉ କହିଲି । ଆଉ ଗୋଟିଏ କାରଣ ବି ଥିଲା ଏ କଥା କହିବାର-। ମୁଁ ଗୀତ ଲେଖୁଥିଲି–ଭଲ ହେଉ କି ମନ୍ଦ ହେଉ, ସେତେବେଳେ ଖୋରଧା ଟାଉନରେ କେତେ ଲୋକ ମୋ ଲେଖାକୁ ପସନ୍ଦ କରୁଥିଲେ ।

 

ମୋଡ଼ ବଦଳ :

 

କହିଛି ତ, ପଣ୍ଡିତ କୃପାସିନ୍ଧୁ ହୋତା ସେତେବେଳେ ଥିଲେ ଖୋରଧା ହାଇସ୍କୁଲରେ ସେକେଣ୍ଡ ପଣ୍ଡିତ । ତାଙ୍କ ନୀତି, ନିଷ୍ଠା ଓ ତାଙ୍କ ପଢ଼ାଇବାର ରୀତି ମୋତେ ଭାରି ସୁଖ ଲାଗେ । ମୁଁ ମୋ ଗୀତ ଓ କବିତା ଲେଖା ଅନେକ ସମୟରେ ତାଙ୍କ ପାଖକୁ ସଂଶୋଧନ ଲାଗି ନିଏ । ଓଡ଼ିଶୀ ଗୀତ ଶୁଣି, ଶିଖି ଓ ରାଜାରାଜୁଡ଼ିଆ ସମ୍ପର୍କରେ ଆସି ମୁଁ ଯେଉଁ ଗୀତ ଲେଖୁଥିଲି, ସେଥିରୁ ଅଧିକାଂଶ ଆଦି-ରସାତ୍ମକ । ପଣ୍ଡିତ ହୋତା ଜଣେ ଚରିତ୍ରବାନ୍ ବ୍ୟକ୍ତି । ମନେଅଛି ମୋର ଦିନକର କଥା–ମୋ ଲେଖା ଦେଖି ସେ ମୋତେ ଗୋଡ଼ଠାରୁ ମୁଣ୍ଡଯାଏ ଏକ ଅନ୍ତର୍ଭେଦୀ ଆଖିରେ ଚାହିଁ ଦେଇଗଲେ । ଶୀତେଇ ଉଠିଲା ଦେହଟା ମୋର । ତା’ପରେ ମୋ ଅବସ୍ଥା ବାରି ଆଦର କରି କହିଲେ–‘‘କାଳୀଚରଣ, ଦେଖୁଛି ତମର ଶକ୍ତି ଅଛି, ଭବିଷ୍ୟତ୍‌ରେ ତୁମେ ଭଲ ଲେଖକ ହେବ । ମାତ୍ର ଏଭଳି ରଚନା ଛାଡ଼ିଦିଅ । ଏଇ ପିଲା ବୟସରୁ ଆଦି ରସର ଲେଖା ଉଚିତ ନୁହେଁ । କି ବହିସବୁ ପଢ଼ିବାକୁ ଭଲ ଲାଗେ ?’’

 

ମୁଁ କହିଲି–‘‘ଆମ ଛାନ୍ଦବହି, ସଙ୍ଗୀତ ସାଗର ପ୍ରଭୃତି ମୁଁ ପ୍ରାୟ ପଢ଼େ । ସବୁଠାରୁ ବିଦଗ୍ଧ ଚିନ୍ତାମଣି ପଢ଼ିବାକୁ ମୋତେ ଭଲଲାଗେ ।’’

 

ପଣ୍ଡିତ ହୋତା କହିଲେ–‘‘ଆମ ଓଡ଼ିଆ ସାହିତ୍ୟ ସେ, ଭଲ ଯେ, ମାତ୍ର ସେ ସବୁ ପଢ଼ିବାର ବୟସ ତୁମର ହୋଇ ନାହିଁ । ତୁମେ ଲେଖାଧରଣ ବଦଳାଇ ପ୍ରକୃତି ବର୍ଣ୍ଣନା, ଈଶ୍ୱରଚିନ୍ତା ଇତ୍ୟାଦି ବିଷୟରେ ଲେଖ ।’’ ସେଇଦିନଠାରୁ ତାଙ୍କରି ଗୁରୁଆଜ୍ଞା ପାଳି ମୋ ଲେଖାର ମୋଡ଼ ବଦଳିଗଲା । ଭଜନ, ଜଣାଣ ଇତ୍ୟାଦି ଓଡ଼ିଶୀ ଗୀତ ସ୍ୱରରେ ଲେଖିବାକୁ ଆରମ୍ଭ କଲି ।

 

ଏମିତି ଗୁଡ଼ିଏ ଗୀତ ଲେଖିଥିଲି । ପୁରୀର ମୋହନ ଗୋସ୍ୱାମୀ ଥରେ ଏତିକିବେଳେ ସେ ଖୋରଧା ଆସି ବରୁଣାଇ ସାହିର ଗୋପୀବାବୁ (ନାୟକଙ୍କ) କୋଠାରେ କିଛିଦିନ ରହିଲେ । ସେ ଜଣେ ଭଲ ଗାୟକ ବୋଲି ଖୋରଧାବାସିଏ ତାଙ୍କୁ ଭାରି ଆଦର କରୁଥିଲେ, ଗୋସାଇଁ ବୋଲି ମାନ୍ୟ ବି କରୁଥିଲେ । ମୁଁ ମୋ ଗୀତ ଖାତାଟି ତାଙ୍କୁ ପଢ଼ିବାକୁ ଦେଲି । ଆଉ ଫେରିଲା ନାହିଁ ସେ ଖାତାଟି, ପରେ କେତେଥର ମାଗି ମାଗି ମଧ୍ୟ ଥକିଛି । ମନର ଏ ଅବସୋସ ରହିଗଲା ।

 

ସେତେବେଳେ କେମିତି ଗୀତ ଲେଖୁଥିଲି ଏବେ ଦେଖିବାକୁ ଭାରି ମନହୁଏ । ବାକି ଭାଳିଲେ କ’ଣ ହେବ ? –ଗଲାଣିତ ଗଲାକଥା ।

 

କେତେକ ଗଳ୍ପ ଓ କବିତା ବି ମୋର ଏଇ ସମୟର ଲେଖା । ସେଗୁଡ଼ିକ ମଧ୍ୟ ମୋ ଅଣହେଳାରୁ କୁଆଡ଼େ ଚିରିହଜି ଗଲାଣି, ଆଉ ମିଳୁ ନାହିଁ ।

 

ମୁଁ ଆଦିରସର ସଙ୍ଗୀତ ଯାହା ଗୋଟାଏ ଅଧେ ଲେଖେଁ, ସେ ଗୋବିନ୍ଦ ନନ୍ଦଙ୍କ ବରାଦୀ ଓ ତାଙ୍କ ଆଖଡ଼ା ପିଲାଦଳ ତାକୁ ଗାଉଥିଲେ । ଏତିକିବେଳେ ଖୋରଧାକୁ ସରସ୍ୱତୀ ପୂଜାଲାଗି ଡାକରା ପାଇ ନୂଆଗଡ଼, ବାଉଁଶିଆପଡ଼ା ପହରାଜେ ଆଖଡ଼ା ପିଲାଦଳ ନେଇ ଆସିଲେ । ପିଲାଟିର ନାଁ ହେତୁ ନାହିଁ । ନନ୍ଦଙ୍କ ଆଖଡ଼ା ପିଲାଙ୍କଠାରୁ ରୂପରେ, ଗୁଣରେ ସରସ ଥିଲା ସେ ପିଲାଟି । ପଲଟନ ପୋଖରୀ ପାଖରେ ନାଚହେଲା । ମୁଁ ଏଇଠି ପ୍ରହରାଜଙ୍କ ସହିତ ଚିହ୍ନା ହେଲି । ବିଶେଷତଃ ମୋ ମାମୁଘର ନୂଆଗଡ଼ ବୋଲି ଜାଣିଲାରୁ ସେ ଟିକିଏ ବେଶି ଆଦର କଲେ ମୋତେ-। ଦୁଇଟି ରାଧାକୃଷ୍ଣ ବିଷୟକ ଗୀତ ତାଙ୍କୁ ଲେଖିଦେଲି । ପିଲାଏ ଦିନେ ଅଧେ ପରେ ତାକୁ ଗାଇଲେ । ଭାରି ପସନ୍ଦ କଲେ ଲୋକେ । ପୂର୍ବ ରୀତି ଅନୁସାରେ ଭଣତିରେ ମୋ ନାଁ ଯୋଖା ହୋଇଥିଲା । ତେଣୁ ଲୋକେ ଜାଣିବାକୁ ଆଉ କିଛି ବାକି ରହିଲା ନାହିଁ । କ୍ରମେ ମୁଁ ଖୋରଧାର ଚିହ୍ନା ବ୍ରାହ୍ମଣ ହୋଇ ପଡ଼ିଲି । କିନ୍ତୁ ପଣ୍ଡିତ ହୋତାଙ୍କ ନିର୍ଦ୍ଦେଶ ପାଳି ଜଣାଣ, ଭଜନ, ପ୍ରକୃତି ବର୍ଣ୍ଣନା କଲି ଗୀତ ଲେଖାମାତ୍ରା ମୋର ବଢ଼ିଲା । ବିଶେଷତଃ ଦେବୀ ଅର୍ଚ୍ଚନା ଗୀତ ଲେଖୁଥାଏଁ-

 

ରଙ୍ଗ ବଦଳ :

 

ଜୁଆଳି ଛଡ଼ା ହୋଇଗଲେ ମଧ୍ୟ ନିଭାଗୁଡ଼ିଆ ହଡ଼ାର ପରା କାନ୍ଧଗଲୁ କରେ ! ସେଇ ଦଶା ମୋର । ଥିଏଟର ନିଶାଟା ପୁଣି ଘାରିଲା । ମାତ୍ର, କେମିତି କ’ଣ ହେବ ? ପଞ୍ଝାଏ ସାଥୀ ଯୋଗାଡ଼ କରି ବସିଲି, ବଡ଼ସାନ–ବାଛ ବିଚାର ନ କରି । ଯୋଗକୁ ଗୋଟାଏ ସୁବିଧା ହାବୁଡ଼ି ଗଲା । ଆମ ବସାକୁ ୪ । ୬ ଘର ଛଡ଼ା ଶତପଥୀଙ୍କ ବସାରେ ପୁରୀର ଖ୍ୟାତନାମା ଫଟୋଗ୍ରାଫର, ଚିତ୍ରକର ଓ ମଞ୍ଚଶିଳ୍ପୀ ଶ୍ରୀ କୃଷ୍ଣଦାସ ମୁଖାର୍ଜୀ ଆସି କିଛିଦିନ ରହିଲେ, ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ପୁରୀ କୁଣ୍ଢାଇବେଣ୍ଟ ସାହିର ଶ୍ରୀ ଭାଗବତ ସୁନ୍ଦରରାୟଙ୍କ (ଖୋରଧା ରେଜେଷ୍ଟ୍ରୀ କଚେରିରେ ସେତେବେଳେ କାମ କରୁଥାନ୍ତି) ସହିତ ।

 

କଥାରେ କହନ୍ତି–‘ଗୁଣୀ କି ଗୁଣୀ–ଧୂଆଁପତ୍ରକୁ ମଣି ।’ ମୋ ସହିତ କୃଷ୍ଣ ମୁଖାର୍ଜୀ ଓରଫ କୃଷ୍ଣଦାଦାର ଭାବଲାଭବେଶ ମଜଗୁଲ ହୋଇ ଉଠିଲା–ଏମିତିକି ‘‘ମେଣ୍ଢାବାଳ ଜଡ଼ାତେଲ’’ ସମ୍ପର୍କ–ଯାହା ଘନାବର୍ତ୍ତ ହୋଇ ଆଜି ଅବଧି ଅତୁଟ ରହିଛି । କୃଷ୍ଣଦାଦାର ସ୍ନେହ, ସେ ଆଦର, ସେ ଦରଦଭରା ସୁଖଦୁଃଖ, ‘ଆହା’ ପଦକ ଜୀବନରେ ମୋର ବହୁକ୍ଷେତ୍ରରେ ସାହା ହୋଇଛି । କହିଛି ତ ସେ ଜଣେ ନାମଜାଦା ମଞ୍ଚଶିଳ୍ପୀ, ଚିତ୍ରଶିଳ୍ପୀ, ଫଟୋଗ୍ରାଫର–ତୂଳୀରୁ ତା’ର ଯେମିତି ଜୀବନ ଝରେ । ନାଟକ ଓ ଅଭିନୟ ସମ୍ବନ୍ଧେ ନିତିନିତି ଆମ ଭିତରେ ଢେର ଆଲୋଚନା ହୁଏ । ହଉ, ହଉ ମନଟା ମୋର ତୂଳିଧରା ଆଡ଼କୁ ଗଲା । ଟିକିଏ ଶିକ୍ଷା ବି ପାଇଲି । ଏକାଧାରରେ କବି, ଚିତ୍ରକର, ଗାୟକ, ନର୍ତ୍ତକ ଆଉ ଅଭିନେତା ହେବାକୁ ମନର ଅଦ୍ୟମ ଉତ୍ସାହ ଓ ଆକାଂକ୍ଷା ଜାଗି ଉଠିଲା । ଛବି ଦିନାକେତେ ଆଙ୍କିଛି, ସିନ୍ ୨ । ୪ ଖଣ୍ଡ ମଧ୍ୟ । ତିଆରି ବି–ସେ ସେତିକିରେ ରହିଲା । ବାକି ଗୀତ ଲେଖାଟା, ନାଟକ ଲେଖାଟା, ରଙ୍ଗବୋଳାଟା, ନାଚିବା ଆଉ ନଚାଇବାଟା ଛାଡ଼ରା ହେଲା ନାହିଁ ।

 

ଖୋରଧାରେ ଥିଏଟର :

 

ଗୀତ ଶିଖା ଓ ବେହେଲା ବଜାଟା ଚାଲିଥାଏ ଆଗପରି । ଖୋରଧାରେ ପ୍ରଥମ କରି ମୁଁ ଥିଏଟରର ଆୟୋଜନ କଲି, କେତେ ଲୋକଙ୍କୁ ମେଳାଇ । ତା’ ଆଗରୁ କେବେ ଏଭଳିଆ ମଞ୍ଚ–ଅଭିନୟ ଖୋରଧାରେ ହୋଇ ନ ଥିବା ଲୋକେ କହୁଥିଲେ । ପ୍ରତାପବାବୁ ବହୁ ସାହାଯ୍ୟ ଦେଲେ-। ପରେ ଖୋରଧା କ୍ଳବର ଏଇ ହେଲା ସୂତ୍ରପାତ ।

 

ବହୁତ ଝଡ଼ଝଞ୍ଜା ଭିତରେ ଏ ଦୁଆ ଦିଆ ହୋଇଛି । କହିଛି ତ ଜୁଆଳି ଛଡ଼ା ହଡ଼ା ମୁଁ । ମନଟା ଖଜେଇ ବଜେଇ ହେଉଥାଏ ରଙ୍ଗ ବୋଳି ହେବାପାଇଁ । ଯୋଗାଡ଼ଯନ୍ତ୍ର କରି, ବହୁତ ଧାଁ ଧପଟ କରି ଥିଏଟର ବ୍ୟବସ୍ଥାଟାର ସୂତ୍ରପାତ ହେଲା ।

 

କଥା ହେଲା ବେରବୋଇ ଗାଆଁର ଗୋପୀବାବୁଙ୍କ ଦାଣ୍ଡମେଲା (ଗୋପୀନାଥ ନାୟକ, ରହଣୀ ବରୁଣାଇ ସାହି) ରେ ଷ୍ଟେଜ ବନ୍ଧା ହେବ । ଏ ସବୁତ ହେବ, ମୁଁ ଏବେ ଯୋଗ ଦେଉଚି କେମିତି ? ପାର୍ଟ ନେଉଚି କେମିତି ?

 

ଯୋଗକୁ ଗ୍ରୀଷ୍ମ ଛୁଟି ହେଲା । ଗାଆଁକୁ ଗଲି ଛୁଟିରେ । ତା’ ଆଗରୁ ଖୋର୍ଦ୍ଧାରେ ଥିବାବେଳେ ଲୁଚି ଛପି ରିହର୍ସାଲକୁ ଯାଉଥାଏ । ଗାଁ’ରୁ ବୋଉକୁ କହି ଚାରି ଦିନ ପରେ ପୁଣି ଖୋର୍ଦ୍ଧା ଆସି ଗୋବିନ୍ଦ ନନ୍ଦଙ୍କ ଘରେ ରହିଲି । ଦିନଯାକ ତାଙ୍କ ଘରେ ମରଦପୁଅ, ଆଉ ବେଳ ବୁଡ଼ିଲେ ଶାଢ଼ି ଖଣ୍ଡେ ପିନ୍ଧି ମାଇପ ବେଶରେ ବଜାରେ ବଜାରେ ଯାଇ ଗୋପୀବାବୁଙ୍କ ମେଲାରେ ହାଜରା । ଦାଦାଙ୍କୁ ଏକଥା କେହି ନ କହିବାକୁ ମନା ହୋଇଥାଏ । କୃଷ୍ଣଦାଦା କିନ୍ତୁ ଏକଥା ଜାଣେ-। ପ୍ରତାପବାବୁଙ୍କରତ ଜାଣିବା କଥା । ସେ ସହାୟକ ।

 

କିନ୍ତୁ ଚୋର ଯେଉଁଠି, ରାତି ପାହେ ସେଇଠି ।

 

ମଣିଷ ଯହିଁକି ଡରେ, ତହିଁରେ ମରେ ।

 

ପ୍ଲେ ହେବା ଦିନ କାହିଁକି କେଜାଣି ଦାଦା ସାଜଘର ଭିତରକୁ ଆସିଲେ । ମୋ ମୁଣ୍ଡରୁ ଗୋଡ଼ଯାଏ ଥରିଉଠି ଯମଝାଳଟାଏ ବହିଗଲା । ହେଲେ, ପ୍ରତାପବାବୁ ସମ୍ଭାଳି ନେଲେ । ଦାଦା ମୋ ପାଖଲଗା ହୋଇ ଚାଲିଗଲେ । ମାତ୍ର ମୋତେ ଏପରି ନାରୀବେଶରେ ତାଙ୍କର ଚିହ୍ନିବାର ଯୋଗ ପଡ଼ିଲା ନାହିଁ । ଏଥର ଥିଏଟରରେ ଅଂଶ ଗ୍ରହଣ କରି ନ ଥିଲି । ଥିଲି, ପରିଚାଳନା, ନିର୍ଦ୍ଦେଶନା, ନାଚତାଲିମ ଓ ଗୀତ ସାଙ୍ଗେ ହାର୍ମୋନିୟମ ବଜାଇବା ଇତ୍ୟାଦି ଭାରନେଇ । କାଉଲବାଉଲ ହୋଇ ମାଆ ବରୁଣାଇଁଙ୍କି ଡାକ ଛାଡ଼ିଥାଏ । ତାଙ୍କ କରୁଣାରୁ ପ୍ରତାପବାବୁ ବିଚରା ଘଣ୍ଟ ଘୋଡ଼ାଇ ରଖି ନ ଥିଲେ, ମୋ ଅବସ୍ଥା ଦି’ ଗଣ୍ଡା ଦି’ କଡ଼ା ହୋଇଥାଆନ୍ତା । ସେ ଦାଦାଙ୍କ ସଙ୍ଗେ ଗପ ଜମାଇ ବାହାରକୁ ନେଇଗଲେ । ବହୁତ ବେଳ ପରେ ନିଃଶ୍ୱାସର ଗତି ଠିକଣା ହେଲା-। ଦାଦା ବାହାରି ଗଲେ ବସାକୁ ।

 

ଘରବାହୁଡ଼ା :

 

ତହିଁଆରଦିନ ରାତି ଜାଙ୍ଗୁଲ ଜାଙ୍ଗୁଲ ହେଉଚି, ଗାଆଁକୁ ସଳଖିଲି । ପରେ ଆଉ ସେ କଥା ଖୋଳତାଡ଼ ହୋଇ ନାହିଁ । ହେଲେ ‘ପରବତ ଶିଳା ହନୁକୁ କେଳୁମଞ୍ଜି’ କି ପୋଷାଏ ? ଏଇ ଲୁଚାଚୋରା ଥିଏଟରରେ ମନର ଓରିମାନ ମେଣ୍ଟିଲା ନାହିଁ, ମନେ ପଡ଼ିଗଲା ଗାଉଁଲୀ ଢଗ ପଦେ–

 

‘‘ହେଁସ ନାଇଁ କତରା

ପୁଅ ନାଇଁ ପୁତୁରା ।’’

 

ସେଇଭଳି ହେଲା ଏ ଖୋରଧା ଥିଏଟର ପାଲା । ବାଙ୍କିରେ ଯୋଗାଡ଼ି ଥିଏଟରଟା କଲି । ଏଥର ବେଶପୋଷାକ, ସିନ୍ ଓଗେର ପୂର୍ବାପେକ୍ଷା ଚକ୍‌ଚାକ୍‌ କରି ଜମକାଣାରେ ଥିଏଟରଟା ହେଲା । ନାଟକ ଲେଖା ମୋର, ନାଆଁଟି–‘ତାରାବାଇ’ । କେତେ କେତେ ପୁରୁଣା ପାଣ୍ଡୁଲିପି ସାଙ୍ଗରେ ସେ ଖଣ୍ଡି ବି ପୁଡ଼ା ବନ୍ଧାହୋଇ ରହିଛି ଏବେ । ମନେହୁଏ ନାହିଁ ଛପାଇବାକୁ । ଛପା ନ ହୋଇ ଛପି ରହିଛି ତେଣୁ । ଛପା ହେବା ଭଳି ନୁହେଁ ସେ ବୋଲି ପସନ୍ଦ କରିଥିଲେ । ମୋ ପୁରୁଣା ଗୁରୁଦେବ ରଘୁବାବୁ ବାଙ୍କିରୁ ସେତେବେଳେ ଚାଲିଯାଇଥିଲେ । ତେଣୁ ତାଙ୍କୁ ଦେଖାଇ ନାଟକ ପରିମାର୍ଜିତ କରିବାର ସୁଯୋଗ ଆଉ ଘଟିଲା ନାହିଁ ଭାଗ୍ୟରେ । ଖୋରଧା ପାଠପଢ଼ା ସାଥୀ ଅନେକ ଥିଲେ, କିଏ କିଏ ଏ ମାଟି ଦୁନିଆଁରୁ ଟିକଟ କାଟି ସାରିଲେଣି । କେତେ ବି ତାଙ୍କ ବାଟେ ପେଟ ପାଳୁଛନ୍ତି ନିଜ ନିଜର କର୍ମ ଅନୁସାରେ । ଦେଖୁଛି ସବୁଠୁଁ ମୋରି ବାଟଟା ନିଆରା ହୋଇ ପଡ଼ିଲା । ଯାବତ ଧକ୍‌କାଖିଆ ଜୀବନ ଏକା ମୋରି । ଫଟାକପାଳ ଦେଇ ଜନ୍ମ ହୋଇଛିତ, ଆଉ ଅଧିକ ବା କ’ଣ ଆଶା କରିବି ?

 

ଦେଖୁ ଦେଖୁ ଚାରିବର୍ଷ କୁଆଡ଼େ ବଢ଼ିଗଲା । ଟେଷ୍ଟ ପରୀକ୍ଷା ଆସିଲା । ମୁଁ ଭଲ ନମ୍ବର ରଖି ପାସ୍ କଲି । ଦାଦାଙ୍କଠୁଁ ବେଳେ ବେଳେ ମନ ବିପକ୍ଷିତା ହୋଇ ହୋଇ ଯାଉଥିଲା–ଭାରି ଡର ବି ଥିଲା ମୋର ତାଙ୍କୁ । କିନ୍ତୁ ଏବେ ଭାବୁଛି ଯଦି ତାଙ୍କରି ଭଳି ଏକ ନିର୍ଦ୍ଧୁମ ଟାଣୁଆ ମଙ୍ଗୁଆଳ ମୋ ଭାଗ୍ୟକୁ ମିଳି ନ ଥାନ୍ତେ, ତେବେ ନାଆର ମଙ୍ଗ ବୋଧହୁଏ ହୋଇ ଯାଇଥାଆନ୍ତା ।

 

ମାଟ୍ରିକ୍ ପରୀକ୍ଷା :

 

ମାଟ୍ରିକ୍ ପରୀକ୍ଷାବେଳ ଆସିଲା, ଟେଷ୍ଟ ପରେ ଖୋରଧା ଛାଡ଼ି ଘରକୁ ଆସିଲି । ମାଆ ଚର୍ଚ୍ଚିକାଙ୍କୁ ସୁମରଣା କରି ପାଠପଢ଼ାଟା ଆରମ୍ଭ କରିଦେଲି । ସବୁବେଳେ ତ ମୋର ସେ ଭରସା ଥାଏ ପିଲାଟି ଦିନରୁ । କେତେଦିନ ପରେ ପରୀକ୍ଷା ତାରିଖ ଜଣାପଡ଼ିଲା । ମାଆଙ୍କ ଦେଉଳକୁ ଯାଇ ଦର୍ଶନ ସାରି ଚନ୍ଦନ, ସିନ୍ଦୂର ନେଇ ପରୀକ୍ଷା ଦେବାକୁ କଟକ ମୁହାଁଇଲି ।

 

କଟକ ଓଡ଼ିଆ ବଜାରରେ, ଠିକ୍ ଗଙ୍ଗାମନ୍ଦିର ପୋଖରୀକୁ ଯିବାକୁ ଯେଉଁ ଗଳି ରାସ୍ତା ପଡ଼ିଛି, ତା’ର ବିପରୀତ ପଟ ସଡ଼କ କାନ୍ଥରେ ଗୋଟିଏ ଲମ୍ବା ଚାଳଘର ଖୁଆଡ଼ ଥାଏ । ସେଥିରେ ବାଙ୍କିର କେତେଜଣ ଛାତ୍ର ଆଉ ସାହାଡ଼ାପଦାର ସ୍ୱର୍ଗତ ଗୌରମୋହନ ପାଢ଼ୀ ରହୁଥାଆନ୍ତି । ପାଢ଼ୀ ସେତେବଳେ କିଲଟରୀ ଅମଲା । ଏ ଘରଟି ଥିଲା–ଖୋରଧାର ମୁକ୍ତାର ସ୍ୱର୍ଗତ ଛୋଟା ନିରଞ୍ଜନବାବୁଙ୍କର । ଏବେ ସେଇ ଜାଗାରେ ଏକ ଦୋତାଲା ଘର ଜଣେ କିଏ ତୋଳାଇଛନ୍ତି । ଆଗେ ୟା ନାଁ ଥିଲା–‘ବାଙ୍କି ମେସ୍’ ।

 

ମୁଁ ଗାଁ’ରୁ ଆସି ସେଇ ଚାଳଘରେ ରହିଲି, ମାଟ୍ରିକ୍ ପରୀକ୍ଷା ଦେବାକୁ । ପ୍ରାୟ ମାସେ ଖଣ୍ଡେ ସେଠି ରହି ପଢ଼ାପଢ଼ି କରୁଥାଏ । ସେଇ ଘରର ଡାହାଣପଟେ ଗୋଟିଏ ଚାଳି । ମେସ୍‌ର ପାଇଖାନା କଡ଼ ପଟର ଗଳି ଭିତରର ପ୍ରଥମ ଘର ହେଲା ଝମୁରବାଇର । ତା’ର ଏକତାଲା ପକ୍‌କା ଘର । ସକାଳ ଓଳି ପାଇଖାନା ଗଲାବେଳକୁ ଦେଖେଁ ଜଣେ ଗଜୁରା ନିଶ ଦାଢ଼ିଆ ଜବାନ୍ ବାବାଜୀ ବଇଁଶୀ ଫୁଙ୍କି ପକ୍‌କା ଉପରେ ବୁଲୁଥାଏ । ସେ ପଦେ ଗୀତ ଗାଏ । ତା’ପରେ ସେଇ ସ୍ୱରରେ ବଇଁଶୀ ବଜାଏ । ଏବେ ମଧ୍ୟ ସେ ଗୀତ ମନେପଡ଼ୁଛି–ହସ ଲାଗୁଛି । ବାବାଜୀ ଗାଏ–

 

‘‘ନେଞ୍ଚ ଲୋକ ସଙ୍ଗେ ପୀରତି କରିଲେ

ସେ କାହୁଁ ହୋଇ ସଫଳ

ଉର୍ଦ୍ଧେବ !

କହିବଟି ଗୋପୀନାଥଙ୍କୁ–ଇତ୍ୟାଦି...

 

ବସାରେ ସଭିଏଁ ଏ ଅପୂର୍ବ ଭାଷାରେ ଗୀତ ଶୁଣି ହସନ୍ତି ।

 

ଦୁର୍ବଳତା :

 

ଜୀବନରେ ଏଇଠି ଗୋଟାଏ ଅଭୁଲା ଘଟଣା ଘଟିଗଲା । ଓଡ଼ିଆବଜାର ବସା ଆଗରେ ଥିବା ଗଳି ଗଙ୍ଗାମନ୍ଦିର ପୋଖରୀକି ପଡ଼ିଛି । ମୁଁ ନିତି ସେଇ ପୋଖରୀରେ ଗାଧୁଏ । ତୁଠକୁ ପିଠିକରି ଦିନେ ଘଷାଘଷି ହୋଇ ପାଣିରେ ବୁଡ଼ିସାରି ଉଠିଲାବେଳକୁ ପଛପଟରୁ ଗୁଡ଼ାଏ ପାଣି ମୁଣ୍ଡରେ ବାଜିଲା । ଫେରି ତୁଠକୁ ଚାହିଁ ଦେଖିଲି ଜଣେ ସୁନ୍ଦରୀ ଯୁବତୀ ତଳ ପାହାଚରେ ବସି ମୋତେ ଚାହିଁ ହସୁଛି । ମୋତେ କେମିତି କେମିତି ଲାଗିଲା । ଭାବିଲି ପାଗଳୀଟିଏ କି ? ଯୁବତୀ ହସି ହସି କହିଲା–‘‘ମୁଁ କୌତୁକରେ ପାଣି ଫିଙ୍ଗୁ ଫିଙ୍ଗୁ ତମ ମୁଣ୍ଡରେ ପଡ଼ିଗଲା । ଦୋଷ ହୋଇଚି ।’’ ମୁଁ କିଛି ଉତ୍ତର ନ ଦେଇ ଖାଲି ଚାହିଁ ରହିଲି ତା’ ମୁହଁକୁ । ଯୌବନ ସତେ ମାଠିମୁଠି ରସାଣି ଦେଇଛି ସେ ମୁହଁଟିକି କଥା କହୁଛି ପରା ସେ ଢଳଢଳ ଆଖିଯୋଡ଼ିକ ! ହସ ଲଖା ହୋଇଛି ଅଧର କୋଣରେ । ଦମଦମ ହୋଇ ଉଠିଲା ଛାତି । ଖୁବ୍ ସମ୍ଭାଳି ହୋଇ, ଲୁଗା ଚିପୁଡ଼ି କୂଳକୁ ଆସି ଗାମୁଛା ପାଲଟିଲି । ଯିବାକୁ ବାହାରିଲାବେଳେ ଯୁବତୀଟି ପଚାରିଲା–‘‘ଗାଧୁଆ ସରିଲା ?’’

Unknown

 

ମୁଁ ଆଉ ତା’ଆଡ଼କୁ ନ ଚାହିଁ ଗମ୍ଭୀର ଭାବରେ କହିଲି, ‘ହଁ’ । ସେ କହିଲା–‘‘ତମ ପଡ଼ିଶାରେ ଆମ ଘର । କେତେଥର ତମକୁ ମୁଁ ଆମ ପକ୍‌କା ଉପରୁ ଦେଖିଛି । ତମେ କି ସୁନ୍ଦର ଗାଇଜାଣ । ଥରେ ଆମ ଘରକୁ ଆସୁନା ? ଆସିବ ?’’

 

‘ମୁଁ ‘ହଉ, ଦେଖିବି’ ବୋଲି କହି ଚାଲିଗଲି ବସାକୁ । ମନଟା କେମିତି କେମିତି ହେଲା-।’

 

ସେ’ତ କିନ୍ତୁ ବେଶ୍ୟା ଘର । ମୁଁ ଯିବି କେମିତି ? ତହିଁଆରଦିନ ବେଳ ଜଗିଲା ପରି ଗାଧୁଆ ତୁଠରେ ପୁଣି ଭେଟ । ମୋ ଯିବା ଆଗରୁ ତୁଠ ପାହାଚ ଉପରେ ସେଇ ରୂପ, ସେଇ ଠାଣି, ସେଇ ଚହାଣି । ନାଆଁଟା ପଚାରି ବୁଝିଲି–‘ବିଚକ୍ଷଣା’ । ଭାବିଲି ସତେ ଏକା ବିଚକ୍ଷଣା । ପୁଣି ସେଇ ତାଙ୍କ ଘରକୁ ଯିବାକୁ ଅନୁରୋଧ । ଏଥର ଆସିବ ବୋଲି ପ୍ରଶ୍ନ ନ କରି କୁହାଗଲା–‘ନିଶ୍ଚେ ଆସିବ ।’ ଛାତିଟା ମୋର ଦମଦମ ହୋଇ ଉଠିଲା ।

 

ତା’ପରେ ନିତି ପ୍ରାୟ ଏଇ ଗାଧୁଆ ତୁଠରେ ଭେଟ । ସେଇଠୁ କ୍ରମେ କଥାବାର୍ତ୍ତା, ଟିକିଏ ହସକୌତୁକ ଚାଲିଲା । ତାଙ୍କ ଘରକୁ ଯିବାକୁ ବରାବର ଅନୁରୋଧ କଲା ବିଚକ୍ଷଣା । ମୋ ମନ ଯେ ଟିକିଏ ତା’ ପ୍ରତି ଦୁର୍ବଳ ହୋଇପଡ଼ିଲା ନାହିଁ, ଏକଥା ନୁହେଁ ।

 

ଶେଷରେ ଦିନେ ସଞ୍ଜସଞ୍ଜୁଆ ଛାତି ଦମଦମ ଭିତରେ ଗୋଡ଼ ମୋତେ ତାଙ୍କ ଦୁଆର ମୁହଁ ପାହାଚଯାଏ ଟାଣି ନେଲା । ସେଇଠି ମୁଣ୍ଡରେ ମୋର ହାତୁଡ଼ି ମାଇଲା ବିବେକ । ବିଚକ୍ଷଣାକୁ ଡକାଇଲି । ଅତି ଆନନ୍ଦରେ ସେ ମୋତେ ଘର ଭିତରକୁ ଡାକିଲା । ‘‘ଆସିଲିଣି ତ ଆଉଦିନେ ନ ଆସିବି । ଆଜି ଗୋଟାଏ ଜରୁରୀ କାମରେ ଯାଉଛି’’–ଏତିକି କହି ତନ୍ତୀସାହି ଗଳିଆଡ଼କୁ ମୁହାଁଇଲି-। ସେଦିନ ଚେତନା ଆଉ ନ ଥିଲା ସତେ !

 

ବିଚକ୍ଷଣା କିନ୍ତୁ ମୋ ଆସିବା ଦିନକୁ, ତକାଇ ରହିବାର ବୁଝିଲି । ଦୁର୍ବଳ ମନ ତ ! ଯେତେ ଭୁଲାଇବାକୁ ଚାହିଁଲେ ବି ବେଳେବେଳେ ବାଉଳା ପରି ହୁଏ । ଏତିକିବେଳେ ପରୀକ୍ଷା ଦିନଟା ଆସିଗଲା । ମନଟା ତେଣିକି ଢଳିଲା ।

 

ସେତେବେଳେ କଲିଜିଏଟ୍ ସ୍କୁଲ ଥାଏ ଆଜିର ସିଟି ହସପିଟାଲ୍ (ଏ ଘରକୁ ପୁରୁଣା ଅଦାଲତ ବୋଲି ମଧ୍ୟ କହନ୍ତି) ହୋଇଥିବା ଘରେ । ଅବଶ୍ୟ ଘରର ରୂପ ଅଦଳ ବଦଳ ହୋଇଗଲାଣି ଏବେ । ସେଇ କଲିଜିଏଟ୍ ସ୍କୁଲରେ ପରୀକ୍ଷା ଚାଲିଲା । ହେଡ଼ମାଷ୍ଟର ଥାଆନ୍ତି ହଣ୍ଡରସନ୍ ସାଇବ । ପ୍ରାୟ ତିନିଦିନ ପରୀକ୍ଷା ଦେବାପରେ ଶୁଣାଗଲା ଯେ ପ୍ରଶ୍ନପତ୍ର ଚୋରି ହୋଇ ଜଣାପଡ଼ି ଯାଇଛି । ଅନର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବନ୍ଦ ହୋଇଗଲା । ମୁଁ ଘରକୁ ଫେରିଗଲି, ଶୁଣାଗଲା ପରୀକ୍ଷା ଦୁଇମାସ ପରେ ହେବ । ଘରୁ ପ୍ରାୟ ପନ୍ଦର ଦିନ ପରେ ମୁଁ ଆସି ମହମ୍ମଦିଆ ବଜାର ଲକ୍ଷ୍ମୀନାରାୟଣ ମନ୍ଦିର ପଡ଼ିଶା ମୋର ପିଉସା କେନ୍ଦ୍ରାପଡ଼ା ମୀରପାଟଣାରେ ସ୍ୱର୍ଗତ ବାଞ୍ଛାନିଧି ଦାସଙ୍କ ବସାରେ ରହିଲି । ସେଇଠି ମୋର ପିଉସୀପୁଅ ଗୋପାଳଭାଇ ମଧ୍ୟ ମୋର ସହ ପରୀକ୍ଷାର୍ଥୀ ।

 

ଗୋବିନ୍ଦ ଶୂରଦେଓ :

 

ଗୋପଭାଇଙ୍କ ସାଥିରେ ଦି’ତିନିଥର କେନ୍ଦ୍ରାପଡ଼ା ଯାଉଛି । ସେତେବେଳେ ତ ବସ୍‌ ବା ମୋଟରଗାଡ଼ି ନ ଥିଲା । ଅଗ୍ନିବୋଟରେ କେନ୍ଦ୍ରାପଡ଼ା ଯିବାକୁ ହୁଏ । ଯୋବ୍ରାଠାରେ ଆମେ ବୋଟ ଚଢୁଁ । କେନ୍ଦ୍ରାପଡ଼ାରେ ପହଞ୍ଚିବାକୁ ଓଳିକରୁ ବେଶୀ ସମୟ ଲାଗେ । ବାଟରେ ଲକ୍‌ କେତୋଟି ପଡ଼େ । କେନାଲ ପାଣି ଭିତରେ ଅଧା ପହଁରା ହୋଇ ମୁଣ୍ଡିକାକୁଡ଼ି କଣ୍ଟିଆଳି କାକୁଡ଼ି ବୋଝରେ ମୁଣ୍ଡାଇ ଆଖପାଖ ଗାଆଁର ବିକାଳିଏ ଆସି ବୋଟ୍‌ଯାତ୍ରୀଙ୍କୁ ବିକନ୍ତି । ଥରେ ବୋଟ୍‌ରେ ଗଲାବେଳେ କୁଞ୍ଚିକୁଞ୍ଚିଆ ବାଳରେ ଫିରେଇ କଟା ଜଣେ ସୁନ୍ଦର ପୁରୁଷ ଆମର ସହଯାତ୍ରୀଙ୍କୁ ଦେଖି, ତାଙ୍କର ପରିଚୟ ଜାଣିବାକୁ ଭାରି ମନ ହେଲା । ଗୋପଭାଇଙ୍କୁ ପଚାରିଲି, ସେ ଆଉ ଜଣକୁ ପଚାରି ବୁଝିଲେ ଯେ ତାଙ୍କ ନାଆଁ ଗୋବିନ୍ଦ ଚନ୍ଦ୍ର ଶୂରଦେଓ । ୟେ ନାଆଁ ମୁଁ ଆଗରୁ ଶୁଣିଥିଲି । ସେ ଜଣେ ଲୋକପ୍ରିୟ ସଙ୍ଗୀତ ଲେଖକ । ପିଉସାଙ୍କ ବଡ଼ପୁଅ ନାରଣଭାଇ ଗୁଣୁଗୁଣୁ କରି ଶୂରଦେଓଙ୍କ ଲେଖା ଗୀତ ପଦେ ପଦେ ଗାଉଥିବାର ଶୁଣିଥାଏ । ଗଜଲ ସୁରରେ ତାଙ୍କ ଓଡ଼ିଆ ଗୀତ ଆଦର ପାଉଥାଏ । ବିଶେଷତଃ କଟକର ଏକବଳଦିଆ ଗାଡ଼ିବାଲା ରାତିରେ ଗାଡ଼ି ଚଳାଇବାବେଳେ ଶୂରଦେଓଙ୍କ ଗୀତ ପଦେ ପଦେ ଗାଉଥିବାର ଶୁଣାଯାଏ । ମୋର ମନେହୁଏ ଗଜଲ୍‌ସୁରରେ ଏଭଳି ସରଳ ମଧୁର ଓଡ଼ିଆ ଗୀତ ପ୍ରଥମେ ଲେଖିଥିଲେ ଶୂରଦେଓ । ନାରଣଭାଇ ଗାଉଥିବା ଗୀତରୁ ଧାଡ଼ିଏ ଦି’ଧାଡ଼ି ମନେପଡ଼ୁଛି–

 

‘‘କାହିଁ ମୋ ଆଶା ସାରିକା

ମାନସ କୁଞ୍ଚ ନାୟିକା...

 

ଆଉ–ପ୍ରେମ ଜାଣେ କି ଦିନରାତି

ଚିର ଅନ୍ଧ ବୋଲି ୟାର ଖ୍ୟାତି’’...

 

ଶୂରଦେଓଙ୍କଆଡ଼େ ମୋର ଆଖି, ମନ ଯିବାର ଏକ ବଡ଼ କାରଣ ହେଲା ଯେ, ସେ ବୋଟରେ ବସି କାଗଜରେ କ’ଣ ଲେଖୁଥିଲେ । ବେଳେ ବେଳେ ପେନ୍‌ସିଲ୍‌-ମୁଣ୍ଡ ତୁଣ୍ଡ ଛୁଉଁଥିଲା । ଜାଣିପାରିଲି, ସତରେ ସେ ଜଣେ କବି । ତେଣୁ ପରିଚୟ ପାଇବାକୁ ମନ ହମ୍‌ହମ୍‌ ହୋଇଥିଲା । ଏବେ ପରିଚୟ ପାଇ ଜଣାଶୁଣା ହେବାରୁ, ଟିକିଏ କଥାବାର୍ତ୍ତା କରିବାକୁ ମନକଲି । ସେଇଠୁ ପାଖରେ ବସିବାର ଡାକରା ପାଇ, ତାଙ୍କୁ ନମସ୍କାର କଲି । ସେ ମୋଠାରୁ ବୟୋଧିକ । ଟିକିଏ ସଙ୍କୋଚ ଲାଗୁଥାଏ । ମୋ ନମସ୍କାରର ପ୍ରତି ନମସ୍କାର କରି ସେ ମୋର ପରିଚୟ ପଚାରି, ସବୁକଥା ବୁଝିଲେ । ସେ ଲେଖୁଥିଲେ ଗୀତଟିଏ । ମୁଁ ଉତ୍କଣ୍ଠିତ ହୋଇ ଲେଖାକୁ ଚାହାନ୍ତେ, ସେ ମୋତେ ପଦେ ଲେଖା ଗୀତ ପଢ଼ିବାକୁ ଦେଲେ । ଗୀତଟିରୁ ଧାଡ଼ିଏ ଦି’ ଧାଡ଼ି ମନେ ପଡୁଛି । ସେ ଲେଖିଥିଲେ–

 

‘ପାହିଥିଲା ରାତିଟା କେଡ଼େ ଦୁରୁଯୋଗରେ

ଅଗିନୀ ବୋଇତ କି ପକ୍ଷୀ ମେଲାଇ

ଚାଲିଛି ଆଗକୁ ଡେଣା ହଲାଇ,

ତା’ପଛେ ମୋ ମନ ନାଆ ଚାଲିଛି କି ବେଗରେ...

 

ବାଟରେ କଥାବାର୍ତ୍ତା ହୋଇ କେନ୍ଦ୍ରାପଡ଼ାରେ ପହଞ୍ଚିଲୁ ।

 

ଶୂରଦେଓ ବଡ଼କୋଠାର ଜ୍ୱାଇଁ । ଘର ତରଳାରେ । କ୍ଷତ୍ରିୟ ସେ, ନୂଆଗଡ଼ ରଜାଙ୍କ ଭଣଜା । ସେ ଶ୍ୱଶୁରଘରକୁ ଯାଉଛନ୍ତି, ତାଙ୍କ ଶ୍ୱଶୁରଙ୍କ ନାଁ ବୋଧହୁଏ ଶ୍ୟାମସୁନ୍ଦର (ଠିକ୍‌ମନେ ପଡ଼ୁ ନାହିଁ) ଶୂରଦେଓ ସେଠାରେ ଗୋଟାଏ ରାସ ଦଳ ନୂଆ କରି ଗଢ଼ିବାକୁ ବିଚାର କରୁଛନ୍ତି । କେନ୍ଦ୍ରାପଡ଼ାରେ ମୋର ବନ୍ଧୁ–ଘର ସମ୍ପର୍କ ଜାଣିପାରି ସେ ମୋତେ ରାସ ରିହର୍ସେଲ ଦେଖିଯିବାକୁ କହିଲେ । ରାସ ବୋଇଲେ, ମୁଁ ଶୁଣିଥାଏ ସାକ୍ଷିଗୋପାଳରେ ପ୍ରସିଦ୍ଧ ‘ଓତା’ ଘର ରାସଲୀଳା କରନ୍ତି-। ରଣପୁରରେ ବି ରାସ ହୁଏ ।

 

ଏଥିରେ କେଉଁଠି ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତ ରାସ ଅବା ଶରଦ ରାସ ପୋଥି ପଢ଼ାହୁଏ-। ପିଲାଏ ବେଶ ହୋଇ ନାଚନ୍ତି । ଯେମିତି ବଡ଼ାମ୍ବାରେ ରାମନବମୀ ଦେଖିଥିଲି, ଏ ମଧ୍ୟ ତାହାରି ଗୋଟିଏ କିସମ । ଶୁଣିଥାଏଁ ରଣପୁରରେ କାଳୀୟଦଳନ ରାସ ଭଲ ହୁଏ । ସେଇମିତିକା ରାସ ଏଠି ଶୂରଦେଓ କରାଉଥିବେ ଭାବି, କଥାଟାକୁ ଏତେ ଅମଳ ଦେଇ ନ ଥିଲି । ତଥାପି ସେ ଯେତେବେଳେ ଡାକିଛନ୍ତି, ବଡ଼କୋଠାକୁ ଗୋପଭାଇଙ୍କ ସାଥିରେ ଗଲି-

 

ଦେଖିଲି ଗୁଡ଼ିଏ ପିଲା–୧୦।୧୧ ରୁ ୧୬।୧୭ ବର୍ଷ ବୟସ ହେବ ଗୋଟିଏ ପାଖରେ ବସିଛନ୍ତି । ଶୂରଦେଓ ନିଜେ ହାରମୋନିୟମ୍‌ ଧରି ତାଙ୍କ ଆଗ ଛାମୁଆରେ ବସି ବଜାଉଛନ୍ତି । ତାବଲା ଓ ଖୋଳ ଇତ୍ୟାଦି ତାଳ ବାଦ୍ୟଯନ୍ତ୍ର ବଜାଉଛନ୍ତି ଆଉଜଣେ ଲୋକ । ପଚାରି ବୁଝିଲି–ତାଙ୍କ ନାଆଁ ଆରତ ପାତ୍ର । ମୁଁ ଯିବାପରେ ରାସ ରିହର୍ସେଲ ଆରମ୍ଭ ହେଲା । ୟେ ଏକ ଅପୂର୍ବ ଅଭିନବ ପ୍ରକାର ରାସ । ପିଲାଏ ବଚନିକା କହୁଛନ୍ତି–ଗୀତ ଗାଉଛନ୍ତି, ଦୃଶ୍ୟ ବିଭାଗ ଅଛି । ରୀତିମତ ମଞ୍ଚାଭିନୟ ହେବ, ସିନ୍‌ ସିନାରୀ ସହିତ । ଭାରି ସୁନ୍ଦର ଲାଗିଲା । ରାଧା, ଲଳିତା, ବିଶାଖା ଇତ୍ୟାଦି ଅଷ୍ଟସଖୀ ସାଜିବେ ପୁଅପିଲାଏ । ତାଙ୍କ ଲାଗି ପୋଷାକପତ୍ର ତିଆରି ସରିଛି । ମୁଣ୍ଡ ପାଇଁ ପରଚୂଳା ଦେଖି ତାଟକା ହେଲି । ଏ ମଧ୍ୟ ଶୂରଦେଓଙ୍କ କଥାରେ ଏକ ନୂଆ ଭିଆଣ । ଗେଞ୍ଜିଗୁଡ଼ିଏ ଆଣି, ତାକୁ କାଟି, କଳାରଙ୍ଗ କରି, ତା’ରି ତଳେ ସୋଲ ଇତ୍ୟାଦି ମଥା ମାପରେ ଦେଇ, ସିଲାଇ କରି, ବେଣୀ ଥାଇ ପରଚୂଳା ତିଆରି କରିଛନ୍ତି ସେ । ବେଣୀ ଉପରେ କାଚକଣ୍ଠିରେ ରାଗଡ଼ି ଚନ୍ଦ୍ର ତିଆରି ହୋଇ ସିଲାଇ କରାଯାଇଛି । ଗୀତଗୁଡ଼ିକ ଭାରି ସୁନ୍ଦର ରଚିତ । ଶୂରଦେଓ ନିଜେ ଗାଇପାରନ୍ତି ନାହିଁ । ମାତ୍ର ଗୁଣୁ ଗୁଣୁ କରି ବତାଇ ଦିଅନ୍ତି । ନିଜେ ନାଚନ୍ତି ନାହିଁ; କିନ୍ତୁ କାଠି ଦି’ଖଣ୍ଡି ଧରି ନାଚ ବସାନ୍ତି–ସବୁ ନୂଆ ଭିଆଣ ।

 

ଶୂରଦେଓ କହିଲେ, ‘‘କାଲି ଗୋବିନ୍ଦଜୀଙ୍କ ଆଗରେ ରାସ ହେବ । ଷ୍ଟେଜ୍‌ବନ୍ଧା ହେଉଛି-। ନିଶ୍ଚୟ ଆସିବ ତୁମେ କାଳୀବାବୁ !’’

 

ଆହୁରି ଏକ ବିଚିତ୍ର ଗୁଣ ଶୂରଦେଓଙ୍କର । ସିନ୍‌ସିନାରୀ ସେ ନିଜେ ଚିତ୍ର କରିଛନ୍ତି । ସବୁକାମ ହାତେ ହାତେ । କି ଯୋଗଜନ୍ମା ପୁରୁଷ !

 

ତହିଁଆରଦିନ ରାତି ନଅଟା ବେଳକୁ ଶୂରଦେଓ ନିଜେ ରୂପସଜ୍ଜା କରାଇ, ରାସ ଆରମ୍ଭ କଲେ ମଞ୍ଚରେ । କେବେହେଲେ ଏପରି ଅଭିନୟ, ଗୀତ, ନାଚ ଦେଖି ନ ଥିଲି । କଟକରେ ସାଙ୍ଗଲି ଥିଏଟର, ପାର୍ଶୀ ଥିଏଟର ହେବାର ଶୁଣିଛି । ତାଙ୍କର ସବୁ ସିନ୍‌ସିନାରୀ ଦେଖି ସଭିଏଁ ମୁଗ୍ଧ ହୁଅନ୍ତି । ଆମ ଓଡ଼ିଶାରେ କିନ୍ତୁ ରାସର ଏ ଅଭିନବ ସଂସ୍କରଣ ବଡ଼ ଚମତ୍କାର, ଭାରି ଲୋଭନୀୟ । ଜଣେ ଲୋକ ସବୁ କରିଛନ୍ତି–ସିନ୍‌ସିନାରୀ ଆଙ୍କିବା, ପିଲାଙ୍କୁ ବେଶ ଓ ମୁଖ ସିଂହାର କରିବା, ବଚନିକା, ଗୀତ, ନାଚ–ଏ ସବୁ ଲେଖିବା, ଶିଖାଇବା ଇତ୍ୟାଦି ସବୁକାମ କରିବାର ଦେଖି ଭାରି ବିସ୍ମିତ ହେଲି । ଭାବିଲି ଶୂରଦେଓଙ୍କ ସାଙ୍ଗରେ ତୁଳନା ଦେବାକୁ ଓଡ଼ିଶାରେ ଆଉ ଲୋକ ନାହାନ୍ତି ।

 

ତିନି ଚାରିଦିନ କେନ୍ଦ୍ରାପଡ଼ା ରହଣି କାଳରେ ମୁଁ ଦି’ଓଳି ବଡ଼କୋଠାକୁ ଦଉଡ଼ିଲି । କ୍ରମେ ଭାବ ପାକଳ ହେଲା । ରସ ଭିତରେ କେତୋଟି ସ୍ୱର, ଅଳ୍ପ କେତୋଟି ଗୀତ ଶୂରଦେଓଙ୍କ ଅନୁରୋଧରେ ଲେଖିଦେଲି ଓ ଗାଇଲି । ଫେରିଲି କଟକକୁ ।

 

ରାସ ଚିନ୍ତା ମନରୁ ଯାଇ ନ ଥାଏ । ମନହେଲା ଏଇମିତି ଗୋଟାଏ ରାସଦଳ ଗଢ଼ିବାକୁ ହେଲେ ତା’ର ବେଳ ତ ୟେ ନୁହେଁ । ମୁଣ୍ଡ ଉପରେ ପରୀକ୍ଷା ।

 

ପୁଣି ପରୀକ୍ଷା :

 

ପରୀକ୍ଷା ପୁଣି ହେଲା, ସେଇ କେନ୍ଦ୍ରରେ । କେତେମାସ ପରେ ଯେତେବେଳେ ଦୀପିକା କାଗଜରେ ପ୍ରଥମ ଶ୍ରେଣୀରେ ମୋ ନାଁ ବାହାରିଲା, ବୋଉର ସେ ଦିନର ଆନନ୍ଦ କହିଲେ ନ ସରେ । ମାଆଙ୍କ ପାଖକୁ ଆମେ ମାଆ ପୁଅ ଦୁହେଁ ଯାଇ ଆଳତି ଦର୍ଶନ ସାରି ଫେରି ଆସିଲୁ ।

 

ଖୋରଧାରେ ଥିବାବେଳେ କ୍ଷେତୁଦାଦା ମଝିରେ ମଝିରେ ମୋ ନାଆଁରେ ଯେତେକଥା କହିଥିଲେ, ବୋଉ ସବୁତକ ମୋ ଆଗେ ବାଢ଼ିଲା । ବାପା ତ ଏକ ନିଦା ବିଷ୍ଣୁ, ସେ ଏ ସବୁ କଥାକୁ ମୋଟେ କାନ ଦିଅନ୍ତି ନାହିଁ ।

 

କଲେଜ ଛାତ୍ର :

 

କଥା ହେଲା, ମୁଁ କଲେଜରେ ପଢ଼ିବାକୁ କଟକ ଯିବି । ବୋର୍ଡ଼ିଂରେ ରହି ପୁଅ ପାଠ ପଢ଼ିବାକୁ ବୋଉ ପସନ୍ଦ କଲା ନାହିଁ, ଖିଆପିଆରେ ଅସୁବିଧା ହେବ ବୋଲି ।

 

କଟକରେ ବାପାଙ୍କର ପଢ଼ାସାଥୀ କେତେଜଣ ଥିଲେ–ଆଜି ସେ ସମସ୍ତେ ଆରପାରିରେ । ସେମାନେ ହେଲେ ଗୋପାଳ ଚନ୍ଦ୍ର ପ୍ରହରାଜ, ଶଶୀଭୂଷଣ ରାୟ, ବିଶ୍ୱନାଥ କର, ଓକିଲ କଳ୍ପତରୁ ଦାସ, ଓକିଲ ଭିକାରୀ ଚରଣ ପଟ୍ଟନାୟକ, ଚିତ୍ରକର ନାଟୁସର୍କାର, ଅରୁଣୋଦୟ ଛାପାଖାନାର ଭାଗୁଆଳି ମାଲିକ ଡାକ୍ତର ନାରାୟଣଚନ୍ଦ୍ର ଦାନ, ଶ୍ୟାମସୁନ୍ଦର ଷାଠିଆ ଓଗେର ଓଗେର । ଭାଷାକୋଷର ପ୍ରଣେତା ସ୍ୱର୍ଗତ ଗୋପାଳ ପ୍ରହରାଜେ ବାପାଙ୍କର ସଙ୍ଗାତ, ଡାକ୍ତର ନାରଣ ଦାନ୍‌ ବାପାଙ୍କର ବଡ଼ ସାଙ୍ଗ । ବାପା ପ୍ରହରାଜ ମଉସାଙ୍କ ପାଖକୁ ଚିଠି ଲେଖିଲେ, ମୋ ପାଇଁ ଖଣ୍ଡେ ବସାଘର ଠିକ୍‌ କରିଦେବାକୁ । ସେତେବେଳେ ରେଭେନ୍ସା କଲେଜ ଥାଏ ଆଜିର କଲିଜିଏଟ ସ୍କୁଲରେ । ଲାଲବାଗ୍‌ ଦେହୁଡ଼ି ସାମନା ସାଧୁ ସାହୁଙ୍କର ଖଣ୍ଡିଏ ଘର ଭଡ଼ାକୁ ମଉସା ଠିକ୍‌ କରିଦେଲେ । ସେଇଠି ରହିଲି । ପ୍ରହରାଜ ମଉସା କଲେଜରେ ନାଆଁ ଲେଖାଇ ଦେଲେ । ସେ ହେଲେ ମୋର ଲୋକାଲ୍‌ ଗାଡ଼ିଆନ୍ । ୟେ ହେଲା ୧୯୧୬ । ୧୭ର କଥା ।

 

ବସାଟି କଲେଜକୁ ଭାରି ପାଖ । କଲେଜ ଘଣ୍ଟା ବାଜିଲେ ବସାକୁ ଶୁଭେ । ଫାଷ୍ଟ୍‌ ଡିଭିଜନରେ ପାସ୍‌ କରିଥିବାରୁ ମୋତେ ବଟାନି, ଲଜିକ ଓ ସଂସ୍କୃତ (B.L.S.) ଗ୍ରୁପ୍‌ ସହଜରେ ମିଳିଲା, ୟାକୁ କହୁଥିଲେ ରୟାଲ ଗ୍ରୁପ୍‌ । ଦିନ କେତେଟା ପରେ ପଛ କଥା ମନେ ପଡ଼ିଲା ।

 

ମାଆ ରଖିଲେ :

 

୨ୟଥର ମାଟ୍ରିକ୍‌ ପରୀକ୍ଷା ଦେବାବେଳେ କଟକ ଆସି ପିଉସାଙ୍କ ଘରେ ତ ରହିଲି, ବେଳବୁଡ଼ରୁ ଗୋପଭାଇ ଓ ମୁଁ ଲଣ୍ଠନ ଜାଳି ପଢ଼ାରେ ଲାଗୁ । ଗତଥରର ଓଡ଼ିଆବଜାର ସ୍ମୃତି ଥରକୁଥର ଆସି ମନଦୁଆରେ କଡ଼ା ହଲାଏ । କିନ୍ତୁ ସୁବିଧା ମିଳେ ନାହିଁ ରାତିରେ ବାହାରିବା ପାଇଁ-। କଲେଜ ପଢ଼ିବାକୁ ଆସି ସ୍ୱତନ୍ତ୍ର ବସାରେ ରହିଲି । ଏଥରକ ଆଉ ଅସଜ କ’ଣ ? ଦିନେ ଓଡ଼ିଆବଜାରକୁ ବାହାରିଲି, ଭାରି ସରସିଆ ମନରେ; କିନ୍ତୁ ମଣିଷ ବିଚାରେ ଆନ୍‌ଦଇବ ବିଚାରେ ଆନ୍‌ । ସେଇ ଗଳି, ସେଇ ଦୁଆର, ସେଇ ବାଟ । ସେଇ ମ୍ୟୁନିସିପାଲିଟି ବତୀଖୁଣ୍ଟରେ ଆଖିମିଟିକା ମାରୁଛି କିରାସିନି ବତୀ ଆଲୁଅ ସବୁ ଅଛି । ମନ ଅତି ଉତାଲା, ଏତେଦିନ ପରେ ଆଜି ପୁଣି ବିଚକ୍ଷଣାର ସେ ହସ ମୁହଁ ଦେଖିବି । ଚମକି ପଡ଼ିବ ସେ–ଅକୁହା ଅପୋଛାରେ–ହଠାତ୍‌ ମୋତେ ଦେଖି । ଏମିତି ଏମିତି କେତେ ଭାବନା ଘେନି ସେ ଚିହ୍ନା ଦୁଆରର ପାହାଚ ଚଢ଼ି ବନ୍ଦ କବାଟର କଡ଼ା ହଲାଇଲି । ଟିକିଏ ବେଳ ପରେ ସେ ଅଧା ଅନ୍ଧାର ଅଧା ଆଲୁଅରେ ଜଣେ ବୁଢ଼ୀ ଆସି କବାଟ ଦରମେଲା କରି ପଚାରିଲେ, ‘କାହାକୁ ଖୋଜୁଛ’ ? ‘ବିଚକ୍ଷଣା’କୁ ବୋଲି କହିଲି । ବୁଢ଼ୀ ‘ଭୋ’ କରି କାନ୍ଦି ଉଠି କହିଲେ–‘‘କିଏ ? କାଳିବାବୁ ? ଆଉ କ’ଣ ସେ ଅଛି ? ଆଜିକି ପନ୍ଦରଦିନ ହେଲା ଆମକୁ ସବୁ ଭସେଇ ଦେଇ ସେପୁରକୁ ଗଲାଣି ।’’ ଥକା ମାରିଗଲି । ଛାତି ଫାଟିଗଲା ମୋର । ସେଇଠୁ–‘‘କେଉଟ ଯୋଉ ବାଟେ ଆସିଛ–ସେଇ ବାଟେ ଲେଉଟ ।’’

 

ବସାରେ ଆସି କେତେ କ’ଣ ଭାବିଲି କେତେଦିନ ଯାଏ । ଶେଷରେ ମନ ମୋତେ ବୁଝାଇ କହିଲା ଯେ ମୁଁ ଗୋଡ଼ ଖସାଇ ଦେଉଥିଲି, ବୁଡ଼ି ମରିଥାନ୍ତି । ମାଆ ଚର୍ଚ୍ଚିକା ରକ୍ଷା କଲେ ।

 

ଖାନୁ ମିଆଁ :

 

ସମୟ ସବୁ କରେ । ଚାଲିଲା ପୁଣି ଗୀତ ଲେଖା, ଗପ ଲେଖା, କବିତା ଲେଖା, ଗୀତ ମଧ୍ୟ ଗାଉଥାଏ । ଏତେବେଳେ କଟକରେ ନାମଜାଦା ଗୀତଶିଖା ଓସ୍ତାଦ୍‌ ଥିଲେ ଖାନୁମିଆଁ ବା ଖାନ୍‌ ମହମ୍ମଦ୍‌ । ସେ କେତେକଙ୍କୁ ହାରମୋନିୟମ୍‌ ଓ ଗୀତ ଶିଖାନ୍ତି । ମୋର ମନେଅଛି କଟକରେ ଜଳତରଙ୍ଗ ବାଜା ସେଇ ପହିଲେ ଦେଖାଇଲେ । ଓସ୍ତାଦ୍‌ ଖାନୁମିଆଁ ସାଧୁଲୋକ । ବାବାଜୀଙ୍କ ଭଳି ଗେରୁଆ ଆଲଖାଲ, ଗଙ୍ଗା ଯମୁନା ବାବୁରୀ ବାଳ । ନିଶଦାଢ଼ି ନ ଥାଇ ମାଖୁନା ପୁରାସାର ମୁହଁ । ବେକରେ ଗୋଟିଏ ସ୍ଫଟିକ ପଥରର ମାଳି ଝୁଲୁଥାଏ । ବାପାଙ୍କ ବୟସର ଲୋକ । ତାଙ୍କ ପାଖକୁ ଯିବା ଅବା ତାଙ୍କ ସହିତ ପରିଚୟ ହେବାକୁ ଭରସି ପାରିଲି ନାହିଁ । ଏଣେ ମନଟା ଛକବକ ହେଉଥାଏ, ତାଙ୍କ ସଙ୍ଗେ ଚିହ୍ନାଜଣା ହେବାପାଇଁ । ଯୋଗକୁ ଦିନେ କାଠଯୋଡ଼ି କୂଳକୁ ବୁଲିଯାଇଥିବାବେଳେ ଗଣେଶଘାଟ ପାଖରେ ଗୋଟିଏ କୁଡ଼ିଆ ଘର ଦୁଆରେ ସେ ଏକୁଟିଆ ବସିଥିବାର ଦେଖିଲି । ଛାତିରେ ଦମ୍ଭ ବାନ୍ଧି ତାଙ୍କ ପାଖକୁ ଯାଇ ଗୋଡ଼ତଳେ ମୁଣ୍ଡିଆଟିଏ ମାରିଲି । କଲ୍ୟାଣ କରି ମୋତେ ପଚାରିଲେ, ‘‘ତୁମେ କିଏ ବାବା ?’’ ସବୁ କଥା କହିଗଲି । ସେ ବରାଦ କଲେ–କି ଗୀତ ଜାଣିଛି ଗୋଟାଏ ଗାଇବାକୁ । ମୁଁ ତ ତାଙ୍କ ରେକର୍ଡ଼ ଗୀତ ଜାଣିଥିଲି । ତାଙ୍କ ଗାଇଥିବା ଗୀତଟି ଗାଇଲି, ‘‘ଆସୁଛନ୍ତି ବ୍ରଜବାସୀ ଧୀରେ ଧୀରେ ଚାଲିଚାଲି ।’’ ମୁଁ ଏ ଗୀତ କେମିତି ଶିଖିଲି ବୋଲି ହସି ହସି ସେ ପଚାରିବାରୁ ବଡ଼ାମ୍ବା କଥା ସବୁ କହିଗଲି । ଆନନ୍ଦରେ ସେ ମୋ ମୁଣ୍ଡରେ କେତେଥର ହାତବୋଳି, ମୋତେ ଗୀତ ଓ ବାଜା ଶିଖାଇବାକୁ ରାଜି ହୋଇ ଫି ରବିବାର ୪।୫ଟା ବେଳେ ମୋ ବସାକୁ ଯିବେ ବୋଲି କହିଲେ । ଓଃ ! ଛାତି ମୋର ଉଲ୍ଲସି ଉଠିଲା ଆନନ୍ଦରେ । ମାଆଙ୍କୁ ପ୍ରଣାମ କଲି ।

 

ସଙ୍ଗୀତ ଶିଖା :

 

ବସାକୁ ଫେରି ଭାବିଲି କେମିତି ଶିଖିବି । ଖୋରଧାରେ ସିନା ପ୍ରତାପବାବୁଙ୍କର ହାରମୋନିୟମ୍‌ ଥିଲା । ଏଠି କ’ଣ କରିବି ? ସବୁକଥା ବୁଝାଇ ବୋଉ ପାଖକୁ ବହୁତ ନେହୁରା ହୋଇ ଚିଠି ଲେଖିଲି । ସେ ପଚିଶଟି ଟଙ୍କା ଡାକରେ ପଠାଇ ଦେଲା । ମୁଁ ବାଲୁବଜାରର ପୋଷାକ ଦୋକାନୀ ସାଗରବାବୁଙ୍କ ପାଖରୁ ସିଙ୍ଗଲରିଡ଼ମଣ୍ଡଲ ହାରମୋନିୟମ୍‌ଟିଏ କିଣିଲି । ଏଥର ଗୀତ ଶିଖା ଚାଲିଲା । ପ୍ରାୟ ପ୍ରତି ରବିବାର ଦିନ ଆସନ୍ତି ଓସ୍ତାଦ୍‌ ଖାନୁମିଆଁ ।

 

ମଧୁପୁର ପଟ୍ଟାୟତ ସ୍ୱର୍ଗତ ବଳଭଦ୍ର ଧୀର ନରେନ୍ଦ୍ର ଓ ମଧୁପୁର ରାଜବଂଶୀୟ ଶ୍ରୀ ଶ୍ୟାମସୁନ୍ଦର ଧୀରେ ଏକାଠି ରହୁଥାଆନ୍ତି ବାଲୁବଜାରରେ ଗୋଟାଏ କୋଠାଘରେ । ଦୁହେଁ ବିଶିଷ୍ଟ ସଙ୍ଗୀତପ୍ରେମୀ । ଶ୍ୟାମବାବୁ ବେଶୀ ଧ୍ରୁପଦ ଗୀତ ଗାଆନ୍ତି ଓ ସେତାର ବଜାନ୍ତି । ଦିନେ ତାଙ୍କ ଘରେ ବୈଠକ ବସିଥାଏ ସଞ୍ଜବେଳେ । ସେ ବେଳର ଜମିଦାର ସ୍ୱର୍ଗତ ଅମଳାରାୟ ଚୌଧୁରୀ (ପୁଣ୍ଟୁବାବୁ) ଜଣେ ଭଲ ତାବଲା ବାଦକ । ମୋର ତାଙ୍କ ସହିତ ଟିକିଏ ପରିଚୟ ଥାଏ । ସେଦିନ ସଞ୍ଜରେ ପଟ୍ଟାୟତଙ୍କ ଦୁଆର ମୁହଁରେ ତାଙ୍କୁ ଭେଟିଲି । ସେ ମୋତେ ସାଥିରେ ନେଇଗଲେ । ଓସ୍ତାଦ୍‌ ମାଧବରାଓ ପଟ୍ଟାୟତଙ୍କ ଘରେ ବସିଥିଲେ, ପରିଚୟ ହେଲା ତାଙ୍କ ସହିତ । ମୁଁ ତାଙ୍କଠାରୁ ସଙ୍ଗୀତ ଶିଖିବାର ଅଭିଳାଷ ପ୍ରକାଶ କଲି । ସେ ସମ୍ମତ ହେଲେ । ଦର୍ପଣୀ ଇଷ୍ଟେଟର ଶ୍ରୀ ରାମନାରାୟଣ ଗୁଟୁ ତାଙ୍କର ଅନ୍ୟତମ ଛାତ୍ର । ମାଧବ ରାଓଙ୍କଠାରୁ ରାଗରାଗିଣୀ ଓ ଖେୟାଲ ଗୀତ ଶିଖିଲି ।

 

ଏବେ ମୋ ରହଣି ତ ସହର କଟକ । ଖୋରଧା ଆଉ କଟକ ସହର ଭିତରେ ତଫାତ୍‌ ଆକାଶ ପାତାଳ । କଟକରେ ମୋ କଳାକାର ଜୀବନ କଥା କହିବା ଆଗରୁ ଅତି ଚୁମ୍ବକରେ ଟିକିଏ ସେବେଳର ସହର ଘଟଣା କହୁଛି–

 

କଟକ ସହର :

 

ପକ୍‌କା ସଡ଼କ ବୋଲନ୍ତେ ଧୂଳି ବଲବଲ ରାସ୍ତା । ବର୍ଷା ପାଣି ମୁନ୍ଦିଏ ପଡ଼ିଗଲେ ବାଟରେ ଅଟକାଳି ତିଆରି ହୋଇଯାଏ, ବିଶେଷକରି ବାଲୁବଜାର ବାଟ ଖଣ୍ଡକରେ । ସାବଧାନରେ ଜଗିଜାଗି ନ ଗଲେ ବର୍ଷାଦିନରେ ବି ହୋରି ଖେଳଟା ବାହୁଡ଼ି ଆସେ । ଏକବଳଦିଆ ଗାଡ଼ି ଥିଲା । ରିକ୍ସା ତ ନ ଥିଲା । ଘୋଡ଼ାଗାଡ଼ିର ଚଳଣି ଥିଲା । ସରସ ଘୋଡ଼ାଗାଡ଼ି ଥାଏ କନିକା ରଜାଙ୍କର । ଦେଖିବାକୁ ସମାନ ସମାନ ଉଚ୍ଚର ଯୋଡ଼ି ଘୋଡ଼ାଗାଡ଼ିରେ ଲାଗିଥାଆନ୍ତି । ବଡ଼ ପସନ୍ଦିଆ ଘୋଡ଼ା ଦୁଇଟି । ଲୋକେ ସେଥିପାଇଁ ବେଳେବେଳେ କଥାକୁ ଲଛନା ଦେଇ କହୁଥିଲେ, ‘‘କନିକା ଯୋଡ଼ି’’–ଅର୍ଥାତ୍‌ ସେହିପରି ସମାନ ମିଳିବ । ଏବେ ବି ସେ କାଳର କେହି କେହି ‘‘କନିକା ଯୋଡ଼ି’’ କଥାଟା ହେତୁ ରଖିଛନ୍ତି । ଗାଡ଼ିରେ ଘଣ୍ଟି ଥାଏ । ପଛପଟେ ଦି’ଜଣ ଖାସ୍‌ ପୋଷାକିଆ ସୋଫର୍‌(ତାଙ୍କୁ ଏଇ ନାଆଁରେ ଡାକୁଥିଲେ) ଠିଆ ହୋଇ ବାଟୋଇଙ୍କି ଆଡ଼େଇ ହୋଇ ଯିବାପାଇଁ ଡାକନ୍ତି–‘ଯା ବଗଲ୍‌’ । ହାତରେ ତାଙ୍କର ଥାଏ ଖଣ୍ଡେ ଖଣ୍ଡେ ଝାଡ଼ଣ । ବଗି ଉପରେ ଏକ ଆସନରେ କଚୁଆନ (କୋଚମ୍ୟାନ୍‌) ଚପକନ ପିନ୍ଧି, ପଗଡ଼ି ବାନ୍ଧି ବସି ଗାଡ଼ି ଚଳାଏ ।

 

ଦିନ ଦଶଟା, ସାଢ଼େ ଦଶଟା ବେଳେ କିଲଟରୀ ପାଖେ ସବାରୀ ଡାକ ଶୁଭେ । ବଡ଼ ବଡ଼ ଓକିଲ ସବାରୀରେ ଆସନ୍ତି । କାହାରି କାହାରି ଘୋଡ଼ାଗାଡ଼ି ଗୋଟିଏ ଦିଓଟି ମଧ୍ୟ ଥିଲା ।

 

ସେତେବେଳେ ହୋଟେଲ ବୋଲନ୍ତେ ଆଜିକାଲି ଯେଉଁଠି ଗୌରୀଶଙ୍କର ପାର୍କ ହୋଇଛି, ତାହାରି ଆଗଛାମୁଆ ଅର୍ଥାତ୍‌ ଯେଉଁଠି ପେଟ୍ରୋଲ୍‌ ଟାଙ୍କି ଇତ୍ୟାଦି ଅଛି, ସେଇଠି ଖଣ୍ଡିଆ ଚାଳଘର ଖଣ୍ଡେ ଥାଏ । ଠିକ୍‌ ମନେ ହେଉ ନାହିଁ–ସେ ହୋଟେଲର ମାଲିକଙ୍କ ନାଆଁଟା ଭୋଳିନନା କି ଟିମାନନା–ଏଇମିତି କିଛି ହେବ । ଦିନବେଳେ ହୋଟେଲ ବନ୍ଦ । ସଞ୍ଜବେଳେ ବତୀ ଜଳେ । ପଲାଉ, ଗିଲାସ ଓ ମାଂସ ଚପ୍‌ କାରବାର । ହୋଟେଲରେ ଖାଇବା ଏକ ସାମାଜିକ ଦୋଷ ବୋଲି ଗଣା ହେଉଥିଲା ।

 

ସହର ଭିତରେ ଚାହାଦୋକାନ ଗଣ୍ଡାଏ କି ପାଞ୍ଚଟା ଥିଲା କି ନଥିଲା । ମନୋହାରି ଦୋକାନ ଥିଲା ଅଳ୍ପ ଗୋଟିକେତେ । ତା’ଭିତରେ ମାରବାଡ଼ି ପଟି ଛକ ଓସ୍ତଗଛ ସାମନାରେ ଜି. ନାଏକ, ବକ୍ସିବଜାରରେ ବିଲମୋରିଆ, ବାଲୁବଜାରରେ ଅଲବତ୍‌ ଖାଁ ଓ ଲେଙ୍ଗଡ଼ା ପିରୁଙ୍କ ଦୋକାନ ନାଆଁ ଡାକ୍‌ ଥିଲା ।

 

ଥରେ ଗୋଟାଏ ଆଖିଦେଖା ଘଟଣା କହୁଛି–ଲାଲବାଗ ଦେଉଡ଼ିର ପୂର୍ବଆଡ଼କୁ କଲେଜଗଳି ମଝାମଝି ଉତ୍ତର ପଟେଥାଏ ଲେଙ୍ଗଡ଼ା ପିରୁ ମିଆଁଙ୍କ ଦୋକାନ । ଏଠାରୁ ମୋ ବସା ମାତ୍ର ୬–୭ ଘର ଛଡ଼ା । ସେତେବେଳର ରାଜାରାଜୁଡ଼ାମାନେ କେବେ କଦବା କଟକ ଆସୁଥିଲେ-। ରଜା ବିଜେହେଲେ ତାଙ୍କ ଗହଣରେ ଦିଆନ ଓ ପାଖଲୋକ ମୁକର ଆସନ୍ତି । ପାଲିଙ୍କି ପାଟ ଛତା ସହିତ ରାଜଥାଟରେ ରଜା ବିଜେ ହୁଅନ୍ତି । ଥରକର କଥା ହେତୁ ଅଛି । ଜଣେ ଛାମୁ କଟକ ବିଜେ ହୋଇଥାଆନ୍ତି । ଲେଙ୍ଗଡ଼ା ପିରୁଙ୍କ ଦୋକାନରୁ ପ୍ରଚକ୍ଷୁକିଣା ହେବାର କଥା ହେଲା । ଛାମୁଙ୍କ ପାଲିଙ୍କି ଲାଗିଲା କଟକ ରାସ୍ତାରେ । ଦୋକାନରୁ ଚଷମା ଆସିଲା, ଦାମ୍‌ ପଚରା ହେଲା-। ରାଜା ଗରାଖ ବୋଲି, ଅତି ବଡ଼ରେ ଟଙ୍କା ପାଞ୍ଚଟା ଯାଏ ଦାମ୍‌ କୁହାଗଲା । ଆଖିରେ ଚଷମା ପିନ୍ଧା ହେବା ପୂର୍ବରୁ ଛାମୁ ମୁହଁ ଆମ୍ବିଳା କରି ୱାପସ କରିଦେଲେ । ଦିଆନେ ଗଲେ ଦୋକାନ ଭିତରକୁ, ଟିକିଏ ଚକଚକିଆ ଖୋଳ ଭିତରେ ପଶିଥିବା ଚଷମାଟିଏ ଆଣିଲେ । କିମତ୍‌ ପଚାଶ ରୂପୟା ଶୁଣି ଛାମୁଙ୍କ ଶ୍ମଶ୍ରୁଳ ଶ୍ରୀମୁଖ ଏଥର ପ୍ରସନ୍ନ ଦିଶିଲା, ଦିଆନଙ୍କୁ ଆଜ୍ଞା ହେଲା–‘‘ନିଜ ପରିଚକ୍ଷୁ ତ ? ନିଜେ ଦେଖିଛ-?’’

 

ଦିଆନେ–‘‘ମଣିମା’’

 

ଆଉ ଛାମୁଙ୍କ ନାକ ଛୁଆଣି ଲୋଡ଼ା ପଡ଼ିଲା ନାହିଁ । ଦିଆନଙ୍କୁ ହୁକୁମ ହେଲା ଦୋକାନୀକୁ କଉଡ଼ି ଗଣି ଦେବାକୁ । ଦେଖିଲି ପ୍ରଚକ୍ଷୁର ‘ପରଚକ୍ଷୁ’ ନାଆଁ ଏଇଠି ସାର୍ଥକ । ଦିଆନଙ୍କ ଆଖି ଲାଖି ହୋଇଛି ବୋଇଲେ, ଦେଉ କ’ଣ ଆଉ ଦେଖିଲେ ନାଇଁ କି ?

 

କଟକ ସହରର ବଡ଼ ଛାପାଖାନା ଭିତରେ ପ୍ରିଣ୍ଟିଂ କମ୍ପାନୀ, ମିଶନ୍‌ ପ୍ରେସ୍‌, ପେଟିଅଟ୍‌ ପ୍ରେସ୍‌, ମୁକୁର ପ୍ରେସ୍‌, ଅରୁଣୋଦୟ ପ୍ରେସ୍‌ ଓ ପରେ ଚନ୍ଦ୍ରୋଦୟ ପ୍ରେସ୍‌ ଥିଲା । ବହି ଦୋକାନ ଖଇଫୁଟୁ ନ ଥିଲା, ସେ ବି ଦି’ଟା ତିନିଟା ମାତ୍ର । ଦୋକାନ ବାରଣ୍ଡାରେ ଠାଏ ଠାଏ ଦୁଇ ଚାରିଟା ଉଠା ବହି ଦୋକାନ ଥିଲା ।

 

ଏଇଭଳି ପରିସ୍ଥିତି କଟକ ସହରର ଥିଲାବେଳେ ମୋ କଲେଜ ପଢ଼ା ଆରମ୍ଭ । ଢିଙ୍କି ସରଗକୁ ଗଲେ ଧାନ ତ କୁଟିବ । ଏଠି ମୋ ସଙ୍ଗୀତ ସାହିତ୍ୟ ଚର୍ଚ୍ଚାର ନିଶାପାଇଁ ଖଟି ଖୋଜି ବୁଲିଲି । କ୍ଳାସ୍‌ପରେ ବସାରେ ପ୍ରାୟ ଆଡ଼ାଟା ଜମେ । ଖାନୁମିଆଁଙ୍କ ଛଡ଼ା ମାଧବ ରାଓ ଓସ୍ତାଦ୍‌ପ୍ରାୟ ମୋ ବସାକୁ ଆସନ୍ତି । ଆଜିର ଗାୟକ, ବିଶେଷତଃ ରବୀନ୍ଦ୍ର ସଙ୍ଗୀତ ଗାୟକ ରୂପେ ପରିଚିତ–ଶ୍ରୀ ବିଶ୍ୱନାଥ ରାଓଙ୍କର ସେ ପିତା । ଓସ୍ତାଦ୍‌ ଖାନୁମିଆଁ କେତେ ଓଡ଼ିଶୀ ଗୀତ ଶିଖାଇଲେ-। ୟା’ ଆଗରୁ ହିନ୍ଦୁସ୍ଥାନୀ ଗୀତ, ଯାହା ମୋ କାନରେ ପଡ଼ିଥିଲା, ସେଗୁଡ଼ାକ ‘ବାଜେ’ ବୋଲି ମନେ ହେଲା । ରାଗ-ରାଗିଣୀ, ବାଦୀ-ବିଦାଦୀ, ଆରୋହ-ଅବରୋହ, ସ୍ୱର ନିୟମ–ଏତେ ପାଠ ଜାଣୁଛି କିଏ ? ଶିଖୁଛି କିଏ ? ଗୀତ ଗୋଟାକେତେ ଗାଇଲେ ସାଙ୍ଗସାଥୀଏ ବାହାବା ଦେଲେ-। ଏଇତକରେ ମୋତେ ଆନନ୍ଦ ମିଳୁଥିଲା । ଆଉ ଗୁରାଏ କ’ଣ ଅଧିକ ଲୋଡ଼ା ? ପିମ୍ପୁଡ଼ିକୁ ମୂତ ପହଁରାଏ । ପରେ ଓସ୍ତାଦ୍‌ ମାଧବ ରାଓଙ୍କ ଗୀତ ଶୁଣି ହିନ୍ଦୁସ୍ଥାନୀ ସଙ୍ଗୀତ ଆଡ଼କୁ ମନ ଗଲା-। କ୍ରମେ ଗାଆଣ ବଜାଣ ଆସରକୁ ଗଲି ।

 

କଟକରେ ଗାଆଣ ବଜାଣର ଚର୍ଚ୍ଚା ନିହାତି ମନ୍ଦ ନ ଥିଲା ସେତେବେଳେ । ଆଶୁବାବୁ (ବର୍ତ୍ତମାନ ମୋ ଜଗନ୍ନାଥବଲ୍ଲଭ ଘରର ପଡ଼ିଶା), ଛୟ ଆଙ୍ଗୁଲ୍‌ ପରମାନନ୍ଦ (ସ୍ୱର୍ଗୀୟ ଓକିଲ ହେମନ୍ତବାବୁଙ୍କ ବାପା) ଥିଲେ ଭଲ ବାଜିଆ । ତାଙ୍କ ପଛକୁ ଆଉ ଆଉ କେତେ ଅବଶ୍ୟ ବାହାରିଲେ । ଭଲ ସାରଙ୍ଗିଆ ଜଣ କେତେ ଥିଲେ । ମସଜିଦ୍‌ ଗଳିରେ ନୀଳମଣି ମଧ୍ୟ ତବଲା ବାଦକ ଥିଲେ । ଏବେ ସାରଙ୍ଗୀ ନାଆଁ ଆଉ ନାହିଁ କଟକରେ । ତେଲଙ୍ଗା ବଜାରର କଣା ଜୟୀ ବୋଧହୁଏ କଟକରେ ଶେଷ ସାରଙ୍ଗିଆ । ଏ ପରେ ମୋ ରାସଦଳରେ ସାରଙ୍ଗୀ ବାଦକ ଥିଲେ ।

 

ପଞ୍ଚେଟଗଡ଼ ଘରର ଓସ୍ତାଦ୍‌ ଦ୍ୱିଜେନ୍ଦ୍ର ଅଧିକାରୀ ପରେ କଟକ ଆସି ସଙ୍ଗୀତ ଟିଉସନ୍‌ ଆରମ୍ଭ କଲେ । ସ୍ୱର୍ଗୀୟ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ବଗିଚା (ଧୋବାସାହି ଗଳି) ଘର ହେଲା ମୋର ସଙ୍ଗୀତ ଶିକ୍ଷାସ୍ଥଳୀ । ଅମଲା ରାୟ ଚୌଧୁରୀ (ପୁଣ୍ଟୁବାବୁ) ଓ ମୁଁ ଅନ୍ୟାନ୍ୟ ଛାତ୍ରମାନଙ୍କ ମଧ୍ୟରେ ରୀତିମତ ଗାଇବା, ବଜାଇବା ବୈଠକ ଆରମ୍ଭ କଲୁ । ଅମଲାବାବୁ ବା ପୁଣ୍ଟୁ ଦା’ ଚଉକସ ଧିମା ଲୟର ଠେକା ଦିଅନ୍ତି । ଆଲାମଚାନ୍ଦ ବଜାରରେ କାଳୀବାବୁଙ୍କ ଘରେ ବି ବୈଠକ ବସେ । ମୁଁ ପ୍ରାୟ ସେଠିକି ଯାଏ ।

 

କ୍ରମେ ସ୍ଥାନେ ସ୍ଥାନେ ଡାକରାରେ ଯାଇ ଯୋଗଦେଲି । ରୀତିମତ ଶିକ୍ଷା ହେତୁ ଟିକିଏ ଅଧେ ଡର ବି ଭାଙ୍ଗି ଆସୁଥାଏ । ଏଥିସହିତ ଏତିକିବେଳେ କେତେଖଣ୍ଡ ସଙ୍ଗୀତଶାସ୍ତ୍ର (Theory) ମଧ୍ୟ ପଢ଼ୁଥାଏଁ । ସଙ୍ଗୀତ ଚର୍ଚ୍ଚାହେତୁ କ୍ରମେ କଲେଜରେ ଓ ବାହାରେ ଟିକିଏ ଜଣାଶୁଣା ହୋଇ ଉଠିଲି ।

 

ପ୍ରଥମ ବହି ଛପା :

 

୧୯୧୩ ସାଲରେ ମୁଁ ଯେଉଁ ଶିଶୁକବିତା ବହି ଲେଖିଥିଲି, ତାହାର ନାଆଁ ଦେଇଥିଲି ‘କଳାହାଣ୍ଡିଆ ମେଘ’–ବର୍ଷାଋତୁର ଚିତ୍ରଟିଏ । ଦୈନିକ ‘ଆଶା’ର ସମ୍ପାଦକ ସ୍ୱର୍ଗତ ଶଶିଭୂଷଣ ରଥଙ୍କ ଭାଇ ସ୍ୱର୍ଗତ ଉଦୟନାଥ ମହାପାତ୍ର ମୋର ଜଣେ ପ୍ରିୟ ବନ୍ଧୁ ଥିଲେ । ମୁଁ ଚର୍ଚ୍ଚିକା ସ୍କୁଲରୁ ମାଇନର ବୃତ୍ତି ପରୀକ୍ଷା ଦେବାକୁ ଆସି ପିଉସାଙ୍କ ବସାରେ ଯେତେବେଳେ ଥିଲି, ସେତିକିବେଳେ ଉଦୟଙ୍କ ସହ ମୋର ବନ୍ଧୁତା । ତାଙ୍କୁ ସେ ଲେଖାଟି ପଢ଼ାଇଥିଲି ଏବଂ ତାଙ୍କ ମତାମତ ମଧ୍ୟ ଏବେ ସେ ବହିରେ ଛପା ରହିଛି ।

 

ମୋ ଲେଖା ଖଣ୍ଡେ କେମିତି ଛପା ହେବ ବୋଲି ଭାରି ମନ ହମହମ ହେଉଥାଏ । ଏତିକିବେଳେ ଯୋଗକୁ ଅରୁଣୋଦୟ ପ୍ରେସ୍‌ର ମାଲିକ–ପରିଚାଳକ ଥିଲେ, ଡାକ୍ତର ନାରାୟଣ ଚନ୍ଦ୍ର ଦାନ, ଅଭିନ୍ନ ଦାନଙ୍କ ଭାଇ । ବାପାଙ୍କର ତ ସେ ଜଣେ ବଡ଼ ସଙ୍ଗୀ । ମୁଁ ମୋ ଲେଖାଟି ତାଙ୍କୁ ପଢ଼ି ଶୁଣାଇଲି । ନାରଣବାବୁ ଆଦର କରି ସେ ଖଣ୍ଡି ଛାପିଦେଲେ । ଛପାରେ ବହିଟି ଫୁଲ୍‌ସ୍‌କେପ୍‌ ଷୋଳପେଜି । ୧୯୧୭ ମସିହାରେ ଏ ବହିଖଣ୍ଡି ମୋ ଜୀବନର ପହିଲି ପ୍ରକାଶିତ ବହି । ସେତେବେଳେ ପ୍ରଖ୍ୟାତନାମା କବି–ଲେଖକ ପଲ୍ଲୀକବି ନନ୍ଦକିଶୋର ବଳ, ମଧୁସୂଦନ ଦାସ, ବ୍ରଜସୁନ୍ଦର ଦାସ, ଗୋପାଳଚନ୍ଦ୍ର ପ୍ରହରାଜ, ଶଶିଭୂଷଣ ରାୟ ଓ ବିଶ୍ୱନାଥ କର ଇତ୍ୟାଦି ବହିଟିର ଭାରି ପ୍ରଶଂସା କରି ମତ ଦେଲେ ।

 

ସ୍ୱର୍ଗୀୟ ଭକ୍ତକବି ମଧୁସୂଧନ ରାଓଙ୍କ ପୁଅ ଶ୍ରୀକଣ୍ଠ ମୋର ସହପାଠୀ । ସୁନ୍ଦର ଗଳାଟିଏ । ରବି ଠାକୁରଙ୍କ ଗୀତଗୁଡ଼ିକ ବଡ଼ ସୁଲଳିତ କଣ୍ଠରେ ସେ ଗାଉଥିଲେ । ବରାବର ସେ ମୋ ବସାକୁ ଯା’ଆସ କରନ୍ତି । ତାଙ୍କଠାରୁ ଭକ୍ତିଗୀତ ଶୁଣି ଶୁଣି ମୁଁ ୨୦।୨୫ଟି ଗୀତ ଲେଖି ‘ବରଣ ଡାଲା’ ନାଆଁ ଦେଲି ପାଣ୍ଡୁଲିପିଟିର ।

 

ବ୍ରହ୍ମ ଚାପୁଡ଼ା :

 

ଗୀତଗୁଡ଼ିକ ଅଛପା ଅବସ୍ଥାରେ ୟାକୁ ତାକୁ ଶୁଣାଇବା ପାଇଁ ମନ ସକସକ ହେଉଥାଏ-। ବହିଟିର ପ୍ରଥମ ଗୀତ ହେଲା–

‘‘ମୁଁ ଚାହେଁ ପ୍ରଭୁ ଏକାଟି ଯିବି

ତମରି ଦୟାର ଦୁଆରେ,

ବେଶିଦିନ ଆଉ ବଳୁ ନାହିଁ ମନ

ଜଳିବାକୁ ଏଇ ନିଆଁରେ’’ ଇତ୍ୟାଦି...

ସ୍ୱର୍ଗତ ଦେଶପ୍ରେମୀ ଯଦୁମଣି ମଙ୍ଗରାଜଙ୍କ ସଙ୍ଗରେ ମୋର ବେଶ୍‌ ପରିଚୟ ଥାଏ । ସେତେବେଳେ ସେ ବି କଲେଜ ପଢ଼ୁଆ–ଅବଶ୍ୟ ଉପର ଶ୍ରେଣୀରେ ଥାଆନ୍ତି । କଲେଜରେ ନାନା ଦିଗରେ ସେ ଆଗୁଆ ଥିଲେ । ତେଣୁ ଜଣାଶୁଣା ବେଶୀ ।

ଅନେକ ସମୟରେ ସେ ମୋ ବସାକୁ ଆସନ୍ତି । ଖିଆପିଆ କଥାଭାଷା ହୁଏ । ଗୋଟାଏ ଦିନର ଘଟଣା ମୋର ସ୍ପଷ୍ଟ ମନେଅଛି । ଲାଲବାଗ ଫାଟକ ପାଖରେ କଟକ ବିଦ୍ୟାଧରପୁର ଫାରମର ସମସରା ଆଖୁବିକା ହେଉଥାଏ । ମଙ୍ଗରାଜେ ସେଥିରୁ ବଡ଼ ଧଣ୍ଡାଏ କିଣି ଧରି ଆସୁଥାଆନ୍ତି । ମୋ ବସାଟା ତ ଗେଟ୍‌ ସାମନାରେ । ଦୁଆରେ ଠିଆ ହୋଇଥିଲି, ଡାକିଲି ମୁଁ ତାଙ୍କୁ, ଆସିଲେ ସେ । ଜଳଖିଆ ଖାଇଲୁ ଦୁହେଁ । ମୁଁ ହାରମୋନିୟମ୍‌ ବାହାର କରି ବରଣଡାଲାର ପ୍ରଥମ ଗୀତଟି ଅର୍ଥାତ୍‌ ‘ମୁଁ ଚାହେ ପ୍ରଭୁ’...ଇତ୍ୟାଦି ଗାଇଲି । ଗୀତ ସରିଲା । କେମିତି ହୋଇଛି ବୋଲି ପ୍ରଶ୍ନ ସଙ୍ଗେ ସଙ୍ଗେ, ସେ ଏକ ନିବାଡ଼ ବ୍ରହ୍ମ ଚଇତନ ବଜାଇଲେ ଗାଲକୁ ମୋର । ଭାରି କାଟିଲା । ଆଖିରୁ ଲୁହ ଗଡ଼ିଗଲା । କାନ୍ଦ କାନ୍ଦ ହୋଇ ପଚାରିଲି–‘‘କାହିଁକି ମାଇଲ-?’’

ମଙ୍ଗରାଜେ କହିଲେ–‘‘ସ୍ୱାର୍ଥପର, ଲେଖିଚୁ ମୁଁ ଚାହେଁ ପ୍ରଭୁ ଏକାକୀ ଯିବି ତମରି ଦୟାର ଦୁଆରେ–କାହିଁକି ? ଆମକୁ ସାଙ୍ଗରେ ନେଇକରି ଯିବାକୁ କହୁନୁ ? ଏକା ତୋ ପାଇଁ କାହିଁକି ପ୍ରଭୁଙ୍କୁ କହୁଚୁ ?’’ ସେଇଠୁ ବରଣ ଡାଲାର ଶେଷ ଗୀତଟି ଗାଇଲି–

‘‘ସ୍ଥାନ ଦିଅ ମୋତେ ପୂର୍ଣ୍ଣ ଧୂଳି ପଥେ–

ତରୁଲତା ତଳେ,

ଅଜଣା ଧାମରେ ।

ପଦବୀ ଦିଅ ମୋତେ

ମାନବ ବୋଲି

ଖୋଜେନା ଆଉ

ଆନ ଦାନରେ

ପ୍ରଭୁ ! ଚାହେଁନା ଆଉ

ଆନ ଦାନରେ ।’’

 

ମଙ୍ଗରାଜେ ଏଥର ହସିଲେ । ମୋତେ କୁଣ୍ଢାଇ ପକାଇ କହିଲେ, ‘‘ହଁ ଏଥରକ ହେଲା-। ମୁଁ ସବୁକଥା ନ ଶୁଣି ଚାପୁଡ଼େ ମାରିବାଟା ଭୁଲ୍‌ ହୋଇଛି । କ୍ଷମା ଦେ । ଭୁଲିଯା-।’’ ଏଇଠି ମଙ୍ଗରାଜଙ୍କ କଥା ଟିକିଏ କହୁଛି–

 

ରସରାଜ ମହାଭାବ :

 

ଦିନେ ବିନୋଦବିହାରୀ ଠାକୁରଙ୍କ ବାଆଁପଟ ହତା ଭିତର ପଡ଼ିଆରେ ସଞ୍ଜବେଳେ ଗୋଟାଏ ଧର୍ମସଭା ବସିଥାଏ । ଚାଲିଥାଏ କୃଷ୍ଣରସ ଆଲୋଚନା । ବଙ୍ଗଳାର ଜଣେ ବିଶିଷ୍ଟ ଚୈତନ୍ୟ-ପନ୍ଥୀ ବାବାଜୀ ବକ୍ତୃତା ଦେଉଥାଆନ୍ତି । କହୁ କହୁ ମଝିରେ ମଝିରେ ସେ କେବେ ହସି, କେବେ କାନ୍ଦି ଲୋକଙ୍କୁ ସତରେ କୃଷ୍ଣ-ରସରେ ମଜାଇ ରଖିଥାଆନ୍ତି । ମଙ୍ଗରାଜେ ଓ ମୁଁ ସେଠିକି ଯାଇଥାଉଁ । ହଠାତ୍‌ ମୁଁ ଭାବବିହ୍ୱଳ ହୋଇ ତାଙ୍କୁ କହି ପକାଇଲି ତୁମେ ଏକା ‘ରସରାଜ’ । ସେ ତାଙ୍କ ସ୍ୱଭାବସୁଲଭ ମଧୁର ବଚନରେ କହିଲେ, ତୁ ‘ମହାଭାବ’ । ମନେଅଛି, ସେହିଦିନରୁ ଦୁହେଁ କହୁଁ, ଲେଖୁଁ ଡକାଡକି ହେଉଁ ‘ରସରାଜ ମହାଭାବ’ । ସେ ସଂସାର ଛାଡ଼ିଯିବା ଯାଏଁ ସ୍ନେହ ଅତୁଟ ଥିଲା ।

 

ବରଣ ଡାଲା :

 

ବରଣ ଡାଲା ନାଆଁଟି ପସନ୍ଦ କଲେ ମଙ୍ଗରାଜେ ଆଉ ମୋ ସାଙ୍ଗମାନେ । ଛପାଇଲି ବହିଟି ଦତ୍ତ ପ୍ରେସ୍‌ରେ । ପ୍ରେସ୍‌ରେ ମ୍ୟାନେଜର ଥାଆନ୍ତି ବାସୁଦେବ ନାୟକ । ଖୁବ୍‌ ସାହାଯ୍ୟ କଲେ । ଦାମ ସେତେବେଳକୁ ଚାହିଁ ଛଅପଇସା ମାତ୍ର । ଫୁଲସ୍‌କେପ୍‌ ଫର୍ମାଏ ବହି । ବହି ଖଣ୍ଡିକ ନେଇ କନିକା କୋଠିକି ଗଲି ଦିନେ । ଦେଖା ହେଲା ରାଜାସାହେବଙ୍କ ସହିତ । ପରିଚୟ ଦେଇ ବହିଟି ଭେଟିଲି । ଗୀତ ଦୁଇ ତିନୋଟି ଗାଇବାକୁ କହିଲେ, ଗାଇ ଶୁଣାଇଲି । ବଡ଼ ଖୁସି ହେଲେ ସେ । କାଲି ଆଉ ଖଣ୍ଡିଏ ବହି ଆଣି ତାଙ୍କୁ ଦେଲେ ସେ ମିଷ୍ଟର ଦାସଙ୍କୁ ଦେବାକୁ କହିଲେ । ଯଥା ନିର୍ଦ୍ଦିଷ୍ଟ ସମୟରେ ଦୁଇଖଣ୍ଡ ବହି ନେଇକରି ଭେଟିଲି ତାଙ୍କୁ ।

 

ତା’ପରେ ଦିନ ଚାରିଛଅ ବିତିଗଲା–ଆଉ ଖବର ନାଇଁ କି ଅନ୍ତର ନାଇଁ । ବିଚାରିଲି–ରାଜା ଲୋକ ତ ! ଭୋଳାମନ । କୋଉ ବା ଏମିତି ଦାମୀ ବହିଟାଏ ? ମୁଁ ଅବା କୋଉ ଲେଖକରେ ଗଣା ? ପାସୋରି ଯିବେଣି ସେ ।

 

ମଧୁବାବୁଙ୍କ ଭେଟ :

 

ହଠାତ୍‌ ଦିନେ ରବିବାରିଆ ହୋଇଥାଏ । ଦିନ ତିନିଟା । ରାଜୁବାବୁ (ରାଜକିଶୋର ମହାନ୍ତି । ଡଗରପଡ଼ାରେ ରହୁଥିଲେ । ମନେହେଉଛି ସ୍ୱାମୀଜୀଙ୍କ ଘର ଛାମୁଆ ବସାରେ) ମୋ ବସାରେ ଆସି ଉପସ୍ଥିତ । ମୋର ପରିଚୟ ପଚାରି, ମିଷ୍ଟର ଦାସଙ୍କ ଡକରା ଜଣାଇଲେ, ସେଇଦିନ ସଞ୍ଜକୁ ଯିବାଲାଗି ।

 

ଟିକିଏ କେମିତି ଭୟ ସଂକୋଚରେ ମୁଁ ହଁ ଭରିଲି । ଗଲି, ଖବର ଦେଇ ଦେଖାକଲି । ହାତରେ ବରଣ ଡାଲାଟି ଧରି ସେ କହିଲେ, ‘ବେଶ୍‌ ଲିଖେଛ ଏ ବୟସେ ।’ ଆଦେଶମତେ ଗାଇକରି ଶେଷ ଗୀତଟି ଶୁଣାଇଲି । ବଡ଼ ଖୁସି ହେଲେ । ସେଇଠୁ ପିତୃ ପରିଚୟ ପ୍ରଶ୍ନ । ତା’ପରେ ନାନା କଥା ସେ ପଚାରିଗଲେ । ସେ ଶୀର୍ଣ୍ଣ ଅଙ୍ଗର ଜିଜ୍ଞାସୁ ଜ୍ୱଳନ୍ତ ଚକ୍ଷୁ ସହିତ ବହୁ ଚେଷ୍ଟା କରି ମଧ୍ୟ ମୁଁ ଆଖି ମିଳାଇ ଅନାଇ ପାରିଲି ନାହିଁ । କଥାବାର୍ତ୍ତା ଛଳରେ କେତେ ଯେ ଉପଦେଶ, ଆଦେଶ ସେ ଦେଲେ, ସୀମା ନାହିଁ ତା’ର । ଗୋଟିଏ ବଡ଼ ପ୍ରଶ୍ନ–‘‘କଲେଜ ପଢ଼ା ପରେ, କ’ଣ ଚାକିରି କରିବ ?’’ ସେତେବେଳେ ଏଭଳି ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ବଡ଼ କଷ୍ଟକର । ବାପା, ଜେଜେ ବାପା ସଭିଏଁ ଚାକିରିଆ, ଚାକିରି ପ୍ରସାଦରୁ ଘରେ ଘିଅ ଦୁଧ ଭାସୁଛି । ମୁଁ ଚାକିରି ନ କରିବି ତ ପାଠ ପଢ଼ୁଛି କାହିଁକି ? ହଁ ନାଇଁ, କେତେ କଥା ଭାବି, ଶେଷରେ କହିଲି–‘‘ବାପା ହେରିକା ତ ସମସ୍ତେ ଚାକିରି କରିଛନ୍ତି ।’’ ଅର୍ଥାତ୍‌ ମୋ କଥାରେ ସାପ ନ ମରୁ କି ବାଡ଼ି ନ ଭାଙ୍ଗୁ । ତହିଁକି ସେ ତ ମଧୁ ବାରିଷ୍ଟର । କିବା ଛାର ମୋ ଅକଲ ତାଙ୍କ ପାଖରେ ? କହିଲେ–‘‘ଆମର ପ୍ରଶ୍ନ ତା ନୟ । ତୁମି କି କରିବେ ବଲ । କେ କି କରେଛେ, ନା କରେଛେ ଓ କଥା କେନ ? ବାବା ଚାକିରି କରେଛେନ, ଆମି ଜାନି । ବାବା କି ଗାନରେ ବଇ ଲିଖେଛେନ ?’’

 

ଏକଥା କହିବାବେଳେ ତାଙ୍କ କଣ୍ଠରେ ଏକ ଅଦ୍‌ଭୁତ ଭାବ ଲକ୍ଷ୍ୟ କଲି ଯାହା ମୋ ବୁକୁରେ ସ୍ପନ୍ଦନ ଆଣିଲା । ଉତ୍ତର ଦେଲି–‘‘କହିପାରୁ ନାହିଁ । ବାପାଙ୍କର ଇଚ୍ଛା’’–ଏ ଉତ୍ତର ମଧ୍ୟ ସନ୍ତୋଷଜନକ ହେଲା ନାହିଁ । ସେ କହିଲେ–‘‘ଦେଖ ବାବା, ତୁମି ଛେଲେ ମାନୁଷ । ଶକ୍ତି ଦିଏଛେନ୍‌ ଭଗବାନ । ତାଇ, ସେ ଦାନେର ଅପମାନକରା ଉଚିତ ହବେନା !’’

 

ତା’ପରେ କେତେ କଥାବାର୍ତ୍ତା–ମୁଁ ମଧ୍ୟେ ମଧ୍ୟେ ସମୟ ସୁବିଧା ଦେଖି ଦେଖା କରିବାକୁ ଆସିବି ବୋଲି କହି ପ୍ରଣାମ କରି ବିଦାୟ ନେଇ ଆସିଲି ।

 

ପୁରସ୍କାର :

 

ତହିଁ ଆରଦିନ କନିକା ରାଜାସାହେବ ପାଟଯୋଡ଼ ଓ ପଚିଶଟି ଟଙ୍କା ଏବଂ ମିଷ୍ଟର ଦାସଙ୍କ ଦାନ ଶହେଟଙ୍କା ମୋ ବସାକୁ ରାଜୁବାବୁଙ୍କ ହାତେ ପଠାଇ ଦେଲେ । ବହି ଲେଖି, ପୁଣି ଏଡ଼େ ଟିକି ବହିଟିଏ, ଏଭଳି ପୁରସ୍କାର ଲାଭ ଜୀବନରେ ଏଇ ପ୍ରଥମ । ଛାତି ପୂରି ଉଠିଲା ମୋର-। ମାଆଙ୍କୁ ମୁଣ୍ଡିଆ ମାରିଲି ।

 

ଶହେଟଙ୍କା ! ସେ କାଳର ଶହେଟଙ୍କା, ଖବରଟା ଚରିଗଲା । ସାଙ୍ଗମାନେ ଭୋଜି ଦାବି କଲେ । ବାପା ଖବର ପାଇ ଖୁବ୍‌ ଆଶୀର୍ବାଦ ଦେଇ ଚିଠି ପଠାଇଲେ । ବୋଉ କିନ୍ତୁ ନିଜେ ଆଶୀର୍ବାଦ ନ ଦେଇ ଲେଖିଲା–‘‘ବାପା ସବୁ ମାଆଙ୍କ ଦୟା । ତୁ ଘରକୁ ଆସି ମାଆଙ୍କୁ ଜୁହାରି ଭୋଗ ଦେ । ପାଦରେ ଫୁଲ ସିନ୍ଦୂର ଦେ । ବାକି କିଛି ମାଗିବୁ ନାହିଁ ମାଆକୁ, ଯାହା କହିଥିଲି ମନେ ରଖିବୁ । ଦିନଯାକ ନ ହେଲେ ନ ହେଉ, ଶୋଇବା ଆଗରୁ ନିତି ତାଙ୍କୁ ମୁଣ୍ଡିଆ ମାରି ଶୋଇବୁ । ସେ ଯାହା କରିବେ, ସବୁ ତୋ ଭଲକୁ । କହିବୁ ଦେଖି, ମୁଁ କଅଣ ତୋର ଅହିତ ପାଞ୍ଚିପାରିବି ? ନା, ତୋ ଦୁଃଖ ଦେଖି ସହି ପାରିବି ? ମୋଠୁ ସେ ମାଆ କେତେ ବଡ଼ ! ତୁ ତାଙ୍କୁ ସବୁବେଳେ ସବୁ କଥାରେ ଭରସା ରଖି ଚଳୁଥିବୁ ।’’

 

ଯୋଗିନୀ ମାଆ :

 

ଏହାରି ପରେ ପରେ ମୁଁ ଉପନ୍ୟାସ ଲେଖାରେ ମନ ବଳାଇଲି । ବହିଟିର ନାଆଁ ଦେଲି ‘‘ଯୋଗିନୀ ମାଆ’’ । ଏ ନାଆଁ ଦିଆର ଗୋଟିଏ କାରଣ ଅଛି ।

 

ଆଗରୁ କହିଛି ତ ମୋର ଅନ୍ୟତମ ସଙ୍ଗାତ ଓସ୍ତାଦ ଖାନ୍‌ ମହମ୍ମଦ ଓରଫ୍‌ ଖାନୁମିଆଁ, ପ୍ରାୟ କାଠଯୋଡ଼ି କୂଳେ ରହୁଥିଲେ–ସବୁବେଳେ ଗେରୁଆ ଲୁଗା ଜାମା ପିନ୍ଧୁଥିଲେ । ମୁଁ ବେଳେବେଳେ ତାଙ୍କ ପାଖକୁ ଯାଏଁ । ସେ ବି ମୋ ବସାକୁ ଆସି ଗୀତ ଗାଆନ୍ତି, ଶିଖାନ୍ତି । ଥରେ କାଠଯୋଡ଼ି କୂଳରୁ ଫେରିବାବେଳେ ଜଣେ ସନ୍ନ୍ୟାସିନୀଙ୍କୁ ଦେଖିଲି । ସେ ଖାନ୍‌ନଗର ଆଡ଼ରୁ ନଈ କୂଳେ କୂଳେ ଆସୁଥିଲେ । ବୟସ ୩୦।୩୫ ହେବ । ଦେଖିବାକୁ ଭାରି ସୁନ୍ଦରୀ, କୁଞ୍ଚିକୁଞ୍ଚିଆ ବାଳ ଅଣ୍ଟାଯାଏ ଲମ୍ବିଛି । ମୁଣ୍ଡରେ ବଡ଼ ଟିପା–ସମ୍ଭବତଃ ରକ୍ତଚନ୍ଦନ । ହାତରେ ଚିତାଏ ଉଚ୍ଚ ଏକ ତ୍ରିଶୂଳ-। ଶୁଣିଲି ଖାନ୍‌ନଗର ଶ୍ମଶାନରେ ସେ ରାତି ବିତାନ୍ତି । ଜପତପ କରନ୍ତି । ତାଙ୍କ ସୁନ୍ଦର ରୂପକୁ ଲୋଭାଇ କେତେଜଣ ଦୁଶ୍ଚରିତ୍ର ବ୍ୟକ୍ତି ଶ୍ମଶାନରେ ପହୁଞ୍ଚିଥିଲେ । ସେମାନେ ପ୍ରତିଫଳସ୍ୱରୂପ ବାନ୍ତି ଉଛାଳ ହୋଇ ପଡ଼ିଲେ ବୋଲି, ଲୋକେ କୁହାକୋହି ହେଉଥିଲେ । ତାଙ୍କୁଇ ଦେଖି, ସେଇ ଘଟଣାର ଛାୟା ଅବଲମ୍ବନରେ ମୋ ଉପନ୍ୟାସଟି ଲେଖା ହୋଇଥିଲା । ପାଣ୍ଡୁଲିପି ଉପରେ ମୁଁ ମୋ ମନକୁ ଯେପରି ଆସିଲା, ନଦୀକୂଳରେ ଯୋଗିନୀ ମାଆ ଠିଆ ହୋଇ ଦୂର ପଶ୍ଚିମ ଦିଗର ପାହାଡ଼ କାନ୍ଥିଛୁଆଁ ଦରବୁଢ଼ା ନାଲି ସୂର୍ଯ୍ୟଙ୍କୁ ଏକ ଧ୍ୟାନରେ ଚାହିଁ ରହିଥିବା ଛବିଟିକି ଆଙ୍କିଲି-

 

ଆମ କଲେଜର ଇଂରେଜ ଅଧ୍ୟାପକ ସ୍ୱର୍ଗତ କୃତିବାସ ସାମନ୍ତରାଏଙ୍କୁ ମୋ ପାଣ୍ଡୁଲିପିଟି ପଢ଼ିବାକୁ ଦେଇଥିଲି । ସଂସାର ଛାଡ଼ିବା ଯାଏ ଦେଖାହେଲେ ମୋତେ ସେ ଯୋଗିନୀ ମାଆ ଉପନ୍ୟାସ କଥା ପଚାରିଛନ୍ତି ।

 

ପରେ ପାଣ୍ଡୁଲିପିଟି ସ୍ୱର୍ଗତ ନନ୍ଦକିଶୋର ବଳଙ୍କୁ ତାଙ୍କୁ ସେତେବେଳର ଡଗରପଡ଼ାସ୍ଥ ବସାରେ ନେଇ ଦେଖାଇଥିଲି, ପଢ଼ିସାରି ମତାମତଟି ଲେଖିଦେବେ ବୋଲି । ମାତ୍ର ସଂଖ୍ୟା ବିତିଛି-। ଶେଷକୁ ଶୁଣିଲି ସାଫି ପାଣ୍ଡୁଲିପିଟି ଆଉ ସେ ପାଉ ନାହାନ୍ତି, କୁଆଡ଼େ ହଜିଗଲା । କହିତ ପାରିଲି ନାହିଁ କିଛି । ହେଲେ କେତେ ଦିନ ଭଲରେ ଭାତ ରୁଚି ନାହିଁ ଆଉ ମୋତେ । ମନଟା ତିକ୍ତ ହୋଇ ଉଠିଲା । ସେ କଥା ଏବେ ସୁଦ୍ଧା ପାସୋରି ପାରି ନାହିଁ କି ଆଉ କେବେ ପଲ୍ଲୀ କବିଙ୍କ ଦୁଆର ମାଡ଼ି ନାହିଁ । ଅବଶ୍ୟ ସେଇ ପାଣ୍ଡୁଲିପିର ମୂଳ ଲେଖାଟି ଖଣ୍ଡଖଣ୍ଡ ହୋଇ ଘରର ଆଳିମାଳିକା ଭିତରୁ ଏବେ ବାହାରିଲା । ମାତ୍ର କଟାଛଟା ଓ କୋଉଠି କେମିତି ଅଦଳବଦଳ ହୋଇଥିବା ସାଫି ଲେଖା ଗାଏବ । ମୋହନ ଗୋସାଇଁଙ୍କଦ୍ୱାରା ଖୋରଧାରେ ମୋ ଗୀତଲେଖାଗୁଡ଼ିକ ହରଣଚାଲ ହେବା ପରେ ଏଇଟା ଦ୍ୱିତୀୟଥର ଧକ୍‌କା ! ଭଲ କି ମନ୍ଦ କିପରି ଯେ ସେ ଲେଖା ଓ କି ବେଳରେ ବାହାରିଥିଲା, ସେ କଥା କହିହେବ ନାହିଁ । କିନ୍ତୁ କଥାରେ ଅଛି–‘ମଲାପୁଅର ଗଳାମୋଟ ।’

 

‘ସ୍ନେହ’ ଲେଖା :

 

ଏତିକିବେଳେ ଆଉ ଖଣ୍ଡିଏ ବହି ଲେଖିଥିଲି । ଗଦ୍ୟ ସାହିତ୍ୟ ସେ ଖଣ୍ଡି । ମୋର ଜଣେ ଅତି ଅନ୍ତରଙ୍ଗ ସ୍ନେହୀର ଅକାଳ ବିୟୋଗରେ ମୋର ବିଭିନ୍ନ କାଳ ଓ ଭିନ୍ନ ଭିନ୍ନ ସ୍ଥାନରେ ଯେଉଁ ଭାବନା ସବୁ ଆସିଥିଲା, ସେଇଗୁଡ଼ିକ ଲେଖିଥିଲି । ଲେଖାଟିର ନାଆଁ ରଖିଥିଲି ‘ସ୍ନେହ’ ।

 

ମୋର ପିତୃ ବନ୍ଧୁ କଲିକତାରେ ରହୁଥିବା ସ୍ୱର୍ଗୀୟ ଡାକ୍ତର ପଦ୍ମଲୋଚନ ମହାନ୍ତି (ଜାରମଲିନ) ତାକୁ ଛପାଇ ଦେବାକୁ ଆଗ୍ରହ ପ୍ରକାଶ କରି ନେଇଗଲେ ଓ ଛାପା ହେଲାମାନେ ‘ଛପା’ ହେଲା । ଏ ହେଲା ତୃତୀୟ ଧକ୍‌କା । ଆଉ କେତେ ଛୋଟବଡ଼ ଲେଖା ସେତେବେଳେ ବାଲୁବଜାରରେ ଥିବା ଚନ୍ଦ୍ରୋଦୟ ଛାପାଖାନା ଓ ବହି ଦୋକାନର ମାଲିକ ବନ୍ଧୁ ହରେକୃଷ୍ଣ ଦାସଙ୍କୁ ଦେଇ କିଛି କିଛି ଟଙ୍କା ଆଣିଥିଲି । ଏବେ ଭାବୁଛି ଲେଖାର ମୂଲ୍ୟବୋଧ ମୋର ସେତେବେଳେ ମୋଟେ ନ ଥିଲା ।

 

ପ୍ରଥମ ନାଟକ ଛପା :

 

ଅନେକ ଦିନ ପରେ ନାଟ୍ୟକାର ଅଭିନେତା ଶ୍ରୀ ବିମଳ ଘୋଷ ନିଜେ ଅଂଶ ଗ୍ରହଣ କରି ଧ୍ରୁବ ନାଟକଟିକୁ ଅଭିନୀତ କରାଇଥିଲେ । ଚନ୍ଦ୍ରୋଦୟ ପ୍ରେସ୍‌ର ହରେକୃଷ୍ଣ ଦାସ ଟିକିଏ ଟିକିଏ ଗାଉଥିଲେ, ସଙ୍ଗୀତ ବୈଠକରେ ଯୋଗ ଦେଉଥିଲେ; ପରିଚୟଟା ସେଇ ସୂତ୍ରରୁ । ତାଙ୍କରି ଛାପାଖାନା ଚନ୍ଦ୍ରୋଦୟ ପ୍ରେସରେ ‘ଧ୍ରୁବ’ ନାଟକ ଛପାହୁଏ ୧୯୧୮ ରେ । ଦାମ୍‌ ସେତେବେଳକୁ ଚାହିଁ ମାତ୍ର ପାଞ୍ଚଅଣା । ଛାପା ହେବା ଭିତରେ ଏ ଖଣ୍ଡି ମୋର ପ୍ରଥମ ନାଟକ ପ୍ରକାଶ । କେତେ ବିକ୍ରି ହେଲା କିଛି ଜାଣେ ନାହିଁ କି ପଚାରି ନାହିଁ । କିଛି ମଧ୍ୟ ସେ ଦେଇ ନାହାନ୍ତି । ନାଟକଟିଏ ପହିଲି କରି ଛପା ହେଲା, ସେଇ ଢେର ଆନନ୍ଦ ।

 

ଏତେବେଳେ କଟକରେ ଥିଏଟର ଝୁଙ୍କଟା ଜୋର୍‌ରେ ଚାଲିଥାଏ ।

 

ଆଗରୁ ତ କହିଛି ମୋ ବାପାଙ୍କର ଅନ୍ୟତମ ବନ୍ଧୁ ଥିଲେ ଜଗନ୍ନାଥବଲ୍ଲଭର ସତୀଶ ଚନ୍ଦ୍ର ସରକାର । ତାଙ୍କ ନାଆଁ ନାଟୁ ସରକାର । ଓଡ଼ିଶାର ସେ ଜଣେ ପ୍ରଖ୍ୟାତ ଚିତ୍ରଶିଳ୍ପୀ । ଛୋଟ ଖଣ୍ଡେ କାଠରେ ଚମତ୍କାର ମୂର୍ତ୍ତି ଗଢ଼ିଦିଅନ୍ତି । ମାଟିର ମୂର୍ତ୍ତି ଗଢ଼ିବାରେ ସେ ଧୁରନ୍ଧର କାରିଗର । କେବଳ ଏଇ ଦିଗରେ ନୁହେଁ । ସିନ୍‌ସିନାରୀ ଆଙ୍କନ୍ତି ସେ । ମଞ୍ଚର ଜଣେ ଭଲ ଅଭିନେତା ମଧ୍ୟ । ସେ ଗୋଟିଏ ଥିଏଟର ଦଳ ଗଢ଼ିଥିଲେ । ତା’ ନାଆଁ ‘ମାଗ୍‌ନେଟିକ୍‌ ଥିଏଟର ।’ ଏ ପ୍ରାୟ ୧୮୯୪ ମସିହାର କଥା । ଏଥିରେ କଟକର କେତେକ ବେଶ୍ୟା, ଅଭିନେତ୍ରୀ ଥିଲେ । କଥା ପ୍ରସଙ୍ଗରେ ନାଟୁମଉସାଙ୍କଠାରୁ ଏସବୁ ଶୁଣିଥିଲି । ଝଡ଼ ସୁଆତିରେ ଷ୍ଟେଜ୍‌ ଭାଙ୍ଗିଗଲା । ଏମାନେ ବଙ୍ଗଳା ନାଟକ ମଞ୍ଚସ୍ଥ କରୁଥିଲେ । ଏପରି ଦଳ କଟକବାସୀଙ୍କୁ ଖୁବ୍‌ ପ୍ରେରଣା ଦେଇଥିବାର ଶୁଣିଛି ।

 

ଏହାପରେ ଆଉ କେତେ ସୌଖିନ କଳାକାର ମିଶି କେତୋଟି ଦଳ ମଧ୍ୟ ଗଢ଼ିଥିଲେ । ସେଥିମଧ୍ୟରୁ ୧୮୯୮ ମସିହାରେ ଗଢ଼ା ହୋଇଥିବା ବୀଣାପାଣି ଦଳ ଅନ୍ୟତମ । ମାଗ୍‌ନେଟିକ୍‌ ଭଳି କେତେଜଣ ଅଭିନେତ୍ରୀଙ୍କୁ (ବେଶ୍ୟା) ଏମାନେ ଗ୍ରହଣ କରିଥିଲେ ।

 

କଟକକୁ ସାଙ୍ଗଲୀ ଓ ପାର୍ଶୀରିପନ୍‌ଦଳ ଆସେ ୧୯୦୭ ଓ ୧୯୦୮ ବେଳକୁ । ଏ ଦଳ କଟକ ସହରକୁ ଚମକାଇ ଦେଇଥିଲା । ବାଦ୍ୟ, ରୂପସଜ୍ଜା, ଆଲୋକସଜ୍ଜା, ଦୃଶ୍ୟର ଚମତ୍କାରିତା, ଗୀତ, ନୃତ୍ୟ ଓ ଅଭିନୟ ଇତ୍ୟାଦିରେ ବାହାଦୂରୀ ଥିଲା । ଏମାନେ ଊର୍ଦ୍ଦୁ ନାଟକ ଅଭିନୟ କରୁଥିଲେ । ମି. ଦାସଙ୍କ ଉଦ୍ୟମରେ କଟକରେ ଇଂରାଜୀ ନାଟକ ମଧ୍ୟ ଅଭିନୀତ ହୋଇଥିଲା ୧୯୧୦।୧୧ ବେଳକୁ । ଏ ନାଟକର ସ୍ୱର୍ଗତ ଗୋଦାବରୀଶବାବୁ (ମିଶ୍ରେ) ବଡ଼ ପ୍ରଶଂସା ଅର୍ଜିଥିଲେ । ମେଡ଼ିକାଲ ସ୍କୁଲ, ରେଭେନ୍ସା କଲେଜ ପ୍ରଭୃତିରେ ନାଟକମାନ ସମୟେ ସମୟେ ଅଭିନୀତ ହେଉଥିଲା ।

 

ବାସନ୍ତୀ ଥିଏଟର :

 

୧୯୧୦ ବେଳକୁ ବାସନ୍ତୀ ମଞ୍ଚ ଜଗନ୍ନାଥବଲ୍ଲଭ (ମେହେନ୍ଦୀପୀର) ପାଖରେ ତୋଳାଇ, ଦଳଗଢ଼ିଲେ ସ୍ୱର୍ଗତ କୁଞ୍ଜବିହାରୀ ବୋଷ । ବାସନ୍ତୀରେ ପ୍ରାୟ ବଙ୍ଗଳା ନାଟକ ମଞ୍ଚସ୍ଥ ହେଉଥିଲା । ଏ ନାଟକମାନଙ୍କରେ ଅନେକ କଟକବାସୀ ବଙ୍ଗାଳୀମାନେ ଅଂଶ ନେଉଥିଲେ । କଲିକତାରୁ ଜହରଲାଲ ପନ୍ନାଲାଲ ଆସି ସିନ୍‌ ଚିତ୍ର କରିଥିଲେ ।

 

ଉଷା ଥିଏଟର :

 

ଏତିକିବେଳେ ଉଷା ଥିଏଟର ଦଳ ଗଢ଼ା ହେଲା । ନାଟୁବାବୁ ଏ ଦଳ ଗଢ଼ିଲେ । ୧୯୧୭ ବେଳକୁ ଉଷା ନାଆଁ କରିଥିଲା । ଆଗରେ ଯେଉଁ ସାଙ୍ଗାଲୀ ଓ ପାର୍ଶୀ ରିପନ ଥିଏଟର ଦଳ କଥା କହିଛି, ସେମାନେ ଏକ ଲମ୍ବା ଚାଳଘର ଷ୍ଟେଜ୍‌ ବାନ୍ଧିଥିଲେ କଟକ ମ୍ୟୁନିସିପାଲଟିର ପୂର୍ବପଟ ପଡ଼ିଆରେ । ଆଜି ଯେଉଁଠି ମ୍ୟୁନିସିପାଲଟି ମାର୍କେଟ ହୋଇଛି, ତାହା ଏତେବଡ଼ ନ ଥିଲା-। ପାଖରେ ତାହାର ଗୋଟିଏ ପୋଖରୀ ଥିଲା । ସେହି ପୋଖରୀର ହୁଡ଼ା ଓ କେତେକ ଅଂଶ ଉପରେ ଆଜିର ସହିଦ ଭବନ ତୋଳା ହୋଇଛି । ସାଙ୍ଗଲୀ ପ୍ରଭୃତି ସେଇଠି ମଞ୍ଚ ତୋଳିଥିଲେ-। ସିନ୍‌ସିନାରୀ ଜାକଜମକ, ପରୀ ଉଡ଼ିବା, ଚକ୍ର ବୁଲିବା ଦୃଶ୍ୟ ବେଶ୍‌ ଚମତ୍କାର ହୋଇଥିବାର ଲୋକେ କହନ୍ତି । ବିଜୁଳି ଆଲୁଅ ତ ସ୍ୱପ୍ନ ସେତେବେଳେ । ଡେ ଲାଇଟ, ପଞ୍ଚ ଲାଇଟରେ ଟିଣ ପରଦା ଦେଇ ଆଲୁଅ ଅନ୍ଧାର କରି, ଷ୍ଟେଜ୍‌ସଜାଇ ସେମାନେ ଯେପରି ଭାବେ ଦୃଶ୍ୟ ସଜ୍ଜା ଦେଖାଇ ଯାଇଥାଆନ୍ତି, ତାହା ଲୋକମାନଙ୍କର ଆଖି ଝଲସାଇ ଦେଇ, ଅପାସୋରା ହୋଇ ରହିଥାଏ ।

 

ପ୍ରଥମ ରାସ :

 

ସେମାନେ ଛାଡ଼ି ଯାଇଥିବା ମଞ୍ଚରେ ‘ଉଷା’ ଥିଏଟର ଦଳ ମଝିରେ ମଝିରେ ଅଭିନୟ ଦେଖାଉଥିଲେ । ଏହି ସମୟରେ କଟକରୁ ଆସିଲେ ଗୋବିନ୍ଦ ଶୂରଦେଓ । କେନ୍ଦ୍ରାପଡ଼ରୁ ତାଙ୍କ ରାସ ଦଳ ଘେନି । ମ୍ୟୁନିସିପାଲଟିର ସେଇ ଚାଳଘରେ ରାସ ଅଭିନୀତ ହେଲା । ଓଡ଼ିଶାରେ ଏହି ରାସ ଏକ ଅଭିନବ ପ୍ରବର୍ତ୍ତନା କହିଲେ କଥାଟା ମୋଟେ ଅତ୍ୟୁକ୍ତି ହେବ ନାହିଁ । ହାରମୋନିୟମ୍‌ ଧରି ସଙ୍ଗୀତ ପରିଚାଳନା କରୁଥିଲେ ସେ । ପ୍ରତି ରାସ ବହିରେ ଗୀତ ଗଣତିରେ ପ୍ରାୟ ୨୦–୨୫ଟି ରହିଥିଲା । ଗୀତଗୁଡ଼ିକର ସ୍ୱର, ଆମ ପୁରୁଣା ଓଡ଼ିଶୀ ସଙ୍ଗୀତ ଓ ଛାନ୍ଦ ବୃତ୍ତ ଧାଡ଼ିରେ ଏବଂ ସ୍ଥାନ, କାଳକୁ ମନାଇ ଅନେକ ହିନ୍ଦୁସ୍ଥାନୀ ଚୁଟୁକି ଗୀତ ଓ ଗଜଲ ଗୀତ ସ୍ୱରରେ, ବଡ଼ ସରଳ ଭାଷାରେ ରଚିତ ହୋଇଥିଲା । ତେଲୁଗୁ ଅବା କର୍ଣ୍ଣାଟକୀ ଢଙ୍ଗର କାହିଁ ହେଲେ ଅନୁକୃତି ନ ଥିଲା ସେଥିରେ ।

 

ସେତେବେଳେ ଏଇ ‘ରାସ’ ଅଭିନୟ ଏକା କଟକ ନୁହେଁ, ସାରା ଓଡ଼ିଶାରେ ଚହଳ ପକାଇ ଦେଉଥାଏ ।

 

ମନେଅଛି, ସାହିତ୍ୟ ସଙ୍ଗୀତ ରସିକ ଦେଶପ୍ରାଣ ‘ମୁକୁର’ ପତ୍ରିକାର ସମ୍ପାଦକ ସ୍ୱର୍ଗତ ବ୍ରଜସୁନ୍ଦର ଦାସ ପ୍ରଥମେ ଶୂରଦେଓଙ୍କୁ ସମ୍ବର୍ଦ୍ଧନା ଜଣାଇ ଗୋଟିଏ ସ୍ୱର୍ଣ୍ଣପଦକ ପୁରସ୍କାର ଦେଇଥିଲେ, ଏଇଠି ।

 

ଶୂରଦେଓଙ୍କ ରାସଦଳ ବାସନ୍ତୀ ରଙ୍ଗମଞ୍ଚରେ ମଧ୍ୟ ବହୁତ ଅଭିନୟ କରିଥିଲେ ।

 

ପାର୍ଶୀ ଥିଏଟର :

 

ଏଇ ସମୟରେ ବକ୍ସିବଜାରରେ ଗୋଟିଏ ଛୋଟ ସିନେମା ହଲ ଥିଲା । ତା’ର ମାଲିକ ଫ୍ରାନ୍‌ସିସ୍‌ । ପାର୍ଶୀ ନାଟକଦଳ କଟକ ଆସି ସେଠାରେ କିଛିଦିନ ଅଭିନୟ ଦେଖାଇଥିଲେ । ଆଗରୁ ପାର୍ଶୀ ଥିଏଟର ଏବଂ ପରେ ପରେ ଶୂରଦେଓଙ୍କ ରାସଦଳ ଅଭିନୟ କଟକବାସୀଙ୍କ ଆଖି ଓ ମନ ଭୁଲା ହୋଇ ନ ଥାଏ ସେତେବେଳକୁ । ଥରେ ମୁଁ ସେ ପାର୍ଶୀଦଳର ଅଭିନୟ ଦେଖିବାକୁ ଆଠଣିଆ ଟିକଟ କାଟି ଚଉକିରେ ବସିଥିଲି । ଅଭିନୟ ସାଜସଜ୍ଜା ମୋତେ ଭଲ ଲାଗିଲା ।

 

କିନ୍ତୁ କଥାରେ ଅଛି, ‘ଯେଣେ ଇଚ୍ଛା ତେଣେ ଯା–କର୍ମ ଘେନି ବୁଲୁଥା ।’ ଏଇ ଦଶା ଫଳିବା ସେ ଦଳର ଭାଗ୍ୟକୁ । ଭଲ ଟିକଟ ବିକ୍ରି ହେଲା ନାହିଁ । ଏମିତିକା ଖାଇଖରଚା ଉଠିଲା ନାହିଁ । ପେଟ ଲାଗି ସିନା ନାଟ । ଦଳ ଭିତରେ ବାଡ଼ିଆପିଟା ଆରମ୍ଭ ହେଲା । ଦିନେ ସେକାଳର ରୀତି ଅନୁସାରେ ଏକ ବଳଦିଆଗାଡ଼ିର ଦୁଇପାଖ ତାଟରେ ହାତଲେଖା ପୋଷ୍ଟର ମରାଯାଇ ହାଣ୍ଡ୍‌ବିଲ୍‌ ବଣ୍ଟା ହୋଇଥିଲା । ବ୍ୟାଣ୍ଡମାଷ୍ଟର (ସମ୍ଭବତଃ ନୁର୍‌ହୋସେନ୍‌)ଙ୍କ ବାଜାଦଳ ବାହାରିଥାଏ-। ସବୁ ହେଲା । ସଞ୍ଜବେଳକୁ କିନ୍ତୁ ଫ୍ରାନ୍‌ସିସ୍‌ଙ୍କ ହଲ୍ ଅନ୍ଧାର । କିଏ ଯେ କୁଆଡ଼େ ଗଲେ ତା’ର ସତ୍ତାପତ୍ତା ନାହିଁ । ମୋ ପରି ଯେଉଁ କେତେଜଣ ଦେଖଣାହାରି ନାଟକ ଦେଖିବାକୁ ଯାଇଥିଲେ, ସେମାନେ ଘର ଅନ୍ଧାର ଦେଖି ‘‘କେଉଟ, ଯୋଉ ବାଟେ ଆସିଥିଲ ସେଇ ବାଟେ ନେଉଟ’’ ଏଇଆ କଲେ ।

 

ଶୂରଦେଓଙ୍କ ରାସଦଳ କଟକରେ ଅଭିନୟ ଦେଖାଇସାରି ଗଲାପରେ ନାଟୁ ସରକାରଙ୍କ ଦଳ ପୁଣି ‘‘ତୋର ଦେଖି, ମୋର ଡେଇଁଲା ଡାହାଣ ଆଖି’’ ହେଲେ । କଟକର ମସଜିଦ୍‌ ଗଳିରୁ କେତେକ ଗଣିକା ଓ ମଙ୍ଗତଜନମାନେ ‘ଉଷା’ ଡ୍ରାମାଟିକ୍‌ ପାର୍ଟିରେ ଯୋଗ ଦେଇଥାଆନ୍ତି । ରିହର୍ସାଲ ଜୋରସୋର ସଞ୍ଜରୁ ଚାଲିଲା, ଆଲାମଚାନ୍ଦବଜାରର ରାୟଚୌଧୁରୀ ଜମିଦାରଙ୍କ ଘର ଆଗ ଛାମୁଆଁ ଗୋଟିଏ ଚାଳଘର । ମନେ ପଡ଼ୁ ନାହିଁ ଠିକ୍‌, କି ସୂତ୍ରରେ ବା କାହା ସାଙ୍ଗରେ ମୁଁ ସେଠାରେ କେମିତି ଉପସ୍ଥିତ ହୋଇ ନାଟକର ଗୀତ କେତୋଟି ରଚନା କରି ଦେଉଥିଲି । ଲଳିତା ବୋଲି କାଳି ହୋଇ ଗେଡ଼ୀ ଝିଅଟିଏ ବଡ଼ ଭଲ ଗାଉଥିଲା । ଶୁଣିଲି, ଅଳ୍ପ ବୟସରେ ସେ ମରିଗଲା । ଅନେକ ଦିନଯାଏ ଲୋକେ ତାକୁ ପାସୋରି ନ ଥିଲେ । ନାଟୁ ସରକାରଙ୍କ ଭାଇ ‘ପଟଲ’ ବାବୁ ନାଚ ଶିଖାଉଥାଆନ୍ତି । ଗୋଟି କେତେ ରାତି ଅଭିନୟ ଦେଖାଇବା ପରେ ମାରବାଡ଼ିପଟି ବା ନୟାସଡ଼କ ରହଣି ଜମିଦାର ଜାମିନୀବାବୁ ଓ ରଜନୀବାବୁ (ବିଶ୍ୱାସ)ଙ୍କ ଅର୍ଥ ଓ ପରିଚାଳନାରେ କେତେକ କାଳ ଉଷା ଚାଲିଥାଏ ।

 

ପାଗଳବାବୁ (ଚନ୍ଦ୍ର) ମଧ୍ୟ ସିନ୍‌ସିନାରୀ ଇତ୍ୟାଦିର ବହୁ ଆୟୋଜନ କରି ଅଭିନୟମାନ ପ୍ରଦର୍ଶନ କରାଉଥିଲେ ।

 

ମୋର ସଙ୍ଗୀତ ଚର୍ଚ୍ଚା :

 

ଏସବୁ ଛଡ଼ା କଟକରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଚର୍ଚ୍ଚା ମଧ୍ୟ ଥାଏ । ସହରର କେତେକ ସ୍ଥଳରେ ସନ୍ଧ୍ୟାରେ ରୀତିମତ ବୈଠକ ବସେ, ବୈଠକରେ ଗାଇବାର ସାହାସ ତ ନ ଥାଏ ମୋର; ଗୋଡ଼ାଣିଆ ହୋଇ ସୁବିଧାରେ ବସି ପଡ଼ିଲେ ଯଥେଷ୍ଟ ମନେହୁଏ ।

 

‘ଅପାଳକ ରାଇଜକୁ ବିଜୁଳି ଲକ୍ଷେ ଟଙ୍କା’ ଭଳି ନ ଥିଲା କଥାକୁ ଆମ କଲେଜ ଭିତରେ ମୁଁ ଥାଏ ଜଣେ ଗବେୟା । ସଭା ସମିତିଟାଏ ହେଲେ, ଆରମ୍ଭ ଓ ଶେଷ ସଙ୍ଗୀତ ଗାଇଦେବା କଥା ଅଲଗା । ବଡ଼ ବଡ଼ ଗବେୟାଙ୍କ ଆଗେ ‘ଆ’ କରିବାକୁ ବୁକୁରୁ ସତେ ଯେମିତି ଦଲକାଏ ରକ୍ତ ଖସିପଡ଼େ ମୋର ।

 

ନାଟକ ଲେଖାଠାରୁ ଗୀତ ରଚନା ଉପରେ ଭାରି ଝୁଙ୍କ ଥାଏ ମୋର ଏଇ ସମୟରେ । ତେଣୁ କ୍ଲାସରେ ବସି ବସି ବେଳେ ବେଳେ ଗୀତ ଲେଖୁଥିଲି । କେତେଜଣ ସାଥୀପଢ଼ୁଆ ଥାଆନ୍ତି, ଯେଉଁମାନେ କି ମୋ ଗୀତର ଭାରି ରସିକ । ଅନେକ ମରିହଜି ଗଲେଣି ଆଜି । ସେମାନଙ୍କ ଉତ୍ସାହରେ ଗୀତ ଲେଖଟା ବେଶୀ ହୁଏ । ବିଶେଷତଃ ସ୍ୱର୍ଗତ ଯଦୁମଣି ମଙ୍ଗରାଜେ (ମାର ରସରାଜ) ମୋ ଗୀତ ଲେଖାର ବଡ଼ ଉତ୍ସାହଦାତା ଥିଲେ ।

 

ଯୋଗେଶବାବୁଙ୍କ ଭେଟ :

 

ଥରେ ଭାରି ମନ ହେଲା ରାୟବାହାଦୁର ବିଦ୍ୟାନିଧି ପଣ୍ଡିତପ୍ରବର ଯୋଗେଶବାବୁଙ୍କୁ ମୋ ଗୀତ ରଚନା କେମିତି ଶୁଣାଇବି । ମୁଁ ଥାଏ ତାଙ୍କ ବୋଟାନୀ ଶ୍ରେଣୀର ଛାତ୍ର । ଆଜି ଯେଉଁଠି ସ୍ୱରାଜ ଆଶ୍ରମ ହୋଇଛି, ସେଇଠି ରହୁଥିଲେ ସେ । କ୍ଲାସର ଛାତ୍ରରୂପେ ମୋର ପରିଚୟ ତ ଥାଏ; କିନ୍ତୁ ଗୀତ ବା ନାଟକ ଲେଖକ ଭାବରେ ମୋତେ ସେ ଜାଣିବେ ଅବା କାହିଁକି ? ଢେର ବୟସ ସେତେବେଳକୁ ତାଙ୍କର ସୁନାମି ପୁଣି ଯଥେଷ୍ଟ । ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି । ମୋ ଭଳି ଏକ ବାଳୁଙ୍ଗା ଟୋକା ତାଙ୍କ ପାଖରେ ଲେଖା ଦେଖାଇବାକୁ ପହୁଞ୍ଚିବ କେଉଁ ସାହସରେ ?

ବୋଟାନୀ ବଗିଚା ବୋଲି ଏଡ଼େ ଟିକିଏ । ତା’ର ଜଣେ ରକ୍ଷକ, ପରିବର୍ଦ୍ଧକ ଓ ମାଳି ଭାବରେ ଥାଏ ‘ଚୈତନ୍ୟ’ । ପାଚିଲା ବାଳିଆ, ଥନ୍ତଲ ପେଟୁଆ, ଦରପାକୁଆ, ଗେଡ଼ୁ ବୁଢ଼ାଟିଏ ସେ-। ଯୋଗେଶବାବୁ ହୁଉଟ୍‌ ବୋଇଲେ ଚୁଉଟ୍‌ ଚୈତନ୍ୟକୁ ଡାକ ଦିଅନ୍ତି । ଦେଖି ଦେଖି ଭାବିଲି ଚୈତନ୍ୟକୁ ମୋ କାର୍ଯ୍ୟ ସିଦ୍ଧିଲାଗି ଧରିବାକୁ ହେବ । ଧୀରେ ଧୀରେ ପାନ ଦିଆରୁ ଦୋସ୍ତି ଜମେଇବା ବ୍ୟବସ୍ଥା କଲି । ‘ଦେଲେ ନେଲେ ସଭିଏଁ ଆପଣାର’–ଏକଥାଟା ନିହାତି ସତ-। ମୁଁ ଚୈତନ୍ୟକୁ ହାତ କରିପାରିଲି । ତା’ପରେ ଭାରି ଆନନ୍ଦ ମୋର । ଗୁରୁଙ୍କ ଦେଖାଟା କିପରି ହେବ କଲେଜ ବାହାରେ, ତାହାରି ବାଟ ଖୋଜି ହେଲି ।

ଦିନେ ଚୈତନ୍ୟକୁ ସାଥିରେ ଧରି ବାହାରିଲି ଗୁରୁଦେବ ଯୋଗେଶବାବୁଙ୍କ ବସାକୁ । ବେଳ ରତରତ ହୋଇ ଆସିଛି । କାଠଯୋଡ଼ି ନଈର ପଶ୍ଚିମ ପଟେ ନାଲି ରବି ପାହାଡ଼ ମଥା ଛୁଉଁ ଥାଆନ୍ତି । ଯୋଗେଶବାବୁ ଏତିକିବେଳେ କାଠଯୋଡ଼ି ବନ୍ଧରେ ବୁଲି ବାହାରନ୍ତି । ଚୈତନ୍ୟ ମୋତେ ତାଙ୍କ ଦୁଆରେ ଛାଡ଼ିଦେଇ ଘର ଭିତରକୁ ଗଲା । ଟିକକ ପରେ ବାହୁଡ଼ି ଆସି ହସ ହସ ମୁହଁରେ କହିଲା, ‘‘ସାର୍‌ ଆସୁଛନ୍ତି, ଏଇଠି ଥାଅ, ଦେଖା ହୋଇଯିବ ।’’ ମୋ ଆସିବା କଥା ସେ ସାର୍‌ଙ୍କୁ କହିଛି । ଖୁସିରେ ମନ ମୋର ନାଚି ଉଠିଲା । ସତକୁସତ ତୁଣ୍ଡ କଥା ତୁଣ୍ଡରେ ଅଛି, ସେ ଦେବ-ପ୍ରତିମ ମୂର୍ତ୍ତି ଦେଖାଦେଲେ । ମଥା ନୁଆଁଇ ପ୍ରଣାମ କଲି । ଦରହସା ମୁହଁରେ ସେ ମୋତେ ପଚାରିଲେ, ‘‘ଭଲ ତ ! ଏସ୍‌, ଆମି ଏକଟୁ ବେଡ଼ାତେ ଯାଛି, ଯାବେ ? ସାଙ୍ଗେ ସାଙ୍ଗେ ହଁ ଭରିଲି । ଏ ଯୋଗ ଛାଡ଼େ କିଏ ? ବାଟରେ ନାନାକଥା ପଡ଼ିଲା । ମୁଁ ଟିକିଏ ଟିକିଏ ଗୀତ ଲେଖେଁ । ଗୀତ ଗାଇବାକୁ ଚେଷ୍ଟା କରୁଛି ଇତ୍ୟାଦି ଇତ୍ୟାଦି ସବୁକଥା ତାଙ୍କୁ କହିଗଲି । ସାର୍‌ ଆନନ୍ଦରେ ମୋତେ ଉତ୍ସାହିତ କରି ଲେଖାଲେଖି ଅଭ୍ୟାସ ଭଲ, ତାକୁ ନ ଛାଡ଼ିବାକୁ ଉପଦେଶ ଦେଲେ । ଯାଉ ଯାଉ ବୁରୁଜ ପାଖେ ପହଞ୍ଚିଲୁ । ବେଞ୍ଚରେ ବସି, ସେ ମୋତେ ବସିବାକୁ କହିଲେ; କିନ୍ତୁ ସେ ସାହସ ମୋର କାହିଁ ? ଆଜିକାଲି କଥା ତ ନୁହେଁ, ସେତେବେଳେ ସାର୍‌ ବା ଗୁରୁ ହେଉଛନ୍ତି ଚଳନ୍ତି ଦେବତା । ଭୟ, ଭକ୍ତି ସବୁ ଥାଏ ତାଙ୍କ ପ୍ରତି । ଭାରି ଅସଜ ଲାଗିଲା । ନିତାନ୍ତ ବାଧ୍ୟହୋଇ କରିକିଆ ବେଞ୍ଚରେ ବସିଲି । ପରେ ପରେ କେମିତି ଗାଉଚି–ଗାଇବାକୁ ଆଦେଶ । ଡରି ଡରି ମୋର ‘ବରଣ ଡାଲା’ ଶେଷ ଲେଖା–‘‘ସ୍ଥାନ ଦିଅ ମୋତେ, ପୂର୍ଣ୍ଣ ଧୂଳି ପଥେ, ତରୁଲତା ତଳେ ଅଜଣା ଧାମରେ’’ ଗୀତଟି ଗାଇଲି । ଓଃ, ସେ କି ଆନନ୍ଦ ! କି ଆଶୀର୍ବାଦ ତାଙ୍କର ! ଅଭୁଲା ସେ ଫୁଲ–ସଞ୍ଜର ଦେବତାଙ୍କ ସୁକଲ୍ୟାଣ । ‘ଲିଖ, ଭାଲ ହବେ’–ଏ ତାଙ୍କର ଆଶୀର୍ବାଦ । ତା’ ସହିତ ଆଦେଶ ହେଲା, ରୋଜ ରୋଜ ତାଙ୍କ ସହିତ ବୁଲି ଆସିବାକୁ । ଏ ଦୁଇଟି କଥାକୁ ମୁଁ ‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁଙ୍କର ଛଡ଼ା ଫୁଲ-ଚନ୍ଦନ ମଣିଲି ।’ ସେ ମୋତେ ବଙ୍ଗୀୟ କବି ରଜନୀ ସେନ ଓ ରବୀନ୍ଦ୍ର ଠାକୁରଙ୍କ ଗୀତ ପଢ଼ିବାକୁ ଉପଦେଶ ଦେଲେ । ଉତ୍ସାହ ପାଇ ଗୀତ ଲେଖାରେ ଆହୁରି ମନ ଦେଲି । ସେଇଦିନୁ ତାଙ୍କ ଦୟା, ସ୍ନେହ ଓ ଆଦର ପାଇ ଛାତି ମୋର କୁଣ୍ଢେମୋଟ ହୋଇଗଲା ।

 

ଗୀତଲେଖିବା–ଗାଇବା :

 

ଗୀତ ଲେଖା ସାଙ୍ଗକୁ ଗୀତଗାଇବା ପ୍ରବୃତ୍ତି ମଧ୍ୟ ବଢ଼ିଲା । ଗୀତ ଲେଖିବା ସମ୍ବନ୍ଧରେ ଗୋଟିଏ କଥା ମୋର ବରାବର ମନକୁ ଆସେ । ଗୀତ ଲେଖାଏ ମୋତେ, ସ୍ୱର । ଭାବ ଓ ରସ ମନ ଭିତରେ ସ୍ୱର ଜଗାଇଦିଏ । ସେଇଠୁ କଣ୍ଠ ଗୁଣୁଗୁଣେଇ ତାଙ୍କୁ ପ୍ରକାଶ କରେ । ଏଇ ପ୍ରକାଶନକୁ ବାନ୍ଧିରଖେ ଭାଷା–ୟେ ମୋ ମନର ଧାରଣା । ରସ ଯେବେ ଚାଖି ନୋହିଲା, ତେବେ ସେ ଆଉ କି ସ୍ୱର, କି ଗୀତ ? ମୁଁ ଗୀତ ଲେଖିଲାବେଳେ ଏଇ କଥାଟି ମୋ ମନରେ ଚେତିରହେ । ଏ ବୁଦ୍ଧିତକ ମୋତେ ଦେଇଥିଲେ ମୋର ବାଲ୍ୟଗୁରୁ ଶ୍ରୀ ରଘୁନାଥ ରାୟ ।

 

ସହରର ଅନେକ ସ୍ଥାନରେ ସଙ୍ଗୀତ ବୈଠକ ବସେ । ମୁଁ ମଧ୍ୟ କେତେକ ସ୍ଥଳରେ ଗାଇବାକୁ ଡାକରା ପାଏ । ଏଥିରେ ମୋତେ ଗାଇବାର ସୁଯୋଗ ତ ମିଳେ, ତା’ଛଡ଼ା ଗୀତ ଶୁଣିବା ଓ ଶିଖିବାର ସୌଭାଗ୍ୟଟା ବେଶି । ଓଡ଼ିଶୀ ଗୀତ ମଧ୍ୟ ମୁଁ ଏଠି ଗାଏଁ ।

 

ବାଇନାଚ ପ୍ରସିଦ୍ଧି ଥାଏ କଟକରୁ ମସଜିଦ୍‌ ଗଳି, ତେଲଙ୍ଗା ବଜାର ଓ ଜଗନ୍ନାଥବଲ୍ଲଭରେ । ବାଇମନେ ବାହାରୁ ଓସ୍ତାଦକୁ ଅଣାଇ ଗୀତ ଶିଖୁଥିଲେ । ମଙ୍ଗତଜନମାନେ ସାରଙ୍ଗୀ, ବାୟାଁ ତାବଲା ଇତ୍ୟାଦି ଶିଖି, ବଜାଇ ନାଆଁ କମାଇ ଥାଆନ୍ତି । ଚୌଧୁରୀବଜାରରେ ଏବେ ଯେଉଁଠି ଗୌରୀଶଙ୍କର ପାର୍କ ହୋଇଛି, ତାହାରି ଆଗ ଛାମୁଆଁ ଘର ଥିଲା ତେଜବାଇଙ୍କର । ବେଳବୁଡ଼ ପରେ ସଡ଼କର ବାଟୋଇଙ୍କ କାନ ଏଇଠି ପ୍ରାୟ ନିତି ଗୀତ ବାଜାର ସ୍ୱର ଶୁଣେ ।

 

ବାସନ୍ତୀ ଓ ଉଷା ଥିଏଟର ଦଳ ମଝିରେ ମଝିରେ ନାଟକ ମଞ୍ଚସ୍ଥ କରନ୍ତି । ଏମାନଙ୍କର ରିହର୍ସେଲ ଚାଲିଥାଏ, ଅନେକ ଦିନ ।

 

କଟକ ଝୁଲଣ :

 

କଟକର ମଠ, ମନ୍ଦିରମାନଙ୍କରେ ଶ୍ରାବଣ ମାସର ଝୁଲଣ ମଉଜଟା ବଡ଼ ସରସ । ପ୍ରାୟ ସବୁ ବଜାର, ଗଳି କନ୍ଦିରେ ଝୁଲଣାଯାତ୍ରା ପାଳିତ ହୁଏ । କେଉଁଠି କେଉଁଠି ରାସ୍ତା ଉପରେ ଯାତ୍ରା, ଲୀଳା ବା ସୁଆଙ୍ଗ ବି ହୁଏ । ଦେବସ୍ଥାନମାନଙ୍କରେ ବେଶୀ ଦେଖାଯାଏ ଗୋଟିପୁଅ ବା ଓଡ଼ିଶୀନାଚ ଦଳ । ଏ ସମୟଟାରେ ମୋର ଆଉ ପାଠପଢ଼ା ନ ଥାଏ ବୋଲି କହିଲେ ଚଳେ ।

 

ବିନୋଦବିହାରୀଙ୍କ ଛାମୁମଣ୍ଡପରେ ଗାୟକ ଓ ବାଦକଙ୍କର ବୈଠକ ଗୋଟିଏ ବିଶେଷ ଆକର୍ଷଣ ମୋର । କଟକରେ ବିଶିଷ୍ଟ ଗାୟକ, ବାଦକ ଏଇଠାରେ ରୁଣ୍ଡ ହୁଅନ୍ତି । କେତେଥର ମୁଁ ହିନ୍ଦୀଗୀତ ଗାଇଛି ଏଠି । ଚନ୍ଦ୍ରୋଦୟ ଛାପାଖାନାର ମାଲିକ ହରେକୃଷ୍ଣ ଦାସ ଏ ବୈଠକର ନିତିଦିନିଆ ଗରାଖ । ସଙ୍ଗୀତଜ୍ଞ ଶ୍ୟାମସୁନ୍ଦର ଧୀର, ପରମାନନ୍ଦବାବୁ, ଓସ୍ତାଦ ମାଧବ ରାଓ, କେବେ କେବେ ସେତାରୀ ଗୋପାଳ ଘୋଷ, ଅମଲା ଚୌଧୁରୀ ପ୍ରଭୃତି ଏ ଝୁଲଣ ବୈଠକରେ ଯୋଗ ଦିଅନ୍ତି । ଆଉଜଣେ ଓଡ଼ିଆ ଗୀତ ଗାୟକ ଥିଲେ–ତାଙ୍କ ନାଁ ଲୋକନାଥ କାନୁନ୍‌ଗୋ । ତାଙ୍କ ଘର ମସ୍‌ଜିଦ ଗଳିରେ । ଭାରି ସରୁ କଣ୍ଠ ତାଙ୍କର । କେତେଖଣ୍ଡି ଗ୍ରାମଫୋନ୍‌ ରେକର୍ଡ଼ ତାଙ୍କର ଥାଏ । ମନେପଡ଼ୁଛି ତାଙ୍କ ଗୀତର ମୂଳ ଧାଡ଼ି ପଦେ–‘‘ଅନାନାଁ ଲୋ ମିତ କାଳିଆକୁ ।’’ ସାରଙ୍ଗୀ ଓ ତାବଲା ସହିତ ବାଇନାଚ ମଧ୍ୟ ଏଠାରେ ଦିନେ ଦିନେ ହୁଏ । ଏମାନେ ପ୍ରାୟ ଯୋଡ଼ିହୋଇ ନାଚନ୍ତି । ନାମଜାଦା ଯୋଡ଼ି ଥାଆନ୍ତି–ତୁତୀ–କୃଷ୍ଣମଣି, ଧଡ଼ି–ସୁନ୍ଦର ଇତ୍ୟାଦି । କ୍ରମେ ଏଇମିତି ବୈଠକମାନଙ୍କରେ ଯୋଗଦେଇ ମୁଁ ଗାୟକ ରୂପେ ଟିକିଏ ଟିକିଏ ଜଣାଶୁଣା ହୋଇଗଲି । ମୋ ଲେଖା ଗୀତ ବି କେହି କେମିତି ଠାଏଅଧେ ଗାଇଲେ ।

 

ଶ୍ରାବଣ ମାସର ଭସା ବଉଦ ତଳେ ଲୁଚକାଳି ଖେଳି ଜହ୍ନର ‘ରାସଜ୍ୟୋତ୍ସ୍ନା’ର ମାଧୁରୀ ମନ ଉଲ୍ଲସାଇ ଦେଉଥାଏ । ବସାକୁ ବାହୁଡ଼ିବା ବେଳକୁ ରାତି ଏଗାର ବାର ହୁଏ । ଝୁଲଣ କେଇଦିନ ବଡ଼ ଖୁସିବାସିରେ ବିତିଯାଏ ।

 

ଚନ୍ଦନ ଯାତ୍ରା :

 

ଖରାଦିନେ ଚନ୍ଦନ ଯାତ୍ରା । ବିନୋଦବିହାରୀରୁ ଠାକୁର ବିଜେ କରନ୍ତି । ବାଇନାଚ ଦଳ ସାଙ୍ଗରେ ଯାଆନ୍ତି । ସେ ବେଳର ବଡ଼ ବଡ଼ ଲୋକେ ବିମାନ ଓ ବିଜେ ଯାତ୍ରାର ଯାତ୍ରୀ ହୁଅନ୍ତି । କଟକର କେତେକ ସ୍ଥଳରେ ଯାତ୍ରା ହୁଏ । ମଝିରେ ମଝିରେ ମୋର ସେ ପିଲାଦିନର ଯାତ୍ରା ଦେଖା ସଉକି ମନେ ପଡ଼ିଯାଏ । ଏ ଯାତ୍ରା ଦେଖାର ସାଥୀ ମୋର କାହ୍ନାଇଲାଲ ଘୋଷ ।

 

ମୋଟ ଉପରେ ଖରାଦିନେ ଓ ବର୍ଷାଦିନରେ ଚନ୍ଦନ ଓ ଝୁଲଣ ଯାତ୍ରା–ସହରଟାକୁ ବେଶ ମଜଗୁଲ କରି ରଖେ ।

 

ଅଭିନେତ୍ରୀ ସାଜିଲି :

 

ଏହାର ମାସ କେଇଟା ପରେ ଆଉ ଏକ ଘଟଣା ଘଟିଲା–ଜୀବନରେ ଯାହା ଗିରାମରା-

 

ଆଗରୁ ତ କହିଛି, କଟକରେ ମାଗ୍‌ନେଟିକ୍‌, ବୀଣାପାଣି, ବାସନ୍ତୀ ଓ ଉଷା ପ୍ରଭୃତି ସୌଖିନ ଥିଏଟର ଦଳ ମଝିରେ ମଝିରେ ନାଟକ ଦେଖାଉଥାଆନ୍ତି; କିନ୍ତୁ ଏ ନାଟକ ଓଡ଼ିଆ ନୁହେଁ–ବଙ୍ଗଳା । ମାରବାଡ଼ିପଟିରେ ଜମିଦାର ସ୍ୱର୍ଗତ ରଜନୀ ବିଶ୍ୱାସ ଓ ଜାମିନୀ ବିଶ୍ୱାସ ଦି’ଭାଇ ଥାଆନ୍ତି । ରଜନୀବାବୁ ହୋଇଥାନ୍ତି ଉଷା ଦଳର ମାଲିକ । ଶାରଦା ବୋଲି ଜଣେ ତାଙ୍କର ବଡ଼ ଗୋଡ଼ାଣିଆ ଥିଲେ । ସେ ଷ୍ଟେଜ୍‌ର ସିନ୍‌ସିନାରୀ ସାଇତାସାଇତି, ଷ୍ଟେଜ୍‌ ବନ୍ଧାବନ୍ଧି, ଦଳଙ୍କୁ ଜଳଖିଆ ବେଉତିବା ଇତ୍ୟାଦି ସବୁଥିରେ ପକ୍‌କା ମାମଲତକାର । ଥରେ ରଜନୀବାବୁଙ୍କର କ’ଣ କାମ ପଡ଼ିଲା ଅବା କିଏ ଆତ୍ମୀୟ ବେମାର ହେଲେ ବୋଲି ସେ କଲିକତା ଗଲେ । ସେଠି ମାସେ ଦେଢ଼ମାସ ରହିବାକୁ ପଡ଼ିଲା ତାଙ୍କୁ । ସେତେବେଳେ କଟକ ଅଦାଲତରେ ବୋଧହୁଏ ସିରସ୍ତାଦାର ବା ସେଇଭଳି କ’ଣ ଉଚ୍ଚ ପାହିଆ ଚାକିରି କରୁଥାଆନ୍ତି, ସ୍ୱର୍ଗତ ଜଗନ୍ନାଥ ଘୋଷ (ବିମଳ ଘୋଷଙ୍କ ବାପା) । ସେ ଜଣେ ବିଶିଷ୍ଟ ନାଟ୍ୟପ୍ରେମୀ । ରଜନୀବାବୁଙ୍କ ଦଳଭୁକ୍ତ ଥିଲେ ସେ । ତାଙ୍କର ଇଚ୍ଛା ଥାଏ ଯେ କଟକରେ ଓଡ଼ିଆ ନାଟକ କେମିତି ମଞ୍ଚସ୍ଥ ହେବ । ଉଷାଦଳରେ ତ କେବଳ ବଙ୍ଗଳା ନାଟକ ପ୍ରଦର୍ଶିତ ହେଉଥିଲା । ଓଡ଼ିଆ ନାଟକ ରଜନୀବାବୁଙ୍କ ପସନ୍ଦକୁ ଆସେ ନାହିଁ । ସେ କହନ୍ତି–ଓଡ଼ିଆରେ ଗୋଟେ ନାଟକ କାହିଁ ? ରଜନୀବାବୁଙ୍କ କଲିକତା ରହଣି ଅବସରରେ ଜଗନ୍ନାଥବାବୁଙ୍କୁ ଗୋଟେ ସୁବିଧା ମିଳିଗଲା । ସାଧୁବାବୁ (ସାରଦା ଦଳବେହେରା) ରଜନୀବାବୁଙ୍କ ଦଳର ବଙ୍ଗଳା ନାଟକମାନଙ୍କରେ ନାଚୁଥାନ୍ତି ଓ ନାଚ ଶିଖାଉଥାନ୍ତି । ତାଙ୍କ ବାପାଙ୍କର ମୋ ବାପାଙ୍କ ସାଙ୍ଗରେ ବନ୍ଧୁତ୍ୱ ଥିଲା । ସେ ବାଙ୍କିରେ ଚାକିରି କରୁଥିବାବେଳେ ଦୀର୍ଘକାଳ ଆମ ଘରେ ଅତିଥି ହୋଇ ରହିଥିଲେ । ଏଇ ସୂତ୍ରରେ ସାଧୁବାବୁଙ୍କ ସହିତ ମୋର ପରିଚୟ ଥାଏ ।

 

ଜଗନ୍ନାଥବାବୁ ଓଡ଼ିଆ ନାଟକ ମଞ୍ଚସ୍ଥ ହେବାକୁ ବଡ଼ ମନ କରିଥାଆନ୍ତି । ସେ ବିଚାର କରି ଠିକଣା କଲେ ସ୍ୱର୍ଗତ ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକଙ୍କ ଲେଖା ‘ନନ୍ଦିକେଶ୍ୱରୀ’ ନାଟକ ମଞ୍ଚସ୍ଥ କରିବାକୁ । ରଜନୀବାବୁ ତ କଲିକତାରେ । ଏଇ ହେଲା ଦିବ୍ୟ ଅବକାଶ । ଚିନ୍ତା ପଡ଼ିଲା–ନନ୍ଦିକା ଅଂଶ ନେବ କିଏ ? ସାଧୁବାବୁ ମୋ ପାଖରେ ପହୁଞ୍ଚିଲେ । ବାପାଙ୍କ ସଙ୍ଗାତ ଗୋପାଳ ପ୍ରହରାଜେ ମୋର କଟକରେ ମୁରବି । ବଡ଼ କଡ଼ା ଲୋକ ସେ । ତାଙ୍କୁ ଲୁଚାଇ ମୁଁ ପାର୍ଟ ନେବି କେମିତି ? ସାଧୁବାବୁ ମୋତେ ଫୁସୁଲାଫୁସିଲି କରି ପାର୍ଟ ଦେଲେ । ମୁଁ ବି ତ ଥିଏଟର ପାଗଳ । ସଞ୍ଜ ପରେ, ପ୍ରାୟ ସାତଟା ବେଳକୁ ପ୍ରହରାଜ ମଉସା ଶୋଇ ପଡ଼ନ୍ତି । ଅତଏବ ମୋ ବସାକୁ ତାଙ୍କର କାଁ ଭାଁ ଆସି ଯିବାଟା ଆଉ ସମ୍ଭବ ନୁହେଁ । ସାରଦା (ଡାକ ନାମ ସାରୁ) ତାଙ୍କ ମାଲିକ ନ ଥିବାରୁ ମନେ ମନେ ଟିକେ ଅମୁରୁଛକ ହେଲେ ମଧ୍ୟ ଜଗନ୍ନାଥବାବୁଙ୍କ ପରି ଜଣେ ଟାଣୁଆ ଲୋକଙ୍କୁ କିଛି କହିପାରିଲେ ନାହିଁ । ସେ ନରମି ଯାଇ ଥାଆନ୍ତି । ମୁଁ ନନ୍ଦିକା ପାର୍ଟ ନେଲି । ନାଟକ ମଞ୍ଚସ୍ଥ ହେଲା । ରାତିଟାଏ ଅଭିନୟ ପରେ ପଞ୍ଝାଏ ଲଫଙ୍ଗା ଖୋଜିହେଲେ–ସେ ନନ୍ଦିକା ଟୋକୀଟା କିଏ ? କୋଉଠି ଥାଏ ? ପ୍ରଥମ ରାତି ନାଟକ ମଞ୍ଚସ୍ଥ ହେବା ବାସିଦିନ ଏ ଖବର ଶୁଣାଗଲା । ସେଇଠୁ ମୁଁ କିଏ ନା ରଙ୍ଗମଞ୍ଚ କିଏ ? ପ୍ରଚାର ହେଲା ଯେ, ସେ ବାଙ୍କିବାଲା ଟୋକୀଟା ଚାଲିଗଲାଣି । ୨ୟ ରାତି ନନ୍ଦିକେଶରୀ ନାଟକ ଯଥାତଥା ଚଳେଇଲେ ଉଦ୍ୟୋକ୍ତାମାନେ । ମୁଁ ଆଉ ମଞ୍ଚର ଫାଦା ମାଡ଼ିଲି ନାହିଁ ।

 

କଟକରେ ଏକା ନୁହେଁ, ଓଡ଼ିଶାର ଅନ୍ୟ କେତେକ ଭିକାରୀବାବୁଙ୍କ ନାଟକ ବେଶ୍‌ ଆଦର ପାଉଥାଏ ସେ ସମୟରେ । ତାଙ୍କର ‘କଟକ ବିଜୟ’ ଆଉ ‘ନନ୍ଦିକେଶ୍ୱରୀ’ ନାଟକ ଠାଏ ଠାଏ ମଞ୍ଚସ୍ଥ ହେଉଥାଏ ।

 

ଆମ କଲେଜରେ ମୋର ଜଣେ ପଢ଼ାସାଥୀ ଥାଆନ୍ତି । ନାଟକ ପ୍ରତି ତାଙ୍କର ଆଦର ଥାଏ । ତାଙ୍କ ନାଆଁ ଶ୍ରୀଧର ସାହୁ । ଘର, କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ନିକଟରେ । ସେ କେନ୍ଦ୍ରାପଡ଼ାରେ ନନ୍ଦିକେଶ୍ୱରୀ ନାଟକର ଅଭିନୟ କରାଇବାକୁ ମନ କରି ମୋତେ ସେଇ ନାଟକର ପାର୍ଟନେବାକୁ ଟଣାଟଣି କରି ନେଲେ । ଶ୍ରୀଧରବାବୁ ଓ ଆଉ ଆଉ ସାଙ୍ଗସାଥିଏ ଜିଗର ଧରି ବସିଲେ, ମୁଁ ନେବି ନନ୍ଦିକା ପାର୍ଟ । ଉପରୋଧରେ ଢିଙ୍କି ଗିଳିବା ପରି ମୁଁ ସେଠି ବି ନନ୍ଦିକା ପାର୍ଟ ନେଲି । ଏଥି ପୂର୍ବରୁ ତ ମୁଁ ଏ ପାର୍ଟରେ କଟକରେ ଠିଆ ହୋଇଥିଲି । ଅସୁବିଧା ନ ଥିଲା କିଛି ।

 

କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ଦେଉଳ ସିଂହଦ୍ୱାରର ଡାହାଣ କଡ଼ରେ ଷ୍ଟେଜ ବନ୍ଧାହେଲା । ଶ୍ରୀଧର ସାହୁ ଗୀତ ଗାଆନ୍ତି । ସେ ଓ ସେଠାରେ ଅନ୍ୟ କେହି କେହି ମିଶି ନାଟକ ଶିଖାମଣା କରାଉଥିଲେ । ରିହର୍ସାଲ ବୋଧହୁଏ ଥରେ ଅଧେ ମୁଁ ଦେଇଛି । ସୌଖୀନ ଦଳ ତ ! କିଏ କାହାକୁ ପଚାରେ ? ଯେଝା ହାତରେ ଯିଏ ଚଉଦପାଆ । ସମସ୍ତେ ସବ୍‌ଜାନ୍‌ତା । ରିହର୍ସାଲର ଅର୍ଥ–‘ଶାଗରୁ ପଦେ, ମୁଗରୁ ପଦେ ।’ କିଏ ଯଦି ଢୋଲକଟାକୁ ଦି’ଥର ଢାଉଁ ଢାଉଁ କଲାଣି ତ, କିଏ ଗଳା ଲମ୍ବାଇ ହାରମୋନିୟମ ଧରି ଗାଇଲାଣି, ‘ହେ ରାଜକେଶ୍ୱରୀ–ସୁବର୍ଣ୍ଣ କେଶରୀ’ ଗୀତ । କିଏ ପୁଣି ଖୁସିଗପ ଯୋଡ଼ି ଦେଲାଣି । ଜଣେ ଦି’ଜଣ–ଯେଉଁମାନେ ବହିଧରି ପ୍ରମ୍ପଟିଙ୍ଗ୍‌ କରୁଥାଆନ୍ତି, ବିଚାରା ସେଇମାନେ ଅପରାଧୀ । ସେମାନେ କାହାରି ପାର୍ଟ ପଢ଼ିବାବେଳକୁ ଡାକ ଦିଅନ୍ତି–‘ଅମୁକ ! ହେଇ ତୋ ପାର୍ଟପରା ପଡ଼ିଲାଣିରେ ।’ ତରବର ହୋଇ ଉଠି ଆସି ଗଳା ଖିଙ୍କାରି ଆର୍ଟିଷ୍ଟ ଠିଆହୋଇ ପ୍ରମ୍ପଟର୍‌ଙ୍କୁ କହିଲେ, ‘‘ଦେ କହ, କ’ଣ କହିବି ?’’ ବାସ୍‌, ପ୍ରମ୍ପଟର ସେଇଠୁ କହିଗଲେ (ଟିକିଏ ଅବଶ୍ୟ ଫୁସ୍‌ ଫୁସ୍ କରି) । ଅଂଶ ଗ୍ରହୀତା ଜୋର୍‌ରେ କହିଲେ ସେ କଥା । ପାର୍ଟ ସରିଲା । ପ୍ରମ୍ପଟର ପଢ଼ିଲେ–‘ପ୍ରସ୍ଥାନ’ । ଅଂଶ ଗ୍ରହୀତା ମଧ୍ୟ କହିଲେ–ପ୍ରସ୍ଥାନ । ହସରେ ଘରଟା ଫାଟିପଡ଼ିଲା ସତେ ! ଏଇ ମାମଲତ ଭିତରେ ମୋ ରିହର୍ସଲଟା ବି ଥରେ ଅଧେ ଦିଆଗଲା-। ଏଭଳି ଅଭ୍ୟାସ ତ ମୋର ନ ଥିଲା । ଆମ ଶିକ୍ଷା ଥିଲା ଅନ୍ୟରକମର । ଅଭିନୟକୁ ଗୋଟାଏ ପାଠପଢ଼ା ଭଳିଆ ମଣୁଥିଲୁଁ । ଏଠି ସେ ହେଲା ଶାଠ ବା ଗୋଟାଏ ମଉଜ । ମୋର ତ ପୁଣି କେନ୍ଦ୍ରାପଡ଼ା ପୁରୁଣା ଜାଗା । ହେଲେ ପିଉସାଙ୍କ ଘର ମାଡ଼ି ନାଇଁ ଏଥର ।

 

ଯାହାହେଉ, ଆସିଛି ତ ! ଶ୍ରୀଧରବାବୁଙ୍କ ସ୍ନେହ ଆଦର, ରସାବଳୀଖିଆ, ବୁଲାଚଲା ଏସବୁ ତ ହେଲାଣି । କେମିତି ହେଉ, ପାଉଡର ବୋଳିହେବାକୁ ହେବ, ନିଶଦାଢ଼ି ଖିଅର ହେବାକୁ ପଡ଼ିବ । ବେଶ, ପରଚୁଳା ତ ଲଗାଇବାକୁ ହେବ । ପ୍ଲେ ହେଲା । ଅଗା-ବଗା-ଖଗା–ତିନିହେଁ ତିନି ଅଲଗା । ପ୍ରମ୍ପଟର ବିଚାର କେତେ ଅବା ଫୁସ୍‌ ଫୁସ୍‌ କରି କହିବ ? ମୁଁ ମୋ ଅଂଶ କହି ସାରିବାବେଳକୁ ଅଭିନେତା ହିଡ଼ ଡେଇଁ ଗଲାଣି । ଏଇମିତି ଏଇମିତି ପ୍ଲେ ସରିଲା । ଭଲ ହେଲା ବୋଲି ପରା କୁଆଡ଼େ ଲୋକେ କହିଲେ; କିନ୍ତୁ ମୋ ମନ ମାନୁ ନ ଥାଏ ।

 

ଦୁର୍ଦ୍ଦିନ ଆସିଲା :

 

ଦୁଇଦିନ ପରେ କଟକ ଫେରି ପଢ଼ାପଢ଼ିରେ ଲାଗିଲି । ଡିସେମ୍ବର ମାସ । ଶୀତ ଟିକେ ସେ ବର୍ଷ ବେଶୀ । ୩ୟ ବାର୍ଷିକ ପରୀକ୍ଷା ନିକଟ । ତେଣୁ ଗୀତ ଲେଖିବା, ଗାଇବା ବନ୍ଦ ।

 

ଦିନେ ଫାଟକ ଆଡ଼କୁ ଆସିବା ବେଳକୁ ଦେଖିଲି, ମଉସା (ଗୋପାଳ ପ୍ରହରାଜେ) ଫାଟକ ପାରହୋଇ କଲେଜ ଆସୁଛନ୍ତି । ପ୍ରଣାମ କରି ଠିଆ ହେଲି । ମଉସା କହିଲେ–‘‘ସଂଗାତୁଣି ଚିଠି ଦେଇଛନ୍ତି ଯେ ସଙ୍ଗାତଙ୍କ ଦେହ ବଡ଼ ଖରାପ, ତୁ ଗାଆଁକୁ ଯା’ ।’’

 

ଏକଥା ଶୁଣି ହଠାତ୍‌ମନଟା କେମିତି ଗୋଳେଇ ହେଲା । ସେ କଚେରିରୁ ଫେରୁଥିଲେ, ପୁଣି କ’ଣ କାମ ଅଛି ବୋଲି କଚେରିକୁ ଗଲେ । ମୁଁ ବସାକୁ ଗଲି ।

 

ବସାରେ ପହଞ୍ଚିଲା କ୍ଷଣି ପୂଜାରୀ ଖଣ୍ଡେ ବନ୍ଦ ଲଫାପା ପୋଷ୍ଟମ୍ୟାନ ଦେଇ ଯାଇଛି ବୋଲି କହି ମୋତେ ବଢ଼ାଇ ଦେଲେ । ତରବରରେ ଚିଠି ଚିରି ଦେଖିଲି–ବୋଉ ଲେଖିଛି ମୋତେ ବେଗେ ଗାଆଁକୁ ଯିବାକୁ । ଏଣେ ମୋତେ ଚିଠି–ତେଣେ ମଉସାଙ୍କୁ ଚିଠି । କେଜାଣି କାହିଁକି ମନରେ ନାନା କୁପାଞ୍ଚ ଆସି ଛାନିଆ ଲାଗିଲା । ବାପା କ’ଣ ଅସୁସ୍ଥ ହୁଅନ୍ତି ନାହିଁ ? କିନ୍ତୁ ଏପରି ଦି’ଦି ଖଣ୍ଡ ଚିଠି କାହିଁକି ? କେମିତି ବେଗେ ଘରକୁ ଯାଇ ବାପାଙ୍କୁ ଦେଖିବି ବୋଲି ବ୍ୟସ୍ତ ହୋଇ ପଡ଼ିଲି, ହେଲେ ଉପାୟ କ’ଣ ? ଶୀତଦିନ, ଆଉ ଅଳ୍ପ ସମୟରେ ବେଳ ବୁଡ଼ିଯିବ । ରାତିଟା କଟିବ କେମିତି ? ଆଉ କି ଖିଆ, ଆଉ କି ପିଆ ! ନିଦ ହେଉ ନଥାଏ । କେମିତି କାଉ କା’ ଡାକିବ–ତାକୁଇ ତକାଇଥାଏଁ । ନିଦ ଭାଙ୍ଗି ଯାଉଥାଏ । ରାତି ଫସର ଫାଟିଲା । ପୂଜାରୀ ମାର୍ଫତ ବସା ଛାଡ଼ି ଘରକୁ ବାହାରିଲି ।

 

ଗାଡ଼ି ନାହିଁ, ହାତୀ ନାହିଁ–ଡଙ୍ଗାରେ ଗଲେ ଉଜାଣି ପାଣି, ବସ୍‌ ବା ମଟର ତ ସେତେବେଳେ ଜଣା ନ ଥାଏ । ହରହରି ଘାଟଠାରୁ କାଠଯୋଡ଼ି ବାଲିଏ ବାଲିଏ ଚରଣ ଦାସଙ୍କ ଭରସାରେ ସିଧା ସଳଖିଲି ବାଙ୍କି । ଏକୁଟିଆ–ପୁଣି ଏତେ ବାଟ ଯିବାର ଅଭ୍ୟାସ ତ ଆଗରୁ କେବେ ନ ଥାଏ । ବାପାଙ୍କ ଅସୁସ୍ଥତା ହେତୁ ଘରୁ ଗାଡ଼ି ଆସିପାରି ନାହିଁ । ତେବେ କ’ଣ ଏତେ ବେଶି ଅସୁସ୍ଥ ସେ !

 

ବାଲିରେ ଚାଲିଛି । ଆଗରେ ମାହାଲକୁଦ । ଶୁଣିଛି ଏଇଠି ବାଟୋଇଙ୍କି ଏକା ପାଇ ବାଟ ମାରଣାଏ ତଣ୍ଟି ଚିପି ଜୀବନରେ ମାରିପକାନ୍ତି । ଏଇ ମହାଳଗଛ ଡାଳରେ ମଢ଼ ଟଙ୍ଗା ହୋଇଥିବା କଥା ଥରେ ମୋତେ ଆମ କୋଠିଆ ସାରଥିଆ କହୁଥିଲା । ଭାବିଲି ଦିନ ବେଳଟା ତ, ଏତେବେଳେ କ’ଣ ଖଣ୍ଟ ମାରିବେ ?

 

‘ମା ଚର୍ଚ୍ଚିକା ମା ଚର୍ଚ୍ଚିକା’ ଗୁଣି ଗୁଣି ମୁଣ୍ଡମୁହାଣ ଡାକବଙ୍ଗଳା ପାଖ ହେଲି । ମନେ ପଡ଼ିଲା ଥରେ ବାପା ମୋତେ ସାଙ୍ଗରେ ଧରି କଟକ ଆସିବାବେଳେ ମୁଣ୍ଡମୁହାଣଠାରେ ବେଳ ରତରତ ହୋଇ ଆସିଲା । ମେଘ ବି ଟୋପି ଟୋପି ଚାଲିଥାଏ । ନଈ ଆରପାରି କଟକ ସହର । ହେଲେ ଏଇ ମାହାଳକୁଦ ଡରରେ ଆଉ ଆଗେଇବାକୁ ଛାତି ପତେଇଲା ନାହିଁ । ମୁଣ୍ଡମୁହାଣ ଡାକବଙ୍ଗଳାରେ ରହିଲୁ । ଗାଆଁ ଭିତରୁ ଢିଙ୍କି କୁଟା ନାଲି ବଗଡ଼ା ପଥୁରିଆ ଚୁଡ଼ା ଆଣି ସାରଥିଆ ଛି ଛାକର କରି ଖାଇଲା । ଆମ ସାଙ୍ଗରେ ଥିଲା ବୋଉ ହାତତିଆରି ସେଇ ପୂର୍ବ ପରିଚିତ ଖୁରୁମା-। ସେଇ ହେଲା ନୈଶ ଭୋଜନ । ରାତି ଫସର ଫାଟିଲା । ତେବେ ଯାଇ ଶଗଡ଼ ସଜ ହେଲା-। ଏ ସ୍ମୃତି ଅପାସୋରା ହୋଇ ବୋଝ ଉପରେ ନଳିତା ବିଡ଼ା ପରି, ମୋ ଦୁକୁଦୁକିଆ ଛାତିକୁ ଆହୁରି ଛନକେଇ ଦେଉଥାଏ । ମୁଣ୍ଡମୁହାଣରେ ପହଞ୍ଚି କେତେ ପଛଫେରା କଥା ହେଜି ହେଲି-

ଆଗରେ ଗୋଡ଼ିସାହି । ସେଇଠି ଚୁଡ଼ାଭଜା, ଉଖୁଡ଼ା କିଣି ପକେଟରେ ଭର୍ତ୍ତିକଲି । ଦୋକାନରେ ଲଡ଼ୁ ଥିଲା । ଉପରେ ତା’ର ମାଛିମେଳା ଦେଖି, ଭକ୍ତି ଛାଡ଼ିଗଲା ସେଥିରୁ । ମୁଠାଏ ମୁଠାଏ ଚୁଡ଼ାଭଜା ଚୋବାଇ ଚୋବାଇ ଚାଲିଲି ।

ବାଟ ସରୁ ନ ଥାଏ ଆଉ । ଗାଧୁଆ ପାଧୁଆ ନାହିଁ, ଦିନ ୨।୩ଟା ବେଳକୁ ପହଞ୍ଚିଲି ଦେବୀଦ୍ୱାର । ରାମଚଣ୍ଡୀଙ୍କ ପହୁଡ଼ ପଡ଼ିଥାଏ, ଆଖିରେ ଲୁହ ଛଳଛଳ ହୋଇ ଆସିଲା । ପାହାଚରେ ମୁଣ୍ଡିଆଟିଏ ମାରି ସଡ଼କ କାନ୍ଥର ଦହି ବିକାଳି ପାଖରୁ ଘୋଳ ଦହି ଦି’ ପଇସାର କିଣିଲି, ବିଚାରା ଦୟାକରି ବରତନ ଖଣ୍ଡିଏ ଦେଲା । ମୁଢ଼ିମୁଆଁ କିଣି ଦହିରେ ପକାଇ ଖାଇଲି । ଅପେକ୍ଷା ନ କରି ପୁଣି ଚଲା ଆରମ୍ଭ କଲି । ଠାକୁରାଣୀଙ୍କ ସଞ୍ଜଘଣ୍ଟା ବାଜିଲା ବେଳକୁ ଘରେ ପହୁଞ୍ଚିଲି ।

ଦାଣ୍ଡ ଦୁଆରଟା କେମିତି ଶୂନଶାନ୍‌ ଲାଗୁଥାଏ । ଗୋଡ଼ହାତ ନ ଧୋଇ ଆଗ ବାପାଙ୍କୁ ମୁଣ୍ଡିଆ ମାରିସାରି ବୋଉକୁ ତାଙ୍କ ଦେହ କଥା ପଚାରିଲି । ଶୁଣିଲି, ପାଟି ଭିତରେ ଘାଆ, ମୁହଁ ଫୁଲିଯାଇଛି । ଦେହ କଳାକାଠ । କୈଳାସବାବୁ ଡାକ୍ତର ଚିକିତ୍ସା କରୁଛନ୍ତି । ବହୁ କଷ୍ଟରେ ତଣ୍ଟିରେ କ୍ଷୀର ଟୋପାଏ ଟୋପାଏ ଗଳୁଛି । ସାତ ଆଠ ଦିନ ହୋଇଗଲାଣି, ନିଦ ନାହିଁ । ସବୁବେଳେ ବ୍ୟସ୍ତ ହେଉଛନ୍ତି । ମୋତେ ବି ବେଶୀ କଥା କହିପାରିଲେ ନାହିଁ । ମୁଣ୍ଡ ହାତ ଆଉଁସି, ଆଖି ଛଳଛଳ କରି ଚାହିଁଲେ ଖାଲି ।

ବଡ଼ାମ୍ବା ଘରକୁ ବୋଉ ଚିଠି ଦେଇଥିଲା । ସେଠାରେ ବାପାଙ୍କ ନିଜ ତଳ ଭାଇ ମହଦଦାଦା (ମନମୋହନ ପଟ୍ଟନାୟକ) ଥାଆନ୍ତି । ସେ ରାଜା ଘରେ ଚାକିରି କରନ୍ତି । ଦେଖି ଆସିବା ଦୂରେ ଥାଉ, ମଣିଷଟିଏ ମଧ୍ୟ ପଠାଇ ନାହାନ୍ତି ବାଙ୍କିକୁ; ଅଥଚ ବାପା ସେଇ ଭାଇଙ୍କର ସବୁ ବିପଦରେ ଦିଆନିଆ, ପଚରା ଉଚରା କରନ୍ତି । ଅତି ସୁଖ ପାଆନ୍ତି । ବାପାଙ୍କ ପାଖକୁ ଆସି ଖବର ଅନ୍ତର ବୁଝାବୁଝି କରୁଥାନ୍ତି ବାସୁକକେଇ (ବାସୁଦେବ ମିଶ୍ରେ, ସେତେବେଳର ସ୍କୁଲର ଡେପୁଟି ଇନିସ୍‌ପେକ୍ଟର । ସମ୍ଭବତଃ ସେତେବେଳକୁ ପେନ୍‌ସନ୍‌ ନେଇଥିଲେ) । ତାଙ୍କ ଘର ଆମ ଘରର ଆଗ ଛାମୁଆଁ–ଟିକିଏ ଆଡ଼ ଜୁଆଳିଆ ।

ଏଣୁତେଣୁ କବିରାଜ ଚେରମୂଳ ମଧ୍ୟ ଚାଲିଥାଏ । ମୋ ପାଖକୁ ଚିଠି ଆଗରୁ ଗଲାଣି । ମାତ୍ର ମୁଁ ତ କଟକରେ ତିନି ଚାରିଦିନ ନ ଥାଇ କେନ୍ଦ୍ରାପଡ଼ା ଯାଇଥିଲି ଥିଏଟରରେ ନାଚିବାକୁ । ବସା ଦୁଆର ବନ୍ଦ ଦେଖି ଡାକବାଲା ଚିଠି ଫେରି ନେଇଥିଲା । ତା’ ସଙ୍ଗେ ଟିକିଏ ଚିହ୍ନାଜଣା ଥିଲା-। ସେ ଚିଠି ରଖି ପୁଣି ଆଣିଦେଲା । ମନକୁ ମନ ଏତେ ଧିକ୍‌କାର କଲି ଯେ ତା’ ଆଉ କହି ହେଉ ନାହିଁ । କାହିଁକି ଚଣ୍ଡାଳ ମୁଁ ଏତିକିବେଳେ ମଉଜି କରିବାକୁ ଯାଇଥିଲି ? ଅନୁତାପରେ ଦହି ହେଉଥାଏ ମନ ।

ଆଖିରୁ ଅମାନିଆ ଲୁହ ବହି ଯାଉଥାଏ । ବାପାଙ୍କର ପାଦ ଚିପି ବସିଲି । ସେତେବେଳେ ମଧ୍ୟ ସେ ‘ତୋ ଦେହରେ ବଳ କାହିଁରେ ବାପା !’ କହିଛନ୍ତି । ଛି, କ’ଣ ଏ ଦୁନିଆଟା-! ଦେବତାଠାରୁ ବଡ଼–ଜୀଅନ୍ତା ଦେବତା ସେ ! କି ସେବା ଅବା ମୁଁ ତାଙ୍କର କରୁଛି-! କ’ଣ ସେ ମୋର କରି ନାହାନ୍ତି ? ତୁଣ୍ଡ ଫିଟୁ ନ ଥାଏ ସିନା ! ମନ ଭିତର ଜଳିପୋଡ଼ି ଯାଉଥାଏ-। ଆଖି ଲୁହରେ ପୂରି ଉଠୁଥାଏ ।

 

ବୋଉ ପୁଣି ସେତିକିବେଳେ ପଚାରିଲା–ଏତେବାଟ କେମିତି ଚାଲି କରି ଆସିଲୁ ବୋଲି । ନିଆଁରେ ଘିଅ ଢାଳିଲା ପରି ଏ କଥା ଆହୁରି ମୋ ଛାତି ଦହି ପକେଇଲା । ବାପାଙ୍କ ଦେହକଥା ନ ଦେଖି, ପୁଅ କେମିତି ଚାଲିକରି ଆସିଲା ବୋଲି ମାଆର ମନ ବ୍ୟଥା ! କିନ୍ତୁ କୋଉ ପୁଅ କୋଉ ବାପମାଆଙ୍କୁ ଏଇଭଳି କଥା ପଦକର ଋଣ ଶୁଝିପାରେ ? ଜେଜେବାପା ପଢ଼ାଉଥିବା ମୋହ ମୁଦ୍‌ଗର ଶ୍ଳୋକ ମନେ ପଡ଼ିଗଲା–

 

‘‘କା ତବବ କାନ୍ତା କସ୍ତେ ପୁତ୍ରଃ–

ସଂସାରୋୟମତୀବ ବିଚିତ୍ରଃ ।’’

 

ଗାଆଁରେ କେବଳ ଜାତିଆଣ ବାହା ପୁଆଣୀ ଛଡ଼ା ଆମେ ସଭିଏଁ ଥିଲୁ ଏକାଘର । ବାପା ଥିଲେ କାହାର ଭାଇ, ଦଦେଇ କାହାର କକେଇ ଆଉ କାହାର ଗେଲବେସର ପୁଅ ବା ପୁତୁରା । ସଭିଙ୍କି ସେ ଆପଣାର କରିଥାଆନ୍ତି । ସୁଖ, ଦୁଃଖ–ଭଲ ମନ୍ଦରେ ନିଜ ବଡ଼ିମା ନ ଦେଖାଇ ତାଙ୍କ ସାଙ୍ଗରେ କାନ୍ଧ ମିଶାନ୍ତି । ତେଣୁ ତାଙ୍କର ଏ ଅବସ୍ଥାରେ ସମସ୍ତଙ୍କର ମନଦୁଃଖ । ମାତ୍ର କଥାରେ ଅଛି–‘‘ଯାହା କରିବେ ସାଇଁ, ତା’ କାହାରି ହାତରେ ନାହିଁ ।’’

 

ଦୁଃଖ କରିବା ଛଡ଼ା ଆଉ କାହାର କି ବଳ ଅଛି ? ଦିନ ପରେ ଦିନ ବିତିଗଲା । ଦାଦାମାନଙ୍କର କାହାରି ଦେଖା ଦର୍ଶନ ନାଇଁ । ପୁରୁଣା ବିଶ୍ୱାସୀ କୋଠିଆ ସାରଥିଆ ସହିତ ପରାମର୍ଶ କରି ଘର ଶଗଡ଼ ସଜଡ଼ା ହେଲା । ଚିକିତ୍ସା ପାଇଁ ବାହାରିଲୁ କଟକ ।

 

ଗାଆଁଟା ଶୂନଶାନ୍ ଲାଗୁଥାଏ । କାହାରି ମୁହଁରେ କଥା ନାହିଁ । ବାପା ତାଙ୍କ ଆଦର ଓ ଦିଆନିଆ ଇତ୍ୟାଦି ବଳରେ ସମସ୍ତଙ୍କୁ ଆପଣାର କରିଥିଲେ । ଲୁହ ଛଳଛଳ ଆଖିରେ, ଗାଡ଼ି ପାଖରେ ବୁଢ଼ାବୁଢ଼ୀ, ଯୁବାଯୁବତୀ ଓ ପିଲାଏ ଠୁଳ ହୋଇଥାଆନ୍ତି । କାହାରି ମୁହଁରୁ ପଦେ ବଚନ ନାହିଁ । ବାପାଙ୍କ ତୁଣ୍ଡରେ ଶେଷ କଥାପଦକ–‘ମାଆ’ ସେଇଠୁ ମୁଣ୍ଡରେ ଯୋଡ଼ହାତ ଲଗାଇ ଗାଡ଼ିରେ ଶୋଇଲେ । ଗାଆଁ ଲୋକଙ୍କୁ ହାତଯୋଡ଼ି ବିଦାୟ ନେଲେ । ବୋଉ ଘରୁ ବିଦାୟ ହୋଇ ଠାକୁର ଘରେ ମୁଣ୍ଡିଆ ମାରି, ସାଥିରେ ଗଲା । ଆଖିରୁ ମୋର ଲୁହ ଯେତେ ଚାପିଲେ, ବାରଣ ମାନୁ ନ ଥାଏ । ମନେଅଛି, ସାରଥିଆଭାଇ ଧମକାଇ କହିଲା, ‘‘ଅନୁକୂଳରେ, ଗଲା ଆଇଲାବେଳେ କାନ୍ଦିବାର ନୁହେଁ ।’’

 

ବଳଦ ଯୋଚା ହେଲା । ଠିକ୍ ଏତିକିବେଳେ କାହିଁ ଥିଲା ଗୋଟାଏ ମାଟିଆ ଚିଲ ଉଡ଼ିଆସି ଆମରି ଚାଳ ଉପରେ ବସିପଡ଼ିଲା । ଲୋକେ କହନ୍ତି–ଏଗୁରା ଅଶୁଭ ଶକୁନ । ଛାତି ଭିତରଟାରେ କିଏ ଯେମିତି ହାତୁଡ଼ି ପାହାର ବଜାଇଲା ମୋର । ଲୋକେ ଚିଲଟାକୁ ଘଉଡ଼ାଇ ଦେଲେ ।

 

ବାଟରେ ବି କେତେ ଅଶୁଭ ଶକୁନ ଦେଖି ଦେଖି ଗଲୁ । ମାଆ ପୁଅ ଦିହିଁଙ୍କ ଆଖିରେ ଲୁହ ଜକେଇ ଆସୁଥାଏ । କାଠଯୋଡ଼ି ପାରିହେବାକୁ ରାତି ହୋଇଯିବା ଡରରେ ସାରଥିଆ ହାତ ସହଳ କରି ବଳଦ ଅଡ଼ାଇବାରେ ଲାଗିଲା । ଦେବୀଦ୍ୱାର ପରେ, ଅନିଚ୍ଛା ସତ୍ତ୍ୱେ ଚୁଡ଼ାପାଣି କରି ପୁଣି ଚାଲିଲୁ । କାହାରି ତୁଣ୍ଡରୁ କଥା ନାଇଁ । ଆଖିରେ ଲୁହ, ମନେରେ ଅଜଣା ଆଶଙ୍କା ।

 

ମାଛିଅନ୍ଧାର ବେଳକୁ ଶଗଡ଼ ମାହାଳକୁଦ ପାଖ ଧରିଲା । କଟକ ବସା ଧରୁ ଧରୁ ରାତି ଘଡ଼ିଏ ।

 

ଆଠଗଡ଼ରୁ ଠିକ୍ ସେତିକିବେଳକୁ ଆସି ପହଞ୍ଚିଥାନ୍ତି ରାମଦାସ ବାବାଜୀ । ଯୁବକ ସେତେବେଳେ ସେ । ବାବାଜୀ ବୋଲି କହିଲେ ଆମେ ସାଧାରଣତଃ ଯାହା ବୁଝୁ, ସେ ଠିକ୍ ତା’ ନୁହନ୍ତି । ବାବାଜୀ ଶବ୍ଦର ବାସ୍ତବ ଅର୍ଥ ଯାହା, ରାମଦାସ ବାବାଜୀ ସେଇଆ । ନିଷ୍ଠାପର ଜନସେବକ ସେ । ବହୁ ଦିନରୁ ତାଙ୍କ ସହିତ ମୋର ଚିହ୍ନାଜଣା ଥିଲା । କଟକ ଆସିଲେ ମୋ ବସା ତାଙ୍କର ବସାହୁଏ । ବାପାଙ୍କୁ ସାହାଯ୍ୟ କରି ଗାଡ଼ିରୁ ବସା ଭିତରକୁ ନେଲେ ସେ । କଟକରେ କଲେଜ ଓ କେତେକ ବୈଠକସ୍ଥଳ ଛଡ଼ା ମୋର ଠାବ ତ ଆଉ ନ ଥାଏ କୋଉଠି । କ’ଣ କରିବି ? କିପରି, କି ଚିକିତ୍ସା କରାଇବି ? ମୋର କେନ୍ଦ୍ରାପଡ଼ାର ପିଉସା ସ୍ୱର୍ଗତ ବାଞ୍ଛାନିଧି ଦାସ କଟକ ଟ୍ରେଜେରୀ ଅଫିସର ଥଆନ୍ତି । ତାଙ୍କ ବସା ମହମ୍ମଦିଆ ବଜାର ଲକ୍ଷ୍ମୀନାରାୟଣ ମନ୍ଦିର ଗଳି ଭିତରେ । ଭାବିଲି ତାଙ୍କୁ ଖବର ଦେବି । ତାଙ୍କ ଘରଟା ଟିକିଏ ଦୂର । ପାଖରେ ପ୍ରହରାଜଙ୍କ ଘର । ରାମଦାସ ବାବାଜୀଙ୍କୁ ବସାରେ ବାପାଙ୍କୁ ଟିକିଏ ଦେଖୁଥିବାକୁ କହିଦେଇ ବାହାରିଲି ପ୍ରହରାଜମଉସାଙ୍କ ଘରକୁ । ସେ ସଞ୍ଜବେଳେ ସଅଳ ଶୋଇପଡ଼ନ୍ତି, ମୁଁ ତାଙ୍କ ଦୁଆରେ ପହୁଞ୍ଚିବା ବେଳକୁ, ଯୋଗକୁ ସେ ସଦର କବାଟ ଦେବାକୁ ଆସିଥିଲେ । ମୋଠୁ ସବୁ ଶୁଣି ସାଙ୍ଗେ ସାଙ୍ଗେ ସାଥିରେ ଆସିଲେ । ବାପାଙ୍କର ସେତେବେଳେକୁ ପାଟିରୁ ଖାଲି ଲାଳ ବହୁଥାଏ, ବେକ ଟେକି ପାରୁ ନ ଥାନ୍ତି । ମଉସା ତାଙ୍କୁ ଦେଖି ବ୍ୟସ୍ତ ହୋଇ ପଡ଼ିଲେ ।

 

ପରଦିନ ସକାଳୁ ଆରମ୍ଭ ହେଲା ଚିକିତ୍ସା । ଦୈବୀକ୍ରିୟା ଉପରେ ବୋଉ ବିଶ୍ୱାସ କରେ ବେଶି । ଚାନ୍ଦିନୀଚୌକର ଜଣେ କିଏ ପୃଥୁଳକାୟ କବିରାଜଙ୍କ ଚିକିତ୍ସା ସହିତ କାଳୀମନ୍ଦିରରେ ବ୍ରାହ୍ମଣ ବରଣ ହୋଇ ଚଣ୍ଡୀପାଠ ମଧ୍ୟ ଚାଲିଲା । ସୁରେନ୍ ସାହା ଡାକ୍ତରଙ୍କ ଦୋକାନ ମୋ ବସା ଆଗରେ, ତାଙ୍କୁ ଡାକି ବାପାଙ୍କୁ ଦେଖାଇଲି । ସେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ ।

 

ମୋ ସାଙ୍ଗରେ କେହି ସ୍ୱର ମିଳାନ୍ତୁ–ଏକଥା ମୁଁ ଚାହୁଁ ନାହିଁ । ହୁଁ, କୁ’ ହାଁ’ କେହି ନ କରନ୍ତୁ, ହେଲେ ଗୋଟାଏ ଧାରଣା ମୋର ଜନ୍ମିଲା–ଏତେବେଳେ ‘ବରଣ ଡାଲା’ ବହିର ଗୀତ କୋତୋଟି ଯେମିତି ସତେ ‘ଉପରେ ନିର୍ଦ୍ଦେଶରେ, ଉପର ଉଦ୍ଦେଶ୍ୟରେ ଲେଖା । ଠିକ୍ ଏଇଗୁଡ଼ିକର ରଚନା ଆଗରୁ ମୁଁ ଯାହା ଥିଲି, ଏ ଗୀତଗୁଡ଼ିକର ଲେଖାବେଳେ ବା ପରେ ତା’ ନ ଥିଲି । କେମିତି ବା କାହିଁକି ବଦଳିଲି ଜାଣି ନାହିଁ । ପରେ ଜାଣିଲି ଯେ, ଦୁଃଖ ଦିଅନ୍ତି, ତାହା ସହିବାକୁ ଛାତିଟାକୁ ବି ତିଆରି କରାଇ ଦିଅନ୍ତି ସେ । ‘ବରଣ ଡାଲା’ ମୋ ଜୀବନ ସୁଅର ଧାର ମୁହଁ ବଦଳିବା ଆଗର ପଥର ବନ୍ଧ ବୋଲି ମୁଁ ମନେକରୁଛି । ମାଟିଟା ସତେଯେମିତି ଅଲଗା ରକମର ପାଗେଇ ଯାଇଥିଲା, ଦୁଃଖ ମଞ୍ଜିବୁଣା ଆଗରୁ । ପୁଣି ଯୋଗ ଦେଖ ! ଏତିକିବେଳକୁ ବାବାଜୀ ରାମଦାସ ଅନହୁତି ଆସି ହାଜର । ସେତେଅବା ଦମ୍ଭ ଦେବାକୁ ମୋତେ ତାଙ୍କୁ କିଏ ପଠାଇଦେଲା !

ଶୁକ୍ରବାର ଦିନ ମୁଁ ଗାଆଁକୁ ଗଲି । ପରୀକ୍ଷା ଶୁକ୍ର ଓ ଶନି ଦି’ଦିନ ବନ୍ଦ । ରବିବାର ତ ଛୁଟି । ସେଇଦିନ ମୁଁ କଟକ ଫେରିଲି । ମୋ ଅବସ୍ଥା ତ ଅତି ଶୋଚନୀୟ । ସେଇଥିରେ ସୋମବାର ଦିନ ପରୀକ୍ଷା ହଲ୍‌କୁ ଗଲି । ଗୋଟିଏ ପେପର ସେଦିନ । ମଙ୍ଗଳବାର ଓ ବୁଧବାର ବନ୍ଦ । ଗୁରୁବାର ଦିନ ପୁଣି ପରୀକ୍ଷା ଦେବାକୁ ଗଲି । ସେଦିନ ବଡ଼ ଏକାଦଶୀ, ବୋଉର ଉପବାସ-

ପରିକ୍ଷା ହଲ୍‌ରେ ବସିଛି । ଦିନ ପ୍ରାୟ ୩ଟା । ପ୍ରହରାଜ ମଉସା ହଲ୍ ଦୁଆରେ ପହଞ୍ଚି ପରୀକ୍ଷାହଲ୍ ଚାର୍ଜରେ ଥିବା ପୂଜ୍ୟ କୃତ୍ତିବାସ ସାମନ୍ତରା ପ୍ରଫେସରଙ୍କୁ କ’ଣ ଚୁପ୍ ଚୁପ୍ କରି କହିଲେ, ତାଙ୍କୁ ଦୁଆର ମୁହଁକୁ ଡାକିନେଇ । ସେ ମୋ ପାଖକୁ ଆସି ପଚାରିଲେ–‘‘ପୁଅ ! ଲେଖିସାରିଲଣି ?’’

 

ମୁଁ–ଆଉ ଅଳ୍ପ ଅଛି ।

 

ସେ କହିଲେ, ‘‘ଆଚ୍ଛା ଯେତିକି କରିଛି, ସେତିକି ଥାଉ । ଖାତା ରଖିଦେଇ ବାଗେ ବସାକୁ ଯାଅ । ତମକୁ ଗୋପାଳ ପ୍ରହରାଜ ଡାକି ଆସିଛନ୍ତି । ଆଉ କିଛି ପଚାରିବାକୁ ବା ଭାବିବାକୁ ତର ନ ଥିଲା ମୋର । ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ଖାତା ଥୋଇ ଦେଇ ହଲ୍‌ରୁ ବାହାରି ଆସିଲି । ମଉସା ଦୁଆରେ ଠିଆ ହୋଇଥିଲେ । କିଛି ପଚାରିବା ଆଗରୁ ସେ କହିଲେ–‘‘ବାପାଙ୍କ ଦେହ ଟିକିଏ ବେଶି ଖରାପ ପରି ଲାଗୁଛି । ବସାରେ ଏକା ତୋ ବୋଉ, ମୁଁ କଚେରିରୁ ଫେରି ତୋ ବସାକୁ ଯାଇଥିଲି, ତୁ ଆ ।’’

 

କଥାପଦେ କହିବାକୁ ବଳ ନ ଥିଲା ଆଉ । ବସାଟା ତ ନିହାତି ପାଖ । ପହଞ୍ଚିବାକୁ ପାଞ୍ଚ ମିନିଟ୍ ଲାଗିଲା । ତରତର ହୋଇ ଯାଉଯାଉ ବସାକୁ ପଶିବା ଗଳି ବାଟର ଦୁଆର ବନ୍ଧଟା ଖୁବ୍ ଜୋରରେ ମୁଣ୍ଡରେ ବାଜିଲା । ଆଖି ଦି’ଟାରୁ ସତେଅବା ଜୁଳୁଜୁଳିଆ ପୋକ ବାହାରି ପଡ଼ିଲା-। ତାକୁ ନ ଚାହିଁ ବାବାଙ୍କ ନିକଟରେ ପହୁଞ୍ଚିଲି । ବୋଉ ବାପାଙ୍କ ମୁହଁ ପାଖେ କୁଣ୍ଡଟିଏ ଧରିଛି-। ଲାଳ ବହି ଯାଉଛି । ନିଃଶ୍ୱାସ ଘନ ଘନ ବହୁଛି । ମୁଣ୍ଡ ଆଉ ମୋଟେ ଟେକି ପାରୁ ନାହାନ୍ତି-। ଡାକିଲି–‘ବାପା’ ! ବହୁ କଷ୍ଟରେ ଥରେ ଖାଲି ମୁଣ୍ଡ ଉଠାଇ ଚାହିଁଲେ । ସେ ଆଖି ଦୋ’ଟି କେଜାଣି କେତେ ସ୍ନେହ, ମାୟା, ମମତା ଆଶୀର୍ବାଦ ଅଜାଡ଼ି କ’ଣ ଗୁଡ଼ାଏ ଅଫୁଟା କଥା ଆଖିପିଛୁଳାକେ କହି ପକାଇଲା । କେବେଳ ହାତ ପାପୁଲି ଉପରକୁ ଟେକି ଓଲଟାଇଦେଇ ସେ ଜଣାଇ ଦେଲେ–‘ଚାଲିଲି’ । ବୋଉ ଧଡ଼ପଡ଼ ହୋଇ ଉଠି ପଡ଼ିଲା । ମଉସା କହିଲେ–‘‘ନିର୍ମାଲ୍ୟ ପାଣି’’....

 

ବୋଉ ଏଇଥିପାଇଁ ଉଠି ଆସିଥିଲେ । ଚଟ୍‌କରି ଘେନି ଆସିଲା ସେ । ଢୋକେ ମାତ୍ର...ତା’ପରେ ସଂସାରଟାଯାକ ଅନ୍ଧାର ହୋଇଗଲା ମୋର ।

 

ଡାକିଲି–‘ବାପା’ ! ଉତ୍ତର କିଏ ଦେବା ଆଉ ? ଗୋଟାଏ କ’ଣ ପଡ଼ିବା ଶବ୍ଦ ଶୁଭିଲା । ସେ ଆଉ କିଏ ହୁଅନ୍ତା ? କଚାଡ଼ି ହୋଇ ପଡ଼ିଛି ଦୁଆର ମୁହଁରେ ବୋଉ ।

 

ତା’ପରେ ?

 

୧୯୧୯ ସାଲ ଡିସେମ୍ବର ମାସ ଗୁରୁବାର ୨୩ ତାରିଖ । ଯୋଡ଼ା ବୟସ ବାଇଶି ଚାଲିଛି ମୋର । ଲେକେ କହନ୍ତି ବାଇଶି, ବତିଶି, ବାଆଷଠି–ଏସବୁକୁ ସାବଧାନ ।

 

ପିଉସା ବାଞ୍ଛାନିଧିବାବୁ ମଉସାଙ୍କଠାରୁ ଖବର ପାଇ କେତେକ ଜାତିଭାଇଙ୍କୁ ସାଙ୍ଗରେ ନେଇ ସଞ୍ଜ ପୂର୍ବରୁ ମୋ ବସାରେ ପହୁଞ୍ଚିଲେ । ଯେଉଁ କାଠଯୋଡ଼ି ନଈ ବନ୍ଧ ତଳେ କେତେ ହସଖୁସିରେ ବହୁତ ଜହ୍ନରାତି ବିତାଇଛି, ସେଇ ବନ୍ଧତଳି ସଡ଼କ ତ ! ସେଦିନ ମାଘମାସ, ଶୁକ୍ଳପକ୍ଷ ବଡ଼ ଏକାଦଶୀ । ବାକି ମୋ ପାଇଁ ଜହ୍ନ ନ ଥିଲା ସେଦିନ ଏତେବଡ଼ ଆକାଶଟାଯାକରେ ସେତ !

 

‘ରାମନାମ ସତ୍ୟ ହେ–ହରିନାମ ସତ୍ୟ ହେ’–ଏଇ ସେଦିନର ସଙ୍ଗୀତ ।

 

ଆଖିରେ ଲୁହ, ମନରେ କୋହ, ତଳକୁ ମୁହଁ । ସିଧା ସିଧା ସଳଖିଲି କୋକେଇ ପଛେ ପଛେ ଖାନନଗର । ତା’ପରେ ? ମୁଖାଗ୍ନି ଦେଇ ବାହୁଡ଼ାଣୀ ବାଟର ସାଥୀ କେବଳ ରାଜବଗିଚାର ପେଚାରବ ।

ଫୁକିଆ ଉଇଁଲା । ରାତି ପାହିଲା । ହଠାତ୍ ମୋତେ ଆସିଲା ଭାରି ଜ୍ୱର । ପିଉସା ତାର କରିଦେଲେ, ଖୋରଧାରୁ ଆସି ଦି’ପହରେ ପହୁଞ୍ଚିଲେ କ୍ଷେତୁଦାଦା । ବୋଉ କାନ୍ଦି କାନ୍ଦି କହିଲା–‘‘ଆଉ ଏତେବେଳେ କାହିଁକି ?’’ ଛୁଟି ନ ଆଣି ହଠାତ୍ ଚାଲି ଆସିଥିବାରୁ ସେଇଦିନ ଖୋରଧା ଫେରିଗଲେ ସେ । କାନ୍ଦି କାନ୍ଦି ସାରିଥିଆ ଗାଡ଼ି ନେଇ ଆସିଲା । ରଇଶୀତଳା କାମସାରି ଗାଆଁକୁ ଫେରିଲୁ ଶଗଡ଼ରେ । ଆଉ କାହିଁକି ? ପୁଣି କଟକ ଫେରିବାର କୋଉ ଠିକଣା-? ବସାର ସବୁ ନଟା ତୁଟାଇ ଦେଇଗଲୁ । ପୂଜାରିଟି ବିଚରା କାନ୍ଦି କାନ୍ଦ ଚାଲିଗଲା ।

ରାତିରାତି ନାଲି ସଡ଼କରେ ଚାଲିଛି ଗାଡ଼ି । ରାତି ପାହା ପାହା ହେଲାବେଳକୁ ଚଇତି ମୁଣ୍ଡିଆ ଗଡ଼ାଣିରେ ପହଞ୍ଚିଲୁ । ଦିଶିଥାଏ ସୁବର୍ଣ୍ଣପୁର । ଦିଶୁଥାଏ ରଣଗଡ଼ ମୁଣ୍ଡିଆ । ମନେ ପଡ଼ିଯାଉଥାଏ ସବୁ ପଛକଥା–ଗୋଟିଏ ପରେ ଗୋଟିଏ ସମସ୍ତେ ଲୁହ ଗାଧୁଆ ।

ଆଉ ଅଳ୍ପ ବାଟ ଗଲେ ରଣନଈ । ସେଇଠି ଦାନ୍ତଘଷିବାର ଠିକ୍ କରିଛୁ ।

ସେତେବେଳକୁ ରଣନଈ ଉପରେ ପୋଲ ବନ୍ଧା ହୋଇ ନ ଥାଏ । ପଶାନଈ ପାଣିରେ ପଶି ପାରିହେବାକୁ ପଡ଼ିବ । କିମ୍ଭୀରିଆ ନଈ ବୋଲି କାଳକାଳରୁ ତା’ର ଅପଖ୍ୟାତି ଅଛି । କେତେଥର ଏଇପାଣିରେ ପଶିକରି ନଈ ପାରି ହୋଇଛି । ଅବଶ୍ୟ ଶୁଣାଅଛି ଯେ ବେଳେବେଳେ ନଈକୂଳେ ଚରୁଥିବା ଛେଳିମଣ୍ଢା, ଗାଈଗୋରୁଙ୍କୁ ମଧ୍ୟ କୁମ୍ଭୀର ପାଣିକି ଟିଣିନିଏ । ମହାନଦୀରେ ଥଣ୍ଟିଆ କୁମ୍ଭୀର ମେଳା ମେଳା । ମଣିଷକୁ ଦେଖିଲେ ବୁଡ଼ିଯାନ୍ତି । ଏ ରଣନଈଟା ମହାନଦୀରୁ ବାହାରିଛି । ଥାନେ ଥାନେ ଅକାତକାତ ପାଣି । ଏଠି ଘଡ଼ିଆଳ ଆଉ ଶଙ୍ଖୁଆ ଇତ୍ୟାଦି ହିଂସ୍ରକୁମ୍ଭୀର ରହିବାର ସୁବିଧା । ନଈରେ ସୁଅ ତ ନାହିଁ କହିଲେ ଚଳେ ।

ସେଦିନ କେଜାଣି କାହିଁକି କୁମ୍ଭୀର କଥାଟା ମନରେ ପଡ଼ିଗଲା ହଠାତ୍ । ଡର ଲାଗିଲା-। ନଈ ଭିତରେ ଗାଡ଼ି ପଶିଲା ।

ପାଣି ବଦଳଙ୍କୁ ତୁଣ୍ଡୁଳାଏ ହେବା ଥାନରେ ହଠାତ୍ ବାଆଁପଟ ବଳଦଟାକୁ ଛିଟିକା ମାରିଲାପରି ଆଖି ପିଛୁଳାକେ କୁମ୍ଭୀର ଟାଣିନେଲା । ପାଣି ମନ୍ଥି ହୋଇଗଲା । ଗାଡ଼ି ଅଣେଇ ହୋଇ ପଡ଼ିଲା ।

ଭାବିଲି, ଏଇଥର ସବୁ ସରିଗଲା । ନଈକୂଳରେ ଜଣକେତେ ଚାଷୀ କ୍ଷେତକାମ କରୁଥିଲେ । ‘‘ଆରେ କିମ୍ଭୀର ମାରିନେଲା, କିମ୍ଭୀର ମାରିନେଲା’’ ବୋଲି ପାଟିକଲେ । କେତେଜଣ ଲୋକ ଠେଙ୍ଗା ବାଉଁଶ–ଯାହା ହାତରେ ଯାହା ପଡ଼ିଲା, ଧରି ପାଣିକି ପିଟି ପିଟି ପଶିଆସିଲେ । ଫଳ ନାଇଁ କିଛି । କିମ୍ଭୀରଟା ବଳଦକୁ ଟାଣିନେଇ କୁଆଡ଼େ ପାଣିରେ ବୁଡ଼ିଗଲାଣି ।

ଗାଡ଼ି ପାଣି ମଝିରେ । ଲୋକେ ସାହାଯ୍ୟ କରି ଶୁଖିଲାକୁ ଉଠାଇଲେ ଟାଣିଟାଣି । ମୁଁ ଆଉ ବୋଉ–ଦି’ଜଣ ଜୀଅନ୍ତା ମଡ଼ା ସେତେବେଳେ । ଭାବି ହେଉ ନ ଥାଏ, କିଭଳି ବିପଦ ଇଏ, କି ଇଚ୍ଛା ଭଗବତୀଙ୍କର । ଶୁଖିଲାକୁ ତ ଶଗଡ଼ ଆସିଲା–ଏବେ ଯିବା କେମିତି ? ସେଠି ପ୍ରାୟ ସମସ୍ତେ ଜାଣନ୍ତି ବାପାଙ୍କୁ । ତାଙ୍କ ଦେହାନ୍ତ ଖବର ପାଇ କେତେ ଦୁଃଖ କଲେ । ଜଣେ ବାହାରି ତାଙ୍କର ପଟେ ବଳଦ ଆଣିଦେଲେ । ବାଟ ଆଉ ଛଅ, ସାତ ମାଇଲ ଗଲେ ଘର । ସେ ଉପକାରୀ ବନ୍ଧୁ ମଧ୍ୟ ଶଗଡ଼ ସାଙ୍ଗେ ସାଙ୍ଗେ ଚାଲିଲେ ।

ଆମ ତିନିଜଣଙ୍କର କାହାରି ମୁହଁରେ କଥା ନାହିଁ । ଦାନ୍ତ ଘଷିବାଟା ପାସୋରିଗଲା କୁଆଡ଼େ । ଖାଲି ଭାବୁଥାଏ, କୋଉ ମୁହଁ ଦେଖାଇବି ଗାଆଁ ଲୋକଙ୍କୁ, କେମିତି ? ମାଆ ! କି ଦୁଃଖ ନ ଦେଲୁ, ତୁ ? ଦେହରେ ମୋର ସେତେବେଳକୁ ତାତି ଖଇ ଫୁଟୁଥାଏ । ବୋଉର ଧାର ଲୁହ ବହି, ଭୋକ ଉପାସରେ ଆଖି ଦି’ଟା ଫୁଲି ଲାଲଲାଲ ଦିଶୁଥାଏ; ତଥାପି ମୋ ଦେହ ମୁଣ୍ଡ ଆଉଁସି, ଜର ଦେହର ଶୀତରୁ ରକ୍ଷା ପାଇଁ କାନି ପଣତ ଘୋଡ଼ାଇ ଦେଉଥାଏ ।

 

ଉଃ ! କି ଛାତି ! କି ସ୍ନେହ, କି ମମତା !

 

–ମାଆ ତ !

 

ଗାଆଁରେ ପହଞ୍ଚିଲୁ ।

 

ଭାରି ଜର । ମୋଟେ ଉପଶମ ହେବାକୁ ନାହିଁ । ସେଥିରେ ସେମିତି ଦୁର୍ବଳ ଥାଇ ଶୁଦ୍ଧିକର୍ମ କରୁଥାଏ । ପ୍ରାୟ ସପ୍ତମୀଦିନ ପାହାନ୍ତା ପହର ସରିକି ସ୍ୱପ୍ନ ଦେଖିଲି–ବାପା ଓ ବାସୁକକେଇ (ବାସୁଦେବ ମିଶ୍ର)ଙ୍କୁ । ବାସୁକକେଇ ବାପାଙ୍କୁ କହୁଛନ୍ତି–‘‘କ’ଣ ଭାଇନା ! ଏତେ ଲୋକଙ୍କୁ ଔଷଧ ଦିଆନିଆ କରୁଚ, ପୁଅର ଜରଟା ଛଡ଼ାଇ ପାରୁ ନାହଁ ?’’

 

ଉତ୍ତରରେ ମୋ ମଥା ଆଉଁସି ବାପା କହିଲେ, ‘‘କାଲିକି ଜର ଛାଡ଼ିଯିବ ଯେ, ଭାବୁଚୁ କାହିଁକି ?’’

 

ନିଦଟା ଚାଉଁକିନା ଭାଙ୍ଗିଗଲା । ଦେଖିଲି, ଦେହରୁ ଝାଳ ଦେଉଚି । ସତକୁସତ ଜ୍ୱର ଛାଡ଼ିଗଲାଣି । ଆଉ ଲେଉଟାଇ ନାହିଁ ।

 

ଶୁଦ୍ଧିକ୍ରିୟା (ଦଶାହ)ର ତିନି ଚରିଦିନ ପୂର୍ବରୁ ଖୋରଧାରୁ ଦାଦା ଆସିଲେ । ବଡ଼ାମ୍ବାଦାଦା–ବାପାଙ୍କର ଯେ ଅତି ଆଦରର ଏକା ମାଆ ପେଟର ଭାଇ, ସେ ସଙ୍ଗରେ ତିନି ଚାରିଜଣ ଲୋକ ନେଇ ନଅଦିନ ଉପରଓଳି ଆସିଲେ । ବୋଉ ପାଖେ ଯାହା କିଛି ସଞ୍ଚିତ ଥିଲା, ସେଇଥିରେ ବାପାଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ ହେଲା । ବାପା ତ ସଂଗ୍ରହୀ ନ ଥିଲେ । ତେଣୁ ତାଙ୍କ ହାତ ବାକ୍ସରୁ ମାତ୍ର ମିଳିଲା ପାଞ୍ଚି ସିଉକା । ବିସ୍ତର ଖର୍ଚ୍ଚ କରୁଥିଲେ ସେ । କେହି ସଞ୍ଚୟ କଥା ପଚାରିଲେ ସେ ହସି ହସି କହନ୍ତି–

 

‘‘ପୁଅ ଯେବେ ଯୋଗା

ତେବେ ଧନ କାହିଁପାଇଁ ସଞ୍ଚୁ ?

ପୁଅ ଯେବେ ଅଯୋଗା

ତେବେ ଧନ କାହିଁପାଇଁ ସଞ୍ଚୁ ?’’

 

ବୋଉ ହାତର ସାମାନ୍ୟ ପଇସା କଉଡ଼ି ଶୁଦ୍ଧିକ୍ରିୟାର ଆଡ଼ମ୍ବରରେ ଚଡ଼ୁଭୁଡ଼ୁ ହୋଇଗଲା । କେହି ଖରଚର ପ୍ରଶ୍ନ ମଧ୍ୟ ଉଠାଇ ନାହିନ୍ତି କିମ୍ବା ଏହା ପରେ ମୁଁ କିପରି ପଢ଼ିବି ଅବା ଭବିଷ୍ୟତ୍ ମୋର କ’ଣ ହେବ, ସେ କଥା ବି ପଚାରି ନାହିନ୍ତି ।

 

ମହନଦାଦା (ବଡ଼ାମ୍ବା) ତେର ଦିନରେ ଘରୁ ଯାଆନ୍ତି ନାହିଁ ବୋଲି, ବାର ଦିନରେ ଚାଲିଗଲେ । କ୍ଷେତୁଦାଦା ଶୁଦ୍ଧିଘର ଲୁଗାତକ କିଣି ଆଣି ଦେଇଥିଲେ, ଚର୍ଚ୍ଚିକା ହାଟ ହୁରୁଷି ସାହୁ ଦୋକାନରୁ ।

 

ସଭିଏ ପିନ୍ଧିଲେ । ବୋଉ ପିନ୍ଧି ନ ଥାଏ । ବାରଦିନ ସକାଳୁ ମୁଁ ପୋଖରୀ ପାଣି ଯିବାକୁ ଗାମୁଛା ବଦଳି ଘରୁ ବାହାରୁଛି, ବୋଉ ଆମ ଘର କାନ୍ଥରେ ଟଙ୍ଗା ହୋଇଥିବା ବାପାଙ୍କ ଫଟୋ ତଳେ ଥିବା ଟ୍ରଙ୍କକୁ ଆଉଜି ଫଟକୁ ଲୁହଝରା ଆଖିରେ ଅନାଇ ଠିଆ ହୋଇଥାଏ । ଟ୍ରଙ୍କ ଉପରେ ଦାଦାଙ୍କ ଦିଆ ଲୁଗାଟା ଥୁଆ ହୋଇଥାଏ । ମୁଁ ପଚାରିଲି–‘‘ବୋଉ, ଲୁଗା ପିନ୍ଧିଲୁ ନାଇଁ ?’’ ଉତ୍ତରରେ ଲୁହପୋଛି ମୋତେ କୋଳକୁ ଟାଣିନେଇ, ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲା–‘‘ପିନ୍ଧିବି, ତୁ ଯୋଉଦିନ ଆଣି ଦବୁ ବାପା ।’’ କହି ଘରୁ ତରତର ହୋଇ ବାହାରି ଚାଲିଗଲା-। ଲୁଗା ସେଇମିତି ଥୁଆ ହୋଇଥାଏ । ମୁଁ ଲୁଗା ଟେକି ଦେଖିଲି ଯେ, ସେ ଖଣ୍ଡିକ ସେ କାଳର ମାନ୍ଦ୍ରାଜୀ ଲୁଗା ଆଙ୍ଗୁଳେ ହେବ କଳାଧଡ଼ି–ଅତି ମୋଟା । ବୋଉ ଏଭଳି ଲୁଗା ତା’ ଜନମକେ ପିନ୍ଧି ନାହିଁ । ଆମ ବାଡ଼ିତାଟି ଖଟିବା ସାରିଆ ହାଡ଼ିଆଣୀକି ଏମିତି ଲୁଗା କେତେଥର ଦିଆ ହୋଇଚି-

 

ଆଖି ଲୁହରେ ଭରିଗଲା ମୋର । ମାଆଙ୍କୁ ଡାକି ଚାଲିଗଲି ସେଠାରୁ । ମନରେ ନିଜକୁ କେତେ ଧିକ୍‌କାର କଲି, କେତେ କାନ୍ଦିଲି–ବାଡ଼ିତାଟିରେ ବସି ।

 

ଜ୍ୱର ସିନା ଛାଡ଼ିଗଲା । ମୁଁ କିନ୍ତୁ ସୁସ୍ଥ ରହୁ ନ ଥାଏ । ଲୋକେ କହିଲେ, ‘ପିତୃସମ୍ବତ୍ସର’-। ହୋଇଥିବ ଅବା, ସେଇଥିପାଇଁ ନିତି କିଛି ନା କିଛି ରୋଗ ଲାଗି ରହିଥାଏ ମୋର-। କିଛିଦିନ ମ୍ୟାଲେରିଆ ଜର ଭୋଗିଲି । ପାଳି କରି ଜର ହେଉଥାଏ ।

 

ମନଟା ତ ନିହାତି ଖରାପ ଥାଏ । ବାରଚିନ୍ତା ମୁଣ୍ଡ ଉପରେ । ସେତେବେଳେ କେବଳ ଶାନ୍ତିରସ୍ଥଳୀ ଠାକୁରାଣୀଙ୍କ ଚାହାଣିମଣ୍ଡପ ଆଉ ବାଡ଼ିତଳ ନଈବନ୍ଧ । ଘରେ କ୍ଷେତୁଦାଦାଙ୍କ ବଡ଼ଭାଇ ନାଥଦାଦା ଥାଆନ୍ତି । ସେ ଜଣ ବିଶୁଦ୍ଧ ବେକାର । ଘରର ଭଲ-ମନ୍ଦ, ହାନୀ-ଲାଭ, ନିକି-ବଦି, ମଲାଗଲା–କୋଉଥିକି ତାଙ୍କର ଭାବନା ନ ଥାଏ କି ସମ୍ପର୍କ ନ ଥାଏ । ବାପାଙ୍କ କାଳ ହେବା, ମୋତେ ଜର ହେବା, ଘରର ଭବିଷ୍ୟତ୍ ଚଳିବା ଚିନ୍ତା–ଏସବୁ ତାଙ୍କର ମୋଟେ ନ ଥିଲା । ଆଖି ଦିଇଟା ଅଛି–ସବୁ ଜଳଜଳ କରି ଚାହୁଁଛନ୍ତି, ଦେଖୁଛନ୍ତି ଆଉ କାନ ଦିଇଟା ଅଛି, ସବୁ ଶୁଣୁଛନ୍ତି; ଅତଏବ ଥାଇ, ନ ଥିବା ପରି । ସେ ଅଳ୍ପ କଥାବାର୍ତ୍ତା କରନ୍ତି, ବେଳେବେଳେ । ତାଙ୍କୁ ଆଉ ବିପତ୍ତିବେଳେ ପଚାରିବି ବା ତାଙ୍କ ପରାମର୍ଶ ନେବି କ’ଣ ?

 

ଚଉଦିଗ ଶୂନ୍‌ଶାନ ଦିଶୁଥାଏ । ମୁଁ ଗାଆଁରୁ ବାହାରେ ରହିଲା ଦିନୁ ତ ସାଙ୍ଗ ସାଥୀ ଛାଡ଼ରା ହୋଇ ଯାଇଥିଲି । ଯାହା କହନ୍ତି–‘ଗାଈ ମାଇଲେ ମଲି–ଗାଈକି ମାଇଲେ ମଲି’ ସେଇ ଦଶା ମୋର । ଘରେ ରହିଲେ ବୋଉର ସେ ହସ-ପାସୋରା ମୁହଁ–ଘରୁ ବାହାରୁକୁ ଗଲେ ସ୍ମୃତିର ଆକ୍ରମଣ । ଏକୁଟିଆ ପଡ଼ି ପଡ଼ି ବ୍ୟସ୍ତ ବିରକ୍ତି ଲାଗିଲେ ଉପରଓଳି ମହାନଦୀ ବନ୍ଧକୁ ଯାଏ, ଟିକିଏ ମନ ବଦଳାଇବାକୁ । ସେଠି ହେଲେ କ’ଣ ରକ୍ଷା ଅଛି ? ସେ ବୁଢ଼ା ଓସ୍ତଗଛଟା ଏବେ ବି ବିଞ୍ଚି ରହି, କୋଉ ହଜିଲାଦିନର କଥା ମୋ କାନେ ଶୁଣାଏ । ସେଇ ‘‘ସୁଲୁସୁଲିଆ ପବନରେ ଓସ୍ତ ପତରଗୁରା ସିନା ଦୋହଲୁଛି, ଖଡ଼ଖଡ଼ ହୋଇ ଡକା ପକାଉଛି ହେଲେ ଗଣ୍ଡି ତ ସେଇମିତି ଠିକ୍ ଅଛି । ସ୍ଥିର ରହିଛି’’ ବାପା ଦିନେ ବୁଲିଗଲାବେଳେ କହିଥିଲେ ଏଇ କଥା ମୋତେ । ତାଙ୍କରି ସେ ଉପଦେଶ, ତାଙ୍କରି ଆଜ୍ଞା ପାଳି । ମୋର ପୁଅପରିଆ ସିନା ! ହାତ ଦିଇଟା ଛାଏଁ ଛାଏଁ ଯୋଡ଼ି ହୋଇ କପାଳ ଛୁଏଁ । ଆଖି-କୋଣ ଜକାଇ ଆସେ ଲୁହରେ । ମୋତେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟ ଧରିବାକୁ ହେବ ବୋଲି ଭାବେ । ଏତିକିବେଳେ ନଈରେ ନାଆ ଭାସି ଯାଇଥିବାର ଦେଖେ । ଆଗେ ଏ ଦୃଶ୍ୟରେ ମନ ଉଲୁସି ଉଠୁଥିଲା, ଆଜି କିନ୍ତୁ ମନେ ହୁଏ–ଏଇ ଭସା ନାଆ ଭଳି, ମୁଁ କୋଉ ଅଜଣା ଦରିଆ ଆଡ଼କୁ ଭାସି ଭାସି ଯାଉଚି ସିନା ! ଅମାନିଆଁ ମନର ନାନା ଚିନ୍ତା ! ଏତିକିବେଳେ ଶୁଭେ ରୁଚିକ ପର୍ବତ ଉପରୁ ମାଆଙ୍କ ଦେଉଳର ସଞ୍ଜ ଆଳତି ଦେଳିଆ ଯୋଡ଼ି ମହୁରୀ । ଚିନ୍ତାର ମୁହଁ ବଦଳି ଯାଏ; ଘରକୁ ବାହୁଡ଼ି ଠାକୁରାଣୀଙ୍କ ଆଡ଼େ ପାଦ ଟାଣିନିଏ । ଶୂନ୍ୟବାହିନୀ ଚାହାଣି ମଣ୍ଡପ ଉପରୁ ମାଆଙ୍କୁ ଦର୍ଶନ କରେ । ଭାବେ ମୋ ଦୁଃଖ ଜଣା କରିବି; କିନ୍ତୁ ମନେ ପଡ଼ିଯାଏ ପିଲାଦିନ କଥା–ବୋଉ କହିଛି ‘ମାଆଙ୍କୁ କିଛି ଅଳି ଜଣାଇବୁ ନାହିଁ ।’ କହିବୁ–‘ମାଆ ତୋର ଯାହା ଇଚ୍ଛା ତାହା କର’ ଏଇତକ ଭାବୁ ଭାବୁ କେତେ ପିଲାଦିନ କଥା ହେତୁ ହୁଏ । ପୁଣି ଆଖିରେ ଲୁହ ।

 

ଆଚ୍ଛା, ସେଦିନ କ’ଣ ଆଜି ଆଉ ଅଛି ? ବାପମାଆଙ୍କର ଏକଇରବଳା ବିଶିକେଶନ ହୋଇ ଗେଲବସର ପୁଅ ଥିଲି । କୋଉ କଥାକୁ ଚିନ୍ତା ନ ଥିଲା । ଅଭାବ ବୋଲି କିଛି ଜାଣୁ ନ ଥିଲି । ଆଜି ତ ଆଖି ଆଗରେ ସବୁ ଅନ୍ଧାର ।

 

ବୟସ ବଢ଼ୁଥିଲେ ବି ଏତେକାଳ ମୁଁ ଥିଲି ପିଲା, ଆଉ କ’ଣ ସେ ପିଲାଦିନ ଅଛି ? ଏବେ ମୋତେ ଚାଳିବାକୁ ହେବ ଆଉ ଚଳାଇବାକୁ ପଡ଼ିବ । ମୁଣ୍ଡରେ ମୋର ପଥର ବୋଝ । ପିଲାଦିନ ପୋଡ଼ିଗଲାଣି ।

 

ବଡ଼ାମ୍ବା ଗଲି :

 

ମନଟା ଭାରି ବିକଳ ହେଲା । ବାପା ତ ଆମମାନଙ୍କର ସବୁପ୍ରକାର ଯତ୍ନ ନେଉଥିଲେ । ମୁଁ ହେଲି ବାପ ଛେଉଣ୍ଡ ଏଇ ବାଇଶି ବର୍ଷରେ । ପଢ଼ୁଥିଲି ବି ଭଲ । ମୋ ଭବିଷ୍ୟତ୍ କ’ଣ ହେବ ସେ କଥା ତ ଦାଦାମାନେ କେହି ଦିନେ ହେଲେ ଭାବିଲେ ନାହିଁ । ପୋଥିରେ ଏଇଠୁ ଡୋର ବନ୍ଧା ହେଲା ସିନା ! ବାପାଙ୍କ ଚାଲିଯିବାର ଦୁଇମାସ ଗଡ଼ିଗଲା । ଯେ ଯାହାର କାମର ଲାଗିଲେ । ଏଇତ ଦୁନିଆ !

 

ବିଚାରିଲି ଖୋରଧା ନ ଯାଇ, ଆଗେ ବଡ଼ାମ୍ବା ଯିବି । ଦେଖେଁ, ବାପାଙ୍କ ନିଜ ଭାଇ ମହନଦାଦା ମୋ ପାଇଁ କିଛି ଭାବୁଛନ୍ତି କି ନାହିଁ । ୟା ଛଡ଼ା ମୋର ବେଶି ଆଶା ଥାଏ ରାଜାଙ୍କୁ ଭେଟି ଥରେ ମୋ ଦୁଃଖ କହିବାକୁ ।

 

ସେଇଠୁ, ବୋଉଠାରୁ ଅନୁମତି ନେଇ ମାଆଙ୍କୁ ମୁଣ୍ଡିଆ ମାରି, ଖଣ୍ଡେ କାଠୁଆ ଭଡ଼ା କରି ଉଜାଣି ନଈରେ ବାହାରିଲି ବଡ଼ାମ୍ବା ।

 

ବଡ଼ାମ୍ବା ରଜା ସ୍ୱର୍ଗତ ନାରାୟଣ ମଙ୍ଗରାଜଙ୍କ ପିତା ସ୍ୱର୍ଗତ ବିଶ୍ୱମ୍ଭର ବୀରବର ମଙ୍ଗରାଜ ମହାପାତ୍ରେ ଜୀବିତ ଥାଆନ୍ତି । ବାପାଙ୍କୁ ସେ ଓ ବାପା ତାଙ୍କୁ ଅତି ସୁଖ ପାଉଥିଲେ । ଯାହାର ପରିଣତିରେ ସେତେବେଳର ଦେୱାନ ଭାଗବାନ ମହାପାତ୍ରେ ଅସହିଷ୍ଣୁ ହେଲେ ଏବଂ ଫଳରେ ବାପାଙ୍କୁ ବଡ଼ାମ୍ବା ଛାଡ଼ି ବାଙ୍କି ଆସିବାକୁ ପଡ଼ିଥିଲା ।

 

ରାଜା ଓ ମାଆମଣିମା ମୋତେ ଅତି ଆଦର କରନ୍ତି । ଆଗରୁ ତ ସେସବୁ କଥା କହିଛି-। ମୋତେ ଦେଖି ବାପାଙ୍କ କଥା ମନେକରି, ଆଖି ତାଙ୍କର ଛଳଛଳ ହୋଇ ଉଠିଲା ।

 

ବଡ଼ାମ୍ବାରେ ମାସେ ଖଣ୍ଡେ ରହିଲି । ଜନ୍ମର ସାଥି ଏଇ ମାଟି, ଏଇ ପାଣି ପବନ । କେତେଜଣ ମୋ ପିଲାଦିନର ସାଥି ବି ଥିଲେ । ଯୋଗୀଜେଜେ ବଞ୍ଚିଥାନ୍ତି । ସେ ଗାଉଣା ବାଜଣା କରୁଥିଲେ ଆଗେ । କେତେ ଗୀତ ତାଙ୍କଠାରୁ ମଧ୍ୟ ମୁଁ ଶିଖିଥିଲି । ପଡ଼ିଶାଘର ରଘୁନାଥ ମହାନ୍ତି ମୋର ବାଲ୍ୟସାଥୀ । ନଅରପାଖ ନାରଣ ରଥେ ଜଣେ ବଡ଼ ସାଙ୍ଗ ମୋର । ଆଉ ଆଉ କେତେକଙ୍କ ସଙ୍ଗରେ ହେଳମେଳରେ ଦିନ କଟୁଥାଏ । ନଅରକୁ ନିତି ସଞ୍ଜରେ ଯାଉଥାଏଁ । ମାତ୍ର ସବୁକଥା ଭିତରେ ମୁଁ ନିଜକୁ ନିଃସ୍ୱ, ନିଃସହାୟ ଓ ଦୁର୍ବଳ ମନେ କରୁଥାଏ । ଆଖିଲୁହ ପାସୋରି ନ ଥାଏଁ ଦିନେ ହେଲେ ।

 

ଭବିଷ୍ୟତ୍ କ’ଣ ? କ’ଣ କରିବି ? କିଏ ମୋତେ ରାହା ଦେଖାଇବ ? ଶୋଇପଡ଼ିବା ବେଳତକ ଛଡ଼ା, ବାକି ସବୁବେଳେ ଧକ୍‌କା ଦିଏ ଏଇ ପ୍ରଶ୍ନ । ଦାଦାଙ୍କୁ ଥରେ ଅଧେ ପଚାରିଛି । ସେ କିପରି ଥାକାମାନ୍ଦା ହୋଇ କହିଲ–‘‘ଦେଖାଯିବ ଚାକିରିବାକିରି କଅଣ କରିବୁ ।’’ କିନ୍ତୁ କିମିତି କରିବି ? କି ଚାକିରି କରିବି ? କିଏ କରାଇ ଦେବ–କାହାକୁ କହିବି ? କିଛି ତ ଜାଣେ ନାହିଁ । ସେ କଥା ତ କେହି ଦିନେହେଲେ ପଚାରୁ ନାହାନ୍ତି । ଏମିତି କେତେଦିନ ଯିବ ? ଟିକିଏ ଏକୁଟିଆ ହେଲେ ଆଖିରୁ ଲୁହ ଝରେ । ବେଶି ଭାବେଁ, ବୋଉ କଥା । ରାତିରେ କାନ୍ଦୁ କାନ୍ଦୁ କେତେବେଳେ ନିଦ ଲାଗିଯାଏ । ଦୁନିଆରେ କେହି ଯଦି ଦୁଃଖହରା ଥାଏ ତେବେ ସେ ତ ଏଇ ନିଦ । ତାକୁ ଭଗବାନଙ୍କ ଆଶୀର୍ବାଦ କହ, ମାୟା କହ, ଅବା ଛଳନା କହ । ବ୍ରହ୍ମଜ୍ଞ ମଧୁସୂଦନଙ୍କର ‘ନିଶୀଥଚିନ୍ତା’ ପଢ଼ିଥିଲି । ମନେ ପଡ଼ିଯାଏ ସେଥିରୁ ଧାଡ଼ି କେତେ–

 

‘‘ସ୍ୱପ୍ନ-ମାୟା ବେଳେ ଦୁଃଖୀ

ଅନାଥ ନିର୍ଦ୍ଧନ

ଚିନ୍ତାଶ୍ରୁ ପାସୋରି ହେଲେ

ଭୁଞ୍ଜେ ରାଜସୁଖ

ବୈଧବ୍ୟ ବିଧୂରାବାଲା

ଲଭି ଆଲିଙ୍ଗନ

ପ୍ରାଣପତି ଉତ୍ସଙ୍ଗରେ କୁତୂହଳେ

କରଇ ଶୟନ ।’’

 

–ଅଦ୍ୟାପି ଯାହା ଛାତିର ଅଳି.......ଲେଖା ହୋଇ ରହିଛି, ସେଇ ‘ସ୍ୱପ୍ନମାୟା’ ବେଳେବେଳେ ସବୁ ଭୁଲାଇ (......) ସ୍ୱପ୍ନଟା ତ ସେ । ସତ ସଙ୍ଗେ ସଉତୁଣୀ ବାଦ ତା’ର ।

 

ଦିନଟା କୌଣସିମତେ ସାଇ(.......)ର କଟିଯାଏ । ବେଳବୁଡ଼ରୁ ରାତି ୧୦ ।୧୧ ଟା ରାଜବାଟୀରେ ରାଜା (........) ରାଣୀଙ୍କ ପାଖରେ ବିତେ । ସେଇଠୁ ଆସି ମୁଠାଏ ଗିଳି ବିଛଣାର ସାଥ (......) ବେଳେ ଆଖରେ ନିଦ ଭରବାଯାଏ ଦୁଃଖ ଦୁନିଆର ଯାବତ ଚିନ୍ତା ଘୋଟି (......) । ଖୁଡ଼ୀକି, ସାମାଜିକ ହିସାବରେ ସିନା ଖୁଡ଼ୀ ବୋଲିଡାକେ, ନଇଲେ ସେ (.......) ନିଜ ଭଉଣୀ । ଭାରି ଆଦର କରେ ମୋତେ । ମୁଁ ଶୋଇବାବେଳେ ଆସି ଦେଖେ, ପାଖରେ ବସେ । ଏତେବେଳଯାଏ କାହିଁକି ଶୋଇନି ବୋଲି ପଚାରେ–ଆଶ୍ୱାସନା ଦିଏ ।

✽✽✽

 

Unknown

ଚାକିରି-ଜୀବନ

 

ଚାକିରି ସନ୍ଧାନ :

 

ଦିନେ ରାତିରେ ନିତିଦିନିଆ ପରି ମାଆଙ୍କୁ ମୁଣ୍ଡିଆମାରି ଶୋଇଲି । ପାହାନ୍ତାରେ ସ୍ୱପ୍ନ ଦେଖିଲି ଯେ, ମୁଁ ମହାନଦୀରେ ଡଙ୍ଗାରେ ବସି ଭାସି ଭାସି ଯାଉଛି । ନିଦ ଭାଙ୍ଗିଗଲା । ମନେପଡ଼ିଲା–‘ସମୁଦ୍ରେ ଭାତ୍ମଣଂ ଫଳମ୍’ । ଅଥଳରେ ଭାସୁଚି ତ–ଆଉ ଭାସିବି କ’ଣ ? ଭାରି ମନ ଖରାପ ହେଲା । କେହି ତ ମୋ କଥା କିଛି ବୁଝିଲେ ନାହିଁ । ହଠାତ୍ ମନହେଲା ସେ ବେଳର ପଲିଟିକାଲ୍ ଏଜେଣ୍ଟ୍ କବ୍‌ଡ଼େନ୍‌ ରାମ୍‌ରୋ (Kabden Ramray) ସାଇବଙ୍କ କଥା । ବାପାଙ୍କ ସାଥିରେ ତାଙ୍କର ଭଲ ଚିହ୍ନା ପରିଚୟ ଥିବାର ମୁଁ ଶୁଣିଥିଲି । ସେ ଥାଆନ୍ତି ସମ୍ବଲପୁରରେ । ତାଙ୍କୁ ଭେଟି ମୋ ଦୁଃଖ କହିବି ବୋଲି ବିଚାରିଲି । କାହିଁକି କେଜାଣି ଡଙ୍ଗାରେ ଯିବା ସ୍ୱପ୍ନରୁ ଏ ଚିନ୍ତାର ଉଦ୍‌ଭବ ହେଲା ।

 

ରାଜାଙ୍କୁ ସମ୍ବଲପୁର ଯିବାପାଇଁ କହିଲି । ସହାନୁଭୂତି ସହ ସେ କହିଲେ–‘‘ହଉ ଯା’ ତୋ ମନ ଭଲ ନାଇଁ । ବ୍ୟସ୍ତ ହେଉଛୁ । ତତେ ତ ନଈ, ପାହାଡ଼ ଭଲ ଲାଗେ । ବାଟରେ କେତେ ସୁନ୍ଦର ସୁନ୍ଦର ନଈକୂଳିଆ ଗାଆଁଗଣ୍ଡା ଦେଖିବୁ । ସାତକୋଶିଆ ଗଣ୍ଡ ଦେଖିବୁ ? ଯା, ମନଟା ଟିକିଏ ବହଲିଯିବ । ହେଲେ, କେମିତି ଯିବୁ ? ମୁଁ ମହନ (ମୋ ଦାଦା)ଙ୍କୁ ପଚାରେଁ । ଆମ ଏଠୁ ଗୋପୀନାଥପୁରରୁ ବେଳେବେଳେ ବେପାରୀଏ ଡଙ୍ଗା ନେଇ ଯାଆନ୍ତି–ଉପରେ ମୁଣ୍ଡରେ ବେଉସା କରିବାକୁ । ଯେବେ କେହି ଯାଉଥିବେ, ତୁ ସେଇଥିରେ ଯିବୁ ।’’ କାହା ଡଙ୍ଗା ଯାଉଛି କି ନାହିଁ, ସେ ଖବର ନିଆଗଲା । ଗୋପୀନାଥପୁର ମହାଜନ ମୋହନ ସୁବୁଦ୍ଧିଙ୍କର ଗୁଡ଼ଡଙ୍ଗା ଯିବାର ଶୁଣି ରାଜା ଖବର ଦେଇ ମୋତେ ନେବା ଆଣିବାପାଇଁ ତାଙ୍କୁ ହୁକୁମ ଦେଲେ । ସୁବୁଦ୍ଧି ଖୁସିରେ ହଁ ଭରିଲେ । ପଚାଶଟି ଟଙ୍କା ରଜା ମତେ ଦେଲେ । ଏ ଘଟଣାର ଦିନ ୪।୬ ପରେ ଡଙ୍ଗା ଛାଡ଼ିବା କଥା ହେଲା-। ରାଜା ତାଙ୍କ ହାତୀରେ ମୋତେ ନଈ କୂଳକୁ ବିଦାୟ କରିଦେଲେ ।

 

ସମ୍ବଲପୁର :

 

ଉଠାଣି ଡଙ୍ଗା । ବାଟରେ ପୁଣି ଠାଏ ଠାଏ ବେପାର ଲାଗି ଥାକି ଥାକି ଯାଉଥାଏ । ସାତ ଆଠିଦିନ ଲାଗିଲା ସମ୍ବଲପୁରରେ ପହଞ୍ଚିବାକୁ । ମୁଁ ସମ୍ବଲପୁର କେବେ ଦେଖି ନାହିଁ । କଅଣ କରିବି, କୋଉଠି ରହିବି, କେମିତି ସାଇବଙ୍କ ସାଙ୍ଗେ ଦେଖା କରିବି–ଭାବି ଭାବି ଅଥୟ ହୋଇ ପଡ଼ିଲାବେଳକୁ ଘାଟ ପାଖରେ ଦି’ଚାରିଜଣ ବେପାରୀଙ୍କୁ ଦେଖି, ଆଗେ ରହିବା ଥାନ ପଚାରି ସରେଇ ଘରକୁ ଗଲି । ପେଟ ଜଳୁଛି । ବଡ଼ାମ୍ବା ଛାଡ଼ିଲାଦିନୁ ଚୁଡ଼ାପାଣି ବା କୋଉଠି ଗାଁ ପାଖରେ ଡଙ୍ଗା ରହିଲେ ଦହି, ଚୁଡ଼ାରେ ସାତଦିନ କଟିଛି । ଭାତୁଆ ଜାତି ତ, ମୁଠାଏ ଭାତକୁ ଭାରି ମନ ଟକଟକ ହେଉଥାଏ । ହେଲେ ମିଳୁଛି କୋଉଠି ?

 

ସେତେବେଳେ ଏତେ ହୋଟେଲ ନ ଥିଲା । ଆଉ ମୁଁ ବି ସମ୍ବଲପୁରକୁ ନିହାତି ନୂଆ ଲୋକ । ସରେଇ ଘରେ ଟ୍ରଙ୍କ ଓ ବିଛଣାଖଣ୍ଡ ରଖି ତାଲା ବନ୍ଦକରି ‘ମୁହଁ ଯୁଆଡ଼େ ପାଦ ସିଆଡ଼େ’ ଚାଲି ଟାଉନକୁ ବାହାରିଲି । ବାଟରେ ଗୋଟାଏ ଗୁଡ଼ିଆ ଦୋକାନରେ ସାମାନ୍ୟ ଜଳଖିଆ ଖାଇ ସିଧା ବାଗେଇଲି ।

 

ସେତେବେଳକୁ ସଞ୍ଜ ହୋଇ ସାରିଥାଏ । ଟାଉନ୍‌ ଭିତରେ ଯାଉ ଯାଉ ଜଣେ ଭଦ୍ରଲୋକଙ୍କ ଦାଣ୍ଡଘରେ ଗାଉଣା ବାଜଣା ଶୁଣି ସଡ଼କରେ ଟିକିଏ ଛିଡ଼ା ହୋଇଗଲି । ଘରର ଦୁଆର ମେଲା । ରାସ୍ତାକୁ ସବୁ ଦିଶୁଥାଏ । ଜଣେ ବୟସ୍କ ଭଦ୍ରଲୋକ ବେହେଲା ବଜାଉଥାନ୍ତି । ଆଉ ଜଣ କେତେ ଗୀତ ଗାଉଥାନ୍ତି । ତାବଲା ବାଜୁଥାଏ । ଭାରି ସୁଖ ଲାଗିଲା, ଠିଆ ହୋଇ ଶୁଣିଲି । ହଠାତ୍‌ ବେହେଲାଧାରୀ ଭଦ୍ରଲୋକଙ୍କ ଆଖି ପଡ଼ିଲା ମୋ ଉପରେ । ସେ ବଜାଇବା ବନ୍ଦ କରି କହିଲେ, ‘‘କ’ଣ ? ଗୀତ ଶୁଣୁଛନ୍ତି ? ରାସ୍ତାଟାରେ କାହିଁକି ? ଭିତରକୁ ଆସନ୍ତୁ ନା ?’’

 

ଗଲି ଭିତରକୁ । ଗୀତ ଶୁଣିଲି । କିଛିବେଳ ପରେ ଭଦ୍ରଲୋକ ମୋତେ ପଚାରିଲେ–‘‘ଘର କେଉଁଠି ? ଏଠା ଲୋକ ବୋଲି ତ ମନେ ହେଉ ନାହିଁ ?’’ ‘‘ବଡ଼ାମ୍ବାରୁ ଆଜି ଆସିଛି ସମ୍ୱଲପୁରକୁ ବୁଲିଯିବାପାଇଁ ।’’ ଏତିକି କହନ୍ତେ–ମୁଁ ଗାଇ ଜାଣେ କି ବୋଲି ପଚାରିଲେ । ହସି ହସି କହିଲି–‘‘ଟିକିଏ ଟିକିଏ, ଏଇମିତି ଗାଏଁ ।’’ ଏତକ ଶୁଣି ମୋତେ ଗୀତଟି ଗାଇବାକୁ ଅନୁରୋଧ କଲେ ସେ । ଗାଇଲି, ମନେଅଛି ସେ ଗୀତ ।

 

‘‘ରାଧାକାନ୍ତ ରାଧାମୋହନ ହେ ଗୋବିନ୍ଦ !

ଲବେ ଦୟା ନାହିଁକି ?’’

 

–ସେଇ ମୋର ପ୍ରିୟ ଗୀତ; ଯାହା ମୋ ଗୁରୁ ବାସୁଦେବ ମହାପାତ୍ରେ ଶିଖାଇଥିଲେ ମୋତେ ଖୋରଧାର ନବୀନାବାଗରେ ।

 

ଭାରି ଖୁସି ହୋଇଗଲେ ସଭିଏଁ । ଆଦରର ମାତ୍ରା ଟିକିଏ ବଢ଼ିଗଲା । ପୁଣି ଅନୁରୋଧରେ ଆଉ ଗୋଟିଏ ଗୀତ ଗାଇ ସାରି ଯିବାପାଇଁ ବିଦାୟ ମାଗିଲି । ସେହିଦିନ ସେଇଠି ବୈଠକ ବନ୍ଦ ରହିଲା । ସେପର୍ଯ୍ୟନ୍ତ ମୁଁ ଭଦ୍ରଲୋକଙ୍କ ନାଆଁ ବା ତାଙ୍କ ପରିଚୟ ଜାଣି ନାହିଁ । କେମିତି ଅବା ପଚାରିବି ?

 

ସମସ୍ତେ ଗଲାରୁ ସେ ମୋତେ ସବୁକଥା ପଚାରିଲେ । ସରେଇଘରେ ରହିଥିବା କଥା ଶୁଣିଲେ । ସାଙ୍ଗେ ସାଙ୍ଗେ ଲୋକ ପଠାଇ ମୋ ଟ୍ରଙ୍କ ବିଛଣା ତାଙ୍କ ଘରକୁ ଅଣାଇ ନେଲେ ।

 

ରାତିରେ ତାଙ୍କ ଘରେ ଦୁହେଁ ଏକାଠି ଖାଇଲୁଁ ଭାତ । ଓଃ, ଆଠଦିନେ ଅନ୍ନ ଜୁଟିଲା ! ସେ ସତେ ଅମୃତ !

 

ହଉ ହଉ ସବୁ ବୁଝିଲି । ସେ ହେଉଛନ୍ତି ଡାକ୍ତର ସନାତନ ବେହେରା । ସମ୍ବଲପୁରରେ ଡାକ୍ତର ‘ବି ସନାତନ’ ବୋଲି ଜଣାଶୁଣା ସେ । ଅତି ଲୋକପ୍ରିୟ ଡାକ୍ତର । ଘର କଟକ ପେଟିନ୍‌ ସାହିରେ । ଏଠି ଡାକ୍ତରୀ ଦୋକାନ ଅଛି । ସେ ପ୍ରାୟ ସମ୍ବଲପୁର ବାସିନ୍ଦା ପାଲଟିଗଲେଣି । କଥାବାର୍ତ୍ତା ସମ୍ବଲପୁରୀ ଲବଜରେ । ତାଙ୍କୁ ମୋ ଆସିବାର ଅସଲ ଅଭିପ୍ରାୟ କହିଲି । ପଲ୍‌ଟିକାଲ ଏଜେଣ୍ଟଙ୍କ ସହିତ ତହିଁଆରଦିନ ସକାଳେ ଦେଖାକରିବାକୁ ଯିବି ବୋଲି କଥା ହେଲା ।

 

ରାମସେ ସାଇବଙ୍କ ଭେଟ :

 

ଥରେ ଅଧେ କଲେଜର ପ୍ରିନ୍‌ସିପାଲ ଲମ୍ବଟ ସାଇବଙ୍କ ସହିତ ଦେଖାକରିଛି ସିନା, ଏମିତି ମୋ ଦୁଃଖ କହିବା ଆଶାରେ ସାଇବ ଭେଟ ଜୀବନରେ ତ କେବେ ହୋଇ ନାହିଁ ।

 

ଗଲି ପାହାଡ଼ ଉପର ବଙ୍ଗଳାକୁ, ଛାତିରେ ଭାରି ସାହସ ବାନ୍ଧି–ମାଆଙ୍କୁ ସୁମରଣା କରି-। ଦିନ ସେତେବେଳକୁ ପ୍ରାୟ ନଅଟା । କୋଠି ଦୁଆରେ ଚପରାସିକୁ ନାଆଁ ଓ ପରିଚୟ ଲେଖି କାଗଜ ଖଣ୍ଡିଏ ଦେଲି ସାଇବଙ୍କ ପାଖେ ପେଶ୍‌ କରିବାକୁ । ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ ପରେ ଦେଖାପାଇଁ ଅନୁମତି ମିଳିଲା । ସେତେବେଳେ ଭୟମିଶା ଆନନ୍ଦରେ ଛାତି ଦୁଲୁକୁ ଥାଏ-। ଗଲି, ଦେଖାହେଲା । ଇଂରାଜୀ କାଇଦାରେ Good morning Sir ବା ସଲାମ ଦେବା କଥା ପାସୋରି ପକାଇଲି । ସିଧା ଯାଇ ମୁଣ୍ଡିଆଟିଏ ମାରିଲି, ଆଉ କଥା କହିପାରିଲି ନାହିଁ–ଖାଲି କାନ୍ଦିଲି । ମୁଁ ତ ମୋ କାର୍ଡ଼ରେ ‘‘Son of Late Durgacharan Pattanaik, Baramba’’ ବୋଲି ଲେଖିଥିଲି । ସାଇବ ବାପାଙ୍କ କାଳ ହୋଇଥିବା କଥା ଜାଣି ନ ଥିଲେ; ମୋତେ କାନ୍ଦିବାର ଦେଖି, ଚଉକିରୁ ଉଠି ଆସି ପିଠିରେ ହାତ ମାରି ବସିବାକୁ କହିଲେ-। ଦୁଃଖକଲେ ସେ ବାପାଙ୍କ ଦେହାନ୍ତ ହେବା କଥା ଶୁଣି । ମୁଁ ମୋର ବର୍ତ୍ତମାନ ଅବସ୍ଥା କଥା, କିପରି ଆସିଲି, ବଡ଼ାମ୍ବା ରାଜାଙ୍କ ପଚାଶ ଟଙ୍କା ଦାନ ଇତ୍ୟାଦି ଇତ୍ୟାଦି ସବୁ–ଆତ୍ମୀୟଲୋକଙ୍କୁ କହିବା ପରି କହିଗଲି । ସେ ମୋତେ ସାହାଯ୍ୟ କରିବେ ବୋଲି କହି ଆଶ୍ୱାସନା ଦେବା ସଙ୍ଗେ ସଙ୍ଗେ ପଚାଶଟି ଟଙ୍କା ବଢ଼େଇ ଦେଲେ । ଟଙ୍କା ନେଉ ନ ଥିଲି; କିନ୍ତୁ ବାଧ୍ୟ କଲେ ସେ । ଚା’ ଓ ବିସ୍କୁଟ ଖୁଆଇ ବିଦାୟ ଦେଲେ । ମୁଁ ବାଙ୍କି ଠିକଣାଟି ଦେଇ ପୁଣି ମୁଣ୍ଡିଆମାରି ବିଦାୟ ନେଲି ।

 

ପୁଣି ବଡ଼ାମ୍ବା :

 

ସନାତନ ଡାକ୍ତରଙ୍କୁ ସବୁକଥା କହି, ଆଉ ଦିନେ ତାଙ୍କ ଘରେ ରହି ପୁଣି ସେଠାରୁ ବାହୁଡ଼ିଲି ବଡ଼ାମ୍ବାକୁ ସେଇ ଡଙ୍ଗାରେ ଭାସି ଭାସି । ସବୁ ସ୍ୱପ୍ନ କଥା ଭଳି ମନେକରି ମାଆଙ୍କୁ ଲୁହ ଆଖିରେ ଜୁହାରିଲି । ଭସାଣି ଡଙ୍ଗା, ଦୁଇଦିନ ମାତ୍ର ଲାଗିଲା । ତିନିଦିନ ସକାଳେ ବଡ଼ାମ୍ବା ।

 

ସମ୍ବଲପୁର ଘଟଣା କାହାରିକୁ କିଛି କହିଲି ନାହିଁ । ମନଟା କିନ୍ତୁ ଟିକିଏ ଖୁସି ଥାଏ । ବୋଉ ପାଖକୁ ବାଙ୍କିକୁ ସବୁକଥା ଲେଖିଲି । ଚାରି ପାଞ୍ଚଦିନେ ଉତ୍ତର ପାଇଲି–‘‘ଯାହା ମାଆର ଇଚ୍ଛା !’’

 

ପ୍ରାୟ ସପ୍ତାହକ ପରେ, ଦିନେ ରାତିରେ ଶୋଇଛି; ପାହାନ୍ତାରୁ ସ୍ୱପ୍ନ ଦେଖିଲି, ନଈକୂଳ ଦେଉଳ–ମୁଁ ଜଗନ୍ନାଥ ଦର୍ଶନ କରୁଛି । ସନ୍ଧ୍ୟାଆଳତି ବେଳ । ଯେମିତି ମନେହେଲା ଭଟ୍ଟାରିକାଙ୍କ ଆରକୂଳର କଣ୍ଟିଲୋ ନୀଳମାଧବଙ୍କ ସ୍ଥଳୀ ସେଇଟା ।

 

ତହିଁ ପରଦିନ ବଡ଼ାମ୍ବାରଜାଙ୍କୁ ଜଣାଇଲି ଟିକିଏ ନୀଳମାଧବଙ୍କ ଦର୍ଶନକୁ ଯିବି ବୋଲି । ସେ ସଙ୍ଗେ ସଙ୍ଗେ ହାତୀ ବରାଦ କରିଦେଲେ ।

 

ଶ୍ରୀନୀଳମାଧବ–କଣ୍ଟିଲୋ :

 

ରାତି ପାହାପାହା ହେଉଥାଏ । ହାତୀ ଦୁଆରକୁ ଆସିଲା । ମୁଁ ସକାଳ ପାଇଟି ତୁଟାଇ ହାତୀରେ ଚଢ଼ି ବାହାରିଲି କଣ୍ଟିଲୋ । ଏପାରିରେ ଭଟ୍ଟାରିକା ଠାକୁରାଣୀଙ୍କ ଦର୍ଶନସାରି ମହାନଦୀରେ ପଶିଲୁ । ଖରାଦିନିଆ ନଈ, ହାତୀ ପଶି ପାରହେଲା । ତା’ପରେ ନଈ ବାଲି । ମନେ ପଡ଼ିଗଲା ଶାଶୂଘରକୁ ଯିବାବେଳେ ଅଲିଅଳୀ ଝିଅର କାନ୍ଦଣା–

 

‘‘ଏକା ମହାନଦୀ ସହସ୍ର କୋଶ, ଲୋ ବୋଉ’’

 

–କୋଉ ଅନୁଭାବୀ ଏକଥା ଲେଖିଥିଲେ କେଜାଣି ? ଜୁହାର କଲି ତାଙ୍କୁ ।

 

ଫଟାକପାଳିଆର ପ୍ରଥମପାଦ ସରିଛି ଛାତ୍ର ଜୀବନରୁ–ସେତେବେଳେ ଥିଲି ‘ବାପ ଥିଲା ପୁଅ’–ଏଇନେ, ‘ବାପଛେଉଣ୍ଡ’ । ହାତେମାପି ଚାଖଣ୍ଡେ ଚାଲିବାକୁ ହେବ । ନିଜକୁ ନିଜେ ଗଢ଼ିବାକୁ ହେବ । ଦାଦିମାନେ ଅବଶ୍ୟ ଥିଲେ; କିନ୍ତୁ କେହି ହେଲେ ମୋତେ ସାହାହେବାକୁ ମନ ବଳାଇ ନାହାନ୍ତି କି ମୋତେ ସାହସ ଦେଇ ନାହାନ୍ତି । ମୁରବି ବୋଲି ଯିଏ ଅଛନ୍ତି, ସେମାନେ ତ କରଛଡ଼ା ଦେଲେ । ତାଙ୍କ ସୁଖେ ସିଏ । ସବୁବେଳେ ସେଇ ଏକା ମାଆଙ୍କ ଭରସାରେ ଶୁଖିଲାରେ ନାଆ ମେଲି ଚାଲିଛି, ମୁଣ୍ଡରେ ପଥର ବୋଝ ବୋହି । ସେଇମିତି ଚାଲୁ ଚାଲୁ ବଡ଼ାମ୍ବାରେ ପହୁଞ୍ଚିଲି । ସେଠା ଘଟଣା ତ କହିଗଲି । ସପନ ଦେଖି ସତେ କିଏ ଡାକିଦେଲା ପରି ଶ୍ରୀନୀଳମାଧବଙ୍କ ଦର୍ଶନକୁ ବାହାରିଲି ।

 

ଶ୍ରୀନୀଳମାଧବଜୀଉଙ୍କ ବିଜେସ୍ଥଳୀ–ମୁକାମ କଣ୍ଟିଲୋ, କିଲ୍ଲୋଖଣ୍ଡପଡ଼ା । ଗ୍ରାମଟି ନିହାତି ସାନ ନୁହେଁ, ଅବଶ୍ୟ ମଫସଲ ଗାଆଁ ତୁଳନାରେ କହୁଛି । କଂସା, ପିତ୍ତଳ କାରିଗରି ଲାଗି କଣ୍ଟିଲୋର ନାଆଁ ଡାକ । ସେଇ ବେଉସା ଚଳାଇ ଅନେକ ଥିଲାବାଲା ମହାଜନଙ୍କ ଘର କଣ୍ଟିଲୋରେ । ଗାଆଁଟି ମହାନଦୀ ଧାରରେ ।

 

ନଈ ସେପାରି ବଡ଼ାମ୍ବା ରାଜ୍ୟର ଇଷ୍ଟଦେବୀ ପ୍ରସିଦ୍ଧା ଭଟ୍ଟାରିକାଙ୍କ ଦେଉଳ, ପାହାଡ଼ ଉପରେ–ଆଉ ଏପାରିରେ ସେଇମିତି ପାହାଡ଼ ଶିଖରେ ଖଣ୍ଡପଡ଼ା ରାଜ୍ୟର ପ୍ରତିଷ୍ଠିତ ଦିଅଁ ନୀଳମାଧବ । ମଝିରେ ମହାନଦୀ । ଗର୍ଭ ତା’ର ଫୁଲି ଉଠିଥାଏ, ବାଲି ପଠାରେ । ଦି’ପାଖରେ କିନ୍ତୁ ଜଳାଧାର–ଦୁଇ ପାହାଡ଼ର ପାଦତଳେ ସତେକି ମନବେଦନା ଗାଇ ମଥା ପିଟୁଛି ଅବା ଦେବଦେବୀଙ୍କର ଚରଣ ପଖାଳୁଛି, ସେ ଜାଣେ । ମଝି ପଠାରେ ମାୟା–ଜଳକୁମାରୀ, ତାତି ବାଲିରେ ସାଥି ଖୋଜି ମାତି ରହିଛି ସତେ ଛନ୍ଦହରା ନାଚରେ । ଏ ଖରାଦିନିଆ ଦି’ଧାରିଆ ନଈର ପେଟଚିରାଦଶା ଦେଖି ପରିହାସ କରୁ ନାହିଁକି ଆଉ ସେ !

 

ବଡ଼ାମ୍ବା ରଜାଘର ହାତୀରୁ ଉତୁରିଲି । ଗହଳିଆ ଆମ୍ବତୋଟା ଭିତରେ ଗୋଟାଏ ବଡ଼ ବରଗଛ । ହାତୀଟି ତା’ରି ମୂଳରେ ବନ୍ଧାହୋଇ, ସଙ୍ଗେ ସଙ୍ଗେ ଥୋଡ଼ପାହାର ବଢ଼ାଇ ଆଲିଙ୍ଗନ କଲା ତା’ର ପ୍ରିୟ ବରପତ୍ରକୁ । ମୁଁ ଚାଲିଲି ମହାନଦୀରେ ପୁଣି ବୁଡ଼ଟାଏ ମାରି ଶୁଦ୍ଧପୂତ ହୋଇ ଦିଅଁ ଦର୍ଶନକୁ । ଆଖି ଆଗରେ, ଜଳ ନୁହେଁ ସେ ଛଳ, ମୃଗତୃଷ୍ଣା । ସତେ ଏ ଜୀବନରେ ମାୟା ମରୀଚିକା !

 

ଗଲି ଦର୍ଶନକୁ, ଦିଅଙ୍କ ଧୂପ ବଢ଼ୁଥାଏ । ସେତେବେଳକୁ ଦର୍ଶନାର୍ଥୀ କୁହାକୋହି ହେଉଥାନ୍ତି–ଆଜି ସହଳ ସଅଳ ଦିଅଁଙ୍କ ଧୂପ ବଢ଼ୁଛି । ଛାମୁ ବିଜେ ହୋଇଛନ୍ତି, ଦିଅଁଙ୍କ ଧୂପ ସରିଲେ ପରା ଛାମୁଙ୍କ ମଣୋହି ବଢ଼ିବ ! ତେଣୁ ଡାକୁଆ, ଶୁଆର, କାହାଳିଆ, ବଡ଼ପଣ୍ଡା–ସଭିଏଁ ଜାଗତିଆର ।

 

ରାଜଦର୍ଶନ :

 

ଖଣ୍ଡପଡ଼ା ରାଜା ଆସିଛନ୍ତି ତେବେ କଣ୍ଟିଲୋକୁ ? ମୁଁ ରାଜା ରାଇଜର ଲୋକ ତ ! ମନଟା ହେଲା, ରାଜଦର୍ଶନ ଟିକିଏ କରନ୍ତି, ହେଲେ ଏଥିକି ପୁଣି ବିଧି ଅଛି । ବଡ଼ାମ୍ବା ଗଡ଼ର ପରୀକ୍ଷା ପଟ୍ଟନାୟକେ, ଦିଆନ ପଟ୍ଟନାୟକେ ଇତ୍ୟାଦି ବୁଢ଼ା ବୁଢ଼ାଏ କହନ୍ତି ରିକ୍ତ ହସ୍ତରେ ରାଜଦର୍ଶନ ଅବିଧି ବୋଲି ମୁଁ ଶୁଣିଛି । ଖଣ୍ଡପଡ଼ା ରଜା କିଛି ଟୋକାଟାକଳିଆ ନୁହନ୍ତି । ବେଶ୍‌ ପାଚିଲା ବୋଲି ମୁଁ ଶୁଣିଛି । ତିଗିରିଆ ବୁଢ଼ା ରଜାଙ୍କ କଥା ହେତୁ ଅଛି ମୋର । ତା’ପରେ ବୁଝାବୁଝି କଲି ଖଣ୍ଡପଡ଼ା ରଜା ଜଣେ ଛାନ୍ଦ ଚୌପଦିର ରସିକ ଗ୍ରାହକ । କେତେଜଣ ପଣ୍ଡିତ ତାଙ୍କ ପାଖେ ପାଖେ ଥାଆନ୍ତି । ଏଇ ରାଜାଙ୍କ ପୂର୍ବ ରଜା ନଟବର ଭ୍ରମରବର ଥିଲେ ଜଣେ ଜଗନ୍ନାଥ ଭକ୍ତ ଆଉ ଦୋର୍ଦ୍ଦଣ୍ଡ ପ୍ରତାପୀ ରାଜା । ପଡ଼ୋଶୀ ରାଜ୍ୟ ତ ବଡ଼ାମ୍ବା । ଲୋକକୁହାରୁ ତାଙ୍କ କୀର୍ତ୍ତି ଶୁଣାଯାଏ । ଜଗନ୍ନାଥଙ୍କୁ ଦର୍ଶନ କଲାବେଳେ କୌଣସି ନୀତି ଖଲର ହୋଇଥିଲେ ସେ କୁଆଡ଼େ ସାଥେ ସାଥେ ଜାଣିପକାନ୍ତି, ଶ୍ରୀ ଜୀଉଙ୍କ ଶ୍ରୀମୁଖମଣ୍ଡଳ ମଳିନ ହୋଇଥିବାର ବାରି । ଆମ୍ବତୋଟାରୁ ଆମ୍ବ ପାଚି ତଳେ ଝଡ଼ିଲେ ଯେ ଇଚ୍ଛା ସେ ଗୋଟାଇ ନେବେ ସିନା, ଡେମ୍ଫ ଭାଙ୍ଗି କେହି ତୋଳିନେଲେ ତା’ର ଆଙ୍ଗୁଠିର ଦଣ୍ଡ ତା’ ଦିହକଯାକ ମନେଥିବ । ୟା ସଙ୍ଗେ ସଙ୍ଗେ ପ୍ରବୀଣ ସଙ୍ଗୀତଜ୍ଞ ଓ ସଙ୍ଗୀତ ରସିକ ମଧ୍ୟ ଥିଲେ ସେ । ତାଙ୍କରି ଅମଳରେ ଆର୍ତ୍ତ ମାର୍ଥା ବୁଢ଼ା ବେଶ୍‌ ଯୋଡ଼ତୋଡ଼ରେ ସୀତାର ବଜାଉଥିଲେ । ଗାୟକ ଗୁଣ୍ଡିନନ୍ଦେ ଦିଲ୍ଲୀ, ବନାରସ ପ୍ରଭୁତି ବହୁତଆଡ଼େ ବୁଲି ନାଁ କମେଇଥିଲେ । ଆହୁରି କେତେ ଗାୟକ ଥିଲେ ସେଠି । ସେ ରଜାଙ୍କର ସିନା ଦେହାନ୍ତ ହୋଇଛି, କର୍ପୂର ଗଲେ ମଧ୍ୟ କନାରୁ ବାସନା ଉଡ଼ିଯାଇ ନାହିଁ । ଖଣ୍ଡପଡ଼ା ଓଡ଼ିଶୀ ଗୀତ ବାଦ୍ୟର ଗୋଟାଏ ବିଶିଷ୍ଟସ୍ଥଳୀ ବୋଲି ଖ୍ୟାତି ଅର୍ଜିଥାଏ । ମାଟିର ଗୁଣ ଅଛି । ପୃଥିବୀ ବିଖ୍ୟାତ ପଠାଣୀ ସାଆନ୍ତେ ତ ଏଇ ଖଣ୍ଡପଡ଼ାର । ଗୀତ ଲେଖକ ବି ଅଛନ୍ତି ଅନେକ । ଶିଳ, ଶିଳପୋତା ଗଗନେ ଉଡ଼ୁଛନ୍ତି ଯେଉଁଠି, ସେଠି ମୁଁ ମାତ୍ର ଗଜା ବୟସିଆ ଟୋକାଟାଏ–ଶିମୂଳି ତୁଳା ସିନା ! ତଥାପି ମାଆଙ୍କୁ ସୁମରି ଗୀତଟିଏ ଲେଖିଲି । ମନେକଲି ଆଉ ମୁଁ କ’ଣ ଭେଟି ଦେବି ଛାମୁରେ ? କ’ଣ ଅଛି ମୋର ?

 

ଛାମୁ ଭେଟକୁ ଗଲି, ଅଚିହ୍ନା ଲୋକ ମୁଁ । ବାପାଙ୍କ କାଳହେବା ଚିହ୍ନ ଟାଙ୍ଗରା ମୁଣ୍ଡରେ ସେତେବେଳେ କେଶ ପୂରା ଉଠି ନାହିଁ । ରାଜାଙ୍କ ପାଖଲୋକ (Personal Servant) ଜଣେ ଦି’ଜଣଙ୍କୁ ବଡ଼ାମ୍ବା ରାଜ୍ୟର ପରିଚୟ ଦେଲି । ମୋ ଜେଜବାପା ନିମାଇଁ ଚରଣ ପଟ୍ଟନାୟକେ ସେତେବେଳେ ବଡ଼ାମ୍ବା ଆଖପାଖ କେତେଖଣ୍ଡ ରାଜ୍ୟର ବଡ଼ ଜଣାଶୁଣା ଲୋକ ଥିଲେ । ତାଙ୍କର କାଳ ହୋଇଥିଲେ ମଧ୍ୟ ତାଙ୍କ ବଂଶ ପରିଚୟ ଏତେବେଳେ କାମ ଦେଲା ।

 

ପାଖ ଲୋକଜଣକ, କେଜାଣି କାହିଁକି ମୋ କଥା, ମୋ ରୂପ ଓ ମୋ ମିଠା ବେଭାରରେ ଟିକିଏ ମୋ ଆଡ଼କୁ ଢଳିପଡ଼ିଲା । ସେ ଯାଇ ଛାମୁରେ ମୋର ବଂଶ ପରିଚୟ ସହ ଏତାଲା କଲା । ତହୁଁ ଶ୍ରୀମୁଖ ଆଜ୍ଞା ହେଲା କି–‘‘ଇଯୁ ଏତାହେଲା ଗଲଉନ୍ତାରୁ–‘ଚାଟଘର ପୁଅ ଚାଟ, ଭାଟ ଘର ପୁଅ ଭାଟ’–ଟୋକା ହେଲେ କ’ଣ ହେଲା ? ଗଲା ଉନ୍ତାରୁ ଜାଇଁଲା ବ୍ରହ୍ମା ଆପଣେ, ସାନ ସାପର ଇଯୁ ଏତାହେଲା ଗଲଉନ୍ତାରୁ–ବିଷ କ’ଣ ନ ଥାଏ କି ? ଡାକ ତାଙ୍କୁ, ଆସନ୍ତୁ ।’ ଦୁଆର ପାଖ–ଆଉଜାରେ ଥାଇ ଉଦ୍‌ଗ୍ରୀବ କାନ ମୋର ଏ କଥା ଶୁଣିଲା । ସଙ୍ଗେ ସଙ୍ଗେ ଲୋକଟି ଆସି ମୋତେ ବାତିନି ଦେଲା । ଭିତରକୁ ଗଲି । ଗୀତଟିଏ ଲେଖିଥାଏଁ, ସେଇଟି ରାଜାଙ୍କୁ ଭେଟିବି ବୋଲି । ତାକୁଇ ନେଇ ଆଗେ ଛାମୁଙ୍କ ଛାମୁରେ ଭେଟି ଦେଇ, ଜୁହାରିଲି । କୁଞ୍ଚ ଖୋଷିବାଟା ପାସୋରି ଦେଇ ନ ଥିଲି । ରାଜଦର୍ଶନର ନିୟମ ହେଲା ଭେଟି ରକମ ହାତରେ ଥାଇ ଜୁହାର ନିଷିଦ୍ଧ । ଆଗେ ତାକୁ ଥୋଇଦେଇ, ତା’ପରେ ଜୁହାର କରିବାକୁ ହୁଏ । ଏସବୁ କାଇଦା କଟକଣା ମୋର ବହୁଆଗରୁ ଦେହର ମଳି । ଏତିକି କାମ ଦୋରସ୍ତ ଥିଲେ ଶହେ ନମ୍ବରରୁ, ପହିଲି ଦର୍ଶନରେ ଷାଠିଏ ସତୁରି ଅକ୍ଳେଶରେ ମିଳିଯାଏ । ମୋତେ ବି ମିଳିଲା ।

 

ଆଜ୍ଞା ହେଲା କି ‘‘ଇଯୁଏତାହେଲା ଗଲଉନ୍ତାରୁ ସେ କଅଣ ?’’

 

ଉତ୍ତର–ମଣିମା, ଚଉପଦୀଟିଏ ।

 

ପ୍ରଶ୍ନ–ଗଲାଉନ୍ତାରୁ ତୁମର ରଚନା ?

 

ଉତ୍ତର–ମଣିମା ।

 

‘‘ହଉ, ବସ ବସ ।’’

 

ସଙ୍ଗେ ସଙ୍ଗେ ଜଣେ ପାଖ ଲୋକ ଲେଖାଟିକୁ ଶ୍ରୀହସ୍ତକୁ ତୋଳିଦେବାକୁ ବାହାରିଲା ବେଳେ ପୁଣି ଆଜ୍ଞା ହେଲା–‘‘ବ୍ରହ୍ମା ଆପଣେ ?’’ ଠାରରେ ଜଣାଇ ଦିଆଗଲା ପଢ଼ନ୍ତୁ ବୋଲି–

 

ଗୀତ ପାଠ ଆଗରୁ ଟିକିଏ ରସଭଙ୍ଗ କରୁଛି । ହୁଡ଼ି ଯାଉଛି ରାଜରୂପ ବର୍ଣ୍ଣନାଟା । ସେତକ ନ ଦେଲେ କଥାଟା ଖଣ୍ଡିଆ ରହିଯିବ ବୋଲି ବିଚାରୁଛି ।

 

ଖଣ୍ଡପଡ଼ାର ତଦାନୀନ୍ତନ ରାଜା (୧୯୧୯ ସାଲ) ଶ୍ରୀରାମଚନ୍ଦ୍ର ଭ୍ରମରବରଙ୍କ ବର୍ଣ୍ଣ, ଗୋରାଆଡ଼କୁ ଚାରିପଣ କି ଛ’ପଣ, ବାକି ମୋର ସାମ୍ୟ-ସାବନା । ଉଚ୍ଚତା ପାଞ୍ଚଫୁଟରୁ ସାମାନ୍ୟ କିଛି ବହକିବ । ଶରୀର ଅତି ପୃଥୁଳ ନ କୁହାଗଲେ ବି ପତଳା ବୋଲି ଆଦୌ କହିହେବ ନାହିଁ । ବୟସ ନାଗପାଟ ସତୁରି ହେବ । ମୁଣ୍ଡରେ ଧଳା ଅଧାଗଣ୍ଠି ପକା ଗଙ୍ଗା ଯମୁନା ବାଳ । ଦାଢ଼ି ଓ ବୀରକେଶ (ନିଶ) ବେଶ ଲମ୍ବା । କର୍ଣ୍ଣରେ କୁଣ୍ଡଳ । ଗଳାରେ ସାଳଲହରୀ ପଦକହାର । ତଥିଉପରେ ତଥି ଉପରେ ଧାନୁଆଁ, ହରଡ଼ଫାଳିଆ ସୋରିଷିଆ ଇତ୍ୟାଦି ହାର ଲମ୍ବମାନ । ବାହୁରେ ବାହୁଟିଆ ବା କଙ୍କଣ । ବଳାଗଣ୍ଠିରେ ସୁନା ପିଟାଖଡ଼ୁ । ଆଙ୍ଗୁଠିମାନଙ୍କରେ ବିବିଧ ପ୍ରକାର ରତ୍ନମୁଦ୍ରିକା । ଅଣ୍ଟାରେ ସୁବର୍ଣ୍ଣର ଅଣ୍ଟାସୂତା । ପହରଣ ଖଣ୍ଡପଡ଼ା ତନ୍ତବୁଣା କଳାମନ୍ଦାର ଧଡ଼ି (ଘୋର କଳାରଙ୍ଗର ଚଉଡ଼ା ଧଡ଼ି, ଏଇ ନାମରେ ସୁପରିଚିତ) ପିନ୍ଧା ଓ ଦୋସଡ଼ା ଏବଂ ପାଚିଲା ଗାମୁଛା । ଆଖିରେ କଜ୍ଜ୍ୱଳ, କପାଳରେ ପଇସା ଆକାର ଚିନି ସିନ୍ଦୂର ଟୋପା ଉପରେ ଗୋରଚନା ଟୋପି ।

 

ପ୍ରତି କୁହା କଥାର ପ୍ରାରମ୍ଭରେ ପୌରଚନ୍ଦ୍ରିକାକାର ସଂଯୋଗ–‘‘ଇଯୁ (ଐ ଯୋଉ) ଏତାହେଲା ଗଲଉନ୍ତାରୁ’’–କଥାରେ କୌଣସି କାରଣରୁ ଭଙ୍ଗ (Brake) ପଡ଼ିଲାବେଳେ ମଧ୍ୟ ସ୍ଥଳବିଶେଷରେ ଏଇ ବାକ୍ୟ ଖଣ୍ଡର ପ୍ରୟୋଗ ମାଧୁର୍ଯ୍ୟବର୍ଦ୍ଧକ...ଇତ୍ୟାଦି ଇତ୍ୟାଦି ।

 

ଶ୍ରୀଛାମୁଙ୍କଠାରୁ ମନୋଗତ ସମୁଝି, ଶୁକ୍ଳ କେଶ, ବେଦାନ୍ତି ବ୍ରହ୍ମାଆପଣେ ଗୀତ ପାଠ ଆରମ୍ଭ କଲେ । ମଧ୍ୟେ ମଧ୍ୟେ ଛାମୁ ସ୍ଥଳବିଶେଷର ରଚନାରେ ମୁଗ୍ଧ ହୋଇ ତାଙ୍କର ସୁଚିରାଭ୍ୟାସ ଗୌରଚନ୍ଦ୍ରିକା ସଂଯୋଗ ପୂର୍ବକ ଆଉଥରେ, ଆଉଥରେ ବୋଲି ମୃଦୁମଧୁର ସ୍ମିତାନନରେ ଆଦେଶ କରୁଥାନ୍ତି ଏବଂ ମୋ ଦିଗକୁ ସପ୍ରଶଂସ ନୟନ ଯୁଗଳ ଢାଳି ଅନାଉଥାନ୍ତି । ଦେଖିଲି–ଏବେ ମଧ୍ୟ ମନେଅଛି–ବର୍ଣ୍ଣିତ ରୂପ ମଧ୍ୟରେ ମଧ୍ୟ ସେ ବୟସରେ ତାଙ୍କର ଭ୍ରମକୃଷ୍ଣ ଆଖି ଯୋଡ଼ିକରି ମାଦକତା ଥିଲା–ଏକ ଅବ୍ୟକ୍ତ ଆବାହନୀ ଥିଲା ତା’ର ଅନ୍ତରାଳରେ ।

 

ଭାବଭଙ୍ଗୀରୁ ମନେହେଲା ଶ୍ରୀଛାମୁ ମୋ ଗୀତ ରଚନାରେ ତୃପ୍ତ । ତେଣୁ ‘ଯେବେ ସହିଥିବ କନିଆଁଶାଶୁ’–ନ୍ୟାୟରେ ମୋଠାରୁ ତାଙ୍କୁ ଅଧିକରେ ବୁଝୁଥିବା ତାଙ୍କ ହାଇମରାକୁ ଫୁଟୁକି ମରା ପଣ୍ଡିତ, ଅଧା ପଣ୍ଡିତ ଓ ଅପଣ୍ଡିତ ଯେତେ ଥିଲେ, ସମସ୍ତଙ୍କ ତୁଣ୍ଡରୁ ‘ଆହା, ଆହା’ ଅଜାଡ଼ି ହୋଇ ପଡ଼ିଲା ।

 

ମୁଁ ଟିକିଏ ଆଗଭର ହୋଇ କହିଲି–‘‘ମଣିମା, ଆଜ୍ଞା ହେଲେ ଗୀତଟିକୁ ଛାମୁରେ ଗାଇକରି ଶୁଣାଇ ଦିଅନ୍ତି ।’’

 

ଏଥର ଉଛୁଳା ହସରେ କୁହାଗଲା–‘‘ଏଁ, ଗଲଉନ୍ତାରୁ ତୁମେ ଗାଇଜାଣ ?’’

 

ମୁଁ–ଟିକିଏ, ଟିକିଏ ।

 

ବ୍ରହ୍ମା କହିବାର ସ୍ମରଣ ଅଛି, ‘‘ମଣିମା ଯାହା ଆଜ୍ଞା ହୋଇଥିଲେ । ଆମ ବଡ଼ାମ୍ବା ପନ୍ନାହକେ ସେଇତା । ରାଜା ପରା ସର୍ବଜ୍ଞ–ସର୍ବଦର୍ଶୀ । ଗୀତର ବସତି ଯାହା ହୋଇଛି, ନାହିଁ ନ ଥିବା । ସେଥିରେ ସୁକଣ୍ଠରେ ଗାୟନ କରାଗଲେ ସୁବର୍ଣ୍ଣ ଚମ୍ପକରେ ସୁବାସ ଚହଟିଗଲା ପରି ହେବ-। ହଉ, ହଉ, ଗାଆନ୍ତୁ ।’’

 

ଗୀତଟି ଗାଇଲି । ବ୍ରହ୍ମାଏ ଗୀତର ଭଣତି ପଦଟି ପଢ଼ିବା ପୂର୍ବରୁ ଏ କଥାବାର୍ତ୍ତା କରୁଥାନ୍ତି । ତେଣୁ ସେ ଭଣତି ପଦଟି ବାକି ଥିଲା । ତାହା ସମତେ ଗୀତଟି ଗାଇ ଶୁଣାଇଲି । ଗୀତଟି ହେଲା–

 

(ରାଗ, ସାବେରୀ–ତାଳ–ଏକତାଳ)

‘‘ସୁଧା ସିନ୍ଧୁରେ !

କାହିଁ ଲୁଚାଇଲୁ ଧନ, ପୂର୍ଣ୍ଣମୁଖଇନ୍ଦୁ ॥ ଘୋଷା ॥

X X X

ଭଣତି ପଦ ହେଲା–

ସ୍ୱପ୍ନେ ଜାଗରଣେ ହୋଇ ବଣା

କ୍ଷଣେ କ୍ଷଣେ ଦିଶୁ ବିଚକ୍ଷଣା,

କିଣାଠାରୁ ମୁଁ ଅଧିକ କିଣା

ରାମଚନ୍ଦ୍ର ନୃପ ଭାଷେ ମନେଥିବି ବନ୍ଧୁ ।’’

ମେଘ ଅଜାଡ଼ି ହୋଇ ପଡ଼ିଲା ସତେ ! ଆନନ୍ଦ, ପ୍ରଶଂସା ଓ ସନ୍ତୋଷରେ ହସ କୂଳ ଲଘିଂଗଲା । ଭଣତି ପଦକ ସେଦିନ, ସେତେବେଳେ ଦୋହାରାଇ ଗାଇ ଶୁଣାଇବାକୁ ଆଦେଶ ହେଲା ।

ତା’ପରେ ଆଉ ପାଖଛଡ଼ା ନ କରି, ସମସ୍ତ ପରିଚୟ, ଯୋଗ୍ୟତା ଇତ୍ୟାଦି ଗୋଟି ଗୋଟି ପଚାରି ସେଦିନ ଘରବାହୁଡ଼ାକୁ ଅନୁମତି ଦେଲେ ନାହିଁ ରାଜା ଭ୍ରମରବର ରାଏ । ହାତୀ ବଡ଼ାମ୍ବା ବାହୁଡ଼ିଗଲା ।

ବସା, ସଞ୍ଚା ସବୁ ବିଧିମତେ ବରାଦ ହୋଇଗଲା ।

 

ଖଣ୍ଡପଡ଼ାଗଡ଼ :

 

କଣ୍ଟିଲୋରେ ଦିନକ ରହଣି ପରେ ମୋତେ ଛାମୁଙ୍କ ଗହଣରେ ଖଣ୍ଡପଡ଼ା ଯିବାକୁ ହେଲା ।

 

ଗଡ଼ରୁ ଖଳିସାହିକି ଯିବାପାଇଁ ବାଟର ଗଡ଼ଶେଷ ଡାକବଙ୍ଗଳା, ଲମ୍ବା ଚଉଡ଼ା, ଉଚ୍ଚ ମଉଡ଼ମରା ଚାଳଘର । ବାଆଁପାଖରେ ତା’ର ଚାରି ପାଞ୍ଚ ବଖରା ଝାଟିମାଟି କାନ୍ଥିଦିଆ ଛୋଟ ଛୋଟ ଚାଳଘର ଥାଏ । ସେଇଠି ଗୋଟିଏ ପଦ୍ମଫୁଟା ପୋଖରୀ କୂଳଆଡ଼କୁ ଶେଷ ଘରଟିରେ ମୋତେ ବସା ମିଳିଲା । ରାଜାଘର ସିଧା, ସଞ୍ଚା ପୂଜାରୀ, ଚାକର ଖଞ୍ଜି ଦେଲେ । ଦି’ତିନି ଦିନ ପରେ ଦିନେ ସଞ୍ଜବେଳେ ରାଜାଙ୍କ ବୈଠକରେ ଛାନ୍ଦ ଚର୍ଚ୍ଚା ହେଉଥାଏ, ଦିଆନେ ଆସି ପହୁଞ୍ଚିଲେ-। ରାଜା ମୋତେ ଚିହ୍ନା କରେଇଦେଇ ଦିଆନଙ୍କୁ କହିଲେ–‘‘ଇଯୁ ଏତାହେଲା ପନ୍ନାହାକଙ୍କୁ ଆମ ଏଠି ରଖିଲେ ଭଲ ହୁଅନ୍ତା ।’’

 

ଦିଆନେ ମୋର ପରିଚୟ ପଚାରି ବୁଝିଲେ ଯେ ମୁଁ ବଡ଼ାମ୍ବାର ଲୋକ । ବଡ଼ାମ୍ବାରେ ସିରସ୍ତାଦାର ଥିଲେ ଜାନକୀବାବୁ (ଜାନକୀ ବଲ୍ଲଭ ମହାନ୍ତି) । ସେ ମୋ ବାପାଙ୍କର ଆଉ ଆମ ଘରର ଜଣେ ବଡ଼ ବନ୍ଧୁ । ଖଣ୍ଡପଡ଼ା ଦିଆନେ ତାଙ୍କ ଜୋଇଁ, ନାଆଁ ଭାଗବତବଲ୍ଲଭ ଦାସ । ୟାଙ୍କ ବାପା ରାଜମଣିବାବୁ ମଧ୍ୟ ଖଣ୍ଡପଡ଼ା ଦିଆନ ଥିଲେ । କଥା ହଉ ହଉ ସମ୍ୱନ୍ଧଟା ପାକଳ ହୋଇଗଲା । ଜାନକୀବାବୁଙ୍କୁ ମୁଁ ଦାଦା ବୋଲି ଡାକେ, ତେଣୁ ମୁଁ ଭଗତବାବୁଙ୍କ ବଡ଼ ବନ୍ଧୁ ହେଲି । ଖଣ୍ଡପଡ଼ାରେ ମୋ ବସା ଡାହାଣପଟେ ଅଳ୍ପ ଛଡ଼ାରେ ଦିଆନଙ୍କ ବଙ୍ଗଳା । ଆରଦିନ ସକାଳୁ ଭଗତବାବୁ ମୋତେ ଡାକି ପଠାଇ କହିଲେ, ‘‘ହଇଓ, ତମ ନାଆଁ କାଳୀଚରଣ ପଟ୍ଟନାୟକେ ? ରାଜା ତୁମକୁ ରସିକରି ଖଣ୍ଡପଡ଼ାରେ ରହିବାକୁ କ’ଣ କହୁଥିଲେ ? ତୁମେ ତ ଗୋଟାଏ ଜନ୍ତୁ ! ପଲିଟିକାଲ ଏଜେଣ୍ଟ ଆମକୁ ପଚାରିଛନ୍ତି, ସୁବିଧା ଥିଲେ ତମକୁ ଏଠି ଚାକିରିଟିଏ ଦେବାପାଇଁ । ଚିଠି ଦେଖ’’ ବୋଲି ଖଣ୍ଡେ ଚିଠି ବଢ଼ାଇ ଦେଇ କହିଲେ, ‘‘ଏଇମିତି ଚିଠି ସାହେବ ଅନ୍ୟାନ୍ୟ କେତେ ଜାଗାକୁ ଲେଖିଛନ୍ତି–ଉପରେ ନମ୍ବର ଦେଖ । ହେଲେ ତମେ ଆଉ କେଉଁଠିକି ଯିବା ଦରକାର ନାହିଁ । ଏଇନେ ଏଠି ଆମର ସ୍କୁଲ ବିଭାଗ ସବ୍‌ଇନ୍‌ସପେକ୍ଟର ପୋଷ୍ଟ ଖାଲି ଅଛି । ଆଗେ ରହିଯାଅ, ପରେ ଦେଖିବା । ମୁଁ ଏଇନେ ରାଜାଙ୍କ ଛାମୁକୁ ବାହାରିଛି, ସବୁ କଥା କହି ଆସିବି । ଆଗେ ଥାକି ଯାଅ । ଭବିଷ୍ୟତ୍‌କୁ ତମମାନିଆଁ କାମର ବ୍ୟବସ୍ଥା କରାଯିବ, ତୁମେ ମନା କର ନାହିଁ ।’’ ମୁଁ ତୁନି ହେଲି ।

 

ରହିଲି ଖଣ୍ଡପଡ଼ାରେ, ସେଇ ବସାରେ ।

 

ଚାକିରି କଲି :

 

ସେତେବେଳେ ନୂଆ ହୋଇ ଖଣ୍ଡେ ଫୋର୍ଡ଼ ଗାଡ଼ି ଖଣ୍ଡପଡ଼ାରେ କିଣା ହୋଇଥାଏ । ଦିଆନେ ମୋତେ ସାଥିରେ ଧରି ସେଇ ଗାଡ଼ିରେ ଉଆସକୁ ବାହାରିଲେ । ରାଜଦର୍ଶନ ହେଲା । ଦିଆନେ ହସି ହସି ସବୁକଥା ରାଜାଙ୍କୁ କହିଲେ । ରାଜାଙ୍କ ଆନନ୍ଦ କହିଲେ ନ ସରେ । ମୁଁ ‘‘ସବସେ ଚୁପ୍‌ଭଲା’’ ହୋଇ ବସି ରହିଲି ।

 

ଦି’ ଚାରିଦିନ ଗଲା ବାହାରି, ଦିନେ ସଞ୍ଜବେଳେ ଛାମୁରେ ଜଣାଇଲି–‘‘ମୁଁ ବଡ଼ାମ୍ବାରୁ ଆସି ଛାମୁଙ୍କ ହୁକୁମରେ ଏଠି ରହିଲି । ବଡ଼ାମ୍ବାରେ କି ବାଙ୍କିରେ କେହି ମୋ କଥା କିଛି ଜାଣିଲେ ନାହିଁ । ବୋଉ ଭାରି ବ୍ୟସ୍ତ ହେଉଥିବ । ହୁକୁମ ହେଲେ, ମୁଁ ଟିକିଏ ବାଙ୍କି ଯାଆନ୍ତି, ଦିନ ଦି’ଟା ପାଇଁ-।’’ ରାଜା ହଁ ଭରିଲେ । ତହିଁ ଆରଦିନ ଦିଆନଙ୍କ ପାଖକୁ ସେ ନିଜେ ଖବର ପଠାଇଲେ-। ମୁଁ ପଦ୍ମାବତୀ ଗାଆଁ ବାଟେ ବାଙ୍କି ଯିବି । ସାଙ୍ଗରେ ଅଜିଜ୍‌ ଜମାଦାର ଓ ଦି’ଜଣ ବରକନ୍ଦାଜ ଯିବେ-। ଖାଲି ହାତରେ ଗଲେ ରାଜାଙ୍କୁ ଅପମାନ । ତେଣୁ ଦେଉଳରୁ ଖଜାପିଠା ଆଉ ତୋଟାରୁ ଭଲ ଭଲ ଆମ୍ବ ପଣସ ଭାରେ ଯିବ, ନଗଦ ପଚାଶ ଟଙ୍କା ଦେବା ଲାଗି କୋଠଘରିଆଙ୍କୁ ବରାଦ ହେଲା-। ଦି’ଦିନକୁ ଛୁଟି ନେଇ ଗାଆଁକୁ ବାହାରିଲି । ଚଞ୍ଚଳପ୍ୟାରୀ ନାମକ ହାତୀ ମୋତେ ନେଇ ଯିବାକୁ ବରାଦ ହେଲା । ସହଦେବ ଜୟ ସିଂ ହାତୀ ମାହୁନ୍ତ ଅମାରି କଶି ହାତୀ ଆଣିଲା ।

 

ପଦ୍ମାବତୀ ଗୋଟିଏ ମହାଜନ ଥଳି । ସେଇଠି ବଧା କଲୁଁ, ଇସ୍କୁଲ ଘରେ । ମୋତେ ଖାଲି ବୋଉ ମୁହଁ ଦିଶି ଯାଉଥାଏ । ମନେପଡ଼ିଗଲା, ଯେଉଁଦିନ ସେ କ୍ଷେତୁଦାଦାଙ୍କ ମୋଟା ମାନ୍ଦ୍ରାଜୀ ଲୁଗା ବାପାଙ୍କ ଫଟ ଆଗରେ ଥୋଇ ଲୁହ ଝରାଉଥିଲା, ଆଉ ‘ମୁଁ ଦେଲେ ସେ ପିନ୍ଧିବ’ କହି ଲୁହ ପୋଛୁ ପୋଛୁ ଘରୁ ବାହାରିଗଲା ।

 

ଅଲିଭା ଏ ଛାତିରୁ ସେ ଘଟଣା । ଅଜିଜ୍‌ ମହମ୍ମଦ ବଡ଼ ମଉଜିଆ ଲୋକ । ସବୁବେଳେ ହସହସ ମୁହଁ । ଖଣ୍ଡପଡ଼ା ମୋ ବସା ପାଖରେ ତାଙ୍କ ବସା । ନିତି ଦେଖାଚାହାଁ । ସେ ମୋତେ ପଦ୍ମାବତୀ ଗାଆଁର ଜଣେ ଲୁଗା ମହାଜନ ଘରକୁ ନେଇଗଲେ । ମୁଁ ବୋଉ, ଖୁଡ଼ୀ, ଘରର କୋଠିଆ ସାରଥିଆଭାଇ ଇତ୍ୟାଦିଙ୍କ ପାଇଁ ଲୁଗା କିଣି ଆଣିଲି ।

 

ଘରେ ପହୁଞ୍ଚିବାବେଳକୁ ବେଳ ରତରତ ହେଉଥାଏ । ଗାଆଁରେ ବାସୁକକେଇ, ବନାକକେଇ, ନାରଣକକେଇ, ନାଲୁ, ଭାଇଗ ପଣ୍ଡା, ଶିବ ପଣ୍ଡା ଇତ୍ୟାଦି ମୋତେ ଏଭଳି ଆସିବାର ଦେଖି, ବାପାଙ୍କ ଧରମରୁ ଏକଥା ହୋଇଛି ବୋଲି, ଭାରି ଖୁସି ହେଲେ । ବେଳବୁଡ଼ ହେଲା । ସାଙ୍ଗେ ସାଙ୍ଗେ ବାହାରିଲି ‘ମାଆ’ଙ୍କ ଦର୍ଶନକୁ । ସେଇ ଚିହ୍ନା ମହୁରୀ ଶୁଭୁଥାଏ । ବିନୋଦ ପୁଷ୍ଟିଙ୍କ ଦୋକାନରୁ ପାଞ୍ଚ ଟଙ୍କାର ଖିରମୋହନ କିଣିନେଇ ଭୋଗ କରାଇ ଫେରିଲି ଘରକୁ ।

 

ବୋଉର ଆନନ୍ଦରେ ଲୁହ ଝରୁଥାଏ । ଜାକି ଧରିଲା କୋଳରେ । ସେଇଠୁ ଲୁଗାପଟା କାଢ଼ି ଆଗେ ବୋଉକୁ ପିନ୍ଧାଇଲି । ବୋଉ ଦେଖିଲା ମୁଁ ସଭିଙ୍କ ପାଇଁ ଲୁଗା ଆଣିଛି, ବାକି ବାଡ଼ି ମାହାରାଣୀ ସାରିଆର ଲୁଗା କାଇଁ ? ମୋତେ କହିଲା–‘‘ଆରେ ବାପା ! ମୁଁ ସିନା ପିଲାଦିନେ ତୋର ଗୁହମୂତ କରିଛି, ଯେ ସବୁଦିନ କରୁଛି ସେ ତୋର ବଡ଼ମାଆ, ତା’ ଲୁଗା କାଇଁ ? ତା’ ଆନନ୍ଦ, ତା’ କଲ୍ୟାଣକୁ ଊଣା ମଣିବୁ ନାଇଁ ।’’ ଏତକ କହି କ୍ଷେତୁଦାଦା ତା’ ପାଇଁ ଆଣିଥିବା ଲୁଗା କାଢ଼ି ‘‘କାଲି ସକାଳେ ୟାକୁ ସାରିଆ ମାହାରାଣାକୁ ଦେବୁ’’ ବୋଲି ମୋତେ କହିଲା । ଦି’ଦିନ ପରେ ବୋଉକୁ ମୁଣ୍ଡିଆ ମାରି, ଗାଆଁର ଘର ଘର ବୁଲି, କହିପୋଛି ଖଣ୍ଡପଡ଼ା ବାହୁଡ଼ିଲି, ଚାକିରିକି-

 

ମୋତେ ଗାଆଁଗଣ୍ଡା ବୁଲିବାକୁ ହେବ, ଚାହାଳି ସ୍କୁଲ ଦେଖିବାକୁ ହେବ; କିନ୍ତୁ ଛାମୁ ତ ତାହା ଚାହାନ୍ତି ନାହିଁ । ମୁଁ ରୋଜିନା ତାଙ୍କ ଦରବାରିଆ ହେବି । ଗୀତ ଲେଖିବି, ଗାଇକରି ଶୁଣାଇବି ସିନା–ମଫସଲରେ ବୁଲିବି କେତେବେଳେ ? କିନ୍ତୁ ତେଣେ ଚାକିରି ତ ବଜାଇବାକୁ ହେବ; ତେଣୁ ଆଜ୍ଞା ହେଲା କି–ଚଞ୍ଚଳ ପ୍ୟାରୀ ହାତୀ ପନ୍ନାହାକଙ୍କ ତାବେ ରହିବ ଓ ସେ ଦି’ଦିନରୁ ଅଧିକ ଗଡ଼ଛଡ଼ା ହୋଇ ରହିବେ ନାହିଁ । ଗଡ଼ ବ୍ରାହ୍ମଣ ସାହିର ଚତୁର୍ଭୁଜ ମିଶ୍ରେ ଥାଆନ୍ତି ଇନିସ୍‌ପେକ୍ଟିଙ୍ଗ ପଣ୍ଡିତ । ବୟସ ବହୁତ ଆଗେଇ ଯାଇଥାଏ ତାଙ୍କର, ହେଲେ ମନ ଦୋରବସ୍ତ ମୁରୁଝାଇ ପଡ଼ି ନ ଥାଏ ।

 

କହିଛି ତ ଖଣ୍ଡପଡ଼ାରେ ପୂର୍ବ ରାଜାସାହେବ ନଟବର ସିଂହଙ୍କ ଅମଳରୁ ସଙ୍ଗୀତ ଚର୍ଚ୍ଚା ଥିଲା । କିସମ କିସମ ସେତାର, ପଖବାଜ, ଢୁମ୍ପା, ଖଜଣୀ ଉତ୍ୟାଦିର ଶେଷ ଦଶା ମୋ ଆଖି ଦେଖିଛି । କେତେ ଜଣ ବୁଢ଼ାବୁଢ଼ା, ରାଜା ନଟବର ସିଂହଙ୍କ ଅମଳର ଲେପ ଭାଗ ଭଳି ସେତେବେଳେ ବି ଦୀପ ମିଞ୍ଜି ମିଞ୍ଜି କରୁଥିଲେ । ତାଙ୍କ ଭିତରେ ବେହେଲା ବାଦକ ଓ ଗାୟକ ମଧ୍ୟ ଥିଲେ । ଗାଉଥିଲେ ଖାଣ୍ଟି ଓଡ଼ିଶୀ । ଏବେ ଯଦି ସେମାନଙ୍କ ଗାଉଣା ବାଜଣା ଶୁଣା ପାଇପାରନ୍ତେ ତେବେ ଓଡ଼ିଶୀ ସଙ୍ଗୀତ କର୍ଣ୍ଣାଟକୀ ଛାଞ୍ଚରେ ଢଳାବୋଲି ଯେଉଁ ନ ଜାଣି–ପଣ୍ଡିତେ ଦୁଆଦେଇ ଗଳା ଫଟାଉଛନ୍ତି, ତାଙ୍କର ଚେତନା ଆସିପାରନ୍ତା । ଗଡ଼ର ଗୁଣ୍ଡି ନନ୍ଦେ ଭାରତର ନାନା ସ୍ଥାନ ବୁଲି ଖ୍ୟାତି ଅର୍ଜନ କରିଥିଲେ । ସେ ନିରୋଳ ଓଡ଼ିଶୀ ଗୀତ ଗାୟକ । ଇନିସ୍‌ପେକ୍ଟିଙ୍ଗ୍‌ ପଣ୍ଡିତେ ମଧ୍ୟ ସେଇ ଗୋଠର ହଡ଼ା । ସରୁ ଗଳାଟିଏ । ବେହେଲା ବଜାଇ ଗାଆନ୍ତି ଗୀତ । ଯୋଗକୁ ହାତୀମାହୁନ୍ତ ସହଦେବ ଜୟସିଂହ ଜୁଟିଲା । ସେ ଖଞ୍ଜଣି ବଜାଇବାବାଲା । ସଞ୍ଜ ଗଡ଼ିଗଲେ ହାତୀ ଆଗରେ ବାଉଁଶହୁଳା ଜଳାଇ ଧରିବା ଲୋକଙ୍କ ସହିତ ଆମେ ବାହାରୁ ଗସ୍ତରେ । ଚପରାସିଟିଏ ଥାଏ, ସେ ହାତୀ ଉପରେ ଆମରି ପଛରେ ବସେ, ଚାଲେ ଗୀତ ବାଜା । ଚପରାସି ହାତରେ ହଳେ ସାନ ଗିନି । ଚଞ୍ଚଳା ହାତୀଟା ଟିକିଏ ହେଲେ ଟାଣଖରା ସହିପାରେ ନାହିଁ । ଖରା ହେଲେ ମାହୁନ୍ତର ଆଙ୍କୁଶ ନ ମାନି ସେ ବଣ ଭିତରକୁ ନେଇ ପଳେଇବ; କିନ୍ତୁ ବେଳବୁଡ଼ ହେଲେ ଆରାମରେ ଚାଲେ । ଗୀତ ଗାଇ ବାଜା ବଜାଇ ଆମେ ଚାଲିଥାଉଁ ଇସ୍କୁଲ ପରିଦର୍ଶନରେ, ସବୁରିଠୁ ମୁଁ ଥାଏଁ ବୟସରେ ଊଣା । ଇସ୍କୁଲ ଘରେ ରହଣିବେଳେ ଗୀତ ରଚନା ହୁଏ, ତାକୁ ବାଟରେ ଗାଇ ଗାଇ ଯାଉ । ଚଞ୍ଜଳା ଗୀତ ଉପଭୋଗ କରି, ଗୁଡ଼ୁରୁ ଗୁଡ଼ୁରୁ ହୋଇ ତା’ ଚଞ୍ଚଳା ନାଁକୁ ପାସୋରି ଦେଇ ହୋଇପଡ଼େ ମନ୍ଥରା ।

 

ଗୋଟିଏ ଗାଆଁରୁ ଅନ୍ୟ ଗାଆଁକୁ ଯିବାର ଅସୁବିଧା ନ ଥାଏ କିଛି, ଖାଲି ଗାଆଁ ପଧାନ (ସର୍ବରାକାର) ଖବର ପାଇଲେ ହେଲା । ସେ ଡାକୁଆ, ପାଳିଆ (ଯାହାଙ୍କର ବେଠି ପାଳି ଥାଏ) ଙ୍କୁ ଡାକି ବିଛଣା ପେଡ଼ି ବୁହାଇ ନେବାର ବ୍ୟବସ୍ଥା କରିଦିଅନ୍ତି । ବଣରୁ ବାଉଁଶ ଆସି ହୁଳା ବନ୍ଧାହୁଏ । ଠା’କୁ ଠାଆ ଏଇ ବନ୍ଦୋବସ୍ତ । ବଣ ବାଟରେ କେତେ ଠାଆରେ ବାଘମାମୁ ସଙ୍ଗେ ଭେଟ ହୋଇଛି । ମିରିଗ, ଶିଙ୍ଗାଳ, ଖୁରୁଙ୍ଗ, ଖରିଆ ପ୍ରଭୃତିଙ୍କୁ ବରାବର ଭେଟୁଁ । ଅନୁଭବ ତ ଅନେକ । ମୁଁ ମାତ୍ର ମୋଟାମୋଟି କେତେ କା କଥା ନ କହି ରହିପାରୁ ନାହିଁ, ଖାଲି ସେତେବେଳର ଅବସ୍ଥାଟା ବାଢ଼ିବାକୁ ।

 

କେବେ କେବେ ଭୋଜିଭାତର ବ୍ୟବସ୍ଥା ହୁଏ, ଥରେ ରାତିରେ ଭୋଜି କରିବାକୁ ମସୁଧା ହେଲା । ବଣରୁ ମିରିଗ ଶିକାର ଆଣିଲେ ଜାମୁକି ନଳୀବାଲା ବାଣୁଆଁ । ଆଗରୁ ଗଡ଼ତଳିଆ ଖଳିସାହିର ତରା ଗଉଡ଼ୁଣୀକୁ ଅଚକାର ଦିଆ ହୋଇଥାଏ କ୍ଷୀର, ଦହି ପାଇଁ । ଗଡ଼ରୁ କିଛି ଦୂରରେ ବୁଦବୁଦିକିଆ ନଟା ମଝିରେ ଛୋଟିଆ ଭୂଇଁ ମୁଣ୍ଡିଆଟିଏ । ତା’ଉପରେ ଗୋଟିଏ ବଡ଼ କଳା ମୁଗୁନିପଥର । ନିକଟରେ ଗୋଟିଏ ଝର–ସିରିସିରି ହୋଇ ବଡ଼ ସରୁ ପାଣିଧାରଟିଏ ବହୁଥାଏ । ତା’ ନାଆଁଟି କର୍ପୂର ଝର । ଢାଳେ ପାଣିପାଇଁ ଅନେକ ବେଳ ଲାଗେ । ପାଣି କର୍ପୂର ଦଳା ହେଲାପରି ବାସେ । ବରମୂଳେ ଅହିଆ ଖୋଳାହୋଇ ହଣ୍ଡା ବସିଲା । ଅଧା ତିନିପାଆ ରନ୍ଧା ସରିବା ବେଳକୁ ନିକଟ ବୁଦାବଣ ପାଖେ ମଟମଟ ଶୁଭିଲା–କିଏ ଯେମିତି ଫୁଟୁକି ମାରୁଛି । ମହିଆ ଗନ୍ଧ ବାରିହେଲା । ସଭିଏଁ କହିଲେ–ବାଘ । ଆଗରୁ କେବେ ଏତେ ପାଖରେ ବାଘ ଦେଖି ନ ଥିଲି ମୁଁ । ବାଘ ଚାଲିଗଲେ ପାହୁଲ କୁଆଡ଼େ ଟୁକ୍ ଟୁକ୍ ହୋଇ ଫୁଟେ । ବାଘ ଆମ ଚାରିକଡ଼େ ଘେର ମାରିଲା । ସମସ୍ତେ ପଛ ବୁଲାଇ ବଣଆଡ଼କୁ ମୁହଁ କରି ବସିଲୁଁ । କୌଣସିମତେ ଗିଳି ଦେଲାପରି ଖିଆପିଆସାରି ହଳାଜାଳି ଏକପଦୀ ମାର୍ଗରେ ବଣପାରି ହେବାର କଥା ହେଲା । ମଝିରେ ମୋତେ ନେଲେ । ଧାଡ଼ିର ଆଗ ଆଉ ପଛରେ ବାଣୁଆଁ ନଳୀଧରି ଚାଲିଲେ । ନିଆଁହୁଳା ଗୋଟାକେତେ ଜାଳି ଚାଲିଲୁଁ ସଭିଏଁ । ବଣରେ ଚଳବିଚଳ କରୁଥିବା ଲୋକେ ବାଘ ଡଗର ବାରି ‘‘ଗଲା ଗଲା–ହେଇଟି ହେଇଟି’’ ବୋଲି ପାଟିତୁଣ୍ଡ କରୁଥାଆନ୍ତି ।

 

ବାଘ ଆମ ସାଙ୍ଗଛଡ଼ା ହେବାକୁ ନାହିଁ । ଆତୁଡ଼ୀଲଟା ସବୁ ବଣ ବାଟଟିକୁ ଠାଏ ଠାଏ ଝାମ୍ପି ପକାଇଥାଏ । ଲୋକେ କହୁଥାଆନ୍ତି ଯେ ବାଘ ଆମର ଡାହାଣହାତି ଥିବାଯାଏ ଝାମ୍ପିପାରିବ ନାହିଁ, କାରଣ ସେଇଟା ହେବ ତା’ର ବାଆଁପଟ । ସେ ବାଆଁଆଡ଼କୁ କୁଦାମାରି ପାରେ ନାହିଁ । ଯେବେ ମଝି ବାଟରେ କୋଉଠି ସେ ଆମ ଡାହାଣରୁ ବାଆଁକୁ ଡେଇଁ ଆମକୁ ଅନୁସରଣ କରେ, ତେବେ ସାଙ୍ଗେ ସାଙ୍ଗେ ଆମକୁ ପୁଣି ପଛ ବୁଲାଇ ବାହୁଡ଼ିବାକୁ ହେବ, ଯେପରି ସେ ଆମ ଡାହାଣପଟେ ରହେ; କିନ୍ତୁ ଯୋଗକୁ ବାଘ ଥକି ଭୂଇଁଯାଏ ଆମ ଡାହାଣେ ଡାହାଣେ ଚାଲିଲା । ପଦାରେ ପହୁଞ୍ଚିବାବେଳକୁ ବାଘ ମେଘଫଟା ଗର୍ଜନଟାଏ ଛାଡ଼ିଲା । ବଣ ଚମକି ଉଠିଲା–ଛାତିଟା ମୋର ଦୁଲ୍ ଦୁଲ୍ ହେଲା ।

 

କେତେଥର ବାଘ, ଭାଲୁ ହାବୁଡ଼େ ପଡ଼ିଛି ଏହିପରି; କିନ୍ତୁ ଏସବୁ ସତ୍ତ୍ୱେ ବଣର ଆଦର ଡାକରା ଏଡ଼ିଦେଇପାରି ନାହିଁ । ସ୍କୁଲ ପରିଦର୍ଶନ ମଧ୍ୟ ବେଳେବେଳେ ବଡ଼ କୌତୁକପ୍ରଦ ହୁଏ । ଥରେ ଗୋଟିଏ ଗାଆଁରେ ପିଲାଟିଏ ପଣକିଆ ଖନ୍ଦା କରି ଲେଖିଥାଏ । ସେ ଦୁଇକ ପଣକିଆ ପଢ଼ୁଥାଏ । ତାକୁ ଖନ୍ଦା ଲିଭାଇ ଦେବାକୁ କହିଲି । ଲିଭାଇ ଦେବା ପରେ ପଚାରିଲି–‘‘କାହାଣେ ଦୁଇପଣ କୋଉଠି ଅଛି–କହିଲୁ ?’’ ଉତ୍ତରରେ ଆଙ୍ଗୁଠି ଠାର ଖନ୍ଦାର ଶେଷମୁଣ୍ଡକୁ ଦେଖାଇ କହିଲା–‘‘ଆଜ୍ଞା ହି ମୁଣ୍ଡେ’’ ଅର୍ଥାତ୍ ଖନ୍ଦା ଶେଷରେ । ସମସ୍ତେ ହସିଉଠିଲେ । ବିଚାରା ଶିଶୁଟିଏ ହସର ଅର୍ଥ କିଛି ଠଉରାଇ ନ ପାରି ବୁଲୁ ବୁଲୁ କରି ଖାଲି ଚାହୁଁଥାଏ ସବୁରି ମୁହଁକୁ ।

 

ଖଣ୍ଡପଡ଼ା ସ୍ମୃତି ଅପାସୋରା । ସଙ୍ଗୀତର ବେଶ୍ ଚର୍ଚ୍ଚାଥିବା କଥା କହିଛି ତ । ରାଜାଙ୍କ ବଂଶଜ ସାମନ୍ତ ଶ୍ରୀ ସନାତନ ସିଂହେ ସେତାର ଭକ୍ତ ଥିଲେ । ତାଙ୍କ ଆଗ ଛାମୁଁଆ ବଡ଼ଦାଣ୍ଡ ଆରପାରି ଶ୍ରୀପତି ପଟ୍ଟନାୟକଙ୍କ ଘରେ ବି ସଙ୍ଗୀତ ଚର୍ଚ୍ଚା ହୁଏ । ଅବସର କାଳଟା ସେଠି ଆନନ୍ଦରେ ବିତେ । ସ୍ୱର୍ଗୀୟ ପଠାଣୀ ସାଆନ୍ତଙ୍କ ଘରେ ଆମ ପୁରୁଣା ବୁନିଆଦି ଛନ୍ଦ ସାହିତ୍ୟ ଚର୍ଚ୍ଚା ଚାଲେ । ସାମନ୍ତ ଗଦାଧର ସିଂହେ ଜଣେ ସୁଲେଖକ । ବହୁତ ଗୀତ ସେ ଲେଖିଛନ୍ତି । ହେଲେ, ଛପା ନ ହୋଇ ଏବେ ମଧ୍ୟ ଛପି ରହିଛି । ପାଲାବାଲାମାନେ ତାଙ୍କ ଗୀତ ପରଶି ଥାଆନ୍ତି ବେଳେବେଳେ ।

 

ପାଠ ଆଉ ମଣିଷପଣିଆଁ :

 

ରାଜା ତ ପୁରୁଣାକାଳିଆ । ପାଠଶାଠ ବେଶୀ କିଛି ପଢ଼ିଥିବାର ଆଦୌ ମନେହୁଏ ନାହିଁ-। ଶିକ୍ଷା ନ ଥିଲା ସିନା, ଦିକ୍ଷା ଥିଲା ତାଙ୍କର । ଆଦେଶନାମା, ଅଥବା କୌଣସି ସରକାରୀ କାଗଜରେ କେବେ ସେ ତାଙ୍କ ପୂରାନାମ ସ୍ୱାକ୍ଷର କରିବାର ଦେଖା ନାହିଁ । ସେ କେବଳ ଲେଖୁଥିଲେ ‘ଶ୍ରୀ ରାଜେ’ । ଏଇ ଅକ୍ଷର ତିନୋଟି ତାଙ୍କ ପାଠପଢ଼ାର ଦୌଡ଼ ଚିହ୍ନାଇଦିଏ । ଭାବୁଛି, ସ୍କୁଲ କଲେଜର ପାଠ କ’ଣ ଯୋଗ୍ୟତାର ସର୍ବସ୍ୱ ? ଏଇ କେବଳ କ’ଣ ସତ ମଣିଷ ଗଢ଼େ-? ମୁଁ ଗୋଟିଏ ନମୁନା ଦେଉଛି, ସେଇଥିରୁ ରାଜାଙ୍କୁ ଚିହ୍ନାଯାଇପାରେ ।

 

ଭୋର ହୋଇଆସିଲା । ନଅର କାନ୍ଥି ତଳେ ଧୁକୁଡ଼ି ଦୁଆର ଜଗିଆର ନାଗରା ବାଜିଉଠି ପହର ଘୋଷଣା କଲା । ମର୍ଦ୍ଦନ ସାରି ମଣିମା ଦିହପାଣି ବଢ଼ାଇବାକୁ ନଅର ପୋଖରୀକୁ ବିଜେ କଲେ । ସେତେବେଳେ ନଅରର ମେରଦା ଅଗଣା (ନଅର ଓ ସିଂହଦ୍ୱାର ମଧ୍ୟବର୍ତ୍ତୀ ଅଗଣାର ନାମ) ଆରପଟେ ପୋଖରୀଟିଏ ଥିଲା, ଏବେବି ହୁଏତ ଥିବ । ଗଲାବେଳେ ଅଗଣାର ଏକ ପାଖରେ ରାଜା ପାଟିରୁ ଲୋଭାରି ମେଞ୍ଚାଏ ପାନଶିଠା ପକାଇ ଦେଇଗଲେ । ଅଗଣାଟିର ଚଟାଣ ବଡ଼ ପରିଷ୍କାର ପରିଚ୍ଛନ୍ନ, ନଅର ଦ୍ୱାରୀ ଏ ସବୁ ଦେଖିଛି । ସେ ବି ବୁଢ଼ା–ନାଗପାଟ ବୟସ ସତୁରି ସରିକି ହେବ । ରାଜା ଚାଲିଗଲେ । ଦ୍ୱାରୀ ପାନ ଖିଲେ ଦି’ଖିଲ ଚୋବାଇ ରାଜାଙ୍କ ବାହୁଡ଼ାଣି ବାଟ ଅଗଣା ଉପରେ ଧାଡ଼େ ପାନ ପିକ, ପାନ ଶିଠା ଜମା କରିଦେଇ ଆପଣା ଥାନରେ ଥାଏ । ରାଜା ବାହୁଡ଼ା ବିଜେକରି ପାନପିକ ଓ ଶିଠା ଦେଖି ବିରକ୍ତ ହୋଇ ପଚାରିଲେ–‘‘କିଏ ଅଛରେ ନଅର ଦୁଆରୀ, ଏଠିଟାରେ ଏମିତି ଇଯୁଏତାହେଲା ପାନଶିଠା କିଏ ପକାଇଲା ?’’

 

ଦ୍ୱାରୀ କିଛି ବାଗଡ଼ ନ ଦେଇ ତରତରରେ ଆଗମଡ଼ା ହୋଇ ରାଜା ପକାଇଥିବା ପାନଶିଠାକୁ ଠାରି କହିଲା–‘‘ମଣିମା, ଏଠି ତ ମିସେ (ମଧ୍ୟ) ସେମିତି ପାନଶିଠା ଗୁରାଏ କିଏ ପକାଇଛି ।’’

 

ରାଜା କହିଲେ–ସେଠି ଆମେ ପକାଇଛୁ ।

 

ଦ୍ୱାରୀ କହିଲା–ଏଠି ମିସେ ଆମେ ପକାଇଛୁ ।

 

ଛାମୁ ଗହଣିଆଁଏ ବିଚାରିଲେ ଆଜି ଦ୍ୱାରୀର ମୁଣ୍ଡ ଗଲା; କିନ୍ତୁ ରାଜା ନୀରବ ହୋଇ ଚାଲିଗଲେ ନଅରକୁ । ଦେବାର୍ଚ୍ଚନ ଇତ୍ୟାଦି ନୀତିକାନ୍ତି ବଢ଼ାଇବା ପରେ ଦୁଆରୀକୁ ଡକରା ହେଲା-। ଥରି ଥରି ବିଚରା ହାଜର । ତାକୁ କଳାମନ୍ଦାର ଧଡ଼ି ପିନ୍ଧା ପଟେ ଆଉ ଦୁଇଟା ଟଙ୍କା ଦିଆଗଲା-। ୟାକୁଇ କହନ୍ତି ହୃଦୟଶିକ୍ଷା, ଏଠି ପାଠପଢ଼ାଟା କେତେକେ ବୋଲକରେ ? ପାଠପଢ଼ା ଆଉ ମଣିଷପଣିଆ–ଏ ଦି’ଟା କଥା ନିଆରା ନିଆରା ।

 

ଆମ ପୁରୁଣା କବିମାନଙ୍କ ଛାନ୍ଦ, ଚୌପଦୀଗୁଡ଼ିକ ପ୍ରାୟ ନିତି ପଠିତ ହୁଏ ଛାମୁରେ । ବେଳେବେଳେ ଅପୂର୍ବ ଅର୍ଥ ସେ ବେଉତି ଦିଅନ୍ତି । ବଡ଼ ବଡ଼ ପାଠୁଆ ହାରିଯିବେ ତାଙ୍କ ଛାନ୍ଦାର୍ଥ ଶୁଣି ।

 

ସଂସ୍କୃତ କାବ୍ୟ ପଢ଼ା :

 

ଛାନ୍ଦ, ଗୀତ ଇତ୍ୟାଦି ସହିତ ସଂସ୍କୃତ ସାହିତ୍ୟର ମଧ୍ୟ ବେଶ୍ ଚର୍ଚ୍ଚା ଓ ଆଦର ଥିଲା ଖଣ୍ଡପଡ଼ାରେ । ଗଡ଼ ଭିତରେ ସଂସ୍କୃତ ଟୋଲ୍ ଥିଲା । ସେତେବେଳର ସେଠା ସଂସ୍କୃତ ପଣ୍ଡିତ ଭିତରେ ସ୍ୱର୍ଗତ ପଣ୍ଡିତ ବିଦ୍ୟାଧର ବାଣୀଭୂଷଣ ଜଣେ ରସଜ୍ଞ ବ୍ୟକ୍ତି ଥିଲେ । ମୁଁ ତାଙ୍କ ପାଖରୁ ସଂସ୍କୃତ କାବ୍ୟମାନ ପଢ଼ୁଥିଲି । ବାଣୀଭୂଷଣେ ମୋତେ ଶକୁନ୍ତଳା ପଢ଼ାଇବାବେଳେ ଦେଖିଛି ତାଙ୍କ ଆଖି ଲୁହ ଛଳଛଳ ହୋଇଯାଏ, ପୁଣି କେବେ କେବେ ସେ ପାଦଖିଆ ହସ ହସ ମୁହଁରେ ରସିକତା ଫୁଟିଉଠେ । ମହାରାଜ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପର୍ଣ୍ଣକୁଟୀରର ବିରହ ଶଯ୍ୟାରେ ଶାୟିତା ଦେଖି ତାଙ୍କୁ ପଚାରିଥିବା ଶ୍ଳୋକଟି–

‘‘କିଂ ଶିକରୈକ୍ଳମବିମର୍ଦିଭିରାଦ୍ର ବାତମ୍

ସଞ୍ଚାଳୟାମି ନଳିନୀଦଳ ତାଳବୃନ୍ତମ୍ ।

ଏଇ ଦୁଇଧାଡ଼ି ପରେ–

ଅଙ୍କେ ନିଧାୟ ଚରଣାବୁପେଦ୍ମତାମୌ

ସମ୍ଭାହୟାମି କରଭୋରୁ ଯଥା ସୁଖଂ ତେ’’

–ମହାକବି କାଳିଦାସଙ୍କର ଏଇ କଳ୍ପଣାକୁ ଲକ୍ଷ୍ୟକରି ମହାକବି କେତେ ରସିକ ହୋଇଥିବେ, ସେ କଥା ବୁଝାଇବାବେଳେ ବାଣୀଭୂଷଣଙ୍କ ଲୋମ ଟାଙ୍କୁରି ଉଠିବାର ମୁଁ ଦେଖିଛି । ଏ ଭାବ ସଙ୍ଗରେ ପଣ୍ଡିତ ଜୟଦେବ କୃତ ଗୀତଗୋବିନ୍ଦର ‘‘ଦେହି ପଦପଲ୍ଲବମୁଦାରଂ’’ ର ତୁଳନା କରନ୍ତି । ସେ କହନ୍ତି କବି ରସିକ ନୋହିଲେ–

 

‘ଶୁଷ୍କଂ କାଷ୍ଠଂ ତିଷ୍ଠତ୍ୟଗ୍ରେ’ ହେବେ ସିନା–‘ନିରସ ତରୁବର ପୁରତୋ ଭାତି’ ହୋଇପାରିବେ ନାହିଁ । ରସିକ ନୋହିଲେ ସେ କି କବି ?

 

ସେହିପରି ନୈଷଧ ପଢ଼ାଇବାବେଳେ ଦମୟନ୍ତୀଙ୍କ ବିରହ-ପୀଡ଼ିତ ମହାରାଜ ନଳଙ୍କର ସନ୍ଧ୍ୟାଗମରେ ଉଦ୍ୟାନରେ ବସି ଡାଆଣିଆ ଖରା ଉପରେ ପଡ଼ିଥିବା ପାଚିଲା ବେଳକୁ ପ୍ରଥମେ ଦମୟନ୍ତୀଙ୍କ କୁଚ–ଭ୍ରମରେ–

 

‘‘ସ, ବାରନାରୀ କୁଚ ସଞ୍ଚିତୋପମ୍

ଦଦର୍ଶମାଳୁର ଫଳଂପ୍ରଚେଳିମ୍’’–

 

ର ଅର୍ଥ ବୁଝାଇବାବେଳେ ବାଣୀଭୂଷଣେ ଆତ୍ମହରା ହୋଇ ପଡ଼ନ୍ତି ।

 

ମେଘଦୂତ ଗିରିର ରାମଗିରିରେ ବର୍ଣ୍ଣନା ‘ମାଳ’ ଶବ୍ଦ ବ୍ୟବହାର ଇତ୍ୟାଦିରୁ ମହାକବି ଆମ ଏଇ ଓଡ଼ିଶା ଜୟପୁରର କୋରାପୁଟ ରାମଗିରିରେ ବସି ବିରହୀ ଯକ୍ଷର ମନକଥା କଳ୍ପନା କରିଛନ୍ତି ବୋଲି ମନରେ ଧାରଣା ଜନ୍ମାଇଥିଲେ ଏଇ ବାଣୀଭୂଷଣେ । ମୁଁ ଏଭଳି ପଣ୍ଡିତ ଦେଖି ନାହିଁ । ବଡ଼କଥା ହେଲା, ସେ ବହି ନ ଧରି ଶ୍ଳୋକଗୁଡ଼ିକର ଖାଲି ମୂଳଟା ଓଁ କାରି ଦେଲେ, ଗଳଗଳ ଗାଇଦେଇ ଯାଆନ୍ତି । ମୁଁ ତାଙ୍କ ସ୍ମରଣଶକ୍ତି ଦେଖି ତାଟକା ହୁଏ । ଷାଠିକରୁ ବେଶୀ ବୟସରେ ସିନା ବୁଢ଼ା, ମାତ୍ର ମନରେ ସେ ଯୁବା ।

 

ମୁଁ ତାଙ୍କରି ପାଖରୁ ଗୁଡ଼ିଏ ସଂସ୍କୃତ ଗ୍ରନ୍ଥ ପଢ଼ିଲି । ଗସ୍ତକୁ ନ ଯାଉଥିବାବେଳେ ଦି’ପହରିଆ ସେ ନିଶ୍ଚିତଭାବେ ବସାକୁ ଆସି ଦି’ଘଣ୍ଟା ଅନ୍ତତଃ ପଢ଼ାଇ ଯାଆନ୍ତି । ପଣ୍ଡିତେ ଟୋଲରୁ ମାସକୁ ଦରମା ପାଉଥିଲେ ମାତ୍ର ଦଶଟଙ୍କା । ସେଥିରେ ତାଙ୍କର କେବେହେଲେ ଅସୁଖୀ, ଅସନ୍ତୋଷିଆ ହେବାର ଦେଖି ନାହିଁ କି ଶୁଣି ନାହିଁ ।

 

ବସା ପଛପଟକୁ ଲାଗିକରି ପୋଖରୀ ହୁଡ଼ା । ପୋଖରୀଟି ପଦ୍ମବଣରେ ଭରା । ଖରାଦିନେ ଦି’ପହରିଆ ଗରମ ବେଳେ ବାଣୀଭୂଷଣଙ୍କ ବରାଦରେ ପୋଖରୀରୁ ପଦ୍ମପତ୍ର ଅଣାଇଁ ପାରିଦେଇ ବସୁ । ହେଲେ, ଅଳ୍ପବେଳ ପରେ ସେଗୁରା ଶୁଖିଯାଏ । ପଣ୍ଡିତେ ହସି ହସି କହନ୍ତି–କବିମାନେ ବିରହିଣୀର ବିରହ-ଶଯ୍ୟାରେ ପଦ୍ମପତ୍ର ବିଛାଇବା କଥା ଲେଖିଛନ୍ତି । ଏଇମିତି ଶୁଖିଯାଉଥିବ ଓ ସଖୀମାନେ ଥରକୁଥର ପଦ୍ମପତ୍ର ବିଛାଉଥିବେ ସିନା ! ଉଠେ ହସ । ଏଇମିତି ରସ-ହସ ଭିତରେ କାବ୍ୟର ଆଲୋଚନା ଚାଲେ । ଖରଚ ହୁଏ କେବଳ ଗୁଡ଼ିଏ ଗୁଣ୍ଡିମିଶା ପାନଖିଲ ।

 

ମୁଁ ତାଙ୍କ ଟୋଲ୍ ପରିଦର୍ଶନ କରିଯାଏଁ ବେଳେ ବେଳେ । ପଣ୍ଡିତ ମହାଶୟ ମୋତେ ସେତେବେଳେ ତାଙ୍କ ହାକିମ ଭଳି ଦେଖନ୍ତି ବୋଲି ଭାରି ଲାଜମାଡ଼େ । ତାଙ୍କୁ ଏକଥା କେତେଥର କହିଛି । ସେ ଉତ୍ତର ଦିଅନ୍ତି–‘‘ସେଥିରେ କ’ଣ ଅଛି ?

 

ସ୍ଥଳ ବିଶେଷ ଦିବ୍ୟ ପୂଜାପାଇ

ଯେଉଁ ସ୍ଥାନେ ଯେଉଁ ବିଧି ଯୋଗାଇ ।’’

 

ତାଙ୍କ ପାଣ୍ଡିତ୍ୟ, ତାଙ୍କର ରସିକତା, ତାଙ୍କର ଯୋଗ୍ୟତା ପାଖରେ ମୁଣ୍ଡ ନଇଁଯାଏ । ଆଜି ଆଉ ଏଭଳି ମହାତ୍ମା କ’ଣ ମିଳିବେ ? କିଏ କୁଆଡ଼େ ଗଲେଣି ।

 

କାଳ ସବୁ କରେ । କୁମ୍ଭାରର ଚକ ସବୁବେଳେ ବୁଲୁଚି । ଆଜି ତାଙ୍କୁ ସ୍ମରଣ କରି ମୁଣ୍ଡ ନୁଆଏଁ ମୁଁ ।

 

ପଛଫେରା :

 

ଏହି ସମୟରେ ନୂଆଗଡ଼ ଭଣଜା (ରାଜାଙ୍କ ଭଣଜାକୁ ଏଇପରି ଡାକୁଥିଲେ ସେତେବେଳେ) ମୋର ଅନ୍ତରଙ୍ଗ ବନ୍ଧୁ ସମଧର୍ମୀ ସ୍ୱର୍ଗୀୟ ଗୋବିନ୍ଦ ଚନ୍ଦ୍ର ଶୂରଦେଓ ତାଙ୍କ ରାସଦଳ ସହ ଖଣ୍ଡପଡ଼ା ଆସିବାକୁ ପତ୍ର ଦେଲେ । ସେ ବାସ୍ତବରେ ଓଡ଼ିଶାରେ ନୂଆ ଢଙ୍ଗରେ ରାସ ଅଭିନୟ ପ୍ରଚାର ଓ ପ୍ରଦର୍ଶନର ଆଗୁଆ ଲୋକ । ମୋତେ ଛାମୁରୁ ପଚରା ହେଲା । ଆନନ୍ଦରେ ଡେଇଁ ଉଠିଲି ମୁଁ, ଯେତେପାରେଁ ଶତମୁଖରେ ତାଙ୍କ ଗୁଣ ଗାଇ ତାଙ୍କୁ ଡକାଇବା ବ୍ୟବସ୍ଥା ପାଇଁ ଅନୁରୋଧ କଲି । ରାଜା କହିଲେ–‘‘ଶୂରଦେଓ ରଜାଘର ପୁଅ । ତାଙ୍କ ରହଣିରେ ଯେପରି ଟିକିଏ ଅଣହେଳା ନ ହୁଏ । ପନ୍ନାହାକେ ଗଉଉନ୍ତାରୁ ସେତକ ମୁଣ୍ଡେଇଲେ ଆମର ତାଙ୍କ ଆସିବାରେ ଓଜର ନାହିଁ ।’’

 

ମୁଁ ‘ହଁ’ ଭରିଲି, ଶୂରଦେଓ ସଦଳବେଳେ ଆସିଲେ । ପୁଣି କେତେକାଳ ପରେ ମୋ ନାଟ୍ୟକାର ଜୀବନର କୁହୁଳା ନିଆଁ ସୁଲୁକି ଉଠିଲା । ମନ ପଛଫେରା ହୋଇଗଲା ।

 

‘‘ମଣିଷ ବିଚାରେ ଆନ–ଦଇବ ବିଚାରେ ଆନ ।’’

 

–ଯେ ମହାତ୍ମା ଏ ସାରା ବଚନଟା ଭାକି ଯାଇଚନ୍ତି, ତାଙ୍କର ଏଇଟା ନିରୋଳ ଅଙ୍ଗେ ଲିଭା କଥା । ବେଳେ ବେଳେ ଆମେ ମୁଣ୍ଡିଆ ବିଚାରୁଁ–ଏମିତି କରିବି, ସେମିତି ହେବି ଇଶତିଶ ନାନା କଥା । ହେଲେ ‘ଭବିଷ’ ଘର କୋଣ ଅନ୍ଧାରୁଆ, ଅଦେଖା ବା ଅଦୃଶ୍ୟ । ତେଣୁ ତା’ ନାଆଁ ଅଦୃଷ୍ଟ । ଜଣେ କିଏ ନିଶ୍ଚୟ ଅଛି–ସେ ଯେଣିକି ଟାଣିବ, ତେଣିକି ଯାଇ । ଥୋକେ ଆଜିକାଲି ଏ କଥାଟିକୁ ହେଁଟି ଦିଅନ୍ତି । ମୋ ଦୀର୍ଘ ଜୀବନର ଅନୁଭୂତିରେ; କିନ୍ତୁ ମୁଁ କଥାଟାକୁ ଦୋରବସ୍ତ ଉଡ଼ାଇ ଦେଇପାରିବି ନାହିଁ । ସେତକ କଲେ ମୋ ଉପାଧି ହେବ ଆମ ଗାଉଁଲି ଭାଷାରେ ସ୍ୱନାମଧନ୍ୟ–‘ଡିହଗାଲୁଆ’ । ଯେଉଁମାନେ ହେଁଟୁଛନ୍ତି ସେ ବି ଟିକିଏ ତାଙ୍କ ଜୀବନରେ କେତେକ ଘଟଣାକୁ ଫେଣେଇ ବସିଲେ ବଳେ ସତ-ମିଛ ବାରିବେ ବୋଲି ଅନୁମାନକୁ ଆସୁଛି ମୋର ।

 

ପାଠ ପଢ଼ୁଥିଲି, ବାପେ ଗଲେ । ଅଧାପନ୍ତରିଆ ହୋଇ ରହିଲି । ବାପାଙ୍କର, ବୋଉର ଓ ମୋର ମଧ୍ୟ ଆଶା ଥିଲା ଏକ ଧାରରେ କବି, ସଙ୍ଗୀତଜ୍ଞ ଓ ଚିତ୍ରଶିଳ୍ପୀ ହୋଇ ଫଡ଼କା ଉଡ଼ାଇବି । ୟେ ସିନା ମଣିଷ ବିଚାର; କିନ୍ତୁ ସତରେ ଏ ବିଚାରର ନିଷ୍ପତ୍ତି ଉପରକୁ ଆସିବାକୁ ଭଲା ଆମେ କିଏ ?

 

ଖଣ୍ଡପଡ଼ା ଗଲି କାହିଁକି ? ଚାକିରି କଲି କେମିତି ? କିଏ ଦେଲା, କାହିଁକି ଦେଲା, ଭବିଷ୍ୟତ୍‌ର ଉଦ୍ଦେଶ୍ୟ କ’ଣ–କିଛି ଠଉରେଇପାରେ ନାହିଁ । ଆଚ୍ଛା, ଚାକିରିତ କଲି, ରଜାଙ୍କର ଗେଲବସରିଆ ହୋଇ ଘିଅ ଦୁଧରେ ଦିନ ନେଉଥିଲି । ପିଲାଦିନର ସେ ନାଚ, ଗୀତ, ସେ ଅଭିନୟ, ଏସବୁ ତ ଟିକିଏ ଟିକିଏ କରଛଡ଼ା ହୋଇ ଯାଇଥିଲା । ପୁଣି ଦରଲିଭା ପାଉଁଶ ତଳି ନିଆଁ ରଡ଼ରେ କୁହୁଳା ପକାଇଲେ ମୋର ଅନ୍ତରଙ୍ଗ ବନ୍ଧୁ ସ୍ୱର୍ଗୀୟ ଗୋବିନ୍ଦ ଶୂରଦେଓ, ଖଣ୍ଡପଡ଼ା ଆସି । କାହିଁକି ବା କିପରି ଏ ଘଟଣା ଘଟିଲା ? ଏ କଣ ମୋର ଇଚ୍ଛାରେ ନା ମୋ ବିଚାରରେ ଘଟିଲା ?

 

ଶୂରଦେଓ ଖଣ୍ଡପଡ଼ା ଆସିଲେ ସଦଳବେଳେ । ଉଆସ ମେଲାରେ ବନ୍ଧା ହେଲା ରଙ୍ଗମଞ୍ଚ । ଅମଳ ପୁଣି ଝାଙ୍କିଲା ମୋତେ । ଦଳ ଭିତରେ ସେଇ ପୁରୁଣା ଚିହ୍ନାଜଣା ଫକିରା, ପାଣୁଆଁ, ଟୁଷା–ଅପୂର୍ବ ଯାହାଙ୍କର ଅଭିନୟ । ଏବେ ଯଦି ସେ ଅମଳର କଥା ହେତୁ ରଖି କେହି ଏ ଦୁନିଆଁରେ ଥିବେ, ସେ କେବେ ଫକିରା (କୃଷ୍ଣ ଭୂମିକା) ର ସେ ମହୁଝରା କଣ୍ଠ ପାସୋରି ପାରି ନ ଥିବେ ।

 

ଶୂରଦେଓ ସାତ ଆଠଦିନ ରହିଲେ । ମୁଁ ବାହୁଡ଼ି ଗଲି ପୁଣି ସେଇ ବିସୋରା ପୁରୁଣା ଦିନକୁ, ନଗଦ କଥା ପାସୋରି । ଖିଆ ପିଆ, ବସ ଉଠ–ସବୁ ଏଇ କେଇ ଦିନ ପୁଣି ଏକାଠି ଚାଲିଥିଲା । ଖାଇବା ତାତ୍ପର୍ଯ୍ୟଟା ଥିଲା ଶୂରଦେଓଙ୍କ ଜୀବନର ଗୋଟାଏ ବଡ଼ ପରିପାଟୀ । ମୋର ବି ସେତକ ଅଛି । ତେଣୁ ଦୁହେଁ ମିଶି, ସେକାଳ ଖଣ୍ଡପଡ଼ା ପରି ଗଡ଼ଜାତରେ ଯାହା ମିଳୁଥିଲା, ସେଇଥିରେ ଅମୃତ ଭୋଜନ ତିଆରି କରୁଥିଲୁଁ । କଷି ବାଇଗଣରେ ଗୁଡ଼ ତେନ୍ତୁଳି ଦେଇ ଗୋଟାଏ ପ୍ରକାର ରାଇତା ଶୂରଦେଓଙ୍କର ଅତି ପ୍ରିୟ ଭୋଜନ ଥିଲା । ଏଇଟା ସେ ଅନେକ ସମୟରେ ରାନ୍ଧନ୍ତି ନିଜେ, ଯଦିଓ ମୂଷୀପଣ୍ଡା ପୂଜାରୀ ମନ୍ଦ ରାନ୍ଧୁଣିଆ ନ ଥିଲା ।

 

ଦିନ କେଇଟା ଆଖି ପିଛୁଳାକେ ବିତିଗଲା । ସୁଖର ଦିନ ଗୁରାକ ନା, ତେଣୁ ଏ ଦିନମାନ ସତେ ଚବିଶଘଣ୍ଟିଆ ନୁହେଁ ପରା !

 

ଶୂରଦେଓ ଆଉ ତାଙ୍କ ଦଳଙ୍କର ରଜାଘରୁ ବିଧିମତେ ଦୋଶାଲ, ପାଟ ଯଥା ବାଟଖର୍ଚ୍ଚ ଇତ୍ୟାଦି ବଧାଇ ସହ ବିଦାକି ସରିଗଲା । କେତେଖଣ୍ଡ ଶଗଡ଼ଗାଡ଼ି ସଜ ହୋଇ ଦୁଆରକୁ ଆସିଲା-। ହାତୀ ଅମାରୀ କଷା ହୋଇ ଠିଆ ହେଲା । ଶୂରଦେଓ ବିଦାୟ ହେବେ । ଅମାନିଆଁ ଆଖି ଦି’ଟାକୁ ଯେତେ ରୋକିଲେ ବି ଧାର ଧାର ଲୁହ ଗଡ଼ି ଆସିଲା ମୋର । ପିଲାଗୁରାକ ବି ଏଇ କେଇଟା ଦିନର ମାୟେରେ କାନ୍ଦି ଉଠିଲେ । ଶୂରଦେଓ ତ କାନ୍ଦିକରି ବିଦାୟ ନେଲେ ମୋଠୁଁ-

 

ରାସଦଳ ଗଢ଼ା :

 

କାଳ ଯାଏ–କଥା ରହେ । ଏଇ ଶୂରଦେଓଙ୍କ ଦଳର ଖଣ୍ଡପଡ଼ା ଆସିବାରେ ମୋ ଡଙ୍ଗାମଙ୍ଗ ମୋଡ଼ ବଦଳାଇଲା । ନିଶାଖୋର ତ ! ଟିକିଏ ଖାଲି ଦୂରଛଡ଼ା ହୋଇ ଦରପାସୋରା ହୋଇଥିଲା ସିନା ! ପୁଣି କଟକ ଲାଗିଲା । ଖଣ୍ଡପଡ଼ାରୁ ଦଳେ ନିପଟ ଅରଣା ବାଳକ ଯୋଗାଡ଼ି–ମୁଁ ରାସଦଳ ଆରମ୍ଭରେ ଲାଗିପଡ଼ିଲି । ବ୍ରାହ୍ମଣ ସାହିର ଗୋପୀବ୍ରହ୍ମା ଜୁଟିଲେ ମୋ ସାଥିକି ଯୋଗାଣିଆ । ଶୂରଦେଓଙ୍କ ରାସଦଳ ନଗଦରେ ଲୋକଙ୍କୁ ରସାଇ, ମନାଇ ଯାଇଥାଏ । ଏକଥା ସତ ଯେ, କୌଣସି ବସତିରେ ଯାତ୍ରା, ଥିଏଟର ଦଳ ଆସି ଅଭିନୟ ଦେଖାଇ ଯିବା ପରେ ସେଠାରେ ଥୋକେ ଲୋକଙ୍କୁ ସେଇ ଅମଳ ଦିନାକେତେ ଘାରେ । ଏଥିପାଇଁ ଅନେକ ଜାଗାରେ ଆମେଚର ବା ସୌଖୀନ ନାଟ୍ୟଦଳ ସରାଗରେ ରଙ୍ଗବୋଳି ହୋଇ, ଭଲ ହେଉ ବା ମନ୍ଦ ହେଉ, ରଙ୍ଗମଞ୍ଚରେ ଠିଆ ହେବାଟା ଅଜଣା କଥା ନୁହେଁ । ତେଣୁ ବାଳକ ସଂଗ୍ରହରେ ଆଦୌ ଭିଡ଼ ପଡ଼ିଲା ନାହିଁ–ବିଶେଷକରି ମୁଁ ସେତେବେଳେ ରାଜଅନୁଗୃହୀଆ । ଗୋପୀବ୍ରହ୍ମା ମଧ୍ୟ ରଜାଘର ଚାରି ପୁରୋହିତ ଘରରୁ ଘରେ । ସଙ୍ଗୀତ ନ ଜାଣିଲେ କ’ଣ ହେଲା, ଗୀତ ନାଟର ସଉକିଆ ସେ । ଶିଖରପୁର ବୋଲି ତାଙ୍କର ଖଣ୍ଡିଏ ମାଫି ଗାଆଁ ଥାଏ । ବଗ-ସାମଲ ଓ ମୟୂର-ଚନ୍ଦ୍ରିକା ପ୍ରଭୃତି ସଂଗ୍ରହ କରିବାକୁ ସେ ଗାଆଁକୁ ବୁଲିଯିବାର ହେତୁ ଅଛି, ଏବେ ମୋର । ବ୍ରହ୍ମାଏ ମୋ ବସାକୁ ଏକପ୍ରକାର ଦୋଘରା କଲେ । ବହିଲେଖା ହେଲା–‘କଳଙ୍କ ଭଞ୍ଜନ’ । ଅଭିନୟ, ନାଚ, ଗୀତ ସବୁ ଶିଖାଇଲି ମୁଁ । ହାତେ ହାତେ ରଙ୍ଗ ତୂଳୀ ଧରି ସିନ୍, ଉଇଙ୍ଗସ ତିଆରିଲି । ଚାକିରି ତ ରାଜାଙ୍କ ଯୋଗରୁ । ତାଙ୍କ ଶ୍ରୀମୁଖ ଆଜ୍ଞା ମୋତେ–‘‘ଇଯୁଏତା–ହେଲା ପିଲାଙ୍କ ହାଜିରା ଖାତାର ‘ଅ’, ‘ଉ’ (ଅନୁପସ୍ଥିତ ଏବଂ ଉପସ୍ଥିତ ଶବ୍ଦ ଦୁଇଟିର ସଙ୍କେତବର୍ଣ୍ଣ) ବୋଲି ପରିଦର୍ଶନ ବହିରେ ଦି’ହରପ ଲେଖା ହେବା କଥା । ବେଶି କୁଆଡ଼େ ନ ଯାଇ ଗଡ଼ରେ ରହି, ନଅରକୁ ନିତି ସଞ୍ଜରେ ଯାଇ ଦେଖା କରିବାକୁ ହେବ ।

 

ଏ କଥାରେ ମୁଁ ଟିକିଏ ହସିଦିଏଁ; କିନ୍ତୁ କାମରେ ଗଫଲତି କରିବାକୁ ନାପସନ୍ଦ କରେ ମୁଁ-। ଏ ରାସବେଉସା ସାଥୀକି ବୁଲା ଚାକିରି ! ଏ କି ପୋଷାଏ ? ବାଉଁଶ ତ ମୂଳରୁ ଗୋଜା–ତାକୁ ପୁଣି ସଳଖିବ କିଏ ? ମନ ତ ଯାଇ ରାସଦଳରେ, କର୍ତ୍ତବ୍ୟ କରିବି କେମିତି ? ଶୁଣିଥିଲି, ଏବେ ଜଣେ କହିଲେ–‘ମୁଁ ତାଙ୍କୁ ଯେମିତି ସୁଖପାଏଁ–ତମକୁ ବି ସେମିତି ସୁଖପାଏଁ ।’ ୟେ’ ଖାଲି ମନବୋଧିଆ କଥା ସିନା ! ଭଲା ଗୋଟିଏ ମେଘରେ ଯୋଡ଼ାଏ ଜହ୍ନ କି ଉଇଁବ-? ଏକ ସିଂହାସନରେ ଦୁଇ ରାଜା ! ଦୁଇ ନାଆରେ ଗୋଡ଼ ଦେବା କଥା ପରି ଅବସ୍ଥା ହେଲା ମୋର-

 

ବଡ଼ାମ୍ବାରେ ରାସ :

 

କିଛିଦିନ ରଗଡ଼ା ରଗଡ଼ି ପରେ ଦଳ ଟିକିଏ ବାଗେଇ ଆସିଲା । ପହିଲି ପ୍ରଥମ ହୋମ ଛାମୁରେ ଆମ ଦଳର ଅଭିନୟ ଦେଖା ହେଲା, ସଭିଏଁ ପସନ୍ଦ କଲେ । ସେଇଠୁ ମନ ଆଗକୁ ସୋରେଇଲା । ଛାମୁରେ ଜଣାକରି ଦଳଘେନି ବଡ଼ାମ୍ବା ଗଲି । ବଡ଼ାମ୍ବାରେ ରାଜା ଥାଆନ୍ତି ବିଶ୍ୱମ୍ବର ମଙ୍ଗରାଜେ । ସେ ତ ମୋର ଜଣାଶୁଣା । ଜଗନ୍ନାଥଙ୍କ ମୋହନରେ ଉଇଙ୍ଗିସ୍ ଆଉ ପରଦାମାନ ଟଣାହେଲା । ସେଇ ମଞ୍ଚରେ ୩।୪ ରାତି ଅଭିନୟ ଦେଖାଗଲା । ସେତେବେଳକୁ ‘କଳିଙ୍ଗ ଭଞ୍ଜନ’ ପଛକୁ ‘ଦାରିଦ୍ର୍ୟ ଭଞ୍ଜନ’ ଲେଖା ଓ ଶିଖା ସରିଥାଏ । ଛଅ ସାତଦିନେ ଖଣ୍ଡପଡ଼ା ବାହୁଡ଼ିଲି । ବାଟରେ ପଦ୍ମାବତୀ ଓ କଣ୍ଟିଲୋ ଇତ୍ୟାଦି ଗାଆଁମାନଙ୍କରେ ମଞ୍ଚ ବନ୍ଧା ହୋଇ ଅଭିନୟ ହେଲା, ଟିକଟ କରି ।

 

ଯୁବରାଜ :

 

ମୁଁ ଖଣ୍ଡପଡ଼ାଗଡ଼ରେ ପହଞ୍ଚିଲାବେଳକୁ ପ୍ରାୟ ମାସେ ବିତିଗଲା । ଏଥିଭିତରେ ଖଣ୍ଡପଡ଼ାରେ ଏକ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥାଏ । ଆସି ଶୁଣିଲି, ଦେଉ ସାଆନ୍ତ (ବିରୁଳିର, ପାଟମହାଦେଈଙ୍କ ଭାଇ)ଙ୍କ ପୁଅକୁ ଖଣ୍ଡପଡ଼ା ରାଜା ପୋଷ୍ୟପୁତ୍ର କରିବେ । ପଠାଣୀସାଆନ୍ତଙ୍କ ପୁଅ ଚକ୍ରଧର ସିଂହ ରାଜବଂଶୀ ଓ ନିକଟ ସମ୍ପର୍କିତ । ସେ ଏଥିରେ ବାଧା ଦେଉଥାଆନ୍ତି । ଦିଆନ ଭଗତବାବୁ ମୋତେ ଡାହାଣପାଳିଆ କରି ଖୋଜୁଥାଆନ୍ତି । ଚକ୍ରଧର ସିଂହ ପାରୁପର୍ଯ୍ୟନ୍ତ ସମ୍ବଲପୁର ପଲିଟିକାଲ୍‌ ଏଜେଣ୍ଟଙ୍କ ପର୍ଯ୍ୟନ୍ତ ଧା’ଧପଟ କରି ଲଢ଼ିଲେ । ହେଲେ ଫଳ କିଛି ହେଲା ନାହିଁ । ପାଟହାତୀ ତାଙ୍କ ମୁଣ୍ଡରେ କଳସ ଢାଳିଲା ନାହିଁ ।

 

ବଡ଼ ଜାକଜକମରେ ଏ ପୋଷ୍ୟପୁତ୍ର ଗ୍ରହଣ ଉତ୍ସବ ପାଳିତ ହେଲା । ଭଗତବାବୁ ଉଦାରମନା ଲୋକ । ରାଜ୍ୟଯାକର ପଧାନ, ସର୍ବରାକାର ପ୍ରଭୃତିଙ୍କୁ ଡକରା ହେଲା, ଖିଆପିଆ, ବାଣ ରୋଷଣି, ନାଟତାମସା ଚାଲିଥାଏ । ମୋ ରାସ ନୂଆଦଳ ବି ବାଦ ପଡ଼ିଲେ ନାହିଁ । ନୂଆଗଡ଼ରୁ ବାଇନାଚ ଦଳ ଅଣାଗଲେ । ସେତେବେଳେ ଏ ନାଚ ଥାଏ । ମନେଅଛି ‘ରାଧା, ଦରିଆ ଓ ଜଗନା’ ନାମରେ ତିନି ଭଉଣୀ ନୂଆଗଡ଼ରୁ ଆସିଥିଲେ । ଗୀତ ନାଚ, ଯାହା ହେଲା ସେ ଯେ ଉଚ୍ଚକୋଟୀର, ତାହା ମୁଁ କହିପାରିବି ନାହିଁ, ମାତ୍ର ଗରାଖ ତ କିସମଓ୍ୱାରୀ–କାହା ପସନ୍ଦ କେମିତି । ବାକି ରାଧାମଣିର ଦୈବୀଦତ୍ତ ଢଳା-ଚଳା-କଳା ଆଖି ଯୋଡ଼ାଟି ବହୁତ ଲୋକଙ୍କ ମନ ଚହଲାଇ ଦେବାର ମୁଁ ଜାଣେ । ତାଙ୍କ ଗୀତର ଘୋଷାପଦ ପଦେ ଅଧେ ଏବେ ବି ମୋର ହେତୁ ଅଛି–‘ମୁଁ କାହା କର ଧରିବି’ ଆଉ ‘କାନ୍ତ ବିନା ଦିବା ରଜନୀ ସଜନୀ କୋଟି ଯୁଗ ସମ ହେଲାଟି ରେ’–ସବୁ ଆମ ପୁରୁଣା କବିଙ୍କ ରଚନା ।

 

ବାଇଆନା ନାଚ ତ ! ହେଲେ ବେଶ, ନାଚ ଭଙ୍ଗି, ଗାଇବା ଢଙ୍ଗ ଅଭିନୟ ଚାତୁରୀ ସବୁଥିରେ ଓଡ଼ିଶୀ ଢଙ୍ଗରଙ୍ଗ ଲାଗି ରହିଥିଲା । ଖଣ୍ଡପଡ଼ାବାସିଏ ଗୀତ ରସିକ । କହିଛି ତ ସେଠାରେ ସଙ୍ଗୀତର ବେଶି ଚର୍ଚ୍ଚା ଥିଲା । ଓଡ଼ିଶୀ ଗୀତ ଓ ନାଚ ତାଙ୍କ ମନକୁ ପାଇଲା ।

 

ଦେଉ ସାଆନ୍ତ ବିରୁଳି ଆଡ଼ରୁ ପଞ୍ଝାଏ ଦକ୍ଷିଣୀ ‘ସଖୀପିଲା’ ଅଣାଇଥିଲେ । ସେମାନେ ଯେଉଁ ଗୀତ ଗାଇଲେ, ସେଥିରେ ହିଁ ଖଣ୍ଡପଡ଼ାର ଦେଖାଣାହାରିଏ ଟିକିଏ ନାକ ଟେକିଲେ, ପହିଲୁ ଗୀତର ଭାଷା ଶୁଣି । ତା’ ବି ମନେ ଅଛି ମୋର । ସେମାନେ ଗାଇଥିଲେ–‘‘ମୋଓ୍ୱାନ ରୀତି ଚିନା ପୋଡ଼ିଲା ମା’’–ଅର୍ଥାତ୍‌ ସିଧା ଓଡ଼ିଆରେ ‘ମୋହନ ରୀତି ଚିହ୍ନା ପଡ଼ିଲା ମା ।’

 

ଗୀତଟିଏ କଥା ବା ଗୀତ ରଚନା ଓଡ଼ିଆ ସିନା, ହେଲେ ଉଚ୍ଚାରଣ ବାଗ ତେଲଙ୍ଗି ପରି ଜଣାଯାଉଥିବାରୁ ‘ମୋହନ’ ଶବ୍ଦ ମଧ୍ୟ ଅଚାହୁଡ଼ା ହୋଇ ବୋଲାଇଛି ‘ଓ୍ୱ’ ଏବଂ ‘ଚିହ୍ନା’ ଶବ୍ଦର ‘ହ’ଟି ଦେହଛପା ଦେଇ ରହିଛି ‘ନା’ ଅକ୍ଷର । ଅନ୍ୟାନ୍ୟ ଶବ୍ଦଗୁଡ଼ିକ ସଂଯୋଗରେ ଆସି ତଦ୍ରୂପ ମୁଣ୍ଡକଟା ଗଣ୍ଡିକଟା ବ୍ୟାଧିଗ୍ରସ୍ତ ହୋଇ ପଡ଼ିଛନ୍ତି । ଗୀତର ଏପରି ଦୁର୍ଦ୍ଦଶା ଦେଖି ଭାରି ଦୁଃଖ ଲାଗିଲା । ମନେପଡ଼ିଲା–‘ହିଜ୍‌ ମାଷ୍ଟରସ୍‌ ଭଏସ୍‌’ କମ୍ପାନୀର ସେଇ ସମୟର ଖଣ୍ଡେ ରେକର୍ଡ଼ କଥା । ଗୀତଟିର କଣ୍ଠ-ଶିଳ୍ପୀ ହେଲେ ଜଣେ ବଙ୍ଗବାସୀ । ସେବେଳର ଅନେକ ଲୋକ ସେ ଗୀତଟି ଶୁଣିଥିବେ । ହୁଏତ କାହାରି ହେତୁ ଥିବ ମଧ୍ୟ, ଗୀତଟିର କଥା–‘ମୋତେ କାଇଁକି ଡାକୁ କଲା ମାଙ୍କଡ଼’ । ଓଡ଼ିଆ ଭାଷାର ବ୍ୟାଧିଗ୍ରସ୍ତ ବିକଳାଙ୍ଗ ସ୍ୱରୂପର ଏ ଖଣ୍ଡିଏ ପରା କୁଆଡ଼େ ହାସ୍ୟୋଦ୍ଦୀପକ ରେକର୍ଡ଼ !

 

ଦକ୍ଷିଣୀ ସଖୀପିଲାଙ୍କ ବେଶ, ଗୀତ, ନାଚ, ବାଜା ଇତ୍ୟାଦି ଦିନାକେତେ ବଜାର ହାଟର ‘ଟିକଲ’ ସାମଗ୍ରୀ ହୋଇ ରହିଲା । ବିଶେଷକରି ଗାଇଲାବେଳେ ସ୍ୱରର ଘନ ଘନ କମ୍ପନର ସାଭିନୟ ଅନୁକୃତ କେବଳ ଗୀତରେ ନୁହେଁ, କଥା କହିବାବେଳେ ମଧ୍ୟ ଶ୍ରୋତା, ବକ୍ତା–ଦୁଇକୁଳକୁ ବେଶ୍‌ହସାଉଥାଏ । ଓଡ଼ିଶୀ ସଙ୍ଗୀତ ରୀତିର ଅଖଣ୍ଡସ୍ୱର ପ୍ରକାଶରେ ଅଭ୍ୟସ୍ତ କାନମନ ସେତେବେଳେ ଖଣ୍ଡପଡ଼ାରେ ଅଭାବ ନ ଥିଲା । ତେଣୁ କେହି କେହି ସଖୀପିଲାଙ୍କ ଗୀତ ଶୁଣି ‘ଥରାବାତ’ ମାରୁଛି କି ବୋଲି ହସି କହିବାରେ ଲାଗିଲେ ।

 

ଏହିସବୁ ଅବସ୍ଥା ଯାହା ହେଉ, ସୁରୁଖୁରୁରେ ରାଜାଙ୍କର ପୋଷ୍ୟପୁତ୍ର ଗ୍ରହଣ ଉତ୍ସବ ନିର୍ବାହ ହୋଇଗଲା । ଯୁବରାଜ ହେଲେ ଦେଉସାହେବଙ୍କ ଟିକି ପୁଅଟି ।

 

ପରେ ପରେ ଖଣ୍ଡପଡ଼ା ଚାକିରି ଆଉ ମୋତେ ସୁଖ ଲାଗିଲା ନାହିଁ । ନାଟକ ନିଶା ପୁଣି ଝାଙ୍କିଲା ।

 

ପରିବର୍ତ୍ତନ :

 

ଜ୍ୟେଷ୍ଠ ଯାଇ ଆଷାଢ଼ ପଶୁଥାଏ, ଖଣ୍ଡପଡ଼ା ସଂସ୍କୃତ ଟୋଲର ବାଣୀଭୂଷଣ ପଣ୍ଡିତଙ୍କ ପାଖରୁ ମୁଁ ପଢ଼ୁଥାଏ ମେଘଦୂତ । କହିଛି ତ ପଣ୍ଡିତ ମହାଶୟଙ୍କର ବହି ବା ପୋଥି ଲୋଡ଼ା ହୁଏ ନାହିଁ । ସବୁ ଗୋଟି ଗୋଟି ମୁଖସ୍ଥ । ସେ ମୋତେ ନୈଷଧ ପଢ଼ାଇଥିଲେ । ଓଁକାରି ଦେଲେ ଅନର୍ଗଳ ଶ୍ଳୋକ ଗାଇ ଅତି ସରସ ଭାବରେ ଅର୍ଥ ବିସ୍ତାରି କହି ଯାଆନ୍ତି । ମେଘଦୂତ ଠିକଣା ବେଳରେ ପଢ଼ା ଆରମ୍ଭ । ଚାକିରି ଛାଡ଼ିବା ପୂର୍ବରୁ କେତେ ଭାବି ହେଲି । ରାଜାଙ୍କ ସରାଗ, ଲୋକଙ୍କ ଆଦର, ନିଜର ଜ୍ଞାନ ଅର୍ଜନ, ଧନ ଅର୍ଜନ–ଏସବୁଆଡ଼େ ଓ ଅନ୍ୟଆଡ଼େ ରାସଦଳ । ଉଡ଼ାମନ କେଉଁ ଡାଳ ଧରିବ ? ଭାବି ଭାବି କେତେ ବଉଦ ଉହାଡ଼ିଆ କାଳିଜହ୍ନ, ଉଦୁଆ ଆଖି ଆଗରେ ମିରିଗୀଚିରା ମାରିଛି ।

 

ହଠାତ୍‌ ବାଟ ଠିକଣା କରିହେଲା ନାହିଁ । ଏତିକିବେଳେ ରାସଦଳ ପରିଚାଳକ ଗୋପୀ ବ୍ରହ୍ମାଏ କହିଲେ–‘‘ବାବୁ ! ନୂଆଗଡ଼କୁ ପାର୍ଟି ନେଇ ଯାଆନ୍ତେ । ବର୍ଷାଦିନ ତ ହୋଇ ଆସିଲା । ଚାରି ଆଠଦିନ ବୁଲିଆସନ୍ତେ ନାଇଁ ?’’ ମୁଁ କହିଲି–‘ଛୁଟି ଯୋଗାଡ଼ି ପାରିଲେ ସିନା ! ଆଚ୍ଛା, ଦିଆନବାବୁଙ୍କୁ କୁହେ–ଛାମୁରେ ଜଣା କରେ । ଚେଷ୍ଟା କଲାଉତାରୁ ଦେଖାଯିବ ।’’

 

ଚାକିରିର ଟାଣଠାରୁ ରାସଦଳର ଟାଣଟା ଯେ ବେଶି–ଏଇକଥା ଅନୁଭବ କଲି ମୁଁ । ହେଲେ କଥା ଅଛି ତ–‘ଦଇବ ଦଉଡ଼ି ମଣିଷ ଗାଈ’–ଦେଖେ, ଦଉଡ଼ି କୁଆଡ଼କୁ ଟାଣୁଛି ?

 

ନୂଆଗଡ଼ରେ ରାସ :

 

ଡାହାଣ ବାଁ ଦି’ପଟରେ ଜଗୁଆଳି ପରି ମଥାଟେକି ପହରା ଦେଇ ନୂଆଗଡ଼କୁ ଚାହିଁ ରହିଛି ‘ରୁଖୀ’ ଆଉ ‘ବଳରାମ’ ଦୁଇଟି ପାହାଡ଼ । ଦୁହେଁ ରସିକପଣରେ କେହି କାହାକୁ ଊଣା ନୁହନ୍ତି-। ନାଗେଶ୍ୱର ଆଉ ମାଳତୀଟାହିଆ ମଥାରେ ଖୋଷି, ଗଡ଼ଟାସାରା ମହକ ଚହଟାଇ ନୂଆଗଡ଼କୁ ପୁରୁଣାଗଡ଼ କରିଦେବାକୁ ଏ ଦୁହେଁ ଯେମିତି ନାରାଜ । ଭଞ୍ଜକବି ଏଇଠି, ଯଦୁମଣି ଏଇଠି-। କେତେଦିନରୁ ନୂଆଗଡ଼ ଦେଖିବାର ଗୋଟାଏ ବାଞ୍ଛା ଥିଲା । ଏ ପୁଣି ମୋର ମାମୁଘର ଗାଆଁ-। ଏଇଠି ଗୋଟିଏ ଗୁରୁଟ୍ରେନିଂ ସ୍କୁଲ ଅଛି । ଖଣ୍ଡପଡ଼ାର ଇନିସ୍‌ପେକ୍‌ଟିଙ୍ଗ୍‌ ପଣ୍ଡିତ ଚତୁର୍ଭୁଜ ମିଶ୍ରଙ୍କ ଭାଇ ସନାତନ ମିଶ୍ର ଥାଆନ୍ତି ହେଡ଼ପଣ୍ଡିତ । ମୋ ମାମୁ କୁଞ୍ଜବିହାରୀ ପଟ୍ଟନାୟକ (ଏବେ ସ୍ୱର୍ଗତ) ସେତେବେଳେ ନୂଆଗଡ଼ ସ୍କୁଲ ସମୂହର ପରିଦର୍ଶକ । ଯୋଗକୁ ପରୀକ୍ଷକ ରୂପେ ମୁତୟନ ହୋଇ ଖଣ୍ଡପଡ଼ାରୁ ମୁଁ ଗଲି ।

 

ଖଣ୍ଡପଡ଼ାରୁ ମନ ଉଡ଼ୁ ଉଡ଼ୁ ହେଲାବେଳକୁ ଏ ଯୋଗ ପଡ଼ିଥାଏ । ମନେକଲି ବାକି ଥିବ କାହିଁକି ? ନୂଆଗଡ଼ଟା ଦେଖା ସରିଥାଉ । ସେତେବେଳେ ନୂଆଗଡ଼ କୋର୍ଟ ଅଫ୍‌ ଓ୍ୱାର୍ଡ଼ସ୍‌ ଅଧିନରେ । ରଜା ଗାଦି ପାଇ ନ ଥାନ୍ତି । ସମ୍ବଲପୁରିଆ ପଟେଲବାବୁ ଥାଆନ୍ତି ପଲିଟିକାଲ ଏଜେଣ୍ଟଙ୍କ ନମୁଦା ଶାସକ । ଶସ୍ତା କାଳ । ଦେବୋତ୍ତର ବିଭାଗ ବଡ଼ ଭଲ ଚାଲିଥାଏ । ଭୋଗରାଗ ଭାରି ସରସା ।

 

ସତ କଥା :

 

‘ମୁଣିକି ମୁଣି–ଧୂଆଁପତ୍ରକୁ ମୁଣି’ । ମୁଁ ନୂଆଗଡ଼ ଯିବା ସଙ୍ଗେ ସଙ୍ଗେ ଜଣେ କେତେ ସଙ୍ଗୀତ-ପାଗଳା ଛାଏଁ ଛାଏଁ ଜୁଟିଗଲେ । ପରୀକ୍ଷା ତ ଚାଲିଲା । ଗାଉଣା ବାଜଣା ଭୋଜିଭାତ ମଧ୍ୟ ବନ୍ଦ ହେଲା ନାହିଁ । ନୂଆଗଡ଼ରୁ ସେତେବେଳେ ସୁଦ୍ଧା ଓଡ଼ିଶୀ ସଙ୍ଗୀତର ଚର୍ଚ୍ଚା ଉଭାଇ ଯାଇ ନ ଥାଏ । ଗଡ଼ର ସୋମନାଥ ପଟ୍ଟନାୟକ ଆଉ ବାଞ୍ଛାନିଧି ପଟ୍ଟନାୟକ (ପରେ ସମ୍ପର୍କରେ ମୋର ଭିଣୋଇ) ଓ ବ୍ରାହ୍ମଣସାଇର ଜଣ କେତେ ଗାୟକ ଗୀତ ଗାଉଥାଆନ୍ତି ।

 

ଖଣ୍ଡପଡ଼ା ଛାଡ଼ିଲି :

 

ନୂଆଗଡ଼ରୁ ଫେରି ପ୍ରାୟ ମାସଟାକ ପରେ ମୁଁ ଖଣ୍ଡପଡ଼ା ଛାଡ଼ିଲି । ଚାକିରିକି ମନହେଲା ନାହିଁ ଇସ୍ତଫା ଦେଲି । ସତେଯେମିତି କିଏ ଧକ୍‌କା ଦେଲା ଚାକିରି ଛାଡ଼ିବାକୁ । ବର୍ଷାଦିନ । ନଈ କୂଳ ଖାଇ, ଭଉଁରୀ ଖେଳାଇ ଧାଇଁଛି । ସେଇ ନୀଳମାଧବ । ଏଇବାଟେ ଖଣ୍ଡପଡ଼ା ପ୍ରବେଶ, ପୁଣି ଏଇବାଟେ ପ୍ରସ୍ଥାନ । ମନେପଡ଼ିଗଲା, ଗାଉଁଲୀ ପହଳି ‘କେଉଟ, ଯୋଉ ବାଟେ ଆସିଥିଲ, ସେଇ ବାଟେ ଲେଉଟ ।’ ମହାନଦୀ ପାରହୋଇ ଭଟ୍ଟାରିକାଙ୍କ ଦର୍ଶନ କରି ଆସିଲି ବଡ଼ାମ୍ବା ।

 

ମୋର ଦାଦା ସ୍ୱର୍ଗତ ମନମୋହନ ପଟ୍ଟନାୟକ ସେତେବେଳେ ନଅର ସୁପରିଣ୍ଟେଣ୍ଡେଣ୍ଟ୍‌-। ବାପାଙ୍କ କାଳ ହେବାପରେ ବଡ଼ାମ୍ବାରେ ଥିବା ଜେଜେବାପାଙ୍କ ଅମଳର ଜମିବାଡ଼ି ସୂତ୍ରେ ସୂତ୍ରେ ଏକାକୀ ନିଜ ନାମରେ କରିନେଇ ନିଶ୍ଚିନ୍ତ ଥାଆନ୍ତି ଦାଦା ଆମର । ଏକଥା ମୁଁ ପରେ ଜାଣିଲି-। ମୋର ଏ ଅଚାନକ ଉପସ୍ଥିତିଟା ତାଙ୍କୁ ସୁଖ ଲାଗିବା ପରି ମନେ ହେଲା ନାହିଁ-। ଯୋଗକୁ ବୋଉ ସେଠିକି ଦିନାକେତେ ହେବ ଆସିଥାଏ । ସେଇ ଖବର ପାଇ ମୁଁ ବଡ଼ାମ୍ବା ଯାଇଥିଲି-। ଲଗାଣ ବର୍ଷା ସୁଆତି ଚାଲିଥାଏ । ଦିନରାତି ବେଙ୍ଗରଡ଼ିରେ କାନ ତାବଧା ହେଇଯାଉଥାଏ । ଏମିତିବେଳେ ମୁଁ ବାହାରିଲି କଟକ । ମୋ ସାଥିରେ ଖଣ୍ଡପଡ଼ା ରସଦଳର ତିନୋଟି ପିଲା ଥାଆନ୍ତି ।

 

କଟକ ଯାତ୍ରା :

 

ରଜାଙ୍କୁ ହାତୀଟାଏ ମାଗିଲି ଯିବାକୁ ଗୋପୀନାଥପୁର ପର୍ଯ୍ୟନ୍ତ, ସେଇଠୁ ଡଙ୍ଗାଧରି କଟକ ଯିବା କଥା । ଦାଦା ଡଙ୍ଗା ଠିକଣା କରି ଦେଇଥାନ୍ତି । ବୋଉର ଜମା ମନ ନ ଥାଏ ଏ ଝଡ଼ି ବରଷାରେ ତା’ର ଏକୋଇର ବଳା ବିଶିକେଶନକୁ ଦି’କୂଳଖିଆ ନଈରେ ଡଙ୍ଗା ଭସାଇ କଟକ ଯିବାକୁ । ହେଲେ, ଉପାୟ ନାହିଁ ତା’ର । ଛଳଛଳ ଆଖିର ଲୁହ ତା’ ମନ ପୋଡ଼ିକଥା ନୀରବରେ କହି ଦେଉଥାଏ ମୋତେ । ଦାଦା କିନ୍ତୁ ମୋ କଟକ ଯିବା ଯୋଗାଡ଼ରେ ଆଗଭର ।

 

ଗୋପୀନାଥପୁର । ଡଙ୍ଗା ମହାନଦୀ ଘାଟରେ ଖଟା ହୋଇଛି, ବୋଝାଇ ହୋଇଛି ଗୁଡ଼, ଆଉ ଆଉ କେତେ କଅଣ । ଗନ୍ଧରେ ନାକ ଫାଟିଯାଉଥାଏ । ଡଙ୍ଗା ଚାଳଟି ସାଧାରଣତଃ ନୂଆଁଣିଆ । ସେଥିରେ କୌଣସି ମତେ ଗଳି, ଡଙ୍ଗା ଭିତରେ ପଶିବାକୁ ହେଲା । ନାଉରିଏ ମୋତେ ଅପେକ୍ଷା କରିଥିଲେ । ଏଥର ମଙ୍ଗୁଆଳ କହିଲା ନାଆ ମେଲିବାକୁ । ଦାଦା ବିଦାୟ ଦେବାବେଳେ କହିଲେ–‘ଚାକିରି ବାକିରି ଗୋଟେ କରି ଘରକୁ ଫେରିବୁ’ । ଓଃ ! ଛାତି ଭିତରଟା କେମିତି ମୋର ଧକ୍‌କା ଖାଇଲାପରି ଲାଗିଲା । ସତେ ଶ୍ୱାସରୁଦ୍ଧ ହେଲାପରା ! ଆଖି ଆଗରେ ଗୋଳିଆ ପାଣି । କୂଳ ଦେଖାଯାଉ ନ ଥାଏ । ଏଣେ ମୋ ଆଖିଲୁହ ସେଇପରି କୂଳ ଲଙ୍ଘୁଥାଏ । ମୁଁ ଅଧା ସ୍ପଷ୍ଟ ଭାଷାରେ ଦାଦାଙ୍କୁ ଉତ୍ତର ଦେଲି–‘ହୁଁ’ ।

 

ସାପ ମୁଣ୍ଡକଟା ସୁଅ । ଅକାଳକାତ ପାଣି । ପାଳିକରି ଚାରିଜଣ ଲେଖାଏଁ ଭେଣ୍ଡିଆ ମୁଣ୍ଡରେ ଝାଁପି ମୁଣ୍ଡାଇ ନାଆ ଚାଳର ମଥାନ ଉପରେ ଗୋଡ଼ ଲମ୍ବାଇ ବସି ଆହୁଲା ଚଳାଇବାରେ ଲାଗିଲେ । ମୋ ମନ ଭିତରେ ଏଣେ ସେଇ ଆହୁଲା ବେଗରେ ଯେମିତି ଦୁମୁକାଣି ବୟାର ଖେଳି ଯାଉଥାଏ । ଏ ଅସମୟ–ବରଷା ବୋଲେ ମୁଁ, ପବନ ବୋଲେ ମୁଁ–ଏତିକିବେଳେ ଦାଦାଙ୍କ ମୁହଁର ସେ କଥା ପଦକ ମୋତେ ଯେମିତି ବାଧିଛି, ଆଜି ବି ତାକୁ ପାସୋରି ପାରି ନାହିଁ, କି ପାରିବି ନାହିଁ ଜୀବନରେ ଭୁଲି ।

 

ଚାକିରି ତ ଛାଡ଼ିଲି, ଚାକିରି କରିବି ନାହିଁ ବୋଲି । ପୁଣି ସେଇ କଥା ? କଟକ ଯାଉଥିଲି, ଚେଷ୍ଟା କରି; ଗୋଟାଏ ରାସପାର୍ଟି ଆରମ୍ଭ କରିବାକୁ । ଦାଦା କିନ୍ତୁ କହିଲେ ଚାକିରି କରି ଘରକୁ ଫେରିବି । କେତେ କ’ଣ ଭାବି ଭାବି, ଗୁଡ଼ ଗନ୍ଧରେ ନାକ ଫଟାଇ ପ୍ରାୟେ ୭।୮ ଘଣ୍ଟାରେ କଟକ ଫାଶିଦିଆ ବରଘାଟରେ ନାଆରୁ ଉତୁରିଲି । ପ୍ରଖର ସୁଅରେ ଡଙ୍ଗା ତୀର ବେଗରେ ଚାଲିଥାଏ । ତେଣୁ ଅଳ୍ପ ସମୟ ଲାଗିଲା ।

 

ତା’ପରେ ଯିବି କେଉଁଠିକି ? ହାତରେ ମାତ୍ର ଟଙ୍କା ଦିଓଟି । ସେଥିରୁ ମହତ୍ତ୍ୱ ରକ୍ଷା କରିବାକୁ ନାଉରିମାନଙ୍କୁ ଦେଲି ଟଙ୍କାଟିଏ । ସିଧା ବାହାରିଲି କଟକ ପ୍ରିଣ୍ଟିଂ କମ୍ପାନୀକୁ–କିଏ ଯେମିତି ମୋତେ ପଠାଇଦେଲା ।

 

ସେତେବେଳକୁ ମୋର କଳାହାଣ୍ଡିଆ ମେଘ, ବାୟାଧନଟି ଧ୍ରୁବ ନାଟକ ଛାପା ସରିଥାଏ-। ପ୍ରିଣ୍ଟିଂ କମ୍ପାନୀ ବହି ଦୋକାନରେ ବହି ଜମା ଦିଆ ହୋଇଥିଲା । ସେଇ ବାବତରୁ କିଛି ଟଙ୍କା ମିଳିଲେ ଅବା ମିଳିଯାଇପାରେ । ଏଇ ଭରସାରେ ମୁଁ କମ୍ପାନୀ ଆଡ଼କୁ ଦାଣ୍ଡେଇଲି, ଫାଶିଦିଆ ବର ପାଖରୁ, କୁଲାଟିଏ କରି ।

 

ପ୍ରିଣ୍ଟିଂ କମ୍ପାନୀର ମ୍ୟାନେଜର ଥାଆନ୍ତି ଓକିଲ କାଶୀନାଥ ମହାନ୍ତି । ପରିଚୟ ଦେବାପରେ, ସେ ବଡ଼ ଆଦରରେ ଡାକି, ବସାଇଲେ । ପୂର୍ଣ୍ଣ ସାହୁଙ୍କ ଜଳଖିଆ ଦୋକାନରୁ ଜଳଖିଆ ବରାଦକରି ଆଣାଇ ମୋତେ ଖୁଆଇ ପିଆଇ ତାଜା କଲେ । ସେଇଠୁ କଥାବାର୍ତ୍ତା । ଉତ୍କଳ ଦୀପିକା ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶିତ ହେଉଥାଏ । ମନେ ଅଛି, ମୁଁ ପହଞ୍ଚିଲି ବୁଧବାର ଦିନ କଟକରେ । ମଝିର ଗୁରୁ, ଶୁକ୍ର ଦି’ଦିନ ଗଲେ ଶନିବାର ଦିନ କାଗଜ ବାହାରିବା କଥା । ରାତି ରହଣିଟା ମୋର କୋଉଠି ? ସେଇଟା ତ ଏଇନେ ବଡ଼ ଚିନ୍ତା । ଟଙ୍କା କିଛି ତ ବହି ଦୋକାନରୁ ମିଳିଗଲା । ସାଙ୍ଗସାଥୀ କଟକରେ ଥିଲେ, ଅଛନ୍ତି । କିନ୍ତୁ ଯେ ଅବସ୍ଥା ଆଜି ମୋର, ସେଥିରେ କାହା ପାଖକୁ ଯିବି ? ସବୁ ଯାଉ, ମହତ ଥାଉ ।

 

ଅଲଫା ମିଆଁ ବୋଲି ଜଣେ ଲୋକ ପ୍ରିଣ୍ଟିଂ କମ୍ପାନୀ ଦପ୍ତରୀଖାନାର କର୍ମଚାରୀ । ଆଗରୁ ତାଙ୍କ ସହିତ ମୋର ଟିକିଏ ପରିଚୟ ଥିଲା । ‘ମାଆ’ତ ଫେରେ ଗୋଟାଏ କିନାରା କରିଦେବେ । ବସି ଭାବୁଛି ଏଇ ବିପଦ କଥା । ହଠାତ୍ ଅଲଫ୍‌ର ଦେଖା । ତାକୁ ବସା କଥା ପଚାରୁଛି, ଏତିକିବେଳେ କାଶୀବାବୁ ଆସି କହିଲେ–କେଉଠି ରହିଛନ୍ତି ? କାଲି ସକାଳ ୭ଟାର ଆମ ଅଫିସକି ନିଶ୍ଚୟ ଆସିବେ, ଗୋଟାଏ ଜରୁରି କାମ ଅଛି । ମୁଁ ସମ୍ମତି ଦେଲି । ସେ ଚାଲିଗଲେ ।

 

ଅଲଫ୍‌ମୋତେ କାଠଗଡ଼ା ସାହିରେ ଗୋଟିଏ ବଡ଼ କଇଁଥଗଛ ସାମନା ଚାଳଘର ପାଖକୁ ନେଇ, ଘରର ମାଲିକ ଭାଗୁବାବୁଙ୍କ ସହିତ କଥାକରି, ରଖାଇ ଦେଲେ । ଏବେ ସେ ବସା ଅଛି କି ନାହିଁ କେଜାଣି ? ବାକି ସେ କଇଁଥ ଗଛଟି ଦୀର୍ଘଜୀବୀ ହୋଇ ଚାହିଁଛି ।

 

ସମ୍ପାଦକ :

 

ତହିଁ ଆରଦିନ ସକାଳୁ କମ୍ପାନୀ ଅଫିସକୁ ଗଲି । କାଶୀବାବୁ ମୋତେ ଉତ୍କଳ ଦୀପିକାର ଲେଖାପାଇଁ ଅନୁରୋଧ କରି କାର୍ଯ୍ୟଭାର ଗ୍ରହଣ କରିବାକୁ ଅନୁରୋଧ କଲେ, ଅବଶ୍ୟ ମୋର ଯଦି କିଛି ଆପତ୍ତି ନ ଥାଏ ବୋଲି କହି । ସେତେବେଳେ ପ୍ରିଣ୍ଟିଂ କମ୍ପାନୀର ନାମ ଡାକ । ନାମଜାଦା ପତ୍ରିକା ‘ଉତ୍କଳ ଦୀପିକା’–ଏକମାତ୍ର ଓଡ଼ିଆ ସାପ୍ତାହିକ କହିଲେ ଚଳେ । ତେଣେ ବଡ଼ାମ୍ବା ଛାଡ଼ିବା ବେଳର ଦାଦାଙ୍କ ସୁସାର ବଚନ, କାନରେ ବରାବର ଗୁଞ୍ଜୁରୁଥାଏ । ସବୁ କଥାକୁ ଭାବିଲି । ମା’ ଚର୍ଚ୍ଚିକାଙ୍କ ଆଶୀର୍ବାଦର ସୀମା ନ ଥିବାର ବିଚାରି ଆଖି ଛଳଛଳ ହୋଇ ଆସିଲା । ମନରେ ଭକ୍ତି କୃତଜ୍ଞତା–କେଜାଣି କେତେ ଜମାଟ ବାନ୍ଧିନେଲା ପଲକଟାକ ଭିତରେ ।

 

ରାଜି ହେଲି । ଚାକିରି କଲି । ଅବଶ୍ୟ କାଶୀବାବୁଙ୍କୁ ମୋର ବର୍ତ୍ତମାନ ପରିସ୍ଥିତି କିଛି ଜଣାଇଲି ନାହିଁ । ପ୍ରିଣ୍ଟିଂ କମ୍ପାନୀର ଉପର ମହଲା ଟୁଙ୍ଗିଘରେ ମୋର ଆସ୍ଥାନ । ସେଇଠି ଲମ୍ବା ଲମ୍ବା ଚିଟ କାଗଜରେ କଲମ ଚାଷ ଆରମ୍ଭ କରାଗଲା । ୟେ ଏକ ଜୀବନ । ଆପାତତଃ ରାସଦଳ ଗଢ଼ା ପ୍ରସ୍ତାବଟା ମନେ ମନେ ଦିହଛପା ଦେଇଥାଏ । ଦାଦାଙ୍କୁ ସଙ୍ଗେ ସଙ୍ଗେ ଚିଠି ଦେବାକୁ କିନ୍ତୁ ମୋଟେ ପାସୋରି ନାହିଁ । ବୋଉକୁ ବିସ୍ତାରିତ ଭାବେ ସବୁ ଲେଖିଲି ।

 

ରାସ–ନିଶା :

 

ମାସେ କେତେ ଗଲା । କୁଳମଣି, ଅଲଫ୍, ହରିଣ ଓ ଲୋକନାଥ ଇତ୍ୟାଦି ପ୍ରିଣ୍ଟିଂ କମ୍ପାନୀର କର୍ମଚାରୀ କେତେଜଣଙ୍କୁ ଭେଳାଇ, ପୁଣି ସେଇ ରାସଦଳ ଗଢ଼ିବା ଆରମ୍ଭ କରିଦେଲି । ଫୁଲନଖରାର ପ୍ରଫୁଲ୍ଲଚନ୍ଦ୍ର ମହାପାତ୍ର ବୋଲି ଗୋଟିଏ ପିଲା କମ୍ପୋଜଖାନାରେ ଶିକ୍ଷାନବିଶ ଥିଲା । ଗଳାଟି ମଧୁର । ତାକୁ ଧରାଗଲା । କ୍ରମେ କାଶୀବାବୁଙ୍କ କାନକୁ ସବୁକଥା ଗଲା । ସେ ଟିକିଏ ଭିନ୍ନ ଧରଣର ଲୋକ, ଏ ସବୁକୁ ପସନ୍ଦ କରନ୍ତି ନାହିଁ । ତେଣୁ ମୁଁ ଟିକିଏ ତାଙ୍କର ବିରାଗଭାଜନ ହେଲି–ଏଇ ନାଚ, ଗୀତ ଥିଏଟର ଇତ୍ୟାଦିରେ ମଜ୍ଜି ରହିବାରୁ ।

 

ବାପାଙ୍କ ବନ୍ଧୁ ବ୍ରଜବାବୁ (ସ୍ୱର୍ଗୀୟ ବ୍ରଜସୁନ୍ଦର ଦାସ) ସେତେବେଳେ ଜାଉଁଳିଆପଟିରେ ତାଙ୍କ ଘରେ ରହିଥାଆନ୍ତି । ନାରାୟଣବାବୁ ବୋଲି ଜଣେ ଦକ୍ଷ ଲୋକ ତାଙ୍କ ‘ମୁକୁର’ ପ୍ରେସର ପରିଚାଳନା କରୁଥାନ୍ତି । ତାଙ୍କ ସହିତ ଦେଖାକଲି । ଦୀପିକାରେ ସେ ମୋ ନାଆଁ ଦେଖିଥାଆନ୍ତି । ମୁଁ ମୁକୁରର ସହକାରୀ ସମ୍ପାଦନା କଲି, ବ୍ରଜବାବୁଙ୍କ ଅନୁରୋଧରେ ଅବୈତନିକ ଭାବେ । ତେଣେ କେତୋଟି ବାଳକ ସଂଗ୍ରହ କରି ରାସ ଶିକ୍ଷାଦାନ ଚାଲିଥାଏ–ଜୋରସୋରରେ ।

 

ଗୋବିନ୍ଦ ଶୂରଦେଓ ଏତିକିବେଳେ ଜଗନ୍ନାଥବଲ୍ଲଭରେ ତାଙ୍କ ଘରେ (ଆଜିର ଲକ୍ଷ୍ମୀନାରାୟଣ ପ୍ରେସ) ରହୁଥାନ୍ତି । ଦିନେ କାଠଗଡ଼ା ସାହି ବସାରୁ ମୋର ଜିନିଷପତ୍ର ଚୋରି ଗଲା । ସେଠା ଛାଡ଼ି ମହମ୍ମଦିଆ ବଜାର ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ପିଉସାଙ୍କର ସେଇ ପୁରୁଣା ଘରେ ଆସି ରହିଲି । ଏଠିକି ଶୂରଦେଓଙ୍କ ଘର ପାଖ । ଦେଖାଚାହାଁ ନିତି ହେଲା । ମୁଁ ତ ତାଙ୍କ ବାଟ ଧରିଛି । ରୀତିମତ ରିହର୍ସାଲ ଚାଲିଲା । ଚାରିଖଣ୍ଡ ସିନ ଓ ଉଇଙ୍ଗସ୍ ଇତ୍ୟାଦି ନିଜ ହାତରେ (ଯେମିତି ଆସିଲା) ଚିତ୍ରକରି ନେଲି । ସେଇ କଳଙ୍କଭଞ୍ଜନ, ସୁଦାମା ଦାରିଦ୍ର୍ୟଭଞ୍ଜନ ଧରା ହେଲା । ଶିଖାଶିଖି କାମ ପ୍ରାୟ ସରିଗଲା ।

 

କଟକ ବାହାରେ ରାସଦଳ :

 

ଦଳ ଘେନି କଟକରୁ ବାହାରକୁ ଯିବାକୁ ମନ ହମହମ ହେଲା । ପ୍ରିଣ୍ଟିଂ କମ୍ପାନୀରୁ ମାସେ ଛୁଟି ନେଇ ଦଳସହ ପହିଲେ ଖୋରଧାରୋଡ଼ ବାଟେ ବୋଲଗଡ଼ ଓ ସେଠାରୁ ଇଟାମାଟି ଗଲି । ବୋଲଗଡ଼ରେ ମହାଜନ ବାମନ ମହାପାତ୍ରେ ବଡ଼ ସରସ ଲୋକ । ତାଙ୍କର ଦିଅଁ ଦେଉଳ, ଦାନ, ଧର୍ମ ଇତ୍ୟାଦି ଡକବଜା । ସାହାଯ୍ୟ ଦେଲେ ସେ ମୋତେ । ଷ୍ଟେଜ୍ ବନ୍ଧା ହେଲା ତାଙ୍କ ଦେଉଳ ପାଖରେ । ମୋର ଏଣେ ମାତ୍ର ଦୁଇଟି ବହି ଶିକ୍ଷା ଦିଆଯାଇଛି । ସେଥିର ଖଡ଼ା-ବଡ଼ି-ଥୋଡ଼ କରି କେତେ ରାତି ବା ଚଳିବ ? ଶସ୍ତା କାଳ । ଟିକଟଦର ମଫସଲ ପାଇଁ ବାମନ ମହାପାତ୍ରଙ୍କ ସହିତ ଆଲୋଚନା ପରେ ସ୍ଥିର କରାଗଲା ଦି’ଅଣା, ଚାରିଅଣା ଓ ଆଠଅଣା । ସେତେବେଳେ ବଡ଼ ସାନ ମିଶି ଦଳର ପୂଜାରୀ, ଚାକର ଇତ୍ୟାଦି ସର୍ବମୋଟ ତେଇଶି ଜଣ ଥିଲେ-। ଟଙ୍କା ପାଞ୍ଚଟା ହେଲେ ଖୁସିରେ ଦିନକର ମେସ୍ ଖର୍ଚ୍ଚ ଚଳି ଯାଉଥିଲା । ଏଥରେ ଦହି, ଦୁଧ ବି ଅଛି ।

 

ଇଟାମାଟିରେ ବିପତ୍ତି ପଡ଼ିଲା :

 

ବୋଲଗଡ଼ରେ ଆୟର ସୁବିଧାଟା ଦେଖି ମନହେଲା, ଏଇମିତି ଚାରିଆଡ଼େ ମିଳିବ ବା ଏଥୁ ଅଧିକ ମଧ୍ୟ ଆଶା କରାଯାଇପାରେ । ତେଣୁ ଅଦୂରଦର୍ଶିତା ହେତୁ ଖର୍ଚ୍ଚ ବଢ଼ାଇ ଦେଇ ଅସମୟକୁ ସଞ୍ଚୟ ଘରେ ଶୂନ୍ୟ । ମନେ କରିଥିଲି ସବୁଦିନେ ଖରାପାଗ ହୋଇଥିବ । ତରା ଯେ ଅଛି, ସେ କଥାଟା ଆଉ ମୋର ବା ମୋ ଦଳରେ କାହାରି ଧାରଣା ନ ଥିଲା । ଇଟାମାଟିରେ ଘନଶ୍ୟାମ ରାମ ବୋଲି ଜଣ ବିଶିଷ୍ଟ ମାରବାଡ଼ୀ ବ୍ୟବସାୟୀ ଥିଲେ । ଖଣ୍ଡପଡ଼ା ଗଡ଼ରେ ତାଙ୍କର ଲୁଗା ଦୋକାନ । ମୁଁ ଖଣ୍ଡପଡ଼ାରେ ଥିବାବେଳେ ସେ ମୋତେ ଭାରି ଆଦର ଯତ୍ନ ଓ ସମ୍ମାନ ଦେଖାଉଥିଲେ, ନ ଚାହିଁଲେ ମଧ୍ୟ ପାମ୍ପଡ଼, ଆଚାର ଦିଆନିଆ କରୁଥିଲେ । ସେଇ ଲୋକ ତିନି ଖବରରେ ଆଜି ଘରୁ ବାହାରିବା କଷ୍ଟକର । ସେତେବେଳର ସେ ଛଳ–ଆନ୍ତରିକତା ଆଜି ବାସ୍ତବ ମୂର୍ତ୍ତି ଧରି ପ୍ରକାଶ ଲାଭ କରିଛି, ବିଲକୁଲ ଗମ୍ଭୀର ଶ୍ରୀମୁଖ ନେଇ । ଭାବିଲି ‘ଦାଳୁଅ ଯୋଗୁଁ ସିନା କାନିସିରି ପାଣି’ ପାଉଥିଲା ! ମହାଜନ ଘନଶ୍ୟାମ ତ ମୋତେ ସମ୍ମାନ ଆଦର ଦେଉ ନ ଥିଲେ, ରାଜ–ଅନୁଗୃହୀତ ‘ମୁଁ’ କୁ ।

 

ତାଙ୍କଠାରୁ କୌଣସି ସାହାଯ୍ୟ ସହାନୁଭୂତିର ଆଶା ନ ପାଇ ଗୋଟିଏ ମଠର ଆଶ୍ରୟ ନିଆଗଲା । ଲାଭ ଭିତର ଏତିକି ହେଲା ଯେ, ମୋର ସୁନା ବୋତାମ ଚାରିଟି ବିକି ଦଳର ପଥି ଚଳିଲା । ସେଦିନ ବଡ଼ ବାଧିଲା ମୋତେ ଜୀବନର ଗତିଟା । ମଠ ପାଖେ ଷ୍ଟେଜ ବନ୍ଧା ହେଲା । ଅଭିନୟରେ ଟିକଟ ବିକ୍ରି ଅତି ଉଣା, ଘନଶ୍ୟାମ ରାମଙ୍କ ହତାଦର–ଏଇସବୁ ଦେଖି ମାତ୍ର ୪ ।୫ ଦିନେ ଇଟାମାଟି ଛାଡ଼ି ନୂଆଗଡ଼ ଗଲି । ରଜାଙ୍କ ବଗିଚା ଘରେ ଠାବ ମିଳିଲା । ମଞ୍ଚ ବନ୍ଧାହେଲା । ଏଇଠି କେତେକ ରାଜାଘରିଆ ଅମଲାଙ୍କ ସଙ୍ଗେ ଟିକିଏ ମନାନ୍ତର ସୂତ୍ରପାତ ହୋଇ ପଡ଼ିଲା, ଅଭିନୟ ଦେଖିବାକୁ ପାସ୍‌ଦେବା ବାବତରେ । ଫ୍ରି ପାସ୍‌ପାଇଁ ପୁଣି ଅଭିମାନ । ଭାବିଲି ଭିଖମଗାଙ୍କଠାରୁ ଏମାନଙ୍କର ପାର୍ଥକ୍ୟ ଏତିକି ଯେ, ସେ ଦାଣ୍ତ ଭିଖାରିଟି ଅଭେଖା–ଆଉ ଏମାନେ ହେଲେ ଗନ୍ତାଯୋଡ଼ିଆ, ସଭ୍ୟ ବା ଭଦ୍ର । ନିଜପାଇଁ, ଘରପାଇଁ ଏମିତିକି ଘରପୋଷା ବିରାଡ଼ି, କୁକୁରଙ୍କ ପାଇଁ ତାଙ୍କର ଫ୍ରି ପାସ୍‌ ଲୋଡ଼ା । ବାବୁଙ୍କ ଘରେ ଥିବା ପରଭାତୁଆ ‘ଦୀନା’ ମଧ୍ୟ ଆମଠୁଁ ଦୀନବନ୍ଧୁ ଡାକରାର ଅପେକ୍ଷା ବା ଆଶା କରି ବସିଲା; କିନ୍ତୁ ଉପାୟହୀନ ମୁଁ । ଆସିଛି ତ ଏଠିକି, ବାହୁଡ଼ିଯିବା ସୁବିଧା ସୁଯୋଗ ନାହିଁ । ଦିନେ ସ୍ୱୟଂ ଭଗବାନ୍‌ ଶ୍ରୀକୃଷ୍ଣ ପରା ଅଶରଣ ବେଳେ ଗଧ ପାଦ ଧରିଥିଲେ ? ଆଉ ଆମେ ମଣିଷ ବା କି ଛାର !

 

ନୂଆଗଡ଼ରୁ ଆଉ ଅନ୍ୟତ୍ର ବଢ଼ି ବଢ଼ି ଯିବାକୁ ଆତ୍ମା ଡାକିଲା ନାହିଁ । ଫେରିଲି ସେଉଠୁ କଟକ, କେତେଖଣ୍ତି ବଳଦଗାଡ଼ି ଯାନରେ ।

 

କଟକ ପହୁଞ୍ଚିବା ପରେ ଦଳରେ ଯୋଗ ଦେଇଥିବା ଲୋକ ବା ପିଲା କାହାରି ସ୍ନେହଭାଜନ ହୋଇପାରିଲି ନାହିଁ । କାରଣ ସେମାନେ ମନେ କରିଥିଲେ ‘ରାତିକି ହାତୀଏ, ଅରଜିବେ ବା ପାଇବେ । ତହିଁକି ମୁଁ ତ ପାଇଲି କେଞ୍ଚାଏ ଆଉ କାହୁଁ ଦେବି ତାଙ୍କୁ ମେଞ୍ଚାଏ ? ମାତ୍ର ଜଣ ଦୁଇ ତିନିଙ୍କ ଛଡ଼ା ବାକି ସଭିଏଁ ଯେଝା ବାଟ କାଟିଲେ । ଏ ଦଳ ଏଇଠୁ ଇତି ।

 

ପୁରୀ ରମାନା :

 

ଦଳ ଭାଙ୍ଗିଯିବା ପରେ ମନଟା କେମିତି ଏକାବେଳକେ ଛତୁ ହୋଇ ଯାଇଥାଏ । ଦୁନିଆ ଆଗରେ ମୁଣ୍ତ ଟେକିବାକୁ ନିହାତି ଲାଜରା ହୋଇ ପଡ଼ିଥାଏଁ । ପୁଣି ପ୍ରିଣ୍ଟିଂ କମ୍ପାନୀକୁ ଯାଇ କାଶୀବାବୁଙ୍କ ଖୋସାମତ ବରାମଦ କରି ଆପଣା ପୁରୁଣା ଧନ୍ଦା ଧରିବାକୁ ପାଦ ଯେମିତି କିଏ ପଛକୁ ଟାଣିଲା । ଗଲି ତ ନାହିଁ, ତା’ଛଡ଼ା ସେ ବାଟ ମାଡ଼ିବା ବେଳକୁ ବି ବୁକୁ ଦୁଲୁକି ଉଠୁଥାଏ । ମାସକର ଛୁଟି ନେଇ ତ ତିନି ଚାରିମାସ ବିତିଗଲାଣି ମୋର । ମୁହଁ କାହିଁ ଆଉ ? ପୁଣି ଖୋସାମଦ କରିବି ? ଯେବେ ସେ ଫେରାଇ ଦିଅନ୍ତି ? ଯେବେ କଥା ନ ରହେ ? ଛି, ୟା ହବ ନାହିଁ, ବରଂ କଟକ ଛାଡ଼ି ଅନ୍ୟତ୍ର ଠାବ ଖୋଜିବି ।

 

ଏଇଭଳି ଦୋଦୋପାଞ୍ଚିଆ ମନବେଳେ ପୁରୀରେ ବଳଭଦ୍ର ହଜୁରୀ ଗୋଟିଏ ଥିଏଟର ଦଳ ଓ ରଙ୍ଗମଞ୍ଚ ଇତ୍ୟାଦି କରିବେ ବୋଲି ଶୁଣା ପାଇଲି । ଗଲି ସେଠିକି । ହଜୁରୀଙ୍କର ଧନ ଅଛି, ପଞ୍ଝାଏ ମୋସାହେବ ଅଛନ୍ତି । ଗାଉଣା ବାଜଣାକୁ ଟିକିଏ ବଡ଼ଲୋକିଆ ସଉକ ଅଛି । ତାଙ୍କ ପାଖେ ସରସ ଯନ୍ତ୍ର ଶିଳ୍ପୀ ସେ ଭିକାରୀ ଦଳାଇ, ଆଉ ଆଉ କେତେକଙ୍କ ଭିତରେ ସାଧୁ ଚରଣ ମହାନ୍ତି, ସୋମନାଥ ଚିନରା (ସମନି ଚିନରା) ଇତ୍ୟାଦି କେତେ ଜଣ ଥିଲେ । ସେମାନଙ୍କ ଭିତରୁ କେହି କେମିତି ସଙ୍ଗୀତ କିଛି କିଛି ଜାଣିଲାବାଲା, କେତେ ଅବା ସଙ୍ଗୀତପ୍ରେମୀ; କିନ୍ତୁ ମନଟା ମୋର ବିଶିପିତା ହୋଇଗଲା ଯେତେବେଳେ ଦେଖିଲି ଯେ ଗୋବିନ୍ଦ ଶୂରଦେଓଙ୍କ ଦଳ ଭଙ୍ଗାଇ ଟଙ୍କା ବଳରେ କେତେଜଣ ଅଭିନେତାଙ୍କୁ ହଜୁରୀ ତାଙ୍କ ଦଳରେ ଗ୍ରହଣ କରିଛନ୍ତି । ଏଭଳି ଯୋଗାଡ଼, ଏ ଧନମଦ ମୋର ପସନ୍ଦକୁ ପାଇଲା ନାହିଁ । ତା’ଛଡ଼ା ସେଠା ରୀତିଗତି, ଚାଲିଚଳଣି ଦେଖି ମୋତେ କେମିତି ଅଡୁଆ ଅଡୁଆ ଲାଗିଲା, ସେମାନଙ୍କ ସାଥିରେ ଚଳିବାକୁ । ମୋ ସାଙ୍ଗରେ ମୋ ଭଙ୍ଗାଦଳର ଗୋଟିଏ ପିଲା ଥାଏ । ତା’ ନାଁ ପ୍ରଫୁଲ୍ଲ । କଣ୍ଠ ଓ ଅଭିନୟ ସୁନ୍ଦର । ଦିନ ଆଠ ଦଶ ପରେ ହଜୁରୀଙ୍କ ଅନୁଷ୍ଠାନ ଛାଡ଼ିଦେଲି । ପୁରୀରେ ସ୍ୱର୍ଗୀୟ ଶ୍ରୀଧର ଖୁଣ୍ଟିଆଙ୍କ ସହିତ ଦେଖା ଓ ଚିହ୍ନାଜଣା ହେଲା । ପୁରୀ ଜଗନ୍ନାଥ ପ୍ରେସର ସେ ତତ୍ତ୍ୱାଧିକାରୀ ବା ବଡ଼ ଅଂଶୀଦାର । ବଳଭଦ୍ର ହଜୁରୀଙ୍କ ସହିତ ବୋଧହୁଏ ତାଙ୍କର ତେତେଟା ସୌହାର୍ଦ୍ଦ୍ୟ ନ ଥିଲା । ଯାହାହେଉ ସେ ମୋତେ ଜଗନ୍ନାଥ ପ୍ରେସ ଅଡ଼ିଟ୍‌ କରିବାକୁ ଅନୁରୋଧ କଲେ । କିଛିଦିନ ସେଠି କଟାଇବା ପରେ, ମନ ପୁଣି ଉଡୁ ଉଡୁ ହେଲା; କିନ୍ତୁ ୟା ପରେ ? ଯାଏଁ କୋଉଠିକି ?

 

ଗଞ୍ଜାମରେ :

 

ମୋର ଚିରାଚରିତ ‘ଦେଖାଯାଉ’ ଅଧ୍ୟାୟତଳେ ଭବିଷ୍ୟତ୍‌କୁ ସ୍ଥାପନା କରି ବାହାରିଲି ଗଞ୍ଜାମଆଡ଼କୁ । ହାତରେ ଧନ ନାହିଁ କି ମନରେ ସୁଖ ନାହିଁ । ଆଗଟା ଅନ୍ଧାରୁଆ । ଏଇ ଅବସ୍ଥାରେ ପ୍ରଫୁଲ୍ଲକୁ ସଙ୍ଗରେ ନେଇ ପୁରୀରୁ ଟିକଟ କାଟିଲି ବ୍ରହ୍ମପୁର । ଏସବୁ ହେଉଥାଏ ‘କେଜାଣି କାହିଁକି’ ଆଉ ‘କେଜାଣି କେମିତି’ ? ବ୍ରହ୍ମପୁର ସେତେବେଳକୁ ମୋର ଅଜଣା, ଅଦେଖା ଥାନ । କେବଳ ଦି’ତିନିଜଣ ଚିହ୍ନା ଲୋକ ସେଠି ଥାଆନ୍ତି । ‘ଆଶା’ କାଗଜରେ ସମ୍ପାଦକ ସ୍ୱର୍ଗତ ଶଶିଭୂଷଣ ରଥେ, ମହୁରୀର ରାଜା ସ୍ୱର୍ଗତ କୃପାସିନ୍ଧୁ ନରେନ୍ଦ୍ର ଦେବ (ସେତେବେଳକୁ ପଟ୍ଟଦେବ) ଆଉ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋରର ରାମଚନ୍ଦ୍ରବାବୁଙ୍କ ସହିତ ଟିକିଏ ପରିଚୟ ଥିଲା । ବଡ଼ବଜାରରେ ଅବସ୍ଥିତ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋରରେ ଆଶ୍ରୟ ନେଲି । ସେଇଦିନ ପହିଲେ ଜୀବନରେ ଚାଖିଲି ଉପମା । ମନେ ପଡ଼ିଗଲା ଉପମା ସାଥିକି ‘କାଲିଦାସସ୍ୟ’ ଶବ୍ଦ । ଦୁଃଖରେ ବି ହସ ଲାଗିଲା ମୋତେ । ସେତେବେଳେ ‘ମୋହନ ଭୋଗ’ ଚଖା ତୁଣ୍ତକୁ ସତରେ ଉପମା ସେତେ ରୁଚିକର ହେଲା ନାହିଁ । ତା’ପରେ ହୋଟେଲ ଭୋଜନ । ଏକ କମ୍ମା ହୋଟେଲ । ଖଲିରେ ଦିବ୍ୟ କଳାନୈପୁଣ୍ୟ ଫୁଟିଛି । ବାଃ, ଗୋଟିଯାକ କୋଟିକମ ! ଆଇଁଷଖିଆ ତୁଣ୍ତକୁ ସେ ଚାରୁ ଚହ୍ଲା; ଠିକ୍‌ ନ ପୋଷେଇଲେ ବି ଦିବ୍ୟ ପରିଷ୍କାର ପରିଚ୍ଛନ୍ନ । ମନ୍ଦ ନୁହେଁ; କିନ୍ତୁ ବିପତ୍ତି ଆସିଲା ଖାଇସାରି ପତର ଉଠାଇବା ବେଳକୁ-। ଏଇଟାରେ ଏକାବେଳକେ ଅନଭ୍ୟସ୍ତ ମୁଁ । ବଡ଼ ବାଧିଲା । ହେଲେ, ବେକରେ ବାଇଦ ପଡ଼ିଲେ ବଳେ ଢାଉଁଢାଉଁ ବାଜେ ବୋଲି ଯାହା କଥାରେ ଅଛି, ତା’ର ଆଉ ଅନ୍ୟଥା ହେଉଛି କେତେକେ-?

 

ଦି’ଦିନ ବିତିଗଲା ପରେ ବଡ଼ ମାଡ଼ି ମାଡ଼ି ପଡ଼ିଲା । ଏମିତି ପରଭାତୁଆ ହୋଇ କେତେଦିନ ଚଳିବ । ଭାବୁ ଭାବୁ ଗୋଟାଏ କଥା ମନକୁ ଆସିଲା । ମୁଁ ସେ ସମୟରେ ଜଣେ ଗାୟକ । ଖୁବ୍‌ବେଶି ଜଣାଶୁଣା ନୋହିଲେ ବି ନାଆଁଟା ନିହାତି ଖଣିତଳିଆ ହୋଇ ନ ଥିଲା । ଗଞ୍ଜାମରେ ରଜାମାନେ ଥାଆନ୍ତି । ଶୁଣିଥାଏଁ ସେମାନେ ସଙ୍ଗୀତପ୍ରେମୀ । ରାଜାମାନଙ୍କ ଦରବାରରେ ଗାୟକମାନଙ୍କର ସମାଦର ଥିବା କଥା ବି ମୋର ଜଣାଶୁଣା ।

 

ସୁରଙ୍ଗୀ ରାଜା :

 

ଶୁଣିଲି ସୁରଙ୍ଗୀ ରାଜା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦେବଙ୍କ ପିତା ସ୍ୱର୍ଗତ ଚନ୍ଦ୍ର ଚୂଡ଼ାମଣି ଜଣେ ବଡ଼ ସଙ୍ଗୀତ ସାହିତ୍ୟ ରସିକ । ରାଜବାଟୀ ବାହାର ମେଲାର ଗୋଟିଏ ରଙ୍ଗମଞ୍ଚ ମଧ୍ୟ ତାଙ୍କର ଥାଏ । ରାଜ୍ୟ ବଡ଼ ନୁହେଁ ହେଲେ ମନ ବଡ଼ । ରାଜା ସାହେବ ରହନ୍ତି; କିନ୍ତୁ ଇଚ୍ଛାପୁରରେ । ମୁଁ ଇଚ୍ଛାପୁର ଗଲାବେଳକୁ ସ୍ୱର୍ଗତ କରିବର ଚିନ୍ତାମଣି ମହାନ୍ତି ସେଠି ଥିଲେ । ସଙ୍ଗୀତ-ସାହିତ୍ୟ ପ୍ରେମୀ ରାଜା ସାହେବ ତାଙ୍କୁ ବହୁ ମାନ ସହିତ ଆଶ୍ରୟ ଦେଇଥାଆନ୍ତି । ଚିନ୍ତାମଣିବାବୁଙ୍କ ସୁଯୋଗ୍ୟ ପୁତ୍ର ଉପେନ୍ଦ୍ରବାବୁ ମଧ୍ୟ ବାପାଙ୍କ ପାଖରେ ରହୁଥିଲେ । ଚିନ୍ତାମଣିବାବୁଙ୍କୁ ଦୈନିକ ଏକଟଙ୍କା ଲେଖାଏଁ ଦେଉଥିଲେ ରାଜାସାହେବ । ଦିନକୁ ଟଙ୍କାଟିଏ ଶୁଣି, ଆଜି ହୁଏତ କେହି କେମିତି ହସିବେ । ମାତ୍ର ଏଇ ଟଙ୍କାକ ବେଳକୁ ଚାଉଳ ଟଙ୍କାରେ ସେ ୧୬।୧୮ ର । ଆଉ ଆଉ ଜିନିଷପାତି ଏଇ ଅନୁକ୍ରମେ । ହୋଟେଲରେ ଭାତ, ମାଛ ଆଉ ଗୋଟାଏ ଅଧେ ନିରାମହି ତୁଉଣ ଇତ୍ୟାଦି ପୂରା ପେଟକ ପାଇଁ ଛ’ ପଇସାଠାରୁ ଦି’ଅଣା । ମହରଗ ଥିଲା ଟଙ୍କା, ମାଲ୍‌ ମିଳୁଥିଲା ଶସ୍ତା ଓ ସୁବିଧାରେ । କବି, କଳାକାରମାନେ ରାଜଦରବାରରେ ଆଦର ପାଉଥିଲେ, ସମ୍ମାନ ପାଉଥିଲେ । କଳାଚର୍ଚ୍ଚାର ସୁଯୋଗ ମିଳୁଥିଲା । ରାଜାମାନେ ଦରବାରରେ କଳାକାରମାନଙ୍କୁ ସମାଦର କରି ଗୌରବ ଅନୁଭବ କରୁଥିଲେ । ଗଞ୍ଜାମର ପ୍ରତି ରାଜଦରବାରରେ ଏଇଭଳି ଘଟଣା ମୁଁ ଲକ୍ଷ୍ୟ କରିଛି ସେତେବେଳେ । ମୁଁ ଇଚ୍ଛାପୁରରେ ପହୁଞ୍ଚି ରାଜାଙ୍କୁ ଭେଟିବାକୁ ଖବର ଦେଲି, ରାଜବାଟୀ ହତାର ବାହାର ଫାଟକରେ ଥିବା ଜଗୁଆଳି ହାତରେ ଚିଠା ପଠାଇ । ଅଳ୍ପ ସମୟ ଭିତରେ ଡକରା ଆସିଲା । ପିଲାଦିନରୁ ଏ ରାଜଭେଟରେ ମୁଁ ଅଭ୍ୟସ୍ତ ତିଗିରିଆ ରଜା, ବଡ଼ାମ୍ୱା ରଜା, ଖଣ୍ତପଡ଼ା ରଜାଙ୍କ ସ୍ମୃତି ସେଦିନ ମୋତେ କେତେ ବିଗତ ଛବି ଦେଖାଇଦେଲା ।

 

ରାଜଦର୍ଶନ ହେଲା । ଚେହେରା ସୁନ୍ଦର; କିନ୍ତୁ ଅଣ୍ଟା ସଳଖି ଚଳାଚଳକୁ ଅସମର୍ଥ ସେ । ସାହିତ୍ୟ ଓ ସଙ୍ଗୀତ ସମ୍ବନ୍ଧେ କେତେକ ଆଲୋଚନା କଲେ ରାଜାସାହେବ । ଦେଖିଲି ଗୁଣୀ ସେ, ତେଣୁ ଗୁଣଗ୍ରାହକ ସେ । ମୋର ରହଣି ବ୍ୟବସ୍ଥା ସଙ୍ଗେ ସଙ୍ଗେ କରିଦିଆଗଲା । ଆମ ଏପଟେ (ଉତ୍ତର ଓଡ଼ିଶା) ରାଜଦ୍ୱାରରେ କେହି ଆଗନ୍ତୁକ ଭଦ୍ରଲୋକ ପାଇଁ ବସା ସଞ୍ଚାର ବ୍ୟବସ୍ଥା ହେବାର ଜଣା ଅଛି । ସେଠି ତାକୁ ବସା ଓ ଭାତିଆ କହନ୍ତି । ଏଇ ଅଚିହ୍ନା ଭାତିଆ ଶବ୍ଦର ପ୍ରୟୋଗଟା ମୋ କାନକୁ ସତରେ କେମିତି ଅଖଞ୍ଜିଆ ଶୁଭିଲା । ଯାହାହେଉ ଦିନକୁ ମୋତେ ମିଳିଲା ଟଙ୍କାଏ । ରାଜାଙ୍କର ଜଣେ ଭାଇଆଳିଆ ସାଆନ୍ତ ଥାଆନ୍ତି, ତାଙ୍କ ଘର ଷ୍ଟେସନ ପାଖ ବଜାରରେ । ସଡ଼କ ଆରପଟେ, ତାଙ୍କରି ଘର ଆଗଛାମୁଆଁ ଟିକିଏ ଆଡ଼ଜୁଆଳିଆରେ ଚିନ୍ତାମଣିବାବୁ ରହୁଥାଆନ୍ତି । ସେଇ ସାଆନ୍ତଙ୍କ ଦାଣ୍ତପଟ ଘରେ ରହିଲି ମୁଁ । ସାଆନ୍ତଙ୍କ ପୁଅ (ଦୁର୍ଗାମାଧବ ସିଂହ) ଟିକିଏ ଲେଖାଲେଖି କରନ୍ତି । ସାଆନ୍ତେ ପ୍ରୌଢ଼ । ମୁଣ୍ତରେ ଗଙ୍ଗା ଯମୁନା କୁଞ୍ଚୁକୁଞ୍ଚିଆ ବାଳ । ତାଙ୍କ ବଡ଼ ବଡ଼ ନିଶ ଓ ଛାତି ଦେଖି ଗୋଟାଏ ଗାଉଁଲୀ କଥା ମୋର ମନେ ପଡ଼ିଗଲା କାହିଁକି କେଜାଣି–ମନ ଭିତରୁ କିଏ ସତେ କହିଦେଲା–

 

‘‘କୁଞ୍ଚୁକୁଞ୍ଚିଆ ମାଗୁର ନିଶ

ହିଆରେ ନ ଥାଏ ବାଳ

ଏ ତିନିଙ୍କି ପରତେ ନ ଯିବ

ଜୀଇଥିବ ଯେତେ କାଳ ।’’

 

–ଆଜି ସେ କଥା ମନେପଡ଼ିଲେ ହସ ଲାଗୁଛି ।

 

ସଞ୍ଜବେଳେ ରାଜବାଟୀ ଯିବାର କଥା ଥିଲା–ଗଲି । ସ୍ୱରଚିତ ଗୀତ ଗୋଟି କେତେ ଗାଇ ଶୁଣାଇଲି ବାରିଲି ସନ୍ତୋଷ ହେଲେ ରାଜା । ଦିନେ ଗଲା, ଦି’ଦିନ ଗଲା–କେବେ ଯିବିବୋଲି ତ ମୋତେ ପଚାରୁ ନାହାନ୍ତି ରାଜା । କ୍ରମେ ସେତେବେଳେ ଯୁବରାଜ ଥିବା ସୁରଙ୍ଗୀ ରାଜା ପୂର୍ଣ୍ଣଚନ୍ଦ୍ର ଦେଓଙ୍କ ସଙ୍ଗେ ଭାବଲାଭ ଟିକିଏ ଜମିଗଲା । ତାଙ୍କୁ ଦେଖିଲାକ୍ଷଣି ମନେହୋଇଗଲା, ସେ ସରସିଆ ଲୋକ । ସତକୁସତ ବଡ଼ ମେଳାପୀ, ରାଜପୁତ୍ରର ଅଭିମାନ ତାଙ୍କ ପାଖେ ମୋଟେ ନ ଥିଲା । ତାଙ୍କ ତଳି ଦି’ ଭାଇଙ୍କ ସହିତ ତାଙ୍କର ସାଙ୍ଗଭଳି ବ୍ୟବହାର । କଳାପ୍ରେମୀ ଓ କଳାକାର ଜଣେ ସେ । ତାଙ୍କ ସଙ୍ଗେ ଯେ ମିଶିଛି, ସେ ତାଙ୍କୁ ସୁଖ ପାଇଛି । ଭାରି ମିଶାଣ ଲୋକ ତ ! ମୋ ସାଥିରେ ବେଗେ ମିଶିଗଲେ, ସତେ ଯେମିତି କେତେକାଳର ଚିହ୍ନାପରଚେ । ମୋ ବିଦାୟ ହେବାର ନାଆଁ ଗନ୍ଧ କିଛି ନାହିଁ । ହଠାତ୍‌ ଦି’ ଚାରିଦିନ ପରେ ଶୁଣିଲି ଥିଏଟର ହେବ । ଗୀତ ମୋତେ ତିଆରି କରି, ସୁର ଦେଇ ଶିଖାଇବାକୁ ଅନୁରୋଧ କଲେ ଯୁବରାଜ ପୂର୍ଣ୍ଣଚନ୍ଦ୍ର । ଏ ବି ଏକ ପରୀକ୍ଷା-। ଯୋଗକୁ ଭଲେ ଭଲେ ପାସ୍‌କଲି । ଗୀତ କେତୋଟି ବଡ଼ ପସନ୍ଦ ହେଲା ଶ୍ରୀଛାମୁଙ୍କର-। ତାଙ୍କ ଶ୍ରୀମୁଖରୁ ‘ଭଲ ତ ଲେଖିଛନ୍ତି’ ପଦକ ସତେ ଯେମିତି ଚାରିଆଡ଼େ ଚରିଗଲା-। ତହିଁ ଆରଦିନଠାରୁ ମୋର ଦର ବଢ଼ିଗଲା ରାଜବାଟୀ ରାଜ ପାରିଷଦ ମହଲରେ; କିନ୍ତୁ ତା’ ସଙ୍ଗେ ସଙ୍ଗେ ସାଆନ୍ତଙ୍କ ଘରେ ଟିକିଏ କେମିତି କୁହୁଳା ମୁହଁ ଦେଖିଲା ପରି ଲାଗିଲା-। ଚିନ୍ତାମଣିବାବୁ ଗୀତ ଲେଖାକୁ ବଡ଼ ପସନ୍ଦ କଲେ । ଆଶୀର୍ବାଦ ଦେଲେ । ମୁଁ ପ୍ରାୟ ପ୍ରତିଦିନ ତାଙ୍କୁ ଭେଟେଁ । ସୋମନାଥବାବୁ ଓ ଉପେନ୍ଦ୍ରବାବୁ ତାଙ୍କ ପାଖେ ଥାଆନ୍ତି ।

 

ଥିଏଟର ବାସିଦିନ, ଯୁବରାଜଙ୍କ ସଙ୍ଗେ ଭେଟ ହେବା ସଙ୍ଗେ ସଙ୍ଗେ ସେ ହସି ହସି ମୋତେ ଯେତକ ପ୍ରଶଂସା କଲେ । ସେ କହିଲେ ମୋତେ, ସେଇଠି ରହିବାକୁ । ରାଜାଙ୍କର ଏହାହିଁ ଇଚ୍ଛା । ମୋର ବି ଆପତ୍ତିର କିଛି କାରଣ ନ ଥିଲା । ଇଚ୍ଛାପୁରରେ ଥାକିଗଲି । ବେତନ ଚାଳିଶ ଟଙ୍କା । ଦିନାକେତେ ବେଶ୍‌ ଆନନ୍ଦରେ କଟିଗଲା । ରାଜା ଓ ଯୁବରାଜଙ୍କ ପ୍ରିୟପାତ୍ର ହେବାରୁ କେତେକଙ୍କ ଆଖିର କଣ୍ଟା ହେଲି ମୁଁ । ସେଇଠୁ ଚାଲିଲା ଗଡ଼ଜାତିଆ ଚୁଗୁଲି । ସାତକଥାରେ ତ ସତୀ ଭୁଲେ । ମନେ ପଡ଼ିଗଲା–ଆମ ବାଙ୍କିର କଥା–ଏବେ ବି ଲୋକେ ମନେରଖିଛନ୍ତି–ଭଗିରାୟ–ଗୁରୁଙ୍କ ଅବସ୍ଥା–‘‘ଯସ୍ୟ ଚକ୍ର ପ୍ରସାଦେନ ଭଗବାନ୍‌ ଭୂତତାଂ ଗତଃ ।’ ପଣ୍ତିତଲୋକ, ରାଜ ଅନୁଗ୍ରହ ପାଇଥିଲେ, ରାଣୀଙ୍କୁ ଭାଗବତ ଶୁଣାଉଥିଲେ ଘର ଝରକାର ବାହାର ପଟରେ ବସି-। ପାଖ ଲୋକ ଚୁଗୁଲି କଲେ । ରାଜଦ୍ୱାର ମନା ହୋଇଗଲା ତାଙ୍କୁ । କିଛିଦିନ ପରେ ସଭାସଦ୍‌ମାନେ ରଟନା କଲେ ଯେ ଭାଗି ରାୟଗୁରୁ ମରିଗଲେ । ପୁଣି କିଛିଦିନ ପରେ କହିଲେ ଯେ ରାୟଗୁରୁ ଭୂତ ହୋଇ ଲୋକଙ୍କୁ ଡରାଉଛନ୍ତି । ରାଜା ଗୋଟିଏ ନିର୍ଦ୍ଦିଷ୍ଟ ପୋଖରୀକୁ ଗାଧୋଇ ଯାଆନ୍ତି, ଭଗବାନ୍‌ ରାୟଗୁରୁଙ୍କୁ ଏକଥା ଜଣା । ରଜାଙ୍କ ଆଗେ, ସେ ଭୂତ ହୋଇ ବୁଲୁଥିବାର ରଟନା ମଧ୍ୟ ତାଙ୍କ କାନକୁ ଯାଇଛି । ରାଜଦର୍ଶନ ନ ପାଇ ଦିନେ ସେ ରଜାଙ୍କ ଗାଧୁଆ ପୋଖରୀ ହୁଡ଼ାରେ ଥିବା ଗୋଟିଏ କଇଥ ଗଛରେ ଚଢ଼ି ରାଜାଙ୍କ ଭେଟ ପାଇବାକୁ ମନସ୍ଥ କଲେ । ରାଜାଙ୍କ ପାଖଲୋକେ ତାକୁ ଦେଖି ‘ହେଇଟି ଭାଗିଆ ଭୂତ’ ବୋଲି କହି ଟେକା ଫିଙ୍ଗିଲେ । ରାୟଗୁରୁ ପାଟିକରି ଚିହ୍ନା ଦେଇ, ସେ ଭୂତ ନୁହନ୍ତି ବୋଲି ଜଣାଇଲେ । ପରେ ମିଳନ ହେଲା । ଏହି କଥାର ବାଙ୍କିରେ ବେଶି ଚଳଣି ଅଛି ଯେ–

 

‘‘ନୃପଂ ସେବ୍ୟଂ, ଚକ୍ରଂ ସେବ୍ୟଂ ନ ସେବ୍ୟଂ ନୃପ କେବଳଂ

ଯସ୍ୟ ଚକ୍ର ପ୍ରସାଦେନ ଭଗବାନ ଭୂତନ୍ଦାଂ ଗତଃ–’’

 

କ୍ରମେ ରଜାଘରିଆ ବ୍ୟବହାର ମୋତେ କେମିତି କେମିତି ଲାଗିଲା । ଦିନେ ଠିକ୍‌କଲି ଆଉ ରହିବି ନାହିଁ । ଘରକୁ ଯିବାକୁ ଛୁଟି ମାଗିଲି । ସହଜରେ ପନ୍ଦର ଦିନ ଛୁଟି ମିଳିଗଲା । ଏଇ ଛୁଟି ମୋର ଇଚ୍ଛାପୁରରୁ ଏକଦମ ଛୁଟି; କିନ୍ତୁ ଯୁବରାଜଙ୍କ ପାଖରୁ ଛୁଟି ପାଇଲି ନାହିଁ–ସେ ଦେଲେ ନାହିଁ କି ମୁଁ ନେଲି ନାହିଁ, ରାଜା ହୋଇସାରି ତାଙ୍କ ଅକାଳ ମୃତ୍ୟୁ ପର୍ଯ୍ୟନ୍ତ । କ୍ରମେ ସ୍ନେହ ବଢ଼ିଲା ସିନା ଊଣା ହୋଇ ନାହିଁ ଦିନେ ହେଲେ । ତା’ପରେ ହୁକୁମ ଅନୁସାରେ ଜମିଦାରୀ ଉଚ୍ଛେଦ ହେବାକୁ ଯାଉଥାଏ । ଏତିକିବେଳେ ଇହଧାମରୁ ଚାଲିଗଲେ ସେ, ମୋ ଜୀଇଥିବାତକ ଏ ଛାତିରେ ଆଘାତ ଦେଇ । ସେଭଳି ଉଚ୍ଚମନା, ସରଳ, ନିରାଡ଼ମ୍ବର, ଅକପଟ ବନ୍ଧୁ ଆଉ ଏ ଜୀବନରେ ମିଳିବେ ନାହିଁ । ଯେ ତାଙ୍କ ସାନ୍ନିଧ୍ୟରେ ଥରେ ଆସିଛି, ସେ ତାଙ୍କୁ ପାସୋରି ପାରି ନାହିଁ କି ପାସୋରି ପାରିବ ନାହିଁ । ଛାଡ଼, ଏ କଥାର ସାଥୀ କେବଳ ଦୀର୍ଘଶ୍ୱାସ ।

 

ଇଚ୍ଛାପୁର ରହଣିବେଳେ ମୋର କର୍ଣ୍ଣାଟକୀ ସଙ୍ଗୀତ–ବିଧି ଶିଖିବାର ଟିକିଏ ସୁଯୋଗ ମିଳିଥିଲା । ୟେ ଗୋଟିଏ ଲାଭ । ଇଚ୍ଛାପୁର ଛାଡ଼ିଲାବେଳେ ଦୁଃଖ ହେଲା କେବଳ ଯୁବରାଜଙ୍କ ଲାଗି । ଫେରିଆସିଲି ଘରକୁ । ଅନେକଦିନୁଁ ମାଆ କୋଳଛଡ଼ା ହୋଇ ପଡ଼ିଥିଲି । ତେଣୁ ଘରପଶା ହୋଇ ବେଗେ ବାହାରିବାକୁ ମନ ବଳିଲା ନାହିଁ । କିନ୍ତୁ କେତେଦିନ ? କେତେକାଳ ଦିଶା ଛାଡ଼ି ରହିପାରିବି ? ମନେ ମନେ ଠିକ୍‌ କଲି ମୟୂରଭଞ୍ଜ ଗୋଟିଏ ବଡ଼ ରାଜ୍ୟ । ବହୁ ଖ୍ୟାତି-ସମ୍ପନ୍ନ ଶ୍ରୀରାମଚନ୍ଦ୍ର ଭଞ୍ଜ ଯେଉଁ ରାଜ୍ୟର ମହାରାଜା, ବର୍ତ୍ତମାନର ମହାରାଜା ତ ସେହି ରକ୍ତଧାରା । ନିଶ୍ଚୟ ସେଇଭଳି ଗୁଣର ହୋଇଥିବେ । ଯାଏଁ, ଦେଖାଯାଉ ।

 

ବାରିପଦା :

 

ଭାବୁ ଭାବୁ ହେତୁ ହେଲା, ଲଖମାଅପା କଥା (ଲକ୍ଷ୍ମୀରୁ ସେ ଲଖମା) । ବଡ଼ାମ୍ବାଗଡ଼ର ନିହାତି ପିଲାଦିନର କଥା ସେ । ଲଖମାଅପା (ଆମ ବନ୍ଧୁଘର, ନଈ ସେପାରି) ବାୟା (ରାଜେନ୍ଦ୍ର)ର ଭଉଣୀ । ମୋତେ ‘ଗୁରୁବାରୀ’ ବୋଲି ଡାକେ, ଗୁରୁବାରରେ ମୋର ଜନ୍ମ ବୋଲି । ମୁଁ ତା’ ପାଖେ, କାଳୀ ନୁହେଁ; ସ୍ନେହର ସାନଭାଇ ‘ଗୁରୁବାରୀ’ । କେତେ କୋଳେଇଚି କେତେ କାଖେଇଚି ସେ ମୋତେ । ସେଇ ଲଖମାଅପାର ବର ବଂଶୀବାବୁ ଅଛନ୍ତି ବାରିପଦାରେ । ସେ ଇନକମ୍‌ଟ୍ୟାକ୍ସ ଓ ଅବକାରୀ ବିଭାଗୀୟ ଡେପୁଟି ମାଜିଷ୍ଟ୍ରେଟ । ତାଙ୍କରି ବସାରେ ଆଗେ ଆସ୍ଥାନଟା ଜମୁ । ତା’ପରେ ଦେଖାଯିବ ।

 

ଏଇ ମତଲବରେ ଜଟଣୀ ଗଲି । ଖୋରଧା ବାଟର ଧୂଳିସଡ଼କ, ଗଛପତର, ସଭିଏଁ ଲୁହ ଗାଧୁଆହୋଇ ଗୋଟିକ ପଛରେ ଗୋଟିଏ ଲେଖାଏଁ ଆସି କେତେ ଗଲାଦିନ କଥା କହିଗଲେ-। ବୁକୁ ଧଡ଼ପଡ଼ ହୋଇ ଉଠୁଥାଏ । ସତେ ‘କାଲି’କି ପଛରେ ପକାଇ ସିନା ଦୁନିଆ ଆଗେଇ ଚାଲିଛି । ମଣିଷ ତ ଆଗମଡ଼ା, ହେଲେ କେହି ଯେବେ ପଛଫେରା କରାଇପାରେ ବାଟୋଇକି, ସେ ଏକା ‘ସ୍ମୃତି’ । ଏଇଠି ମୁଁ ବାରେଁ ନିଜକୁ ଦୁର୍ବଳ ବୋଲି । ଆଖିକୁ ପିଠ ବା ପଛପଟଟା ସିନା ଦିଶେ ନାଇଁ ମନକୁ କିନ୍ତୁ ପଛପଟଟା ଦିଶିଯାଏ । ନାନା ଭାବନା ଭିତରେ ଅବଚେତନ ମନକୁ ଚେତା କରାଇଦେଲା ରେଳଗାଡ଼ିର ବିକଟ ଚିତ୍କାର ଜଟଣୀ ଷ୍ଟେସନରେ ପହଞ୍ଚିଲି । ଟିକଟ କାଟିଲି ରୂପ୍‌ସାକୁ ।

 

ରୂପ୍‌ସାରୁ ବାରିପଦାକୁ ସାନରେଳ, ଏମିତି ରେଳଗାଡ଼ିର ପଇ ବା ଡବା ଆଗରୁ ମୁଁ କେବେ ଦେଖି ନ ଥିଲି । ହାବଡ଼ା ଯାଉଥିବା ପାସେଞ୍ଜରରୁ ଉତୁରିବାବେଳକୁ ନିର୍ଧୁମ୍ ଗର୍ଭ ଜଳୁଥାଏ-। ବୁଝିଲି ରୂପ୍‌ସା ଷ୍ଟେସନର ଖୁବ୍‌ ନିକଟରେ ଗୋଟିଏ ହୋଟେଲ ଅଛି, ଭାତ ଖାଇବାକୁ ମିଳେ-। ଗଲି ସେଠିକି । ମାଛ ମିଲ୍‌ ଅଠର ପଇସା, ନିରାମୋହୀ ତିନି ଅଣା । ମୁଁ ଗୋଟିଏ ମାଛ ମିଲ୍‌ ପାଇଁ ହୋଟେଲ ମାଲିକଙ୍କୁ କହିଲି । ଭାରି ଆଦରରେ କେତେ କାଳର ଚିହ୍ନା ପହିଚାନ ଭଳିଆ ଦରହସା ମାରି ସେ ତାଙ୍କ ରେଟ୍‌ କହିଲେ ବଙ୍ଗଳାରେ । ଅଧଘଣ୍ଟାକପରେ ବାରିପଦା ଗାଡ଼ି ଛାଡ଼ିବ, ଦିନକୁ ଚାଲେ ମାତ୍ର ଥରେ । ତାକୁ ଛାଡ଼ିଲେ ଫେର୍‌ ଚବିଶ ଘଣ୍ଟା । ତେଣୁ ହୋଟେଲବାଲା ମୋତେ ଯଥାସମ୍ଭବ ଶୀଘ୍ର ଖାଇକରି ଗାଡ଼ି ଧରିବାକୁ ଉପଦେଶ ଦେଲେ । ଖାଲି ସେତିକି ନୁହେଁ, ଚାକରକୁ ଡାକ ଦେଲେ ଜାଗା କରିବାକୁ । ହାତ ମୁହଁ ଧୋଇବାକୁ ଗଲି । ମାଆ ଲକ୍ଷ୍ମୀଙ୍କୁ କୋଟି ଜୁହାର, ହେଲେ ସେ ପ୍ରଭାତି–ଅରୁଣ ଆଭା ଅପୂର୍ବ ବଗଡ଼ା ମୋତେ ରୁଚି–ଛଡ଼ା କରାଇ ଦେଲା ପ୍ରଥମରୁ-। ତା’ପରେ ଜଳବତ୍‌ ତରଳମ୍‌ ଡାଲି, ଟିକିଏ କ’ଣ ସାଧା ତରକାରି ଅର୍ଥାତ୍‌ ଘାଣ୍ଟ । ମାଛଟାକୁ ତକାଇ ରହିଲି । ମାଛ ‘ଏଇ ଚଡ଼େଛେ’ ଖାଇ ବସୁ ବସୁ ଦେଇ ଦେବେ କହି ସଜୋରେ ‘ଠାକୁର’କୁ ଶୀଘ୍ର ମାଛଟା ଆଣି ଦେବାକୁ ହାଙ୍କ ଦେଲେ । ଉତ୍ତରରେ କେବଳ ‘ନିଛି, ହିଁ ସାର । ପରେ ପରେ ପକେଟରୁ ଘଡ଼ିକାଢ଼ି ଗାଡ଼ି ସମୟ ହୋଇଯିବା ସୂଚନା ଚେତାଇ ଦେଲେ । ଆଉ ବୁଝିବାକୁ କିଛି ବାକି ରହିଲା ନାହିଁ ମୋର । ମିଲ୍‌ କଉଡ଼ି ଆଗରୁ ଦିଆ ସରିଛି । ମନେ ମନେ ମନର ଦୁଃଖମିଶା ଲାଜ ମନେ ମନେ ମାରି ଗୁଣାଏ କି ଦି’ଗୁଣ୍ତା ଭାତ ଗିଳି ଥାଳିରୁ ଉଠିଲି । ଦରଦୀବନ୍ଧୁ ଭାତଗୁରା ନଷ୍ଟ ହେବାରୁ ମୁଁ ଯାଉଯାଉ ମୋତେ ଶୁଣାଇଁ ଶୁଣାଇଁ ‘ଠାକୁର’କୁ ପୁଣି ଦି’ଚାରି ଥର ମଧୁର ସମ୍ବୋଧନ କଲେ । ଭାବିଲି ଲୁହା ଯୋଗୁଁ ଅକାରଣ ବିଚାରା ଅଗ୍ନି ଦେବତା ମାଡ଼ଖାଇଲା ସିନା-! କିମ୍ବା ଉଭୟ କୁଳ–ଏକକୁ ଆରେକ ବଳିଆର ।

 

ସତକୁ ସତ ଗାଡ଼ିବେଳ ହୋଇଗଲା । ଟିକଟ କାଟି ଗାଡ଼ିଧରି ବାରିପଦା ବାହାରିଲି । ମଦମନ୍ଥର ମନରେ ହିନ୍ଦୁସ୍ଥାନୀ ଧିମାତେତାଲା ତାଳ ଦେଇ ଦେଇ ଗାଡ଼ିଟି ଠୁକୁରୁ ଠୁକୁରୁ ଚାଲିଛି । ମନର ଚିନ୍ତା କିନ୍ତୁ ତା’ସଙ୍ଗେ ଠିକ୍‌ ତାଳ ମିଳାଇ ପାରୁ ନ ଥାଏ । ଗୋଟିଏ ପରେ ଗୋଟାଏ ଭାବନା ଆସୁଥାଏ, ପାଣି ଭଉଁରୀ ପରି ଶେଷରେ ଏକାଠି ଗୋଟାଏ କେନ୍ଦ୍ରର ମିଳନ ଘଟୁଥାଏ ତା’ର; କିନ୍ତୁ ଅତି ଚଞ୍ଚଳ ସେଇଟା କେମିତି ଫାଟିଯାଇ ଆଉ ଏକ ଭାବନା ତା’ର ସ୍ଥାନ ଅଧିକାର କରୁଥାଏ । ସବଳୁ ଅବିନ୍ୟସ୍ତ–ସବୁ ବିପର୍ଯ୍ୟସ୍ତ–ଅସଂଯତ । କାହାରି ସହିତ କାହାରି ମେଳ ନାହିଁ ।

 

ବାଟରି ଭାରି ସୁନ୍ଦର । ବଣଜଙ୍ଗଲ, ବେଳେ ବେଳେ ପବନ ଫୁଲବାସ ଚୋରିକରି ଆଣି ବିନ୍ତାଭରା ମନକୁ ଦଣ୍ତକପାଇଁ ଚହଲାଇ ଦେଉଥାଏ । ଭାବୁଥାଏଁ କେଡ଼େ ଅକୃତଜ୍ଞ, କେଡ଼େ ଅବିଶ୍ୱାସୀ ଏଇ ପବନ ସତେ ! କେଉଁ ସୁକୁମାରୀ ନବଯୌବନା ଫୁଲକୁମାରୀ କେଡ଼େ ସରାଗରେ, କେତେ ଆପଣାର ମଣି, ତା’ର ମନ ଯୌବନର ଏକମାତ୍ର ସମ୍ପତ୍ତି ସେଇ ସୁବାସ ସୌରଭ ସଁପି ଦେଇଛି ଏଇ ବାରବୁଲା ପବନକୁ । ଆଉ ସେ କ’ଣ କଲା ? ବାସ ଚୋରାଇ ନେଇ, ଭୁଲାଇ ନେଇ, ପରକୁ ଦେଇ, ନିଜର ବାହାଦୁରି ହାସଲ କଲା ତ ! ଆଉ ଆମେ କହିଲୁଁ, ବାଃ, ବଢ଼ିଆ ପବନ । ୟେ ତ ଏକ ପକ୍ଷ, ବିଚାରିବାବେଳକୁ ସେ ବି ଊଣା ନୁହେଁ । ଫୁଲ ବି ପାତ୍ର ଦେଖି କାରବାର କରିବାର ନ ଥିଲା ? ପରଦେଶୀ କେହି ତା’ ଦୁଆରେ ପହଞ୍ଚିଲା–ତା’ ମନ ଭୁଲାଣିଆ ଚାଟୁ ଶୁଣି ଫୁଲକୁମାରୀ ବି ଭଳିଗଲା ! ଉଚିତ ନ ଥିଲା କି ତା’ର ଭଲମନ୍ଦ, ରୀତିନୀତି, ଚାଲିଚଳଣି ବାରିବା ? ତୁହାକୁତୁହା ପବନ ଆସିଲା, ଗଲା ! ଫୁଲ ତ ସବୁରି ମନ କିଣି ନେଲା । ପୁଣି ଖାଲି ପୁରୁଷକୁ ଦୋଷ ଦେଲେ ଚଳିବ କେମିତି ? ‘ବିଶ୍ୱାସୋନୈବ କର୍ତ୍ତବ୍ୟମ’–ଏଇପାଠ ପରେ ପରା ଗୁରୁ କହିଛନ୍ତି ‘ସ୍ତ୍ରୀଷୁ’ ? କାଇଁ ଗୁରୁ ତ ପୁରୁଷଙ୍କୁ ଅବିଶ୍ୱାସ କରିବା କଥା କହିଲେ ନାହିଁ ?

 

ଫୁଲର ଭେଟ :

 

ଏଇମିତି ନାନା କଥା ଭାବୁ ଭାବୁ ଗାଡ଼ି ଅଟକିଲା ବାରିପଦା ଷ୍ଟେସନରେ । ମୋଟିଆଟିଏ ଖୋଜି ବଂଶୀବାବୁଙ୍କ ଘରକୁ ବାହାରିଲି । ମୋଟିଆ ବଂଶୀବାବୁଙ୍କ ଘର ଜାଣେ ବୋଲି କହିଲା । ତା’ କଥା ମନେଅଛି, ମନେରହିବ । ବିଚାରା ଜାତିରେ ଭୂମିଜ । ଆମ ଏଣେ ସେ ଜାତି ନାହାନ୍ତି । ବେଶ୍‌କଲା ମଚମଚ ବଳିଷ୍ଠ ବପୁ । ମୁଣ୍ତ ବାଳକୁ ତେଲ ଯେମିତି ନିଗିଡ଼ି ପଡ଼ୁଛି । ଚିକ୍‌କଣ ସୁନ୍ଥା । ସାଥିରେ ତା’ର ୯।୧୦ ବର୍ଷର ଝିଅ ‘ଫୁଲ’ । ବାପପରି କଳା, କିନ୍ତୁ ଗଢ଼ଣ ଭାରି ସୁନ୍ଦର । ଢଳା ଢଳା ଦୋ’ଟି ଚଞ୍ଚଳ ଆଖି, ନାଲି ମାଖିଲା ପରି ଟିକିଟିକି ଓଠରେ ଲାଜୁଆ ହସ ଯେମିତି ଘର ବାନ୍ଧି ରହିଛି । ବଡ଼ ମନେହେଲା ତା’ ସଙ୍ଗେ ଦି’ପଦ କଥା ହେବାକୁ । ପ୍ରତି କଥାର ଉତ୍ତରରେ ତା’ର ସେ ଚାହାଣି, ଅଭୁଲା ଜୀବନର । ଚାହିଁଲାବେଳକୁ ଲାଜ ଯେମିତି ସତେ ଆଖି-ପତା କବାଟକୁ ଆଡ଼ ଆଡ଼ପେଲା କରି ପୁଣି ଦେହଛପା ଦେଉଥାଏ ! ମୂର୍ଖ ଭୂମିଜ ବାପା ମାଆ, ଏଇ ସରଗ ଖସା ବାଳିକାଟି ନାଆଁ ‘ଫୁଲ’ ବୋଲି ରଖିଲେ କେମିତି କେଜାଣି ? ସତରେ ବଣ ଫୁଲଟିଏ ସିଏ । ମାଆ ଷଠି ଦୁଉଛେଇ ବୋଧହୁଏ ଏଇ ନାଆଁଟି ବାପମାଆଙ୍କ କଣ୍ଠରେ ବସି କୁହାଇ ଦେଇଥିଲେ ! ତା’ ଦରଭଙ୍ଗା ଓଡ଼ିଆ ଭାଷା ଭିତରେ ଥିଲା ବଣ ଫୁଲର ମହୁ । କଥା ହୋଇ ଆସୁ ଆସୁ ଆଉ ବାଟ ଜଣାଗଲା ନାହିଁ । ଏଥି ଭିତରେ ମୁଁ ତା’ ବାପ ‘ବଇଷ୍ଟିମା’ ଠାରୁ ତା’ ଘର ଦୁଆର ଆଦି ସବୁ ଠିକଣା ବୁଝିନେଲି । ଘର ତା’ର ‘ଜାମୁବାଣୀ’–ବାରିପଦା ସହରତଳି ଗାଆଁ । ଏଇ ‘ଖେଳଲୋଳ ଖଞ୍ଜନାକ୍ଷୀ’ ଫୁଲ କୁମାରୀ (ଡାକିନାଆଁ ଫୁଲ) ଟି ସେ ବାପମାଆଙ୍କର ଗୋଟିଏ ବୋଲି ସନ୍ତାନ–‘ଅଲିଅଳୀ ଝିଅ । ଫୁଲର ହସରେ–ଫୁଟା ଫୁଲ, ଚାହାଣିରେ–ଆବାହନୀ, କଥାରେ–ଅମୃତ । ବର୍ଣ୍ଣ ତା’ର କଳା, ମନେହେଲା, କଳା ସତେ ଯେମିତି ତା’ରି ଦେହ ଆଶ୍ରା କରି ରହିଛି ।

 

କେତେ କଥା ଭାବୁ ଭାବୁ ବାରିପଦା ହାଇସ୍କୁଲ ପାଖ ବଂଶୀଭାଇଙ୍କ ବସାରେ ତିନିହେଁ ପହଞ୍ଚିଲୁଁ । ଜବାବ ଥିଲା, କୁଲି ମଜୁରି ଛ’ ଅଣା । ବୈଷ୍ଟିମାକୁ ତା’ ପାଉଣା ତୁଟାଇ, ଫୁଲକୁ ଛ’ଅଣା ଦେଲି ଭୁଜାଖିଆ ପାଇଁ । ହସି ହସି ନେଲାବେଳେ ସେ ପଚାରିଲା, ମୁଁ କେତେଦିନ ରହିବି, ସେ ପୁଣି କାଲି ସକାଳଓଳି ଆସିବ । ସେଇଠୁ ଜୁହାରକରି ଚାଲିଗଲା ।

 

ଗଲାବେଳେ ତା’ର ଫେରିଅନାଉଁଣୀ ମୋ ବୁକୁରେ ଗିରା ମାରିଦେଲା । ମନେହେଲା–ଦଇବ ବିନ୍ଧାଣୀ ପୁଣି ନିରୋଳ ନିଟୋଳ କରି ଏମିତି ରୂପ ଠାଣି ଗଢ଼େ, ଧନ୍ୟ ସେ କାରିଗର, କୋଟି ଜୁହାର ତାକୁ ।

 

ବଂଶୀଭାଇଙ୍କ ଘରେ ରହିଲି । ‘ଲଖମା’ ଅପାର ପୁଅ ମୁରଲୀ, ବୀର, ସୁର ତିନିହେଁ ଭାରି ଭଲ ପିଲା । ଉଦିଆ ବୋଲି ଜଣେ ବଂଶୀଭାଇଙ୍କ ଚପରାସି ଥାଏ–ସେ ବି ଭାରି ପ୍ରଭୁ ଭକ୍ତ, ବଡ଼ ଭଦ୍ର । ମୋଟ ଉପରେ ବଂଶୀଭାଇଙ୍କର ଧନ, ଜନ, ଗୋପଲକ୍ଷ୍ମୀ, କାହିଁରେ ଅଭାବ ନ ଥାଏ । ବିପିନବାବୁ ବୋଲି ଜଣେ କିରାଣି ପିଲାଙ୍କର ଗୃହ ଶିକ୍ଷକ ଥାଆନ୍ତି, ସେ ବି ଊଣା ନୁହନ୍ତି । ଘରଟିରେ ଶାନ୍ତି, ସୁଖ ପୂରି ରହିଥାଏ, ସତେ ଯେମିତି ଲକ୍ଷ୍ମୀ, ସରସ୍ୱତୀ ବଂଶୀଭାଇଙ୍କ ଘରେ ବିବାଦ ପାସୋରି ଦେଇଛନ୍ତି ।

 

ରାଜଦର୍ଶନ ଚେଷ୍ଟା :

 

ବାରିପଦା ଆସିବା ଲକ୍ଷ୍ୟ ମୋର, ସ୍ୱର୍ଗତ ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କ ଦର୍ଶନ । ମୁଁ ଦିନ ଦୁଇ ଚାରି ଆଗ ବାରିପଦା ସହରଟା ବୁଲି ଦେଖିଲି । ବଂଶୀଭାଇଙ୍କ ଘରେ ତାଙ୍କ ପିଲାଙ୍କୁ ପଢ଼ାଉଥିବା ପ୍ରାଇଭେଟ୍‌ ଟିଉଟର୍‌ ବିପିନ୍‌ବାବୁ ବାରିପଦା କଚେରିରେ କାମ କରୁଥାଆନ୍ତି, କଚେରି ଛୁଟିବେଳେ ତାଙ୍କ ସହିତ ଟାଉନ୍‌ ବୁଲିଯାଇ କେତେ ଲୋକଙ୍କ ସଙ୍ଗେ ଚିହ୍ନାଜଣା ହେଲା । ମଝିରେ ମଝିରେ ଫୁଲ ତା’ ବାପା ସଙ୍ଗେ ଆସେ ।

 

ବଡ଼ାମ୍ବା, ତିଗିରିଆ ବା ସୁରଙ୍ଗୀ ରାଜବାଟୀଠାରୁ ମୟୁରଭଞ୍ଜ ରାଜବାଟୀ ଆକାର ପ୍ରକାରରେ ନିଆରା । ବଡ଼ରାଜ୍ୟ, ବଡ଼କୋଠା–ୟେ’ତ ପୁଣି ରାଜା ନୁହନ୍ତି, ମହାରାଜା । ତାଙ୍କ ଭେଟ ପାଇବା ମଧ୍ୟ ସେହିପରି ବଡ଼ କଠିନ ।

 

ମୁଁ ଖବର ବୁଝି ମହାରାଜାଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ ଜଣେ ବଙ୍ଗୀୟ ଭଦ୍ରଲୋକଙ୍କୁ ରାଜବାଟୀର ଅଫିସ୍‌ରେ ଦେଖାକରି ରାଜଦର୍ଶନ ଅଭିପ୍ରାୟ ଜଣାଇଲି । ଭାରି ଗମ୍ଭୀର ସେ । ଦପ୍ତରରେ ବସିବା ଠାଣି, ବ୍ୟବହାର ଓ ମିଜାଜ୍‌ଜଗି କଥାବାର୍ତ୍ତା କଲି । ‘ଏଖନ ମହାରାଜାର ସମୟ ନେଇ, ପରେ ଏସ୍‌’ କହି କେତେଥର ମୋତେ ଦଉଡ଼ାଇଲେ । ଏଇମିତି ଏଇମିତି ପ୍ରାୟ ଦିନ ପନ୍ଦର ବିତିଗଲା, ଗୋଟାଏ ନା ଶେଟାଏ ବାହାନାରେ ସେ ଖାଲି କାଳ ମଟାଳୁଥାନ୍ତି ।

 

ମୋତେ ବଡ଼ ବିରକ୍ତ ବୋଧହେଲା ଏବଂ ଜିଦି ବି ବଢ଼ିଲା–ଯେମିତି ହେଉ ମହାରାଜାଙ୍କୁ ସାକ୍ଷାତ୍‌ କରିବି ବୋଲି ।

 

ଖରାଦିନ, ଭାରି ଗରମ ପଡ଼ିଥାଏ । ରାତିରେ ସହଜରେ ନିଦ ହୁଏ ନାହିଁ, ସେଥିରେ ପୁଣି ପ୍ରାଇଭେଟ୍‌ ସେକ୍ରେଟାରୀଙ୍କର ମହାରାଜାଙ୍କୁ ଦେଖାକରାଇଦେବାକୁ ଟାଳଟୁଳ ବ୍ୟବହାରରେ ମୁଁ ଦୁଃଖିତ–ଚିନ୍ତିତ ହୋଇ ସାକ୍ଷାତ୍‌ର ଉପାୟ ପାଞ୍ଚୁଥାଏଁ ମନେ ମନେ । ବଂଶୀଭାଇଙ୍କି ବା ଅନ୍ୟ କାହାରିକି ଏ ବିଷୟରେ କିଛି କହେ ନାହିଁ ।

 

ଦିନେ ଚନ୍ଦ୍ରପକ୍ଷ ରାତିରେ ଘରୁ ବାହାରିଲି, ଟିକିଏ ବୁଲାବୁଲି କରି ଆସିବାକୁ । ଆଖିକି ତ ନିଦ ନ ଥାଏ, ସେଥିରେ ପୁଣି ଭାରି ଗରମ । ବାହାରିଲି ବାହାର ପବନ ଖାଇବାକୁ ।

 

ରାତି ପିନ୍ଧା ଲୁଗାକୁ କୁଞ୍ଚ ନ କରି, କମରରେ ଚଉତିଦେଇ ସାଉଁଳିକରି ଭିଡ଼ି ଶୋଇବା ଅଭ୍ୟାସ ଥିଲା । ଖଣ୍ତେ ସେ କାଳର ଛାତିକଟା ଗେଞ୍ଜି ପିନ୍ଧିଲି, ଛାତି ପଟିରେ ସୁନ୍ଦର ଫୁଲ ପଡ଼ିଥାଏ, ସିପ ବୋତାମ ଲାଗିଥାଏ । ସେମିତି ଗେଞ୍ଜି ଆଜିକାଲି ଦେଖା ନାହିଁ ।

 

ଗୋଲାପି ରଙ୍ଗର ମୋର ସବୁଦିନେ ପସନ୍ଦ, ଗେଞ୍ଜିଟିର ରଙ୍ଗ ଗୋଲାପି । ମଧୁବାବୁ ଟ୍ୟାନେରୀର କଳା ଫୁଟୁଫୁଟିକିଆ ଚଟି ହଳେ ମଡ଼େଇଲି, ମୋର ଅତି ପ୍ରିୟ ବଂଶୀଟି ଅଣ୍ଟାରେ ଖୋଷି ବାହାରି ପଡ଼ିଲି; ସେଇ ଖରାଦିନ ଜହ୍ନ ରାତିରେ । ରାତି ସେତେବେଳକୁ ଅଧିକରୁ ଅଧିକ ପ୍ରାୟ ।

 

ଚାପଲ ପୋଖରୀ ଆଡ଼ିରେ, ବିଲାତି, ଚାକୁଣ୍ତା ଗଛମୂଳେ କିଛିବେଳ ବସିଲି । ଭାରି ନିଛାଟିଆ ଚାରିଆଡ଼ଯାକ, ଅଣ୍ଟାରୁ ବଇଁଶୀଟି କାଢ଼ି ବଜାଇଲି । ସେଠୁ ଉଠି ପୁଣି ବୁଲି ବାହାରୁ ବାହାରୁ ରାଜବାଟୀଆଡ଼କୁ କେଜାଣି କେମିତି ପାଦ ଛାଏଁ ଛାଏଁ ଟାଣି ହୋଇଗଲା । ରାଜବାଟୀର ଡାହାଣ କଡ଼ରେ ଗୋଟିଏ ଅଣଓସାରିଆ ନାଲି ସଡ଼କ ବାବୁ ସାହିକୁ ପଡ଼ିଛି, ରାଜ ବିରାଦର ସ୍ୱର୍ଗତ ଦିବାକର ଭଞ୍ଜଙ୍କ ଘର ଏହି ସାହିରେ । ମୁଁ ଦିନେ ଯାଇ ତାଙ୍କ ସହିତ ପରିଚିତ ହୋଇ ଆସିଥିଲି, ଏଇ ବାରିପଦା ରହଣି ଭିତରେ । ସେ ଜଣେ କଳାପ୍ରିୟ, ଖୁସ୍‌ ମିଜାଜିଆ ଲୋକ । ତାଙ୍କ ଘରକୁ ଯିବା ଏଇ ରାସ୍ତାର ପ୍ରାୟ ମଝାମଝିରେ ଗୋଟିଏ ଛୋଟିଆ ପୁଲିଆ । ଏଇଠୁ ରାଜବାଟୀ ଦିଶୁଥାଏ-। ରାତି ଅଧିକ ହେଲେ କ’ଣ ହେବ, ରାଜବାଟୀ ଉପର ମହଲାର ବଡ଼ ବଡ଼ ଜଳାକବାଟି ଉଦୁଆଁ ଥାଏ, ଘର ଭିତରୁ ହସ ଆଉ ଜୋର୍‌ ପାଟିତୁଣ୍ତ ଶୁଭୁଥାଏ । ବେଳେ ବେଳେ ଝୁମୁର ଗୀତରୁ ପଦେ ଅଧେ ମଧ୍ୟ କେହି କେମିତି ଗାଉଥାଆନ୍ତି ।

 

ବଂଶୀ ଗୁଣ :

 

ମୁଁ ପୁଲିଆକୁ ଫୁଙ୍କିଦେଇ ରାଜବାଟୀକୁ ପିଠିକରି ବସି ବଇଁଶୀ ବଜାଇବାରେ ଲାଗିଲି, ବଜାଇଲି ବେହାଗ ରାଗିଣୀ ।

 

କେତେବେଳେ ଗଲା ପରେ, ମନଟା ନ ମାନିବାରୁ, ମୋର ଅତି ପ୍ରିୟ ରାଗତିଳକ କାମୋଦର ଆଳାପ–ପା, ନି, ସା, ଗା, ସା ଫୁଙ୍କିବା ବେଳକୁ ମୋ ପଛପଟୁ ଜଣେ କିଏ ପହୁଞ୍ଚି ମୋତେ ଏତେ ରାତିରେ, ଏଠି ବସି ବଇଁଶୀ କାହିଁକି ବଜାଉଛି ଓ ମୋର ନାଆଁ ଗାଆଁ ଇତ୍ୟାଦି ପଚାରିଲେ । ଉତ୍ତରରେ–ଘର କଟକ, ବାରିପଦାକୁ ବୁଲି ଆସିଛି, ଏଠି ବସି ବଂଶୀ ବଜାଇବାର କାରଣ ଏମିତି କିଛି ନାହିଁ, ଗରମରେ ନିଦ ହେଲା ନାହିଁ, ଆସି ବସିଗଲି । ବାସ୍‌ ଏତିକି । ବଂଶୀଭାଇଙ୍କ ଘରେ ଅଛି, କି ତାଙ୍କ ମୋ ସମ୍ପର୍କ–ସେ ସବୁ ଲୁଚାଇଲି । ମୋର ସେତେବେଳର ବୃଦ୍ଧ ବଜାରୀ ଭଳି ଯୋଉ ବେଶ, ସେଥିରେ ବଂଶୀଧର ପଟ୍ଟନାୟକଙ୍କ ସହିତ ସମ୍ବନ୍ଧର ସୂଚନା ଦେବାରେ ମନକୁ ମନ ବାଧା ପାଇଲି । ସେ ଲୋକ ମୋତେ କହିଲେ, ‘‘ମହାରାଜା ହୁକୁମ୍‌ କରିଛନ୍ତି–ଚାଲ୍‌ କୋଠିକି ।’’

 

ଝାଉଁକରି ହୋଇଉଠିଲା ମୁଣ୍ତଟା । ଆରେ ! ୟେ’ ପୁଣି କ’ଣ ? ଏଇ ଅଧିରାତିରେ ମହାରାଜାଙ୍କ କୋଠିକି ? କିନ୍ତୁ ଅମଙ୍ଗ ହେବାଟା କେବଳ ଅନ୍ୟାୟ ନୁହେ, ଦୋଷାବହ ମଧ୍ୟ । ତେଣୁ ସୁଶୀଳ ବାଳକଟି ପରି ସେ ଲୋକଙ୍କର ଅନୁସରଣ କଲି, ଅବଶ୍ୟ ଏ ଗୋଟାଏ ସୁଯୋଗ ବୋଲି ଖୁସି ବି ଲାଗୁଥାଏ ।

 

ରାଜଦର୍ଶନ :

 

ମହାରାଜାଙ୍କ ବୈଠକଖାନା–ବେଶ୍‌ ଲମ୍ବାଚୌଡ଼ା ବଡ଼ ହଲ୍‌ଟିଏ ପଡ଼ିଛି । ଦାମି ଦାମି ସୋଫା, କାଉଚ, ଚୌକି, ତଳେ ବିସ୍ତୀର୍ଣ୍ଣ ଖରଡ଼ ବିଛା ହୋଇଛି । ଚୌକିରେ ବସିଛନ୍ତି ଜଣକେତେ ମହାରାଜାଙ୍କ ପ୍ରିୟପାତ୍ର, ମୋସାହେବ ଇତ୍ୟାଦି ଇତ୍ୟାଦି–ସମସ୍ତେ ପରିଷ୍କାର ପରିଚ୍ଛନ୍ନ, ସବୁରି ପୋଷାକରେ ପରିପାଟୀ ଅଛି, ରୁଚି ବି ଅଛି । ମହାରାଜା ପୂର୍ଣ୍ଣଚନ୍ଦ୍ର କିନ୍ତୁ ପିନ୍ଧିଛନ୍ତି ଖଣ୍ତେ ବାଦାମୀ ରଙ୍ଗର ସିଲ୍‌କ ଗେଞ୍ଜି । ଯେ ଲୋକଟି ମୋତେ ସାଙ୍ଗରେ ନେଇ ଯାଇଥିଲେ, ସେ ମୋତେ ବାହାର ବାରଣ୍ତାରେ ଅପେକ୍ଷା କରିବାକୁ କହି ମହାରାଜାଙ୍କୁ ଖବର ଦେବାକୁ ଯାଇ ସଙ୍ଗେ ସଙ୍ଗେ ଫେରିଆସି ମୋତେ ଡାକିଲେ । ଗଲି, ଜୁହାରିଲି ମହାରାଜାଙ୍କୁ । ଦେଖିଲି ତାଙ୍କ ସାଙ୍ଗସାଥିଏ ମୋତେ ଗୋଡ଼ରୁ ମୁଣ୍ତଯାଏ ଜଳ ଜଳ କରି ଚାହିଁଛନ୍ତି । କେମିତି ମାଡ଼ି ମାଡ଼ି ପଡ଼ିଲା ମୋତେ । ଅଚିହ୍ନା ମଣିଷ, ଅଜଣା ଥାନ, ତହିଁକି ଛତରା ବେଶ ମୋର । ଦଇବ ମାଇପୀ ଜନମ ଦେଇ ନାହିଁ ସିନା, ହେଲେ–ଲାଜ ଦି’ ଅକ୍ଷର ତ ଏକାବେଳକେ ମନ ସିଲଟ୍‌ରୁ ନିଭାଇ ଦେଇ ନାହିଁ । ମୋ ଦେଖନ୍ତରେ ଯେତୋଟି ରାଜାଘର ଅଜମେଇଛି, ୟେ ତହିଁରୁ ନିଆରା । ଗଜରା ଆଖି ଦି’ଟା ମୋର କେଜାଣି କାହିଁକି ମହାରାଜାଙ୍କ ଆଡ଼କୁ ଟାଣି ହୋଇଗଲା । ହେତୁ ପାଇବା ଦିନରୁ ମୋର କାଳ ହେଲା ଏଇ ଆଖି ଦିଇଟା ।

 

କାହାରି ଯୋଡ଼ିଏ ଢଳାଢଳା ଆଖିରେ, ଆଖି ମିଶିଲେ ସେ ଯେମିତି ସତେ ବାଣୀହରା ପଦ୍ମତୋଳା ପଢ଼ି ବନ୍ଦ କରିଦିଏ ମୋତେ, କହନ୍ତି ପରା ‘ମଣିଷ ପ୍ରକୃତି ମଲେ ତୁଟେ’ ! ସେଇଆ ଘଟିଚି, ଜୀବନଟାସାରା । ମୁଁ ଚାହିଁଦେଲାବେଳକୁ ମହାରାଜାଙ୍କ ଦଇବୀ କଜଳମଖା ଆଖି ଦିଓଟି ମୋ ଆଖିରେ ଲାଖିଗଲା, ବଡ଼ ଧୀର ଭାରି ଗମ୍ଭୀର, ଅଥଚ ବେଶ୍‌ ମୋଲାଏମ ସ୍ୱରରେ କହିଲେ–‘ବସ’ ।

 

ହେଲେ ବସିବି କେଉଁଠି ? ଆସନ ଯାହାକୁ ଯେତେ ପ୍ରକାର ମଧ୍ୟ ବିଭିନ୍ନ, ବାକି ମୋର ସେ ବେଳର ରୂପ, ଭେକ, ଢଙ୍ଗ ରଙ୍ଗ ଲାଗି ଆସନ କୋଉ ଗୋଟିକ ? ସେଠା ଚଟାଣରେ ବିଛା ହୋଇଥିବା ଖରଡ଼ ଉପରେ ଟିକିଏ ସଂକୋଚନରେ ବସିପଡ଼ିଲି, ମନେ ପଡ଼ିଲା–ଭୂଇଁ ଆସନ ତ ଯୁଗପୁରୁଷ ପସନ୍ଦ କରିଥିଲେ, ଆଜି–ଦେଶ କାଳ ପାତ୍ର ବିବେଚନାରେ ତାଇ ହେଉ । ଏଇଟା ଅବଶ୍ୟ ମନକୁ ଭେଣ୍ତିଆବୋଧ ଦେବାପରି କଥାଏ ।

 

ତା’ପରେ ହେଲା ପ୍ରଶ୍ନ–ଆଜିର ଏ ପ୍ରଶ୍ନରେ ଅଭିଧାନର ‘ଆପଣ ଶବ୍ଦ ବିଲ୍‌କୁଲ୍‌ ନଦାରଦ୍‌ । ଭାଗ୍ୟ ଯେ–‘ତେମେ ବା ତୁମେ’ରୁ ଆଉ ପାହାଚେ ତଳକୁ ଖସଡ଼ି ପଡ଼ି ନାହିଁ । ତେଣୁ ‘ତୁମେ’ ସମ୍ବୋଧନଟା–ପ୍ରତିଥର ଉଚ୍ଚାରଣରେ ମୋ ଛାତିରେ ହାବୁକା ଦେଉଥିଲେ ବି ସ୍ଥଳ ଓ ଅବସ୍ଥା ବିଚାରରେ ହଜମ କରିବାକୁ ହେଲା ମୋତେ ।

 

ଆଉ ବୁଝିବାକୁ ଗଲେ ସେଇ ‘ତୁମେ’ ଶବ୍ଦଟା ହିଁ ମୋର ସେତେବେଳିକା ପାଗପଟୁକାକୁ ଚାହିଁ ଉଚିତ ପ୍ରାପ୍ୟ । ତୁମ ଘର ? ତୁମ ନାଆଁ ? ଏସବୁ ପ୍ରଶ୍ନ ମହାରାଜଙ୍କ ମୋସାହେବଙ୍କ ଦରବାରରୁ ଆସିଲା । ବିନୀତ ଭାବରେ ଉତ୍ତର ଦେବାପରେ, ‘ବାରିପଦା କାହିଁକି ଆସିଚ, କେବେ ଆସିଚ, କୋଉଠି ଅଛ’ । ଏ ପ୍ରଶ୍ନ ପଚରାଗଲା, ତିନୋଟିଯାକ ପ୍ରଶ୍ନର ଉତ୍ତର ଦେଲି ।

 

ମାତ୍ର କୋଉ ଗୋଟିକ ତା’ ଭିତରୁ ସତ ନୁହେଁ, ‘ଏତେ ରାତିରେ, ଏଠି ବସି ବଂଶୀ ବଜାଉଥିଲେ କାହିଁକି ?’–ଏ ଏକ ବିଷମ ପ୍ରଶ୍ନ । ଗାଲୁ ମାଲୁ କରି କହିଲି–ଖରାଦିନ ତ ଭାରି ଗରମ । ନିଦ ପଡ଼ିଲା ନାହିଁ । ବୁଲୁ ବୁଲୁ ଏଠିକି ଆସିଲି ବାହାରି, ଥାନଟି ଭଲ ଲାଗିଲା, ସୁନ୍ଦର ଜହ୍ନ କିରଣ, ସୁଲୁସୁଲିଆ ପବନରେ ବସିଯାଇଥିଲି; ମନହେଲା ବଂଶୀଟା ବଜାଇବାକୁ ଟିକିଏ ।

 

କିଏ ଜଣେ ପରିହାସପ୍ରିୟ ରସିକ ତୁନି ତୁନି କରି କହିଲେ–‘‘ଆରେ ୟେ’ ତ କବିପରି କଥା କହୁଛନ୍ତି–ଏ କଥାଟା ଅଧାଶୁଣା ହେଇ କାନରେ ବାଜିଲେ ମୋର, ହସ ଲାଗିଲା, ସେଇଠୁ ମହାରାଜା ପଚାରିଲେ–‘କି ରାଗ ସେଟା ବଜାଉଥିଲ ?’

 

–କହିଲି–‘ଜାଣି ନାହିଁ ।’

 

–କାହାଠୁ ଶିଖିଚ ବଂଶୀ ?

 

–‘ଏମିତି ମନକୁ ମନ ଫୁଙ୍କେ, ଶିଖାଶିଖି ନାହିଁ ଶୁଣି ଶୁଣି ଉଜାଉଚି ।

 

‘ଆଚ୍ଛା ହଉ, ବଜାଅ ଶୁଣିବା’–କହିଲେ, ଜଣେ ମୋସାହେବ ମହାଶୟ । କି ରାଗ ବା କ’ଣ ବଜାଇବି, ପ୍ରଶ୍ନଟା ତଣ୍ଟି ପର୍ଯ୍ୟନ୍ତ ଆସି ଦରଗିଳା ହେଇ ଲେଉଟି ଗଲା ଭିତରକୁ, ଚିହ୍ନା ପଡ଼ିବା ଡରରେ । କିଛି ନ କହି ବଜାଇଲି, ‘ମାଲକୋଷ’ ନିଖୁଣ ଭାବେ ରାଗଟି ବଜାଉଛି । ମହାରାଜାଙ୍କ ନିଜର ସଙ୍ଗୀତ ଜ୍ଞାନ ଥିଲା, ଏଇଟା ମୟୁରଭଞ୍ଜ ରାଜବଂଶର ସହଜାତ ବୋଲି କହିବି ମୁଁ । ବଂଶୀସ୍ୱର ବନ୍ଦ ହେବାପରେ ମହାରାଜ କହିଲେ–ମାଲକୋଷ ନା ? ହଠାତ୍‌ ମୁଁ ଆଜ୍ଞା ବୋଲି କହି, ସଂଯତ ହୋଇଗଲି । ତା’ପରେ–ଆଜ୍ଞା ଶବ୍ଦ ପରେ ଟିକିଏ ଥମିଯାଇ କହିଲି–‘‘ହୋଇଥିବ’’ । ଭାବିଲି, ଧରାପଡ଼ି ଯାଇଥିଲି ତ ଏଇନେ; କିନ୍ତୁ ଦେଖିଲି, ମହାରାଜାଙ୍କ ଦୃଷ୍ଟି ଯେମିତି ସନ୍ଦେହଭରା-। ଦାୟରେ ପଡ଼ି ମୁଁ ସତକଥାଟା ଲୁଚେଇ ବସିଚି ବୋଲି ଅନ୍ୟାୟ ପାଖରେ ମନେମନେ ଜବାବ ଦେଲି । ଆଉ ସାମାନ୍ୟ କଥାବାର୍ତ୍ତା ପରେ, ତହିଁ ପରଦିନ ସକାଳ ନ’ଟା ପରେ, ମହାରାଜାଙ୍କ ସହିତ ତାଙ୍କ ଅଫିସରେ ଦେଖାକରିବାକୁ ଆଦେଶ ହେଲା; ଭାବିଲି, ଯେତେକ ଅଡୁଆ ତ ସେଇଠି, ଗୋଲ୍‌ ସିଡ଼ିରେ ଉଠିଲାବେଳକୁ ତ ପହିଲେ ଭେଟିବି ବୃଷଭ–ରାଜନ ପ୍ରାଇଭେଟ୍‌ ସେକ୍ରେଟାରୀଙ୍କୁ-। ଡାଙ୍କୁଇ ଅନୁସରଣ କରି ତ ଆଜି ଏ ବେଶ ମୋର ।

 

ଅବଶ୍ୟ ସବୁ ବିଧି ନିର୍ବନ୍ଧ–ସେ ବିଶ୍ୱାସ ମୋର ଚିରକାଳ । ମୁଁ ବୋଲେଁ ‘ଯାହା କରିବେ ସାଇଁ–ତା’ କାହାରି ହାତରେ ନାଇଁ’ ଟିକିଏ ରହମଠ ହୋଇ ଉପର ତଳ ବିଚାରି କହିଲି, କେହି ମନା କରିବେ ନାହିଁ ତ ? ମହାରାଜ ହୁକୁମ କଲେ ତାଙ୍କ Personal attendant ବା ନିଜଗି ନିଯୋଗ ‘ପଣ୍ତିତ’ ଙ୍କୁ ମୋ ଆସିବା ଓ ଭେଟିବାର ସୁବିଧା କରି ଦେବାପାଇଁ ।

 

ହଁ ଏଇଠି କଥାଏ କହେଁ–ଏଇ ପଣ୍ତିତଟି ସତରେ ‘ପଣ୍ତିତ’ ନୁହନ୍ତି, ଡାକ ନାମର ଅଧିକାରୀ ମାତ୍ର । କାରଣଟା ମୋର ଅଜ୍ଞାତ । ସେଉଠୁ ମନ ଖୁସିରେ ମଥାନୁଆଁ ଜୁହାରଟେ କରି ବିନୀତ ଭାବରେ ବିଦାୟ ନେଲି, ମନେହେଲା ସତେ ଯେମିତି କୋଉ ଗଡ଼ ଜିଣିଲି ।

 

ରାତି ତ ଅଧକରୁ ଢ଼େର୍‌ ବଳେଇ ଯାଉଥିଲା, ତଥାପି ସେ ରାତିଟା ମୋତେ ପୁଣି ଯେମିତି ସଞ୍ଜ ଲେଉଟା ଭଳି ଲାଗିଲା । ବସାକୁ ଯାଇ ବିଛଣାରେ ପଡ଼ିଲି ମାଆଙ୍କୁ ମୁଣ୍ତିଆମାରି । ସବୁକଥା ଭାବୁଭାବୁ କେତେବେଳେ ନିଦ ହେଇଗଲା, ବଂଶୀଭାଇଙ୍କୁ ସକାଳେ ଏସବୁ କଥା କିଛି କହିଲି ନାହିଁ । ଘଣ୍ଟା ଘଣ୍ଟା ସେଦିନ ଭାରି ଉଛୁରରେ ଘୁଞ୍ଚୁଥିଲା ପରା ! ଉତ୍କଣ୍ଠାର କାଳ ଏଇମିତି ଉଛୁରିଆ ସିନା ! ଯେତେ ଚାହିଁଲେ ବି ବଂଶୀଭାଇଙ୍କ କାନ୍ଥଘଡ଼ିରେ ନଅଟା ବାଜିବାକୁ ଭାରି ମଠ ହେଉଥାଏ । ମୁଁ ଗାଧୋଇ ପାଧୋଇ ଜାମାଜୋଡ଼ ପିନ୍ଧି, ଭିଜିଟିଂ କାର୍ଡ଼ ଖଣ୍ତିଏ ଧରି ତିଆର ହୋଇ ବସିଥାଏଁ । ଯେମିତି ବାଜିଲା ଠନ୍‌ଠନ୍‌ ନଅ, ବାହାରିଲି ରାଜବାଟୀକି, ମାଆଙ୍କୁ ପ୍ରଣାମ କରି । ରାଜବାଟୀରେ ପହୁଁଚି ଗୋଲ୍‌ସିଡ଼ି ପାଖେ ପାଦ ଥମକି ଗଲାବେଳକୁ ଉପର ମହଲା ପାରାପିଟ୍‌ ପାଖେ ଦେଖିଲି ପଣ୍ତିତଙ୍କୁ । ଚତୁରାକ୍ଷ ପରେ ତାଙ୍କ ଇଙ୍ଗିତ କ୍ରମେ ଆଗେଇଲି । ସେ ବି ତଳକୁ ଓହ୍ଲାଇଲେ । ଆଗପଛ ହେଇ ଚାଲିଲୁଁ ମହାରାଜାଙ୍କ ଖାସ୍‌ କଚେରି ଘରକୁ । ଘୃଣାରେ ଆଉ ପ୍ରାଇଭେଟ୍‌ ସେକ୍ରେଟାରୀଙ୍କୁ ଆଗ ଦିନ ପରି ନମସ୍କାର କରିବାକୁ ଚିତ୍ତ ବଳିଲା ନାହିଁ, ତା’ଛଡ଼ା ମନେ ମନେ ଟିକିଏ ‘ପୌରୁଷ’ ଯେ ଅନୁଭବ କରି ନ ଥିଲି ଏକଥା ନୁହେଁ ।

 

ଅଫିସ ଘର ସାମନା ବାରଣ୍ତାରେ ଖଣ୍ତି କେତେ ସୁନ୍ଦର କୁରୁଚି । ପଣ୍ତିତଙ୍କ ହାତେ ଦର୍ଶନୀକାର୍ଡ଼ ଖଣ୍ତିକ ଦେଲି, ସେ କହିଲେ–ଏ କ’ଣ ହେବ ? ହୁକୁମ୍‌ ତ ମିଳିଛି, ଆସନ୍ତୁ । ମୁଁ ଯେ ନିଜ ପରିଚୟଟା ନିଜ ମୁହଁରେ ଦେବାକୁ ଅସୁନ୍ଦର, ଅସଙ୍ଗତ କଥା ମଣି କାର୍ଡ଼ଟି ଦେଇଚି–ଏକଥା ପଣ୍ତିତ ବିଚାରା କାହୁଁ ବା ଜାଣିବେ ? ମୁଁ ତାଙ୍କୁ କହିଲି–ନାଇଁ, ନାଇଁ ଆଗେ ମହାରାଜାଙ୍କୁ ଦେଲେ, ସମୟ ବୁଝିକରି ଯିବି । ଅଫିସ୍‌ ଘର ବାରଣ୍ତାଟା, ତା’ ମଝିରେ ଗୋଟିଏ ଦ୍ୱାର–ପରଦାଟିଏ ମାତ୍ର ଅନ୍ତରାୟ । ପଣ୍ତିତେ ମୋ କଥା ରଖି କାର୍ଡ଼ଟି ନେଇ ହଜୁରରେ ପେଶ୍‌ କଲେ ଓ କାଲି ରାତିର ବଂଶୀ ବଜାଇବା ଲୋକ ଆସିଥିବା ଇତାଲା କଲେ ।

 

ମହାରାଜା ସମ୍ଭବତଃ କାର୍ଡ଼ଟି ଦେଖି କହିଲେ, ‘‘ଦୂର୍‍ ବୋକା’ ! ଏ କେବେ ସେ ହେବେ-? ତୋର ଆଖି ବଦଳି ଯାଇଛି । ପଣ୍ତିତ ବୋକାତ୍ୱ ସ୍ୱୀକାର କଲାବାଲା ନୁହନ୍ତି, ସେ ଉତ୍ତର ଦେଲେ–‘ନା ହଜୁର, ସେଇ ଲୋକ’ । ଆଚ୍ଛା ଡାକ ତ–ଏଇ ହୁକୁମ ହେଲା । ମୁଁ ପରଦାର ଏପଟେ ଉତ୍‌କର୍ଣ୍ଣ ଥାଇ ଶୁଣୁଥାଏଁ ସବୁ । ପଣ୍ତିତଙ୍କ ଇସାରାରେ ଭିତରକୁ ଗଲି, ଜୁହାରଟା ପରେ ପରେ ମହାରାଜ କହିଲେ–‘‘ହେଇ ଆପଣ ! ବସନ୍ତୁ ।’’ ଦରଦର ହସି ସବୁକଥା ପଚାରିଲେ । ମୁଁ ମୋର ବାରିପଦା ଆସିବା, ରହଣି ଠାବ, ପ୍ରାଇଭେଟ୍‌ ସେକ୍ରେଟାରୀ ମହାଶୟଙ୍କ ବ୍ୟବହାର ଓ ମୋର ରାଜଦର୍ଶନ ଆଦି ଇତ୍ୟାଦି ଇତ୍ୟାଦି ସବୁ ଗାଇଦେଇସାରି, କହିଲି–ଜଣେ କେହି ମୟୂରଭଞ୍ଜର ହେଉ ବା କଟକର ହେଉ, ଓଡ଼ିଶାବାସୀ ଓଡ଼ିଆ ବାରିପଦା ଆସି, ତାହାରି ଦେଶର ବିଖ୍ୟାତ ଓଡ଼ିଆ ରାଜାଙ୍କୁ ଭେଟିବାର ସୁଯୋଗ ନ ପାଇବାଟା କି ସୁନ୍ଦର କଥା ମହାରାଜ ! ଆମ ଘରେ ତ ଆମର ଏଇ ଅବସ୍ଥା, ଏ ଦୁଃଖ କାହାକୁ କହିବା ? ପୁଣ୍ୟଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ନାଁ କୋଉ ଓଡ଼ିଆ ନ ଜାଣେ ? ତାଙ୍କରି ରାଜ୍ୟ, ସେଇ ବଂଶ ତ ?’’ କଥାଗୁଡ଼ା ହସି ହସି ବଡ଼ ବିନୀତ ଭାବରେ କହିଲି, ମହାରାଜାଙ୍କ ପ୍ରସନ୍ନ ବଦନ ଟିକିଏ ଝାଉଁଳି ଗଲା ପରି ଦିଶିଲା; କିନ୍ତୁ ବଡ଼ ଚତୁର ସେ । ପରେ ପରେ ଅଳ୍ପ ହସି ନାନା କଥା ପକେଇ ସେ ଆବହାଓ୍ୱାଟା ବଦଳାଇବାର ବ୍ୟବସ୍ଥା କଲେ । ଏଣିକି ନିତିନିତି ଦେଖା, ଗୀତବାଜା ଓ ସାହିତ୍ୟ ଆଲୋଚନା ଚାଲିଲା । କ୍ରମେ ସେ ମୋତେ ଜାଣିଲେ, ମୁଁ ମଧ୍ୟ ତାଙ୍କୁ ଜାଣିଲି, ଜାଣିବା ପରି । ‘ଧୀର ପାଣି ପଥର କାଟେ’-। ପ୍ରାଇଭେଟ୍‌ ସେକ୍ରେଟେରୀ ମହୋଦୟ କେତେକ ଦିନ ପରେ ଆସନଛଡ଼ା ହେଲେ । ଭିତିରି ଗୁମର କଥା ଅବଶ୍ୟ ପ୍ରକାଶନ ହେଲେ ମଧ୍ୟ, ବାରିବାକୁ ତାଙ୍କର ବାକି ରହିଲା ନାହିଁ ଯେ–ନଡ଼ିଆର କୋଉ ଶିରାରେ ପାଣି ପଶିଲା । ମହାରାଜାଙ୍କ ସାକ୍ଷାତ୍‌କାରର ଦିନ ଚାରି ଛ’ପରେ ଛୋଟରାୟ ସାହେବ (ମହାରାଜ ପ୍ରତାପଚନ୍ଦ୍ର)ଙ୍କ ସହିତ ଦେଖା ହେଲା, ରୂପ ଅନୁସାରେ ଗୁଣ ଦେଖିଲି ତାଙ୍କର, ପରିଚୟ କ୍ରମେ ଘନେଇ ଗଲା, ସେ ନିଜେ ସଙ୍ଗୀତପ୍ରେମୀ, ‘‘ସେତାର’ ବାଦକ-। ସ୍ୱନାମଧନ୍ୟ ଓସ୍ତାଦ ଯଦୁରାଓ ସେତେବେଳେ ଅତି ବୃଦ୍ଧ–ବୟସ ଶହେ ପାଖାପାଖି ହେବ । ସେ ଶିଖାଉଥାନ୍ତି ଛୋଟରାୟ ସାହେବଙ୍କୁ ‘ସେତାର’ । ମଝିରେ ମଝିରେ ସଙ୍ଗୀତଜ୍ଞ ନରେନ୍‌ ପାଲ୍‌(ବ୍ୟାଣ୍ତ ମାଷ୍ଟର) ଯା’ଆସ କରନ୍ତି । ବେଶ୍‌ ଚର୍ଚ୍ଚା ଥାଏ ସଙ୍ଗୀତର ଛୋଟରାୟ ସାହେବଙ୍କ କୋଠରିରେ । ରାଜବିରାଦର ସ୍ୱର୍ଗୀୟ ଦିବାକର ଭଞ୍ଜଙ୍କ ପୁଅମାନେ ରାଜବାଟୀରେ ପ୍ରାୟ ଜାଣେନା ଜଣେ କେହି ବରାବର ଦେଖାଯାଆନ୍ତି । ଦିବାକର, ବାବୁଜୀ ପ୍ରତିନିତ୍ୟ ଦି’ ଚାରିଘଣ୍ଟା, କେବେ ସେ ବେଶି ସମୟ କାଟନ୍ତି ରାଜବାଟୀରେ, ମହାରାଜଙ୍କ ପାଖରେ ଯେତେଟା ନୁହେଁ, ଛୋଟରାୟ ସାହେବଙ୍କ ପାଖରେ ତା’ଠୁଁ ଟିକିଏ ବେଶି ଆତଯାତ ଏମାନଙ୍କର । ଆଉ ଜଣେ ହେଉଛନ୍ତି ଶ୍ୟାମ ପ୍ରହରାଜେ । ହସ ହସ ମୁହଁ, ଢଳା ଢଳା ଆଖି, କଳାକାରର ମେଜାଇ, ନିଛଳ ସରସ ଲୋକ । ନୃତ୍ୟ ଓ ଅଭିନୟ ନିପୁଣ ସେ, ରାଜବାଟୀ ପାଚେରିକୁ ଲାଗିକରି ପ୍ରାୟ ତାଙ୍କ ଘର-। ହେଲେ, ଦିବାକରବାବୁଙ୍କ ପୁଅମାନଙ୍କ ଭଳି ଏତେ ଅଧିକ ସମୟ ରାଜବାଟୀରେ କଟାନ୍ତି ନାହିଁ ସେ, ଟିକିଏ ସ୍ପଷ୍ଟବାଦୀ ମଧ୍ୟ । ହଁ କୁ ହଁ କରିବା ଲୋକ ସେ ନୁହନ୍ତି । ମୁଁ ପ୍ରାୟ ସଞ୍ଜ ସକାଳେ ଛୋଟରାୟ ସାହେବଙ୍କ ପାଖକୁ ଯାଏଁ । କ୍ରମେ ତାଙ୍କ ସ୍ନେହର ପାତ୍ର ହୋଇପଡ଼ିଲି ମୁଁ-। ପରେ ମନେମନେ ବୁଝିଲି, ଏଇଟାର ଅସହଣି ଜଣେ ଅଧେ ସେଠି ଅଭାବ ନ ଥିଲେ ।

 

ଅଳ୍ପ ସମୟରେ ଦିନେ ମୁଁ ଛୋଟରାୟ ସାହେବଙ୍କୁ ମୋର ପ୍ରକୃତିଗତ ରୋଗର ପରିଚୟଟା ଦେଲି–ଅର୍ଥାତ୍‌ ଏଇ ଥିଏଟର ଦଳ କଥା । ବାରିପଦା ତ ସଙ୍ଗୀତ ସରାଗୀ ଜାଗା, ପୁଣି ସେଠି ଥିଏଟର ପାର୍ଟି ଗଢ଼ାହେବାଟା ଏକ ନୂଆ କଥା । ପିଲା ମିଳିଗଲେ, ଦେଖିଲି ଏ ପିଲାମାନଙ୍କର କଳାପ୍ରାଣ ଅଛି । ସନ୍ତୋଷରେ ଦଳର ଶିକ୍ଷା ଆରମ୍ଭ କଲି । ବଡ଼ଦାଣ୍ତର ଅନାଦି ମହାନ୍ତିଙ୍କର ଘର ସାମନାରେ ଗୋଟିଏ ଛୋଟିଆ କୋଠା, ପବନର ପ୍ରବେଶ ଦେଖିବାର ନାହିଁ; ସେଇଠି କବାଟ କିଳି ଦିଓଳି ଧମାଧମ୍‌ ରିହର୍ସାଲ ଚାଲିଲା । ଭଗବାନ୍‌ ବୋଲି ଜଣେ ଛଉ ନାଟ ଦଳର ଭଲ ନାଟୁଆଙ୍କୁ ଡାକି ପିଲାଙ୍କୁ ସମବେତ ନୃତ୍ୟ ଶିଖାଇବା ବ୍ୟବସ୍ଥା କଲି । ପ୍ରଥମେ ଧରା ହେଲା ମିଳନ ମାଧୁରୀ ରାସ ବହି ।

 

ଦିନାକେତେପରେ ଏ ଅମୁହାଁ କୋଠାରୁ ଯାଇ ବାରିପଦା ପୋଲିସ ଷ୍ଟେସନର ପ୍ରାୟ ଆଗ ଛାମୁଆଁ ବଡ଼ ଲାଲ୍‌ ସାହେବଙ୍କ ଦୋତାଲା କୋଠାର ଉପର ମହଲାରେ ଆଖଡ଼ା ଆରମ୍ଭ କଲି । ଏ ଘରଟି ଭାରି ପରିଷ୍କାର ପରିଚ୍ଛନ୍ନ ।

 

ମନଟା ଖରାପ ଲାଗୁଥାଏ । କେତେଦିନ ବନ୍ଧୁ ଘରେ, ରହି, ଉପୁରି ଭୋଜନ ପକେଇବି ? ବଂଶୀଭାଇ ମୋର ସବୁ ଘଟଣା ଜାଣି ବଡ଼ ଖୁସି, ଲଖମାଅପା କଥା ଅବା କହିବି କ’ଣ ? ମୁଁ, ମହାରାଜା ଆଉ ଛୋଟରାୟ ସାହେବଙ୍କ ପ୍ରିୟପାତ୍ର ହୋଇ ପାରିଛି, ଏଇତକ ଭଉଣୀ ଭିଣୋଇଙ୍କର ଭାରି ଆନନ୍ଦ କଥା । ତାଙ୍କୁ ବୁଝାବୁଝି କରି, ବଡ଼ଲାଲ ସାହେବଙ୍କର ସେଇ ଘରେ ଥାକିଲି ।

 

ବସାଘର ତଳ ମହଲାରେ ଗୋଟିଏ ତେଜରାତି ଦୋକାନ । ଡାହାଣ ପଟରେ ଗୋଟିଏ ଗଳି ରାସ୍ତା । ଏଇବାଟେ ଗଲେ ଅଭିରାମବାବୁଙ୍କ ଘର । ରାଜାବାଟୀକି ଅତି ପାଖ । କାଳୀସାହୁ ମହାଜନଙ୍କ ଘର ସେ ଗଳିର ଠିକ୍‌ ମୁଣ୍ତରେ । ବଡ଼ ଭଲ ଲାଗିଲା ।

 

ଫୁଲର ପ୍ରାୟ ଦିନେ ଦି’ଦିନ ଅନ୍ତରରେ ଦେଖାହୁଏ । ମୁଁ ଏ ବସାରେ ରହିବା ପରେ ବଇଷ୍ଟିମାକୁ ଦିନେ ପଚାରିଲି ତାକୁ ରାନ୍ଧିବାଢ଼ି ଆସେ କି ନାହିଁ । ଫୁଲଟା ତ ପିଲା ମାତ୍ର ୧୦।୧୧ ବର୍ଷର ଝିଅ । ସେ କ’ଣ ରାନ୍ଧି ପାରିବ ? ବଇଷ୍ଟିମା କହିଲା–ବାବୁ ମୋ ହାତରନ୍ଧା ଦିନେ ଖାଆନ୍ତୁ, ତା’ପରେ ଯାହା କହିବେ । ଚାଖି ଦେଖିଲି, ବଇଷ୍ଟିମା ଭଲ ରାନ୍ଧିଲାବାଲା । ସେ ରାନ୍ଧୁଣିଆ ହୋଇ ରହିଲା । ଫୁଲ ଆଉ ଘରମୁହାଁ ହେଲା ନାହିଁ, ପାଖେ ପାଖେ ମୋର ରହିଲା । ଖାଏ, ଶୁଏ, ମୋ ସାଙ୍ଗରେ ପାନ ଭାଙ୍ଗି ଶିଖି, ମୋତେ ପାନ ଭାଙ୍ଗିଦିଏ । ଭାରି ଆଦରରେ ଖଣ୍ତେ ପାନ ଖିଲ ଖୁଆଇ ଦେଇ ଦି’ଗାଲକୁ ଚୁମା ଦିଏ । ଅତି ସରଳା । କେହି ଥାଆନ୍ତୁ ନ ଥାଆନ୍ତୁ ତା’ର ସେଥିକି ପଶରା ନ ଥାଏ । ସେ ନିଶ୍ଚୟ ଚୁମା ଦେବ ।

 

କ୍ରମେ ମୋତେ ସେ ବାବା ବୋଲି ସମ୍ବୋଧନ କଲା । ରାତି ଆଖଡ଼ା ପରେ ମୁଁ ପ୍ରାୟ ରାଜବାଟୀକୁ ଯାଏଁ । ସେଠି ଗୀତ, ବାଜା, ତାସ ଖେଳ ଜମେ । ବସାକୁ ଫେରୁ ଫେରୁ ରାତି ଉଛୁର ହୁଏ । ଫୁଲ ପାହାଚ ଉପରେ ଅନିଦ୍ରା ହୋଇ ମୋତେ ଅନାଇଁ ବସି ରହିଥାଏ । ଗୁଣୁଗୁଣୁ କରି ତା’ ମନକୁମନ ଝୁମର ଗୀତ ଗାଉଥାଏ ସେ । ‘‘ଗ୍ରୀଷମ କାଲେତେ, ମୋର କପାଲେତେ, ନନ୍ଦଗୋପାଲେତେ ପାଇ ଯଦି’’–ଏ ଧାଡ଼ିକ ଦୋହରାଇ ଦୋହରାଇ ଗାଉଥିବ ସେ । ଭାରି ମଧୁର ତା’ କଣ୍ଠସ୍ୱର ।

 

ଏ ଗୀତଟିର ପଛପଟେ ଗୋଟିଏ ଇତିହାସ ଅଛି । ଝୁମର ଗୀତ କ’ଣ ଅବା କେମିତି, ସେକଥା ମୁଁ ଜାଣି ନ ଥିଲି । ବାରିପଦାରେ ଝୁମର ଗୀତ, ଝୁମର ନାଚ ଦେଖିଲି । ଗୀତଗୁଡ଼ିକର ଭାଷା ପ୍ରାୟ ବଙ୍ଗଳା । ମୋ ଶୁଣିବା ଅଳ୍ପ–ଅତି ଅଳ୍ପ ଗୀତ ଓଡ଼ିଆ ବଙ୍ଗଳା ଭାଷା ମିଶାରେ ରଚିତ । ମୁଁ ଝୁମର ଗୀତକୁ ପସନ୍ଦ କରେ ସ୍ୱର ଓ ଭାବ ଦୃଷ୍ଟିରୁ । ଅନେକ ଗୀତର ଭାଷା ବଡ଼ ସରଳ । ଭାବ କିନ୍ତୁ ଭାରି ପ୍ରାଣଛୁଆଁ ।

 

ବଇଷ୍ଟିମା ଥରେ ଜଣେ ଝୁମରିଆଙ୍କୁ ମୋ ପାଖକୁ ଡାକି ଆଣିଲା । ତାଙ୍କ କଣ୍ଠ ବଡ଼ ମଧୁର । ନାଆଁଟି ଠିକ୍‌ ହେତୁ ହେଉ ନାହିଁ । ବୟସ ପଚାଶ କି ପଞ୍ଚାବନ ହେବ ତାଙ୍କର । ସେ ଗୀତ ତ ଗାଆନ୍ତି, ରଚନା କରନ୍ତି ମଧ୍ୟ । ମୋ ଆଗେ ଗୀତ ଗୋଟି କେତେ ଗାଇଲେ । ଗୋଟିଏ ଗୀତ ରଚନା କରିଦେବାକୁ କହିଲି ତାଙ୍କୁ । ମୋତେ ସେ କାଗଜ କଲମ ଆଣିବାକୁ କହିଲେ । ଫୁଲ ଆଣିଦେଲା । ସେଇଠୁ ଗୀତଟି ଲେଖିବାପାଇଁ ମୋତେ କହିଲେ । ବୈଷ୍ଟିମାଠାରୁ ଓ ତାଙ୍କଠାରୁ ବୁଝିଲି ଯେ ସେ ନିପଟ ଅପାଠୁଆ । ସେ ଡାକିବେ–ମୁଁ ଲେଖିବି, ଏଇ ହେଲା କଥା । ସତକୁ ସତ ସେ ଗୀତଟିଏ ଡାକିଡାକି କହିଲେ । ଗୀତଟି ଭୁଲିବାର ନୁହେଁ । କହୁଛି–

 

ଗ୍ରୀଷମ କାଲେତେ, ମୋର କପାଳେତେ, ନନ୍ଦ ଗୋପାଲେତେ ପାଇ ଯଦି

ମୁଇଁ ଲବ ଏଇବର, ଯେନ ମୋର ବର, ହବେ ନଟବର, ଶିରୀପତି

ଯାବତ ଜୀବନ ଥାକିବେ ଭୁବନେ ଚୁମିବ ଚରନ ନିତିନିତି... ।

 

Unknown

ମୁଁ ଏକାବେଳେ ତାଟକା ହୋଇ ତାଙ୍କୁ ନମସ୍କାର କଲି । କି ରଚନା, କେଡ଼େ ସରଳ,କି ଗଭୀର ଭାବ ! ମଧୁର ସ୍ୱରରେ ସେ ଗାଉଥାନ୍ତି । ଟିକିଏ ଟିକିଏ ରହି ରହି, ଆଉ ମୁଁ ଲେଖୁଥାଏ; ତାଙ୍କୁ ଚାହୁଁଥାଏ । ମାଆ ସରସ୍ୱତୀଙ୍କର ୟେ’ କି ଅଦ୍ଭୁତ କରୁଣା ।

 

ଫୁଲ ଏଇ ଗୀତର ପହିଲି ଧାଡ଼ି ମନେରଖି ଗୁଣୁ ଗୁଣୁ କରି ଗାଏ ।

 

ଏଣେ ରିହର୍ସାଲ ଚାଲିଥାଏ । କହିଛି ତ, ବାଳକ ବାଛିବାରେ, ପାଇବାରେ ଆଦୌ ବିଳମ୍ବ ହେଲା ନାହିଁ । ଯାହା ଯାହାକୁ ଯୋଉଠି ପାଇଲି, ତା’ଠି କିଛି ନା କିଛି କଳାର ସୂଚନା ଥିଲା-। ହୁଏତ ଏ ବି ଉପର ବରାଦ ଅନୁସାରେ, ତାଙ୍କର ମୋତେ ପାଇବାକୁ ଥିଲା କିମ୍ବା ମୋର ସେମାନଙ୍କୁ ପାଇବାର ଥିଲା । କେବଳ ରାଜବାଟୀକି ଆତଯାତ କରୁଥିବା ଲୋକ ଭିତରୁ ଦୁଇ ତିନିଜଣଙ୍କ ଛଡ଼ା ବାକି ବାରିପଦାବାସୀଙ୍କର ସହାନୁଭୂତି ଥିଲା ମୋ ଉପରେ । କାମ ସୁରୁଖୁରୁରେ ଆଗେଇ ଚାଲିଲା । ଦଳ ଭିତରେ ଥିଲେ ନରି, ନାଲୁ, ମହନ, ପୂର୍ଣ୍ଣ, ବିସୋକ, ଶ୍ୟାମ, ଫକୀର, ବଙ୍କୁ ଓ କୈଳାସ ଇତ୍ୟାଦି ଇତ୍ୟାଦି ଆଉ କେତେ । ନରି (ନରେନ୍ଦ୍ର ମୋହନ ଦେଓଘରିଆ) ଏବେ ଆଉ ସଂସାରରେ ନାହିଁ । ବିଚାରା ଅକାଳରେ ଚାଲିଗଲା । ବାକି ପିଲାଏ ଏଇନେ ସବୁ ପିଲାର ବାପ ହେଲେଣି । ନିରୋଳା ଓଡ଼ିଶୀ ଢଙ୍ଗରେ ଦଳର ଶିକ୍ଷା ଦିଆ ଯାଉଥିଲା । ସକାଳ, ଦି’ପହର ଆଉ ସଞ୍ଜ–ତିନିବେଳା ଆଖଡ଼ା । ଏଇଥି ଭିତରେ ଭାଷା-ଶିକ୍ଷା, ବହିଲେଖା, ଗୀତ ଅଭ୍ୟାସ, ନାଚ ବସାଣ ସବୁ ଚାଲିଥାଏ । ବାଜା ସଙ୍ଗତ ଲାଗି ଦ୍ୱାରୀ ଓ ଉଗୁରା ଦୁହେଁ ମିଳିଗଲେ-। ଏମାନେ ଡୋମ, ଦୁଆରୀ, ଟିକୁରା ଓ ଉଗୁରା ସୁନ୍ଦର ବଂଶୀ ବଜାନ୍ତି । ଏମାନେ ଛଉନାଟର ବାଦ୍ୟକାର-

 

ଏତିକିବେଳେ ବାଗୁଳିକୋଠାରେ ଆରମ୍ଭ ହେଲା ଛଉ ଆଖଡ଼ା । ଏହା ଆସନ୍ତା ଚୈତ୍ରପରବ ପାଇଁ ପ୍ରସ୍ତୁତି । ମହାରାଜା ଓ ମହାରାଣୀଙ୍କର ଦୁଇଟି ଦଳ, ଯଥାକ୍ରମେ ଦକ୍ଷିଣ ସାଇ ଓ ଉତ୍ତର ସାଇ ବୋଲାଏ । ପ୍ରତିଯୋଗିତାମୂଳକ ଅନୁଷ୍ଠାନ ଏ ଦୁଇଟି । ମୁଁ ଯେଉଁଠି ଥାଏ ସେଇଟା ଦକ୍ଷିଣ ସାଇ ଭିତରେ ଯାଏ । ତା’ ଛଡ଼ା ମୁଁ ତ ମହାରାଜାଙ୍କ ପକ୍ଷର ଲୋକ । ବାଗୁଳି କୋଠାରେ ଆରମ୍ଭ ହେବା ଛଉ–ଆଖଡ଼ାର ପରିଚାଳକ ସ୍ୱର୍ଗୀୟ ଦିବାକରବାବୁ ଦିନେ ମୋତେ ନେଇଗଲେ ଆଖଡ଼ାକୁ । ଦେଖିଲି, ଅଳ୍ପ ସ୍ଥାନୀୟ ଛାଇ ସହିତ ନିରୋଳା ଓଡ଼ିଶୀଗୀତ ଢଙ୍ଗର ଚର୍ଚ୍ଚାଟା ନିରବରେ ହୁଏତ ଅଜାଣତରେ ଓଡ଼ିଆ ପ୍ରାଣରେ ଛୁଆଁ ଦେଇଛି । ଦକ୍ଷିଣ ସାଇ ଛଉ ଭିତରେ ଓଡ଼ିଶୀ ଗ୍ରୁପ (ସମବେତ) ନାଚ ଭରିଣ କରିବାର ଅଭିନୟ ଶିଖାଇଦେବି, ଏଇ ହେଲା ଅନୁରୋଧ । ଢୋଲ ମହୁରୀ ବାଜୁଥାଏ, ଛଉ ନର୍ତ୍ତକଙ୍କୁ ଛଉ ପିଲା କୁହାଯାଉଥିଲା । ଯଦିଓ ପ୍ରାୟ ସମସ୍ତେ ଅବିବେକ ପଡ଼ିଶାର ହିଡ଼ ଡେଇଁ ଯାଇଥାନ୍ତି, ସେମାନଙ୍କ ହୋ’ ହା ଭିତରେ ସେ ମୋତେ ଧରାଇ ଦେଲେ କାଗଜ କଲମ ଲେଖିଲି ଗୀତଟିଏ–‘ଆରେ ରସଲତା, ଆଉ ଝୁଲି ହେଲେ ଥାଏ କି ସେ କଥା ? ଭାବ ବୁଝାଇଦେଲି । ଅଭିନୟ ସହ ନାଚ ବସିଲା । ଦିବାକରବାବୁ ଓ ଆଉ ଯେଉଁ ମୁଖିଆମାନେ ଥିଲେ ତାଙ୍କ ମନ ତୋଷହେଲା ମୋ ଗୀତ ଓ ଅଭିନୟ ଶିଖାଇବାରେ । ଏଇ ‘ରସଲତା’ ନାଚ ଏବେବି ବାରିପଦା ଛଉ ଭିତରେ ଗୋଟିଏ ଅଙ୍ଗ ହୋଇ ଜୀଇ ରହିଚି । ତା’ପରେ ‘‘ସହୀରେ ଚାହାଁ’’ ବୋଲି ଓଡ଼ିଶୀ ସ୍ୱରର ଆଉ ଗୋଟିଏ ଗୀତର ଓଡ଼ିଶୀ ଢଙ୍ଗରେ ନାଚ ବସିଲା ଉତ୍ତର ସାଇରେ । ଏତକର ଅଭାବ ଥିଲା । ପହିଲେ ରଙ୍ଗ ବାଦ୍ୟ ବାଜି ଆଖଡ଼ା ଆରମ୍ଭର ସୂଚନା ଦିଏ । ବଡ଼ ବଡ଼ ସରାମାନଙ୍କରେ ଭରା ମାଂସ ଝୋଳ ଆଉ ବେଶ ଘିଅ ପଚପଚ ଖେଚଡ଼ି ରନ୍ଧାହୋଇ ଛଉପିଲାଙ୍କୁ ଆଖଡ଼ା ଦିନତକ ପରଷାଯାଏଁ । ଛଉ ନାଚରେ, ସେ ଯେ ପରିଶ୍ରମ–ଅଧ୍ୟବସାୟ ବା ଖାଟୁଣି ତାକୁ ଅନାଇଁ ପେଟକୁ ଭୋଜନ ନ ହେଲେ ସତରେ ନର୍ତ୍ତକମାନେ ହଦେଇ ଯାଆନ୍ତେ । ଘି’ ସରସର ମୋହନ ଭୋଗ ତା’ ସାଙ୍ଗକୁ କି ସାଥୀ ହୁଏ । ସେତେବେଳେ ଘିଅ ଥିଲା ଖାଣ୍ଟି ଓ ଶସ୍ତା ।

 

ବାରିପଦା ଏକ ସୁଖର ରାଜ୍ୟ ଓ କଳାର କ୍ଷେତ୍ର ଥିଲା । ଆଜି, ବାରିପଦାରେ ସେଦିନର ଯେଉଁ ଦେଖଣାହାରିଏ ଥିବେ, ସେ ନିଶ୍ଚୟ ବୃନ୍ଦାବନ (ମୃତ), ଭଗବାନ୍‌, କମଳଲୋଚନ ଇତ୍ୟାଦିଙ୍କ ନାଚ, ଭଙ୍ଗୀ, ଠାଣି କିଛି ପାସୋରି ନ ଥିବେ । ଗୋଟିଏ ବଡ଼ କଥା–ଛଉରେ ଛୁଆଁଅଛୁଆଁ ଜାତି ବାରଣର ଠାବ ନ ଥିଲା । ବୃନ୍ଦାବନ କୃଷ୍ଣ ଭୂମିକା ଗ୍ରହଣ କରୁଥିଲେ । ସୁନ୍ଦର ତାଙ୍କ ଠିଆ ହେବା ଭଙ୍ଗୀ, ଏହାକୁ ଓଡ଼ିଶୀ ନାଚର ‘ଥାଇ’ କୁହାଯାଇପାରେ । ଖାଲି ସେତିକି ଦେଖିଲେ କୃଷ୍ଣ ଭଙ୍ଗିମା ବର୍ଣ୍ଣନା ଆଖିଆଗରେ ଫୁଟି ଉଠେ । ମହମ୍ମଦ ବୋଲି ଆଉ ଜଣେ ଉଛ ଭକ୍ତ । କଳାକାର ବୃନ୍ଦାବନ ଜାତିରେ ଧୋବା, ମହମ୍ମଦ ମୁସଲମାନ । ତାଙ୍କ ସଙ୍ଗରେ ନାଚନ୍ତି ଚନ୍ଦ୍ରବାବୁ, କାନ୍ଦରାବାବୁ–ଏମାନେ ରାଜବଂଶୀ କ୍ଷତ୍ରିୟ । ମଝାମଝି ଜାତି କଥା କହିବା ନିରର୍ଥକ । ଛଉରେ ସମସ୍ତେ ସାଙ୍ଗ । ପଦକରେ କହିଲେ–ସମସ୍ତେ ଏକ ଜାତି–କଳାକାର-ଜାତି, ବାଦ୍ୟକାର ଡମ । ବାଦ୍ୟଯନ୍ତ୍ର–ଢୋଲ ଆଉ ମହୁରୀ । ସେ ମହୁରୀବାଜା ସାହାନାଇ ସଙ୍ଗେ ଯୋଡ଼ି ଦେବ । ଢୋଲରେ ବଡ଼ ବଡ଼ ତାଳ, ଯଥା–ଚଉତାଳ, ଧାମର, ପଞ୍ଚମ ସଓ୍ୱାରୀରେ ବୋଲ ବାଜେ । ନାଚ ସେଇ ଛନ୍ଦାନୁସାରୀ । ଏଇସବୁ ଦେଖିଥିଲେ, ଶୁଣିଥିଲେ କିଏ କହିବ ଯେ ଦକ୍ଷିଣୀ ସଙ୍ଗୀତ (କର୍ଣ୍ଣାଟକୀ)ର ସ୍ୱର, ତାଳମାନ ଓଡ଼ିଶୀର ଘରଓ୍ୱାନା ? ଓଡ଼ିଶାର ବା ଓଡ଼ିଆର ନିଜସ୍ୱ କିଛି ନାହିଁ ? ‘ଯେ ପକ୍ଷୀ ଉଡ଼େ ଯେତେଦୂର’–କଥାଟା ଆମର କବି ବଡ଼ ଶୁଭକ୍ଷଣରେ ଲେଖିଥିଲେ ଏକା, ତାଙ୍କୁ କୋଟି ଜୁହାର । ଛଉର ଉଫଲି (ଉପଲୟ ବା ଅବଲୟର ଦେଶଜ ନାମ) ନାଟକୀ (ଦ୍ରୁତ ନୃତ୍ୟ–ମୁଖ୍ୟ ନୁହେଁ ମୋକ୍ଷ ନୃତ୍ୟ) ରଙ୍ଗବାଜା (ଶାସ୍ତ୍ରୀୟ ରଙ୍ଗ–ପ୍ରବେଶକାଳୀନ ପ୍ରସ୍ତାବନା ବାଦ୍ୟ ବା ଆବହ ସର୍ଜନା) ଏବଂ ପ୍ରତି ଅଙ୍ଗର ସୃଶ୍ରୀ ବିକ୍ଷେପ ବା ଭାଙ୍ଗ ବାସ୍ତବରେ ଅପୂର୍ବ । ଶ୍ୟାମ ପ୍ରହରାଜେ ମୋ ବୟସ, ହୁଏତ ବର୍ଷେ ଅଧେ ବଡ଼ ବି ହୋଇପାରନ୍ତି ସେ । ତାଙ୍କୁ ମହାରାଜ ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ସ୍ଥାନରୁ ନୃତ୍ୟ ଓ ଅଭିନୟ ଶିକ୍ଷା ଦିଆଇଥିଲେ । ତାଙ୍କ ଆଖି କଥା କହେ । ଅଙ୍ଗର ଲଳିତ ଭଙ୍ଗିମା ଦର୍ଶକର ଅପାସୋରା । କୁଆଡ଼େ ବୁଡ଼ି ହଜିଗଲାଣି, ବା ଯାଉଛି ତ ସବୁ, ଆଉ ପଛକୁ ଝୁରି ହେଲେ ନ ଥିବ କିଛି । ଭଗବାନ୍‌, କୁଦୁ, କମଳଲୋଚନ, ଶ୍ୟାମ ପ୍ରହରାଜେ ଏମାନଙ୍କଠାରୁ ଯଥାଶୀଘ୍ର ଛଉକଳା ଯଦି ହାସଲ କରା ନ ଯାଏ, ତେବେ ଛଉର କଳାତ୍ୱ କ୍ଷତି ହେବ । ବର୍ଷ କେତେଟା ମୁଁ ଛଉ ସମ୍ପୃକ୍ତ ହୋଇ ମୋର ଏ ଧାରଣା ଆସୁଛି, ଦୁଃଖ ଲାଗୁଚି; କିନ୍ତୁ ସେ ରାମ ନାହିଁ କି ସେ ଅଯୋଧ୍ୟା ନାହିଁ । ସତେ କଅଣ ଆଉ ସେ କଳାର ବିଶିଷ୍ଟତା, ବାସ୍ନାସ୍ତେତା ରକ୍ଷା ହୋଇପାରିବ ? ଓଡ଼ିଆ ତା’ର ନିଜସ୍ୱ ଗୀତ ନୃତ୍ୟର ଗର୍ବ ଗୌରବ ରଖିପାରିବ ।

 

ଜଗନ୍ନାଥଙ୍କ ଇଚ୍ଛା ।

 

ନାଟକ ଦଳ :

 

ବାରିପଦାରେ ମୋର ନାଟକ ଦଳର କଥା କହୁ କହୁ ଛଉ ଆଡ଼େ ମାଡ଼ି ଯାଇଥିଲି; ଯିବାର କାରଣ ଯେ, ମୁଁ ଛଉ ସହିତ ସମ୍ପୃକ୍ତ ଥିଲି କେତେ ବର୍ଷ । ସେ ଛାଇ ମଧ୍ୟ ମୋ ନାଟକ ଭିତରେ ଦିହଛପା ଦେଇଥିଲା, ଛଉର ଅପୂର୍ବ କଳା ଲୋଭ ମୁଁ ସମ୍ବରଣ କରିପାରି ନ ଥିଲି । ପାରି ନାହିଁ–ପାରିବି ନାହିଁ ।

 

କ୍ରମେ ମୋ ନାଟକାଭିନୟ ଶିକ୍ଷା ମଧ୍ୟରେ ଛଉଭଙ୍ଗି ପୂରାଇବା ଲୋଭ ହେଲା । ଛଉ ସମ୍ପର୍କ ହେତୁ ତହିଁର କଳାକାରମାନଙ୍କ ସଙ୍ଗେ ଭାବ କ୍ରମେ ଜମି ଯାଇଥାଏ । ଭଗବାନ ଓ କମଳଲୋଚନଙ୍କୁ ବେଳେବେଳେ ଡାକି ନାଟକ ଭିତରେ ଛଉ ନାଟର ଛିଟା ଭର୍ତ୍ତି କଲି । ନାଚ ବସିଲା । ଏଇ ଗୀତଟି ଲେଖିଲି–

 

‘‘ମାଘ ଫାଲ୍‌ଗୁନ ମାସେ

ବସନ୍ତ ସମୀର ଗୋ ଆସେ,

ହୋରି ଖେଳେ ଶ୍ରୀମତୀ ମୋହନରେ,

ଅଳସ ଯୌବନ ଭାରେ

ରାଈ କି ଶୋଭନରେ, ସଖି !

ରାଈ ଅଙ୍ଗେ ଶ୍ୟାମ କରେ

କୁଙ୍କୁମ ଲେପନରେ,

ମଧୁର ମିଳନରେ ॥’’ ଇତ୍ୟାଦି

 

ଗୀତଟି ଏକ ଝୁମର ଗୀତର ସ୍ୱରାନୁକରଣରେ ଲେଖା । ‘ମିଳନ ମାଧୁରୀ’ ନାଟକର ଶେଷରେ ଏହା ମିଳନ ଗୀତ ନୃତ୍ୟ ରୂପେ ସେତେବେଳେ ବେଶ୍‌ ସମାଦୃତ ହୋଇଥିଲା । ନାଚଟି ବସାଇଥିଲେ ଭଗବାନ୍‌, ଏଥିରେ ଛଉର ଛାଇ ପଡ଼ିଥିଲା । ମୋ ଦଳର ସହଯୋଗୀ ବାଦ୍ୟକାର ରୂପେ ନେଇଥିଲି ଯେଉଁ ଦ୍ୱାରୀ (ଟୁକୁରା ବାଦକ) ଭଗରା (ବଂଶୀ ବାଦକ)ଙ୍କୁ, ଦୁହେଁ ଅପାଠୁଆ–ଦୁହେଁ ଜାତିରେ ଡମ । ଛଉ କଳାକାର ମହମ୍ମଦ ଓ କୈଳାସ ପ୍ରଭୃତି ମଧ୍ୟ ସହଯୋଗ କରୁଥିଲେ ।

 

ରାଜବାଟୀର ଦ୍ୱିତୀୟ ଅଗଣାରେ ପେଣ୍ତାଲ ବନ୍ଧା ହୋଇ ଅଭିନୟ ପ୍ରଦର୍ଶିତ ହେଲା ଲାଗି ଲାଗି କେତେକ ରାତ୍ରି । ଏଇ ଅଗଣାରେ ଛଉନାଚ ହୁଏ ପଣା ସକ୍ରାନ୍ତିକୁ । ଲୋକେ ହଜାରେ ସହଜରେ ଧରିଯାଆନ୍ତି । ନାଟକ ଦେଖିବାକୁ ସେଇପରି ଲୋକ ଗହଳି । ସବୁରି ମୁହଁରେ ଆଦର ଜଣାଇଲେ ମୋତେ ।

 

୧୯୨୧ । ୨୨ ସାଲରେ ବାରିପଦାକୁ ଆସିଲେ ତାଙ୍କ ଛୋଟ ରାସଦଳ ବା ନାଟକ ଦଳ ଘେନି ସ୍ୱର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସାଙ୍ଗରେ ତାଙ୍କର ଆସିଥାଆନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱର୍ଗତ ମନମୋହନ ସାବୁଥ । ଦଳଟି ବଡ଼ ନୁହେଁ; କିନ୍ତୁ ସାନ ସାପର ବିଷ ଟାଣ । ସାବୁଥ ଜଣେ ପକ୍‌କା ସଙ୍ଗୀତଜ୍ଞ । ସେ ସେତାର, ବେହେଲା, ପଖବାଜି, ଏସ୍ରାଜ, ବାୟାଁ ତବଲା ଇତ୍ୟାଦି ସବୁଥିରେ ପୋଖତ କଳାକାର । ତା’ଛଡ଼ା ଗାଆନ୍ତି ମଧ୍ୟ ନିଜେ । ନାଟକ ଲେଖା କାନ୍ତକବିଙ୍କର ।

 

ବାରିପଦାରେ ଜବୁଲି ଲାଇବ୍ରେରୀର ବାହାର ପଟ ବାରଣ୍ଡା ଓ ବାଘ ମୁହଁଟି ଷ୍ଟେଜ୍‌ରୂପେ ବ୍ୟବହାରରେ ଲାଗିଲା ।

 

ଲକ୍ଷ୍ମୀଭାଇ ମୋ ବସାରେ ରହିଲେ । ସେତେବେଳକୁ ତାଙ୍କ ଦେହର ଅବସ୍ଥା ଭଲ ନ ଥାଏ । ଖଣ୍ଡିଏ ଗୋପୀଯନ୍ତ୍ର ତାଙ୍କର ସାଥୀ । ଗୀତ ଲେଖିବାରେ ତାଙ୍କ ସମକଛ କେହି ନାହିଁ । ଆପେ ଲେଖି ଆପେ ଗାଆନ୍ତି, ଗୋପୀ ଯନ୍ତ୍ରଟି ଟଙ୍ଗୁଟୁଙ୍ଗ କରି ବଜାଇ । ଆଖିରୁ ଲୁହ ଝରି ପଡ଼ୁଥାଏ ବେଳେ ବେଳେ । ସେ ଗାଆନ୍ତି–ମୁଁ ଶୁଣେ । କାହାରି ଆଖିରୁ ଲୁହ ସମ୍ଭଳା ପଡ଼େ ନାହିଁ । ତାଙ୍କର ବଡ଼ ପ୍ରିୟ ଗୀତ ଥିଲା ସେତେବେଳେ–

 

“ଦେ’ ମୋତେ ବାୟା କରି

ଆରେ, ମୋର ବାଇଆ ରଜା,

ଆଉ–‘ସବୁଥିରୁ ବଞ୍ଚିତ କରି...’’

 

ମୋର ସେଇଦିନୁ ଧାରଣା ଦୃଢ଼ ହେଲା ଯେ ବାସ୍ତବିକ୍‌ ଗୀତର ସୃଷ୍ଟି କେବଳ ସ୍ଵରଲୀଳା ପରିଦର୍ଶନ ଲାଗି ନୁହେଁ । ଏହା ସ୍ଵରଲୀଳା ମଧ୍ୟରେ ରସର ଅପୂର୍ବ ସଂଯୋଜକାର କୃତିତ୍ଵ ?–ଯାହା ମନୁଷ୍ୟ ମନର ସାରାଭାବ ଉଛୁଳାଇ, ମନକଥାକୁ ମୂର୍ତ୍ତିମନ୍ତ କରି ଆଖି ଆଗରେ ଠିଆ କରାଇ ଦେଇପାରେ । ମୁଁ ତ ବୁଝେଁ ଗୀତ ଗାଇବାର କିଛି ମୂଲ୍ୟ ନାହିଁ, ଯେବେ ତାହା ରସଭାବ ପରଷି ନ ପାରିଲା, ସେଇଥିପାଇଁ କେବଳ ରସଜ୍ଞ ଗାୟକ ହିଁ ଧନ୍ୟ ! ଲକ୍ଷ୍ମୀଭାଇ ଯେ ଏମିତି ଗୋଟାଏ ବଡ଼ ଧରଣର ଗାୟକ ତା ନୁହେଁ, ଗଳା ଯେ ଅତି ମଧୁର–ତା’ ବି ନୁହେଁ, ଚଢ଼ାଗଳା ମଧ୍ୟ ନୁହେଁ; କିନ୍ତୁ ସେ ତ ଗୀତ ଗାଆନ୍ତି ନାହିଁ–ଗାଆନ୍ତି ମନର ଅଫୁଟା ଭାବ ରସ । ନିଜେ ବୁଡ଼ି, ଶ୍ରୋତାକୁ ସେହି ଭାବ, ସେହି ରସରେ ବୁଡ଼ାଇ ରଖିବାର ହିକମତ୍‍ ଟିକକ ଥିଲା ଲକ୍ଷ୍ମୀଭାଇଙ୍କର । ସତରେ ଗୀତ ଯଦି ଭାବାନୁସାରୀ ଭାଷା ଓ ସ୍ଵର ସମ୍ମେଳନ ଘେନି ଫୁଟି ନ ପାରିଲା, ତେବେ ଆଉ ସେ କି ଗୀତ ? ଏଇଠି ଆମ ପୁରୁଣା କବିଙ୍କର କଥା ମନେ ପଡ଼ିଯାଏ–

 

“ପାଠ ପଢ଼ିଥିଲେ ଗୀତ ଗାଉଥାଏ–ଶଅର ବାଉରୀ ପୁଅ’

 

–ଏପରି ସ୍ଥଳରେ କେହି ଗୀତ ଗାଉଛି ବୋଲି କହି ହେବ ନାହିଁ । କହିବାକୁ ହେବ ଯେ ଗୀତ ପଢୁଛି ।

 

ସାବୁଥ୍‌ ଆଉ ଲକ୍ଷ୍ମୀଭାଇ ଦୁଇଜଣଙ୍କ କଥା ମୋର ତୁଳନା ଉପରକୁ ଆସେ । ଲକ୍ଷ୍ମୀଭାଇଙ୍କର ଅବଶ୍ୟ କିଛିଟା ସଙ୍ଗୀତ ଶାସ୍ତ୍ରଜ୍ଞାନ ଥିଲା; କିନ୍ତୁ ସାବୁଥ୍‌ଙ୍କର ବ୍ୟବହାରିକ (Practical) ଚର୍ଚ୍ଚା ଢେର୍‌ । ସଙ୍ଗୀତରେ ତାଙ୍କର କସରତ୍‌ ଥିଲା । ଲକ୍ଷ୍ମୀଭାଇ ସେଥିକି ଅପାରଗ । ସାବୁଥ୍‌ ରାଗରାଗିଣୀର ଧରାବନ୍ଧା ସ୍ଵରାରୋହ, ଅବରୋହ, ବାଦୀସମ୍ବାଦୀ, ବିବାଦୀ ଓ ସ୍ଵର ସମ୍ପର୍କ ପ୍ରଭୃତିର ସୃକ୍ଷ୍ମ ବିଚାର କରୁଥିଲେ; କିନ୍ତୁ ଲକ୍ଷ୍ମୀଭାଇ ମଧୁରତା, ଭାବ ପ୍ରକାଶର ସୁଯୋଗ ସୁବିଧା ଘେନି ସ୍ଫୀତନ, ଲଘୁତ୍ୱ, ଗୁରୁତ୍ଵ, ସ୍ଵର ପ୍ରକାଶର ଅଖଣ୍ଡତା ପ୍ରଭୃତି ପ୍ରତି ଅଧକ ଲକ୍ଷ୍ୟ ରଖୁଥିଲେ । ଦୁହେଁ ଦେବତା–ବାକି ଜଣେ ରୁଦ୍ର, ଜଣେ କମନୀୟ ଜଣେ ନଟରାଜ, ଅନ୍ୟ ଜଣକ ନଟବର । ମୋ ବିଚାରରେ ସାବୁଥ୍‌ ଗାଉଥିଲେ ବା ବଜାଉଥିଲେ ନିଛକ ଶାସ୍ତ୍ର ଘେନି ରାଗ–ଲକ୍ଷ୍ମୀଭାଇ ପରଷୁଥିଲେ ରସ, ଭାବ–ଯାହା ଶ୍ରୋତାଙ୍କୁ ମୁଗ୍ଧ କରାଉଥିଲା ।

 

ଜଗବନ୍ଧୁ (ବର୍ତ୍ତମାନ ଭଦ୍ରଖ ହାଇସ୍କୁଲର ସୁଯୋଗ୍ୟ ସଙ୍ଗୀତ ଶିକ୍ଷକ ଶ୍ରୀ ଜଗବନ୍ଧୁ ସାହୁ) ଉଭୟଙ୍କର ଥିଲେ ପ୍ରିୟ ଛାତ୍ର । ନାଟକରେ ସେ କୃଷ୍ଣ ଭୂମିକାଂଶ ଗ୍ରହଣ କରୁଥିବାର ମନେ ଅଛି ମୋର । ତାଙ୍କର ଔପପତ୍ତିକ ଓ ବ୍ୟବହାରିକ ସଙ୍ଗୀତରେ ବେଶ୍‌ ଦଖଲ । ଅଭିନୟ ନିପୁଣ ମଧ୍ୟ ସେ । ସେ ଭଲ ବେହେଲା ବଜାଇପାରନ୍ତି ।

 

ରୋଗାକ୍ରାନ୍ତ ଶରୀରରେ ଲକ୍ଷ୍ମୀଭାଇ କିନ୍ତୁ ସଦା ପ୍ରଫୁଲ୍ଲ, ପରିହାସ କୌଶଳୀ ଏବଂ ରସଜ୍ଞ । ଭାବେ ଦଇବ ଏ ଦଣ୍ତ ତାଙ୍କୁ ଦେଲା କାହିଁକି ? ଅଦୃଶ୍ୟ କାରିଗର ତ ସେ–ବିଚିତ୍ରକର୍ମା ! କିଏ ଜାଣେ କେଉଁ ଇଚ୍ଛା ପୂରଣ ଲାଗି ଏ କୀର୍ତ୍ତି ତାଙ୍କର ?

 

ଦିନ କେଇଟା ଏକାଠି ଖିଆପିଆ, ଶୁଆବସାରେ ଆଖି ପିଛୁଳା ମାଇଲା ପରି କୁଆଡ଼େ ବେଳ ଖସି ପଳାଇଲା । ବଡ଼ ମନ ଦୁଃଖରେ ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଲୁଁ । କିନ୍ତୁ ଏ ବିଦାୟ ଖାଲି ଆଖ୍‌ରୁ ସିନା ମନରୁ ହେଲା ନାହିଁ ।

 

ମୁଁ ପୁଣି ସେଇ ବାରିପଦା ଜୀବନକୁ ଲେଉଟି ଆସିଲି ନିତ୍ୟ ନୈମିତ୍ତିକ ଗତି ଧରେ ।

 

ଏଇଠି ମୋର ରାସ ଅଭିନୟର ଟିକିଏ ମଙ୍ଗମୋଡ଼ା ଅଧ୍ୟାୟର ଆରମ୍ଭ । କେତେ ଖଣ୍ଡି ଗୀତବହୁଳ ନାଟକ ଲେଖା ପରେ ମୁଁ ‘ମୃଗୟା’ (ଦଶରଥଙ୍କର ମୃଗୟା ବା ସିନ୍ଧୁବଧ) ନାଟକଟି ଅମିତ୍ରାକ୍ଷର ଛନ୍ଦରେ ଲେଖି ଅଭିନୀତ କରାଇଲି । ଦର୍ଶକମାନେ ପସନ୍ଦ କଲେ ମଧ୍ୟ ଏ ନାଟକଟି ।

 

ତହିଁ ପରେ ଚେଷ୍ଟାକଲି ‘ଶକୁନ୍ତଳା’ ନାଟକ ଲେଖି ତାହା ପ୍ରଦର୍ଶନ କରାଇବାକୁ । ଶୁଣିଥାଏଁ କଲିକତାରେ ଏଇ ଶକୁନ୍ତଳା ନାଟକର ଅଭିନୟ ପ୍ରସ୍ତୁତି କାଳରେ ଗୋଟିଏ ନାମଜାଦା ରଙ୍ଗମଞ୍ଚ ଜଳିଯାଇ ଛାରଖାର ହୋଇଥିଲା । ମୋତେ ଟିକିଏ କେମିତି କେମିତିରେ ଲାଗୁଥାଏ । ଲେଖା ଓ ଅଭିନୟ ଶିକ୍ଷା ଚାଲିଥାଏ ଏକା ବେଳରେ । ମଞ୍ଚସ୍ଥ କିନ୍ତୁ ହୋଇପାରିଲା ନାହିଁ ।

 

ବିବାହ :

 

ପ୍ରାୟ ୧୯୨୨ ସାଲର କଥା । ଆଗରୁ ତ କହିଛି ମୋ ଦାଦା କ୍ଷେତ୍ରମୋହନ ପଟ୍ଟନାୟକ ଖୋରଧା ଏସ୍‌. ଡ଼ି.ଓ. ଅଫିସରେ ଜଣେ ଉଚ୍ଚ ପାହିଆ କିରାଣି ଥାଆନ୍ତି । ସେ ଗୁରୁଜଙ୍ଗ ଗ୍ରାମରେ ମୋ ପାଇଁ କନ୍ୟାଘର ଠିକ୍‌ କଲେ । ମୋତେ ଚିଠି ଲେଖା ହେଲା, ବିବାହ ଦିନ ସ୍ଥିର କରି । ମୋତେ ଖୋରଧା ଯିବାକୁ ହେବ । ଫୁଲର ଖିଆପିଆ ନାହିଁ, କାନ୍ଦି କାନ୍ଦି ଆଖି ଲାଲ୍‌, ବହୁତ ବୁଝାବୁଝି କରି ପନ୍ଦର ଦିନ ଛୁଟି ନେଇ ଖୋରଧା ଆସିଲି । ମୋ ଶ୍ଵଶୁର ଥିଲେ ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର । ତାଙ୍କ ନାଆଁ ରାଧାନାଥ ମହାନ୍ତି । ପୂର୍ବେ ସେମାନଙ୍କ ଘର ଥିଲା କଟକ ତଳି ବେଣ୍ଟକାର ଗାଆଁରେ । ଗୁରୁଜଙ୍ଗରେ ବଡ଼ ଘର ତାଙ୍କର । ନାଆଁ ବି ଥାଏ । ମୋ ବିବାହର କେତେକ ବର୍ଷ ପୂର୍ବରୁ ତାଙ୍କର କାଳ ହୋଇଯାଇଥାଏ ।

 

ଗାଆଁରୁ ବୋଉ ଖୁଡ଼ୀ ଓ ବଡ଼ାମ୍ବାରୁ ମୋହନ ଦାସଙ୍କ ଝିଅ ପୁନା ପ୍ରଭୃତି ଆସିଥାଆନ୍ତି । ଆଉ ଆଉ ଦାଦାମାନେ କେହି ଆସି ନାହାନ୍ତି । ବାରିପଦାଠାରୁ ମୋର ଜଣେ ଦି’ଜଣ ଛାତ୍ର ମୋ ସହିତ ଖୋରଧା ଆସିଥିଲେ । ସୁଖେଦୁଃଖେ ବିବାହ ସମ୍ପନ୍ନ ହେଲା । ମୋ ସ୍ତ୍ରୀଙ୍କ ନାମ ସୁଗାତ୍ରୀ । ପନ୍ଦର ଦିନ ପରେ ମୁଁ ବାରିପଦା ଫେରିଲି ।

 

ଗୟାର ଉପର ଡିହ ନିବାସୀ ଓସ୍ତାଦ ବନାନୀ ମିଶ୍ର, ତାଙ୍କ ସହିତ ଜଣେ ସେତାରୀ ଓ ତାବଲା ବାଦକଙ୍କୁ ଘେନି ବାରିପଦା ଆସିଲେ ମହାରାଜାଙ୍କ ସହିତ ସାକ୍ଷାତ କରିବାକୁ । କିଏ ବୋଧହୁଏ ତାଙ୍କୁ ମୋ କଥା କହିଦେଲା । ସେମାନେ ମୋ ନିକଟରେ ଉପସ୍ଥିତ ହେଲେ । ମୋ ବସାରେ ସେମାନଙ୍କୁ ରଖାଇ ସାକ୍ଷାତର ବ୍ୟବସ୍ଥା କରିଦେଲି । ରାଜଦ୍ଵାରରେ ସେମାନେ ବଡ଼ ଆଦର ଅଭ୍ୟର୍ଥନା ପାଇଲେ । ଗାୟକ କଳାକାରମାନଙ୍କୁ ମହାରାଜା ଓ ଛୋଟରାୟ ବେଶ୍‌ ସମ୍ମାନ ଦେଉଥିଲେ । ରାଜସାକ୍ଷାତ୍‌ ପରେ ମୋର ଲୋଭ ହେଲା ତାଙ୍କଠାରୁ ଗୀତ ଶିଖିବାକୁ । ସାଧ୍ୟାନୁସାରେ ତାଙ୍କ ସେବାରେ ଯଥାରୀତି ବ୍ୟବସ୍ଥା କରି, ମୋ ବସାରେ ରଖାଇ ଗୀତ ଶିଖିଲି ତାଙ୍କଠାରୁ ପ୍ରାୟ ୬।୭ ମାସ କାଳ ।

 

ହାଲଫେସନ :

 

ଏହା ପରେ ପରେ ମୋର ବାରିପଦା ଜୀବନରେ ଏକ ବିଚିତ୍ର ପରିବର୍ତ୍ତନ ଘଟିଲା–ସବୁ ତ ଅଦେଖା ହାତର ଖେଳ । କେଜାଣି କାହିଁକି ଏହି ସମୟରେ ମୁଁ ଖଣ୍ଡିଏ ଚଟି ବହି ଲେଖଲି । ଲକ୍ଷ୍ମୀଭାଇଙ୍କ ବ୍ୟଙ୍ଗ କବିତା ଶୁଣିଥିଲି ତ ସେଇଆଡ଼କୁ ମନଟା ମୋର ଢଳିଗଲା । ମୁଁ ଗୁଡ଼ିଏ ବ୍ୟଙ୍ଗ କବିତା ଲେଖା ଆରମ୍ଭ କଲି । ସେଥିରେ ସେହି ବେଳର ଦେଶକାଳ ପାତ୍ରର ସମାଲୋଚନା କରାଯାଇଥିଲା । କବିତା ବହିଟିର ନାଆଁ ଦେଲି ‘ହାଲଫେସନ’ । ଉତ୍କଳ ସାହିତ୍ୟ ପ୍ରେସ୍‌ରେ ସ୍ଵର୍ଗୀୟ ବିଶ୍ଵନାଥ କର ମହାଶୟଙ୍କ ପାଖକୁ ପାଣ୍ଡୁଲିପିଟି ପଠାଇଲି । ସେ ଲେଖା ଓ ବିଷୟକୁ ବଡ଼ ପସନ୍ଦ କରି ଉତ୍ତର ଦେଲେ ଛପାଇବାକୁ । ୧୯୨୫ ସାଲରେ ବହିଟି ସେଇ ଉତ୍କଳ ସାହିତ୍ୟ ଛାପାଖାନାରେ ଛପା ହେଲା ।

 

ମହାରାଜା, ଛୋଟରାୟ ଓ ଲାଲ୍‌ସାହେବ ପ୍ରଭୃତି ମୋତେ ଆଦର କରୁଥିଲେ । ଛୋଟ ଲାଲ୍‌ସାହେବଙ୍କ କନ୍ୟା କୁମାରୀ ରହସ୍ୟ ମଞ୍ଜରୀ ମୋଠାରୁ ଗୀତ ଶିଖୁଥିଲେ । ପରେ ତାଙ୍କର ପରିଣୟ ହେଲା ପୁରୀର ତଦାନୀନ୍ତନ ଗଜପତି ମହାରାଜ ସ୍ଵର୍ଗତ ରାମଚନ୍ଦ୍ର ଦେବଙ୍କ ସହିତ । ଏ ମଙ୍ଗଳକୃତ୍ୟ ଲାଗି ମୁଁ ବହୁଚେଷ୍ଟା କରିଥିଲି । ବାରିପଦାରେ ଲୋକେ ମୋତେ ଶ୍ରଦ୍ଧା କରୁଥିଲେ । ମୋର ଏ ପ୍ରକାର ଆଦର ସମ୍ମାନ ଲାଭରେ ମହାରାଜା ଓ ଛୋଟରାୟ ସାହେବଙ୍କ ପାଖଲଗା ଲୋକଙ୍କ ଆଖରେ ମୁଁ ଶୁଖୁଆ କଣ୍ଟା ହୋଇ ସାରିଥିଲି । ଏ ବହିଖଣ୍ଡିକ ଜୁଆଣ ଦେଲା ତହଁକି । ମୁଁ କୌତୁକରେ ବହିଟି ଲେଖୁଥିଲି । ସେଇ ରୀତିରେ ବହିଟି ମହାରାଜା ପୂର୍ଣ୍ଣଚନ୍ଦ୍ର ଗ୍ରହଣ କରିବେ ବୋଲି ଭାବିଥିଲି । କେବଳ ହସିବାଟା ସାର ହେବ ତାଙ୍କର । ଅର୍ଥରୁ ଅନର୍ଥ ବାହାରିବ ବୋଲି ତ ମନ ବଚନ କର୍ତ୍ତବ୍ୟରେ ନ ଥିଲା ମୋର । ଏଇଠି ‘ମଣିଷ ବିଚାରେ ଆନ–ଦଇବ ବିଚାରେ ଆନ’ କହିବାଟା ସତ ଫଳିଗଲା ।

 

ବହିଟିଏ ନେଇ ମହାରାଜାଙ୍କୁ ଭେଟି ଦେଲି । ଭାରି ଆଦରରେ ହସି ହସି ଗ୍ରହଣ କଲେ ସେ । ମୁଁ ସେ ସେଥିରୁ ଦି’ଚାରିଟା ଖଣ୍ଡ–କବିତା ପଢ଼ି ଶୁଣାଇଲି, ଖୁବ୍‌ ଖୁସି ହେଲେ । ଦିନ ପାଞ୍ଚ ସାତ ପରେ ଦିନେ ରାତିରେ ପ୍ରାୟ ଗୋଟାକବେଳେ, ମୋତେ ଡାକରା ଆସିଲା । ଯାଇଁ ଦେଖେଁ ତ ସଭା ଗମ୍ଭୀର । ମହାରାଜାଙ୍କୁ ଘେରି ବସିଛନ୍ତି କେତେଜଣ ତାଙ୍କ ମୋସାହେବ ବର୍ଗ । ଖଣ୍ଡିଏ ‘ହାଲଫେସନ’ ବହି ପଡ଼ିଛି ଆଗରେ । ମୁଁ ନିତିଦିନିଆ ପରି ଜୁହାର କଲି । ଆଜି କିନ୍ତୁ ସେ ଆଗ୍ରହ ଆଦର ନାହିଁ । ବସିବାକୁ କେହି କହିଲେ ନାହିଁ । ଛାଏଁ ଛାଏଁ ବସିଲି ।

 

ଛଳରୁ କାଳ :

 

ଅଧାଖନା ଭଳି କଥାକୁହା ବାବୁସାହିର ଜଣେ ଯୁବକ ଖଣ୍ଡିଏ କାଗଜ ମୋତେ ବଢ଼ାଇଦେଲେ । ସେଥିରେ ଲେଖାଥିଲା,

 

ଧନ୍ୟହେ ବିଦେଶୀ ଫ୍ରେଣ୍ଡ

ଖାଇଲ ରାଜାଙ୍କ ଅନ୍ନ ।

ଶେଷରେ ବସିଲ ତୁମେ

ମୁଡ଼ିତେ ରାଜାଙ୍କ କର୍ଣ୍ଣ ।

 

ବିଚଳିତ ହୋଇ ପଡ଼ିଲି ମୁଁ । ଏ କ’ଣ ! ବିନା ମେଘରେ ଏ ବଜ୍ର ବିଜୁଳି କାହିଁକି ବୁଝିପାରିଲି ନାହିଁ । କେହି ବି କିଛି କହୁ ନାହାନ୍ତି । ନିଜେ ମହାରାଜା ବଡ଼ ଗମ୍ଭୀର । କଥା କ’ଣ ?

 

ଜଣେ ଲୋକ ମୋତେ, ହାଲଫେସନ ବହିଟିଏ ବଢ଼ାଇ କହିଲେ–‘କାଳୀବାବୁ, ଏ ଆପଣଙ୍କ ଲେଖା ବହି ତ ?’

 

ପଚାରିବାର ଉଦ୍ଦେଶ୍ୟ ଅଛି । ହାଲଫେସନ ବହିରେ ମୋ ନାଆଁ ଛପା ହୋଇ ନ ଥିଲା-। ଲେଖକ–'ଶ୍ରୀ ଚଣ୍ଡୀ’ । ତେଣୁ ଏ ପ୍ରଶ୍ନ ।

 

ମୁଁ ‘ହଁ’ କଲି ।

 

ତା’ପରେ ଗୋଟାଏ ପୃଷ୍ଠା ମେଲାଇ ମୋତେ ପଢ଼ିବାକୁ କୁହାହେଲା । ପଢ଼ିଲି–

 

‘ମଦ ତାଳି ତାଳି ପିଟିଲେ

ରାଜା ଦେଲେ ତାଳ

ଚଳୁ କଲା ଚାକର ଯେବେ,

ସେ ଶଳା ମାତାଲ ।’

 

‘‘ବାସ୍‌ ବାସ୍‌ । ସେତିକି ଥାଉ । କେବେ ଦେଖିଛନ୍ତି, ମହାରାଜ ମଦପିଇ ତାଳି ମାରିଥିଲେ ?” –ପ୍ରଶ୍ନ ।

 

ମୁଁ ତ ସ୍ଵର୍ଗରୁ ଖସିପଡ଼ିଲି । ଏଭଳି କଦର୍ଥ ଯେ ହେବ, ୟାତ ମୁଁ ବିଚାରି ନ ଥିଲି କେବେ-। ଏଇଟା ଧନୀ ଗରିବ ବା ଛୋଟ ବଡ଼ଙ୍କ ତୁଳନା ହିସାବରେ ବ୍ୟଙ୍ଗ କରି ମୁଁ ଲେଖିଥିଲି ଯେମିତି–

 

“ଏ ବଡ଼ ଲୋକଙ୍କର ମତ

ଅଳପ ଲୋକେ ବିପରୀତ ।’’

 

ୟା ଭିତରେ ଆପଣା ଦିହକୁ ଟାଣି ନେଇ ଯେ ଏ ଅଦ୍ଭୂତ ଅର୍ଥ ଏଥିରୁ ଭିଡ଼ି ଓଟାରି କିଏ ବାହାର କରି ବସିବ, ଏକଥା ମୁଁ ଭାବିପାରି ନାହିଁ । ମୁଣ୍ଡ ସତରେ ଘୂରିଗଲା ମୋର । ଜେଜବାପା କହିଥିବା ବାଙ୍କିରେ ସେହି ଭଗବାନ୍‌ ରାୟଗୁରୁଙ୍କ ଅନୁଭୂତି କଥା–‘‘ନୃପ ସେବଂ, ଚକ୍ର ସେବ୍ୟଂ” ଇତ୍ୟାଦି ଶ୍ଳୋକଟା ମନେ ପଡ଼ିଗଲା ମୋର ।

 

ପାଖରେ ଶୁଏ କାନରେ କହେ

ତାହା କଥା କି ଅନ୍ୟଥା ହୁଏ ?

 

ଏଇ ଚକ୍ରମାନେ ମହାରାଜଙ୍କୁ ତତାଇ ମତାଇ ସଜାଡ଼ି ଦେଇ ସାରିଛନ୍ତି । ମନ ବିଷାଇ ଦେଇ ସାରିଛନ୍ତି । ତିନି ତୁଣ୍ଡରେ ଛେଳି କୁକୁର । ମୁଁ ଏବେ କହିବି କଅଣ ? ଯେତେ ବୁଝାଇବାର ବୁଝାଇଲି ହେଲେ ସବୁ ପଣ୍ଡ ।

 

‘ଯାହା ପଢ଼ାଇଛି ଜଟାଧାରୀ’

 

‘ଗେଲୁ ତେଲ’ ବୋଲି ଯାହା କହନ୍ତି, ତା’ ସତ ଫଳିଲା ‘ହାଲ୍‌ଫେସନ' ବହିରେ ।

 

ସେଇ ମତ ରହିଲା ଅଟଳ । ମହାରାଜା ବଦଳି ପାରିଲେ ନାହିଁ । ‘ବ୍ରଣ ମିଚ୍ଛନ୍ତି ମକ୍ଷିକା’ ଭଳି କେତେକ ଅସହଣିକ ଲୋକ ରାଜବାଟୀରେ ମୋର ସମାଦରକୁ ସହିପାରୁ ନ ଥିଲେ । ଏଇଠି କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ।

 

‘ହଉ, ଯାଅ’–ଏଇ ହେଲା ମହାରାଜାଙ୍କ ଶେଷ କଥା । ଚାଲି ଆସି, ଆଉ ନିଦ ହେଲା ନାହିଁ, ବାକି ରାତିଟା ।

 

ଖିଆପିଆ ମୋତେ ଆଉ ସୁଖ ଲାଗିଲା ନାହିଁ । ସବୁବେଳେ ଆଖିରେ ଲୁହ ଛଳ ଛଳ ଆଉ ମନ ବିକଳ ହୋଇ ଉଠିଲା । ଏପରିକି ଫୁଲ–ଯାହାକୁ ମୁଁ ପ୍ରାଣରୁ ବଳି ସୁଖ ପାଏଁ, ତା’ର ଆଦର, ତା’ର ପାନଖିଲ ଖୁଆଇଦେବା ମୋତେ ବିରକ୍ତିକର ବୋଧ ହେଲା । ଦାଣ୍ଡରେ ଯିବାକୁ ସଂକୋଚ ଲାଗିଲା ।

 

ମୁଁ ଯେତେବେଳେ ବଡ଼ ବଜାରରେ ବସାକରି ରହିଲି; ସେତେବେଳେ ଖୋଜିଲି ବଇଷ୍ଟିମାକୁ । ଏ କେବଳ ଫୁଲକୁ ଦେଖିବା ଲୋଭ । ବଇଷ୍ଟିମାଠାରୁ ଶୁଣିଥିଲି ବଳଙ୍ଗ ନଭ ସେପାରି ଜାମୁବଣରେ ତା’ର ଘର ।

 

ବଇଷ୍ଟିମାର ଆଉଗୋଟେ ଭଲ ଗୁଣ ଥିଲା, ସେ ଭଲ ରାନ୍ଧି ଜାଣେ । ତାକୁ ଡକାଇ ଆଣି, ମୋ ପାଖରେ ରାନ୍ଧୁଣିଆ ହୋଇ ରହିବାର ବ୍ୟବସ୍ଥା କଲି । ସେ ଖୁସି–ମୁଁ ଖୁସି ଫୁଲ ଖୁସି । ଫୁଲ ବାକି ତା’ ଘରକୁ ନ ଯାଏ । ମୁଁ ତାକୁ ଭାରି ଗେହ୍ଲା କରିଥାଏଁ । ସେ ସାଙ୍ଗରେ ମୋର ଖାଏ, ପାଖରେ ଶୁଏ ।

 

ଭାରି ସିହାଣୀ ସେ । ମୋର ସବୁକଥାକୁ କହିବା ଆଗରୁ ସେ ହାଜର । କେବେ କେମିତି ଘଣ୍ଟାଏ ଅଧେ ଲାଗି ମାଆକୁ ଦେଖିବାକୁ ଯାଏ । ମୁଁ ରାଜବାଟୀକି ଗଲେ ପାନଦେବା ବାହାନାରେ ମୋ ପାଖକୁ ଯାଏ । ମୋପାଇଁ ପାନ ନେଇ ଯିବାଟା ତା’ର ଗୋଟେ ବାହାନା । ହଉ ହଉ ସଭିଏଁ ତାକୁ ଆଦର କଲେ ।

 

ଫୁଲ ଝରିଗଲା :

 

ଚିତାଲାଗି ବା ଚିତଉ ଅମାବାସ୍ୟା । ଫୁଲକୁ ତା’ ମାଆ ଡାକି ପଠାଇଥାଏ ମୋପାଇଁ ଚିତଉପିଠା ତା’ ଘରୁ ଆଣିବାକୁ । ସେଦିନ ରୋଷେଇ ବନ୍ଦ । ଫୁଲ ପ୍ରାୟ ସକାଳ ନଅଟା ବେଳୁଁ ଜାମୁବଣିକି ଗଲାଣି । ବାଟ ଚାହିଁ ଚାହିଁ ଆସି ଗୋଟାଏ ବାଜିଲା; ଫୁଲର ଦେଖା ନାହିଁ । ମୁଁ ଘରୁ ଉଠି ଦୁଆର ବନ୍ଧ ପାଖରେ ପହଞ୍ଚିବା ବେଳକୁ ବଇଷ୍ଟିମା ବାହାରୁ ଦଉଡ଼ି ଆସିଲାପରି ଆସି ମୋ ଗୋଡ଼ଧରି ଭୋ’ ଭୋ’ କରି କାନ୍ଦି ଉଠିଲା । ମୁଁ ତାଟକା ହୋଇ ପଚାରିଲି କଥା କ’ଣ ? ଏମିତି କାନ୍ଦୁଛୁ କାହିଁକି ? ଫୁଲ କାହିଁ ?

 

ବଇଷ୍ଟିମା କାନ୍ଦି କାନ୍ଦି କହିଲା–‘‘ଫୁଲ ଆଉ ନାହିଁ । ପିଠା ନେଇକରି ଆସୁଥିଲା । ହଠାତ୍‍ ନଈରେ ପାଣି ଆସିଲା । ଫୁଲ ସୁଅରେ ଭାସିଗଲା । ଯେତେ ଯୁଆଡ଼େ ଖୋଜିଲେ ଆଉ ସତାପତ୍ତା ନାହିଁ ।’’ ମୋର ଚେତା ବୁଡ଼ିଗଲାପରି ହେଲା । ଆଉ ଖିଆ କ’ଣ, ପିଆ କ’ଣ ? ଖଟ ଉପରକୁ ଯାଇ ବିଛଣାରେ ପଡ଼ିଗଲି । ଫୁଲ ଦିଶିଲା ମୋତେ ଚାରିଆଡ଼େ ।

 

ଦୁଃଖ ଯେତେବେଳେ ଆସେ, ସାଙ୍ଗ ସାଥୀ ଧରି ଆସେ । ରାଜବାଟୀରେ ମୋ ପ୍ରତି ହତାଦର, ତା’ ପଛେ ଫୁଲର ଏ ଅକାଳ ମରଣ ! ବାରିପଦାର ମୋହ ମୋର ତୁଟିଗଲା ଏକାବେଳେ । ବସାରେ ରହିବା ମୋ ପକ୍ଷେ ଯମ ଯନ୍ତ୍ରଣା ପରି ଲାଗିଲା । ଖାଇବା ପିଇବା, ଶୋଇବା–ସବୁବେଳେ ଫୁଲର ମୁହଁ ନାଚିଲା ଆଖି ଆଗରେ ।

 

ଫୁଲ ମୋତେ ଛାଡ଼ିଯିବାର ଦିନେ ଦି’ ଦିନ ପରେ ଛୋଟରାୟ ସାହେବଙ୍କୁ ମାସକର ଛୁଟି ମାଗିଲି । ସହଜରେ ଛୁଟି ମିଳିଗଲା ।

 

ଲୁହଭରା ଆଖିରେ ବାଟ ଦିଶୁ ନ ଥାଏ ସତେ ! ସେଇ ଛୋଟ ଗାଡ଼ିରେ ରୁପ୍‌ସା ଆସିଲି । ସାଥିରେ, ନରୀ ଓ ନାଲୁ ମୋର ପ୍ରିୟ ଛାତ୍ର ଦୁହେଁ । ବାରିପଦା ଛାଡ଼ିବା ପରେ ମନେକଲି–ଫୁଲ ଗଲା, ମୁଁ ଜୀଇପାରି ନ ଥାନ୍ତି ତା’ ଚିନ୍ତାରେ, ତେଣୁ ଏହା ନିଶ୍ଚୟ 'Grace in disguise' । ବାରିପଦା ଛାଡ଼ିବାଟା ଜଗନ୍ନାଥଙ୍କର କୃପା ।

 

ରୁପ୍‌ସାଯାଏ ଛୋଟ ରେଳ–ସେଇଠୁ ବଡ଼ଗାଡ଼ି, ଖୋରଧା ରୋଡ଼ ପର୍ଯ୍ୟନ୍ତ ।

 

ଖୋରଧା ରୋଡ଼ । ଏଇଠି ମନ ମୋର ଦୋ ଘାଇରେ ପଡ଼ିଲା । ରାତିଟା ଉଏଟିଙ୍ଗ ରୁମରେ ବିଶ୍ରାମ । ସକାଳ ହେଲେ ଶଗଡ଼ଗାଡ଼ି ଭଡ଼ାକରି ବାଙ୍କି ଯିବାର କଥା । ରାତିରେ ନରୀ ଓ ନାଲୁ ଶୋଇ ପଡ଼ିଲେ । ଏତେ ଚିନ୍ତା ତାଙ୍କ ମନରେ ଅବା ଢୁକିବ କାହିଁକି ? ଥକାମରା ନିଦ; କିନ୍ତୁ ଥକାମନ ଆଗରେ ଥକା ଦେହ ହାରମାନେ । ସବୁବେଳେ ତ ମନରେ ବିଷମ ଚିନ୍ତା । ବୁଝିପାରିଲି ନାହିଁ–ଏଠ କି ଚକ୍ର ଘୂରିଲା । ମନ–ବଚନ–କର୍ତ୍ତବ୍ୟରେ ତ ମୁଁ ରାଜାଙ୍କୁ ଲଛନା ଦେଇ କିଛି ଲେଖି ନ ଥିଲି, ଆଉ ଲେଖନ୍ତି ଅବା କାହିଁକି ? ନିଜେ ନିଜ ମୁଣ୍ଡରେ ଗୋଇଠା ମାରିବାକୁ ? ଚିରଦିନ ମୁଁ ଅଦୃଷ୍ଟକୁ ମାନି ଆସିଛି । ଅଦୃଷ୍ଟ–ଅଦୃଶ୍ୟ । ପୁଣି ମୋର ପ୍ରାଣର ଟାଣ ଥିଲା ଫୁଲ । ନିତି ସେ ମୋ ବାହୁଡ଼ାଣୀ ବାଟ ଅନାଇଁ ରାତି ଅନିଦ୍ରା ହୋଇ ବସିଥାଏ–ଖାଏ, ପିଏ, ଶୁଏ ମୋ ସାଥିରେ । ସେଇ ଫୁଲ ଚାଲିଗଲା । ରାଜାଘର ବ୍ୟବହାର,–ଫୁଲର ବିଚ୍ଛେଦ, ଆଉ ଦୁଃଖ ସହିବାକୁ ବାକି ରହିଲା କ’ଣ ? ହଁ, ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ’ । ଏତେବେଳେ ଦୀର୍ଘଶ୍ଵାସ ହିଁ ସାଥୀ ।

 

ଦଇବ ଦଉଡ଼ି :

 

ଆଖିପତା ମୁଦି ମୁଦି ହୋଇ ପଡୁଥାଏ, ବାଧୁଣିଆଁ ହୋଇ । ମାତ୍ର ତାକୁ ଆଡ଼ପେଲା କରି–କ’ଣ ହେଲା, କାହିଁକି ହେଲା–ଏ ଦୁହେଁ ଲଢ଼େଇ କରି ବସନ୍ତି । ଏଥିରେ କି ଆଉ ନିଦ ହୁଏ-? ମୁଁ ସିନା ନିଦକୁ ଡାକୁଥାଏଁ । ନିଦ କହୁଥାଏ–ମୁଁ କାହାର ହେବି ? ମୁଁ ଯେ ଗୋଟାଏ–ଦି’ଟା ତ ନୁହେଁ । ଏଣେ ତୁ ଡାକୁଛୁ, ତେଣେ ଡାକୁଛି ତୋ ଭାଗ୍ୟ । ପାହାନ୍ତା ହେଲା । ହଠାତ୍‍ ମନକୁ ଆସିଲା–ପୁରୀ ଯିବି । ଦିଅଁଙ୍କୁ ମୁଣ୍ଡିଆଟାଏ ମାରି, ଦୁଃଖ ଜଣାଇଁ ଘରକୁ ଫେରିବି । ଟିକଟ କାଟିଲି ପୁରୀକି । ଏ ବି ସେଇ ଦଇବ ଦଉଡ଼ି ।

 

ପୁରୀ ଗଲି । ଆଗ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ସାରି, ରାଜା ଓ ରାଣୀଙ୍କ ସହିତ ଦେଖାକଲି । ବାରିପଦାର ସବୁ ହାଲ ତାଙ୍କୁ କହି ସେଠିକି ଆଉ ଫେରିବା ଇଚ୍ଛା ନ ଥିବାର କହିଲି । ଭାବିଥିଲି ‘ଦିନ ଦୁଇଚାରି ପୁରୀରେ ରହି, ଘରକୁ ବାଟ ଦେଖିବି, କିନ୍ତୁ ଏଠି ପୁଣି ସେଇ ଅଦୃଷ୍ଟ, ଅଦୃଶ୍ୟ ହାତ ଦେଖାଇଲା । ମଣି (ରାଣୀ–ତାଙ୍କୁ ମଣି ବୋଲି ଡାକନ୍ତି) ସବୁ ଶୁଣିବା ପରେ, ମୋତେ ପୁରୀରେ ରହିବାକୁ ଅନୁରୋଧ କଲେ । ରହିଲି ସଭାକବି ଓ ସଙ୍ଗୀତଜ୍ଞ ରୂପେ । ସେତେବେଳେ ରାଜାଙ୍କର ଦେଓାନ ଥାଆନ୍ତି ସ୍ଵର୍ଗୀୟ ରାୟ ବାହାଦୁର ରାଜକିଶୋର ଦାସ । ଦିଅଁଙ୍କ ପିଣ୍ଡିକା ଦେଖା, ନହର କଚେରିର ନଥିପତ୍ର ନେଇ ରାଜାଙ୍କ ପାଖେ ପେଶ୍‌ କରିବା, ଚିଠିପତ୍ର ବେଳେ ବେଳେ ଟାଇପ୍‌ କରିବା ଛଡ଼ା ସଞ୍ଜବେଳେ ସଙ୍ଗୀତ ଚର୍ଚ୍ଚା କରିବାଟା ହେଲା ମୋର ଦୈନନ୍ଦିନ କାର୍ଯ୍ୟ ପରେ ନଅର କଚେରିର କାମଦାମ ଭାର ନେଲି । ପହିଲେ ହେରାଗୋଉରୀ ସାହିରେ ଓକିଲ ଆର୍ତ୍ତବନ୍ଧୁ ମିଶ୍ରଙ୍କ ପଡ଼ିଶାରେ ବସା କରି ରହି ତା'ପରେ କୁଣ୍ଢେଇବେଣ୍ଟ ସାହି, ବାନାମ୍ବର ଗଳି ସାମନାରେ ଆସି ରହିଲି ।

 

ଦାଶେ ଆପଣେ :

 

ଘରକୁ ବହୁତ ଦିନୁ ଯାଇ ନାହିଁ ବୋଲି, ଛୁଟି ମାଗି ବାଙ୍କି ଗଲି । ଘରକୁ ଯିବାର ଦୁଇଦିନ ପରେ, ଥରେ ବେଳବୁଡ଼େ ମୋ ପାଖେ ଆସି ପହୁଞ୍ଚିଲେ ବୈଦେଶ୍ଵର ଗାଆଁର ବୈଦ୍ୟନାଥ ତ୍ରିପାଠୀ, ଆଉ କବି ବୀରକିଶୋର ଦାସଙ୍କ ଭାଇ ବାନାମ୍ବର । ମୋତେ କହିଲେ କଟକରେ ଦାଶେ ଆପଣେ ଡକାଇଛନ୍ତି, କାଲି ଯିବାକୁ ହେବ ।

 

ଦାଶେ ଆପଣେ ଡକାଇଛନ୍ତି ? କାହିଁକି ? କାରଣ କିଛି ଅନୁମାନ କରିପାରିଲି ନାହିଁ । ସେ ଦୁହେଁ ମଧ୍ୟ କୌଣସି ସୂଚନା ଦେଲେ ନାହିଁ । ରାତିକି ରହଣି ପରେ ସେ ଦୁହେଁ ସାଇକଲରେ କଟକ ଫେରିଲେ । ମୁଁ ପାହାନ୍ତାରୁ ବଳଦଗାଡ଼ିରେ କଟକ ଯାଇ, ସ୍ଵରାଜ୍ୟ ଆଶ୍ରମରେ ଦାଶେ ଆପଣଙ୍କୁ ଭେଟିଲି ।

 

ସେତେବେଳକୁ ଯଦୁମଣି ମଙ୍ଗରାଜେ–ମୋ ରସରାଜ ଆଶ୍ରମରେ ରହୁଥାଆନ୍ତି । ତାଙ୍କରି କୋଠରିରେ ରହି ଅନ୍ନ ଡାଲମା ଭୋଜନ କଲି । ବହୁତ ଦିନ ପରେ ରସରାଜ ମହାଭାବ, ଭେଟାଭେଟି । କେତେ ପୁରୁଣା କଥା କୁହାକୋହି ହେଲୁଁ । ରାତିଟା ହସଖୁସିରେ କଟିଲା । ସବୁ ହେଲା ଯେ, ମୋତେ କାହିଁକି ଏ ଡାକରା ବୋଲି ପଚାରିବାରେ କିଛି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ । ଆରଦିନ ସକାଳୁ ଦାଶେ ଆପଣେ ମୋତେ ଡକାଇ କରି କହିଲେ, “କାଳୀଚରଣବାବୁ, ଆପଣଙ୍କୁ ଟିକିଏ ପୁରୀ ଯିବାକୁ ପଡ଼ିବ । ରାଜାଙ୍କ ପାଖେ କାମ ଅଛି । ମହାତ୍ମାଜୀଙ୍କ ବଡ଼ଦେଉଳରେ ‘ମନ୍ଦିର ପ୍ରବେଶ’ ଆନ୍ଦୋଳନ କଥା ତ ଶୁଣିଥିବେ । ପରଦିନ ଗାନ୍ଧିଜୀ ପୁରୀ ଆସୁଛନ୍ତି । ସିଂହଦ୍ଵାର ଆଗରେ ସଭା ହେବ, ‘ମନ୍ଦିର ପ୍ରବେଶି’ ସମ୍ବନ୍ଧେ । ଅଚ୍ଛବମାନେ ଏ ସୁବିଧା ପାଇବେ । ଶୁଣିଲି, ଆପଣଙ୍କର ରାଜାଙ୍କ ସଙ୍ଗରେ ଖୁବ୍‍ ଭାବାଳାପ ଅଛି । ଛତିଶା ନିଯୋଗକୁ ରାଜବାଟୀକି ଡକାଇ, ଗୋଟାଏ ଆଲୋଚନା କରି, ଏକଥା କରାଇବାକୁ ଯତ୍ନ ନେବା । ଆପଣ ଆମ ସହିତ ଚାଲନ୍ତୁ । ଆଜି ରାତିରେ ଯିବା ।’

 

ମୋର ଏଥିରେ ଆଉ ମନା କରିବାର କ’ଣ ଥିଲା ? ପୁରୀ ଗଲୁଁ । ଦାଶେ ଆପଣେ ମରିଚକୋଟ ଗଳିରେ ରହିଲେ । ମୁଁ ରାଜାଙ୍କୁ ଭେଟି ସବୁକଥା କହିଲି । ସେ ‘ନାହିଁ, ହଁ’ କରି ମାତବରିଆ ସେବକମାନଙ୍କୁ ଡକାଇ, ସବୁ କଥା କହିଲେ । ସେମାନେ କୁନ୍ଥୁ କୁନ୍ଥୁ ହୋଇ ଅଧାଅଧି ରାଜି ହେଲେ । ମୁଁ ସବୁକଥା ଦାଶେ ଆପଣଙ୍କୁ କହିଲି । ସେ ଖୁସି ହେଲେ ।

 

ତହିଁ ପରଦିନ ଗାନ୍ଧିଜୀ ପୁରୀ ଆସିଲେ । ଚାରିଟାବେଳେ ସିଂହଦ୍ଵାରେ ସଭା ଡାକରା । ଗାନ୍ଧିଜୀ ଉପସ୍ଥିତ । ଦାଶେ ଆପଣେ କିନ୍ତୁ ଅନୁପସ୍ଥିତ ସେ ସଭାରେ । ଚାରି ବାଜିଗଲାଣି । ଅଣ୍ଟାରୁ ଗାନ୍ଧିଜୀ ଘଡ଼ି କାଢ଼ି ଦେଖି ଦାଶେ ଆପଣଙ୍କ ଆଗମନ ପ୍ରତୀକ୍ଷା କଲେ, ଅନେକ ବେଳଯାଏଁ ।

 

ମୁଁ ଏସବୁର କାରଣ ବାରି ନ ପାରି ମରିଚକୋଟକୁ ବେଗେ ଗଲି । ଯାଇ ଦେଖିଲି ଦାଶେ ଆପଣେ ଖଣ୍ଡିଏ “ୟଙ୍ଗ ଇଣ୍ଡିଆ’’ କାଗଜ ଧରିଛନ୍ତି । ମୁଁ ତାଙ୍କୁ ସଭାକୁ ଯିବାରେ ଉଛୁର ହେବାର କାରଣ ପଚାରନ୍ତେ, ରାଗି ଉଠି କହିଲେ–“ଯୋଉ ଲୋକ ରାଜାରାଜୁଡ଼ାଙ୍କ ପଟ ହୋଇ ପ୍ରଶଂସା ଗାଏ, ଗୋପବନ୍ଧୁ ଦାଶ ତା’ ପାଖକୁ ଯାଏ ନାହିଁ’’ ଏତିକି କହି କାଗଜଟି ମୋତେ ବଢ଼ାଇ ଦେଲେ । ଦେଖିଲି ସେ ପତ୍ରିକାରେ ମହୀଶୂର ରାଜାଙ୍କୁ ଟିକିଏ ପ୍ରଶଂସା କରାଯାଇଛି । ହଠାତ୍‌ ଏତିକିବେଳେ ଜଣେ ଆସି ଖବର ଦେଲେ ଯେ ଗାନ୍ଧିଜୀ ସଭାରୁ ମରିଚକୋଟ ଆଡ଼େ ଆସୁଛନ୍ତି । ଏକଥା ଶୁଣି ଆମେ ଦୁହେଁ ଧଡ଼ପଡ଼ ହୋଇ ମରିଚକୋଟ ଛକ ଆଡ଼କୁ ଗଲୁଁ । ସତକୁ ସତ ଗାନ୍ଧିଜୀ ସିଂହଦ୍ଵାରରୁ ଏଣିକି ଆସୁଛନ୍ତି । ତାଙ୍କ ପଛରେ ଅନେକ ଲୋକ ।

 

ମରିଚକୋଟ ଛକରେ ଗାନ୍ଧିଜୀଙ୍କ ସହିତ ଦାଶେ ଆପଣଙ୍କ ଭେଟ ହେଲା । ସବୁ ରାଗ ରୋଷ କୁଆଡ଼େ ଉଭାଇଗଲା । ଦୁହେଁ କୁଣ୍ଢାକୁଣ୍ଢି ହେଲେ । ସଭା ସେଇଠି–ସେଇ ବଡ଼ ଦାଣ୍ଡରେ ଚାଲିଲା । ଲୋକ ଜମା ହୋଇ ପଡ଼ିଲେ । ୟେ ହେଲା ୧୯୨୫ ମସିହାର ଘଟଣା ।

 

ପ୍ରତି ସନ୍ଧ୍ୟାରେ ମୁଁ ନଅରକୁ ଯାଏଁ । ମଧ୍ୟେ ମଧ୍ୟେ ସଙ୍ଗୀତ ଚର୍ଚ୍ଚା ହୁଏ; କିନ୍ତୁ ମୋ ବସାରେ ରୀତିମତ ଗୀତ ବାଜା ଚାଲେ । ଧୀରେ ଧୀରେ ସାଙ୍ଗସାଥୀ ଜୁଟିଗଲେ । ରାତି ୧୦।୧୧ ପର୍ଯ୍ୟନ୍ତ ଆସର ଗରମାଗରମ ଚାଲେ । ଗାୟକ, ବାୟକ ଅନେଇ ଆସନ୍ତି । ସକୁ (ବାଳମୁକୁନ୍ଦ ପଟ୍ଟନାୟକ)ର ଘର ମୋ ବସା ପାଖରେ । ବନ୍ଧୁବାନ୍ଧବ ସମ୍ପର୍କରେ ସେ ହେବ ମୋର ମାମୁପୁଅ ଭାଇ, ମୋଠୁଁ ସାନ । ବିଚାରା ମରି ସ୍ଵର୍ଗରେ ଏଇନେ । ବେଶି କିଛି ନ ଜାଣିଲେ ମଧ୍ୟ ହାତଟି ତା’ର ବଡ଼ ମଧୁର । ବାୟାଁତାବଲା, ପଖଉଜ ଓ ଖୋଳ ବଜାଏ ସେ । ସଙ୍ଗତଟା ମୋର ପ୍ରତ୍ୟହ ପ୍ରାୟ ତାହାରି ସଙ୍ଗରେ ହେଉଥିଲା । ପଥର ଆଖଡ଼ାର ପୁରୁଣା ଆଖଡ଼ା ପିଲା ମୋହନ ମହାପାତ୍ର ଏତେବେଳେ ନଅର କଚେରି ପାଖେ ପାନ ଦୋକାନ କରିଥାଏ । ସେ ତାବଲା ବଜାଏ, ପ୍ରାୟ ମୋ ସହିତ । ଘର ମୋ ବସାକୁ ଅଳ୍ପ ଦୂର । ନାଚ ଜ୍ଞାନ ତା’ର ଥିଲା ଭଲ । ଏତିକିବେଳେ ତବଲାବାଦକ ଶ୍ରୀ କ୍ଷେତ୍ରମୋହନ କର ମୋ ସହିତ ପରିଚିତ ହେଲେ । ସେତେବେଳେ ସେ କଟକରେ ପଢ଼ୁଥାଆନ୍ତି । ନୂଆ ତବଲା ଶିଖାଳି । ଯୋଗକୁ ମୋର ଓସ୍ତାଦ ଗୟାବାସୀ ସ୍ଵର୍ଗୀୟ ବନୱାରୀ ମିଶ୍ର ଖୋଜି ଖୋଜି ପୁରୀ ଆସି ମୋ ବସାରେ ଉପସ୍ଥିତ ହେଲେ । ବାରିପଦାଠାରେ ରହିବାବେଳେ, ସେ ଆସିଥିଲେ ଆଉଥରେ । ମୁଁ ବାରିପଦା ଛାଡ଼ିବା ପରେ ଭାଗ୍ୟକୁ ପୁଣି ତାଙ୍କ ଆଶୀର୍ବାଦ ପାଇଲି । ଏଥର ମୋର ସଙ୍ଗୀତ ଶିକ୍ଷା ଓ ଚର୍ଚ୍ଚାର ଆହୁରି ସୁବିଧା ସୁଯୋଗ ଘଟିଲା । ତାଙ୍କୁ ମୋ ପାଖେ ଦୁଇ ବର୍ଷରୁ ଅଧକ କାଳ ରଖି ନେଲି । ନରୀ ଓ ନାଲୁ, ଦୁହିଁଙ୍କୁ କିଛିକାଳ ପରେ ଘରକୁ ବିଦାୟ କରିଦେଲି । ସୁବୋଧ ଛାତ୍ରଟି ପରି ପୁଣି ମୋର ଶିକ୍ଷା ଆରମ୍ଭ କରିନେଲି । ନିତି ଭୋରରୁ ଉଠେ, ଗଳା ସାଧେ–ଗୀତ ଗାଏଁ । ଓସ୍ତାଦଜୀଙ୍କର ଅଭ୍ୟାସ ଭିତରେ, ଗୁଡ଼ାଖୁ ହୁକା ଟାଣିବାଟା । ମୁଁ ରାଜାଙ୍କ କଚେରିକି ଯାଏଁ ସକାଳ ଆଠଟାରୁ । ବାରଟା ଗୋଟାକରେ ଆସି, ପୁଣି ତିନିଟା ଚାରିଟାରେ ଯିବାକୁ ହୁଏ । ଏଇତକ ସମୟ ଛଡ଼ା ବାକି ବେଳରେ ମୁଁ ଓସ୍ତାଦଜୀଙ୍କର ଗୁଡ଼ାଖୁ ହୁକାର ପାଣି ବଦଳା ଓ ଗୁଡ଼ାଖୁ ସଜଡ଼ା ଓ ଟିକିଆ ସୁଲୁକାଇବା ଇତ୍ୟାଦି ଖିଜମତ କରେଁ । ଓସ୍ତାଦ ନୈଷ୍ଠିକ ବ୍ରାହ୍ମଣ–ସ୍ଵହସ୍ତପାକ ତାଙ୍କର । ଭାତ କେବେ କେବେ ଖାଆନ୍ତି, ନଚେତ ରୁଟି ପ୍ରାୟ ନିତିଖିଆ ତାଙ୍କର । ରାତିରେ ପ୍ରାୟ ଦେଉଳ ପିଠା । ବୈଠକ ଭାଙ୍ଗୁ ଭାଙ୍ଗୁ ତ ପ୍ରାୟ ଦଶଟା ରାତି । ସେଇଠୁ ଦେଉଳକୁ ଯାଇ ବଡ଼ସିଂହାର ପିଠା ଦୁହେଁ ଖାଉଁ । ଯେତେ ଯାହା ହେଉ, ସେ ଖଣ୍ଡେ ରୁଟି ଅବଶ୍ୟ କରିବେ, ତାକୁ ଭଲ କରି ଘିଅରେ ଦଳି ଗୁଣ୍ଡାକରି, ଗୋଲମରିଚ ଗୁଣ୍ଡ ମିଶାଇ ଗୋଲାଟାଏ କରିବେ; ଆଉ ସେଇ ଗୋଲାଟି ତାଙ୍କ ବେଟା(ମୁଁ) କୁ ସକାଳର ରିଆଜ୍‌(ଅଭ୍ୟାସ) ପରେ ପରେ ଖୁଆଇବେ ।

 

ପୁରୀରେ ଏତେବେଳକୁ ମୋର ବୋଉ, ସ୍ତ୍ରୀ ଓ ଦାଦାଙ୍କ ଝିଅ (ଭଉଣୀ) ପୁନା ମୋ ପାଖେ ଥାଆନ୍ତି ।

 

କବିଚନ୍ଦ୍ର :

 

୧୯୨୬ ସାଲର କଥା । ସୁନିଆଁ ଆସିଲା ଅଙ୍କ କଟାଟା ଆମର ପରମ୍ପରା ପୁରୀ ଗଜପତି ଘର ସିଦ୍ଧି । ମଫସଲରୁ, କଖାରୁ, କଦଳୀ ଇତ୍ୟାଦି ବହୁତ ଭେଟି ଆସିଲା । ମୋତେ ସେଦିନ ଗଜପତି ଶ୍ରୀ ରାମଚନ୍ଦ୍ର ଦେବ ‘କବିଚନ୍ଦ୍ର’ ଉପାଧି ଦେଇ ମୁଣ୍ଡରେ ଶାଢ଼ି ବାନ୍ଧିଦେଲେ । ଘରେ ବାହାରେ ସମସ୍ତେ ଭାରି ଆନନ୍ଦରେ ମୋତେ ସମାଦର ସମ୍ବର୍ଦ୍ଧନା କଲେ ।

 

ଥରକର କଥା ମନେ ଅଛି । କାର୍ତ୍ତିକମାସ ପାହାନ୍ତାରୁ ବୋଉ ଜଣେ ପଡ଼ୋଶୀ ବିଧବାଙ୍କ ସହ ନରେନ୍ଦ୍ରକୁ ଗାଧୋଇ ବାହାରିଛି । ଓସ୍ତାଦଜୀ ଦାଣ୍ଡଘରେ ଶୁଅନ୍ତି । ମୁଁ ଭୋରରୁ ଉଠି, ଦାନ୍ତପତ୍ର ଘଷି ପ୍ରତ୍ୟହ ତାଙ୍କ ପଦସେବା କରେଁ । ପୂର୍ବଦିନ ରାତ୍ରିରେ ନଅରରୁ କୌଣସି କାରଣ ଘେନି ଫେରୁ ଫେରୁ ପ୍ରାୟ ଦୁଇଟା ବାଜିଯାଇଥିଲା, ତଥାପି ପାହାନ୍ତାରୁ ଉଠିବାକୁ ହେବ । ନୋହିଲେ ଓସ୍ତାଦଜୀଙ୍କ ସେବା ଓ ମୋ ଗଳା ସଧାରେ ଖଲର ହେବ । ଉଠିଆସି ତାଙ୍କ ପାଦ ସେବାରେ ଲାଗିବା ଭିତରେ ଟିକିଏ ଢୁଳେଇ ପଡ଼ିଲି । ସେତିକିବେଳକୁ ବୋଉ ଘରୁ ବାହାରି ଆସୁଥାଏ, ନରେନ୍ଦ୍ର ଗାଧୋଇ ଯିବ ବୋଲି । ଓସ୍ତାଦଜୀ ମୋତେ ଗୋଡ଼ରେ ଠେଲାଟାଏ ଦେଲେ ଯେ, ମୁଁ ତଳେ ପଡ଼ିଗଲି । ବୋଉ ପାଖରେ ପହଞ୍ଚି ଯାଇଥାଏ । ଓସ୍ତାଦଜୀ କହିଲେ, ‘ବେଟା, କ୍ୟା ହୁଆ ?’ ‘କୁଛ ନହିଁ ଗୁରୁଜୀ’–ଏତିକି କହି ମୋ କାମରେ ପୁଣି ଲାଗିଗଲି, ତଳୁ ଉଠି ପଡ଼ି । ବୋଉ ସବୁ ଦେଖୁଛି, ବାକି କିଛି କହିଲା ନାହିଁ କିମ୍ବା ଓସ୍ତାଦଜୀ ମଧ୍ୟ ଆଉ କିଛି କହିଲେ ନାହିଁ । ମୋ ଲାଜ ମୋତେ ଖାଇଲା । ଗୁରୁଜୀଙ୍କ ପାଖରେ ମୁଁ ଥିଲି ଏକ ଶିଶୁ ବା ବାଳକ । ଦିନେ ଦିନେ ଇଚ୍ଛା ହୁଏ ବଡ଼ସିଂହାର ବେଳେ ଦିଅଁକୁ ଗୀତଗୋବିନ୍ଦ ଗାଇ ଶୁଣାଇବାକୁ । ଓସ୍ତାଦଜୀ ମଧ୍ୟ ଭଜନ ଗାଇବାର ଇଚ୍ଛା ପ୍ରକାଶ କରନ୍ତି । ଆଗେ ଆଗେ ସେ, ପଛରେ ତାନପୁରାଟି ଧରି ଚାଲେ ମୁଁ । ଦେଉଳରେ ଗୀତଗୋବିନ୍ଦ ଗାଇ, ସ୍ନାନବେଦୀ ଉପରେ ପାରିଜାତକ ଓ ଝାଇଁ ମହାପାତ୍ରଙ୍କ ଡାଲି ଖାଇ ବସାକୁ ଲେଉଟି ଆସୁଁ । ଅନେକ ଦିନ ଏପରି କରୁଁ ।

 

ନାଟକ, ଗଳ୍ପ ଓ ସଙ୍ଗୀତ ବହି :

 

ଏହି ସମୟ ଭିତରେ ମୁଁ ଲେଖା ଛାଡ଼ି ନ ଥିଲି । ‘ହରିଶ୍ଚନ୍ଦ୍ର’, ‘ମୃଗୟା’ ଓ ‘ଶକୁନ୍ତଳା’ ନାଟକ ତିନିଖଣ୍ଡି ପ୍ରକାଶିତ ହେଲା । ଆଉ ଖଣ୍ଡେ କ୍ଷୁଦ୍ର ଗଳ୍ପ ସଞ୍ଚୟନ ପ୍ରକାଶିତ ହେଲା । ଗଳ୍ପଗୁଡ଼ିକ ସହିତ କେତୋଟିରେ କେତେକ ବାସ୍ତବ ଘଟଣାର ସମ୍ପୃକ୍ତି ଅସ୍ଵୀକାର କରିହେବ ନାହିଁ । ମୋ ଜାଣିବାରେ ବା ମୋ ଅନୁଭୂତିରୁ କହୁଛି ଯେ, ଲେଖା ଭିତରେ ଲେଖକ ସ୍ଥଳବିଶେଷରେ ଆତ୍ମପ୍ରକଟ ହେବା, ବୋଧହୁଏ ସ୍ଵାଭାବିକ । ଅନୁଭୂତିର ଛାୟା ଯେଉଁ ଯେଉଁ ସ୍ଥାନରେ ରେଖାପାତ କରିଥାଏ, ସେହି ସେହି ସ୍ଥାନର ରଙ୍ଗ ଟିକିଏ ନିଆରା । ଏଇଠି ପୂରାପୂରି ନୋହିଲେ ବି, ଲେଖକର ବୁକୁଭରା କାଣିଚାଏ ହେଲେ ଊଣା ହୁଏ, ଲେଖା ଭିତରେ । ବିଶେଷକରି ଜଣାଣ ଓ ଭଜନ ଲେଖାରେ ମୁଁ ଏକ କାହିଁକି, ପାଠକ ଓ ଶ୍ରୋତାଙ୍କ ତୁଣ୍ଡରୁ ଏକଥା ମୁଁ ଶୁଣିଚି, ବାରିଚି । ପୁରୀରେ ଲେଖିଥିବା ଏ ଗଳ୍ପ ବହିଟିର ନାଆଁ ରଖିଲି ‘ବନଫୁଲ’ । ସ୍ଵର୍ଗତ ଚରଣବାବୁ (ରାଧାଚରଣ ପଟ୍ଟନାୟକ, ଜମିଦାର) ମୋର ଖଣ୍ଡିଏ ଗୀତ ବହି ଛପାଇ ଦେଲେ । ବହିଟିର ନାମ ‘ସଙ୍ଗୀତ ସାର’-

 

ପୁରୀବାସୀ ସମ୍ପାଦନା :

 

ସ୍ଵର୍ଗୀୟ ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠ ମହାଶୟ ଏହି ସମୟରେ ‘ପୁରୀବାସୀ’ ସାପ୍ତାହିକ କାଗଜ ଖଣ୍ଡିଏ ବାହାର କରୁଥାଆନ୍ତି । ତାଙ୍କର ଅନୁରୋଧକ୍ରମେ ଅବୈତନିକ ଭାବେ ‘ପୁରୀବାସୀ’ର ସମ୍ପାଦନା ଭାର ନେଲି (୧୯୨୬–୨୭) । କାଗଜର ଟିକିଏ ଆଦର ବଢ଼ିବା ଦେଖି ମହାମହୋପାଧ୍ୟାୟ ମୋର ପ୍ରଶଂସା ଗାଇ ବୁଲିଲେ । ଯହିଁତହିଁ ତାଙ୍କର ଏଇ ପ୍ରଶଂସାଟା, ମୋର ଶତ୍ରୁ ବୃଦ୍ଧି କଲା । ଗାୟକ ଭାବେ ପୁରୀରେ ପ୍ରସିଦ୍ଧି, ସମ୍ପାଦକ ଭାବେ ସୁଖ୍ୟାତି ଓ ରାଜ ସମାଦର ଲାଭହେତୁରୁ କେତେକ ମହଲରୁ ମୁଁ କ୍ରମଶଃ ଚକ୍ଷୁଶୂଳ ହୋଇ ଉଠିଲି ।

 

ରଜାଘର :

 

ଶ୍ରୀନହର–ପୁରୀ । ଏଠା ଚାକିରି କାଳଟା ଏକପ୍ରକାର କଟୁଥାଏ–ଯେମିତି ଗୋଟାଏ ଫୁଲାଫାଙ୍କିଆ ଜୀବନ ! ସେତେବେଳେ ରାଜା ଥାଆନ୍ତି ଗଜପତି ରାମଚନ୍ଦ୍ର ଦେବ । ରାଣୀ ଶ୍ରୀମତୀ ରହସ୍ୟ ମଞ୍ଜରୀ–ଡାକନାମ ‘ମଣି’ । ରାଜା ରାମଚନ୍ଦ୍ର ଦେବ ବାମଣ୍ଡା ରାଜବଂଶରୁ ପୋଷ୍ୟପୁତ୍ର ରୂପେ ଆସି ଗାଦିରେ ବସି ଥାଆନ୍ତି । ସେଠି ଥିଲେ ସେ ‘ମୋହିନୀ ମୋହନ’–ରାମଚନ୍ଦ୍ର ହେଲେ ମୁକୁନ୍ଦ ଦେବଙ୍କ ପୋଷ୍ୟପୁତ୍ର ହୋଇ । ହେଲେ କଅଣ ହେବ, ଗୋଳମାଳ ବହୁତ ଲାଗିଲା ଏ ବାବଦରେ । ମୁକୁନ୍ଦଦେବ ‘ଖଣ୍ଡୀ’ ବୁଦ୍ଧିରେ ‘ବସଉଠ’ ହେଉଥିଲେ ବୋଲି ଲୋକେ ନାକ ଟେକୁଥିଲେ । ତା’ର ଗୋଟିଏ ନମୁନା ଦେଉଚି–

 

ସାଇଯାତ :

 

ଆଜି ସିନା ପ୍ରାୟ ନାହିଁ–ଆଗେ ପୁରୀରେ ‘ସାଇଯାତ’ ଖୁବ ଆଡ଼ମ୍ବରରେ ପାଳୁଥିଲେ ଲୋକେ । ଯାହା ଦୁଆରେ ଯାତ୍ରାକାଳିଏ ପହଞ୍ଚି ଯାଆନ୍ତି, ତାହାର ଗୁଣ ବଖାଣ ପ୍ରାୟ କରନ୍ତି ଗୀତରେ । ସେ ଗୀତ ଭିତରେ ଲୋକର ଦୋଷ ଦୁର୍ବଳତା ମଧ୍ୟ ବୟାନ ହୋଇଥାଏ; କିନ୍ତୁ ତାକୁ ଧରି ବସନ୍ତି ନାହଁ କେହି, ଓଲଟି ଖୁସି ହୁଅନ୍ତି ।

 

କଳା ବା ରହସ୍ୟ ବିଚାରରେ ଏଗୁଡ଼ାକ ଗୃହୀତ ହୋଇଥାଏ ବୋଲି ମୋର ମନେହୁଏ-। ଏଇଟା ଲୋକଙ୍କର ସରସତା । ଏଭଳି ନମୁନା ଲୀଳାଯାତ୍ରା ଦଳରେ ବି ପୂର୍ବେ ଚଳୁଥିଲା । ଆଜି ସେଭଳି ଲେଖାଲେଖିଲେ କି ସେପରି ଗୀତ ଗାଇଲେ ବା କଥା କହିଲେ, ଆଇନ ଅଦାଲତ ଯାଏ ଯିବ ସିନା; ସେତେବେଳେ କିନ୍ତୁ ଲୋକ ଥିଲେ ରସିକ–ଗ୍ରାହକ । ଏଇ ‘ରସିକ’ ଶବ୍ଦର ଅର୍ଥ ଫଟା–ବିସିନି ନୁହେଁ–ରସ–ଗ୍ରାହକ । ସେଇକାଳର, ମାନେ କହିବେ, ମୋ କଥା ନିରାଟ ସତ । ମୋର ଏଇ କେତୋଟି ଗୀତରୁ ଟିକିଏ ଅଧେ ବେଶ୍‌ ହେତୁ ଅଛି । ସୁଆଙ୍ଗର ନଟନଟୀ କେମିତି ବେଶ ପିନ୍ଧି, କିଭଳି ପାଦ ପକାଇ ନାଚି ନାଚି, ଲୋକଙ୍କ ଗହଳି ଆଡ଼େଇ ଆଡ଼େଇ ସଭା (ନାଟ୍ୟସ୍ଥଳୀ)କୁ ଆସୁଥିଲେ, କିପରି ବାଜା ବାଜୁଥିଲା–ସବୁକଥା ଆଖି ଆଗରେ ନାଚିଯାଉଚି । ମନହେଉଚି ସେଗୁଡ଼ାକ ଉଗାଳି ଦିଅନ୍ତି ହେଲେ କାଳକୁ ଚାହିଁ–ପଛେଇ ଯାଉଛି । ବାକି, ଲୋକେ ଏବେ ସହିବେ ନାହିଁ, ସହି ପାରିବେ ନାହିଁ–ମୁଁ ଏକଥା ଅଙ୍ଗେ ଲିଭେଇଛି । ତା'ର ସାକ୍ଷ୍ୟ ଦେବାକୁ ଏବେ ବି କେହି କେହି ବଞ୍ଚି ରହିଛନ୍ତି-

 

ସେ ବେଳର ଯାତ୍ରାରୁ ପଦେ ଅଧେ କହୁଛି ଏଠି କଥା ପ୍ରସଙ୍ଗରେ । ପାଠକଙ୍କୁ ହାତ ଯୋଡ଼ି କ୍ଷମା ମାଗୁଚି–ଏ ପୁନରାବୃତ୍ତି ଅର୍ଥାତ୍‌ ‘ପଇଟା ପାଠ’ ଆଉଥରେ କହୁଚି ବୋଲି ରୋଷ ନ ବହି ଦୋଷ କ୍ଷମା କରିବେ । ଅବଶ୍ୟ ମୁଁ ଗୀତର ସବୁଟା ବାଢ଼ୁ ନାଇଁ–ବେଳକାଳକୁ ଚାହିଁ ।

 

ଯାତ୍ରାରେ ପଠାଣ ଓ ଗଉଡୁଣୀ ଦିହେଁ ସୁଆଙ୍ଗ କରୁଛନ୍ତି ଲୋକ ଥାଟପଟାଳି । ଥୋକେ ଆଖପାଖ ବର, ଓସ୍ତ ଓ ଆମ୍ବଗଛମାନଙ୍କରେ ଚଢ଼ି ମାଙ୍କଡ଼ ପରି ଲାଖି ରହି ଟାକି ରହିଛନ୍ତି ସୁଆଙ୍ଗିଆଙ୍କୁ ।

 

ଦହି ପସରା ମୁଣ୍ଡେଇ ଗଉଡୁଣୀ ଆସିଲା–ସେ ଆସିବାବେଳକୁ ‘ପଠାଣ ଟୋକା ବାହାରି ପଡ଼ିଛି, ପାଇଜାମା, ଉଓଷ୍ଟକୋଟ୍‌, ମୁଣ୍ତରେ ଧଳାଟୋପି, ଓଠତଳେ ଅଳ୍ପ ଦାଢ଼ି ଇତ୍ୟାଦି ଇତ୍ୟାଦି ବେଶ ସାଜି । ଗଉଡୁଣୀ ମଧ୍ୟ ବାହୀଚୁଡ଼ି, ନଥ, ବେଶର, ଗୁଣା, ଦଣ୍ଡି, ତାହିତ, ଚନ୍ଦ୍ରହାର ଇତ୍ୟାଦି ମଣ୍ଡିହୋଇ ଚଣ୍ଡୀପରି ମାଡ଼ି ଆସୁଛି, ବାଟ ଓଗାଳିଲା ପଠାଣଟୋକା । ଗଉଡୁଣୀ ଦି’ପଦ ଗୀତ ଗାଇ ତାକୁ ତା’ ବଂଶର ଗୁଣଗ୍ରାମ ଶୁଣାଇ ଦେଲା । ମନେଅଛି ସେ ଗୀତ ଯେ–“କହିବି ନାଇଁ, କହିଲେ ଘରେ ରହିବି ନାଇଁ ! –ରାଗିଉଠିଲା ପଠାଣ ଟୋକା । ସେଇଠୁ କହିଲା–“ହାରମଜାଦୀ ଖୱାଲିନୀବେ ମିଜ୍‌କୁ କ୍ୟା ବୋଲା ?” –ସେ ଏକ ଚାରି ପାଞ୍ଚପଦିଆ ଗୀତ ପଦକୁ ପଦ ଚଢ଼ାଉତାର ବା ‘ଲଢ଼ୋଉ’ ଗୀତ । ସେଥିରୁ ପଦଟିଏ ଓଡ଼ିଆ ତ ପଦେ ହିନ୍ଦୀ ଭାଷା-। ୟାକୁ କହନ୍ତି ‘ଖୋରଟା’ କଥା । ଏହାର କବି, କଳାକାରମାନେ ଧନ୍ୟ ଧନ୍ୟ ବୋଲାନ୍ତି । ହସରେ ଦିଗ ଫାଟି ପଡ଼େ । କେହି ଗୀତର କଥାକୁ ‘ପରମତୁଟ’ ଭାବେ ନିଅନ୍ତି ନାହିଁ । ଏକାନେ ପଶି କଥାଗୁରା ସେକାନେ ବାହାରିଯାଏ–ନାଆଁଟା ପରା ରଙ୍ଗ–ରହସ୍ୟ, ତେଣୁ ।

 

ସେଇମିତି ସାଇଯାତ ଗୀତକୁ କେହି ମନରେ ଧରୁ ନ ଥିଲେ, ରହସ୍ୟରେ ଉଡ଼ାଇ ଦେଉଥିଲେ । ‘ଧନ୍ୟ ମହାରାଜା ପୋଷିଲ ଗୋଟାଏ ଖଣ୍ଡୀ’ ... ଗୀତ ସାଇଯାତରୁ ଶୁଣାଯାଉଥିଲା, ମହାରାଜା ମୁକୁନ୍ଦଦେବଙ୍କ କାଳରେ ।

 

ମହାରାଜା ରାମଚନ୍ଦ୍ର ଦେବ ପହିଲେ କେତେକାଳ ସମୁଦ୍ରକୂଳ ‘ଭାଦୁଡ଼ିଲାଜ’ରେ ରହି, ପରେ ଶ୍ରୀନଅରକୁ ବିଜେ କଲେ । ବାମଣ୍ଡାରୁ ତାଙ୍କ ସାଥିରେ ରହିଥିଲେ ଜଣେ ବିଶ୍ଵସ୍ତ କର୍ମଚାରୀ ସ୍ଵର୍ଗୀୟ ବିପିନ ଗୁପ୍ତ । ପଛେ ଜୁଟିଲେ ଜଣେ ବିହାରୀ–ରାମ ସହାୟ । ସେ ହେଲେ ରାଜାଙ୍କର ପର୍ଶନାଲ୍‌ ଆସିଷ୍ଟାଣ୍ଟ୍‌ ।

 

ଶ୍ରୀମନ୍ଦିର ଅଫିସରେ କାମ କରିବା ଛଡ଼ା ମୁଁ କୋର୍ଟ ପୋଏଟ୍‌ ଓ ମ୍ୟୁଜିସିଆନ ଭାବରେ ମଧ୍ୟ ଗଜପତିଙ୍କ ସଭାରେ ଥିବାବେଳେ ତା ୫।୧୦।୨୭ ରିଖରେ ଶ୍ରୀଜୀଉଙ୍କ ଛାମୁରେ ସେତାର ବାଦନ ଓ ଚାମର ସେବାର ନିଯୋଗ ପାଇଲି । ଏତେବେଳକୁ ମୁଁ କବିଚନ୍ଦ୍ର ଉପାଧି ଲାଭ କରିସାରିଥିଲି । ସ୍ଵର୍ଗୀୟ ରାୟବାହାଦୁର ରାଜକିଶୋର ଦାସ ଦେୱ୍ୱାନଙ୍କ ପାଖେ, ବୁଢ଼ା ପେସ୍କାର ଥା’ନ୍ତି ମୁକୁନ୍ଦ ପଟ୍ଟନାୟକେ । ମହାରାଜା ହେଲେ ଟେମ୍ପଲ୍‌ ସୁପରିନଟେଣ୍ଡେଣ୍ଟ୍‌ । ମନେପଡୁଛି ଦିନକର ଗୋଟାଏ ରହସ୍ୟ କଥା । ସେବକ ବା ନିଯୋଗମାନଙ୍କ ପାଖକୁ ନାନାକାର୍ଯ୍ୟରେ ଆଦେଶନାମା ବା ହୁକୁମନାମା ପଠାଯାଏ ନଅର କଚେରିରୁ । ତହିଁକି ଲେଖନକାର ମୁକୁନ୍ଦପେସ୍କାର । ମହାରାଜା ମୁକୁନ୍ଦଦେବଙ୍କ ଅମଳରେ ମନ୍ଦିର ପରିଚାଳନା ପାଇଁ ସରକାର ତରଫରୁ ନିଯୁକ୍ତ ହେଉଥିଲେ ଜଣେ ପଦସ୍ଥବ୍ୟକ୍ତି । ତାଙ୍କୁ କୁହାଯାଉଥିଲା ଟେମ୍ପଲ୍‌ ମ୍ୟାନେଜର । ମୁକୁନ୍ଦ ପେସ୍କାର ସେହି ସମୟର କର୍ମଚାରୀ । ସେ ଲେଖି ଆସିଛନ୍ତି ହୁକୁମନାମାରେ–

 

“ହୁ, ଶ୍ରୀଯୁକ୍ତ ଟେମ୍ପଲ ମେନେଜର”

 

ଆଜି ତ ପାଟ ବଦଳ ହେଲାଣି । ରାଜା ଖୋଦ୍‍ ମନ୍ଦିର ଚଳାଇଲେ ଏବଂ ବୋଲାଇଲେ ‘ଟେମ୍ପଲ୍‌ ସୁପରିନଟେଣ୍ଡେଣ୍ଟ୍’ । ଏ ଶବ୍ଦଟା ଲେଖିବାକୁ ଅଡ଼ୁଆ ହେଲା । ବୟସ କଳନାରେ ମୁକୁନ୍ଦ ପେସ୍କାର ମୋତେ ନାତି କରି ବସିଥିଲେ । ଦିନେ ମୋତେ ପଚାରିଲେ–‘‘ହଇଓ ନାତି ! କ’ଣ ଲେଖା ହେବ ହୁକୁମନାମାରେ ?’’

 

ମୁଁ କହିଲି–ସୁପରିନଟେଣ୍ଡେଣ୍ଟ୍‌ ବୋଲି ଲେଖା ହେବ । ବୁଢ଼ା ଲେଖି ଆଣିଲେ–‘ହୁ, ଶ୍ରୀଯୁକ୍ତ ସୁପ୍ରଡ଼ଣ୍ଟ’ । ହସି ହସି ରାଜାଙ୍କ ପାଖକୁ ନେଇଗଲି ସନ୍ତକ କରିବା ପାଇଁ; ପଢ଼ି ରାଜାଙ୍କୁ ଶୁଣାଇ ଦେଲି । ଯେତେକ ହସି, କହିଲେ–ଯା’ ଆଉଥରେ ତାଙ୍କୁ ବତାଇଦିଅ । ଯାଇଁ ଶୁଆକୁ ପଢ଼ାଇଲା ପରି ଦି’ଚାରି ଦଫା ରଟାଇଲି । ଏଥର ସଂଶୋଧନ କରି ଲେଖି ଆଣିଲେ–‘ହୁ ଶ୍ରୀଯୁକ୍ତ ସୁପରିଡଣ୍ଟ ।’’

 

ରାଜାଙ୍କୁ ଦେଖାଇଲି–ନିଜେ ପଢ଼ି ଶୁଣାଇଲି । ପେସ୍କାରଙ୍କ ଯୋଗ୍ୟତା ଦେଖି ରାଜା ପରମ ସନ୍ତୋଷ ଲାଭକରି ହୁକୁମନାମା ଉପରେ ଟଙ୍କାଟିଏ ଜରିମାନା କଲେ ।

 

ପୁଣି ନେଇଗଲି । ଏଥର ଭଲକରି ଘୋଷାଇ ଦେଲି–‘ସୁପରିନଟେଣ୍ଡଣ୍ଟ’ । “ଏଇ ଥରକ ଠିକ୍‌ କରି ଲେଖି ଆସୁଚି ବୋଲି କହି ପେସ୍କାରେ ଶୁଦ୍ଧ ଭାବରେ ବଡ଼ ବଡ଼ ହରପରେ ଲେଖି ଆଣିଲେ–‘ହୁ’ ଶ୍ରୀଯୁକ୍ତ ସୁପରିନେଣ୍ଡଦେଣ୍ଟ । ତାଙ୍କୁ କିଛି ନ କହି ରାଜାଙ୍କ ପାଖକୁ ନେଇଗଲି ଏବଂ କହିଲି, “ମଣିମା, ସୁପରିନେଣ୍ଡଦଣ୍ଟ ! ସ୍ଵାକ୍ଷର କରିବାକୁ ଅବଧାନ ହେଉ ।’’

 

ଓଃ ! ହସରେ ନହର ଦୁଲୁକି ଉଠିଲା । ପେସ୍କାରବାବୁଙ୍କୁ ଜରିମାନା ହେଲା ପାଞ୍ଚଟଙ୍କା ।

 

ବୁଢ଼ା ବିଚାରା, ଦରମା ପଚିଶି ଟଙ୍କା ମାତ୍ର, ଏ ଜରିମାନା ହୁକୁମରେ କାନ୍ଦ କାନ୍ଦ ହୋଇଗଲେ । ମୁଁ ଫେର୍‌ ଦଶ ବାରଥର କାଗଜରେ ଲେଖାଇ, ଠିକଣା କରାଇ ଦେଲି । ଜରିମାନା କାଟ ହୋଇଗଲା । ରାଜକିଶୋରବାବୁ ତ ଗ୍ରାହକ ଲୋକ । ସେ ଶୁଣି ହସ ସମ୍ଭାଳି ପାରିଲେ ନାହିଁ-। ସେଦିନ ରାତିରେ ବେହରଣ ମଣ୍ଡପରେ ନିତିଦିନିଆ ପଶାଖେଳ ଭାଗୁଆଳି ଯଥା–ଜଗତାନନ୍ଦ ମହାନ୍ତି (ସେତେବେଳେ ଗୁରୁ ଇଷ୍ଟେଟ୍‌ମ୍ୟାନେଜର) ବାସୁଦେବ କାନୁନ୍‌ଗୋ (ଲବଣୀଖିଆ, ପୁରୀ, ସରଳା ଦେଈଙ୍କ ବାପା), ଜୟକୃଷ୍ଣ ରାୟଗୁରୁ (ବାଲିସାହି) ଆଉ ଖୋଦ୍‌ ମହାରାଜା–ଖେଳି ବସିବାଠାରୁ ଖେଳ ସରିବାଯାଏ, ପେଟ ପୂରେଇ ହସିଛନ୍ତି ଏଇ କଥାରେ । ମୋତେ ତ ପଶା ଖେଳି ଆସେ ନାଇଁ–ମୁଁ କେବଳ ମୂକସାକ୍ଷୀ, ଆଉ ମଝିରେ ମଝିରେ ଥଟ୍ଟା କରି କାଠି ଗଡ଼ାଇବାକୁ ରାଜାଙ୍କୁ ‘ପକାଇବା ହେଉ ‘ସୁପରିନେଣ୍ଡଦେଣ୍ଟ’ ମଣିମା, ବୋଲି କଥାଟାକୁ ପୁରୁଣା–ନୂଆ କରିଦିଏଁ-। ଚାରି ଖେଳୁଆଡ଼, ଆଜି ସ୍ଵର୍ଗବାସୀ ।

 

ସେତାରୀ ଗୋପାଳ ଘୋଷ :

 

ନଅରରେ ନିତି ରାତିକି ଖେଳ ହୁଏ, ଗୀତ ବି ହୁଏ । ଦିନେ ଦିନେ ଡକରା ପାଇ ଆସନ୍ତି ସେତାରୀ ଗୋପାଳବାବୁ । ଏଇ ଗୋପାଳବାବୁଙ୍କୁ ହୁଏତ ଲୋକେ ପାସୋରି ଗଲେଣି, ଚେତାଇ ଦେବାକୁ ପଦେ ଅଧେ କହୁଛି ।

 

ଦିନେ ମେଦିନିପୁରର ପଞ୍ଚେଟଗଡ଼ ଥିଲା ଗୋଟିଏ ସଙ୍ଗୀତ ପୀଠ, ଏକଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେବର ଜମିଦାର ଯାଦବେନ୍ଦ୍ରବାବୁ (କିଛିକାଳ ମନ୍ଦିର ପରିଚାଳନା ଦାୟିତ୍ଵରେ ଥିବାର ଶୁଣିଚି) ଜଣେ ସଙ୍ଗୀତର ପୃଷ୍ଠପୋଷକ, ସଙ୍ଗୀତଜ୍ଞ ଓ ବିବିଧ ଯନ୍ତ୍ର ସାଧକ ଥିଲେ । ଗୋପାଳବାବୁ ତାଙ୍କରି ଛାତ୍ର । ପ୍ରସିଦ୍ଧ ସେତାର ବାଦକ ଥିଲେ ସେ । ଆମ ଏଠି କଳାକାର ତ ଭୋଖା ମରେ । ବିଶେଷତଃ ସେତେବେଳେ ଆଜିକାଲିକା ପରି ସଙ୍ଗୀତର, ପୁଣି ସେତାରର ସେତେ ଚର୍ଚ୍ଚା ବା ଆଦର ନ ଥିଲା । ବରଂ ଗାଇବା, ବଜାଇବା ଲୋକ ‘ଛତରା’ ଉପାଧିରେ ଭୂଷିତ ହେଉଥଲା । ସ୍ଵର୍ଗୀୟ ଗୋପାଳବାବୁ ସୁବିଧାରେ ଚଳି ପାରୁ ନ ଥିଲେ । ଟେମ୍ପଲ୍‌ ମ୍ୟାନେଜର ସଖୀଚାନ୍ଦବାବୁ ଗୋପାଳବାବୁଙ୍କୁ ଶ୍ରୀମନ୍ଦିର ‘ଗେରଦ’ ବା ‘ଗାରଦ’ରେ ଖଣ୍ଡିଏ ଚାକିରି ଦେଲେ । ଗୋପାଳବାବୁ ପ୍ରସିଦ୍ଧ ସେତାରୀ । ତାଙ୍କୁ ଚାକିରି କରିବାକୁ ହେଲେ ଟେମ୍ପଲ ଗାରଦଘରେ । ଟେମ୍ପଲ ବରକନ୍ଦାଜ ବା ପୁଲିସ ବିଭାଗର ଜମାଦାର ରୂପେ । ଏଇଥିରୁ ପାଠକେ କଳାକାରର ଦଶା ବିଚାର କରିବେ । ଉପାୟନ୍ତର ନ ଦେଖି ସଦୟ ହୃଦୟ ସଖୀଚାନ୍ଦ ତାଙ୍କୁ ଏଇ ଚାକିରି ଦେଇ ଦାନା ଗଣ୍ଡିଏ ଖଞ୍ଜି ଦେଇଥିଲେ । ଗୋପାଳବାବୁ ଦିଅଁଙ୍କ ପାଖେ ସେତାର ଶୁଣାନ୍ତି, ବେଳେ ବେଳେ ସେତାର ସହିତ ସଙ୍ଗୀତ ଯନ୍ତ୍ରପାଇଁ ଦୁଇଟି ବାୟାଁ ତାବଲା କିଣା ହୋଇଥିଲା । ସେ ଦୁଇଟି ରଜାଙ୍କଠୁ ମାଗିଆଣି ମୁଁ ଏବେ ଗଣ୍ଠିଧନ କରି ସାଇତି ରଖିଛି ୧୯୨୬ ସାଲରୁ । ଗୋପାଳବାବୁ ଗାରଦ ଚାକିରିରୁ ବେତନ ପାଆନ୍ତି; କିନ୍ତୁ ଦିଅଁଙ୍କ ପାଖେ ସେତାର ବଜାଇ ଶୁଣାଇବା ତାଙ୍କର ଦୈନନ୍ଦିନ ନିଯୁକ୍ତି ।

 

ଦିନେ ଦିନେ ଗୋପାଳବାବୁଙ୍କୁ ଛାମୁ ଡକରା ପଡ଼େ । ମୋର ତାଙ୍କ ସହିତ ପରିଚୟ, ବହୁକାଳୁଁ । ସେ ମୋର ଗୁରୁଭାଇ । ମୁଁ କାନ୍ଥି ପଞ୍ଚେଟଗଡ଼ ଘରର ଶିଷ୍ୟ ରୂପେ କିଛିକାଳ କଟାଇଥିଲି, ଗୀତ ଓ ଏସ୍ରାଜ ଶିକ୍ଷାର୍ଥୀ ହୋଇ । ଗୋପାଳବାବୁ ଆସନ୍ତି, ସେତାର ବଜାନି । ଯେତେବେଳେ ରାମଚନ୍ଦ୍ରଦେବ ଓ ପୂର୍ବ ବର୍ଣ୍ଣିତ ତିନିସାଥୀ ଯାକ ନହର ଛାତ ଭାଙ୍ଗୁଥାନ୍ତି ‘କଚେ ବାଆର’ ଇତ୍ୟାଦି ରଡ଼ିରେ; ବିଚାରା ଗୋପାଳବାବୁଙ୍କ କୃତିତ୍ୱ ନିବେଦନ ସେତିକିବେଳେ । କି ବେଦନା ଯେ ସେ ଅନୁଭବ କରନ୍ତି, ସେକଥା କହିହେବ ନାହିଁ । କଳା ଏଇମିତି କିଣାବିକା ହୁଏ, ପେଟ ଚାଖଣ୍ଡକ ପାଇଁ ସିନା !

 

ରାତି ଦଶଟା ଏଗାରଟା ବେଳକୁ ଖେଳ ଭାଙ୍ଗେ । ବିଚାରା ଗୋପାଳବାବୁ ମୁକ୍ତିର ନିଃଶ୍ୱାସ ମାରନ୍ତି । ତାଙ୍କର ଗଲା ଅଇଲା ଖବର କେହି ରଖନ୍ତି ନାହିଁ କେବେହେଲେ । ଦୁଃଖରେ ଦୁହେଁ କଥାବାର୍ତ୍ତା ହୋଇ ନଅର ଘୋଷରା ପାହାଚ ପାରିହେଉଁ ଆଉ କେବଳ ନୀଳଚକ୍ର ଓ ବଡ଼ଦାଣ୍ଡକୁ ସାକ୍ଷୀ ରଖି ।

 

ବିଚାରା ରହିପାରିଲେ ନାହିଁ ବଡ଼ ଦେଉଳରେ ବେଶି କାଳ ଆଉ । ସ୍ଵର୍ଗୀୟ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଚୌଧୁରୀ ଓଡ଼ିଶାରେ ସଙ୍ଗୀତ ବିଦ୍ୟାଳୟର ପ୍ରତିଷ୍ଠାତା । ସିଏ ଗୋପାଳ ବାବୁଙ୍କ କଦର ବୁଝି କଟକ ଘେନିଗଲେ ।

 

ଗଜପତିଙ୍କ ସଙ୍ଗୀତ ପ୍ରୀତି :

 

ରାମଚନ୍ଦ୍ରଦେବ ସେତାରର ଗୁଣ ଯେ କିଛି ବିଶେଷ ବୁଝନ୍ତି, ସେକଥା ନୁହେଁ, କିନ୍ତୁ ଗୀତକୁ ତାଙ୍କର ଟିକିଏ ଆଦର ଥିଲା । ପୁରୁଣା ଗୀତ, ପୁରୁଣା କବି, ଓଡ଼ିଶୀ ସ୍ଵର ବା ଗାୟକୀ ଢଙ୍ଗକୁ ସେ ସୁଖ ପାଉଥିଲେ । ଏଥିପାଇଁ ସେ ମୋତେ ବଡ଼ ସମାଦର କରୁଥିଲେ । ମୋର କେତେ ଗୀତ ରଚନାରେ ତାଙ୍କ ନାଆଁ ଭଣତି କରାଯାଇଅଛି । ବାମଣ୍ଡା ରାଜବଂଶର ସୀତାକାନ୍ତବାବୁ ଜଣେ ସଙ୍ଗୀତକୁ ଆଦର କଲାବଲା । ଅନେକ ସମୟରେ ସେ ଆସି ପୁରୀ ନହରରେ ମାସ ମାସ କାଳ ରହନ୍ତି, ଗୀତ ଚର୍ଚ୍ଚା ହୁଏ । ମୋହିନୀ ମୋହନ ଦେବ ବେଳୁଁ ରଜାଙ୍କ ସାଥୀ ବା ବନ୍ଧୁ ସେ ।

 

ରାଜକିଶୋରବାବୁ ଜଣେ ଗୀତର ରସ-ଭାବର–ପ୍ରବୀଣ ରସିକ । ଖାଲି ରସିକ ବୋଲି କହିଲେ ତାଙ୍କ ପ୍ରତି ଠିକ୍‌ ବିଚାର ହେବ ନାହିଁ, ସେ ଜଣେ ପକ୍‌କା ସମଝଦାର । ବେଳେବେଳେ ଗୋଟିଏ ଗୋଟିଏ ଗୀତରେ ସେ ଆତ୍ମହରା ହେଇପଡ଼ିବାର ଦେଖିଛି ମୁଁ । ରାଜାଙ୍କର ସଉକି ଥିଲା ଆଖଡ଼ା ପିଲା ବା ଗୋଟିପୁଅ ନାଚରେ । ସେଥିପାଇଁ ପୁରୀକି ଯେ ଯେମିତି ଗୋଟିପୁଅ ଦଳ ଆସନ୍ତି, ସେମାନେ ନଅରରୁ ଡାକରା ପାଆନ୍ତି । ସେ ଦିନମାନଙ୍କରେ ପଶାପାଲି ମୁଦ ହୋଇ ରହେ । ଡ୍ରାଇଭର୍‌ ବିଶ୍ଵମ୍ଭର ସିଂହ ଓ ଭିତିରିଆ ପିଲା (ପାଖଲୋକ ବା Personal Serevant) କାର୍ତ୍ତିକର ଛୁଟି ସେସବୁ ଦିନମାନଙ୍କରେ ।

 

ଆଖଡ଼ା ପିଲା ଦଳ :

 

ସବୁ ତ ଯୋଗାଯୋଗ । କଟକ ଜିଲ୍ଲାର ଆରଡ଼ିଆପଦା ଗ୍ରାମର ସୋମନାଥ ମହାପାତ୍ରେ ଗୋଟିଏ ଗୋଟିପୁଅ ଆଖଡ଼ା ଦଳ କରିଥାଆନ୍ତି । ସେ ଥରେ ପୁରୀ ଆସିଥିଲେ । ଝୁଲଣବେଳେ ଶ୍ରୀନହରରେ ତାଙ୍କର ଡାକରା ପଡ଼ିଲା । ବାସ୍ତବରେ ସେ ଭଲ ଦଳ ଗଢ଼ି ଥାଆନ୍ତି । ସୋମନାଥ ମହାପାତ୍ରେ ଶ୍ୟାମସୁନ୍ଦର ନାଆଁରେ ମଧ୍ୟ ପରିଚିତ । ଶ୍ୟାମସୁନ୍ଦର ନାଆଁରେ ଭଣତି ହୋଇଥିବା କେତୋଟି ଗୀତ ତାଙ୍କ ଦଳର ପିଲାଏ ଗାଇଲେ । ଆଙ୍ଗିକ, ବାଚିକ, ଆହାର୍ଯ୍ୟ ଓ ସାତ୍ତ୍ୱିକ–ଚାରିଭାଗ ବେଶ୍‌ ମନମାନିଆଁ । ନାଟ ଭାଙ୍ଗିଲା । ଆଗରେ ରାଜକିଶୋରବାବୁ ଓ ପଛରେ ମୁଁ ବଡ଼ ଦାଣ୍ଡେ ଦାଣ୍ଡେ ବସାକୁ ବାହୁଡ଼ିଥାଉଁ । ନାଟ ସମ୍ବନ୍ଧେ ମୋର ମନ୍ତବ୍ୟ ପଚାରିବାରୁ ମୁଁ ବଡ଼ ପ୍ରଶଂସା କଲି । ମନକଥା ତାଙ୍କ ମନେ ମନେ ରଖିଲେ ସେ । ବଡ଼ ଗହୀରିଆ ଲୋକ ତ !

 

ଦିନାକେତେ ପରେ ସେଇଦଳ ରାଜାଙ୍କ ଦଳରୂପେ ଜଟଣୀ ରାଜ କଚେରି ଘରେ ପୋଷାକି ହେଲେ । ମଝିରେ ମଝିରେ ସେମାନେ ଆସନ୍ତି । ନାଚ ହୁଏ ଦୁଇ ଚାରି ରାତି ନଅରରେ-। ମହାପାତ୍ରେ ଓଡ଼ିଶୀ ନାଚ ସମ୍ବନ୍ଧରେ ଅନେକ କଥା ଜାଣିଥିଲେ । ମୁଁ ବି ବେଳେବେଳେ ଜଟଣୀ ଯାଏଁ । କେତେ ଗୀତର ଅଭିନୟ ବତାଏଁ । ଜାଆଁଳା ଗ୍ରାମର ସ୍ଵର୍ଗତ କବି ଗୌରକୃଷ୍ଣ ପଟ୍ଟନାୟକେ ଏଖରାଜମାହଲର ରାଜକର୍ମଚାରୀରୂପେ ସ୍ଥାନ ପାଇଥାନ୍ତି । ସେ ଜଣେ ଓଡ଼ିଶୀ ଗୀତ ଲେଖକ ଓ ଅଭିନୟ ଦକ୍ଷ ବ୍ୟକ୍ତି । ଏହିପରି ତିନିଜଣଙ୍କ ଯୋଗାଯୋଗରେ ମହାପାତ୍ରଙ୍କ ଦଳ ସେତେବେଳେ ଅତି ଉଚ୍ଚକୋଟିର ଆଖଡ଼ା ପିଲା ଦଳରୂପେ ଖ୍ୟାତି ଅର୍ଜନ କରିଥିଲା । ମନେଅଛି ଏଇ ମହାପାତ୍ରେ ହିଁ କହନ୍ତି–

 

‘‘ଉଠା, ବଇଠା, ଠିଆ, ଚାଲି

ବୁଢ଼ା, ଭସା, ଭଉଁରୀ, ପାଲି

ଓଡ଼ିଶୀ ନାଟର ଆଠ ବେଲି ।’’

 

ହୁରୁଷି ଥିଲା ତାବଲା ବାଦକ । ବଡ଼ ମିଠା ହାତ । ଏ ଦଳ ପାଇଁ ଅନେକ ଗୀତ ଲେଖିଲି ମୁଁ ।

 

ଜଗନ୍ନାଥ କ୍ଲବ :

 

କଥାଟା କେମିତି ଦରଦର କୁହାହୋଇ ରହିଯିବ । ପୁରୀର ସେତେବେଳର ନାଟ୍ୟକଳା ଚର୍ଚ୍ଚା ବାବତରେ ଦି'ପଦ ନ କହିଲେ । ଅତି ସଂକ୍ଷେପରେ ତେଣୁ ଠିକେ ଠିକେ ବୟାନ କରୁଛି । ଏ ସବୁର ବଡ଼ ଆଡ଼୍‌ଡ଼ା ହେଲା–‘ଜଗନ୍ନାଥ କ୍ଲବ’ ।

 

ରାମଚଣ୍ଡୀ ସାହିରେ, ରାମଚଣ୍ଡୀ ଠାକୁରାଣୀଙ୍କ ପଡ଼ିଶାରେ ଏଇ କ୍ଲବଟି ଖୁବ୍‌ ପୁରୁଣା । ସନ ୧୯୨୫।୨୬ ମସିହା ବେଳକୁ କ୍ଲବଟି ଖୁବ ଜମାଣିଆ ଅବସ୍ଥାରେ ଥାଏ । ମଝିରେ ମଝିରେ କ୍ଲବର ସଭ୍ୟମାନେ ନାଟକର ଅଭିନୟ ଦେଖାଉଥାନ୍ତି । ସଞ୍ଜବେଳେ କ୍ଲବ ଘରେ ପୁରୀର ଅନେକ ନାମୀଲୋକ ଏକାଠି ହୁଅନ୍ତି । ନାନା କିସମର ଖେଳ ହୁଏ ଓ ଗାଉଣା ବାଜଣା ଚାଲେ । ସଭ୍ୟମାନଙ୍କ ଭିତରେ ସ୍ଵର୍ଗତ ଜମିଦାର ରାୟସାହେବ, ଶିରୀଷଚନ୍ଦ୍ର ଘୋଷ, ସ୍ଵର୍ଗତ ରାମଚନ୍ଦ୍ର ଲାଲା, ସ୍ଵର୍ଗତ ହରିଚରଣ ମହାନ୍ତି, ଜମିଦାର ରାଧାଚରଣ ପଟ୍ଟନାୟକ, ଶ୍ରୀ ବୈଦ୍ୟନାଥ ଘୋଷ, ସ୍ଵର୍ଗତ ହରିବନ୍ଧୁ ମହାନ୍ତି, ସ୍ଵର୍ଗତ ମହେନ୍ଦ୍ର ଶରଣ ଘୋଷ, ସ୍ଵର୍ଗତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ (ମୁନସିଫ୍‌) ସ୍ଵର୍ଗତ ପରମାନନ୍ଦ ଦାସ ଏବଂ କୃଷ୍ଣ ଦାସ ମୁଖାର୍ଜୀ (Artist) ପ୍ରଭୃତି କେତେଜଣ ପ୍ରଧାନ । ଏଥିମଧ୍ୟରୁ ସ୍ଵର୍ଗତ ପରମାନନ୍ଦବାବୁ କ୍ଲବର ସବୁ କଥା ଦେଖାଶୁଣା କରୁଥାଆନ୍ତି । କ୍ଲବଟା ତାଙ୍କର ଅଧାଘର କହିଲେ ଚଳେ । ମନେ ଅଛି ସ୍ଵର୍ଗତ ମହେନ୍ଦ୍ର ଘୋଷ (ମହୀବାବୁ) ବରାବର ନାରୀ ଭୂମିକାରେ ଅଂଶଗ୍ରହଣ କରୁଥିଲେ । ନାରୀ ବେଶର ପୋଷାକପତ୍ର, ଗହଣାଗାଣ୍ଠି ନ ଫିଟାଇ ସେ ଟିକିଏ ଘରକୁ ନ ଗଲେ, ତାଙ୍କ ମନର ଓରିମାନ ମେଣ୍ଟେ ନାହିଁ । ରାମ ଲାଲ ଗାଉଥିଲେ ଭଲ-। କୃଷ୍ଣ ମୁଖାର୍ଜୀଙ୍କ ହାତର ସିନ୍‌ସିନାରୀ ଖଣ୍ଡିଆ ଦଣ୍ଡିଆ କେତୋଟି ବନକଛଡ଼ା ହୋଇ ଏବେ ଥିଲେ ଥାଇପାରେ ମଧ୍ୟ କ୍ଲବଟିରେ । ସେତେବେଳେ ପୁରୀରେ ସଙ୍ଗୀତ, ନାଟକ ଇତ୍ୟାଦିର ଜୋର ଚର୍ଚ୍ଚା ଥିଲା, ପ୍ରାୟ ସବୁ ସାହିରେ ।

 

ଗୋସାଇଁଙ୍କ ରାସ :

 

ମୋହନ ଗୋସାଇଁଙ୍କ ରାସର ପ୍ରସାର ଥାଏ ବେଶ୍‌ । ଭାଷା ବା ବଚନିକାର ବାହାଦୁରି ବେଶି ନୁହେଁ । ପୁରୁଣା କବିଙ୍କ କେତୋଟି ଗୀତ, ବିଶେଷତଃ ରାସସ୍ଵରର ଗୀତଗୁଡ଼ିଏ ଖଞ୍ଜା ହୋଇଥିବାରୁ ସାଧାରଣଲୋକଙ୍କର ମନଘେନା ହେଉଥାଏ । ଦଳରେ ତାଙ୍କର ଗଉରା, ବରଜା (ମରିଗଲେଣି) ସରସ ଥିଲେ । ଗୋସାଇଁଙ୍କର କୁହାତୁଣ୍ଡ । ଅଭିନୟ ଆରମ୍ଭରୁ ବଡ଼ ପାଟିରେ ବେଶ୍‌ ଚାରିପଦ କହି ଲୋକଙ୍କୁ ଭରଜେଇ ପାରୁଥିଲେ, ପଦେ ପଦେ କୀର୍ତ୍ତନ ଗୀତ ଗାଇବା ସହିତ-। ରାସ ପିଲାଏ ଫି ଏକାଦଶୀକୁ ଅଷ୍ଟପ୍ରହରୀ କରନ୍ତି । ଏକେ ତ ମୋହନ ଗୋସେଇଁ ପ୍ରଭୁସନ୍ତାନ (ନିତ୍ୟାନନ୍ଦ ପରିବାର)–ଶିଷ୍ୟ, ପ୍ରଶିଷ୍ୟ ଓ ତସ୍ୟଶିଷ୍ୟ ଅନେକ । ମଠ ମହନ୍ତମାନଙ୍କଠାରୁ ବି ସମ୍ମାନ ପାଉଥିଲେ । ଗୋଟିଏ ବଡ଼ ପାଟି ଥିଲା । ଗୀତ ଗାଇ ଆସର ଜମାଇପାରନ୍ତି-। ଦଳ ଗଢ଼ିପାରନ୍ତି । ସାଙ୍ଗକୁ ତାଙ୍କର ସୁଆର ସାହିରୁ ଓ ଅନ୍ୟାନ୍ୟ ସାହିରୁ ଥୋକେ ମିଶିଥିଲେ-। ରାସ ଅଭିନୟରୁ ସୁରୁଖୁରୁରେ ଦି’ପଇସା ଅର୍ଜନ ହେଉଥାଏ ତାଙ୍କର । କେତେକ ଗଡ଼ଜାତରେ ଖୁବ୍‌ ଖ୍ୟାତି ଥିଲା ଏଇ ରାସଦଳର ।

 

ବାବାଜୀ ବେଣୁଧର ଦାସ ମୋହନ ଗୋସାଇଁଙ୍କ ଭକ୍ତ ପାଲଟି ରାସବହି ଲେଖାରେ ଯଥେଷ୍ଟ ସାହାଯ୍ୟ କରୁଥିଲେ । ବେଣୁଧରଙ୍କ ସାହିତ୍ୟ ଜ୍ଞାନ ମନ୍ଦ ନ ଥିଲା । ଅନେକ ଗୀତ ସେ ନିଜେ ରଚନା କରୁଥିଲେ । ବହି ଲେଖାଲେଖି ବା ସେହିପରି କିଛି କାରଣରୁ ମନ ଫଟାଫଟି ହୋଇ ବେଣୁଧର ଅଲଗା ହୋଇଗଲେ । ଶେଷରେ ଦିହେଁ ମିଷଲ ଚଢ଼ିବା ଯାଏ ଗଲା ।

 

ମୋହନ ଗୋସାଇଁଙ୍କ ରାସ, ଗୀତ–ବହୁଳ । କିଛିଦିନ ପରେ ସେ ଗୀତଗୁଡ଼ିକ ଟିକିଏ ମରହଟିଆ ଧରଣର ବୋଲି ଲୋକେ କହିଲେ । ତା’ଛଡ଼ା ଏକଘାଇଆ ସୁର ବି ଥିଲା । ବିଭିନ୍ନ ସ୍ଵର ବା ରାଗ ନ ଥିଲା ଗୀତରେ । ପୁରୀ ଟାଉନ୍ ଅପେକ୍ଷା ମଫସଲରେ ବିଶେଷତଃ ଦକ୍ଷିଣ ଓଡ଼ିଶାରେ ମୋହନ ଗୋସାଇଁଙ୍କ ରାସଦଳର ବହୁତ କାଟତି ଥିଲା । ଏହାର କେତେକ କାରଣ ମୁଁ ଅନୁମାନ କରେଁ–(୧) ସେ ପ୍ରଭୁ ସନ୍ତାନ, (୨) ଶିଷ୍ୟ ଅନେକ, (୩) ଲୋକଙ୍କର ରାସରେ ଭକ୍ତି, (୪) ପିଲାମାନଙ୍କୁ ନିରାମିଷ ଭୋଜନ କରାଇବା ଓ ମଞ୍ଚକୁ ଯିବାବେଳେ ବୃନ୍ଦାବତୀ ସହିତ କୀର୍ତ୍ତନ ଦୃଶ୍ୟ ଏବଂ ଅତି ସହଜ ସ୍ଵରର ଗୀତ ଖଞ୍ଜିବା ଇତ୍ୟାଦି ଇତ୍ୟାଦି ଧରଣ । ପୁରୁଷଙ୍କ ଅପେକ୍ଷା ନାରୀମାନେ ମୋହନ ଗୋସେଇଁଙ୍କ ରାସ ଦେଖିବାକୁ ଆସୁଥିଲେ ବେଶି । ରାଧାକୃଷ୍ଣ ପ୍ରେମଲୀଳା, ମାନ ମିଳନ ଇତ୍ୟାଦି ସହଜରେ ଲୋକମନ କିଣି ନେଉଥିଲା । ମୂର୍ଖ, ପଣ୍ଡିତ ସମସ୍ତେ ସହଜରେ ବୁଝୁଥିଲେ । ତା’ ଉପରେ ଗୋସେଇଁ ଗୋବିନ୍ଦଙ୍କ ବଂଶର ମହତ୍ଵ ବି ମିଳିଥିଲା । ଗୋସେଇଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲେ, ଆଦର ବି ପାଉଥିଲେ, ଧନ ମଧ୍ୟ ଅର୍ଜୁଥିଲେ । ଜଗନ୍ନାଥ କ୍ଲବ୍ ଭଡ଼ା ନେଇ ସେ ଅଭିନୟ କରାନ୍ତି । ଶୁଣିଛି ଥୋକେ ପଢ଼ୁଆ ପାଠୁଆ, କିନ୍ତୁ ତାଙ୍କ ରାସ ଅଭିନୟକୁ କେତେ ବେଶି ଆକୃଷ୍ଟ ହେଉ ନ ଥାନ୍ତି । ସେମାନେ ଚାହୁଁଥାଆନ୍ତି ଭାଷା, ସ୍ଵର ଓ ସଙ୍ଗୀତ–ଟିକିଏ ଉନ୍ନତ ରୁଚିର । ହେଲେ, ସାଧାରଣ ଲୋକଙ୍କର ଭକ୍ତି ଥାଏ ରାସରେ ।

 

ଅକ୍ଷୟ ଭଣ୍ଡାର :

 

ବଡ଼ଦାଣ୍ଡରେ ସ୍ଵର୍ଗତ ଅଶ୍ଵିନୀକୁମାର (ନାଟ୍ୟ ରତ୍ନାକର) ଘୋଷଙ୍କ ସାନଭାଇ କାର୍ତ୍ତିକ ଘୋଷ ଗୋଟିଏ ବହି ଦୋକାନ ଦେଇଥାଆନ୍ତି । କାର୍ତ୍ତିକ ସେତେବେଳେ ଖଣ୍ଡେ ଦି’ଖଣ୍ଡ ନାଟକ ଲେଖୁଥାଆନ୍ତି ଓ ମଞ୍ଚରେ ଅଭିନୟ କରି ଖ୍ୟାତି ମଧ୍ୟ ଅର୍ଜିଥାଆନ୍ତି । ଗୋସାଇଁଙ୍କ ରାସ ଅଭିନୟର ଚର୍ଚ୍ଚାଟା ଅନେକ ସମୟରେ ତାଙ୍କ ଦୋକାନରେ ହୁଏ ।

 

ପୂର୍ଣ୍ଣଚନ୍ଦ୍ର ଦାଶେ ‘ଶକ୍ତି’ ପ୍ରେସର ମାଲିକ ଥିଲେ । ତାଙ୍କରି ପ୍ରେସରେ ଆଗେ କହିଥିବା ଶକୁନ୍ତଳା, ମୃଗୟା ଓ ହରିଶ୍ଚନ୍ଦ୍ର ନାମକ ତିନିଖଣ୍ଡି ନାଟକ ଏବଂ ବନଫୁଲ ବୋଲି ଖଣ୍ଡିଏ କ୍ଷୁଦ୍ରଗଳ୍ପ ସଞ୍ଚୟନ ବହିମାନ ଛପା ହୋଇଥାଏ ମୋର । ଏଇ ବହିଗୁଡ଼ିକ କାର୍ତ୍ତିକଙ୍କ ଦୋକାନ ଅକ୍ଷୟ ଭଣ୍ଡାରରେ ଜମା ଦେଇଥାଏଁ । ଅକ୍ଷୟ ଭଣ୍ଡାର କଟକର ତଦାନୀନ୍ତନ ‘ଅକ୍ଷୟ ଭଣ୍ଡାର’ (ବାଲୁବଜାର ଛକ ଉପରେ)ର ଏକ ଶାଖା । ଅଶ୍ଵିନୀବାବୁ ସେଠି ବସିଥାଆନ୍ତି ଆସି, କଟକରୁ । ଦି’ପହରରେ ଦେଉଳ କାମ ସାରି, ରାବିଡ଼ି ଓଳିଏ, ସରଭଜା ଓ କିଛି ଚିନାବାଦାମ ଭଜା ନେଇ ମୁଁ ଆସେ ସେଠିକି । ଏସବୁ ଅଶ୍ୱିନୀବାବୁଙ୍କର ଅତି ପ୍ରିୟ ପଦାର୍ଥ । ଏଇ ଜଳଖିଆ ଖୂଆବେଳେ ହୁଏ ନାଟକ ଓ ମଞ୍ଚର ଆଲୋଚନା ନାନା ଦିଗରୁ । ଗୋସାଇଁଙ୍କ ରାସର ଚର୍ଚ୍ଚାଟା ସେଠି ଭଲଭାବରେ ଜମେ ।

 

ମୋର ରାସ ନିଶା :

 

ଦଳ ତ ନ ଥାଏ ମୋର । ଓସ୍ତାଦ ସ୍ଵର୍ଗତ ବନୱାରୀ ମିଶ୍ରେ ମୋ ପାଖେ ଥାଆନ୍ତି । ଶାସ୍ତ୍ରୀୟ ହିନ୍ଦୁସ୍ଥାନୀ ସଙ୍ଗୀତ ଗାଉଥାଏଁ ମୁଁ । ଦଳ ଗଢ଼ିବାର ସୁଯୋଗ ସୁବିଧା ନ ଥାଏ; କିନ୍ତୁ ନିଶାଖୋରଙ୍କର ଅମଳ ଛାଡ଼ୁଛି କେତେକେ ? ମନଟା ହାଇଁପାଇଁ ହେଉଥାଏ ରାସ ଓ ଆମେଚର ଥିଏଟର ଦେଖି । ମୋ ବସା ପାଖର ସ୍ଵର୍ଗତ ହରିବନ୍ଧୁ ମହାନ୍ତି ଓ ବାଲିସାହିରେ ଲକ୍ଷ୍ମଣ ମହାଶୁଆର ପ୍ରଭୃତି କେତେକ ରାସପ୍ରେମୀ ଯୁବକ ଉଦ୍ୟମ କରି ଏକ ଦଳ ଗଢ଼ିଥାଆନ୍ତି, ବାଲିସାହିରେ । ବାବାଜୀ, ବେଣୁଧର, ମୋହନ ଗୋସ୍ୱାମୀଙ୍କ ଦଳଛଡ଼ା ହୋଇ ତେଣିକି ମୁହାଁଇଲେ । ଏସବୁ ଦେଖି ଶୁଣି ମୋ ମନଟା ପୁଣି ଦଳ ଗଢ଼ିବା ପାଇଁ ହମହମ ହେଲା ।

 

ରଜାଘର ଚାକିରି ଥିଲେ ମଧ୍ୟ–‘ଯାହା ମନ ଯହିଁକି ରସେ’ ପୁଣି କଥାରେ ଯାହା କହନ୍ତି–‘ପଡ଼ିଶା ଘର ପିଠା ଦେଖି ରବେଇ ଖବେଇ, ଘଷି ଫଡ଼ା ଖଣ୍ଡେ ଧରି ରଡ଼ମଡ଼ ଚୋବାଇ–ସେଇ କଥା ଘଟିଲା । ରାସଦଳ ନିଶା ଘାରିଲା ।

 

କୁଣ୍ଢେଇବେଣ୍ଟ ସାହିରେ ତ ଥାଏଁ । ସେଇ ଆଖପାଖରୁ କେତୋଟି ବାଳକ ଯୋଗାଡ଼ କଲି । ସେତେବେଳକୁ ପୁରୀରେ ‘ରାସ’ ଝୁଙ୍କ ଲାଗିଥାଏ ସବୁରି । ତେଣୁ ବାଳକ ମିଳିବାରେ ସେମିତି କିଛି କଷ୍ଟ ହେଲା ନାହିଁ । ତାଙ୍କୁ ଏକାଠି କରି ସଞ୍ଜବେଳେ ଚାଲେ ତାଲିମ ଆଖଡ଼ା । କୃଷ୍ଣ ମୁଖାର୍ଜୀଙ୍କ ସହିତ ଆଗରୁ ତ କ୍ଷୀରନୀର ପ୍ରୀତି ଥିଲା । ସେ ମୋର କୃଷ୍ଣ ଦାଦା । ମୋତେ ଭାରି ଆଦର କରନ୍ତି । ବିଶିଷ୍ଟ ଶିଳ୍ପୀ ସେ । ଯୋଗକୁ ସେ ବି ମୋରି ବସା ପାଖରେ ରହୁଥିଲେ । ବାଳମୁକୁନ୍ଦ ପଟ୍ଟନାୟକ ମକୁ ସେଇ ସାହିର । ଫନୀବାବୁ (ରାଧାକୃଷ୍ଣ ଥିଏଟରର ବିଶିଷ୍ଟ ଅଭିନେତା ଓ କିଛିକାଳ ମ୍ୟାନେଜର) ମଧ୍ୟ ସେଇ ପାଖ ସାହିର । ସେ ଅଦାଲତରେ (ମୁନସିଫକୋର୍ଟ) ଚାକିରି କରିଥାଆନ୍ତି । ସଞ୍ଜକୁ ନିତି ସଭିଏଁ ଏକାଠି ହେଉଁ । ଏଇମାନେ ମୋତେ ବହୁ ସାହାଯ୍ୟ କରିଛନ୍ତି, ବହୁ ଦିଗରେ ।

 

ଯାହା ହେବାର ଥାଏ ତା’ ହୁଏ, ସେଥିକି କେହି ଭାବି ନ ଥାଏ କି ଚେଷ୍ଟା ବି କରି ନ ଥାଏ । କେବଳ ସବୁର ନଟକୁଟିଆ ‘ସେଇ’–ଏ ବିଶ୍ଵାସ ମୋର ସଦାଦିନେ ଅଛି ।

 

ଶୂରଦେଓଙ୍କ ଦଳ ଭାଙ୍ଗି ଯାଇଥିଲା । କେନ୍ଦ୍ରାପଡ଼ାରେ ମୋର କେତେକ ପିଲାଙ୍କ ସଙ୍ଗେ ଭଲ ଚିହ୍ନା ଥାଏ । ତାଙ୍କ ଭିତରୁ କେତେଜଣ ଓ କେନ୍ଦ୍ରାପଡ଼ାରୁ ସୁଦର୍ଶନ କର, ଟୁଷା, ବରଜୁ (ମୃତ)ଙ୍କୁ ଅଣାଇଲି । ମୋ ଦଳର କାମ ତନାଘନାରେ ଚାଲିଲା । ସ୍ୱର୍ଗତ ହରିଚରଣ ମହାନ୍ତି (ସମ୍ପର୍କରେ ମୋର ମାମୁଁ) ସ୍ୱର୍ଗତ ପରମାନନ୍ଦ ଦାସ, ସେତେବେଳର ଟାଉନ୍‌ଥାନା ଇନିସ୍‌ପେକ୍ଟର ଅରଡ଼ିଆ ପଦାର ରାଜକିଶୋର ମହାପାତ୍ରେ (ନିକଟରେ ମରିଗଲେ) ରାଧାଚରଣ ପଟ୍ଟନାୟକ (ଚରଣବାବୁ) କୋଠକରଣ କୁଳମଣି ଦାସ ଆଉ ଶିରୀଷବାବୁ ପ୍ରଭୃତି ମୋର ଏକାନ୍ତ ହିତକାମୀ ପୃଷ୍ଠପୋଷକ ହୋଇଥାଆନ୍ତି । କୃଷ୍ଣଦାଦା କଥା ଛାଡ଼ । ସେ ତ ସବୁବେଳେ ମୋ ହିତାକାଂକ୍ଷୀ ।

 

ସବୁ ତ ହେଲା–ଦଳର ପିଲାଏ ଖାଇବେ କ’ଣ ? ଧନ କାହିଁ ? ଏତିକିବେଳେ ପୁଣି ମୋର ଝିଅଟିଏ ଜନ୍ମ ହୋଇଥିଲା–ସେ ମରିଗଲା । ସବୁଆଡ଼ର ଚିନ୍ତାରେ ମୁଁ ବିବ୍ରତ ହୋଇ ପଡ଼ିଥାଏଁ । ଯୋଗକୁ ଛାଏଁ ଛାଏଁ ଆସି ଜୁଟିଲେ ପଶ୍ଚିମ ଦ୍ୱାର ଗଡ଼ନ୍ତି ଉହରର ପଦ୍ମଚରଣ ରାୟ । ସେ ଦମ୍ଭ ଦେଲେ, ଦୁହେଁ ମିଶି ଖର୍ଚ୍ଚ ତୁଲାଇଲୁଁ । ଯୋଗ କହ, ଦୁର୍ଯୋଗ କହ–ଏକ ଘଟଣା ଏଇବେଳରେ ଘଟିଲା ।

 

ଘୋର ଅପମାନ :

 

ସ୍ୱର୍ଗତ ରାଜକିଶୋରବାବୁ ତ ଥାଆନ୍ତି ରାଜାଘର ଦିଓ୍ୱାନ । ଦିନେ ପାଞ୍ଚଟା ବାଜିଛି, ବେଳ ରତରତ ଆସୁଛି, ମୁଁ ନଅର କଚେରିରେ ଥାଏଁ । ରାଜୁବାବୁ ମୋତେ ଡକାଇ କହିଲେ, ‘ଏ ଚିଠିଟା ଖୁବ୍‌ଜରୁରୀ । ଆଜି ଡାକରେ ଯିବ । ଡାକ ସଞ୍ଜ ଛଅଟାରେ । ତୁମେ ନିଜେ ନଅରକୁ ଯାଇ ରଜାଙ୍କ ଦସ୍ତଖତ କରାଇ ନ ଆଣିଲେ ଚଳିବ ନାହିଁ । ଆଉ କେହି ନେଇକରି ଗଲେ କେଉଁଠି ପଡ଼ିରହିବ । ଟିକିଏ ଯାଅ ।’

 

ଗଲି ନହରକୁ । ସେତେବେଳେ ନଅରର ରୂପ ଆଜିକାଲି ଧରଣର ନ ଥିଲା । ବଡ଼ଦାଣ୍ଡ ପଟକୁ ଦି’ ମହଲା କୋଠା କେଇ ବଖରା ଥାଏ । ସେଇଥିରୁ ବଖରିଏ ଗଜପତିଙ୍କ ବୈଠକ ଘର । ଗୋଟିଏ ସୋଫା ଉପରେ ଅଧାଶୁଆ ହୋଇ ଗୁଡ଼ାଖୁ ଟାଣୁଥିଲେ ସେ । ହାତରେ ଦି’ଟା ଛୋଟ ଛୋଟ ରବର ପେଣ୍ଡୁ । କଳା ମଚମଚ ବିଲାତି କୁକୁର ୪।୬ଟାଙ୍କ ସହିତ ପେଣ୍ଡୁ ଗଡ଼ାଇ ଖେଳୁଥିଲେ ରାଜାସାହେବ । ମୁଁ ଯାଇ ରାଜବିଧିରେ ଜୁହାରିଲି । ଆଡ଼ ଆଖିରେ ଥରେ ଅନାଇଁ ଦେଇ ମୋତେ ଆଉ କଥା ପଦେ ସୁଦ୍ଧା ନ କହି, ସେ ସେମିତି କୁକୁର ଖେଳରେ ମାତିଲେ-। ମୁଁ ମୋ ଆସିବା କାରଣ ଓ ରାଜକିଶୋରବାବୁ ପଠାଇବାର ଅଭିପ୍ରାୟ ଗୋଟି ଗୋଟି କରି କହି, ଗୋଟିଏ କଣରେ ଠିଆ ହୋଇ ରହିଲି । ଏଇମିତି ପ୍ରାୟ ପନ୍ଦର, କୋଡ଼ିଏ ମିନିଟ୍‌ ଗଲା-। ରାମ କି ଶ୍ୟାମ–ପଦେ କଥା କହିବା ଦୂରେ ଥାଉ, ଚାହିଁଲେ ବି ନାଇଁ ମୋତେ ।

 

ଶେଷକୁ ଆଉ ଥରେ ତୁରନ୍ତ ସ୍ୱାକ୍ଷର କରିଦେବାକୁ ଅନୁରୋଧ କରି ମୁଁ ଅନେକବେଳୁ ଠିଆ ହୋଇଥିବାର କହିଲି । ଡାକବେଳ ଗଡ଼ିଯାଉଛି ବୋଲି ଜଣାଇଲି ମଧ୍ୟ ।

 

ମୁହଁକୁ ପୋତି, ଖେଳରେ ମାତି ରହିଥାଇ, ଏଥର ଗଜପତି କହିଲେ–

 

‘‘ଜାଣ, ୟାଙ୍କ ଦାମ (କୁକୁରଙ୍କୁ ଠାରି) କେତେ ?’’

 

ମୁଁ–‘‘ହଁ, କଲିକତାରୁ ପରା କିଣିଥିଲେ ? ମୁଁ ସାଙ୍ଗରେ ଥିଲି ।’’

 

ରାଜା–ୟା’ଙ୍କ ଦାମ ତମଠୁ ବେଶି ।

 

ମୋ ମୁଣ୍ଡରେ ରକ୍ତ ପିଚିକି ଉଠିଲା । ଚଉଦିଗ ଅନ୍ଧାର ଦିଶିଲା । ଦେହ ଗରମ ହୋଇଗଲା । ତଥାପି ନୀରବ ରହିଲି । ଚାକିରି ତ କରିଛି । ଉପାୟ କ’ଣ ? ଭାବିଲି ହଠାତ୍‌ ରାଜା ଏ କଥା କାହିଁକି କହିଲେ ! ସେ ଠିକ୍‌ ସଜ୍ଞାନରେ ଅଛନ୍ତି ତ ?

 

ରାଜାଙ୍କର କଥା ଏତିକିରେ ସରିଲା ନାହିଁ । ପୁଣି କହିଲେ–‘କ’ଣ ମିଛ କଥା ?’’

 

ଏଥର ଉତ୍ତର ଦେଲି–‘‘ନାଇଁ ଆଜ୍ଞା ! ମିଛ ନୁହେଁ । ଛାମୁଙ୍କ କଥା ବିଲ୍‌କୁଲ୍‌ ସତ । ଛାମୁଙ୍କୁ ଆମ (ହିନ୍ଦୁମାନେ) ଚଳନ୍ତି ବିଷ୍ଣୁ ବୋଲି ଜୁହାରୁଛୁଁ । ମୋ ବାପ, ଗୋସେଇଁବାପ, ଯୋଉ ଗୋଡ଼ ତଳେ ମୁଣ୍ଡିଆ ମାରନ୍ତି, ତାଙ୍କ ଉପରେ ଯେ ଚଢ଼ୁଛନ୍ତି, ତାଙ୍କ ଦାମ ନିଶ୍ଚୟ ମୋଠୁ ବେଶି ।’’

 

ଏଥର ବୋଧହୁଏ ରାଜାଙ୍କର ଚେତା ପଶିଲା । ରଙ୍ଗ ଆଖି ଡିମା ଡିମା କରି କହିଲେ–‘ବଡ଼ ପ୍ରଗଳ୍‍ଭ ତୁମେ ।’ ଭାବିଲି, ପ୍ରଗଳ୍‍ଭ ଶବ୍ଦର ଅର୍ଥଜ୍ଞାନ ରାଜାଙ୍କର ଅଛି ତାହାହେଲେ, ତା’ପରେ କାଗଜଟା ମାଗି ଦସ୍ତଖତ କରିଦେଲେ । ମୁଁ ସଙ୍ଗେ ସଙ୍ଗେ ବାହାରି ଆସିଲି-। ରାଜୁବାବୁଙ୍କୁ କାଗଜଟି ଦେଲି । ସେ ମୋର ଉଛୁରର କାରଣ ପଚାରିଲେ । କିଛି ଉତ୍ତର ଦେଲି ନାହିଁ । ରାଜୁବାବୁ ହସି ହସି କହିଲେ–‘‘ଉଛୁର ଟିକିଏ ହେଲା ସିନା, ମାତ୍ର ଆଉ କେହି ଯାଇଥିଲେ ଏତେବେଳେ ରାଜାଙ୍କ ଦସ୍ତଖତ କରାଇ ଆଣି ପାରି ନ ଥାନ୍ତେ କିମ୍ୱା ଜରୁରୀ ଏ ଜରୁରୀ ଚିଠିଟା ଆଜି ଯାଇ ପାରି ନ ଥାନ୍ତା । ଜାଣ ତ ଏ ଚିଠିଟା ଶ୍ରୀଧର ଖୁଣ୍ଟିଆଙ୍କ ମୋକଦ୍ଦମା ବାବତ-।’’

 

ସବୁ ଶୁଣୁଥାଏଁ । କଥାଗୁରା ଯେମିତି ଭଣ୍ଡାରୀଜଳାରେ ଗଳି ଯାଉଥାଏ । ସେଦିନର ଅଶାନ୍ତି ଜୀବନରେ ପ୍ରଥମ ଓ ଶେଷ ମଧ୍ୟ ।

 

ସବୁଯାଉ–ମହତ ଥାଉ । ଆତ୍ମସମ୍ମାନରେ ଆଘାତ ଲାଗିବାଟା ସହିପାରିବି କେମିତି ? ବରଂ ଉପବାସରେ ମରଣ ଭଲ ।

 

କାମ ଅଛି ବୋଲି ରାଜୁବାବୁଙ୍କୁ କହି ସେଦିନ, ସେଇନେ ନଅର କଚେରିରୁ ବସାକୁ ଫେରିଲି । ବାଟରେ କେମିତି ଯାଇଛି, କ’ଣ ହେଇଛି–କିଛି ଜଣା ପଡ଼ି ନାହିଁ । ମନେ କରୁଥାଏଁ–ଆତ୍ମମର୍ଯ୍ୟାଦା ହରାଇବାଠାରୁ ଆତ୍ମହତ୍ୟା କ’ଣ ଭଲ ନୁହେଁ ? ବଂଶମର୍ଯ୍ୟାଦା ପୂର୍ବର ଚାକିରି, ଲୋକରେ ମୋର ଆଦର ସମ୍ମାନ–ସବୁ ଗୋଟିକ ପରେ ଗୋଟିଏ ମନେ ପଡ଼ିଯାଉଥାଏ; କିନ୍ତୁ କର୍ତ୍ତବ୍ୟ କ’ଣ ?

 

ବନ୍ଧୁମିଳନ :

 

ଏମିତି ଭାବୁ ଭାବୁ ବସାର ଦାଣ୍ଡଘରେ ପହୁଞ୍ଚିଲି । ଘର ଭିତରକୁ ପଶି ଯାଉ ଯାଉ ହଠାତ୍‌ ପଛରୁ ଜଣେ କିଏ ଡାକିଲା–‘‘ଏଇ ପଟ୍ଟନାୟକ !’’

 

–ଚଅଟ ଫେରିବା ସଙ୍ଗେ ସଙ୍ଗେ ପଚାରିଲି–କିଏ ?

 

ଚିନ୍ତାର ମୋଡ଼ ଫେରିଗଲା ।

 

ଶୁଖିଲା ବାଇଗଣ ପୋଡ଼ା ପରି ମୁହଁରେ ଜବରଦସ୍ତି ହସ ମଖାଇ ହାତ ଧରି ଟାଣି ନେଇଗଲି ବନ୍ଧୁଙ୍କୁ ଦାଣ୍ଡ ଘରକୁ ।

 

ତା’ ପରେ ?

 

ମୁଁ–ଆରେ ! ଏଁ !

 

ବନ୍ଧୁ–ହଁ । କାମ ଅଛି ଟିକିଏ ।

 

ମୁଁ–ହଠାତ୍‌ !

 

ବନ୍ଧୁ–ହଁ ।

 

କହୁ କହୁ ବସିଲେ ସେ । ମୁଁ ବି ବସିଲି । ତା’ପରେ କାମର କଥାବର୍ତ୍ତା । ବନ୍ଧୁ କହିଲେ–‘‘କହିବି । କହିବାକୁ ତ କଟକରୁ ପୁରୀ ପର୍ଯ୍ୟନ୍ତ ଛୁଟି ଆସିଛି ।’’

 

ଫୁଲ ସଞ୍ଜବେଳ । ସେତେବେଳକୁ ବିଜୁଳି ଆଲୁଅ ପୁରୀ ସହରରେ ସାତ ସପନ । ବସା ଭିତରକୁ ଗଲି ଲଣ୍ଠନଟା ଆଣିବାକୁ, ବନ୍ଧୁଙ୍କୁ ଦାଣ୍ଡଘର ଖଟରେ ବସାଇ ଦେଇ । ସେଇ ଅବସର ଭିତରେ ଚା’ଜଳଖିଆର ବରାଦଟା ବି କରିଦେଇ ଆସିଲି । ଭଦ୍ରତା ବୋଲି ତ ଗୋଟେ କଥା ପୁଣି ଅଛି ? ତା’ପରେ ସିନା କଥାବାର୍ତ୍ତା ।

 

ବନ୍ଧୁଙ୍କର ଚିହ୍ନା ଟିକିଏ ଦିଏଁ–କେତେବର୍ଷ ହେବ ତାଙ୍କର କାଳ ହୋଇଗଲାଣି । ତାଙ୍କ ଡାକ ନାଆଁ ମସ୍ତାନ ବା ମସ୍ତାନବାବୁ । କଟକ ବାଲୁବଜାରରେ ତାଙ୍କର ଦୋକାନ । ଚଳେ କେ. ବି. ମୁଖାର୍ଜୀଙ୍କ ନାମରେ । ଅନ୍ୟାନ୍ୟ ମନୋହରି ଜିନିଷ ସାଙ୍ଗରେ ତାଙ୍କର ଗ୍ରାମଫୋନ୍‌ରେକର୍ଡ଼ ବିକା ବ୍ୟବସାୟ ଥାଏ । ସେ କଲିକତା ହିଜ୍‌ମାଷ୍ଟରସ୍‌ ଭଏସ୍‌ କମ୍ପାନୀର ମନୋନୀତ ରେକର୍ଡ଼ ବିକ୍ରେତା । ଓଡ଼ିଆରେ ରେକର୍ଡ଼ କରିବାକୁ ଗାୟକ ଗାୟିକା ଠିକଣା କରିବା ଭାର ତାଙ୍କ ଉପରେ ଥାଏ । ନାମ ଅନୁସାରେ ଦୀର୍ଘକାୟ ଲୋକଟି ମଧ୍ୟ ‘ମସ୍ତାନ’ । ‘ପ୍ରତି’ରେ ଅବଶ୍ୟ ‘ଦୀର୍ଘ’କୁ ଚାହିଁ ଟିକିଏ ଊଣା ବୋଲିବାକୁ ହେବ ।

 

ମସ୍ତାନବାବୁ କହିଲେ–‘‘ତମ ପାଖକୁ ଆସିଛି, ତୁମେ ମୋ ସାଙ୍ଗରେ କଲିକତା ଯିବ । ଗ୍ରାମଫୋନ୍‌ ରେକର୍ଡ଼ରେ ଚାରିଟି ଗୀତ ଗାଇବ । ମୋହନ ଗୋସ୍ୱାମୀ ବି ଯିବେ । ଗୋଟେ ଡୁଏଟ୍‌ ଗୀତ ଲେଖି ଠିକଣା କର । ତୁମେ ଦୁହେଁ ଗାଇବ । ମୁଁ ଗୋସାଇଁଙ୍କ ସାଙ୍ଗରେ କଥା ହେବାକୁ ଯାଉଛି । ଏଇ ସପ୍ତାହରେ ତମ ଦୁହିଁଙ୍କୁ ନେଇ କଲିକତା ଯିବି ।’’

 

କଥାରେ ‘ହଁ’ ଭରିଲି ଖୁସିରେ ।

 

ଦିନ ଠିକଣା କରି ସେ କଟକରୁ ଚିଠି ଦେବେ କହି ଚାଲିଗଲେ ସାମାନ୍ୟ ଜଳଯୋଗ ପରେ ।

 

ଲେଖିବସିଲି ଗୀତ–

 

କଲିକତା ଗଲୁଁ :

 

ଯଥାସମୟରେ ମସ୍ତାନ ବାବୁଙ୍କଠାରୁ ଚିଠି ପାଇ ରାଜା ଘରୁ ଛୁଟି ମାଗିଲି, ଇତି ମଧ୍ୟରେ ମାତ୍ର ଥରେ କି ଦି’ଥର ରଜାଙ୍କ ସହିତ ଭେଟ ହୋଇଛି, ବାଧ୍ୟରେ । ସାନ୍ଧ୍ୟ ବୈଠକରେ ଯୋଗ ଦେବା ପାଇଁ ପାଦ ପଛଘୁଞ୍ଚା ଦିଏ । ଦିନରାତି ଥରକୁ ଥର ବରାବର ତାଙ୍କ ତୁଳନାଟା ମନେ ପଡ଼ି ଯାଉଥାଏ–ହଠାତ୍‌ ବୁକୁ ଭିତରର କଲିଜା ପର୍ଯ୍ୟନ୍ତ ଡେଇଁ ଉଠୁଥାଏ ।

 

ଯା’ ହେଉ ଛୁଟି ପନ୍ଦର ଦିନର ମିଳିଗଲା । ଚାକିରିର ଚାର୍ଯ ବୁଝାଇଦେଲି । ଜଗନ୍ନାଥଙ୍କୁ ଲୁହଝରା ଆଖିରେ ମୁଣ୍ଡିଆଟିଏ ମାରି ନଅର କଚେରିରୁ ଏକମୁହାଁ ହୋଇ ବସାକୁ ସଳଖିଲି । ଗୀତ ଚାରୋଟି ଲେଖି ସାରିବାବେଳକୁ ଦୁଆରେ ମସ୍ତାନବାବୁଙ୍କର ସେଇ ପରିଚିତ ଡାକ ଶୁଭିଲା । ସେଇ ରାତି କଲିକତା ଗଲୁ । ମୋହନ ଗୋସାଇଁ, ମୁଁ ଓ ମସ୍ତାନବାବୁ । ରାସ ପିଲାଏ ବସାରେ ରହିଲେ । ପଦବାବୁ ଖର୍ଚ୍ଚ ତୁଲାଇଲେ ।

 

ଗଙ୍ଗା ସ୍ନାନ :

 

ବାଗବଜାରରେ ଗୋସାଇଁଙ୍କର ଜଣକେତେ ଶିଷ୍ୟ ଥାଆନ୍ତି । ଦୁହିଁଙ୍କର ସେଠି ରହଣି ହେଲା । ରିହର୍ସେଲ ଚାଲିଲା । ତହିଁ ଆରଦିନ ଗୋସାଇଁ ମୋତେ ଡାକିଲେ ଗାଧୋଇ ଯିବାକୁ, ବଢ଼ିଆ ମାରଗେ ମାଲପାଟେ ମର୍ଦ୍ଦନ ହୋଇ ଗୋସେଇଁ ମହାପୁରୁ ବାହାରିଲେ ଗଙ୍ଗାସ୍ନାନକୁ ।

 

ମୁଁ ପିଲା କାଳରୁ ନଈକି ଡରେଁ । ଏ ଡରକୁଳା ପଣ ହୋଇଛି ବାପାଙ୍କ ତାଡ଼ନାରୁ । ଘରପାଖ ମହାନଦୀ ହେଲେ–ଆଣ୍ଠୁଏ, ବଡ଼ଜୋର ଅଣ୍ଟାଏ ପର୍ଯ୍ୟନ୍ତ ପାଣିରେ ପଶି ଗାଧୁଆ ଅଭ୍ୟାସ ମୋର । ଗଙ୍ଗାର ଗୋଳିଆ ପାଣି ଦେଖି କାହିଁକି କେଜାଣି ଭକ୍ତି ମଡ଼େଇଲା ନାହିଁ ପାଣି ଭିତରେ ପଶିବାକୁ । ଗୋସାଇଁ ଯେତେକ ଟାହୁଲି କଲେ । ‘ଜଳ ନିନ୍ଦନ୍ତି ରୋଗିଣାମ୍‌’ ବୋଲି ଶ୍ଳୋକ ମେଲିଲେ । ତଥାପି ଆଣ୍ଠିକ ପାଣିରୁ ଆଉ ଉଡ଼ାଏ ଗଙ୍ଗା ଗଭର୍କୁ ପାହୁଣ୍ଡ ଘୁଞ୍ଚାଇଲି ନାହିଁ । ‘ଦେଖ୍‌ରେ ପାପୀ ! କହି ଗୋସାଇଁ ଅଣ୍ଟାଏ, ଛାତିଏ, ବେକେ–ସେଇଠୁ ମୁଣ୍ଡବୁଡ଼ା ପାଣିରେ ପଶି ନିର୍ଧୂମ ବୁଡ଼ ମାରିଲେ–କେଜାଣି କେତେଥର । ଶେଷଥର ଉଠିଲା ବେଳକୁ ଲଣ୍ଡା ମୁଣ୍ଡ ଉପରେ ବଜାଡ଼ିଏ ମଇଳା ଘେନି ପାଣିରୁ ଉଠିଲେ । ହାତମାରି ଦିଅନ୍ତି ତ ହାତଯାକ ମଇଳା ସଲବଲ । ‘ଇହି, ଛି ଛି, ରାମରାମ’ ଯେତେକ କହି ପୁଣ୍ୟାତ୍ମା ପୁଣି କେତେ ବୁଡ଼ ଦେବାକୁ ବାଧ୍ୟ ହେଲେ । ତାଙ୍କ ତୁଣ୍ଡରୁ ‘ଗଙ୍ଗେ ତ୍ରିପଥଗେ ପୁଣ୍ୟେ’ ପାଠ ବନ୍ଦ ହୋଇଗଲା ।

 

ଏଥର ମୋ ପାଳି । ତାଙ୍କ ଉପହାସର କଉଡ଼ି ମୁଁ ସୁଝି ଦେଲି ଚକ୍ରବୃଦ୍ଧି ପ୍ରମାଣେ । ମୀରା ଭଜନ ଆବୃତ୍ତି କରି ଶୁଣାଇଲି ତାଙ୍କୁ–

 

‘‘ନିତ୍‌ ନାହାନ୍‌ସେ ହରି ମିଲେ ତୋ ଜଳଜନ୍ତୁ ହୋଇ’’

 

–ଗଙ୍ଗାରେ ବୁଡ଼ ମାଇଲେ ଯେବେ ପାପ ଧୋଇ ଯାଉଥାନ୍ତା, ତେବେ ଅଭିଧାନରୁ ପାପୀ ଶବ୍ଦ ଉଠିଯାଆନ୍ତା ।

 

ଗୋସାଇଁ ବିଚାରା ବସାକୁ ଶୁଖିଲା ମୁହଁରେ ଆସି କଳପାଣିରେ ଘଷିମାଜିହୋଇ ପୁଣି ଗାଧୋଇଲେ । ହସି ହସି ପଚାରିଲି ‘କ’ଣ ପାପ ଧୋଇ ସାରିଲ ଗୋସେଇଁ ମହାପୁରୁ ?’‘

 

ଶିଶିଏ ବାଥ୍‌ଗେଟ୍‌ର ସୁଗନ୍ଧିତ ଜଡ଼ାତେଲ ଦିହମୁଣ୍ଡ ମାଖି ହୋଇ ଗୋସେଇଁ ‘ଶ୍ରୀ ରାଧାରାନିକି ଜୟ’ କହି ପଙ୍ଗତରେ ବସିଲେ ।

 

ସଞ୍ଜକୁ ତଣ୍ଟି ବିଲକୁଲ ବନ୍ଦ । ନାକରୁ ଶ୍ରାବଣର ଧାରା । ତା’ ସାଙ୍ଗକୁ ମୁଣ୍ଡ ବ୍ୟଥା ଇତ୍ୟାଦି । କହିଲି–ଗୋସେଇଁ ପୁଣ୍ୟଫଳ ପାଇଲ ?

 

ରେକର୍ଡ଼ :

 

ରେକର୍ଡ଼ିଂ ହେବ ଦୁଇଦିନ ପରେ, ଗୋସେଇଁଙ୍କ ତଣ୍ଟି ଫିଟୁ ନାହିଁ । ଭକ୍ତମାନେ ମହାବ୍ୟସ୍ତ । ତାଙ୍କ ଭିତରୁ ଜଣେ ଥିଲେ ଡାକ୍ତର । ଚିକିତ୍ସା ଚାଲିଥାଏ ଅବିଶ୍ରାନ୍ତ । ମସ୍ତାନ ଭାରି ଦୁଃଖିତ । ମୁଁ ଆଉ ପରିହାସ କରୁ ନ ଥାଏଁ । ମୁରଦାର ଉପରେ ତରବାରିଟା ଭଲ ନୁହେଁ ।

 

ଗ୍ରାମଫୋନ୍‌ ରେକର୍ଡ଼ :

 

ଯାହାହେଉ, ଦମ୍‌ଦମ୍‌ର ହିଜ୍‌ମାଷ୍ଟରସ୍‌ ଭଏସ୍‌ କମ୍ପାନୀରେ ରେକର୍ଡ଼ିଂ ହୋଇଗଲା । ମୁଁ ଚାରିଗୋଟି ଗୀତ ଏକା (Solo) ଗାଇଲି ଓ ଗୋଟିଏ ଗୀତ ଗୋସେଇଁ ଓ ମୁଁ ସାଙ୍ଗ ହୋଇ (Duet) ଗାଇଲୁଁ ।

 

ଗୀତ, କବିତା ବା କୌଣସି ରଚନା–ଲେଖକର ମନକଥାର ଛାୟା ଘେନି ଅନେକ ସମୟରେ ଆତ୍ମପ୍ରକାଶ କରିଥାଏ । ମୋର ମଧ୍ୟ ସେଇ ଅବସ୍ଥା ହୋଇଥିଲା । ରେକର୍ଡ଼ିଂ କରାଯାଇଥିବା ଗୀତ ମଧ୍ୟରୁ ଦୁଇଟି ହାସ୍ୟରସର । କହିବାକୁ ଗଲେ ଓଡ଼ିଆ ରେକର୍ଡ଼ରେ ଏଇ ହେଲା ହାସ୍ୟରସର ପ୍ରଥମ ସଙ୍ଗୀତ–ରେକର୍ଡ଼ । ଗୋଟିଏ ଗୀତ କଥା କହୁଛି । କେହି କେହି ଆଜି ମଧ୍ୟ ସେ ଗୀତ ହେତୁ ରଖିଛନ୍ତି ।

 

‘‘ଚାକିରି ଝକ୍‌ମାରି

ଏ ଜନମେ ନାହିଁ କରି । ୦ ।

ଖାମିଦ ହସିଲେ ହସି-ଖୁସିରେ ଖସି

ଗଧକୁ କହିଲେ ଘୋଡ଼ା–‘‘ଦିନଯାଏ ହାଁ ଜି ମାରି’’ । ୧ । ଇତ୍ୟାଦି....

 

ଆଉ ଗୋଟିଏ ଗୀତ–

 

ସୁନ୍ଦର ରୋଳ, ସୁଗୋଲ କଳେବର–

ଝିକିମିକି ତନୁ ଜୟ ଟଙ୍କା’’ । । ଇତ୍ୟାଦି...

 

ଅନ୍ୟ ହାସ୍ୟରସ ଗୀତଟି–

 

‘‘ରସିକ, ତୁମେ ପରା ମୋର ଜୀବ ଅଧିକ’’ ଇତ୍ୟାଦି....

 

ଅନ୍ୟ ରାଗଛାୟାର ଗୀତଟି ହେଲା;

 

‘‘କାହ୍ନୁ ଗୁଣେ ତୋ ଋଣୀ’’.... ଇତ୍ୟାଦି.....

 

ମୋହନ ଗୋସେଇଁଙ୍କ ସାଙ୍ଗରେ ଯେଉଁ ଗୋଟିଏ ଡୁଏଟ୍ ଗୀତ ଗାଇଥିଲି, ତାହା ହେଲା–‘‘ଆସ ଭାଇ, ଲୁଚକାଳି ଖେଳିବା ।’’ ତିନୋଟି ରେକର୍ଡ଼ର ନମ୍ବର କହୁଛି–

 

ପି : ନ : ୯୩୪୫

ଜୟ ଟଙ୍କା

ରସିକ ତୁମେ ପରା....

 

 

ପି : ନ : ୯୬୭୯

ଚାକିରି ଝକମାରି...

କାହ୍ନୁ ଗୁଣେ...

 

 

ପି : ନ : ୯୩୪୪

ଆସ ଭାଇ...

ଅଙ୍ଗେ ଅଙ୍ଗେ...(ଗୋସ୍ୱାମୀ)

 

ଛାପାଖାନା :

 

କଲିକତାରୁ ପୁରୀ ଫେରିବାର ଦିନେ ଦି’ଦିନ ପରେ, ଧରାକୋଟ ରାଜାଙ୍କଠାରୁ ଗୋଟିଏ ନିମନ୍ତ୍ରଣପତ୍ର ପାଇଲି–ଯୁବରାଜଙ୍କ ବାହାଘର ଖବର । ପୁରୀ ରାଜା ଘରୁ ତ ଛୁଟି ନେଇଛି–ଛୁଟି କାଳ ପୂରି ନ ଥାଏ । ତା’ଛଡ଼ା ଚାକିରି ମୋହକୁ ତ ଛି କରି ଦେଇଥାଏ । ଗୋଟିଏ ଛାପାଖାନା କରିବି ବୋଲି ଇତିମଧ୍ୟରେ ମନସ୍ଥ କରିଥାଏଁ । ଗଲି ଧରାକୋଟ । ବ୍ରହ୍ମପୁରରେ ସ୍ୱର୍ଗତ ଶଶୀଭାଇନା (ଶଶୀଭୂଷଣ ରଥ)ଙ୍କ ସହିତ ମୋର ଆଗରୁ ଆଳାପ ପରିଚୟ ଥିଲା । ଧରାକୋଟ ଯିବା ବାଟରେ ବ୍ରହ୍ମପୁରରେ ଦି’ଦିନ ଶଶୀଭାଇନାଙ୍କ ଘରେ ରହିଲି । ତାଙ୍କର ବି ଧରାକୋଟ ଯିବାର ଥାଏ । ଶଶୀଭାଇନାଙ୍କୁ ସବୁକଥା କହି ମୋର ଅଭିପ୍ରାୟ ଜଣାଇଲି । ସେ ମୋତେ ପୂରା ଉତ୍ସାହ ଦେଲେ ।

 

ଏ ସବୁ ତ ହେଲା–କିନ୍ତୁ ହାତୀ କିଣିବାକୁ କଉଡ଼ି କାହିଁ ? ‘ଆଶା’ ପ୍ରେସ୍‌ରୁ ଗୋଟିଏ ହ୍ୟାଣ୍ଡ ପ୍ରେସ୍‌ ନେବାର କଥା ହେଲା । ଧରାକୋଟ ରାଜାଙ୍କୁ ପ୍ରେସ୍‌ କରିବାକୁ ଧନ ମାଗିବି, ଶଶୀଭାଇନାଙ୍କ ଉପସ୍ଥିତିରେ ଏ ପ୍ରେସଟି କଥା କହିବି–ତେଣିକି ବାଗେଇ ନେବେ ସେ । ମୁଁ ଛାପାକଳ ପାଇଲେ ଗଲା । ଏକଥା ସେ କହିଲେ ଓ ସବୁ ବାଗ ବତାଇ ଦେଲେ ।

 

ପ୍ରସ୍ତାବ ଅନୁସାରେ କାର୍ଯ୍ୟ ହେଲା । ଶଶୀଭାଇନା ଭାରି ଚତୁର ଲୋକ । ସେ ତାଙ୍କ ହ୍ୟାଣ୍ଡ ପ୍ରେସ୍‌ଟି ମୋତେ ବିକିବା କଥା କରି, ରାଜାଙ୍କଠାରୁ ଦାମ୍‌ ନେଇଗଲେ କିମ୍ୱା ତାଙ୍କ ସହିତ ସେହିପରି କିଛି ବ୍ୟବସ୍ଥା କରିନେଲେ । ମୁଁ ପ୍ରେସ୍‌ ପାଇବା କଥାରେ ବୋଧ । ତେଣିକି ଆଉ ସେ ଖବର ନେଇ ନାହିଁ କି ନେବା ଦରକାର ନ ଥିଲା ମଧ୍ୟ ।

 

ରାଜା ମଦନ ମୋହନ ସିଂହ ମୋ ଗୀତ ଶୁଣି ଖୁସି । ପ୍ରେସ୍‌ ଦେବାରେ ହଁ ଭରିଲେ । ଖୁସିରେ ପୁରୀ ଫେରିଲି । ପ୍ରେସ୍ ରେଳରେ ଆସିଲା । ପୁରୀ ବଡ଼ଦାଣ୍ଡରେ ମରିଚକୋଟ ଗଳିର ପ୍ରାୟ ସାମନାରେ ଗୋଟିଏ ଭଡ଼ାଘରେ ଛାପାଖାନା ବସିଲା । ନାଆଁ ହେଲା ସଙ୍ଗୀତ ପ୍ରଭା ପ୍ରେସ୍‌ । ମୋ ଖୁଡ଼ୁତା ପୁଅ ସାନଭାଇ ପାର୍ବତୀ ଚରଣ ପରେ ଏଇ ପ୍ରେସ୍‌ ଚଳାଇଲା । ହରେକୃଷ୍ଣପୁରରୁ ଦାମ ଓ ରଘୁ ମିଶ୍ର ଇତ୍ୟାଦି କେତେଜଣ କର୍ମଚାରୀଙ୍କୁ ନେଇ ଛାପାଖାନା କାମ ଆରମ୍ଭ କଲି ।

 

ସଙ୍ଗୀତ-ପ୍ରଭା :

 

ମାସିକ ପତ୍ରିକାଟିଏ ପ୍ରକାଶ କଲି । ତାର ନାଆଁ ‘ସଙ୍ଗୀତ-ପ୍ରଭା’–କେବଳ ସଙ୍ଗୀତ ସମ୍ୱନ୍ଧୀୟ ପତ୍ରିକା । ଏହା ଓଡ଼ିଶାରେ ଏକ ଅଭିନବ ଉଦ୍ୟମ ମୋର । କେବଳ ସଙ୍ଗୀତ ସମ୍ୱନ୍ଧୀୟ ପ୍ରତିକାର ଏହା ପ୍ରଥମ ପ୍ରଚେଷ୍ଟା ଏବଂ ଅବଧି, ସେଭଳି ଯୋଗାଡ଼ ମଧ୍ୟ କେହି କରି ନାହାନ୍ତି । ତା’ ସହିତ ଗୋଟିଏ ସଙ୍ଗୀତ ଶିକ୍ଷାଳୟ ଖୋଲିଲି । ଓଡିଶାରେ ଏ ମଧ୍ୟ ଅଭିନବ ଉଦ୍ୟମ । ଛାତ୍ର କିଛି ଜୁଟିଲେ; କିନ୍ତୁ ଟଙ୍କା ଘର ଶୂନ । ତେଣୁ ଶିକ୍ଷାଳୟଟି ପ୍ରାୟ ବର୍ଷ ପରେ ବନ୍ଦ କରିଦେଲି ।

 

ମୁଁ ନଅର କଚେରିକୁ ନ ଯିବାରୁ ରଜା ୨।୪ ଥର ଡକାଇଲେ । ରାଣୀଙ୍କଠାରୁ ଖବର ପାଇଲି । କାହାରିକୁ ମୁଁ ରଜାଙ୍କ ସେଦିନର ବ୍ୟବହାର କଥା କହି ନ ଥାଏଁ । ସାଙ୍ଗ ମୋ ସାହେବମାନେ ମୁଁ ରଜାଙ୍କ କଚେରିକୁ ଯାଉ ନ ଥିବାର ମଧ୍ୟ କାରଣ ପଚାରିଲେ । ସମସ୍ତଙ୍କୁ କହେଁ–ପ୍ରେସ୍‌ଟାଏ ଆରମ୍ଭ କରିଛି, ଟିକିଏ ଝମେଲା ତୁଟିଗଲେ ଯିବି, ଛୁଟି ଆଣିଛି ।

 

କହିଛି ତ ରାମ ସହାୟ ବୋଲି ରଜାଙ୍କର ଏକ ଅନୁଗୃହୀତ କର୍ମଚାରୀ ଥିଲା–ସେ ରଜାଙ୍କର Personal Assistant । ଲୋକଟି ଅତି ମଧୁରଭକ୍ତିଆ । ତାଙ୍କୁ ଦେଖିଲେ ମୋର ପଞ୍ଚତନ୍ତ୍ରର ଗୋଟିଏ ଶ୍ଳୋକ ମନେପଡ଼େ–

 

‘‘ବଚସିତେ ଯାଦୃଶୀ ମଧୁରତା

କାର୍ଯ୍ୟେତୁ ତଦ୍‌ ବିପରୀତଂ ପ୍ରତିଭାତ ।।’’

 

ପ୍ରେସ୍‌ଟି ବଡ଼ଦାଣ୍ଡରେ ଦୁଧୁଆବାଲା ଧରମଶାଳା ପଡ଼ିଶାରେ କରିଥାଏଁ । ଦିନେ ସେଠିକି ଆସି ରାମ ସହାୟ ବନ୍ଧୁତା ଦେଖାଇ ମୋତେ ଡାକିଲେ ଚାକିରି ଜୀବନକୁ ଫେରିଯିବାକୁ । ଯୋଗକୁ ସେତିକିବେଳେ ରେକର୍ଡ଼ ସାମ୍ପଲ ଆସି ପହଞ୍ଚିଥାଏ । ଏଚ୍.ଏମ୍.ଭି କମ୍ପାନୀରୁ । ରଜାଙ୍କ ସହିତ ଦେଖା କରିବାକୁ ଯାଇ ନ ଥିଲି କଲିକତା ଯିବାଦିନଠାରୁ । ଆଜି ଯିବି ବୋଲି ସ୍ଥିର କଲି–‘ଚାକିରି ଝକ୍‌ମାରି–ଏ ଜୀବନେ ନାହିଁ କରି’–ରେକର୍ଡ଼ ଖଣ୍ଡକ ତାଙ୍କୁ ଭେଟି ଦେବି ବୋଲି ଭାବି-। ରାମ ସହାୟଙ୍କୁ ତାଙ୍କ ଛଳ ବନ୍ଧୁତା ବୁଝି ନ ପାରିବା ଭଳି ଅଭିନୟ ଦେଖାଇ ରାତିରେ ଯିବାକୁ ସ୍ୱୀକୃତି ଦେଲି ।

 

ଚାକିରି–ଝକ୍‌ମାର :

 

ରାଜବାଟୀକି ଗଲି ରାତି ଆଠଟା ନଅଟାରେ । ଆସର ଜମିଛି । ପଶାଖେଳ ଦୋସ୍ତମାନେ ବସିଛନ୍ତି । ରାଜା ଖୁସ୍‌ମିଜାଜରେ ଅଛନ୍ତି । ଯାଇ ବିଧିମତ ଜୁହାରିଲି ଚଳନ୍ତି ବିଷ୍ଣୁଙ୍କୁ–ଭକ୍ତ ଯେମିତି ଏକାବେଳେ ଗର୍ଭଛଡ଼ା ହୋଇ ଦେଖାଦେଇଛି, ଅଷ୍ଟାଙ୍ଗ ଶରୀରରେ ମୋର ସେଦିନ-। ଦେଓ୍ୱାନ ରାଜକିଶୋରବାବୁଙ୍କୁ ପ୍ରଣାମ କଲି । ମୁଁ ଆଜିଯାଏଁ ନ ଆସୁଥିବାର କାରଣ ପଚାରିଲେ ରଜା ଓ ଅନ୍ୟମାନେ; ଯୋଗକୁ ସେଠିଥିଲେ ରାମ ସହାୟ ମୋତେ ଯେ Pressରେ ପଚାରିଥିଲେ । ମୁଁ ଛୁଟି ନେଲାବେଳୁ ତ ଚାର୍ଯ ବୁଝାଇ ଦେଇ ଆସିଥାଏଁ । ଆଉ ଚିନ୍ତା କ’ଣ-? ତଥାପି ରାମ ସହାୟ କେତେ କଥା ପଚାରିଥିଲେ । ରଜାଙ୍କୁ କହିଲି–କାମ ତୁଟି ନ ଥିଲା ବୋଲି ଆସି ପାରି ନ ଥିଲି । ଛାମୁଙ୍କ ଦ୍ୱାର ଛଡ଼ା ମୋର ଅନ୍ୟ ଗତି କାହିଁ ?’ ଖୁସି ହୋଇଗଲେ ଛାମୁ, ମୁଣ୍ଡ ଟୁଙ୍ଗାରିଲେ ମୁରୁକିହସା ମାରି ।

 

ରେକର୍ଡ଼ ଖଣ୍ଡି ଭେଟିଲି । ସଙ୍ଗେ ସଙ୍ଗେ ଗ୍ରାମଫୋନ୍‌ ଭିତର ଦିଗରୁ ମଗାହେଲା । ମୁଁ ଅନ୍ୟ ରେକର୍ଡ଼ଗୁଡ଼ିକ ଆଗରୁ ଲଗାଇ ଶୁଣାଇଲି । ତା’ ଭିତରେ–‘ସୁନ୍ଦର ରୋଳ’ ସୁଗୋଲ କଳେବର ଝିକିମିକି ତନୁ ଜୟ ଟଙ୍କା’ ରେକର୍ଡ଼ ଶୁଣି ରାଜା ମୋତେ ଟିକିଏ ପରିହାସ କିମ୍ୱା ଉପହାସ କରି କହିଲେ–‘‘କାଳୀବାବୁ ଆମର ଟଙ୍କାର ଖୁବ୍‌ ପ୍ରଶଂସା କରି ଜାଣନ୍ତି ।’’ ରାମ ସହାୟ ତାଙ୍କ କଥାରେ ଜୁଆଣ ଦେଇ କହିଲେ–‘ହୁସିଆର ଆଦ୍‌ମି, ରୂପୟେକା କଦର ଜାନ୍‌ତହେଁ, ପହଚାନତେ ଭି ଖୁବ୍‌’ ।

 

ମୁଁ ଧୀରସ୍ଥିର ଭାବରେ ମୁରୁକି ହସୁଥାଏ । ଖଣ୍ଡି ଓଡ଼ିଆରେ ରାମ ସହାୟ କହିଲେ–‘‘ବାହାର ରୋଜଗାର ଶେଷ କରିସାରି ଚାକିରିକି ଫେରିଲେ କାଳୀବାବୁ । ଟଙ୍କାର ଗୁଣ ଗାଇଛନ୍ତି ସେଇ କଥା ଶୁଣାଇବାକୁ । କାଲି ପୁଣି କାମରେ ଜଏନ୍‌ କରିବେନା....ଇସିଲିଏ !’’ ଏଥର ଆର ରେକର୍ଡ଼ଟି ଶୁଣାଇଲି ‘ଚାକିରି ଝକ୍‌ମାରି–କେଜାଣି କାହିଁକି କ’ଣ ସଭିଏ ବୁଝିଲେ–ମୁହଁଟି ମାନ କେଶରା ପଡ଼ିଗଲା । ରେକର୍ଡ଼ ଖଣ୍ଡି ବଜାଇ ସାରି–ରାଜାଙ୍କ ଶ୍ରୀହସ୍ତକୁ ବଢ଼ାଇ ଦେଇ ଜୁହାରିଲି ଅତିଭକ୍ତି ଦେଖାଇ ।

 

ରାଜା କହିଲେ–‘‘ଗୀତଟି ଗାଇକରି ନିଜେ ଶୁଣାଅ । କୋଉ ଦିନଠୁ ତମ ଗୀତ ଶୁଣା ହୋଇ ନାହିଁ ।’’ ଶୁଣାଇଲି–ଚାକିରି ଝକ୍‌ମାରି, ଏ ଜୀବନେ ନାହିଁ କରି ।

 

ଦେଖିଲି ଗୀତ ଶେଷରେ ରାଜାଙ୍କ ଶ୍ରୀମୁଖ ମଧ୍ୟ ଟିକିଏ କେମିତି ଦିଶିଲା, ରାଗରୋଷରେ କି ଅବସୋସରେ–କେଜାଣି । ବିଚାରିଲି, ଆଉ ରହିବା ଭଲ ନୁହେଁ । ବିଦାୟ ନେଲି । ଥରେ ମାତ୍ର ରାଜବାଟିକି, ରାଜବାଟି ସାମନା ନଅର କଚେରିକି ଓ ସିଂହଦ୍ୱାରକୁ ଫେରି ଚାହିଁଲି–ଚାକିରିର ଶେଷ ଦେଖାପାଇଁ । ମନଟା ଟିକିଏ କେମିତି ଗୋଳେଇ ଘାଣ୍ଟି ହେଲା । ଏଇଠି ଜୀବନର ଘଟ ପରିବର୍ତ୍ତନ ତ ! ତେଣୁ....

 

ରାମ ସହାୟ ମୋ ପଛେ ପଛେ ନଅରରୁ ବାହାରି ଆସିଲେ । ଦୁହିଁଙ୍କ ଗତି କିନ୍ତୁ ବିପରୀତମୁଖୀ । ସେ ଦେଉଳ ଆଡ଼େ–ମୁଁ କୁଣ୍ଢାଇବେଣ୍ଟ ସାହିକୁ ମୁହାଁଇଲି ।

 

ପଛରୁ ସେ ଡାକି ପଚାରିଲେ–‘ଦୋସ୍ତ କଲ୍‌ ସୁବା ଆଠ ବଜେ ଆୟେଗା ।’’

 

କାନ ଶୁଣିଛି, ମନେ ମନେ ଉତ୍ତର ଦେଲି, ମୁଣ୍ଡ ଟୁଙ୍ଗାରି । ଆଉ ନଅର ଦୁଆର ମାଡ଼ିଲି ନାହିଁ ।

 

‘‘ଛୋଡ଼ ନଗରୀକା ନାମ କ୍ୟା ?’’

 

ରେକର୍ଡ଼ ଖଣ୍ଡିକରେ ତ ସବୁ ମନକଥା ଫିଟାଇ ଦେଇଛି, ପୁଣି କାହିଁକି ? ଚାକିରି ନାଟକର ଯବନିକା ପତନ ଏଇଠି ।

✽✽✽

 

Unknown

କଳା-ଜୀବନ

 

ରାସ ରସ :

 

ପ୍ରେସ୍‌ ଚାଲିଛି । ହେଲେ ଖଦାଖିଆ ଗୋରୁ ବନ୍ଧା ହୋଇ ଦାନା ଖାଇବାକୁ ସୁଖ ପାଇବ କେତେକେ ?

 

ଦେଉଳରେ ପଦ୍ମଚରଣ ରାୟ ଥିଲେ ଜମାଦାର । ତାଙ୍କୁ ଧରି, ନାନା ଯୋଗାଡ଼ଯନ୍ତ୍ର କରି ରାସଦଳ ଉଦ୍ୟମ କରିବାର ବ୍ୟବସ୍ଥା ତ ହୋଇଥିଲା ଏଥର ଶିଖାଶିଖି କାମ ଆରମ୍ଭବେଳେ ହେଲା, ଖୁବ୍‌ ଜୋରସୋରରେ ।

 

୧୯୨୫–ସୁନିଆଁ । ମୋ ଜୀବନର ଏକ ସ୍ମରଣୀୟ ଦିନ । ଏଇଦିନ ରାସଦଳର ପହିଲି ଶୁଭଦିଆ । କୁଣ୍ଢାଇବେଣ୍ଟ ସାହିର ମକୁ, ଭୋଦା, ପଶ୍ଚିମଦ୍ୱାର ଗଢ଼ନ୍ତି ଉପର ଦାମୀ, ଆଗରୁ ସଂଗୃହୀତ କେନ୍ଦ୍ରାପଡ଼ାର ବରଜୁ ଓ ସୁଦର୍ଶନ ପ୍ରଭୃତି ପିଲାଙ୍କୁ ଏକାଠି କରି ତାଲିମ ଆରମ୍ଭ କରିଦେଲି, ମୋ ବସାର ଦାଣ୍ଡଘରେ । ମୁକୁନ୍ଦ ସାହୁ ଏ ଦଳର କରପଟଦାର ଯୋଗାଡ଼ କରି ପିଲା ଆଣିବା ଭାର ତାହାର ।

 

ମୋହନ ଗୋସେଇଁଙ୍କ ଦଳ ଏତେବେଳେ ପୁରୀରେ ବେଶ୍‌ ନାଆଁ କମାଇ ଥାଆନ୍ତି । ମୋ ଦଳ–ସୃଷ୍ଟିରେ ସେ ଟିକିଏ ଟାହୁଲି ଟାପରା କରିବାକୁ ପଛାଇଲେ ନାହିଁ । ନାନାମତେ ବାଧା ସୃଷ୍ଟି ମଧ୍ୟ କରାଇଲେ । ମାତ୍ର ଯେତେବେଳେ, ଯାହା ଯେପରି, ଯେମିତି, ଯେଉଁଠି ହେବାର ଥାଏ–ତାକୁ କେହି ଆନକରିପାରିବ ନାହିଁ । ଏ ବିଶ୍ୱାସ, ଏ ଅନୁଭୂତି ମୋର ସଦାଦିନେ ଥିଲା, ଅଛି, ଜୀବନ ଯିବାଯାଏ ଥିବ ।

 

‘ଶ୍ରୀରାଧା’ ଓ ‘ବାଂଶରୀବିଳାସ’–ଦୁଇଖଣ୍ଡି ରାସ ବହି ପ୍ରସ୍ତୁତ ହୋଇଗଲା ଅଳ୍ପ ଦିନରେ-

 

ଜଗନ୍ନାଥ କ୍ଳବରେ ପ୍ରଥମ ଅଭିନୟ ପୁଷ ପୁନେଇଁ ଦିନ ହେବାର ସ୍ଥିର ହେଲା । ଏ ଖବର ପାଇଲେ ଏମାର ମଠର ସଦାଶୟ ମହନ୍ତ ମହାରାଜ ସ୍ୱର୍ଗତ ଗଦାଧର ରାମାନୁଜ ଦାସ । ମୋତେ ଡକାଇ ନେଇ କହିଲେ, ସର୍ବପ୍ରଥମେ ତାଙ୍କ ମଠ ଠାକୁରଙ୍କ ଆଗେ ରାସ ଅଭିନୟ ପ୍ରଦର୍ଶନ ଲାଗି ।

 

ଦଳର ସ୍ତମସ୍ତେ ଖୁସିରେ ରାଜି ହୋଇଗଲେ । ଅଭିନୟ ଦେଖି ଲୋକେ ମୁଗ୍ଧ ହେଲେ-। ତହିଁ ପରଦିନ ସକାଳେ ପୁରୀ ସହର ତମାମ୍‌ ଦଳର ପ୍ରଶଂସା । ଏ ଆଶା କେବେ କରି ନ ଥିଲେ ମୋହନ ଗୋସାଇଁ । ସେହି ଦିନରୁ ସେ ଭାବିଲେ ଯେ ତାଙ୍କର ମୁଁ ଜଣେ ପ୍ରଧାନ ପ୍ରତିଦ୍ୱନ୍ଦୀ ବାହାରିଲି । ତାଙ୍କ ଦଳ ଓ ମୋ ଦଳର ପାର୍ଥକ୍ୟ ଅନେକ । ସେ ଅତି ପୁରୁଣା ରାସ ଧରଣିଆ ଗୀତ ଖଞ୍ଜୁଥିଲେ । ଆଉ କଥା ବା ବଚନିକା ଊଣା । ମୁଁ ବହିରେ ବିଭିନ୍ନ ରାଗରାଗିଣୀର ଗୀତ ରଚନା କରି ଶିଖାଇଲି ରସାନୁସାରେ । ଗଜଲ ସ୍ୱରର ଗୀତ ଖଞ୍ଜିଲି । ବଚନିକା ବେଶି ରଖିଲି । ଅନେକ ସ୍ଥଳରେ ଅପ୍ରାସଙ୍ଗିକତାକୁ ଦୂରେଇଲି । ଏ ରୀତି ତ ତାଙ୍କର ନ ଥିଲା । ଲୋକେ ନୂଆ ଭିଆଣ ଦେଖି ଆଦର କଲେ । କ୍ରମେ ଦଳ ମଧ୍ୟରେ ବେଶି ପିଲା ଯୋଗଦେଲେ । ଅନେକ ହିତକାମୀ ବନ୍ଧୁ ଆସିଗଲେ, ନାନାଭାବେ ସାହାଯ୍ୟ ଦେବାକୁ ।

 

ଚଣାହଟାର ସ୍ୱର୍ଗତ କୃଷ୍ଣମୋହନ ପଟ୍ଟନାୟକ ଜଣେ ସ୍ୱନାମଧନ୍ୟ ସଙ୍ଗୀତ ଲେଖକ ଓ ଗାୟକ । ତାଙ୍କ ସହିତ ମୋର ବନ୍ଧୁତା ସମ୍ପର୍କ ଥାଏ । ସେ ମୋର ଭଣଜା ହେବେ । କୃଷ୍ଣମୋହନ ଏତିକିବେଳେ ଆସି ଦିନାକେତେ ମୋ ବସାରେ ରହିଲେ । ଭାବଭୋଳା ଲୋକ ସେ । ଗୀତ ଗାଇ ବସିଲେ ରାତି ପାହିଯିବ । ଶୁଣିବା ଲୋକ ସିନା ଉଠିଯିବାକୁ ତରତର ହେବେ, ମାତ୍ର ସେ ହାର୍ମୋନିୟମ ଛାଡ଼ିବାବାଲା ନୁହନ୍ତି । ଟାଣି ବସାଇ ‘ଏଇ ଗୋଟିକ, ଏଇ ଗୋଟିକ’ କହି ସେ ନିଶ୍ଚୟ ଗୀତ ଗାଇ ଶୁଣାଇବେ । ତାହାକୁ ଚିଟା ଲାଗୁ ପଛେ–ତାଙ୍କର ସେଥିକି ଭ୍ରୂକ୍ଷେପ ନାହିଁ । ଦିନେ ଦିନେ ସକାଳୁ ବସିଗଲେ ଗାଧୁଆ, ଖିଆ ତାଙ୍କର ପାସୋର ଯାଏ । ମୁଁ ତାଙ୍କଠାରୁ ବୟସରେ ଊଣା, ମାତ୍ର ସମ୍ପର୍କରେ ତ ମାନ୍ୟବ୍ୟକ୍ତି । ସେଇ ଦାବିରେ ବିରକ୍ତ ହେଲେ, ପିଲାଟି ପରି ହସି ହସି ସେ ଖାଇବାକୁ ଯାଆନ୍ତି । ସେପରି ସବୁବେଳେ ହସବୋଳା ମୁହଁ ମୁଁ ଆଉ କେବେ କାହାରି ଦେଖି ନାହିଁ; କୋଉଠି ହେଲେ । ସେ ଗୋଟିକେତେ ଗୀତ ଲେଖି ବହିରେ ଯୋଗ କଲେ । ଲେଖା ଯେମିତି ସରଳ, ସେଇମିତି ରସଭରା ।

 

ଶିଳ୍ପୀ କୃଷ୍ଣମୁଖାର୍ଜୀ ଆଗ୍ରହରେ ସିନ୍‌ସିନାରୀ ତିଆରିଠାରୁ ପେଣ୍ଟିଂ ଇତ୍ୟାଦି ସବୁକାମ ତୁଲାଇଲେ । କେତେ ଭଦ୍ରଲୋକ କେତେ ଭାବରେ ଯେ ସାହାଯ୍ୟ ଦେଲେ, ତା’ର ସୀମା ନାହିଁ । ଏସବୁ ଅଯାଚିତ ଦାନ । ଏଇଥିପାଇଁ ମୁଁ ବିଧିନିର୍ବନ୍ଧ ଉପରେ ପୂରା ବିଶ୍ୱାସ କରେଁ । କିଏ କରେ, କେମିତି କରେ, କାହିଁକି କରେ–ଏସବୁ ଭାବି ହୁଏ ନାହିଁ । ମନେ ପଡ଼ିଯାଏ ଗୋଟିଏ କଥା ସବୁବେଳେ–

 

‘‘କରି କରାଉଥାଏଁ ମୁହଁ

ମୋ ବିନୁ ଅନ୍ୟ ଗତି ନାହିଁ ।’’

 

ଏ ମହାଜନ ବାକ୍ୟ, ମୋ ଜୀବନରେ ଏକାଦିନେ, ସଦାବେଳେ ସତ୍ୟ ବୋଲି ବାରି ଆସିଛି ମୁଁ ।

 

ଗୀତ ଶିକ୍ଷା କରିବାକୁ ମୁଁ ମୋର ସ୍ୱର୍ଗତ ଗୁରୁ ବନୱାରୀ ମିଶ୍ର ଉପର ଡିହ, ଗୟା (ସ୍ୱର୍ଗତ ସ୍ୱନାମଧନ୍ୟ ଓସ୍ତାଦ ହନୁମାନ୍‌ ଦାସଜୀଙ୍କ ସାଗରେତ୍‌ ଓ ଏକଦା ରାଁ ତୁ ମହାରାଜାଙ୍କ ସଭା-ସଙ୍ଗୀତଜ୍ଞ)ଙ୍କୁ ମୋ ପାଖରେ ରଖିଥାଏଁ । ସେ ଯେତେ କାମ ଥାଉ, ପାହାନ୍ତାରୁ ଉଠାଇ ଅବଶ୍ୟ ଗଳା ସଧାଇବେ । ସେ ମଧ୍ୟ ଗୋଟି କେତେ ରଙ୍ଗିଲା ସ୍ୱର ଦେଇ ମୋତେ ତଦନୁସାରେ ଗୀତ ରଚନା କରିବାକୁ ଓ ଗାଇବାକୁ ପ୍ରବର୍ତ୍ତାଇଲେ ।

 

ସ୍ଥୂଳତଃ ଚାରିଆଡ଼ୁ ସାହାଯ୍ୟ ମୋତେ ମିଳିଗଲା । ଏଥିରେ ଆଉ ରଜାଘର ଚାକିରି ଖଟିବାକୁ ମନ ଭଲା ବଳିବ କୋଉଠି ?

 

ରଜାଙ୍କୁ ଥରେ ମୋର ରାସଦଳର ଅଭିନୟ ଦେଖାଇବାକୁ ସାଙ୍ଗସାଥିଏ କହିଲେ । ଏତେବେଳକୁ ସେମାନେ ମୋର ରଜାଘର ଚାକିରି ଛାଡ଼ିବାର କାରଣଟା ଜାଣିଗଲେଣି । ସମସ୍ତେ ବାଧ୍ୟ କରିବାରୁ ଦନେ ରଜାଙ୍କୁ ଦେଖା କରିବାକୁ ଗଲି ଓ ନଅରରେ ରାସ ଅଭିନୟ ପାଇଁ କହିଲି । ଆଦରରେ ସେ ‘ହଁ’ ଭରିଲେ ଅଭିନୟର ବ୍ୟବସ୍ଥା କରିବାକୁ ।

 

ମଞ୍ଚ ବନ୍ଧାଗଲା । ନଅର ଅଗଣାରେ, ଦେବାର୍ଚ୍ଚନ ଘର ଆଗ ଛାମୁଆରେ । ଅଭିନୟ ଦେଖି ସମସ୍ତେ ଖୁସି ହେଲେ । ରସଗ୍ରାହକ ଦେଓ୍ୱାନ ରାଜୁବାବୁ ଉଠିଆସି ମୋ ମୁଣ୍ଡକୁ ଆଉଁଶି ପକାଇଲେ । ଆନନ୍ଦରେ ତାଙ୍କ ବାକ୍‌ରୋଧ ହୋଇ ଯାଇଥାଏ । ସେ କହିଲେ–‘ଚାକିରି ଯଦି ତୁମେ କରିଥାନ୍ତ କାଳୀ–ଏ ରାସରସ ଲୋକଙ୍କୁ ଚଖାନ୍ତା କିଏ ? ଜଗନ୍ନାଥ ଏଇଥିପାଇଁ ତମକୁ ଚାକିରି ଛଡ଼ାଇଲେ । କବିକୁ ଚାକିରି ‘ଘୋଡ଼ା ବେକରେ ଜୁଆଳି ପଡ଼ିଲା ପରି ।

 

ଆଜି ରଜାଙ୍କର ସମାଦର ଦେଖି ମୋର କୁକୁର ସହିତ ତୁଳନା କରିବା ଦିନ କଥାଟା ମନେ ପଡ଼ିଗଲା । ସେଇ ତ ସେ–ସେଇତ ମୁଁ । ତଫାତ୍‌ ମାତ୍ର ସେଦିନ ମୁଁ ଥିଲି ଚାକର–ଆଜି କିନ୍ତୁ ସ୍ୱାଧୀନ । ବିଚାରିଲି, ‘ଚାକିରି ଝକ୍‌ମାରି’ ଗୀତଟି ଯେ ଲେଖାଅଛି, ସେ ଧନ୍ୟ । ମଥାରେ ଯୋଡ଼ହାତ ଲଗାଇଲି ।

 

ପରେ ପରେ ଜଗନ୍ନାଥ କ୍ଲବ୍‌ରେ ଟିକେଟ କରି ଅଭିନୟ ପ୍ରଦର୍ଶିତ ହେଉଥାଏ, ପ୍ରତି ସପ୍ତାହରେ ଶନିବାର ରବିବାର ଦି’ଦିନ । ସବୁରିଠାରୁ ସମାଦର ପାଇ ବୁକୁ ଫୁଲି ଉଠିଲା । ମୋର ନିଜ କରଣୀରେ ଆତ୍ମପ୍ରସାଦ ଲାଭ କରି ଗର୍ବିତ ହେଲି । ଜଗନ୍ନାଥଙ୍କୁ ପାସୋରି ପକାଇଲି । ଜନ ପ୍ରଶଂସାରେ ଲୋକ ‘ଦଇବି କିଆ’କୁ ଭୁଲିଯାଏ ସିନା !

 

ଗେଲରୁ ତେଲ :

 

ରାସ ଅଭିନୟ ପଛକୁ ଖଣ୍ଡେ ଅଧେ ଲବଜିଆ ଗୀତ ଓ ପ୍ରହସନ ଲେଖି ଅଭିନୀତ କରାଇବାକୁ ମନ ହେଲା । ପରେ ବୁଝିଲି, ମୋ ଗର୍ବର ଫଳ ଦେବାକୁ ଏ ମଧ୍ୟ କର୍ତ୍ତାଙ୍କ ବରାଦ । କେନ୍ଦ୍ରାପଡ଼ାର ବରଜୁ (ମରିଗଲାଣି ବିଚାରା) ରଙ୍ଗମଞ୍ଚର ଗୋଟାଏ ରତ୍ନ । ସୁଦର୍ଶନ କରର ଗଳା ବଡ଼ ମଧୁର–ରୂପ ଗୁଣ ଦୁଇର ସମନ୍ୱୟ ଘଟିଥିଲା ସୁଦର୍ଶନ ପାଖରେ । ବରଜୁ–ମଧୁ ମଙ୍ଗଳ ଓ ସୁଦର୍ଶନ–ଲଳିତା ଭୂମିକାରେ ଅଭିନୟ କରୁଥାଆନ୍ତି । ଦୁହେଁ ମଞ୍ଚକୁ ଆସିଲେ ତାଳି ବରଷେ । ଏସବୁ ଯୋଗାଯୋଗ ଯେ ବିଚିତ୍ରକର୍ମାଙ୍କ କୀର୍ତ୍ତି, ସେ ଧାରଣା ଧୀରେ ଧୀରେ ମନରୁ ଉଭାଇଗଲା ମୋର ।

 

ଦିନେ ହଠାତ୍‌, କେଜାଣି କାହିଁକି–ପ୍ରହସନ ଭିତରେ ଗୋଟିଏ ଗୀତ ଲେଖି ଖଞ୍ଜିଲି । ଅବଶ୍ୟ ଲେଖିବା ବେଳେ ମନରେ କାହାରି ପ୍ରତି କିଛି ମନ୍ଦ ଭାବ ପୋଷଣ ମୁଁ କରି ନାହିଁ । ଲେଖୁ ଲେଖୁ ଯେମିତି ସତେ ଲେଖି ହୋଇଗଲା । ଗୀତରୁ ପଦେ କହୁଛି–

 

‘‘ଅଜବ୍‌ ସହର ପୁରୀରେ ଭାଇ !

ଅଜବ୍‌ ସହର ପୁରୀ ॥ ୦॥

ମଶା, ମୂଷା, ମହନ୍ତ, ମାତା–

ମାଙ୍କଡ଼, ମାହାରି ଏଠି କରତା–

ମେନେଜର ଆଉ ମୁନିସିପାଲଟି

କରନ୍ତି ବଡ଼ ଜାରି । ୨ । ଇତ୍ୟାଦି...,

 

ରହସ୍ୟରେ ଲେଖିଥିଲି ସିନା ଗୀତଟି; କିନ୍ତୁ ତାକୁ ଯେ ଲୋକେ ‘ପରମତୁଟ’ରେ ନେବେ, ୟା’ତ ବିଚାରୀ ନ ଥିଲି କେବେ; ଗେଲରୁ ତେଲ ବାହାରିବ ବୋଲି ଭାବି ନ ଥିଲି । ମଞ୍ଚରେ ଏ ଗୀତଟି ବରଜୁ ଗାଇସାରିବା ପରେ, ପ୍ରେକ୍ଷାଳୟରୁ ଟୁପ୍‌ଟାପ୍‌ ଶୁଣାଗଲା । କେତେକ ବନ୍ଧୁ ଆସି ସେ କଥା ମୋ କାନରେ ପକାଇଦେଲେ । ସବୁଠି ସବୁକାଳେ ଭଗାରି ମୋ ପଛରେ ଥାଆନ୍ତି । ପୁରୀରେ ମଧ୍ୟ ଏତେବେଳକୁ ଦେଖଣାହାରିଙ୍କ ଭିତରେ ଦୁଇଫାଙ୍କ ହୋଇ ସାରିଲାଣି । ବିଶେଷତଃ ମୁଁ ଟିକିଏ ପୁରୀର ସେତେବେଳିଆ ଗଣ୍ୟମାନ୍ୟ ବଡ଼ବଡ଼ିଆଙ୍କ ଅନୁଗ୍ରହ, ଆଦର ଓ ସ୍ନେହ ସରାଗ ପାଉଥାଏ ବୋଲି କେତେକଙ୍କର ଆଖିର କଣ୍ଟା ହୋଇଥାଏଁ ।

 

ସ୍ୱର୍ଗୀୟ ଲକ୍ଷ୍ମୀନାରାୟଣ ପଟ୍ଟନାୟକେ ସେତେବେଳେ ପୁରୀରେ ମୁନସିଫ । ସେ ମୋତେ ବଡ଼ ସୁଖ ପାଉଥିଲେ । ଯୋଗକୁ ସେ ସେଦିନ ପ୍ରେକ୍ଷାଳୟରେ ଥିଲେ । ନେପଥ୍ୟ ଗୃହ (Green room)କୁ ଆସି ମୋତେ ଡାକିଲେ । ମୁଁ ହାର୍ମୋନିୟମ ଛାଡ଼ି ଉଠି ଆସିଲି । ସେ କହିଲେ–ଏମିତି ଗୀତଟେ କାହିଁକି ଲେଖିଲ ? ଲୋକେ ବଡ଼ ଅସନ୍ତୁଷ୍ଟ । ପୁରୀର କେତେଜଣ ମହନ୍ତ, ଯେଉଁମାନେ କି ଦିନେ ଦିନେ ରାସ ଶେଷରେ ଶ୍ରୀମତୀ ଶ୍ରୀପତିଙ୍କ ମିଳନବେଳେ, ଭାବ ସମ୍ଭାଳି ନ ପାରି, ମଞ୍ଚ ଉପରକୁ ଉଠିଆସି ସଜ୍ଜିତ ଯୁଗଳ ରୂପକୁ ବାସ୍ତବ ରାଧାକୃଷ୍ଣ ମୂର୍ତ୍ତି ଦୃଷ୍ଟିରେ ଭକ୍ତି ପ୍ରଦର୍ଶନ କରୁଥିଲେ; ଯେଉଁମାନେ ମୋର ପ୍ରଧାନ ପୃଷ୍ଠପୋଷକ ହୋଇ ଠିଆ ହେଉଥିଲେ, ତାଙ୍କରି ସମ୍ପର୍କରେ ଏପରି ଲେଖି ମୁଁ ଭାରି ଅନ୍ୟାୟ କରିଛି ।

 

ମେଘ ଉପରୁ ଖସିପଡ଼ିଲି ମୁଁ । ବଜ୍ର ପଡ଼ିଲା ମୁଣ୍ଡରେ, ଚେତନା ଚାବୁକ ଦେଲା; ଜୀଅନ୍ତାରେ ମରିଗଲା ପରି ଲାଗିଲା । କହିଲି, ପ୍ରକାଶ୍ୟ ମଞ୍ଚରେ ଯାଇ କ୍ଷମା ମାଗିବି; କିନ୍ତୁ ଲକ୍ଷ୍ମୀନାରାୟଣବାବୁ ବୁଦ୍ଧି ଦେଲେ, ଏହା ବର୍ତ୍ତମାନ ଅନୁଚିତ ହେବ । ଯେଉଁ କେତେଜଣ ଗୀତଟିକୁ ଉପଭୋଗ ଦୃଷ୍ଟିରୁ ଗ୍ରହଣ କରିଛନ୍ତି, ସେମାନେ ଗୀତର ଅନ୍ୟ ଅର୍ଥ ଗ୍ରହଣ କରିବେ । ବର୍ତ୍ତମାନ ପାଇଁ ନୀରବ ରହ, ଦେଖାଯିବ ପରେ ।

 

ସବୁ ହେଲା ଯେ–ମନ ମାନିଲା ନାହିଁ । ଲାଜରେ, ଦୁଃଖରେ ଆଉ ମୁହଁ ଟେକି ପାରିଲି ନାହିଁ । ନିକଟ ବନ୍ଧୁମାନେ ମଧ୍ୟ ଟିକିଏ ମୁହଁ ଶୁଖାଇ ଦେଲେ । ସେଦିନ ବସାକୁ ଫେରି ଆଉ ସରାଗ ନ ଥାଏ ସବୁଦିନ ପରି । ଭଲରେ ଖାଇପାରିଲି ନାହିଁ । ତହିଁ ଆରଦିନ ଠା’ ଠା’କେ ଏଇ କଥାର ଆଲୋଚନା ହେଉଥିବାର ଶୁଣିଲି । କଙ୍କଡ଼ାକୁ ଗୋଳିପାଣି ସୁହାଇଲା ପରି ବିପକ୍ଷଦଳଙ୍କୁ ଏ ଗୋଟାଏ ଦିବ୍ୟ ଖୋରାକି ଜୁଟିଗଲା । କ୍ରମେ କାନରୁ କାନ ହୋଇ କଥାଟା ଚରିଗଲା ବହୁତଆଡ଼େ । ଏ ଗୋଟାଏ ରବିବାରିଆ ଘଟଣା ।

 

ଆର ଶନିବାରକୁ ସେଇ ଜଗନ୍ନାଥବଲ୍ଲଭରେ ପୁଣି ଅଭିନୟ ହେବ । ମୁହଁ ଦେଖାଇବି କିପରି ? ଲୋକେ କି ଦୃଷ୍ଟିରେ ଦେଖିବେ ? ଗର୍ବର ଶାସ୍ତି ପାଇଲି ବୋଲି କେତେ ଜଗନ୍ନାଥଙ୍କୁ ଜଣାଇଁ ବିକଳରେ କ୍ଷମା ମାଗିଲି ।

 

‘ମାରେ ଯିଏ, ତାରେ ସିଏ’ :

 

‘‘ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ’’

 

ଏ କଥାର ସତ୍ୟତା ମଧ୍ୟ ଜୀବନରେ ବାରବାର ଅନୁଭବ କରିଛି । ସତରେ ‘ବିଚିତ୍ରକର୍ମା’ ସେ ।

 

ଦଳର ପିଲାଗୁଡ଼ିକ କେହି କେହି ବୁଝି ପାରୁ ନ ଥାନ୍ତି; ହେଲେ ମୋ ହସ ପରିହାସପ୍ରିୟତା ଉଭାଇ ଯାଇଥିବାର ସେମାନେ ଅନୁମାନ କରି ନେଇଥିଲେ । ସବୁ କାମ କରୁଥାଏ; କିନ୍ତୁ ମନେ ମନେ ‘ପଞ୍ଚାକ୍ଷର’ ଜପ ଛାଏଁ ଛାଏଁ ଚାଲିଥାଏ–କ’ଣ କରିବି ?

 

‘ଚିଠି’–ଦୁଆରେ ଶୁଭିଲା ଡାକ । ଅନ୍ୟଦିନ ପରି ସେଦିନ ସେତେ ଆଗ୍ରହ ନାହିଁ, ଡାକବାଲା ଡାକ ପ୍ରତି । କିଏ ଜଣେ ଗଲା, ଚିଠି ଆଣିଲା । ମୁଦ ଲଫାଫାଟି ଖୋଲି ଦେଖିଲି, ଚିଠି ଆସିଛି ନରସିଂହପୁରରୁ । ରଜାଙ୍କ ବାହାଘର । ମୋ ଦଳକୁ ଡାକରା । ଦର, ବସ୍ତୁର ସବୁ ଲେଖା ହୋଇଛି । ଯିବାକୁ ମାତ୍ର ଦିନ ଚାରିଛଅ ବାକି । ସଙ୍ଗେ ସଙ୍ଗେ ଚିଠିର ଉତ୍ତର ଦେବା କଥା ।

 

‘ମାରିବାକୁ ସେଇ, ତାରିବାକୁ ସେଇ’–ତାଙ୍କରି ବରାଦ ଏସବୁ । କୃତଜ୍ଞତାରେ ମନ ଭରିଗଲା । ଜୁହାରିଲି ଦୂରରେ ଥାଇ ।

 

ବନ୍ଧୁମାନଙ୍କ ସଙ୍ଗେ ପରାମର୍ଶକରି ପତ୍ରର, ଉତ୍ତର ସେଇଦିନ ଦେଇ ଦେବାର ପ୍ରସ୍ତୁତିରେ ରହିଲି । ପ୍ରତିଦିନ ଉତ୍କଣ୍ଠ ଭାବରେ ଡାକକୁ ଅନାଇଁଥାଏଁ । ଶେଷରେ ସେ ଆକାଂକ୍ଷିତ ରାତିର ପାହାନ୍ତି ପହର ହେଲା । ନରସିଂହପୁରରୁ ଜଣେ କର୍ମଚାରୀ ଆସିଲେ । ସେ ଆମ୍ଭମାନଙ୍କୁ ରାଜ ଆଠଗଡ଼ ଷ୍ଟେସନକୁ ନେଇଯିବେ । ମୋଟର ଲରୀଟିଏ ରାଜ ଆଠଗଡ଼ ଷ୍ଟେସନଠାରେ ଅପେକ୍ଷା କରି ରହିଛି । ବାଟଖରଚ ଘେନି ଆସିଛନ୍ତି ସେ ।

 

ଖବର ପାଇବା ପରେ ପରେ ଗାଧୋଇପଡ଼ି ଆଗେ ଦଉଡ଼ିଲି ଦେଉଳକୁ । କେତେ ଯେ ମୁଣ୍ଡିଆ ମାରିଲି ଜଗନ୍ନାଥଙ୍କୁ ତା’ର ସୁମାରି ନାହିଁ । କରୁଣାମୟଙ୍କ ଚରଣତଳେ ଆଖିଲୁହ ଝରାଇ–କାନଧରି ଜଣାଇଲି–ପ୍ରଭୁ ! ଗର୍ବ ନ ଦିଅ ଆଉ ସବୁବେଳେ ମନରେ ଏଇ ଧାରଣା ଦୃଢ଼କରି ଜଣାଇ ଦିଅ ପ୍ରଭୁ–

 

‘ଯଥା ନିଯୁତୋଦ୍ଧସ୍ମି ତଥା କରୋମି’

ଗାଇ ହେଇଗଲା ଗୋଟିଏ ପଦ–

‘କରି କରାଉ ତୁହି–ତୋ ବିନା ଆନ ନାହିଁ

ତୋ କଥା ତୋତେ ଏକା ଜଣା’

 

ଦଳବଳ ସାଜି, ତୁଚ୍ଛା ହାତରେ ରାଜଦର୍ଶନ ଅବିଧି ବୋଲି, ସାଧ୍ୟମତେ କିଛି ଶୁଖିଲା ମାହାର୍ଦ୍ଦ ସାଥିରେ ଧରି ସେଇ ରାତି ତାଳଚେର ଗାଡ଼ି ଚଢ଼ିଲୁଁ ।

 

ଷ୍ଟେସନ–ରାଜ ଆଠଗଡ଼ । ଏ ଥରକର ରାସଦଳର ଏଇଟା ହେଲା ପ୍ରଥମ ବିଦେଶଯାତ୍ରା । ଲରୀ ପ୍ରସ୍ତୁତ ଥିଲା । ବାହାରିଲୁ ଖୁନ୍ଦାଖୁନ୍ଦି ହୋଇ ଲରୀରେ ବସି ନରସିଂହପୁର ।

 

ସ୍ମୃତି ଚେତନା :

 

ଅଳ୍ପ ବାଟରେ ଆଠଗଡ଼ । ରାଜା ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକେ ଓ ରାଣୀ ରାଧାପ୍ରିୟା ଦେବୀ ଏଇଠି ପଣ୍ଡିତ–ମଣ୍ଡଳୀ ମଣ୍ଡିତ ହେଇ, ଦିନେ ଲେଖିଥିଲେ ଶରଦ୍‌ରାସ । ବଡ଼ ସାହିତ୍ୟ ରସିକ ଓ ପରମ ରାଧାକୃଷ୍ଣ ଭକ୍ତ । ଏଠିକି ଆସିଛି ମୁଁ ଅଂଶୁପା ବାଟେ ସୁବର୍ଣ୍ଣପୁରରେ କିଛି ସମୟ ଥାକି । ବଡ଼ ଆଦର କରୁଥିଲେ ରାଜା ମୋତେ । ଆଜି ଆଉ ସେ ନାହାନ୍ତି । ସବୁ ସ୍ୱପ୍ନ ।

 

ରାଜାଙ୍କ ଅମଳରେ ଗୋଟିଏ କଥା ମନେ ପଡ଼ିଗଲା, ରାଜବାଟୀ ପାଖ ଗଡ଼ମୁଣ୍ଡ ଜଗନ୍ନାଥଙ୍କ ଦେଉଳବାଟେ ଲରୀ ଯିବାବେଳକୁ ।

 

ରାୟବାହାଦୁର ରାଜକିଶୋର ଦାସଙ୍କ ଭାଇ ବୀରବାବୁ ଥାଆନ୍ତି ଆଠଗଡ଼ରେ ଦିଓ୍ୱାନ । ଖଣ୍ଡିଏ ଫୋର୍ଡ଼ ମଟରଗାଡ଼ି ରଜାଙ୍କ ପାଇଁ ଅଣାଇଲେ ସେ । ମୋଟରଗାଡ଼ି ସେତେବେଳକୁ ଆଠଗଡ଼ରେ ନୂଆ ।

 

ରଜା ଉପରଓଳି ଶୀତୁଳି ପଡ଼ିଲେ ଗଡ଼ ବୁଲି ବିଜେ ହୁଅନ୍ତି, ତାମ୍‌ଜାନ୍‌ ଚଢ଼ି । ସାଙ୍ଗରେ ଅନେକ ଲୋକ ତାମ୍‌ଜାନ୍‌ ପାଖେ ପାଖେ ପଛେ ପଛେ ଯାଉଥାଆନ୍ତି । ଗଡ଼ଟି କିଛି ସେପରି ବଡ଼ ନୁହେଁ । ତଥାପି ବୁଲିକରି ବାହୁଡ଼ା ବିଜେବେଳକୁ ଜଗନ୍ନାଥଙ୍କ ଦେଉଳରେ ପ୍ରାୟ ସଞ୍ଜଆଳତି ବଢ଼ୁଥାଏ । ତାମଜାନ୍ ବେହେରାଏ ଡାକ ମାରି ମାରି ଚାଲିଥାଆନ୍ତି । ଗଡ଼ୁଆଏ ଛାମୁ ବିଜେ କରୁଛନ୍ତି ବୋଲି ଦାଣ୍ଡ ପିଣ୍ଡାରେ ବସିଲାଠାରୁ ଓହ୍ଲାଇ, ଦାଣ୍ଡକୁ ଆସନ୍ତି । ବର୍ଣ୍ଣ ଅନୁସାରେ କିଏ ଜୁହାର କରନ୍ତି, କିଏ ଆଶୀର୍ବାଦ ଶ୍ଳୋକ ପାଠ କରନ୍ତି, ପୁଣି କିଏ ଫୁଲଟିଏ, ଟାହିଆଟିଏ ବା ଫୁଲ ମାଳଟିଏ–ଶରଧାରେ ଯାହା ହାତରେ ଯାହା ହେଲା–ଛାମୁରେ ଭେଟନ୍ତି । ଛାମୁ ମଧ୍ୟ ସେମାନଙ୍କର ସୁଖଦୁଃଖ, ଘର ହାଲ ହଇକତ ସବୁ ପଚାରି ବୁଝନ୍ତି । ସତେ ଯେମିତି ରଜାଘର ଆଉ ପ୍ରଜାଘର ଏକ । ଖାଲି ପଚାରନ୍ତି ନାହିଁ ଯେ, ଲୋଡ଼ାଥିଲେ ତହିଁକି ଚାହିଁ ଉପଚାର ବି କରନ୍ତି ରାଜା । କେତେ ଖୁଣ୍ଟି ନାଟି ମାଲିମାମଲା ତୁଣ୍ଡେ ତୁଣ୍ଡେ ବଡ଼ଦାଣ୍ଡରେ ଫଏସଲା ହୋଇଯାଏ । ରାଜା, ପ୍ରଜାର ଏ ଗଭୀର ଆତ୍ମୀୟତା–ଏ ନିକଟ ସମ୍ପର୍କ ଉଭୟକୁଳକୁ ଏକ ପରିବାରର ଗଣ୍ଡି ଭିତରେ ଘେରି ରଖିଥିଲା ।

 

ଫୋର୍ଡ଼ ମଟରଗାଡ଼ି ଆସିଲା । ଛାମୁ ସେଦିନ ନିତିଦିନିଆ ତାମ୍‌ଜାନ୍‌ ଚଢ଼ି ବିଜେ ହେବା ଛାଡ଼ି ମୋଟରରେ ବୁଲିଯିବାର ସ୍ଥିର କଲେ ଦିଆନେ । ସେଇ କଥା ହେଲା । ଛୋଟିଆ ଥାନଟିଏ ତ । ସାଙ୍ଗେ ସାଙ୍ଗେ ଗାଡ଼ି ରାଜାଙ୍କୁ ଗଡ଼ ବୁଲାଇ ନଅରକୁ ବାହୁଡ଼ି ଆସିଲା ।

 

ରାଜା ଦିଆନଙ୍କୁ ଡକାଇ କହିଲେ–‘‘ବୁଝିଲ ବାବୁ ! ଏ ମୋଟରଗାଡ଼ି ତୁମେ ରଖ, ଗସ୍ତ କରିବ; ଆମପାଇଁ ୟେ ଚଳିବ ନାହିଁ । ଆମେ ରଜା । ରାଜ୍ୟର ହାଲ ଆମକୁ ଜଣା ପଡ଼ିବ ନାହିଁ । ପ୍ରଜାପାଟଳ ଆମକୁ ଚିହ୍ନିବେ ନାହିଁ । ଲୁଚିଲାପରି ଯିବୁଁ, ଲୁଚିଲାପରି ଆସିବୁଁ । ଆମେ କ’ଣ ଚୋର କି ? ରଜା-ପ୍ରଜା–ବାପ-ପୁଅ । ସୁଖ-ଦୁଃଖ ହେବା ନାଇଁ ଚିହ୍ନା ପରଚେ ହେବା ନାଇଁ ?’’

 

ଏ ସେଇ ରାଜା, କଅଣ ଥିଲା କଅଣ ହେଲା ! କଥାଟା ଭାବୁ ଭାବୁ ନୂଆପାଟଣା ଗାଆଁ ଡେଇଁ, ତିଗିରିଆ ଚାଲିଲୁଁ । ତିଗିରିଆର ବହୁତ ପୁରୁଣା ସ୍ମୃତି ଲୁହଗାଧୁଆ ହୋଇ ଆଖିରେ ଖେଳିଗଲା । ନରସିଂହପୁର ବାହୁଡ଼ାଣି ଥରେ ଏଇ ଗଡ଼ରେ ବଧା କରିବାକୁ ବାହାରିଲି । ଗଡ଼ମୁଣ୍ଡରେ ଡାକବଙ୍ଗଳା । ଦହି, ଉଖୁଡ଼ା, ମୁଢ଼ି ଚକଟି ସମସ୍ତେ ଜଳଖିଆ କଲେ । ଲରୀ ଆଗେଇ ଚାଲିଲା ।

 

ବାଟରେ ମଣିଆବନ୍ଧ ଗାଆଁ ଏଇଠି ଜେଜଙ୍କ କଥା ମନେ ପଡ଼ିଗଲା–ଦିଆନ ବନ୍ଧ କଥା-। ପିଲାଦିନେ ଏଇ ମାଣିଆବନ୍ଧୀ ବିଖ୍ୟାତ ଏଇ ଫୁଲିଆ, ଦୋଫୁଲିଆ ପିନ୍ଧାପାଇଁ ଅଳି କରୁଥିଲି-। ଦାମ ସାଆନ୍ତରା ମଲେଣି । ସେ ଥିଲେ ସରସ ଲୁଗା ବୁଣାଳି ଓ ବ୍ୟବସାୟୀ । ଏ ଗାଆଁର ଅନେକ ବୌଦ୍ଧ ଧର୍ମାବଲମ୍ୱୀ । ଜଗନ୍ନାଥ ମନ୍ଦିର ଅଛି । ବିଧିମତ ସେବାପୂଜା ହୁଏ । ହେଲେ କୋଉ ମହାତ୍ମା, କୋଉ କାଳରେ ଏଠି ବୌଦ୍ଧଧର୍ମର ମଞ୍ଜି ବୁଣିଦେଇ ଯାଇଥିଲେ କେଜାଣି-! ତା’ର ଚେର ଅଛି ଆଜିଯାଏଁ । ଏଇଠି ବାଉଁଶ ନଳ ଭିତରେ ପିନ୍ଧା ଦୋସଡ଼ା ରଖାଯାଇ ବିକା ହେଉଥିଲା ଦିନେ-। କିଭଳି ବୁଣାଳି ନ ଥିଲେ ଆମ ଦେଶରେ ସତେ !

 

ସେଇଠୁ ଧୋବଣୀ ନାଳ । ଝିରିଝିରି ପାଣିଧାର କେଜାଣି କି ମନକଥା ଗୁମୁରି ଗୁମୁରି ଅବିରାମ ଗତିରେ ଧାଇଁଛି ତା’ର ପ୍ରିୟ ମିଳନ ଆଶାରେ । କେତେ ବଣମଲ୍ଲୀ ଅଯତନରେ, ଅଲୋଡ଼ା ଅପଚରା ହୋଇ ଝରପାଣିରେ ବାସବେଶ ମିଶାଇ ଦେଉଛି–ସତେ ଯୌବନର ପାହାନ୍ତି ପହରରେ, ଖରନିଃଶ୍ୱାସ ପକାଇ ପକାଇ !

 

ବଡ଼ାମ୍ୱା ଗଡ଼ ଆଉ ଅଳ୍ପ ବାଟ । ଗଡ଼ାପୋଖରୀ ଗାଆଁ ପାରିହେଲେ କହ୍ନେଇଁ ମଣ୍ଡପ, ସେଇଠୁ ଗଡ଼ । ଏଇ ଗଡ଼ାପୋଖରୀ ଗାଆଁରେ ଥରେ ପ୍ରାୟ ପନ୍ଦର କୋଡ଼ିଏ ବର୍ଷ ପୂର୍ବେ ବନ୍ଧୁ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟେ ଓ ମୁଁ, ଦୁହେଁ ଆସି ଗାଆଁମୁଣ୍ଡ ଠାକୁରାଣୀଙ୍କ ମଣ୍ଡପରେ ଚୁଆ ସିନ୍ଦୂର ବୋଳା ଏକ ପଥର ମୂର୍ତ୍ତି ଦେଖିଥିଲୁଁ । ସେଠି ଗାଆଁଲୋକେ ଛେଳି, କୁକୁଡ଼ା ମାନସିକ କରି ବଳି ଦିଅନ୍ତି । ଲୋକଙ୍କୁ ବହୁତ କୁହାପୋଛା କରି ମୂର୍ତ୍ତିର ମୁହଁ, ନାକ ଓ କାନରୁ ସିନ୍ଦୂର ପୋଛାଇଲୁଁ । ତାଟକା ହେଲେ ସଭିଏଁ ମୂର୍ତ୍ତି ଦେଖି । କାଳ ସତେ କେମିତି ନ ବଦଳେ ? କାହିଁକି ଜୈନ୍ୟ ମୂର୍ତ୍ତି–ନିରୋଳା ନିରାମିଷାଶୀ, ଆଉ କାହିଁ ଏ ବଳିଖାଇ ଠାକୁରାଣୀ ! ଏକାବେଳେ ଆକାଶରୁ ପାତାଳ ! ପୁରୁଷରୁ ପୁଣି ନାରୀ !

 

ବଡ଼ାମ୍ବା ଗଡ଼ର ସ୍ମୃତି ବୁକୁ ଚହଲାଇ ଦେଲା । ନରସିଂହପୁର ବାଟରେ ପଡ଼େ ବାଲିଝରୀ-। ସେଇଠୁ ଅତି ପିଲାଦିନର ସେ ସ୍ମୃତି ଚେତି ଦେଲା–ପୁରୁଜେନାଙ୍କ ଦେଉଳ ! ଏଇ ସେଇ ନରସିଂହପୁର ଗଡ଼, ଯେଉଁଠି ପିଲାଦିନର କେତୋଟି ଅଭୁଲା ବର୍ଷ ହସି ଖେଳି କଟାଇଛି । ପଣ୍ଡିତ ଆର୍ତ୍ତମିଶ୍ରେ ଯେଉଁଠି ମୋତେ ‘ଅ ଆ’ ପଢ଼ାଇଥିଲେ । ଦାଣ୍ଡ ଚଉପାଢ଼ୀକି ଆସି ପତ୍ର ସିଜୁ ଗଛ ଡାଙ୍ଗ ଖଣ୍ଡେ ଧରି ପଣ୍ଡିତେ ଡାକଦିଅନ୍ତି, ‘‘କାଳୀ ଚରଣ ! କି ତାପ ଆଣୁଚ କି ତାପ ବାହାରିବ-?’’ ସେଇଠୁ ସାଙ୍ଗେ ସାଙ୍ଗେ ଭୋକ ଲାଗିଯାଏ, ବଢ଼ା ଭାତଖାଇ ଟିକିଏ ମଠ କରି ପଣ୍ଡିତଙ୍କ ପାଖକୁ ଯାଇ ଓଳଗି ହୁଏଁ । ଏ ମୋର ସେଇ ବାଲ୍ୟ ସ୍ମୃତିମଖା ନରସିଂହପୁର ଗଡ଼ ।

 

ନରସିଂହପୁର ଗଡ଼ :

 

ନରସିଂହପୁରର ନିର୍ଦ୍ଦିଷ୍ଟ ବସାରେ ରହି ମଞ୍ଚର ବ୍ୟବସ୍ଥା ଦେଖିଲି । ଚଉକତି ଚାଞ୍ଚରା ବାଡ଼ଦିଆ ବିରାଟ ଘର ତୋଳା ହୋଇଛି । ଅଭାବ କ’ଣ ? ବଣ ଅଛି, ବାଉଁଶ ଅଛି–ବୁଣିବାକୁ ଡୋମ ଶଅର ତ ଅଛନ୍ତି । ରାଜାଘର ବାହାଘର ! ସାମନ୍ୟ କଥା ତ ନୁହେଁ ।

 

ଆଉ ଦିନକ ପରେ ଅଭିନୟ ! ଦେଖଣାହାରିଏ ପ୍ରେକ୍ଷାଳୟରେ ଭର୍ତ୍ତି ହୋଇଥିଲେ । ତା’ଛଡ଼ା ଆମ ଷ୍ଟେଜର ତିନିପଟ ଚାଞ୍ଚରା କଣାକରି କେତେ ଜୁଳୁଜୁଳୁ ଆଖି ଯେ ଚାହିଁ ରହିଲା, ତା’ର କଳନା ନାହିଁ । ନରସିଂହପୁରରେ ଏପରି ମଞ୍ଚବାନ୍ଧି ନାଟକାଭିନୟ ହେବାଟା ଏଇ ପ୍ରଥମ ବୋଲି ଶୁଣିଲି ।

 

ଦୁଇରାତି ଅଭିନୟ ପ୍ରଦର୍ଶନ ପରେ ବିଦାୟ ନେଇ ଫେରିଲୁଁ । ଖୁବ୍‌ ମନେ ଅଛି ସେ ଏକ ଦୋଳପୂର୍ଣ୍ଣିମା । ବଡ଼ାମ୍ୱା ରଜାଙ୍କ ଛାମୁକୁ ଖବର ଆଗରୁ ଦେଇଥିଲି । ସେଠି ରଙ୍ଗମହଲରେ ରହିଲୁଁ ।

 

ଦୁର୍ଦ୍ଦିନ ମୋର :

 

ବଡ଼ାମ୍ୱା ଗଡ଼ରେ ତିନିଦିନ ଅଭିନୟ ପ୍ରଦର୍ଶିତ ହେଲା, ସେଇ ମୋର ପୁରୁଣା ଚିହ୍ନାଜଣା ଜଗନ୍ନାଥଙ୍କ ଜଗମୋହନରେ । ନାଟକ ସବୁରି ପସନ୍ଦକୁ ପାଇଲା । ହଠାତ୍‌ ୪ର୍ଥ ଦିନ ସଞ୍ଜରେ ବରଜୁ (ମୋ ଦଳର ମଧୁମଙ୍ଗଳ) ପେଟ୍ରୋମାକ୍ସ ଆଲୁଅଟା ଲଗାଉ ଲଗାଉ ନିଆଁ ଚମକି ତା’ ମୁହଁଟିକି ଜାଳି ଦେଲା । ହୋ ହା ପାଟିତୁଣ୍ଡ କରି ପିଲାଏ ଦଉଡ଼ି ଗଲେ, ସେତେବେଳକୁ ମୁହଁଯାକ ତା’ର ଫୋଟକା । ଭାଗ୍ୟକୁ ଆଖି ଦିଓଟି କିଛି ହୋଇ ନାହିଁ । ଆଉ କି ଅଭିନୟ ? ସବୁ ସୁଖ ତ ପୋଡ଼ିଗଲା ।

 

ବିପଦ ଏତିକିରେ ସରି ନାହିଁ । ରାତିରେ ହଠାତ୍ ମୋର ଖାଇବି ଗୋଡ଼ର ପେଣ୍ଡାଟା ଭାରି ବିନ୍ଧିଲା । ଆଉ ଉଠିବାକୁ ବଳ ନାହିଁ କି ଚାଲିପାରିଲି ନାହିଁ ।

 

ସେତେବେଳକୁ ବଡ଼ାମ୍ୱା ଡାକ୍ତରଖାନାରେ କମ୍ପାଉଣ୍ଡର ଥାଆନ୍ତି ଆମ ବାଙ୍କି ଖମାରଙ୍ଗ ଗାଆଁର ନାରାୟଣ ଶତପଥୀ । ତାଙ୍କୁ ଡକାଇ, ଦେଖାଇଲି । ସେ କହିଲେ ଯେ ଏହା ପାରାଲିସିସ୍‌ର ପ୍ରଥମ ଆକ୍ରମଣ । ସରିଗଲା ମୋର ସବୁ ଆନନ୍ଦ । ଔଷଧ ଦେଲେ ସେ ମାତ୍ର ଫଳ ବିଶେଷ ହେଲା ନାହିଁ କିଛି ।

 

ଦୁଇଦିନ ପରେ ଟିକିଏ ଭଲ ଲାଗିଲା । ମାତ୍ର ଚାଲିବା ବଳ ନ ଥାଏ ଫେରିଲି ବଡ଼ାମ୍ୱାରୁ । ରହଣି ତିଗିରିଆରେ । ସେତେବେଳେ ତିଗିରିଆର ରାଜା ଥାଆନ୍ତି ସ୍ୱର୍ଗୀୟ ସୁଦର୍ଶନ ଚମ୍ପତିସିଂହ । ସେ ପୋଷ୍ୟପୁତ୍ର ହୋଇ ସମ୍ଭବତଃ ବଉଦରୁ ଆସି ଥାଆନ୍ତି । ଛୋଟାଇ ଛୋଟାଇ ତାଙ୍କୁ ଭେଟିଲି । ସେଠି ଦୁଇରାତି ରାଜବାଟୀରେ ଅଭିନୟ ଦେଲୁଁ । ମଧୁମଙ୍ଗଳପାର୍ଟ ଆଉ ଜଣେ ପିଲା କଲା । ମାତ୍ର ଭଲ ହେଲା ନାହିଁ । ଯାହାହେଉ ତିଗିରିଆରୁ ଫେରିଲୁଁ କଟକ । କଟକରୁ କେନ୍ଦ୍ରପଡ଼ା ଗଲୁଁ । ବରଜୁ ଘର ସେଇଠି । ଏତେବେଳକୁ ସେ ପାଆକରେ ଭଲଥାଏ ।

 

କେନ୍ଦ୍ରାପଡ଼ାରେ ଜହୁରୀମଲ୍ଲ ମାରଓ୍ୱାଡ଼ିଙ୍କର ଗୋଟିଏ ପକ୍‌କା ପାଚେରି ଘେରା ଖୋଲା ଜାଗାରେ ମଞ୍ଚ ବନ୍ଧା ହେଲା । ପ୍ରାୟ ଗୋଟିଏ ସପ୍ତାହ ବିଶ୍ରାମ ନେବାପରେ ଆରମ୍ଭ ହେଲା ଅଭିନୟ ପ୍ରଦର୍ଶନ ।

 

ନାଟକ ଲୋକ ପସନ୍ଦିଆ ହେଲା । ଟିକେଟ ମଧ୍ୟ ଭଲ ବିକ୍ରି ହେଲା । ପ୍ରାୟ ମାସେ କାଳ ଏଠି ରହଣି ।

 

କଟକରୁ କେନ୍ଦ୍ରାପଡ଼ା ଗଲା ଅଇଲାବେଳେ ସବୁ ପୁରୁଣା କଥା ଆଖି ଆଗରେ ନାଚି ଉଠୁଥାଏ । କଟକ ଯୋବରା ଘାଟରୁ ବୋଟ ଚଢ଼ିଲୁଁ । ବାଟଯାକ ଗୋବିନ୍ଦ ଶୂରଦେଓଙ୍କ ହସ ମୁହଁ ଆଖି ଆଗରେ ନାଚୁଥାଏ । ମନେ ପଡ଼ୁଥାଏ, ତାଙ୍କର ସେହି ଅପୂର୍ବ ଗୀତ ରଚନା ‘‘ଅଗିନୀ ବୋଇତକି ପକ୍ଷୀ ମେଲାଇ । ’’

 

କେନ୍ଦ୍ରାପଡ଼ା ରହଣିବେଳେ ପୂର୍ବ ସ୍ମୃତି ସବୁବେଳେ ବିକଳ କରୁଥାଏ । ଗୋଡ଼ ପୁଣି କଷ୍ଟ ଦେଉଥାଏ । କେନ୍ଦ୍ରାପଡ଼ାରୁ ବୋଟରେ ଫେରିଲୁଁ କଟକ । କଟକରୁ ହଠାତ୍‌ ମନ ହେଲା ବାଲେଶ୍ୱର ଯିବାକୁ । ବାଲେଶ୍ୱର ପହୁଞ୍ଚି ବଜାରରେ ଗୋଟିଏ ଦୋମହଲା କୋଠା ଭଡ଼ା ନେଇ ଦଳ ସହିତ ରହିଲି । ବାଗ୍‌ ବୃନ୍ଦାବନ ପଡ଼ିଆରେ ମଞ୍ଚ ବାନ୍ଧିବାର ଯୋଗାଡ଼ ହେଲା । ଜଣେ ବ୍ୟବସାୟୀଙ୍କଠାରୁ ଗୋଟିଏ ବଡ଼ ତମ୍ୱୁ ଭଡ଼ାରେ ନିଆଯାଇ ଅଭିନୟ ଦେଖାଗଲା । ସେତେବେଳେ ଘୋଡ଼ାଗାଡ଼ି ବା ବଳଦଗାଡ଼ିରେ ବାଜା ବଜାଇ ହାଣ୍ଡବିଲ୍‌ ବାଣ୍ଟିବା ରୀତି ଥିଲା । ହାଣ୍ଡବିଲ୍‌ ଛପା ପାଇଁ ଛାପାଖାନା ଖୋଜିଲି । ଯୋଗକୁ ମୋର ସହାଧ୍ୟାୟୀ ଡ. ଶ୍ରୀ ହରେକୃଷ୍ଣ ମହତାବ ଗୋଟିଏ ଛୋଟ ପ୍ରେସ୍‌କରି ଥାଆନ୍ତି । ଖଣ୍ଡିଏ ମାତ୍ର ଟ୍ରେଡ଼ଲ ଓ ଅଳ୍ପ କେତୋଟି ଅକ୍ଷର କେଶ୍‌ଥାଏ । ‘ପ୍ରଜାତନ୍ତ୍ର’ ବୋଧହୁଏ ସେତେବେଳେ ଖଣ୍ଡିଏ ଦି’ଫାଳିଆ ହୋଇ ସପ୍ତାହକେ ଥରେ ବାହାରୁଥାଏ । ପୂଜ୍ୟ ଗାନ୍ଧିଜୀଙ୍କ ବାଣୀ, ତାଙ୍କ ପ୍ରେରଣା, ତାଙ୍କର ନିର୍ଦ୍ଦେଶ ଓଡ଼ିଶାସାରା ଚହଳ ପକାଇଥାଏ । ଖଣ୍ଡିଏ ଖଦଡ଼ ହାଫ୍‌ସାର୍ଟ ଓ ଖଦଡ଼ ଧୋତି ପିନ୍ଧି ମହତାବ ନିଜେ ପ୍ରେସର ସବୁ କାମ ଦେଖାଶୁଣା କରୁଥାଆନ୍ତି । ସେ ମୋତେ ବଙ୍ଗର ମୁକୁନ୍ଦ ଦାସଙ୍କ ଲେଖା ଭଳି ଦେଶାତ୍ମବୋଧ ନାଟକ ଲେଖି ଅଭିନୟ ପ୍ରଦର୍ଶନ ଲାଗି ପରାମର୍ଶ ଦେଲେ । ତାଙ୍କ ଲେଖା ଓ ଯାତ୍ରାର ଅଭିନୟ ଦେଖି ବଙ୍ଗର ଲୋକେ ସ୍ୱାଧୀନତା ଆନ୍ଦୋଳନରେ ମାତି ଉଠିବା କଥା ମହତାବବାବୁ କହିଲେ । ମୋର କିନ୍ତୁ ସେଭଳି ଲେଖିବାର ସାହସ ହେଲା ନାହିଁ । ମନ ହମହମ ହେଉଥିଲେ ମଧ୍ୟ ପାରିଲି ନାହିଁ, କାରଣ ମୋର ତ ପ୍ରତ୍ୟକ୍ଷ ସମ୍ୱନ୍ଧ ବା ଅନୁଭୂତି ନ ଥିଲା ସ୍ୱାଧୀନତା ଆନ୍ଦୋଳନ ସହିତ ।

 

ବାଲେଶ୍ୱରରେ ଗୋଡ଼ଟା ବେଶି ହେଲା । ଡାକ୍ତରୀ ଔଷଧ ଓ ଇନ୍‌ଜେକ୍‌ସନ୍‌ ଇତ୍ୟାଦି ନେବା ପରେ ଟିକିଏ ଭଲ ହେଲି । ବାଗ୍‌ ବୃନ୍ଦାବନ ପଡ଼ିଆରେ ତମ୍ୱୁ ପକାଇ ଅଭିନୟ ପ୍ରଦର୍ଶିତ ହେଉଥାଏ; କିନ୍ତୁ ଦଇବ ବିଚାର ତ ନିଆରା । ହଠାତ୍‌ ଦିନେ ଭାରି ପବନ ସଙ୍ଗେ ବର୍ଷା ମାଡ଼ି ଆସିଲା । ତମ୍ୱୁ ଫଡ଼ା ଫଡ଼ା ହୋଇଗଲା । ଉପାୟାନ୍ତର ନ ଦେଖି, ସେଠି ପ୍ଲେ ବନ୍ଦ ରହିଲା । ଯାହା ରୋଜଗାର ହୋଇଥିଲା, ସେଥିରୁ ତମ୍ୱୁ ମରାମତି ପାଇଁ ତମ୍ୱୁ ମାଲିକଙ୍କୁ କିଛି ଟଙ୍କା ଦେବାକୁ ପଡ଼ିଲା ।

 

ଦଳର ଖର୍ଚ୍ଚ ଓ ତମ୍ୱୁ ମରାମତି ଖର୍ଚ୍ଚ ଇତ୍ୟାଦି ବାହାରେ ହାତରେ ଆଉ ଟଙ୍କା ଅତି ଅଳ୍ପ ଥାଏ । କଟକ ଫେରିଲୁଁ ରେଳରେ । କଟକରେ ବାସନ୍ତୀ ପେଣ୍ଡାଲରେ ରହି ସେହି ମଞ୍ଚରେ କେତେକ ରାତ୍ରି ଅଭିନୟ ଦେଖାଇସାରି, ପୁଣି ଲେଉଟିଲୁଁ ପୁରୀକୁ ।

 

ସଙ୍ଗୀତ ପତ୍ରିକା :

 

ପୁରୀ ଆସି, ପଦବାବୁ (ପଦ୍ମଚରଣ ରାୟ)ଙ୍କ ସାଥିରେ ଦେଖା ହେଲା । ଦଳ କଥା ପଡ଼ିଲା, ଲାଭ-କ୍ଷତି ହିସାବ ହେଲା । ମୋର ମୋଟାମୋଟି ଆୟ ବ୍ୟୟ ଟିପିବା ଅଭ୍ୟାସ ଥାଏ । ଦେଖାଗଲା ଆୟଠାରୁ ବ୍ୟୟ ଊଣା ନୁହେଁ । ଏଥିରେ ଆଉ ଦଳ କି ଚଳେ ? ମନେ ମନେ ଦୁହେଁ ମନ ଭାଙ୍ଗି ରହିଲୁଁ । ଏତିକିବେଳେ ବସାରେ ହେଲା ଚୋରି । ଭିଖାରୀ ବୋଲି ଜଣେ ଦଳର ପରିଚାଳକ ଥିଲେ, ଏ କୀର୍ତ୍ତି ତାଙ୍କରି ବୋଲି ଧରା ପଡ଼ିଲା । ମାଲିମକଦ୍ଦମା ଯାଏ ଗଲା । ମୁଁ ପୁଣି ଧରାଧରି କରି, ଚେଷ୍ଟା କରି ଭିଖାରୀଙ୍କୁ ମୁକୁଳାଇଲି । ଛାଡ଼, ସେ ଗୋଟାଏ ପୁରାଣ ।

 

ପୁଣି ମୁଁ ଲାଗିଲି ଛାପାଖାନାରେ । ସଙ୍ଗୀତ ନିଶା-ଖୋରତ ମୁଁ । ନିତି ସଞ୍ଜରେ ପ୍ରେସରେ ସଙ୍ଗୀତ ଆସର ଯୋଗାଡ଼ିଲି । କବିରାଜ ରାଧାରମଣ ରାୟ, ଶ୍ରୀ କ୍ଷେତ୍ରମୋହନ କର, ମୁକୁନ୍ଦ ସାହୁ, ବାଳମୁକୁନ୍ଦ ପଟ୍ଟନାୟକ ଓ ମୋହନ ମହାପାତ୍ର ପ୍ରଭୃତି ନିତି ପ୍ରାୟ ଆସନ୍ତି । ରାତି ୯।୧୦ଟା ଯାଏ ବୈଠକ ଚାଲେ । ଅଳ୍ପ କାଳ ଚଳିଲା ।

 

୧୯୨୭ରୁ ଆରମ୍ଭ ହୋଇଥିବା ସଙ୍ଗୀତ ପ୍ରଭା ଯେମିତି ଏକ ନୂଆ ପ୍ରଚେଷ୍ଟା, ସଙ୍ଗୀତଶାଳା ମଧ୍ୟ ସେଇମିତି ଏକାବେଳେ ଗୋଟିଏ ନୂଆ ଭିଆଣ । ସେତେବେଳକୁ ସାରା ଓଡ଼ିଶାରେ ସଙ୍ଗୀତ ଶିକ୍ଷାଳୟ ନ ଥିଲା ବା କେହି ସେ ସମ୍ବନ୍ଧେ ଟିକିଏ ହେଲେ ଚିନ୍ତା କରିବା ସୂଚନା ନ ଥିଲା । ଶିକ୍ଷାୟତନରେ ଛାତ୍ର ଜଣ କେତେ ଅଧିକାଂଶ ସେବକ ଦଳରୁ । ଓଡ଼ିଶୀ ଗୀତ ଶିଖା ଚାଲିଲା । ଠ’ ଠା ଠି’ କରି ଯାହା ବା ଚଳାଇ ଥାଆନ୍ତି, କଥାରେ ତ ଅଛି–‘ମଣିଷ ବିଚାରେ ଆନ, ଦଇବ ବିଚାରେ ଆନ’ ତା’ ନୋହିବ କେମିତି ? ଦଇବ ମଙ୍ଗ ମୋଡ଼ିଦେଲା । ବନ୍ଦ କରି ଦେଲି, ବାଧ୍ୟହୋଇ ଅର୍ଥାଭାବରୁ ।

 

ସଂସ୍କୃତ ମୃଚ୍ଛକଟିକ ନାଟକ :

 

ଏତିକିବେଳେ ମୋର ସାଥୀ-ପଢ଼ୁଆ କରୁଣାକରବାବୁ (ଡା. କରୁଣାକର କର) ପୁରୀ ସଂସ୍କୃତ କଲେଜର ପ୍ରିନ୍‌ସିପାଲ ଥାଆନ୍ତି । ବରାବର ଦେଖାଚାହାଁ ହୁଏ । କବିରାଜ ହରମୋହନ କର, ବୀର ହନୁମାନ୍‌ ଶାସ୍ତ୍ରୀ ଓ ଅନ୍ୟାନ୍ୟ କେତେଜଣ ସେତେବେଳେ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର । ଏମାନଙ୍କ ଛଡ଼ା ଆହୁରି ଅନେକ ଛାତ୍ରଙ୍କ ସହିତ ପରେ ମୋର ଜଣାଶୁଣା ହେଲା । ସବୁରି ନାଆଁ ଏବେ ମନେପଡ଼ୁ ନାହିଁ ।

 

ଥରେ କରୁଣାକରବାବୁଙ୍କ ସଙ୍ଗେ କଥା ହେଉ ହେଉ ଗୋଟିଏ ସଂସ୍କୃତ ନାଟକ ମଞ୍ଚସ୍ଥ କରିବାର ପ୍ରସ୍ତାବ ପଡ଼ିଲା । ଯୋଗଜନ୍ମା ପଣ୍ଡିତ ବାସୁଦେବ ମିଶ୍ରଙ୍କ ସହିତ ପରାମର୍ଶ ଚାଲିଲା । ବାସୁଦେବ ପଣ୍ଡିତଙ୍କ ଭଳି ରସଜ୍ଞ କବି ପଣ୍ଡିତ ବିରଳ କହିଲେ ଚଳେ । ମୁହଁରେ ତାଙ୍କର ଦରହସଟା ସତେ ଯେମିତି ବସା ବାନ୍ଧିଥାଏ । ଖଣ୍ଡପଡ଼ାର ବାଣୀଭୂଷଣ ପଣ୍ଡିତଙ୍କ ସ୍ମୃତି ଚେଇଁଉଠିଲା ମନରେ ମୋର, ବାସୁଦେବ ପଣ୍ଡିତଙ୍କୁ ଦେଖି । ବାଣୀଭୂଷଣ ରସଜ୍ଞ, ବାସୁଦେବ ପଣ୍ଡିତେ କିନ୍ତୁ କବି । ଅନର୍ଗଳ ସଂସ୍କୃତ ଭାଷାରେ ପାଣ୍ଡିତ୍ୟପୂର୍ଣ୍ଣ ବକ୍ତୃତା ଦେବା, ସଂସ୍କୃତ ଭାଷାରେ ଗୀତ ଲେଖିବା ଇତ୍ୟାଦି ସହିତ ତାଙ୍କର ସରଳତା, ସରସତା, ତାଙ୍କୁ ଲୋକପ୍ରିୟ କରାଇଥାଏ ।

 

ମୃଚ୍ଛକଟିକ ନାଟକ ଧରାଗଲା । ଆମେ ସଭିଏଁ ଏକ ମନ ହୋଇ ଲାଗି ପଡ଼ିଲୁଁ । ମୁଁ ମଞ୍ଚ ଉପଯୋଗୀ ହେଲା ଭଳି ଦୃଶ୍ୟ ଟିକିଏ ଏପଟ ସେପଟ କରିଦେଲି । ସଂସ୍କୃତରେ ଗୀତ ୫।୬ଟି ଲେଖି ଦେଲେ ବାସୁଦେବ ପଣ୍ଡିତେ, ମୋ ଗାଇବା ସ୍ୱର ଅନୁସାରେ । ଆହା ! କେଡ଼େ ସରଳ, ମଧୁର ସେ ରଚନା । ସୁବିଧା ଥିଲାବେଳେ ଲୋକ ସତରେ ଜିନିଷର ମହତ୍ତ୍ୱ ବୁଝେ ନାଇଁ । ଏବେ କେତେ ସେ ଗୀତକୁ ଝୁରୁଛି । ଭଲ ପଦେ ଅଧେ ମନେ ଥାଆନ୍ତା କି ! ଛାଡ଼ ।

 

ଜଗନ୍ନାଥ କ୍ଳବ (ରାମଚଣ୍ଡୀଙ୍କ ପାଖ)ରେ ଦି’ରାତି ‘‘ମୃଚ୍ଛକଟିକ’’ ନାଟକ ଅଭିନୀତ ହେଲା । ଦେଖଣାହାରିଏ ବଡ଼ ପସନ୍ଦ କଲେ । ମୋର ମନେହୁଏ, ଏ କାଳକୁ ଓଡ଼ିଶାରେ ପ୍ରଥମବାର ସଂସ୍କୃତ ନାଟକ ଏଇ ମୃଚ୍ଛକଟିକ, ପୁରୀରେ ମଞ୍ଚସ୍ଥ କରାଯାଇଛି ।

 

‘ସଙ୍ଗୀତ ପ୍ରଭା’ ବାହାରୁଥାଏ । ସ୍ୱର୍ଗତ ଦୟାନିଧି ତ୍ରିପାଠୀ ସେତେବେଳେ ରଣପୁର ରାଜଦରବାରରେ ସଙ୍ଗୀତଜ୍ଞ ଭାବେ ରହିଥାଆନ୍ତି । ରଣପୁରର ରାଜା ବଜ୍ରଧର ନରେନ୍ଦ୍ର ଜଣେ କଳାପ୍ରେମୀ ରାଜା । ସେ ଗୋଟିଏ ରଙ୍ଗମଞ୍ଚ ତୋଳାଇ କେତେକ ନାଟକ ମଞ୍ଚସ୍ଥ କରାଉଥାଆନ୍ତି । କଟକର ନାଟୁ ସରକାର, ବାଲେଶ୍ୱରର–ବୃନ୍ଦାବନ ବିହାରୀ ପଣ୍ଡା ଓ ଦୟାନିଧି ତ୍ରିପାଠୀ ପ୍ରଭୃତି କେତେକ ଗୁଣୀ ବ୍ୟକ୍ତି ରଜାଙ୍କଠାରୁ ବର୍ତ୍ତନ ପାଇ ସେଠାରେ ରହୁଥିଲେ । ତାଙ୍କ ପାଖକୁ ସଙ୍ଗୀତ ପ୍ରଭା ଖଣ୍ଡିଏ ପଠାଇଲି । ସେ ବଡ଼ ପ୍ରଶଂସା କଲେ ଏ ଉଦ୍ୟମକୁ । ଦୟାନିଧି ତ୍ରିପାଠୀ, କ୍ଷେତ୍ରମୋହନ କର, ରାଧାରମଣ ରାୟ ପ୍ରଭୃତି ଲେଖା ଦେଉଥାଆନ୍ତି । ବ୍ରହ୍ମପୁରରୁ ମୋର ଶୁଭେଚ୍ଛୁ ଶଶୀଭାଇନା (ଆଶା ପତ୍ରିକାର ସମ୍ପାଦକ) ତାଙ୍କ ପତ୍ରିକାରେ ବିଜ୍ଞାପନ ଦେଉଥାଆନ୍ତି । ଉତ୍ସାହ, ପ୍ରଶଂସା ଓ ବାଚିକ ସହାନୁଭୂତି ଢେର ପାଉଥାଏଁ; କିନ୍ତୁ ଏସବୁ ଥିଲେ କ’ଣ ହେବ ? ‘‘ଆଲୋ ମଉସା–ଜଡ଼ ପଇସା’’ ପତ୍ରିକାଟି ଯତ୍ରକତ୍ର ହୋଇ ବର୍ଷେ ଉପରେ ଚଳିଲା । ତା’ପରେ ବନ୍ଦ । ସଞ୍ଜବେଳେ ସଙ୍ଗୀତ ବୈଠକ କିନ୍ତୁ ନିତିଦିନିଆ ଖଞ୍ଜାପରି ଚାଲିଥାଏ ।

 

ଶ୍ରୀ ରାଧାରମଣ ରାସୋତ୍ସବ :

 

ଦିନେ ଆମ ସଙ୍ଗୀତ ବୈଠକକୁ ଆଉ ଆଉ ଶ୍ରୋତା, ଗାୟକ ଓ ଗ୍ରାହକମାନଙ୍କ ସହିତ ଗୋପାଳ ଗୋସାଇଁ (ସ୍ୱର୍ଗତ ରଙ୍ଗନାଥ ଦେବ ଗୋସ୍ୱାମୀ) ଆସିଲେ । ମୋର ତାଙ୍କର ଆଗରୁ ଚିହ୍ନାଜଣା ଥିଲା । ତାଙ୍କ ପିତା ସ୍ୱର୍ଗତ ରଘୁନାଥ ଦେବ ଗୋସ୍ୱାମୀ ପୁରୀର ଜଣେ ବିଖ୍ୟାତ ସଙ୍ଗୀତଜ୍ଞ ଥିଲେ । ଗୋପାଳ ଗୋସାଇଁ ମଧ୍ୟ ବଂଶାନୁକ୍ରମେ ଭଲ ତବଲା ବାଦକ । ସେ ଭାରି ଧୀର, କଥା ବଡ଼ ମଧୁର । ମୋହନ ଗୋସାଇଁଙ୍କ ରାସ ଦଳର ପ୍ରସିଦ୍ଧି ଦେଖି, ଶୁଣି ତାଙ୍କ ମନ ସୋରେଇଲା । ଇଏ ବି ତ ସେଇ ଗୋସେଇଁ ବଂଶର, ପ୍ରଭୁ ସନ୍ତାନ । ସେ ମୋତେ ତାଙ୍କ ଘରକୁ ଡାକିଲେ । ଯାଇ ଦେଖିଲି ସେ ଆଉଜଣେ ପ୍ରାୟ ତାଙ୍କରି ସମବୟସ୍କ ବ୍ରାହ୍ମଣ ସେଠି ଅଛନ୍ତି । ନାମ ବାବାଜୀ ମହାପାତ୍ର, ଘର ସୁଆରସାହିରେ । କଥାବାର୍ତ୍ତା ହେଉ ହେଉ ରାସ ଦଳଟିଏ ଗଢ଼ିବା ଲାଗି ଗୋପାଳ ଗୋସ୍ୱାମୀ ପ୍ରସ୍ତାବ ବାଢ଼ିଲେ । ତିନି ଭାଗୁଆଳିରେ ଦଳଗଢ଼ା ହେବ । କଥା ହେଲା–ଗୋସେଇଁଙ୍କ ଘରେ ଦଳର ପିଲାଏ ରହିବେ । ସେ ଓ ବାବାଜୀ ମହାପାତ୍ରେ ସବୁ ଖର୍ଚ୍ଚ ତୁଲାଇବେ-। ମୁଁ ବହି ଲେଖିବି ଓ ଶିକ୍ଷା ଦେବି ।

 

ଏଇ ପ୍ରସ୍ତାବରେ ମୁଁ ରାଜି ହେଲି । ମଫସଲରୁ ପିଲାଏ ଆସିଲେ । ଦୁର୍ଲ୍ଲଭ, ଦୀନବନ୍ଧୁ (ଟୀମ) ବାଉରିଆ, ବାସୁଆ, ଯମୁନା, ପୁନା ଓ ଗୋବିନ୍ଦ ଇତ୍ୟାଦି ଦଶ ବାରଜଣ ପିଲା ଆସି ପହୁଞ୍ଚିଲେ । ରୀତିମତ ରିହର୍ସେଲ ଚାଲିଲା ଦି’ଓଳି । ସକାଳେ ଗଳା ସଧା, ନାଚ ଶିଖା ଇତ୍ୟାଦି, ଉପରଓଳି ପାର୍ଟଘୋଷା ଓ ଅଭିନୟ ଶିକ୍ଷା ହୁଏ । ନାଆଁ ଦିଆଗଲା ‘‘ଶ୍ରୀ ରାଧାରମଣ ରାସୋତ୍ସବ’’-। ମୋଠାରୁ ଶିଖିବୁଝି ଜଗନ୍ନାଥ ରଣା ହାର୍ମୋନିୟମ ବଜାଇ ପିଲାଙ୍କୁ ଗୀତ ଶିଖାଇଲା-

 

ଜଗନ୍ନାଥ କ୍ଳବରେ ପ୍ରଥମ ଅଭିନୟ ଦିଆଗଲା । ରାସ ବହିଟିର ନାମ ‘ବନ ବିହାର’ । ମୋହନ ଗୋସେଇଁଙ୍କ ରାସରେ ବାବାଜୀ ବୈଷ୍ଣବଚରଣ ଦାସ (ବେଣୁଧର ପଟ୍ଟନାୟକ, ରଣପୁର) ଓ ମୋହନ ଗୋସାଇଁ ମିଶି ଲେଖାଲେଖି ଓ ଗୀତ ରଚନା କରୁଥିଲେ । ଗୀତଗୁଡ଼ିକ ପୁରୁଣା ରାସଗୀତର ସ୍ୱରରେ ଲେଖା ବୋଲି ଲୋକଙ୍କୁ ଟିକିଏ ଏକଘାଇଆ ଲାଗୁଥାଏ । ମୁଁ ସ୍ଥଳ, କାଳ ପାତ୍ର ମନାଇଁ ଓଡ଼ିଶୀ, ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ, ଗଜଲ ଓ ଠୁମରୀ ସ୍ୱରରେ ପୂର୍ବପରି ଗୀତ ଲେଖି ଯୋଗ କରିଥିଲି । ତା’ ଛଡ଼ା ବଚନିକା ବା ସଂଳାପ ଅଂଶ ମଧ୍ୟ ଅଧିକ ରଖିଥିଲି । ଲୋକେ ଭାରି ପସନ୍ଦ କଲେ । ଦଳ ବାହାରକୁ ଗଲା–ଖୋରଧା, ଅନୁଗୋଳ, ସମ୍ୱଲପୁର ପ୍ରଭୃତି ନାନା ସ୍ଥାନକୁ, ପୁରୀରେ କେତୋଟି ଅଭିନୟ ପ୍ରଦର୍ଶନ ପରେ ।

 

ସମ୍ୱଲପୁରରେ ସେତେବେଳେ ଶ୍ରୀ ନୀଳମଣି ସେନାପତି, ଆଇ.ସି.ଏସ୍‌. ଥାଆନ୍ତି ଡେପୁଟି କମିଶନର । ସନାତନ ଡାକ୍ତର ତ ମୋର ପୂର୍ବ ପରିଚିତ ବନ୍ଧୁ । ଗୋପାଳଜୀ ମଠ ମହନ୍ତ ଶ୍ରୀ ନୀଳମ୍ୱର ଦାଶ ଜଣେ ବଡ଼ ସଙ୍ଗୀତପ୍ରେମୀ ଓ ତାବଲା ଏବଂ ପଖାବଜ ବାଦକ । ଏମାନେ ମୋତେ ବହୁତ ସାହାଯ୍ୟ ଦେଲେ । ପ୍ରାୟ ତିନିମାସ ସମ୍ୱଲପୁରରେ ରାସ ଅଭିନୀତ ହେଲା । ଲୋକେ ବଡ଼ ପସନ୍ଦ କଲେ । ଆୟ ମଧ୍ୟ ଭଲ ହେଲା ।

 

ଏ ଦଳ ଭାଙ୍ଗିଲା :

 

ମହନ୍ତ ମହାରାଜ ଏତିକିବେଳେ ମୋଠୁଁ ଗୀତବାଦ୍ୟ ଶିକ୍ଷା ଆରମ୍ଭ କରିଦେଲେ । ଅଭିନୟ ନ ଥିବା ଦିନ ମଠରେ ଗାଉଣା ବାଜଣା ହୁଏ । ସମ୍ୱଲପୁରରୁ ବରଗଡ଼, ବୋଡ଼ାସମ୍ୱର ପ୍ରଭୃତି କେତେକ ସ୍ଥାନ ଓ ବଲାଙ୍ଗୀର ଗଡ଼କୁ ଡାକରା ପାଇ ଯାଇ, ଦଳ ପୁରୀ ବାହୁଡ଼ିଲା । ବାହାରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ଖବର ଗୋପାଳ ଗୋସେଇଁ ଓ ବାସୁ ମହାପାତ୍ରେ ପାଇଥାଆନ୍ତି । ମନେକଲେ, ଗୁଡ଼ାଏ ଟଙ୍କା ନିଶ୍ଚୟ ରୋଜଗାର କରି ମୁଁ ଆଣୁଥିବି । ବାସ୍ତବରେ କିନ୍ତୁ ତା ନୁହେଁ । ଦଳର ଖର୍ଚ୍ଚ ଇତ୍ୟାଦି ଯାଇ ମାତ୍ର ଶହେ ଦୁଇଶହ ଟଙ୍କା ବଳିଥାଏ । ପୂର୍ଣ୍ଣାନନ୍ଦ ମହାନ୍ତି ବୋଲି ଜଣେ ମେନେଜର ଟିକଟ ବିକ୍ରି, ବସାଖର୍ଚ୍ଚ ଓ ଯାତାୟତ ଭଡ଼ା ଇତ୍ୟାଦି ସବୁ ଖର୍ଚ୍ଚ ରଖନ୍ତି, ଲେଖନ୍ତି ଓ ଦିଆନିଆ କରନ୍ତି । ପୁରୀକୁ ଫେରି କ’ଣ ତାଙ୍କର ମତିଗତି ହେଲା କେଜାଣି, ଦଳର ସିନ୍‌ସିନାରୀ, ବାଦ୍ୟଯନ୍ତ୍ର ଓ ପୋଷାକ-ପତ୍ରର ଗାଡ଼ି ରେଳଷ୍ଟେସନଠାରୁ ସେ ବାବାଜୀ ମହାପାତ୍ରଙ୍କ ଆଗଛାମୁଆଁ ବସା ଘରେ ନେଇ ରଖିଦେଲେ ଓ ମୁଁ ଗୁରାଏ ଟଙ୍କା ଖାଇ ପାଇଥିବା ଧାରଣା ଦେଲେ ଗୋପାଳ ଗୋସାଇଁ ଓ ବାସୁଦେବ ମହାପାତ୍ରଙ୍କୁ । ଶେଷରେ ପୁଲିସ ଥାନା ପର୍ଯ୍ୟନ୍ତ କଥା ଗଲା । ମାତ୍ର ମୋର ହେଲା ଜିତାପଟ । ସବୁ ମାଲମତା ଘେନି ମୁଁ ମୋ ବସାକୁ ଆସିଲି, ପୋଲିସ ସାହାଯ୍ୟରେ । ଏଇଠୁ ରାଧାରମଣ ରାସୋତ୍ସବର ଯବନିକା ପତନ । ‘ତିନି ଭାଗୁଆଳି କାକୁଡ଼ି ବାଡ଼ି’ ପରି ଅବସ୍ଥା ହେଲା ।

 

ପିଲାଏ ମୋ ପାଖେ ଥାଆନ୍ତି । ମୋର ମାନସିକ ଅବସ୍ଥା ଅତି ଶୋଚନୀୟ । ହଠାତ୍‌ କାହିଁକି ମନେହେଲା କଟକ ଯିବି । ସବୁକଥା ପ୍ରହରାଜ ମଉସାଙ୍କୁ କହି ତାଙ୍କର ପରାମର୍ଶ ଓ ଉପଦେଶ ଲୋଡ଼ିବି ।

 

ବାହାରିଲି କଟକ, ପ୍ରହରାଜ ମଉସା (ଗୋପାଳ ଚନ୍ଦ୍ର ପ୍ରହରାଜ)ଙ୍କୁ ସବୁକଥା କହିଲି । ସେ ସେତେବେଳକୁ ସାକ୍ଷିଗୋପାଳ ମନ୍ଦିର ଟ୍ରଷ୍ଟବୋର୍ଡ଼ର ମୁଖ୍ୟ ଥାଆନ୍ତି । ଶ୍ରୀ ବ୍ରଜସୁନ୍ଦର ଦାସ ଓ ଶ୍ରୀ ରାଧାନାଥ ଚୌଧୁରୀ (ଭେଡ଼ା) କଟକରେ ଥାଆନ୍ତି । ମଉସା ସେମାନଙ୍କ ସହିତ କଥା ହେଲେ-। ଏମାନେ ମଧ୍ୟ ସାକ୍ଷିଗୋପାଳ ମନ୍ଦିର କମିଟିର ସଭ୍ୟ । ସତ୍ୟବାଦୀର ଓତା ବଂଶ ବଡ଼ଟାଣୁଆ ଘର ସେତେବେଳେ । ତାଙ୍କ ଭିତରୁ ଜଣେ ମନ୍ଦିର କମିଟିର ମେମ୍ୱର ଥିଲେ, ତାଙ୍କ ନାମ ସତ୍ୟବାଦୀ ଓତା । ପ୍ରହରାଜ ମଉସାଙ୍କ କଥା ଟାଳିଦେବାକୁ କେହି ନ ଥିଲେ । ୟେ ହେଲେ ମୁଣ୍ଡିଆଳ ବା ମୁରବି ।

 

ସାକ୍ଷିଗୋପାଳ ନାଟ୍ୟସଂଘ :

 

ମଉସାଙ୍କ ସାହାଯ୍ୟ, ସହାନୁଭୂତି ଓ ଅନୁଗ୍ରହରୁ ସେଇ ପୁରୁଣା ପିଲାଦଳ ଘେନି ମୁଁ ସାକ୍ଷିଗୋପାଳରେ ରହିଲି । ମନ୍ଦିରକୁ ପଡ଼ିଥିବା ସଡ଼କର ବାଆଁପଟେ ଧାଡ଼ିଏ ଲମ୍ୱ ଚାଳଘର ଥିଲା-। ସେଇଥିରୁ କେତୋଟି ବଖରାରେ ଆମେ ରହିଲୁଁ । ଏହିଠାରୁ ଦଳର ନାମ ହେଲା ‘‘ସାକ୍ଷିଗୋପାଳ ନାଟ୍ୟ ସଂଘ ।’’ ୟେ ହେଲା ୧୯୨୯–୩୦ ସାଲ କଥା । କାର୍ତ୍ତିକ ମାସ ଆସିଲା, ଅଁଳା ନବମୀ ଅଳ୍ପଦିନ ଥାଏ । ମନ୍ଦିର ଆଗଛାମୁଆରେ ଷ୍ଟେଜ ବନ୍ଧା ହେଲା, ଉପରେ ନଡ଼ିଆ ଚାଞ୍ଚ ଛପର । ଚଉକତି ଖୋଲା ମେଲା । ବସିବା ଆସନ ନଡ଼ିଆ ଚାଞ୍ଚ । ଅଁଳ ନବମୀକୁ ତିନିରାତି ସେଠି ଅଭିନୟ ହେବାର କଥା । ପ୍ରହରାଜ ମଉସା ମୋତେ ଏହା କହିଥାଆନ୍ତି ।

 

ପହିଲି ରାତି ‘ବନବିହାର’ ରାସ । ସ୍ୱର୍ଗତ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ସହିତ ମୋର ବହୁଦିନରୁ ପରିଚୟ ଥିଲା । ତାଙ୍କୁ ଅନୁରୋଧ କଲି । ସେ ପ୍ରଥମ ରାତି ଅଭିନୟର ପ୍ରଧାନ ଆଶୀର୍ବାଦକ ଅତିଥି ହେଲେ । ଅଭିନୟ ତାଙ୍କ ମନକୁ ପାଇଲା । ପରେ ପରେ ‘କୌତୁକ ଚିନ୍ତାମଣି’ ଓ ‘ବିଦ୍ୟାବଳୀ’ ନାଟକ ଅଭିନୀତ ହେଲା । ଦେଖଣାହାରିଏ ନାଟକ ଦେଖି ଖୁସି ହେଲେ । ଚାରିଆଡ଼େ ପ୍ରଶଂସିତ ହେଲା ଅଭିନୟ ।

 

କେଶବ ମହାପାତ୍ର ନାମକ ଜଣେ ଯୁବକ ସେବକଙ୍କ ସହିତ ସେଠି ଚିହ୍ନାଜଣା ହେଲା । ଶୁଣିଲି ସେ ବେଲେଶ୍ୱର ମହାପାତ୍ରଙ୍କ ବଂଶଧର । ବେଲେଶ୍ୱରଙ୍କ ଝିଅ ଲକ୍ଷ୍ମୀ । ଅଁଳା ନବମୀକୁ ଯେଉଁ ସାକ୍ଷିଗୋପାଳଙ୍କ ବାମସ୍ଥ ମୂର୍ତ୍ତି ଲକ୍ଷ୍ମୀଠାକୁରାଣୀଙ୍କ ପାଦ ଦର୍ଶନ ମିଳେ, ଏ ସେହି ଲକ୍ଷ୍ମୀ । କେଶବ ମହାପାତ୍ରଙ୍କୁ ବହୁତ କଥା ପଚାରି ଲକ୍ଷ୍ମୀ (ବେଲେଶ୍ୱରଙ୍କ ଝିଅ) ସମ୍ୱନ୍ଧେ କେତେକ ପୁରୁଣା ତଥ୍ୟ ଶୁଣିଲି । ସସବୁ ଏ ବେଳକୁ କିମ୍ୱଦନ୍ତୀ ହୋଇ ରହିଛି । ଭାରି ମନହେଲା ଏ ଘଟଣାକୁ ନାଟ୍ୟ ରୂପ ଦେବାଲାଗି ।

 

ସାକ୍ଷିଗୋପାଳ ପାଖାପାଖି ଗାଆଁ ଶ୍ରୀରାମଚନ୍ଦ୍ରପୁର ବୀର ହରେକୃଷ୍ଣପୁର ଓ ଗବକୁଣ୍ଡ ପ୍ରଭୃତିରେ ଓଡ଼ିଶୀ ସଙ୍ଗୀତର ଚର୍ଚ୍ଚା ଥାଏ । ମଝି ମଝିରେ ମୁଁ ସେସବୁ ଗ୍ରାମକୁ ଯାଏଁ । ବସାରେ ମଧ୍ୟ ବେଳେବେଳେ ଓଡ଼ିଶୀ ଗୀତ ବୈଠକ ବସେ । ଗବକୁଣ୍ଡ ଗାଆଁରେ ପ୍ରହରାଜଙ୍କର ଗୋଟିଏ ଆଖଡ଼ା ପିଲାଦଳ ଥାଏ । ଭଲ ଓଡ଼ିଶୀ ନାଚ ଓ ଅଭିନୟ କରୁଥିଲେ ସେମାନେ ।

 

ସାକ୍ଷିଗୋପାଳର ସ୍ୱର୍ଗତ ସତ୍ୟବାଦୀ ଓତାଙ୍କ କଥା ଏବେ ବି ପାସୋର ଯାଇ ନାହିଁ । ତାଙ୍କର ନଡ଼ିଆ ବ୍ୟବସାୟ ଥାଏ । ସେ ଟିକିଏ ଇଂରାଜୀ ଶବ୍ଦ ତାଙ୍କ କଥା ମଝିରେ ମଝିରେ ବ୍ୟବହାର କରିବାକୁ ମହତ୍ତ୍ୱ ମଣନ୍ତି । ସତ୍ୟବାଦୀ ଡାକ୍ତରଖାନାରେ ସେତେବେଳେ ଡାକ୍ତର ଥିଲେ ଡି.ଭି.ଆର. ପଟ୍ଟନାୟକ । ସେ ଟିକିଏ କଳାରସିକ । ମୋର ତାଙ୍କ ସଙ୍ଗେ ଭାବଲାଭ ହେଲା ପରେ, ମଝିରେ ମଝିରେ ମୁଁ ଡାକ୍ତରଖାନାକୁ ଯା’ଆସ କରେ । ଥରେ ଡାକ୍ତରବାବୁ ଓ ମୁଁ ବସି କଥା ହେଉଛୁଁ, ଓତାଏ ପହଞ୍ଚିଲେ ସେଠି । ସେ କହିଲେ, ‘‘ଡାକ୍ତରବାବୁ ! ମୁଁ ଯାଇଥିଲି ପୁରୀ, ଏସ୍.ଟି (S.D.O)ଙ୍କ ସାଙ୍ଗରେ ସେଠି କଥନ (କଥୋପକଥନ) କରି ଘରକୁ ଆସି ଦେଖେଁ ତ ମୋ ଓ୍ୱାଇଫ୍‌ଙ୍କର ଭୀଷଣ ଡିସ୍‌ପେନସେରି(ଡିସେଣ୍ଟ୍ରି), ଆପଣ ଟିକେ ଆସନ୍ତୁ ।’’ ଡା. ପଟ୍ଟନାୟକ ମୋତେ ଚାହିଁ ମୁରୁକି ମୁରୁକି ହସି କହିଲେ–‘‘ଆଜ୍ଞା, ମୁଁ ତ ଏଠି ଡିସପେନ୍‌ସାରୀରେ ଅଛି, ଆଉ ଯିବି କ’ଣ ?’’ ଓତାଏ କହିଲେ–‘‘ବୁଝିଲି ବୁଝିଲି । ମୁଁ ଯାଉଛି । ଟିକିଏ ବେଗେ ଏଠା କାମ ସାରି ମୋ ଘରକୁ ଆସିବେ ।’’

 

ଡାକ୍ତରବାବୁ କହିଲେ–‘‘ଆପଣ ଆଗରେ ଯାଆନ୍ତୁ । ସେଠି ଡିସ୍‌ପେନ୍‌ସରୀ ଜଗନ୍ତୁ,’’ ଓତାଏ ଚାଲିଗଲେ । କି ଦରକାର ଏ ଇଂରାଜୀ ଶବ୍ଦ ପ୍ରୟୋଗର ବୋଲି ଦୁହେଁ ବହେ ହସିଲୁଁ ।

 

ସାକ୍ଷିଗୋପାଳରେ ନୂଆ ବହିଲେଖା, ଶିକ୍ଷା ଇତ୍ୟାଦି ସହିତ ମଝି ମଝିରେ ଗୋଟିଏ ଦିଓଟି ନାଟକ ମଞ୍ଚସ୍ଥ ହେଉଥାଏ । ଦଳର ସମସ୍ତ ଖର୍ଚ୍ଚ ମଉସାଙ୍କ କୃପାରୁ ମନ୍ଦିର ଆଡ଼ୁ ବହନ କରାଯାଉଥାଏ ।

 

ଆଠମଲ୍ଲିକ :

 

ହଠାତ୍‌ ଦିନେ ଆଠମଲ୍ଲିକରୁ ଡାକରା ପାଇଲି । ଆଠମଲ୍ଲିକରେ ସେତେବେଳେ ମୋର ପାଠସାଥୀ ଶ୍ରୀ ବାମଦେବ ମିଶ୍ର ଥାଆନ୍ତି ଦେଓ୍ୱାନ । ମୁଁ ତାଙ୍କୁ ପଢ଼ିବାବେଳୁ ‘ମାଲିକ’ ବୋଲି ଡାକେଁ ଓ ସେ ମୋତେ ‘ଗୋଲାମ’ ବୋଲି ଡାକନ୍ତି । ଟ୍ରେନ୍‌ ଚଢ଼ି ମେରାମୁଣ୍ଡଳିଠାରୁ ରାଜା ପଠାଇଥିବା ବସ୍‌ରେ ଅନୁଗୋଳ ବାଟେ ଆଠମଲ୍ଲିକ ଗଲୁଁ । ବାଟରେ ବଇଣ୍ଡାରେ ସେ ଅତିକାୟ ଅମୃତଭଣ୍ଡା ଅପାସୋରା । ସେଠାରୁ ଆଠମଲ୍ଲିକ ଯିବା ବାଟରେ ଉଚ୍ଚପାହାଡ଼ କଡ଼ର ସରୁ ସଡ଼କରେ ବସ୍‌ ଗଲାବେଳେ କି ଅପୂର୍ବ ଦୃଶ୍ୟ ସେ !

 

ଆଠମଲ୍ଲିକରେ ଚାରି ରାତି ଅଭିନୟ ଦେଖାଗଲା । ରାଜାସାହେବ ଜଣେ ସଙ୍ଗୀତ, ସାହିତ୍ୟର ବିଶିଷ୍ଟ ରସିକ । ବାମଦେବବାବୁ ତ ପ୍ରସିଦ୍ଧ ନାଟ୍ୟକାର, ସ୍ୱର୍ଗତ କାମପାଳ ମିଶ୍ରଙ୍କ ବଂଶଧର । ସେଇ ରକ୍ତର ପ୍ରମାଣ ଦିଏ ତାଙ୍କର ସାହିତ୍ୟ ପ୍ରେମିକତା । ଦେଖିଲି, ରାଜାଙ୍କୁ ଦେଓ୍ୱାନ–ଯୋଗ୍ୟଂ ଯୋଗ୍ୟେନ୍‌-ବିଧାତା ଯୋଗାଡ଼ି ଦେଇଛି ।

 

ଅନୁଗୋଳ :

 

ଭୋଜିଭାତ ଖାଇ, ହସଖୁସିରେ ଆଠମଲ୍ଲିକରୁ ଆସିଲୁଁ ଅନୁଗୋଳ । ସେଠାରେ ମୋର ଅନ୍ୟତମ ପଢ଼ାସାଥୀ ଶ୍ରୀ ହୃଦୟ ବଲ୍ଲବ ଦେ S.P, ପୁଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଥାଆନ୍ତି । ସଭାଘରେ ପ୍ରାୟ ୧୫।୨୦ ଦିନ ବିଭିନ୍ନ ଅଭିନୟ ପ୍ରଦର୍ଶିତ ହେଲା । ହୃଦୟବାବୁ ବହୁ ମତେ ସାହାଯ୍ୟ ଦେଲେ । ପୁରୀ ସଂସ୍କୃତ କଲେଜର ଏକଦା ଛାତ୍ର ଓ ସଂସ୍କୃତ ମୃଚ୍ଛକଟୀକ ନାଟକ ବେଳେ ମୋଠାରୁ ଅଭିନୟ ଶିକ୍ଷାପ୍ରାପ୍ତ ଶ୍ରୀ ହରମୋହନ କରଙ୍କ ଘର ଅନୁଗୋଳ ଖୁବ୍‌ପାଖ ଗାଆଁରେ । ସେ ଆମ ରହଣୀ କାଳତକ ନାନା ଦିଗରୁ ଦଳକୁ ସାହାଯ୍ୟ କରୁଥାଆନ୍ତି ।

 

ଏଇ ଅନୁଗୋଳରେ ଗୋଟିଏ ଅଭୁଲା ଘଟଣା ଘଟିଲା । ମୁଁ ଗୀତଗୋବିନ୍ଦର ସ୍ୱର, ତାଳ, ଗୁରୁଲଘୁ କ୍ରମ ଅନୁସରଣରେ ଓଡ଼ିଆ ଅନୁବାଦ କରୁଥାଏଁ । ହଠାତ୍‌ ଦିନେ ଆମ ବସାରେ ସ୍ୱନାମଧନ୍ୟ କବି ରାଧାମୋହନ ଗଡ଼ନାୟକ ଉପସ୍ଥିତ ହେଲେ । ନାନାଦିଗରୁ ସାହିତ୍ୟ, ଛନ୍ଦ, ବୃତ୍ତି ଇତ୍ୟାଦିରେ ଚର୍ଚ୍ଚା ଚାଲିଲା । କେଡ଼େ ସରଳ ସେ, କେଡ଼େ ବିନୟୀ ସତେ ! କି ଚମତ୍କାର କବିତା ରଚନା । ମୁଁ ତ ଏକାବେଳେ ମୁଗ୍ଧ ହୋଇଗଲି ତାଙ୍କ ଗୁଣ ଦେଖି । ଏଥରକର ଅନୁଗୋଳ ରହଣୀ ବଡ଼ ଆନନ୍ଦରେ ବିତିଲା ।

 

ସମ୍ୱଲପୁର ବସାଘର :

 

ଅନୁଗୋଳରୁ ପୁଣି ଗଲୁଁ ସମ୍ୱଲପୁର, ମିଶ୍ର ମୋଟର ସର୍ଭିସରେ । ମୋର ବାଲ୍ୟବନ୍ଧୁ ଢେଙ୍କାନାଳର ଶ୍ରୀ ଚକ୍ରଧର ମିଶ୍ରେ ଏ ସର୍ଭିସବସ୍‌ ଚଳାଉଥାଆନ୍ତି । ମୋର ବିଶ୍ୱାସ ଯେ ସେତେବେଳେ ଏଭଳି ଏକ ସାହିକ ବସ୍ ଚଳାଚଳର ବ୍ୟବସ୍ଥା କେବଳ ଚକ୍ରଧରବାବୁ ଆରମ୍ଭ କରିଥିଲେ, ଓଡ଼ିଶାରେ । ସମ୍ୱଲପୁରରେ ତାଙ୍କ ମୋଟର ଅଫିସରେ କିଛିଦିନ ରହି ଡେପୁଟି କଲେକ୍ଟର ଭରତ ନାୟକଙ୍କର ଏକ ବିରାଟ ଘରେ ରହଣୀ ହେଲା । ଏ ଘରେ ରହିବାକୁ ଲୋକେ ଡରନ୍ତି । ଶୁଣିଲି ଏଠି ଭୂତର ଅତ୍ୟାଚାର । ମୁଁ ବିଚାରିଲି ଆମର ତ ସବୁବେଳେ କୃଷ୍ଣନାମ ଚାଲିଛି–ଦେଖାଯାଉ ଭୂତର ପ୍ରତାପ । କିଛିଦିନ ପରେ ଭିତିରି ମରମ ବୁଝାଗଲା । ଘରକୁ ଲାଗି ଗୋଟିଏ ବଡ଼ ଆମ୍ୱଗଛ ଚାଳକୁ ଢାମ୍ପି ପଡ଼ିଥାଏ । ଆମେ ତ ଅଳ୍ପ ନୁହ, ପିଲା, ବଡ଼ ମିଶି ପ୍ରାୟ ୨୦।୨୨ ଜଣ । ଆମେ ଜାଗତିଆର ରହିଲୁଁ ।

 

ଦିନେ ୬।୭ ରହିଲା ପରେ, ଥରେ ଏକ ବିଚିତ୍ର ଘଟଣା ଘଟିଲା । ରାତିରେ ଅଭିନୟ ସାରି ବସାକୁ ଆସିଲୁ । ଏକାଠି ସଭିଏଁ ଖାଇ ବସିଛୁଁ, ଏତିକିବେଳେ ଚାଳକୁ ଢାମ୍ପି ପଡ଼ିଥିବା ଆମ୍ବଗଛରୁ ଝରଝର ହୋଇ ଗୁରାଏ ବାଲି ଅଜାଡ଼ି ହୋଇ ପଡ଼ିଲା । ପିଲାଏ ଡରରେ ଛାନିଆଁ । ଭୂତଥିବା କଥା ଯାହା ଶୁଣାଥିଲା, ବୋଧହୁଏ ତା ସତ । ଆଉ ଖାଇବେ କ’ଣ ? ଘରର କବାଟ କିଳି ଭୟରେ ଥରିଲେ । ଆମ ପୂଜାରୀ ଓ ଆଉ ଜଣ କେତେ ଛାତିରେ ଦମ୍ଭବାନ୍ଧି ଘର ବାହାର ପଟେ ଥିବା ଆମ୍ବଗଛ ମୂଳକୁ ଲଣ୍ଠନ ନେଇ ଗଲେ । ଗଛଟା ବଡ଼ ଗହଳିଆ । କିଛି ଦେଖାଯାଉ ନଥାଏ, ପତ୍ରସନ୍ଧିରେ । ତୁହାକୁ ତୁହା ବାଲି ପଡ଼ୁଥାଏ, ଡାଳ ହଲୁଥାଏ । ଆମ ଲୋକେ ତଳେ ଜଗି ରହିଲେ, ଗଛକୁ ଟେକା ପଥର ମାରିଲେ । ଟିକିଏ ପରେ ବେଶୀ ବାଲି ପଡ଼ିବା ବନ୍ଦ ହୋଇଯାଇ ମଝି ମଝିରେ ଗଣ୍ଡେ ଗଣ୍ଡେ ପଡ଼ୁଥାଏ । ହଠାତ୍ ଚାଳ ଉପରେ ଦୁଲ୍‌କରି କ’ଣ ଗୋଟାଏ ପଡ଼ିବାର ଆବାଜ୍‌ ହେଲା । ବାହାରପଟ ବୁଲିଆସି ଅଗଣାରେ ଦେଖିଲେ, କେହି ନାହିଁ । ସବୁରି ସନ୍ଦେହ ହେଲା । କେହି ଜଣେ ଗଛରୁ ଚାଳକୁ ଡେଇଁ ପଡ଼ିଲା ପରି ଅନୁମାନ କଲେ ।

 

ରାତି ପାହିଲା । ତହିଁ ଆରଦିନ ସକାଳୁ ଦେଖିଲା ବେଳକୁ ଚାଳରୁ ପୁଳାଏ ନଡ଼ା ଝୁଲି ପଡ଼ିଛି ଓ ତଳେ ବି କିଛି ପଡ଼ି ଯାଇଛି । ମନେହେଲା ଏସବୁ କେହି ଲୋକର କୀର୍ତ୍ତି । ଜଣେ ଅଧେ ଚାଳରେ ଚଢ଼ିଲେ, ପାଇଲେ ଖଣ୍ଡେ ଗାମୁଛା । ଆଉ ସନ୍ଦେହ କ’ଣ ? ଏ ନିଶ୍ଚେ କେହି ଦୁଷ୍ଟ ଲୋକର କାମ । ଆଛା, ଦେଖାଯାଉ, ଜଗିବା ବୋଲି ସମସ୍ତେ ଏକମତ ହେଲେ । ପିଲାଙ୍କୁ ଗାମୁଛା ଦେଖାଇ ବୁଝାବୁଝି କରାଗଲା । କୁହାଗଲା ଭୂତ ନୁହେଁ–ମଣିଷ । ବଦମାସ ଲୋକଟେ କିଏ, ଜଗିବା ତାକୁ ।

 

ଭରତବାବୁଙ୍କ ଘରର ଜଣେ ଜଗୁଆଳ ଥାଏ । ସେ ବିଚାରା ମୂଲପାତି କରି ଚଳେ । ସ୍ତ୍ରୀଟି ତା’ର ଯୁବତୀ, ରଙ୍ଗ କଳା ହେଲେ ବି ସୁନ୍ଦରୀ, ଢଳା ଢଳା ଦିଓଟି ଆଖି, ଭରଯୌବନୀ । ଜଗୁଆଳି ଅଧିକାଂଶ ଦିନ, ରାତିରେ ଆଉ କାହାର କାମରେ ଯାଏ ଆଉ ଏ ଯୁବତୀ ନିଜ ବାଟ ଦେଖେ କେଉଁ ବିଶିନୀକି ରାତିର ସାଥୀ କରି । ତାକୁ ଆମ ଦଳ ଗହଳି ଅଡ଼ୁଆ ହେବାରୁ, ଆମ୍ୱଗଛରୁ ଭୂତ ହୋଇ ବିଶିନୀଟି ଧୂଳି ବାଲି ପକାଉଥିଲା ।

 

ଆମେ ବା କେତେ ଦିନ ସେଠି ଥାକିବୁଁ ? ସବୁ ସେ ଚୁପ୍‌ଭଲା । ଜାଣିଲୁଁ ସବୁ କଥା, ପିଲାଙ୍କୁ ସାବଧାନ କରି ଦେଲୁଁ ।

 

ଥରେ ସମ୍ୱଲପୁରରେ ପ୍ଲେ ହେବା ସମୟ କୌଣସି ଅସୁବିଧାରୁ ଗଡ଼ିଗଲା ଟିକିଏ । ଦେଖଣାହାରିଏ ଭାରି ଗୋଳମାଳ କଲେ, ଗାଳିଗୁଲଜ, ଟେକା ଫିଙ୍ଗା ଇତ୍ୟାଦି ଚାଲିଲା–ବିଶେଷକରି ଅଦିଆ ଗରାଖଙ୍କର । ମୁଁ ଗୋଟାଏ ଦୁଷ୍ଟ ବୁଦ୍ଧି ଖେଳାଇ ପିଲାଙ୍କୁ ପାଖ ବସାକୁ ଷ୍ଟେଜ ପଛବାଟେ ବିଦାୟ କରିଦେଲି । ଷ୍ଟେଜ ମଝିରେ ଗୁଡ଼ାଏ ଟେକା ଦେଉଳ ପରି ଜମା କରାଗଲା । ଘଣ୍ଟା ବାଜିଲା । ଡ୍ରପ୍‌ ଉଠିଲା । ଦେଖିଲା ବେଳକୁ ମଞ୍ଚ ଶୂନ୍‌ । ସନାତନ ଡାକ୍ତର ଓ ଆଉ କେତେଜଣ ମୋର ପରମବନ୍ଧୁ ସାହା ହେଲେ, ଲୋକେ ରାଗି ପଳାଇଲେ, ଟିକଟ ପଇସା ଫେରାଇ ଦିଆଗଲା । ମୋର ସେଠାର ବନ୍ଧୁମାନେ ବେଶ୍‌ ମଧୁରିଆ ମଧୁରିଆ ବାଣୀ ଶୁଣାଇଁ କହିଲେ ଯେ ସମ୍ୱଲପୁରର ବଦନାମ କଲେ କେତେକ ଦର୍ଶକ । କେତେକ ଭଦ୍ରଲୋକ ଆମ ପଟିଆ ହେଲେ । ବଚନିକା ଶୁଣାଇଲେ ମାଗଣା ଦେଖିବାକୁ ଦାବି କରି ଅଯଥା ଗୋଳମାଳ ସୃଷ୍ଟି କରୁଥିବା ଲୋକଙ୍କୁ । ପୋଲିସ ପକ୍ଷରୁ ମଧ୍ୟ ସାହାଯ୍ୟ ମିଳିଲା । ଏହାପରେ ଆଉ ଏଭଳି ଗୋଳମାଳ କେବେ ହୋଇ ନାହିଁ । ସୁରୁଖୁରୁରେ ଦିନାକେତେ ଅଭିନୟ ଚାଲିଲା । ଦି’ପଇସା ରୋଜଗାର ବି ହେଲା । ଆଦର ସମ୍ୱର୍ଦ୍ଧନା ମିଳିଲା । ଏବେ ମଧ୍ୟ ମୁଁ ସମ୍ୱଲପୁରବାସୀଙ୍କର ପ୍ରିୟଜନ ହୋଇ ରହିଛି, ସେଇକାଳରୁ ।

 

ସମ୍ୱଲପୁରଠାରୁ ବରଗଡ଼ ଗଲୁଁ । ଏଠି କୃତାର୍ଥ ଆଚାର୍ଯ୍ୟଙ୍କର ବେଶ୍‌ ନାଆଁ ଥାଏ । ବଢ଼ିଆ ଗାମୁଛା ତାଙ୍କ ଗୋଦାମରେ ମିଳେ । ବନ୍ଧୁତା ହେଲା ତାଙ୍କ ସଙ୍ଗେ । କିଛିଦିନ ସେଠି ଅଭିନୟ ଦେଖାଇବା ପରେ ବୋଡ଼ାସମ୍ୱର ଜମିଦାର ବରିହାଙ୍କ ନିମନ୍ତ୍ରଣରେ ଦଳ ସେଠାକୁ ଗଲା । ଭାଗ୍ୟକୁ ଦେ’ଦରା ଗଲୁ ଜମିଦାରଙ୍କ ମୋଟରରେ । ବାସ୍ତବରେ ଦେ’ଦରା ଏକା ଦେବଦରା । କି ମନୋହର ଦୃଶ୍ୟ ! ଦେବ ମନ୍ଦିରଟି ପାଣି କୂଳର ଏକ କୁଦ ଉପରେ । ଏକ ଦିଗରେ ତା’ର ବଡ଼ ପାହାଡ଼ । ଶୁଣିଲି ସେ ପାହାଡ଼ରେ ଏକୁଟିଆରେ ଜଣେ ବୁଢ଼ୀ ଥାଏ । ଭାବିପାରିଲି ନାହିଁ, ବିଚାରୀ କେମିତି ସେଠି ରହେ । ଭୀଷଣ ଜଙ୍ଗଲ; କିନ୍ତୁ ସେ ନିଶ୍ଚିନ୍ତ ଥାଏ । ପାଣିକୂଳରେ ଫଟୋ ନିଆଗଲା-। ମନେ ଅଛି ଦୀନବନ୍ଧୁ (ଟୀମା) ଅସାବଧାନ ହୋଇ ମୋଟରଗାଡ଼ି କବାଟର କାଚ ଖଣ୍ଡେ ଭାଙ୍ଗି, ଡରରେ କବାଟ ଭିତରେ ଲୁଚାଇ ଦେଲା । ଦେଖିଲି ସବୁ; କିନ୍ତୁ ସେଠି ତ ଆଉ କିଛି କହି ଯୋଗାଏ ନାଇଁ, ବସାକୁ ଆସି ବିରକ୍ତ ହେଲି ଟିକିଏ ।

 

କଟକ ବାହୁଡ଼ାଣି :

 

ସେଠାରୁ ସମ୍ୱଲପୁର ଓ ଅନୁଗୋଳ ହୋଇ ବାହୁଡ଼ିଲୁଁ କଟକ ।

 

କଟକରେ ସେତେବେଳେ ଚଉଧୁରୀବଜାର ମୋଡ଼ ଉପରେ ଥିବା ବହୁ ପୁରୁଣା ଚନ୍ଦନ ପୋଖରୀ ପୋତା ହୋଇ ଯାଇଥାଏ । ଏବେ ଯେଉଁଠି ଗୌରୀଶଙ୍କର ପାର୍କ ହୋଇଛି, ଏ ସେହି ଜାଗା । ଖୋଲା ମେଲା ପଡ଼ିଆ ହୋଇ ପଡ଼ିଥାଏ । ସେଇଠି ଚାମେରିଆ ସିନେମା କମ୍ପାନୀ ତମ୍ୱୁପକାଇ ସିନେମା ଦେଖାଉ ଥାଆନ୍ତି । ଏ କିନ୍ତୁ ନିର୍ବାକ୍‌ ଚଳଚ୍ଚିତ୍ର । ଜଣେ ତେଲୁଗୁ ବ୍ୟକ୍ତି ଛବି ଦେଖାଇବା ସାଙ୍ଗରେ, ଛବିର ବର୍ଣ୍ଣନା ଅପୂର୍ବ ଓଡ଼ିଆ ଭାଷା ଉଚ୍ଚାରଣରେ କହି ଦର୍ଶକଙ୍କୁ ବୁଝାଉଥାଆନ୍ତି ।

 

ହାଲଦାର ଓ ମୁଖାର୍ଜୀ ମିଶି ହଲମୁକ ଟକିଜ୍‌(ଆଜି ଯେଉଁଠି ଅନ୍ନପୂର୍ଣ୍ଣା ‘ବି’ ମଞ୍ଚ ଅଛି, ତାହାରି ଆଗଛାମୁଆଁରେ ଏ ହଲ୍‌ଟି ଥିଲା । ଅନ୍ନପୂର୍ଣ୍ଣା ‘ବି’ ବର୍ତ୍ତମାନ ଯେଉଁଠାରେ ପେଣ୍ଡାଲ କରିଛନ୍ତି, ତାହା ଥିଲା ଏ ଗୋଦାମ ଘର ନାଆଁ ଦେଇ ସିନେମା ପ୍ରଦର୍ଶନ କରୁଥିଲେ, ଏହ ମଧ୍ୟ ବନ୍ଦ ହୋଇଯାଏ । କଟକ ଫେରି ଜାଉଁଳିଆ ପଟିରେ ବସାକରି ରହିବା ପରେ ହଲମୁକ ଟକିଜ୍‌ ହଲ ଭଡ଼ା ନେଇ କେତୋଟି ଅଭିନୟ ଦେଖାଇଲୁ । ସେତେବେଳେ ଡାକବାଜା ବ୍ୟାଣ୍ଡପାର୍ଟିକୁ ନୁରୁହୋସେନ ନାମକ ଜଣେ ଭଲ କ୍ଲାରିଓନେଟ୍‌ ବାଦକ ପରିଚାଳନା କରୁଥିଲେ । ଏକବଳଦିଆ ବଳଦଗାଡ଼ିରେ ବ୍ୟାଣ୍ଡବାଜା ବାଜି ହାଣ୍ଡବିଲ ବଣ୍ଟାହୁଏ ।

 

ଜାଉଁଳିଆ ପଟିରେ ଶ୍ରୀ ରାଜକୃଷ୍ଣ ବୋଷ ଓ ଶ୍ରୀ ରାମପ୍ରସାଦ ସିଂହଙ୍କ ପରିଚାଳିତ ‘ସ୍ୱରାଜ’ ପତ୍ରିକାରେ ମଧ୍ୟ ନାଟକର ବିଜ୍ଞାପନ ଦିଆଯାଉଥାଏ ।

 

ଏହି କାଳରେ ବନ୍ଧୁ ସୁଲେଖକ ଉପେନ୍ଦ୍ରକିଶୋର ଦାସଙ୍କର ଗୋଟିଏ ବହି ଦୋକାନ ଥିଲା । ସେ ‘କୌତୁକ ଚିନ୍ତାମଣି’ ରାସ ବହିଟି ଓ କାଳିଚରଣ ଦାସ, ‘ବିଦ୍ୟାବଳୀ’ ରାସ ନାଟକ ପ୍ରକାଶ କଲେ ।

 

କଟକରେ ଅଭିନୟ :

 

ପରେ ପରେ ପ୍ରହରାଜ ମଉସା (ଗୋପାଳଚନ୍ଦ୍ର ପ୍ରହରାଜ) ଓ ଶଶୀବାବୁ (ଶଶୀଭୂଷଣ ରାୟ) ଉତ୍କଳ ସାହିତ୍ୟ ସମାଜର ତଦାନୀନ୍ତନ ସମ୍ପାଦକ)ଙ୍କ ସହିତ କଥା ହୋଇ ଶ୍ରୀରମଚନ୍ଦ୍ର ଭବନରେ ବହୁରାତ୍ର ଅଭିନୟ ପ୍ରଦର୍ଶିତ ହେଲା । କଟକବାସୀ ଏ ଅଭିନୟର ଭୂରିଭୂରି ପ୍ରଶଂସା କଲେ ।

 

ସେତେବେଳକୁ ବିଜୁଳି ଆଲୁଅ ନ ଥାଏ । ପଞ୍ଚଲାଇଟ ଜାଳି ଅଭିନୟ ଦିଆ ଯାଉଥାଏ-। ଦୁର୍ଲଭ, ଟୀମା, ଯମୁନା, ବାଞ୍ଛା ପ୍ରଭୃତି ପିଲାଙ୍କ ଅଭିନୟକୁ ଲୋକେ ବଡ଼ ପସନ୍ଦ କରୁଥିଲେ-

 

ଚମ୍ପୂ ନାଟକ :

 

ଏତିକିବେଳେ ମୋର ହଠାତ୍‌ କେମିତି ମନ ହେଲା ଆମ ପୁରୁଣା କବିଙ୍କ ଆଶୀର୍ବାଦ ପାଇବାକୁ । ଭଲକରି ପଢ଼ିଲି ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ । ଚମ୍ପୂକୁ ନାଟ୍ୟରୂପ ଦେବି ବୋଲି ୩୪ଟି ଯାକ ଗୀତ ଖଞ୍ଜି ଗୀତବହୁଳ ନାଟକ ଲେଖା ଆରମ୍ଭ କଲି । ଦୃଶ୍ୟ ବିଭାଗର ସୁବିଧା ପାଇଁ ଠାଏ ଠାଏ କଥା ସଙ୍ଗକୁ ଗୋଟି କେତେ ଗୀତ ଯୋଖିଲି ଓ ନାଚ ଯୋଗାଡ଼ିଲି । ରିହର୍ସାଲ ଚାଲିଲା । ୟେ ୧୯୩୨ ସାଲର କଥା ।

ଶ୍ରୀରାମଚନ୍ଦ୍ର ଭବନରେ ପ୍ରାୟ ପ୍ରତି ରାତି ଅଭିନୟବେଳେ ଦେଖଣାହାରି ସ୍ଥାନ ନ ପାଇ ଫେରନ୍ତି । ତେଣୁ ବାଙ୍କାବଜାରର ଶ୍ରୀ ସୁଶୀଲ ପାଲିତଙ୍କ ପଡ଼ିଆ ଉପରେ ଚାରିପାଖେ ପାଲ ଟାଣି ପେଣ୍ଡାଲ ବାନ୍ଧି ପ୍ଲେ ଦେବାର ବ୍ୟବସ୍ଥା କରାଗଲା । ଏଇଠି ପ୍ରଥମେ ପ୍ରଦର୍ଶିତ ହେଲା ଚମ୍ପୂ ନାଟକର ଅଭିନୟ ।

ପ୍ରଥମ ଅଭିନୟ ରାତ୍ରି–ସେତେବେଳକୁ ରାୟବାହାଦୁର ରାଜକିଶୋର ଦାସ ଜୀବିତ । ସେ ତ ଜଣେ ପୁରୁଣା ସଙ୍ଗୀତ ସାହିତ୍ୟର ପରମ ରସିକ ଭକ୍ତ । ତାଙ୍କରିଦ୍ୱାରା ଚମ୍ପୂ ନାଟକ ରାତି ଆଠଟାବେଳେ ଉଦ୍‌ଘାଟିତ ହେଲା ।

ସେଦିନର କଥା ମନରୁ ଯାଉ ନାହିଁ । ଖରାଦିନ, ବସନ୍ତକାଳ, ଚନ୍ଦ୍ରପକ୍ଷ–ସୁଲୁସୁଲିଆ ପବନ ବହୁଥାଏ । ରାଜକିଶୋରବାବୁ ତାଙ୍କ ବାଙ୍କାବଜାର ଘରୁ ଆସିଲେ । ନାଟକ ସେ ଉଦ୍‌ଘାଟନ କଲେ । ଡ୍ରପ୍‌ସିନ ଖୋଲିଲା । କାହ୍ନାଇ (ସ୍ୱର୍ଗତ କାହ୍ନାଇ ଲାଲ ଘୋଷ) ଖୋଳ ଧରିଥାଏ । ଆରମ୍ଭ ହେଲା କୀର୍ତ୍ତନ ବାଦ୍ୟ ସହିତ ନୃତ୍ୟ । ଠିକ୍‌ ଏତିକିବେଳେ ପେଣ୍ଡାଲ ଉପରେ ଭଦଳିଆ ପକ୍ଷୀଟିଏ, ସେଇ ଚନ୍ଦ୍ରପକ୍ଷ ରାତିରେ ଉଡ଼ି ଉଡ଼ି ବୋବାଇଲା । ସମସ୍ତେ କହିଲେ, ୟେ ଶୁଭସୂଚକ । ମୁଁ ମାଆଙ୍କୁ ମୁଣ୍ଡିଆମାରି ନାଟକ ଆରମ୍ଭ କଲି । ଚମ୍ପୂର ସବୁତକ ଗୀତ, ଏମିତି ଭାବରେ ଅନେକ ଶୁଣି ନ ଥିଲେ, ୟା ଆଗରୁ । ଗୀତ, ଅଭିନୟ ଓ ମଝିରେ ମଝିରେ ନାଚ ଦେଖି ରାଜୁବାବୁ ଓ ଆଉ କେତେ ପୁରୁଖା ପୁରୁଖା ଲୋକେ ଭାବତନ୍ମୟ ହୋଇପଡ଼ିଲେ । ଆଖିରୁ ତାଙ୍କର ଆନନ୍ଦରେ ଲୁହ ଗଡ଼ିଗଲା । ରାଜୁବାବୁ ମୋତେ ଷ୍ଟେଜ୍‌ ଭିତରୁ ଡକାଇ, ଆଖି ଲୁହ ଛଳଛଳ କରି କହିଲେ–‘‘କାଳୀ, ରଜାଘର ଚାକିରି କରିଥିଲେ ତୁମେ ଶହ ଶହ ଲୋକଙ୍କୁ ରାଧାକୃଷ୍ଣ ଲୀଳା ପରଶି ଆନନ୍ଦ ଦେଇ ତାଙ୍କର ଆଶୀର୍ବାଦ ପାଇପାରି ନ ଥାନ୍ତ । ଚମ୍ପୂକୁ ନାଟକ ଆକାରରେ ଗଢ଼ି କବିସୂର୍ଯ୍ୟଙ୍କ ସ୍ମୃତି ଚେତାଇ ଦେଲ, ତୁମେ ଚାକିରି କରନ୍ତ କାହିଁକି ? ତୁମେ ଯେଉଁ ‘ଚାକିରି ଝକ୍‌ମାରୀ’ ଗୀତ–ଗ୍ରାମଫୋନ୍‌ ରେକର୍ଡ଼ରେ ଗାଇଛ, ତା’ ଏଇଠି ସତ ଫଳିଲା । ଜଗନ୍ନାଥ ତମକୁ ଦୀର୍ଘାୟୁ କରନ୍ତୁ, ତୁମେ ପୂର୍ବସୂରୀମାନଙ୍କୁ ଜୀବିତ କରି ରଖ ।’’ ତାଙ୍କୁ ମୁଣ୍ଡିଆମାରି ବିଦାୟ ନେଲି । ପୁଣି ପ୍ଲେ ଚାଲିଲା । ଚମ୍ପୂର ‘କ୍ଷମାନୁକମ୍ପାଧର’ ଗୀତ ଓ ସଖୀମାନଙ୍କର ସମୂହ ନୃତ୍ୟବେଳେ ଦେଖଣାହାରିଏ ଆସନ ଛାଡ଼ି ଛିଡ଼ା ହୋଇ ‘ହରିବୋଲ’ ଦେଲେ । ଘନଘନ କରତାଳିରେ ମଞ୍ଚ ଉଛୁଳି ପଡ଼ିଲା ।

ପୂର୍ବରୁ ମୋର ଅବଶ୍ୟ ପୁରାତନ ଯୋଗଜନ୍ମା କବିଙ୍କ ରଚନା ପ୍ରତି ଶ୍ରଦ୍ଧା ଭକ୍ତି ଥିଲା । ଚମ୍ପୂ ନାଟକର ଅଭିନୟ ଦେଖି ଲୋକଙ୍କର ପ୍ରଶଂସା ଓ ଆଶୀର୍ବାଦ ମୋତେ ଆମ ଓଡ଼ିଶୀ ଗୀତ, ସ୍ୱର ଓ ସାହିତ୍ୟ ଦିଗକୁ ଏକାବେଳେ ଟାଣି ଦେଲା ।

ଏହି ସମୟରେ ବଳଙ୍ଗା Art ଥିଏଟର ଚାଲିଥାଏ । ଏ ଥିଏଟର ମୂଳକର୍ତ୍ତା ହେଲେ ସ୍ୱର୍ଗତ ବନମାଳୀ ପତି । ନାଟ୍ୟକଳା ତାଙ୍କର ଅପୂର୍ବ ଦାନକୁ ଆଜି କେହି ଭାଳୁ ନାହାନ୍ତି ବୋଲି ଦୁଃଖ ଲାଗୁଛି ।

 

ଏଇଠି ସ୍ୱର୍ଗତ ପତିଙ୍କପରି ଜଣେ କରିତ୍‌କର୍ମାଙ୍କ କଥା ଅତି ସଂକ୍ଷେପରେ କହୁଛି । ତାଙ୍କ ସହିତ ମୋର ପୁରୀଠାରୁ ପରିଚୟ ଥିଲା । ସେ ସେତେବେଳେ ବଳଙ୍ଗାର ନାଏବ । ବେଶ୍‌ ପ୍ରତିପତ୍ତିଶାଳୀ ବ୍ୟକ୍ତି ଥିଲେ ସେ । ପ୍ରାୟ ସବୁ ମହଲରେ ତାଙ୍କୁ ଲୋକେ ସମ୍ମାନ ଦେଉଥିଲେ । ଫିରିଙ୍ଗି ଅମଳ, ଜମିଦାରୀ କାରଖାନା, ବଳଙ୍ଗା ପ୍ରଭୃତି ଚକଡ଼ାର ଜମିଦାର କଲିକତାନିବାସୀ ଦ୍ୱାରିକା ମିତ୍ର ତାଙ୍କ ଓଡ଼ିଶାର ଜମିଦାରୀକୁ କଦବା ଥରେ ଅଧେ ଆସିଥିବେ । ତେଣୁ ନାଏବ ପତି ହିଁ ପ୍ରାୟ ଏ ଇଲାକାର ମାଲିକ । ସେ ଓଡ଼ିଶୀ ନାଚଗୀତକୁ ଭାରି ଆଦର କରୁଥିଲେ । ଅଧିକାଂଶ ସମୟରେ ସେ ନାନା କାର୍ଯ୍ୟ ଘେନି ପୁରୀରେ ଦେଖାଦିଅନ୍ତି । ସ୍ୱନାମଧନ୍ୟ ସାହିତ୍ୟିକ ଓକିଲ ଜଗବନ୍ଧୁ ସିଂହଙ୍କ ସହିତ ତାଙ୍କର ବେଶ୍‌ ବନ୍ଧୁତା ଥାଏ । ଅନେକ ସମୟରେ ପତିଙ୍କୁ ସ୍ୱର୍ଗତ ଜଗବନ୍ଧୁବାବୁଙ୍କ ଘରେ ଦେଖିବାକୁ ମିଳେ । ଦୁହେଁ ପ୍ରାୟ ସମବୟସୀ । ମୋର ବସାର (କୁଣ୍ଢାଇବେଣ୍ଟ ସାହି, ଜଗବନ୍ଧୁବାବୁଙ୍କ ଘରକୁ ୩।୪ ଘର ଛଡ଼ା) ସଙ୍ଗୀତ ବୈଠକରେ ପତିଏ କେତେଥର ଶ୍ରୋତା ଭାବେ ଯୋଗ ଦେଇଛନ୍ତି ।

 

ତାଙ୍କ କଥା ଏଠି କହିବାର କାରଣ ହେଲା ଯେ, ଗୋବିନ୍ଦ ଶୂରଦେଓ ଯେପରି ରାସଦଳର ମୂଳଦୁଆ ପକାଇଥିଲେ, ପତି ସେହିପରି ବ୍ୟବସାୟୀ ଥିଏଟର ଦଳର ପ୍ରଥମ ଉଦ୍ୟୋକ୍ତା ।

 

ଲୋକେ ଆଜି ତାଙ୍କୁ ମନପାସୋରା କରି ଦେଲେଣି । ତେଣୁ ତାଙ୍କ କଥା ପଦେ ଅଧେ ହେଲେ, ଏଠି କହିଥାଏଁ ବୋଲି ବିଚାରୁଛି । କଟକରେ ବାସନ୍ତୀ, ଉଷା ଓ ମାଗନେଟିକ୍‌ ଥିଏଟର ପ୍ରଭୃତି କେତୋଟି ସୌଖୀନ କଳାକାର ଦଳ ଥିଲା ସିନା, ବ୍ୟବସାୟୀ ଦଳ ଗଢ଼ିଲେ ସ୍ୱର୍ଗତ ବନମାଳୀ ପତି । ବାସନ୍ତୀ ପ୍ରାୟ ବଙ୍ଗଳା ନାଟକ ମଞ୍ଚସ୍ଥ କରୁଥିଲେ । ତାଙ୍କ ରାଧାକୃଷ୍ଣ ଥିଏଟରରେ କିନ୍ତୁ ଓଡ଼ିଆ ନାଟକ ଅଭିନୀତ କରାଇବାକୁ ଜିଦି ଧରି ନାଟକ ଲେଖକ ଓ କଳାକାରଙ୍କୁ ସମୁତ୍ସାହିତ କଲେ ପତି ମହାଶୟ ।

 

ପୁରୀରେ ସେତେବେଳେ ରାଜକିଶୋର ବାବୁ ଆମ ପୁରୁଣା କବିଙ୍କ ରଚନା, ପୁରୁଣାଗୀତ, ଓଡ଼ିଶୀନାଚର ପରମ ଭକ୍ତ । ଜଗବନ୍ଧୁବାବୁ ତଦ୍ରୂପ । ପତିଙ୍କର ସେମାନଙ୍କ ସହିତ ବେଶ୍‌ ସଦ୍‌ଭାବ ଥିଲା । ସେମାନେ ପତିଙ୍କୁ ଉତ୍ସାହିତ କରୁଥିଲେ ।

 

ଏମାର ମଠର ତଦାନୀନ୍ତନ ଗୁଣଗ୍ରାହକ, ଦାନଶୀଳ ମହନ୍ତ ମହାରାଜ ଗଦାଧର ରାମାନୁଜ ଦାସ, ପୁରୀ ମ୍ୟୁନିସିପାଲଟିର ହେଲ୍‌ଥ ଅଫିସର ଗଗନବାବୁ ପ୍ରଭୃତି ମଧ୍ୟ ପତିଙ୍କୁ ଯଥେଷ୍ଟ ପ୍ରେରଣା ଦେଇଥିଲେ, ଏପରି ଗୋଟିଏ ନାଟକ ଦଳ ଗଢ଼ିବାକୁ ।

 

ବଳଙ୍ଗାରେ ପ୍ରଥମେ ଏକ ଗୋଟିପୁଅ ଦଳ ଗଢ଼ି ପତି ଅରଡ଼ିଆ ପଦାର ବିଶିଷ୍ଟ ନୃତ୍ୟ ସଙ୍ଗୀତଗୁରୁ ଶ୍ୟାମସୁନ୍ଦର ମହାପାତ୍ରେ ଓ ତାବଲାବାଦକ ହୃଷୀଙ୍କୁ ଶିକ୍ଷା ଦେବାକୁ ରଖିଥିଲେ । ଶ୍ୟାମ, ଲୋକନାଥ ଓ ମଧୁ ଇତ୍ୟାଦି କେତେଜଣ ପିଲା ନୃତ୍ୟଶିକ୍ଷା କରୁଥିଲେ । ନାମୀ ମଞ୍ଚକଳାକାର ଶ୍ରୀ ରାମଚନ୍ଦ୍ର ମାଣିଆ ପ୍ରଥମେ ଏହି ଦଳରେ ଓଡ଼ିଶୀ ନୃତ୍ୟ ତାଲିମ ପାଇଥିଲେ ।

 

ପୂର୍ବୋକ୍ତ ସଙ୍ଗୀତ ରସିକ ଭଦ୍ରଲୋକମାନଙ୍କ ଉତ୍ସାହ ଓ ପ୍ରସ୍ତାବରେ ପତି, ଗୋଟିପୁଅ ଦଳ, ଯାତ୍ରାଦଳ ଓ ଶେଷରେ ନାଟକ ଦଳ ଗଢ଼ି ତାହାକୁ ଭ୍ରାମ୍ୟମାଣ ବ୍ୟବସାୟୀ ଦଳରେ ପରିଣତ କଲେ ।

 

ପ୍ରାୟ ୧୯୧୬।୧୭ରେ ପତିଙ୍କର ରାଧାକୃଷ୍ଣ ଥିଏଟର କଟକର ବାସନ୍ତୀ ରଙ୍ଗମଞ୍ଚରେ ଅଭିନୟ ପ୍ରଦର୍ଶନ କରି ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ରଙ୍ଗମଞ୍ଚ ବାନ୍ଧି, ନାଟକମାନ ଖେଳି ବହୁ ମାନ ଅର୍ଜନ କଲେ । ପୁରୀର ପ୍ରଖ୍ୟାତ ଚିତ୍ରଶିଳ୍ପୀ, ମଞ୍ଚକଳାକାର ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ କୃଷ୍ଣଦାସ ମୁଖାର୍ଜୀ ଏବଂ ବାଲେଶ୍ୱରର ସଙ୍ଗୀତଜ୍ଞ ବୃନ୍ଦାବନ ବିହାରୀ ଦାଶ ରାଧାକୃଷ୍ଣ ଥିଏଟର ଦଳର ମଞ୍ଚକଳା ସୁଚାରୁରୂପେ ପରିଚାଳନା କରୁଥିଲେ ।

 

ପତି ବଡ଼ ଓଡ଼ିଆପ୍ରେମୀ । କେବଳ ଓଡ଼ିଆ ନାଟକମାନ ସେ ମଞ୍ଚସ୍ଥ କରାଉଥିଲେ । ସ୍ୱର୍ଗତ ସୁପରିଚିତ ନାଟ୍ୟକାର ଅଶ୍ୱିନୀକୁମାର ଘୋଷ, ବହୁ ନାଟକ ରଚନାର ସୁଯୋଗ ଲାଭକଲେ ଏଇ ଥିଏଟର ଦଳ ଓ ସ୍ୱର୍ଗତ ପତିଙ୍କ ହେତୁ । ଶ୍ରୀରାମଚନ୍ଦ୍ର ମହାପାତ୍ର (ପୁରୀ) ମଧ୍ୟ ପ୍ରଥମେ ଏହି ମଞ୍ଚଲାଗି ନାଟକ ରଚନା କଲେ ।

 

ମୋର ଯେତେଦୂର ମନେହୁଏ ୧୮୨୮ ସାଲ ମଇମାସ ୨୮ ତାରିଖ ଦିନ ପତିଙ୍କୁ ତାଙ୍କ ବଳଙ୍ଗା ଗ୍ରାମର ଜଣେ ଦୁବୃର୍ତ୍ତ ଲୋକ ତାଙ୍କୁ ଗାଧୋଇ ଠାକୁର ଦର୍ଶନ ସାରି ଘରକୁ ଫେରିବାବେଳରେ ହତ୍ୟାକଲା ।

 

ବିସ୍ତୃତ ବିବରଣୀ ମୁଁ ଏଠାରେ ଦେଉ ନାହିଁ । ପତିଙ୍କ କାଳ ହେବା ପରେ ସ୍ୱର୍ଗତ ଅଶ୍ୱିନୀବାବୁ ବନମାଳୀ ଆର୍ଟ ଥିଏଟର ନାମ ଦେଇ ଦଳକୁ ପରିଚାଳିତ କଲେ । ତାଙ୍କ ସହିତ ସ୍ୱର୍ଗତ ମହେଶଚନ୍ଦ୍ର ରାୟ ସହଯୋଗ କରୁଥିଲେ ।

 

ମୋର ସାକ୍ଷିଗୋପାଳ ନାଟ୍ୟସଂଘ ବାଙ୍କାବଜାରରେ ପାଲବନ୍ଧା ଷ୍ଟେଜରେ ନାଟକ ମଞ୍ଚସ୍ଥ କଲାବେଳକୁ ବନମାଳୀ ଆର୍ଟ ଥିଏଟର ଦଳ କଟକରେ ଥିଲେ, ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା ସେତେବେଳେ । ସେମାନେ ଚୌଧୁରୀବଜାରରୁ ମ୍ୟୁନିସିପାଲ୍‌ଟି ଯିବା ରାସ୍ତାକଡ଼ର ବାଆଁ ପଟେ ଗୋଟିଏ ଦୋତାଲା କୋଠାରେ ରହୁଥିଲେ । ଆମେ ରହିଥିଲୁଁ ବାଖରାବାଦ ଗଳି ଚଉଧୁରୀଙ୍କ ପକାରେ । ଭିଙ୍ଗାରପୁରର ସ୍ୱର୍ଗତ କୃଷ୍ଣଚନ୍ଦ୍ର ଚୌଧୁରୀ ଜଣେ ବଡ଼ ସଙ୍ଗୀତ ରସିକ । ତାବଲା ଓ ପଖବାଜ ବଜାନ୍ତି ସେ । ମୋର ସେ ସେ ଥିଲେ ଅକୃତିମ ବନ୍ଧୁ ଓ ପ୍ରାୟ ମୋ ସହିତ ରହୁଥିଲେ । ମନେ ପଡ଼ୁଛି ରାମ (ରାମଚନ୍ଦ୍ର ମାଣିଆ) ଆମ ବସାକୁ ବରାବର ଯା’ଆସ କରନ୍ତି । ସେ ମୋର ପ୍ରିୟ ଛାତ୍ର ଦୁଲୁ (ଦୁର୍ଲ୍ଲଭ ଚନ୍ଦ୍ର ସିଂ)କୁ ‘ଫଗୁଆ ମେଘେ ଖେଳେଇ ସୁନା ଥାଳିଟି’–କିଶୋରୀ ଚମ୍ପୂର ଗୀତ ସହିତ ନୃତ୍ୟ ଶିଖାଇଥିଲେ ।

 

ଯାଜପୁର :

 

ମାଘ ମାସ । ଯାଜପୁରରେ ସେତେବେଳେ ସବ୍‌ଡିଭିଜନାଲ୍‌ ଅଫିସର ଥିଲେ ସ୍ୱର୍ଗତ କାର୍ତ୍ତିକଚନ୍ଦ୍ର ଚନ୍ଦ୍ର । ସେ ଆମ ଦଳକୁ ଯାଜପୁରର ସରସ୍ୱତୀ ପୂଜାରେ ଅଭିନୟ କରିବାକୁ ଡାକିଲେ-। ଦଳ ସେଠାକୁ ଯିବା ଅବସରରେ ବନମାଳୀ ଆର୍ଟ ଥିଏଟର ପାର୍ଟି ଆମ ବାଙ୍କାବଜାର ମଞ୍ଚରେ କେତେକ ରାତି ଅଭିନୟ ଦେବାଲାଗି ଅନୁରୋଧ କଲେ । ନାଟକ ପ୍ରଦର୍ଶନ କରାଗଲା-। ଲୋକେ ସେବେଳରେ ଚମ୍ପୂ ଇତ୍ୟାଦି ନାଟକ ଦେଖିଥାଆନ୍ତି ଏଇ ମଞ୍ଚରେ । ବନମାଳୀ ଆର୍ଟ ଦଳ ବିଶେଷ ଧନ ଅର୍ଜିପାରିଲେ ନାହିଁ ।

 

ଯାଜପୁରରେ ମୋ ଦଳ ଭାରି ଆଦର ପାଇଲା । ସେଠାରେ ସେତେବେଳେ ସ୍ୱର୍ଗତ କ୍ଷେତ୍ରମୋହନବାବୁ (ଦାସ) ଥିଲେ ପୋଲିସ ଇନ୍‌ସପେକ୍ଟର । ବହୁ ସାହାଯ୍ୟ ପାଇଛି ତାଙ୍କଠାରୁ । କେନ୍ଦ୍ରପଡ଼ାର ମୋର ଜଣେ ପିଉସୀପୁଅ ଭାଇ ଗୋପାଳ ମହାନ୍ତି ଯାଜପୁରରେ ଓଭରସିଅର ଥିଲେ-। ମୁଁ ଯାଜପୁରରେ ଥିବା ଦିନଯାକ ତାଙ୍କର ସଙ୍ଖୋଳା ଭୁଲି ପାରିବି ନାହିଁ ।

 

ବଡ଼ ମନେହେଲା ସ୍ୱର୍ଗତ କାମପାଳ ମିଶ୍ର, ନାଟ୍ୟରଥୀଙ୍କ ଆସ୍ଥାନ ଦେଖିବାକୁ । ପଣ୍ଡିତ ନୀଳମଣି ମିଶ୍ରଙ୍କ ସହିତ ସାକ୍ଷାତ୍‌ କଲି । କେଡ଼େ ଗୁଣୀ, କେଡ଼େ ପଣ୍ଡିତ, କେଡ଼େ ସ୍ନେହୀ ସେ ସତେ ! ତାଙ୍କ ସଙ୍ଗସୁଖ ଛାଡ଼ି ଆସିବାକୁ ମନ ବଳୁ ନ ଥାଏ । ଭାବିଲି–ହଁ, ବଂଶର ଅଙ୍କୁର ତ ! କାହିଁକି ସେ ଏପରି ନିରାଡ଼ମ୍ୱର, ନିରହଙ୍କାରୀ ଓ ଗୁଣବାନ୍‌ ବ୍ୟକ୍ତି ହେବେ ? କଥାରେ ପରା ଅଛି–‘ଚାଟଘର ପୁଅ ଚାଟ’ ।

 

ଭଦ୍ରଖ ଲକ୍ଷ୍ମୀଭାଇ :

 

ଯାଜପୁରରୁ ଫେରି ଆମେ ଭଦ୍ରଖ ଗଲୁଁ । ବାରିପଦାଠାରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ମୋ ଲକ୍ଷ୍ମୀଭାଇ)ଙ୍କ ସହିତ ମୋର ଅତି ଆତ୍ମୀୟତା ଜମି ଯାଇଥାଏ ବାରିପଦାଠାରୁ, ତାଙ୍କ କୋଠାର ବାଆଁ ପଟରେ ଗୋଟିଏ ଆମ୍ୱ ବଗିଚା ଭିତରେ ତାଙ୍କର କେତେ ବଖରା ଚାଳ ଘର ଥିଲା । ଆମେ ସେଇଠି ବସା କଲୁଁ । ଲକ୍ଷ୍ମୀଭାଇଙ୍କ ସାନଭାଇ ଓ ସାନଭଉଣୀ ସତୀକାନ୍ତ ଓ କନକ (କନ) ସେତେବେଳକୁ ଜୀବିତ । ଭାଇ ବୋଲି କନ ସତେ କି ଆଦର କରେ ମୋତେ ! ତା’ କଥା ଏବେବି ଅପାସୋରା ।

 

ଆଉ ଜଣେ ଥିଲେ, ଫାରୁ ମିଆଁ । ସେ ଲକ୍ଷ୍ମୀଭାଇଙ୍କର ପରମ ଭକ୍ତ । ଲୋକେ ସିନା ତାଙ୍କୁ ଫାରୁ ମିଆଁ ବୋଲି ଡାକନ୍ତି, ହେଲେ ତାଙ୍କ ଅସଲ ନାଆଁ ହେଲା–ହକିମ୍‌ ମହମ୍ମଦ ଫାରୁକ୍‌, ସେ ଟିକିଏ ଔଷଧି ମଉଷଧି ଦିଆନିଆ କରନ୍ତି । ତେଣୁ ହାକିମ୍‌ ବୋଲାନ୍ତି । ଭାରି ସରସ ଲୋକ ସେ । ବଡ଼ ପରୋପକାରୀ, ସ୍ନେହୀ ଓ ସଙ୍ଗୀତପ୍ରେମୀ ।

 

କନକ (କନ) ବଡ଼ ସ୍ନେହଶୀଳା । ମୋତେ ସେ ଭାଇଠୁ ବଳି ଆଦର କରେ । ଏତେ ଗୁଣର ଝିଅଟିକୁ ଦଇବ ବେଗେ ପାଖକୁ ନେଇଗଲା । ଆମେ ଲକ୍ଷ୍ମୀଭାଇଙ୍କ ଆମ୍ୱ ବଗିଚା ଭିତର ଘରରେ ଥିଲା ଦିନତକ, ଦିନେ ହେଲେ ସେ ଆମ ପାଖକୁ ଆସି ଭଲମନ୍ଦ ବୁଝିବାକୁ ପାସୋରି ନାହିଁ । ଖଣ୍ଡେ ଚିଠି ତା’ର ଏବେ ମୁଁ ସାଇତି ରଖିଛି; ସ୍ମୃତିର ସେ ସାଥୀ ।

 

ପାଖରେ ଶାଳନ୍ଦୀ ନଈ । ଖରାଦିନେ ଶିରିଶିରି ପାଣି ବହୁଥାଏ । କୋଉଠି କେମିତି ମାତ୍ର ପାଣି ଆଣ୍ଠୁଏ ମାତ୍ର । ନିତି ଗାଧୁଆବେଳେ କାନି ଖିଆରେ ଟିକିଟିକି ମୀନ ଧରା ହୁଏ ଧାରରୁ-

 

ଭଦ୍ରଖ ଗୋଶାଳାର ବାହାର ହତାକୁ ଭଡ଼ା ନେଇ ଆମର ପେଣ୍ଡାଲ ବନ୍ଧା ହେଲା । ସେତେବେଳେ ଭଦ୍ରଖର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ଥାଆନ୍ତି ଦୁର୍ଗାବାବୁ (ସ୍ୱର୍ଗତ ଦୁର୍ଗାଚରଣ ଦାସ) । ଏକଦା ସେ ଥିଲେ ରେଭେନ୍ସା କଲେଜର ଇଂରାଜୀ ଅଧ୍ୟାପକ, ମୋର ଗୁରୁ ।

 

ପ୍ରଥମ ରାତିର ନାଟକ ସେ ଉଦ୍‌ଘାଟନ କଲେ । ମୁଖ୍ୟ ଅତିଥି ହେଲେ ଲକ୍ଷ୍ମୀଭାଇ । ସେତେବେଳକୁ ତାଙ୍କୁ ଧରାଧରି କରି ଉଠାଇ ନିଅଆଣ କରାହେଉଥାଏ । ଭାଉଜ ତାଙ୍କ ସେବାରେ ଲାଗିଥାଆନ୍ତି । ଏତେ ଦୁଃଖରେ ମଧ୍ୟ ଲକ୍ଷ୍ମୀଭାଇ ବଡ଼ ରହସିଆ । ସବୁ କଥାରେ ତାଙ୍କର ହସକୌତୁକ । ଛାପାଖାନାଟିଏ କରିଥାଆନ୍ତି ସେ । ଆମ ହାଣ୍ଡବିଲ୍‌ ସେଇଠି ଛପାଯାଏ । ଡଗର, ପରିକଳ୍ପନା ତାଙ୍କ ମନ ଭିତରେ ଥାଏ । ଲକ୍ଷ୍ମୀଭାଇ ପକା ଉପର ମହଲାର ଗୋଟିଏ ଘରେ ରହବସ କରନ୍ତି । ତା’ ଆଗରେ ଅଳ୍ପ ଉଚ୍ଚ କାନ୍ଥଦିଆ ଖୋଲା ଛାତ । ଆମର ଦିନେ ଛାଡ଼ି ଦିନେ ପ୍ଲେ ହୁଏ । ଫାଙ୍କା ଦିନଟି ସଞ୍ଜରୁ ଏଇଠି ଗାଉଣା ବାଜଣା ଚାଲେ । ଅନୁକୂଳ କରନ୍ତି ଏକାତରା ବଜାଇ ଲକ୍ଷ୍ମୀଭାଇ–‘ଦେ’ ମୋତେ ବାୟା କରି । ତା’ ସାଥୀରେ ତାଙ୍କ ଛଳଛଳ ଆଖିର ଲୁହ ଜକେଇ ଆସେ । ତେବେକେ ମଧ୍ୟ ମୁହଁରେ ହସ ଲାଖିଥାଏ ତାଙ୍କର । ବୈଠକର ବିଶିଷ୍ଟ ସଙ୍ଗୀତଜ୍ଞ ହେଲେ ସ୍ୱର୍ଗତ ମନମୋହନ ସାବତ । ବେହେଲା ବଜାନ୍ତି ଜଗବନ୍ଧୁ ସାହୁ, ବେଳେବେଳେ ତାବଲା ମଧ୍ୟ ବଜାନ୍ତି ସେ । ବିଶିଷ୍ଟ ଶ୍ରୋତା ହେଲେ ଫାରୁମିଆଁ । ତାଙ୍କର ଅଧିକାଂଶବେଳେ ବରାଦ ଦିଆଯାଏ ମୋତେ ‘ଶ୍ୟାମ ନଇଲେ ଘନ ରାତି’ ଗୀତଟି ଗାଇବାକୁ । ଅନେକବେଳରେ ଅପାସୋରା କବି ବାଞ୍ଛାନିଧି ଆସି ବୈଠକରେ ଯୋଗ ଦେଇ ସ୍ୱଦେଶୀ ବା ଦେଶପ୍ରେମ ଗୀତ ସୁଲଳିତ କଣ୍ଠରେ ଗାଆନ୍ତି । ଆଉ ଜଣେ, ସେ ହେଲେ ହରେକୃଷ୍ଣ ମହତାବ । ଲକ୍ଷ୍ମୀଭାଇଙ୍କ ପକ୍‌କା ଉପରେ ମୋ ସାଥିରେ ତାବଲା ସଙ୍ଗୀତ କରନ୍ତି ସେ, ଦିନେ ଦିନେ ସଞ୍ଜରେ ଆସି ।

 

ମହତାବବାବୁ ତ ଚଉପିଠିଆ ଲୋକ । ସେତେବେଳକୁ ରାଜନୀତି ବେଶ୍‌ ସରଗରମ ହୋଇଥାଏ । ସ୍ୱାଧୀନତା ଆନ୍ଦୋଳନରେ ଜଣେ ଆଗୁଆ କର୍ମୀ ମହତାବବାବୁ । କବି ବାଞ୍ଛାନିଧି ମହାନ୍ତିଙ୍କ ଗୀତ ଲୋକଙ୍କ ରକ୍ତ ଉଷୁମ କରି ଦେଉଥାଏ । ରାଜନୀତିରେ ଝାସ ଦେଇଥାନ୍ତି ଏମାନେ-। ଟିକିଏ ସଞ୍ଜବେଳିଆ ମନ ବହଲେଇବାକୁ ଏଠିକି ଆସନ୍ତି, କେବେ କେବେ ଫୁରୁସତ୍‌ ପାଇଲେ ଅବା ଫୁରୁସତ୍‌ ସୃଷ୍ଟି କରି ।

 

ଦିନେ ମୋଗଲ ତାମସା ଦେଖିବାକୁ ଯାଇଥିଲି ଫାରୁମିଆଁଙ୍କ ସାଥିରେ । ମୁସଲମାନ ବା ମୋଗଲ ରାଜୁତି ଅମଳରୁ ୟାର ସୃଷ୍ଟି ଭଦ୍ରଖରେ । ଊର୍ଦ୍ଦୁ ଭାଷାରେ ଗୀତ, କିନ୍ତୁ ବୁଝି ହେଉଥାଏ ସବୁ । ଏଥି ସହିତ ପୁରୁଣାକଳିଆ ପୋଷାକ, ଢଙ୍ଗରଙ୍ଗ, ଚାଲିଚଳଣିରେ ଅଭିନୟ କରୁଥାଆନ୍ତି, ମୋଗଲ ତାମସା କଳାକାରମାନେ । ଏଇଠି କଥା ପଡ଼ୁ ପଡ଼ୁ ଶୁଣିଲି ଯେ କେତେଜଣ ମୁସଲମାନ କଳାରସିକ ମିଶି ଆମ ଦେଖାଦେଖି ରାସ ଅଭିନୟ କରିବାକୁ ଜୋର୍‌ସୋର ଆଖଡ଼ା ଚଳେଇଛନ୍ତି-

 

ଆମେ ତ ପ୍ରାୟ ୨ ମାସ କାଳ ରହିଲୁଁ ଭଦ୍ରଖରେ । ଥରେ ଦୁର୍ଗାଚରଣବାବୁ ମୋତେ ଡକାଇ କହିଲେ ଗୋଶାଳାରେ ଆମର ଷ୍ଟେଜକୁ ଦିନକଲାଗି ମୁସଲମାନ ଟୋକାଦଳଙ୍କୁ ଛାଡ଼ିଦେବାକୁ । ସେମାନେ କେତେଜଣ ଆସି ଦୁର୍ଗାବାବୁଙ୍କୁ ଘେରି ଥାଆନ୍ତି । ତାଙ୍କର ଅନୁରୋଧ ଯେ ସେମାନେ କଅଣ ଗୋଟେ ନାଟକ ଖେଳିବେ । ସିନ୍‌, ଆଲୁଅ ସମେତ ଷ୍ଟେଜ୍‌ ସେମାନେ ଚାହାନ୍ତି । ମୁଁ ରାଜି ହେଲି । ଦିନ ଠିକ୍‌ ହେଲା । ଦୁର୍ଗାଚରଣବାବୁ ସେଠିକି ଗଲେ । ଲକ୍ଷ୍ମୀଭାଇଙ୍କୁ ଧରାଧରି କରି ନେଲେ ସେମାନେ ।

 

ନାଟକ ଆରମ୍ଭ ପୂର୍ବରୁ ଜଣେ ଷ୍ଟେଜକୁ ଆସି କହିଗଲେ ଯେ ସେମାନେ ଶ୍ରୀକୃଷ୍ଣଙ୍କର ‘‘କଳଙ୍କ ଭଞ୍ଜ ଲାଟକ୍‌’’ (ନାଟକ) ଖେଳିବେ......

 

ପ୍ରଥମରୁ ତାଙ୍କ କଥା ଶୁଣି ହସ ମାଡ଼ିଲା ଆମଙ୍କୁ । ଶ୍ରୀରାଧାଙ୍କର କଳଙ୍କ ଭଞ୍ଜନ ସିନା, ଶ୍ରୀକୃଷ୍ଣଙ୍କର କଳଙ୍କ ଭଞ୍ଜନ କ’ଣ ? ଦୁର୍ଗାବାବୁ ସେତିକିବେଳୁ ଉଠିଯିବାକୁ ତରତର । ମୁଁ ଓ ଲକ୍ଷ୍ମୀଭାଇ ତାଙ୍କୁ ବଳାବଳି କରି ବସାଇଲୁଁ ।

 

ଡ୍ରପ୍‌ ଉଠିଲା । ଗ୍ରାମପଥ ସିନ୍‌ । ଶ୍ରୀକୃଷ୍ଣ ତ ତ୍ରିଭଙ୍ଗ, ଛନ୍ଦାଚରଣ । ତେଣୁ ମଞ୍ଚରେ ତ୍ରିଭଙ୍ଗ ଠାଣିରେ ବଂଶୀଧାରୀ ଗୋଟିଏ ଉଇଙ୍ଗ୍‌ସରୁ ଅନ୍ୟ ଉଇଙ୍ଗ୍‌ସ ପର୍ଯ୍ୟନ୍ତ ପ୍ରପେକ୍ଷକମାନଙ୍କୁ ଚାହିଁ ଚାହିଁ ଚାଲିଗଲେ, ଡେଇଁଲା ଗତିରେ । ଅନ୍ୟ କଡ଼ର ଉଇଙ୍ଗସ୍‌ରେ ଶ୍ରୀମତୀ ଓ ଲଳିତା ତାଙ୍କୁ ଚାହିଁଥିଲେ । ଶ୍ରୀମତୀ କାନ୍ଦୁଥିଲେ । ଲଳିତା ଅଣ୍ଟାରେ ଖୋଷା ହୋଇଥିବା ରୁମାଲ କାଢ଼ି ଶ୍ରୀମତୀଙ୍କ ଶକେଇ କାନ୍ଦଣାର ଲୁହ ପୋଛୁଥାଆନ୍ତି । ତା’ପରେ ଶ୍ରୀମତୀ ଗାଇଲେ ଗୀତ । ଅପୂର୍ବ ସେ ରଚନା ।

 

–‘କାଳିଆ କୁଲ୍‌ କଲେଙ୍କାରେ ସଞ୍ଜେଣୀ’ ଇତ୍ୟାଦି । ପଦେ ମନେ ଅଛି ମୋର ଯେ, କଅଣ ଆଉ ବେଶି କହିବି ? ବିରକ୍ତ ହୋଇ ଦୁର୍ଗାବାବୁ ଉଠି ଚାଲିଗଲେ, ଲକ୍ଷ୍ମୀଭାଇ ଓ ମୁଁ ବାଧ୍ୟ ହୋଇ ବସି ରହି ହସି ହସି ଲେଞ୍ଜରା କୋତରା ହୋଇଗଲୁଁ ଦୁହେଁ । ଶେଷରେ ମନ୍ତବ୍ୟ ପଚାରିବାରୁ କହିଲୁ–‘‘ଭଲ ହୋଇଛି ।’’ ଏଭଳି ନାଟକ ଜୀବନରେ ପ୍ରଥମ ଓ ଶେଷ ଦେଖା ।

 

ଭଦ୍ରଖଠାରୁ ସୁକିନ୍ଦାର ନିମନ୍ତ୍ରଣ ପାଇ ତିନିରାତି ପ୍ଲେ ପାଇଁ ଗଲୁଁ ସମସ୍ତେ । ଆମ ସାଥୀରେ ଜଗବନ୍ଧୁ । ବେହେଲା ବଜାଇବାକୁ ଗଲେ ଜଗବନ୍ଧୁ, ମନମୋହନ ସାବତଙ୍କ ପ୍ରିୟ ଶିଷ୍ୟ-। ବ୍ୟବହାର ଯେମିତି, ମଧୁର ହାତଟି ସେମିତି ମିଠା ।

 

ସୁକିନ୍ଦା :

 

ବଣମଲ୍ଲୀର ବାସନା ଊଣା ନୁହେଁ । ହେଲେ ବହୁତ ଲୋକଙ୍କ ଆଖିରେ ପଡ଼େ ନାଇଁ ସେ । ବାସ ଢାଳିଦିଏ ମଳୟର କାନିରେ । ଆମେ ବେଳେବେଳେ ସୁଗନ୍ଧ ମାତ୍ର ପାଉଁ । ସୁକିନ୍ଦାରେ ପହୁଞ୍ଚି ମୁଁ ସେଇକଥା ଦେଖିଲି । ସୁକିନ୍ଦାର ଜମିଦାରଙ୍କୁ ରଜା ବୋଲି କୁହାଯାଇଥାଏ । ବଡ଼ ବଡ଼ ଜମିଦାରମାନେ ରଜା ବୋଲାଉଥିଲେ । ତାଙ୍କ ସିଦ୍ଧି ବିଧିରେ ରାଜାରାଜୁଡ଼ା ଆଡ଼୍ଡ଼ା ବି ଥିଲା । ସୁକିନ୍ଦା ରାଜାଙ୍କର ଦେଓ୍ୱାନ ଥିଲେ ନୀଳମଣି ଚାନ୍ଦ ଦେ । ପ୍ରୌଢ଼ବ୍ୟକ୍ତି । ପୂରାସାର ଦେହ । ଶାନ୍ତ ଶିଷ୍ଟ । ଥରେ କେବେ କଟକରେ ଶଶିବାବୁ (ଶଶିଭୂଷଣ ରାୟ) ନୀଳମଣିବାବୁଙ୍କ କଥା କହୁଥିବାର ମନେ ପଡ଼ିଗଲା । ନୀଳମଣିବାବୁ ଢେର ବଡ଼ ମୋଠୁଁ । ଦେଖା କଲି । ହସି ହସି ଘର ଭିତରକୁ ହାତ ଧରି ନେଇଗଲେ । ସତେ ଯେମିତି କେତେ କାଳର ଚିହ୍ନାଜଣା ! ସେ ମୋ ଖବର ସବୁ ରଖିଛନ୍ତି । ଜଣେ ବିଶିଷ୍ଟ ସାହିତ୍ୟପ୍ରେମୀ ସେ । ଛୋଟ ବହି ଖଣ୍ଡି କେତେ ମଧ୍ୟ ଲେଖିଛନ୍ତି ।

 

ନଅର ଆଗରେ ପେଣ୍ଡାଲ ବାନ୍ଧି ୩।୪ ରାତି ପ୍ଲେ ହେଲା । ରହଣି ପ୍ରାୟ ସାତ ଦିନ । ଦଳଙ୍କ ଖିଆପିଆ ସାଙ୍ଗରେ ମୋର ଖିଆ ହେଲା ନାହିଁ । ସବୁଦିନ ନୀଳମଣିବାବୁଙ୍କ ଘରେ ମୋର ଜଳଖିଆଠାରୁ ଖାଇବା ପିଇବାର ବ୍ୟବସ୍ଥା । ନୂଆ ନୂଆ ରାନ୍ଧଣା । ତାଙ୍କ ଘର ମଞ୍ଜା ପଖାଳ ମନରୁ ଯାଇ ନାହିଁ ।

 

ଭଲରେ ଭଲରେ ଦଳକୁ ବିଦାବିଦି କରି ଦେଲେ ସୁକିନ୍ଦା ରାଜାସାହେବ । ବାହୁଡ଼ାଣୀ ଯାଜପୁର ରୋଡ଼ ଷ୍ଟେସନ ଥାକିଲୁଁ । ମୋର–ପାଠ ସଙ୍ଗୀ ଚକ୍ରଧର ମିଶ୍ରଙ୍କର ଲରି ଚାଲୁଥାଏ କେନ୍ଦୁଝର ଆଡ଼େ । ଯାଜପୁର ରୋଡ଼ରେ ତାଙ୍କର ଗୋଟିଏ ଅଫିସ ଘର ଥାଏ । ସେଇଠି ବସା କଲୁଁ । ଷ୍ଟେସନ ଆଗରେ ସଡ଼କ ଆରପଟେ ଗୋଟିଏ ଚାହା ଜଳଖିଆ ହୋଟେଲ । ତା’ପାଖକୁ ଲାଗି ଜଣେ ପାନ ବ୍ୟବସାୟୀଙ୍କ ବସାଘର । ମଝିରେ ଛୋଟ ପଡ଼ିଆଟିଏ । ସେଇ ପଡ଼ିଆରେ ଅଖାପାଲ ଟାଣି ପେଣ୍ଡାଲ ବନ୍ଧା ହେଲା ।

 

ଜାଗାଟି ଅନ୍ୟ ଲୋକର ବୋଲି ମୋତେ ଜଣା ନ ଥିଲା । କେହି ମଧ୍ୟ ମୋତେ ସେ କଥା କହି ନ ଥିଲେ । ପେଣ୍ଡାଲ ବାନ୍ଧି ପ୍ଲେ ଦେବାବେଳକୁ ସେ ଲୋକଟି ଆସି ଗୋଳମାଳ କଲା । ବହୁତ ନେହୁରା ହୋଇ ଭଡ଼ା ଦେବାକୁ ମଧ୍ୟ କହିଲି; କିନ୍ତୁ ସେ ଏକାଜିଦି ଧରିଲା ପେଣ୍ଡାଲ ଭାଙ୍ଗିବାକୁ । ସେତେବେଳକୁ ଟିକଟ ବିକ୍ରି ସରିଥାଏ । ନିତାନ୍ତ ମୁଁ ହାତଯୋଡ଼ି କହିଲି ହେଲେ, ସେ ଲୋକ ନ ମାନିବାରୁ, ତାଙ୍କ ହାତେ ଯାହା ହେବ ତାହା କରନ୍ତୁ ବୋଲି କହିବାକୁ ବାଧ୍ୟ ହେଲି । ଲୋକମାନେ ମୋ ପକ୍ଷ ଧରିଲେ । ପାନ ମହାଜନ ତାଙ୍କୁ କେତେ ବୁଝାଇଲେ ମଧ୍ୟ ଏକାଜିଦି ଧରି ସାଙ୍ଗେ ସାଙ୍ଗେ ନିକଟବର୍ତ୍ତୀ ଗାଆଁର ଥାନାକୁ ଗଲେ । ଏଣେ ମୋ ପ୍ଲେ ଚାଲିଲା । ଥାନାବାବୁମାନେ ଆସିବାବେଳକୁ ପ୍ଲେ ସରିଥାଏ । ମୋତେ ସେ ତାଙ୍କ ହାକିମି ଭାଷାରେ, ‘କାଳୀ ପଟ୍ଟନାୟକ କୋଉଠି ? ଏଠି ଆ’ ବୋଲି କହିଲେ । ମୁଁ ଏ ପ୍ରକାର ସମ୍ୱୋଧନ ଓ ତୁ ତା’ର ଅଭ୍ୟସ୍ତ ନୁହେଁ । ପେଣ୍ଡାଲରେ ଥିଲି–ଗଲି ନାହିଁ । ସେ ରାଗି ‘‘ଆଚ୍ଛା ଦେଖିବା କାଲି’’ ବୋଲି କହି ଚାଲିଗଲେ । ମୁଁ ଭୋରରେ ଯାଜପୁରକୁ ଲୋକ ପଠାଇଲି ଇନିସ୍‌ପେକ୍ଟର କ୍ଷେତ୍ରମୋହନବାବୁଙ୍କ ପାଖକୁ ଚିଠି ଲେଖି ।

 

ପ୍ରାୟ ଦି’ପହର ବେଳକୁ ଏଣୁ ଥାନାରୁ ସେ ସବ୍‌ଇନିସ୍‌ପେକ୍ଟର ପହୁଞ୍ଚିଲାବେଳକୁ, ଯାଜପୁରରୁ କ୍ଷେତ୍ରମୋହନବାବୁ ଜଣେ ଜମାଦାରଙ୍କୁ ପଠାଇଛନ୍ତି । ଦୁହିଁଙ୍କର ଭେଟାଭେଟି ଆମ ବସାରେ । କଅଣ କଥାବାର୍ତ୍ତା ହେଲା କେଜାଣି । ଥାନା ହାକିମଙ୍କର ଗଲାରାତି ତେଜ ମଉଳିଯାଇ ‘କବିଚନ୍ଦ୍ରଙ୍କୁ’ ଖୋଜିଲେ । ହସଖୁସି କଥାବାର୍ତ୍ତା ହେଲା । କହିଲେ ସେ–‘‘ମୁଁ ଜାଣି ନ ଥିଲି ଆପଣ ଆମ କବିଚନ୍ଦ୍ର କାଳୀବାବୁ ବୋଲି । ଛାଡ଼ନ୍ତୁ, ଆଜି କି ପ୍ଲେ ହେବ । ଆମେ ପିଲାପିଲି ନେଇ ଆସିବୁ, ଜାଗା ରଖିଥିବେ । ଆଣନ୍ତୁ ଚା’ଜଳଖିଆ ।’’ ବିଚାରା ଜମି ମାଲିକର ତୋଡ଼ ଭାଙ୍ଗିଗଲା । ଜାଗା ଭଡ଼ା ଦିଆନିଆ କଥା ପଚାରିଲି । ଆସି, ହସି ହସି ହାତ ଧରିଲେ, ଉପରଓଳି ଚାଉଳ, ଡାଲି, ପନିପରିବା ଆମ ପାଇଁ ପଠାଇ ଦେଲେ । ମୁଁ ମଧ୍ୟ ତାଙ୍କ ପିଲାପିଲିଙ୍କି ପ୍ଲେ ଦେଖିବାକୁ ଡାକିଲି । ସବ୍‌ଇନିସ୍‌ପେକ୍ଟର ଚା’ଜଳଖିଆ ଖାଇସାରି ଫେରିଲେ । ରାତିକି ସମସ୍ତେ ପିଲାପିଲି ନେଇ ପ୍ଲେ ଦେଖିବାକୁ ଆସିଲେ । ମାନ ଅଭିମାନ ତୁଟିଗଲା । ପ୍ରାୟ ୧୦।୧୨ ଦିନ ରହିଲୁଁ ।

 

ଗୀତଗୋବିନ୍ଦ ଅନୁବାଦ :

 

ଯାଜପୁର ରୋଡ଼ରେ ଥିବାବେଳେ ମୋ ଜୀବନର ଗୋଟାଏ ବିଶେଷ ଘଟଣା ଅପାସୋରା । ମୁଁ ପୂର୍ବରୁ ଗୀତଗୋବିନ୍ଦର ସ୍ୱର, ଛନ୍ଦ ଓ ତାଳାନୁସାରି ଓଡ଼ିଆ ଅନୁବାଦ କରୁଥିଲି । ଲକ୍ଷ୍ମୀଭାଇ ବରାବର ତାଗିଦା କରୁଥିଲେ । ଯାଜପୁର ରୋଡ଼ରେ ହିଁ ତା’ର ପୂର୍ତ୍ତି ଘଟିଲା ତା ୧୧ ।୫ ।୩୩ ରିଖ ସନ୍ଧ୍ୟା ଘ ୬ ।୩୩ ମିନିଟ୍‌ରେ ।

 

Unknown

କେନ୍ଦୁଝର :

 

ଏଇଠି କେନ୍ଦୁଝର ଯିବାକୁ ଡକରା ପାଇଲୁଁ । ଚକ୍ରଧରବାବୁଙ୍କ ଲରୀରେ ଗଲୁଁ କେନ୍ଦୁଝର-। କ୍ଳବ ଘରେ ପ୍ଲେ ହେଲା । ରାଜା ବଡ଼ ଭକ୍ତିମାନ୍‌ । ରୋଜ ନଅର ହତାରୁ ଛୋଟ ମନ୍ଦିରରେ ରାଧାକୃଷ୍ଣ ମୂର୍ତ୍ତିଙ୍କ ଚରଣରେ ସଞ୍ଜ ସକାଳେ ବନ୍ଦନା କରନ୍ତି । ଗୁଣୀ, ଗାୟକ ଓ କବିମାନଙ୍କୁ ଉପଯୁକ୍ତ ଆଦର କରି ସମୁତ୍ସାହିତ କରନ୍ତି ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ସେଠା ସ୍କୁଲର ଶିକ୍ଷକ । ରାଜାସାହେବ ଓ ଛୋଟରାୟ ତାଙ୍କୁ ଯଥେଷ୍ଟ ଆଦର ସମ୍ମାନ କରୁଥିଲେ । ରାଜା ବଡ଼ ନାଟକ ପ୍ରିୟ । ମୋର ସହପାଠୀ ସୁପରିଚିତ କଳାକାର ଓ ନାଟ୍ୟ ନିର୍ଦ୍ଦେଶକ ବଲାଇ ବାନାର୍ଜୀ କେନ୍ଦୁଝରରେ ଥିଲେ, ଏହି ସମୟରେ-। କେନ୍ଦୁଝରରେ ଚାରି ରାତି ଅଭିନୟ ଦେଖାଇ ସିଂହଭୂମି ସୀମା ଚମ୍ପୂଆ ଯାଇ ସେଠାରେ ସୁଖ୍ୟାତିର ସହ ୫ ରାତି ଅଭିନୟ ଦେଇ ଫେରିଲୁଁ ଆନନ୍ଦପୁର । ପୁଣି ଚକ୍ରଧରବାବୁଙ୍କ ଲରୀ ଅଫିସରେ ରହି ସେଠାରେ କେତେକ ରାତି ଅଭିନୟ ଦେଖାଇ ସାରି କଟକ ବାହୁଡ଼ିଲୁଁ-

 

ମଉସାଙ୍କ ଆଶୀର୍ବାଦ :

 

ଏଥର କଟକ ଫେରି ପ୍ରହରାଜ ମଉସାଙ୍କ ବାହାର ଘରେ ରହିଲୁଁ । ସେଇ ଘର ଆଗରେ ପକ୍‌କା ପେଣ୍ଡାଲ ଚଉତରା ଗଢ଼ା ହେଲା । ପଡ଼ିଆଟି ହେଲା ଅଡ଼ିଟୋରିୟମ୍‌ । ବହୁଦିନ ଧରି ପ୍ଲେ ଚାଲିଲା । ଆଠଗଡ଼ ରାଜା ଶ୍ରୀ ରାଧାନାଥ ବର୍ମ୍ମା (ବେବର୍ତ୍ତା ପଟ୍ଟନାୟକ) ବହୁତବାର ଆସନ୍ତି ଗୋପାଳ ପ୍ରହରାଜଙ୍କ ଘରକୁ । ଭାଷାକୋଷ କାମ ଖୁବ୍‌ ଜୋର୍‌ସୋର୍‌ରେ ଚାଲିଥାଏ । ରାଜାମାନେ ଦାନ କରୁଥାଆନ୍ତି–ଅକୁଣ୍ଠ ଚିତ୍ତରେ । କୁଳମଣି ପଣ୍ଡିତେ, କୃଷ୍ଟଚନ୍ଦ୍ର କରେ ଓ ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ରୋଜ ଆସି ୪–୫ ଘଣ୍ଟା କାଳ ଭାଷାକୋଷର କାମ କରୁଥାଆନ୍ତି । ମଉସାଙ୍କ ନିର୍ଦ୍ଦେଶକ୍ରମେ ମୁଁ ପ୍ରତ୍ୟହ କିଛି କିଛି ଭାଷାକୋଷର କାମ କରେ । ଛପା ହେଉଥାଏ ସ୍ୱର୍ଗତ ବିଶ୍ୱନାଥ କରଙ୍କ ଉତ୍କଳ ସାହିତ୍ୟ ଛାପାଖାନାରେ । ଭିଙ୍ଗାରପୁରର ପଦ୍ମଚରଣ ଦାଶେ ନିତି ପ୍ରୁଫ୍‍ ନିଆଆଣ କରନ୍ତି । ସେ ଉତ୍କଳ ସାହିତ୍ୟ ପ୍ରେସରେ ଜଣେ ବିଶିଷ୍ଟ କର୍ମକର୍ତ୍ତା ଥିଲେ ।

 

ବଡ଼ି ପାହାନ୍ତାରୁ ଉଠି ଦାନ୍ତଘଷା, ବାହାରପାଣି ଇତ୍ୟାଦି ସାରି ପହିଲେ ମୁଁ ଯାଇଁ ମଉସାଙ୍କୁ ମୁଣ୍ଡିଆ ମାରିବାଟା ଦୈନିକ ନୀତି ମୋର ଥିଲା । ସେତେବେଳକୁ ତାଙ୍କର ଗାଧୁଆ ସରିଥାଏ ।

 

ପଦ୍ମଚରଣବାବୁ ଏତେବେଳକୁ ଆସିଯାଆନ୍ତି ଓ ପ୍ରୁଫ୍‍ ନିଅନ୍ତି । ପଦ୍ମଚରଣବାବୁଙ୍କ ବଡ଼ଭାଇନା ଉଗ୍ରସେନ ପଣ୍ଡିତେ ଆଗେ ଇନିସ୍‌ପେକ୍‌ଟିଂ ପଣ୍ଡିତ ଥିଲେ ବାଙ୍କିରେ, ମୋ ପଢ଼ିବାବେଳେ । ବାପା ତାଙ୍କୁ ଭାରି ସୁଖ ପାଉଥିଲେ । ଗସ୍ତକୁ ନ ଯାଉଥିବା ଦିନତକ ପଣ୍ଡିତେ ରୋଜ ଆମ ଘରକୁ ଯାଆନ୍ତି । ସେ ଜଣେ ଆମ ପୁରୁଣା–ସାହିତ୍ୟପ୍ରେମୀ । ଭିଙ୍ଗାରପୁର ସେତେବେଳେ ସଙ୍ଗୀତ ସାହିତ୍ୟର ଅନ୍ୟତମ ଚର୍ଚ୍ଚାସ୍ଥଳି ଥିଲା । ପଣ୍ଡିତେ ତ ସେଇ ଗାଆଁର । ତାଙ୍କର ଏ ଦିଗକୁ ଆଦର ଥାଏ । ମୋ ବୋଉ ପୁରୁଣା ଗୀତ, ଛାନ୍ଦର ଅତ୍ୟନ୍ତ ସ୍ନେହୀ । ଦୁହିଁଙ୍କର ଚର୍ଚ୍ଚା ଚାଲେ । ଉଗ୍ରସେନ ପଣ୍ଡିତେ ଆମ ଘରର କୁଟୁମ୍ୱ ଭଳି ଚଳନ୍ତି । ମୁଁ ତାଙ୍କୁ କକେଇ ବୋଲି ଡାକେ । ପଦ୍ମଚରଣ ଦାଶେ ବା ମୋର ପଦକକେଇ ମୋତେ ବଡ଼ ସ୍ନେହ କରନ୍ତି । ପ୍ରତି ନାଟକର ସେ ଅବଶ୍ୟ ଦର୍ଶକ ।

 

ଆଠଗଡ଼ ରାଜାସାହେବ ମୋ ନାଟକର ଜଣେ ବିଶିଷ୍ଟ ସମାଦରକାରୀ । ଥରେ ଅଧେ ରାଣୀସାହେବା ମଧ୍ୟ ଆସି ପ୍ଲେ ଦେଖି ପିଲାମାନଙ୍କୁ ପୁରସ୍କାର ଦେଇ ଯାଆନ୍ତି । ପ୍ରହରାଜ ମଉସାଙ୍କୁ ସେ ପିତୃତୁଲ୍ୟ ମାନ୍ୟ କରନ୍ତି । ଅନେକ ସମୟରେ ଆଠଗଡ଼ ବଣରୁ ମିରିଗ, ସମ୍ୱର ମାରି ଆମ ପାଇଁ ପଠାଇ ଦିଅନ୍ତି ।

 

ଦଳରେ ସେତେବେଳେ ଥିଲେ ଦୁଲୁ (ଦୁର୍ଲ୍ଲଭ), ଟୀମା (ଦୀନବନ୍ଧୁ ଦାସ) ଗୋବିନ୍ଦ, ପୁନା, ଯମୁନା, ବାଉରିଆ, ବାଞ୍ଛା ପ୍ରଭୃତି ପିଲାଏ । ସ୍ୱର୍ଗତ କାହ୍ନାଇଁ ଥିଲା ଖୋଳ, ପଖବାଜ ଓ ତାବଲା ବାଦକ । ଅତି ସୁଖ୍ୟାତି ଘେନି ପ୍ଲେ ଚାଲିଥାଏ । ଏଇଠି ଗୋଟିଏ ପରିବର୍ତ୍ତନ ଘଟିଲା । କଟକରେ ସେତେବେଳେ ନାଟକମାନ ରାତିଏ ଦି’ରାତ୍ରି ମାତ୍ର ଚାଲୁଥାଏ । ଏସବୁ କେବଳ ଆର୍ମେଚର୍‌ (Armecher) ଦଳର ପ୍ଲେ । ବଳଙ୍ଗା ଦଳ ବାସନ୍ତୀ ପେଣ୍ଡାଲରେ ଅଶ୍ୱିନୀବାବୁଙ୍କ କୋଣାର୍କ ନାଟକ ଲାଗି ଲାଗି ତିନିରାତି ପ୍ଲେ ଦେଇ ଚହଳ ପକାଇ ଦେଇଥିଲେ ସେତେବେଳେ । ଏ ନାଟକରେ ବଲାଇ ବାନାର୍ଜୀ, ବିଶୁ ମହାରଣା ଅଂଶ ନେଇ ଖୁବ୍‌ ନାମ କମାଇଥିଲେ । କାଶୀନାଥ ସାହୁ ଧରମାଂଶରେ ଖ୍ୟାତି ଅର୍ଜନ କରିଥିଲେ ।

 

ମୁଁ ମୋ ନାଟକ ଅଭିନୟ ଶନିବାର ଓ ରବିବାର ଦିନ ପରିବେଷଣ କରୁଥିଲି । ଏହା ପୁଣି ଦୁଇଟି ନାଟକ । ଏଇଠି ସେ ରୀତି ବଦଳାଇ ଦେଇ ପରୀକ୍ଷାମୂଳକଭାବେ ସପ୍ତାହକେ ଏକା ପ୍ଲେ ଚାରି ପାଞ୍ଚରାତି ଦେଲି, ବେଶ୍‌ ଚାଲିଲା ।

 

ନିମଚଉଡ଼ି ପାଖ ଜୁମା ମସ୍‌ଜିଦ୍‌କଡ଼ରେ ସ୍ୱର୍ଗତ ଅଜିଜ୍‌ଜୁଲ୍ଲା ବା ଅଜୁମିଆଁଙ୍କର ଗୋଟିଏ ଘଣ୍ଟା ଦୋକାନ ଥାଏ । ସେ ଭଲ ଘଣ୍ଟା ମରାମତି କାରିଗର । ତାଙ୍କ ପୁଅ ଜିଆଉଲ୍ଲା ଫଟୋ ଉଠାଉଥାନ୍ତି । ମୋ ଦଳର କେତେକ ଦୃଶ୍ୟର ଫଟୋ ସେ ମନକୁମନ ଆସି ଆଗ୍ରହରେ ଉଠାଇଲେ । ଅଜୁମିଆଁସାହେବ ପ୍ଲେ ବେଳେ ଆସି ଖୁବ୍‌ ସାହାଯ୍ୟ କରିଛନ୍ତି । ଶଶୀବାବୁ (ଶଶୀଭୂଷଣ ରାୟ) ନିତି ସକାଳେ ପ୍ରାୟ ଆସନ୍ତି ପ୍ରହରାଜ ମଉସାଙ୍କ ଘରକୁ । ତାଙ୍କ ଛତା ଉପରେ ଖଣ୍ଡିଏ ଧଳାକନା ପଡ଼ିଥାଏ । ଛତା ଭିତରେ ଗୋଟିଏ ଛୋଟ ପକେଟ ବା ମୁଣି ଥାଏ । ତା’ ଭିତରେ ଗୁଡ଼ିଏ ପୁଡ଼ିଆରେ ଶଶୀବାବୁଙ୍କର ଦାନ୍ତଘଷା ଗୁଣ୍ଡ ଥାଏ । ସେ ସୁସ୍ଥ ନୁହନ୍ତି, ପେଟ ବେମାରି ତାଙ୍କର; ତେଣୁ ଏ ପୁଡ଼ିଆରେ ଔଷଧ ଗୁଣ୍ଡଥାଏ ଓ ବହୁବାର ସେ ଦାନ୍ତ ଘଷନ୍ତି । ମଉସାଙ୍କ ଘରେ ସେ ପହଞ୍ଚିବା ମାତ୍ରକେ ଲୋଟାଏ ପାଣି ଅଣା ହୁଏ । ଦାନ୍ତ ଘଷି ସାରିଲେ କିଛି ଖିସ୍‌ମିସ୍‌ଆଣି ମଉସା ରୋଜ ଦିଅନ୍ତି ତାଙ୍କୁ ଖାଇବାକୁ । ସେଇଠୁ ନାନା କଥାବାର୍ତ୍ତା ପଡ଼େ । ମୁଁ ତ ମଉସାଙ୍କ ଦାଣ୍ଡପଟ ଘରେ ଥାଏଁ । ଶଶୀବାବୁ ମଉସାଙ୍କ ପାଖରୁ ଆସି ମୋ ସହିତ ସଙ୍ଗୀତ ସାହିତ୍ୟ ଚର୍ଚ୍ଚା କରନ୍ତି । ଭାରି ସୁଖ ପାଉଥିଲେ ମୋତେ ଓ ମୋ ଦଳକୁ ସେ । ମୁଁ ସକାଳଓଳି ପିଲାଙ୍କୁ ଗଳା ସଧାଏଁ, ଗୀତ ଶିଖାଏଁ ନାଚ ବତାଏଁ ଆଉ ପାର୍ଟ ଦେଖେଁ । ଶଶୀବାବୁ ବସି ରିହର୍ସାଲ ଦେଖନ୍ତି ଅଧିକାଂଶ ଦିନ ।

 

ଦେଖିଲି, ସପ୍ତାହକେ ଚାରି ପାଞ୍ଚଦିନ ଏକା ପ୍ଲେ ଦେବାରେ ମଧ୍ୟ ଟିକେଟ ବିକ୍ରି ମନ୍ଦ ହେଲା ନାହିଁ । କ୍ରମେ ସାହସ ଟିକିଏ ବଢ଼ିଲା ।

 

ପ୍ରୀତି ସୁଧାକର :

 

ଶଶୀବାବୁ ପୁରୁଣା କବିଙ୍କ ଗୀତକୁ ବଡ଼ ଆଦର କରନ୍ତି । ତାଙ୍କର ପୁରୁଣା ଗୀତ ପ୍ରତି ସମ୍ମାନ ଦେଖି ମୋ ମନ ତହିଁକି ସୋରେଇଲା, ପୁରୁଣା କବିମାନଙ୍କ ଗୀତ ଖଞ୍ଜି ଖଣ୍ଡିଏ ରାସ ବହି ଲେଖିବାକୁ । ସେଇଠୁ ସଙ୍ଗୀତ ସାଗର ଓ ସେତେବେଳର ପୁରୁଣା ଛପା ହୋଇଥିବା ଅଜିଜ୍‍ ମହମ୍ମଦ ପ୍ରଭୃତି ପ୍ରକାଶକଙ୍କ ସଙ୍ଗୀତ ବହିମାନ ଦିନାକେତେ ଆଡ଼େଇ ଖଣ୍ଡିଏ ନାଟକ ଲେଖିଲି । ନାଆଁ ରଖିଲି ‘ପ୍ରୀତି ସୁଧାକର’ । ବଚନିକା ଯୋଗାଡ଼ି ପୁରୁଣା କବିମାନଙ୍କ ଗୀତ ଖଞ୍ଜି ପିଲାଙ୍କୁ ଶିଖାଇଲି । ୟେ ଗୋଟାଏ ନୂଆ ଭିଆଣ କଲି ରାସଦଳରେ ।

 

ଆଗରୁ ମୋ ଦଳର ପିଲାଏ ତ ଏଭଳି ପୁରୁଣା ଓଡ଼ିଶୀ ସ୍ୱର ଗୀତ ଗାଇବାରେ ଟିକିଏ ଅଭ୍ୟସ୍ତ ଥିଲେ । ଅଳ୍ପ ଦିନକେଇଟାରେ ରିହର୍ସାଲରେ ନାଟକଟି ଉତୁରିଗଲା । ଶଶୀବାବୁ, ବିଚ୍ଛନ୍ଦବାବୁ ଓ ମଉସାଙ୍କୁ ରିହର୍ସେଲ ଦେଖାଇଲି । ପଦ କକେଇ ମଧ୍ୟ ଦେଖିଲେ । ସମସ୍ତେ ପସନ୍ଦ କଲେ । ଶଶୀବାବୁଙ୍କଦ୍ୱାରା ନାଟକ ଉଦ୍‌ଘାଟିତ ହେଲା । ଲୋକେ ଏ ପୁରୁଣା ଗୀତ ଖଞ୍ଜା ଧରଣକୁ ବଡ଼ ଆଦର କଲେ । ଲାଗେ ଲାଗେ ପ୍ରୀତି ସୁଧାକର ପ୍ରାୟ ଦୁଇ ସପ୍ତାହ କାଳ ଚାଲିଲା ।

 

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ରୂପ ବଦଳାଇବାକୁ ମନ ହେଲା । ମୁଁ କିଶୋରୀ ଚମ୍ପୂର ଗୀତଠାରୁ କବିସୂର୍ଯ୍ୟଙ୍କର ଚଉତିଶା (କ କ ଠାରୁ କ୍ଷ) ନିୟମ ରଖି ଚମ୍ପୂ ନାଟକ ଲେଖିଥିଲି । ଗାଟିଏ କଥା ମନକୁ ଆସିଲା ଏତେଦିନ ପରେ ।

 

ଚମ୍ପୂର ନୂଆ କଳ୍ପନା :

 

ଦେଖିଲି ଯଦିଓ ଶ୍ରୀମତୀ ବଂଶୀଧ୍ୱନି ଶ୍ରବଣ ଓ କେଳି କଦମ୍ୱଲତାର କୋଳରେ ଶ୍ୟାମ ରୂପ ଦେଖି, ମିଳନ ମନାସି ପ୍ରିୟସଖୀ ଲଳିତାଙ୍କୁ କହିଛନ୍ତି–‘କି ହେଲାରେ କହିତ ନୁହଇ ଭାରତିରେ’–ଇତ୍ୟାଦି’ ମୋହନ କିନ୍ତୁ ଶ୍ରୀମତୀଙ୍କୁ ଆଗରୁ ଦେଖିଛନ୍ତି । ଗୋପ ଦାଣ୍ଡରେ କେତେଜଣ ବ୍ରଜ ଶିଶୁ ଥିଲେ ନିଜ ପୁରୁଁ ଆସୁଥିଲି ଖେଳାଇ ସମଜ, ଏବଂ ଏଇ ଗଲାବେଳେ ‘ଜମ୍ଭାରାତି ମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନିଜର ଏକଥା ଜଣାଉଛନ୍ତି ଲଳିତାଙ୍କୁ ।

 

ମନେହେଲା ଉଚିତ ହେବ ଶ୍ରୀକୃଷ୍ଣଙ୍କର ଏହି ଦର୍ଶନବେଳରୁ ନାଟକ ଲେଖିବି । ତେଣୁ ଗୋଧନ ବାହୁଡ଼ାବେଳେ ‘ନେଳିମେଘେ’ ଏ କି ଛବି ସତେ’ ଗୀତରୁ ନାଟକ ରଚନା ଆରମ୍ଭ କଲି । ଶଶୀବାବୁଙ୍କ ସହିତ ମଧ୍ୟ ଏ ବିଷୟରେ ପରାମର୍ଶ କରି ତାଙ୍କ ମତ ଲୋଡ଼ିଲି । ସେ ଭାବିଚିନ୍ତି ମୋ ସହିତ ସହମତ ହେଲେ ।

 

୧୯୩୨ରେ ଚମ୍ପୂ ନାଟକ ନୂଆ ରୂପ ଧରିଲା । ଏତେବେଳକୁ ପୁନା–ରାଧା, ଦୁର୍ଲ୍ଲଭ–ଲଳିତା, ଟୀମା–ମଧୁମଙ୍ଗଳ, ଗୋବିନ୍ଦ–କୃଷ୍ଣ ଓ ବାଞ୍ଛା–ସଖୀ ଇତ୍ୟାଦି ଆଉ ଆଉ ମାନେ ନାଟକରେ ଅଂଶ ଗ୍ରହଣ କରିଥାଆନ୍ତି ।

 

ଅଭିନୟ ସବୁରି ପସନ୍ଦ ହେଲା । ପଦକକେଇ ସେତେବେଳେ ଉତ୍କଳ ସାହିତ୍ୟ ପ୍ରେସରେ ଥାଆନ୍ତି । ସେ ବହି ଖଣ୍ଡି ଛାପିବାକୁ କହିଲେ ଏବଂ ଛାପିଲେ ମଧ୍ୟ । ବହି କେତେ ମଧ୍ୟ ବିକ୍ରି ହେଉଥାଏ ଷ୍ଟେଜରେ । ମାତ୍ର କେତେ ଗଲା, କେତେ ରହିଲା, ତାହା ପ୍ରକାଶକ ପଦ୍ମଚରଣ ଦାଶେ–ଓରଫ ପଦକକେଇଙ୍କି ମାଲୁମ । ବହିଟି ପ୍ରକାଶିତ ହେଲା–ଏତେକେ ମୁଁ ଖୁସି ।

 

ସତ୍ୟବାଦୀର କେଶବ ମହାପାତ୍ରେ ମଝି ମଝିରେ ଆମ ପାଖକୁ ଯା’ଆସ କରୁଥାଆନ୍ତି, ଗୋପାଳଙ୍କ ଚରଣ ତୁଳସୀ ଆଉ ପ୍ରସାଦ ନେଇ । ତାଙ୍କର ଆଗପରି ସେଇ ସ୍ନେହ ମମତା ଅତୁଟ ରହିଥାଏ । ଅଁଳା ନବମୀବେଳକୁ ମୋର ସାକ୍ଷିଗୋପାଳ ନାଟ୍ୟସଂଘ ସତ୍ୟବାଦୀ ଯାଇ ତିନିରାତି ଅଭିନୟ ଦେବାଟା ମୁକର ।

 

ସତ୍ୟବାଦୀର ଆଉ ଜଣେ ‘ସଙ୍ଗୀତ–ପ୍ରଭା’ର ଲେଖକ ସଙ୍ଗୀତକାରଙ୍କ ସହ ଦେଖାହେଲା । ତାଙ୍କ ନାଆଁ ଦୟାନିଧି ତ୍ରିପାଠୀ, ଘର ଶ୍ରୀରାମଚନ୍ଦ୍ରପୁର । ସେ ସେତାର ଓ ତାବଲା ବଜାନ୍ତି । ଭଲ ଓଡ଼ିଶୀ ଗୀତ ଗାଆନ୍ତି । ତାଙ୍କର ମର୍ଦ୍ଦଳ ହାତ, ତାଳ କାଳ ମାନଦିଆ ରୀତି ଭାରି ସୁନ୍ଦର । ସେ ଏତେବେଳେ ରଣପୁରରେ ରାଜାଙ୍କ ସଭାରେ ସଙ୍ଗୀତଜ୍ଞ ଭାବରେ ଥାଆନ୍ତି । ଛୁଟି ନେଇ ଗାଆଁକୁ ଆସିଥିଲେ । ଏଇ ତ୍ରିପାଠୀ ‘ସଙ୍ଗୀତ ପ୍ରଭା’ ଲେଖୁଥିଲେ ସିନା, ସାକ୍ଷାତ୍‌ କିନ୍ତୁ ହୋଇ ନ ଥିଲା । ବାସନା ବାରି ବାରି ମୋ ପାଖକୁ ଆସିଲେ । ଦିନେ ଅଧେ ମୋ ଦଳରେ ମଧ୍ୟ ବଜାବଜି କଲେ । ଆଉ ଜଣେ ବନ୍ଧୁ ମିଳିଲେ । ତାଙ୍କ ନାଆଁ ରାଧାଶ୍ୟାମ ଦାସ ।

 

ଲକ୍ଷ୍ମୀ ନାଟକ :

 

କେଶବ ମହାପାତ୍ରେ ଦିନେ କହିଲେ ବେଲେଶ୍ୱର ମହାପାତ୍ର ଓ ତାଙ୍କ ଝିଅ ଲକ୍ଷ୍ମୀଙ୍କ କଥା । ସେ ମୋତେ ଅନେକ ଦିନ ତଳେ ଏ ଇତିହାସ କହିଥିଲେ ଏବଂ ସେହି ବିଷୟବସ୍ତୁ ଘେନି ନାଟକଟିଏ ଲେଖିବାକୁ ଅନୁରୋଧ କଲେ । ସତ୍ୟବାଦୀର ଆଉ କେତେ ଜଣ ମଧ୍ୟ ଏ କଥାରେ ସାଏ ଦେଲେ । ମୁଁ ତ ସବୁକାଳେ ଗୋଟାଏ ଆଶୀର୍ବାଦ–ଭିଖାରୀ । ସେଦିନ ସଞ୍ଜରେ ଦିଅଁଙ୍କୁ ଫୁଲ ଚଢ଼ାଇ ମନେ ମନେ ଅନୁମତି ଭିକ୍ଷା କଲି । ଫୁଲ ଖସିଲା । ଆନନ୍ଦରେ ଉଛୁଳି ଉଠିଲା ମନ । କେଶବ ମହାପାତ୍ରଙ୍କୁ ଲକ୍ଷ୍ମୀ ନାଟକ ଲେଖିବାକୁ ହୁକୁମ ପାଇଲି ବୋଲି ଜଣାଇଁ, ସେଇଠି ଆରମ୍ଭ କରିଦେଲି, ସେଇ ରାତିରେ ।

 

ଲକ୍ଷ୍ମୀ ନାଟକରେ ମୁଁ ଲେଖାର ବାଟ ବଦଳାଇଲି । ଆଜିଯାଏ ତାହା ଲେଖିଥିଲି, ସେଥିରେ ବଚନିକା ଗଦ୍ୟରେ ଲେଖିଥିଲି ।

 

ଲକ୍ଷ୍ମୀ ନାଟକରେ ଗୀତ ସଂଖ୍ୟା ଆହୁରି ଊଣା କରିଦେଲି । ନାଟକଟି ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ଲେଖିଲି । ପୂର୍ଣ୍ଣ ଅମିତ୍ରାକ୍ଷର କହିଲେ ୮ + ୬ ଅକ୍ଷରରେ ଯଦି ବା ବିରାମ ସ୍ଥଳ ଜଗି ଲେଖାହୁଏ । ଅର୍ଥାତ୍‌ ପ୍ରତି ଧାଡ଼ି ୧୪ ଅକ୍ଷରିଆ । ଅପୂର୍ଣ୍ଣ ଅମିତ୍ରାକ୍ଷରରେ ଚଉଦ ଅକ୍ଷରିଆ ଧାଡ଼ି ହେବାର ଧରାବନ୍ଧା ନିୟମ ନୁହେ । ଏହା ବାକ୍ୟ ଓ ବିଷୟ ଅନୁସାରେ ଲେଖା ହୁଏ-। ଆଜିକାଲି ଗଦ୍ୟ କବିତା ବୋଲି ଯାହାକୁ କହୁଛନ୍ତି ଏହା ପ୍ରାୟ ସେଇଭଳି । ମୋର ଏ ଲେଖାର କାଳ ପ୍ରାୟ ୧୯୩୬ । କିନ୍ତୁ ଗୋଟିଏ ବିଷୟ ପ୍ରତି ସଜାଗ ରହିଥାଏଁ–ସେଇଟି ହେଲା କଥା କହିବାର ଛନ୍ଦ-ପ୍ରକାଶ ମାଧୁରୀ ଆଉ ଲେଖା ଅବୋଧ୍ୟ ବା ଦୁର୍ବୋଧ୍ୟ ହେବ ନାହିଁ । ଏଇ ହେଲା ମୋ ନାଟକ ଲେଖାର ଜଗାରଖା ଧାରା ।

 

ଲକ୍ଷ୍ମୀନାଟକ ଏଇ ରୀତିରେ ଲେଖା ସରିଗଲା କଟକରେ । ଅଭିନୀତ ହେଲା ଭାଷାକୋଷ ଗଳିର ମୋର ସେଇ ପ୍ରହରାଜ ମଉସାଙ୍କ ବାହାରପଟ ପଡ଼ିଆ ଭିତରେ ବନ୍ଧା ହୋଇଥିବା ପକ୍‌କା ଚଉତରା ପେଣ୍ଡାଲରେ । ଏବେ ବି ସେ ଚଉତରାଟି ଖାଇ ସେ ପୂର୍ବ ସ୍ମୃତି ମନରେ ଜଗାଇଦିଏ । ତା’ ଉପରେ ଟିଣ ଛପର ହୋଇଛି–ଏତିକି ପରିବର୍ତ୍ତନ ଘଟୁଛି ।

 

ଆଠଗଡ଼ ରାଜା ଶ୍ରୀରାଧାନାଥ ବେବର୍ତ୍ତା ପଟ୍ଟନାୟକ ବା ରାଧାନାଥ ବର୍ମା ପ୍ରଥମ ରାତି ଅଭିନୟ ଦିନ ଆସିଥାନ୍ତି । ଶଶୀବାବୁ ତ ଅବଶ୍ୟ ଆସି ଆଶୀର୍ବାଦ କରିବେ । ଆଉ ଜଣେ ମୋର ଶୁଭାକାଂକ୍ଷୀ ଦେଶ–ଜାତି–ପ୍ରାଣ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁଙ୍କୁ ଡାକିଥାଏଁ । ପ୍ରହରାଜ ମଉସା ସଞ୍ଜ ସାତଟାରୁ ଶୋଇପଡ଼ନ୍ତି । ସେ କିନ୍ତୁ ତାଙ୍କୁ ବହୁତ କୁହାବୋଲା କରି ବସାଇଥାଏଁ ।

 

ଛାତି ଧଡ଼ଧଡ଼ ହେଉଥାଏ । ୟେ ଏକ ନୂଆ ଧରଣର ଲେଖା । କ’ଣ କେମିତି ହେବ, ଦେଖଣାହାରିଏ ପସନ୍ଦ କରିବେ କି ନାଇଁ–ଏହିପରି ନାନା ଚିନ୍ତା । ସେଥିରେ ପୁଣି ଟୀମା(ଦୀନବନ୍ଧୁ ଦାସ) ଯେ ବରାବର ମଧୁମଙ୍ଗଳ ଅଂଶ ନେଇ ଆସିଛି, କମିକ୍‌ ଅଭିନେତା ରୂପେ ନାଆଁ କମାଇଛି, ତାକୁ ମୁଁ ଲକ୍ଷ୍ମୀ ଭୂମିକାରେ ଶିକ୍ଷା ଦେଇଥାଏଁ । ସବୁ ନୂଆ କଥାର ଭିଆଣ କରିବାକୁ ହଠାତ୍‌ କାହିଁକି ମନହେଲା ଏଇ ଲକ୍ଷ୍ମୀ ନାଟକରେ ।

 

ନାଟକର ଅଭିନୟ ଦେଖି ଲୋକେ ବାହାବା ଦେଲେ । ତିନିରାତି ଚଳାଇ ମୋ ପୁରୁଣା ନାଟକମାନ ଅଭିନୀତ କରାଇଲି । ଲୋକେ କିନ୍ତୁ ‘ଲକ୍ଷ୍ମୀ’ ନାଟକକୁ ଚାହିଦା କଲେ । ତେଣୁ ମଝି ମଝିରେ ଲକ୍ଷ୍ମୀ ନାଟକ ମଞ୍ଚସ୍ଥ ହେଉଥାଏ । ଏଇ ସମୟରେ ଆଠଗଡ଼ ରଜା ଡାକିଲେ ତାଙ୍କ ଗଡ଼କୁ ଯିବାଲାଗି । ଜଗନ୍ନାଥଙ୍କ ଛାମୁ ମଣ୍ଡପରେ ସିନ୍‌ ଟଙ୍ଗାଇ ପ୍ଲେ ଦିଆଗଲା । ରାଜା ଓ ରାଣୀ ଉଭୟେ କଳାର ଆଦର କରନ୍ତି । ସେତେବେଳେ ଶ୍ରୀ ଦିବ୍ୟସିଂହ ମିଶ୍ରେ ଥାଆନ୍ତି ରାଜାଙ୍କ ଦେଓ୍ୱାନ । ରାଜା ଦେବୀ ଭକ୍ତ । ଗଡ଼ ବାହାରର ଗୋଟିଏ ଦେବୀ ମନ୍ଦିରକୁ ସେ ଦର୍ଶନ ପୂଜା କରିବାକୁ ଯାଉଥିଲେ ଅନେକ ସମୟରେ ।

 

ଦିନେ ଦିନେ ରାତିରେ ମିରିଗ, ସିଙ୍ଗାଳ ପ୍ରଭୃତି ଶିକାର କରିବାକୁ ମୋତେ ସାଥିରେ ନେଇଯାଆନ୍ତି । କ୍ରମେ ଭାବଲାଭ ଅତ୍ୟନ୍ତ ବଢ଼ିଗଲା ଦୁହିଁଙ୍କ ଭିତରେ । ମୋର ଯେମିତି ମନେହେଲା ଏ ଭାବଲାଭ ଦେଖି ଆଠଗଡ଼ର କେହି କେମିତି ଟିକିଏ ଈର୍ଷା କଲେ । ସେ ଗନ୍ଧ ବାରି, ମୁଁ କେତେଦିନ ପରେ ବିଦାୟ ନେବାର ଚେଷ୍ଟାକଲି ।

 

ଡିସେମ୍ବର ମାସ । ବଡ଼ଦିନକୁ ଓଡ଼ିଶାର କେତେ କେତେ ରାଜା, ମହାରାଜା ବରାବର କଲିକତା ଯାଆନ୍ତି । ସେଠି ପ୍ୟାରେଡ଼ ଦେଖନ୍ତି, ମଉଜ ମଜଲିସ୍‌ କରନ୍ତି । ଲାଟଙ୍କ ସଭାରେ ମଧ୍ୟ ଯୋଗ ଦିଅନ୍ତି । ବଡ଼ଦିନଟା ବଡ଼ ମଉଜରେ କଟାନ୍ତି । ଆଠଗଡ଼ ରଜା ମୋତେ ଆଉ ଟୀମାକୁ ସାଙ୍ଗରେ ନେଇ କଲିକଲା ଗଲେ । ଜାନୁୟାରୀ ପ୍ରଥମ ସପ୍ତାହରେ ଫେରିଲୁଁ । ଦଳ ଥାଏ ଆଠଗଡ଼-। ପୁଣି ୨।୩ ରାତି ଅଭିନୟ ପରେ କଟକ ଆସି ଆଜିଉଲ୍ଲାଙ୍କ ଘର ପାଖେ ଗୋଟିଏ ପକ୍‌କା ଘର ଭଡ଼ାନେଇ ରହିଲୁଁ । ପୁଣି ଶ୍ରୀରାମଚନ୍ଦ୍ର ଭବନରେ ଭଡ଼ା ୫ ଟଙ୍କା ଲେଖାଏଁ ଦେଇ ଅଭିନୟ ଚାଲିଲା ।

 

ରଙ୍ଗଆଖି :

 

ଶଶୀବାବୁ ସେତେବେଳେ ଶ୍ରୀରାମଚନ୍ଦ୍ର ଭବନ (ଉତ୍କଳ ସାହିତ୍ୟ ସମାଜ)ର ସମ୍ପାଦକ ଭାବେ, ସବୁକଥା ବୁଝାବୁଝି କରୁଥାଆନ୍ତି । ସାହିତ୍ୟ ସମାଜର ପିଅନ ‘ଧଡ଼ି’ ହାତରେ ଭଡ଼ା ଦିଆ ହେଉଥାଏ । ଧଡ଼ି ଭାରି ବିନୟୀ, ସରଳ ପ୍ରକୃତିର ଲୋକ । ଲାଲବାଗ ଦେହୁଡ଼ିର ଫକିର ରାମ ଥାଆନ୍ତି ଆମ ପ୍ରଧାନ ଗେଟ୍‌କିପର୍‌ । ସେ ବେଶ୍‌ ଟାଣୁଆ ଲୋକ । ଥରେ ଲାଲବାଗ ଥାନାର ଜଣେ ପୁଲିସ ସବ୍‌ଇନ୍‌ସପେକ୍ଟର ପୁଲିସିଆ ରଙ୍ଗ ଆଖି ଦେଖାଇ ବିନା ପାସ୍‌ ବା ଟିକେଟରେ ଥିଏଟର ଦେଖି ଆସିବାକୁ ଗେଟରେ ପହୁଞ୍ଚିଲେ । ଫକିର ଟିକେଟ ମାଗନ୍ତେ ତାକୁ ଅଭଦ୍ର ଭାବେ ଗାଳି ଓ ଧମକ ଦେଲେ । ଫକିର କିନ୍ତୁ ଛାଡ଼ିଦେଲେ ନାହିଁ ତାଙ୍କୁ । ପୁଲିସବାବୁ ରାଗି ଫେରିଗଲେ-। ଫକିର ମୋତେ ଷ୍ଟେଜରେ ଆସି ଏକଥା କହିଲେ । ‘ହଉ ଦେଖିବା, ତୁମେ ତୁମ କର୍ତ୍ତବ୍ୟ କରିଛି-। ତାଙ୍କର ଆସିବାର ଥିଲେ, ମୋତେ ଖବର ଦେଇଥାନ୍ତେ, ମୁଁ ବ୍ୟବସ୍ଥା କରିଥାନ୍ତି’ ବୋଲି କହି ଫକିରଙ୍କୁ ବିଦାୟ କଲି ।

 

ତହିଁ ପରଦିନ ଅଭିନୟ ଲାଗି ମୁଁ କରିଥିବା ପୁଲିସ ଲାଇସେନ୍‍ସ ସହିତ ଲାଲବାଗ ଥାନାକୁ ଯିବାକୁ ସେଇ ସବ୍‌ଇନିସ୍‌ପେକ୍ଟର ଜଣେ ସିପାହି ହାତେ ଡକାଇ ପଠାଇଲେ । ଯିବି ବୋଲି କହି ସିପାହିକୁ ବିଦାୟ କରିଦେଲି । ପ୍ରଥମ ପ୍ରହରାଜ ମଉସାଙ୍କୁ ଓ ପରେ କମିଶନର ସାହେବଙ୍କ ପର୍ଶନାଲ ଆସିଷ୍ଟାଣ୍ଟ ସ୍ୱର୍ଗତ ଉମାଚରଣ ଦାସଙ୍କୁ ଭେଟି ସବୁ କଥା କହିଗଲି । ଉମାବାବୁ ମୋର ପୂର୍ବ ପରିଚିତ । ମନେଅଛି ଥରେ ଚମ୍ପୂ ନାଟକ ଦେଖି ସେ ରାଧିକାଙ୍କ ପାଇଁ ଖଣ୍ଡିଏ ବନାରସୀ ଶାଢ଼ି ପୁରସ୍କାରସ୍ୱରୂପ ଦେଇ ଥାଆନ୍ତି । ସେ ମୋତେ ସୁଖ ପାଉଥିଲେ । ପୁଅ ପରି ସ୍ନେହ କରୁଥିଲେ । ଏକଥା ଶୁଣି ବଡ଼ ରାଗିଗଲେ । ଥାନାକୁ ଯାଇ ସେ ସବ୍‌ଇନିସ୍‌ପେକ୍ଟର କ’ଣ କହୁଛନ୍ତି ଶୁଣି, ତାଙ୍କୁ ଆସି କହିବାକୁ କହିଲେ ।

 

ଥାନାକୁ ଗଲି । ବଡ଼ ଗମ୍ଭୀର ଭାବରେ ସବ୍‌ଇନିସ୍‌ପେକ୍ଟରବାବୁ ପଚାରିଲେ ଲାଇସେନ୍‍ସ ଆଣିଛ ?’ ତାଙ୍କର ଏଇଭଳି ବ୍ୟବହାର ଓ ଗମ୍ଭୀର ଭାବ ଦେଖି ମୋତେ ଅସୁଖ ଲାଗିଲା । ବସିବାକୁ ମଧ୍ୟ କହିଲେ ନାହିଁ । ମୁଁ ଲାଇସେନ୍‍ସ ତାଙ୍କୁ ବଢ଼ାଇ ଦେଲି । ଦେଖିସାରି କହିଲେ ଏ ଲାଇସେନ୍‍ସ ଚଳିବ ନାହିଁ, ପ୍ଲେ ବନ୍ଦ ରଖ, ନୂଆ କରି ଲାଇସେନ୍‍ସ ପାଇଁ ଦରଖାସ୍ତ କର । ମୁଁ ବିରକ୍ତ ହୋଇ କହିଲି ‘‘ମୁଁ ପାଠ ପଢ଼ିଛି, ଦେଖୁଛି ଯେ ମୋର ଲାଇସେନ୍‍ସ କାଳ ଆହୁରି ପନ୍ଦର ଦିନ ଅଛି । ନୂଆ ଲାଇସେନ୍‍ସ କରିବି କାହିଁକି ? କ୍ଷମତା ଥିଲେ ଆପଣ ପ୍ଲେ ବନ୍ଦ କରିଦେଇପାରନ୍ତି । ତା’ପରେ ମୋ କାମ ମୁଁ କରିବି, ମୋ ଲାଇସେନ୍‍ସଟି ଦିଅନ୍ତୁ ।’’ ସେ କହିଲେ, ‘‘ଏ ଲାଇସେନ୍‍ସ ତମକୁ ଫେରାଇ ଦିଆଯିବ ନାହିଁ । ଅଡ଼ିଏନ୍‍ସ ଆପତ୍ତି କରିଛନ୍ତି । ମୁଁ କହୁଛି ତୁମେ ପ୍ଲେ ବନ୍ଦ କର ।’’ ‘ମୋତେ ଆପଣଙ୍କର ଆଦେଶ ଲେଖିକରି ଦେଲେ, ମୁଁ ଯାହା ହେବ କରିବି । ଲାଇସେନ୍‍ସଟା ମୋତେ ଫେରି ଦେବେ ନାହିଁ ବୋଲି କହୁଛନ୍ତି ଯେବେ, ରଖନ୍ତୁ ତାକୁ’’–ଏତିକି କହି ଚାଲିଆସି ସବୁକଥା ଉମାଚରଣବାବୁଙ୍କୁ କହିଲି । ଉମାବାବୁ ଜଣେ କିରାଣିଙ୍କଦ୍ୱାରା ଥାନାବାବୁଙ୍କୁ ଡକାଇ ପଠାଇ ମୋତେ ବସିବାକୁ କହିଲେ । କିଛି ସମୟ ପରେ ଥାନାବାବୁ ଆସନ୍ତେ ତାଙ୍କୁ ସବୁକଥା ଶୁଣାଇ ତାଙ୍କ କଥାର ପ୍ରତିକାର କରିବେ ବୋଲି କହିଲେ । ସବ୍‌ଇନ୍‌ସପେକ୍ଟରବାବୁ ସଙ୍ଗେ ସଙ୍ଗେ ଯାଇ ଲାଇସେନ୍‍ସଟି ଫେରାଇ ଦେଲେ । ମୁଁ ଆନନ୍ଦରେ ଫେରିଲି ବସାକୁ । ପରେ ବୁଝିଲି ଯେ ସବ୍‌ଇନିସ୍‌ପେକ୍ଟରଟି ନୂଆ ହୋଇ କଟକ ମାଟି ଛୁଇଁଛନ୍ତି–ଘର ପଶ୍ଚିମ ଓଡ଼ିଶା । ଯେତେଦୂର ମନେପଡ଼ୁଛି ବୋଧହୁଏ ତାଙ୍କ ନାଆଁ ସନାତନବାବୁ ।

 

ଏ ଘଟଣାର ପରଦିନ ସଞ୍ଜରେ ସେଇ ବାବୁ ପୁଣି ଶ୍ରୀରାମଚନ୍ଦ୍ର ଭବନକୁ ଆସିଲେ । ଯୋଗକୁ ପଦକକେଇ ଗେଟ୍‌ ପାଖେ ଥିଲେ । ତାଙ୍କଦ୍ୱାରା ମୋତେ ଖବର ଦେଲେ । ଫକିରକୁ ଆଉ ଗେଟ ଛାଡ଼ି ଆସିବାକୁ ପଡ଼ିଲା ନାହିଁ । ମୁଁ ତାଙ୍କୁ ପେଣ୍ଡାଲକୁ ଡାକି ଆଣିବାକୁ କହିଲି–ବସିଲେ, ପ୍ଲେ ଦେଖିଲେ । ପ୍ଲେ ଶେଷରେ ଦେଖା ହେଲା । ଭାରି ନରମ ଏତେବେଳେ ସେ । ଫକିର ଆସି ତାଙ୍କୁ ଦେଖା ଦେଲେ । ନିଜର ଭୁଲଟା ସଳଖରେ ନ ମାନି ହ୍ୟାଣ୍ଡସେକ୍‌ କରି, ହସି କଥା କହି, ମାନେ ମାନେ ବିଦାୟ ନେଲେ । ୟା’ପରଠାରୁ ମଝି ମଝିରେ ଆସି ଟିକିଏ ସହାନୁଭୂତି ଦେଖାଇ ଥାଆନ୍ତି ।

 

ଅନେକ ବନ୍ଧୁ ମୋର ଏସବୁ କଥାଶୁଣି ତାଙ୍କୁ ଦେଖିଲେ ମୁରୁକିହସା ମାରନ୍ତି । ଫକିରରାମ; କିନ୍ତୁ କଟମଟ କରି ଚାହେଁ । ହାତ ବି ଟେକେ ନାଇଁ ତାଙ୍କୁ । କେବଳ ଆମମାନଙ୍କ କଥାରେ ଗେଟ୍‌ରେ ପ୍ରବେଶ କରିବାକୁ ଛାଡ଼ିଦିଏ ।

 

ଏ ପ୍ରାୟ ୧୯୩୭ ସାଲର କଥା ଗୋଟେ ନୂଆ ଭିଆଣ କରିବାକୁ ମନ ବଳିଲା । ଶ୍ରୀରାମଚନ୍ଦ୍ର ଭବନରେ ଲକ୍ଷ୍ମୀ, ତା’ ବାପ ସହିତ ରହୁଥାଏ । ପିଲାଟି ଦେଖିବାକୁ ଭାରି ସୁନ୍ଦର । କଥା, ବ୍ୟବହାର, ଢଙ୍ଗରଙ୍ଗ ବଡ଼ ସୁଖ ଲାଗେ । ହଠାତ୍‌ ମନ ହେଲା ରାସ ଦଳରେ ଝିଅପିଲା ନେଲେ ତ ମନ୍ଦ ହୁଅନ୍ତା ନାଇଁ । ଚେଷ୍ଟା ଚାଲିଲା । ଫକିରକୁ କହିଲି । ସେ ମଧ୍ୟ ମୋ କଥାରେ ରାଜି ହେଲା । ମସଜିଦ୍‌ଗଳି ଧଉଣ୍ଡା ହେଲା । ତିଳ ଝିଅ ବିଲ (ନୃତ୍ୟଗୁରୁ କେଳୁଚରଣଙ୍କର ସ୍ତ୍ରୀ, ଆଜିର ଲକ୍ଷ୍ମୀ) ଋକୁଣୀ, ବଢ଼େଇ ସାଇ ଆଡ଼ର ଓ ଜଗନ୍ନାଥବଲ୍ଲଭର ୫।୭ଟି ଝିଅ ଯୋଗାଡ଼ କରାଯାଇ ସେମାନଙ୍କୁ ଗୀତ ଶିଖା ଆରମ୍ଭ କରାଗଲା ଓ ପାର୍ଟ ଦିଆଗଲା । ଏତିକିବେଳେ ତେଲେଙ୍ଗା ବଜାରର ବେଶ୍ୟା ‘ବୁଢ଼ୀ’ର ଝିଅ ଉମା ମଧ୍ୟ ଆସି ଯୋଗ ଦେଲା । ରିହର୍ସେଲ ଚାଲିଲା-

 

ନାଟ୍ୟଦଳରେ ଝିଅମାନଙ୍କୁ ନେଇ ପ୍ଲେ ଦେବା ଓଡ଼ିଶାରେ ମୋର ପ୍ରଥମ ଆୟୋଜନ ବୋଲି କହିବାକୁ ହେବ । କଟକରେ ଏଭଳି ସବୁ ବ୍ୟବସ୍ଥା ପରେ ଆଉ ମୋହନ ଗୋସ୍ୱାମୀ ପ୍ରାୟ ଦଳ ନେଇ କଟକ ଆସି ନାହାନ୍ତି ।

 

ନୂଆ ଭିଆଣ ଦେଖି ପେଣ୍ଡାଲରେ ଲୋକ ଭିଡ଼ ହେଉଥାଏ, ଦିନକୁ ଦିନ । ଶ୍ରୀ ରାମଚନ୍ଦ୍ର ଭବନରେ ଆଉ ପ୍ଲେ ଦେବା ସମ୍ଭବ ହେଲା ନାହିଁ । ବ୍ୟବସ୍ଥା କରି ବାଙ୍କା ବଜାର ସୁଶୀଲ ପାଲିତଙ୍କ ଖୋଲା ପଡ଼ିଆରେ ପେଣ୍ଡାଲ ତିଆରି କଲି ।

 

ଓଡ଼ିଆ ପେଣ୍ଡାଲ–ବ୍ରହ୍ମପୁର :

 

ବାଙ୍କାବଜାରରେ କେତେକ କାଳ ଅଭିନୟ ଚାଲିଲା ପରେ ଦଳ ବ୍ରହ୍ମପୁର ଗଲା । ସେତେବେଳେ ବଡ଼ ବଜାରର ସାରଥୀ ସାହୁ ଓଡ଼ିଆ ପେଣ୍ଡାଲ ନାମରେ ଗୋଟିଏ ମଞ୍ଚ ତୋଳାଇ ଦଳ ଗଢ଼ିଥା’ନ୍ତି । ନାଟ୍ୟକାର ସ୍ୱର୍ଗତ କୃଷ୍ଣ ପ୍ରସାଦ ବସୁ ସେମାନଙ୍କୁ କିଛିକାଳ ଏଠାରେ ନିର୍ଦ୍ଦେଶନା ଦେଇଥିଲେ । ମୁଁ ଦଳ ନେଇ ଗଲାବେଳକୁ ସେ ଦଳ ନ ଥିଲା । ଶଶୀଭାଇନା (ଶଶିଭୂଷଣ ରଥ, ସମ୍ପାଦକ ‘ଆଶା’) ଜୀବିତ ଥାଆନ୍ତି । ଆଶା ପତ୍ରିକା ଖୁବ୍‌ ନାଆଁ କମାଇଁ ଚଳୁଥାଏ । ମୋର ତ ସିଏ ପୂର୍ବ ପରିଚିତ ମଙ୍ଗଳାକାଙ୍‌କ୍ଷୀ ବନ୍ଧୁ । ଶଶୀଭାଇନାଙ୍କ ଭାଇ ଶରତ, ଦିବାକର ପଟ୍ଟନାୟକେ ଓ ସ୍ୱର୍ଗତ ଉମାଚରଣ ପଟ୍ଟନାୟକେ ମୋତେ ନାନାମତେ ସାହାଯ୍ୟ ଦେଉ ଥାଆନ୍ତି ।

 

ଥରେ ସେତେବେଳର ‘ନବୀନ’ କାଗଜ ସମ୍ପାଦକ ମହୁରୀ ଯୁବରାଜ ତାଙ୍କ ସାଙ୍ଗମାନଙ୍କୁ ଘେନି ବିନା ଟିକେଟରେ ପ୍ରବେଶ କରିବାକୁ ଗେଟ୍‌କୁ ଆସିଲେ । ଗେଟ୍‌କିପର୍‌ ତାଙ୍କୁ ଭିତରକୁ ଛାଡ଼ିଲା ନାହିଁ, ଫେରିଗଲେ । ରାଗିଯାଇ ଗୁଡ଼ାଏ ଅପପ୍ରଚାର କଲେ । ତହିଁ ପରଦିନ ପ୍ଲେବେଳେ ପେଣ୍ଡାଲ ଉପରେ ଟେକା ପଥର ପଡ଼ିଲା । ମୁଁ ବିଚାରିଲି, ତାଙ୍କର କାଗଜଟିଏ ଅଛି, ମୋର ତ ମଞ୍ଚ ଅଛି, କଲମ ଅଛି; ସାହାଯ୍ୟକାରୀ ବନ୍ଧୁ ମଧ୍ୟ ଅଛନ୍ତି । ଦେଖାଯାଉ କଅଣ କରିହେବ । ଏଇ ବିଚାରରେ ଖଣ୍ଡିଏ ପ୍ରହସନ ଲେଖିଲି ତା’ ନାଆଁ ଦେଲି–‘ପଇସିକିଆ ଯୁବରାଜ’-। ବହିଟି ଆଶା ପ୍ରେସରେ ଛପା ହେଲା । ଦାମ୍ ମଧ୍ୟ ପଇସାଟିଏ । ପିଲାଙ୍କୁ ତାଲିମ ଦେଇ, ପ୍ଲେ ପରେ ପ୍ରହସନଟି ମଞ୍ଚସ୍ଥ ହେଲା । ଶଶୀଭାଇନା, ଦାମ ରଥେ ଓ ଦିବାକରବାବୁ ଇତ୍ୟାଦି ଇତ୍ୟାଦି ସମସ୍ତଙ୍କୁ ଡାକିଲି । ଚହଳ ପଡ଼ିଗଲା, ବ୍ରହ୍ମପୁର ଟାଉନ୍‌ରେ । ଦିନାକେତେ ଗଲା-। ପୁଣି ସବୁ ମିଳାମିଶା ହୋଇ ପଛ କଥା ମନରୁ ପୋଛିଦେଲୁଁ ।

 

ଗଞ୍ଜାମ ଭିତରେ :

 

ମୁଁ ସୁରଙ୍ଗୀ ରାଜାସାହେବଙ୍କ ଡାକରା ପାଇ ଇଚ୍ଛାପୁରକୁ ଗଲି । ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦେଓ ସେତେବେଳେ ସୁରଙ୍ଗୀର ରାଜା । ତାଙ୍କ ସହିତ ମୋର ଆଗରୁ ଭଲ ଜଣାଶୁଣା ଓ ଭାବାଳାପ ଥିଲା । ସୁରଙ୍ଗୀ ଜେମାଙ୍କର ମଙ୍ଗଳକୃତ୍ୟ ଲାଗି ଦୁଇ ରାତି ସେଠାରେ ଅଭିନୟ ପ୍ରଦର୍ଶନର ବ୍ୟବସ୍ଥା ।

 

ଇଚ୍ଛାପୁରର ସୁରଙ୍ଗୀ ରାଜବାଟୀରେ ଆଗରୁ ରାଜାସାହେବ ଚନ୍ଦ୍ର ଚୂଡ଼ାମଣି ଗୋଟିଏ ବଡ଼ ଚାଳ ଛାଆଣି ମଞ୍ଚ ତୋଳାଇଥିଲେ । ଏଠାରେ କେତେଥର କେତେ ନାଟକ ଅଭିନୀତ ହୋଇଛି । ସେହି ମଞ୍ଚରେ ଦୁଇରାତି ଅଭିନୟ ଦେଖାଇଲୁଁ । ବ୍ରହ୍ମପୁରରେ ଲେଖିଥିବା ‘ପଇସିକିଆ ଯୁବରାଜ’ ପ୍ରତି ରାତ୍ରର ରାସ ଅଭିନୟ ଶେଷରେ ମଞ୍ଚସ୍ଥ ହୋଇ ଦେଖେଣାହାରିଙ୍କୁ ହସ କୌତୁକରେ ମଜାଇ ଦେଇଥିଲା ।

 

ଦୁଇରାତ୍ର ଅଭିନୟ ପ୍ରଦର୍ଶନ ପରେ ସୁରଙ୍ଗୀ ରାଜା ମୋତେ ଗଞ୍ଜାମର ଅନ୍ୟାନ୍ୟ ରାଜଦରବାରକୁ ଯିବାଲାଗି ପରାମର୍ଶ ଦେଲେ ।

 

ଚିକିଟି :

 

ସଙ୍ଗୀତ ସାହିତ୍ୟ ପ୍ରେମୀ ସୁପରିଚିତ ନାଟ୍ୟକାର ଶ୍ରୀ ରାଧାମୋହନ ରାଜେନ୍ଦ୍ର ଦେବଙ୍କ ସହିତ ମୋର ବହୁଦିନ ଆଗରୁ ପରିଚୟ ଥିଲା । ଥରେ ତାଙ୍କ ରଚିତ ପ୍ରକୃତି ପରିଣୟ ନାଟକ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ, ଶ୍ରୀ ଶଶୀଭୂଷଣ ରାୟ ଓ ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ସହିତ ଯାଇ ଦେଖିଥିଲି-। ସେ ଅତ୍ୟନ୍ତ ସଙ୍ଗୀତ, ସାହିତ୍ୟ-ପ୍ରେମୀ ପଣ୍ଡିତ ଏବଂ ସଙ୍ଗୀତଜ୍ଞ ଓ କଳାକାରମାନଙ୍କ ସାହସ ଓ ଉତ୍ସାହଦାତା ।

 

ଚିକିଟି ରାଜବାଟୀରେ ଗୋଟିଏ ପ୍ରଶସ୍ତ ହଲ୍‌ ଭିତରେ ମଞ୍ଚ ବନ୍ଧାଯାଇ ଅଭିନୟ ପ୍ରଦର୍ଶିତ ହେଲା । ରାଜା ଶ୍ରୀ ଗୌରଚନ୍ଦ୍ର ଦେଓ ଏବଂ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ ଶରତ ଚନ୍ଦ୍ର ଦେଓ ରାସ ଅଭିନୟ ଦେଖି ମୋତେ ପୁରସ୍କୃତ କଲେ ।

 

ଧରାକୋଟ :

 

ଏଠାରୁ ଧରାକୋଟ ଗଲି, ଦଳ ଘେନି । ଧରାକୋଟ ରାଜା ମଦନମୋହନ ଥିଲେ ଜଣେ ବିଶିଷ୍ଟ ସଙ୍ଗୀତପ୍ରେମୀ । ଆଶା ପତ୍ରିକାର ସମ୍ପାଦକ ଶ୍ରୀ ଶଶୀଭୂଷଣ ବା ମୋର ଶଶୀଭାଇନା ଏଥିପୂର୍ବରୁ ମୋତେ ରାଜାସାହେବଙ୍କ ସହିତ ପରିଚୟ କରାଇ ଦେଇଥିଲେ । ମୁଁ ସେତେବେଳେ ଗାୟକ ରୂପେ ତାଙ୍କ ରାଜସଭାକୁ ଯାଇଥିଲି । ଶଶୀଭାଇନା ରାଜାଙ୍କୁ କହି ମୋତେ ଗୋଟିଏ ହାଣ୍ଡପ୍ରେସ ଦିଆଇଥିଲେ । ଏହି ପ୍ରେସ ଘେନି ମୋର ‘ସଙ୍ଗୀତ ପ୍ରଭା’ ପ୍ରେସ ଅନୁକୂଳ କରାଯାଇଥିଲା, ପୁରୀ ବଡ଼ଦାଣ୍ଡରେ । ଧରାକୋଟରେ ଚାରି ରାତ୍ରୀ ଅଭିନୟ ପ୍ରଦର୍ଶିତ ହେଲା । ମାତ୍ର ମୋତେ ପ୍ରାୟ ଦଶବାରଦିନ ସେଠାରେ ରାଜାସାହେବ ଅଟକାଇଲେ । ଧରାକୋଟ ରହଣି ମଧ୍ୟରେ ମୁଁ ସମ୍ୱାଦ ସଂଗ୍ରହ କରି ବୁଝିଲି ଯେ ଗଡ଼ଠାରୁ ପ୍ରାୟ ଦୁଇ ବା ତିନି ମାଇଲରେ ମୁଣ୍ଡମରାଇ ବୋଲି ଗୋଟିଏ ଗ୍ରାମ ଅଛି । ସେଠାରେ ରଘୁନାଥ ପୁଷ୍ଟି ନାମକ ଜଣେ ହଳଦିଆ ତେଲିଙ୍କ ଘରେ ତାଙ୍କ ଲିଖିତ ଓ ଚିତ୍ରିତ କେତେକ ତାଳପତ୍ର ପୋଥୀ ଅଛି । ମୁଁ ଓଡ଼ିଶୀ ସଙ୍ଗୀତ ସମ୍ୱନ୍ଧୀୟ ପ୍ରମାଣିତ ପୋଥୀପତ୍ର ଖୋଜୁଥାଏଁ । ଧରାକୋଟ ରହଣି ବାସ୍ତବରେ ଏକ ଦୈବୀ ଆଶୀର୍ବାଦ ।

 

ଅଭୁଲା ସ୍ମୃତି :

 

ମୁଣ୍ଡମରାଇ ଗ୍ରାମକୁ ଯାଇ ରଘୁନାଥ ପୁଷ୍ଟିଙ୍କ ଘର ଠାବକଲି । ରଘୁନାଥ ପୁଷ୍ଟି କେଉଁ କାଳରୁ ଦେହ ତ୍ୟାଗ କଲେଣି । ତାଙ୍କ ବଂଶରେ ମାତ୍ର ସାରିଆ ନାମ୍ନୀ ଜଣେ ଅଶୀବର୍ଷୀୟା ବୃଦ୍ଧା ଜୀବିତା । ସେ ପୁଣି ପୁତ୍ରହୀନା । ବହୁକଷ୍ଟରେ, କେତେକ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଭେଟି, ନାନା କୌଶଳରେ ବୃଦ୍ଧାଙ୍କ ସହିତ ସାକ୍ଷାତ୍‌କରି ତାଙ୍କର ଧର୍ମପୁଅ ହେଲି । ପ୍ରତିଦିନ ଧରାକୋଟରୁ ମୁଣ୍ଡମରାଇକୁ ଯାତାୟାତ କରୁଥାଏଁ ଏବଂ ମୋ ଧର୍ମମାଆକୁ ଦିଆନିଆ କରି ତାଙ୍କ ମନ ନେଉଥାଏଁ ।

 

ଥରେ ତାଙ୍କ ଠାକୁରଘରେ ଗୋଟିଏ ପୋଥୀ ଗାଦିରେ ଚନ୍ଦନ ବୋଳା ହୋଇଥିବା ଗୁଡ଼ିଏ ପୋଥୀ ଦେଖି ମୋ ଧର୍ମମାଆଠାରୁ ଅନୁମତି ନେଇ ସେଗୁଡ଼ିକ ଆଡ଼ଉ ଆଡ଼ଉ ରାଗମାନଙ୍କର ଚିତ୍ରଥିବା ଖଣ୍ଡିଏ ପୋଥୀ ମୋ ଆଖିରେ ପଡ଼ିଲା । ସେତେବେଳର ଆନନ୍ଦ କଥାରେ କହି ହେବ ନାହିଁ । ତା’ପରେ ମାଆକୁ ବହୁମତେ ତୋଷାମଦ କରି ପୋଥୀ ଖଣ୍ଡିକ ହାତକଲି ।

 

ଏସବୁ ହେଲା ପରେ ମୋ ଧର୍ମମାଆ ସାରିଆ, ତାକୁ ଟିକିଏ ଜଗନ୍ନାଥ ଦର୍ଶନ କରାଇ ଦେବାକୁ କହିଲା । ମୁଁ ଆସନ୍ତା କାର୍ତ୍ତିକ ମାସରେ ବ୍ୟବସ୍ଥା କରି ପୁରୀ ନେଇ ଯିବି ବୋଲି କହି, ତାକୁ ମୁଣ୍ଡିଆ ମାରି ବିଦାୟ ନେଇ ଖଲ୍ଲିକୋଟ ଆସିଲି ।

 

କାର୍ତ୍ତିକ ମାସ ହେବାକୁ ୩।୪ ଦିନ ଥାଏ, କଟକରୁ ଲୋକ ପଠାଇ ମାଆକୁ ଆଣି, ପୁରୀ ଯିବାର ଓ ସେଠାରେ ମୋ ପ୍ରେସରେ ରହି ମାସିକ ହବିଷ୍ୱ ପାଳିବାର ବ୍ୟବସ୍ଥାକରି ମାଆ ହାତରେ ଶହେଟି ଟଙ୍କା ଦେଲି ଓ ମୁଁ ପୁରୀକୁ ଯାଇ ତାକୁ ଦେଖିଆସିବି ବୋଲି କହି, ଲୋକ ସାଙ୍ଗରେ କଟକରୁ ପୁରୀ ବିଦାୟ ଦେଲି । ମଝିରେ ଥରେ ପୁରୀଯାଇ ମାଆକୁ ସଙ୍ଖୋଳି ଆସିଲି ।

 

ଅତି ଦୁଃଖର କଥା ଯେ କାର୍ତ୍ତିକ ପୂର୍ଣ୍ଣମୀଦିନ ମାଆକୁ ଜ୍ୱର ହେଲା ଓ ଛାଡ଼ଖାଇଦିନ ସେହି ଜଗନ୍ନାଥ କ୍ଷେତ୍ରରେ ମୋ ଧର୍ମମାଆ ଆରପୁରକୁ ଚାଲିଗଲା ।

 

ସେଇ ପୋଥୀଖଣ୍ଡିକ ‘ରାଗଚିତ୍ର’ ନାମରେ ମୁଁ ପରେ ପ୍ରକାଶ କରାଇଛି ।

 

ଖଲ୍ଲିକୋଟ :

 

ଗଞ୍ଜାମରୁ କଟକ ବାହୁଡ଼ାଣୀ ଛତ୍ରପୁରରେ କେତେ ରାତି ଅଭିନୟ ଦେଇ ଖଲ୍ଲିକୋଟ ଆସିଲୁଁ । ଖଲ୍ଲିକୋଟରେ ରାଜା ସେତେବେଳେ ରାମଚନ୍ଦ୍ର ମର୍ଦ୍ଦରାଜ । ତାଙ୍କ ଦେଓ୍ୱାନ ଥାଆନ୍ତି ଜଗନ୍‌ମୋହନ ପଟ୍ଟନାୟକ । ଭାରି ସରସ ଲୋକ, ଘର ଛତ୍ରପୁରରେ । ସେ ଖଲ୍ଲିକୋଟ ଦିଆନଙ୍କ ବଙ୍ଗଳାରେ ରହନ୍ତି । ସେତେବେଳକୁ ବାହା ବୟସ ଗଡ଼ିଯାଇଥିଲେ ମଧ୍ୟ ସେ ଅଭିଆଡ଼ା ଥାଆନ୍ତି । ଖିଆପିଆ, ପୋଷାକପତ୍ରରେ ସାହେବୀ ଠାଣି; କିନ୍ତୁ ପୂଜା ପାର୍ବଣ ଇତ୍ୟାଦି ପରମ୍ପରାର ରକ୍ଷା ଦିଗରେ ନିରୋଳ ଓଡ଼ିଆ ଢଙ୍ଗ ତାଙ୍କର । କଳାପ୍ରତି ଆଦର ଥିଲା ତାଙ୍କର ।

 

ଜଗନ୍ନାଥଙ୍କ ଦେଉଳ ପଛପଟେ ପେଣ୍ଡାଲ ବନ୍ଧାଗଲା । ପ୍ଲେ ହେଲା ସେଇଠି । କରଣ ସାହିର ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ, ବ୍ରାହ୍ମଣ ସାହିର ପଣ୍ଡିତ ପୀତାମ୍ୱର ରାୟଗୁରୁ ଓ ସାଆନ୍ତ ସାହିର କେତେକ ସଙ୍ଗୀତ ସାହିତ୍ୟ ଗ୍ରାହକ ଆମକୁ ବଡ଼ ସାହାଯ୍ୟ ଦେଉଥାଆନ୍ତି । ଖଲ୍ଲିକୋଟରେ ସାହିତ୍ୟ ଚର୍ଚ୍ଚା ଥାଏ । ଛାନ୍ଦ, ଚଉତିଶା, ଚମ୍ପୂର ଗୋଟିଏ ଆଲୋଚନା ସ୍ଥଳି ଥିଲା ଖଲ୍ଲିକୋଟ । ପଣ୍ଡିତ ବାଇକୋଳି ମହାପାତ୍ର ଜ୍ୟୋତିଷୀଙ୍କର ସୁଖ୍ୟାତି ଥାଏ । ପଣ୍ଡିତ ପୀତାମ୍ୱର ରାୟଗୁରୁ ଏଇଠି ମୋତେ ଅଭିନୟ ଦର୍ପଣ ପ୍ରକାଶର ଗୋଟିଏ ହାତଲେଖା ଦେଲେ । ପୀତାମ୍ୱର ସାଆନ୍ତ କବିସୂର୍ଯ୍ୟଙ୍କର କେତେଗୁଡ଼ିଏ ଅପ୍ରକାଶିତ ଗୀତ ଦେଲେ । ଏଇଠୁ କେତେକ ପୋଥୀର ସନ୍ଧାନ ପାଇଲି । ରାତିରେ ପ୍ଲେ ଓ ଦିନ ତମାମ ସଙ୍ଗୀତ ସାହିତ୍ୟ ଚର୍ଚ୍ଚାରେ ବଡ଼ ଆନନ୍ଦରେ ଦିନ ବିତିଲା । ଦେଓ୍ୱାନ ସାହେବ ମତେ ନାନାମତେ ସାହାଯ୍ୟ କରୁଥାନ୍ତି ।

 

ଦଳ ଗଞ୍ଜାମ ଜିଲାରେ ଅଭିନୟ ଦେବାବେଳକୁ ଝିଅମାନଙ୍କୁ ନିଆହୋଇ ନ ଥାଏ । ଖଲ୍ଲିକୋଟରୁ ବୋଇରାଣୀ ଓ ଆଉ କେତୋଟି ସ୍ଥାନରେ ଅଭିନୟ ଦେଇ କଟକ ବାହୁଡ଼ିଲୁଁ ।

 

କଟକରେ ବାଙ୍କାବଜାରର ପାଲଟଣା ପେଣ୍ଡାଲ ଆମ ସାଙ୍ଗେ ସାଙ୍ଗେ ଚାଲିଥିଲା । ଏଥର ଆସି ସେଇ ବାଙ୍କାବଜାରର ରାଜକିଶୋରବାବୁଙ୍କ ଘର କଡ଼ର ମେଲା ପଡ଼ିଆରେ ଷ୍ଟେଜ୍‌ ବନ୍ଧାହେଲା । ଶାଳ୍ମଳୀ ପଡ଼ିଆ ଚୂନଭାଟି ପାଖ ଗଳିରେ ମୋର ପ୍ରିୟବନ୍ଧୁ ସ୍ୱର୍ଗତ ପ୍ୟାରିଶଙ୍କର ରାୟଙ୍କ ଘର ସାମନାରେ ଜଣେ ମୁସଲମାନଙ୍କ ଘରକୁ ଭଡ଼ା ନିଆଗଲା ।

 

ସେତେବେଳେ କାହିଁକି କେଜାଣି ବର୍ତ୍ତମାନର ପାଟଣା ମହାରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ କଟକ ଆସିଥାଆନ୍ତି । ‘ମାନିନୀ’ ନାଟକଟି ଦେଖିବା ପାଇଁ ତାଙ୍କୁ ସେଇ ଖଣ୍ଡିଆଦଣ୍ଡିଆ ପେଣ୍ଡାଲକୁ ନିମନ୍ତ୍ରଣ କଲି । ଆଦରରେ ସେ ଆସିଲେ, ସେଇ ଗଳି ଭିତରକୁ । ବେଳେବେଳେ ପୁରୀର ରାଧାକାନ୍ତ ମଠରେ ରହୁଥିବା ନିମାଇଁବାବାଜୀଙ୍କୁ ଡାକି ଆଣେ । ଗେଡ଼ା ହୋଇ ଲୋକଟିଏ, ଟିକିଏ ମୁଖଦାନ୍ତୁରା । ବେକରେ ଚାରିସରି ତୁଳସୀମାଳ ମୁଣ୍ଡରେ ଚୈତନ୍ୟ ଚିତା । କଣ୍ଠଟି ଭାରି ମଧୁର । ସେ କୀର୍ତ୍ତନପାଳ, ମାନଭଞ୍ଜନ, ବଂଶୀଚୋରି ଇତ୍ୟାଦି ଲୀଳା ଏକକ ଗାଇ ଲୋକଙ୍କୁ ତନ୍ମୟ କରି ରଖନ୍ତି । ନିଜେ ଗାଆନ୍ତି । ବେକରେ ଖୋଳଟିଏ ପକାଇ ବିଷୟ ଓ ପରିସ୍ଥିତି ଅନୁସାରେ ରସ ଭାବ ବିଭୋଳ ହୋଇ, କେବେ ହସି କେବେ କାନ୍ଦି ଅପୂର୍ବ ଅଭିନୟ କରି ଲୋକଙ୍କୁ ମୁଗ୍ଧ କରନ୍ତି । ପାଟଣା ମହାରାଜା ମାନିନୀ ନାଟକ ଦେଖିଆସିବା ଦିନ ସେ ମଧ୍ୟ ଲୀଳା ପରଷିଥିଲେ । ମହାରାଜା ଦଳକୁ ପୁରସ୍କୃତ କଲେ ।

 

ସ୍ୱର୍ଗତ କହ୍ନାଇଲାଲ ଘୋଷ ମୋ ଦଳର ଖୋଳ, ତାବଲା ଓ ପଖଉଜ ଇତ୍ୟାଦି ବଜାଉଥିଲା । ସେ ନିମାଇଁ ବାବାଜୀଙ୍କ ସହିତ ହାରମୋନିୟମ୍‌ ସଙ୍ଗତ କରେ । ତାକୁ ସବୁଥିରୁ କିଛି କିଛି ଜଣା । ଗାଏ ମଧ୍ୟ ସେ । ଦୁର୍ଭାଗ୍ୟ ତ ! ବିଚାରା ଶେଷ ଜୀବନକୁ ଅପଚରା ହୋଇ ଶେଷ ହେଲା, ୧୯୭୨ରେ ।

 

ଏହା ପରେ ପରେ ମୋ ବାଙ୍କି ଘରେ ଜମିବାଡ଼ି ଦେଖିବା ଦରକାର ପଡ଼ିଲା । ଦଳକୁ ମଧ୍ୟ ନେଇ ବାଙ୍କି ଗଲି, ସେଠାରେ ଅଭିନୟ ଦେବା ଅଭିପ୍ରାୟରେ ।

 

ସେତେବେଳେ ବାଙ୍କିରେ ସ୍ୱର୍ଗତ ନଗେନ୍ଦ୍ରନାଥ ଦତ୍ତ ଥାଆନ୍ତି ଡେପୁଟି କଲେକ୍ଟର ।

 

ନଗେନବାବୁଙ୍କ ଘର ବାଲେଶ୍ୱର ଟାଉନରେ । ସେ ଭଲ ଗଳ୍ପ, ଉପନ୍ୟାସ ଲେଖକ । ସବୁଜ ସାହିତ୍ୟ ଦଳର ସେ ଜଣେ ସହଯୋଗୀ କର୍ମୀ । ତା’ଛଡ଼ା ନଗେନବାବୁ ଜଣେ କଳାପ୍ରାଣ ଓ ଦେବୀ ଭକ୍ତ । ତାଙ୍କର ଶ୍ରୀଚଣ୍ଡୀ ବହି ଦୁଇଟି ଭାଗରେ ଛାପା ହୋଇଛି । ଭାରି ସ୍ନେହୀ ଓ ଗୁଣଗ୍ରାହକ ସେ । ଭାଗ୍ୟକୁ ବାଙ୍କିରେ ତାଙ୍କ ସହିତ ସାକ୍ଷାତ୍‌ପରେ ଉଭୟଙ୍କ ମଧ୍ୟରେ ଉପନ୍ୟାସ, ନାଟକ ଓ କାବ୍ୟ ଚର୍ଚ୍ଚାର ଆସର ଜମି ଉଠିଲା । ୧୯୩୩–୩୪ ସାଲର କଥା ୟେ ।

 

ବାଙ୍କିରେ ମଝିରେ ମଝିରେ ରାସ ଅଭିନୟ ପ୍ରଦର୍ଶିତ ହେଉଥାଏ । ଖମାରଙ୍ଗ ଗାଆଁମୁଣ୍ଡ ପଡ଼ିଆରେ ପାଲଟାଣି ଗୋଟିଏ ଅସ୍ଥାୟୀ ରଙ୍ଗମଞ୍ଚ ତିଆରି କରିଥାଏଁ ମୁଁ । ରାସଦଳର ପିଲାମାନେ ଓ ବାଦକ ଦଳ ଆମ ଖମାରଙ୍ଗ ଘରେ ରହି ଖିଆପିଆ କରୁଥାନ୍ତି । ମଝି ମଝିରେ ନଗେନବାବୁଙ୍କ ବାଙ୍କି ଇଲାକାର ମଫସଲ ଗସ୍ତରେ ଗଲେ ମୋତେ ସାଥିରେ ନେଇଯାଆନ୍ତି । ପ୍ରତିଦିନ ତାଙ୍କ ସହିତ ଦେଖାସାକ୍ଷାତ୍‌ ।

 

ଖରାଦିନ, ହଠାତ୍‌ ମୋ ଦଳର ‘ପୁନା’ ବୋଲି ଗୋଟିଏ ପିଲାର ତରଳ ଝାଡ଼ା ହେଲା । ଡାକ୍ତରଖାନାକୁ ପଠାଇ ବହୁତ ଚେଷ୍ଟା କରାଗଲା; କିନ୍ତୁ ରହିଲା ନାହିଁ ସେ । ୩।୪ ଦିନ ପରେ ଆମ ସଭିଙ୍କି କନ୍ଦାଇ, ପୁନା ସେପୁରକୁ ଚାଲିଗଲା । ରାସଦଳରେ ସେ ରାଧା ଭୂମିକା ଅଂଶ ନେଉଥିଲା । ଦେଖିବାକୁ ଯେମିତି ସୁନ୍ଦର କଣ୍ଠଟି ସେମିତି ମିଠା ଏବଂ ଅଭିନୟ ବଡ଼ ପ୍ରାଣବନ୍ତ । କଥାରେ ଯାହା କହନ୍ତି–‘ମଲା ପୁଅର ଗଳାରୋଟ’–ପୁନା ପକ୍ଷରେ ସତରେ ସେଇ କଥା ଫଳିଲା ।

 

ବାଙ୍କିରେ ବର୍ଷେ ଖଣ୍ଡେ ବିତି ଯାଇଥାଏ । ପୁନା ମରିଯିବା ପରେ ମନଟା ଭାରି ଖରାପ ଲାଗିଲା । ନଗେନବାବୁଙ୍କର ମଧ୍ୟ ବଦଳି ହୋଇଗଲା । ଏଇ ଅବସରରେ ସାମାନ୍ୟ ଗୋଟାଏ ପଣସ ଗଛ ଚାରା ଘେନି ଘଟିଲା ମନ ଫୁଲାଫୁଲି । ମୋ ଜେଜେବାବାଙ୍କ ସାନଭାଇ ବ୍ରଜକିଶୋର ପଟ୍ଟନାୟକଙ୍କ ନାତି ଯଦୁ’ ଗୋଟିଏ ହାଣ୍ଡିରେ ପଣସ ଗଛ ଲଗାଇଥିଲା । ଯଦୁକୁ ନ ପଚାରି ସେ ଗଛଟିକି ମୁଁ ଗାଆଁ ମୁଣ୍ଡ ବେଦପୁରରେ ଥିବା ଖୋଲା ମେଲା ପଡ଼ିଆରେ ନେଇ ଲଗାଇବାରୁ, ଯଦୁ ମୋତେ ଅପମାନିତ କରିବାଟା ଭାରି ବାଧିଲା । ସଭିଏଁ ଏକାଠି ଥାଉଁ । ଯଦୁ ଅଳ୍ପ ପାଠ ପଢ଼ିଥାଏ-। ମୋର ସେମାନଙ୍କ ପ୍ରତି ଭିନ୍ନାଭିନ୍ନ ବିଚାର ନ ଥାଏ । ଏପରି ଅବସ୍ଥାରେ ଯଦୁର ବ୍ୟବହାର ମୋତେ ଆଦୌ ଭଲ ଲାଗିଲା ନାହିଁ । ମୁଁ ନଗେନବାବୁଙ୍କୁ କହି ସେହି ବେଦପୁର ଡିହରେ ଘର ତୋଳାଇଲି । ହେମବାବୁ ବୋଲି ଜଣେ ଭଦ୍ରଲୋକ ସେତେବେଳେ ଓଭରସିଅର ଥାଆନ୍ତି । ସେ ନଗେନବାବୁଙ୍କ ପରାମର୍ଶ ନେଇ ଘର ତୋଳା ସାରିଲେ । ପୁରୀରେ ସେତେବେଳକୁ ‘ସଙ୍ଗୀତ–ପ୍ରଭା’ ପ୍ରେସ, ମହନଦାଦାଙ୍କ ପୁଅ ପାର୍ବତୀ ଚଳାଉଥାଏ । ତାକୁ ବରାଦ କରି ମହାପ୍ରସାଦ ଅଣାଇଁ ବାଙ୍କିରେ ନୂଆ ଘର ପ୍ରତିଷ୍ଠା କରାଗଲା । କେବଳ ଗାଈ ଓ ବାଛୁରୀଟିଏ ଏବଂ ଠାକୁରଙ୍କୁ ନେଇ ଖମାରଙ୍ଗ ଗାଆଁ ଦାଣ୍ଡେ ଦାଣ୍ଡେ ମୁଁ ସାତପୁରୁଷା ଘର ଛାଡ଼ି, ବେଦପୁରର ନୂଆ ଘରକୁ ଚାଲିଆସିଲି-। ଘରଦ୍ୱାର ଓ ପୁରୁଣା ଜିନିଷପତ୍ର ସବୁ ଯଦୁକୁ ଛାଡ଼ିଦେଲି । ୟେ ୧୯୩୫ ସାଲର କଥା-। ବାଙ୍କିକୁ ଯିବା ପୂର୍ବରୁ ନଗେନବାବୁଙ୍କର ଗୋଟିଏ ଉପନ୍ୟାସ ଛପା ସରିଥାଏ । ସେ ନାଟକ ପ୍ରେମୀ ମଧ୍ୟ-। ବାଙ୍କିରେ ମୁଁ ଆହୁତି ନାମକ ଖଣ୍ଡିଏ ସାମାଜିକ ନାଟକ ଲେଖିଥିଲି । ନଗେନବାବୁ ନାନାମତେ ମୋତେ ପରାମର୍ଶ ଦେଉଥିଲେ ନାଟକଟି ବାଙ୍କିର କେତେକ ଅମଲା ଓ ସ୍ଥାନୀୟ ଯୁବକଙ୍କୁ ନେଇ ଗୋଟିଏ ରାତି ମାତ୍ର ଅଭିନୀତ ହୋଇଥିଲା ।

 

କଟକ ଜୈନ ମନ୍ଦିର :

 

ବାଙ୍କିରୁ ନଗେନବାବୁଙ୍କର ବଦଳି ହେଲା ପରେ ମନଟା ବି ମୋର ଭଲ ନ ଥାଏ । ପୁଣି ମୁଁ କଟକ ଆସି ଜାଉଁଳିଆପଟିରେ ପୁରୁଣା ମୁକୁର ପ୍ରେସ, ବ୍ରଜସୁନ୍ଦରବାବୁଙ୍କ ଘରେ ବସା ଭଡ଼ା କରି ରହିଲି । ଭିଙ୍ଗାରପୁର କୃଷ୍ଣଚୌଧୁରୀ ମୋର ଜଣେ ସାଙ୍ଗ । ସେ ସଙ୍ଗୀତ ପ୍ରିୟ–ପୁରୁଣା ଓଡ଼ିଶୀ ଗୀତର ଜଣେ ଭକ୍ତ, ତାବଲା ବଜାଇପାରେ । ଭିଙ୍ଗାରପୁରର ଗୋଟିଏ ଦୋତାଲା ଘର ବ୍ରଜସୁନ୍ଦରବାବୁଙ୍କ ଘର ସାମନାରେ, କୃଷ୍ଣ ସେଇଠି ଥିଲା । ସେଇ ଘର ପାଖରେ ପରିବାର ବଂଶର ଘର । ଚୌଧୁରୀବଜାରର ଜୈନ ମନ୍ଦିରର ସେମାନେ ମାଲିକ ।

 

ପରିବାର ଘର ସହିତ ମୋର ପରିଚୟ ଘନେଇଗଲା । ଜୈନମନ୍ଦିରର ହତାରେ ପେଣ୍ଡାଲ ବାନ୍ଧି ଅଭିନୟ ଦେବାର ବ୍ୟବସ୍ଥା କଲି । କିଶୋରଚନ୍ଦ୍ରାନନ୍ଦ ଚମ୍ପୂକୁ ତ ନାଟ୍ୟରୂପ ଦେଇଥିଲି । ଏଇଠି ଜୈନମନ୍ଦିରରେ ଆଉ ଗୋଟିଏ ନୂଆକଥା କଲି । ଗୀତଗୋବିନ୍ଦର ସ୍ୱର ଛନ୍ଦାନୁସାରୀ ଯେଉଁ ଓଡ଼ିଆ ଅନୁବାଦ ଭଦ୍ରଖ ଓ ଯାଜପୁର ରୋଡ଼ରେ ସାରିଥିଲି, ତାକୁ ନାଟ୍ୟରୂପ ଦେବାକୁ ବସିଲି । ନାଟକ ଲେଖା ହେଲା ୧୯୩୬ରେ । ଜୈନ ମନ୍ଦିର ହତାରେ ଏ ନାଟକ ପାଞ୍ଚରାତି ପ୍ରଦର୍ଶିତ ହେଲା । ସେ ବେଳର ବିଶିଷ୍ଟ ସାହିତ୍ୟିକ ଯଥା–ଗୋପାଳ ପ୍ରହରାଜେ, ଶଶୀଭୂଷଣ ରାୟ, ଭିଖାରୀଚରଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ସାହୁ ଓ ବ୍ରଜସୁନ୍ଦର ଦାସ ପ୍ରଭୃତି ଗୀତଗୋବିନ୍ଦ ନାଟକର ବହୁ ପ୍ରଶଂସା କଲେ । ଜୈନମନ୍ଦିରରେ ପ୍ରାୟ ତିନିମାସ ଅନ୍ୟାନ୍ୟ ନାଟକର ଅଭିନୟ ପ୍ରଦର୍ଶିତ ହେଲା । ସେତେବେଳେ ଟିକେଟ ଦର ଚାରିଅଣା, ଆଠଅଣା, ଟଙ୍କାଏ ଏବଂ ଦୁଇଟଙ୍କା । ଦୁଇଟିକିଆ ଆସନରେ କଦାକ୍ୱଚିତ୍‌ ଜଣେ ଦି’ଜଣ ଦର୍ଶକ ଥାଆନ୍ତି । ଅତିଥି ଦର୍ଶକ ଏ ଆସନ ପୂରଣ କରନ୍ତି । ମୁଁ କହେ ଏ ଆସନ ଆଶୀର୍ବାଦ ଦଳଙ୍କ ପାଇଁ ଉତ୍ସର୍ଗୀକୃତ ।

 

ପୁରସ୍କୃତ :

 

‘ଗୀତଗୋବିନ୍ଦ’ ନାଟକ ଖଣ୍ଡି ଏହି ବର୍ଷ ‘ଉତ୍କଳ ସାହିତ୍ୟ ସମାଜ’ କର୍ତ୍ତୃକ ଓଡ଼ିଶାର ଶ୍ରେଷ୍ଠ ନାଟକ ରୂପେ ଟ୧୦୦ଙ୍କା ପୁରସ୍କାର ପାଇଲା । ଏହା ଲାଞ୍ଜିଗଡ଼ ପୁରସ୍କାର । ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନାଟକ ଏଭଳି ସୌଭାଗ୍ୟ ଲାଭ କରି ନ ଥିଲା । ସେ ବେଳର ଶହେ ଟଙ୍କାର ମୂଲ୍ୟ ପୁଣି ଅତି ଅଧିକ ।

 

ଉତ୍କଳ ସାହିତ୍ୟ ସମାଜର ସଭାପତି ଥିଲେ ଡକ୍ଟର ପ୍ରାଣକୃଷ୍ଣ ପରିଜା ଏବଂ ସମ୍ପାଦକ ଥାଆନ୍ତି ଶ୍ରୀ ଶଶିଭୂଷଣ ରାୟ ।

 

ବାଙ୍କାବଜାର :

 

ପରେ ପରେ ପୁଣି ବାଙ୍କାବଜାରରେ ପେଣ୍ଡାଲ ତିଆରି କଲି । ଏଥର ବାଙ୍କାବଜାରର ଆଜିଜ୍‌ଉଲ୍ଲାଙ୍କ ପିତା)ଙ୍କ ଘର ପଡ଼ିଶା ଜଣେ ମୁସଲମାନଙ୍କ ଘର ଭଡ଼ାକୁ ନେଲି । ଠିକ୍ ତା’ର ଡାହାଣକୁ ପୂର୍ବର ସେଇ ରାୟ ବାହାଦୁର ରାଜକିଶୋର ଦାସଙ୍କ ଘରର ବାଁପଟକୁ ଲାଗି ଅଖାପାଲଟଣା ପେଣ୍ଡାଲ ତିଆରି ହେଲା । ଅଭିନୟ ଚାଲିଲା । ଜାଉଁଳିଆପଟିର ସମୀର ମିଆଁ ପଞ୍ଚଲାଇଟ ଓ ଚୌକି ଭଡ଼ାକୁ ଦିଅନ୍ତି ।

 

ରାୟବାହାଦୁର ରାଜକିଶୋରବାବୁଙ୍କ ପୁଅ ମୋ ପାଠସାଥୀ ବେଙ୍ଗୁବାବୁ ଓ ନରୀବାବୁ ପ୍ରଭୃତି ମୋତେ ନାନାମତେ ସାହାଯ୍ୟ ସହାନୁଭୂତି ପ୍ରଦର୍ଶନ କରୁଥାଆନ୍ତି ।

 

ଥରେ ହିନ୍ଦୋଳ ରାଜାଙ୍କୁ ନାଟକ ଦେଖିବାକୁ ଡାକିଲି । ବେଙ୍ଗବାବୁଙ୍କ ସହିତ ତାଙ୍କର ବନ୍ଧୁତା ଥାଏ । ଅଭିନୟ ଦେଖିସାରି ରାଜାସାହେବ ବେଙ୍ଗବାବୁଙ୍କୁ ଓ ମୋତେ ହିନ୍ଦୋଳ କୋଠିକି ଖାଇବାକୁ ଯିବାଲାଗି ନିମନ୍ତ୍ରଣ କଲେ । ଦିନେ ଦୁଇଦିନ ପରେ ମୁଁ ଓ ବେଙ୍ଗବାବୁ ପ୍ଲେ ଭାଙ୍ଗିବା ପରେ ରାତି ପ୍ରାୟ ଦଶଟାରେ ତୁଳସୀପୁରର ହିନ୍ଦୋଳ କୋଠିକୁ ଗଲୁଁ । ସେତେବେଳେ ବେଙ୍ଗବାବୁଙ୍କର ଖଣ୍ଡିଏ ବେବି ଅଷ୍ଟିନ୍ ଗାଡ଼ି ଥାଏ । ବେଙ୍ଗବାବୁ ନିଜେ ଗାଡ଼ିର ଚାଳକ । ଖରାଦିନ ରାତି । ହୁଡ଼୍ ଖୋଲିଦେଇ ଦୁହେଁ ବସି ହିନ୍ଦୋଳ କୋଠିରେ ପହଞ୍ଚିଲୁଁ । ଖାଇପିଇ ଫେରିବାବେଳକୁ ରାତି ଅଧିକରୁ ବଳି ପଡ଼ିଥାଏ ।

 

ଭୂତ ଡର :

 

ହିନ୍ଦୋଳ କୋଠିରୁ ନରସିଂହପୁର କୋଠି ପାରହୋଇ ଚଉମୁହାଣି ଛକ ଉପରେ ଗୋଟିଏ ବଡ଼ ପୁରୁଣା ଓସ୍ତଗଛ । ସେଇଠୁ କଟକଚଣ୍ଡୀ ବାଟରେ ବାଙ୍କାବଜାରକୁ ଆସିବାବୁ ପଡ଼େ-। ସେଇ ଛକ ପାଖ ଓସ୍ତଗଛ ମୂଳରେ ବେବି ଅଷ୍ଟିନ୍ ପହଞ୍ଚିବାବେଳକୁ ପଛ ସିଟ୍‌ରେ ଦୁଲ୍‌କରି ଗୋଟେ ଶବ୍ଦ ହେଲା, ଗାଡ଼ିଟା ଚହଲିଗଲା ।

 

ଦୁହେଁ ଚମକିପଡ଼ି ପଛସିଟ୍‌କୁ ଚାହିଁ ଦେଖିଲୁଁ ଏକ ଅଦ୍‌ଭୂତ କାଳିଆ ଭୀଷଣ ମୋଟା ପୁରୁଷ । ଦେହଯାକ ରୁମ, ମୁଣ୍ଡଟା ଦେଖାଯାଉ ନାହିଁ, ବସିଛି ପଛସିଟ୍ ପୂରାଇ । ଆଉ ଚାହିଁ ହେଲା ନାହିଁ ଭୟରେ । ରାସ୍ତାଟା ବେଶି ଚଉଡ଼ା ନୁହେଁ । ବାଁ ପଟରେ ଗଡ଼ଖାଇ । ଗାଡ଼ିର ଷ୍ଟିଅରିଙ୍ଗ ହାତଛଡ଼ା ହେଲେ ଗାଡ଼ି ଖାଇରେ ପଡ଼ିଥାନ୍ତା । କେମିତି କେଜାଣି, ଦଇବ ଯୋଗକୁ ବେଙ୍ଗବାବୁଙ୍କ ହାତ ଷ୍ଟିଅରିଙ୍ଗ୍‌ରୁ ଛାଡ଼ି ଯାଇ ନାହିଁ । ଗାଡ଼ି ବାଙ୍କ ବୁଲି, କଟକଚଣ୍ଡୀଙ୍କ ଦ୍ୱାରର ସିଂହରେ ପିଟି ହୋଇ ଅଟକିଗଲା । କେବଳ ଭଡ଼ଭଡ଼ ଶବ୍ଦ; ପଛକୁ ଚାହିଁଲାବେଳକୁ ଆଉ ସେ କଳା କାଳପୁରୁଷଟା ନାହିଁ । କେତେବେଳ ପରେ ଟିକିଏ ନିଃଶ୍ୱାସ ମାଇଲୁଁ ଓ ଗାଡ଼ି ଚଳାଇ ବାଙ୍କାବଜାରରେ ପହଞ୍ଚିଲୁଁ । ଜୀବନର ଏ ଏକ ବିଚିତ୍ର ଅନୁଭୂତି ।

 

ସାମାଜିକ ନାଟକ ଲେଖା :

 

ଏଇଠି ବାଙ୍କାବଜାର ମଞ୍ଚରେ ‘ମାନିନୀ’ ନାଟକର ଲେଖା ଓ ଅଭିନୟ ସରିଲା । ଏତିକିବେଳେ ମୋର କାହିଁକି କେଜାଣି ମନହେଲା ସାମାଜିକ ନାଟକ ଲେଖିବାକୁ । ‘ପ୍ରତିଶୋଧ’ ନାମକ ନାଟକଟି ଲେଖିଲି । ଏତେବେଳକୁ ସାଧୁବାବୁ ଆମ ମଞ୍ଚକୁ ଯା’ଆସ କରୁଥାଆନ୍ତି । ସେ ତ ମୋର ପୂର୍ବ ପରିଚିତ ବନ୍ଧୁ–‘ବଉଳ’ । କଟକରେ ସୌଖୀନ ରଙ୍ଗମଞ୍ଚରେ ଓଡ଼ିଆ ନାଟକ ପ୍ରଥମଥର ପାଇଁ ଅଭିନୀତ ହେବାବେଳେ ମୁଁ ନନ୍ଦୀକା ପାର୍ଟ ନେଇଥିଲି । ସାଧୁବାବୁ (ସାରଦା ପ୍ରସାଦ ଦହବେହେରା) ମୋତେ ସ୍ୱର୍ଗତ ଜଗନ୍ନାଥ ଘୋଷଙ୍କ କଥାନୁସାରେ ପ୍ରବର୍ତ୍ତାଇ ଥିଲେ ।

 

ପ୍ରତିଶୋଧ ନାଟକର ମୁଖ୍ୟ ଅଭିନେତା ବାସୁ ଦାସ ଅଂଶ ନେଇ ଦୁଇତିନିଦିନ ଅଭିନୟ ହେବା ପରେ ଦିନ ଦେଖାଗଲା ଯେ ସାଧୁବାବୁ ଆଉ ସେ ସାଧୁବାବୁ ହୋଇ ମଞ୍ଚକୁ ଆସି ନାହାନ୍ତି । ଏତେବେଳେ ଉପାୟ ନାହିଁ । ମୁଣ୍ଡ ଘୂରିଗଲା ମୋର । ଶେଷକୁ ଜଗନ୍ନାଥବଲ୍ଲଭର ଶ୍ରୀ ନିମାଇଁ ଚରଣ ସିଂହଙ୍କୁ ସେ ଭୂମିକା ଦିଆଗଲା । ନିମାଇଁ ମଧ୍ୟ ସଫଳ ଅଭିନୟ କରି ନାଟକଟି ଲୋକପ୍ରିୟ କରାଇ ପାରିଲେ ।

 

ଆଉ ଜଣେ ବ୍ୟଙ୍ଗ ଅଭିନେତା ଥିଲେ ମହେଶ୍ୱର ପଣ୍ଡା, ତାଙ୍କ ଘର ବୋଧହୁଏ ପଟିଆ ବା ତା’ ପାଖର କୌଣସି ଗ୍ରାମରେ । ମଞ୍ଚରେ ସେ ନିଜକୁ ଛୋଟ-ବଡ଼-ବଫାଲୋ ଅର୍ଥାତ୍ ମହେଶ୍ୱର ପଣ୍ଡା ବୋଲି ପରିଚୟ ଦେବାଦେଳେ ପ୍ରେକ୍ଷାଳୟ ହସ ଓ କରତାଳିରେ ଫାଟିପଡ଼େ ।

 

ପ୍ରତିଶୋଧ ନାଟକ ୧୦।୧୫ ରାତି ଚାଲିବା ପରେ ତାଳଚେର ରାଜା କିଶୋର ଚନ୍ଦ୍ରଙ୍କ ଡାକରା ପାଇ ସେଠାରେ ଅଭିନୟ ଦେବାକୁ ଗଲୁଁ । ତାଳଚେରରୁ ଅନୁଗୁଳ ଯାଇ, ସେଠାର ସଭାମଣ୍ଡପରେ କେତେକ ଦିନ ଅଭିନୟ ଦେବା ପରେ କଟକ ଫେରିଲୁଁ ।

 

କଟକ ଆସି ବଡ଼ ଅଭାବ ଅନଟନରେ ଚଳିବାକୁ ହେଲା । ମଞ୍ଚ ନ ଥାଏ । କେତେଦିନ ଆଉ ଅସୁବିଧାରେ ଚଳିବୁଁ ? ପୁଣି ସେଇ ବାଙ୍କାବଜାରରେ ମଞ୍ଚ ତିଆରି କରି ପୁରୁଣା ନାଟକ ଖେଳିବସିଲୁଁ । ମାନିନୀ, ଗୀତଗୋବିନ୍ଦ ଓ ଚମ୍ପୂ ନାଟକ ପ୍ରତି ଲୋକଙ୍କର ଆଗ୍ରହ ତୁଟି ନ ଥିଲା । ଆଗପରି ଟିକେଟ ବିକ୍ରୀ ହେଲା ଓ ଅଭାବ ଟିକିଏ ମେଣ୍ଟିଗଲା ।

 

ଉତ୍କଳ ସଙ୍ଗୀତ ସମାଜ :

 

ଏତିକିବେଳେ ସ୍ୱର୍ଗତ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଚୌଧୁରୀ ଦିନେ ବସାକୁ ଆସିଲେ । ତାଙ୍କ ସହିତ ମୋର ଆଗରୁ ଆଳାପ ପରିଚୟ ଥିଲା । ସେ ଗୋଟିଏ ସଙ୍ଗୀତ ଶିକ୍ଷାଳୟ କଟକରେ ସ୍ଥାୟୀ ଅବସ୍ଥାରେ ସ୍ଥାପନ କରିବାକୁ ପ୍ରସ୍ତାବ କଲେ । ଲକ୍ଷ୍ମୀକାନ୍ତବାବୁ ଜଣେ ଭଲ ତାବଲା ବାଦକ । ଗୋପାଳ ଘୋଷ ସେତାରୀ ସେତେବେଳେ ପୁରୀରୁ କଟକ ଆସିଥାଆନ୍ତି । ଲକ୍ଷ୍ମୀକାନ୍ତବାବୁଙ୍କୁ ନେଇ ତାଙ୍କ ସହିତ କଥା ହେଲି । ସେ ଶିକ୍ଷା ଦେବାକୁ ସମ୍ମତ ହେଲେ । ସାହିତ୍ୟ ସମାଜ ଉପର ମହଲାରେ ଆପାତତଃ ସଙ୍ଗୀତ ଶିକ୍ଷା ଦେବାର ସ୍ଥିର କରାଯାଇ ‘ଉତ୍କଳ ସଙ୍ଗୀତ ସମାଜ’ ନାଆଁ ଦିଆଗଲା । ଲକ୍ଷ୍ମୀକାନ୍ତବାବୁ ୧୯୩୩ରେ ଏପରି ସଂସ୍ଥାର ମୂଳଦୁଆ ଗଢ଼ିଥିଲେ ।

 

ମୁଁ ଓ ପୁରୀର ସୁପରିଚିତ ତାବଲା ବାଦକ କ୍ଷେତ୍ରମୋହନ କର ଯଥାକ୍ରମେ ଗୀତ ଓ ବାଦ୍ୟ ପରିବେଷଣ କରି ସାହିତ୍ୟ ସମାଜରେ ଏକ ସଙ୍ଗୀତ ବୈଠକରେ ଟିକଟ ଲବ୍ଧ ଧନ ଉତ୍କଳ ସଙ୍ଗୀତ ସମାଜକୁ ଦାନକଲୁଁ । ସଙ୍ଗୀତ ସମାଜର କାର୍ଯ୍ୟାରମ୍ଭ ହେଲା । ପରେ ଏଠାରୁ ସ୍ଥାନାସ୍ତରିତ କରାଯାଇ ସଙ୍ଗୀତ ସମାଜ କେତେକ କାଳ ଲାଲବାଗ ଥାନା ପାଖର ଗୋଟିଏ ଘରେ ଚାଲିଲା । କେନ୍ଦ୍ରାପଡ଼ାର ବିଶିଷ୍ଟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନ ଏଠାରେ ସଙ୍ଗୀତ ଶିକ୍ଷକ ଥିଲେ ଓ ପ୍ରଖ୍ୟାତ ଗାୟକ ଶ୍ରୀ ବାଳକୃଷ୍ଣ ଦାସ ଏଠାରେ ସଙ୍ଗୀତ ଶିକ୍ଷା ଓ ସଙ୍ଗୀତ ସମାଜର ଚିଠିପତ୍ର ନିଆଅଣା କରୁଥିଲେ । ସଙ୍ଗୀତଜ୍ଞ ଶ୍ରୀ ଶ୍ୟାମସୁନ୍ଦର ଧୀର ମଧ୍ୟ ଶିକ୍ଷା ଦେଉଥାଆନ୍ତି । ଅକାଳରେ ଲକ୍ଷ୍ମୀକାନ୍ତ ଚୌଧୁରୀ ଦେହତ୍ୟାଗ କଲେ । ପରେ ତାଙ୍କ ପ୍ରତିଷ୍ଠିତ ସଙ୍ଗୀତ ସମାଜ କାଠଯୋଡ଼ି କୂଳରେ ଗୋଟିଏ ଘରେ କେତେବର୍ଷ ଚାଲିଲା । ସିଂହାରୀ ଶ୍ୟାମସୁନ୍ଦର କର ଏହାର ଶିକ୍ଷକ ଥିଲେ । ଏବେ ଏହି ଅନୁଷ୍ଠାନ କାଠଯୋଡ଼ି କୂଳରେ ଗୋଟିଏ ଭଡ଼ା ଘରେ ଅବସ୍ଥାପିତ ହୋଇଅଛି । ଶ୍ରୀ ଭୂପେନ ଘୋଷ ଏହାର ସମ୍ପାଦକ ଅଛନ୍ତି ।

 

ପ୍ରଥମ ଏକାଙ୍କିକା :

 

ଉତ୍କଳ ସାହିତ୍ୟ ସମାଜର ସପ୍ତାହବ୍ୟାପୀ ସାହିତ୍ୟ ସପ୍ତାହ ମହାସମାରୋହରେ ପାଳିତ ହେଲା । ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ସାହିତ୍ୟ ସମାଜର ଜଣେ ବିଶିଷ୍ଟ କର୍ମକର୍ତ୍ତା ଥାଆନ୍ତି । ଶ୍ରୀମତୀ ସରଳା ଦେବୀ ସମ୍ପାଦିକା ଥିଲେ । ତାଙ୍କର ଅକ୍ଳାନ୍ତ ଶ୍ରମ ଓ ପ୍ରଚେଷ୍ଟାରେ ଏହି ସାହିତ୍ୟ ସପ୍ତାହ ପ୍ରତିପାଳିତ ହେଲା ।

 

୧୯୪୧ ନଭେମ୍ବର ମାସରେ ‘ଜୀବିତ ତର୍ପଣ’ ନାମକ ମୋର ଗୋଟିଏ ଏକାଙ୍କିକା ଏହି ଉପଲକ୍ଷେ ମଞ୍ଚସ୍ଥ କରାଗଲା । ଏତେବେଳକୁ ଉତ୍କଳ ସାହିତ୍ୟ ସମାଜଦ୍ୱାରା ମୋତେ ‘ନାଟ୍ୟାଚାର୍ଯ୍ୟ’ ଉପାଧି ଏବଂ ସ୍ୱର୍ଗତ ନାଟ୍ୟକାର ଅଶ୍ୱିନୀକୁମାର ଘୋଷଙ୍କୁ ‘ନାଟ୍ୟ ରତ୍ନାକର’ ଉପାଧି ଦିଆ ହୋଇଥାଏ ।

 

ଅଳ୍ପକାଳ ପୂର୍ବରୁ ବାଙ୍କାବଜାର ବସା ଛାଡ଼ି ଜଗନ୍ନାଥବଲ୍ଲଭ ବସାକୁ ଭଡ଼ାରେ ନେଇ ସେହି ଘରେ ଦଳ ସହ ରହିଥିଲି ।

 

ବାଙ୍କାବଜାରରେ ପ୍ରତିଶୋଧ ନାଟକ ମଞ୍ଚସ୍ଥ ହେବା ପରେ ମୋର ସାକ୍ଷିଗୋପାଳ ନାଟ୍ୟସଂଘ ଏହିଠାରେ ଜଗନ୍ନାଥବଲ୍ଲଭ ମଠସାମନା ପଡ଼ିଆରେ ପାଲବନ୍ଧା ପେଣ୍ଡାଲରେ ନାଟକ ଅଭିନୟ ପ୍ରଦର୍ଶନ କରୁଥାଏ । ‘ଆଖିର ଦେଖା’ ଏହି ମଞ୍ଚର ସଫଳ ଅଭିନୟ । ଏହି ବହିଟି ସାକ୍ଷିଗୋପାଳ ନାଟ୍ୟ ସଂଘର ଶେଷ ରାସ । ନଗେନବାବୁ ବାଙ୍କିରେ ଥିବାବେଳେ ‘ଆହୁତି’ ନାମରେ ଖଣ୍ଡିଏ ସାମାଜିକ ନାଟକ ମୁଁ ଲେଖି, ସେଇଠି ଅଭିନୟ ଦିଆଯାଇଥିବା କଥା କହିଛି । ଏହା ମୋର ଦ୍ୱିତୀୟ ସାମାଜିକ ନାଟକ ଲେଖା । ସେଇ ‘ଆହୁତି’ର ପାଣ୍ଡୁଲିପି ସଂଶୋଧନ ଓ ସମ୍ମାର୍ଜନ କରି ଜଗନ୍ନାଥବଲ୍ଲଭ ବସାରେ ରିହର୍ସେଲ ଦେବା ଆୟୋଜନ କଲି, ‘ଆଖିର ଦେଖା’ ପରେ । ତା’ଛଡ଼ା ‘‘ଗାର୍ଲସ୍କୁଲ’’ ଲେଖା ଆରମ୍ଭ କରିଦେଲି । ରାସରୁ ମନ ବଦଳିଗଲା । ପ୍ରାୟ ଛ’ମାସ ମଝିରେ ପରିବର୍ତ୍ତିତ ନାଟ୍ୟଦଳ ଗଢ଼ା ଆୟୋଜନ ଚାଲିଲା । ରାସଦଳ ଇତି ହେଲା ।

 

ଆଗପଛ :

 

ଆଖି ଦି’ଟା ଅଛି । ସେ ଖାଲି ବିଧାତାର ଗଢ଼ା ଏ ସୃଷ୍ଟିଟା ଦେଖିବାକୁ ସିନା, କିନ୍ତୁ ଆଗ ଆଡ଼ଟା ଜୀବନର ଅଦୃଶ୍ୟ ।

 

ମୁଁ ଚାକିରି କରୁଥିଲି । ଚାକିରି ଛାଡ଼ି ଏ ନାଟ୍ୟଦଳ ମୋତେ ଗଢ଼ାଇଲା କିଏ ? ମୁଁ କଅଣ ଜାଣିଥିଲି ଯେ ମୁଁ ଗୋଟାଏ ରାସଦଳ ଗଢ଼ିବି ?

 

ଆଗରୁ ଠ’ ଠା’ ଠି’ କରି ରାସଦଳ ଗଢ଼ୁଥିଲି–ଭାଙ୍ଗୁଥିଲି । ପୁରୀକୁ ଆସି ସେ ଅମଳ ବେଶି କରି ଘାରିଲା । ପହିଲେ ଶ୍ରୀ ପଦ୍ମଚରଣ ରାୟଙ୍କ ସହିତ ୧୯୨୬ ବେଳକୁ ଦଳଗଢ଼ାର ଉଦ୍ୟମ ହେଲା । ସେ ଦଳ ଭାଙ୍ଗିଲା । ପୁଣି ଆକସ୍ମିକ ଭାବେ ଗୋପାଳ ଗୋସାଇଁ ଓ ବାସୁଦେବ ମହାପାତ୍ରଙ୍କ ସଙ୍ଗେ ଦଳ ଗଢ଼ାହେଲା । କଥାରେ ଯାହା କହନ୍ତି–‘‘ତିନି ଭାଗୁଆଳି କାକୁଡ଼ି ବାରି’’–ସେ କେବେ ତିଷ୍ଠିପାରେ ନାହିଁ । ସେଇଆ ହେଲା । ସେଇଠୁ ଏକୁଟିଆରେ ଦଳ ଗଢ଼ିଲି । ଏ ଦଳର ନାଆଁ ଦେଲି ‘ସାକ୍ଷିଗୋପାଳ ନାଟ୍ୟସଂଘ’ । ବାସ୍ତବ ବ୍ୟବସାୟୀ ଦଳଗଢ଼ା ଏଇଠୁ ହେଲା–୧୯୨୯ ସାଲରେ । ରଚିତ ଓ ଅଭିନୀତ ହେଲା ବନ ବିହାର, କୌତୁକ ଚିନ୍ତାମଣି, ବିଦ୍ୟାବଳୀ, ବାଂଶରୀ ବିଳାସ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, ପ୍ରୀତି ସୁଧାକର, ଗୀତଗୋବିନ୍ଦ, ମାନିନୀ ଓ ଆଖିର ଦେଖା ପ୍ରଭୃତି । ଏଗୁଡ଼ିକ ଶ୍ରୀକୃଷ୍ଣଲୀଳା ବର୍ଣ୍ଣିତ ନାଟକ । ଚମ୍ପୂ ଓ ପ୍ରୀତି ସୁଧାକର ନାଟକ ଲେଖିବା ଇଚ୍ଛା ହେଲା–ଆମର ପୂର୍ବସୂରୀମାନଙ୍କ ସଙ୍ଗୀତ ରଚନାମାନ ଲୋକଲୋଚନକୁ ଆଣିବା ମାନସରେ ।

 

ଏଗୁଡ଼ିକ ବହୁଦିନ ସମାଦର ଲାଭକଲା ପରେ, ଆଉ ଗୋଟିଏ ବିଶେଷ କଥା ମନକୁ ଆସିଲା । ଆମ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ତ ପ୍ରଚାର କରିପାରିଲି ନାହିଁ–ଏହା ଭାବି ଗୀତଗୋବିନ୍ଦକୁ ନାଟ୍ୟରୂପ ଦେଲି । ଏ ନାଟକ ମଧ୍ୟ ସମାଦୃତ ଓ ପୁରସ୍କୃତ ହେଲା–ସାହିତ୍ୟ ସମାଜ ପକ୍ଷରୁ ।

 

ମୋ ବିଚାରରେ ଏସବୁକୁ ଠିକ୍ ନାଟକ ବୋଲି କହିହେବ ନାହିଁ । ଗୀତିନାଟ୍ୟ ବା ଗୀତବହୁଳ ନାଟକ ବୋଲି କହିଲେ ବୋଧହୁଏ ଠିକ୍ ହେବ । କାରଣ ଏଗୁଡ଼ିକରେ ସ୍ଥଳ, କାଳ, ପାତ୍ରକୁ ଚାହିଁ ସ୍ୱର ତାଳରେ ରଚିତ ଗୁଡ଼ିଏ ଗୀତ ଖଞ୍ଜା ହୋଇଥିଲା । ଗଦ୍ୟରେ ପାତ୍ରମୁଖୀ ଭାଷା, ବଚନିକା ମଧ୍ୟ ଊଣା ନ ଥିଲା । ନିମ୍ନ ଶ୍ରେଣୀର ରଙ୍ଗରହସ୍ୟ ନ ଥିଲା । ତେଣୁ ଏହାକୁ ଆମ ଦେଶର ଲୀଳା ଯାତ୍ରା ବା ସୁଆଙ୍ଗ ବୋଲି କୁହାଯାଇପାରିବ ନାହିଁ । ସାଧାରଣରେ ଏହା ରାସ ବୋଲାଉଥିଲା । ଏହା ବାସ୍ତବରେ ଗୀତବହୁଳ ମଞ୍ଚୋପଯୋଗୀ ନାଟକ ।

 

ପୂର୍ବକଥିତ ଗୀତବହୁଳ, ଗୀତିନାଟ୍ୟ ଚାଲୁଥିବାବେଳେ ହଠାତ୍ ମୁଁ ଲେଖିବସିଲି ‘ଲକ୍ଷ୍ମୀ’ ନାଟକ । ଏଥିରେ ପୂର୍ବର ଗୀତବହୁଳ ନାଟକର ରୀତି ଏକାବେଳେ ବଦଳିଗଲା । ବ୍ୟବସାୟୀ ନାଟ୍ୟସଂଘ ଗଢ଼ିବା ଆଗରୁ ମୁଁ ଅବଶ୍ୟ ଧ୍ରୁବ, ହରିଶ୍ଚନ୍ଦ୍ର, ଶକୁନ୍ତଳା, ମୃଗୟା ପ୍ରଭୃତି ନାଟକମାନ ଲେଖିଛି । ସେ ଧାରା ରାସଦଳ ଗଢ଼ାବେଳକୁ ବଦଳି ଯାଇଥିଲା । ମୃଗୟା ନାଟକଟି ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ରଚିତ । ଅର୍ଥାତ୍ ପ୍ରତି ଧାଡ଼ିରେ ଆଠ ଅକ୍ଷର ଓ ଛଅ ଅକ୍ଷରରେ ଯତି (ବିରାମ ସ୍ଥଳ) ରଖି ପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ଲେଖାଧାରା ଛାଡ଼ି, ଭାବ ଓ ରସ ପ୍ରକାଶନକୁ ଜଗି ପ୍ରତି ଧାଡ଼ିରେ ଅକ୍ଷର ସଂଖ୍ୟା ଊଣା–ଅଧିକ ଯୋଗାଡ଼ି ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦ ରଚନା କରି ନାଟକ ଲେଖିଲି । ମୃଗୟା ନାଟକ ଅପେକ୍ଷା ଏ ରୀତିକୁ ଅଧିକ ଦୃଷ୍ଟି ଦେଲି ଲକ୍ଷ୍ମୀ ନାଟକରେ । ଏଥିରେ ରାସ (ଗୀତିନାଟ୍ୟ) ଅପେକ୍ଷା ସ୍ଥଳାନୁସାରୀ ଅଳ୍ପ ଗୀତ ଖଞ୍ଜା ହେଲା ।

 

ଏହା ପରେ ‘ପ୍ରତିଶୋଧ’ ଓ ‘ଆହୁତି’ ନାମକ ଦୁଇଖଣ୍ଡି ସାମାଜିକ ନାଟକ ପରୀକ୍ଷାମୂଳକ ଭାବେ ଲେଖିଲି ଓ ଏହା ଲୋକର ରୁଚିକର ହେଲା–ତେଣୁ ମୋର ଉତ୍ସାହ ବଢ଼ିଲା-

 

ସବୁବେଳେ କିଛି ଗୋଟାଏ ନୂଆ ଭିଆଣ କରିବାକୁ ମୋର ମନହୁଏ । ଏହା ସେଇ ଅଦୃଶ୍ୟ ପ୍ରେରଣା ଛଡ଼ା ଆଉ କିଛି ନୁହେଁ ବୋଲି ମୋର ଚିରଦିନ ବିଶ୍ୱାସ ।

 

ନାଟ୍ୟ ଜୀବନରେ ଆସିଲା ଏକ ପରିବର୍ତ୍ତନ । ଏଇ ଅଦୃଶ୍ୟ ପ୍ରେରଣା ମୋତେ ସାମାଜିକ ନାଟକ ଲେଖାଇବା ଓ ବ୍ୟବସାୟୀ ଦଳରେ ପ୍ରଥମ କରି ନାରୀ ଅଭିନେତ୍ରୀ ଯୋଗାଡ଼ି ଅଭିନୟ ପ୍ରଦର୍ଶନ କରାଇବାର ସୁଯୋଗ ଦେଲା ।

 

ଆରମ୍ଭ ହେଲା ଓଡ଼ିଆ ଥିଏଟର୍ସ । ଏହି ବ୍ୟବସାୟୀ ରଙ୍ଗମଞ୍ଚର ପ୍ରଥମ ସାମାଜିକ ନାଟକ–‘ଗାର୍ଲସ୍କୁଲ’ ପରେ ପରେ ଆହୂତି, ଚୁମ୍ବନ, ଚକ୍ରୀ, ପରିବର୍ତ୍ତନ, ଜୟଦେବ, ବନମାଳା, ଅତିବଡ଼ୀ ଜଗନ୍ନାଥ ଦାସ, ରକ୍ତମାଟି, ଦଶଭୁଜା, କମଳା, ହରଣଚାଳ ଓ ଫଟାଭୂଇଁ ଇତ୍ୟାଦି ଇଦ୍ୟାଦି ବହୁ ନାଟକ ୧୯୪୯ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଥିଏଟର୍ସ ଦଳଦ୍ୱାରା ଅଭିନୀତ ହେଲା । ମୋର ଏଇ ଲେଖା ନାଟକଗୁଡ଼ିକ ଛଡ଼ା ଶ୍ରୀ ମନୋରଞ୍ଜନ ଦାସଙ୍କ ରଚିତ ଉପେନ୍ଦ୍ର ଭଞ୍ଜ ଏବଂ ଶ୍ରୀ ନବକୁମାର ଦାସଙ୍କ ଲେଖା ହା’ ଅନ୍ନ ନାଟକ ମଧ୍ୟ ମଞ୍ଚସ୍ଥ କରାଇଥିଲି । ଗୀତଗୁଡ଼ିକ ଲେଖିଥିଲି ମୁଁ-

 

ଅଭ୍ୟାସ :

 

ନାଟକ ମୁଁ ଲେଖେଁ ସତ–ମାତ୍ର ସବୁବେଳେ କେତେକଙ୍କର ମତାମତ, ସମାଲୋଚନା, ପରାମର୍ଶ ଓ ଉପଦେଶକୁ ଆଗ୍ରହ ସହିତ ଗ୍ରହଣ କରେଁ । ଜଣେ କେହି ସବୁଥିରେ ପଣ୍ଡିତ ବା ଜ୍ଞାନୀ ବୋଲି ଆଦୌ ମୋର ବିଶ୍ୱାସ ବା ଧାରଣା ନ ଥାଏ କି ନାହିଁ ।

 

ନାଟକର ପ୍ରଥମ ଦୃଶ୍ୟରୁ ଦର୍ଶକଙ୍କ ମନରେ ଅନ୍ତତଃ ଷୋଳଅଣାରୁ ଚାରି ଛଅଅଣା ହେଲେ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟି କରାଇବାକୁ ମୁଁ ସବୁବେଳେ ସଜାଗ, ସାବଧାନ ଓ ଚେଷ୍ଟିତ ଥାଏଁ-। ମୋ ମତରେ ନାଟ୍ୟାଭିନୟରେ ଏହା ଉଚିତ ବିଚାର ।

 

ଗୋଟିଏ ଦୃଶ୍ୟରେ ପରଦା (ସ୍କ୍ରିନ୍) ପକାଇ ଅନ୍ତରାଳରେ ଘଡ଼ିଏ କାଳ ବାଜା ବଜାଇବା (ଆବହ ସଙ୍ଗୀତ) ଦ୍ୱାରା ଦର୍ଶକ ଆନମନା ହୋଇ ଯାଆନ୍ତି ଓ ନାଟ୍ୟ ବିଷୟର ଧାରା (chain) ରହେ ନାହିଁ ବୋଲି ମୋର ବିଶ୍ୱାସ ।

 

ଏଥିପାଇଁ cover ଓ discover ସିନ୍‌ର ବ୍ୟବସ୍ଥା ପ୍ରଚଳନ ମୁଁ କଲି, ଏବଂ cover ସିନ୍‌ରେ ନାଟ୍ୟ ଉପସ୍ଥାପିତ ବିଷୟର ଧାରା ଯେପରି ପଥଚ୍ୟୁତ ନ ହୁଏ, ତହିଁ ପ୍ରତି ବିଶେଷ ଧ୍ୟାନ ଦେଲି । ସ୍ୱଗତଃ ଓ ଜନାନ୍ତିକେ ପ୍ରଥାକୁ ମୁଁ ଆଦୌ ସମୁଚିତ ମଣିଲି ନାହିଁ । ଏହି ରୀତି ଅନୁସରଣରେ ମୋର ନାଟକଗୁଡ଼ିକ ରଚିତ ।

 

ଜାତୀୟତାଭାବ, ଲୋକସେବା, ଦେଶାତ୍ମବୋଧ, ସମୟର ରୁଚି ଓ ଦେଶଜାତିର ଅବସ୍ଥାକୁ ଜନତା ଆଗରେ ଉପସ୍ଥାପିତ କରିବାଟା ହେଲା ମୋର ନାଟ୍ୟକାର ଜୀବନର ବଡ଼ ଲକ୍ଷ୍ୟ-। ଭାତ, ବେକାର, ରକ୍ତମାଟି, ଫଟାଭୂଇଁ ପ୍ରଭୃତି ନାଟକମାନଙ୍କ ପ୍ରତି ଟିକିଏ ଦୃଷ୍ଟି ଦେଲେ ଏକଥା ସହଜେ ବାରିହେବ ।

 

ନାଟକାଭିନୟ କେବଳ ମନୋରଞ୍ଜନ ବା ରଙ୍ଗରହସ୍ୟ ଉଦ୍ଦେଶ୍ୟରେ ନୁହେଁ, ଲୋକଶିକ୍ଷା ଓ ସଂସ୍କୃତି ସଂରକ୍ଷଣ ଇତ୍ୟାଦିର ଏହା ପ୍ରକୃଷ୍ଟ ପ୍ରଚାର ଏବଂ ପ୍ରସାର ମାଧ୍ୟମ । ନାଟ୍ୟଗୁରୁ ଭରତଙ୍କର ଏହି ମତକୁ ଅନୁସରଣ କରିବା ଲାଗି ମୁଁ ଯଥାସାଧ୍ୟ ଚେଷ୍ଟାକରି ନାଟକମାନ ରଚନା ଓ ଉପସ୍ଥାପନା କରିବାପ୍ରତି ସଜାଗ ଦୃଷ୍ଟି ଦେବା ସମୁଚିତ ବିଚାରିଲି ।

 

ରଙ୍ଗମଞ୍ଚର ପ୍ରେକ୍ଷା–ଗୃହରେ ଦର୍ଶକ ସଂଖ୍ୟା ଯେତେ ଊଣା ଅବା ଅଧିକ ହୁଅନ୍ତୁ ମୁଁ ସେମାନଙ୍କ ମଧ୍ୟରେ ଦୁଇ ସଙ୍ଗାତଙ୍କର ଉପସ୍ଥିତି ଓ ମତାମତ ପ୍ରତି ସବୁବେଳେ ସମ୍ମାନ ଦେଇଥାଏଁ-। ନାଟକର ମଞ୍ଚ ସଫଳତା ଏଇ ଦୁଇ ସଙ୍ଗାତଙ୍କର ମତାମତ ଉପରେ ନିର୍ଭର କରେ ବୋଲି ସବୁବେଳେ ମୁଁ ବିଚାର କରେଁ ।

 

ଏ ଦୁଇ ସଙ୍ଗାତଙ୍କର ମଧ୍ୟରୁ ଜଣେ ଅନ୍ଧ ଓ ଅନ୍ୟ ଜଣକ କାଲ । ଅନ୍ଧ-ନାଟକର ବଚନିକା ଓ ଗୀତ ଇତ୍ୟାଦି ଶୁଣି ଏବଂ କାଲ ଦୃଶ୍ୟସଜ୍ଜା, ଅଭିନୟ ଓ ଭୂମିକା ଅନୁରୂପ ବେଶ ଇତ୍ୟାଦି ଦେଖି ଦୁହିଁଙ୍କ ମଧ୍ୟରେ ଆଲୋଚନା କରୁଥିବେ ଏବଂ ସେମାନେ ଯଦି ନାଟକ ଦେଖି ତୃପ୍ତ ହେବେ, ତେବେ ତାହା ସଫଳ ନାଟକ ବୋଲାଇବ । ନାଟକ ଶ୍ରାବ୍ୟ ଏବଂ ଦୃଶ୍ୟକାବ୍ୟ–ଏହା ମୋର ଦୃଢ଼ ଧାରଣା ।

 

ଦେଶ-କାଳ-ପାତ୍ରକୁ ଚାହିଁ ମୁଁ ରାସଦଳ ପରେ ଓଡ଼ିଶା ଥିଏଟର୍ସ ସଂସ୍ଥା ଆରମ୍ଭ କଲି ୧୯୩୯ ଅର୍ଥାତ୍ ରାସଦଳର ଦଶନ୍ଧି ପରେ ।

 

ଓଡ଼ିଶା ଥିଏଟର୍ସ :

 

ମୁଁ ସେତେବେଳେ ରାସ ଛାଡ଼ି ନାଟକ ଦଳ ଗଢ଼ି ବସିଲି, ସେତେବେଳେ ସଞ୍ଜ ପହରେ ମୋ ବସାରେ ତାସ ଖେଳ ଆଡ଼ା ଚାଲୁଥିଲା । ହାବୁ (ନରେଶ ସରକାର) ସୁଧୀର ସରକାର, ନିମାଇଁ ସିଂହ ଓ ଠିଆ ପ୍ରଭୃତି ସଞ୍ଜକୁ ଆସରକୁ ଆସନ୍ତି ।

 

ତା’ଛଡ଼ା ପ୍ରଥମ ନାଥ ସେନ (କାଲୁ) ଓ କବିରାଜ ରାଧାରମଣ ରାୟ ପ୍ରଭୃତି ପ୍ରାୟ ସବୁଦିନ ଖେଳରେ ଯୋଗ ଦିଅନ୍ତି । ଆଉଜଣେ ବନ୍ଧୁ–ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି ସେତେବେଳେ କମିଶନର ଅଫିସରେ ନାଜର ଥାଆନ୍ତି । ସେ ହାବୁଙ୍କ ଘର ସାମନାରେ ରହୁଥିଲେ । ବଡ଼ ବନ୍ଧୁ ସ୍ନେହୀ, ନାଟ୍ୟପ୍ରେମୀ ଓ ଉପକାରୀ ଲୋକ ସେ । ରାସବେଳୁ ବହୁତ ସାହାଯ୍ୟ କରିଛନ୍ତି ମୋତେ ।

 

ମୋର ଗୋଟାଏ ପ୍ରକୃତି ସେ ଏଇ ନୂଆ ଧରଣର ନାଟକ ଲେଖିବାବେଳେ ପୂର୍ବୋକ୍ତ ବନ୍ଧୁମାନଙ୍କ ଭିତରୁ ଅନେକଙ୍କୁ ପଢ଼ି ଶୁଣାଏଁ ଓ ସେମାନଙ୍କର ଟୀକାଟିପଣୀ ବା ମନ୍ତବ୍ୟକୁ ସମ୍ମାନ ଦିଏଁ ।

 

ମୁଁ ଏ ନୂଆ ଭିଆଣଟାଏ କରିବାକୁ ସାହସ କରିଛି । ସାମାଜିକ ନାଟକ–ତା’ ପୁଣି ବ୍ୟବସାୟୀ ମଞ୍ଚରେ ଯୁବକ ଯୁବତୀଙ୍କୁ ଘେନି ଅଭିନୀତ କରାଇବା ପ୍ରଚେଷ୍ଟା ମୋର । ଓଡ଼ିଶାରେ ଏ ଏକ ସମ୍ପୂର୍ଣ୍ଣ ଅଭିନବ ପଦକ୍ଷେପ । ସପକ୍ଷେ ବିପକ୍ଷରେ କେତେ ଲୋକ କେତେ ମତାମତ ଦିଅନ୍ତି । ସେ ସବୁକୁ କାନରେ ଶୁଣେଁ, ମାତ୍ର ମୁଁ ମୋ କାମରେ ଆଗେଇ ଚାଲେଁ ।

 

ଭାରି ଅର୍ଥ ଅଭାବବେଳେ । ପୁରୀରେ ମୁଁ ଯେଉଁ ସଙ୍ଗୀତ ପ୍ରଭା ଛାପାଖାନାଟି କରିଥିଲି, ତାକୁ ମୋ ଦାଦାଙ୍କ ପୁଅ ଭାଇ ପାର୍ବତୀ ସେଠାରେ ଚଳାଉଥିଲା । ନାନା କାରଣରୁ ସେ ପାରିଲା ନାହିଁ । କ୍ଷତି ହେଲା । ପ୍ରେସଟିକୁ ମୁଁ ରାସଦଳ ଭାଙ୍ଗିଯିବା ପରେ କଟକରୁ ଅଣାଇଁ ଏଇ ଜଗନ୍ନାଥବଲ୍ଲଭ ଘରେ ‘କାଳୀ ପ୍ରେସ’ ନାଆଁ ଦେଇ ଚଳାଇବା ଆରମ୍ଭ କଲି । ବାହାରର ଅତି ଅଳ୍ପ କାମ ପାଉଥାଏଁ, ମୋ ବାଲ୍ୟବନ୍ଧୁ ଚକ୍ରଧର ମିଶ୍ରଙ୍କର ସିନେମା କମ୍ପାନୀଟିଏ ଚାଲୁଥାଏ । ତାଙ୍କ ହ୍ୟାଣ୍ଡବିଲ୍ ତକ ଛାପେଁ, ଏଇ ପ୍ରେସରେ । ଲେଖିବସିଲି ‘ପିଲାଙ୍କ ସଙ୍ଗୀତ ଶିକ୍ଷା’ । ଦାଶରଥୀ ପୁସ୍ତକାଳୟ ଏହା ପ୍ରକାଶ କଲେ ।

 

ଆଉ ଖଣ୍ଡିଏ ବହି ଲେଖିଲି–‘ସଙ୍ଗୀତ ଓ ହାର୍‍ମୋନିୟମ ଶିକ୍ଷା’ । ଅନେକ ରାଜରାଜୁଡ଼ାଙ୍କ ସହିତ ମୋର ଜଣାଶୁଣା ଓ ସଦ୍‌ଭାବ ଥାଏ । ମୁଁ ପୁଣି ବଡ଼ାମ୍ବା (ଗଡ଼ଜାତ)ରେ ଜନ୍ମ । ବଡ଼ାମ୍ବାରେ ଥିବା ମୋହନ ଦାସଙ୍କ ପୁଅକୁ ମୁଁ ପୁରୀରେ ରଖିଥିଲି ମୋ ପାଖରେ । କାଳୀପ୍ରେସ କଟକ ଆଣିବାରୁ ସେ ବାଙ୍କିରେ ମୋର ନୂଆକରି ତୋଳା ଘରରେ ରହିଲା । ମୋ ସ୍ତ୍ରୀ ସେଠି ମଧ୍ୟ ରହନ୍ତି । ପାର୍ବତୀକୁ ଇତି ମଧ୍ୟରେ ମୁଁ ଖଲ୍ଲିକୋଟରେ ରାମଚନ୍ଦ୍ର ପଟ୍ଟନାୟକଙ୍କ ଝିଅ ସହିତ ବିବାହ କରାଇ ଦେଇଥାଏଁ । ସଙ୍ଗୀତ ଓ ହାରମୋନିୟମ ଶିକ୍ଷା ବହିଟି ଲେଖି ତା’ର ପାଣ୍ଡୁଲିପି ନେଇ, ବଡ଼ାମ୍ବାରେ ପହୁଞ୍ଚି ରାଜାଙ୍କୁ ଭେଟିଲି । ସେତେବେଳେ ରାଜା ଥିଲେ ସ୍ୱର୍ଗର ନାରାୟଣ ବୀରବର ମଙ୍ଗରାଜ ମହାପାତ୍ର । ଅତି ସରଳ, ସୁଚରିତ୍ର ଓ ଜଗନ୍ନାଥ ଭକ୍ତ ସେ । ଖଣ୍ଡିଏ ଧୋତି, ଗେଞ୍ଜି ଆଉ ଖଣ୍ଡିଏ ମାଣିଆବନ୍ଦୀ ଚାଦର ତାଙ୍କର ପରିଧାନ । ପାଦରେ, ବଡ଼ାମ୍ବାଗଡ଼ ମୋଚିସାହିର ତିଆରି ଚଟିଜୁତା ହଳେ । ଏହି ବେଶରେ ମଧ୍ୟ ସେ କଚେରିକୁ ଯିବାଆସିବା କରନ୍ତି-। ବଡ଼ାମ୍ବା ପ୍ରଜାଏ ତାଙ୍କୁ ଦେବତା ପରି ମାନନ୍ତି, ଭକ୍ତି ଓ ଶ୍ରଦ୍ଧା କରନ୍ତି ।

 

ବଡ଼ାମ୍ବାରେ ପହୁଞ୍ଚି ଆଗେ ରାଜମାତା (ସ୍ୱର୍ଗତ ବିଶ୍ୱମ୍ବର ମଙ୍ଗରାଜଙ୍କ ରାଣୀ ମୋତେ ଯେ ପୁଅ ପରି କରିଥିଲେ) ଙ୍କୁ ମୁଣ୍ଡିଆ ମାରିଲି । ଆଦର କରି, କେତେ ପଛକଥା ଭାଳି କାନ୍ଦିଲେ ସେ, ମୁଁ କାନ୍ଦି ରହିପାରିଲି ନାହିଁ । ଏଇମିତି ‘କନ୍ଦାକଟା’ ମିଳନବେଳେ ରାଜା ନାରାୟଣ ମଙ୍ଗରାଜେ ନଅର ଭିତରେ ତାଙ୍କ ମାମାଙ୍କ ପାଖରେ ପହୁଞ୍ଚି ମୋତେ ସେଠାରେ ଦେଖିଲେ । ଅପାସୋରା ସେଦିନର ଘଟଣା । ଲୁହ ପୋଛି ରାଜାଙ୍କ ସହିତ ଦୋତାଲା ଉପରକୁ ଗଲି । ଅନେକ ନୂଆ ପୁରୁଣା କଥା ପଡ଼ିଲା । ଶେଷକୁ ‘ସଙ୍ଗୀତ ହାର୍‍ମୋନିୟମ ଶିକ୍ଷା’ ବିହାର ପ୍ରକାଶ ପାଇଁ କହିଲି । ରାଜା ଆନନ୍ଦରେ ସ୍ୱୀକୃତ ଦେଇ ତାଙ୍କର ଖଣ୍ଡିଏ ଫଟୋ ଦେଲେ ବହିରେ ତାହାର ଛାପା ରହିବାକୁ-

 

ଦୁଇଦିନ ବଡ଼ାମ୍ବା ଘରେ ରହିଲି । ସେଠା ଜମିବାଡ଼ିର ଖବର ବାପା ବା ମୁଁ କେବେ କେହି ନେଇ ନାହୁଁ । ବଡ଼ାମ୍ବାଗଡ଼ର ଜଣେକେତେ ମୋର ହିତାକାଂକ୍ଷୀ ବନ୍ଧୁ ମୋତେ କହିଲେ ଯେ ବଡ଼ାମ୍ବାରେ ମୋର ଆଉ ଛୁଞ୍ଚି ମୁନର ସମ୍ପତ୍ତି ନାହିଁ, ସବୁ ମୋହନଦାଦା ତାଙ୍କ ନାଆଁରେ କରାଇ ନେଇଛନ୍ତି । ବିଶ୍ୱାସ ନ କରି ମୁଁ ଖାଇବସିବାବେଳେ ଅମ୍ବିକା (ଦାଦାଙ୍କ ବଡ଼ପୁଅ) କୁ ଏକଥା ପଚାରିଲି । ସେତେବେଳକୁ ଆମ ଘରର ହଳିଆ ସାରଥିଆ ପାଖରେ ଛିଡ଼ା ହୋଇଥାଏ । ଅମ୍ବିକା ପ୍ରଥମେ ଥଙ୍ଗମଙ୍ଗ ହୋଇ, ପରେ ସତ କଥାଟା କହି ପକାଇଲା ଏବଂ ରାଜାଙ୍କୁ କହି ପୁଣି ମୋ ନାମ ଦରଜ କରାଇବା ପ୍ରସ୍ତାବ ମଧ୍ୟ ଦେଲା । ସବୁ ଶୁଣିସାରି ମୁଁ କହିଲି ଯେଉଁ ଦାଦାଙ୍କୁ ବାପା ଏତେ ସୁଖ ପାଉଥିଲେ ଓ ତାଙ୍କୁ ସେ ଷ୍ଟେଟର ତହବିଲ ଟଙ୍କା ନିଜେ ଖର୍ଚ୍ଚ କରି ଦେବାବେଳେ ବାଙ୍କିରୁ ଟଙ୍କା ପଠାଇ ସାହାଯ୍ୟ କରିଥିଲେ ସେ ଟଙ୍କା ଆଣିଦେବାର ସାକ୍ଷୀ ସାରଥିଆ ଏଇଠି ଅଛି-। ସେ ଯଦି ବିଶ୍ୱାସଘାତକତା କରିଛନ୍ତି, ତେବେ ରାଜାଙ୍କୁ ମୁଁ କହି ପୁଣି ମୋ ନାମରେ ଏଠା ସମ୍ପତ୍ତିରୁ ଭାଗ ନେବାକୁ ଚାହୁ ନାହିଁ । ଭାତଗୁଣ୍ଡା ଛୁଇଁ ମୁଁ ହଲପ କରୁଛି ସେ ସମ୍ପତ୍ତି ତୁମେମାନେ ଭୋଗକର । ମୋ ଲାଗି ଧର୍ମ ଅଛି ।

 

ଅଧାଖିଆ ହୋଇ ଭାତ ଥାଳିରୁ ଉଠିଲି । ଲୁହରେ ଆଖି ପୂରି ଉଠିଲା । ସଞ୍ଜବେଳେ ଉଆସକୁ ଯାଇ ଜଗନ୍ନାଥ ଦର୍ଶନ କଲି । ଆଉ ପାଇବି କି ନାହିଁ ଭାବି ଦିଅଁଙ୍କ ଭୋଗ ବିଶ୍ୱମ୍ଭରବଲ୍ଲଭ ଖଜା ଖାଇ, ମୁଣ୍ଡିଆମାରି ଫେରିଲି । ରାଜା ବା ମାଆମଣିମାଙ୍କୁ ଏକଥା କିଛି କହିଲି ନାହିଁ । କେବଳ ତହିଁ ଆରଦିନ ସକାଳେ କଟକ ଫେରି ଯିବି ବୋଲି ରଜାଙ୍କୁ ଜଣାଇଲି । ରାଜା ମୋଟରକାର ବରାଦ କରିଦେଲେ ମୋତେ ରାଜ ଆଠଗଡ଼ ଷ୍ଟେସନରେ ଛାଡ଼ିଦେଇ ଆସିବାକୁ । ବାଟରେ ଧୋବଣୀନାଳ ବୋଲି ବଡ଼ାମ୍ବା ଆଉ ତିଗରିଆ ମଝିରେ ନାଳଟିଏ ପଡ଼େ । ଖରାଦିନ, ଝିରି ଝିରି ହୋଇ ଅଳ୍ପ ପାଣି ସେ ନାଳରେ ଚାଲିଥାଏ । ସଡ଼କକୁ ଟିକିଏ ଛଡ଼ାରେ ଗୋଟିଏ ଆମ୍ବଗଛରେ ଛୋଟ ଛୋଟ କଷି ଧରିଥାଏ । ଗଛମୂଳରେ ନାଳକୁ ଯିବା ଏକପଦୀ ବାଟ । ଡ୍ରାଇଭର୍ ପୋଖରୀପାଣି ବୋଲି କହି, ସେଇ ଗଛ ଛାଇରେ ଗାଡ଼ିଥୋଇ ଦେଇଗଲା । ମୁଁ ଗାଡ଼ିରେ ବସି ବଡ଼ାମ୍ବା ଘରକଥା ଭାବୁଥାଏଁ । ଗଛ ଉପରେ କୋଇଲିଟାଏ କୁହୁକୁହୁ ଡାକୁଥାଏ । ଏତିକିବେଳେ ପାଖ ଗାଆଁର ଅଳ୍ପବୟସୀ ବୋହୂଟିଏ ଗାଧୋଇସାରି ଓଦା ଲୁଗାରେ ପାଣି ଗରାଟିଏ କାଖେଇ ନାଳରୁ ଉପରକୁ ଉଠି ଆସି ଦେଖିଲା–ଗଛମୂଳ ବାଟକୁ ଲାଗି ମୋଟର ଗାଡ଼ିଟିଏ ରହିଛି । ତା’ ଭିତରେ ଜଣେ ମରଦ ବସିଛି । ବିଚାରୀ ସେଇଠି ଓଢ଼ଣା ଟାଣି ଠିଆ ହୋଇ ରହିଲା । ଆଗକୁ କି ପଛକୁ ଯାଇ ନାହିଁ । ମୋର ବଡ଼ାମ୍ବାର ଚିନ୍ତା ଭାଙ୍ଗି ଯାଇ ତା’ ଉପରେ ନଜର ପଡ଼ିଲା । ଡ୍ରାଇଭରଟା ବେଗେ ମଧ୍ୟ ଫେରୁ ନାହିଁ କି ଗାଆଁ ବୋହୂଟି ଆଗକୁ ଆଗେଇପାରୁ ନାହିଁ । ଗୋଟିଏ ଗୀତ ଲେଖିଲି ବସି ବସି ଏଇ ଭାବନାରେ । କିଛି ଅଂଶ କହୁଛି–

 

‘ସେ ନହୁଲୀ ବୟସୀ ଛଇଳା,

ନଈକୂଳେ, ଗଛମୂଳେ କାହିଁକି ଚାହିଁଲା ରେ ।୦ ।

ଅମାନିଆଁ ପବନଟା ବହି ଶିରି ଶିରି

ଫୁଟାଇଲା ତା’ ଛାତିରେ ପଦ୍ମଫୁଲ କଢ଼ିରେ

କୋଇଲିଟା ଥିଲା ଚାହିଁରେ,

ଟାହିକଲା ଆମ୍ବଡ଼ାଳୁ ତୁହାଇ ତୁହାଇ ରେ

କୁହୁ କୁହୁ କୁହୁ କହି ରେ । ୧ ।

 

(ଏ ଗୀତର ସବୁ ପଦ କବିଚନ୍ଦ୍ର ଗୀତାବଳୀରେ ପ୍ରକାଶିତ)

 

ଡ୍ରାଇଭର୍ ଆସିବାବେଳକୁ ଗୀତ ଲେଖା ସରିଥାଏ । ଗାଡ଼ି ଷ୍ଟାର୍ଟ କରି ରାଜ ଆଠଗଡ଼ ଷ୍ଟେସନକୁ ଚାଲିଲୁଁ । ମୁଁ ବସି ବସି ଗୀତର ଗୋଟିଏ କପି କରିଦେଲି । ମୋ ପାଖେ ସେତେବେଳକୁ ଥାଏ ମାତ୍ର ତିନୋଟି ଟଙ୍କା । କଟକକୁ ତ ରେଳଭଡ଼ା ହୋଇଯିବ, ତେଣିକି ଦେଖାଯିବ ବୋଲି ଭାବୁଥାଏଁ । ଗାଡ଼ି ଷ୍ଟେସନରେ ପହଞ୍ଚିଲା । ମୁଁ ଡ୍ରାଇଭର୍‌କୁ କିଛି ଦେଇ ବିଦାୟ କରିବାକୁ ଶକ୍ତି ନ ଥାଏ ବୋଲି ମନେ ମନେ ବଡ଼ ଦୁଃଖ କଲି । ଡ୍ରାଇଭର୍ ହାତରେ ଗୀତଟି ଓ ଖଣ୍ଡିଏ ଚିଠି ରାଜାଙ୍କ ପାଖକୁ ଲେଖି ବଢ଼ାଇ ଦେଲି । ଡ୍ରାଇଭର୍ ମୋତେ କୋଟିଏଟି ଟଙ୍କା ଦେଇ କହିଲା, ‘‘ଛାମୁରୁ ଦିଆ ହୋଇଛି । ଆପଣଙ୍କୁ ଷ୍ଟେସନରେ ଦେବାକୁ ହୁକୁମ କରିଥିଲେ ।’’ ଆଖିରେ ଲୁହ ଭରିଗଲା ମୋର ଜଗନ୍ନାଥଙ୍କ କରୁଣା ସୁମରି । ଡ୍ରାଇଭର୍ ହାତକୁ ପାଞ୍ଚଟଙ୍କା ଦେଇ ବିଦାୟ ଦେଲି ।

 

ଷ୍ଟେସନ୍ ପ୍ଲାଟଫର୍ମରେ ଗାଡ଼ିକୁ ଅପେକ୍ଷା କରି ବୁଲଚାଲ କଲି । ସେତେବେଳେ ଷ୍ଟେସନ୍ ଆରପଟ ଥାଏ ବଣ । ସେଇ ବଣ ଭିତରେ ଦେଖିଲି–ହରିଣୀଟିଏ ତା’ ଛୁଆକୁ ଚାଟୁଛି । କି ଅପୂର୍ବ ସେ ସ୍ନେହର ଚୁମ୍ବନ !

 

ଭାବୁଭାବୁ ଗାଡ଼ି ଆସିଲା । ଟିକଟ୍ କାଟି ଗାଡ଼ି ଚଢ଼ିଲି । ବାଟଯାକ ମିରିଗର ସେହି ଚୁମ୍ବନ ମନେପଡ଼ୁଥାଏ । ଭାବୁଥାଏଁ ଏ ଚୁମ୍ବନ କେଡ଼େ ସ୍ୱର୍ଗୀୟ !

 

ଗାଟି କଟକ ଷ୍ଟେସନରେ ପହଞ୍ଚିଲା । ଖଣ୍ଡିଏ ଘୋଡ଼ାଗାଡ଼ିରେ ଛ’ଅଣା ଭଡ଼ାଦେଇ ଜଗନ୍ନାଥବଲ୍ଲଭ ବସାକୁ ଆସିଲି ।

 

ମୋ ଛାପାଖାନାରେ ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା ଛାପାହେବାର ବ୍ୟବସ୍ଥା କଲି ।

 

ଖୋଜା ହେଉଥାଏ ଓଡ଼ିଶା ଥିଏଟର୍ସ ପାଇଁ ଅଭିନେତା ଓ ଅଭିନେତ୍ରୀ । ରାସଦଳର ଦୁର୍ଲ୍ଲଭ ଚନ୍ଦ୍ର ସିଂହ, ହରିହର ରାଉତ, ହରିର ସାନଭାଇ ମାୟା, ଧଡ଼ିଆ ଏବଂ ଆଉ କେତେଜଣ ଥାଆନ୍ତି ।

 

ବାବି (ସାମୁଏଲ ସାହୁ), ପୀର (ପ୍ରିୟନାଥ ମିଶ୍ର) ରାଧାଶ୍ୟାମ ମହାନ୍ତି, ବୀର ଚଉଧୁରୀ ଓ ସେତେବେଳେ ଛୋଟ ଛୋଟ ବହି ବିକୁଥିବା କୃଷ୍ଣଚନ୍ଦ୍ର ପାଣ୍ଡେ, ପୂର୍ଣ୍ଣସିଂହ, ଅଧର ମହାପାତ୍ର (ବିମ୍ବାଧର) ବୁଢ଼ା ଚଉଧୁରୀ (ସେତେବେଳେ ସ୍ୱର୍ଗତ ମାଗୁଣି ମିଶ୍ରଙ୍କ ଦେଶବନ୍ଧୁ ମେଡ଼ିକାଲ୍ ହଲର ବିଲ୍ ଆଦାୟ କରୁଥିଲେ) ଏବଂ ମେନା, ସର ଓ ଶୈଳ ପ୍ରଭୃତି କେତେକ ଯୁବତୀଙ୍କୁ ଦଳରେ ଗ୍ରହଣ କରି ଗୀତ ଓ ଅଭିନୟ ଇତ୍ୟାଦି ଶିଖାଇବାରେ ଲାଗିଲି । କାଳୀଗଳି ଯିବା ବାଟ ଗଣେଶ ମନ୍ଦିର ସାମନାପଟ କୁଳମଣିର । ଭଉଣୀ ମେନା (ମାନଦା) ପ୍ରଥମେ ନାରୀ ଅଭିନେତ୍ରୀ ହେବାକୁ ଯୋଗ ଦେଲା ।

 

‘ଗାର୍ଲସ୍କୁଲ’ ଲେଖା ଥାଏ । ‘ଆହୁତି’ ଶିଖାଉଥାଏଁ । ଏହି ସମୟରେ ଡୋମପଡ଼ା ରାଜାଙ୍କର ଡାକରା ପାଇଲି, ଗୋଟିଏ ବିବାହ ଉତ୍ସବରେ । କାଳିକାପ୍ରାସାଦରେ ଗୋଟିଏ ରାତି ଅଭିନୟ କରିବାକୁ ପଡ଼ିଲା । ସେଠାରେ ରାଜାଙ୍କ କୋଠି ଆଗରେ ଗୋଟିଏ ପଡ଼ିଆରେ ତମ୍ବୁ ପକାଇ ଆମେ ସବୁ ରହିଲୁଁ । ମନେଅଛି, ରାଜାଙ୍କ ଲୋକେ ସାଧାରଣ ଚୁଡ଼ା, ଉଖୁଡ଼ା, ଦହି ଦେଇଯିବାରୁ ମୁଁ ଅଭିମାନରେ ଫିଙ୍ଗି ଦେଇଥିଲି । ରାଜା ଏକଥା ଶୁଣି ତାଙ୍କ ଯୋଗାଣିଆ ଲୋକଙ୍କ ଉପରେ ବିରକ୍ତ ହୋଇ ଉପଯୁକ୍ତ ଜଳଖିଆ ବରାଦ କଲେ । ଆହୁତି ନାଟକ ଅଭିନୀତ ହେଲା । ଦେଖଣାହାରିଏ ପସନ୍ଦ କଲେ । ଜୀବିତ ତର୍ପଣ ମଧ୍ୟ ଏଇଠି ଅଭିନୀତ ହେଲା । ଏଥର ସାମାଜିକ ନାଟକ ଲେଖି ମଞ୍ଚସ୍ଥ କରିବାର ସାହସ ବଳିଲା ।

 

କଟକ ଫେରି, ଦଳ ବଢ଼ାଇବାର ଚେଷ୍ଟା ଚାଲିଲା । କେତେକ ଯୁବକ ଓ ଯୁବତୀ ଦଳରେ ଆସି ଯୋଗ ଦେଲେ । ମଞ୍ଚକୁ ସଭିଏଁ ନୂଆ । ମାଟି ଚକଟି ଗଢ଼ିବାକୁ ହେବ । କିଏ କେଉଁ ଅଂଶ ନେବାକୁ ଉପଯୁକ୍ତ ହେବ, ସେତକ ବାଛିବାକୁ ମୋତେ ନାନା ଉପାୟ ଭାବି ଠିକଣା କରିବାକୁ ଉପଯୁକ୍ତ ହେବ, ସେତକ ବାଛିବାକୁ ମୋତେ ନାନା ଉପାୟ ଭାବି ଠିକଣା କରିବାକୁ ହେଉଥାଏ । ଏଥିରେ ପୁଣି ଅନେକ ମହଲରେ ମୁଁ ନିନ୍ଦାର ପାତ୍ର ହେଲି, ଯୁବତୀମାନଙ୍କୁ ନେଇ ଦଳ ଗଢ଼ିବାର ଯୋଗାଡ଼ କରୁଥିବାରୁ । ଏପରିକି ଠାଏ ଠାଏ ‘ହାଡ଼ୁଆ’ ଉପାଧିର ଅଧିକାରୀ ହେଲି ମୁଁ । ମାନ ଅପମାନକୁ ଖାତିର ନ କରି ନାଟ୍ୟଶାସ୍ତ୍ରରେ ଭରତମୁନିଙ୍କ ‘ସମବକାର’ ମଞ୍ଚସ୍ଥ ହେବା ପରେ କୌଶିକ ବୃତ୍ତି ସଂଯୋଗ ଓ ଅପସରାମାନଙ୍କ ସହଯୋଗ କଥା ଭାବି ପୁରୁଷ–ସ୍ତ୍ରୀ ବା ଯୁବତୀ ସହଯୋଗରେ ଦଳ ଗଢ଼ିବାର ଦୃଢ଼ତା ରଖିଲି ମନରେ ।

 

ଧୀରେ ଧୀରେ ଯୁବତୀମାନେ ଆଗେଇ ଆସିଲେ । ଏଥିମଧ୍ୟରେ ନିରାଶ୍ରୟା ଓ ବାରବନିତା ମଧ୍ୟ ଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କାହାରି କାହାରିଠାରୁ କେତେକ ଯୁବତୀଙ୍କର ସମ୍ବାଦ ଓ ସନ୍ଧାନ ମିଳିଲା । ଯେଉଁମାନଙ୍କୁ ଦଳରେ ଗ୍ରହଣ କଲି ସେମାନଙ୍କ ମଧ୍ୟରୁ ଅନେକଙ୍କର ବର୍ଣ୍ଣ–ପରିଚୟ ମଧ୍ୟ ନ ଥିଲା । ତାଙ୍କୁ ପଢ଼ାଇବାକୁ ପଡ଼ିଲା । ସ୍ୱରସାଧନା ପ୍ରାୟ ସମସ୍ତଙ୍କୁ କରାଏଁ ନିତି ରାତି ପାହାନ୍ତାରେ । ପାଠ ପଢ଼ନ୍ତି ଉପରଓଳି । ଅଭିନୟ ଶିକ୍ଷା ସକାଳ ଓ ସନ୍ଧ୍ୟାରେ । ଏହିପରି ସବୁବେଳେ ପ୍ରାୟ ମୁଁ ବ୍ୟସ୍ତ ରହିଲି । ଜଗନ୍ନାଥବଲ୍ଲଭ ବସାଘରେ ଗୋଟିଏ ମେସ୍‌ରେ ସେମାନେ ଖିଆପିଆ କରନ୍ତି, ମୋ ସହିତ ସମାନ ଭାବରେ ।

 

ଦିନେ ଖରବ ପାଇଲି (ବୋଧହୁଏ ଶ୍ରୀ ସଚ୍ଚି ରାଉତରାୟଙ୍କଠାରୁ) ଯେ ବକ୍ସିବଜାର ବଣିଆ ସାହିରେ ଲକ୍ଷ୍ମୀ ରହୁଛି ଜଣେ କେହି ବଣିଆଙ୍କ ବାହୁଛାୟାରେ । ତା’ର ବାପା ମଧ୍ୟ ସେଠି ରହୁଛି । ପୂର୍ବେ ଶ୍ରୀରାମଚନ୍ଦ୍ର ଭବନରେ ରାସ ଅଭିନୟବେଳେ ମୁଁ ଲକ୍ଷ୍ମୀ ଓ ତା’ର ବାପାକୁ ଜାଣିଥିଲି । ପରିଚୟ ପାଇ ବୁଝିଥିଲି ଯେ ଲକ୍ଷ୍ମୀର ବାପା ନରସିଂହପୁରରେ ମୋ ବାପାଙ୍କ ପାଖେ ଚପରାସି ଥିଲା । ପୁଣି ଶୁଣିଥିଲି ଲକ୍ଷ୍ମୀ ଏଠାରେ ଗୋଟିଏ ମ୍ୟାଜିକ ଦଳରେ ରହୁଛି । ଆଉ ବିଶେଷ ଖବର ତା’ର ପାଇ ନ ଥିଲି । ଏବେ ସେ କଟକ ବଣିଆ ସାହିରେ ରହୁଥିବାର ଶୁଣି, ତାକୁ ଦେଖିଆସି ଓ ତା’ର ମୋ ଦଳରେ ରହିବାର ଇଚ୍ଛା ଜାଣି ତାକୁ ଏବଂ ତା’ର ବାପା ବଣିଆ ସାହିରୁ ଅଣାଇନେଲି–ଅବଶ୍ୟ ଏଥିପାଇଁ କେତେକ ଅସୁବିଧା ଉପୁଜିଥିଲା ।

 

ଏହାପରେ ଦିନେ ବାଲେଶ୍ୱରର ସୁବାସ ବୋଲି ଜଣେ ଯୁବକ ଆସି ସେଠାରେ ବାବୁରାମ ଦାସ ନାମକ ଜଣେ ଦୁସ୍ଥ ଗୃହୀ–ବାବାଜୀଙ୍କର ସୁମତୀ ନାମ୍ନୀ ଗୋଟିଏ ଯୁବତୀର ସନ୍ଧାନ ଦେଲେ । ଶୁଣିଲି, ସୁମତୀ ପତି ପରିତ୍ୟକ୍ତା ଓ ପୁତ୍ରବତୀ । ସେ ଗାଇପାରେ, କଣ୍ଠଟି ମଧୁର-। ଓଡ଼ିଶା ଥିଏଟର୍ସରେ ଗାୟିକାର ଅଭାବ ଥିଲା । ମୁଁ ଖଟ୍‌ବିନ୍‌ ସାହିର ମୋ ଦଳରେ ଅଭିନେତା ରୂପେ କାର୍ଯ୍ୟ କରୁଥିବା ଶ୍ରୀ ମଧୁସୂଦନ ଦତ୍ତ (ମଧୁ ଦତ୍ତ)ଙ୍କୁ ବାଲେଶ୍ୱର ପଠାଇ ସୁମତୀକୁ ଅଣାଇଲି । ତା’ର ପୁଅ ବାଲେଶ୍ୱରରେ ରହିଲା । କଟକରେ ସୁମତୀଠାରୁ ଶୁଣିଲି ମଧୁ ଦତ୍ତ ତାକୁ ତାଙ୍କ ଘରେ ରହିବାକୁ ଫୁସ୍‌ଲାଉ ଥିଲେ । ସେ ତାହା ପସନ୍ଦ କଲା ନାହିଁ ।

 

ଶ୍ରୀରାମଚନ୍ଦ୍ର ଭବନର ବାମ ଦିଗରେ ସାହିତ୍ୟ ସମାଜ ପାଇଁ ଶ୍ରୀମତୀ ସରଳା ଦେଈ ପ୍ରମୁଖଙ୍କ ପ୍ରଚେଷ୍ଟାରେ ତୋଳା ହୋଇଥିବା ଗୋଟିଏ ଚାଳଘରେ ଓଡ଼ିଶା ଥିଏଟର୍ସର କଟକରେ ପ୍ରଥମ ଅଭିନୟ ପ୍ରଦର୍ଶିତ ହେଲା–ସାମାଜିକ ନାଟକ ‘ଗାର୍ଲସ୍କୁଲ’ । ‘ଆହୁତି’ ନାଟକ ଶିକ୍ଷା ଦେବାପରେ ଏ ନାଟକଟି ବହୁ ପରିଶ୍ରମ କରି ମୁଁ ଦଳରେ ଶିକ୍ଷା ଦେଇଥିଲି । ଅଭିନେତା–ବାବୀ, ପୀର, ରାଧାଶ୍ୟାମ, ପାଣ୍ଡେ, ହରି ଓ ଦୁର୍ଲ୍ଲଭ ଇତ୍ୟାଦି ଇତ୍ୟାଦିଙ୍କ ସହିତ ମେନା, ସୁମତୀ, ଲକ୍ଷ୍ମୀ, ଶୈଳ ଓ ସର ପ୍ରଭୃତି ଅଂଶ ଗ୍ରହଣ କରିଥିଲେ । ନାଟକରେ ଗୋଟିଏ ଅନ୍ଧୁଣୀ ଭିଖାରୁଣୀ ଅଂଶରେ ସୁମତୀର ଅଭିନୟ ଓ ତା’ର ମଧୁର କଣ୍ଠରେ ଗାୟନ ଦର୍ଶକକୁ ମୁଗ୍ଧ କରି ଦେଇଥିଲା ।

 

‘ଗାର୍ଲ ସ୍କୁଲ’ ନାଟକ ଉଦ୍‌ଘାଟନ କଲେ ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ର । ଏହା ତା ୧୪।୨।୪୨ ରଖି ସନ୍ଧ୍ୟାର ଘଟଣା । ଦର୍ଶକମଣ୍ଡଳୀରେ ପ୍ରେକ୍ଷାଗୃହ ପରିପୂର୍ଣ୍ଣ ହୋଇଥିଲା ।

 

ଗୋଟିଏ ବିଶେଷ କଥା ଯେ ଏଥିପୂର୍ବରୁ କଟକରେ ଦୁଇ ବା ତିନି ରାତିରୁ କୌଣସି ନାଟକ ଅଧିକବାର ଅଭିନୀତ ହୋଇ ନ ଥିଲା । ଗାର୍ଲସ୍କୁଲ ଉପର୍ଯ୍ୟୁପରି ବହୁ ଛାତ୍ର ପୂର୍ଣ୍ଣ ପ୍ରେକ୍ଷାଳୟରେ ଅଭିନୀତ ହେଲା । କଟକର ତତ୍କାଳୀନ ସମ୍ବାଦପତ୍ରମାନଙ୍କର ଅନୁକୂଳ ଅଭିମତ ପ୍ରକାଶ ନାଟକଟିର ଲୋକପ୍ରିୟତା ସମ୍ବନ୍ଧେ ଯଥାର୍ଥ ପ୍ରମାଣ । କଳେବର ବୃଦ୍ଧି ଆଶଙ୍କାରେ ଅଧିକ ଲେଖିବା ସମୀଚୀନ ମନେ କରୁ ନାହିଁ । ତଥାପି ଗାର୍ଲସ୍କୁଲ କଟକ ସହର ଓ ଦୂରଦୂରାନ୍ତରେ ସେ ଚହଳ ପକାଇଥିଲା ଏକଥା ଅଦ୍ୟାବଧି ସେ ସମୟର ଦର୍ଶକମାନେ ସ୍ୱୀକାର କରନ୍ତି ।

 

‘ପରିବର୍ତ୍ତନ’ ପ୍ରଭୃତି ଆଉ କେତୋଟି ନାଟକ ମଧ୍ୟ ଏଇଠି ପରିବେଷିତ ହୋଇଥିଲା ।

 

ଏହିପରିଭାବେ ଶ୍ରୀରାମଚନ୍ଦ୍ର ଭବନ ହାତରେ ଭଲଭାବରେ ନାଟକାଭିନୟ ଚାଲିଥାଏ । ପ୍ରାୟ ମାସେ ଦେଢ଼ମାସ ପରେ ହଠାତ୍ ଦିନେ ଝଡ଼ ଓ ବର୍ଷା ହେଲା । ଚାଳଘର ଭାଙ୍ଗି ତଳିଛୁଆଁ ହୋଇଗଲା । ପିଲାମାନେ ଅତି ଦୁଃଖ କଲେ । କାହାରି କାହାରି ଆଖି ଲୁହ ଛଳଛଳ ହୋଇଗଲା । ସଞ୍ଜବେଳେ ଏଇ ଝଡ଼ବର୍ଷା । ଜିନିଷପତ୍ର ବା ସିନ୍‌ସିନାରୀ ସାଇତିବାକୁ ତର ମିଳିଲା ନାହିଁ । ସବୁ ତିନ୍ତିଗଲା । ମୁଁ ତିନ୍ତିବୁଡ଼ି ‘ମାଆ’ଙ୍କୁ ଡାକୁଥାଏଁ ଆଉ କହୁଥାଏଁ–‘ଯାହା କରିବେ ସାଇଁ–ତା’ କାହାରି ହାତର ନାଇଁ’ । ଏକାବେଳେ ଯଦିଓ ମୁଁ ଧୈର୍ଯ୍ୟହରା ହୋଇ ନ ଥାଏଁ, ତଥାପି ବସାରେ ଆସି ଖିଆପିଆରେ ଆଉ ସୁଖ ନ ଥାଏ–ଦରିଦ୍ର ପଞ୍ଚାକ୍ଷର ‘କ’ଣ କରିବି’ ଜପିଜପି । ବାହାରକୁ ହସ କିନ୍ତୁ ଭିତରେ ପୋଡ଼ିରେ ଦିନ କାଟୁଥାଏଁ ।

 

ପିଲାଏ ଆସନ୍ତି । ସଭିଙ୍କର ଶୁଖିଲା ମୁହିଁ । ବରଂ ମୁଁ ତାଙ୍କୁ ଦମ୍ଭ ଦେବାରେ ଲାଗିଥାଏଁ । ଗୋଟେ କିଛି କାମରେ ଲଗାଇ ମନ ବହଲାଇବାକୁ ରୋଜ ସଞ୍ଜହେଲେ ବସା ଅଗଣାରେ ଗାଉଣା ବାଜଣାର ବ୍ୟବସ୍ଥା କଲି ପ୍ରାୟ ରାତି ୧୦।୧୧ଟା ଯାଏ । ବୈଠକରେ ନିତି ପ୍ରତି ଯୋଗଦିଏ କାହ୍ନାଇଁ (ସ୍ୱର୍ଗତ କାହ୍ନାଇଲାଲ ଘୋଷ) । କୀର୍ତ୍ତନ ଗୀତ ସେ କିଛି ଗାଏ । ବଜାଇବାବେଳେ ସମୟେ ସମୟେ ସେ ଭୋଳ ହୋଇ ନିଜକୁ ଭୁଲିଯାଏ । ବୈଠକରେ ଯୋଗ ଦିଅନ୍ତି ହାବୁ, ସୁଧୀ, କାଲୁ ପ୍ରମୁଖ ବନ୍ଧୁମାନେ ମୋର । ରୋଜଗାର ତ ନାହିଁ, ଅଭାବ ପଡ଼ିଲା । ସେତେବେଳେ ମାର୍ଗଶୀର ମାସ । ଗୁରୁବାର ଲକ୍ଷ୍ମୀପୂଜା ଦିନ ମୁଁ ନୂଆଗଡ଼ ବାଟେ ଖଣ୍ଡପଡ଼ାରେ ପହୁଞ୍ଚିଲି । ରାଜା ହରିହର ସିଂହ ମର୍ଦ୍ଦରାଜଙ୍କୁ ମୋର ଅଭାବ କଥା କହିଲି । ସେ ପିଲାଦିନରୁ ମୋତେ ଜାଣନ୍ତି । ତାଙ୍କ ଗଦିନସିନବେଳେ ତତ୍‌କାଳୀନ ଦେଓ୍ୱାନ ସ୍ୱର୍ଗତ ଭଗତ ବଲ୍ଲଭ ଦାସ ଓ ମୁଁ ନାନାମତେ ଅଣ୍ଟା ଭିଡ଼ିଥିଲୁଁ । ସେଦିନ ଗୁରୁବାର ହେଲେ ମଧ୍ୟ ରାଜାସାହେବ ମୋର ଅଭାବ କଥା ଶୁଣି, ମୋତେ ଅର୍ଥ ସାହାଯ୍ୟ କରି କଟକରେ ପହୁଞ୍ଚାଇ ଦେଇଥିଲେ । ମୁଁ ତାଙ୍କ ନିକଟରେ ଋଣୀ ।

 

କଟକରେ ପହୁଞ୍ଚି ହଠାତ୍ ମନକୁ ଏକ କଳ୍ପନା ଆସିଲା । ଆଗେ ତ ବାଙ୍କାବଜାରରେ ସୁଶୀଲ ପାଲିତଙ୍କ ଖୋଲା ଜମିରେ (ସ୍ୱର୍ଗତ ରଜନୀ ବିଶ୍ୱାସଙ୍କ ଘରେ ପଡ଼ିଶା) ରାସ ଅଭିନୟ ଅନେକ ଥର କରାଇଛି । ପାଲିତ ବାବୁଙ୍କୁ କହି, ଭଡ଼ା ନେଇ ସେଇ ଜାଗାରେ ଓଡ଼ିଶା ଥିଏଟର୍ସ ପାଇଁ ଘର ତୋଳାଇବି । ସିଦ୍ଧେଶ୍ୱର ମହାନ୍ତି କଣ୍ଟ୍ରାକ୍ଟରଙ୍କଦ୍ୱାରା ଛପର ଘର ତୋଳାହେଲା ।

 

ଜାଉଁଳିଆପଟିର ଟିଣ କାରିଗର ସମୀର ମିଆଁ ଚୌକି ଭଡ଼ାରେ ଦେଲେ । ବେଞ୍ଚ ଓ କାଠଚୌକି ପିଠାପୁର ବଢ଼େଇଙ୍କଦ୍ୱାରା ତିଆରି କରାଇ ପେଣ୍ଡାଲରେ ସଜାଇଲି । ବିଜୁଳି ସଂଯୋଗ (ଇଲେକ୍‌ଟ୍ରିକ୍) ତ ନାହିଁ, ତେଣୁ ସେ ଅମଳର ଟଣା ପଙ୍ଖାର ବ୍ୟବସ୍ଥା ହେଲା । କଟକରେ ସେତେବେଳେ ଇଲେକ୍‌ଟ୍ରିକ୍, ଯୋଗାଣ ସଂସ୍ଥା କମ୍ପାନୀ ହାତରେ ଥିଲା । ଦେବରାଜବାବୁ ଥିଲେ ଇଲେକ୍‌ଟ୍ରିକ୍ ଯୋଗାଣ ବିଭାଗର ମୁଖିଆ କର୍ମଚାରୀ । ଭାରି ମିଳାମିଶା ଧରଣର ଲୋକ । କିନ୍ତୁ ଲାଇନ ମିଳିବା ସହଜ ହେଲା ନାହିଁ ।

 

ଏହି ସମୟରେ ଚାରିବାଟିଆରେ ଗୋଟିଏ ସୈନ୍ୟବାହିନୀ ରହୁଥାଆନ୍ତି । ଜର୍ମାନୀ ଯୁଦ୍ଧବେଳେ । ଓଡ଼ିଶାର କମିଶନର ଥାଆନ୍ତି ମି. ମାରୁଡ଼ (ଏସ୍. ଏଲ୍. ମାରୁଡ଼) ସାହେବ । ଚାରିବାଟିଆ ସୈନ୍ୟ ଛାଉଣୀର ଦେଖାଶୁଣା ଇତ୍ୟାଦି ଭାର ତାଙ୍କ ଉପରେ ଥାଏ । ମଧ୍ୟେ ମଧ୍ୟେ ସେମାନଙ୍କ ପାଇଁ ଚିତ୍ତ ବିନୋଦନର ବ୍ୟବସ୍ଥା କଲେ ମାରୁଡ଼ସାହେବ । ଖୋରଧା କେରଙ୍ଗର ଶ୍ରୀ ମୋସାହେବଙ୍କ ଖାଁ ସେତେବେଳେ କଟକର ଏ.ଡ଼ି.ଏମ୍. ଥିଲେ । ପ୍ରଥମେ ଖୋରଧା ସ୍କୁଲର ଶିକ୍ଷକ ଥିବାବେଳେ ତାଙ୍କ ସହିତ ମୋର ପରିଚୟ ଥିଲା । ସେ ମୋତେ ଡକାଇ ନେଇ ଟ୍ରୁପସ୍ ଏଣ୍ଟରଟେନ୍‌ମେଣ୍ଟ ଭାର ଦେଇଥିଲେ । ମଧ୍ୟେ ମଧ୍ୟେ କେତେକ ଛାତ୍ର ଛାତ୍ରୀଙ୍କୁ ନେଇ ମୁଁ ଚାରିବାଟିଆ ଯାଇ ନାଚ, ଗୀତ ଓ ଅଭିନୟ ପ୍ରଦର୍ଶନ କରୁଥିଲି । ମି. ମାରୁଡ଼ଙ୍କ ସହିତ କ୍ରମେ ଚିହ୍ନା ଜଣା ହେଲା । ଗଭର୍ଣ୍ଣରଙ୍କ ସେକ୍ରେଟେରୀ ମି. ଆର. ଏସ୍. ସ୍ୱାନ୍‌ଙ୍କ ସହିତ ଭଲ ଜଣାଶୁଣା ହୋଇଥିଲା । ମି. ସ୍ୱାନ୍ ବଡ଼ ସରଳ ଅମାୟିକ ବ୍ୟକ୍ତି । କେବେ ସେ ମୋ ବସାରେ ତାଙ୍କର ପ୍ରିୟ ଚକୁଳି ପିଠାର ନିମନ୍ତ୍ରଣ ରଖନ୍ତି ।

 

ପେଣ୍ଡାଲରେ ଇଲେକ୍‌ଟ୍ରିକ୍ ଯୋଗାଣ ପାଇଁ ଧାଆଁ ଦଉଡ଼ବେଳେ ଯୋଗକୁ ଭାରତ ସରକାରଙ୍କ ଏକ୍‌ଜିକ୍ୟୁଟିଭ କାଉନସିଲ୍‌ର ମାନ୍ୟବର ସାର୍. ଜେ. ପି. ଶ୍ରୀବାତ୍ସବଙ୍କର କଟକ ଆସିବା ପ୍ରୋଗ୍ରାମ ହେଲା । ତାଙ୍କୁ ମୋ ପେଣ୍ଡାଲଙ୍କୁ ନିମନ୍ତ୍ରଣ କରିବା ପାଇଁ ମୁଁ ସ୍ୱାନ୍‌ସାହେବଙ୍କୁ କହିଲି । ସ୍ୱାନ୍‌ସାହେବ ମୋତେ ଶ୍ରୀବାତ୍ସବଙ୍କ ସହିତ ଦେଖା କରାଇ ମୋର ପରିଚୟ ଦେଲେ । ମୋର ଅନୁରୋଧ ରକ୍ଷାକରି ସାର୍ ଶ୍ରୀବାତ୍ସବ ସ୍ୱୀକୃତି ଦେଲେ । ତାରିଖ ଠିକ୍ ହେଲା । ମୁଁ ସ୍ୱାନ୍ ସାହେବଙ୍କୁ ଓ ଦେବରାଜବାବୁଙ୍କ ବିଜୁଳି ଲାଇନ ପାଇଁ ଅନୁରୋଧ କଲି । ଧଡ଼ପଡ଼ ହୋଇ ସେମାନେ ଲାଇନ୍ ସଂଯୋଗ କରିଦେଲେ । ସିଧା ଆଙ୍ଗୁଠିରେ ଘିଅ ସତରେ ବାହାରେ ନାହିଁ । ସ୍ୱାନ୍‌ସାହେବ ଇଲେକ୍‌ଟ୍ରିକ୍ କମ୍ପାନୀକୁ ସାର୍ ଶ୍ରୀବାତ୍ସବଙ୍କ ମଞ୍ଚାଗମନ କଥା ଜଣାଇଦେଲେ ।

 

ଆୟୋଜନ ଚାଲିଲା, ସେଇ ଝାଟିମାଟି ତାଟିବାଡ଼ ଘେରା ମଞ୍ଚା ଲିପାପୋଛା ହେଲା । ଖଣ୍ଡି କେତେ ଭଲ ଚୌକି ଏଠୁ ସେଠୁ ମଗା ହୋଇ ଆସିଲା । ମୋର ପ୍ରିୟବନ୍ଧୁ ଚନ୍ଦ୍ର କିଶୋର ଦାସ (ବେଙ୍ଗବାବୁ) ଓ ତାଙ୍କ ଭାଇ ସ୍ୱର୍ଗତ ନରୀବାବୁ ଚୌକି, ଟିପୟ, ବାକ୍ସ ଗଛ କୁଣ୍ଡ ଓ ଦରି ଇତ୍ୟାଦି ଆଣି ମଞ୍ଚ ସଜ୍ଜାରେ ଭାରି ସାହାଯ୍ୟ ଦେଲେ । ଶ୍ରୀ ମଧୁସୂଦନ ମହାନ୍ତି (ଆଡ଼ଭୋକେଟ୍) ମୋର ସୂର୍ଯ୍ୟବନ୍ଧୁ । ତାଙ୍କ ସ୍ତ୍ରୀ ସ୍ୱର୍ଗତା ନିଶାମଣି ମୋର ଧର୍ମଭଉଣୀ । ମଧୁବାବୁ ମତେ ନାନାଭାବେ ସାହାଯ୍ୟ କଲେ । ସମ୍ଭବମତ ଆଡ଼ମ୍ବରରେ ପେଣ୍ଡାଲ ଘର ଓ ବାଟ ସଜାସଜି ହେଲା-। ମଉସା ଗୋପାଳ ପ୍ରହରାଜ, ଶଶୀଭୂଷଣ (ରାୟ), ବାବୁ, ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତି ଥରେ ଅଧେ ପେଣ୍ଡାଲର ସଜଉଟ ଦେଖି ପସନ୍ଦ କରିଗଲେ ।

 

ଏଥର ସାର୍ ଶ୍ରୀବାତ୍ସବ ୧୯୪୨ ନଭେମ୍ବର ମାସରେ ଗାର୍ଲସ୍କୁଲ ନାଟକ ଉନ୍ମୋଚନ କଲେ । ଏଇ ଉତ୍ସବରେ ତଦାନୀନ୍ତନ ଲାଟସାହେବ, କମିଶନର, ପୋଲିସସାହେବ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ପତ୍ର ପତ୍ରିକାରେ ସମ୍ପାଦକ ଓ ସାମ୍ବାଦିକମାନେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ନାଟକ ଅଭିନୟ ସବୁରି ପ୍ରଶଂସାଭାଜନ ହେଲା । ଏହିଦିନଠାରୁ ବାକି ବଜାରରେ ଓଡ଼ିଶା ଥିଏଟର୍ସ ଚାଲିଲା । ଏତେବେଳେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ରୂପେ କଟକରେ ଅବସ୍ଥାନ କରୁଥାଆନ୍ତି । ତାଙ୍କୁ ଗାର୍ଲସ୍କୁଲ ନାଟକ ଦେଖିବାକୁ ନିମନ୍ତ୍ରଣ କଲି । ମହାରାଜା ତ କଳା ଓ ସାହିତ୍ୟପ୍ରେମୀ । ସେ ଆନନ୍ଦରେ ସ୍ୱୀକୃତି ଦେଇ ତା ୨୮।୨।୪୨ରେ ଓଡ଼ିଶା ଥିଏଟର୍ସ ପେଣ୍ଡାଲକୁ ଆସିଲେ । ନାଟକଟି ଦେଖି ସନ୍ତୋଷ ହୋଇ ଏକହଜାର ଟଙ୍କା ପୁରସ୍କାର ଦେଲେ ।

 

ପ୍ରତିରାତ୍ର ଗାର୍ଲସ୍କୁଲ ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲିଥାଏ । ଶନିବାର ଓ ରବିବାର ଭୀଷଣ ଗହଳି ପରେ ସୋମବାର ରାତିରେ ଦର୍ଶକ ସଂଖ୍ୟା ଟିକିଏ ଊଣା ହେଉଥିବାର ଦେଖିଲି । ଶନିବାର ଓ ରବିବାର ଦିନ ଅନେକ କଟକ ପ୍ରବାସୀ ନିଜ ନିଜ ଘରକୁ ଯାଆନ୍ତି । ସୋମବାର ଦିନଟା ତେଣୁ ଟିକିଏ ଅସୁବିଧା ହୁଏ, ନାଟକ ଦେଖି ଆସିବା ଇତ୍ୟାଦି ଆମୋଦପ୍ରମୋଦ ଲାଗି । ତେଣୁ ପ୍ରତି ସୋମବାରର ଅଭିନୟ ବନ୍ଦ ରଖିଲି ।

 

ଏହାପରେ ବାଙ୍କାବଜାରରେ ‘ଗାର୍ଲସ୍କୁଲ’ ଶତାଧିକ ରାତ୍ରି ଅଭିନୀତ ହେଲା । କେବଳ ଉପର୍ଯ୍ୟୁକ୍ତ ସୋମବାର ରାତ୍ରିରେ ଅଭିନୟ ବନ୍ଦ ରଖେ । ପ୍ରତି ସପ୍ତାହରେ ସୋମବାର ଦିନଟି ଦଳର ଛୁଟି । ଏବେ ଦେଖୁଛି କଟକର ବ୍ୟବସାୟୀ ରଙ୍ଗମଞ୍ଚମାନ ସେଇ ମୋର ସୋମବାର ରାତିରେ ଅଭିନୟ ବନ୍ଦ ଧାରାକୁ ଅନୁସରଣ କରୁଛନ୍ତି । ଅବଶ୍ୟ କାରଣଟା ବୋଧହୁଏ କାହାରିକୁ ଜଣା ନାହିଁ ।

 

ଚୁମ୍ବନ :

 

Unknown

୧୯୪୨ରେ ଗାର୍ଲସ୍କୁଲ ନାଟକ ଚାଲୁଥିବାବେଳେ ମୁଁ ଏହାର ପରବର୍ତ୍ତୀ ଅଭିନୟ ଲାଗି ଆଉ ଗୋଟିଏ ନାଟକ ଲେଖିବାର ମନସ୍ଥ କଲି । ଏଇ ନାଟକଟିର ନାଆଁ ରଖିଲି ‘ଚୁମ୍ବନ’ । ବଡ଼ାମ୍ବାରୁ ଫେରିବାବେଳେ ରାଜଆଠଗଡ଼ ଷ୍ଟେସନଠାରେ ଯେଉଁ ହରିଣୀ ତା’ର ଶିଶୁଟିକୁ ଚାଟୁଥିବା ଦୃଶ୍ୟ ମୋତେ ଆନନ୍ଦ ଦେଇଥିଲା, ସେଇ ସ୍ମୃତିର ଅନୁସରଣରେ ‘ଚୁମ୍ବନ’ ନାଆଁଟି ମୋ ମନରେ ଜାଗିଲା । ବିଚାରିଲି, ମାଆ ତା’ର ଛୁଆକୁ, ବାପା ତା’ର ସନ୍ତାନକୁ, ଭାଇ–ଭାଇକୁ, ବନ୍ଧୁ ବନ୍ଧୁକୁ ଓ ନାୟକ ନାୟିକାକୁ ଚୁମ୍ବନ ଦିଏ : କିନ୍ତୁ ସବୁ କ୍ଷେତ୍ରରେ ଚୁମ୍ବନର ଭାବ ଏବଂ ମର୍ମ ନିଆରା ନିଆରା; ତେଣୁ ଚୁମ୍ବନ ଶବ୍ଦଟା ଅଶ୍ଳୀଳ ହେବ କାହିଁକି ? ସ୍ଥଳବିଶେଷରେ ସିନା ଭିନ୍ନ ଭିନ୍ନ ଭାବବ୍ୟଞ୍ଜକ । ନାଆଁଟି ମୋତେ ଭାରି ମିଠା ଲାଗିଲା । କେତେକ ବନ୍ଧୁକୁ ମଧ୍ୟ ପଚାରିଲି । ହସିଲେ ସେମାନେ କିନ୍ତୁ କଥାଟାକୁ ବୁଝିସାରି ଆଉ କେହି ହେଲେ ନାଆଁ ଦିଆଟାକୁ ନାପସନ୍ଦ କଲେ ନାହିଁ । ମୁଁ ସେଇଠୁ ଚୁମ୍ବନ ନାଟକ ଦେଖି ବସିଲି । ଗାର୍ଲସ୍କୁଲ ପରେ କିଛିଦିନ ‘ଆହୁତି’ ଅଭନୀତି ହେଲା । ଏଣେ ଦୁଇଟି ପିଲାଙ୍କ ଖେଳକୌତୁକରୁ ଚୁମ୍ବନର ପ୍ଳଟ ଆରମ୍ଭ କଲି । ତା’ ଭିତରେ ରଖିଲି ରାଧାକୃଷ୍ଣ ପ୍ରେମଲୀଳା ଚିତ୍ରର ସମସଂଯୋଗ । ଏହା ସଦାନନ୍ଦ ବାବାଙ୍କ କଣ୍ଠରେ କୀର୍ତ୍ତନ ସ୍ୱରରେ ବର୍ଣ୍ଣିତ ହେଲା । ନାଟକର ପ୍ରଧାନ ପାତ୍ରପାତ୍ରୀ ହେଲେ ମଦନ ଆଉ ପ୍ରେମ । ଏ ନାଟକରେ ଗାର୍ଲସ୍କୁଲଠାରୁ ଗୀତ ସଂଖ୍ୟା ଟିକିଏ ଅଧିକ ଖଞ୍ଜା ହେଲା ।

 

ପାତ୍ରମୁଖୀ ଭାଷା ଯୋଗାଡ଼ିବା ମୋର ନାଟକ ରଚନାର ସ୍ୱଭାବ । ଗୀତ ମଧ୍ୟ ସ୍ଥଳ, କାଳ, ପାତ୍ର ଓ ରସଭାବ ଅନୁସାରେ ରଚନା କରିବାଟାକୁ ମୁଁ ମୂଳକରି ଧରେଁ । ନାଟକ, ମୁଁ ଏକାବେଳେ ବସି ତ ଲେଖେ ନାହିଁ । ଗୋଟିଏ ଦୃଶ୍ୟ ଲେଖି ତାହାରି ରିହର୍ସେଲ କରାଏଁ । ବେଳେବେଳେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବା ସମୟରେ ତାଙ୍କ ତୁଣ୍ଡର ଭାଷା ବା କଥାକୁ ମଧ୍ୟ ଅନୁସରଣ କରେଁ । ତହିଁପରେ ଅନ୍ୟ ଦୃଶ୍ୟ ଲେଖେ । ଏଇ ହେଲା ମୋର ଅଭ୍ୟାସ । ସତ କହିବାକୁ ଗଲେ ଛାତ୍ରଛାତ୍ରୀ ସିନା ଜାଣିପାରନ୍ତି ନାହିଁ, ହେଲେ ମୁଁ ତାଙ୍କ ପାଖରୁ ବେଳେବେଳେ ଶବ୍ଦ ଶିଖେଁ । ଏ ଦିଗରେ ସେମାନେ ମୋର ଗୁରୁ ବୋଲି ମର୍ମେ ମର୍ମେ ଅନୁଭବ କରେଁ ।

 

‘ଚୁମ୍ବନ’ର କୀର୍ତ୍ତନ ଗୀତ ସଦାନନ୍ଦଙ୍କ କଣ୍ଠରୁ ଶୁଣି ଥରେ ମୋର ଛାତ୍ର ପୀର କହୁଥିବାର ଶୁଣିଲି ‘ବାବୁ’ ଗୋଟାଏ ପାଲା ଲେଖୁଛନ୍ତି । ମନେ ମନେ ଟିକିଏ ହସିଲି । ଦୁଃଖ କରିବାର ବା ବିରକ୍ତ ହେବାର କିଛି କାରଣ ମୁଁ ଅନୁମାନ କରିପାରିଲି ନାହିଁ । ଜଣେ ନୂଆ ଛାତ୍ରକୁ ଯାହା ଯେମିତି ଲାଗିଲା, ସେ ସେମିତି କହିଲା । ନାଟକ ପୂର୍ଣ୍ଣ ହୋଇସାରୁ–ଦେଖାଯିବ । ଏଇକଥା ଭାବି, ତୁନି ରହିଲି ।

 

ଭାରତୀ ଥିଏଟର୍ସ :

 

ଏତିକିବେଳେ ଦେଶବନ୍ଧୁ ମେଡ଼ିକାଲ ହଲ୍‌ର ମାଗୁଣି ମିଶ୍ରେ, କାଲୁ, ରାଧାରମଣ (କବିରାଜ) ଆଉ କେତେଜଣ ମିଶି ମାରଓ୍ୱାଡ଼ିପଟି ପଛପାଖ ରାସ୍ତା କଡ଼ରେ ଭାରତୀ ଥିଏଟର୍ସ ନାମରେ ଗୋଟିଏ ମଞ୍ଚ ତୋଳି ନାଟକ ଅଭିନୟ ହେବାର ବ୍ୟବସ୍ଥା କରିଥାଆନ୍ତି । ଖଣ୍ଡେ ଅଧେ ବଙ୍ଗଳା ନାଟକର ଅନୁବାଦ ଅଭିନୀତ କଲାପରେ ନାଟ୍ୟକାର ଶ୍ରୀ ରାମଚନ୍ଦ୍ର ମିଶ୍ରଙ୍କର ‘ଅଭିମାନ’ ନାଟକ ସେମାନେ ମଞ୍ଚସ୍ଥ କଲେ । ନୂଆ ଗଢ଼ା ଭାରତୀ ଥିଏଟର୍ସ ମଞ୍ଚସ୍ଥରେ ଏଇ ନାଟକ ମଞ୍ଚସ୍ଥ ହେବାର ଦିନ ୪।୬ ପରେ ଚୁମ୍ବନ ଅଭିନୀତ ହେଲା ଓଡ଼ିଶା ଥିଏଟର୍ସ ମଞ୍ଚରେ । ଭାରତୀ ଥିଏଟର୍ସ ମଧ୍ୟ ଦଳରେ କେତେଜଣ ଅଭିନେତ୍ରୀଙ୍କୁ ଗ୍ରହଣ କରିଥିଲେ ।

 

ସେତେବେଳେ ଗୋଟିକିଆ ବଦଳଗାଡ଼ିରେ ବାଜା ବଜାଇ ହାଣ୍ଡବିଲ ବଣ୍ଟା ପ୍ରଚାରର ରୀତି ଥିଲା । ମୁଁ ମୋର ହାଣ୍ଡବିଲ୍‌ରେ ଲେଖି ଛପାଇଲି ‘ଅଭିମାନର ଶ୍ରେଷ୍ଠ ମହୌଷଧି ଚୁମ୍ବନ’ । ଲୋକେ କଥାଟାକୁ ଭାରି ମନଘେନା କରି ହସିଲେ । ଏବେ ସେକଥା ମନେ ପକାଇ ମୁଁ ଓ ରାମ ମିଶ୍ରେ ବହୁତ ହସୁଁ ।

 

ଚୁମ୍ବନ ନାଟକ ନାଆଁଟା ଶୁଣି ଥୋକେ ପହିଲେ ନାକ ସିଟକାଉଥିଲେ । କିନ୍ତୁ ନାଟକର ଅଭିନୟ ଦେଖିବା ପରେ ଜନଗହଳି ଭିତରେ ଶତାଧିକ ରାତି ଚୁମ୍ବନ ଚାଲିଲା ।

 

ଗୋଟିଏ ବିଶେଷ ଘଟଣା ଘଟିଲା ଏହି ନାଟକର ନାଆଁ ଘେନି । ସେତେବେଳେ ବାଙ୍କାବଜାରରେ ‘ନବ ଭାରତ’ ପ୍ରେସ୍ ସ୍ଥାପିତ ହୋଇଥାଏ । ସ୍ଥାପୟିତା ପୂଜା ପଣ୍ଡିତ ନୀଳକଣ୍ଠ ଦାଶେ । ପ୍ରାୟ ଦେଢ଼ଶତ ରାତି ଅଭିନୟ ଚାଲିବା ପରେ ତାଙ୍କଦ୍ୱାରା ସମ୍ପାଦିତ ‘ନବଭାରତ’ ପତ୍ରିକାରେ ଚୁମ୍ବନ ବିରୋଧୀ ଏକ ଦୀର୍ଘ ମନ୍ତବ୍ୟ ପ୍ରକାଶ ପାଇଲା । ମୁଁ ବହୁ ବିନୟ କରି ତାଙ୍କୁ ମୋ ମଞ୍ଚକୁ ଡାକିଲି । ଅନେକ କଷ୍ଟରେ ଥରେ ସେ ଚୁମ୍ବନର ଅଭିନୟ ଦେଖିବାକୁ ଆସିଲେ । ନାଟକ ଶେଷ ହେବାକୁ ପ୍ରାୟ ଦୁଇ ତିନୋଟି ଦୃଶ୍ୟ ବାକି ଥାଏ, ମୋତେ ପ୍ରେକ୍ଷାଳୟରୁ ଡାକି କହିଲେ–‘‘ହଇହୋ କାଳୀଚରଣବାବୁ, ଏଥିରେ ତ କୌଣସି ଅପ୍ରାସଙ୍ଗିକ ବିଷୟର ଚିତ୍ରଣ ନାହିଁ । ଲୋକେ ମୋତେ କହିବାରୁ ମୁଁ କାଗଜରେ ଲେଖିଦେଲି । କିଛି ମନେ କରିବ ନାହିଁ ।’’ ମୁଁ ଗୋଡ଼ଧୂଳି ନେଇ ପେଣ୍ଡାଲ ଉପରକୁ ଗଲି । ସ୍କ୍ରିନ୍ ପକାଇ ମଞ୍ଚ ଉପରକୁ ଆସି ହାତ ଯୋଡ଼ି କହିଲି–‘ସହୃଦୟ କଟକବାସୀ ଶତାଧିକ ରାତ୍ରି ମୋର ଚୁମ୍ବନ ନାଟକ ଉପଭୋଗ କରି ଧନ୍ୟ କରିଛନ୍ତି । ମାତ୍ର ମୋର ଗୁରୁ–ପ୍ରତିମ ଜଣେ ପୂଜ୍ୟବକ୍ତି ତାହା ଗ୍ରହଣ କରିପାରି ନାହାନ୍ତି, କାରଣ ତାଙ୍କର ଦାଢ଼ି ଅଛି’’ । ପ୍ରେକ୍ଷାଳୟ ହସ ଓ ତାଳିରେ ପୂରିଗଲା । ମୁଁ ପ୍ରମାଣ କରି ବିଦାୟ ନେଲି ମଞ୍ଚରୁ । ପୁଣି ପ୍ଲେ ଚାଲିଲା । ଆଉ ମୁଁ ଡରରେ ପଣ୍ଡିତ ମହାଶୟଙ୍କ ପାଖରୁ ବିଦାୟ ନେବାକୁ ଯାଇ ନାହିଁ ।

 

ଚୁମ୍ବନ ମଞ୍ଚସ୍ଥ ହେଉଥିବାବେଳେ ପରିବର୍ତ୍ତନ ନାଟକର ଲେଖା ଓ ଶିକ୍ଷା ଚାଲିଥାଏ । ଏତିକିବେଳେ ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି (ସେତେବେଳେ କମିଶନରଙ୍କ ଅଫିସରେ ନାଜର) ଏବଂ ଶ୍ରୀ ନବକୁମାର ଦାଶ (ଆଡ଼ଭୋକେଟ୍, ତେଲଙ୍ଗାବଜାର) ଙ୍କ ସହିତ ମୋର ବିଶେଷ ସମ୍ପର୍କ ଘଟେ-। ବିଚିତ୍ରାନନ୍ଦ ଦାସ ବାବୁଙ୍କ ସହିତ ମୋର ରାସଦଳ ଚଳାଉଥିବା ବେଳରୁ ଜଣାଶୁଣା ଥିଲା-। ଓଡ଼ିଶା ଥିଏଟର୍ସ ଚଳୁଥିବାବେଳେ ମୁଁ ଲେଖିଥିବା ନାଟକ ସମ୍ବନ୍ଧେ ମଝି ମଝିରେ ତାଙ୍କ ସହିତ ଆଲୋଚନା କରେଁ । ଶ୍ରୀମାନ୍ ନବକୁମାର ଜଣେ ନାଟ୍ୟରସିକ । ସେ ଅକୁଣ୍ଠିତ ଚିତ୍ତରେ ତାଙ୍କ ମନକୁ ନ ପାଇଲେ ବଚନିକା ଓ ଗୀତ ସମ୍ବନ୍ଧେ ମନ୍ତବ୍ୟ ଦେଇଥାନ୍ତି । ମଞ୍ଚସଜ୍ଜା ବେଶ ପାରିପାଟୀ ଏବଂ ଆଲୋକ ସମ୍ପାତ ସମ୍ବନ୍ଧେ ମଧ୍ୟ ତାଙ୍କର ପରାମର୍ଶ ମୂଲ୍ୟବାନ୍ ବୋଲି ମୁଁ ମନେ କରେଁ । କ୍ରମେ ସେ ‘ନବବାବୁ’ ରୁ ‘ନବ’ ହୋଇ ରହିଛନ୍ତି, ମୋ ପାଖରେ । ସେ ପ୍ରାୟ ପ୍ରତ୍ୟହ ରିହର୍ସେଲ ଓ ଅଭିନୟବେଳେ ଆସନ୍ତି ।

 

ନାଟକ ଲେଖା, ଗୀତ ରଚନା, ସ୍ୱର ଯୋଜନା ଓ ନିର୍ଦ୍ଦେଶନା ଶିକ୍ଷା ପାଇବାର ସୁଯୋଗ ମୋର ନ ଥିଲା । ଯାହା ଯାହା କରୁଥିଲି, ସେ ସବୁ ଅଭ୍ୟାସ, ଅଧ୍ୟବସାୟ ଏବଂ ଅଭିଜ୍ଞତା ବଶରୁ ଘଟିଛି । କେତେ ଥର ଠିକିଲା ପରେ କିଛି କିଛି ଶିଖଲି । ନିର୍ଦ୍ଦେଶନା ଓ ମଞ୍ଚ ପରିଚାଳନାକୁ ଦୁଇଟି ସ୍ୱତନ୍ତ୍ର ବିଭାଗ ବୋଲି ମୋର ଅଙ୍ଗେଲିଭା ଅଭିଜ୍ଞତା ହିଁ ଶିଖାଇଲା ମୋତେ । ବାସ୍ତବରେ ମଞ୍ଚ ପରିଚାଳନା ସହଜ ବ୍ୟାପାର ନୁହେଁ । ଡିରେକ୍ଟର ବା ନିର୍ଦ୍ଦେଶକ ନାଟକର କଥାବସ୍ତୁ ଓ ମନାଇ ପାତ୍ରମୁଖୀ ଭାଷା କହିବା ଭଙ୍ଗୀ ତଥା ରସ ଭାବ ଅନୁସାରେ ଅଭିନୟ ଇତ୍ୟାଦି ନାନା ବିଷୟ ଶିଖାଏ ସିନା, ମଞ୍ଚରେ କିନ୍ତୁ ନାଟକ ପରିବେଷଣବେଳେ ସେ ଅଲଗା ହୋଇଥାଏ । ଏଠାରେ ମଞ୍ଚ ପରିଚାଳକଙ୍କ ଦାୟିତ୍ୱ ବେଶୀ । ପାତ୍ରାପାତ୍ରୀ କେଉଁପରି ଯିବେ, କେଉଁଠାକୁ ଯିବେ, କେଉଁଠାରେ ରହିବେ, କିପରି ଭାବେ ପ୍ରେକ୍ଷାଳୟରୁ କିଭଳି ଦୃଷ୍ଟିଦେଇ ବଚନିକା କହିଲେ, ଦର୍ଶକ ତାହା ବୁଝିବେ ଓ ରସ ଗ୍ରହଣ କରିପାରିବେ, ଆଲୋକର କେଉଁ ଦିଗରେ ବା କିପରି ସ୍ଥାନରେ ମଞ୍ଚରେ ତାଙ୍କର ଅବସ୍ଥିତ ହେବ, କିଭଳି ଆଲୋକ ସଂପାତ, କେତେବେଳେ ଓ କେଉଁ ପାତ୍ରପାତ୍ରୀର କେଉଁ ଅଂଶରେ ପଡ଼ିଲେ ନାଟକଟିର ବାସ୍ତବ ଅଭିପ୍ରାୟ ଓ ଭାବ ରସ ସିଦ୍ଧି ଘଟିବ ଇତ୍ୟାଦି ଇତ୍ୟାଦି ବହୁ ବିଷୟରେ ବିଚାର ଲାଗି ମଞ୍ଚ ପରିଚାଳକ ସଚେତନ ହେବା ଆବଶ୍ୟକ । ଏସବୁ ଦିଗକୁ ମୋତେ ଦୃଷ୍ଟି ଦେବାକୁ ପଡ଼ୁଥିଲା । ନାଟକ ରଚନା ବାହାରେ ତାହାର ନିର୍ଦ୍ଦେଶନା ଓ ମଞ୍ଚ ପରିଚାଳନା ହେଲା ପରସ୍ପର ସାହାଯ୍ୟକାରୀ, ମୋ ନାଟ୍ୟକାର ଜୀବନରେ ।

 

ନାଟକ ଖାଲି ରଙ୍ଗ ରହସ୍ୟ ବା ଆମୋଦ ପାଇଁ ନୁହେଁ । ଏଇ ରଙ୍ଗରହସ୍ୟ ଜରିଆରେ ଲୋକଙ୍କ ମନକୁ ଶିକ୍ଷା ଓ ସଂସ୍କୃତି ପ୍ରଭୃତି ପ୍ରତି ଢଳାଇବା ଉଚିତ । ଆମ ଚାଟଶାଳୀରେ ବର୍ଣ୍ଣଶିକ୍ଷା ମୋର ମନେ ପଡ଼ିଗଲା । ଆମେ ‘କ’ କ’ କାଳନ୍ଦୀ ତୀରେ–ଖ’ ଖ’ ଖଟନ୍ତି ଧୀରେ’–ଗୀତଗାଇ ପହିଲି–ପାଠ ପଢ଼ିଥିଲୁଁ । ଏହା ଗୀତ ଛନ୍ଦ ବୋଲି ଛାଆଁକୁ ଛାଆଁ ମନେ ରହିଯାଉଥିଲା । ୟାରି ଭିତରେ ବର୍ଣ୍ଣଶିକ୍ଷା ବା କ’ ଖ’ ଗ’ ଘ’ ଇତ୍ୟାଦି ଇତ୍ୟାଦି ସହଜରେ ଶିଖି ହୋଇଯାଉଥିଲା । ୟେ ଥିଲା ଆମ ଓଡ଼ିଆ ଘରର ବୁଦ୍ଧିଆ ବାପ, ଗୋସାଇଁ ବାପଙ୍କ କୌଶଳ ବା ପିଲାଙ୍କୁ ପାଠ ପଢ଼ାଇବା ରୀତି ।

 

ଜୟଦେବ :

 

୧୯୪୩ ସାଲ । ମାସ, ତାରିଖ ଠିକ୍ ହେତୁ ନାଇଁ । ଥରେ କ୍ୟାପିଟାଲ ସିନେମାକୁ ବଙ୍ଗଳାଛବି ଜୟଦେବ ଆସିଲା । ୧୯୩୬ରେ ମୁଁ ଗୀତଗୋବିନ୍ଦ ନାଟକ ଲେଖି ଅଭିନୀତ କରାଇ ପ୍ରଶଂସା ଅର୍ଜନ କରିଥିଲି । ମୁଁ ଗୋଟିଏ ଗୀତଗୋବିନ୍ଦ ଭକ୍ତ । ଗୀତଗୋବିନ୍ଦ କର୍ତ୍ତା ଜୟଦେବଙ୍କ ସମ୍ବନ୍ଧରେ ମଧ୍ୟ କେତେକ ବହି ପଢ଼ି ତଥ୍ୟ ସଂଗ୍ରହ କରୁଥାଏଁ । ଏତିକିବେଳେ ଜୟଦେବ ଚଳଚିତ୍ର କଟକକୁ ଆସିଛି ଶୁଣି, ନାଚିଉଠିଲା ମନ ମୋର । ଦେଖିବାକୁ ଗଲି, ବଡ଼ ଉତ୍କଣ୍ଠାରେ ।

 

ଛବି ଦେଖି ମନଟା ବିଷ ପିତା ହୋଇଗଲା । ସତେ କ’ଣ ଜୟଦେବ ବଙ୍ଗଳା କେନ୍ଦୁବିଲ୍ୱର ? ସତେ କ’ଣ ଜୟଦେବ ବଙ୍ଗାଳୀ ? ଆମ ଲୋକଙ୍କ ଧାରଣା କ’ଣ ଭୁଲ ? ବିଚାରିଲି, ଦିନେ ତ ଆମ ଠାକୁର ଚକାଡୋଳା ବଙ୍ଗଳାର ବୋଲି କହିବେ ପଡ଼ୋଶୀ ! ଭାରତକୁ ଯିଏ ପହିଲେ ସଂସ୍କୃତ ଭାଷାରେ ରାଗ ତାଳ–ସ୍ୱର–ଛନ୍ଦ ଯୁକ୍ତ ସଙ୍ଗୀତ ଶୁଣାଇଲେ, ସେ କ’ଣ ଓଡ଼ିଆ ପୁଅ ନୁହନ୍ତି ? ମିଛରେ କ’ଣ ଶ୍ରୀଯୁକ୍ତ ଚନ୍ଦ୍ର ଦତ୍ତ ‘ଭକ୍ତମାଳା’ ଗ୍ରନ୍ଥରେ ପାଗଳ ହୋଇ ଲେଖିଛନ୍ତି–

 

‘‘ଜଗନ୍ନାଥ ପୁରୀ ପ୍ରାନ୍ତେ ଦେଶେ ଚୈବୋତ୍‌କଳାଭିଧେ

କିନ୍ଦୁବିଲ୍ୱ ଇତି ଖ୍ୟାତୋ ଗ୍ରାମୋ ବ୍ରାହ୍ମଣ ସଙ୍କୁଳଃ

ତତ୍ରୋତ୍କଳେ ଦ୍ୱିଜୋ ଜାତୋ ଜୟଦେବ ଇତି ଶ୍ରୁତଃ

ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମ ପୂଜକଃ ॥’’

 

ୟେ ତ ଆଜିର କଥା ନୁହେଁ । ହାରାହାରି ଚାରିଶ ବର୍ଷ ତଳର କଥା । ୟେ କ’ଣ ବିଜ୍ଞାବରଙ୍କର ପ୍ରଳାପ ? ଆଉ ଗୋଟିଏ ବଡ଼ କଥା ଦେଖି ଘୃଣା ଲାଗିଲା । ଗୀତଗୋବିନ୍ଦର ବିଶେଷତ୍ୱ ହେଲା ‘‘ଦେହି ପଦ ପଲ୍ଲବ ମୁଦାରମ୍’’ ଗୀତଟି । ଆଜିଯାଏ ଛପା ହୋଇଥିବା ଗୀତଗୋବିନ୍ଦ ବହିମାନଙ୍କରେ ଲେଖାଅଛି–ଏ ଗୀତର ତାଳ ଅଷ୍ଟତାଳ ବା ଓଡ଼ିଆ ଚଳନ୍ତିଭାଷାରେ ଆଠତାଳି । ଓଡ଼ିଶା ଛଡ଼ା ଆଉ କେଉଁଠି ଆଠତାଳିର ଚଳଣି ନାହିଁ । ଏ ଗୀତଟିର (ମୂଳଧାଡ଼ି–‘ବଦସି ଯଦି କିଞ୍ଚିଦପି ଦନ୍ତରୁଚି କୌମୁଦୀ’) ଛବିରେ କୀର୍ତ୍ତନ ଢଙ୍ଗରେ ପରଷା ହୋଇଛି-। ଜୟଦେବଙ୍କ ସମୟ ବାରଶ ଶତାବ୍ଦୀ ! ଶ୍ରୀଚୈତନ୍ୟଙ୍କ କାଳ ୧୫।୧୬ଶ ଶତାବ୍ଦୀ-। କୀର୍ତ୍ତନର ସୃଷ୍ଟି ଘଟିଛି ଚୈତନ୍ୟ ଦେବଙ୍କ ସମୟରେ । ତେବେ ଗୀତଗୋବିନ୍ଦରେ କୀର୍ତ୍ତନ ସ୍ୱର ଖଞ୍ଜା ହେଲା କିପରି !

 

ତା’ ସାଥୀକି ପୁଣି ଛବିରେ ଓଡ଼ିଆଙ୍କୁ ଅତି କଦର୍ଯ୍ୟ ଭାବରେ ଦେଖା ଯାଇଛି । ‘ଆମେ ବଡ଼’ ବୋଲି ନିଜର ଢୋଲ ନିଜେ ପିଟି ଚିତ୍କାର କରି ଶିଖି ନାହିଁ ବୋଲି ସିନା, ଏ ଜାତିଟା ନିଉଛୁଣା-

 

ଭାରି ବାଧିଲା ମୋତେ । ଛବି ଦେଖା ସରାଗ ଉଭେଇଗଲା ସେଇଠି । ସେଇ ସିନେମା ଘରରେ ଜଗନ୍ନାଥଙ୍କୁ ସୁମରି ମହାକବି ଜୟଦେବଙ୍କ ଚରଣାଶ୍ରିତ ହୋଇ ମନେ ମନେ ପଣ କଲି ଜୟଦେବ ନାଟକ ଲେଖିବି ବୋଲି । ବାକି ରାତିଟା ନାନା କଥା ଭାବି ଆରଦିନ ସକାଳେ କାଳୀମନ୍ଦିରରେ ଦର୍ଶନ ସାରି ହବିଷ୍ୱ କଲି । ଜୟଦେବଙ୍କ ଜୀବନୀ ଘେନି ଲେଖା ବହି ଓ ଗୀତଗୋବିନ୍ଦ ବହି କେତେକ ମନଦେଇ ପଢ଼ି, ନାଟକ ଲେଖା ଆରମ୍ଭ କଲି ।

 

ମୋ ଅଭ୍ୟାସମତେ ଲେଖା ଚାଲିଥାଏ ଏବଂ ତହିଁ ସହିତ ରିହର୍ସାଲ ଚାଲିଥାଏ ।

 

ଦିନେ ଶଶୀବାବୁ (ସ୍ୱର୍ଗତ ଶଶୀଭୂଷଣ ରାୟ)ଙ୍କୁ ଲେଖା ଦେଖାଇବାକୁ ନେଲି, ତାଙ୍କ କାଳୀଗଳି ଘରକୁ । ଶଶୀବାବୁ ମୋର ଶୁଭଚିନ୍ତକ । ରାସଦଳ ଥିବାବେଳରୁ, ମୁଁ ତାଙ୍କୁ ମୋ ଲେଖା ଦେଖାଏଁ ଓ ଉପଦେଶ ନିଏଁ । ସେ ଭାରି ଆନନ୍ଦ ହୋଇ ମୋତେ ନାଟକ ଲେଖୁଥିବା କଥା କହିଲେ । ଆମେ ଦୁହେଁ ବସି ନାଟକ ସମ୍ବନ୍ଧେ ଆଲୋଚନା କରିବାବେଳେ, ଘରଭିତରୁ ମୋତେ ଶୋଭା (ଶଶୀବାବୁଙ୍କ ନାତୁଣୀ) ଆସି ଘରକୁ ଡାକିନେଲେ । ଘରେ ମୋ ପାଇଁ ଜଳଖିଆ ବାଢ଼ିଦେଲେ ଶଶୀବାବୁଙ୍କ ସ୍ତ୍ରୀ । ମନେଅଛି ସେଦିନର କଥା । ମୁଁ ଜଳଖିଆ ଖାଇ ଦୁଇଖଣ୍ଡି ଆଳୁଭଜା ଥାଳିରେ ଛାଡ଼ି ଦେଇ ପାଣିଗ୍ଲାସ ଧରିଲି । ହଠାତ୍ ଶଶୀବାବୁଙ୍କ ସ୍ତ୍ରୀ ମୋର ହାତକୁ ଧରି ପକାଇ ମୋତେ କହିଲେ–

 

‘‘ବାବା, ଯିଏ ଯାହାକୁ ଖାଇବାକୁ ଦିଏ, ସେ କିପରି ଦିଏ ?’’

 

‘‘ମୁଁ କହିଲି ଆଦରରେ ଦିଏ ।’’

 

ସେ–‘‘ଏଇ ଆଳୁଭଜା ଦି’ ଖଣ୍ଡି କ’ଣ ମୁଁ ଆଦରରେ ଦେଇ ନ ଥିଲି ?’’

 

ଭାବିଲି, କବିବର ରାଧାନାଥଙ୍କ ବୋହୂ ଆଉ ପ୍ରତିଷ୍ଠିତ ସାହିତ୍ୟିକ ଶଶୀଭୂଷଣଙ୍କ ସହଧର୍ମିଣୀ ତ ! ତାଙ୍କଠାରୁ ଏପରି କଥା ଶୁଣିବାଟା ବିଚିତ୍ର କ’ଣ ?

 

କିଛି ଉତ୍ତର ନ ଦେଇ ଭଜା ଦି’ଖଣ୍ଡି ଖାଇ ପାଣି ପିଇଲି । ଶଶୀବାବୁ ଏକଥା ଶୁଣି ଭାରି ହସିଲେ ।

 

ଜୟଦେବ ନାଟକରେ ଦୁର୍ଲ୍ଲଭ–ଜୟଦେବ, ବୁଢ଼ା ଚୌଧୁରୀ–ପରାଶର, ସୁମତୀ ପଦ୍ମା, ମେନା–ରୋହିଣୀ, ବାବି–ପରିଆ ଏବଂ ଏହାଛଡ଼ା ଦଳର ଅନ୍ୟମାନେ ବିଭିନ୍ନ ଅଂଶ ନେଇଥାଆନ୍ତି-। ଘମାଘୋଟ ରିହର୍ସାଲ ଓ ଗୀତ ଶିକ୍ଷା ଚାଲିଥାଏ । ଟୀମା, ପାଣ୍ଡେପୁରୀର ଯାତ୍ରୀଗୁମାସ୍ତା ଇତ୍ୟାଦି ଅଂଶରେ ଦର୍ଶକମାନଙ୍କୁ ହସାଉଥାଆନ୍ତି । ପହିଲେ ମୁଁ ‘ଓଡ଼ିଆ ପୁଅ ଜୟଦେବ’ ବୋଲି ନାଆଁ ରଖିଥିଲି । ପରେ କିନ୍ତୁ ଭାବିଲି ଯେ ଜୟଦେବ କ’ଣ ଅନ୍ୟ କେଉଁ ଅଞ୍ଚଳର ଯେ ମୁଁ ଓଡ଼ିଆ ନାଆଁ ରଖିବି ? ତେଣୁ ନାଟକର ନାଆଁ ରଖାହେଲା, ‘ଜୟଦେବ’ । ମନେଅଛି, ଜୟଦେବ ନାଟକ ଚାଲୁଥିବା ପର୍ଯ୍ୟନ୍ତ ଦୁର୍ଲ୍ଲଭ ନିରାମିଷ ଭୋଜି ହୋଇ ରହିଥିଲା ।

 

୧।୫।୧୯୪୩ ତାରିଖରେ ଜୟଦେବ ନାଟକ ମଞ୍ଚସ୍ଥ ହେଲା । କଟକର ବହୁ ବିଶିଷ୍ଟ ବିଜ୍ଞ ବ୍ୟକ୍ତି ନାଟକ ଅନୁକୂଳ ଦିନ ମଞ୍ଚରେ ଉପସ୍ଥିତ ହୋଇ ଅଭିନୟ ଶେଷରେ ମୋତେ ଆଶୀର୍ବାଦ ଦେଲେ, ପ୍ରୋତ୍ସାହିତ କଲେ । ସମସ୍ତଙ୍କ ମୁଖରୁ ଏକ କଥା ଯେ କବିଚନ୍ଦ୍ର ଆମର ଜୟଦେବଙ୍କୁ ‘ଆମର’ ବୋଲି ଚିହ୍ନାଇ ଓଡ଼ିଆତ୍ୱ ବଜାୟ ରଖିଲେ । ପ୍ରତ୍ୟହ ରଙ୍ଗମଞ୍ଚରେ ଦର୍ଶକ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା ।

 

ଯେଷାକୁ ତେଷା :

 

ଏକା କଟକରେ ନୁହେଁ, ସାରା ଓଡ଼ିଶାରେ ଜୟଦେବ ନାଟକର ଭୂରିଭୂରି ପ୍ରଶଂସା ମୁଖରିତ ହେଲା । ଏଥିସହିତ କିନ୍ତୁ ମୋର ଗୋଟିଏ ବିପଦ ଘଟିଲା । ଜୟଦେବ ଏଇ ମାଟିର ଭକ୍ତ–ପ୍ରଧାନ ଯୋଗଜନ୍ମା ପୁରୁଷ ବୋଲି ବାସ୍ତବ ପ୍ରମାଣ ମୁଁ ଉପସ୍ଥାପିତ କରନ୍ତେ, ବହୁ ଉତ୍କଳବାସୀ ବଙ୍ଗାଳୀ ମୋର ଭଗାରି ହୋଇ ଉଠିଲେ । ମୋତେ ଭୟଭୀତ କରାଇବା ଲାଗି ବେନାମୀ ଚିଠି ପଠାଇ ଧମକ ଦେଲେ । ବୋଧହୁଏ ଖଣ୍ଡେ ଅଧେ ଚିଠି ଅଦ୍ୟାପି ମୋ ନିକଟରେ ଥିବ ।

 

ଏହାଛଡ଼ା ଆଉ ଗୋଟିଏ ବଡ଼ ଅସୁବିଧା ହେଲା, ଓଡ଼ିଶା ଥିଏଟର୍ସ ରଙ୍ଗମଞ୍ଚଟି ବାଲୁବଜାରର ତଦାନୀନ୍ତନ ଜମିଦାର ପାଲିତ ବଂଶର ଜମି । ଦଶବର୍ଷ ଲାଗି ସେମାନେ ମୋତେ ମାସିକ ଭଡ଼ା ସୂତ୍ରରେ ଏହି ମଞ୍ଚ ତୋଳିବାର ଅନୁମତି ଦେଇଥିଲେ । ତଦନୁସାରେ ମୁଁ କଟକ ମ୍ୟୁନିସିପାଲ୍‌ଟିରୁ ଘରତୋଳା ଅନୁମତି ନେଇଥିଲି । ଏଇ ଜମିର ପଡ଼ୋଶୀ ଘର ବିଶ୍ୱାସ ବଂଶର । ସେମାନେ ମଧ୍ୟ ସେତେବେଳେ ଜମିଦାର ଥିଲେ । ତାଙ୍କ ପକ୍‌କା ପାଚେରିକୁ ପ୍ରାୟ ଦୁଇଚାରି ହାତ ଛାଡ଼ି ଝାଟିମାଟି ବାଡ଼ଦିଆ ଓଡ଼ିଶା ଥିଏଟର୍ସ ରଙ୍ଗମଞ୍ଚ ତୋଳା ହୋଇଥାଏ । ଜୟଦେବ ନାଟକ ପ୍ରାୟ ଏକ ସପ୍ତାହ ମଞ୍ଚସ୍ଥ ହେବାପରେ ପ୍ରତ୍ୟହ ଅଭିନୟ ଆରମ୍ଭ ହେବାର ପ୍ରାୟ ଅଧଘଣ୍ଟାକ ମଧ୍ୟରେ ପଡ଼ୋଶୀ ବିଶ୍ୱାସବାବୁଙ୍କ ଘରେ କୀର୍ତ୍ତନ ଆରମ୍ଭ ହୁଏ ଖୁବ୍‌ ଜୋର୍‌ସୋର୍‌ରେ ଗୁଡ଼ିଏ ମୃଦଙ୍ଗ ଓ ଝାଞ୍ଜ ବାଜି । ଫଳରେ ଦର୍ଶକମଣ୍ଡଳୀ ଆଉ କିଛି ଶୁଣିପାରନ୍ତି ନାହିଁ । କିଂକର୍ତ୍ତବ୍ୟବିମୂଢ଼ ହୋଇ ମୁଁ ଲାଲବାଗ ପୋଲିସ ଷ୍ଟେସନର ଭରସା ନେଲି । ମୋର ଯେତେଦୂର ମନେହୁଏ ଶ୍ରୀ ଶ୍ରୀପତି ନନ୍ଦ ସେତେବେଳେ ପୋଲିସ ଇନିସ୍‌ପେକ୍ଟର ଥିଲେ । ସେ ଭାରି ଦୁଃଖକରି କହିଲେ ଯେ, ଏଥକୁ କିଛି ଉପାୟ ନାହିଁ; କାରଣ ସେ ତାଙ୍କ ଘରେ କୀର୍ତ୍ତନ କରୁଛନ୍ତି । ବନ୍ଦ କରାଯିବ କିପରି ? ମୁଁ ନିରାଶ ହୋଇ ଫେରିଲି, କାଳୀମନ୍ଦିରରେ ମାଆଙ୍କୁ ଦୁଃଖ ଜଣାଇଁ ।

 

ହଠାତ୍‌ ଦିନେ ରାତିରେ ଚିନ୍ତିତ ହୋଇ ବିଛଣାରେ ପଡ଼ିଥିବାବେଳେ ଏକ ଦୁଷ୍ଟବୁଦ୍ଧି ଜୁଟିଲା । ସେତେବେଳେ ଗାଡ଼ିରେ ବାଜାବାଲାମାନେ ବସି ପ୍ରଚାରପତ୍ର ବା ହ୍ୟାଣ୍ଡବିଲ ବଣ୍ଟା ହେବାର ଚଳଣି ଥିଲା, ବାଙ୍କାବଜାରର ‘ଫକା’ (ଡାକନାମ) ବୋଲି ଜଣେ ମୁସଲମାନ ଯୁବକର ଏକ ବଳଦିଆ ଗାଡ଼ିରେ ବାଜାବାଲାମାନେ ବସି ଟାଉନସାରା ବୁଲନ୍ତି । ମୋର ଗୋଟିଏ ବାଜାବାଲା ଦଳ ଥିଲେ । ବ୍ରହ୍ମପୁର ନିକଟବର୍ତ୍ତୀ ଏକଗ୍ରାମର (ବୋଧହୁଏ ଭାଆପୁର) ବାସିନ୍ଦା ସେମାନେ । ସେ ଦଳଟି ଭଲ ବାଦ୍ୟକାର । ଡ୍ରମ, ସାଇଡ଼୍‌ ଡ୍ରମ, କ୍ଲାରିଓନେଟ୍‌ ଓ କର୍ଣ୍ଣେଟ୍‌ ଇତ୍ୟାଦି ଖୁବ୍‌ ସୁନ୍ଦର ବଜାନ୍ତି, ଦିନବେଳେ ସିନା ହ୍ୟାଣ୍ଡବିଲ ଗାଡ଼ିରେ ଯାଆନ୍ତି, ସନ୍ଧ୍ୟାପରେ ଆଉ ତାଙ୍କର ନିଯୋଗ କିଛି ନ ଥାଏ ।

 

ଅଭିନୟ ଠିକ୍‌ ସଞ୍ଜ ସାଢ଼େ ସାତଟାବେଳେ ଆରମ୍ଭ ହୋଇ ସାଢ଼େ ଦଶଟା ବେଳକୁ ଶେଷହୁଏ । ମୁଁ ମୋର ବ୍ୟାଣ୍ଡବାଜାଦଳକୁ ଅଭିନୟ ଭାଙ୍ଗିବା ପରେ ଜମିଦାର ବିଶ୍ୱାସଙ୍କ ଘର କାନ୍ଥିପଟକୁ ବସି ରାତି ସାଢ଼େ ଦଶଟାରୁ ବାଜା ବଜାଇବା ପାଇଁ ନିର୍ଦ୍ଦେଶ ଦେଲି । ଡ୍ରମ ଓ କର୍ଣ୍ଣେଟ ବେଶି ଜୋରରେ ବାଜିବ ଆଉ ରାତି ୨।୩ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ, ବାଜାବାଲାଙ୍କୁ ଏଥିଲାଗି କିଛି ଅଧିକ ପାରିଶ୍ରମିକ ଦେଲି । ସେମାନେ ଖୁସିରେ ବାଜା ବଜାଇଲେ । ଫଳରେ ବିଶ୍ୱାସଙ୍କ ଘରେ ସମସ୍ତଙ୍କର ନିଦରେ ବ୍ୟାଘାତ ଘଟିଲା । ପ୍ରତ୍ୟହ ଏହି ପାଲା ପ୍ରାୟ ୭।୮ ରାତି ଚାଲିବାପରେ, ସଞ୍ଜୁଆ କୀର୍ତ୍ତନ ବନ୍ଦ ହୋଇଗଲା । ତା’ ସଙ୍ଗେ ସଙ୍ଗେ ରାତିଅଧିଆ ବାଜାବାଜିବା ମଧ୍ୟ ବନ୍ଦ କରିଦେଲି । ନାଟକଟି ସୁରୁଖୁରୁରେ ଚାଲିଲା ସିନା, ମୁଁ କିନ୍ତୁ ଅନେକ ଓଡ଼ିଶାବାସୀ ବଙ୍ଗାଳୀଙ୍କର ବିଷଦୃଷ୍ଟିରେ ପଡ଼ିଲି ।

 

କ୍ୟାପିଟାଲ ସିନେମାର ବଙ୍ଗଳାଛବି ‘ଜୟଦେବ’ ମୋତେ ଜୟଦେବ ନାଟକ ଲେଖାଇଲା । କାହିଁକି କେଜାଣି ଓଡ଼ିଆତ୍ୱର ଅଭିମାନ ମୋର ଜନ୍ମସାଥୀ । ଅନ୍ୟ ଜାତିର ନିନ୍ଦା ମୁଁ କରେ ନାହିଁ କି ଆମର ନିନ୍ଦାଟା ସହିପାରେ ନାହିଁ ।

 

ଜୟଦେବ ନାଟକ ଜଗନ୍ନାଥ କ୍ଷେତ୍ରରେ ପରଷିବାକୁ ଭାରି ମନ ହେଲା ସେତେବେଳକୁ ଗଜପତି ମହାରାଜ ରାମଚନ୍ଦ୍ର ଦେବ ଥାଆନ୍ତି । ରାଣା ରହସ୍ୟ ମଞ୍ଜରୀ ଦେବୀ (ଡାକନାମ ମଣି) ମୁଁ ପୁରୀ ଯିବାର ଶୁଣି ବଡ଼ ଖୁସି ହେଲେ ।

 

ପୁରୀ ଜଗନ୍ନାଥ କ୍ଲବରେ କେତେକ ରାତ୍ର ଅଭିନୟ ପ୍ରଦର୍ଶିତ ହେଲା । ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ର ଦେବ ରାଜବାଟୀରେ ଗୋଟିଏ ରାତ୍ର ଅଭିନୟ ହେବାକୁ କହିଲେ । ‘ମେରଦା’ ଅଗଣାରେ ମଞ୍ଚ ବନ୍ଧାହେଲା । ଅଭିନୀତ ହେଲା, ଜୟଦେବ ନାଟକ । କେତେକ ସନ୍ଥ ମହନ୍ତ, ବିଶିଷ୍ଟ ନାଗରିକ, ସେବକ, କଲେକ୍ଟର ଓ ମୁନସିଫ୍‌ ଇତ୍ୟାଦି ରାଜାଙ୍କ ଡାକରାରେ ନାଟକ ଦେଖିବାକୁ ଆସିଲେ । ସମସ୍ତେ ନାଟକର ଭାରି ପ୍ରଶଂସା କଲେ । ରାଜା ସନ୍ତୋଷ ହୋଇ ମୋତେ ଶ୍ରୀ ଜଗ୍ନାନଥ ଦେବଙ୍କ ଚାମର ସେବା ଓ ଅନ୍ତେ ବୈଷ୍ଣବାଗ୍ନି ପ୍ରାପ୍ତିର ସନନ୍ଦ ଦେଲେ । ମୁଁ ନିଜକୁ ମହାଭାଗ୍ୟବାନ୍‌ ମଣି ଶ୍ରୀ ଜୀଉଙ୍କ ଚାମର ସେବା ବଢ଼ାଇ ଦଳ ସହିତ କଟକ ବାହୁଡ଼ିଲି ।

 

ଭାତ :

 

୧୯୪୪–୧୯୪୫ ମସିହା ବେଳକୁ ଆମ ଓଡ଼ିଶାରେ ଠିକ୍‌ ଦୁର୍ଭିକ୍ଷ ନୋହିଲେ ବି ବଡ଼ ନିଅଣ୍ଟିଆବେଳ ହୋଇଥାଏ । କର୍ମୀ ସାଜି ଠାଆ ଠାଆ ବୁଲି ପ୍ରଚାର କରିବାଠାରୁ ଅଭାବ ଅନଟନର କାରଣ, ତାହାର ନିରାକରଣର ଉପାୟ ନିର୍ଦ୍ଦେଶନା, ଦେଶରେ ପରିସ୍ଥିତି ଓ ଆମର କର୍ତ୍ତବ୍ୟ ତଥା ଯୁଗର ଶାସନ ବିଷୟକୁ ନାଟକ ମାଧ୍ୟମରେ ରଙ୍ଗମଞ୍ଚରେ ପ୍ରଚାର କଲେ, ଲୋକେ ଟିକିଏ ହେଲେ ପ୍ରବୃଦ୍ଧ ହେବେ ଓ କିଛି ଉପାୟ ପାଞ୍ଚିବେ ବୋଲି ଭାବି, ମୁଁ ଭାତ ନାଟକ ଲେଖି ଏଥିରେ ଆମ ଗାଆଁ ଭୂଇଁ ଚିତ୍ର ବାଢ଼ିବି ବୋଲି ବିଚାରିଲି । ଅଭାବକୁ ସାହାଯ୍ୟ ତ କରିପାରିବି ନାହିଁ, ଧନୀ ନୁହେଁ କି ସବଳ ନୁହେଁ, ମନେ ପଡ଼ିଗଲା ଗୁଣ୍ଡୁଚିମୂଷା କଥା । ସେତୁବନ୍ଧ ବାନ୍ଧିଲାବେଳେ ସେ ପରା କୁଆଡ଼େ ଦେହରୁ ଧୂଳିଝାଡ଼ି ବନ୍ଧ ଗଢ଼ାରେ ନିଜର ଯଥାଶକ୍ତି ସାହାଯ୍ୟ କରିଥିଲା ବୋଲି ଆମ ପୁରାଣ କହେ । ମୋର ବଳ–କଲମ । ତା’ରି ଜରିଆରେ ଦେଶ ଦେଶର ଅବସ୍ଥା ପ୍ରଚାର କରିବି । ଦେଖେ ଯେବେ ଏ ବାଟରେ ଅଭାବୀ ଜନତାକୁ କେହି ସହୃଦୟ ବ୍ୟକ୍ତି ଟିକିଏ ସାହା ହୁଅନ୍ତି ଏଇକଥା ବିଚାରି ଓ ଦେଶର ଅବସ୍ଥାକୁ ଚାହିଁ ମୁଁ ଭାତ ନାଟକ ଲେଖିଲି । କ୍ୟାପିଟାଲ ସିନେମା ହଲ୍‌ରେ ସ୍ୱର୍ଗତ ବାଉରୀବନ୍ଧୁ ମହାନ୍ତି ଅନ୍ନପୂର୍ଣ୍ଣା ‘ଏ’ ଥିଏଟରର ଅଭିନୟ ଦେଖାଉଥାଆନ୍ତି । ଏଇ ବାଉରୀବନ୍ଧୁ ମୋ ରାସଦଳର କଟକରେ ଚମ୍ପୂନାଟକ ଅଭିନୀତି ହେବାବେଳେ ଗେଟ୍‌କିପର ଥିଲେ । ଓଡ଼ିଶା ଥିଏଟର୍ସର ଲୋକ ଗହଳି ଏବେ ତାଙ୍କ ଦେହସୁହା ହେଉ ନ ଥାଏ । ଭାତ ନାଟକଟି ରାଜନୈତିକ ଓ ସରକାର ବିରୋଧୀ ବୋଲି ସେ ପ୍ରଚାର କରିବାରେ ଲାଗିଲେ । ପୁଲିସର ଅନୁମତି ନେଇ ନାଟକ ଅଭିନୀତ ହେବାର ରୀତି ଚାଲୁଥାଏ । ମୁଁ ଯେପରି ଅନୁମତି ନ ପାଇବି–ତା’ର ପ୍ରଚେଷ୍ଟା ଚାଲିଲା । ବେନାମୀ ଚିଠି ଗଲା, ଗଭର୍ଣ୍ଣରଙ୍କ ପାଖ ପର୍ଯ୍ୟନ୍ତ । ଶେଷରେ କଥା ହେଲା ଯେ, ମଞ୍ଚସ୍ଥ ହେବାଲାଗି ଅନୁମତି ମିଳିବା ଆଗରୁ ସରକାରୀ ଲୋକ ଆସି ପୂରା ଷ୍ଟେଜ ରିହର୍ସେଲ ଦେଖିସାରିଲେ, ଅନୁମତି ମିଳିବା ନ ମିଳିବାର ବିଚାର ହେବ-। ଏକଥା ଶୁଣି ମୁଁ ମୋର ଦୁଃଖସୁଖର ସହାୟକ ମଉସା ଗୋପାଳ ପ୍ରହରାଜଙ୍କୁ ସବୁ କହିଲି-

 

ନିତି ଭୋରରେ ଜୁମା ମସଜିଦ୍‌ରେ ଅଜାନ୍‌ ପଢ଼ିବାବେଳକୁ ମୁଁ ନିତ୍ୟକର୍ମ ସାରି ମଉସାଙ୍କ ଘରକୁ ଯାଏଁ ।

 

ସେ ଭାତ ନାଟକର ସବୁ ଅଡ଼ୁଆ ଶୁଣି କହିଲେ–‘‘ହଉ ଦେଖିବା, ତୁ ବ୍ୟସ୍ତ ହୋଇ ପଡ଼ନା । ମୁଁ ଆଜି ଯାଇ ରହିର୍ସାଲ ଦେଖି ତା’ପରେ ପରାମର୍ଶ ଦେବି ।’’

 

ଭାତ ବାସ୍ତବରେ ସେ କାଳକୁ ଚାହିଁ ବ୍ରିଟିଶ୍‌ ସରକାର ଓ ଜମିଦାରମାନଙ୍କର ପ୍ରଜାମାନଙ୍କ ପ୍ରତି ମମତାହୀନ ବ୍ୟବହାରର ଏକ ଛାୟା ଉପରେ ଆଧାରିତ ନାଟ୍ୟରଚନା । ଏହାକୁ ମଞ୍ଚସ୍ଥ କରାଇ ନ ହେବାପାଇଁ ଷଡ଼ଯନ୍ତ୍ର ଚାଲିଲା । ସେତେବେଳକୁ ମି.ଏସ୍‌.ଏଲ୍‌.ମାରୁଡ଼୍‌ ଥାଆନ୍ତି କମିଶନର, ମି.ଆର୍‌.ଏସ. ସ୍ୱାନ ଥିଲେ ଲାଟସାହେବଙ୍କ ସେକ୍ରେଟେରୀ ଓ ସ୍ୱର୍ଗତ ଉମାଚରଣ ଦାସ କମିଶନରଙ୍କ ପି.ଏ. ଥାଆନ୍ତି । ଏ ତିନିହେଁ ମୋତେ ଆଦର କରୁଥିଲେ । ମୁଁ ଏ ଖବର ତାଙ୍କୁ ଦେଲି-। ସେଇମାନେ ଦିନେ ସଞ୍ଜରେ ବାଙ୍କାବଜାର ରଙ୍ଗମଞ୍ଚକୁ ଆସିଲେ । ମୁଁ ସ୍ୱର୍ଗତ ଗୋପାଳ ପ୍ରହରାଜ, ଶଶୀଭୂଷଣ ରାୟ ଓ ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତିଙ୍କୁ ସେଦିନ ଡାକିଥାଏଁ ।
 

ଏଥିପୂର୍ବରୁ ପ୍ରହରାଜ ମଉସା ଭାତ ନାଟକର ରିହର୍ସାଲ ଥରେ ଦେଖିଥିଲେ । ସେଥିରେ ଗୋଟିଏ ଗୀତ ଥିଲା–

 

‘‘ମରଣର ଚିତା ମନ୍ଥନ କରି ଅକାଳ ମଡ଼ାଏ ଉଠରେ ଚେଇଁ,

ହାଡ଼ ଚମ, ଘେନି କଙ୍କାଳ ! ଆସ ମରି କି ଡରୁଛ ଜଳିବା ପାଇଁ ?

କିଏ କହେ ତୁମେ ଭିଖାରୀ ବୋଲିରେ,

ଯାଯାବର ବୋଲି କହୁଛି କିଏ ?

ରାଜା, ସାଉକାର ତୁମେ ତ ଗଢ଼ିଛ,

ଘଡ଼ା ପୋତି ଆଜି ବସିଛି ଯିଏ,

ତୁମ କରୁଣାରେ–ଚାରଣା’ ମୂଲରେ

ଏଇଘର ଗଢ଼ା, ମନେ କି ନାହିଁ ? । ୧ ।

 

ମାଟି ପେଟ ଚିରି ତୁମେ ତ କାଢ଼ିଛ

ମାଆର ପେଟରୁ ମାଣିକ ହୀରା

ତୁମେ ଭୋକେ ମର, ଭାତ ମୁଠାକର

ଆଶା ନାହିଁ, ପିଠି ପିନ୍ଧୁଛି ଚିରା,

ସେଇ ହାଡ଼ ଗୋଡ଼ ଅଛି ତ ତୁମରି,

ଜନମ ତୁମର ଖଟିବା ପାଇଁ । ୨ ।

 

ଚକ ଘୂରିଯିବ, ଚହଳ ପଡ଼ିବ

ଅନ୍ଧାର ହେବ ରେ ଆଲୁଅ ଘର,

ହେମ–ସିଂହାସନ ଥରି ଉଠିବରେ,

ତୁମେ ଯେବେ ଥରେ ଦେବ ହୁଙ୍କାର

ଦୁନିଆ ଆଖିରେ ଆଙ୍ଗୁଠି ହଲାଇ

ବଡ଼ କିଏ ତୁମେ ଦେବ ଦେଖାଇ । ୩ ।

 

ଚମକି ପଡ଼ନା ବାଟୋଇରେ ଦେଖି–

ସନ୍ତ୍ରୀ ଜଗୁଆ ଏଇ ନଅର,

ଜଗି ସେ ରହିଛି ଠିଆ ଖରାଖିଆ

ଯେତକ ତୋହରି ରକତ ଝାଳ,

ତୋ ଲୁହ ଟୋପିକ ଦୁଧ ଖିରି କରି

ଖାଇ ସୁକୁମାର ଅଛି ଘୁମାଇଁ । ୪ ।

 

ହିଡ଼, ବାଡ଼ ନାଇଁ, ଆଖି ପାଉ ନାଇଁ

ସାଉକାର ଘର ଏଇ କିଆରି,

ସୁଧ ଭରିଣାକୁ, ହାଲି ହେଲା ପରା

ମିଶାଇ ଗାଆଁର ଯେତେ ଟୋକରୀ,

ଗାଲେ ହାତ ଦେଇ ଜଳକା ସମାନ

କେତେ କାଳ ଆଉ ଥିବୁରେ, ଚାହିଁ ? । ୫ ।

 

ଏ ଗୀତର ୪ର୍ଥ ପଦଟିକୁ, ମଉସା ରାଜଦ୍ରୋହର ସମାନ୍ୟ ରଙ୍ଗଥିବାର ମନେକରି ସରକାର ପକ୍ଷରୁ ରିହର୍ସେଲ ଦେଖି ଆସିବାଦିନ ନାଟକରୁ ସେତକ ଉଠାଇ ଦେବାକୁ କହିଥିଲେ । ସେଇଆ ହେଲା । ବିଶିଷ୍ଟ ରାଜକୀୟ ଦର୍ଶକମାନେ ସନ୍ତୁଷ୍ଟ ହୋଇ ‘ନୋ ଅବ୍‌ଜେକ୍‌ସନ୍‌’ ବୋଲି ମନ୍ତବ୍ୟ ଦେଇଗଲେ ।

 

ସୁରୁଖୁରୁରେ ଏଥର ଭାତର ଅଭିନୟ ଚାଲିଲା । ନାଟକ ଅଭିନୟବେଳେ କିନ୍ତୁ ‘ମରଣର ଚିତା’ ଗୀତଟି ବାଦ ଦିଆଗଲା ନାହିଁ । ଜନଗହଳି ଏପରି ହେଲା ଯେ ମୁଁ ଖବରକାଗଜରେ ବାଙ୍କାବଜାରକୁ ଯିବାଆସିବା ବାଟ ମଧ୍ୟ ଜଣାଇଲି । ଦୂର ଦୂରାନ୍ତରୁ ବଳଦଗାଡ଼ିରେ ଆସି ଲୋକେ ଭାତ ନାଟକ ଦେଖିକରି ଗଲେ । ଏକାଦିକ୍ରମେ ଶହେ କୋଡ଼ିଏ ରାତି ଭାତ ନାଟକ ଚାଲିଲା । କେବଳ ସପ୍ତାହରେ ସୋମବାର ଦିନଟି ଅଭିନୟ ପୂର୍ବପରି ବନ୍ଦ ରହୁଥାଏ । ୧୯୪୪ରେ ଭାତ ନାଟକ ମଞ୍ଚସ୍ଥ ହେଲା । ଯୁଦ୍ଧବେଳର କାଗଜ ଅଭାବରୁ କାଠପତ୍ର (କେନ୍ଦୁପତ୍ର)ରେ ଛାପୁଥିବା ହାଣ୍ଡବିଲ୍‌ ଏଥର କାଗଜରେ ଛାପାହେଲା ।

 

ଖଣ୍ଡିଏ ନାଟକର ଅଭିନୟ ଚାଲିଥିବାବେଳେ, ମୁଁ ଆଉ ଖଣ୍ଡିଏ ନାଟକ କରି ଲେଖିବସେଁ ଓ ସାଙ୍ଗମାନଙ୍କୁ ପଢ଼ି ଶୁଣାଏଁ । ସେମାନଙ୍କ ମତାମତକୁ ବିଚାରକରି ଆବଶ୍ୟକ ହେଲେ ସଂଯୋଗ ବିଯୋଗ କରେଁ । ୟେ ମୋର ଅଭ୍ୟାସ ।

 

ଭାତ ନାଟକର ସଫଳତା ହେତୁ ଓଡ଼ିଶା ଥିଏଟର୍ସ ରଙ୍ଗମଞ୍ଚରେ କଟକର କେତେକ ବିଶିଷ୍ଟ ଜ୍ଞାନୀ, ଗୁଣୀସମାଜ ସମ୍ବର୍ଦ୍ଧନା ଦେବାର ଆୟୋଜନ କଲେ । ଶ୍ରୀମତୀ ସରଳା ଦେବୀ, ଶ୍ରୀମତୀ ଲତିକା ରାୟ, ଶ୍ରୀମତୀ ନିଶାମଣି ମହାନ୍ତି, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ବୀରକିଶୋର ରାୟ, ଶ୍ରୀଯୁକ୍ତ ଭାଗୀରଥୀ ମହାପାତ୍ର, ଶ୍ରୀଯୁକ୍ତ ଭାଗବତ ମହାନ୍ତି, ଶ୍ରୀଯୁକ୍ତ ନବକୁମାର ଦାଶ ଏବଂ ଶ୍ରୀଯୁକ୍ତ ମଧୁସୂଦନ ମହାନ୍ତି ପ୍ରଭୃତି ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୋତେ ମଶାଲ ଓ ଲେଖନ ଇତ୍ୟାଦି ନାନା ପ୍ରକାର ଉପହାର ପ୍ରଦାନ କଲେ ।

 

କଟକରେ ସେତେବେଳେ ଟଣାରିକ୍ସା ଚାଲିଥାଏ । କଟକରୁ ପ୍ରଥମ କରି ସାଇକେଲ୍‌ ରିକ୍ସା ତିନିଖଣ୍ଡ ଅଣାଗଲା । ମୋର ବାଲ୍ୟବନ୍ଧୁ ଶ୍ରୀ ଚକ୍ରଧର ମିଶ୍ରେ ତିନିଖଣ୍ଡ ସାଇକଲ୍‌ରିକ୍ସା କଲିକତାରୁ ଆଣାଇଲେ । ଖଣ୍ଡିଏ ଶ୍ରୀଯୁକ୍ତ ହରିହର ମହାପାତ୍ରେ, ଖଣ୍ଡିଏ ମୁଁ ଓ ଆଉ ଖଣ୍ଡିଏ ଚକ୍ରଧରବାବୁଙ୍କ ବ୍ୟବହାର ପାଇଁ ରହିଲା । ସୁଶୀଲ ବୋଲି ଜଣେ ୨୦।୨୨ ବର୍ଷର ଯୁବକ ମୋ ଦଳରେ ଗେଟ୍‌ ଜଗୁଥିଲା । ସେ ସାଇକେଲ୍‌ରିକ୍ସା ଚଳାଇଲା । ଏଥିରେ ହାଣ୍ଡବିଲ୍‌ ବାଣ୍ଟିବାର ବ୍ୟବସ୍ଥା ମଧ୍ୟ କରାଗଲା । ଏଥିପୂର୍ବରୁ ମୋର ଖଣ୍ଡିଏ ଫିଟନ୍‌ ଗୋଟିକିଆ ଘୋଡ଼ାଗାଡ଼ି ଥିଲା । ମୁଁ ଏହି ଗାଡ଼ି ବ୍ୟବହାର କରୁଥାଏଁ ।

 

ଚକ୍ରୀ :

 

ସାମାଜିକ ନାଟକ ପରେ ମୁଁ ଲୋକ ଦୃଷ୍ଟି ଓ ରୁଚି ବଦଳାଇବାକୁ ଇଚ୍ଛାକରି ଚକ୍ରୀ ନାଟକ ୧୯୪୪ରେ ଲେଖିଲି । ‘ଭାତ’ର ଅଭିନୟ ଚାଲିଥିବାବେଳେ ଚକ୍ରୀ ଲେଖା, ସଂଶୋଧନ, ସମାର୍ଜନ ଓ ଶିକ୍ଷା ଚାଲିଲା । ଏ ନାଟକଟି ସାରା ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ଲେଖିଲି । ରାସଦଳରେ ‘ଲକ୍ଷ୍ମୀ’ ଓ ‘ମାନିନୀ’ ଇତ୍ୟାଦି ନାଟକ ଲେଖାବେଳୁ ମୋର ଏଭଳି ଛନ୍ଦରେ ଲେଖିବା ଅଭ୍ୟାସ ଥିଲା । ଚକ୍ରୀ ନାଟକ ଲେଖା ପାଇଁ ମୁଁ କେତେ ଖଣ୍ଡ ହିନ୍ଦୀ ଓ ବଙ୍ଗଳା ନାଟକର ସହାୟତା ନେଲି ।

 

ଭାତ ପରେ ଚକ୍ରୀ ନାଟକ ମଞ୍ଚସ୍ଥ ହେଲା । ଏହି ନାଟକ ଚାଲିଥିବାବେଳରେ ଦିନକର ଗୋଟିଏ ବିଶେଷ ଘଟଣା ମନେଅଛି । ନିତି ସଞ୍ଜବେଳେ କାଳୀମନ୍ଦିରକୁ ଯାଇ ମାଳ ଚଢ଼ାଇ, ଭୋଗ କରି ମାଳା ସିନ୍ଦୂର ଘେନି ଷ୍ଟେଜକୁ ଆସିବାଟା ମୋର ଅଭ୍ୟାସ ଥିଲା । ମୁଁ ଅଭିନୟ ଆରମ୍ଭ ସମୟକୁ ଭାରି ଜଗିଥାଏଁ । ଅଡ଼ିଟୋରିୟମ୍‌ରେ ଯେତିକି ଲୋକ ଥିଲେ ଥାଆନ୍ତୁ ଠିକ୍‌ ସଞ୍ଜ ସାଢ଼େ ସାତଟାରେ ଅବଶ୍ୟ ଡ୍ରପ୍‌ ସିନ୍‌ ଉଠା ହେବ, ଏହା ପୂର୍ବରୁ ମାଆଙ୍କ ଧଣ୍ଡା ପେଣ୍ଡାଲରେ ଟଣା ହୋଇଥିବ ଏବଂ ଅଭିନେତା ଅଭିନେତ୍ରୀମାନେ ମାଆଙ୍କ ସିନ୍ଦୂର ଘେନି ସାରିଥିବେ । ଏଇ ଥିଲା ଧରାବନ୍ଧା ନିୟମ । ମାଆଙ୍କ ଦର୍ଶନ ସାରି ବାହୁଡ଼ାଣି ବାଟରେ କାଳୀଗଳିରେ ରହୁଥିବା ଦୁଇଜଣ ଅଭିନେତ୍ରୀ–ମେନା ଓ ସରଙ୍କୁ ମୁଁ ମୋ ଫିଟନ ଗାଡ଼ିରେ ସଙ୍ଗରେ ନେଇ ପେଣ୍ଡାଲକୁ ଆସେଁ । ଚକ୍ରୀ ନାଟକର ଅଭିନୟ ଜୋର୍‌ସୋର୍‌ ଚାଲିଥିବାବେଳେ ଦିନେ ସଞ୍ଜରେ ମୁଁ ନିତି ପରି କାଳୀମନ୍ଦିରରୁ ଫେରିବାବେଳେ ଆଗେ ସରକୁ ଡାକିଲି । ସେ ଘରେ ଟିକିଏ କାମ ଅଛି ତେଣୁ ପଛରେ ରିକ୍ସାରେ ଯିବି ବୋଲି କହିଲା, ସର । ମେନାକୁ ନେଇ ମୁଁ ପେଣ୍ଡାଲକୁ ଆସିଲି ।

 

ଚକ୍ରୀ ନାଟକରେ ବୁଢ଼ା (ବଳରାମ) ଚଉଧୁରୀ–ବବ୍ରୁବାହ, ଲକ୍ଷ୍ମୀ, ରେଖା, ସୁମତୀ–ରେଖାର ନର୍ମସଖା ‘ମାଳତୀ’ ଅଂଶ ନେଇଥାଆନ୍ତି । ଏମାନଙ୍କ ଛଡ଼ା, ରେଖାର ଆଉ ଦୁଇଜଣ ପରିଚାରିକା ଥିଲେ । ଏଇ ପରିଚାରିକା ମଧ୍ୟରୁ ଜଣକର ଅଂଶ ନେଇଥିଲା କାଳୀଗଳିର ପୂର୍ବୋକ୍ତ ସର ।

 

ଚକ୍ରୀ ନାଟକର ଦୁଇ ତିନିଟି ଅଙ୍କ ପରେ ଗୋଟିଏ ଦୃଶ୍ୟରେ ବବ୍ରୁ, ରେଖା, ରେଖାର ପ୍ରିୟ ସଖୀ (ମାଳତୀ) ଏବଂ ପରିଚାରିକା ଅଂଶ ଏକାଠି ପଡ଼େ–ସ୍ଥଳ, କାଳ, ପାତ୍ର ଅନୁସାରେ ଏମାନେ ମଞ୍ଚରେ ପ୍ରବେଶ କରିବେ । ଠିକ୍‌ ଏଇ ଦୃଶ୍ୟ ପୂର୍ବରୁ ମଞ୍ଚ ବାହାରେ ମୋତେ ଖବର ମିଳିଲା ଯେ ରେଖାର ସହଚରୀ ଅଂଶ ନେଉଥିବା ସର ପେଣ୍ଡାଲକୁ ଆସି ନାହିଁ । ବୁଦ୍ଧି ବଣା ହୋଇଗଲା ମୋର । ଉପାୟ କ’ଣ ଏତେବେଳେ ?

 

ମୁଁ ମଞ୍ଚ ଭିତରକୁ ଯାଇ, କ’ଣ କରାଯିବ ବୋଲି ଭାବିହେଲି । ମାଆଙ୍କ ଅନୁଗ୍ରହରୁ ଗୋଟେ ବୁଦ୍ଧି ଜୁଟିଗଲା । ପେଣ୍ଡାଲଟା ତ ଚାଳଘର । ମଞ୍ଚରୁ ଗ୍ରୀନ୍‌ରୁମ୍‌କୁ ଯିବା ବାଟରେ ଗୋଟାଏ ବଡ଼ ଖୁଣ୍ଟ ଥାଏ । ସେଇ ଖୁଣ୍ଟରେ ଶାଢ଼ିଟିଏ ବାନ୍ଧିଦେଲି । ସୁମତୀକୁ କହିଲି ଯେ ସେ ସଖୀ (ସର)କୁ ମଞ୍ଚକୁ ଆସିବା ପାଇଁ ଡାକିବ । ଆଉ ଉଇଙ୍ଗ୍‌ସ ଭିତରୁ ଜଣେ ଅଭିନେତ୍ରୀ କହିବ ‘‘ମତେ ଲାଜ ଲାଗୁଛି, ବବ୍ରୁ ପାଖକୁ ଯିବାପାଇଁ ।’’ ତହୁଁ ସଖୀ (ସୁମତୀ) ସେଇ ଖୁଣ୍ଟରେ ବନ୍ଧା ହୋଇଥିବା ଶାଢ଼ିର କାନି ଟାଣି ନେଇ ମଞ୍ଚକୁ ଯିବ । ଆଉ ମଞ୍ଚକୁ ନ ଆସୁଥିବା ସହଚରୀର ବଚନିକାତକ, ଅନ୍ତରାଳରୁ (ପୂର୍ବ କଳ୍ପିତମତେ) ଆଉ ଜଣେ ଅଭିନେତ୍ରୀ କହିଦେବ । ଏଇ ଉପାୟରେ କାମ ଚଳିଗଲା । ଆଉ କାହାରି କିଛି ବାରିବାର ବା ଖୁଣିବାର କାରଣ ନ ଥିଲା । ଏ ଉପସ୍ଥିତ ବୁଦ୍ଧିରେ ଦଳଯାକ ତାଟକା ହୋଇଗଲେ ।

 

ତହିଁ ପରଦିନ ସରକୁ ଆଉ ସଞ୍ଜବେଳେ ଡାକିଲି ନାହିଁ; ସେ ପରଦିନ ସକାଳେ ତା’ ମନକୁ ଆସିଲା । ବୁଝିଲି ଯେ, ସେ ଦରମା ବଢ଼ାଇବା ପାଇଁ ଏପରି ହରବର କରିବାକୁ ଉପାୟ ପାଞ୍ଚିଥିଲା । ମୁଁ ତାକୁ ସକାଳ ରିହର୍ସେଲବେଳେ ଏକଥା ପଚାରି ବୁଝି, ମାସିକ ଲାଗି ଟଙ୍କାଟିଏ ବେତନ କାଟି ଦେବାକୁ ଥିଏଟର ପାର୍ଟିର ମ୍ୟାନଜର ନେତ୍ରାନନ୍ଦ ଛୋଟରାୟଙ୍କୁ ନିର୍ଦ୍ଦେଶ ଦେଲି । ଏଣିକି ସୁନା ଝିଅଙ୍କ ଭଳି ପୂର୍ବପରି ଯା’ ଆସ କଲା ସର ।

 

ବନମାଳା :

 

ନୂଆ ନାଟକ ‘ବନମାଳା’ ଲେଖା ଓ ଶିକ୍ଷା ପ୍ରସ୍ତୁତ ହୋଇଗଲା ଏହି ସମୟ ମଧ୍ୟରେ । ପ୍ରାୟ ଦେଢ଼ମାସ ବନମାଳା ମଞ୍ଚସ୍ଥ ହେବା ପରେ, ଓଡ଼ିଶା ଥିଏଟର୍ସର ଏକ ବିଶେଷ ପରିବର୍ତ୍ତନ ଘଟିଲା ।

 

ଦଳ ମଧ୍ୟରୁ ବାବୀ, ପୀର, ହରି ଓ କୃଷ୍ଣ ପାଣ୍ଡେ ମିଶି ଗୋଟିଏ ମନ୍ତ୍ରଣା ବୈଠକ କଲେ-। ଶୁଣିଲି, କିଲ୍ଲା ମଇଦାନର ପୀରଙ୍କ ପାଖରେ ଏମାନେ ସତ୍ୟବଦ୍ଧ ଦଳ ଛାଡ଼ିବାକୁ । ଏମାନଙ୍କ ସହିତ ଉମା, ମେନା ଓ କୁମୁଦ ମଧ୍ୟ ମିଶିଗଲେ । ପରେ, ଏଇ ଦଳଛଡ଼ାମାନଙ୍କ ଭିତରୁ ଜଣେ ଅଧେ ମୋତେ କହିଲେ ଯେ କୃଷ୍ଣ ପାଣ୍ଡେ ଥିଲେ ଏହି ମନ୍ତ୍ରଣାର ଅଧିନାୟକ । ଅବଶ୍ୟ ଏକଥା କେତେଦୂର ସତ–ସେକଥା ‘ମାଆ’ଙ୍କୁ ଜଣା । ଏଇଟା କଟକରେ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ ଗଢ଼ା ହେଉଥିବାବେଳେ । ଓଡ଼ିଶା ଥିଏଟର୍ସରୁ ଯାଇ ପୂର୍ବୋକ୍ତ ଅଭିନେତା ଓ ଅଭିନେତ୍ରୀମାନେ ସେଠାରେ ଯୋଗଦେଲେ । ଫଳରେ ଓଡ଼ିଶା ଥିଏଟର୍ସର ଅଭିନୟ ବନ୍ଦ ରହିଲା କିଛି ଦିନ ପାଇଁ-। ମୋର ଶୁଭାକାଙ୍‌କ୍ଷୀ କେତେକ ବନ୍ଧୁ ସେମାନଙ୍କୁ ବୁଝାବୁଝି କଲେ ଓ ଦଳରୁ ଯିବାର କାରଣ ପଚାରିଲେ । ସେମାନେ ଅଧିକ ଟଙ୍କା ଦାବି କରିବା ଭିନ୍ନ ଅନ୍ୟ କିଛି କହିଲେ ନାହିଁ । ମୁଁ ଓ ମୋର ଦଳର ବନ୍ଧୁମାନେ ଜାଣନ୍ତି ଯେ ମୁଁ ଦଳର ଟିକଟ ବିକ୍ରି ଟଙ୍କା ପଇସା କିଛି ରଖେ ନାହିଁ-। ମ୍ୟାନେଜର ଓ ଦୁର୍ଲ୍ଲଭ ସେ ସବୁ ବୁଝନ୍ତି । ଏକାଠି ମେସ୍‌ରେ ଖାଇବା ବାହାରେ ମୋତେ ପାନ ଓ ଜଳଖିଆ ଖର୍ଚ୍ଚକୁ ପାଞ୍ଚ ସିଉକା ଦିନକୁ ଦିଆଯାଏ । ମୋର ଲୁଗାପଟା ଇତ୍ୟାଦି ଲାଗି ଯାହା ଖର୍ଚ୍ଚ ହୁଏ ମୁଁ ସାମୟିକ ନିଏଁ । ଦଳର ଗୋଟିଏ ପରିଚାଳନା ସମିତି ଥାଏ, ସେମାନେ ଆୟବ୍ୟୟ ହିସାବ ଦେଖାଶୁଣା କରନ୍ତି, ପ୍ରତି ମାସ ଶେଷରେ ।

 

ଯେଉଁମାନେ ଦଳ ଛାଡ଼ିଗଲେ, ବାସ୍ତବରେ ଅଧିକ ଦରମା ପାଇଁ ବୋଲି ମୁଁ ବିଚାରି ପାରିଲି ନାହିଁ । ଅଭିନେତା ଓ ଅଭିନେତ୍ରୀ ଏକ ସଙ୍ଗରେ ଦଳରୁ ବାହାରି ଯିବାର ଯେଉଁ କାରଣ ସମ୍ଭବ ମନେହୁଏ, ତାହାହିଁ ଘଟିଥିଲା । ପରେ ବାବୀ ଉମାକୁ ଧର୍ମାନ୍ତରିତ କରାଇ ବିବାହ କଲା । ଉମାର ଘର ସେବେଳର ତେଲଙ୍ଗାବଜାର ବେଶ୍ୟାପଡ଼ାରେ । ସେ ତେଲେଙ୍ଗା ବଜାରର ବେଶ୍ୟା ‘ବୁଢ଼ୀ’ର ଝିଅ । ଏକଦା ମୋ ଦଳରେ ରହୁଥିବା ‘ଫିମେଲ ଗେଟକିପର’ (Female gate–keeper) ଧଡ଼ିବାଈର ସେ ନାତୁଣୀ । ମେନା ଓ କୁମୁଦ ଦୁହେଁ ମଧ୍ୟ ରୂପଜୀବୀ ଘରର । ମେନା କାଳୀଗଳିର ଓ କୁମୁଦ ବାଙ୍କିର ଜଣେ ବେଶ୍ୟାର ଝିଅ । ମୁଁ ତା’ର ଦୁରବସ୍ଥା ଦେଖି, ତାକୁ ବାଙ୍କୀରୁ ଆଣିଥିଲି । କଣ୍ଠଟି ମିଠା ।

 

ଏମାନଙ୍କର ଦଳ ଛାଡ଼ିବାଦ୍ୱାରା ଓଡ଼ିଶା ଥିଏଟର୍ସ ଭାଙ୍ଗିଯିବ ଏବଂ ଅନ୍ନପୂର୍ଣ୍ଣା ‘ବି’ ଗଢ଼ାହୋଇ ଛିଡ଼ାହେବ ବୋଲି ଅଭିପ୍ରାୟ ଥିଲା । ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପର ମାଲିକ ଶ୍ରୀ ଲିଙ୍ଗରାଜ ନନ୍ଦ ଏ ଦଳ ଛଡ଼ାମାନଙ୍କୁ ସାଦର ସ୍ୱାଗତ ସମ୍ବର୍ଦ୍ଧନା କଲେ । ଯେଉଁମାନେ ଦଳରୁ ଗଲେ, ସେମାନେ ଅନ୍ୟ କିଛି ବାଟ ନ ଦେଖି ବେତନ ବଢ଼ାଇ ନ ଦେବାରୁ ଚାଲିଗଲେ ବୋଲି ରାଷ୍ଟ୍ରକଲେ । ଅଥଚ କେହି କେବେ ହେଲେ ବେତନ ବୃଦ୍ଧି ସମ୍ବନ୍ଧେ ପଦେକଥା ଆଗରୁ କହି ନାହାନ୍ତି ।

 

୧୯୪୫ ଜାନୁଆରୀ ପହିଲାରେ ଦଳରୁ ବାବୀ, ପୀର, କୃଷ୍ଣ ପାଣ୍ଡେ, ମଧୁ ପଲାଇ, ହରି, ବୁଢ଼ା ଚୌଧୁରୀ ଓ ମେନା, କୁମୁଦ ଓ ଉମା ପ୍ରଭୃତି ଦଳଛଡ଼ାମାନଙ୍କୁ ପୁଣି ଥରେ ଦଳକୁ ଆଣିବାର ମଧ୍ୟ ମୋର ଆଦୌ ଇଚ୍ଛା ନ ଥିଲା । ସାଧୁବାବୁ ପ୍ରଭୃତି ସେମାନଙ୍କ ମଧ୍ୟରୁ କାହା କାହାକୁ ଡାକି ଫେରିବାକୁ ପ୍ରବର୍ତ୍ତାଇଲେ; କିନ୍ତୁ କିଛି ଫଳ ହେଲା ନାହିଁ । ଏକାବେଳେ ଏତେଜଣ ଅଭିନେତା ଓ ଅଭିନେତ୍ରୀ ଦଳରୁ ବାହାରି ଯିବାଦ୍ୱାରା ଓଡ଼ିଶା ଥିଏଟର୍ସ ଭାଙ୍ଗିଗଲା ବୋଲି ଲୋକଙ୍କର ଧାରଣା ହେବା ସ୍ୱାଭାବିକ । ଅଭିନୟ ବନ୍ଦ ରହିଲା । ମୁଁ ସେମାନଙ୍କୁ ଖବର ଦେଲି ଯେ ପନ୍ଦର ଦିନ ମଧ୍ୟରେ ସେମାନେ ନ ଫେରିଲେ ମୁଁ ମୋ ବ୍ୟବସ୍ଥା କରିବି ।

 

ବନମାଳା ମଞ୍ଚସ୍ଥ ହେବା ସହିତ ମୋ ହାତ–ଗଢ଼ା ପହିଲି ଅଭିନେତା ଓ ଅଭିନେତ୍ରୀମାନେ ତାଙ୍କ ରାହା ଧରିଲେ । ଓଡ଼ିଶା ଥିଏଟର୍ସର ୟେ ଗୋଟାଏ ଅଧ୍ୟାୟ । ମୁଁ ଯେ ଏ ଘଟଣାରେ ଚିନ୍ତିତ ବା ଦୁଃଖିତ ନ ଥିଲି, ଏକଥା ନୁହେଁ; କିନ୍ତୁ ସବୁ କଥାରେ–‘ ଦେଖାଯାଉ’ ବା ‘ଦେଖାଯିବ’ ବୋଲି ଧୈର୍ଯ୍ୟ ଧରିବା ଅଭ୍ୟାସଟାକୁ ପାସୋରି ନ ଥିଲି ।

 

ମୋର ଏକାନ୍ତ ବିଶ୍ୱାସ ଯେ–‘ଯାହା କରିବେ ସାଇଁ... ।’

 

ଅତିବଡ଼ୀ ଜଗନ୍ନାଥ ଦାଶ :

 

ହଠାତ୍‌ କେମିତି କେଜାଣି ଅବା କାହିଁକି ମୁଁ ମୋ ବହି ଆଲମାରି ଘାଣ୍ଟି ବସିଲି । ‘ଜଗ୍ନନାଥ ଚରିତାମୃତ’ ନାମକ ଦି’ ଖଣ୍ଡି ବହି ମୋ ଆଖିରେ ପଡ଼ିଲା । ଖଣ୍ଡିଏ ବହି ନାଟକ ଇଉନିୟନ ପ୍ରିଣ୍ଟିଂ ଓ୍ୱାର୍କସରେ ୧୯୧୩ରେ ମୁଦ୍ରିତ । ସଂଗ୍ରାହକ ଓ ପ୍ରକାଶକ ଶ୍ରୀ ସୁଦର୍ଶନ ନନ୍ଦ ଶର୍ମା ଏବଂ ଆଉ ଖଣ୍ଡିକ ୧୯୨୭ରେ ପଣ୍ଡିତ ଶ୍ରୀ ଜନାର୍ଦ୍ଦନ କରଙ୍କଦ୍ୱାରା ସଂଶୋଧିତ ଓ ଶ୍ରୀ ମାଧବ ଚନ୍ଦ୍ର ଦାନଙ୍କଦ୍ୱାରା ଅରୁଣୋଦୟ ପ୍ରେସରେ ପ୍ରକାଶିତ । କୌତୂହଳୀ ହୋଇ ଦି’ଖଣ୍ଡ ଯାକ ବହି ଆଡ଼େଇ ବସିଲି । ଏକା ବିଷୟ ତ ! ସଂଶୋଧିତ ବୋଲି ଛପା ହୋଇଛି କାହିଁକି ? କ’ଣ ପାର୍ଥକ୍ୟ ଅଛି ? ଦେଖୁ ଦେଖୁ ବୁଝିଲି ପାଠ ଏକା ବାକି ଶବ୍ଦ ଟିକିଏ ବଦଳିଛି ମାତ୍ର । ତହୁଁ ଆମ ଭାଗବତକାରଙ୍କ ଜୀବନଟି ଭକ୍ତକବି ଦିବାକର ଦାଶେ କିଭଳି ଲେଖିଛନ୍ତି ତାହା ଜାଣିବାକୁ ମନ ହେଲା । ଏତେବେଳେ ତ ଦଳରୁ ମୋ ହାତଗଢ଼ା ହାଣ୍ଡି, ଆଟିକାଗୁଡ଼ିଏ ଭାଙ୍ଗି ଯାଇଥାଏ । ମନ ବହଲେଇବାକୁ ବହି ଦି’ଖଣ୍ଡ ପଢ଼ିବସିଲି ।

 

ଜଗନ୍ନାଥ ଚରିତାମୃତରେ ଦିବାକର ଦାଶେ ଶ୍ରୀଚୈତନ୍ୟ ଓ ଜଗନ୍ନାଥ ଦାଶଙ୍କ ସମ୍ପର୍କ ସମ୍ବନ୍ଧେ ଲେଖିଛନ୍ତି । ଶ୍ରୀଚୈତନ୍ୟ ପୁରୁଷୋତ୍ତମ କ୍ଷେତ୍ରକୁ ବଙ୍ଗଳାର କେତେକ ଚୈତନ୍ୟ ପନ୍ଥୀ ବାବାଜୀଙ୍କ ସହିତ ଆସିଥିଲେ । ଜଗନ୍ନାଥ ଦାଶଙ୍କ ସହିତ ତାଙ୍କର ସାକ୍ଷାତ୍‌ ହେଲା ଓ ତାଙ୍କଠାରୁ ତତ୍ତ୍ୱମାନ ଶୁଣି ଶ୍ରୀଚୈତନ୍ୟ ଭାବବିହ୍ୱଳ ହୋଇ ପଡ଼ିଲେ ।

 

ସେଇଠୁ–

 

‘‘ଆପଣା ଶ୍ରୀଅଙ୍ଗ ପାଛୋଡ଼ି, ଶ୍ରୀକର ଘେନି ଅଙ୍ଗୁ କାଢ଼ି ॥

ଦାଶଙ୍କ ଶିରେ ଭିଡ଼ି ଦେଲେ, ଅତିବଡ଼ ବୋଲି ବୋଇଲେ ॥

ଅତିବଡ଼ କଥା କହିଲ, ତେଣୁ ଅତି ବଡ଼ ହୋଇଲ ॥

ଶ୍ରୀ ଅତିବଡ଼ୀ ଜଗନ୍ନାଥ, ଦାଶ ବୋଲନ୍ତି ଜଗତ ॥

ମହାପ୍ରଭୁଙ୍କ ମୁଖୁ ଶୁଣି, ସର୍ବେ ବୋଲନ୍ତି ଏହି ବାଣୀ ॥

 

X X X

 

ମହାପ୍ରଭୁଙ୍କ ସଙ୍ଗରେ ଯେଉଁ ବଙ୍ଗୀୟ ବୈଷ୍ଣବମାନେ ଆସିଥିଲେ, ଏକଥାଟା ସେମାନଙ୍କ ଦେହସୁହା ହେଲା ନାହିଁ । ଦିବାକର ଦାଶେ ଏ ସମ୍ବନ୍ଧେ ଲେଖିଛନ୍ତି–

 

‘‘ଅତିବଡ଼ ବୋଲି ଡାକନ୍ତେ ବୈଷ୍ଣବେ ଦୁଃଖ କଲେ ଚିତ୍ତେ ॥

ଓଡ଼ିଆ ବ୍ରାହ୍ମଣକୁ ରାଇ, ବୋଇଲେ ଅତି ବଡ଼ ତୁହି ॥

ଆଜି ପର୍ଯ୍ୟନ୍ତେ ସେବା କଲୁ, ସମସ୍ତେ ସାନ ପଦେ ଗଲୁଁ ॥

ଏହାଙ୍କ ସଙ୍ଗେ ଯେବେ ଥିବା, ସମସ୍ତେ ସାନପଦେ ଥିବା ॥

 

X X X

 

ଓଡ଼ିଆ ବ୍ରାହ୍ମଣ ସଙ୍ଗତେ, ଭାବ ବଢ଼ାଇଲେ ନିରତେ ॥

ଏହି ରାଜ୍ୟରେ ଏ ରହିବେ, ଓଡ଼ିଆ କର୍ମ ଆଚରିବେ ॥

ଏ ସଙ୍ଗ ଛଡ଼ାଇବା ଆମ୍ଭେ, ଏମନ୍ତ ବିଚାରି ପ୍ରାରମ୍ଭେ ॥

 

X X X

 

ଏମନ୍ତ କେତେଦିନ ଗଲା, ଅତିବଡ଼ ନାମ କାଟିଲା ॥

ସହି ନ ପାରି ଭୟେ ଗଲେ, ପ୍ରଭୁଙ୍କ ଆଗେ ଜଣାଇଲେ ॥

ଓଡ଼ିଆ ବ୍ରାହ୍ମଣ ଆଣିଲ, ଅତିବଡ଼ ପଦ କହିଲ ॥

ସର୍ବ ସେବକ ହେଲେ ସାନ, ତାହାର ଅତିବଡ଼ ନାମ ॥

 

X X X

 

ତହୁଁ ଚୈତନ୍ୟଦେବ କ୍ଷେତ୍ର ମହିମା, ବର୍ଣ୍ଣନା କରି ସେମାନଙ୍କୁ କହିଲେ–

 

ଏ ଘେନି ଅତିବଡ଼ ବାଣୀ, ଦାଶଙ୍କୁ ବଡ଼ ନୋହେଁ ପୁଣି ॥

 

X X X

 

ଏମନ୍ତ ପ୍ରଭୁ ମୁଖୁ ଶୁଣି, ସର୍ବ ବୈଷ୍ଣବ ଦୁଃଖ ମଣି ॥

ବିଚାର କଲେ ନିଜ ଚିତ୍ତ, ଥିବାର ନୁହଇ ଉଚିତ ॥

ଏମନ୍ତ ସମସ୍ତ ଭାବିଲେ, ପ୍ରଭୁଙ୍କ ସ୍ନେହ ଦୂର କଲେ ॥

ଛାଡ଼ିଲେ କ୍ଷେତ୍ରୋତ୍ତମ ଆଶା, ଅତିବଡ଼ ପଦେ ନିରାଶ ॥

ପୁରୁଷୋତ୍ତମକୁ ଛାଡ଼ିଲେ, ଯାଜନଗ୍ରକୁ ଚଳିଗଲେ ॥’’

 

ମୋ ପ୍ରାଣକୁ ବଙ୍ଗୀୟ ବୈଷ୍ଣବଙ୍କର ଏ ଅସହଣୀ ବେଭାର ବଡ଼ ବାଧିଲା । ବୈଷ୍ଣବ ଯେଉଁମାନେ, ତାଙ୍କର ଏ ହୀନ ମତି ! ପୁଣି ଓଡ଼ିଆ–ବଙ୍ଗାଳୀ ଏପରି ନୀଚ ଭେଦଭାବ !

 

ସତେ ଶ୍ରୀ ଚୈତନ୍ୟଙ୍କର ଶିଷ୍ୟ, ତିଳକଧାରୀ ‘‘ହରେକୃଷ୍ଣ ହରେରାମ’’ ଜପୁଥିବା ବଙ୍ଗର ଏଇ ବୈଷ୍ଣବମାନେ ତ ତୁଚ୍ଛ ସ୍ୱାର୍ଥ ଘେନି ଗୁରୁଙ୍କୁ ଛାଡ଼ି ବାହାରିଗଲେ, ଆଉ ଯେଉଁ ସାଧାରଣ ଯୁବକଯୁବତୀମାନଙ୍କୁ ମୁଁ ଶିକ୍ଷା ଦେଇ ମଞ୍ଚ କଳାକାର କରି ଗଢ଼ିଥିଲି, ସେମାନେ ଯୋଡ଼ି ଯୋଡ଼ି ହୋଇ ମୋର ସମାନ୍ୟ ଥିଏଟର ଦଳ ଛାଡ଼ି ଚାଲିଯିବାଟା ବିଚିତ୍ର କଥା କ’ଣ ?

 

ଓଡ଼ିଶାର ଅଶିକ୍ଷିତା ଯୁବତୀମାନଙ୍କୁ ପାଠଶାଠ ପଢ଼ାଇ, ଅଭିନୟ ଶିକ୍ଷା ଦେଇ ମୁଁ ପ୍ରଥମେ ପେସାଦାର ମଞ୍ଚରେ ଛିଡ଼ା କରାଇଥିଲି । ଆଉ ବହୁ ଯୁବକଙ୍କୁ ଅଭିନେତା ରୂପେ ଗଢ଼ି ମଞ୍ଚରେ ସୁଖ୍ୟାତି କମାଇବାର ଶ୍ରମ ସାଧନା କରିଥିଲି ମୁଁ । ସେମାନେ ସହସା ଦଳର ଅଭିବୃଦ୍ଧିବେଳେ ଦଳ ଛାଡ଼ି ବାହାରିଗଲେ । ମୁଁ ଚିନ୍ତିତ ହୋଇପଡ଼ିବା ସ୍ୱାଭାବିକ । କିନ୍ତୁ ଏହି ସମୟରେ ‘ଉପରର’ ନିର୍ଦ୍ଦେଶ କ୍ରମେ ଏଇ ଜଗନ୍ନାଥ ଚରିତାମୃତ, ମୋତେ ମନବଳ ଦେଲା ।

 

ଏଇ ବଙ୍ଗୀୟ ବୈଷ୍ଣବଙ୍କ ପ୍ରତି ମୋର ମନରେ ଘୃଣା ଭାବ ଜାତ ହେଲା । ଅତିବଡ଼ୀଙ୍କ ଗୌରବ ଗାୟନ ପାଇଁ ବାଟ ଖୋଜିହେଲି । ନାଟକ ତ ଶ୍ରେଷ୍ଠ ପ୍ରଚାର ମାଧ୍ୟମ । ବିଚାରିଲି ପୂଜ୍ୟପୂଜା କରିବି ତାହାରି ଜରିଆରେ–କିନ୍ତୁ, ଦଳରେ ସେପରି ଅଭିନେତା ବର୍ତ୍ତମାନ କାହାନ୍ତି ?

 

ବହି ଦି’ଖଣ୍ଡି ପଢ଼ୁ ପଢ଼ୁ ଦେଖିଲି ଯେ ଶ୍ରୀ ଚୈତନ୍ୟ ଅତିବଡ଼ୀଙ୍କୁ ପୂର୍ବଜନ୍ମ ବୃତ୍ତାନ୍ତ ପଚାରିବାରୁ ଦାସେ କହିଛନ୍ତି–

 

ଏକଦା–

 

‘‘ଦେଖିଣ ରାଧାଙ୍କ ବଦନ       ହସିଲେ ଜଗତ ଜୀବନ’’

 

X X X

 

ସେ ହାସ୍ୟୁ ତୁମ୍ଭେ ଜନ୍ମ ହୋଇ, ପ୍ରଭୁଙ୍କ ଆଗେ ଅଛ ରହି ।।

ରାଧାଙ୍କ ହାସ୍ୟରୁ ମୁଁ ଜାତ, ତୁମ୍ଭ ପଛରେ ହୋଇ ସ୍ଥିତ ।।

 

X X X

 

ଏହି ବର୍ଣ୍ଣନାର ଭାବ ହଠାତ୍‌ ମନରେ ଲକ୍ଷ୍ମୀକୁ ଜଗନ୍ନାଥ ଦାଶ ଏବଂ ସୁମତୀକୁ ଶ୍ରୀ ଚୈତନ୍ୟ ଅଂଶ ଦେବାର କଳ୍ପନା ଚେତାଇଲା । ସେଇଠୁ ଅତିବଡ଼ୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ନିବେଦନ କରି ‘ଜଗନ୍ନାଥ’ ଦାଶ ନାଟକ ଲେଖା ଆରମ୍ଭ କଲି ।

 

ଲକ୍ଷ୍ମୀ ବେଶି ଉଚ୍ଚ ନୁହେଁ, ଗଢ଼ଣ ସୁନ୍ଦର । ସୁମତୀ ଲକ୍ଷ୍ମୀଠାରୁ ଉଚ୍ଚ, କଣ୍ଠଟି ମଧୁର । ନାଟକ ଲେଖା, ଶିଖା ଓ ଅଭିନୟ ପ୍ରଦର୍ଶନ ପ୍ରାୟ ଦିନ ପନ୍ଦର କି କୋଡ଼ିଏ ଭିତର କଥା । ଓଡ଼ିଶା ଥିଏଟର୍ସ ପୁଣି ଆଗଭଳି ଜନଗହଳି ଦର୍ଶନ କଲା । ଲୋକେ କହିଲେ–ଓଡ଼ିଶା ଥିଏଟର୍ସ ମରି ନାହିଁ ଏଇ ନାଟକରେ ନୟାଗଡ଼ରୁ ନୂଆ ହୋଇ ଆସିଥିବା ଦୟାନିଧି ଦାସଙ୍କୁ ପଣ୍ଡିତ ଭୂମିକା ଦେଇଥିଲି-। ଲୋକେ ସେଇଦିନୁ ତାଙ୍କୁ ଏବେ ସୁଦ୍ଧା ପଣ୍ଡିତେ ପଣ୍ଡିତେ–ବୋଲି ଡାକି ଆସୁଛନ୍ତି ।

 

ପୁରୁଣା ଅଭିନେତା ଓ ଅଭିନେତ୍ରୀମାନଙ୍କ ଦଳ ଛାଡ଼ିବାର ଅଳ୍ପ ଦିନପରେ ଅତିବଡ଼ୀ ଜଗନ୍ନାଥ ଦାଶ ନାଟକ ମଞ୍ଚସ୍ଥ ହେଲା ।

 

ଥିଏଟର୍ସ ଷ୍ଟେଜରେ ପ୍ରଥମ କରି ମୁଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା କଲି ଏହି ଅତିବଡ଼ୀ ଜଗନ୍ନାଥ ଦାଶ ନାଟକରେ । ମାୟାଧର ରାଉତ ଓ ଗୋପୀନାଥ ବେହେରା ଦୁହେଁ ଗୋଟିଏ ଦୃଶ୍ୟରେ ଓଡ଼ିଶୀ ନୃତ୍ୟ ଦେଖାଇଥିଲେ । ଦୁହେଁ ବର୍ତ୍ତମାନ ଓଡ଼ିଶୀ ନୃତ୍ୟ ଗୁରୁ ।

 

ମଞ୍ଚରେ ନାରୀଙ୍କର ପୁରୁଷ ଭୂମିକା ଓ ଓଡ଼ିଶୀ ନାଚ ପ୍ରବର୍ତ୍ତନା ହେତୁ ଦେଖଣାହାରିଏ ବହୁ ପ୍ରଶଂସା କଲେ ।

 

ସବୁ ନୂଆ ବ୍ୟବସ୍ଥାକରି ଅତିବଡ଼ୀ ଜଗନ୍ନାଥ ଦାଶ ନାଟକ ମଞ୍ଚସ୍ଥ ହେବାଭଳି ପ୍ରସ୍ତୁତ କରାଇଲି ।

 

ରଙ୍ଗମଞ୍ଚ ସମ୍ବନ୍ଧେ ମୋର ଗୋଟାଏ ଧାରଣା ଯେ ଦର୍ଶକ ମନକୁ ନାଟକର ବିଷୟବସ୍ତୁ ପ୍ରତି ଆକର୍ଷଣ କରିପାରିବା ଭଳି ବ୍ୟବସ୍ଥା ପ୍ରଥମରୁ କଲେ, ନାଟ୍ୟାଭିନୟ ଆଦୃତ ହୁଏ । ଏହିକଥା ଭାଳି କେତେକ ନାଟକର ଅଭିନୟ ଆରମ୍ଭ ପୂର୍ବରୁ ମୁଁ ସୂଚନା ସଂଯୋଗ କରିଥାଏଁ । ଜଗନ୍ନାଥ ଦାଶ ନାଟକରେ ସେହି ରୀତିରେ ଆଦ୍ୟକଥନ ଯୋଗ କଲି । ଅଭିନୟ ଆରମ୍ଭ ପୂର୍ବରୁ ଅନ୍ତରାଳରୁ ଏହା ପଠିତ ହେଉଥିଲା । ସେଥିରୁ କେତୋଟି ଧାଡ଼ି ହେଉଛି–

 

ପୁରାଣ ନ ଥାଇ, ଜାତି ଶୋଇଅଛି–ଭଙ୍ଗା ପଞ୍ଜର ତଳେ

ଦିଅଁ ନାହିଁ ଏଇ ଭଙ୍ଗା ଦେଉଳ–ସେଇକଥା କହେ ଛଳେ ।

ଏଇ ଯେ ଦେଉଳ ପଥର ଫାଟରେ–ଚେମେଣୀ ଦେଇଛି ଛୁଆ,

ଏହାରି ଭିତରେ ଗଢ଼ିଛି ଓଡ଼ିଆ–ଜାତିର ଜନମ ଦୁଆ ।

 

X X X

 

ଓଡ଼ିଆ ଘରଣୀ ସଞ୍ଜଜାଳଇ–ଯାହା ଲେଖାତଳେ ଆଜି

ଏବେ ବି ଗାଆଁରୁ ଯାଇ ନାହିଁ ସେହି ଭାଗବତ ଗାଦି ଭାଜି ।

ଜାତିକୁ, ଭଷାକୁ, ଦେଶକୁ–ଦଶରେ ଅତିବଡ଼ୀ କଲା ଯିଏ,

ମଥା ନ ନୁଆଁଇ ତାହାରି ଚରଣେ–ଅଛି କି ଓଡ଼ିଆ କିଏ ?

ଦରିଆ ବାଲିରେ ଦରପୋତା ଏଇ–ଭଙ୍ଗା ଦେଉଳ ଛାତି,

କି ଥିଲା କି ହେଲା ପଚାରିଲେ କେହି–ବି କହିବ ଏଇ ଜାତି ?

 

ନାଟକର ଅଭିନୟ ଦର୍ଶନ ପୂର୍ବରୁ ଦର୍ଶକଙ୍କ ମନରେ ଜାତୀୟତାବୋଧ ଚେତନା ପାଇଁ ଏ ଅଗ୍ରକଥନର ସଂଯୋଗ । ଅନୁମାନ କରି ଦେଖିଛି ମୋର ଅଭିପ୍ରାୟ ସଫଳ ହେଉଥିଲା ।

 

ହା’ ଅନ୍ନ :

 

ଓଡ଼ିଶା ଥିଏଟର୍ସର ଗୋଟିଏ ପରିଚାଳନା କମିଟି ଥାଏ । ପରିଚାଳନା କମିଟି ପ୍ରତି ମାସରେ ବସି, ଆୟବ୍ୟୟ, ଦଳର ଭଲମନ୍ଦ, ବେତନ ଦିଆନିଆ ଓ ସାମୟିକ ଗୋଳମାଳିଆ ଅବସ୍ଥାର ବିଚାର କରନ୍ତି । ଶ୍ରୀ ନବକୁମାର ଦାସ ବା ମୋ ପାଖରେ ସ୍ନେହର ‘ନବ’ ଏ କମିଟିର ଜଣେ ବିଶିଷ୍ଟ ସକ୍ରିୟ ସଭ୍ୟ ।

 

ଏହାଛଡ଼ା ନବ ଓଡ଼ିଶା ଥିଏଟର୍ସର ନାଟକ ଲେଖା ଦେଖିବାଠାରୁ ମଞ୍ଚସ୍ଥ ହେବା ପର୍ଯ୍ୟନ୍ତ ସବୁଥିରେ ଭାଗ ନେଉଥିଲେ । ଏଇ ପରିବେଶ ତାଙ୍କୁ ନାଟକ ନିଶା ଚଖାଇଥିଲା । ସେ ନିଜେ ଖଣ୍ଡିଏ ନାଟକ ଲେଖିଲେ । ସେ ସୁପରିଚିତ ଔପନ୍ୟାସିକ ଶ୍ରୀ କାହ୍ନୁଚରଣ ମହାନ୍ତିଙ୍କ ହା’ ଅନ୍ନ ଉପନ୍ୟାସଟିକୁ ନାଟ୍ୟରୂପ ଦେବାକୁ ବସିଲେ ।

 

ମନେଅଛି, ଖରାଦିନ କଚେରି, ନବ ପ୍ରତିଦିନ କୋର୍ଟରେ ନିଜର କର୍ତ୍ତବ୍ୟ ସାରି ସେଇ ଉଦୁଉଦିଆ ଖରାକୁ ଖାତିର ନ କରି, ପ୍ରାୟ ଦୁଇଟାବେଳେ ମୋ ବସାକୁ ଆସନ୍ତି । ମୋ ବସାର ଉପର ଘର ଚାଳତଳେ ତାଙ୍କ ଲେଖା ନାଟକର ‘ଭଙ୍ଗାଗଢ଼ା’ କାମ ଚାଲେ । ଗୀତଗୁଡ଼ିକ ଲେଖି ଯୋଡ଼ିଦିଏ ମୁଁ । ଏବେ ମଧ୍ୟ ସେ ପାଣ୍ଡୁଲିପି ରହିଛି ମୋ ପାଖେ ।

 

ରିହର୍ସାଲ ଦିଆଗଲା ।

 

ଏତେବେଳକୁ ଓଡ଼ିଶା ଥିଏଟର୍ସର କଳାକାରମାନଙ୍କ ମଧ୍ୟରେ ଅଦଳ ବଦଳ ହୋଇ ସାରିଥାଏ । କେତେକ ନୂଆ ଛାତ୍ରଛାତ୍ରୀ ଯୋଗଦେଇ ଥାଆନ୍ତି ଦଳରେ । ସେମାନଙ୍କୁ ତାଲିମ ଦେଇ ‘ହା’ ଅନ୍ନ’ ମଞ୍ଚସ୍ଥ ହେଲା ୧୯୪୫ରେ । କୃଷ୍ଣ ରଥ, ଭଗବାନ୍‌ ମହାନ୍ତି, ଯଦୁ କାନୁଗୋଇ, ଶାନ୍ତି ଦାସ ଓ କେତେଜଣ ନୂଆ ଅଭିନେତ୍ରୀ ଅଂଶ ଗ୍ରହଣ କରି ପ୍ରଶଂସା ଅର୍ଜନ କଲେ ।

 

ଗୋଟିଏ ଦୁଃଖ କିନ୍ତୁ ମୋ ମନରେ ରହିଗଲା ଯେ, ଏତେ ସୁନ୍ଦର ନାଟକଟିଏ ଲେଖିବା ପରେ, ନବଙ୍କ ନାଟକ ଲେଖା କଲମ ବନ୍ଦ ରହିଛି । ଅବଶ୍ୟ ସେ କେତେ ଖଣ୍ଡ ବଙ୍ଗଳା ନାଟକର ରୂପରେଖ ବଦଳା ବଦଳି କରି ଲେଖି, କଟକ ମେଡ଼ିକାଲ ଲ’ କଲେଜ ପ୍ରଭୃତିରେ ନିଜେ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅନୁବାଦିତ ନାଟକର ରଙ୍ଗ ଏକାବେଳେ ବଦଳାଇ ଦେଇ ପାରିଛନ୍ତି । ଦେଖଣାହାରିଏ ମଧ୍ୟ ଏ ନାଟକର ଅଭିନୟକୁ ପସନ୍ଦ କରିଛନ୍ତି ।

 

ପବ୍ଲିସିଟିର ରେକର୍ଡ଼ିଂ :

 

୧୯୪୫ର କଥା । ସେତେବେଳେ ଶ୍ରୀ ଚିନ୍ତାମଣି ମିଶ୍ରେ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱରେ ଥାଆନ୍ତି । ଖଣ୍ଡିକେତେ ଗ୍ରାମଫୋନ୍‌ ରେକର୍ଡ଼ ପ୍ରସ୍ତୁତ କରାଇବାକୁ ସେ ମୋତେ ଭାରଦେଲେ । ଗୀତ ଲେଖିଲି, ସେ ପସନ୍ଦ କଲେ । ସିଂହାରୀ ଶ୍ୟାମସୁନ୍ଦର କର, ପୁରୀର ଶ୍ରୀ ଲୋକନାଥ ମିଶ୍ର, ଦୁର୍ଲ୍ଲଭ ସିଂହ ଓ ସୁମତି ପ୍ରଭୃତି କେତେଜଣଙ୍କୁ ସଙ୍ଗରେ ଘେନି ମୁଁ କଲିକତା ଗଲି-। ସେଠାରେ ସୁଧୀର ଦାସ ନାମକ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସହିତ ମୋର ଆଗରୁ ଜଣାଶୁଣା ଥିଲା, ମୁଁ ନିଜେ ଗ୍ରାମଫୋନ୍‌ ରେକର୍ଡ଼ିଂ କଲାବେଳରୁ । ଦମ୍‌ଦମ୍‌ରେ ଏଚ୍‌. ଏମ୍‌. ଭି. କମ୍ପାନୀରେ ସେ ସଙ୍ଗୀତ ପରିଚାଳନା କରୁଥିଲେ । ଆମେ ସବୁ ତାଙ୍କରି ଘରେ ରହିଲୁଁ । ଦିନ ଠିକଣା ହେଲା-। କେତୋଟି ଗୀତ ରେକର୍ଡ଼ିଂ କରାଗଲା । ମନେ ପଡ଼ୁଛି ମୋର ଏ ଗୀତମାନଙ୍କ ଭିତରେ–‘ବନ୍ଦେ ମାତରମ୍‌’ ଗୀତଟି ବହୁ ବଙ୍ଗୀୟ ବନ୍ଧୁ ପସନ୍ଦ କଲେ । ଏତେବେଳକୁ ଚାରିଆଡ଼େ ସ୍ୱାଧୀନତା ଆନ୍ଦୋଳନର ଚହଳ ପଡ଼ିଥାଏ ।

 

ଲୋକ ସମ୍ପର୍କ ବିଭାଗର ଏହି ରେକର୍ଡ଼ ପ୍ରସ୍ତୁତି ପ୍ରଥମ ଥର ଉଦ୍ୟମ ଏବଂ ମୁଁ ଏହା ପ୍ରସ୍ତୁତ କରାଇ ପ୍ରଶଂସା ଭାଜନ ହେଲି ।

 

ବେକାର :

 

ଓଡ଼ିଶା ଥିଏଟର୍ସ ପାର୍ଟି ଆରମ୍ଭ ଦିନରୁ ମୋ ନାଟକ ଲେଖାର ଧାରା ବଦଳି ଯାଇଛି । କେମିତି, କାହିଁକି ବା କାହା ନିର୍ଦ୍ଦେଶରେ ବଦଳିଗଲା ସେ କଥା ସେବେ ବା ଏବେ ସୁଦ୍ଧା ବାରିପାରି ନାହିଁ ।

 

ପରମ୍ପରା, ପରିସ୍ଥିତି ଓ ପୁରୋଦୃଷ୍ଟି ପ୍ରତି ସଜାଗ ରହିବାକୁ ମୁଁ ସବୁବେଳେ ପସନ୍ଦ କରେ-। ଖାଲି ତୁଣ୍ଡରେ ଗର୍ଜନ ତର୍ଜନ କରି ଉପଦେଶ ବା ବକ୍ତୃତା ଦେଲେ ଲୋକଙ୍କ ହୃଦୟରେ ତାହା ଛାପା ମାରିବ ବୋଲି ମୋର ବିଶ୍ୱାସ ନୁହେଁ । କୁଇନାଇନ୍‌ ରୋଗର ଉପକାରୀ ଔଷଧ; ମାତ୍ର ସ୍ୱାଦ ତା’ର ପିତା ବୋଲି ରୋଗୀ ଖାଇବାକୁ କୁଣ୍ଠାବୋଧ କରେ, ଅଥଚ ସେଇ କୁଇନାଇନ୍‌ ‘ସୁଗାର କୋଟେଡ଼୍‌’ ହେଲେ ସହଜରେ ରୋଗୀ ତାକୁ ଖାଏ ଏବଂ ତାହା ସୁଫଳ ଦିଏ ।

 

ରଙ୍ଗରସ–ପୁଟଦେଇ ନାଟକକୁ ସେଇଭଳି ଗଢ଼ିବା ଉଚିତ ବୋଲି ମୋର ଏକାନ୍ତ ଧାରଣା । ଲୋକର ମନୋରଞ୍ଜନ ମାଧ୍ୟମରେ ପରିସ୍ଥିତିକୁ ଉପସ୍ଥାପିତ କରି ଭବିଷ୍ୟତ୍‌ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଲାଗି ମୁଁ ବେକାର ନାଟକ ଲେଖି ବସିଲି ।

 

ଆମ କଳା, ଆମ ସଂସ୍କୃତି, ଆମ ସାହିତ୍ୟ, ଆମ ଜାତିନୀତି, ମତିଗତି–ସବୁ ଚୋରାଇ ନେଇ କୁଚକ୍ରୀଏ ବଡ଼ିମା ଦେଖାଉଛନ୍ତି ଅଥଚ ଆମେ ବେକାର ହୋଇ ଜଳଜଳ ଚାହିଁ ରହି ଭୋକେ ମରୁଛୁଁ ।

 

ମୋ ଦେଶବାସୀକୁ ଏଇ ଦୁଃଖ ଜଣାଇବା ଇଚ୍ଛାରେ ମୁଁ ବେକାର ନାଟକ ଲେଖି ପରଖି ବସି, ୧୯୪୫ ସାଲରେ ଗାଇ ଶୁଣାଇଲି–

 

କହ, କିଏ ଦେବେ ତୋତେ ଆହାର ?

ମାଆକୋଳ ଛଡ଼ା ଛେଉଣ୍ଡ ଛୁଆରେ !

ତୁ ପରା ଦୁନିଆଁ ବାହାର ।୦ ।

 

ମାଆ ହାତ ପରା ବନ୍ଦୀ କରିଛି

ବଙ୍ଗ, ସେପାଖେ ବିହାର

ଗଳା କାଟି ତେଣେ ମଥାରେ ମାରୁଛି

ଆନ୍ଧ୍ର ପାହାର ପାହାର ॥

 

ଏଡ଼େ ଜଳଜଳା ଭାଇରେ ଭାଇରେ

କଳି କରିବାକୁ ତିଆର

ଭଲଲୋକୀ ପଣେ ସଉତୁଣୀ ତେଣେ

ମାଡ଼ି ବସିଲେଣି ଦୁଆର ॥

 

ଏଇ ନାଟକ ଯୋଗାଡ଼ିଲାବେଳକୁ ମୋ ଦଳର ତାଲିମ୍‌ପ୍ରାପ୍ତ କେତେକ ନଟ–ନଟୀତ ପରଘରୀ ହୋଇ ସାରିଥାଆନ୍ତି । ଗଢ଼ିବା ତ କୁମ୍ଭାରର କାମ । ପୁଣି ନୂଆହାଣ୍ଡି ଗଢ଼ି ନୂଆ ରାନ୍ଧଣା ପରଷିଲି ମୋ ଭାଇ ଭଉଣୀଙ୍କି । ଚାଖି, ପସନ୍ଦ କଲେ ସଭିଏ, ପ୍ରାୟ ଶହେ ରାତି ।

 

ଆଉ ଗୋଟିଏ ଘଟଣା ଘଟିଲା : (୧୯୪୬)

 

ଥରେ ଜୟପୁରରେ ଓଡ଼ିଆ ସମ୍ମିଳନୀ ହେଉଥାଏ । ସମାଜର ସୁଯୋଗ୍ୟ ସମ୍ପାଦକ ଶ୍ରୀ ରାଧାନାଥ ରଥ ଯାଇଥାଆନ୍ତି ସେଠିକି ସଭାପତିତ୍ୱ କରିବାକୁ । ସେତେବେଳକୁ ଜୟପୁର ମହାରାଜ ଜ୍ଞାନୀ, ପଣ୍ଡିତ, ନାଟ୍ୟକାର ସ୍ୱର୍ଗତ ବିକ୍ରମଦେବ ବର୍ମା ଜୀବିତ । ତାଙ୍କର ବନ୍ଧୁ ଇଂରାଜୀରେ ‘History of Nandapur’ (ନନ୍ଦପୁର ଇତିହାସ) ବହିର ଲେଖକ ଶ୍ରୀ ବିଦ୍ୟାଧର ସିଂହ ମଧ୍ୟ ଜୀବିତ ଥାଆନ୍ତି । ଓଡ଼ିଶା ଥିଏଟର୍ସ ନିୟନ୍ତ୍ରିତ ହୋଇ ଜୟପୁର ଯାଇଥିଲା । ବେକାର ନାଟକର ଅଭିନୟ ଦେଖି ଜୟପୁରବାସୀ ଓଡ଼ିଆମାନେ ଦେଶାତ୍ମବୋଧ ଚେତନାରେ ମାତି ଉଠିଲେ । ମଞ୍ଚରେ ବିବିଧ ପ୍ରକାର ପୁରସ୍କାର ଦେଲେ । ସେହି ମଞ୍ଚରେ ମୋତେ ବିଦ୍ୟାଧର ସିଂହେ ତାଙ୍କ ରଚିତ ପୂର୍ବୋକ୍ତ ବହିଟି ପୁରସ୍କାର ଦେଇ କହିଥିଲେ–‘‘କାଳୀବାବୁ, ଆପଣ ଦେଶପ୍ରାଣ ନାଟ୍ୟକାର–ଏ ନନ୍ଦପୁର ଇତିହାସକୁ ଆପଣ କାର୍ଯ୍ୟରେ ଲଗାଇବେ, ଏତିକି ଅନୁରୋଧ’’ ମୁଁ ବନ୍ଧୁଙ୍କର ଆଦେଶ ମାନି ମୋର ‘ଅଭିଯାନ’ ନାଟକରେ ନନ୍ଦପୁର ଇତିହାସର ଉପଯୋଗ କରି ବିଜୟଚନ୍ଦ୍ରାକ୍ଷଙ୍କୁ ଗଜପତି ପୁରୁଷୋତ୍ତମ ଦେବଙ୍କର ସହାୟକ ରୂପେ ଉପସ୍ଥାପିତ କଲି ।

 

ଜୟପୁରରୁ ଦଳ ନବରଙ୍ଗପୁର ଗଲା । ସେତେବେଳେ ନବରଙ୍ଗପୁର ସବ୍‌ଡ଼ିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ଶ୍ରୀଯୁକ୍ତ ପୂଜାରୀଙ୍କ ନିମନ୍ତ୍ରଣରେ । ମହାରାଜ ବିକ୍ରମଦେବ ବର୍ମା ଏଠାରେ ନାଟକ ଉଦ୍‌ଘାଟନ କଲେ । ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପୂଜାରୀ ଜୟପୁରର ଅଭାବଗ୍ରସ୍ତ ବହୁ ଓଡ଼ିଆଙ୍କୁ ଖ୍ରୀଷ୍ଟଧର୍ମଯାଜକମାନେ କିପରି ଖ୍ରୀଷ୍ଟଧର୍ମାବଲମ୍ବୀ କରାଇଛନ୍ତି ତାହା ଦେଖାଇ ବଡ଼ ଦୁଃଖ କଲେ । ନବରଙ୍ଗପୁରରେ ବେକାର ପରେ ଜୟଦେବ ନାଟକ ଅଭିନୀତ ହେଲା ।

 

ଜୟପୁରକୁ ଫେରି ଡୁଡ଼ୁମା ଜଳପ୍ରପାତ, ସୀତାକୁଣ୍ଡ ଓ ବାଟରେ ଗୋଲାପର ବଣ ଓ ନନ୍ଦପୁରର ଭଗ୍ନାବଶିଷ୍ଟ ବତ୍ରିଶ ସିଂହାସନ ଇତ୍ୟାଦିର ଦୃଶ୍ୟ ମନରେ ଆମ ପୂର୍ବକୀର୍ତ୍ତି, ପୂର୍ବ ଗୌରବର ମହିମା ଚେତାଇ ଦେଲା ।

 

‘ଅଭିଯାନ’ ନାଟକ ଲେଖିବା କଳ୍ପନାର ଏହା ହିଁ ହେଲା ମୂଳ ସୂତ୍ର ।

 

କଲିକତା ରେଡ଼ିଓରେ କଣ୍ଠଶିଳ୍ପୀ :

 

ଡା. ଅଦ୍ୱୈତ ମହାନ୍ତି–ସେ ସମ୍ବନ୍ଧରେ ମୋର ମାମୁ । ତାଙ୍କର ଅଭିନୟ ପ୍ରତି ବଡ଼ ଆଦର । ନିଜେ ସେ ପୁରୀର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ ନାଟକରେ ଲକ୍ଷ୍ମଣ ଅଂଶ ନେଇଥିଲେ । କଲିକତାରେ ‘ସେନୋଲା’ ରେକର୍ଡ଼ିଂ କମ୍ପାନୀ ସହିତ ତାଙ୍କର ଭାବଲାଭ ଥିଲା । କେତେଖଣ୍ଡି ନାଟକ ସେ ରେକର୍ଡ଼ିଂ କରାଇଥିଲେ । ମୋ ବସାକୁ ଆସି, ରହି ବେଳେ ବେଳେ ମଞ୍ଚ ବ୍ୟବସ୍ଥାପନାରେ ସାହାଯ୍ୟ କରୁଥାଆନ୍ତି । ତାଙ୍କର କଲିକତା ରେଡ଼ିଓ ଷ୍ଟେସନରେ କେତେକ କର୍ମକର୍ତ୍ତାଙ୍କ ସହିତ ଜଣାଶୁଣା ଥାଏ । କଟକରେ ତ ରେଡ଼ିଓ ଷ୍ଟେସନ ନ ଥିଲା । ଓଡ଼ିଆ ଗୀତର ପ୍ରୋଗ୍ରାମ୍‌ ଅକାଳେ ସକାଳେ ଶୁଣିବାକୁ ମିଳେ । କଲିକତା ରେଡ଼ିଓ ଷ୍ଟେସନରେ ଶ୍ରୀ ଗତିକୃଷ୍ଣ ପଟ୍ଟନାୟକ, ଶ୍ରୀ ନୟନ କିଶୋର ମହାନ୍ତି ଆଉ ଶ୍ରୀ ସୁରେନ୍‌ ମହାନ୍ତି, ବୋଧହୁଏ ଏଇ ତିନିଜଣ ମାତ୍ର ଓଡ଼ିଆ ଥାଆନ୍ତି । ସୁଖ୍ୟାତ କଳା ନିର୍ଦ୍ଦେଶକ ଶ୍ରୀ ନରେନ୍‌ ଭଦ୍ର ଗୀତ ଓ ନାଟକ ଇତ୍ୟାଦିର ସଂଯୋଜନା କରୁଥାଆନ୍ତି । ଅଦ୍ୱୈତବାବୁ ତାଙ୍କୁ ମୋ କଥା କହିଲେ ଏବଂ ମୁଁ ଗୀତ ଗାଇବାକୁ ଡାକରା ପାଇଲି । ରାତି ୮ଟା କି ସାଢ଼େ ଆଠଟାରେ ମାସକୁ ଦୁଇଥର ଓଡ଼ିଆ ଗୀତ ପ୍ରୋଗ୍ରାମ୍‌ । କଲିକତା ରେଡ଼ିଓ ପ୍ରୋଗ୍ରାମ୍‌ କରିବା ପାଇଁ ମୁଁ କଟକରୁ ସକାଳ ଟ୍ରେନ୍‌ରେ ଯାଇ ସଞ୍ଜରେ କଲିକତାରେ ପହୁଞ୍ଚି, ପ୍ରୋଗ୍ରାମ୍‌ ସାରି ପୁଣି ଅଧରାତିରେ ମେଲ୍‌ଗାଡ଼ି ଧରେଁ । ରେଡ଼ିଓର ଦକ୍ଷିଣା ବଡ଼ କମ୍‌ ଥିଲା । ସେଥିରେ ଯାତାୟାତ ଖର୍ଚ୍ଚ ଚଳିଯାଏ । କଟକରେ ସେତେବେଳେ ଅତି ଅଳ୍ପ ଲୋକଙ୍କର ରେଡ଼ିଓ ସେଟ୍‌ ଥାଏ । ଦଳର ପିଲାଏ ମୋର ଗୁରୁଦେବ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଡ. ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଘରକୁ ପ୍ରୋଗ୍ରାମ୍‌ ସମୟରେ ଯାଇ ମୋ ଗୀତ ଶୁଣୁଥିଲେ । ଅଦ୍ୱୈତବାବୁଙ୍କର ଯୋଗାଡ଼ରୁ ଏ ମୋର ପ୍ରଥମକରି କଲିକତା ରେଡ଼ିଓରେ ଓଡ଼ିଆ ଗୀତ ଗାୟନ ୧୯୪୬ ମସିହା ମଇମାସ ଦୁଇ ତାରିଖରେ ।

 

ଅଭିଯାନ :

 

ଜୟପୁରରେ ବିଦ୍ୟାଧର ସିଂହଙ୍କ ପ୍ରଦତ୍ତ ‘ନନ୍ଦପୁରର ଇତିହାସ’ କଥା ମନେଥାଏ ମୋର । ସେଠାରେ ଦୃଶ୍ୟ ହେତୁ ହେଲା । ରାମଶଙ୍କରବାବୁ (ରାୟ)ଙ୍କର ‘କାଞ୍ଚି କାବେରୀ’, ଭିଖାରିବାବୁ (ପଟ୍ଟନାୟକ)ଙ୍କର ‘ରାଜା ପୁରୁଷୋତ୍ତମ’ ଏବଂ ଗୋଦାବରୀଶ ମିଶ୍ରଙ୍କର ‘ପୁରୁଷୋତ୍ତମ ଦେବ’ ନାଟକ ତିନିଖଣ୍ଡ ମୁଁ ପଢ଼ିଥାଏଁ । ସେହି କଥାବସ୍ତୁ ଘେନି ଗୋଟିଏ ନାଟକ ଲେଖିବି ଏବଂ ସେଥିରେ ନୂତନ ରଙ୍ଗଦେବି ବୋଲି କଳ୍ପନା କରି, ନାଟକଟିର ନାମ ‘ଅଭିଯାନ’ ରଖିବାର ସ୍ଥିର କଲି ।

 

ନାଟକ ଲେଖା ଚାଲିଲା । ମୁଁ ପୂର୍ବ ଅଭ୍ୟାସ ଅନୁକ୍ରମେ କେତେକ ବନ୍ଧୁଙ୍କୁ ଲେଖା ପଢ଼ାଉଥାଏଁ ଓ ପରାମର୍ଶ ନିଏ । ବିଶେଷ କରି ଶ୍ରୀ ନବକୁମାର ଦାସ (ଆଡ଼ଭୋକେଟ୍‌) ଓ ଶ୍ରୀ ବିଚିତ୍ରାନନ୍ଦ ମହାନ୍ତିଙ୍କୁ ଲେଖା ପଢ଼ାଏଁ । ଶ୍ରୀ କପିଳ ଚରଣ ମହାନ୍ତି ମୋତେ ତରବର କରାଉଥାଆନ୍ତି ଲେଖା ବେଗେ ସାରିବାକୁ । ଲେଖା ସଙ୍ଗେ ସଙ୍ଗେ ଅଭ୍ୟାସ (ରିହର୍ସାଲ) ଚାଲିଥାଏ-

 

ଏହି ସମୟରେ କଟକ ରେଡ଼ିଓ ଷ୍ଟେସନ ସ୍ଥାପିତ ହେବାର ବ୍ୟବସ୍ଥା ହେଲା । କଲିକତାରୁ ସୁଧୀନ୍‌ ଚାଟାର୍ଜୀ ଓ ଯତୀନ ଦାସ ପ୍ରଭୃତି ମୋର କେତେକ ପରିଚିତ ବନ୍ଧୁ କଟକ ଆସିଥାଆନ୍ତି । ମୁଁ ଯଥାସମ୍ଭବ ସାହାଯ୍ୟ ଦେଉଥାଏଁ ସେମାନଙ୍କୁ । ଯତୀନ୍‌ଦାସ ଅଭିଯାନରେ କଞ୍ଚୁକୀ ଅଂଶ ଗ୍ରହଣ କଲେ । ନବକୁମାର ମଞ୍ଚର ବ୍ୟବସ୍ଥାପନ ଭାର ନେଲେ । ନାଟକ ପ୍ରଥମ ଅଭିନୀତ ହେବାଦିନ ବହିଟି କିପରି ପ୍ରକାଶିତ ହେବ ବୋଲି ଜଣେ ପ୍ରକାଶକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଉତ୍କଣ୍ଠିତ ହୋଇ ପାଣ୍ଡୁଲିପିଟି ମାଗିନେଲେ । ମୋ ନାଟକ କେତେ ଖଣ୍ଡି ପ୍ରକାଶ କରି ସେ ଲୋକଙ୍କ ଭିତରେ ପରିଚିତ ହୋଇଯାଇଥାଆନ୍ତି ।

 

ଦିନକର ଗୋଟିଏ ଘଟଣା ମୋର ମନେଅଛି । ସେଦିନ ଦିନବେଳେ ଷ୍ଟେଜ୍‌ ରିହର୍ସେଲ ହେଉଥାଏ । ଆଉ ଦିନକ ପରେ ନାଟକ ମଞ୍ଚସ୍ଥ ହେବାର ସ୍ଥିର ହୋଇଥାଏ । ନବକୁମାର, ସିଂହାରୀ ଶ୍ୟାମସୁନ୍ଦର ଓ ଆଉ କେତେଜଣ ରିହର୍ସେଲ ଦେଖୁଥାନ୍ତି । ଅଭିଯାନ ନାଟକରେ ପଦ୍ମସିଂହ ଭୂମିକା (ମାୟା) ନେଇଥାଏ ସୁମତୀ । ଗୋଟିଏ ଦୃଶ୍ୟରେ ମୁଁ ତାକୁ ଗୋଟିଏ ଗୀତ ଦେଇଥାଏଁ । ତା’ର ମୂଳ ଧାଡ଼ିଟି ହେଲା ।

 

‘‘ଅଭିମାନିନୀ, ଖୋଲ ଅବଗୁଣ୍ଠନ’’

 

ଏ ଗୀତର ସ୍ୱର ନବକୁମାର ପସନ୍ଦ କଲେ ନାହିଁ । ମୁଁ ସଙ୍ଗେ ସଙ୍ଗେ ସେଇ ଷ୍ଟେଜ୍‌ରେ ଲେଖିଲି–

 

‘‘ଅପସାରିତକର ଅବଗୁଣ୍ଠନ ଧନ ! ଅଭିମାନ କାହିଁକି ?

ଅଭିସାରିକା, ମନ୍ଦିର ଦ୍ୱାରେ–ଚିରବାଞ୍ଛିତ ଦେବତା ଉଭାରେ

ଆଉ ଅଭିମାନ ସଖି କି ଶୋଭାରେ ? ନବନବୀନା, ଗୁମାନୀ ହୁଅନା ॥’’

 

ସଙ୍ଗେ ସଙ୍ଗେ ସ୍ୱର ମଧ୍ୟ ଦେଲି । ସଭିଏଁ ପସନ୍ଦ କଲେ । ସେତେବେଳକୁ ବହି ଛପା ସରିଥିଲା । ତେଣୁ ନୂଆ ଗୀତଟି ବହିରେ ସ୍ଥାନ ପାଇ ନାହିଁ । ଏବେ ମଧ୍ୟ ନବକୁମାର ସେକଥା କହି ଦୁଃଖ କରନ୍ତି ।

 

ଅଭିଯାନ ମଞ୍ଚସ୍ଥ ହେଲା ତା ୧୭।୭।୪୬ରିଖରେ । ଓଡ଼ିଶାର ତଦାନୀନ୍ତନ ଗଭର୍ଣ୍ଣର ଶ୍ରୀଯୁକ୍ତ ତ୍ରିବେଦୀ, ଶ୍ରୀମତୀ ତ୍ରିବେଦୀ, ଡ. ମହତାବ, ପ୍ରଧାନମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ପ୍ରଭୃତି ଉପସ୍ଥିତ ଥିଲେ । ମଞ୍ଛରେ ନାଟକର ସଫଳତା ସମ୍ବନ୍ଧେ ସମସ୍ତେ ପ୍ରଶଂସା–ମୁଖର ହେଲେ । ପତ୍ରପତ୍ରିକାମାନ ଲେଖିଲେ କାଳୀବାବୁ ଏ ଜାତିକୁ ‘ଭାତ’ ଯୋଗାଇ ବଳିଷ୍ଠ କରି ସ୍ୱାଧୀନତାର ‘ଅଭିଯାନ’ ଲାଗି ପ୍ରସ୍ତୁତ କରାନ୍ତୁ ।

 

ଏବେ ଅଭିଯାନରେ କେତେକ ତଥାକଥିତ ସମାଲୋଚକ ପୁରୁଷୋତ୍ତମଦେବଙ୍କ ଚରିତ୍ର ଦୁର୍ବଳ ହୋଇଛି ବୋଲି କହିବାର ଶୁଣୁଛି ମୁଁ । ନାଟକର ସମାଲୋଚକଙ୍କ ଦାୟିତ୍ୱ ଅଳ୍ପ ନୁହେଁ । ସେ ନାଟକଟିକୁ ପ୍ରଥମେ ମନଧ୍ୟାନ ଦେଇ ଅଭିପ୍ରାୟ ବୁଝିବା ଉଚିତ । ଉପରଠାଉରିଆ କରି ବାହାଦୁରି ନେବାପାଇଁ ମନ୍ତବ୍ୟ ବାଢ଼ିଦେବା ବାସ୍ତବହୀନ ସମାଲୋଚକର କାର୍ଯ୍ୟ ।

 

ରାଜା ପୁରୁଷୋତ୍ତମ ଦେବ ଯେ କବି, ପ୍ରେମିକ, ଜଗନ୍ନାଥ–ଭକ୍ତ, ଅଭିମାନୀ ଓ ସ୍ୱାଧୀନଚେତା ଏବଂ ଉଦାରମନା ବୀରପୁରୁଷ, ଏ କଥା ମନେ ରଖିବା ଉଚିତ । ସେହିପରି ପଦ୍ମାବତୀଙ୍କ ଚରିତ୍ରକୁ ମଧ୍ୟ ବିଶ୍ଳେଷଣ କରିବା ଆବଶ୍ୟକ । ଏ ସମ୍ବନ୍ଧେ ତ ଅନେକ କଥା କହିବାର ଅଛି । ଏଇଟା ତା’ର ସ୍ଥାନ ନୁହେଁ । ମୋଟ ଉପରେ ସମାଲୋଚକ ଗୁଣଗ୍ରାହୀ, ରସଗ୍ରାହୀ, ନାଟ୍ୟ, ପ୍ରବୀଣ ଓ ସହୃଦୟ ନ ହୋଇ, ଖାଲି ‘‘ନାମକା ବାସ୍ତେ’’ ସମାଲୋଚକ ବୋଲାଇବା କେବଳ ବିଚାରହୀନତା ସିନା ! ଅଭିଯାନ ନାଟକ ମଞ୍ଚସ୍ଥ ହେବାବେଳକୁ ଦେଶସାରା ସ୍ୱାଧିନତା ଆନ୍ଦୋଳନର ଚହଳ ସୃଷ୍ଟି ହେଲାଣି । ମୁଁ ଆମ ଘରର ବୀରତ୍ୱ କାହାଣୀ ଚେତାଇ ଦେବାକୁ ‘ଅଭିଯାନ’ ନାଆଁ ରଖି ଏ ନାଟକଟି ଲେଖିଲି । ସେଥିପାଇଁ ମଞ୍ଚରେ ନାଟକର ଆଦ୍ୟକଥନ ଶୁଣାଉଥିଲି–

 

‘‘ପାଞ୍ଚଶ ବରଷ କଥା

ଏଇ କଙ୍କାଳର ଥିଲା ସେତେବେଳେ

ରକତ ମାଉଁସ ମଥା’’

ପାସୋରା କଥାକୁ ଦେବାକୁ ଚେତାଇ

ରକତେ ସେ ତେଜ ଦେବାକୁ ମତାଇ

ଭାଇ ଆଗେ ଆଜି ବାଢ଼ି ମୁଁ ବସିଲି

ଏଇ ‘ଅଭିମାନ’ ଗାଥା ।’’

 

ସ୍ୱାଧୀନତା ଆନ୍ଦୋଳନର ପ୍ରତ୍ୟକ୍ଷ ସିପାହି ନ ହେଲେ ମଧ୍ୟ ମୁଁ ଭିତରେ ସ୍ୱାଧିନତାର ପୂଜା କରେଁ । ତା’ ଛଡ଼ା ମୁଁ ଏଇ ଚିନ୍ତାଟାକୁ ପ୍ରଚାର କରିବାକୁ ଚାହେଁ । ଏଇଥିପାଇଁ ନାଟକ ମାଧ୍ୟମରେ ଲୋକମନରେ ଟିକିଏ ଦେଶଗୌରବ ଚେତନା ଆଣିଦେବା ଅଭିପ୍ରାୟରେ ‘ଅଭିଯାନ’ ଲେଖିଥିଲି ।

 

ଅଭିଯାନ ନାଟକ ଲେଖିବା ଓ ଶିକ୍ଷାଦେବାବେଳେ ମୁଁ ଏକ ଧକ୍‌କାର ସମ୍ମୁଖୀନ ହେଲି-। ସେକଥା ଟିକିଏ କହିବସୁଛି ।

 

ଆଉ ଏକ ଧକ୍‌କା :

 

ପୁରୀରେ ରାଧାରମଣ ରାସୋତ୍ସବ ନାଆଁ ଦେଇ ମୁଁ, ରଙ୍ଗନାଥ ଦେବ ଗୋସ୍ୱାମୀ (ଗୋପାଳ ଗୋସାଇଁ) ଓ ବାସୁଦେବ ମହାପାତ୍ର ସ୍ନ ୧୯୨୭–୨୮ରେ ରାସଦଳ ଗଢ଼ି ଥିଲୁଁ । ସେତିକିବେଳେ ଦୁର୍ଲ୍ଲଭ ପୁରୀ ଜିଲା ଭୋଦର ଗାଆଁରୁ ଆସି ଦଳରେ ଯୋଗ ଦେଇଥିଲା । ତା’ର ବୟସ ପ୍ରାୟ ୧୧।୧୨ ହେବ । ଦଳରେ ଯୋଗ ଦେବାର ଅଳ୍ପଦିନ ପରେ ସେ ହେଲା ପିତୃହୀନ । ମୁଁ ତାକୁ ବହୁପ୍ରବୋଧ ଦେଇ, ବାପ ବଦଳରେ ବାପ ମୁଁ ଅଛି ବୋଲି କହିଥିଲି ଏବଂ ସେହି ଦୃଷ୍ଟିରେ ବରାବର ଦେଖୁଥିଲି ଏବଂ ତା’ର କଳା ଶିକ୍ଷାପ୍ରତି ବିଶେଷ ଦୃଷ୍ଟି ଦେଉଥିଲି ।

 

ସେ ଦଳ ଭାଙ୍ଗିବା ପରେ ସାକ୍ଷିଗୋପାଳ ନାଟ୍ୟସଂଘ ଏବଂ ଓଡ଼ିଶା ଥିଏଟର୍ସର ସେ ଥିଲା ଜଣେ କୃତି ଛାତ୍ର । ଦୁର୍ଲ୍ଲଭର ମାଆ, ଗୋଟିଏ ବିଧବା ଭଉଣୀ, ଭଣଜା ଓ ଗୋଟିଏ ସାନଭଉଣୀଙ୍କୁ କଟକରେ ମୁଁ ମୋ ବସାରେ ରଖୁଥିଲି । ସମସ୍ତେ ଜାଣନ୍ତି ଯେ ସେ ମୋର ଧର୍ମପୁତ୍ର । ମୁଁ ନିଜେ ବରକର୍ତ୍ତାରୂପେ କଟକ ଭିକ୍ଟୋରିୟା ସ୍କୁଲର ଜଣେ ଶିକ୍ଷକଙ୍କ କନ୍ୟା ସହିତ ତା’ର ବିବାହ ଦେଲି ପ୍ରାୟ ୧୯୪୬ରେ । ସେତେବେଳକୁ ଅଭିଯାନ ଲେଖା ଚାଲିଥାଏ । ବିବାହ ପରେ ସେ ମସ୍‌ଜିଦ୍‌ଗଳି ମୁଣ୍ଡରେ ଷାଠିଆଙ୍କର ଘର ସାମନାରେ ଭଡ଼ାଘର କରି ସସ୍ତ୍ରୀକ ରହିଲା । ଦଳରୁ ଲକ୍ଷ୍ମୀ ତା’ ସହିତ ରହିବାକୁ ଇଚ୍ଛା ପ୍ରକାଶ କରନ୍ତେ ମୁଁ ଆପତ୍ତି କରିବାର ସମୁଚିତ ମଣିଲି ନାହିଁ । ଦୁର୍ଲ୍ଲଭ ସେଠାରେ ରହି ଅଭିଯାନର ଗୀତଗୁଡ଼ିକ ସହିତ ହାର୍‍ମୋନିୟମ ବଜାଉଥାଏ । ବେହେଲା ବଜାନ୍ତି ଶ୍ରୀ ଧ୍ରୁବଚରଣ ସାହୁ ଓ ବଂଶୀବାଦକ ଶ୍ରୀ ନକୁଳ ବୋଷ ।

 

ହଠାତ୍‌ ଦୁର୍ଲ୍ଲଭ ଅସୁସ୍ଥ ହେଲା । ମୋର ବନ୍ଧୁ ଡଃ କୁଳମଣି ମିଶ୍ର ଓ ମୋର ପିତୃବ୍ୟକଳ୍ପ କୃଷ୍ଣଚନ୍ଦ୍ର ଷାଠିଆଙ୍କ ଚିକିତ୍ସାଧୀନରେ ରଖିଲି ତାକୁ । ଦିନେ କୃଷ୍ଣବାବୁ ମୋତେ କହିଲେ–‘‘ପୁଅ ! ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ର ଶ୍ରୀ ଲିଙ୍ଗରାଜ ନନ୍ଦ ତ ବରାବର ଆସି ଔଷଧପତ୍ର ପଥି-ପାଚନ ଦେଉଥିବାର ଅନେକବାର ଦେଖିଲିଣି ମୁଁ । ତୁ ଆଉ ଦୁର୍ଲ୍ଲଭ ଘରକୁ ଦି’ଓଳି ଦଉଡ଼ି ମୋତେ ଧରୁଛୁ କାହିଁକି ?’’

 

ମୁଁ ଟିକିଏ ନିସ୍ତବ୍ଧ ହୋଇଗଲି । ଅନୁସନ୍ଧାନ କରି ବୁଝିଲି ଯେ କଥାଟା ସତ । ମୁଁ କିନ୍ତୁ ଏସବୁ ଜାଣିପାରିଲି ବୋଲି ଦୁର୍ଲ୍ଲଭ, ଲକ୍ଷ୍ମୀ ବା ଦୁର୍ଲ୍ଲଭ ମାଆଙ୍କୁ କିଛି କହେ ନାହିଁ ।

 

ମନଟା ଛି ହୋଇଗଲା । ଅଭିଯାନ ନାଟକରେ ତେଣୁ ଲକ୍ଷ୍ମୀ ବା ଦୁର୍ଲ୍ଲଭର ଅଂଶ ନାହିଁ ।

 

ଦେହ ଭଲହେଲାରୁ ସତକୁ ସତ ଦୁର୍ଲ୍ଲଭ ଓ ଲକ୍ଷ୍ମୀ ମୋତେ ଚିତା କାଟିଲେ । ନନ୍ଦେ ତାଙ୍କୁ ହରଣଚାଲ କରିନେଲେ ।

 

ଆଗରୁ ତ ଥରେ ଧକ୍‌କା ଖାଇଥିଲି । ସେତେବେଳେ ଦଳରୁ କେତେ ଜଣ ଅଭିନେତା ଅଭିନେତ୍ରୀ ବାହାରିଯାଇ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ରେ ଯୋଗ ଦେଇଥିଲେ । ଏବେ ପୁଣି ଆଉଥରେ ସେଇ ଅବସ୍ଥା । ଏ ଧକ୍‌କା ଯେ ମୋତେ ବାଧିଲା ନାହିଁ, ସେ କଥା ନୁହେଁ–ବିଶେଷତଃ ଦୁର୍ଲ୍ଲଭ ଏବଂ ଲକ୍ଷ୍ମୀର ଏ ଚିତାକଟା ରୀତି ଆଗଠାରୁ ବରଂ ବେଶୀ ବାଧିଲା । ତଥାପି ଧୈର୍ଯ୍ୟଧରି ସେଇ ମୋର ଜଗନ୍ନାଥଙ୍କୁ ଡାକି ‘ଅଭିଯାନ’ ନାଟକର ଅଭିଯାନ ଚଳାଇଲି । ନବ, ଅଦେଇମାମୁଁ, ଯତୀନ ଦାସ ପ୍ରଭୃତି ଖୁବ୍‌ ସାହସ ଓ ସାନ୍ତ୍ୱନା ଦେଲେ ଏତେବେଳେ ।

 

ଉପେନ୍ଦ୍ର ଭଞ୍ଜ ନାଟକ :

 

ମୋର ଖଣ୍ଡିଏ ଫିଟନ୍‌ ଗାଡ଼ିଥିଲା । ଦିନେ ବାଲୁବଜାରରୁ ବସାକୁ ଫେରୁଥିବାବେଳେ ଜଣେ ସୁଶ୍ରୀ ଯୁବକ ବିନୋଦ-ବିହାରୀ ଗଳିରେ ମୋତେ ନମସ୍କାର କଲେ । ମୁଁ ଗାଡ଼ି ଅଟକାଇବାକୁ କହି ତାଙ୍କୁ ମୋ ପାଖରେ ବସିବାକୁ ଡାକିଲି । କଥା ହୋଇ ବସାକୁ ଫେରିଲୁଁ । ବୁଝିଲି, ସେ ଜଣେ ରେଭେନ୍ସା କଲେଜ–ସମ୍ଭବତଃ ବି. ଏ. କ୍ଲାସର ଛାତ୍ର । ଭାରି ମଧୁର ବ୍ୟବହାର ତାଙ୍କର । ସେ ନାଟକ ଖଣ୍ଡିଏ ଲେଖିଛନ୍ତି–ନାଆଁଟି ଉପେନ୍ଦ୍ର ଭଞ୍ଜ । ମୋତେ ସେଖଣ୍ଡି ଦେଖାଇବାକୁ ମନ କରିଛନ୍ତି । ଆଗ୍ରହରେ ମୁଁ ତାଙ୍କୁ ପାଣ୍ଡୁଲିପିଟି ଆଣି ମୋ ବସାକୁ ଆସିବାକୁ କହିଲି । ତାଙ୍କ ନାମ ଶ୍ରୀ ମନୋରଞ୍ଜନ ଦାସ । ବୁଢ଼ୀଠାକୁରାଣୀ ଗଳିରେ ତାଙ୍କ ଦାଦାଙ୍କ ବସାରେ ରହୁଥିବାର ଜାଣିଲି । ଦିନେ ଦି’ଦିନ ପରେ ତାଙ୍କ ଲେଖା ନାଟକଟି ଦେଖି ତାଙ୍କରି ଉପସ୍ଥିତିରେ କେତେକ ସ୍ଥାନରେ ଆବଶ୍ୟକ-ମଣି ଯୋଗ-ବିଯୋଗ କିଛି କରାଇ ଗୀତଗୁଡ଼ିକ ଲେଖିଦେଲି । ୧୯୪୭ ମସିହା ଫେବୃଆରୀ ପହିଲା ତାରିଖରେ ଉପେନ୍ଦ୍ରଭଞ୍ଜ ନାଟକ ମଞ୍ଚସ୍ଥ ହେଲା ।

 

‘ଓଡ଼ିଆ ଥିଏଟର୍ସରେ ଯେତେଖଣ୍ଡି ନାଟକ ମଞ୍ଚସ୍ଥ ହୋଇଛି, ସେଥିରୁ ଦୁଇଖଣ୍ଡ ମାତ୍ର ଅନ୍ୟ ନାଟ୍ୟକାରଙ୍କ ଲେଖା । ମୋର ସବୁବେଳେ ଇଚ୍ଛା ଯେ, ନୂଆ ନୂଆ ନାଟକ ଲେଖକ ପ୍ରୋତ୍ସାହିତ ହୁଅନ୍ତୁ । ସେଇ ବିଧିରେ ଏଇ ଉପେନ୍ଦ୍ର ଭଞ୍ଜ ନାଟକ ଗ୍ରହଣ କରିବା ପୂର୍ବରୁ ଶ୍ରୀ ନବକୁମାର ଦାଶ (ଆଡ଼ଭୋକେଟ)ଙ୍କର ‘ହା ଅନ୍ନ’ ନାଟକକୁ ନାଟକକୁ ମଞ୍ଚସ୍ଥ କରାଇଥିଲି ।

 

ଉପେନ୍ଦ୍ର ଭଞ୍ଜ ନାଟକର ଭୂମିକାଂଶ ବାଣ୍ଟିବାବେଳକୁ କେତେକ ଅଭିନେତା ଓ ଅଭିନେତ୍ରୀ ଦଳଛଡ଼ା ହୋଇ ଯାଇଥିଲେ ଏବଂ କେତେକ ନୂଆ ନୂଆ ଛାତ୍ରଛାତ୍ରୀ ମଧ୍ୟ ଦଳରେ ଯୋଗ ଦେଇଥିଲେ । ଦଳଛଡ଼ା ନଟନଟୀଙ୍କ ଅବର୍ତ୍ତମାନତା, ନୂଆ ନୂଆ କଳାକାରମାନଙ୍କ ଶିକ୍ଷାର ସୁବିଧା କରାଇ ଦେଲା । କୁମ୍ଭାର ନୂଆ ହାଣ୍ଡି ଆଟିକା ଗଢ଼ିବାକୁ ବାଧ୍ୟ ହେଲା ।

 

ଉପେନ୍ଦ୍ର ଭଞ୍ଜ ନାଟକରେ ଭୋଳାନାଥ ଦାସ, ବିଷ୍ଣୁଚରଣ ମହାନ୍ତି ପ୍ରଭୃତି ପ୍ରାୟ ବିଶେଷ ବିଶେଷ ଅଂଶ ଏ ନାଟକ ଆଗରୁ ପାଉନଥିଲେ । ପଦ୍ମନାଭ ସାହୁ ଏ ନୂଆ ତାଲିମ ନେବା ଛାତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।

 

ମୁଁ ଜାଣେ ଅସୁବିଧା ବେଳେ ମୁଁ ଉପରବାଲାର ସାହାଯ୍ୟ ପାଇ ଆସିଛି, ସତରେ ମୋର ଅଜାଣତରେ ଏସବୁ କାହୁଁ କାହୁଁ ମିଳିଯାଏ ।

 

ଟୁନୀ :

 

ଉପେନ୍ଦ୍ରଭଞ୍ଜ ନାଟକରେ ଗୀତ ଗାଇବାକୁ ଓ ନାଚିବାକୁ ଅଭୀନେତ୍ରୀଙ୍କ ଅଭାବ ପଡ଼ିଲା-। କହିଛି ତ; ସବୁ ଦୈବୀ ଯୋଗ । ଏଥିପୂର୍ବରୁ ଦିନେ କୌଣସି ଏକ ସଙ୍ଗୀତ କାର୍ଯ୍ୟକ୍ରମ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେଉଥିଲା । ଯାଜପୁର ନିକଟସ୍ଥ ଯଶଟିକିରି ଗ୍ରାମର ସୁଗାୟକ ଓ ସଙ୍ଗୀତ ଶିକ୍ଷକ ଶ୍ରୀ ଘନଶ୍ୟାମ ରଥ ଗୋଟିଏ ଝିଅକୁ ସଙ୍ଗରେ ଆଣି ସେ ବୈଠକରେ ଗୀତ ଗୁଆଇଥିଲେ । ଭାରି ଭଲ ଲାଗିଲା ଝିଅଟିର ଗଳା ଗାଇବା ଢଙ୍ଗ ।

 

ଉପେନ୍ଦ୍ର ଭଞ୍ଜ ନାଟକ ତାଲିମ ଦେବାବେଳେ ଯୋଗକୁ ସେଇ ଝିଅଟି କଟକ ଶେଖ୍‌ବଜାର ଗଉଡ଼ସାହି ଗଳିରେ ତା’ର ବାପା ବୋଉଙ୍କ ସାଙ୍ଗରେ ରହୁଥିଲା । ହଠାତ୍‌ କେମିତି କେଜାଣି ତାକୁ ପାଇଲି । ତା’ର ବାପା ବଂଶୀଧର ରଥେ ଜଣେ ଦେଶସେବକ, କର୍ମୀ । ମୋର ପରିଚିତ ବନ୍ଧୁ ସେ । ଏହି ନାଟକରେ ଟୁନୀ (ବୀଣା)କୁ ଅଂଶ ଦେଲି । ଭାରି ସୁନ୍ଦର ଗାଇଲା ସେ । ଓଡ଼ିଶା ଥିଏଟର୍ସ ଲିମିଟେଡ଼ରେ ମଧ୍ୟ ତାକୁ ପରେ ଯୋଗ ଦିଆଇଲି ।

 

ଆଉ ଗୋଟିଏ ନୂଆ କଥା ହେଲା । ସୁମତି ପ୍ରଥମେ ଏ ନାଟକରେ ନାଚିଥିଲା । ନାଟକଟି ମଞ୍ଚସ୍ଥ ହେଲା । ଡଃ ମାୟାଧର ମାନସିଂହ ନାଟକଟି ଉଦ୍‌ଘାଟନ କଲେ । ବୀଣା ଦଳରେ ଅଭିନେତ୍ରୀ ରୂପେ ନାମ କମାଇଲା । କେତେକ ମାସପରେ ପବ୍ଲିସିଟି ବିଭାଗର ‘ଜଗନ୍ନାଥ’ ଛବିରେ ସେ ଅଂଶ ନେଇ ଚଳଚିତ୍ରରେ ଯୋଗଦେଲା । କଲିକତାକୁ ମୋ ସହିତ ଯାଇଥିଲେ ବୀଣା ଓ ସଂଯୁକ୍ତା (ଗୁନ) ମହାନ୍ତି । ଏହାପରେ ବୀଣା ଅନ୍ୟ ଚଳଚ୍ଚିତ୍ରରେ (ବୋଧହୁଏ ‘ଲଳିତା’) ଯୋଗ ଦେଇଥିଲା । ବୀଣାର ଖ୍ୟାତି ଦେଖି ସୁମତୀର ଗାତ୍ରଦାହ ହେବାର ଅନୁମାନ କରିଛି । ଏଇ ବୀଣା ବର୍ତ୍ତମାନ ଶ୍ରୀ ଲୋକନାଥ ମିଶ୍ର ଏମ୍‌.ପି.ଙ୍କ ସ୍ତ୍ରୀ ।

 

ପ୍ରେମ–ବାଜ :

 

ଉପେନ୍ଦ୍ର ଭଞ୍ଜ ନାଟକ ଅଭିନୟବେଳେ ମଞ୍ଚର ଆଢ଼ୁଆଳରେ ଆଉ ଏକ ପ୍ରେମମୂଳକ ନାଟକର ଅଭିନୟ ଚାଲିଥିବା କଥା ମୋତେ ଅଜଣା ।

 

କହିଛି ତ, ସୁମତୀକୁ ବାଲେଶ୍ୱରରୁ ଆଣିଥିଲେ ଶ୍ରୀ ମଦୁସୂଦନ ଦତ୍ତ–ଓଡ଼ିଶା ଥିଏଟର୍ସର ପ୍ରାୟ ଆରମ୍ଭବେଳେ । ସେ ମୋତେ ମଧୁଦତ୍ତଙ୍କର ତା’ପ୍ରତି ବ୍ୟବହାର ସମ୍ବନ୍ଧେ ଏକ ପ୍ରକାର ଅଭିଯୋଗ କରିଥିଲା । ବାଲେଶ୍ୱରରେ ଆମେ ବ୍ୟାସକବି ଫକୀରମୋହନଙ୍କ ଲେଖାଯୋଖା କିମ୍ବା କେହି ଜଣେ ନିକଟ ସମ୍ପର୍କୀୟ ‘ସେନାପତି’ ତା’ର ସ୍ୱାମୀ ବୋଲି ସେ କହିଥିଲା । କୌଣସି କାରଣରୁ ସେ ପତି–ପରିତ୍ୟକ୍ତା ଏବଂ ଗୋଟିଏ ପୁଅର ମାଆ । କଣ୍ଠଟି ମଧୁର । ତେଣୁ ସବୁରି ଆଦର ପାଏ ଓ ମନଦେଇ ଅଭିନୟ ଶିଖି ମଞ୍ଚରେ ମଧ୍ୟ ନାଆଁ କମାଇଥିଲା ।

 

ମୁଁ ଟିକିଏ ଦଳର କାହା କାହାଠାରୁ ଦଳର ଅନ୍ୟତମ ଅଭିନେତା ଭୋଳି ସହିତ ସୁମତୀର ଗୋପନ କଥାବାର୍ତ୍ତା ଓ ରଙ୍ଗ ରହସ୍ୟ ହେବା ଖବର ଶୁଣିବାକୁ ପାଇଲି । ହେଲେ, ମୁଁ ଅମଳ ଦେଇ ନ ଥିଲି ଏ ଶୁଣା କଥାକୁ ।

 

ଏତିକିବେଳେ ଦଳର କାହାରି କୁମନ୍ତ୍ରଣାରେ ବଡ଼ାମ୍ବା ଗଡ଼ର ଶ୍ରୀ ପ୍ରତାପ ପଟ୍ଟନାୟକ ‘ଆଶା’ ପତ୍ରିକାରେ ଦଳର ବହୁ କୁତ୍ସାରଟନାମୂଳକ ଏକ ଲେଖା ପ୍ରକାଶ କଲେ । ତହିଁର ବିହିତ ପ୍ରତିବାଦ ପରେ ପ୍ରତାପବାବୁ ନୀରବ ।

 

ଉପେନ୍ଦ୍ର ଭଞ୍ଜ ନାଟକରେ ମୋର ଅନ୍ୟତମ ଛାତ୍ର ଯାଜପୁର ମଫସଲର ଶ୍ରୀ ପଦ୍ମନାଭ ସାହୁ (ପଦ)କୁ ମୁଁ ସୁମତୀକୁ ନାଚ ଶିଖାଇବା ପାଇଁ ଭାର ଦେଇଥିଲି । ସୁମତୀ ମଧ୍ୟ ‘କଳାବତୀ’ ଭୂମିକାରେ ଭଲ ନାଚିଥିଲା । ଏ ତା’ର ପ୍ରଥମ ନାଚ । ପଦ ଥରେ ସୁମତୀର ଗୁରୁଭାରି ଦେହ ଦେଖି, ଅବସ୍ଥା ପ୍ରତି ସନ୍ଦୀହାନ ହେଲା ଏବଂ ଶଙ୍କି ଶଙ୍କି ମୋ ଆଗେ ସୁମତୀ ପ୍ରତି ଦୃଷ୍ଟି ଦେବାକୁ କହିଲା । ଆଗର ଶୁଣାକଥା ଦୋଅଡ଼ା ହେଲା ।

 

ମୁଁ ବଡ଼ ଚିନ୍ତିତ ହେଇ ପଡ଼ିଲି । ତଥାପି ନୂଆ ନାଟକ ଲେଖାରେ ତ୍ରୁଟି କଲି ନାହିଁ । ଭାବିଲି ଯାହା ‘ମାଆ’ର ବରାଦ ଥିବ, ହେବ । ମୋର ଭାବନାର ଫଳ କ’ଣ ?

 

କରଞ୍ଜିଆ :

 

ଉପେନ୍ଦ୍ର ଭଞ୍ଜ ନାଟକ ତା ୧।୨।୪୭ ରିଖରୁ ଆରମ୍ଭ ହୋଇ ଏକ ମାସ ଚାଲିବାପରେ ତା ୩।୩।୪୭ ରିଖରେ ପାର୍ଟି ମୟୂରଭଞ୍ଜର କରଞ୍ଜିଆରୁ ଡାକରାପାଇ ସେଠାକୁ ଗଲା । ସେଠାରେ ‘ଭାତ’ ନାଟକର ଅଭିନୟ ଲାଗି ଅନୁମତି ମିଳିଲା ନାହିଁ । ଉପେନ୍ଦ୍ରଭଞ୍ଜ, ପରିବର୍ତ୍ତନ, ବନମାଳା ଓ ହରଣଚାଳ ଇତ୍ୟାଦି ନାଟକ ଅଭିନୀତ ହେଲା ।

 

କରଞ୍ଜିଆ, ଭୋଳାନାଥ ଦାସଙ୍କ ଗାଆଁ । ସୁମତୀ ଓ ଭୋଳାଙ୍କର ଚୋରା ପ୍ରୀତି ସମ୍ପର୍କ କଥାଟା ଏଇଠାରେ ଦଳରେ ସମସ୍ତେ ଜାଣିପାରିଲେ ଏବଂ ସୁମତୀ ପ୍ରାୟ ଦୁଇମାସ ହେବ ଅନ୍ତଃସତ୍ୱା ଥିବାର ଭୁଟଭାଟ ହେଲେ । କରଞ୍ଜିଆରେ ୩ ରାତିର ଅଭିନୟ ପରେ ଗୋଟିଏ ରାତି ‘ହରଣଚାଳ’ ନାଟକର ଅଭିନୟ ଲବ୍ଧ ଧନ ସେଠାରେ ଗ୍ରାମବାସୀମାନଙ୍କ କହିବାମତେ ଧର୍ମଶାଳା ଲାଗି ଦିଆଗଲା ତା ୧୦।୩।୪୬ ରିଖରେ ।

 

କଲିକତା ରାୟଟ :

 

କଟକ ଫେରି ପୂର୍ବପରି ଅଭିନୟ ଚାଲିଥାଏ । ଏଇ ଅବସ୍ଥାରେ ତା ୨୬।୩।୪୭ ରିଖରେ କଲିକତାରେ ରାୟଟ ହେବାର ସମ୍ବାଦ ମିଳିଲା ।

 

ପ୍ରମୋଦକର :

 

ତା ୧।୫।୪୭ ରିଖରେ ପ୍ରମୋଦକର (Entertainment tax) ନେବା ଆରମ୍ଭ ହେଲା ଓ ତହିଁ ପରଦିନଠାରୁ ଟିକଟ ଉପରେ ଟ୍ୟାକ୍ସ ଯୋଡ଼ା ହେଲା । ଓଡ଼ିଶାରେ ଏଇ କର ପ୍ରଚଳନ ଏ କ ନୂଆ କଥା ।

 

ରକ୍ତମାଟି :

 

ଜୀବନଯାକ ସମତଳ ବାଟରେ ଚାଲିବା ତ ବିଧାତା ଲିଖନ ନୁହେଁ । ସବୁ କାମରେ ଉଠା ପଡ଼ା ଅଛି । ଅଭିଯାନ ନାଟକ ଚାଲୁଥିବାବେଳେ ମୋର ବାପାଙ୍କ ଉପଦେଶ ମନେପଡ଼ିଲା । ଥରେ ଖରାଦିନ, ବୁଲି ଗଲାବେଳେ ଆମ ଗାଆଁ ବାଡ଼ିପଟ ବନ୍ଧତଳି ଓସ୍ତ ଗଛର ପତ୍ର ଖଡ଼ ଖଡ଼ ଶବ୍ଦ ଶୁଣି, ମୁଁ ତାକୁ ଅନାଇଁ ରହିବାରୁ ବାପା କହିଥିଲେ–‘‘ପତର ସିନା ଦୋହଲୁଛି, ଗଛର ଗଣ୍ଡି ହଲୁଛି କି ?’’ ସେଇ କଥାଟି ହେତୁ ହେଲା ମୋର ।

 

ଓଡ଼ିଶା ଥିଏଟର୍ସରୁ ଦଳେ ବାହାରି ଯାଇଥିଲେ । ତା’ପରେ ଯାହାଙ୍କୁ ଭରସା କରିଥିଲି ସେଇ ଦୁର୍ଲ୍ଲଭ ଓ ଲକ୍ଷ୍ମୀ ଦଳଛଡ଼ା ହେଲେ, ଅଭିଯାନ ନାଟକବେଳରୁ । ଲୋକେ କହିଲେ ଯେ ଆଉ ଓଡ଼ିଶା ଥିଏଟର୍ସ ଚାଲିପାରିବ ନାହିଁ । ବାସ୍ତବରେ ପୁରୁଣା ପିଲାଏ ଚାଲିଯାଇଥିବାରୁ ମୁଁ ବଡ଼ ଅସୁବିଧାରେ ପଡ଼ିଥାଏଁ । ନୂଆ ଛାତ୍ରଛାତ୍ରୀ ଯୋଗ ଦେଉଥାଆନ୍ତି; କିନ୍ତୁ ଦରକାର ଟ୍ରେନିଂ ବା ଶିକ୍ଷା-

 

ବାପାଙ୍କ କଥା ମନେକରି ମୁଁ ଦମ୍ଭଧରି ପୁଣି ମାଟି ଚକଟାରେ ଲାଗିଲି । ‘ରକ୍ତମାଟି’ ନାଆଁ ଦେଇ ନାଟକଟିଏ ଲେଖିଲି । ଦଳରେ କେତେକ ନୂଆ ଛାତ୍ରଛାତ୍ରୀ ଗ୍ରହଣ କରି ତାଲିମ ଦେଲି ।

 

ମଫସଲ ଗାଆଁରେ ତ ବହୁତକାଳ ବିତାଇଛି । ଥିଲା ନ ଥିଲା, ସଭିଏଁ ଗାଆଁରେ ଘରବାନ୍ଧି ରହନ୍ତି । ଥିଲାବାଲା ଅର୍ଥାତ୍‌ ପୁଞ୍ଜିପତି ନ ଥିଲାବାଲା ଅର୍ଥାତ୍‌ ଗରିବଙ୍କୁ ଆପଣାର କୂଟଚକ୍ରାନ୍ତ ବଳରେ ଆହୁରି ନଥିଲା ଲୋକ କରୁଥିବାର ଅନେକ ଦୃଷ୍ଟାନ୍ତ ଦେଖିଛି ଏ ଆଖି । ନ ଥିଲା ଲୋକ ଆପଣା ରକ୍ତକୁ ମାଟିରେ ମିଶାଇ, ଦୁଆ ଦେଉଛନ୍ତି ଆଉ ତା’ ଉପରେ ପ୍ରାସାଦ ତୋଳୁଛନ୍ତି ପୁଞ୍ଜିପତି, ନାନା କୂଟଚକ୍ର ଖେଳାଇ । ମୁଁ ତ ଏଇ ‘ନଥିଲା’ଙ୍କ ଭିତରୁ ଜଣେ ।

 

ମୋତେ ଏ ଦୃଶ୍ୟ ବଡ଼ ବାଧିଲା । ପ୍ରତିବିଧାନ କିଛି ତ କରିପାରିବାର ବଳ ନାଇଁ ମୋର । ଅନ୍ତତଃ ଜାତି ଆଗରେ ହେଲେ କଥାଟା ବାଢ଼ି ଦେଇଥାଏଁ ।–ଏଇଆ ଭାବି ତା ୭।୯।୪୭ ରିଖରେ ରକ୍ତମାଟି ନାଟକ ଲେଖି ପରଷି ବସିଲି ।

 

ମୁନାଫାଖୋର ପୁଞ୍ଜିପତିର ଦୁର୍ନୀତି, ଦୁରାଚାର ବିରୋଧରେ ଗ୍ରାମର ଜଣେ ପାଠୁଆ ଯୁବକର ସେବା ଓ ତ୍ୟାଗ ଉପରେ ନାଟକଟି ଗଢ଼ି ଉଠିଛି ।

 

ଏ ରକ୍ତମାଟି ଲେଖାର କଳ୍ପନାବେଳେ ଗୋଟାଏ ବିଶେଷ ଘଟଣା ଘଟିଲା । କଥାଟାକୁ ଏବେ ବି ପାସୋରି ପାରି ନାହିଁ । ସେତିକିବେଳେ ଅଲିଶା ବଜାରରେ ବାଳିକା ଓ ଯୁବତୀମାନଙ୍କୁ ଘେନି ଆଶ୍ରମଟିଏ ବୋଧହୁଏ ଠକ୍‌କର ବାପାଙ୍କ ଉଦ୍ୟମରେ ଗଢ଼ା ହୋଇଥାଏ । ସେ ଆଶ୍ରମ ଚଳାଇବା ଭାର ନେଇଥିବା ବ୍ୟକ୍ତିଙ୍କୁ ଥରେ ଶ୍ରୀମତୀ ସରଳା ଦେଈ, ବାଳିକାମାନଙ୍କୁ ଓଡ଼ିଶା ଥିଏଟର୍ସରେ ନିର୍ଦ୍ଦିଷ୍ଟ ସମୟଲାଗି ଛାଡ଼ି, ନୃତ୍ୟ ସଙ୍ଗୀତ କଳାରେ ତାଲିମ ପାଇବାଲାଗି ପ୍ରସ୍ତାବ କଲେ । ‘‘ଜଣେ ଚରିତ୍ରହୀନ ଲୋକ ଯିଏ କି ଗୁରାଏ ମାଇକିନିଆଙ୍କୁ ନେଇ ନଚଉଛି, ତା’ ପାଖରେ ଏ ବାଳିକା ଓ ଯୁବତୀମାନଙ୍କୁ ଛାଡ଼ିବା ନିତାନ୍ତ ଅସ୍ପୃହଣୀୟ’’ ବୋଲି ଭଦ୍ରବ୍ୟକ୍ତି ଜଣକ ସରଳାଦେବୀଙ୍କୁ କହିଲେ । ସରଳା ଦେବୀ ଦୁଃଖକରି ମୋ ଆଗେ ସବୁ କଥା ବର୍ଣ୍ଣନା କଲେ ।

 

କହିଛି ତ ଏହି ସମୟରେ ମୁଁ ସେ କାଳ ପରିପ୍ରେକ୍ଷୀରେ ମୁନାଫାଖୋର ପୁଞ୍ଜିପତି ଓ ଅଭାବଗ୍ରସ୍ତ ନିଷ୍ପୀଡ଼ିତ ଜନତାଙ୍କ ଅବସ୍ଥା ବିଚାର ଘେନି ପ୍ରଚାର ନିମିତ୍ତ ନାଟକଟିଏ ଲେଖୁଥାଏଁ । ସେଥିରେ ସେହି କଟୁ ମନ୍ତବ୍ୟ ବାଢ଼ୁଥିବା ଭଦ୍ରଲୋକଙ୍କ ଉପର ଚିକ୍‌କଣ ଚରିତ୍ରର ଯାହା ସମ୍ବାଦ ସଂଗ୍ରହ କରିପାରିଲି, ତାହାକୁ ଏଇ ନାଟକରେ ଟିକିଏ ରୂପଦେବା ଇଚ୍ଛାରେ ଏକ ଚରିତ୍ର ସଂଯୋଗ କଲି । ତଥାପି ମୋ କୌଶଳ ଧରାପଡ଼ିଗଲା ଚିହ୍ନରା ଗ୍ରାହକଙ୍କ ଆଖିରେ ।

 

ତା ୧୬।୭।୪୭ ରିଖ ଅଭିନୟର ପ୍ରଥମ ରାତ୍ରିରେ ମୁଁ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁଙ୍କୁ ନିମନ୍ତ୍ରଣ କରି ଆଣିଥାଏଁ । ସେ ନାଟକଟି ଦେଖିସାରି ହସି ହସି ମୋତେ କହିଲେ, ଏଇ ଚରିତ୍ରର ନାଁଟା ବଦଳେଇ ଦେବାକୁ । କାରଣ ସାହୁବାବୁ କିପରି ବୋଧହୁଏ ଏଥିପୂର୍ବରୁ ଘଟିଥିବା ଘଟଣାଟି ଜାଣିଥିଲେ । ମୁଁ ତାଙ୍କୁ ଅତି ଶ୍ରଦ୍ଧା, ଭକ୍ତି କରେଁ । ଓଡ଼ିଶା ଥିଏଟର୍ସର ସେ ଅନ୍ୟତମ ଶୁଭାକାଙ୍‌କ୍ଷୀ । ମୋତେ ମଧ୍ୟ ସେ ଆଦର କରନ୍ତି । ସେ ପ୍ରାୟ ଓଡ଼ିଶା ଥିଏଟର୍ସର ସବୁ ନାଟକ ଦେଖି ନାଟକର ଆଲୋଚନା–ସମାଲୋଚନା ମଧ୍ୟ କରନ୍ତି ମୋ ଆଗରେ ଏବଂ ମୁଁ ତାହା ଗ୍ରହଣ କରେ; କିନ୍ତୁ ତାଙ୍କର ଏଇ କଥାଟିକୁ ମୁଁ ରଖିପାରିଲି ନାହିଁ, ଭଦ୍ରଲୋକଙ୍କ ମନ୍ତବ୍ୟଟା ମୋତେ ଭାରି ବାଧିଥିଲା ବୋଲି । ଲକ୍ଷ୍ମୀନାରାୟଣବାବୁ ପୁଣି କେତେଥର ଏଇ ନାଟକ ଦେଖି ଆସିଛନ୍ତି ଓ ହସି ହସି ସେ ମୋତେ କଥା ନ ରଖିବାର ମଧ୍ୟ କହିଛନ୍ତି । ପାତ୍ରର ନାମ କିନ୍ତୁ ବଦଳିଲା ନାହିଁ, ସେମିତି ରହିଛି । ଏବେ ବହିଟି ଦେଖିଲେ, ସେଇଦିନର କଥା ମନେପଡ଼େ । ରଙ୍ଗମଞ୍ଚରେ ପ୍ରଥମଥର ପାଇଁ ମୁଁ ଓଡ଼ିଶୀନୃତ୍ୟ ପ୍ରବର୍ତ୍ତନ ଓ ପରିବେଷଣ କରିଥିଲି ଅତିବଡ଼ୀ ଜଗନ୍ନାଥ ଦାଶ ନାଟକରେ । ଏହାର ସମାଦର ଦେଖି ମୁଁ ରକ୍ତମାଟି ନାଟକରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇ ମଞ୍ଚରେ ପରିବେଷଣ କଲି । ପୂର୍ବଭଳି ପ୍ରଶଂସା ମଧ୍ୟ ମିଳିଲା । ଦୁଃଖୀରାମ ଓ ଟୁନିଆ ପ୍ରଭୃତି କେତେକ ଏ ନାଟରୋଧକରେ ତାଲିମ ପାଇ ଅଂଶ ନେଇଥିଲେ ।

 

ଶ୍ରୀ ବୀରକିଶୋର ଦାଶ (କଣ୍ଟିଲୋ) ଆର୍ତ୍ତ (ଆର୍ତ୍ତବନ୍ଧୁ ରାଉତରାୟ) ଯଦୁ (ଯଦୁମଣି କାନୁନ୍‌ଗୋ) ଓ ରଘୁ (ରଘୁନାଥ ପଣ୍ଡା) ପ୍ରଭୃତି ଏଇ ସମୟରେ ଦଳରେ ଯୋଗ ଦେଇଥିଲେ । ଆର୍ତ୍ତ ବର୍ତ୍ତମାନ କଟକ ଜିଲ୍ଲାର ବିଭିନ୍ନ ଅପେରା ପାର୍ଟିରେ ଜଣେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ରୂପେ ପରିଚିତ । ଯଦୁ ଓ ରଘୁ ନାଟ୍ୟକାର ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।

 

ପ୍ରେସ୍‌ :

 

ରକ୍ତମାଟି ଜନଗହଳି ଭିତରେ ଚାଲୁଥିବାବେଳେ ମୋର ସଙ୍ଗୀତ–ପ୍ରଭା ପ୍ରେସ୍‌ଟି ଶ୍ରୀ ସୁବୋଧ (ଶ୍ରୀ ବିଶ୍ୱଜିତ ଦାସଙ୍କ ପିତା) ମାସିକ ଭଡ଼ା ଦେବା କରାରରେ ରେଜେଷ୍ଟ୍ରି କରାଇନେଲେ-

 

ଅଗଷ୍ଟ ପନ୍ଦର :

 

ଫିରିଙ୍ଗି ସରକାର ଭାରତକୁ ବାଧ୍ୟହୋଇ ସ୍ୱାଧୀନତା ଦେଲେ ସିନା କଳିମଞ୍ଜି କିନ୍ତୁ ପୋତି ଦେଇଗଲେ ହିନ୍ଦୁ–ମୁସଲମାନମାନଙ୍କ ଭିତରେ । ତଥାପି ‘ନାହିଁ ମାମୁଠାରୁ କଣାମାମୁ ଭଲ, ନ୍ୟାୟରେ ଆମେ ଅଗଷ୍ଟ ପନ୍ଦରକୁ ସ୍ୱାଧୀନତା ଦିବସରୂପେ ପାଳିଲୁଁ, ଦୀପ ଜାଳି, ତୋପ ଫୁଟାଇ । ରକ୍ତମାଟି ଅଭିନୟ ସେଦିନ ଦିଆଗଲା ମାତ୍ର ଟିକଟ କରାଗଲା ନାହିଁ ।

 

ଯୋଗାକୁ ଲେଲିନ୍‌ଗ୍ରେଡ଼ର ସଂସ୍କୃତ ଅଧ୍ୟାପକ ବିଶ୍ୱବିଖ୍ୟାତ ପଣ୍ଡିତ ଭିକ୍ଷୁ ରାହୁଲ ସଂସ୍କୃତ୍ୟାୟନ କୌଣସି କାର୍ଯ୍ୟ ଉପଲକ୍ଷେ କଟକ ଆସିଥାଆନ୍ତି । ମୋର ଶୁଭକାଙ୍‌କ୍ଷୀ ବନ୍ଧୁବର ଜଷ୍ଟିସ ଶ୍ରୀ ହରିହର ମହାପାତ୍ରଙ୍କ ଘରେ ସେ ରହିଥିଲେ । ହରିବାବୁ ତାଙ୍କୁ ରକ୍ତମାଟି ଅଭିନୟର ପଞ୍ଚସ୍ତରୀ ରାତ୍ରର ଅଭିନୟ ଦେଖିବାକୁ ମଞ୍ଚକୁ ଅଣାଇଲେ । ଶ୍ରୀଯୁକ୍ତ ସଂସ୍କୃତାୟନ ମହାଶୟ ଅଭିନୟ ଦେଖି ପ୍ରୀତ ହୋଇ ତାଙ୍କର ମନ୍ତବ୍ୟ ଲେଖି ପଠାଇଲେ । ଏହା ତା ୨୭।୯।୪୭ ମସିହା କଥା ।

 

ଓଡ଼ିଶା ଥିଏଟର୍ସରେ ଟିକଟ ଦର ଥାଏ–ଚାରିଅଣା, ଆଠଅଣା, ଏକଟଙ୍କା ଏବଂ ଦୁଇଟଙ୍କା । ଦୁଇଟଙ୍କିଆ ସିଟ୍‌ରେ ଗ୍ରାହକ ଅଳ୍ପ ହୁଅନ୍ତି । ନିମନ୍ତ୍ରିତ ଅତିଥି ବା ବନ୍ଧୁମାନେ ସାଧାରଣତଃ ଦୁଇଟଙ୍କିଆ କୁରୁଚି ଆସନର ଅଧିକାରୀ । ମୁଁ ତେଣୁ ଏଇ ଶ୍ରେଣୀକୁ ଆଶୀର୍ବାଦକ ଦଳଙ୍କ ଆସନ ବୋଲି କହିଥାଏଁ । ତା ୧୬।୭।୪୭ ରିଖରେ ରକ୍ତମାଟି ପ୍ରଥମ ଅଭିନୟ ଦିନ ଟିକେଟ ବିକ୍ରି ଟ ୨୭୯ଙ୍କା ହୋଇଥିଲା । କ୍ରମେ କେବେ କେବେ ଏଥିରୁ ବେଶୀ ବା ଅଳ୍ପ ଊଣା ଭାବରେ ୨୫୦ ଟଙ୍କା ପର୍ଯ୍ୟନ୍ତ ଟିକଟ ବିକ୍ରି ହେଉଥାଏ । ହଠାତ୍‌ ଏହି ସମୟରେ ସୁମତୀର ପ୍ରସବ କାଳ ନିକଟବର୍ତ୍ତୀ ହେବାରୁ ତା ୩।୧୦।୪୭ ରିଖଠାରୁ ତା’ର ମଞ୍ଚକୁ ଆସିବା ବନ୍ଦ ହେଲା । ତା’ ସ୍ଥାନରେ ଅନ୍ୟ ଅଭିନେତ୍ରୀ ସଙ୍ଗେ ସଙ୍ଗେ ତାଲିମ କରି ନାଟକ ପ୍ରଦର୍ଶନ ସୁବିଧାଜନକ ବିଚାରିଲି ନାହିଁ ।

 

ଦଶଭୁଜା :

 

ମୋର ଅଭ୍ୟାସ ଅନୁସାରେ ରକ୍ତମାଟି ମଞ୍ଚସ୍ଥ ହେବାବେଳେ ମୁଁ ଦଶଭୁଜା ନାଟକ ଲେଖୁଥିଲି । ତା ୩।୧୦।୪୭ରିଖରେ ସୁମତୀର ମଞ୍ଚରେ ଅନୁପସ୍ଥିତ ପରେ ସହସା ତା’ ସ୍ଥାନରେ ଅନ୍ୟ କାହାରି ବ୍ୟବସ୍ଥା କରିବାର ସୁବିଧାଜନକ ମନେହେଲା ନାହିଁ ତେଣୁ ରକ୍ତମାଟି ବନ୍ଦ ହେଲା ଏବଂ ମୁଁ ‘ଦଶଭୁଜା’ ନାଟକର ରିହର୍ସେଲରେ ଲାଗିପଡ଼ିଲି ।

 

ଦଶଭୁଜା ନାଟକଟି ‘ଚକ୍ରୀ’ ନାଟକଭଳି ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ଲେଖା । ଏଥିପାଇଁ ସାଧାରଣ ନାଟକ ଅପେକ୍ଷା ଏହାର ଅଭ୍ୟାସ ଟିକିଏ ଅଧିକ ସମୟସାପେକ୍ଷ । ତେଣୁ ରିହର୍ସେଲ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଲା ।

 

ଏହି ସମୟରେ ପରିଷଦ ପକ୍ଷରେ ଗୋଟିଏ ନାଟକାଭିନୟର ପ୍ରସ୍ତାବ ହେଲା । ମୁଁ ‘ଯୁଗେ ଯୁଗେ ଉତ୍କଳ’ ନାମକ ନାଟକ ଲେଖିଲି । ବାରବାଟୀ କିଲ୍ଲାପଡ଼ିଆରେ ତାହା ମଞ୍ଚସ୍ଥ ହୋଇ ପ୍ରଶଂସା ଲାଭ କଲାପରେ ସେ ଲେଖା ମୋର ନୁହେଁ ବୋଲି ।

 

ଏହିବର୍ଷ ଦଶହରା ରାତ୍ରିରେ ନାଟକଟି ମଞ୍ଚସ୍ଥ ହେଲା । ସେଦିନ ୧୯୪୭ ମସିହା ଅକ୍ଟୋବର ମାସ ୯ ତାରିଖ ।

 

ଦଶଭୁଜା ନାଟକ ଚାଲୁଥିବାବେଳେ ତା ୨୬।୧୦।୪୭ରିଖରେ ସୁମତୀର ବଡ଼ ଡାକ୍ତରଖାନାରେ ପୁଅଟିଏ କୁଆଁ ଡାକଦେଲା ।

 

ଏଇ ୧୯୪୭ ବର୍ଷଟି ନାନା ଅସୁବିଧା ଭିତରେ କଟାଇଲି । ସବୁ କଥା ତ ବଖାଣି ହେବ ନାହିଁ କୁମ୍ଭାର ଚକରେ । ଠିକେ ଠିକେ ଭେଟୁଛି ।

 

ଅଭୁଲା ସ୍ମୃତି :

 

ଦଶଭୁଜା ନାଟକ ଚାଲୁଥିବାବେଳେ ଦିନେ ମୋର ପୁରୁଣା ବନ୍ଧୁ ଲୋକସମ୍ପର୍କ ବିଭାଗର ପରିଚାଳକ ଶ୍ରୀ ଚିନ୍ତାମଣି ମିଶ୍ରେ ମୋତେ ଡକାଇ କହିଲେ ଯେ ସର୍ଦ୍ଦାର ପଟେଲ ଓଡ଼ିଶା ଆସୁଛନ୍ତି-। ଏଥିଲାଗି ଚଳଚିତ୍ର ଗ୍ରହଣ କରିବାକୁ ହେବ ଏବଂ ମୁଁ ଏହାର ଭାର ନେବି ।

 

ତା ୯।୧୨।୪୭ରିଖରେ ମୁଁ କଲିକତା ବାହାରିଲି । କଲିକତାରେ ମୋର ବନ୍ଧୁ ଶ୍ରୀ ଦିଗମ୍ବର ଚାଟାର୍ଜୀ, ତାଙ୍କ ଭାଇ ନୀଳାମ୍ବର ଚାଟାର୍ଜୀ ଏବଂ କଲ୍ୟାଣ ଗୁପ୍ତ ପ୍ରଭୃତି ଚଳଚ୍ଚିତ୍ର ନିର୍ମାଣ ସହ ସମ୍ପୃକ୍ତ । ମୋର ଏଥି ପୁର୍ବରୁ ଚଳଚ୍ଚିତ୍ର ଉଠାଇବା ବେଳୁ ଏମାନଙ୍କ ସହିତ ବିଶେଷ ବନ୍ଧୁତା ଥିଲା । ଏମାନଙ୍କ ସାହାଯ୍ୟରେ କ୍ୟାମେରା ଓ କ୍ୟାମେରାମ୍ୟାନ ଶ୍ରୀ ରାମପ୍ରକାଶ ରାଓଙ୍କୁ ଘେନି ତା ୧୧।୧୨।୪୭ ରିଖ ରାତିରେ କଲିକତା ଛାଡ଼ିଲି । ତା ୧୨ ରିଖ ସକାଳେ ଶ୍ରୀ ଚିନ୍ତାମଣି ମିଶ୍ରଙ୍କ ସହିତ ଦେଖାକରି କଲିକତା କଥା ସବୁ କହିଲି ।

 

ସର୍ଦ୍ଦାର ପଟେଲ :

 

ତହିଁ ଆରଦିନ ଡିସେମ୍ବର ମାସ ତେର ତାରିଖ ଭୀଷଣ ବର୍ଷା । ଚିନ୍ତାମଣିବାବୁ ସେଦିନ ସକାଳ ୯ଟା ସୁଦ୍ଧା ମୋତେ Camera Camera–manଙ୍କ ସହିତ ଭୁବନେଶ୍ୱର ଯିବାକୁ କହିଥାଆନ୍ତି, ତେଣୁ ନିରୁପାୟ । ଭୀଷଣ ପାଣି ପବନ ତା ୧୩ରିଖ ଦିନ ସକାଳ ଦଶଟାବେଳେ ଚିନ୍ତିବୁଡ଼ି ଭୁବନେଶ୍ୱରରେ ପହଞ୍ଚିଲୁ । ସେଇ ବର୍ଷାରେ ସର୍ଦ୍ଦାର ପଟେଲ ଦିନ ୧୨ଟାରେ ଆସି ପହୁଞ୍ଚିଲେ । ଚିତ୍ର ଗ୍ରହଣ କରାଗଲା ।

 

କଟକ ବାହୁଡ଼ି ସେଦିନ ରାତିରେ ଆଉ ଦାନା ରୁଚିଲା ନାହିଁ କି ଆଖିରେ ପଲକ ପଡ଼ିଲା ନାହିଁ । ରାତିଟା ସାତରାତି ପରି ଲାଗିଲା । ଭୋଖ, ଶୋଷ ସତେ ଯେମିତି ଉଭାନ ହୋଇଗଲା ମୋର ।

 

ଖାଲି କାଉ କାଆ କାଆ କରିବାରୁ ବାରିଲି ଫସର ଫାଟିଲା । ନିତିଦିନ ପରି କବାଟ ଫିଟାଇ ପିଣ୍ଡାକୁ ଆସି ଦେଖିଲି ସୂର୍ଯ୍ୟ ବିଲକୁଲ ମୁହଁଛପା ଦେଇଛନ୍ତି । ଚାରିମେଘ ସତେ ଏକାଠି ହୋଇ ଘୋଟି ରହିଛି ଚଉଦିଗ । ଝଡ଼, ପବନ ବର୍ଷା ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି । ଘନ ଘନ ବିଜୁଳି ଓ ଚଡ଼ଚଡ଼ି । ଆଖିପାଣି ମୋର ବର୍ଷା ସାଥିରେ ସହଯୋଗ କରୁଛି । ବୁକୁ ଚଡ଼ଚଡ଼ି ସାଙ୍ଗରେ ତାଳ ମିଳାଉଛି ।

 

ମଥାରେ ଚଳେ ପାଣି ପକାଇଦେଇ ରାଓ କ୍ୟାମେରାମ୍ୟାନ୍‌ଙ୍କ ସହିତ ସକାଳ ଖବର ବୁଝି ତିନ୍ତିବୁଡ଼ି ବାହାରିଲି, ଲାଲବାଗ କାଠଯୋଡ଼ି କୂଳର ସେ ପୁରୁଣା କମିଶନରଙ୍କ କୋଠିକି । ପ୍ରଶସ୍ତ ହଲର ଚାରିପଟେ ଚଉକି । ଗୋଟି ଗୋଟି ହୋଇ ଓଡ଼ିଶା ଫ୍ୟୁଡ଼େଟରୀ ଷ୍ଟେଟର ରାଜାମାନେ, କେତେକ ବସିଛନ୍ତି–କେତେକ ଆସୁଛନ୍ତି । ମୋର ଆଖି ଆଉ ଅନାଇଁ ପାରୁ ନ ଥାଏ-। ଏଇ ରାଜାମାନଙ୍କ ଭିତରୁ ଅନେକଙ୍କ ମୋର ଖୁବ୍‌ ଜଣାଶୁଣା ଥିଲା । କେତେ ରାଜା ମୋତେ ଗାୟକ ରୂପେ, ନାଟ୍ୟକାର ରୂପେ, ସଙ୍ଗୀତଜ୍ଞ ରୂପେ ଏବଂ କବି ରୂପେ କେତେ ସାହାଯ୍ୟ ସହାନୁଭୂତି ଦେଇ ଉତ୍ସାହିତ କରିଛନ୍ତି । ଏଇ ଓଡ଼ିଶାର ରାଜା ତ ପୁଣି କୋଣାର୍କ, ଶ୍ରୀମନ୍ଦିର ଇତ୍ୟାଦି ଗଢ଼ାଇଛନ୍ତି । ଓଡ଼ିଶାର କଳା କୁଶଳୀଙ୍କୁ ତ ଏଇ ରାଜାମାନଙ୍କ ବଂଶ ଭୁବନଭରି ବିଖ୍ୟାତ କରାଇଛନ୍ତି ।

 

ହଁ, ଏକଥା ସତ ଯେ, ଏଇଥିରୁ କେହି କେହି ଅତ୍ୟାଚାରୀ ଥିଲେ; କିନ୍ତୁ ପାଞ୍ଚ ଆଙ୍ଗୁଳି କ’ଣ ସମାନ ବୋଲି ବିଚାରିବା ? ଦିନଟାକୁ ଘ ୨୪ଣ୍ଟା ଧରିଲେ, ଦିନ ବେଳାର ଆଲୁଅ ବାର ଘଣ୍ଟା ଆଉ ରାତିର ଅନ୍ଧାର ବାରଘଣ୍ଟା ତ ଅଛି ।

 

ମୁଁ ଯେମିତି ଚେତନହରା ହୋଇ ପଡ଼ିଥାଏଁ, ଆଜି ଏଇ ରାଜାମାନେ ତାଙ୍କ ରାଜ୍ୟଗୁଡ଼ିକ ଭାରତ ସରକାରଙ୍କୁ ହସ୍ତାନ୍ତରିତ କରିବେ–କରିବାକୁ ବାଧ୍ୟ ବୋଲି ଭାବି ।

 

ଅବଶ୍ୟ ସମସ୍ତେ ମୋରି ପରି ନୁହନ୍ତି, କେହି କେହି କୌଣସି ଭବିଷ୍ୟତ୍‌ କଳ୍ପନା ଘେନି ଆନନ୍ଦ ହେଉଥିବେ । ମୁଁ ମୋ କଥା ଭାବୁଛି । କିଛି ବେଳପରେ ସର୍ଦ୍ଦାର ପଟେଲ ଆସିଲେ । ଅଳ୍ପ କଥାବାର୍ତ୍ତା ପରେ ରାଜ୍ୟ ହସ୍ତାନ୍ତର ଲାଗି ସ୍ୱୀକୃତି ପତ୍ରରେ ଗୋଟି ଗୋଟି କରି ରାଜାମାନେ ସ୍ୱାକ୍ଷର କଲେ । ନ କରି ଅବା ଗତ୍ୟନ୍ତର କ’ଣ ? କେବଳ ମୟୂରଭଞ୍ଜ ରାଜା ରାଜି ହେଲେ ନାହିଁ । ସର୍ଦ୍ଦରଜୀଙ୍କ ଏକା କଲମ ଗାରକେ ପରମ୍ପରାର ମଥାରେ କୁରାଢ଼ି ଚୋଟ ବାଜିଲା । ଭାରତର ସ୍ୱାଧୀନ ଯୁଗର ଆରମ୍ଭରେ ଓଡ଼ିଶାର ଏ ଛବିଶିଟି ଗଛହଣା ବାଜିଲା ନୂଆ ରାହା ଫିଟାଇଲା । ସବୁ ରାଜା ମୋଆଡ଼େ ଚାହୁଁଥାଆନ୍ତି; କିନ୍ତୁ କାହାରି ଆଖିରେ ଆଖି ମିଳାଇବା ସାହସ ମୋର ନ ଥିଲା । ଏହିଠାରେ, ଏଇ ସ୍ୱାକ୍ଷର କରିବାବେଳେ ଚିତ୍ର ଗ୍ରହଣ କରାଗଲା ।

 

ଦୁଇପ୍ରହରବେଳେ ‘ବି’ ଓ ‘ସି’ କ୍ଳାସ୍‌ ଷ୍ଟେଟର ରାଜାମାନେ ସ୍ୱାକ୍ଷର କଲେ । ଏ ଅଧିବେଶନରେ ଚିତ୍ର ଗ୍ରହଣ ପରେ ପରେ ଯଥାସମ୍ଭବ ଶୀଘ୍ର କ୍ୟାମେରାମ୍ୟାନ୍‌କୁ ସଙ୍ଗରେ ନେଇ, ଘୋର ବର୍ଷାରେ ତିନ୍ତି ବସାକୁ ଫେରିଲି ।

 

ପୁଣି ରାତିରେ ସେହିପରି ବର୍ଷା ମଧ୍ୟରେ ଯାଇ ଓଡ଼ିଶାର ‘ଏ’ କ୍ଲାସ୍‌ ରାଜାମାନଙ୍କ ରାଜ୍ୟଛାଡ଼ିବା ସ୍ୱୀକୃତିପତ୍ରରେ ସ୍ୱାକ୍ଷର କଲାବେଳେ ଚିତ୍ରଗ୍ରହଣ କରିବାକୁ ହେଲା ।

 

୧୯୪୭ ଡିସେମ୍ବର ମାସ ୧୩ ତାରିଖ ଦିନ ଓଡ଼ିଶାର ଏଇ ଐତିହାସିକ ପରିବର୍ତ୍ତନ ଘଟିଲା । ଓଡ଼ିଶା ରାଜାମାନଙ୍କ ମଥାରୁ ମୁକୁଟ ଖସି ପଡ଼ିବାବେଳର ମୂକ ସାକ୍ଷୀ ମୁଁ । ଏ ମୋ ମନର ଅଭୁଲା ସ୍ମୃତି ।

 

ଦଳ ଅଛି, ପେଟ ଅଛି–ମନ ପୋଡ଼ି ଯାଉଥିଲେ କ’ଣ ହେବ ?

 

ଦିନ କେତେଟା ପରେ ସବୁ ଦୁଃଖକୁ ଟିକିଏ ଦରଆଡ଼ିଆ କରି ପୁଣି ରଙ୍ଗମଞ୍ଚକୁ ଫେରି ଦଶଭୁଜାର ସେବା ଆରମ୍ଭ କଲି ।

 

ଫଟାଭୂଇଁ :

 

୧୯୪୭ ଅଗଷ୍ଟ ପନ୍ଦର ପରେ ଆମ ଦେଶର ପୁରୁଣା ନୂଆ କଥାକୁ ଭିତ୍ତିକରି ଗୋଟିଏ ନୂଆ ନାଟକ ଲେଖିବା ଚିନ୍ତାଥାଏ ମୋର । ସେଥିଲାଗି କେତେକ ଇତିହାସ ଦେଖାଦେଖି କରୁଥିବା ଅବସର ମଧ୍ୟରେ ଦଶଭୁଜା ନାଟକ ଲେଖି ଅଭିନୀତ କରାଇଥିଲି ।

 

ଭାରତ ସ୍ୱାଧୀନତା ପାଇ ପୁଣି ଦି’ଫଡ଼ା ହେବା ମୋତେ ଆଦୌ ଆନନ୍ଦ ଦେଇପାରିଲା ନାହିଁ । ମୁଁ ତେଣୁ ଭାବି ଭାବି ନୂଆ ନାଟକର ନାମ ‘ଫଟାଭୂଇଁ’ ରଖିବି ବୋଲି ସ୍ଥିର କଲି । ଏତିକିବେଳେ ପୁଣି ହିନ୍ଦୁ-ମୁସଲମାନ ଦ୍ୱନ୍ଦ୍ୱ ଲାଗିଯାଇଥାଏ ।

 

ଫଟାଭୂଇଁ ନାଟକଟି ଏକ ନୂଆ ରଙ୍ଗ ଦେଇ ଲେଖିବି ବୋଲି ବିଚାରିଲି ।

 

ସଙ୍ଗୀତ ଆମ ବର୍ଣ୍ଣଶିକ୍ଷାର ମୂଳରୁ କାନ ମନର ସାଥି ହୋଇ ଆସିଛି । ନାଟକଟିକୁ ତେଣୁ କବିତା ଓ ସଙ୍ଗୀତରେ ଲେଖିବାକୁ ମନସ୍ଥ କଲି । ଅତି ଅଳ୍ପ ଗଦ୍ୟ ଭାଷାର ବଚନିକା ଖଞ୍ଜି, ବାକି ସାରା ନାଟକ ସ୍ୱର ଛନ୍ଦରେ ରଚନା କଲି ।

 

ସ୍ୱାଧୀନତା ଲାଭକଲା ଆମ ଦେଶ । ଇଂରେଜମାନେ ଆମ ଭୂଇଁ ମାଡ଼ିବାଠାରୁ ଛାଡ଼ିବା ପର୍ଯ୍ୟନ୍ତ ଘଟଣାକୁ ନାଟ୍ୟ ରୂପରେ ଠିକେ ଠିକେ ପରଷି ବସିଲି । ଏଇ ନାଟ୍ୟ ବିଷୟବସ୍ତୁର ସଂଯୋଗକାରୀ ରୂପେ ଗୋଟିଏ ଚରିତ୍ରର ଅବତାରଣା କରି ତାହାକୁ ‘ଯୁଗପୁରୁଷ’ ଆଖ୍ୟା ଦେଲି । ଯୁଗପୁରୁଷ ମୁଖରେ ସୁଲଳିତ ଗଦ୍ୟଭାଷାର ବଚନିକା ଯୋଗାଡ଼ିଲି ।

 

ଏତେବେଳକୁ କଳାକାରମାନଙ୍କର ଅନେକ ଅଦଳବଦଳ ହୋଇ ସାରିଥାଏ ଯୁଗପୁରୁଷ ଅଂଶ ଲାଗି ଭାବନାରେ ପଡ଼ିଗଲି । ଯୋଗକୁ ଢେଙ୍କାନାଳର ଚନ୍ଦ୍ରଶେଖର ମିଶ୍ର ନାମକ ଜଣେ ଯୁବକ ଦଳରେ ଯୋଗଦେଇ ଥାଆନ୍ତି । ତାଙ୍କୁ ଦିନରାତି ଲାଗିପଡ଼ି ବଚନିକା ପ୍ରକାଶଭଙ୍ଗୀ ଶିଖାଇ ଦେଖିଲି, ଚନ୍ଦ୍ରଶେଖର ତାହା ଫୁଟାଇ ପାରିବେ । ଯଦୁମଣି କାନୁନ୍‌ଗୋ, ରଘୁନାଥ ପଣ୍ଡା, ଆର୍ତ୍ତବନ୍ଧୁ ରାଉତରାଏ ପ୍ରଭୃତି ଅନେକ ନୂଆ ନୂଆ ଅଭିନେତା ତାଲିମ ପାଇ ନାଆଁ କମାଇଲେ । କବିତା ଓ ଗୀତରେ ସାରା ନାଟକଟି ଲେଖାଯାଇଛି ତ ! ଶିଖାଇବାକୁ ଭାରି ଖଟିବାକୁ ପଡ଼ିଲା ।

 

ଏ ନାଟକରେ ଆଉ ଏକ ନୂଆ ଭିଆଣ କଲି–ଏହା ମଞ୍ଚରେ ଛାୟା ଦୃଶ୍ୟର ବ୍ୟବସ୍ଥା । ଅଙ୍କର ଅବତାରଣା ଉଠାଇ ଦେଲି ।

 

‘ଫଟାଭୂଇଁ’ ନାଟକ ମଞ୍ଚସ୍ଥ ହେବା ପୂର୍ବରୁ କେହି କେବେ ମଞ୍ଚରେ ଏଭଳି ଛାୟାଦୃଶ୍ୟ ଓ କାୟାଦୃଶ୍ୟ ପ୍ରଦର୍ଶନ କରିବା ଦୂରେ ଥାଉ, ଏଭଳି କଳ୍ପନା ମଧ୍ୟ କରି ନ ଥିଲେ । ଦୃଢ଼ ମନରେ ‘ମାଆ’ଙ୍କୁ ସୁମରଣା କରି ଡିସେମ୍ବର ୧୯୪୭ ମସିହା ସାତ ତାରିଖରେ ଏ ନାଟକ ମଞ୍ଚସ୍ଥ କରାଇଲି ।

 

ଲେଖା ବଦଳ :

 

ଦୁର୍ଭାଗ୍ୟକୁ ୧୯୪୮ ଜାନୁୟାରୀ ତିରିଶ ତାରିଖରେ ଆକସ୍ମିକ ଭାବେ ହୀନ ଆତତାୟୀର ଗୁଳି ଚୋଟରେ ମହାତ୍ମାଜୀ ମହାପ୍ରୟାଣ କଲେ । ଫଟାଭୂଇଁ ଏ ସମୟକୁ କେତେକ ରାତ୍ର ମଞ୍ଚସ୍ଥ ହୋଇ ସାରିଥାଏ । ଏ ଦୁଃସମ୍ବାଦରେ ମୁଁ ଏକା ନୁହେଁ, ସାରା ଭାରତ ଦୁଃଖରେ ଝାଉଁଳି ପଡ଼ିଲା । କେତେକ ଦିବସ ଅଭିନୟ ବନ୍ଦ ରହିଲା । ବିଚାରିଲି ‘ଫଟାଭୂଇଁ’ ନାଟକରେ ଜାତିର ପୂଜ୍ୟ ପିତାଙ୍କର ଏ ଆକସ୍ମିକ ମହାଯାତ୍ରା କଥା ମଧ୍ୟ ବର୍ଣ୍ଣନା କରିବି । ତହୁଁ ନାଟକର ଶେଷାଂଶରେ ଏ ଦୁଃଖ ବୟାନ କଲି ।

 

ନାଟକ ସମ୍ବନ୍ଧେ ଦୁଇଚାରି ପଦ–

 

ନାଟକ ଆରମ୍ଭରେ ସାମାନ୍ୟ ଅଗ୍ରକଥନ ପରେ ଛାୟା ଦୃଶ୍ୟରେ ଫିରିଙ୍ଗି ବଣିକମାନଙ୍କ ଭାରତ ଆଗମନ ଦେଖାଇ ନାଟକର କାୟା ଦୃଶ୍ୟ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀମାନଙ୍କୁ ମଞ୍ଚ ପ୍ରବେଶ କରାଇଲି । ସେମାନେ ଗାଇଲେ–

 

‘‘କିଏ ଦରିଆ ପାରି ଗଲେ ବେପାରି

ଆମ ଗାଆଁକୁ ବାଟ ଗଲେ ପଚାରି ।’’ ଇତ୍ୟାଦି

 

ଗୋଟାଏ ନୂଆ ଭିଆଣ ଦେଖିବାକୁ ଲୋକ ଗହଳି ହେଲା । କେତେକ ରାତି ନାଟକ ଚାଲିବା ପରେ ପୂଜ୍ୟ ମହାତ୍ମାଜୀଙ୍କ ଅପ୍ରତ୍ୟାଶିତ ହତ୍ୟା ମନରେ ଯେପରି ଦୁଃଖ ବଢ଼ାଇ ଦେଇଥିଲା, ତାକୁ ଲକ୍ଷ୍ୟ ରଖି ଏ ଲେଖାର ଅବତାରଣା କଲି । ପୁଣି ଏଇ ବେଳରେ କଲିକତାରେ ହିନ୍ଦୁ-ମୁସଲମାନ କନ୍ଦଳ ।

 

ଏଇ ପୃଷ୍ଠଭୂମିକାରେ ପରିକଳ୍ପିତ ‘ଫଟାଭୂଇଁ’ ନାଟକ ଲେଖା । ନାଟକର ଅଭିମତ ଦେବାକୁ ଯାଇ ଡଃ ମହତାବ ଲେଖି ପଠାଇଲେ–‘‘x x x ଭାରତର ଦୀର୍ଘ ଦେଢ଼ଶହ ବର୍ଷର ଇତିହାସକୁ ସେ ଯେପରି ଭାବରେ ନାଟକୋପଯୋଗୀ କରି ଥୋଇଛନ୍ତି, ତାହା ତାଙ୍କପରି ଶିଳ୍ପୀ ବ୍ୟତୀତ ଅନ୍ୟ କେହି ସହଜରେ କରିପାରିବେ ନାହିଁ । ‘ଯୁଗପୁରୁଷ’ କଳ୍ପନାଟି ବିଚିତ୍ର ।’

 

(୧ । ୯ । ୪୯)

 

ଫଟାଭୂଇଁ ନାଟକର ଶେଷଦୃଶ୍ୟର ନିର୍ଦ୍ଦେଶନାରେ ଲେଖା ଯାଇଛି–ଲୁହ ଆଖିରେ ନେହେରୁ ବାପୁଜୀଙ୍କ ଚିତାଭସ୍ମ ଅଣ୍ଡାଳୁଛନ୍ତି, ତାକୁ ‘ବାପୁଜୀ, ବାପୁଜୀ’ ବୋଲି ଡାକି । ସେତିକିବେଳେ ରାଜେଶ୍ୱରୀ ଆବିର୍ଭୂତା ହୋଇ ନେହେରୁଙ୍କୁ କହିଛନ୍ତି–

 

‘‘ଚିତାତଳେ କାହିଁ ବାପୁଜୀ ଖୋଜୁରେ !

ସେ ପରା ଜଗତ ଜିତା’

ଜଣକର ସେ ତ ନୁହେଁରେ ବାଉଳା,

ମୋ ପୁଅ ଗଣ ଦେବତା ।

କାହା ଭାଇ ଗଲା, କାହା ପୁଅ ଗଲା

ଦୁଃଖିନୀ କିଏ ମୋ ପରି ?

ଫଟା-କପାଳୀ ମୁଁ, ପୁଅ ହରାଇଲି

କୋଳ ମୋ ପଡ଼ିଲା ଖାଲି ।

କହିଗଲା ମୋତେ–ତୁମ ସବୁ ହିତେ

ତପରେ ବସିଛି ଧନ,

ଦୁଆରେ, ଦୁଆରେ ପଚାରି ବୁଝିଲି

ଘରେ ଘରେ ତା’ର ଥାନ ।

ଯାହା ସେ କହିଛି, ଯାହା ସେ ଛାଡ଼ିଛି,

ଖୋଜିଛି ଜୀବନେ ଯାହା,

ଫଟା-ଭୂଇଁ ଯୋଡ଼ି, ମଥା ମୋ ସଜାଡ଼ି,

ଧନ ମୋ ଧନର ରାହା ।

କାନେଇଁ ଶୁଣରେ, ମୋ ଧନ କଣ୍ଠରୁ

ଭାସିଆସେ ଅବିରାମ,

ରାମ–ରାମ ରାମ, ରଘୁପତି ରାମ

ସୀତାପତି ରାଜା ରାମ

ପତିତ ପାବନ ସୀତା ରାମ ।’’

 

ଫଟାଭୂଇଁର ଯବନିକାପଡ଼େ ଏଇ ଗୀତଟି ପରେ । ମୋର ମନେଅଛି–ମନେ ରହିବ ଏତିକିବେଳର ପ୍ରେକ୍ଷାଳୟର ଦୃଶ୍ୟ । ଏଠାରେ ଭାରତ ଜନନୀଙ୍କୁ ରାଜେଶ୍ୱରୀ ରୂପ ଦିଆଯାଇଅଛି-

 

ରାଜେଶ୍ୱରୀ ଅଂଶ ନେଇଥିବା ଅଭିନେତ୍ରୀ (ବୋଧହୁଏ ‘ଇନ୍ଦୁ’) ଆଖିରୁ ଲୁହ ଝରାଇ ଗାଉଥିଲା–‘ଫଟାକପାଳୀ ମୁଁ ପୁଅ ହରାଇଲି’ ଇତ୍ୟାଦି । କଣ୍ଠ ତା’ର ରୋଧି ହୋଇ ଯାଉଥାଏ ଏତକ ଗାଇଲାବେଳେ । ତେଣେ ଦେଖଣାହାରିଏ ଭାବ-ବିହ୍ୱଳ ହୋଇ ପଡ଼ନ୍ତି । ନାଟକ ଶେଷରେ–‘ରଘୁପତି ରାଘବ ରାଜା ରାମ’ ଗୀତ ହେବାବେଳେ ପ୍ରାୟ ସମସ୍ତେ ଯୋଡ଼ହାତ କରି ‘ରଘୁପତି ରାଘବ ରାଜାରାମ’ ଗାଇ ମଞ୍ଚରୁ ବାହାରି ଯାଆନ୍ତି । ଅଧିକାଂଶ ଅଭିନୟ ରାତ୍ରିରେ ଏ ଦୃଶ୍ୟ ଦେଖାଯାଏ ।

 

ମୁଁ ମଧ୍ୟ ଛଳଛଳ ଆଖିରେ ‘ରଘୁପତି ରାଘବ’ଙ୍କ ଉଦ୍ଦେଶ୍ୟରେ ପ୍ରଣତି ନିବେଦନ କରି ନାଟକ ରଚନାର ଶ୍ରମ ସଫଳ ମନେକରେଁ ।

 

‘ଫଟାଭୂଇଁ’ ଓଡ଼ିଶା ଥିଏଟର୍ସର କଟକରେ ସର୍ବଶେଷ ନାଟକ ପ୍ରଦର୍ଶନ ।

 

ଚଳଚ୍ଚିତ୍ର ସମ୍ପର୍କ :

 

କେବଳ ରେକର୍ଡ଼ିଂ ନୁହେଁ–ଶ୍ରୀ ଚିନ୍ତାମଣି ମିଶ୍ରେ ବଡ଼ ଉଦ୍‌ଯୋଗୀ କର୍ମୀ । ସେ ଲୋକ–ସମ୍ପର୍କ ବିଭାଗ ପକ୍ଷରୁ ଚଳଚ୍ଚିତ୍ର ନିର୍ମାଣ ଲାଗି ବ୍ୟବସ୍ଥା କଲେ ଏବଂ ଭାର ମଧ୍ୟ ମୋତେ ଦେଲେ । ମୁଁ ଲେଖାଲେଖି କଲି ଏବଂ ସେ ତାହା ମନୋନୀତ କଲେ ।

 

କଟକରେ ଚଳଚ୍ଚିତ୍ର ସୁଟିଂ ଆରମ୍ଭ ତା ୨୮।୨।୪୬ ରିଖରେ । ଏହା ପରେ କେତେକ ଚିତ୍ରଗ୍ରହଣ କରାଗଲା ‘ଜନ୍ମମାଟି’ ଛବିର ସାକ୍ଷିଗୋପାଳରେ ତା ୧।୩।୪୬ ରିଖରେ । ଏ ସବୁକାମ ଚାଲିଥାଏ, ମଝିରେ ମଝିରେ ଅଭିନୟ ବନ୍ଦକରି ।

 

ଚଳଚ୍ଚିତ୍ରର ପୂର୍ଣ୍ଣ ଚିତ୍ରଗ୍ରହଣ ଉପଯୋଗୀ ଲେଖା ବାକିଥାଏ । ନାଟକ ଲେଖିଛି ବୋଲି ଯେ ଚଳଚ୍ଚିତ୍ରର ସିନେରୀ ଇତ୍ୟାଦି ଲେଖିବି–ଏହା କିପରି ମୋ ପକ୍ଷରେ ସମ୍ଭବ ହେବ ? କଥାହେଲା ଯେ, ଚିତ୍ର ଉଠିଯିବ କଲିକତାରେ । ଓଡ଼ିଶାର କିଛି ଦୃଶ୍ୟ ସିନା ଏଠି ଉଠାଇ ନେଲି, ବାକି କଲିକତା ଗଲେ ଚଳଚ୍ଚିତ୍ର ଉପଯୁକ୍ତ ହେଲାଭଳି ସ୍କ୍ରିପ୍‌ଟ (script) ପାଇଁ ଏ ବିଷୟରେ ବିଶେଷଜ୍ଞଙ୍କୁ ଅନୁସରଣ କରି ବୁଝିବି ବୋଲି ମନେ ମନେ ‘ମାଆ’ଙ୍କୁ ଡାକି ସ୍ଥିର କଲି ।

 

କଲିକତା ଯିବାର ଦିନ ଠିକ୍‌ହେଲା । ଏଠାରେ କାଳୀମନ୍ଦିରକୁ ଯାଇ ମୁଣ୍ଡିଆମାରି କଲିକତା ରମାନା ହେଲି କେତେଜଣ ଛାତ୍ରଛାତ୍ରୀଙ୍କୁ ଧରି । ‘ଆରୋରା’ ଫିଲିମ୍‌ସ୍‌ ଷ୍ଟୁଡ଼ିଓରେ ଚିତ୍ରଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥାଏ । ଷ୍ଟୁଡ଼ିଓ ପାଖରେ ଗୋଟିଏ ଘରଭଡ଼ା କରି ରହିଲୁଁ ।

 

ଦେଖିଲି, ଚଳଚ୍ଚିତ୍ରର ସିନେରୀ ଓ ଲେଖା ଆଉ ନାଟକର ସିନ୍‌ ଲେଖାରେ ବହୁତ ତଫାତ୍‌ । ଭିତରେ ଦୁର୍ବଳତା ଏବଂ ବାହାରେ ଟାଣ ରଖି ଆରୋରା ଫିଲିମ୍‌ସ୍‌ କମ୍ପାନୀ ଚାଳକ ଅନାଦିବାବୁ ଓ ବେଚୁବାବୁଙ୍କ ସଙ୍ଗେ ଛବି ସମ୍ବନ୍ଧେ ନାନା ପରାମର୍ଶ ହେଲା । ବୋଧହୁଏ ସେମାନେ ମୋ କଥାବାର୍ତ୍ତାରୁ ବୁଝିପାରିଲେ ଯେ ଚିତ୍ରର ସିନେରୀ ଓ ଲେଖାରେ ମୁଁ ପୋଖତହତା ନୁହେଁ । ସେକଥା ପ୍ରକାଶ ନ କରି ମୋତେ ଖଣ୍ଡେ ଦି’ଖଣ୍ଡ ଛବିର ସିନେରୀ ଓ ଲେଖା ବିଷୟକ କିଛି ବହି ଆଣିଦେଲେ । ତାକୁ ପଢ଼ି, ମୋ ଭ୍ରମ ତ୍ରୁଟି କେତେକାଂଶରେ ସଂଶୋଧନ କରିପାରିଲି । ସେମାନେ ମଧ୍ୟ ଗଳ୍ପାଂଶ ଶୁଣି ବାଗିଆବାଗେଇ କରିଦେଲେ । ଛବି ଏଥର ନିଆଗଲା । ସବୁକାମ ସରିଲାପରେ ଛବି ଦେଖାହେଲା ଓ ସେଠିକା ଲୋକେ ପସନ୍ଦ କଲେ ।

 

ପ୍ରାୟ ମାସକପରେ କଟକ ପ୍ରଭାତ ସିନେମାରେ ଛବି ପ୍ରଦର୍ଶିତ ହେଲା । ଚିନ୍ତାମଣିଭାଇନା ସନ୍ତୋଷରେ ମୋତେ କୁଣ୍ଢାଇ ପକାଇଲେ ।

 

ଏ ଚଳଚ୍ଚିତ୍ର ଯେମିତି ମୋ ଜୀବନର ପ୍ରଥମ ପ୍ରଚେଷ୍ଟା ଓଡ଼ିଶା ସରକାରଙ୍କ ପବ୍ଲିସିଟି ବିଭାଗର ମଧ୍ୟ ସେଇମିତି ପହିଲି ଛବି ।

 

ସିନେମା କମ୍ପାନୀ–ଓଡ଼ିଶା ଥିଏଟର୍ସ ଲିମିଟେଡ଼ :

 

୧୯୪୬ରେ ‘ଜନ୍ମମାଟି’ ଓ ‘ନିର୍ବନ୍ଧ’ ଚଳଚ୍ଚିତ୍ର ତିଆରି ପରେ କଟକ ଫେରି ଚିତ୍ର ପ୍ରସ୍ତୁତି ଆଡ଼କୁ ମୋର ଭାରି ମନ ହେଲା । ବିଚାରିଲି ଗୋଟିଏ ସିନେମା କମ୍ପାନୀ ଗଢ଼ିବି । କିନ୍ତୁ କିପରି ଗଢ଼ାଯାଏ ରେଜେଷ୍ଟ୍ରି କିପରି କରିବାକୁ ହୁଏ–ଇତ୍ୟାଦି ଇତ୍ୟାଦି ବିଷୟରେ ମୁଁ ଅଜ୍ଞ । ଏହିପରି ଭାବୁ ଭାବୁ ମନେ ପଡ଼ିଗଲା ଓକିଲ ଦିବ୍ୟସିଂହ ଦାସଙ୍କ କଥା । ସେ ମଧ୍ୟେ ମଧ୍ୟେ ଓଡ଼ିଶା ଥିଏଟର୍ସର ଅଭିନୟ ଦେଖିବାକୁ ଆସୁଥାନ୍ତି । ତାଙ୍କ ସହିତ ମୋର ବନ୍ଧୁତା ଥାଏ । ତାଙ୍କ ପିତା ସ୍ୱର୍ଗତ କଳ୍ପତରୁ ଦାସ (ଓକିଲ) ମୋ ପିତାଙ୍କର ସହପାଠୀ ଥିଲେ । ଏ ସମ୍ପର୍କଟାର ଜୋର୍‌ ଆମ ଭିତରେ ରହିଥିଲା । ମୋତେ ଦିବ୍ୟସିଂହ ବଡ଼ଭାଇ ହିସାବରେ ଦେଖନ୍ତି ଓ ଡାକନ୍ତି ।

 

ଦିବ୍ୟସିଂହଙ୍କୁ ମୋ କଳ୍ପଣା କଥା କହିଲି । ସେ ଆନନ୍ଦରେ ମୋ କଥାରେ ସ୍ୱୀକୃତି ଦେଲେ । ମୋର ଅନ୍ୟତମ ବାଲ୍ୟବନ୍ଧୁ ଚକ୍ରଧର ମିଶ୍ର ପ୍ରଭୃତିଙ୍କ ସହ ଏ ସମ୍ବନ୍ଧେ ଆଲୋଚନା କଲି-। ସମସ୍ତେ ଖୁସିହୋଇ ସହଯୋଗ ଲାଗି ସମ୍ମତି ଦେଲେ ।

 

୧୯୪୬ରେ କମ୍ପାନୀ ରେଜେଷ୍ଟ୍ରୀ ହୋଇଗଲା ଓ ଅଂଶ ସଂଗ୍ରହ ଅଭିଯାନ ଚାଲିଲା । ମୁଁ ନାନାସ୍ଥାନକୁ ଅଂଶ ବିକ୍ରୟ ଚେଷ୍ଟାରେ ବାହାରିଲି । ପ୍ରଥମେ ଅଂଶ କିଣିଲେ ବଡ଼ାମ୍ବାର ରାଜା ଶ୍ରୀ ନାରାୟଣ ବୀରବର ମଙ୍ଗରାଜ ଓ ପରେ ପରେ ତାଳଚେର ରାଜା ଶ୍ରୀ ହୃଦୟ ବଲ୍ଲଭ ଦେଓ ଏବଂ ପାଟଣା ମହାରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରଭୃତି ଅଂଶ ନେଲେ ।

 

କମ୍ପାନୀ କାର୍ଯ୍ୟ ଚାଲିଲା ଓଡ଼ିଶା ଥିଏଟର୍ସର ବାହାର–ପାଖରେ ଥିବା ଗୋଟିଏ ଘରେ । କେତେକ କର୍ମୀଙ୍କୁ ନିଯୁକ୍ତି ଦିଆଗଲା । ଖଟ୍‌ବିନ୍‌ ସାହିର ମୁନସି ଅବଦୁଲ୍‌ ବାରୀ ପ୍ରଥମେ ନିଯୁକ୍ତି ପାଇଲେ । ତା ୧।୧।୪୭ ରିଖରେ ସୁଲେଖକ ଶ୍ରୀ ଉମେଶ ପାଣିଗ୍ରାହୀ ଏବଂ ତା ୩।୧।୪୭ରିଖରେ କୁମାରୀ ଗ୍ଳୋରିଆ ରାଉତ ଓ ପରେ ଶ୍ରୀ ରାୟ ଗୌର ଘୋଷ (ଗୌର ଘୋଷ), କୁମାରୀ ବୀଣାପାଣି ରଥ ପ୍ରଭୃତି ଅଭିନେତା-ଅଭିନେତ୍ରୀମାନେ ଏଥିରେ ଯୋଗଦେଲେ ।

 

ଷଢ଼େଇକଳା :

 

ଉପେନ୍ଦ୍ର ଭଞ୍ଜ ନାଟକ ଚାଲୁଥାଏ । ଏଣେ ଓଡ଼ିଶା ଥିଏଟର୍ସ ଲିମିଟେଡ଼୍‌ର ଅଂଶ ବିକ୍ରୟ ଚାଲିଥାଏ । ଥରେ ତା ୫।୨।୪୭ ରିଖରେ ମୁଁ ଓ ଉମେଶ ମିଶି ଷଢ଼େଇକଳା ଗଲୁଁ । ରାଜା ଆଦିତ୍ୟ ପ୍ରତାପଙ୍କ ରାଜୁତିକାଳ । ସେ ବଡ଼ କଳାପ୍ରିୟ ଓ ନିଜେ ମଧ୍ୟ କଳାକାର । ଛଉନୃତ୍ୟ ପ୍ରତି ତାଙ୍କର ବିଶେଷ ଆଦର ଥିବାରୁ ଷଢ଼େଇକଳା ଛଉନୃତ୍ୟ ସୁଖ୍ୟାତି ଅର୍ଜ୍ଜନ କରିଥିଲା ।

 

ରାଜା ସାହେବଙ୍କ ସହିତ ସାକ୍ଷାତ୍‌କାର ବେଳକୁ ସେ ଛଉ କଳାକାରଙ୍କର ଗୋଟିଏ ମୁଖା ତିଆରି କରୁଥାନ୍ତି । ସିନେମା କମ୍ପାନୀର ଅଂଶ ସମ୍ବନ୍ଧେ କଥା ହେଲୁଁ । ସେ ଉତ୍ସାହିତ କଲେ ଓ ଅଂଶ ନେବାଲାଗି ସ୍ୱୀକୃତି ଦେଲେ । ସେଦିନ ରାତିରେ ଛଉନୃତ୍ୟର ଆୟୋଜନ ହୋଇଥାଏ । ଆମକୁ ଛଉନୃତ୍ୟ ଦେଖିଯିବାକୁ କହିଲେ । ବାରିପଦାରେ ଥିବାବେଳେ ସେଠାରେ ଛଉନୃତ୍ୟ ସହିତ ମୋର ବିଶେଷ ସମ୍ପର୍କ ଥିଲା । ଷଢ଼େଇକଳା ଛଉର ଖ୍ୟାତି ସମ୍ବନ୍ଧେ ମଧ୍ୟ ମୁଁ ଅନେକ କଥା ଶୁଣିଥାଏଁ । ତେଣୁ ଏହାକୁ ଏକ ସୁଯୋଗ ବୋଲି ଭାବି, ଭାରି ମନଖୁସିରେ ଛଉ ନୃତ୍ୟ ଦେଖିବାକୁ ଗଲି ।

 

ବାରିପଦା ଛଉନୃତ୍ୟ ସହିତ ଢୋଲ, ମହୁରୀ ଓ ବଂଶୀ ବାଜେ, ଏଠି କିନ୍ତୁ କ୍ଳାରିଓନେଟ୍‌, ଢୋଲକ ଇତ୍ୟାଦିର ବ୍ୟବହାର ଦେଖିଲି ।

 

ଗୋଟିଏ ବିଶେଷ କଥା ମୋର ମନକୁ ଆସିଲା–ରସଭାବ ଫୁଟାଏ ସିନା ଆଖି ଓ ମୁହଁର ଭଙ୍ଗି । ଛଉ କଳାକାରମାନେ ଏଠି ପିନ୍ଧନ୍ତି ମୁଖା । ତେଣୁ ମୁଖାରୁ ରସଭାବ ଫୁଟିବ କିପରି-? ତାଳ ଓ ନୃତ୍ୟ କିନ୍ତୁ ବେଶ୍‌ ଜମକାଣିଆଁ । ରାଜାସାହେବଙ୍କଠାରୁ ଆଦର ସମ୍ବର୍ଦ୍ଧନା ପାଇ ଆମେ କଟକ ବାହୁଡ଼ିଲୁଁ ।

 

ସିନେମା କମ୍ପାନୀର ବ୍ୟବସ୍ଥା ସହିତ ଥିଏଟର ମଧ୍ୟ ଚାଲୁ ରହିଥାଏ । ଓଡ଼ିଶା ଥିଏଟର୍ସ ଲିମିଟେଡ଼ ମୋର ‘ରକ୍ତମାଟି’ ନାଟକର ମହୁରତ କରାଇଲେ । (୧୯୪୯) ସେତିକିରେ କାମ ଅଟକିଗଲା, କେହି ଆଉ ମନ ଦେଲେ ନାହିଁ । ତା ୯।୧୦।୫୦ରେ କମ୍ପାନୀ ଅଫିସ ଖାଲି କରାଗଲା । ଶ୍ରୀ ସୁଶୀଲ ପାଲିତ ତା ୧୪।୧୦।୫୦ରେ ଘରେ ଚାବି ପକାଇଦେଲେ । କମ୍ପାନୀର ଦୁଇଟି ଆଲମିରା, ବଡ଼ ଟେବୁଲ, ଚଉକି ଇତ୍ୟାଦି ମୋ ନିକଟରେ ଥିବା ଦଶହଜାର ଟଙ୍କା ମୂଲ୍ୟର ଗୋଟିଏ ହ୍ୟାଣ୍ଡ କ୍ୟାମେରା ଶ୍ରୀ ଦିବ୍ୟସିଂହ ଦାସଙ୍କ ଘରକୁ ନିଆଗଲା । ଅବଧି ସେସବୁ ଜିନିଷ ଆଉ ଫେରି ନାହିଁ । ଦିବ୍ୟସିଂହବାବୁ ତାକୁ ନିଜର କରିନେଲେ । ପରେ ପରେ ତା ୨୬।୫।୫୧ରେ ମୁଁ କମ୍ପାନୀରୁ ଇସ୍ତଫା ଦେଲି । ଦିବ୍ୟସିଂହବାବୁଙ୍କ ବ୍ୟବସ୍ଥାରେ କମ୍ପାନୀ ଭାଙ୍ଗିଗଲା ।

 

ଇତ୍ୟବସରରେ ଢେଙ୍କାନାଳର ଟିକିସାହେବ କଲିକତାରେ ଗ୍ରେଟ୍‌ଇଷ୍ଟର୍ଣ୍ଣ ମୁଭିଟୋନ କମ୍ପାନୀ ନାମକ ଏକ ଚଳଚ୍ଚିତ୍ର ଅନୁଷ୍ଠାନ ଆରମ୍ଭ କରିଥାଆନ୍ତି । ସେ କଟକ ଆସ ‘ଲଳିତା’ ଚଳଚ୍ଚିତ୍ରର ସ୍କ୍ରିପ୍‌ଟ ଓ ଗୀତ ଇତ୍ୟାଦି ଲେଖିଦେବା ଏବଂ ନିର୍ଦ୍ଦେଶନାରେ ମୋର ସହଯୋଗ ଲାଗି ଡାକି ଆସିଲେ । କଲିକତାରେ କଲ୍ୟାଣ ଗୁପ୍ତ ପ୍ରଧାନ ନିର୍ଦ୍ଦେଶକ ରହିଲେ । ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଅ ଶ୍ରୀ ଲୋକନାଥ ମିଶ୍ର ପ୍ରଧାନ ଭୂମିକାଂଶ ନେଇଥିଲା । ୧୯୫୦ ବେଳକୁ ଚିତ୍ରଟି ପ୍ରସ୍ତୁତ ହୋଇଗଲା ।

 

୧୯୫୬ରେ କ୍ୟାପିଟାଲ୍‌ ସିନେମାର ସ୍ୱତ୍ୱାଧିକାରୀ ଶ୍ରୀ ନରେନ୍‌ମିତ୍ର ‘ନାରୀ’ ନାମକ ଗୋଟିଏ ଚଳଚ୍ଚିତ୍ର ପ୍ରସ୍ତୁତିର ବ୍ୟବସ୍ଥା କଲେ । ଏହାର ଚିତ୍ର କଥା ଓ ଗୀତ ଇତ୍ୟାଦି ମୁଁ ଲେଖିଲି ଏବଂ ନିର୍ଦ୍ଦେଶନାରେ ଭାଗନେଲି । କେବଳ ଏତିକି ନୁହେଁ, ମୁଁ ଏ ଛବିରେ ଅଂଶଗ୍ରହଣ କଲି ଓ ଗୀତ ମଧ୍ୟ ଗାଇଲି । ଶ୍ରୀ ନରେନ୍‌ ମିତ୍ର ଗୋଟିଏ ବିଶେଷ ଭୂମିକାଂଶ ଗ୍ରହଣ କରିଥିଲେ । ଛବିଟି ରାଷ୍ଟ୍ରପତି ପୁରସ୍କାର ପାପ୍ତ ହେଲା ।

 

କଲିକତାରେ :

 

ମହାତ୍ମାଜୀଙ୍କ ମହାପ୍ରୟାଣ ପରେ ଫଟାଭୂଇଁରେ ଶେଷ ଅଂଶ ଯୋଡ଼ି, ଅଭିନୟ ଚାଲିଥାଏ । ଦିନେ ଶ୍ରୀ ଚିନ୍ତାମଣି ମିଶ୍ରେ ମୋତେ ପାର୍ଟିକୁ କଲିକତା ନେଇ ଯିବାର ପ୍ରସ୍ତାବ ଦେଲେ-। କ୍ରିପ୍‌ସ କମିଶନ ପରେ ୧୯୪୫ ।୪୬ ବେଳର ହିନ୍ଦୁ ମୁସଲମାନ ଗୋଳମାଳ ସେତେବେଳକୁ ଆଉ ନ ଥାଏ । ବଙ୍ଗ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସଦ୍‌ଭାବ ପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଆ ନାଟକ କଲିକତାରେ ପ୍ରଦର୍ଶନ କରାଇବା ଲାଗି କଲିକତା ଯିବା କଥା ହେଲା ।

 

ଭାରି ମହର୍ଗ ସମୟ । କାର୍ଡ଼ ନ କଲେ ପୁଣି ଖାଉଟି ଜିନିଷ ମିଳିବ ନାହିଁ । ଏଣୁ ଓଡ଼ିଶା ସରକାରଙ୍କ ଲୋକସମ୍ପର୍କ ବିଭାଗରୁ ଗୋଟିଏ ଚିଠି ନେଇଗଲି । କଲିକତା ରାଇଟର୍ସ ବିଲିଡ଼ିଂକୁ ଯାଇ ପରମିଟ୍‌କାର୍ଡ଼ କରାଇ ନେଲି ।

 

ଆମେମାନେ ରହିଲୁଁ ବେଲିଲିଆସ ରୋଡ଼ର ଜଣେ ମୁସଲମାନଙ୍କ ଘର ଭଡ଼ାନେଇ । ଅବଶ୍ୟ ସେତେବେଳକୁ ଗୋଳମାଳ ଥମି ଯାଇଥାଏ । ହାଓଡ଼ା ରେଲୱେ ଇନ୍‌ଷ୍ଟିଚ୍ୟୁଟ୍‌ରେ ନାଟକ ଅଭିନୟ ଦବାର ସ୍ଥିର ହୋଇ ହଲ ଭଡ଼ାକୁ ନିଆଗଲା ।

 

କଲିକତାରେ ଶ୍ରୀ ଆକୁଳି ମିଶ୍ର, ଦାମ, ଦିଗମ୍ବର ଦାସ ଗୌର ଦାସ ଓ ଆଉ କେତେଜଣ ଓଡ଼ିଆ ବନ୍ଧୁ ମୋତେ ବହୁପ୍ରକାର ସାହାଯ୍ୟ କଲେ । ଅଭିନୟ ପ୍ରଦର୍ଶିତ ହେଲା ୧୯୪୯ ସାଲର ପ୍ରାୟ ଖରାଦିନ ଆରମ୍ଭରେ । ଏଠାରେ ଆଉ କେତେକ ସ୍ଥାନରେ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱକାଳ ଅଭିନୟ ଦେବା ପରେ ହୁଗୁଳିରେ ୪।୫ ରାତ୍ର ଅଭିନୟ ଦେଖାଇ ପୁଣି କଲିକତା ଗଲୁ ।

 

ଏହି ସମୟରେ ଓଡ଼ିଶା ଥିଏଟର୍ସ ଲିମିଟେଡ଼୍‌ ପକ୍ଷରୁ ଶ୍ରୀ ଦିବ୍ୟସିଂହ ଦାସ ଓ ଶ୍ରୀ ଉପେନ୍ଦ୍ର କିଶୋର ଦାସ ବେଲିଲିୟାସ ରୋଡ଼ର ବସାକୁ ଯାଇ ‘ରକ୍ତମାଟି’ ନାଟକକୁ ଚଳଚ୍ଚିତ୍ର ରୂପ ଦେବା ଲାଗି ଆୟୋଜନ କଲେ । ଗୋଟିଏ ଷ୍ଟୁଡ଼ିଓରେ କଲ୍ୟାଣଗୁପ୍ତ ଓ ତାଙ୍କର କେତେଜଣ ସହକର୍ମୀ ପ୍ରଥମେ ଚିତ୍ରଗ୍ରହଣ ଆରମ୍ଭ କରି ମହୁରତ ପାଳିତ ହେଲା ।

 

କଲିକତାରୁ ଦଳ ଟାଟାନଗର ଆସିଲା । ସେଠାରେ ବସା ଭଡ଼ା ନେଇ ପେଣ୍ଡାଲର ବ୍ୟବସ୍ଥା କରିଦେଇ ମାତ୍ର ଦୁଇ ତିନିରାତି ଅଭିନୟ ଦେବା ପରେ ସେତେବେଳେ ଓଡ଼ିଶା ଥିଏଟର୍ସର ମ୍ୟାନେଜର ଥିବା କାଶୀନାଥ ମହାନ୍ତିଙ୍କ ମାରଫତରେ ଦଳର ପରିଚାଳନା ଭାର ଛାଡ଼ିଦେଇ ମୁଁ କଟକ ଆସିଲି ।

 

କଟକରେ ପ୍ରାୟ ଏକ ସପ୍ତାହ ରହି ପୁଣି ଟାଟା ଫେରିଲି । ସେଠାରେ ବୋଉର ଅସୁସ୍ଥତା ସମ୍ବାଦ ପାଇ, ତା’ର ସେବା ଶୁଶ୍ରୂଷାର ସୁବିଧା ପାଇଁ ସୁମତୀକୁ ସଙ୍ଗରେ ନେଇ ପୁଣି କଟକ ଫେରିଲି ।

 

ପେଣ୍ଡାଲ ଭାଙ୍ଗିଗଲା :

 

ଏଥିପୂର୍ବେ ଓଡ଼ିଶା ଥିଏଟର୍ସ କେବେ କଟକ ଛାଡ଼ି ଏତେ ଦୀର୍ଘକାଳ ବାହାରେ ରହି ନାହିଁ-

 

ଓଡ଼ିଶା ଥିଏଟର୍ସ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଏକ ଡାକବଜା ଦଳ ଥିଲା । କଲିକତା ଓ ଅନ୍ୟାନ୍ୟ ବଡ଼ ବଡ଼ ସହରର ପ୍ରତି ସପ୍ତାହରେ ଦୁଇରାତି ବା ତିନିରାତି ମାତ୍ର ଅଭିନୟ ପ୍ରଦର୍ଶିତ ହୁଏ; କିନ୍ତୁ ଓଡ଼ିଶା ଥିଏଟର୍ସରେ ସପ୍ତାହକେ କେବଳ ସୋମବାର ଦିନଟି ଛଡ଼ା ଆଉ ଛଅଦିନ ଅଭିନୟ ଚଳାଇଲି । ଅଭିନୀତ ହୋଇଥିବା ନାଟକମାନଙ୍କ ଭିତରୁ ଦୁଇ ତିନିଗୋଟି ମାତ୍ର ଚାଳିଶ ପଚାଶ ରାତି ଜନଗହଳିରେ ଚଳିବାଛଡ଼ା ଅନ୍ୟଗୁଡ଼ିକ ଶତାଧିକ ରାତ୍ର ବଡ଼ ଭଲ ଭାବରେ ଚଳିଛି । ସେ ସମୟର ଦର୍ଶକ ଏ କଥାର ସାକ୍ଷୀ ।

 

ଏସବୁ କେତେକ ପରଶିରୀ ଅସହଣୀ ଲୋକଙ୍କର ଆଖିର କଣ୍ଟା ହେଲା । ଅବଶ୍ୟ ମୋ ଜାଣିବାରେ ଏଇଟା ଆମ ଏଠି ଅସ୍ୱାଭାବିକ ନୁହେଁ । ଏହାଛଡ଼ା ଗାଟିଏ ବଡ଼ କଥା ହେଲା–ଜୟଦେବ ଓ ଅତିବଡ଼ୀ ଜଗନ୍ନାଥ ଦାଶ ନାଟକର ଅଭିନୟ ପ୍ରଦର୍ଶନ । ଆଗେ କହିଛି ତ ଓଡ଼ିଶା ଥିଏଟର୍ସର ଚାଳଛପର ଓ ତାଟିବାଡ଼ ଦିଆ ପେଣ୍ଡାଲ ତୋଳା ହୋଇଥିଲା ଶ୍ରୀ ସୁଶୀଲ ପାଲିତଙ୍କ ଜମିକୁ ଭଡ଼ାନେଇ ।

 

ବିପତ୍ତି ଏକା ଆସେ ନାହିଁ, ସାଙ୍ଗ ସାଥୀ ନେଇ ଆସେ–ଜୀବନରେ ଏହି ମହାଜନବାଣୀ ଅନୁଭବ କଲି ମୁଁ । ଟାଟାରେ ଦଳକୁ କାଶୀନାଥ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଛାଡ଼ି କଟକ ଆସିବାର ଦିନ କେତେଟା ପରେ ଅକାଳ ବର୍ଷା ପବନରେ ପେଣ୍ଡାଲ ଭୂଇଁଗଲା ହୋଇଗଲା । ପୁଣି ଥରେ ତୋଳାଇବା ମସୁଧା କରିବା ବେଳକୁ ଆଉ ଜମିଦାରଙ୍କ ପରମିଶନ ମିଳିବାରେ ଅସୁବିଧା ହେଲା ।

 

ଏଇଭଳି ଚେଷ୍ଟା କରୁଥିବାବେଳେ କାଶୀ ମହାନ୍ତି ଦଳକୁ ଟାଟାରୁ ଭଦ୍ରଖ ଓ ସେଠାରୁ ସୋରୋ ନେଇ ଆସିଲେ । ସୋରୋଠାରେ ଦଳର ନିତାନ୍ତ ଅବ୍ୟବସ୍ଥା ହେଲା । ଟିକଟ ବିକ୍ରି ମଧ୍ୟ ଭଲ ନ ହେବାର କାଶୀ ମହାନ୍ତିଙ୍କ ଚିଠିରୁ ଜାଣିଲି । ଶେଷରେ ଦଳର ବାଦ୍ୟଯନ୍ତ୍ର, ଲାଇଟ, ଚୌକି ଇତ୍ୟାଦି ସୋରୋରେ ବିକ୍ରି ଓ ବନ୍ଧକ ଦେଲେ ସେ । ମୋର କଟକ ଛାଡ଼ି ବାହାରକୁ ଯିବାର ଅବସ୍ଥା ନ ଥିଲା । କାଶୀ ମହାନ୍ତିଙ୍କୁ କଟକ ଆସିବାକୁ ଲେଖିଲି । ସେ ଆସିଲେ ନାହିଁ ବା ପାର୍ଟି ଭାଙ୍ଗିଯିବା ପରେ ଆଉ ଦେଖା ଦେଲେ ନାହିଁ । ସେହିଠାରେ ଓଡ଼ିଶା ଥିଏଟର୍ସର କାଳ ପୂରିଲା ।

 

ଏଣେ କଟକରେ ବୋଉ ବେମାର । ସୋରୋକୁ ଯାଇ ସେଠାରେ କିଛି ସୁବ୍ୟବସ୍ଥା କରିବା ଭଳି ସୁଯୋଗ ମୋର ନ ଥିଲା । ଦଳର ଯନ୍ତ୍ର ଇତ୍ୟାଦି ମଧ୍ୟ ସେହିଠାରେ ଗଲା ୧୯୪୯ ଡିସେମ୍ବର ମାସରେ ।

 

ଏତିକିରେ ବିପଦ ସରିଗଲା ନାହିଁ । ଡିସେମ୍ବର ମାସ ଦଶ ତାରିଖ ଲକ୍ଷ୍ମୀପୂଜା, ଗୁରୁବାର ଉଜୁଆଁ ଦିନ ମୁଁ ଏକାବେଳେ ଲକ୍ଷ୍ମୀଛଡ଼ା ହୋଇ ପଡ଼ିଲି । ବୋଉ ମୋତେ ସେଇଦିନ ଦୁଃଖରେ ଭସାଇ ଦେଇଗଲା ।

 

ମୋ ମଞ୍ଚ ଜୀବନର ଇତି ହେଲା ଏଇ ଦିନଠାରୁ–ଅର୍ଥାତ୍‌୧୯୦୯ ସାଲରୁ ଦଶନ୍ଧି ପୂରାଇ ।

 

ମଞ୍ଚଜୀବନର ଉପସଂହାର :

 

ପ୍ରଥମେ ରାସ ରସ ଚାଖିଲି ୧୯୨୧ । ୨୨ ସାଲରୁ । ଭଙ୍ଗା ଗଢ଼ା ହୋଇ ୧୯୨୮ ପର୍ଯ୍ୟନ୍ତ ଏ ସମ୍ପର୍କ ରହିଥିଲା । ୧୯୨୯ରୁ ରାସ ସହିତ ପୂରାପୂରି ସମ୍ପର୍କିତ ହେଲି ୧୯୩୯ ସାଲ ପର୍ଯ୍ୟନ୍ତ । ଏଥି ମଧ୍ୟରେ ପ୍ରାୟ ଦୁଇ ତିନିବର୍ଷ ବାଳକ ଓ ବାଳିକାଙ୍କୁ ରାସଦଳରେ ଗ୍ରହଣ କରିଥିଲି । ସେତେବେଳେ ଏପରି ବାଳକ ବାଳିକାଙ୍କୁ ଘେନି ଓଡ଼ିଶାରେ କାହିଁ ହେଲେ ଦଳଗଢ଼ା ହୋଇ ନ ଥାଏ । ୧୯୩୯ ବେଳେ ରାସ ଛାଡ଼ି ରୀତିମତ ଥିଏଟର ଦଳ ଗଢ଼ି ବସିଲି । ଉତ୍କଳ ସାହିତ୍ୟ ସମାଜରେ ଶ୍ରୀମତୀ ସରଳା ଦେବୀଙ୍କ ପ୍ରଚେଷ୍ଟାରେ ସାହିତ୍ୟ ସପ୍ତାହର ଆୟୋଜନ ହେଲା ଏଇ ୧୯୩୯ ସାଲରେ । ମୋର ପୂଜ୍ୟ ଗୁରୁଦେବ ସ୍ୱର୍ଗତ ରତ୍ନାକର ପତି ସଭାପତି । ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ ଏବଂ ଶ୍ରୀମତୀ ସରଳା ଦେବୀ ଥିଲେ ପରିଚାଳନା ବିଭାଗରେ ।

 

ସାହିତ୍ୟ ସମାଜର ବାଁ ପଟରେ ଗୋଟିଏ ସଭାମଣ୍ଡପ ତୋଳା ହେଲା । ସିଦ୍ଧେଶ୍ୱରବାବୁ ଏ ଘର ତୋଳିବାର କଣ୍ଟ୍ରାକ୍ଟ ନେଇଥିଲେ ।

 

ଶ୍ରୀରାମଚନ୍ଦ୍ର ଭବନରେ ମୋର ‘ଜୀବିତ ତର୍ପଣ’ ଏକାଙ୍କିକା ଅଭିନୀତ କରାଇଲି । ଏହା ହାସ୍ୟରସୋଦ୍ଦୀପକ ଏକାଙ୍କିକା ବା ଫାର୍ସ । ଏଇ ଫାର୍ସଟି ମଧ୍ୟ କମିଶନର ଅଫିସର ଆୟୋଜିତ ଗୋଟିଏ ପିକ୍‌ନିକ୍‌(ବଣଭୋଜି) ପାର୍ଟିରେ କାଳିକାପ୍ରସାଦ (ଡୋମପଡ଼ା) ଠାରେ ଅଭିନୀତ ହୋଇଥିଲା ।

Unknown

 

ଏହାପରେ ସାହିତ୍ୟ ସପ୍ତାହ ଅବସରରେ ତୋଳା ହୋଇଥିବା ଲମ୍ବା ଚାଳଘରେ ଓଡ଼ିଶା ଥିଏଟର୍ସର ସାମାଜିକ ନାଟକ ଗାର୍ଲସ୍କୁଲ ଅଭିନୀତ ହେଲା । ରାସଦଳ ବନ୍ଦ କରାଯାଇ ଏହି ଭବନର ଚାଳଘରେ ଅଭିନୟ ଦେବାବେଳେ ଓଡ଼ିଶାରେ ପ୍ରଥମ କରି ଯୁବକ ଓ ଯୁବତୀମାନଙ୍କର ସମ୍ମେଳନରେ ଥିଏଟର ଆରମ୍ଭ ହୋଇ ରାତ୍ରି ପରେ ରାତ୍ରି ଅଭିନୟ ପ୍ରଦର୍ଶନ ଚାଲିଲା ।

 

ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି ସେତେବେଳେ କମିଶନର ଅଫିସରେ ନାଜର ଥିଲେ ଶ୍ରୀରାମଚନ୍ଦ୍ର ଭବନର ଏହି ଚାଳଛପର ପେଣ୍ଡାଲ କରରେ ଗ୍ରୀନ୍‌ରୁମ୍‌ପାଇଁ ଗୋଟିଏ ଛୋଟ ତମ୍ବୁର ବ୍ୟବସ୍ଥା କରି ଦେଇ ସେ ବଡ଼ ସାହାଯ୍ୟ କରିଛନ୍ତି ।

ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଯୋଗାଣ ବିଭାଗରେ ଥିଲେ । ସୁବିଧାରେ ଚାଉଳ, ଗହମ ଓ ଚିନି ଇତ୍ୟାଦି ଯୋଗାଇଦେବାରେ ସେ ଯଥେଷ୍ଟ ସାହାଯ୍ୟ କଲେ ।

 

ଶ୍ରୀରାମଚନ୍ଦ୍ର ଭବନରୁ ଓଡ଼ିଶା ଥିଏଟର୍ସ ବାଙ୍କାବଜାରର ଶ୍ରୀ ସୁଶୀଲ ପାଲିତଙ୍କ ଖୋଲାଜାଗା ଭଡ଼ା ନେଇ ନିଜର ରଙ୍ଗମଞ୍ଚ ତୋଳାହେଲା । ଏ ମଞ୍ଚ ସିଦ୍ଧେଶ୍ୱରବାବୁ କଣ୍ଟ୍ରାକ୍ଟ ନେଇ ତୋଳାଇଥିଲେ । ଏହି ଚାଳଘରେ ବହୁ ଘାତ-ପ୍ରତିଘାତ ସତ୍ତ୍ୱେ ୧୯୪୯ ପର୍ଯ୍ୟନ୍ତ ଓଡ଼ିଶା ଥିଏଟର୍ସର ଅଭିନୟ ପ୍ରଦର୍ଶିତ ହେଉଥିଲା । ୧୯୪୯ରେ ଦଳ କଟକରୁ ବାହାରକୁ ଯାଇ ବାହୁଡ଼ି ନାହିଁ । ସେକଥା ତ ଆଗରେ କହିଛି ।

 

୧୯୫୦ ସାଲରୁ ଜୀବନର ଗତି ବଦଳିଗଲା ।

 

ଗତି ବଦଳ :

 

୧୯୨୭ରୁ ରାସ ଆରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ ପର୍ଯ୍ୟନ୍ତ । ୧୯୩୯ରେ ଓଡ଼ିଶା ଥିଏଟର୍ସ ଦଳ ଆରମ୍ଭ । ଜୀବନରେ ଝଡ଼ଝଞ୍ଜା ବହୁତ ସହି ସହି ଆସିଲି । ମାନ, ଅପମାନକୁ ପିଠିକରି ନାରୀମାନଙ୍କୁ ନେଇ ଓଡ଼ିଶା ଥିଏଟର୍ସ ଆରମ୍ଭ ହୋଇ ଆଗେଇ ଚାଲିଥିଲା । ସେଇ ଓଡ଼ିଶା ଥିଏଟର୍ସ ଯେତେବେଳେ ୧୯୪୯ରେ ଭାଙ୍ଗି ତୁଟିଗଲା, ମୁଁ ଏକାବେଳେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଲି । ବେଶୀ ଚିନ୍ତା ହେଲା କ’ଣ କରିବି ? ପାହାନ୍ତାରୁ ଉଠି ପ୍ରସ୍ତୁତ ହୁଏଁ । ସକାଳେ ରିହର୍ସାଲ ଦିନ ୧୨ଟା ଯାଏ । ତା’ପରେ ନାଟକ ଲେଖା । ୫ଟା ୬ଟା ବେଳକୁ ପେଣ୍ଡାଲକୁ ଯିବା ପ୍ରସ୍ତୁତି, ମଝିରେ ପୁଣି ଗୀତ, ନାଚ, ଅଭିନୟର ବିଶେଷ ଶିକ୍ଷା । ରାତି ବା’ର ଗୋଟାକ ପରେ ବିଛଣା ଧରିବାର ନିତିଦିନିଆଁ ଅଭ୍ୟାସ । ଦୀର୍ଘ ୧୦।୨୫ ବର୍ଷ ଯାହାର ଥିଲା, ସେ କିପରି କିଛି କାମ ନ ଥାଇ ବସିପାରିବ ? ଚିନ୍ତାରେ ସଢ଼ିଗଲି ମୁଁ । ଏହାରି ଫଳରେ ମୋର ହେଲା High blood pressure (ହାଇ ବ୍ଳଡ଼ପ୍ରେସର) ଅକର୍ମଣ୍ୟ ଜୀବନ କିପରି ବିତାଇବି ବୋଲି ଆଉ ଅନ୍ନ ରୁଚିଲା ନାହିଁ । ଏକ କର୍ମମୟ ଜୀବନ ସତେ ଅବା ଏଇଠାରେ ଶେଷ ହେବା ବେଳ ! ଦିନେ ପଲକହରା, ଲୁହଭରା, ଚିନ୍ତାଘେରା ଆଖି ମନ ଘେନି ଉଦୁଆଁ ରାତି କଟାଉଥିଲାବେଳେ ପାହାନ୍ତା ପହରରେ ଗୋଟିଏ ଅପୂର୍ବ ଘଟଣା ଘଟିଲା ।

 

ସ୍ମୃତି :

 

ସ୍ମୃତି ମୋତେ ପଛଫେରାକରି ନେଲା–ମୋର ବୟସ ସେତେବେଳେ ୧୦।୧୨ ହେବ-। ଆମ ଗାଆଁଠାରୁ ଅଳ୍ପ ବାଟରେ ରଗଡ଼ି ବୋଲି ଗୋଟିଏ ଗାଆଁ ଅଛି । ସେ ଗାଆଁରେ ଗୁଡ଼ିଏ ଯୋଗୀ ଘର । ଥାଳ ଧରି ବା କେହି କେହି କେନ୍ଦେରା ବଜାଇ ଗାଆଁ ଗାଆଁ, ଦୁଆର ବୁଲି ଭିଖମାଗି କୁଟୁମ୍ବ ପୋଷନ୍ତି ଏଇ ଯୋଗୀଏ । ରଘୁଆ ଯୋଗୀ ବା ଆମ ଗାଉଁଲୀ ଡାକରେ ସେ ମୋର ରଘୁଆକକା । ପାଞ୍ଚହତା ମରଦ, ତ୍ରିପଣ୍ଡ କଳା, ଦାଢ଼ିନିଶ ଭରା ପୂରାମୁହଁ । ବାହୁରେ ତମ୍ବା କଙ୍କଣ । ଡେଉଁରିଆ ମାଳି ସାଙ୍ଗକୁ ପୋହଳା ଗୁନ୍ଥା ହୋଇଥିବା ତାଗ । ବେକରେ ଓହଳା ହୋଇଥାଏ ଲାଉତୁମ୍ବା, ହାତରେ କେନ୍ଦରା । ଦୁଆର ଦୁଆର ବୁଲି ଭିଖମାଗେ ରଘୁଆକକା । ଗଳାଟି ମୋଟା ହେଲେ କ’ଣ ହେବ, ମିଠା ଲାଗେ ।

 

ନିଦହରା ରାତି ପାହାନ୍ତିଆବେଳକୁ ଆଖି ଟିକିଏ ମୁଦି ମୁଦି ହୋଇ ଆସିଛି, ଏତିକିବେଳେ ସେଇ ରଘୁଆକକାର ଛାଇ ଦିଶିଲା ଆମ ଦାଣ୍ଡ ପହଣ୍ଡର ଦେହୁଡ଼ି ଦୁଆରେ । କାନ ବି ଶୁଣିଲା ତା’ର କଣ୍ଠସ୍ୱର ।

 

କେନ୍ଦରା ବଜାଇ ରଘୁଆକକା ଗାଉଛି–

 

‘‘ଗବ ଗଛ ତିନି କେନା

ଶରଣ ରକ୍ଷଣ ବାନା

ତାକୁ ଭିଆଇଛ ଯିଏ

ୟାକୁ ତ କରିଛି ସିଏ

ମନ ସୁଖେ ଦାନ ପକାଲୋ ସୁନ୍ଦରୀ

ଧନୁ ଧରିବଟି ସିଏ ।’’

 

ମନେ ପଡ଼ିଗଲା ସେ ଦରପାସୋରା ଦିନର କଥା । ଘରୁ ବହାରିଯାଇ ରଘୁଆକକାକୁ ଦାଣ୍ଡ ଚଉପାଢ଼ୀରେ ବସାଇ ବୋଉକୁ କହି ତା’ ପାଇଁ ପଖାଳ କଂସାଏ ଆଣି ଦେଲି । ଭାରି ସନ୍ତୋଷରେ ମୁହଁ ହାତ ଧୋଇ ଖାଇବସିଲା ସେ ।

 

ଏତିକିବେଳେ ତାକୁ କି ଗୀତ ଗାଉଥିଲା ବୋଲି ପଚାରିଲା । ରଘୁଆକକା ମୋତେ ବୁଝାଇ କରି କହିଲା–‘‘ଟିକି ସାଆନ୍ତେ, ବଡ଼ ହେଲେ ଏକଥା ବୁଝିବ, ଶୁଣ ମୁଁ କହୁଛି–

 

ପୂର୍ବକାଳରେ ଏଇ ରାଇଜରେ ଜଣେ ରାଜା ଥିଲେ । ତାଙ୍କର ପୁଅ ନାହିଁ–କେବଳ ଝିଅଟିଏ । ଦିନକୁ ଦିନ ଝିଅ ବଡ଼ ହେଲା, ପାଠ ପଢ଼ିଲା ଅମର ଯୁମର ଘୋଷି, ପୁରାଣ ଶାସ୍ତ୍ର ପଢ଼ି, ବଡ଼ ହେଲା । ତା’ ପାଇଁ ବର ଖୋଜା ପଡ଼ିଲା । ମନ-ମାଫିକେ ବର ମିଳିଲେ ନାହିଁ । ଶେଷକୁ ରଜା ପାଟହାତୀ ଶୁଣ୍ଢରେ ସୁନା କଳସ ଧରାଇ ବୁଲାଇଲେ । ହାତୀ ଯାହା ମୁଣ୍ଡରେ ସୁନାକଳସ ଢାଳିବ ସେଇ ହେବ ଜେମାର ବର । ବୁଲି ବୁଲି ହାତୀ ଜଣେ ଲୋକ ମୁଣ୍ଡରେ କଳସ ଢାଳିଲା । ଦେଖିଲା ବେଳକୁ ସେ ଗୋଟିଏ ତନ୍ତୀ, ଲୁଗା ବୁଣେ । ତା’ର ପଶାଖେଳ ଭାରି ସରାଗ । ଉପାୟ କ’ଣ ? ରାଜା ଜେମାକୁ ତାକୁ ବାହା ଦେଲେ । କିଛି କାଳ ଅନ୍ତେ ରଜାଙ୍କର କାଳ ହେଲା । ତନ୍ତୀ ହେଲା ରାଇଜର ରାଜା ।

 

ପାତ୍ର, ମନ୍ତ୍ରୀ ଯେତେବେଳେ ରାଜାଙ୍କୁ ଭେଟି ରାଇଜ ଲୋକଙ୍କ ଭଲମନ୍ଦ, ଦୁଃଖସୁଖ, ହାରି ଗୁହାରି ଜଣାନ୍ତି, ରଜା ସବୁ ଶୁଣି ଖାଲି କହନ୍ତି–‘ହଉ’ । ରାଜାଙ୍କ କଥା ଉପରେ ଆଉ କଥା କହିବାର ବଳ କାହାର ? ତୁନି ହୋଇ ଫେରନ୍ତି ।

 

ତନ୍ତୀ ରଜାର ତ ପଶାଖେଳରେ ଭାରି ସଉକି । ଦିନେ ରାଣୀଙ୍କ ସାଥିରେ ପଶା ଖେଳୁଥିବା ବେଳେ ସନାପତି ତରବର ହୋଇ ଆସି ଜଣାଇଲେ ଯେ ପଡ଼ୋଶୀ ରାଇଜର ରାଜା ବହୁତ ସୈନ୍ୟ ଘେନି ଆସି ରାଜ୍ୟ ଚଢ଼ାଉ କରି ବସିଲେଣି । ତାଙ୍କ ସୈନ୍ୟ ମାଡ଼ି ଆସୁଛନ୍ତି । ଆମ ରାଜ୍ୟ ଅଧିକାର କରିନେବେ ।

 

ରାଜା ସବୁ ଶୁଣି ପୂର୍ବ ଅଭ୍ୟାସମତେ କହିଲେ–‘ହଉ’ । ରାଣୀ ବିରକ୍ତ ହେଲେ ରଜାଙ୍କ ଉପରେ । ତହୁଁ ରାଜା କହିଲେ–ଗବଗଛ ତିନିକେନା ... ଇତ୍ୟାଦି ।

 

ଏତିକିବେଳକୁ କୁଆଡ଼େ ଥିଲା, ମେଘ ଘୋଟାଇ ପ୍ରବଳ ପବନ ବର୍ଷା, ବିଜୁଳି, ଘଡ଼ଘଡ଼ି ଚଉଦିଗ ଛାଇ ଦେଲା ।

 

ତିନ୍ତିବୁଡ଼ି କଟୁଆଳ ଧାଇଁ ଧାଇଁ ଆସି ରଜାଙ୍କ ଛାମୁରେ ଜଣାଗଲା–ମଣିମା, ଆର ରାଇଜର ରଜା ଯୁଦ୍ଧ କରିବାକୁ ଛାଉଣୀ ମାରିଥିଲେ । ଅଚାନକ ବିଜୁଳି ମାରି ବଜ୍ର ପଡ଼ିଲା, ଛାଉଣୀ ଜଳିଗଲା । ରାଜା ମରିଗଲେ ।

 

ତନ୍ତୀରାଜାଙ୍କ ମୁହଁରେ ସୁଖ କି ଦୁଃଖର ଚିହ୍ନ ନାହିଁ–ସେ ପୂର୍ବଭଳି କହିଲେ–ହଉ ।

 

ପାଠ୍ୟ–ପୁସ୍ତକ :

 

ରାତି ଫସର ଫାଟିଲା । କାଉ ଡାକରେ ଉଠିପଡ଼ି ମନେମନେ ବିଚାରିଲି ହଉ ‘‘ଧନୁ ଧରିବେଟି ସିଏ’’ ।

 

ସକାଳ ପାଇଟି ସାରି ଉପର ଘର ଚାଳିଆ ତଳେ ବସିଛି, ହଠାତ୍‌ ତେତେବେଳେ ବାଲୁବଜାରରେ ଥିବା ଛାତ୍ରବନ୍ଧୁ ପୁସ୍ତକାଳୟର ଶ୍ରୀ କାଶୀନାଥ ମିଶ୍ରେ ଓ ତାଙ୍କ ସାଙ୍ଗରେ ଆଉଜଣେ ଆସି ପହୁଞ୍ଚିଲେ । କାଶୀବାବୁ ମୋତେ ତଳ ଶ୍ରେଣୀର ପିଲାଙ୍କ ପାଇଁ କିଛି ବହି ଲେଖିଦେବାକୁ ପ୍ରସ୍ତାବ ଦେଲେ । ସାହସ ହେଲା ନାହିଁ ମୋର । ତଥାପି ତାଙ୍କ ମୁହଁ ରଖି–ହଉ ଦେଖିବି, ଚେଷ୍ଟା କରିବି ବୋଲି କହିଲି । ସେ ଖୁସି ହୋଇ ଖଣ୍ଡି କେତେ ପାଠ୍ୟ-ପୁସ୍ତକ ପକେଟରୁ କାଢ଼ି ମୋତେ ବଢ଼ାଇ ଦେଲେ । କିଛି ସମୟ ପରେ ମୋ ଉପରେ ଭାର ଦେଇ ଚାଲିଗଲେ ସେ ଦୁହେଁ ।

 

୧୯୫୦ରୁ ବାହୁଡ଼ିଗଲି ୧୯୧୭ । ମୋର ଶିଶୁ କବିତା ‘କଳାହାଣ୍ଡିଆ ମେଘ’ ଏଇ ସମୟର ଲେଖା । ଏହା ପରେ ପରେ ଆଉ କେତେଖଣ୍ଡି ଶିଶୁ କବିତା ପୁସ୍ତକ ମଧ୍ୟ ଲେଖିଥିଲି । ଏବେ ନାଟ୍ୟକାର ବୋଲି ମୋର ପରିଚୟ । ଏଇଠାରୁ ମୋତେ ପୁଣି ବତିଶ, ତେତିଶ ବର୍ଷ ପଛକୁ ବାହୁଡ଼ି ଯିବାକୁ ପଡ଼ିବ । ନାନା କଥା ଭାବିଲି । ସ୍ଥିର କଲି–ତାକୁ ଭିଆଇଛି ଯିଏ–ୟାକୁ ତ କରିଛି ସିଏ । ହଉ ।

 

ପ୍ରଥମେ ଆରମ୍ଭ କରି ବସିଲି ‘ପହିଲି ପାଠ’, ‘ଆମ ପାଠ’, ଇତ୍ୟାଦି ଶିଶୁ ଶ୍ରେଣୀର ପାଠ୍ୟପୁସ୍ତକ । ଏଗୁଡ଼ିକ ଶିକ୍ଷା ବିଭାଗର ମଞ୍ଜୁରୀ ପାଇଲା । ସାହସ, କ୍ରମେ ବଢ଼ିଗଲା ମୋର । ଅପର ପ୍ରାଇମେରୀ ଶ୍ରେଣୀପାଇଁ ‘ସରସ ସାହିତ୍ୟ’ ଇତ୍ୟାଦି ଲେଖିଲି । ବହିଗୁଡ଼ିକ ପାଠ୍ୟପୁସ୍ତକ ରୂପେ ଅନୁମୋଦିତ ହେଲା ।

 

ଏତିକିବେଳେ ମୋର ପୁରୁଣା ବନ୍ଧୁ ଶ୍ରୀ ଗୋକୁଳ ଚନ୍ଦ୍ର କର ପୁଲିସ ବିଭାଗ କର୍ମରୁ ଅବସର ନେଇ ‘ଇଉନାଇଟେଡ଼୍‌ ବୁକ୍‌ ହାଉସ’ ନାମରେ ବହି ଦୋକାନଟିଏ ଖୋଲିଲେ । ମୋ ସାକ୍ଷୀଗୋପାଳ ନାଟ୍ୟସଂଘ ଅନୁଗୋଳ ଯାଇ, ସେ ଘରେ ଅଭିନୟ ପ୍ରଦର୍ଶନ କଲାବେଳେ ତାଙ୍କ ସହିତ ମୋର ପରିଚୟ । ସେ ଜଣେ ସରସ ଲୋକ । ବଡ଼ ନାଟକ ପ୍ରିୟ । ନିଜେ ଜଣେ ଦକ୍ଷ ଅଭିନେତା ଓ ବନ୍ଧୁ ସ୍ନେହୀ ।

 

ଦିନେ ଆସି ଗୋକୁଳିବାବୁ ମୋତେ ଧରିଲେ ଖଣ୍ଡିଏ ଶିଶୁ ଶ୍ରେଣୀର ବହି ଲେଖି ଦେବାକୁ । ‘ପିଲାଙ୍କ ପାଠ’ ବୋଲି ବହିଟିଏ ଲେଖି ତାଙ୍କୁ ଦେଲି । ଏ ବହିଟି ମଧ୍ୟ ଶିକ୍ଷା ବିଭାଗରୁ ସ୍ୱୀକୃତି ପାଇଲା । ମୁଁ ଜାଣେ, ଏ ବହିଟି ଗୋକୁଳିବାବୁଙ୍କ ବହି ଦୋକାନର ସରକାରୀ ଅନୁମୋଦିତ ପହିଲି ପାଠ-ପୁସ୍ତକ ।

 

ଛାତ୍ରବନ୍ଧୁ ଲାଗି ‘ଚନ୍ଦ୍ରିକା’ ନାମକ ଖଣ୍ଡିଏ କବିତା ପୁସ୍ତକ ଉପର ଶ୍ରେଣୀ ପାଇଁ ଲେଖିଲି-। ଏ ଖଣ୍ଡିକ ମଧ୍ୟ ଶିକ୍ଷା ବିଭାଗ, ଅନୁମୋଦନ ପାଇଲା ।

 

କ୍ରମେ ଉତ୍କଳ ବୁକ୍‌ ଏଜେନ୍‍ସ ଓ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ପ୍ରଭୃତି ମୋର ଶିଶୁ ସାହିତ୍ୟମାନ ପ୍ରକାଶ କଲେ ।

 

କିଛି ବର୍ଷ ପରେ ଛାତ୍ରବନ୍ଧୁ ଭାଙ୍ଗିଗଲା । ମୋର ମଧ୍ୟ କିଛି ପାଉଣା କାଶୀ ମିଶ୍ରେ ବୁଡ଼େଇଲେ ।

 

ଏଇ ସମୟ ମଧ୍ୟରେ ମୁଁ ନାଟକ ଲେଖା ଏକାବେଳେ ବନ୍ଦକରି ନ ଥିଲି । ‘କମଳା’ ଓ ‘ପଥର ଘର’ ପ୍ରଭୃତି ଏ ବେଳର ନାଟକ ।

 

ସୁରଲେଖା ରେକର୍ଡ଼ିଂ କମ୍ପାନୀ :

 

୧୯୫୧ ମୋ ମନରେ ଗୋଟିଏ ରେକର୍ଡ଼ କମ୍ପାନୀ ଆରମ୍ଭ କରିବାର କଳ୍ପନା ଆସିଲା-। ଓଡ଼ିଶାରେ ଏହା ଏକ ନୂତନ ପ୍ରଚେଷ୍ଟା ।

 

ମୁଁ ଏଥିପାଇଁ ସୁବିଧାରେ ଖଣ୍ଡିଏ ଜମି ଖୋଜି, ଖପୁରିଆରେ ଠିକଣା କଲି । ଭିଖାରୀ ପଶାୟତଙ୍କଠାରୁ ଆଗର ଜଗନ୍ନାଥ ସଡ଼କ କଡ଼ରେ ଖଣ୍ଡିଏ ଜମି କିଣିଲି ୧୯୫୧ ମେ ମାସରେ । ମୋର ତ ଏଥିପୂର୍ବରୁ ହିନ୍ଦୁସ୍ଥାନ ରେକର୍ଡ଼ିଂ କମ୍ପାନୀ (କଲିକତା)ଙ୍କ ସହିତ ଜଣାଶୁଣା ଥିଲା । ସେମାନଙ୍କଠାରୁ ଷ୍ଟୁଡ଼ିଓ ଘର ତୋଳାଇବାର ପରାମର୍ଶ ନେଲି । ଇଣ୍ଡଷ୍ଟ୍ରୀ ଡିପାର୍ଟମେଣ୍ଟକୁ ଦରଖାସ୍ତ କରି ଋଣ ଗ୍ରହଣ କଲି । ଘର ତୋଳା ହେଲା ଓ ତା’ ସଙ୍ଗେ ସଙ୍ଗେ ରେକର୍ଡ଼ିଂର ଉପଯୁକ୍ତ ହେବା ଭଳି ଗୋଟାଏ ବଡ଼ ଟେପ୍‌ରେକର୍ଡ଼ର କିଣା ହେଲା ।

 

ଏସବୁ ଯୋଗାଡ଼ ହେବା ପରେ ଇଲେକ୍‌ଟ୍ରିକ୍‌ ସଂଯୋଗ ପାଇଁ ଆବେଦନ କଲି । ଦୁର୍ଭାଗ୍ୟକୁ ବିଜୁଳି ବିଭାଗ କହିଲା–ଖପୁରିଆର ସେ ପଟକୁ ଇଲେକ୍‌ଟ୍ରିକ୍‌ ଦିଆହୋଇ ପାରିବ ନାହିଁ-। ସବୁ ଆୟୋଜନ, ସବୁ ଆନନ୍ଦ, ସବୁ ସରାଗ ଭାଙ୍ଗି ଚୂରମାର ହୋଇଗଲା ମୋର । ନାନାମତେ ଚେଷ୍ଟା କରି ନିରାଶ ହୋଇ, ହିନ୍ଦୁସ୍ଥାନ ରେକର୍ଡ଼ିଂ କମ୍ପାନୀକୁ ଏକମାତ୍ର ଭରସା ଭାଳି କଲିକତା ଗଲି-। ହିନ୍ଦୁସ୍ଥାନ ରେକର୍ଡ଼ିଂ କମ୍ପାନୀର ସେ ବେଳର ଭାରପ୍ରାପ୍ତ ପରିଚାଳକ ଯାମିନୀବାବୁ ମୋଠାରୁ ସବୁକଥା ଶୁଣି ମୋତେ ତାଙ୍କ ଅନୁଷ୍ଠାନରେ ସ୍ୱତନ୍ତ୍ର ଭାବରେ ରେକର୍ଡ଼ିଂ ପାଇଁ ସୁବିଧା କରି ଦେବାକୁ ଭରସା ଦେଲେ । ମୋ ରେକର୍ଡ଼ିଂ ଅନୁଷ୍ଠାନର ନାମ ରଖିଲି ‘ସୁରଲେଖା’ ରେକର୍ଡ଼ିଂ-। ସୁରଲେଖା କମ୍ପାନୀର ପ୍ରସ୍ତୁତ ରେକର୍ଡ଼ ଏବଂ ରେକର୍ଡ଼ର ଉପର ଲେବଲ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରଚଳିତ ହେବାର ପ୍ରସ୍ତାବ ହେଲା । ଲେବଲର ବ୍ଳକ ଓ ଛାପା ଭାର ଯାମିନୀବାବୁ ନେଲେ ଏବଂ ଏହାର ହିସାବପତ୍ର ସ୍ୱତନ୍ତ୍ର ଭାବେ ରହିବାର ବ୍ୟବସ୍ଥା କରିଦେଲେ । ହିନ୍ଦୁସ୍ଥାନ କମ୍ପାନୀ ଷ୍ଟୁଡ଼ିଓରେ ରେକର୍ଡ଼ ଗ୍ରହଣ କରିବାର ବ୍ୟବସ୍ଥା ହେଲା ।

 

ବହୁ ଚେଷ୍ଟାରେ ୧୯୫୪ ସାଲ ମାର୍ଚ୍ଚ ମାସ ୯ ତାରିଖରେ ହିନ୍ଦୁସ୍ଥାନ କମ୍ପାନୀ ସହିତ ଏବାବତ ଚୁକ୍ତିପତ୍ର ସମ୍ପାଦିତ ହେଲା ।

 

ହିନ୍ଦୁସ୍ଥାନ କମ୍ପାନୀରେ ଓଡ଼ିଶା ଲୋକ ସମ୍ପର୍କ, ପ୍ରୌଢ଼ଶିକ୍ଷା ଓ ସମବାୟ ବିଭାଗର କେତେକ ରେକର୍ଡ଼ ଏବଂ ହିନ୍ଦୁସ୍ଥାନ ରେକର୍ଡ଼ ପାଇଁ କେତେକ ଗୀତ ମୁଁ କରାଇଥିଲି । ତେଣୁ ପ୍ରୋକ୍ତ କମ୍ପାନୀ ସହିତ ସୁସମ୍ପର୍କ ଥିଲା, ବହୁଦିନରୁ ।

 

ସୁରଲେଖାର ପ୍ରଥମ ଦୁଇଖଣ୍ଡି ରେକର୍ଡ଼ କଲା, ସୁମତୀ ତା ୩।୫।୫୪ରିଖରେ । ସେ ଗୀତ ଚାରିଟି ହେଲା–

 

୧. ମେଘକୁ ସୁନ୍ଦର ଜହ୍ନ

 

୨. କଳା କାଇଞ୍ଚ ମାଳି

 

୩. ମାନ ରଖ ଗିରିଧାରୀ

 

୪. ଜଗବନ୍ଧୁ ହେ, ପ୍ରଭୁ ଯଦୁନନ୍ଦନ ।

 

ଏହା ପରେ ବିଭିନ୍ନ ସମୟରେ ସୁରଲେଖା କମ୍ପାନୀର କେତୋଟି ଗୀତିରୂପକ, ଛୋଟନାଟିକା, ଶ୍ରୀ ବାଳକୃଷ୍ଣ ଦାଶ, ଶ୍ରୀମତୀ ପ୍ରଭାବତୀ ଦେବୀ ପ୍ରଭୃତି କେତେକ ଶିଳ୍ପୀ କଣ୍ଠର ଗୀତ ଏବଂ ଅଙ୍ଗୁରବାଳା ରାୟଙ୍କ କଣ୍ଠରୁ ଭଜନ, ଓଡ଼ିଶୀ ଓ ଲଘୁ ସଙ୍ଗୀତ ରେକର୍ଡ଼ିଂ କରାଗଲା ୧୯୫୯।୬୦ ମଧ୍ୟରେ ।

 

ପୁଣି ରଙ୍ଗମଞ୍ଚ କଳ୍ପନା :

 

ସବୁକାମ ଭିତରେ ପୁଣିଥରେ କିପରି ଓଡ଼ିଶା ଥିଏଟର୍ସ ଚାଲୁ ହୋଇପାରିବ, ସେ ଚିନ୍ତା ମୋ ମନରେ ଜାଗ୍ରତ ଥାଏ । ନୂଆ କରି ଗୋଟିଏ ମଞ୍ଚ ତୋଳିବା ପାଇଁ ମୁଁ କଳ୍ପନା କରୁଥାଏଁ–ବାଙ୍କାବଜାରର ପେଣ୍ଡାଲ ଭାଙ୍ଗିଯିବା ପରେ ପରେ ୧୯୫୦ରୁ ।

 

ବର୍ତ୍ତମାନ ଥିବା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଆଗରେ ଗୋଟିଏ ଖୋଲା ଜାଗା ଦେଖି, ଜମିର ମାଲିକ ପ୍ରେମଚାନ୍ଦ ଦାସ ନାମକ ଜଣେ ଖ୍ରୀଷ୍ଟିୟାନ ଭଦ୍ରଲୋକଙ୍କ ସହିତ କଥା ହୋଇ ତାଙ୍କଠାରୁ ଜମି କିଣିଲି । ସେ ଜମିକୁ ଯିବା ପାଇଁ ରାସ୍ତା ଉପରୁ ପ୍ରାୟ ତିନିହାତ ଓସାରର ଗୋଟିଏ ଛୋଟ ବାଟ ଥାଏ । ଶ୍ରୀଯୁକ୍ତ ନୀଳମଣି ସେନାପତି I. A. S. ସେତେବେଳେ ଥାଆନ୍ତି କମିଶନର । ତାଙ୍କୁ ସାକ୍ଷାତ୍‌ କରି ମୋ ଦୁଃଖ ଜଣାଇଲି । ସେ ସେହି ଛୋଟ ବାଟଟିର ପଡ଼ିଶାରେ ଥିବା ଜଣେ ମୁସଲମାନଙ୍କ ଏକ ବଖରିଆ ଛୋଟ ଅତି ପୁରୁଣା କୋଠାଟିକୁ ଆକୁଇଜିସନ୍‌ରେ ମୋତେ ଦେବାର ବ୍ୟବସ୍ଥା ଏବଂ ମଞ୍ଚ ତିଆରି ଲାଗି କିଛି କାଠ ବାଉଁଶ ମିଳିବାର ମଧ୍ୟ ସୁବିଧା କରିଦେଲେ । ଏତିକିବେଳେ ଶ୍ରୀ ପ୍ରେମରାଜ ତାଙ୍କ ପାଖ ପଡ଼ୋଶୀ କେତେକ ଲୋକଙ୍କୁ ଭେଳାଇ ସେଠାରେ ଥିଏଟର ମଞ୍ଚ କରାଇଦେବା ବିରୋଧରେ ଆପତ୍ତି ଦରଖାସ୍ତ ଦେଲେ । ଘର ନିକଟରେ ରଙ୍ଗମଞ୍ଚଟିଏ ତୋଳା ହେଲେ ଚୋରି ଡକାୟତି ଓ ନାନା ପ୍ରକାର ଗୋଳମାଳ ହେବ ବୋଲି କାରଣ ଦର୍ଶାଇଲେ ।

 

ପ୍ରାୟ ୧୯୫୪ ସାଲ ଆରମ୍ଭ ପର୍ଯ୍ୟନ୍ତ ଆକୁଇଜିସନ କେଶ୍‌ ଚାଲିଲା । ଶେଷକୁ ଶ୍ରୀ ସାଦତ୍ତ ଅଲି ନାମକ ଜଣେ ହାକିମ ମୋ ସପକ୍ଷରେ କେଶ୍‌ ଡିଗ୍ରୀ ଦେଲେ । ମୁଁ ଏଥର ଅର୍ଥ ବ୍ୟବସ୍ଥା କରିବାରେ ଲାଗି ପଡ଼ିଲି । ସେନାପତି ସାହେବ ସଦୟ ହୃଦୟରେ ସାହାଯ୍ୟ ଦେବା ଲାଗି ବ୍ୟବସ୍ଥା କରିଥିବା କିଛି କାଠ ଓ ବାଉଁଶ ମଧ୍ୟ ଏହି ସମୟରେ ମିଳିଯିବାର ବ୍ୟବସ୍ଥା ହେଲା । ପ୍ରେମରାଜ ପ୍ରଭୃତିଙ୍କ ଆପତ୍ତି ଦରଖାସ୍ତ ନାମଞ୍ଜୁର ହେଲା । ମଞ୍ଚତୋଳା ହେବାପାଇଁ ନକ୍ସା ପ୍ରଭୃତି ସରିଲା । ଧୀରେ ଧୀରେ ମଞ୍ଚତୋଳା ଆରମ୍ଭ ହେବାକୁ ଯତ୍ନବାନ୍‌ ହେଲି ।

 

କିନ୍ତୁ–

 

‘‘ମଣିଷ ବିଚାରେ ଆନ

ଦଇବ ବିଚାରେ ଆନ ।’’

 

ମଞ୍ଚ ତୋଳିବାର କଳ୍ପନା ଚିରଦିନ ପାଇଁ କଳ୍ପନାରେ ରହିଗଲା । ମୋଟର ଦୁର୍ଘଟଣା ମଞ୍ଚତୋଳା ଆଶା ଧୂଳିସାତ୍‌ କରିଦେଲା । ଦୈବୀ ଦଣ୍ଡକୁ ବଳ କାହାର ?

 

ଦୈବୀ–ଦଣ୍ଡ :

 

ପୁଣି ନୂଆକରି ରଙ୍ଗମଞ୍ଚ ତୋଳାଇବାର ଯୋଗାଡ଼ରେ ଲାଗିଥାଏଁ ।

 

ଶେଖ୍‌ବଜାରର ଜଣେ ବିଶିଷ୍ଟ ସରକାରୀ କର୍ମଚାରୀ ଶ୍ରୀଯୁକ୍ତ ମାଧବ ନନ୍ଦଙ୍କ ସହିତ ମୋର ଆଳାପ ପରିଚୟ ଥିଲା । ତାଙ୍କ ଝିଅ କୁମାରୀ ମୀନାକ୍ଷୀର ବୟସ ପ୍ରାୟ ନଅ ଦଶ ବର୍ଷ ହୋଇଥାଏ ।

 

ମୀନାକ୍ଷୀ ଭଲ ପଢ଼ୁଥାଏ । ତା’ ସଙ୍ଗେ ସଙ୍ଗେ ତା’ର ନାଚ ଗୀତ ପ୍ରତି ବଡ଼ ଆଗ୍ରହ । ମାଧବବାବୁ ତା’ର ଓଡ଼ିଶୀ ଶିକ୍ଷାରେ ମୋତେ ଟିକିଏ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ମୁଁ ତେଣୁ ମଝିମଝିରେ ତାଙ୍କ ଘରକୁ ଯା’ଆସ କରେ ।

 

ଥରେ ଭୁବନେଶ୍ୱରର ଆଦିବାସୀ ପଡ଼ିଆରେ ଗୋଟିଏ ସମ୍ମିଳନୀ ହେଉଥିଲା । ମୁଁ ନିମନ୍ତ୍ରିତ ଥିଲି । ତା ୨୫।୫।୫୪ରିଖ ଗୁରୁବାର ଦିନ ଉପର ଓଳି ପ୍ରାୟ ଘ ୪।୩୦ ମି. ସମୟରେ ମାଧବବାବୁ, ତାଙ୍କ ପୁଅ, ମୀନାକ୍ଷୀ ଓ ମୁଁ ଗୋଟିଏ ଜୀପ୍‌ଗାଡ଼ିରେ ଭୁବନେଶ୍ୱର ବାହାରିଲୁଁ । ସୁମତୀ ସେତେବେଳେ ମୋ ବସାରେ ତା’ ପୁଅ ସହିତ ଥାଏ । କାହିଁକି କେଜାଣି ସେ ମୋତେ ଯିବାପାଇଁ ବାରଣ କଲା । ସେ କହିଲା–ଗୁରୁବାରଟାରେ ଉପରଓଳି ଯିବାଟା ଭଲ ନୁହେଁ । ମୁଁ ତା’ କଥାଟାକୁ ‘ଏଗୁରା ମାଇପୀ କଥା’ ବୋଲି କହି ହସିଦେଇ ମାଧବବାବୁ ଆଣି ଆସିଥିବା ଜୀପ୍‌ରେ ବସି ଭୁବନେଶ୍ୱର ବାହାରିଲି । ଭୁବନେଶ୍ୱର ଡାକ୍ତରଖାନାର ଅଳ୍ପ ବାଟରେ ଗୋଟିଏ ଚଉମୁହାଣୀ ଛକ ଉପରେ ବାଆଁପଟରୁ ସେତେବେଳର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଗୋଟିଏ କାର୍‌ ଆସି ଜୀପ୍‌ଗାଡ଼ିକୁ ଧକ୍‌କା ଦେଲା । ମୁଁ ଡ୍ରାଇଭରଙ୍କ ପାଖରେ ଡାହାଣପଟକୁ ବସିଥିଲି । ଧକ୍‌କାପାଇ ପ୍ରାୟ ୨୦।୨୨ ଫୁଟ ଦୂରରେ ଜଣେ ଭଦ୍ରଲୋକଙ୍କ ଘରର ବାହାରପଟ ଖୋଲା ଜାଗାରେ ପଡ଼ିଲି ।

 

ଏ ପଡ଼ିଯିବାରେ ମଧ୍ୟ ବିଶେଷତ୍ୱ ଅଛି । ଭଦ୍ରଲୋକଙ୍କ ହତାଟି ଲୁହା ତା’ର କଣ୍ଟାରେ ବାଡ଼ ବନ୍ଦୀ ହୋଇଥିଲା । ମୁଁ ପ୍ରାୟ ସାଢ଼େ ତିନିହାତ କଣ୍ଟାବାଡ଼ ଟପିଯାଇ ଭଦ୍ରଲୋକଙ୍କ ବାହାର କାନ୍ଥି ତଳେ ପଡ଼ିଥିବା ଏକ ବଡ଼ ଲୁହା କଡ଼ିକୁ ପ୍ରାୟ ୪ ଫୁଟ ଛଡ଼ାରେ ପଡ଼ି ଅଚେତ ହୋଇଗଲି ।

 

ତା’ପରେ କ’ଣ ହେଲା ଆଉ ଜାଣିବା ଉପାୟ ନାହିଁ । ରାତିରେ ଚେତାପାଇ ଆଖି ମେଲାଇ ଦେଖିଲି ଯେ ମୁଁ ଗୋଟିଏ କୋଠରିରେ ଶୋଇଛି । ଆଲୁଅ ଜଳୁଛି । ପାଖରେ ଦୁଇ ତିନିଜଣ କିଏ ମୋର ମୁଣ୍ଡ, ହାତ, ଗୋଡ଼ ଦେଖାଚାହାଁ କରି ମୋତେ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଲେ । କିଛି ବୁଝିପାରିଲି ନାହିଁ । କପେ ଗରମ ଗରମ (ଗ୍ଲୁକୋଜ ବୋଧହୁଏ)ପିଆଇ ଦେଲେ ଜଣେ ଭଦ୍ରଲୋକ । ମନେ ମନେ ବାରିଲି ଏଇଟା ଡାକ୍ତରଖାନା । କିପରି, କେତେବେଳେ ବା କାହିଁକି ଏଠାକୁ ମୁଁ ଆସି ବିଛଣାରେ ପଡ଼ିଛି, କିଛି ଜାଣିପାରିଲି ନାହିଁ । ତା'ପରେ ଗୋଟିଏ ଇଞ୍ଜେକ୍‌ସନ ଫୋଡ଼ିଦେଲେ । ନିଶା ଖାଇଲା ପରି ଆଖି ପୁଣି ମୁଦି ମୁଦି ହୋଇ ଆସିଲା । ତେଣିକି ଆଉ କିଛି ଜାଣି ନାହିଁ ।

 

କନିକା କଟେଜ :

 

ବହୁତ କା’ କା’ ରଡ଼ି । ନିଦ ଭାଙ୍ଗିଗଲା । ବୋଧହୁଏ ସକାଳ ଆଠଟା କି ନଅଟା, ଚାରିଆଡ଼ ବେଶ୍ ଆଲୁଅ । ଖରା ପଡ଼ିଛି ।

 

କେଉଁଠି ମୁଁ ଶୋଇଛି ? ଘରର ଚାରିକାନ୍ଥ ଗାଢ଼ ଶାଗୁଆ ରଙ୍ଗ, ମୁଣ୍ଡକଡ଼ରେ ଠିଆ ହୋଇଛନ୍ତି ଚକ୍ରଧରବାବୁ (ମୋର ବାଲ୍ୟବନ୍ଧୁ ଢେଙ୍କାନାଳର ଶ୍ରୀ ଚକ୍ରଧର ମିଶ୍ରେ) କାନ୍ଧ ମୂଳରୁ ବାଆଁ ହାତ, ଆଉ ବାଆଁ ଗୋଡ଼ ଆଣ୍ଠୁରୁ ତଳିପା ଯାଏ ପ୍ଳାଷ୍ଟର କରା ହୋଇଛି । କପାଳରେ ପଟି ଭିଡ଼ା ଯାଇଛି । କିଛି ବୁଝିପାରିଲି ନାହିଁ । ଚକ୍ରଧରବାବୁ ମୁହଁ ଶୁଖାଇ ପଚାରିଲେ–“କେମିତି ଲାଗୁଛି ଦେହ’’ ?

 

ମୁଁ କହିଲି ଦେହମୁଣ୍ଡ ବିନ୍ଧୁଛି । ମୁଁ ଏଠି କୋଉଠି ? ପାଖରେ ଥିଲେ, ଡାକ୍ତର ରାଧାନାଥ ରଥେ । ମୋତେ ତୁନି ହେବାକୁ ନିର୍ଦ୍ଦେଶ ଦେଲେ । ଚୁପ୍ ହେଲି ।

 

ଏତିକିବେଳେ ଶ୍ରୀ ନଟବର ମହାନ୍ତି (ନଟବାବୁ, ଆର୍, ଏମ୍. ଏସ୍.ର କର୍ମଚାରୀ) ସେଠି ପହୁଞ୍ଚିଲେ । ତାଙ୍କ ଆଖି ଦୁଇଟି ଲୁହ ଛଳ ଛଳ ।

 

ରାଧାନାଥବାବୁ ଗୋଟିଏ ଇଞ୍ଜେକ୍‌ସନ୍ ଫୋଡ଼ିଲେ । ନିଦ ହୋଇଗଲା । ନିଦ ଭାଙ୍ଗିଲାବେଳକୁ ପ୍ରାୟ ସଞ୍ଜ । ନଟବରବାବୁ ମୁଣ୍ଡପଟେ ଗୋଟିଏ ଟୁଲ୍‌ରେ ବସି ରହିଛନ୍ତି । ସେ ମୋତେ କହିଲେ ଯେ, ମୁଁ କନିକା କଟେଜ୍‌ରେ ଅଛି । କାଲି ରାତିରେ ଭୁବନେଶ୍ଵର ଡାକ୍ତରଖାନାରୁ ମୋତେ ଓ ମାଧବବାବୁଙ୍କୁ ଆମ୍ବୁଲାନସରେ ଅଣା ହୋଇଛି କଟକ ହାସପାତାଳକୁ । ମାଧବବାବୁ ପାଖ କୋଠରିରେ ଅଛନ୍ତି । ତାଙ୍କ ଅଣ୍ଟା ପ୍ଲାଷ୍ଟର ହୋଇଛି । ଭୁବନେଶ୍ଵର ଜୀପ୍‌ରୁ ପଡ଼ିଯିବା ହେତୁରୁ ସେଠା ଡାକ୍ତରଖାନାର ପ୍ରାଥମିକ ଚିକିତ୍ସା ପରେ କଟକ ହସ୍‍ପିଟାଲକୁ ଅଣା ହୋଇଛି ଆମମାନଙ୍କୁ ।

 

କନିକା କଟେଜ୍‌ରେ ପଡ଼ି ରହିଲି ତିନିମାସ ପ୍ରାୟ । ଖଟ୍‌ବିନ୍ ସାହିର ଶ୍ରୀ ମଧୁସୂଦନ ଦତ୍ତ ଓଡ଼ିଶା ଥିଏଟର୍ସର ଜଣେ ଅଭିନେତା ଥିଲେ । ସେ ପ୍ରାୟ ଦୁଇଦିନ ପରେ ମୋ ପାଖେ ପାଖେ ଦିନ ରାତିର ଅଧିକାଂଶ ବେଳ ରହିଲେ । ଶ୍ରୀ ଗୋବର୍ଦ୍ଧନ ପଟ୍ଟନାୟକ (ଗୋବରୀ–ମୋର ପୁତୁରା ସମ୍ପର୍କ) ଟୀମା (ଶ୍ରୀ ଦୀନବନ୍ଧୁ ଦାସ, ମୋର ଛାତ୍ର) ଆସି ମୋ ପାଖେ ବରାବର ରହିଲେ । ନଟବରବାବୁ ସପ୍ତାହରେ ଦୁଇଥର କଲିକତା ଯିବାଆସିବା କରନ୍ତି । ବାକି ଦିନତକ ଅହୋରାତ୍ର ମୋ ସେବାରେ ରହିଥାଆନ୍ତି । କଟକରୁ ବହୁ ବନ୍ଧୁ ସକାଳୁ ରାତି ନଅ ଦଶ ପର୍ଯ୍ୟନ୍ତ ଯା’ ଆସ କରୁଥାଆନ୍ତି ।

 

ଡା. ରାଧାନାଥବାବୁଙ୍କ ଯତ୍ନ ଓ ଚିକିତ୍ସାର ରଣ ଏ ଜୀବନରେ ଶୁଝିପାରିବି ନାହିଁ ।

 

ପାର୍ବତୀ ବାଙ୍କିରୁ ଆସି କଟେଜ୍‌ରେ ରହିଲା । ବଡ଼ାମ୍ବାରୁ ଦିନକ ଲାଗି ମୋ ଦାଦାଙ୍କ ବଡ଼ପୁଅ ଅମ୍ବିକା ସଙ୍ଖୋଳିବାକୁ ଆସିଥିଲା ।

 

ନଟବରବାବୁ ନାନା ବଙ୍ଗଳା କାବ୍ୟ, ଉପନ୍ୟାସ ପଢ଼ି ଶୁଣାଉଥାଆନ୍ତି । ଏତିକିବେଳେ ସୁରଲେଖା ରେକର୍ଡ଼ର ପ୍ରୁଫ୍‍ ଆସିଲା । ଏ ଦୁଃଖରେ ମଧ୍ୟ ସେ ଆନନ୍ଦ ଅପାସୋରା । ଏ ରେକର୍ଡ଼ରେ ଥିବା ଚାରିଗୋଟିଯାକ ଗୀତ ସୁମତୀ ଗାଇଥିଲା । ବସାରୁ ପ୍ରତ୍ୟହ ଭାତ ରାନ୍ଧି ସୁମତୀ ଓ ତା’ ପୁଅ ପାକୁନା ମୋ ଘୋଡ଼ାଗାଡ଼ିରେ ନେଇ ପହୁଞ୍ଚନ୍ତି । ଅନେକ ସମୟରେ ଚକ୍ରଧରବାବୁଙ୍କ ଘରୁ ଖାଇବାର ଆସେ ।

 

ସଞ୍ଜ ପରେ ଦୈନିକ କେତେକ ସେବିକା–ତାଲିମ ପାଉଥିବା ଛାତ୍ରୀ ଆସି ପହୁଞ୍ଚନ୍ତି ରେକର୍ଡ଼ ଗୀତ ଶୁଣିବା ପାଇଁ, ଅନେକ ସମୟରେ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ରାତିରେ ଆସି ଏକତାରା ଭଜନ ଗାଇ ଶୁଣାନ୍ତି । ଚକ୍ରଧରବାବୁ ମଧ୍ୟ ଦୈନିକ ଆସି ଘଣ୍ଟାଏ ଦି'ଘଣ୍ଟା କାଟନ୍ତି ମୋ ପାଖରେ ।

 

ଗୋଟାଏ ଅପାସୋରା କଥା–ସେତେବେଳେ ଉତ୍କଳ ଇଉନିଭର୍‌ସିଟିର ଭାଇସ୍‌ଚାନ୍‌ସେଲର ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟ ଥାଆନ୍ତି । ତାଙ୍କ ପୁଅର ନାଆଁ କାଳୀ ଓ ମୋ ନାଆଁ କାଳୀ । ଆଚାର୍ଯ୍ୟ ମହାଶୟ ମୋତେ ଧର୍ମପୁଅ କରିଥାଆନ୍ତି । ସେ ପ୍ରତି ଗୁରୁବାର ଦିନ ଚଣ୍ଡୀମନ୍ଦିରରେ ଭୋଗକରି ପ୍ରସାଦ ଘେନି ଆସନ୍ତି ।

 

ତାଙ୍କୁ ଧରି ଉତ୍କଳ ଇଉନିଭରସିଟିରେ ମୁଁ ପ୍ରଥମେ ସଙ୍ଗୀତ (optional music)କୁ ଗୋଟିଏ ସବ୍‌ଜେକ୍ଟ କରାଇଥିଲି । ଓଡ଼ିଶା ଥିଏଟର୍ସର ସେ ଜଣେ ଆଶୀର୍ବାଦକ ଥିଲେ । କନିକା କଟେଜରେ ସକାଳଠାରୁ ରାତି ୯।୧୦ଟା ଯାଏ ଏହିପରି ଲୋକେ ଗହଳି ଭିତରେ ଦିନ କଟେ । ପ୍ରତି ସନ୍ଧ୍ୟାରେ ସଙ୍ଗୀତ ଆସର ବସେ । ବାଳକୃଷ୍ଣ ଦାସ, ରଘୁନାଥ ନନ୍ଦ, ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ପ୍ରାୟ ପ୍ରତ୍ୟହ ଗୀତ ଶୁଣାନ୍ତି । ସମୟଟା କଟି ଯାଉଥାଏ ଦୁଃଖ ଭିତରେ ଏଇ ଆନନ୍ଦ ପାଇ ।

 

କଟେଜ୍‌ରେ ଗୋଟିଏ ବିଶେଷ ଘଟଣା ଘଟେ ପ୍ରତିଦିନ ରାତିରେ । କଟେଜ୍ ଛାତ ଉପରେ ଗୋଟିଏ ଓଜନ ବସ୍ତା କିଏ କଚିଲା ପରି ଶବ୍ଦ ମଝିରେ ମଝିରେ ଶୁଣାଯାଏ । ବାଡ଼ିପଟ କବାଟରେ ଆଘାତ କଲା ଭଳି ଜଣାପଡ଼େ । ମୁଁ ଯେଉଁ କୋଠରିରେ ଥାଏଁ ତାକୁ ଅଳ୍ପ ଛାଡ଼ି ହସ୍‍ପିଟାଲର ପୋଷ୍ଟମର୍ଟମ ଘର । ମଝି ମଝିରେ ସେ ବନ୍ଦ ଘରୁ ମଣିଷ କଥା ହେବାପରି ଶବ୍ଦ ଶୁଭେ । ନଟବରବାବୁ ବଡ଼ ସାହସୀ । ସେ କଟେଜ୍ ଆଗର ଗଛ ଗହଳିକୁ ଏକୁଟିଆ ନିର୍ଜନ ରାତିରେ ଯାଇ ଏସବୁର ତଥ୍ୟ ଅନୁସନ୍ଧାନ କରନ୍ତି । କିନ୍ତୁ କେବେ କୌଣସି ବିଷୟର ଚିହ୍ନବର୍ଣ୍ଣ ମଧ୍ୟ ଜଣାପଡ଼େ ନାହିଁ ।

 

ବାଙ୍କି ସୁବର୍ଣ୍ଣପୁରର ଡାକ୍ତର ବିଭୂତି ତ୍ରିପାଠୀ ସମୟେ ସମୟେ ଇଞ୍ଜେକ୍‌ସନ୍ ଫୋଡ଼ିବାକୁ ଆସନ୍ତି । କେତେକ ଡାକ୍ତରୀ ଛାତ୍ର ଆସି ଗଳ୍ପକରି ଯାଆନ୍ତି । ଏଇ ସମୟରେ ମୋର ‘ମହାନଦୀ’ ନାଟକ ଲେଖା । ମୁଁ ଡାକେଁ–ଗୋବରୀ ଓ ପାର୍ବତୀ ଲେଖନ୍ତି । ଏତେ ଦୁଃଖକଷ୍ଟ ଭିତରେ ମୋତେ ସାନ୍ତ୍ୱନା ଦିଏ ରଘୁଆ ଯୋଗୀର କେନ୍ଦରା ବାଜା ସହିତ ସେଇ ଗୀତପଦକ–“ଧନୁ ଧରିବେଟି ସିଏ’’...

 

କଟେଜ୍‌ରେ ପ୍ରାୟ ୭।୮ ଦିନ ରହିବା ପରେ ଥରେ ଦି’ ପହରେ ମୁଁ ଟିକିଏ ଶୋଇପଡ଼ିଥିଲି । ମୁଣ୍ଡରେ କାହାରି ହାତ ପଡ଼ିଥିବାର ବାରି ଚାହିଁ ଦେଖିଲି ଜଣେ ବିଧବା ମହିଳା । ମୋ ମୁଣ୍ଡ ଆଉଁଶି ଦେହର ଭଲମନ୍ଦ ପଚାରିଲେ । ପରିଚୟ ନେଇ ବୁଝିଲି–ତାଙ୍କ ନାଆଁ ବୈଦେହୀ ପଣ୍ଡା, ରହନ୍ତି କଟକ ସର୍ବୋଦୟମଣ୍ଡଳ ଆଶ୍ରମରେ । ଜଣେ ଦେଶସେବିକା ସେ । ମୋର ନାମ ଶୁଣିଥିଲେ ଏବଂ ମୋର ଦୁର୍ଦ୍ଦିନରେ ସେ ସଙ୍ଖୋଳିବାକୁ ଆସିଛନ୍ତି । ଏହାପରେ ବହୁବାର ସେ ଆସିଲେ । ଏ ଦୁଃଖବେଳେ କିଏ ସତେଯେପରି ତାଙ୍କ ହୃଦୟରେ ମାତୃସ୍ନେହ ଭରିଦେଇ ମୋତେ ଆଶ୍ଵାସନା ଦେବାକୁ ପଠାଇଛି ବୋଲି ଭାବିଲି । ସେହିଦିନୁ ମୁଁ ତାଙ୍କୁ ମାଆ ବୋଲି ଡାକିଲି ଏବଂ ସେ ମୋତେ ପୁଅ ବୋଲି ସମ୍ବୋଧନ କରି ଆସୁଛନ୍ତି ।

 

ବୋଝ ଉପରେ ନଳିତାବିଡ଼ା ଭଳି, ଦିନେ ପୁଣି ଆଉ ଏକ ଦୁର୍ଘଟଣା ଘଟିଲା । ପ୍ଲାଷ୍ଟର ହାତରୁ ଫିଟାହେଲା । ଦେଖିଲି ବାଆଁ ହାତ କହୁଣୀହାଡ଼ ଖଞ୍ଜାରୁ ଖସିଯାଇଛି । ଆଙ୍ଗୁଠିଗୁଡ଼ିକ ବଙ୍କାଇ ହେଉ ନାହିଁ । ଦିନେ ଏଇ ଅବସ୍ଥାରେ ଖଟରୁ ଉଠି ଛିଡ଼ା ହେଲି, କିନ୍ତୁ ହଠାତ୍‍ ପଡ଼ିଗଲି । ତେଣୁ ଆଉଥରେ ଆନାସ୍ଥାସିଆ ଦିଆଯାଇ ହାତ ଗୋଡ଼ ବନ୍ଧାହେଲା ।

 

ବହୁକଷ୍ଟରେ ପୁଣି ମାସକ ପରେ ଆମ୍ବୁଲାନ୍ସରେ ଆସି ବସାରେ ପଡ଼ି ରହିଲି । ଟିକିଏ ଚାଲିବା ଶକ୍ତି ପାଇବାକୁ ଛଅଟି ମାସ ବିତିଗଲା । ଡାକ୍ତର ବିଭୂତି ତ୍ରିପାଠୀ ଆସି ଇଞ୍ଜେକ୍‌ସନ ଦେଇଯାଉଥାଆନ୍ତି । ଟିକିଏ ଉଠିଲି ।

 

ଏ ଦୁର୍ଭାଗ୍ୟ ମୋ ଜୀବନର ସାଥୀ ହୋଇ ରହିଛି ।

 

କଟକ ରେଡ଼ିଓ ସମ୍ପର୍କ :

 

୧୯୪୭ ସାଲ । ମୁଁ କଲିକତା ରେଡ଼ିଓରେ କଣ୍ଠଶିଳ୍ପୀଭାବେ ମଝି ମଝିରେ ଗୀତ ଗାଉଥାଏଁ । କଟକରୁ କେତେକ ଶିଳ୍ପୀଙ୍କୁ ନେଇ ବେଳେ ବେଳେ ମଧ୍ୟ କଲିକତା ରେଡ଼ିଓରେ ପ୍ରୋଗ୍ରାମ କରୁଥାଏଁ । ତେଣୁ ସେଠା ରେଡ଼ିଓ ଷ୍ଟେସନର ଷ୍ଟେସନ ଡାଇରେକ୍ଟର ଶ୍ରୀ ଏ.କେ. ସେନ, ମ୍ୟୁଜିକ୍ ପ୍ରଡ଼୍ୟୁସର ଶ୍ରୀ ବୀରେନ୍ ଭଦ୍ର, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀ ନୟନ କିଶୋର ମହାନ୍ତି, ଶ୍ରୀ ସୁରେନ୍ଦ୍ର ମହାନ୍ତି, ଶ୍ରୀ ସୁଧୀନ୍ ଚାଟାର୍ଜୀ ଏବଂ ଯତୀନ୍ ଦାସ ଓ ଗତିକୃଷ୍ଣ ପଟ୍ଟନାୟକ ପ୍ରଭୃତି କେତେକ ରେଡ଼ିଓ କର୍ମଚାରୀଙ୍କ ସହିତ ମୋର ବେଶ ପରିଚୟ ଥାଏ ।

 

କଟକରେ ରେଡ଼ିଓ ଷ୍ଟେସନ ପାଇଁ ମଧୁପୁର କୋଠିଟି ସ୍ଥାନ ନିର୍ଦ୍ଦିଷ୍ଟ କରାଗଲା । ସୁଧୀନବାବୁ ଓ ଯତୀନ ପ୍ରଭୃତି ମୋର ସାହାଯ୍ୟ ଲୋଡ଼ିଲେ । ଓଡ଼ିଶା ଥ୍ଏଟର୍ସ ପାର୍ଟିରୁ ଶ୍ରୀ ନକୁଲ ବୋଷ ଓ ଧ୍ରୁବଚରଣ ସାହୁ ପ୍ରଭୃତିଙ୍କୁ ରେଡ଼ିଓ ଷ୍ଟେସନରେ ଯୋଗଦେବାର ବ୍ୟବସ୍ଥା କରାଗଲା । ଅନୁକୂଳ ଦିନ ମୁଁ ଭାଷଣ ଦେଇଥିଲି । ସିଂହାରୀ ଶ୍ୟାମସୁନ୍ଦର କର ମୋର ‘ଜଗବନ୍ଧୁ ପଦ ପଙ୍କଜେ’ ନାମକ ଗୀତଟି ଗାଇଥିଲେ । ରେଡ଼ିଓ ଗାୟକ, ଗାୟିକା ନିର୍ବାଚନର ବିଚାରକ ଭାବରେ ଷ୍ଟେସନ ଆରମ୍ଭରୁ ମୁଁ ଏବଂ ବନ୍ଧୁ ଶ୍ରୀ ବୈଷ୍ଣବ ଚରଣ ଦାସ (ତତ୍‌କାଳୀନ I. G. ଥିଲେ) ନିଯୁକ୍ତ ହେଲୁଁ ।

 

ଏହାଛଡ଼ା ବହୁବର୍ଷ ପର୍ଯ୍ୟନ୍ତ ମୁଁ Adviser ବା ଉପଦେଷ୍ଟା ଭାବେ କାର୍ଯ୍ୟ କଲି । ମୋ ଲେଖା ଓଡ଼ିଶୀ, ଲଘୁ ସଙ୍ଗୀତ (ଆଧୁନିକ) ପଲ୍ଲୀ ଗୀତ ଓ କୀର୍ତ୍ତନ ଗୀତ, ନାଟକ, ଗୀତିନାଟ୍ୟ, ବିବିଧ ବିଷୟକ ଆଲୋଚନା ଓ ରାଗ ପରିଚୟ ପ୍ରଭୃତି ଗାୟକ ଗାୟିକା କଣ୍ଠରେ ସେହିଦିନଠାରୁ ରେଡ଼ିଓରେ ଗୀତ ହେଉଅଛି ଏବଂ ଦୁର୍ଗାଷ୍ଟମୀ ଉପଲକ୍ଷେ ଲିଖିତ “ଶ୍ରୀ ଦୁର୍ଗା” ରୂପକ ରେଡ଼ିଓ ଆରମ୍ଭରୁ ଅବଧି ପ୍ରଚାରିତ ହେଉଅଛି । ରେଡ଼ିଓ ସହିତ ମୋର ସୁସମ୍ପର୍କ ରହିଆସିଛି, କଟକ ରେଡ଼ିଓ ଷ୍ଟେସନ ଅନୁଷ୍ଠାନର ଅନୁକୂଳ ଦିନରୁ ।

 

ଲାଲକିଲ୍ଲାରେ ଓଡ଼ିଶୀ ସଙ୍ଗୀତ :

 

୧୯୫୪ ସାଲଟି ମୋ ଜୀବନରେ ଏକ ଅଭୁଲା ବର୍ଷ । ଓଡ଼ିଶା ଥିଏଟର୍ସ ଅନୁଷ୍ଠାନଟି ମୋର ଅନୁପସ୍ଥିତିରେ କାଶୀନାଥ ମହାନ୍ତି ମାନେଜରଙ୍କ ଅବ୍ୟବସ୍ଥା ହେତୁ ସୋରୋଠାରୁ ଭାଙ୍ଗିଯିବା ପରେ ଅତି ଦୁଃଖରେ ମୁଁ ଅରଣା ବଳଦ ପରି କିଆରି ଖୋଜିହେଲି । ଏତେବେଳେ ଲୋକସମ୍ପର୍କ ବିଭାଗର ଛବି ପ୍ରସ୍ତୁତି, ରେକର୍ଡ଼ିଂ ଓ ଯୋଜନା ଭାଗବତ ପ୍ରଭୃତି ବହି ଲେଖାଲେଖି ଇତ୍ୟାଦିରେ ଶ୍ରୀ ଚିନ୍ତାମଣି ମିଶ୍ରଙ୍କ ସାହାଯ୍ୟ ପାଇ କାମରେ ଲାଗି ପଡ଼ିବାରୁ ଟିକିଏ ଆଶ୍ଵସ୍ତି ପାଇଲି । ପ୍ରୌଢ଼ଶିକ୍ଷା ବିଭାଗର ଅଧିକାରୀ ଶ୍ରୀ ଦୀନବନ୍ଧୁ ପାଣିଗ୍ରାହୀ ମଧ୍ୟ ପରେ ପରେ କେତେଖଣ୍ଡ ପ୍ରଚାର ପୁସ୍ତିକା ଲେଖା ଓ ରେକର୍ଡ଼ିଂ ମୋଦ୍ଵାରା କରାଇଲେ । ତେଣୁ ଅନେକବାର ଉଭୟ ବିଭାଗର କାର୍ଯ୍ୟରେ କଲିକତା ଯିବା ଆସିବା କରୁଥାଏଁ । ଏହିପରି ରେକର୍ଡ଼ ପ୍ରସ୍ତୁତି ହିଁ ମୋ ମନରେ ‘ସୁରଲେଖା’ ରେକର୍ଡ଼ ଅନୁଷ୍ଠାନ ପ୍ରତିଷ୍ଠାର କଳ୍ପନା ଜଗାଇଲା । କଟକର ଖପୁରିଆରେ ଇଣ୍ଡଷ୍ଟ୍ରି ବିଭାଗରୁ ଋଣ ନେଇ ଘର ତୋଳିଥିଲି, ମାତ୍ର ବିଜୁଳି ସରବରାହ ବିଭାଗ ମୋତେ ନିରାଶ କରିବାରୁ ମୋର ଆଶା ଚୂର୍ଣ୍ଣୀଭୂତ ହେଲା । କଲିକତାର ୬ ନମ୍ବର ଅକ୍ରୂର ଦତ୍ତ ଲେନ୍‌ରେ ଅବସ୍ଥିତ ହିନ୍ଦୁସ୍ଥାନ ରେକର୍ଡ଼ିଂ କମ୍ପାନୀଙ୍କ ସହିତ ଇତି ପୂର୍ବରୁ ମୋର ସମ୍ପର୍କ ଥାଏ । ଲୋକସମ୍ପର୍କ ଓ ପ୍ରୋଢ଼ଶିକ୍ଷା ବିଭାଗର ରେକର୍ଡ଼ ଏହିଠାରେ ମୁଁ ପ୍ରସ୍ତୁତ କରାଇଥିଲି । ତେଣୁ ‘ସୁରଲେଖା’ର ରେକର୍ଡ଼ିଂ ସେହିଠାରେ କରାଇବା ବ୍ୟବସ୍ଥା କରି ତା ୯।୩।୫୪ ରିଖରେ ତାଙ୍କ ସହିତ କଣ୍ଟ୍ରାକ୍ଟ କଲି-

 

ଅଳ୍ପକିଛି ଦିନ ପରେ ଦିଲ୍ଲୀ ଲାଲକିଲ୍ଲା, ମୟଦାନରେ ଓଡ଼ିଶୀ ସଙ୍ଗୀତ ପରିବେଷଣ ପାଇଁ ଦିଲ୍ଲୀ ଯିବାକୁ ଲୋକସମ୍ପର୍କ ବିଭାଗ କହିଲେ । ଶ୍ରୀ ସୁଧୀର ଘୋଷ ଓ ଶ୍ରୀ ରାମ ପ୍ରସାଦ ସିଂହ ସୁମତୀକୁ ଘେନି ମୋତେ ଦିଲ୍ଲୀ ଯିବା ଲାଗି ପ୍ରସ୍ତାବ ଦେବାରେ ମୁଁ ସ୍ଵୀକୃତି ଦେଲି । ସିଂହାରୀ ଶ୍ୟାମସୁନ୍ଦର କର ଓ କାଶୀନାଥ ପୂଜାପଣ୍ଡା ଓଡ଼ିଶୀ, ସୁମତୀ ଭଜନ ଓ ପଲ୍ଲୀଗୀତ ଗାଇବାର କଥା ହେଲା । ସିଂହାରୀଙ୍କୁ ଦିଲ୍ଲୀ ଯିବା ଲାଗି ପ୍ରସ୍ତାବ ସମ୍ବନ୍ଧେ ପଚାରିଥିଲି; କିନ୍ତୁ ସେ ଠିକଣା କରି ମୋତେ କିଛି କହିଲେ ନାହିଁ, ପରେ କିନ୍ତୁ ଗଲେ । ଏହା ଦିଲ୍ଲୀରେ ପ୍ରଥମଥର ପାଇଁ ଓଡ଼ିଶୀ ସଙ୍ଗୀତ ପରିବେଷଣ ବ୍ୟବସ୍ଥା । ମୁଁ ଆନନ୍ଦରେ ସ୍ଵୀକୃତି ଦେଇଥିଲି ।

 

ଦିଲ୍ଲୀ ସଙ୍ଗୀତ ନାଟକ ଏକାଡ଼େମୀ ଲାଲକିଲ୍ଲା ସଙ୍ଗୀତ ପ୍ରୋଗ୍ରାମ ପରିଚାଳନାର ଭାର ନେଇଥାଆନ୍ତି ।

 

ମୁଁ ସୁମତୀ ଓ ତା’ର ପୁଅ (ଡାକ ନାମ ପାକୁ) ୨୧।୩।୫୪ରେ କଲିକତା ବାହାରିଲୁ । ୨୨ ତାରିଖରେ କଲିକତା ରେଡ଼ିଓ ଷ୍ଟେସନରେ ଗୋଟିଏ ପ୍ରୋଗ୍ରାମ୍ ବ୍ୟବସ୍ଥା କରାଇଥିଲି । ରାତିରେ ପ୍ରୋଗ୍ରାମ୍ ସାରି ସୁବିଖ୍ୟାତ ଗାୟିକା ରସୁଲନ ବାଈଙ୍କ ସହିତ ଓଡ଼ିଶୀ ସଙ୍ଗୀତ ସମ୍ବନ୍ଧୀୟ କେତେକ ଆଲୋଚନା ହେଲା କଲିକତା ରେଡ଼ିଓ ଷ୍ଟେସନରେ । ସେ ବଡ଼ ଖୁସିହେଲେ ଓଡ଼ିଶୀ ଗାୟନ ଶୈଳୀର ସ୍ଵତନ୍ତ୍ରତା ଶୁଣି ।

 

କଲିକତାରୁ ତୋଫାନ ଏକ୍‌ସ୍‌ପ୍ରେସରେ ଦିଲ୍ଲୀ ଯାଇ ପହଞ୍ଚିଲୁ ତା ୨୬।୩।୫୪ରେ । ଗଲାବାଟରେ ଶ୍ରୀ ନିମାଇଁ ହରିଚନ୍ଦନଙ୍କ ସହ ଗାଡ଼ିରେ ଦେଖାହେଲା । ସେ ଲାଲକିଲ୍ଲାର ଓଡ଼ିଶୀ ସଙ୍ଗୀତ ପରିବେଷଣ ସମ୍ବାଦ ପାଇଥିବାର ସୂଚନା ବାରିଲି । ଓଡ଼ିଶା ସରକାର କିନ୍ତୁ ତାଙ୍କୁ ପଠାଇ ନାହାନ୍ତି । ଏଥିଲାଗି ସେ ମୋତେ ଦୋଷ ଦେଇ କହିଲେ ଯେ ମୁଁ ତାଙ୍କ ନାମ ସୁପାରିସ କରି ନାହିଁ କାହିଁକି ?

 

ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ସେ ସମୟରେ ଦିଲ୍ଲୀରେ ମନ୍ତ୍ରୀ ଥିଲେ । ଶ୍ରୀଚନ୍ଦନ ତାଙ୍କ ସୁପାରିସରେ ପ୍ରୋଗ୍ରାମ୍‌ ପାଇଁ ସମୟ ପାଇଲେ । ଦିଲ୍ଲୀ ସଙ୍ଗୀତ ନାଟକ ଏକାଡ଼େମୀ ସଙ୍ଗୀତ ପ୍ରୋଗ୍ରାମର ବ୍ୟବସ୍ଥା କରୁଥିବାରୁ, ମୁଁ ଏକାଡ଼େମୀର ତତ୍‌କାଳୀନ ସେକ୍ରେଟାରୀ ଶ୍ରୀମତୀ ନିର୍ମଳା ଯୋଷୀଙ୍କଠାରୁ ବୁଝିଲି ଯେ, ନିତ୍ୟାନନ୍ଦବାବୁ ତାଙ୍କୁ ଫୋନ କରି ନିମାଇଁବାବୁଙ୍କ ଲାଗି ଅଧଘଣ୍ଟାକର ଗାଇବା ପ୍ରୋଗ୍ରାମ୍ କରାଇଛନ୍ତି । ଶ୍ରୀ କାନୁନଗୋ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡ଼େମୀର ଜଣେ କର୍ମକର୍ତ୍ତା ଥିଲେ । ଦିଲ୍ଲୀରେ ପହଞ୍ଚି ସୁମତୀକୁ ସଙ୍ଗରେ ନେଇ ମୁଁ ୨୬ ତାରିଖ ଶୁକ୍ରବାର ଗାଡ଼ିରେ ଲାଲକିଲ୍ଲାକୁ ଯାଇ ସେଠାରେ ସିଂହାରୀ ଶ୍ୟାମସୁନ୍ଦର କର ଓ କାଶୀନାଥ ପୂଜାପଣ୍ଡାଙ୍କୁ ଦେଖିଲି । ରାତି ଦଶଟାରେ ଓଡ଼ିଶୀ ପ୍ରୋଗ୍ରାମ୍ ଆରମ୍ଭ ହେଲା । ଶ୍ରୀଯୁକ୍ତ ନେହେରୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ପ୍ରେକ୍ଷାଳୟରେ ।

 

ସେ ରାତିର ପ୍ରୋଗ୍ରାମ୍ ବେଳର ଗୋଟିଏ କଥା ମନେ ପଡୁଛି । ମୁଁ ପ୍ରଥମ ଧାଡ଼ିରେ ଶ୍ରୀଯୁକ୍ତ ନେହେରୁଙ୍କ ଆସନ ନିକଟରୁ ପ୍ରାୟ ୬।୭ ଜଣଙ୍କ ଛଡ଼ାରେ ବସିଥିଲି । ପଛରେ କୌଣସି ସ୍ଥାନରେ ବସିଥିଲେ ଶ୍ରୀମତୀ ରସୁଲନ ବାଈ । ସେଠାରୁ ସେ ଉଠିଆସି ମୋତେ ପାନ ମାଗିଲେ । ମୁଁ ପାନବଟାରୁ ପାନ କାଢ଼ି ତାଙ୍କୁ ବଢ଼ାଇଲି । ସେ ହାତରେ ପାନ ନନେଇ ହସି ହସି ‘ମରଦ ଏପରି ଦିଅନ୍ତି ନାହିଁ’ ବୋଲି ହିନ୍ଦୀରେ କହି ପାନ ତାଙ୍କୁ ଖୁଆଇ ଦେବାକୁ ପାଟି ମେଲେଇଲେ । ମୁଁ ମଧ୍ୟ ଖୁଆଇ ଦେଲି । ନେହେରୁଜୀ ଓ ନିକଟରେ ବସିଥିବା ବ୍ୟକ୍ତିମାନେ ଭାରି ହସିଲେ ଏ ଦୃଶ୍ୟ ଦେଖି ।

 

ପ୍ରୋଗ୍ରାମ୍ ଭଲ ହେଲା । ସିଂହାରୀ ଓଡ଼ିଶୀ, କାଶୀନାଥ ଚମ୍ପୂ ଏବଂ ସୁମତୀ ଭଜନ ଓ ପଲ୍ଲୀଗୀତ ଗାଇଥିଲେ । ସମସ୍ତେ ଗୀତଗୁଡ଼ିକୁ ପସନ୍ଦ କଲେ ।

 

ଏହି ଉପଲକ୍ଷେ ମୁଁ ଇଂରେଜୀରେ ‘ଓଡ଼ିଶୀ ମ୍ୟୁଜିକ’ ନାମକ ଖଣ୍ଡିଏ ଛୋଟ ବହି ଲେଖୁଥିଲି । ଓଡ଼ିଶା ଲୋକ ସମ୍ପର୍କ ବିଭାଗ ତାହା ପ୍ରକାଶ କରିଥିଲେ । ସଭାରେ ପୁସ୍ତକଟି ପରିବେଷିତ ହେଲା ।

 

ତହିଁ ଆରଦିନ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ ଓଡ଼ିଶୀ ପ୍ରୋଗ୍ରାମର ପ୍ରଶଂସା କରି ଲେଖିଥିଲେ ।

 

ସ୍ଵର୍ଗତ ଉମାଚରଣ ପଟ୍ଟନାୟକ ଏମ୍.ପି. ଆମ୍ଭମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ତାଙ୍କ ବାସଗୃହରେ ଏକ ବନ୍ଧୁ ମିଳନ କରାଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ସେଠାରେ ମଧ୍ୟ ଓଡ଼ିଶୀ ଗୀତ, ଭଜନ ଓ ପଲ୍ଲୀଗୀତ ପରିବେଷିତ ହେଲା ।

 

ଦିଲ୍ଲୀ ଆକାଶବାଣୀର ଡିରେକ୍ଟର ଜେନେରାଲ ଶ୍ରୀ ଏ.କେ. ସେନ୍, ମ୍ୟୁଜିକ ପ୍ରଡ୍ୟୁସର ଶ୍ରୀମତୀ ମୁମୁତତ୍‌କାର ଓ ଶ୍ରୀ ରମେଶ ଚନ୍ଦରଙ୍କ ସହିତ ମୋର ସାକ୍ଷାତ୍ ହେଲା । ସୁମତୀକୁ ସେମାନେ ଅଧଘଣ୍ଟାକର ଗୋଟିଏ ପ୍ରୋଗ୍ରାମ ଦେଲେ ।

 

ଦିଲ୍ଲୀରେ ମୁଁ ଶ୍ରୀମାନ୍ ଯତୀନ୍ ଦାସଙ୍କର ୧୪।ଏ ଫିରୋଜସାହା ରୋଡ଼ର ବସାରେ କୁଣିଆଁ ହୋଇଥିଲି । ସେ ସେତେବେଳକୁ କଟକ ରେଡ଼ିଓରୁ ଯାଇ ଦିଲ୍ଲୀ ରେଡ଼ିଓରେ ସମ୍ବାଦ-ପାଠକ ଥାଆନ୍ତି । ବହୁମତେ ସେ ଆମ୍ଭମାନଙ୍କୁ ସାହାଯ୍ୟ ଦେଇଥିଲେ ।

 

ଅପ୍ରେଲ ଦୁଇ ତାରିଖ (୧୯୫୪) କାଲକା ମେଲରେ ଆମେ ଦିଲ୍ଲୀରୁ କଲିକତା ଆସିଲୁଁ ।

 

ଶ୍ରୀମାନ୍ ରଘୁମଣି ପଟ୍ଟନାୟକ ବାରିଷ୍ଟର ଆମ୍ଭମାନଙ୍କୁ ଷ୍ଟେସନରେ ବିଦାୟ ଦେଲେ ।

 

କଲିକତା ଆସି ହିନ୍ଦୁସ୍ତାନ ରେକର୍ଡ଼ିଂ କୋମ୍ପାନୀରେ କେତେଖଣ୍ଡ ‘ସୁରଲେଖା’ର ରେକର୍ଡ଼ିଂ କରାଇ ୫।୪।୫୪ ସନ୍ଧ୍ୟା ଏକ୍ସପ୍ରେସରେ ଖୁସିରେ କଟକ ବାହୁଡ଼ିଲୁଁ ।

 

ଦିଲ୍ଲୀର ଲାଲକିଲ୍ଲାର ଏହି ଓଡ଼ିଶୀ ସଙ୍ଗୀତ ପରିବେଷଣର ସୁଖ୍ୟାତି ପ୍ରାୟ ପ୍ରତ୍ୟେକ ଇଂରାଜୀ ଓ ବଙ୍ଗଳା କାଗଜମାନଙ୍କରେ ପ୍ରକାଶିତ ହେଲା । ଏଭଳି ପ୍ରୋଗ୍ରାମ୍ ଦିଲ୍ଲୀରେ ପ୍ରଥମଥର ପାଇଁ ପରିବେଷିତ ହୋଇ ପ୍ରଶଂସିତ ହୋଇଥିବାର ପ୍ରକାଶ କଲେ ସେମାନେ ।

 

ଓଡ଼ିଶା ନୃତ୍ୟ ସଙ୍ଗୀତ–ନାଟ୍ୟ କଳା ପରିଷଦ :

 

୧୯୫୪ରେ ମୋଟର ଦୁର୍ଘଟଣା ଭୋଗି ମୁଁ କନିକା କଟେଜ୍‌ରେ ପଡ଼ିଥାଏଁ । ଏତିକିବେଳେ ଉତ୍କଳ ନୃତ୍ୟ-ସଙ୍ଗୀତ-ନାଟ୍ୟକଳା ପରିଷଦ ଆରମ୍ଭ ହେଲା । କନିକା କଟେଜ୍‌ରେ ଖବର ପାଇଲି ଯେ ମୋତେ ଏଇ ଅନୁଷ୍ଠାନର ସଭ୍ୟ ମନୋନୀତ କରାଯାଇଛି । ୧୯୫୪ ସାରା ମୁଁ କତରାଲାଗି ହୋଇ ପଡ଼ି ରହିଲି ଡା. ବିଭୂତି ତ୍ରିପାଠୀଙ୍କ ଘର ବାଙ୍କି ସୁବର୍ଣ୍ଣପୁରରେ । ଗାଆଁପାଖ ଲୋକ ବୋଲି ସେ ବରାବର ଆସି ଇନ୍‌ଜେକସନ୍ ଦେଉଥାଆନ୍ତି । ଚଳାଚଳ ବନ୍ଦ; ତେଣୁ ପରିଷଦର ଖବର ମାତ୍ର ପାଏଁ ସିନା, ବୈଠକରେ ଯୋଗ ଦେବାର ସୁବିଧା ନ ଥାଏ ମୋର ।

 

ପୋଲିସ ଆଇ. ଜି. ଶ୍ରୀ ବ୍ରଜବିହାରୀ ମିଶ୍ର, ଶ୍ରୀ ବିମଳ ଘୋଷ ପ୍ରଭୃତି ପରିଷଦର କର୍ମକର୍ତ୍ତା ଥାଆନ୍ତି । ବକ୍ସିବଜାର ମଣିସାହୁ ଛକ ପାଖେ ଗୋଟିଏ ଛୋଟ ଦୋତାଲା ଉପରେ ଅଫିସ୍ ଥାଏ । ପରେ ମନ୍ତ୍ରୀ ସ୍ଵର୍ଗତ ଲିଙ୍ଗରାଜ ପାଣିଗ୍ରାହୀ ପରିଷଦ ପରିଚାଳନାଭାର ନେଲେ । ମୋଟର ଦୁର୍ଘଟଣା ପରେ ମୁଁ ତା ୧୪।୩।୫୫ ରିଖରେ ପ୍ରଥମେ ଦାଣ୍ଡକୁ ଗଲି । ସରଳା ଦେଈ ମୋତେ ଧରି ଧରି ନେଇ ମୋ ଗାଡ଼ିରେ ବସାଇ ଦେଲେ । କିଲ୍ଲାରେ ସେତେବେଳେ ରହୁଥିବା ପ୍ରଧାନ ବିଚାରପତି ସ୍ଵର୍ଗତ ଲିଙ୍ଗରାଜ ପାଣିଗ୍ରାହୀଙ୍କ ପାଖକୁ ଗଲି । ଏହାପରେ ପରିଷଦର ବୈଠକକୁ ଯିବାଆସିବା ସମ୍ଭବ ହେଲା ତା ୨୦।୩।୫୫ ରିଖରେ ପ୍ରଥମ ବୈଠକରେ ମୁଁ ଯୋଗ ଦେଲି ମଣିସାହୁ ଛକ ନିକଟ ଦୋତାଲା ଉପରେ ।

 

ଚମ୍ପୂଗୀତର ସ୍ଵରଲିପି :

 

ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସ୍ଵରଲିପି ପାଇଁ ପରିଷଦ ପକ୍ଷରୁ କଥା ହେଲା । ଶ୍ରୀ ଶ୍ୟାମସୁନ୍ଦର ଧୀର, ଶ୍ରୀ ତାରିଣୀ ଚରଣ ପାତ୍ର, ପାରଳାର ବୀଣାବାଦକ ଶ୍ରୀ ଅନନ୍ତ ଚରଣ ପାତ୍ର ପ୍ରଭୃତି ୧୯୫୫ ଅକ୍ଟୋବର ତା ୧୧ ରିଖରୁ ମୋ ବସାରେ ବସି ଚମ୍ପୂ ସ୍ଵରଲିପି ଲିଖନ ଆରମ୍ଭ କରାଯାଇ ତା ୧୫।୧୦।୫୫ ରିଖରେ ଶେଷ ହେଲା ।

 

ଏହି ସ୍ଵରଲିପି ଲିଖନବେଳେ କେତେକ ବାଦବିବାଦ ଉପସ୍ଥିତ ହେଲା । ମେମ୍ବରମାନଙ୍କ ଭିତରୁ ଜଣେ ଦିଜଣ ଚମ୍ପୂ ଗୀତଗୁଡ଼ିକ ଦକ୍ଷିଣୀ ଗାଉଣା ରୀତିରେ ଗାଇ ତହିଁର ସ୍ଵରଲିପି ଲେଖିବାକୁ ପ୍ରସ୍ତାବ ଦେଲେ । ଶ୍ରୀ ଶ୍ୟାମସୁନ୍ଦର ଧୀର ଏବଂ ମୁଁ ଏହାର ପ୍ରତିବାଦ କରି ରସାନୁସାରୀ ଚମ୍ପୂ ପୁସ୍ତକରେ ନିର୍ଦ୍ଦେଶିତ ରାଗରାଗିଣୀର ଶାସ୍ତ୍ରୀୟଧାରା ପ୍ରମାଣ ଏବଂ ଓଡ଼ିଶାରେ ପ୍ରଚଳିତ ଗାୟନ ରୀତିକୁ ଅନୁସରଣ କରିବାକୁ ଯୁକ୍ତି ବାଢ଼ିଲୁ । ଶେଷରେ ଆମରି କଥା ପ୍ରତିପକ୍ଷମାନେ ଅନୁମୋଦନ କଲେ ।

 

ଓଡ଼ିଶୀ ନୃତ୍ୟର ସ୍ଵତନ୍ତ୍ରତା ସମ୍ବନ୍ଧରେ ପରିଷଦ ବୈଠକରେ ମୁଁ କଥା ପକାଇଲି । ନୃତ୍ୟ ସଙ୍ଗୀତ ନାଟ୍ୟକଳା ନାମ ଦେଇ ନୃତ୍ୟର ଉନ୍ନତିକଳ୍ପ କିଛି ହେଉ ନ ଥିବା ଦୁଃଖର ବିଷୟ ବୋଲି କହିବାରୁ ସମସ୍ତେ ମୋ ପ୍ରସ୍ତାବ ଗ୍ରହଣ କଲେ । ପୁରୀ ଜିଲ୍ଲା ଡିମିରି ଶ୍ରେଣୀର ଚନ୍ଦ୍ରଶେଖର ପଟ୍ଟନାୟକ ଓଡ଼ିଶୀ ନୃତ୍ୟର ଜଣେ ବିଶେଷଜ୍ଞ ବୋଲି ମୁଁ ଜାଣିଥିଲି । ତାଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସହକାରୀ ସେକ୍ରେଟାରୀ ଶ୍ରୀ ବିମଳ ଘୋଷଙ୍କୁ କୁହାଗଲା । ମୁଁ ମଧ୍ୟ ଗୋଟିଏ ସନ୍ଦର୍ଭ ଲେଖିଥିଲି । ଗଣନାଟ୍ୟ ପରିଷଦକୁ ମୋ ଲେଖାଟି ପଠାଇଲି–ଏହି ବର୍ଷ ମେ ୧୯ ତାରିଖରେ ।

 

ଇପ୍‌ଟାର କେତେକ ଲୋକ ମୋ ଘରକୁ ଆସି କଟକରେ ଗୋଟିଏ ସଭା କରାଇବାକୁ ପ୍ରସ୍ତାବ କଲେ । ବିମଳବାବୁ (ଘୋଷ) ସେ କଥା ଶୁଣି, ମୁଁ ତାହାର ଓଡ଼ିଶା ଶାଖାର ସଭାପତି ହୋଇଛି ବୋଲି ପ୍ରଚାର କରିବାରେ ଲାଗିଲେ ଏବଂ ମୋ ବିରୋଧରେ ନାନାକଥା କହିଲେ । ମୁଁ ତା ୪।୫।୫୫ରିଖ ପ୍ରଜାତନ୍ତ୍ରରେ ପ୍ରତିବାଦ କରି ଲେଖିଲି ଯେ ମୁଁ ଇପ୍‌ଟା ସଂଘର ସଭାପତି ନୁହେଁ; ଟି. ସି. ଆଇ (ଥିଏଟର ସେଣ୍ଟର ଇଣିଆ)ର ଓଡ଼ିଶାରେ ପ୍ରତିଷ୍ଠିତ ଉତ୍କଳ ଶାଖା (ଉତ୍କଳ ନାଟ୍ୟସଂଘ)ର ସଭାପତି ଏବଂ ଟି.ସି. ଆଇର ସଭ୍ୟରୂପେ ମନୋନୀତ ହୋଇଛି ।

 

ଓଡ଼ିଶୀ ସଙ୍ଗୀତ ସ୍ଵତନ୍ତ୍ରତା ବିରୋଧରେ ୧୯୫୫ ସାଲ ମେ ୨୧ ତାରିଖ ସମାଜରେ କୃଷ୍ଣଚରଣ ପଣ୍ଡାଙ୍କ ଲେଖାର ପ୍ରତିବାଦ କରାଗଲା । ସିଂହାରୀ ଶ୍ୟାମସୁନ୍ଦର କର ଓ ମୁଁ ପ୍ରତିବାଦ କରିବାରେ କୃଷ୍ଣଚରଣ ପଣ୍ଡା ବର୍ତ୍ତମାନ ସେ ସଙ୍ଗୀତ କ୍ଷେତ୍ରରୁ ବିଦାୟ ନେଲେଣି ବୋଲି ଉତ୍ତର ଦେଲେ । ଏହା ତା ୪।୬।୫୫ ରିଖରେ ସମାଜରେ ପ୍ରକାଶିତ ହେଲା ।

 

ଏହି ସମୟରେ ପରିଷଦ ପକ୍ଷରୁ ଗୋଟିଏ ନାଟକାଭିନୟର ପ୍ରସ୍ତାବ ହେଲା । ମୁଁ ‘ଯୁଗେ ଯୁଗେ ଉତ୍କଳ’ ନାମକ ନାଟକ ଲେଖିଲି । ବାରବାଟୀ କିଲ୍ଲାପଡ଼ିଆରେ ତାହା ମଞ୍ଚସ୍ଥ ହୋଇ ପ୍ରଶଂସାଲାଭ କଲାପରେ ସେ ଲେଖା ମୋର ନୁହେଁ ବୋଲି ପ୍ରତିପାଦିତ କରିବାକୁ ପରିଷଦର କର୍ତ୍ତୃପକ୍ଷ ଚେଷ୍ଟା କରୁଥିବାର ପରିଷଦର କର୍ମଚାରୀ ପଣ୍ଡାବାବୁ ମୋତେ କହିଲେ ଜୁନ୍‌ମାସ ୩ ତାରିଖରେ । ଏହିପରି ମୋର ଓଡ଼ିଶୀ ନୃତ୍ୟ ବହିରେ ମୋ ନାମ ନ ରଖିବାକୁ ମଧ୍ୟ ଚକ୍ରାନ୍ତ କରାଯାଉଥିଲା । ମୁଁ ବହିର ପ୍ରୁଫ୍ ଦେଖି ମୋ ନାମ ରଖିଦେଲି । ଏ ପ୍ରଚେଷ୍ଟା ଶ୍ରୀ ବିମଳ ଘୋଷଙ୍କର ବୋଲି ପରିଷଦ ଅଫିସରୁ ସନ୍ଧାନ ପାଇଲି ।

 

ଦିଲ୍ଲୀକୁ ଯିବାପାଇଁ ଗୋଟିଏ ନୃତ୍ୟନାଟିକା ଲେଖିବାକୁ ପ୍ରସ୍ତାବ ହେଲା ପରିଷଦ ପକ୍ଷରୁ-। ଶ୍ରୀ ପ୍ରାଣନାଥ ମହାନ୍ତି I. A. S. ସେତେବେଳେ ସମ୍ପାଦକ ଓ ଶ୍ରୀ ବିମଳ ଘୋଷ ସହକାରୀ ସମ୍ପାଦକ ଥିଲେ । ମୁଁ ‘ସାକ୍ଷିଗୋପାଳ’ ନୃତ୍ୟନାଟିକା ଲେଖିଲି । ଶ୍ରୀ ରାମଚନ୍ଦ୍ର ଭବନରେ ରିହର୍ସାଲ ହେଲା । ଏହା ଓଡ଼ିଶାର ପ୍ରଥମ ନୃତ୍ୟନାଟିକା । ତା ୨୦ ।୧୧।୫୫ ରିଖରେ ସର୍ବଶ୍ରୀ କେଳୁଚରଣ ମହାପାତ୍ର, ଭୁବନେଶ୍ଵର ମିଶ୍ର ପ୍ରଭୃତି ଓ କେତେକ ଝିଅଙ୍କୁ ସଙ୍ଗରେ ଘେନି ବିମଳବାବୁ ଓ ମୁଁ ଦିଲ୍ଲୀ ଗଲୁଁ, ସାକ୍ଷିଗୋପାଳ ନୃତ୍ୟନାଟିକା ପ୍ରଦର୍ଶନ ନିମିତ୍ତ ତାଳକୋଟ୍ରା ଗାର୍ଡ଼ନରେ ଏହି ନୃତ୍ୟନାଟିକାଟି ଦିଲ୍ଲୀର ବହୁ ବିଶିଷ୍ଟ ଦର୍ଶକଙ୍କଦ୍ଵାରା ବିଶେଷ ପ୍ରଶଂସା ଅର୍ଜନ କଲା । ଦିଲ୍ଲୀରେ ରେଡ଼ିଓର ଶ୍ରୀ ଯତୀନ୍ ଦାସ ଆମ ସହ ବହୁମତେ ସହଯୋଗ କଲେ ।

 

ଓଡ଼ିଶୀ ସେମିନାର :

 

୧୯୫୭ରେ ପରିଷଦଦ୍ଵାରା ଗୋଟିଏ ଓଡ଼ିଶୀ ସଙ୍ଗୀତ ସେମିନାର ଆୟୋଜିତ ହେଲା-। ଏହି ସେମିନାର ଡକାଇବା ଲାଗି ମୁଁ ବହୁ ଉଦ୍ୟମ କରିଥିଲି । କେତେକ ବାଧାବିଘ୍ନ ଏଡ଼ି ପୁରୀ ଜିଲା ସ୍କୁଲର ହଲରେ ତା ୧୬।୫।୫୭ ରିଖରେ ଅନୁଷ୍ଠିତ ହେବାର ସ୍ଥିର ହେଲା । ଏହି ଉପଲକ୍ଷେ ‘ଓଡ଼ିଶୀ ସଙ୍ଗୀତର ରୂପରେଖ’ ନାମରେ ଖଣ୍ଡିଏ ବହି ଲେଖିଲି । ସଙ୍ଗୀତଜ୍ଞ ଶ୍ୟାମସୁନ୍ଦର ଧୀର ଏ ଲେଖା ଲାଗି ସାହାଯ୍ୟ ଦେଲେ । ବହିଟିର ମୁଦ୍ରଣ ଭାର ପରିଷଦ ଗ୍ରହଣ କଲେ । ପରିଷଦର କେତେକ ସଭ୍ୟ ଏ ଲେଖା ଲାଗି ପରିଷଦରୁ ଅର୍ଥ ଗ୍ରହଣ କରିଛି ବୋଲି ରଟନା କରିବାରୁ, ମୁଁ ପରିଷଦକୁ ଅନୁରୋଧ କରି ଗୋଟିଏ ବୈଠକ ଆହ୍ଵାନ କରାଇଥିଲି । ତହିଁରେ ପ୍ରାଣନାଥବାବୁ, ବିମଳବାବୁ ଓ ପରିଷଦର ସଭ୍ୟମାନଙ୍କ ଉପସ୍ଥିତିରେ ପ୍ରମାଣିତ କରାଇଲି ଯେ, ମୁଁ ଏ ବହିଟି ଲାଗି ପରିଷଦରୁ ଆଦୌ ଅର୍ଥଗ୍ରହଣ କରି ନାହିଁ । ଓଡ଼ିଶୀ ସଙ୍ଗୀତର ବିଶିଷ୍ଟତା ଓ ମୌଳିକତା ପ୍ରମାଣ ଲାଗି ଏହା ମୋର ଏକ ପ୍ରଚେଷ୍ଟା । କେବଳ ଛପାଇବା ଖର୍ଚ୍ଚ ପରିଷଦ ବହନ କରିଥିଲେ ।

 

ଓଡ଼ିଶୀ ସଙ୍ଗୀତ ସମ୍ବନ୍ଧରେ ଏକ ସେମିନାର ଆୟୋଜନ ଓଡ଼ିଶାରେ ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସେମିନାରରେ ଗଞ୍ଜାମର କେତେକ ସଙ୍ଗୀତଜ୍ଞ ବକ୍ତୃତା ଦେଇଥିଲେ ଏବଂ ଲିଖିତ ପ୍ରବନ୍ଧମାନ ମଧ୍ୟ ପାଠ କରିଥିଲେ । ସେଗୁଡ଼ିକ ଅନୁଲିଖିତ ହୋଇ ରଖାଗଲା ଓଡ଼ିଆ ସର୍ଟହାଣ୍ଡ କରାଯାଇ । ମୁଁ ତହିଁର ଏକ ପ୍ରସ୍ତ ନକଲ ମଧ୍ୟ ସଂରକ୍ଷିତ କଲି । ତାହା ଖଣ୍ଡିଏ ପୁସ୍ତକ ହେବ । ପରିଷଦ ଏଥପ୍ରତି କୃପାଦୃଷ୍ଟି ଦେଲେ ନାହିଁ । ଅବଧି ସେଗୁଡ଼ିକ ମୋ ନିକଟରେ ରହିଛି । ସେଥିମଧ୍ୟରୁ କେତେକ ବକ୍ତୃତାରେ ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ରତା ବିରୋଧରେ ନାନାକଥା କୁହାଯାଇଛି । କୁମ୍ଭାର ଚକରେ କଳେବର ବୃଦ୍ଧି ଦୃଷ୍ଟିରୁ ସେଗୁଡ଼ିକ ପ୍ରକାଶ କରିବାରୁ ବିରତ ହେଲି । ଅତି ଦୁଃଖର ସହିତ ପ୍ରକାଶ କରୁଛି ଯେ ସ୍ଵର୍ଗତ ଲିଙ୍ଗରାଜ ପାଣିଗ୍ରାହୀ ମହୋଦୟ ମଧ୍ୟ ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ରତା ସମ୍ବନ୍ଧେ ବିରୋଧ ମତ ପ୍ରକାଶ କରିଥିଲେ । ସ୍ଵର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଓଡ଼ିଶୀ ସଙ୍ଗୀତର ମୌଳିକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଓଡ଼ିଆ ଛାନ୍ଦ, ଚଉତିଶା ଓ ପୁରାତନ କବି ଯଥା, ବନମାଳୀ, କବିସୂର୍ଯ୍ୟ ପ୍ରଭୃତିଙ୍କର ରଚିତ ଗୀତ ରସାନୁସାରୀ ଗାଇ ଓଡ଼ିଶୀ ସଙ୍ଗୀତର ପରମ୍ପରା ଓ ସ୍ଵତନ୍ତ୍ରତା ମୁଁ ପ୍ରତିପାଦିତ କରିଥିଲି ।

 

ଓଡ଼ିଶୀ ସଙ୍ଗୀତ ଦାକ୍ଷିଣାତ୍ୟ ସଙ୍ଗୀତ ରୀତିରେ ପରିଚାଳିତ ବୋଲି ଗଞ୍ଜାମରୁ ଆଗତ ଅନେକ ସଙ୍ଗୀତକାର ନାନାମତେ ପ୍ରମାଣିତ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ ହେଁ ସେମିନାରରେ ଉପସ୍ଥିତ ଗୁଣୀଜନମାନେ ସେମାନଙ୍କ ସହିତ ସହମତ ହୋଇ ନ ଥିଲେ ।

 

ଶ୍ରୀମତୀ ଇନ୍ଦ୍ରାଣୀ ରହେମାନ୍ :

 

ଏହି ସେମିନାରବେଳେ ଦିଲ୍ଲୀରୁ ଶ୍ରୀମତୀ ଇନ୍ଦ୍ରାଣୀ ରହେମାନ୍ ପୁରୀକୁ ଆସି ସଭାରେ ଯୋଗ ଦେଇଥିଲେ । ସେ ଭାରତନାଟ୍ୟମ୍‌ର ଜଣେ ପ୍ରସିଦ୍ଧା ନର୍ତ୍ତକୀ । ସେତେବେଳେ ପରିଷଦରୁ ମାସିକ ଚାଳିଶ ଟଙ୍କା ବୃତ୍ତି ଭୋଗ କରି ଶ୍ରୀ ଦେବପ୍ରସାଦ ଦାସ ମୋ ନିକଟରେ ଓଡ଼ିଶୀ ନୃତ୍ୟ ସମ୍ବନ୍ଧେ ଶିକ୍ଷା ଲାଭ କରୁଥିଲେ । ତାଙ୍କର ଓ ତାଙ୍କଠାରୁ ତାଲିମପ୍ରାପ୍ତା କେତେଜଣ ଛାତ୍ରୀ ସଭାରେ ଓଡ଼ିଶୀନୃତ୍ୟ ପ୍ରଦର୍ଶନ କରିଥିଲେ । ଶ୍ରୀମତୀ ରହେମାନ୍ ଓଡ଼ିଶୀ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ଶିକ୍ଷା ନିମିଭ ମୋତେ ଅନୁରୋଧ କରିବାରୁ ମୁଁ ଶ୍ରୀ ଦାସଙ୍କୁ କହି ତାଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷାଦେବାର ବ୍ୟବସ୍ଥା କଲି । ଶ୍ରୀମତୀ ରହେମାନ୍ ମୋଠାରୁ ଓଡ଼ିଶୀ ନୃତ୍ୟର ବିଶେଷତ୍ଵ ଓ ସ୍ଵତନ୍ତ୍ରତା ସମ୍ବନ୍ଧେ ତଥ୍ୟାତ୍ମକ ଶିକ୍ଷା ସୂଚନା ମଧ୍ୟ ଗ୍ରହଣ କଲେ । ପରେ ଶ୍ରୀ ଦାସ ତାଙ୍କୁ ଓଡ଼ିଶୀନୃତ୍ୟ ଶିକ୍ଷା ଦେଲେ । ବିଦେଶରେ ପ୍ରଥମେ ଓଡ଼ିଶୀନୃତ୍ୟ ପ୍ରଚାର ପ୍ରସାରରେ ପ୍ରଥମ ନର୍ତ୍ତକୀ ଶ୍ରୀମତୀ ଇନ୍ଦ୍ରାଣୀ ରହେମାନ୍ ତାଙ୍କର ନୃତ୍ୟଗୁରୁ ଶ୍ରୀ ଦେବପ୍ରସାଦ ଏ ସମ୍ବନ୍ଧେ ଅଗ୍ରଣୀ । ଓଡ଼ିଶା ନୃତ୍ୟ ସଙ୍ଗୀତ ନାଟ୍ୟକଳା ପରିଷଦ ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ରୂପେ ନାମିତ ହୋଇଅଛି ।

 

ଓଡ଼ିଶୀ ସଙ୍ଗୀତ ସମ୍ପର୍କ (୧୯୫୫) :

 

ସଙ୍ଗୀତ କହିଲେ–‘‘ଗୀତ ବାଦିତ୍ର ନୃତ୍ୟାଣାମ୍ ତ୍ରୟଂ ସଙ୍ଗୀତମୁଚ୍ୟତେ’’ ବୁଝାଏ । ପିଲାଦିନରୁ ତ ମୋର ସଙ୍ଗୀତ ପ୍ରତି ଆଦର ଥିଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଗୀତ, ବାଦ୍ୟ, ନାଚ ଓ ନାଟକ ପ୍ରତି ଶ୍ରଦ୍ଧା ବଢ଼ିଲା । ଯୁବକବେଳେ ମୁଁ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷାକଲି ଗୟା ଉପରଡିହୀର ବିଖ୍ୟାତ ସଙ୍ଗୀତ ଓସ୍ତାଦ ଶ୍ରୀ ବନୱାରୀ ମିଶ୍ରଙ୍କଠାରୁ । ସେ ଭାରତ ବିଖ୍ୟାତ ଓସ୍ତାଦ ହନୁମାନଜୀଙ୍କ ଶିଷ୍ୟ । ପ୍ରାୟ ୫।୬ ବର୍ଷ କାଳ ମୁଁ ମୋ ଓସ୍ତାଦଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କଲି ଗୟା, ବାରିପଦା, ପୁରୀ ଓ କଟକରେ ।

 

ହିନ୍ଦୁସ୍ତାନୀ ଧାରାର ସଙ୍ଗୀତ–ଶିକ୍ଷା ମୋତେ ସଙ୍ଗୀତ ଶାସ୍ତ୍ର ଅଧ୍ୟୟନର ପ୍ରେରଣା ଦେଲା-। ଓଡ଼ିଶୀ ପ୍ରତି ମୋର ପିଲାଦିନରୁ ଆଦର ଥିଲେ ମଧ୍ୟ ମୁଁ ଏହାର ସ୍ଵତନ୍ତ୍ରତା ବା ବିଶେଷତ୍ଵ ସମ୍ବନ୍ଧେ କିଛି ଜାଣି ନ ଥିଲି । କେବଳ ଗୀତ ଗୋଟିକେତେ ଶିଖାଇବା ଛଡ଼ା କେହି ଏହାର ତଥ୍ୟାତ୍ମକ ଭେଦ ମୋତେ କହି ନ ଥିଲେ । ସତ କହିବାକୁ ଗଲେ ବୋଧହୁଏ କେହି ସେଭଳି ଶିକ୍ଷକ ନ ଥିଲେ, ମୋ ଜାଣିବାରେ, କିନ୍ତୁ ଓଡ଼ିଶୀ ସଙ୍ଗୀତ ମୋତେ ଅକଥନୀୟ ଆନନ୍ଦ ଦିଏ । ଦେଶରୁଚି, କୃଷ୍ଟି ବା ଯାହାହେଉ ଓଡ଼ିଶୀ ଗୀତ, ଓଡ଼ିଆ ସଂସ୍କୃତି ଓ ଆମ ଚାଲିଚଳଣିର ମୁଁ ବଡ଼ ଭକ୍ତ-। କ୍ରମେ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଓଡ଼ିଶୀ ଗୀତ-ନୃତ୍ୟ ଇତ୍ୟାଦିର ପ୍ରଚାର ପ୍ରସାର ଲାଗି ମୁଁ ସଚେଷ୍ଟ ହେଲି । କେତେକ ପୁରୁଣା ସାହିତ୍ୟ ଓ ସଙ୍ଗୀତ ପୋଥି ପଢ଼ା ମୋତେ ଏ ଦିଗରେ ଯଥେଷ୍ଟ ପ୍ରେରଣା ଦେଲା । ଓଡ଼ିଶାର ପୁରପଲ୍ଲୀରେ ସମୟେ ସମୟେ ଅନୁଷ୍ଠିତ ନୃତ୍ୟ ସଙ୍ଗୀତ ଉତ୍ସବରେ ଯୋଗଦେବାର ସୁଯୋଗ ତ ପାଏଁ, ତା’ଛଡ଼ା ଓଡ଼ିଶା ବାହାରେ ମାନ୍ଦ୍ରାଜ, ଦିଲ୍ଲୀ ଓ କଲିକତାର ସଙ୍ଗୀତ ସମାରୋହମାନଙ୍କରୁ ମଧ୍ୟ ନିମନ୍ତ୍ରଣ ପାଏଁ । ସବୁସ୍ଥାନର ଘଟଣା ଲେଖିବା ସମ୍ଭବପର ନୁହେଁ । ତାହାହେଲେ ‘କୁମ୍ଭାରଚକ’ର କଳେବର ବଢ଼ିଯିବ । ନିମ୍ନରେ କେତୋଟି ବିଶେଷ ବିଶେଷ ସ୍ଥାନରେ ଯୋଗଦେଇ ମୋର କର୍ତ୍ତବ୍ୟ ପାଳନର ଘଟଣା ଲେଖୁଛି ।

 

ଦିଲ୍ଲୀରେ ପ୍ରଥମ ଓଡ଼ିଆ ନୃତ୍ୟନାଟିକା :

 

୧୯୫୫ ସାଲ । ସେତେବେଳକୁ ଓଡ଼ିଶାରେ “ନୃତ୍ୟ ସଙ୍ଗୀତ ନାଟ୍ୟକଳା ପରିଷଦ” ନାମ ଅନୁଷ୍ଠାନ କଟକରେ ଗଢ଼ା ହୋଇଥିଲା । ମୁଁ ପରିଷଦ ଆରମ୍ଭରୁ ସଭ୍ୟରୂପେ ଗୃହୀତ ହୋଇଥାଏ ।

 

ଗୋଟିଏ ନୃତ୍ୟନାଟିକା ଦିଲ୍ଲୀରେ ପରିବେଷିତ ହେବାଲାଗି ଆହ୍ୱାନ ପାଇ ପରିଷଦ ମୋତେ ନୃତ୍ୟନାଟିକାଟିଏ ଲେଖିବାକୁ ଅନୁରୋଧ କଲେ । ସାକ୍ଷିଗୋପାଳ ନୃତ୍ୟନାଟିକାଟି ଲେଖି ତହିଁର ଗୀତଗୁଡ଼ିକର ସ୍ଵରତାଳ ନିର୍ଦ୍ଦେଶ କରି, ରିହର୍ସାଲ ଆରମ୍ଭ କରିଦେଲି । ଶ୍ରୀରାମଚନ୍ଦ୍ର ଭବନରେ । ନୃତ୍ୟ ଗୀତରେ ସହଯୋଗ କଲେ ଶ୍ରୀ ଭୁବନେଶ୍ଵର ମିଶ୍ର, ଶ୍ରୀ କେଳୁଚରଣ ମହାପାତ୍ର, ଶ୍ରୀ ପଙ୍କଜ ଚରଣ ଦାସ ଇତ୍ୟାଦି ବିଶିଷ୍ଟ କଳାକାରଗଣ ।

 

ତା ୧୯।୧୧।୫୫ ରିଖରେ ପରିଷଦ ପକ୍ଷରୁ ଶ୍ରୀ ବିମଳ ଘୋଷଙ୍କ ଅଧ୍ୟକ୍ଷତାରେ ଦଳ ଏଠାରୁ ଦିଲ୍ଲୀ ଗଲା । ଦିଲ୍ଲୀର ତାଳ କୋଟ୍ରାଗାର୍ଡ଼ନରେ ଦୁଇ ତିନିଗୋଟି ତମ୍ବୁ ମଧ୍ୟରେ ରହିବା ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ହୋଇଥିଲା ।

 

ମୋର ବାରିପଦା ଛାତ୍ରଦଳରୁ ମଧ୍ୟ କେତେକ ନର୍ତ୍ତକ ଏହି ସମାରୋହରେ ଯୋଗ ଦେବାକୁ ଆସିଥାଆନ୍ତି । ଆମେ ସମସ୍ତେ ଏକାଠି ରହିଲୁ । ମନେଅଛି ଭାରି ଶୀତ ପଡ଼ିଥାଏ ସେତେବେଳେ ।

 

ଗୀତ ଓ ନୃତ୍ୟ ସମ୍ପୂର୍ଣ୍ଣ ଓଡ଼ିଶୀ ଶୈଳୀରେ ରଚିତ ଓ ପରିବେଷିତ ହେଲା, ତାଲକୋଟସରେ ନିର୍ମିତ ମଞ୍ଚରେ ! ଏଥିରେ ମଞ୍ଚପ୍ରବେଶ, ବିଘ୍ନରାଜ ପୂଜା ପ୍ରଭୃତି ସଂଯୋଜିତ ହୋଇଥଲା । ଏବେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନବେଳେ ଓଡ଼ିଶୀ ନୃତ୍ୟ ଗୁରୁମାନେ ମୋର ସେ ସାକ୍ଷିଗୋପାଳ ନୃତ୍ୟନାଟିକାର ବିଘ୍ନରାଜ ପୂଜା ଲାଗି ରଚିତ “ପଦ ବନ୍ଦେ ଗଣନାଥ, ଜୟ ତବ ଜୟ ହେ’’ ଗୀତଟିର ଉପଯୋଗ କରୁଛନ୍ତି ।

 

ଦିଲ୍ଲୀରେ ପରିବେଷିତ ପ୍ରଥମ ଓଡ଼ିଆ ନୃତ୍ୟନାଟିକା ‘ସାକ୍ଷିଗୋପାଳ’ ଦର୍ଶକମଣ୍ଡଳୀଙ୍କଦ୍ଵାରା ବିଶେଷ ପ୍ରଶଂସା ଲାଭ କରିଥିଲା ।

 

ଦିଲ୍ଲୀରେ କବିତା ପାଠ (୧୯୫୬) :

 

କଟକ ଆକାଶବାଣୀରେ ଷ୍ଟେସନ୍ ଡାଇରେକ୍ଟର ନ ଥାଇ ଜଣେ ଆସିଷ୍ଟାଣ୍ଟ ଷ୍ଟେସନ୍ ଡାଇରେକ୍ଟର ଥିଲେ । ତାଙ୍କ ନାମ ଶ୍ରୀ ଏମ୍.ସି. ବସୁ । ଦିଲ୍ଲୀରୁ ଓଡ଼ିଆରେ ଆଧୁନିକ କବିତା ପାଠ ପାଇଁ କଟକର କେତେଜଣ କବିଙ୍କୁ ପଠାଇବା ପ୍ରସ୍ତାବ ଆସିଥିଲା । ଶ୍ରୀ ବସୁ ମୋ ନାମ ନ ଦେଇ ଅନ୍ୟ ଜଣକର ନାମ ପଠାଇଥିଲେ । ମାତ୍ର ଦିଲ୍ଲୀ ଆକାଶବାଣୀରୁ ମୋ ନାମ ପ୍ରସ୍ତାବ ଆସିବାରୁ ଶ୍ରୀ ବସୁ ବାଧ୍ୟ ହୋଇ ଶ୍ରୀ ସୁରେନ୍ ମହାନ୍ତିଙ୍କ ସହିତ ୨୦ ତାରିଖ ଅପ୍ରେଲ (୧୯୫୬)ରେ ମୋ ଘରକୁ ଆସି ୨୯।୪।୫୬ ତାରିଖରେ ଦିଲ୍ଲୀ ଆକାଶବାଣୀରେ କବିତା ଆବୃତ୍ତି ପ୍ରଚାରିତ ହେବାକୁ ମୁଁ ଦିଲ୍ଲୀ ଯିବି ବୋଲି କହିଲେ । ମୁଁ ୨୨ ତାରିଖରେ ମୋ ଲେଖା କବିତାଟି ଶ୍ରୀ ମହାନ୍ତିଙ୍କୁ ଦେଲି । ମୁଁ, ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ତା ୨୬।୪।୫୬ ରିଖରେ ଦିଲ୍ଲୀ ଯିବାଲାଗି କଲିକତା ଏକ୍ସପ୍ରେସ୍ ଧରିଲୁଁ ।

 

କଲିକତାଠାରୁ ଦିଲ୍ଲୀ ଯିବା ଗାଡ଼ିରେ ମୋ ଓଡ଼ିଆ ଲେଖା ‘ମରଣ ବରଣ କର’ କବିତାଟି ଓ କଟକ ରେଡ଼ିଓରୁ ତାହାର ଇଂରାଜୀ ଅନୁବାଦଟି ପଢ଼ାଗଲା । ଅନୁବାଦ କିଏ କରିଥିଲେ କେଜାଣି, ମନେହେଲା ସେ ମୋ ଓଡ଼ିଆ କବିତା ଲେଖାର ମର୍ମ ମଧ୍ୟ ବୁଝିପାରି ନ ଥିଲେ । ଆମେ ତାକୁ ଆଉଥରେ ଠିକଣା କରିଦେଲୁଁ ।

 

କାଳିନ୍ଦୀବାବୁ ତାଙ୍କ ପୂର୍ବ ପରିଚିତ ଦିଲ୍ଲୀ ରୋହତକ ରୋଡ଼ର Paying Guest House ‘ବସନ୍ତ’ର ମାଲିକଙ୍କ ପାଖକୁ ଆଗରୁ ଚିଠି ଦେଇଥିଲେ । ତାଙ୍କ ନାମ ଶ୍ରୀ କୌଶିକ । ସେ ଦିଲ୍ଲୀ ରେଳଷ୍ଟେସନଠାରୁ ଆମମାନଙ୍କୁ ସାଥିରେ ନେଇଗଲେ । ୨୯ ତାରିଖ ସକାଳଓଳି ସାପ୍ରୁ ହାଉସ୍‌କୁ ଗଲୁ । କାଳିନ୍ଦୀବାବୁ ତାଙ୍କ ଭାଷଣ ପଢ଼ିଲେ । ଉପରଓଳି ନେହେରୁଜୀଙ୍କ କୋଠିରେ ଟି ପାର୍ଟିରେ ତାଙ୍କ ସହିତ ଆଳାପ ପରିଚୟ ହେଲା । ତହିଁପରଦିନ ୧୦ଟାରେ ସାପ୍ରୁ ହାଉସ୍ ସଭାରେ ମୁଁ ‘ମରଣ ବରଣ କର’ କବିତା ପଢ଼ିଲି । ଆଲାହାବାଦ ଆକାଶବାଣୀର ଶ୍ରୀ ଭାରତ ରତ୍ନ ମୋ କବିତାର ସୁନ୍ଦର ହିନ୍ଦୀ ଅନୁବାଦ କରି ସେହି ସଭାରେ ପଢ଼ିଥିଲେ । ସଭାରେ ମୋ କବିତାଟି ପସନ୍ଦ ହେଲା, ଉପସ୍ଥିତି ସାହିତ୍ୟିକ ଓ ସାହିତ୍ୟ ପ୍ରେମୀମାନଙ୍କଦ୍ଵାରା ।

 

ଏଇଠି ମଧ୍ୟାହ୍ନ ଭୋଜନବେଳେ ସେଠାକୁ କଲିକତାରୁ ଆସିଥିବା ବିଶିଷ୍ଟ ସାହିତ୍ୟିକ ଓ ଔପନ୍ୟାସିକ ତାରାଶଙ୍କରବାବୁ, ଶ୍ରୀ ପ୍ରଥମନାଥ ବିଶି ଓ ହେମନ୍‌ବାବୁଙ୍କ ସହ ଆଳାପ ପରିଚୟ ହେଲା । ସେମାନେ ମୋ କବିତାଟିର ଗୋଟିଏ ଗୋଟିଏ କପି ମାଗିନେଲେ ହିନ୍ଦୀ ଅନୁବାଦ ସହ । ଦିଲ୍ଲୀ ଆକାଶବାଣୀର କର୍ମକର୍ତ୍ତା ଶ୍ରୀଯୁକ୍ତ ମାଥୁର ଓ ବିଭାଗୀୟ ମନ୍ତ୍ରୀ ଡଃ କେଶ୍‌କାରଙ୍କ ସହ ଦେଖାକଲୁଁ । କଥା ପଡୁପଡୁ ସେମାନେ କଟକ ରେଡ଼ିଓ ଷ୍ଟେସନ୍‌ରେ ଦୁଇଜଣ ପ୍ରଡ୍ୟୁସର ନିଯୁକ୍ତି ହେବା କଥା କହି କାଳିନ୍ଦୀବାବୁ ଓ ମୋତେ ଏଥିପାଇଁ ମନେମନେ ବାଛିଥିବାର କହିଲେ ।

 

୧୯୫୬ ମେ ୨ ତାରିଖ ଦିନ ଦିଲ୍ଲୀରୁ ଫେରିଲୁଁ । ବାଟରେ ନିତ୍ୟାନନ୍ଦ ମହାପାତ୍ର ପାଟଣାଠାରେ ରହିଲେ । ମୁଁ ମଧ୍ୟ ହାଓଡ଼ାରେ ଓହ୍ଲାଇ କଲିକତାର ହିନ୍ଦୁସ୍ତାନ ରେକର୍ଡ଼ କମ୍ପାନୀକୁ ଗଲି । ଏଠାରେ କମ୍ପାନୀର ପରିଚାଳକ ଯାମିନୀବାବୁଙ୍କ ସହ ମୋର ‘ସୁରଲେଖା’ ରେକର୍ଡ଼ କମ୍ପାନୀର ରେକର୍ଡ଼ ପ୍ରସ୍ତୁତି ସମ୍ବନ୍ଧେ କଥାବାର୍ତ୍ତା ଶେଷକରି ୩ ତାରିଖ ମାନ୍ଦ୍ରାଜ ମେଲ୍‌ରେ କଟକ ଫେରିଲି ।

 

ଓଡ଼ିଶାରେ ଏତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ଶ୍ରୀ ନବକୃଷ୍ଣ ଚୌଧୁରୀ । କଟକ ରେଡ଼ିଓରେ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ୍ ଶ୍ରୀ ସୁରେନ୍ ମହାନ୍ତି ନବବାବୁଙ୍କର ନିକଟ ସମ୍ପର୍କୀୟ ବନ୍ଧୁ ।

 

ହଠାତ୍ ୧୯୫୬ ଡିସେମ୍ବର ଆଠ ତାରିଖରେ ଶୁଣିଲି କଟକ ରେଡ଼ିଓ ଷ୍ଟେସନରେ ସୁରେନ୍‌ବାବୁ Drama Producer ଭାବେ ନିଯୁକ୍ତି ପାଇଲେ । ଆଶ୍ଚର୍ଯ୍ୟ ହେଲି ଯେ ଦିଲ୍ଲୀର ଉଚ୍ଚମହଲରେ ପ୍ରସ୍ତାବିତ ଘଟଣାର ଏପରି ପରିବର୍ତ୍ତନ ହେଲା କିପରି ?

 

କେତେ ଲୋକଙ୍କଠାରୁ ଏ ସମ୍ବନ୍ଧେ କେତେ କଥା ଅବଶ୍ୟ ଶୁଣିଲି । ବିଚାରିଲି, ଯାହା ହେବାର ତାହା ହୁଏ । ଦୁଃଖ କରିବାର କ’ଣ ଅଛି ?

 

ମାନ୍ଦ୍ରାଜ ସଙ୍ଗୀତ ସମ୍ମିଳନୀ (୧୯୫୮) :

 

ଉତ୍କଳ ସଙ୍ଗୀତ ସମାଜ ପରେ ପରେ କଟକରେ କେତୋଟି ସଙ୍ଗୀତ ଅନୁଷ୍ଠାନ ଗଢ଼ାହେଲା । ନ୍ୟାସନାଲ ମ୍ୟୁଜିକ ଆସୋସିଏସନ୍‍ ଓ କଳାବିକାଶ କେନ୍ଦ୍ର ଏଥି ମଧ୍ୟରେ ପ୍ରଧାନ ।

 

କଳାବିକାଶ କେନ୍ଦ୍ର ପ୍ରତିଷ୍ଠାର ଉଦ୍ୟମ କଲେ ଶ୍ରୀ ବାବୁଲାଲ ଦୋଶୀ । ପ୍ରତ୍ୟକ୍ଷରେ ଅନୁଷ୍ଠାନଠାରୁ ଦୂରରେ ଥିଲେ ମଧ୍ୟ ମୋର ସହାନୁଭୂତିର ଊଣା ନ ଥାଏ । ବାବୁଲାଲ ବଡ଼ ଯୋଗାଡ଼ି ଲୋକ ।

 

୧୯୫୭ ଡିସେମ୍ବରରେ ସେ ମୋ ସହିତ ମାନ୍ଦ୍ରାଜ ଯିବା ପ୍ରସ୍ତାବ ବାଢ଼ିଲେ । ମାନ୍ଦ୍ରାଜ Indian Institute of Fine Arts ସଂସ୍ଥାର ଏକ ସଙ୍ଗୀତ ସମାରୋହ ବ୍ୟବସ୍ଥା ହୋଇଥାଏ-। କଳାବିକାଶ କେନ୍ଦ୍ର ନିମନ୍ତ୍ରିତ ହୋଇଥା’ନ୍ତି । ମୁଁ ମଧ୍ୟ ଯୋଗଦେବାକୁ ଡାକରା ପାଇଥାଏଁ-

 

୧୯୫୭ ଡିସେମ୍ବର ଶେଷ ସପ୍ତାହରେ ମୁଁ ମାନ୍ଦ୍ରାଜ ସଭାରେ ପାଠ କରିବାକୁ ଓଡ଼ିଶୀ ସଙ୍ଗୀତ ସମ୍ବନ୍ଧେ ଗୋଟିଏ ପ୍ରବନ୍ଧ ଲେଖିଲି ।

 

ସେଠାର Indian Institute of Fine Arts ସେକ୍ରେଟାରୀ ଥାଆନ୍ତି ଶ୍ରୀ ପି.ଏସ୍. ଶାମ୍ବମୂର୍ତ୍ତି ଆୟଙ୍ଗାର B.A. BL. ତାଙ୍କ ଘର ଥାଏ ୭୨ ନମ୍ବର ହାଇରୋଡ଼ ଇଗ୍‌ମୋର, ମାନ୍ଦ୍ରାଜ (୮)ରେ ।

 

ମୁଁ, ବାବୁଲାଲ ବାବୁ, ବାଳକୃଷ୍ଣ ଦାସ, କେଳୁଚରଣ ମହାପାତ୍ର ଓ ଅଙ୍ଗୁରବାଳା ରାୟ ମିଶି ମାନ୍ଦ୍ରାଜ ଯାଇ ଶ୍ରୀ ଶାମ୍ବମୂର୍ତ୍ତିଙ୍କ ସହିତ ୧୯୫୮ ଜାନୁଆରୀ ପହିଲା ଦିନ ସାକ୍ଷାତ କଲୁଁ । ମୁଁ ତାଙ୍କ ସହିତ କଥାବାର୍ଭା ହୋଇ ସେହିଦିନ ଚାରିଟାବେଳେ ମାନ୍ଦ୍ରାଜ ମ୍ୟୁଜିକ ଏକାଡ଼େମୀର Convocationରେ ଯୋଗ ଦେବାକୁ ଗଲି । ସେଠାରେ ସଙ୍ଗୀତ ବିଦ୍ୱାନ୍‌ମାନଙ୍କୁ ଉପାଧି ଦିଆଯାଉଥିଲା । ମୁଁ ଇଂରାଜୀରେ ଗୋଟିଏ ନାତିଦୀର୍ଘ ବକ୍ତୃତା ଦେଲି । ଡଃ. ଭି. ରାଘବନ୍ ଏଠାରେ ମୋତେ କେତେଖଣ୍ଡି ପୁସ୍ତକ ଉପହାର ଦେଲେ ।

 

ସୁପରିଚିତା ନୃତ୍ୟଶିଳ୍ପୀ କୁମାରୀ ସଂଯୁକ୍ତା ମିଶ୍ର ସେତେବେଳେ ଶ୍ରୀମତୀ ଋକ୍ମିଣୀ ଅରୁଣ୍ଡେଲଙ୍କ ପ୍ରତିଷ୍ଠିତ କଳାକ୍ଷେତ୍ରର ଛାତ୍ରୀ । କଳାକ୍ଷେତ୍ରରେ ‘ସୀତା ସ୍ଵୟଂବର’ ନୃତ୍ୟନାଟିକା ଅଭିନୀତ ହେଉଥାଏ । ମୁଁ ସେଠାକୁ ଯାଇ ତାହା ଉପଭୋଗ କଲି ।

 

ମୋର ମାନ୍ଦ୍ରାଜ ଅନୁଭୂତି ସମ୍ବନ୍ଧେ ଗୋଟିଏ ଲେଖା କଟକ ରେଡ଼ିଓ ଷ୍ଟେସନରେ ପଠିତ ଓ ପ୍ରଚାରିତ ହୋଇଥିଲା–ତା ୩୧।୩।୫୮ ରିଖରେ । ସେହି ପ୍ରବନ୍ଧଟିର କେତେକାଂଶ ପରେ ଲେଖୁଛି ।

 

ଗଲାମାସ ୨୮ ତାରିଖରେ ଦୁଇଟି ସଙ୍ଗୀତ ଅନୁଷ୍ଠାନର ଡାକରା ପାଇ ମୁଁ ପ୍ରଥମଥର ପାଇଁ ମାନ୍ଦ୍ରାଜ ଗଲି । ମାନ୍ଦ୍ରାଜ କର୍ଣ୍ଣାଟକୀ ସଙ୍ଗୀତର ପ୍ରଧାନ ପୀଠସ୍ଥଳୀ ଆଜିଯାଏ ସେଠାର ସଙ୍ଗୀତ ଅନୁଷ୍ଠାନମାନେ କୌଣସି ଓଡ଼ିଆ ଅନୁଷ୍ଠାନ ବା ସଙ୍ଗୀତ କଳାସେବୀଙ୍କୁ ନିମନ୍ତ୍ରଣ କରିଥିବା ଜଣା ନାହିଁ । ଆମ ଏଠାରୁ କଳାବିକାଶ କେନ୍ଦ୍ର ଏହି ପ୍ରଥମଥର ସେଠାକୁ ଗଲେ । ମୁଁ ଶ୍ରୀ ବାଳକୃଷ୍ଣ ଦାସ, କୁମାରୀ ଅଙ୍ଗୁରବାଳା ରାୟ, ଶ୍ରୀ କେଳୁଚରଣ ମହାପାତ୍ର ଓ କୁମାରୀ ସଂଯୁକ୍ତା ମାନ୍ଦ୍ରାଜର ସଙ୍ଗୀତ ଏକାଡ଼େମୀର ବୈଠକମାନଙ୍କରେ ଯୋଗ ଦେଇଥିଲୁ ।

 

ଓଡ଼ିଶୀ ସଙ୍ଗୀତର ସ୍ଵାତନ୍ତ୍ର୍ୟ ଓ ବିଶେଷତ୍ଵ ସମ୍ବନ୍ଧରେ ମୁଁ ଦୁଇଟି ପ୍ରବନ୍ଧ ପାଠ କରିଥିଲି, ୨୧ ତାରିଖ ଦିନ ନଅଟାବେଳେ–ଗୋଟିଏ ନୃତ୍ୟ ଓ ଅନ୍ୟଟି ସଙ୍ଗୀତ ସମ୍ବନ୍ଧରେ ।

 

ପ୍ରବନ୍ଧ ପାଠ ପରେ ସେଠାକାର ବହୁ ସଙ୍ଗୀତ ବିଦ୍ଵାନ୍ ମୋତେ ସଙ୍ଗୀତ ବିଷୟକ ପ୍ରଶ୍ନମାନ କରିଥିଲେ ଏବଂ କର୍ଣ୍ଣାଟକୀ ସଙ୍ଗୀତଠାରୁ ଓଡ଼ିଶୀ ସଙ୍ଗୀତର ପରିବେଷଣରେ କି ପାର୍ଥକ୍ୟ ଅଛି ତାହା ପ୍ରତିପାଦିତ କରିବାକୁ କହିଥିଲେ । ମୁଁ ଔପପାତ୍ତିକ (Theoritical) ପ୍ରମାଣମାନ ସମ୍ରାଟ ଖାରବେଳଙ୍କ କାଳରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଆମର ଥିବା ବିବିଧ ଅଭିଲେଖରୁ ଓ ସଙ୍ଗୀତ ଶାସ୍ତ୍ର ଲେଖକ କୃଷ୍ଣଦାସ, ନାରାୟଣ ମିଶ୍ର, ନାରାୟଣ ଗଜପତି ଓ ରଘୁନାଥ ରଥ ପ୍ରଭୃତି କେତେକ ସଙ୍ଗୀତାଚାର୍ଯ୍ୟମାନଙ୍କର ପୋଥିଲେଖାରୁ ବିଶେଷତ୍ୱମାନ ଉଦ୍ଧୃତ କରି ପ୍ରମାଣ ଦେଖାଇଥିଲି ଯେ ସେମାନେ କେହିହେଲେ କର୍ଣ୍ଣାଟକ ସଙ୍ଗୀତ ପ୍ରଚଳିତ ବାଆସ୍ତରି ମେଳ କଥା ଉଲ୍ଲେଖ କରି ନାହାନ୍ତି । ପୁଣି ଉତ୍କଳରେ ଗାଇବାର ସହଯୋଗୀ ତା’ର ଯନ୍ତ୍ରରୂପେ ନିସାରୀ ବୀଣା ବା ପର୍ଦ୍ଦାବିହୀନ ବୀଣାଯନ୍ତ୍ର ଅର୍ଥାତ୍ ତମ୍ବୁରା ବ୍ୟବହାର ବିଧି ଥିବାର ଉଲ୍ଲେଖ କରିଛନ୍ତି ଏବଂ ତହିଁ ସଙ୍ଗେ ସଙ୍ଗେ ସେମାନେ ଲେଖିଛନ୍ତି ଯେ ଦକ୍ଷିଣରେ ସାରୀ ବୀଣାର ପ୍ରଚଳନ ଅଛି । ତେଣୁ ଓଡ଼ିଶୀ ସଙ୍ଗୀତର ପରିବେଷଣ ରୀତି ପ୍ରୋକ୍ତ ଉଭୟବିଧ ଯନ୍ତ୍ରର ଅନୁସରଣ ପାର୍ଥକ୍ୟ ହେତୁ ସ୍ଵତନ୍ତ୍ର ହେବା ସ୍ଵାଭାବିକ । ଏହାଛଡ଼ା ଓଡ଼ିଶାରେ ନବତାଳର ପ୍ରଚଳନ ବିଧି ଅଛି । କର୍ଣ୍ଣାଟକରେ ସପ୍ତତାଳ ପ୍ରଚଳିତ ।

 

ଓଡ଼ିଶାରେ ଏହି ନବତାଳ ଛଡ଼ା ମଧ୍ୟ ନିସାରୀ ବା ନିଃସାରୁ ଓ କୁଡୁକ ତାଳ ଦୁଇଟିର ଉଲ୍ଲେଖ ଅଛି । ଆଉ କେତୋଟି ତାଳ ଓଡ଼ିଶାରେ ସ୍ଵତନ୍ତ୍ର ଭାବରେ ମଧ୍ୟ ନାମିତ ହୋଇ ଚଳେ । ସେଗୁଡ଼ିକ ଯଥା–ଝୁଲା, ପହପଟ, ଆଠତାଳି ଓ ସରିମାନ ଇତ୍ୟାଦି । ଓଡ଼ିଶୀ ସଙ୍ଗୀତର ତାଳ ସହଯୋଗ ପାଇଁ ମର୍ଦ୍ଦଳ ହିଁ ଉପଯୁକ୍ତ ବାଦ୍ୟଯନ୍ତ୍ର । ଏହାର କେତେକ ବାଣୀ ବା ଉକୁଟରେ ଓଡ଼ିଶୀ ସ୍ଵତନ୍ତ୍ରତା ରହିଛି । ଗୀତ ସହ ସଙ୍ଗୀତ ବୋଲିବାବେଳେ ଓଡ଼ିଆ ବାଦ୍ୟକାର ଲୟର ଅନୁସରଣ କରେ । କର୍ଣ୍ଣାଟକ ବାଦ୍ୟକାର ଗୀତର ଛନ୍ଦ ଅନୁସାରୀ ହୁଏ, ପୁଣି ପ୍ରତ୍ୟେକ ଚରଣ ଗାଇବା ପରେ ଓଡ଼ିଶୀ ବାଦ୍ୟକାର କାଟଣ ଦେଇ (ତିହାଇ) ଗାୟକକୁ ଆଉ ଅପେକ୍ଷା ନ କରାଇ ଘୋଷା ଧରିବାକୁ ସୁଯୋଗ ଦିଏ କିନ୍ତୁ କର୍ଣ୍ଣାଟକ ବାଦ୍ୟକାର ତା’ର ବାଦ୍ୟ ଶେଷ କରିବାଯାଏ ଗାୟକ ଚରଣ ଗାଇସାରି ଘୋଷା ଧରିବାକୁ ଅପେକ୍ଷା କରେ । ଗୀତରେ ପଡ଼ି ସଂଯୋଗ ପ୍ରଥା ଆମର ଏକ ବିଶେଷତ୍ଵ ।ଏହାଛଡ଼ା ଛାନ୍ଦଗୁଡ଼ିକର ରାଗ ଓ ଛନ୍ଦ କଳ୍ପନା ସମ୍ବନ୍ଧେ ମୁଁ କେତେକ କଥା ବୁଝାଇଥିଲି ।

 

ତହିଁପରେ ନୃତ୍ୟ ସମ୍ବନ୍ଧେ ଏକ ପ୍ରବନ୍ଧପାଠ କରି ଓଡ଼ିଶୀ ନୃତ୍ୟର ପରମ୍ପରାକ୍ରମ ଶାସ୍ତ୍ର ବଚନ ସହିତ କିପରି ମେଳ ଅଛି, ତାହା ସ୍ପଷ୍ଟଭାବେ ଦର୍ଶାଇଥିଲି ।

 

ସେହିଦିନ ସାଢ଼େବାରଟାବେଳେ ଓଡ଼ିଶୀ ଗୀତ ଓ ନୃତ୍ୟର କ୍ରିୟାତ୍ମକ ପ୍ରଦର୍ଶନୀ (Practical demonstration) ହେଲା । ଏହା ସୁଦୂର ଦକ୍ଷିଣାଞ୍ଚଳରେ ସର୍ବପ୍ରଥମ ବୋଲି ଦୃଢ଼ ଭାବରେ କହିବି । ଅନ୍ୟୂନ ଚାରିହଜାର ଦର୍ଶକ ଆମ ଓଡ଼ିଶୀ ଗୀତ ଓ ନୃତ୍ୟ ଦେଖିବା ପାଇଁ ସମବେତ ହୋଇଥିଲେ । ମୁଁ ଗୋଟିଏ ବିଶେଷ କଥା ଅନୁଭବ କଲି ଯେ, ଚାରିଜଣ ଲୋକ ଥିବା ଭଳି ଗୋଳମାଳ ମଧ୍ୟ ସେଠାରେ ହେଉ ନ ଥିଲା । କେବଳ ସେତିକି ନୁହେଁ, ମୁଁ ଅଧିକାଂଶ ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା ଏବଂ ବାଳକ ବାଳିକାଙ୍କୁ ହାତରେ ଗୀତ ଓ ନୃତ୍ୟ ସମୟରେ ତାଳ ଦେଉଥିବାର ଦେଖିଲି ।

 

ଏଠାରେ ମୁଁ ରାଗର ବର୍ଣ୍ଣନା ଓ ପରିଚୟ ଦେଲି । ଶ୍ରୀ ବାଳକୃଷ୍ଣ ଦାସ ପ୍ରଥମେ ‘ସାବେରୀ’ ରାଗର ଚମ୍ପୂରୁ ଗୀତଟିଏ ଗାଇଲେ । ଏହି ରାଗଟି ଓଡ଼ିଶାରେ ସମ୍ପୂର୍ଣ୍ଣ ନିଷାଦ ସ୍ଵର ବର୍ଜିତ ହୋଇ ପ୍ରଚଳିତ । ଏହି ରାଗଟି ପାରିଜାତ ପ୍ରଭୃତି ଶାସ୍ତ୍ରୀୟ ରୀତିର ଅନୁସରଣରେ ରଚିତ । ଏହାପରେ କଲ୍ୟାଣ ରାଗର ଗୀତ ମଧ୍ୟ ସେ ଗାଇଥିଲେ । କଲ୍ୟାଣ ରାଗର ଆରୋହଣରେ ମଧ୍ୟମ ନିଷାଦ ସ୍ଵର ଦିଓଟି ବର୍ଜିତ ହୋଇ କିପରି ରାଗର ସୌଷ୍ଠବ ବୃଦ୍ଧି କରିଛି ତାହା ମୁଁ ବୁଝାଇଥିଲି । ଉଭୟ ଗୀତ ଓଡ଼ିଶାର ପୂର୍ବ ପ୍ରଚଳିତ ରୀତି ଅନୁଯାୟୀ ବିଳମ୍ବିତ ମଧ୍ୟ ଓ ଦୃତ ଲୟର ଆଳାପ ସହ ପରିବେଷିତ ହୋଇଥିଲା । ସାଧାରଣତଃ କର୍ଣ୍ଣାଟକ ସଙ୍ଗୀତରେ ଏ ରୀତିର ଆଳାପର ପ୍ରଚଳନ ନାହିଁ । ଏପରି ରୀତି ହିନ୍ଦୁସ୍ତାନୀ ସଙ୍ଗୀତର ଗାୟନ ରୀତିରେ ଚଳେ । ଗୀତଗୁଡ଼ିକରେ ଖଣ୍ଡତାନ ଓ ସରଗମ ଯୋଜନା କରାଯାଇଥିଲା । ମୋତେ ମଧ୍ୟ ମଧ୍ୟେ ମଧ୍ୟେ ବିଦ୍ୱାନ୍‌ମାନେ କେତେକ ପ୍ରଶ୍ନ କରୁଥାଆନ୍ତି । ଏହାପରେ କୁମାରୀ ଅଙ୍ଗୁରବାଳା ରାୟ ମୋ ରଚିତ ନଟୁ ମଞ୍ଜରୀ ରାଗରେ ଗୋଟିଏ ଗୀତ ଗାଇଥିଲେ । ମୁଁ ରାଗଟିର ବ୍ୟାଖ୍ୟାନ ଦେଇଥିଲି । ଏ ରାଗରେ ଦୁଇ ନିଷାଦର କିପରି ବ୍ୟବହାର ସିଦ୍ଧ ତାହା ମୁଁ ବୁଝାଇଥିଲି ଏବଂ ରାଗର ରସାଭିବ୍ୟକ୍ତି ନିଜେ ଗାଇ ବୁଝାଇ ଦେଇଥିଲି ।

 

ବିପୁଳ କରତାଳି ଧ୍ଵନି ମଧ୍ୟରେ ତିନୋଟି ଓଡ଼ିଶୀ ସଙ୍ଗୀତ ସଭାରେ ସମାଦୃତ ହୋଇଥିଲା । ସଙ୍ଗୀତ ବିଦ୍ଵାନ୍ ଓ ସଙ୍ଗୀତ କଳାନିଧି ଶ୍ରୀ ଚଉଡ଼ିୟା ଏବଂ ଡକ୍ଟର ଭି. ରାଘବନ୍ ଓଡ଼ିଶୀ ଗୀତର ଭୂୟସୀ ପ୍ରଶଂସା କରିଥିଲେ ।

 

ଏହାପରେ ଓଡ଼ିଶୀନୃତ୍ୟ ପ୍ରଦର୍ଶନ ହୋଇଥଲା । ମୁଁ ନୃତ୍ୟର ପ୍ରାରମ୍ଭ ବିଧିଠାରୁ ନୃତ୍ୟ ସମାପ୍ତି ହେବାପର୍ଯ୍ୟନ୍ତ ଗୋଟି ଗୋଟି ବିଭାଗ ବୁଝାଇ କହିଥିଲି । କୁମାରୀ ସଂଯୁକ୍ତା ମିଶ୍ର ସ୍ଵତନ୍ତ୍ର ଓଡ଼ିଶୀ ଢଙ୍ଗର ବେଶ ପିନ୍ଧି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷାରମ୍ଭ ବିଧିଠାରୁ ଭଙ୍ଗୀ, ଚାରୀ ଓ ବିଶେଷ ସ୍ଵତନ୍ତ୍ର ପାରିଜାମାନ ମୋ କହିବା ସଙ୍ଗେ ସଙ୍ଗେ ସେ ପ୍ରଦର୍ଶନ କରିଥିଲେ । ତହିଁ ପରେ ନୃତ୍ୟାରମ୍ଭ କ୍ରିୟା ଆରମ୍ଭ ହେଲା । ଶ୍ରୀ ବାଳକୃଷ୍ଣ ଦାସ ତାଙ୍କ ସହ ଗୀତ ଗାଇଲେ ଓ ନୃତ୍ୟଶିକ୍ଷକ ଶ୍ରୀ କେଳୁଚରଣ ମହାପାତ୍ର ମର୍ଦ୍ଦଳ ବଜାଇଥିଲେ । ମଞ୍ଚପ୍ରବେଶ, ବଟୁନାଟ, ପଲ୍ଲବୀ ଓ ସାଭିନୟ ନୃତ୍ୟ ଇତ୍ୟାଦିଠାରୁ ଆରମ୍ଭ ହୋଇ, ଝୁଲା ପହପଟ ସହ ମୋକ୍ଷ ନୃତ୍ୟ ବା ଆନନ୍ଦ ନୃତ୍ୟରେ ଓଡ଼ିଶୀ ନୃତ୍ୟ ପରିସମାପ୍ତ ହେଲା ।

 

ଉପସ୍ଥିତ ଦର୍ଶକମଣ୍ଡଳୀଙ୍କ ମଧ୍ୟରେ ଶ୍ରୀମତୀ କପିଳା ବାତ୍ସାୟନ (କେନ୍ଦ୍ର ଶିକ୍ଷା ବିଭାଗ) ଉପସ୍ଥିତ ଥିଲେ । ସେ ନିଜେ ଜଣେ ନୃତ୍ୟ ପଣ୍ଡିତା ଏବଂ କଥକ ନୃତ୍ୟଶିଳ୍ପୀ । ଏହାଛଡ଼ା ରୁମାନିୟାର ନର୍ତ୍ତକମାନେ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଓଡ଼ିଶୀ ନୃତ୍ୟ ଗୀତର ଉଚ୍ଛ୍ୱସିତ ପ୍ରଶଂସା କରି, ଏହି କଳା କିପରି ଓଡ଼ିଶାବାସୀଙ୍କଦ୍ଵାରା ଅବହେଳିତ ହୋଇପଡ଼ିଥିବାରୁ ଏହା ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରୁ ନାହିଁ, ସେଥିନିମିତ୍ତ ଦୁଃଖ ପ୍ରକାଶ କରିଥିଲେ ଓ ଏଭଳି ଏକ ବିଶିଷ୍ଟ କଳାର ବିକାଶ ପାଇଁ ଓଡ଼ିଶାବାସୀ ଏବଂ ଓଡ଼ିଶା ସରକାର ଅତ୍ୟନ୍ତ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

 

ମାନ୍ଦ୍ରାଜ ସଙ୍ଗୀତ ଏକାଡ଼େମୀ ସଭାପତି ମୋର ଓ ସହକର୍ମୀମାନଙ୍କର ପରିଚୟ ଦେଇଥିଲେ । ଏହା ପରେ ଦୀର୍ଘ ତିନିଘଣ୍ଟା ବ୍ୟାପୀ ଓଡ଼ିଶୀ ନୃତ୍ୟ ଗୀତ ପ୍ରଦର୍ଶନୀ ସାଙ୍ଗ ହେଲା ।

 

ସେଦିନ ସନ୍ଧ୍ୟା ୬ଟା ବେଳେ ମୁଁ ମାନ୍ଦ୍ରାଜର Institute of fine artsର ଇଗ୍‌ମୋରରେ ବସିଥିବା ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇଥିଲି । ସେଠାରେ ସଙ୍ଗୀତ ବିଦ୍ଵାନ୍ ଶ୍ରୀ ଚୋକଲିଂଗମ୍ ପିଲାଇଙ୍କ ଶିଷ୍ୟା ଗୀତା ନାମ୍ନୀ ଗୋଟିଏ ଚଉଦବର୍ଷୀୟା ବାଳିକା ଭାରତନାଟ୍ୟମ୍‌ ଦେଖାଇଥିଲେ । ଏଥିରେ ସେ ଭାରତନାଟ୍ୟମ୍‌ର ବିଭିନ୍ନ ବିଭାଗ ପ୍ରଦର୍ଶନ କଲେ । ମୋତେ ଏ ଅନୁଷ୍ଠାନ କର୍ତ୍ତାମାନେ ଓଡ଼ିଶୀ ଗୀତ ଓ ନୃତ୍ୟ ସମ୍ବନ୍ଧେ କିଛି କହିବାକୁ ଅନୁରୋଧ କରି ତା ୧।୧।୫୮ରିଖ ଅର୍ଥାତ୍‍ ସେମାନଙ୍କ ଭାଷାରେ ନବବର୍ଷର ନବୀନ ଅତିଥିଙ୍କଠାରୁ ଆମ୍ଭେମାନେ ନୂଆ କଥା ଶୁଣିବୁ ବୋଲି ସଭାରେ ଘୋଷଣା କଲେ । ତହୁଁ ମୁଁ ସେମାନଙ୍କ ଅନୁରୋଧରେ ତା ୧।୧।୫୮ରିଖ ସକାଳ ୯ଟାରେ ଇଗ୍‌ମୋର ରଙ୍ଗମଞ୍ଚରେ ଭାଷଣ ଦେଇଥିଲି । ପ୍ରଫେସର ପି. ଶାମ୍ବମୂର୍ତ୍ତି ସଭାପତି ଥିଲେ ।

 

ଓଡ଼ିଶା ପ୍ରଚଳିତ ‘ରାମଲୀଳା’, ‘ରାଧାକୃଷ୍ଣଲୀଳା’ ଓ ଉତ୍କଳୀୟ କବି ଜୟଦେବଙ୍କ ଅଷ୍ଟପଦୀ ସମ୍ବନ୍ଧେ ବହୁ ପ୍ରଶ୍ନ ସଭାରେ କରାହୋଇଥିଲା । ମୁଁ ଗୀତଗୋବିନ୍ଦର “ବଦସି ଯଦି କିଞ୍ଚିଦପି ଦନ୍ତରୁଚି କୌମୁଦୀ” ଶୀର୍ଷକ ଅଷ୍ଟପଦୀର ଏକ ପାଦ ଉତ୍କଳୀୟ ଗାୟନ ରୀତି ପରମ୍ପରା କ୍ରମେ ଗାଇ ସେମାନଙ୍କୁ ଶୁଣାଇଥିଲି । ଏହା ଦାକ୍ଷିଣାତ୍ୟ ପ୍ରଚଳିତ ରୀତି ନୁହେଁ ଏବଂ ଏହି ପରମ୍ପରା ଗାୟନ ରୀତି ବାସ୍ତବରେ ଗୀତଭାଷା ଓ ଅବସ୍ଥାର ରସଭାବ ପରିପୋଷକ ବୋଲି ସେମାନେ ମୁକ୍ତ କଣ୍ଠରେ ସ୍ଵୀକାର କରିଥିଲେ । ଏଠାରେ ମଧ୍ୟ ମୋତେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ବିଶେଷତ୍ଵ ଓ ସ୍ଵତନ୍ତ୍ରତା ସମ୍ବନ୍ଧେ ପ୍ରାୟ ଦେଢ଼ଘଣ୍ଟା କାଳ କହି ପାର୍ଥକ୍ୟ ବୁଝାଇବାକୁ ପଡ଼ିଥିଲା । ମୋର ଏବେ ଗାଇବା ଅଭ୍ୟାସ ନ ଥିଲେ ମଧ୍ୟ ବାଧ୍ୟ ହୋଇ ଏଠି ଗାଇଲି ।

 

ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ସର୍ବତ୍ର ଏହିପରି ରୀତିରେ ପ୍ରଚଳିତ କି ବୋଲି ପଚାରିବାରେ ମୁଁ କହିଲି ଯେ ବହୁକାଳ ଆନ୍ଧ୍ର ପ୍ରଭାବରେ ପ୍ରଭାବାନ୍ୱିତ ହୋଇ ଓଡ଼ିଶାର ସୀମାନ୍ତ ଦକ୍ଷିଣାଞ୍ଚଳର କେତେକ ସ୍ଥଳରେ କର୍ଣ୍ଣାଟକୀ ସଙ୍ଗୀତ ଅନୁସରଣରେ ଲୋକେ ଓଡ଼ିଆ ଗୀତ ଗାଉଥିବାର ଶୁଣାଯାଏ । ନତୁବା ପ୍ରାକୃତିକ ଓଡ଼ିଶାରେ ସର୍ବତ୍ର ଏହି ଧାରା ପ୍ରଚଳିତ । ପ୍ରଫେସର ଶାମ୍ବମୂର୍ତ୍ତି ପୁରୀର ସଙ୍ଗୀତ ସେମିନାରରେ ବିଚାରକ ରୂପେ ଯୋଗ ଦେଇଥିଲେ । ସେ ମୋର ବକ୍ତବ୍ୟ ଶେଷରେ ମୋର ପରିଚୟ ଦେବାକୁ ଯାଇ ସଙ୍ଗୀତ ସମ୍ବନ୍ଧରେ ମଧ୍ୟ ଏହି ମତ ବ୍ୟକ୍ତ କରିଥିଲେ ।

 

ସଭାସ୍ଥ ଜନତା ଓଡ଼ିଶୀ ସଙ୍ଗୀତ ବୋଲି ଗୋଟିଏ ଧାରା ଅବଧି ଥିବାର ମଧ୍ୟ ଜଣା ନ ଥିଲା ବୋଲି କହିଥିଲେ ଓ ଏହି ଧାରା ବିକାଶଲାଗି ସଚେଷ୍ଟ ହେବା ନିମିତ୍ତ ମୋତେ ଅନୁରୋଧ କରିଥିଲେ । ମୁଁ ବାସ୍ତବ ବିସ୍ମିତ ହେଲି ଯେ ଏଇ ଓଡ଼ିଶାରେ, ଆମରି ଘରେ ଥୋକେ ଏଇ ମାଟିରେ ମଣିଷ ଓଡ଼ିଶୀ ସଙ୍ଗୀତକୁ କର୍ଣ୍ଣାଟକୀ ବୋଲି କହୁଥିବାବେଳେ, କର୍ଣ୍ଣାଟକ ସଙ୍ଗୀତ ପଣ୍ଡିତମାନେ ଏହାକୁ ତାଙ୍କ ଘରକୁ ଟାଣି ନ ନେଇ ଏହା ଏକ ସ୍ଵତନ୍ତ୍ର ଧାରା ବୋଲି ସ୍ୱୀକାର କରିଛନ୍ତି ।

 

X X X

 

ମାନ୍ଦ୍ରାଜରେ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ସେଠାର ବିଦ୍ଵାନ୍ ମଣ୍ଡଳଙ୍କର କି ଧାରଣା ହୋଇଛି, ସେ ସମ୍ପର୍କରେ ଖାଲି ସଂକ୍ଷେପରେ ମୁଁ ସେଠାରେ ବିଖ୍ୟାତ ‘ହିନ୍ଦୁ’ ପତ୍ରିକାର (୩୧।୧୨।୫୭) ମତ ତଳେ ଲେଖୁଛି,

 

The recital was valuable and it revealed certain elements of Traditional Natya and certain striking and difficult movements and poses which had been preserved in Orissa but were not serving in traditions in other parts of India, particularly certain charis, Bhramaris and bending backwards called Kathi.

 

The President of the conference and Dr. V. Raghaban thanked Mr. Patnaik and the party from Kala Vikash Kendra, Cuttack, for their demonstration of the Orissa Form of classical dance.

 

ଦିଲ୍ଲୀରେ ନୃତ୍ୟ ସମାରୋହ (୧୯୫୮) :

 

ଅତି ପିଲାବେଳୁ ଓଡ଼ିଶୀ ନାଚ, ଗୀତ ପ୍ରତି ମୋର ଭାରି ସରାଗ । ପିଲାଦିନେ ଦେଖିଛି ବଡ଼ାମ୍ବା ଗଡ଼ରେ ବଡ଼ ଜାକଜମକରେ ଚନ୍ଦନଯାତ୍ରା ହୁଏ । କେତେ କେତେ ଥାନରୁ ଓଡ଼ିଶୀ ଆଖଡ଼ା ପିଲାଦଳ ସେ ଯାତ୍ରାରେ ଯୋଗଦେବାକୁ ଆସନ୍ତି । ଭାରତଲୀଳା, କୃଷ୍ଣଲୀଳା ଇତ୍ୟାଦି ଲୀଳା ଯାତ୍ରା, ସୁଆଙ୍ଗ ଦଳ ମଧ୍ୟ ଆସନ୍ତି । ହେଲେ, ମୁଁ ଗୋଟିପୁଅ ନାଚ ବା ଆଖଡ଼ା ପିଲା ଦଳର ପାଖେ ପାଖେ ଥାଏଁ । ମୋ ଜେଜବାପା ସ୍ଵର୍ଗୀୟ ନିମାଇଁ ଚରଣ ପଟ୍ଟନାୟକ ଥିଲେ ଜଣେ ପଣ୍ଡିତ । ଛାନ୍ଦ, ଚୌପଦୀ, ଚମ୍ପୂ, ଚଉତିଶା ଏବଂ ଓଡ଼ିଶୀ ଗୀତକୁ ସେ ବଡ଼ ଆଦର କରନ୍ତି, ଗୁଣୁଗୁଣୁ କରି ଗାଆନ୍ତି-। ବେଳେବେଳେ ଦରଶୁଆ ହୋଇ ଗୀତର ପାରିଜା ମଧ୍ୟ କରନ୍ତି । ମୁଁ ଲୁଚିଲୁଚି କରି ଦେଖି ହସେଁ-। ଆଉ ଜଣେ ଜେଜେବାପା ସ୍ଵର୍ଗୀୟ ଯୋଗୀନାଥ ପଟ୍ଟନାୟକ ଓଡ଼ିଶୀ ଗୀତ ଗାଆନ୍ତି ଓ ପଖବାଜା ବଜାନ୍ତି । ମୁଁ ତାଙ୍କଠାରୁ କେବେ କେବେ ଓଡ଼ିଶୀ ଗୀତ ଶିଖେଁ । ବାପାଙ୍କର ମଧ୍ୟ ସଙ୍ଗୀତ ଚର୍ଚ୍ଚା ଥାଏ । ତା’ପରେ ମୋତେ ନଅ କି ଦଶବର୍ଷ ହେଲାବେଳକୁ ସେତେବେଳେ ଚର୍ଚ୍ଚିକା ମାଇନର ସ୍କୁଲରେ ପଢ଼ୁଥିଲି, ସେତେବେଳେ ଚର୍ଚ୍ଚିକା ମାଳୀସାହିର ସୁଲଭ ରଣା ବୋଲି ଜଣେ ମାଳୀ ଗୋଟିଏ ସଙ୍ଗୀତ ପିଲାଦଳ ଗଢ଼ିଥାଆନ୍ତି । ମୁଁ ପ୍ରାୟ ତାଙ୍କ ଦଳର ଆଖଡ଼ା ଓ କେତେ କେତେ ସ୍ଥାନରେ ନାଚ ଦେଖବାକୁ ଯାଏଁ ।

 

ସେଇଠୁ ଖୋରଧାରେ ମାଟ୍ରିକ୍ ପଢ଼ିବାବେଳେ ଗୁରୁଜଙ୍ଗର ଗୋବିନ୍ଦ ନନ୍ଦଙ୍କ ସଙ୍ଗୀତ ବା ଗୋଟିପୁଅ ଦଳ ସହିତ ସମ୍ପର୍କ ରଖି ସେଠାକୁ ପ୍ରାୟ ଫି ରବିବାର ଦିନ ଯାଏଁ ଓ ଗୋବିନ୍ଦ ନନ୍ଦଙ୍କୁ ଓଡ଼ିଶୀ ଗୀତ ଲେଖି ଯୋଗାଏଁ ।

 

ପୁରୀରେ ଥିବାବେଳେ କଟକ ଜିଲା ଅରଡ଼ିଆ ପଦାର ସ୍ଵର୍ଗୀୟ ସୋମନାଥ ମହାପାତ୍ରଙ୍କ ଦଳ ସହିତ ମୋର ବେଶ୍ ଜଣାଶୁଣା ହେଲା । ଓଡ଼ିଶୀ ଗୀତ ଲେଖି ତାଙ୍କୁ ବେଳେବେଳେ ଯୋଗାଏଁ ।

 

ଏଇଭଳି ହୋଇ ଓଡ଼ିଶୀ ନୃତ୍ୟ ପ୍ରତି ମୋର କ୍ରମେ ଆଦର ବଢ଼ିଲା, ମୋ ରାସ ଓ ଥିଏଟର ଦଳରେ ଓଡ଼ିଶୀ ନାଚ ଖଞ୍ଜିଲି । ଜୟଦେବ ଓ ଜଗନ୍ନାଥ ଦାସ ନାଟକରେ ପ୍ରଥମେ ମୁଁ ଥିଏଟରରେ ଓଡ଼ିଶୀନାଚ ପ୍ରବର୍ତ୍ତନ କଲି ।

 

ଏହିପରି ଓଡ଼ିଶୀ ନାଚ ପ୍ରତି ମୋର ପିଲାଟି ଦିନରୁ ଶ୍ରଦ୍ଧା ବଢ଼ି ଆସିଛି । ଏହାର ପ୍ରଚାର-ପ୍ରସାର ପାଇଁ ମୁଁ ସବୁବେଳେ ଆଗଭର ହୋଇଥାଏଁ ।

 

ଓଡ଼ିଶୀ ସଙ୍ଗୀତ ପୋଥି ନାନାସ୍ଥାନରୁ ସଂଗ୍ରହ କରିବାକୁ ମୁଁ ସଚେଷ୍ଟ । କେତେଖଣ୍ଡି ପୋଥିରୁ ମୁଁ ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ରତା ଏବଂ ବିଶେଷତ୍ଵ ସମ୍ବନ୍ଧେ ବହୁ ପ୍ରମାଣ ପାଇପାରିଲି ।

 

ହିନ୍ଦୁସ୍ତାନୀ ସଙ୍ଗୀତ ଶିଖିଲି ଗୟାର ଓସ୍ତାଦ ଏବଂ କର୍ଣ୍ଣାଟକୀ ସଙ୍ଗୀତ ଶୁଣିବାର ସୁବିଧା ମଧ୍ୟ ପାଇଲି; କିନ୍ତୁ ଓଡ଼ିଶୀ ଗୀତ ଗାଇବାର ଧାରା ଏକାବେଳେ ଏ ଦୁଇ ରୀତିରୁ ନିଆରା ବୋଲି ସମ୍ପୂର୍ଣ୍ଣ ଧାରଣା ଜନ୍ମିଲା ମୋର ।

 

କଟକ କଳାବିକାଶ କେନ୍ଦ୍ର, ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ ଓ ଉତ୍କଳ ସଙ୍ଗୀତ ସମାଜ ପ୍ରଭୃତି ସଙ୍ଗୀତ ଅନୁଷ୍ଠାନ ପାଇଁ ବେଳେବେଳେ ନୃତ୍ୟନାଟିକାମାନ ଲେଖି ଦିଏଁ ! ମୋର ଓଡ଼ିଶୀ ଶୈଳୀର ସାକ୍ଷିଗୋପାଳ ନୃତ୍ୟନାଟିକାଟି ଦିଲ୍ଲୀରେ ପ୍ରଥମ ଥର ପାଇଁ ପରିବେଷଣ କଲେ ଉତ୍କଳ ନୃତ୍ୟ ସଙ୍ଗୀତ ନାଟ୍ୟକଳା ପରିଷଦ, ମୋହର ନିର୍ଦ୍ଦେଶନାରେ ୧୯୫୫ ରେ ।

 

ଓଡ଼ିଶୀ ନୃତ୍ୟ କିପରି ଜନ-ସମାଦୃତ ହେବ ଏବଂ ଭାରତ ସରକାରଙ୍କଦ୍ଵାରା ଶାସ୍ତ୍ରୀୟ ନୃତ୍ୟ ରୂପେ ସମ୍ମାନିତ ହେବ, ଏହି ବିଚାରରେ ମୁଁ ନାନା ଦିଗରୁ ଚେଷ୍ଟା କରୁଥାଏଁ ଓ ମୋର ଛାତ୍ରମାନଙ୍କୁ ପରାମର୍ଶ ଦେଉଥାଏଁ, ସବୁ ସମୟରେ ।

 

ଉତ୍କଳ ନୃତ୍ୟ-ସଙ୍ଗୀତ ନାଟ୍ୟକଳା ପରିଷଦ ପକ୍ଷରୁ ମୁଁ Odissi dance ନାମକ ଇଂରାଜୀରେ ଖଣ୍ଡିଏ ପୁସ୍ତିକାରେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ପ୍ରମାଣ ଲିପିବଦ୍ଧ କଲି, ଦେଶ ବିଦେଶରେ ଏହା ପଠିତ ଓ ପ୍ରଚାରିତ ହେବା ଉଦ୍ଦେଶ୍ୟରେ । ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ଏହା ପ୍ରଥମ ପ୍ରକାଶିତ ପୁସ୍ତକ । ୧୯୫୪ ସାଲରେ ଏହାକୁ ଲେଖିଥିଲି ମୁଁ ।

 

ଅପୂର୍ବ ସୁଯୋଗ :

 

ମୁଁ ଓଡ଼ିଶୀ ନୃତ୍ୟର ପ୍ରତିଷ୍ଠାଲାଗି ଏହିପରି ନାନାମତେ ପ୍ରଚେଷ୍ଟା କରୁଥିବାବେଳେ ଗୋଟିଏ ଅପୂର୍ବ ସୁଯୋଗ ମିଳିଲା ମୋତେ । ‘ମାଆ’ ମୋର ମନୋବାଞ୍ଛା ସଫଳ କଲେ ଭାବି ଆନନ୍ଦରେ ତାଙ୍କ ଚରଣରେ ପ୍ରଣତି ଜଣାଇଲି । ଘଟଣାଟି ଲେଖୁଛି–

 

୧୯୫୮ ସାଲ ମାର୍ଚ୍ଚ ମାସ ୩୧ରୁ ଅପ୍ରେଲ ତା ୬ ରିଖ ଯାଏଁ ନୃତ୍ୟ ସମାରୋହ ହେବ ବୋଲି ଦିଲ୍ଲୀର କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡ଼େମୀ (୭୦ ରିଗାଲ ବିଲଡ଼ିଙ୍ଗ)ର ସମ୍ପାଦିକା ଶ୍ରୀମତୀ ନିର୍ମଳା ଯୋଷୀଙ୍କଠାରୁ ୪ ।୭ ତାରିଖ ଜାନୁଆରୀରେ ଖଣ୍ଡିଏ ଚିଠିପାଇଲି । ସେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁଥିବା ନୃତ୍ୟ ସମାରୋହରେ ଓଡ଼ିଶୀ ନୃତ୍ୟର ତାତ୍ତ୍ୱିକ ଅନୁଶୀଳନର ଆଲୋଚନା କରି ଏକ ହଜାର ଶବ୍ଦ ବିଶିଷ୍ଟ ଗୋଟିଏ ସନ୍ଦର୍ଭ ଲେଖି, ସ୍ଥଳବିଶେଷରେ ଡିମନ୍‌ଷ୍ଟ୍ରେସନ୍ ଦେବାଲାଗି ଗୋଟିଏ ନୃତ୍ୟଦଳ ଦିଲ୍ଲୀକୁ ଘେନି ଯିବା ଲାଗି ମୋତେ ଲେଖିଛନ୍ତି । ତାଙ୍କ ପତ୍ରରେ ଆହୁରି ଲେଖା ଥିଲା ଯେ–

 

"It is suggested that the group should be as small as possible" ଆଉ, ଦଳଟି ହୋଇଥିବ "Most competant..."

 

ମୁଁ ସ୍ଵୀକୃତି ଦେଲି । ଫେବୃୟାରୀ, ତା ୧୩।୧୪ରେ ପୁଣି ଶ୍ରୀ ଏନ.ସି. ଜୈନ ମୋତେ ଲେଖିଲେ ଯେ, ଏହି ଅବସରରେ କେନ୍ଦ୍ର ଏକାଡେମୀ କଟକର ନ୍ୟାସନାଲ ମ୍ୟୁଜିକ ଆସୋସିଏସନକୁ ଗୋଟିଏ ନୃତ୍ୟନାଟିକା (ବାଲେଟ୍) ପ୍ରଦର୍ଶନ କରିବାକୁ ଡକାଇଛନ୍ତି । ମୁଁ ସେହି ଦଳମଧ୍ୟରୁ ମୋ ସନ୍ଦର୍ଭର ସ୍ଥଳବିଶେଷରେ Demonstration ଦେବାଲାଗି ଶିଳ୍ପୀ ବାଛିବା କିମ୍ବା ମୋଦ୍ଵାରା ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସେମାନେ କିଛି ଗ୍ରହଣ କରିବେ । ଶ୍ରୀ ଜୈନଙ୍କ ଭାଷାରେ–

 

‘‘I have to request you kindly get in touch with Govind Tej of the National Music Association and either you select some memebers of that group to illustrate your paper or ask Sri Tej to include your students in this troup.’’ ଏପରି ହେଲେ ବ୍ୟୟ ଲାଘବ ହେବ ।

 

ମୁଁ ତଦନୁସାରେ ନ୍ୟାସନାଲ ମ୍ୟୁଜିକ୍‌ ଆସୋସିଏସନ୍‌ର ସେତେବେଳର ସାଧାରଣ ସମ୍ପାଦକ ଡ. ଶ୍ରୀ ବିଭୂତି ଭୂଷଣ ତ୍ରିପାଠୀଙ୍କୁ ପତ୍ର ଦେଲି ଓ ସେ ୬।୩।୫୮ ତାରିଖରେ ‘‘ବନ୍ଦୋବସ୍ତ କରା ହେଉଛି’’ ବୋଲି ଉତ୍ତର ଦେଲେ । ନ୍ୟାସନାଲ ମ୍ୟୁଜିକ୍‌ ଆସୋସିଏସନ୍‌ ଦିଲ୍ଲୀ ଯିବାଲାଗି ମୋଠାରୁ ‘ରାଧିକା’ ନାମକ ଗୋଟିଏ ନୃତ୍ୟନାଟିକା ଲେଖାଇ ନେଲେ । ଏଥି ପୂର୍ବରୁ ସେମାନେ ମଧ୍ୟ ଏହିପରି ଶରଦ୍ରାସ ଓ ଗୀତଗୋବିନ୍ଦ ପ୍ରଭୃତି ନୃତ୍ୟନାଟିକାମାନ ମୋଠାରୁ ଲେଖାଇ ନେଇଥିଲେ ।

 

କେନ୍ଦ୍ର ଏକାଡେମୀ ମୋ ସନ୍ଦର୍ଭ ପାଇବା ପରେ ତା ୧୭।୩।୫୮ ରିଖରେ ଶ୍ରୀ ଜୈନଙ୍କଠାରୁ ମୁଁ ଚିଠି ପାଇଲି ଯେ ମୋ ପଠାଇଥିବା ‘Odissi Dance Tradition’’ ସନ୍ଦର୍ଭ ଦିଲ୍ଲୀ ନୃତ୍ୟ ସେମିନାରରେ ତା ୪।୪।୫୮ ରିଖରେ ପଠିତ ହେବ । ଏକଥା ମଧ୍ୟ ମୁଁ ନ୍ୟାସନାଲ ମ୍ୟୁଜିକ୍‌ ଆସୋସିଏନ୍‌କୁ ଜଣାଇ ତାଙ୍କ ଅନୁଷ୍ଠାନର ଯଥାସମ୍ଭବ ଶୀଘ୍ର ସହଯୋଗ ଲୋଡ଼ିଲି, ମୋ ସନ୍ଦର୍ଭର ଆବଶ୍ୟକ ଅନୁଯାୟୀ ସ୍ଥଳମାନଙ୍କରେ ଉପଯୁକ୍ତ Demonstration ପ୍ରଦର୍ଶନ ଭଳି ଶିକ୍ଷା ଦେବାଲାଗି ।

 

ଥରକୁଥର ଏଥିନିମିତ୍ତ ଆସୋସିଏସନ୍‌କୁ ଅନୁରୋଧ କଲେ ମଧ୍ୟ ସେମାନଙ୍କ ଟାଳଟୁଳ ରୀତି ଦେଖି ମୁଁ ଅଧିର ହୋଇପଡ଼ି ଶେଷରେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀ ବାବୁଲାଲ ଯୋଷୀଙ୍କ ସହଯୋଗ ଲୋଡ଼ିଲି । ସେ ଆନନ୍ଦରେ ସମ୍ମତି ଦେଲେ । କେନ୍ଦ୍ରର ଜଣେ ନୃତ୍ୟ ଛାତ୍ରୀ କୁମାରୀ ଜୟନ୍ତୀ ନନ୍ଦୀଙ୍କ ନୃତ୍ୟ ପରିବେଷଣ ଏଥିପୂର୍ବରୁ ମୁଁ ଦେଖିଥିଲି । ସେ ମୋର ଅନ୍ୟତମ ବନ୍ଧୁ ମଞ୍ଚଅଭିନେତା ଶ୍ରୀ କାମିନୀ ନନ୍ଦୀଙ୍କର କନ୍ୟା । ତାଙ୍କୁ ମୋର ସନ୍ଦର୍ଭର ସ୍ଥଳ ବିଶେଷରେ ବର୍ଣ୍ଣିତ ସ୍ୱତନ୍ତ୍ର ଏବଂ ବିଶେଷ ଓଡ଼ିଶୀ ନୃତ୍ୟଭଙ୍ଗୀ ଓ ଅଭିନୟରେ ତାଲିମ ଦେବାର ପ୍ରସ୍ତାବରେ ବାବୁଲାଲବାବୁ ସ୍ୱୀକୃତ ହେଲେ ଓ ମୁଁ ଶିକ୍ଷା ଦେବାରେ ଲାଗି ପଡ଼ିଲି ।

 

ଏହିପରି ଅବସ୍ଥାରେ ମୁଁ ଦିଲ୍ଲୀ ଏକାଡେମୀକୁ ଡିମନ୍‌ଷ୍ଟ୍ରେସନ୍‌ ଦେବାପାଇଁ ସ୍ୱତନ୍ତ୍ରଭାବେ ଗୋଟିଏ କ୍ଷୁଦ୍ର ଦଳ ଘେନି ଯିବାକୁ ଲେଖି ତିନିଜଣିଆ ଦଳଟିଏ ସେଠାକୁ ନେବାର ସ୍ୱୀକୃତି ୨୫।୩।୫୮ ତାରିଖରେ ପାଇଲି । ତହିଁ ପରଦିନ ୨୬।୩।୫୮ ତାରିଖରେ ଏକାଡେମୀକୁ ତାର ପଠାଇଲି ଓ ୩୦।୩ରେ ଦିଲ୍ଲୀରେ ସେମିନାରରେ ଯୋଗଦେବାକୁ ଜଣାଇଲି ।

 

ସେହି ୨୬ ତାରିଖ ରାତିରେ ମୁଁ ମୋର ଛାତ୍ର ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଇନ୍ଦ୍ରାଣୀ ରହେମାନଙ୍କ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କୁ ସଙ୍ଗରେ ଘେନି କଟକରୁ ଦିଲ୍ଲୀ ଅଭିମୁଖେ ବାହାରିଲି ।

 

ମୁଁ ଦିଲ୍ଲୀରେ ରହିବା ପାଇଁ ଆଗରୁ ମୋର କନିଷ୍ଠ ଭ୍ରାତୃପ୍ରତିମ ଡାକ୍ତର ନୃସିଂହ ସାମନ୍ତ ସିଂହାରଙ୍କୁ ଚିଠି ଓ ତାର ଦେଇଥିଲି ଏବଂ ଦେବ ଓ ମୁଁ ଦୁହେଁ ୧୯।୬ ନମ୍ବର ସାଉଥ ଏଭିନିଉସ୍ଥ ତାଙ୍କ ବସାରେ ଯାଇ ରହିଲୁଁ ତା ୨୯।୩।୫୮ ରିଖ ସକାଳେ ।

 

ସସ୍ତ୍ରୀକ ବାବୁଲାଲବାବୁ, କୁମାରୀ ଜୟନ୍ତୀ, ସୁଗାୟକ ଶ୍ରୀ ବାଳକୃଷ୍ଣ ଦାସ ଏବଂ ନୃତ୍ୟଗୁରୁ ଶ୍ରୀ କେଳୁଚରଣ ମହାପାତ୍ର ପ୍ରଭୂତି ତା ୩।୩।୫୮ରିଖରେ ଦିଲ୍ଲୀରେ ମୋର ବନ୍ଧୁ ଶ୍ରୀ ଶ୍ରଦ୍ଧାକର ସୂପକାରଙ୍କୁ ସେମାନଙ୍କ ରହଣି ନିମିତ୍ତ ବ୍ୟବସ୍ଥା କରିଦେବାକୁ ଅନୁରୋଧ କରିଥିଲି । ଶ୍ରୀ ସୂପକାର ତାଙ୍କ ବସା ନିକଟରେ ଅନ୍ୟ ଜଣେ ଏସ୍‌. ପି. ଙ୍କ ବସାଘର ଟିକଣା କରି ଦେଇଥିଲେ । ବାବୁଲାଲବାବୁ ପ୍ରଭୃତି ସେହିଠାରେ ରହିଲେ ।

 

ନୃତ୍ୟ ସେମିନାରରେ ମୋ ଲିଖିତ‘ ରାଧିକା’ ନୃତ୍ୟନାଟିକା ପ୍ରଦର୍ଶନ ଲାଗି ନ୍ୟାସନାଲ ମ୍ୟୁଜିକ୍‌ ଆସୋସିଏସନ୍‌ ସଦଳବଳେ ଦିଲ୍ଲୀରେ ପହଞ୍ଚି ସାରିଥିଲେ । ସେତେବେଳର କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ପୁତ୍ର ଶ୍ରୀ ରାମାନନ୍ଦ କାନୁନ୍‌ଗୋ ଓ ଶ୍ରୀ ଗୋବିନ୍ଦ ତେଜ ଏହି ଦଳ ଘେନି ଦିଲ୍ଲୀ ଯାଇଥିଲେ । ଏମାନେ ତାଙ୍କର ନୃତ୍ୟନାଟିକାରେ କୁମାରୀ ନନ୍ଦୀ ଅଂଶଗ୍ରହଣ କରିବା ଲାଗି ମୋତେ ଅନୁରୋଧ କଲେ । ମାତ୍ର ଜୟନ୍ତୀ କଳାବିକାଶକେନ୍ଦ୍ରର ଛାତ୍ରୀ ଏବଂ ସେ କେବଳ ମୋ ସନ୍ଦର୍ଭ ସହିତ ଡିମନ୍‌ଷ୍ଟ୍ରେସନ୍‌ ଦେବାଲାଗି ତା’ର ପିତା ତାକୁ ଅନୁମତି ଦେଇଥିବା ପ୍ରତକ୍ଷେ ମୁଁ ତାକୁ ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ର ନୃତ୍ୟନାଟିକାରେ ଅଂଶଗ୍ରହଣ କରିବାକୁ କହିବା ଯୁକ୍ତିଯୁକ୍ତ ହେବ ନାହିଁ ବୋଲି କହିଲି । ସେମାନେ ଅସନ୍ତୁଷ୍ଟ ହୋଇ ଫେରିଗଲେ । ଏକେତ ମୋ ସନ୍ଦର୍ଭ ସହିତ ଡିମନ୍‌ଷ୍ଟ୍ରେସନ୍‌ ଦେବାଲାଗି କଳାବିକାଶକେନ୍ଦ୍ରର ଛାତ୍ରୀକୁ ଘେନି ମୁଁ ଦିଲ୍ଲୀ ଆସିଥିବାରୁ ଏମାନେ ବିମୁଖ ହୋଇଥିଲେ, ତହିଁ ଉପରେ ଜୟନ୍ତୀକୁ ତାଙ୍କ ଦଳରେ ଯୋଗ ଦେବାଲାଗି ମୁଁ ଅନୁମତି ଦେଇପାରିଲି ନାହିଁ ବୋଲି ତାଙ୍କର ଅସନ୍ତୋଷ ବଢ଼ିଲା । ଅଥଚ ମୁଁ ଏମାନଙ୍କ ସହଯୋଗ ବାରମ୍ବାର ଲୋଡ଼ି ବିଫଳ ମନୋରଥ ହୋଇଛି । ତା ୪।୪।୫୮ ରିଖ ସକାଳେ ବିଜ୍ଞାନ ଭବନକୁ ଯାଇ ମୋର ଜଣେ ବନ୍ଧୁଙ୍କଠାରୁ ଶୁଣିଲି ଯେ ଇତୁ (ରାମାନନ୍ଦ କାନୁନ୍‌ଗୋ) ଏବଂ ଗୋବିନ୍ଦ ତେଜ ମୋ ସନ୍ଦର୍ଭ ପାଠ ଏବଂ ଡିମନ୍‌ଷ୍ଟ୍ରେସନ୍‌ ଯେପରି ନ ହୁଏ ସେଭଳି ବ୍ୟବସ୍ଥା କରିବାକୁ ଶ୍ରୀମତୀ ନିର୍ମଳା ଯୋଷୀଙ୍କୁ ପ୍ରବର୍ତ୍ତାଉଛନ୍ତି । ଡା. ସାମନ୍ତ ସିଂହାର ଏବଂ ଅନ୍ୟାନ୍ୟ କେତେକ୍ ଏମ. ପି. ଏକଥା ଶୁଣି ରାଗି ଉଠିଲେ ।

 

୧୯୫୮ ସାଲରେ ଦିଲ୍ଲୀ ନୃତ୍ୟ ସେମିନାରର ଘଟଣାବଳୀ ସମ୍ବନ୍ଧେ ୧୯୭୦ ସାଲରେ ମୋର ଜନ୍ମ ଜୟନ୍ତୀ ବେଳେ ଡା. ନୃସିଂହ ଚରଣ ସାମନ୍ତସିଂହାରଙ୍କ ଲିଖିତ ଓ ପ୍ରକାଶିତ ‘‘ମୋ କାଳୀଭାଇ’’ ନାମକ ପୁସ୍ତିକାର କେତେକ ଅଂଶ ନିମ୍ନରେ ଉଦ୍ଧାର କରୁଛି–ଶ୍ରଦ୍ଧେୟ ପାଠକପାଠିକାମାନେ ସେଥିରୁ ଓଡ଼ିଶୀନୃତ୍ୟ ପ୍ରତି କେନ୍ଦ୍ର ଏକାଡେମୀର ବୈମାତୃକ ବ୍ୟବହାରରେ ସଂକେତ ପାଇପାରିବେ ।

 

ମୋ କାଳୀଭାଇ :

 

‘‘ପ୍ରଶସ୍ତ ବିଜ୍ଞାନ ଭବନରେ ସୁପ୍ରସିଦ୍ଧ ସଙ୍ଗୀତ ନୃତ୍ୟ ବିଶାରଦ ଗୋଷ୍ଠୀ ସମ୍ମୁଖରେ କିପରି କେଉଁଠି ଠିଆହୋଇ ସନ୍ଦର୍ଭ ପଢ଼ିବାକୁ ହେବ ଏବଂ ଡିମନ୍‌ଷ୍ଟ୍ରେସନ୍‌ ପାଇଁ ସହଯୋଗୀମାନଙ୍କୁ କେଉଁଠି, କିମିତି ବସାଇବାକୁ ହେବ ତାହା ଆଗରୁ ଦେଖି ଆସିବାକୁ କାଳୀଭାଇ ରାମାନନ୍ଦଙ୍କ ଯିବାପରେ ମୋତେ ଡକେଇଲେ । ସେ ପୁଣି ଏତେ ବଡ଼ ବିଦ୍ୱାନ୍‌ମଣ୍ତଳୀ ଆଗରେ କେବେ ଠିଆ ହୋଇ ଭାଷଣ ଦେଇ ନ ଥିବାରୁ ବା ଲେଖା ପଢ଼ି ନ ଥିବାରୁ ଟିକିଏ ସଂକୋଚ ବୋଧ କରୁଥାଆନ୍ତି । ତେଣୁ ଆମେ ଚାରି ତାରିଖ ସକାଳବେଳା ୧୦ଟାରେ ବିଜ୍ଞାନଭବନକୁ ଯାଇ, ସ୍ଥାନ ସବୁ ସମୀକ୍ଷା କରିଗଲୁଁ । ତା’ପରେ କାଳୀଭାଇ ଏକାକୀ ସଙ୍ଗୀତ ନାଟକ ଏକାଡେମୀର ତତ୍‌କାଳୀନ ସମ୍ପାଦିକା ଶ୍ରୀମତୀ ନିର୍ମଳା ଯୋଷୀଙ୍କୁ ସମ୍ଭାଷଣ ଜଣାଇବା ପାଇଁ ତାଙ୍କ ନିକଟକୁ ଗଲେ ଓ କିଛି ସମୟ ପରେ ମୁହଁ ଶୁଖେଇ ଫେରିଲେ । ମୋତେ କିଛି କହିଲେ, ନାହିଁ, କେବଳ ଶୀଘ୍ର ଶୀଘ୍ର ଘରକୁ ଫେରିଯିବାକୁ ଲଗାଇଲେ । ଘରେ ପହଞ୍ଚିବା ପରେ ବଡ଼ ଦୁଃଖରେ କହିଲେ ଯେ ସମୟ ଅଭାବରୁ ମୋ ସନ୍ଦର୍ଭ ଆସନ୍ତାକାଲି ୫ ତାରିଖରେ କିମ୍ବା ତା’ପରେ ଅନ୍ୟ କୌଣସି ଦିନ ନୃତ୍ୟ ସମାରୋହରେ ପଢ଼ାଯାଇ ପାରିବ ନାହିଁ । ତେଣୁ ମୁଁ ଆଜି କଟକ ଫେରିଯିବାର ଗାଡ଼ି ବ୍ୟବସ୍ଥା କରେଇ ଦିଅ ।

 

ମୁଁ ଏକଥା ଶୁଣି ରାଗରେ ପାଚିଗଲି । ଏତେଦିନର ପରିଶ୍ରମ ବ୍ୟର୍ଥ ହେବାରେ ଯେତେ ଦୁଃଖ ନ ଲାଗିଲା, ତା’ଠାରୁ ବେଶୀ ଦୁଃଖ ହେଲା, ସଙ୍ଗୀତ ନାଟକ ଏକାଡେମୀ ଭଳି ସର୍ବଭାରତୀୟ ପ୍ରତିଷ୍ଠିତ ଅନୁଷ୍ଠାନ ୩।୪ ମାସ ଆଗରୁ ନିର୍ଘଣ୍ଟ କରି, ଦେଶର ସମ୍ମାନନୀୟ କଳାପ୍ରେମୀଙ୍କୁ ବରାଦ ଦେଇ, ଆମନ୍ତ୍ରଣ କରି ଓ ସେମାନଙ୍କ ପିଛା ବହୁ ଅର୍ଥ ବ୍ୟୟ କରି ଶେଷ ମୁହୂର୍ତ୍ତରେ ବିନା କାରଣରେ ନିର୍ଘଣ୍ଟ ବାତିଲ କରିଦେବା ପଛରେ ନିଶ୍ଚୟ କିଛି ନା କିଛିକୁ ଅଭିସନ୍ଧି ଅଛି । ରାମାନନ୍ଦ, ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ପୁଅ । ନିତ୍ୟାନନ୍ଦବାବୁ ପୁଣି ସଙ୍ଗୀତ ନାଟକ ଏକାଡେମୀର ବିଶିଷ୍ଟ ସଭ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ହିସାବରେ ଏକମାତ୍ର ମନ୍ତ୍ରୀ ଯେ କି ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଥାନ୍ତି । ତେଣୁ ସେଠାରେ ତାଙ୍କର ପ୍ରତିପତ୍ତି ଓ ପ୍ରଭାବ କିପରି ହୋଇଥିବ ତାହା ପାଠକେ ବିଚାରିବେ । ସେ ଯାହାହେଉ ଏ ପରିସ୍ଥିତିରେ କିପରି କ’ଣ କରାଯିବ ତା’ର ଆଲୋଚନା ପାଇଁ ମୁଁ କଳାହାଣ୍ତିର ମହାରାଜ ଶ୍ରୀ ପି.କେ. ଦେଓ. ଶ୍ରୀ ଶ୍ରଦ୍ଧାକର ସୂପକାର, ସ୍ୱର୍ଗୀୟ ଉମାଚରଣ ପଟ୍ଟନାୟକ, ଆସାମର ବଡୁଆ, ବସୁମାତାରୀ, ଭଗବତୀ, ଆନ୍ଧ୍ରର ଡାକ୍ତର ମାଲଖୋଟେ, ଲକ୍ଷ୍ମୀବାଈ ପ୍ରଭୃତି ଏମ୍‌. ପି. ଓ ଡାଙ୍କର ଫାବ୍ରୀ, ଇନ୍ଦ୍ରାଣୀ, ରଘୁମଣି ପଟ୍ଟନାୟକ ପ୍ରଭୃତିଙ୍କ ସହ ଆଲୋଚନା କଲି । ଇନ୍ଦ୍ରାଣୀ, ଫାବ୍ରୀ ପ୍ରଭୃତି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ କଳାକାରମାନଙ୍କୁ ଭେଟି ଅବସ୍ଥା ବୁଝାଇବେ ବୋଲି କହିଲି । ସଙ୍ଗୀତ ନାଟକ ଏକାଡେମୀର ତତ୍‌କାଳୀନ ସଭାପତି ରାଜମନ୍ନାରଙ୍କ ଅନୁପସ୍ଥିତି ଲାଗି ଉପସଭାପତି ଶ୍ରୀମତୀ କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କୁ ଆମେ ଯାଇ ଭେଟିଲୁ । ସେ କିଛି ସାହାଯ୍ୟ କରିପାରିବେ ନାହିଁ କିମ୍ବା କାଳୀଭାଇଙ୍କୁ ସନ୍ଦର୍ଭ ପଢ଼ିବାକୁ ଅନୁମତି ଦେଇପାରିବେ ନାହିଁ ବୋଲି କହିଲେ । ଆମେ ଆସି ପାର୍ଲିଆମେଣ୍ଟ ଲବିରେ ବିଭାଗୀୟ ମନ୍ତ୍ରୀ ହୁମାୟୁନ କବିରଙ୍କୁ ଭେଟି ପ୍ରତିକାର ଲୋଡ଼ିଲୁଁ ଏବଂ କିଛି ପ୍ରତିକାର ତୁରନ୍ତ ନ ହେଲେ ପରଦିନ ପାର୍ଲିଆମେଣ୍ଟରେ ମୁଲତବି ପ୍ରସ୍ତାବ ଏବଂ ଦୃଷ୍ଟି ଆକର୍ଷଣ ନୋଟିସ୍‌ ଦେବାକୁ ବାଧ୍ୟ ହେବୁଁ ବୋଲି ଜଣାଇଲୁଁ ।

 

ମୋ ଅନୁପସ୍ଥିତିବେଳେ ଏକାଡେମୀର ସମ୍ପାଦିକା ନିର୍ମଳା ଯୋଷୀ ଆମ ଘରକୁ ଆସି ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ ସହ ସମାଧାନ କରାଇବା ନିମନ୍ତେ କାଳୀଭାଇଙ୍କୁ ସାଙ୍ଗରେ ନେଇଗଲେ । ଆମମାନଙ୍କ ଅଜ୍ଞାତରେ କୌଣସି ନିଷ୍ପତ୍ତି ସେ କରିପାରିବେ ନାହିଁ ବୋଲି କାଳୀଭାଇ ସମାଧାନରେ ରାଜି ନ ହୋଇ ଘରକୁ ଫେରିଆସିଲେ ।

 

ନିର୍ମଳା ଯୋଷୀ ମୋତେ ମଧ୍ୟ ବହୁତ ଫୁସୁଲାଇଲେ । ମୁଁ କିନ୍ତୁ ଧରିବସିଲି ଯେ କାଳୀଭାଇ ଅବଶ୍ୟ ସନ୍ଦର୍ଭ ପଢ଼ିବେ ଏବଂ ଡିମୋନ୍‌ଷ୍ଟ୍ରେସନ୍‌ ଦେଖାଇବେ । ସେମାନଙ୍କର ଅବ୍ୟବସ୍ଥାର ମୁଁ ଦୃଢ଼ ପ୍ରତିରୋଧ କଲି ଏବଂ ଏଥିପାଇଁ ମୋଦ୍ୱାରା ଯାହା ହୋଇପାରେ ତାହା କରିବାରେ ମୁଁ ପଶ୍ଚାତ୍‌ପଦ ହେବି ନାହିଁ ବୋଲି ଜଣାଇଦେଲି । ଇତିମଧ୍ୟରେ ଇନ୍ଦ୍ରାଣୀ ଓ ଫାବ୍ରୀ ପ୍ରତିନିଧି ଏବଂ କଳାକାରମାନଙ୍କୁ ଅବସ୍ଥା ବୁଝାଇ ସେମାନଙ୍କୁ ପ୍ରତିବାଦ ପାଇଁ ପ୍ରସ୍ତୁତ କରାଇଥାନ୍ତି-। ସେହି ୪ ତାରିଖ ସନ୍ଧ୍ୟାରେ ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟନିର୍ବାହିକା ସମିତିର ଜରୁରୀ ବୈଠକ ବସିଲା ଏବଂ ସନ୍ଧ୍ୟା ନଅଟାରେ କାଳୀଭାଇଙ୍କୁ ଜଣାଇ ଦିଆଗଲା ଯେ ସେ ମାତ୍ର ଅଧଘଣ୍ଟା ଭିତରେ କେବଳ ତାଙ୍କ ସନ୍ଦର୍ଭରୁ ଠିକେ ଠିକେ ପଢ଼ି ଶୁଣାଇବେ; ଡିମୋନ୍‌ଷ୍ଟ୍ରେସନ୍ ହୋଇପାରିବ ନାହିଁ । ଆମ ଭିତରେ ବିଚାର ପଡ଼ିଲା । ପ୍ରସ୍ତାବ ଗ୍ରହଣ କରି ଯିବା କଥା ହେଲା ଏବଂ ସଙ୍ଗେ ସଙ୍ଗେ ପ୍ରସ୍ତୁତ ଚାଲିଲା ଯେ ଆମେ ଝିଅଟିକୁ ବେଶ କରି ନେଇଥିବା ଏବଂ ସନ୍ଦର୍ଭ ପାଠବେଳେ ଡିମୋନ୍‌ଷ୍ଟ୍ରେସନ୍‌ ପାଇଁ ଦର୍ଶକ ମଞ୍ଚରୁ ଦାବି ହେବ ଏବଂ ଏଥିପାଇଁ କଳାକାରମାନଙ୍କ ସମର୍ଥନ ବ୍ୟବସ୍ଥା କରାଯିବ ।

 

ତା’ ପରଦିନ ବାଳିକାଟିକୁ ନିଖୁଣ ଓଡ଼ିଶୀ ବେଶରେ ସଜ୍ଜିତ କରି ଆମ୍ଭେମାନେ ତା’ ସହିତ ପାର୍ଲିଆମେଣ୍ଟ ଭବନଠାରୁ ବିଜୟ-ଚୌକ ଦେଇ ଚାଲି ଚାଲି ବିଜ୍ଞାନ ଭବନକୁ ବାହାରିଲୁଁ । ସୁନ୍ଦର ଓଡ଼ିଶୀ ବେଶ ଦେଖି ଲୋକେ ବାଳିକାଟିକୁ ନିରୀକ୍ଷଣ କରୁଥାନ୍ତି ଏବଂ କେହି କେହି ଆସି ଆମ ସହଯୋଗ ଦେଉଥାନ୍ତି । ବିଜ୍ଞାନଭବନଠାରେ ପହଞ୍ଚିବାବେଳକୁ ଆମ ସଂଖ୍ୟା ୨।୩ ଶହ ହୋଇ ଯାଇଥିଲା । ଇନ୍ଦ୍ରାଣୀ ଓ ଫାବ୍ରୀ ପ୍ରଭୃତିଙ୍କ ପ୍ରଚେଷ୍ଟା ଲାଗି ଆମ ସମର୍ଥକ ଦର୍ଶକ ମଣ୍ତଳୀଙ୍କଦ୍ୱାରା ଭବନଟି ପୂର୍ଣ୍ଣ ହୋଇ ଯାଇଥାଏ । ଯଥାସମୟରେ କାଳୀଭାଇ ସନ୍ଦର୍ଭ ପଢ଼ିଲେ । ଡିମୋନ୍‌ଷ୍ଟ୍ରେସନ୍‌ ପାଇଁ ଦର୍ଶନମାନଙ୍କଆଡ଼ୁ ଦାବିହେଲା । ଫଳରେ ବାଳିକାଟିଦ୍ୱାରା ଡିମୋନ୍‌ଷ୍ଟ୍ରେସନ୍‌ ଦିଆଗଲା ଏବଂ ଘନ ଘନ କରତାଳି ମଧ୍ୟରେ ତା’ର ନୃତ୍ୟ ଉଚ୍ଚ ପ୍ରଶଂସିତ ହେଲା ଏବଂ ଅଧଘଣ୍ଟା ପରିବର୍ତ୍ତେ କାଳୀଭାଇ ଦୀର୍ଘ ୩ ଘଣ୍ଟା ୩୫ ମିନିଟ୍‌ କାଳ ଓଡ଼ିଶୀ ନୃତ୍ୟ ଉପରେ ସନ୍ଦର୍ଭ ପଢ଼ିଲେ ଓ ଯଥାସ୍ଥାନରେ ଡିମୋନ୍‌ଷ୍ଟ୍ରେସନ୍‌ ଦେଖାଇ ଉଚ୍ଚ ପ୍ରଶଂସିତ ହେଲେ ଏବଂ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟ ହେବା ଉଚିତ ବୋଲି ବିଚାରକମାନେ ଘୋଷଣା କରି ସେ ଦିନର ସଭା ଶେଷ କଲେ । ଆମେ ସବୁ ଯେ ବିଜୟ ଲାଗି ଉତ୍‌ଫୁଲ୍ଲିତ ହେଲୁ ଏକଥା କହିବା ବାହୁଲ୍ୟ । ଇନ୍ଦ୍ରାଣୀ ଅତି ଆନନ୍ଦରେ କାଳୀଭାଇଙ୍କ ଗଳାରେ ଫୁଲମାଳ ଲମ୍ବାଇ ତାଙ୍କ ପାଦଧୂଳି ନେଲେ । ୭ ତାରିଖ ସନ୍ଧ୍ୟାରେ ଏଇ ଉପଲକ୍ଷରେ ତାଲକତାରା ମୁକ୍ତ ରଙ୍ଗମଞ୍ଚରେ ଓଡ଼ିଶୀ ନୃତ୍ୟ ଦେଖାଇବେ ବୋଲି ଇଚ୍ଛା ସେ ପ୍ରକାଶ କଲେ ଏବଂ ପରେ ପରେ ମଧ୍ୟ ତାହା କର୍ତ୍ତୃପକ୍ଷଙ୍କଦ୍ୱାରା ଗୃହୀତ ହୋଇଥିଲା ।

 

ଦିଲ୍ଲୀର ଓଡ଼ିଆ ଓ ଓଡ଼ିଶୀ ପ୍ରେମିକଙ୍କ ଭିତରେ ମହାଆନନ୍ଦ । ଇନ୍ଦ୍ରାଣୀ ନୃତ୍ୟ ପରିବେଷଣ କଲେ, ଷ୍ଟେଜ୍‌ ଉପରେ କାଳୀଭାଇଙ୍କୁ ଗୁରୁ ପ୍ରଣାମ ଦେଇ । କାଳୀଭାଇଙ୍କ ସଙ୍ଗରେ ଆମେ ସବୁ ଯାଇଥାଉଁ । ବିଶିଷ୍ଟ ଦର୍ଶକମାନଙ୍କ ଭିତରେ ମରହଟ୍ଟୀ ଲେଖକ ମାମା ଓ୍ୱାରେର୍‌କାର ଓ ଏମ୍. ଏସ୍‌. ଆବେ ପ୍ରଭୃତି ଥାନ୍ତି । ନୃତ୍ୟ ଶେଷରେ କବିର କାଳୀଭାଇଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇ ତାଙ୍କ ଗଳାରେ ଫୁଲମାଳ ଓ ଉତ୍ତରୀୟ ପିନ୍ଧାଇ ଦେଲେ ଏବଂ ଭାରତୀୟ ନୃତ୍ୟ କଳାରେ ଓଡ଼ିଶୀ ନୃତ୍ୟର ସଂବୃଦ୍ଧି ସଂଯୋଗ ପାଇଁ କାଳୀଭାଇଙ୍କ ଦାନଲାଗି ଗଭୀର କୃତଜ୍ଞତା ଓ ସମ୍ବର୍ଦ୍ଧନା ଜଣାଇଲେ । ରାତି ଗୋଟାକବେଳେ ସମାରୋହ ସରିଲା । ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟଭାବରେ ଗୃହୀତ ହେଲା ବୋଲି ଦିଲ୍ଲୀର ସବୁ ସମ୍ବାଦପତ୍ରରେ ଆମେ ପରଦିନ ପଢ଼ିଲୁଁ । କାଳୀଭାଇ ମଧ୍ୟ ପାର୍ଲିଆମେଣ୍ଟ ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ବୁଝାଇ ବହୁ ଜଟିଳ ପ୍ରଶ୍ନର ଉତ୍ତର ଦେଇଥିଲେ ।

 

ଏତିକିରେ କିନ୍ତୁ ଓଡ଼ିଶୀ ଉପରୁ ବିପଦ ଗଲା ନାହିଁ । ଏକାଡେମୀ କାର୍ଯ୍ୟକାରୀ ସମିତି ବସିଲା । ଆମ ପ୍ରତିନିଧି କହିଲେ ଯେ ଏମିତି ତରତରରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନି ଦେବା ଠିକ୍‌ ହବନି । ବର୍ତ୍ତମାନ ଏହାକୁ ପାରମ୍ପରିକ (Traditional) ନୃତ୍ୟ ବୋଲି ଗ୍ରହଣ କରାଯାଉ । ଗୋଟିଏ ବିଶେଷଜ୍ଞ କମିଟି କରି ଏହାର ଶାସ୍ତ୍ରୀୟତା ବିଚାର କରି ସେମାନେ ଯେଉଁ ମତ ଦେବେ ସେହି ଅନୁସାରେ ପରେ ନିର୍ଦ୍ଧାରଣ କରାଯିବ । ସେଇଆ ଗୃହୀତ ହେଲା । ପିନ୍ଧା ମୁକୁଟ କଢ଼ାଗଲା, ଦୀର୍ଘ ୧୨ ବର୍ଷ ଏ ଭିତରେ ବିତିଗଲାଣି, ଏ କମିଟି ଦିନକ ପାଇଁ ବସିଛି ବୋଲି ମୋର ମନେ ହେଉ ନାହିଁ । ଆମେ ସବୁ ଗଭୀର ଦୁଃଖ ଓ ଲାଜରେ ଭାଙ୍ଗି ପଡ଼ିଲୁଁ; ମାତ୍ର କାଳୀଭାଇ ଦୁଃଖରେ ମ୍ରିୟମାଣ ହେଲେ ମଧ୍ୟ ଧୈର୍ଯ୍ୟ ହରାଇ ନ ଥିଲେ । ତାଙ୍କର ଦୃଢ଼ ଧାରଣା ଥିଲା ଯେ, କୁହୁଡ଼ି କ୍ଷଣକପାଇଁ ସୂର୍ଯ୍ୟଙ୍କୁ ଘୋଡ଼ାଇ ଦେଇପାରେ; ମାତ୍ର ଓଡ଼ିଶୀ ଯେଉଁ ମୌଳିକ ନୃତ୍ୟ ଶାସ୍ତ୍ର ଉପରେ ପ୍ରତିଷ୍ଠିତ ଏବଂ ତାହାର ଯେଉଁ କଳା ବିଭବ ଅଛି, ତାହା ଓଡ଼ିଶୀ ନୃତ୍ୟକୁ ନିଶ୍ଚୟ ଶାସ୍ତ୍ରୀୟମାନ ଅଚିରେ ପ୍ରଦାନ କରିବ ।

 

୧୯୫୯ ମସିହାରେ ବଜେଟ ଆଲୋଚନାବେଳେ ବୈଜ୍ଞାନିକ ଗବେଷଣା ଏବଂ ସାଂସ୍କୃତିକ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ମହାରାଜା କଳାହାଣ୍ତି, ଚିନ୍ତାମଣି ପାଣିଗ୍ରାହୀ ଓ ମୁଁ ଓଡ଼ିଶୀ ନୃତ୍ୟ ଉପରେ ଯେଉଁ ଆଲୋଚନା କରୁଥିଲୁ ଓ ମନ୍ତ୍ରୀ ହୁମାୟୁନ୍‌ କବିର ତାହାର ଯାହା ଉତ୍ତର ଦେଇଥିଲେ ତାହା ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରିବା ବୋଧହୁଏ ଅପ୍ରାସଙ୍ଗିକ ହେବନି । ପାଣିଗ୍ରାହୀ ସେତେବେଳେ କମ୍ୟୁନିଷ୍ଟ ଦଳର ସଭ୍ୟଭାବରେ ବିରୋଧୀ ପକ୍ଷରେ ଥାଇ ତିନୋଟି ଏକାଡେମୀର କାର୍ଯ୍ୟପ୍ରତି ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେବାପାଇଁ ଦୁଇବର୍ଷ ହେଲା ମନ୍ତ୍ରୀ ମହୋଦୟଙ୍କଠାରେ ଦାବି କରାହୋଇ ଆସୁଅଛି । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟମାନ ଦେବାପାଇଁ କେତେକ ବିଶାରଦମାନଙ୍କୁ ଘେନି ଗୋଟିଏ କମିଟି ଗଢ଼ାଯାଇଥିବା ଏବଂ ସେହି କମିଟି କେତେକ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିବା ଆମେ ଶୁଣିଛୁ । ଏହା ବଡ଼ ଅଦ୍ଭୁତ କଥା, ଯେଉଁମାନେ ଓଡ଼ିଶୀ ନୃତ୍ୟରେ ଆଗ୍ରହୀ ଏବଂ ନୃତ୍ୟରେ ପାରଙ୍ଗମ ସେମାନେ ଏହି କମିଟିରେ ରହିବା ଉଚିତ; ମାତ୍ର ନାମ ତାଲିକାରୁ ଯାହା ଦେଖାଯାଇଛି, ସେ କମିଟିରେ ଓଡ଼ିଆ ମାତ୍ର ଜଣେ ଓ ସେ ହେଉଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ । ମନ୍ତ୍ରୀ କାନୁନ୍‌ଗୋ ଚେହେରାରେ କଳାପୂର୍ଣ୍ଣ ହୋଇପାରନ୍ତି, ମାତ୍ର ଓଡିଶୀ ନୃତ୍ୟର ସେ ଧାରା ଧାରନ୍ତି ନାହିଁ । ଏହା ସେ କେବେ ଅଧ୍ୟୟନ କରି ନାହାନ୍ତି କିମ୍ବା ସେ ସମ୍ବନ୍ଧରେ ତାଙ୍କର କୌଣସି ଜ୍ଞାନ ନାହିଁ ।

 

କଳାହାଣ୍ତିର ମହାରାଜ ଶ୍ରୀ ପି. କେ. ଦେଓ କହିଥିଲେ ଯେ ଅଙ୍ଗପ୍ରତ୍ୟଙ୍ଗର ଲଳିତ ପରିଚାଳନା ଭଙ୍ଗୀଯୁକ୍ତ ଓଡ଼ିଶୀ ନୃତ୍ୟ ଗୋଟିଏ ଶାସ୍ତ୍ରୀୟ ନୃତ୍ୟ । ଏହା ଓଡ଼ିଶାର ବିଭିନ୍ନ ମନ୍ଦିରମାନଙ୍କରେ ଦେବଦାସୀମାନଙ୍କଦ୍ୱାରା ପରିବେଷଣ କରା ହୋଇଥାଏ । ଏହା ମଧ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ୱରସ୍ଥ ରାଜରାଣୀ ମନ୍ଦିର ଗାତ୍ରରେ ବିଭିନ୍ନ ଅପ୍‌ସରା ମୂର୍ତ୍ତିରେ ପ୍ରତିଫଳିତ ହୋଇପାରିଛି । ସେ ଅନୁରୋଧ କରିଥିଲେ ଯେ ଓଡ଼ିଶୀ ନୃତ୍ୟର ଗବେଷଣା ଓ ବିକାଶ ପାଇଁ ଅଧିକ ଅର୍ଥ ବିନିଯୋଗ କରାଯାଉ ଏବଂ ବିଶେଷତଃ ତାଳପତ୍ର ଖେଦାରେ ଥିବା ଅପ୍ରକାଶିତ ଲେଖାମାନଙ୍କୁ ଛପେଇ ଦିଆଯାଉ, ସେ ନିଶ୍ଚିତ ଭାବରେ ଚାରୋଟି ତାଳପତ୍ର ଖେଦାରେ ଯଥା–ସଙ୍ଗୀତ ନାରାୟଣ, ଅଭିନୟ ଚନ୍ଦ୍ରିକା, ନାଟ୍ୟମନୋରମା ଓ ସଙ୍ଗୀତ ଅଭିନୟ ଦର୍ପଣ ଗ୍ରନ୍ଥମାନ ଓଡ଼ିଶୀ ନୃତ୍ୟ ସଙ୍ଗୀତ ସମ୍ବନ୍ଧରେ ଲେଖାଥିବା ପ୍ରକାଶ କରିଥିଲେ । ସେଗୁଡ଼ିକ ଚିତ୍ରିତ, ଶେଷଟି ସଂସ୍କୃତ ଶ୍ଳୋକସହ ଓଡ଼ିଆ ଟୀକାଯୁକ୍ତ । କବିଚନ୍ଦ୍ର ନାଟ୍ୟାଚାର୍ଯ୍ୟ କାଳୀଚରଣ ପଟ୍ଟନାୟକ ଓଡ଼ିଶୀ ନୃତ୍ୟର ଗବେଷଣାରେ ନିଜର ଜୀବନ ବିତାଇ ଦେଇଛନ୍ତି ଓ ଅଧୁନା ଓଡ଼ିଶୀ ନୃତ୍ୟ ୧୯୫୦ର ଭାରତ ସୁନ୍ଦରୀ ଇନ୍ଦ୍ରାଣୀ ରହମାନ୍‌ଙ୍କଦ୍ୱାରା ଲୋକଲୋଚନକୁ ଆସିପାରିଛି । ଏହାପରେ ଇନ୍ଦ୍ରାଣୀ କେଉଁ କେଉଁ ସ୍ଥାନରେ ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ତାହା ପ୍ରକାଶ କରିଥିଲେ ।

 

ଗତବର୍ଷ ସଙ୍ଗୀତ ନୃତ୍ୟ ସମାରୋହରେ କାଳୀଭାଇଙ୍କ ପ୍ରତି ଯେଉଁ ପ୍ରକାର ଦୁର୍ବ୍ୟହାର କରାଗଲା ସେଥିରେ ମୁଁ ଦୃଢ଼ ପ୍ରତିବାଦ ଦର୍ଶାଇ ଏକାଡେମୀର ଏତାଦୃଶ କାର୍ଯ୍ୟ ବଡ଼ ଦୁର୍ଭାଗ୍ୟଜନକ ବୋଲି କହିଥିଲି । ଏହା କ୍ଷୁଦ୍ର ମନୋବୃତ୍ତି ଏବଂ ସଂକୀର୍ଣ୍ଣ ପ୍ରାଦେଶିକତାର ପ୍ରଭାବ ବୋଲି ଦର୍ଶାଇ କାଳୀଭାଇ ସଂଗ୍ରହ କରିଥିବା ଦୁର୍ଲଭ ଖେଦା ସବୁର ପ୍ରକାଶ ପାଇଁ ଜୋର ଦେଇଥିଲି । ଏହି ସବୁର ଆଲୋଚନାର ଉତ୍ତରରେ ମନ୍ତ୍ରୀ ହୁମାୟୁନ୍‌ କବୀର କହିଥିଲେ ଯେ ବହୁ ମାନ୍ୟବର ସଦସ୍ୟ ଓଡ଼ିଶୀ ନୃତ୍ୟ ବିଷୟରେ କହିଛନ୍ତି, ସଙ୍ଗୀତ ନାଟକ ଏହାକୁ ସ୍ୱୀକୃତି ଦେଇସାରିଛି । ଏହା ବର୍ତ୍ତମାନ ଗୋଟିଏ ପାରମ୍ପରିକ ଭାରତୀୟ ନୃତ୍ୟ ବୋଲି ଗୃହୀତ ହୋଇଛି । ଜଣେ ସାଧାରଣ ଲୋକ ଭାବରେ ସେ ଶାସ୍ତ୍ରୀୟ ଏବଂ ପାରମ୍ପରିକର ପ୍ରଭେଦ କିଛି ବୁଝୁ ନାହାନ୍ତି । ଏହା ବଡ଼ ଗୋଳମାଳିଆ, ପରିଷ୍କାର ନୁହେଁ । ଯାହାହେଉ ଏହା ବର୍ତ୍ତମାନ ଗୋଟିଏ ସ୍ୱତନ୍ତ୍ର କମିଟିକୁ ଦିଆଯାଉଛି । ସେମାନେ କ’ଣ ହେଲେ ନିଷ୍ପତ୍ତି ନିଶ୍ଚୟ ଦେବେ ।

 

ଯାହାହେଉ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏବେ ଦୁଇବର୍ଷ ହେଲା ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟବୋଲି ସଙ୍ଗୀତ–ନାଟକ ଏକାଡେମୀଦ୍ୱାରା ସ୍ୱୀକୃତି ପାଇଛି । କାଳୀଭାଇଙ୍କ ମନକାମନା ପୂର୍ଣ୍ଣ ହୋଇଛି । ସେ ଓଡ଼ିଆ ଜାତି ପାଇଁ ଗୋଟିଏ ବିରାଟ କୀର୍ତ୍ତି ରଖିପାରିଲେ । ଏହା ଅବଶ୍ୟ ଯଥେଷ୍ଟ ନୁହେଁ, ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟକୁ ଯେଉଁ ପରିମାଣରେ ସାହାଯ୍ୟ ମିଳିଛି ତାହା ଦେବାପାଇଁ ବଳିଷ୍ଠ ଦାବି ହେଉ ଏବଂ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପାଇଁ କଳାକାରମାନେ ଉତ୍ସାହରେ ଲାଗିଯାନ୍ତୁ । ନୃତ୍ୟଗୁରୁ କାଳୀଭାଇ ପ୍ରେରଣା ଦିଅନ୍ତୁ ।

 

ସର୍ବୋପରି ଓଡ଼ିଶା ରାଜ୍ୟ ସରକାର ନିଜ ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ କଥାରେ ନୁହେଁ, କାର୍ଯ୍ୟରେ ତୁରନ୍ତ କିଛି କରନ୍ତୁ, ଅନ୍ୟଥା ଲୋକେ କ୍ଷମା ଦେବେନି ।

 

ଶ୍ରୀ ନୃସିଂହ ଚରଣ ସାମନ୍ତସିଂହାର,

 

ପ୍ରୋକ୍ତ ଲେଖାସମ୍ବନ୍ଧେ କେତେକ ଘଟଣାର ସ୍ପଷ୍ଟିକରଣ :

 

ସେମିନାରରେ ମୋର ସନ୍ଦର୍ଭ ପାଠ ଓ ଡିମନ୍‌ଷ୍ଟ୍ରେସନ୍‌ ଦିନକ ପରେ ତା ୬।୪।୫୮ ରିଖର ଘଟଣା–

 

ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାର ଏମ୍‌. ପି. The Oriya resident of Delhi ପକ୍ଷରୁ at a reception to Natyacharya Kabichandra Kalicharan Pattnaik and few eminent artists from Orissa, at M.P.s Club South Avenue on the 6th April 1958 at 6:30 P.M. ବୋଲି କାର୍ଡ଼ ଛପାଇ ବାଣ୍ଟିଥିଲେ । ତଦନୁସାରେ କୁମାରୀ ନନ୍ଦୀ ଓ ସହଯୋଗୀ ଦଳ କ୍ଳବରେ ପ୍ରାୟ ଦୁଇଘଣ୍ଟା ନୃତ୍ୟ ପରିବେଷଣ କଲେ । ଏହା ଉପସ୍ଥିତି ଦର୍ଶକମାନଙ୍କଦ୍ୱାରା ବିଶେଷ ପ୍ରଶଂସିତ ହୋଇଥିଲା ।

 

ଏ ସମ୍ବନ୍ଧେ ତା ୭।୪।୫୮ ରିଖର ଷ୍ଟେଟସ୍‌ମ୍ୟାନ ପତ୍ରିକାରେ ପ୍ରକାଶିତ ମତାମତର କିୟଦଂଶ ଉଦ୍ଧାର କରୁଛି–

 

"At a reception given by Oriya residents of Delhi at the M.P.s Club in South Avenue to Mr. Kalicharan Pattnaik, Orissa is celebrated, as it were, the great day when, at long last, Odissi dancing has received the recognition at the Dance Seminar that it amply deserves. The Odissi dance now in town gave samples of their art.

 

Statesman : 8.4.58

 

"X X X Outstanding among them (the paper read at the Seminar) were Prof. Mohan Khokar's on ritual dances in South India, Mr. Kalicharan Pattanaik's information about Odissi X X X"

 

ବିରୁଦ୍ଧ ମତ–ତା ୪ ରିଖରେ ଓଡ଼ିଶୀ ନୃତ୍ୟ ସନ୍ଦର୍ଭ ପାଠ ଦିନ ସେମିନାରର ଉପସ୍ଥିତ ଭାରତର ବିଭିନ୍ନ ପ୍ରଦେଶରୁ ଆଗତ ନୃତ୍ୟ ସଙ୍ଗୀତ ବିଦ୍ୱାନ୍‌ମାନେ ଏକମୁଖରେ ଓଡ଼ିଶୀ ସଙ୍ଗୀତକୁ ଭାରତ ନାଟ୍ୟମ୍‌, କଥାକାଳୀ, ମଣିପୁରୀ ଓ କୁଚପୁଡ଼ୀ ନୃତ୍ୟ ସହିତ ଶାସ୍ତ୍ରୀୟ (Classical) ବୋଲି ମତ ଦେଲେ । ପତ୍ର-ପତ୍ରିକାରେ ଏହା ପ୍ରକାଶିତ ହେଲା, କିନ୍ତୁ ତା ୭।୪।୫୮ ରିଖ ଦିନ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ପ୍ରମୁଖ ତିନି ଚାରିଜଣ ବିଜ୍ଞାନ ଭବନରେ ବସି ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟତାର ମାନଦେବା, ନ ଦେବା ବିଚାରି ସ୍ଥିର କରିବା ଲାଗି ପୁଣି ଏକ ଆଲୋଚନା ବୈଠକ ବସିଲା । ଏ ବୈଠକରେ ଶ୍ରୀମତୀ ମୃଦୁଳା ସରାଭାଇ, ଶ୍ରୀ ମୋହନ ଖୋକର ଓ ଶ୍ରୀ ଅନୀଲ ଦେ ପ୍ରମୁଖ ନୃତ୍ୟ-ସଙ୍ଗୀତ ବିଦ୍ୱାନ୍‌ମାନେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ସମ୍ମାନ ଦିଆଯିବାକୁ ଦାବି କଲେ । ଅନ୍ୟ ପକ୍ଷରେ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ପ୍ରଭୃତି ସଭା ମଞ୍ଚରେ ଆସୀନ ତିନି ଚାରିଜଣ ବ୍ୟକ୍ତି ଓଡ଼ିଶୀ ନୃତ୍ୟକୁ ବର୍ତ୍ତମାନ ଲାଗି ପାରମ୍ପରିକ (Traditional) ରୂପେ ଗ୍ରହଣ କରାଯାଉ ଏବଂ ଶାସ୍ତ୍ରୀୟ ନୃତ୍ୟରୂପେ ସମ୍ମାନିତ କରିବାର ବିଚାର ଲାଗି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯାଉ ବୋଲି ମତ ଦେଲେ । ଉପସ୍ଥିତ ନୃତ୍ୟ ସଙ୍ଗୀତ ବିଦ୍ୱାନ୍‌ମାନେ କମିଟିର ଏଭଳି ଏକ ମନମୁଖି ଦୁର୍ବିଚାରରେ ଅସନ୍ତୋଷ ପ୍ରକାଶ କଲେ । ଏପରି ବିରୁଦ୍ଧ ମତ ପ୍ରକାଶ ପାଇଥିବାରୁ ଦିଲ୍ଲୀରେ ଉପସ୍ଥିତ ଓଡ଼ିଆ ଏମ୍‌. ପି. ଏବଂ ଅନ୍ୟମାନେ ମଧ୍ୟ ଅସନ୍ତୁଷ୍ଟ ହେଲେ ।

 

ପ୍ରେସ୍‌-କନ୍‌ଫରେନ୍‍ସ–ବାରିଷ୍ଟର ଶ୍ରୀ ରଘୁମଣି ପଟ୍ଟନାୟକ ତା ୧୦ ରିଖ ଦିନ ଓପରଓଳି ଚାରିଟାବେଳେ ସୁପ୍ରିମ କୋର୍ଟର Room No. 73 ରେ ଗୋଟିଏ Press Conference ଡକାଇଲେ । ଡା. ଚାର୍ଲସ ଫାବ୍ରୀ, ମାନ୍ଦ୍ରାଜର ଶ୍ରୀ ବେଙ୍କଟାଚଲମ୍‌, ଶ୍ରୀ ଯତୀନ ଦାସ, ପ୍ରଜେଶ ବାନାର୍ଜୀ ପ୍ରମୁଖ ବିଭିନ୍ନ ସ୍ଥାନର ବହୁ ବିଶିଷ୍ଟ ନୃତ୍ୟ ସଙ୍ଗୀତବିତ୍‌ ଓ କଳାପ୍ରେମୀ ଏଠାରେ ଉପସ୍ଥିତ ଥିଲେ । ସେମାନେ ମୋତେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ପରମ୍ପରା ଏବଂ ନାଟ୍ୟଶାସ୍ତ୍ରର ପ୍ରମାଣ ଇତ୍ୟାଦି ଇତ୍ୟାଦି ସମ୍ବନ୍ଧେ ଅନେକ ପ୍ରଶ୍ନ କଲେ । ଏହି ବୈଠକ ପ୍ରାୟ ଦୀର୍ଘ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଚାଲିଲା । ଶେଷରେ ସମସ୍ତେ ସେମିନାରର ଏପରିକି ଏକ କମିଟି କରି ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ଘେନି ବିଚାର କରିବା ମନ୍ତବ୍ୟର ନିନ୍ଦା କରିଥିଲେ । ଶ୍ରୀ ରଘୁମଣି ଉପସ୍ଥିତ ସଭ୍ୟମାନଙ୍କୁ ଜଳଯୋଗରେ ଆପ୍ୟାୟିତ କରି ଧନ୍ୟବାଦ ଅର୍ପଣ ପରେ ପ୍ରାୟ ସନ୍ଧ୍ୟାବେଳକୁ ସଭା ଭଙ୍ଗ ହେଲା ।

 

ଏ କମିଟିର ମତ ସମ୍ବନ୍ଧେ 'The Statesman, 2 May' 1958 ରେ ପ୍ରକାଶିତ ଏକ ଲେଖାର କେତେକ ଅଂଶ ଦେଖନ୍ତୁ–

 

"In Manipuri a semi-folk dance which does not conform to the rules of the Natya-sastra and does not have abhinaya (Facial expression) at all, can be considered as classical, do we need a committee of experts to judge Odissi, which does conform to the Natya-sastra, has highly developed (pure dance) and abhinaya (Facial expression) and has already been unanimously acclaimed as a classical dance by deligates to the dance seminar bellet, critics and the public at large ?

 

Your's etc.

Sarala Kosambi

Delhi Apr.30

 

ତଥାପି ଗୋଟିଏ କମିଟି ବସି ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ସମ୍ବନ୍ଧେ ଯେଉଁ ପ୍ରେସ ରିଲିଜ ଦେଇଥିଲେ ତାହା ଷ୍ଟେଟସ୍‌ମ୍ୟାନ୍‌ରେ ପ୍ରକାଶିତ ଖବରରୁ ଦ୍ରଷ୍ଟବ୍ୟ–

 

Sunday, Statesman, 20. iv. 1958–

 

ODISSI FORM OF DANCING

Natak Akadami's Elarification.

 

The Sangeet Natak Akadami announced in a press release on Saturday that it had not yet recognized Odissi as a classical form of Indian dancing as reported in a section of the press.

 

X X X

 

In view of the importance of the issue it was decided to refer the matter to an expert committee to be appointed by the Akadami to lay down the Standards for the purpose and, after examining the material available on the subject to advise the Sangeet Natak Akadami.

 

X X X

 

ରାଧିକା :

 

ତା ୫।୪।୫୮ ରିଖରେ କେନ୍ଦ୍ର ନାଟକ ଏକାଡେମୀ ନ୍ୟାସ୍‌ନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌କୁ ଦିଲ୍ଲୀରେ ଅନୁଷ୍ଠିତ ନୃତ୍ୟ ସେମିନାରରେ ଯୋଗ ଦେବାକୁ ଡାକିଥିଲେ । ମୁଁ ମଧ୍ୟ ଡାକରା ପାଇଥିଲି । ମୋ ସନ୍ଦର୍ଭ ସହିତ Demonstration ଦେବାପାଇଁ ପ୍ରୋକ୍ତ ଆସୋସିଏସନ୍‌କୁ ଦିଲ୍ଲୀକୁ ଯିବାକୁ ଥିବା ଦଳର ସହଯୋଗ ନେବାକୁ ଚିଠିପାଇ ମୁଁ ଆସୋସିଏସନ୍‌କୁ ବହୁବାର ଅନୁରୋଧ କରି ବିଫଳ ମନୋରଥ ହୋଇ ଅନ୍ୟ ବ୍ୟବସ୍ଥା କରିବାକୁ ବାଧ୍ୟ ହେଲି । ସେ ସମ୍ବନ୍ଧୀୟ ସବୁକଥା ତ ଆଗରୁ କହିଛି । ଦିଲ୍ଲୀ ତାଳକୋଟ୍ରା ଗାର୍ଡ଼ନରେ ଆସୋସିଏସନ୍‌ ପକ୍ଷରୁ ତା ୫।୪।୫୮ ରିଖ ସନ୍ଧ୍ୟାରେ ‘‘ରାଧିକା’ ନୃତ୍ୟନାଟିକା ମଞ୍ଚସ୍ଥ ହେଲା । ଏହି ନାଟିକା ସମ୍ବନ୍ଧରେ କେତେକ ପତ୍ରପତ୍ରିକାର ମତାମତ ନ୍ୟାସନାଲ୍ ମ୍ୟୁଜିକ୍‌ ଆସୋସିଏସନ୍‌ ତାଙ୍କର କଟକ ନାରୀସଂଘ ସଦନରେ ଡକାଇଥିବା ପ୍ରେସ୍‌ କନଫରେନ୍ସରେ ଟାଇପ୍‌ କରି ବାଣ୍ଟିଥିଲେ । ପରେ ସେଗୁଡ଼ିକ କଟକ ବିବରଣୀରେ ମୁଁ ପ୍ରକାଶ କରୁଛି ।

 

ଶ୍ରୀମତୀ ରହେମାନ୍‌ :

 

ପ୍ରଖ୍ୟାତା ନୃତ୍ୟଶିଳ୍ପୀ ଶ୍ରୀମତୀ ଇନ୍ଦ୍ରାଣୀ ରହେମାନ ଶ୍ରୀ ଦେବପ୍ରସାଦ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରୁଥିଲେ । ମୁଁ ମଧ୍ୟ ଦିଲ୍ଲୀରେ ତାଙ୍କୁ ଗୀତଗୋବିନ୍ଦରୁ ଗୋଟିଏ ଗୀତର ଅଭିନୟ ଶିକ୍ଷା ଦେଇଥିଲି । ୭।୪।୫୮ ସୋମବାର ଦିନ ନୃତ୍ୟ ସମ୍ବନ୍ଧେ ବିଜ୍ଞାନ ଭବନରେ ଆଲୋଚନା ପରେ ତାହାକୁ ଏତେ ଶୀଘ୍ର କ୍ଲାସିକାଲ ରୂପେ ସ୍ୱୀକୃତି ଦେବାପାଇଁ ଅସ୍ୱୀକାର କରାଗଲା । ସେହିଦିନ ସନ୍ଧ୍ୟା ସାତଟାବେଳେ ତାଳକୋଟ୍ରା ଗାର୍ଡ଼ନର ଶ୍ରୀମତୀ ରହେମାନ ଗୀତଗୋବିନ୍ଦରୁ ଗୋଟିଏ ଗୀତ ଓଡ଼ିଶୀ ନୃତ୍ୟ ରୀତିରେ ପରିବେଷଣ କଲେ ।

 

ପ୍ରଥମେ ମୋତେ ମଞ୍ଚ ଉପରକୁ ନେଇ ସେ ଗୁରୁପୂଜା କରି ଓଡ଼ିଶୀ ନୃତ୍ୟର ବିଭାଗମାନଙ୍କ ସହ ନୃତ୍ୟ କଲେ । ପ୍ରାୟ ଏକ ହଜାର ଦର୍ଶକଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ହୁମାୟୁନ କବିର ମୋତେ ସମ୍ବର୍ଦ୍ଧନା ଜ୍ଞାପନ କଲେ । ସେହିଦିନ ଶ୍ରୀ ମଧୁସୂଦନ ମହାନ୍ତି ଦିଲ୍ଲୀ ସୁପ୍ରିମକୋର୍ଟରେ ଯୋଗ ଦେଇ ଥାଆନ୍ତି । ସେ ମଞ୍ଚ ଉପରେ ଖଣ୍ତିଏ ପାଟ ଚଦର ମୋ ଗଳାରେ ପିନ୍ଧାଇ ଦେଲେ ।

 

ଇନ୍ଦ୍ରାଣୀଙ୍କ ଓଡ଼ିଶୀ ନୃତ୍ୟକୁ ସମସ୍ତେ ପ୍ରଶଂସା କଲେ । ଏ ସମ୍ବନ୍ଧେ କେତେକ ଖବରକାଗଜରେ ମତାମତ ଦେଖନ୍ତୁ–

 

Odissi Recognised as a Classical school of Indian dance–

Statesman–8.4.58 (Press Comments)

 

"It was fit occassion for Mrs. Indrani Rehamn to dance on the very day on which the Sangeet Natak Akadami officially recognised Odissi dancing as a classical system equal with Bharata Natya and Kathakali."

 

Times of India–8.4.58.

 

"Testimony for the recognition of Odissi as a Classical dance on par With Bharat Natyam by the dance Seminar on Monday was found the same evening in the dance numbers pessented by Indrani Rehman at the Talkatora gardens."

 

Hindustan Times 8.4.58.

 

"Within a few hours of the Sangeet Natya Akademi dance seminar's according national stasus to a fifth school of Indian classical dance, namely Odissi, a large audience had the opportunity to witness the same performed by Indrani Rehman, etc."

 

ଶ୍ରୀମତୀ ଇନ୍ଦ୍ରାଣୀ ରହମାନଙ୍କଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଏବଂ National Music Association ଦଳଦ୍ୱାରା ପ୍ରଦର୍ଶିତ ‘ରାଧିକା’ ନୃତ୍ୟନାଟିକା ସମ୍ବନ୍ଧେ "The Statesman 2, May 1958" ର ଅଭିମତ–

 

I witnessed all the performances at the Talkotra gardens in connection with the Dance Seminar, and I also attended Srimati Indrani Rehman's performance of "Odissi' on April 7 at the same place.

 

The 'Odissi' dance-drama 'Radhika' of the troup from Cuttack, which performed in the seminar series, was very unimpressive and amateurish, the choreography was abviously a mixture of many elements, including Kathak bols. It is surprising that the Sangeet Natak Akademi invited such a troup. However, the performance of April 7 convinces one of the classicism and beauty of Odissi. Srimati Rehman seems to have taken to master the pure traditional from of Odissi.

 

X X X

 

Sarala Koshambi

May, 2. 1958.

 

ଏହିପରି ଅନେକ ପତ୍ରପତ୍ରିକାରେ ଓଡ଼ିଶୀ ନୃତ୍ୟ ସମ୍ବନ୍ଧେ ବହୁ ମତାମତ ପ୍ରକାଶ ପାଇଛି । ସେ ସମସ୍ତର ନକଲ ଦେବାକୁ ଗଲେ କୁମ୍ଭାର ଚକର କଳେବର ବୃଦ୍ଧି ଘଟିବା ଭୟରେ ସବୁତକ ଏଠାରେ ଲେଖିବାକୁ ଯାଉ ନାହିଁ । ନିମ୍ନରେ କେବଳ ଆଉ ଗୋଟିଏ ମାତ୍ର ପତ୍ରିକାର ମତ ଉଦ୍ଧାର କରି ଦିଲ୍ଲୀରେ ଓଡ଼ିଶୀ ନୃତ୍ୟ ସମାରୋହର ଆଲୋଚନା ଲେଖା ବନ୍ଦ କରୁଛି–

 

Statesman, Delhi

22. 4. 58

 

Odissi Dancing

 

The Sangeet Natak Akademi's denial that it had recognized Odissi dancing (this is the correct spelling Odissi is affectation), is a nice piece of official hedgeing and halftruth and I must openly cotradict it. The dance seminar, as separate from the Sangeet Natak Akademi was absolutely unanimious about Odissi with not a single dissentient voice. I sat among the participants and invites, and watched for well over three quarters of an hour the insistent demands being shot at the chair that Odissi at least should be recognized, this very moment, as classic and equivalent of the other four systems whatever may happen about the recognition of the other claimants.

 

Completely disregarding this insistant demand, the three or four august personages who occupied the rostrum went on trying to postpone a decission by suggesting a committee, and when they were confronted wity a hostile house, entirely disagreeing with the chair at last the announcement was made by two directors, that for the purposes of the annual awards Odissi would henceforth be bracketed with Bharat Natya to which it bears considerable resemblance. When even this did not satisfy the participants in the Seminar and further pressure was brought on the directors, it was repeatedly stated that the word 'Odissi' would be added after ' Bhart Natya' and no one was left in any doubt that this was a definite promise.

 

To say now that this was not a recognition of Odissi as equivalent of Bharata Natya, is pure sophistry. When for the purpose of awards Odissi dancers will be equally considered with Bharat Natya, what further recognition is needed ?

 

Indeed, Odissi being as beautiful and as classical as it is, what recognition from the Akademi is needed at all ? It was recognized by the great experts and by the great public.

 

Yours

Ballet critic

New Delhi, Apr. 20

 

ଫଳାଫଳ :

 

ପରିଶେଷରେ ଓଡ଼ିଶୀ ନୃତ୍ୟ ଏକ ଶାସ୍ତ୍ରୀୟ ନୃତ୍ୟ ରୂପେ ଗୃହୀତ ହେଲା ଏବଂ ଏହାର ବିଶେଷ ଶିକ୍ଷା ବା ରିସର୍ଚ ଲାଗି ବୃତ୍ତିର ବ୍ୟବସ୍ଥା ମଧ୍ୟ ହେଲା ।

 

ବାସ୍ତବରେ ଡା. ନୃସିଂହ ଚରଣ ସାମନ୍ତସିଂହାର, କାଳହାଣ୍ତିର ମହାରାଜା ଶ୍ରୀ ପି.କେ. ଦେଓ. ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ ଓ ଶ୍ରୀ ଶ୍ରଦ୍ଧାକର ସୂପକାର ପ୍ରଭୃତି ଏମ୍‌. ପି. ମାନେ ଓଡ଼ିଶୀ ନୃତ୍ୟକୁ ତାହାର ଯଥାଯୋଗ୍ୟ ସମ୍ମାନ ଲାଭ ଲାଗି ଯେଉଁ ଅଦମ୍ୟ ପ୍ରଚେଷ୍ଟା କରିଛନ୍ତି, ତାହା ଓଡ଼ିଆ ଜାତି ପାସୋରି ପାରିବ ନାହିଁ ।

 

ଏ ସମ୍ବନ୍ଧେ ଲୋକସଭାର ପ୍ରଶ୍ନ–ଗୁରୁବାର ତା ୧୨।୨।୫୯ ରିଖର ପୃଷ୍ଠା ୩୬ (144 Supakar–Odissi Dance and Music) ଏବଂ ବୁଧବାର ମାର୍ଚ୍ଚ ୨୨ ତାରିଖ ୧୯୬୧ ମସିହାରେ ମନ୍ତ୍ରୀ ହୁମାୟୁନ କବିରଙ୍କ ଉତ୍ତର–‘‘ ଓଡ଼ିଶୀ ନୃତ୍ୟକୁ ଯଥାଯୁକ୍ତ ସ୍ୱୀକୃତି ଦେବାସମ୍ବନ୍ଧେ ପଦକ୍ଷେପ ଗ୍ରହଣ କରାଯାଇଛି । ’’ (Action had already been taken to give due recognition to Odissi Dance) ଦ୍ରଷ୍ଟବ୍ୟ ।

 

ମୋ ମନଗୁହାରି ଆମ ଜଗନ୍ନାଥ ଶୁଣିଲେ ବୋଲି ମୁଁ ତାଙ୍କ ଶ୍ରୀଚରଣରେ ମହାନନ୍ଦରେ ପ୍ରଣତି ନିବେଦନ କଲି ।

 

ଅନୁରୋଧ ମୋର :

 

ଦିଲ୍ଲୀ ନୃତ୍ୟ ସମାରୋହରେ ମୋର ସନ୍ଦର୍ଭ ପାଠ ଓ ତହିଁ ସହିତ ଆବଶ୍ୟକୀୟ ଡିମନ୍‌ଷ୍ଟ୍ରେସନ ଦେବାଲାଗି ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ର ସହଯୋଗରେ ଟାଳଟୁଳ ଦେଖି ମୁଁ ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲି ତାହା ମଧ୍ୟ ସେହି ଜଗନ୍ନାଥଙ୍କର ଅନୁଗ୍ରହ ବୋଲି ବିଚାରୁଛି । ଏ ସମ୍ବନ୍ଧେ ‘କଟକରେ ଆଲୋଚନା’ ଶୀର୍ଷକ ମୋର ପରବର୍ତ୍ତୀ ଲେଖାପଢ଼ି ଶ୍ରେଦ୍ଧେୟ ପାଠକପାଠିକାମାନେ ସୁବିଚାର କରିବାକୁ ଅନୁରୋଧ ମୋର ।

 

କଟକରେ ଆଲୋଚନା (୧୯୫୮)

 

ମୁଁ ଦିଲ୍ଲୀରୁ କଟକ ବାହୁଡ଼ିଲା ପରେ ଦୁଇଟି ପ୍ରେସ କନ୍‌ଫରେନ୍ସ ଡକାଇ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ସମସ୍ତ ବିବରଣୀ ପ୍ରକାଶ କଲି । ଏହାପରେ ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌‘ ନାରୀସଂଘ ସଦନ’ ରେ ଗୋଟିଏ ସାମ୍ୱାଦିକ ସମ୍ମିଳନୀ ଡକାଇଲେ । ସେ ସମ୍ବନ୍ଧରେ କିଛି ପ୍ରକାଶ କରୁଛି–

 

ଆସୋସିଏସନ୍‌ No. 131/NMAD/–14-4-58ର ନୋଟିସ ସହ ନିମନ୍ତ୍ରଣ ପତ୍ର ମୋତେ ପଠାଇଥିଲେ । ସେହିଟି ଏହିପରି–

 

From–Dr. B.B. Tripathy. M.D. (Pharm) M.D. (MED) General Secratary.

 

To

 

Shri K.C. Patnaik

Jagannath Ballav

Cuttack

Dear Sir,

 

You will be glad to know that our Association had the privilege of presenting an ODISSI DANCE DRAMA at Delhi during the DANCE SEMINAR, held under the 30.3.58 to 7.4.58 and that our performance there, was very highly appreciated.

 

In this connection, a Press Conference will be held in the Nari Sangha Sadan, Cuttack on Friday, the 18th April 1958 at 6-30 P.M. It would be a matter of great pleasure for us if you could kindly spare some time to attend.

 

Your faithfully

B.B. Tripathy

General Secreatary

 

ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ ତାଙ୍କ ଲିଖିତ ରିପୋର୍ଟ ସହ କେତେକ ପତ୍ରପତ୍ରିକାର ଅଭିମତ ଲେଖି ବାଣ୍ଟିଥିଲେ । ସେଗୁଡ଼ିକରୁ ‘ରାଧିକା’ ନୃତ୍ୟନାଟିକା ପ୍ରଦର୍ଶନଦ୍ୱାରା ଆସୋସିଏସନ୍‌ ଅର୍ଜନ କରିଥିବା ଖ୍ୟାତି-ଅପଖ୍ୟାତି ସମ୍ବନ୍ଧେ ପାଠକପାଠିକା ଯଥାଯଥ ବିଚାର କରିବେ ।

 

ମୁଁ ନିମ୍ନରେ ପତ୍ର-ପତ୍ରିକାର ସେହି ଅଭିମତଗୁଡ଼ିକ ଉଦ୍ଧାର କଲି–

 

Sunday Statesman : 6.4.58

 

"x x x One would have liked better facial abhinaya, and more perfect dancing technique. But it is noteworthy that even thought the dancing technique was not perfect, the total impression of the bellet was moving."

 

X X X

 

Hindus than Times 6.4.58

 

"X X X The production in the Odissi style, on the otherhand gave the impression that the artists who were quite young, needed further training for a performance of this kind."

 

X X X

 

"X X X Radhika" was the theme for interpretation in the Odissi style by the National Music Association of Cuttack. We expected to see a better performance and our hope shall linger on.

 

Thought, 12.4.58

 

"X X X The Odissi ballet snacked of Indian films. Lots of cardboard trees, paper flowers paper arbour, decorated the stage. The dancers appeared in the full glory of tinset jewellery. They danced with stooped shoulders and slightly jerked necks and none of the postures were illustrative of the Odissa temple sculpture, from where the dance is said to have originated.

 

The bols were beautiful but the dancers did not seem to realise it."

 

ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ରିପୋର୍ଟ ଏବଂ ‘ରାଧିକା’ ନୃତ୍ୟନାଟିକା ସମ୍ପର୍କୀୟ ପ୍ରୋକ୍ତ ପତ୍ରପତ୍ରିକାର ସମାଲୋଚନା ଇତ୍ୟାଦି ପାଠ ସରୁଁ ନ ସରୁଣୁ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡେମୀ ସେକ୍ରେଟେରୀଙ୍କଠାରୁ ଆସିଥିବା ନିମ୍ନଲିଖିତ ତାର ବାର୍ତ୍ତାଟି ସେକ୍ରେଟେରୀ ପଢ଼ି ଶୁଣାଇଲେ–

 

New Delhi,

D. 18.4.58

 

Your communication report of Odissi recognised by seminar as classical not correct. Akademi appointing experts committee to advice.

 

Nirmala Joshi

Secretary

Sangeet Natak Akademi

 

ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ବିଚାର ସମ୍ବନ୍ଧେ କେତେକ ଓଡ଼ିଆ ପତ୍ରପତ୍ରିକାରେ ପ୍ରକାଶିତ ସମ୍ବାଦ ନିମ୍ନରେ ଉଦ୍ଧାର କରାଯାଉଅଛି–

 

ଓଡ଼ିଆ ପତ୍ର-ପତ୍ରିକା :

 

ସମାଜ–୧୯।୪।୫୯

 

ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟରୂପେ ଏକାଡେମୀ ସ୍ୱୀକୃତି ପାଇ ନାହିଁ ।

 

ଏ ସମ୍ପର୍କରେ ପରାମର୍ଶ ଦେବାଲାଗି ଏକାଡେମୀ ପକ୍ଷରୁ ବିଶେଷଜ୍ଞ କମିଟି ନିଯୁକ୍ତ କରାଯାଇଛି । ଓଡ଼ିଶୀ ନୃତ୍ୟ ସଙ୍ଗୀତର ବିକାଶ ସାଧନ ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ର ଲକ୍ଷ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକଙ୍କ ବିବୃତ୍ତି–

 

(ନିଜ ପ୍ରତିନିଧିଙ୍କଠାରୁ)

 

କଟକ ତା ୧୯।୪–ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ ପକ୍ଷରୁ ଗତକାଲି ସନ୍ଧ୍ୟାରେ ନାରୀସଂଘ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଡାକ୍ତର ବିଭୂତି ଭୂଷଣ ତ୍ରିପାଠୀ ବିବୃତି ଦେଇ କହିଲେ ଯେ ଭାରତୀୟ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶୀ ନୃତ୍ୟ ସଙ୍ଗୀତକୁ ସୁପ୍ରତିଷ୍ଠିତ କରିବା ଲାଗି ଏ ଅନୁଷ୍ଠାନ ଯଥାସାଧ୍ୟ ଉଦ୍ୟମ କରିଆସିଛି ।

 

X X X

 

ଚଳିତ ମାସର ପ୍ରଥମ ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ନୃତ୍ୟ ସେମିନାରରେ ଆମେ ପୁଣି ଥରେ ଯୋଗ ଦେବାକୁ ସୁଯୋଗ ପାଇଥିଲୁ । ଆମ ଆସୋସିଏସନ ପକ୍ଷରୁ ‘ରାଧିକା’ ନୃତ୍ୟ-ନାଟ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଦେଖିବା ପରେ ଓଡ଼ିଶୀ ନୃତ୍ୟ ସଙ୍ଗୀତର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି ବୋଲି ଦେଶର ବିଭିନ୍ନ ଅଞ୍ଚଳର କଳାପ୍ରେମୀମାନେ ସ୍ୱୀକାର କରିଛନ୍ତି ।

 

X X X

 

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେମାନେ କହିଲେ ଯେ ସେମିନାରରେ ଓଡ଼ିଶୀ ନୃତ୍ୟକୁ ସ୍ୱୀକୃତି ଦେବା ସଂକ୍ରାନ୍ତ ପ୍ରସ୍ତାବ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚିତ ହୋଇ ନ ଥିଲା ଓ ଭୋଟ ଗ୍ରହଣ ମଧ୍ୟ କରାଯାଇ ନ ଥିଲା । ତା’ ଛଡ଼ା ଶ୍ରୀମତୀ ଇନ୍ଦ୍ରାଣୀ ରହମାନ୍‌ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ନ ଥିଲେ ।

 

ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଡକ୍ଟର ମାୟାଧର ମାନସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀର ସେକ୍ରେଟେରୀ ଶ୍ରୀ ରାଜକିଶୋର ରାୟ, ବିଭିନ୍ନ ସମ୍ବାଦପତ୍ରର ପ୍ରତିନିଧି ଓ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ସମସ୍ତଙ୍କୁ ଜଳଯୋଗରେ ଆପ୍ୟାୟିତ କରାଯାଇଥିଲା ।

 

ପ୍ରଜାତନ୍ତ୍ର ୨୧.୪. ୫୮

ଓଡ଼ିଶୀ ନୃତ୍ୟର ସମ୍ମାନ

 

ଡକ୍ଟର ମାୟାଧର ମାନସିଂହ ।

 

ନିକଟରେ ଦିଲ୍ଲୀରେ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ନିଖିଳ ଭାରତର ନୃତ୍ୟସେମିନାରର ଆୟୋଜନ ହୋଇଥିଲା । ଓଡ଼ିଶାରୁ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ ଓ ଦେବପ୍ରସାଦ ଦାସଙ୍କ ନେତୃତ୍ୱରେ ଦଳେ ବାଳିକା ଓଡ଼ିଶୀ ନୃତ୍ୟର ନମୁନା ଦେଖାଇବା ପାଇଁ ଯାଇଥିଲେ । ଷ୍ଟେଟ୍‌ସମାନର କଳା ସମାଲୋଚକ ଡକ୍ଟର ଚାର୍ଲସ୍‌ ଫାବ୍ରୀ, ଏଇ ସମ୍ପର୍କରେ ମୋ ନିକଟକୁ ଏକ ପାଇଭେଟ ଚିଠିରେ ଯାହା ଲେଖିଛନ୍ତି, ତାହା ସମଗ୍ର ଉତ୍କଳବାସୀଙ୍କୁ ଆନନ୍ଦ ଓ ଉତ୍ସାହଦାନ କରିବ ଭାବି, ନିମ୍ନରେ ତାହାର ଅନୁବାଦ କରିଦେଉଛି । ସେ ଲେଖିଛନ୍ତି–

 

‘‘ଗତ ସୋମବାର ତମ ନିକଟକୁ ଏକ ଟେଲିଗ୍ରାମ୍‌ ପଠାଇବା ପାଇଁ ମୋର ଭାରି ଇଚ୍ଛା ହୋଇଥିଲା । କାରଣ ଏଇଦିନ ମୋ ପକ୍ଷରେ ସଂଗ୍ରାମର ଓ ଓଡ଼ିଶୀ ନୃତ୍ୟ ପକ୍ଷରେ ଏକ ବିଜୟ ଦିବସ । ଭାରତନାଟ୍ୟମ୍‌ ପରେ ଓଡ଼ିଶୀ ନୃତ୍ୟକୁ ଭାରତର ଏକ କ୍ଲାସିକାଲ ନୃତ୍ୟ ଭାବରେ ସମାନ ଆସନରେ ଗ୍ରହଣ କରିବାକୁ ସଙ୍ଗୀତ ନାଟକ ଏକାଡେମୀ ସ୍ୱୀକୃତ ହୋଇଛନ୍ତି । ଏଠାରେ ସବୁ ଓଡ଼ିଆ ଭାରି ଖୁସି । ମୋର ସୁଖ କାହାଠାରୁ କମ୍‌ ନୁହେଁ । ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ପାର୍ଲିଆମେଣ୍ଟରେ ଏକ ପ୍ରେସ୍‌ କନ୍‌ଫରେନ୍‍ସ ଡାକୁଛନ୍ତି । ସବୁ ଓଡ଼ିଶା ଏମ୍‌. ପି. ମାନେ ଯୋଗ ଦେଉଛନ୍ତି । ମୁଁ ମଧ୍ୟ ଯିବି ।

 

ଓଡ଼ିଶାରୁ ଯେଉଁ ଦଳ ଆସିଥିଲେ ସେଗୁଡ଼ିକ ଏଗାରରୁ ଚଉଦ ବର୍ଷର ବାଳିକାମାତ୍ର । ସେମାନଙ୍କର ତାଲିମର ବହୁତ ଅଭାବ ଅଛି । ସେମାନଙ୍କର ପୋଷାକପତ୍ର ଓ ପରିବେଶ ଖରାପ ଥିଲା; କିନ୍ତୁ ଏ ସମସ୍ତ ଦୀନତାସତ୍ତ୍ୱେ ଓଡ଼ିଶୀ ନୃତ୍ୟର ନିସର୍ଗ ସୌନ୍ଦର୍ଯ୍ୟ ପ୍ରସ୍ଫୁଟ ହୋଇ ପଡୁଥାଏ । ପଟ୍ଟନାୟକଙ୍କ ଲେକଚର ପରେ ଯେଉଁ କିଶୋରୀ ଡିମନେଷ୍ଟ୍ରସନ୍‌ ଦେଲେ ତାଙ୍କର କୃତିତ୍ୱ ସମସ୍ତଙ୍କୁ ଓଡ଼ିଶୀ ନୃତ୍ୟର ଉଚ୍ଚ କ୍ଲାସିକାଲ୍‌ ଗୁଣ ପ୍ରତି ନିଃସନ୍ଦେହ କରିଦେଲା । ଏକ ଭଲକଥା ପୁଣି ହେଲା ଯେ ଆମେ କେତେକ ଦେବପ୍ରସାଦ ନୃତ୍ୟ କରନ୍ତୁ ବୋଲି ଡାକ ଦେଲୁ । ତାଙ୍କର ଚମତ୍କାର ନୃତ୍ୟରେ ସମସ୍ତେ ଭାସି ଗଲାପରି ହେଲେ । ସୋମବାର ଦିନ ଇନ୍ଦ୍ରାଣୀ ଓଡ଼ିଶୀର ଏକ ଦୀର୍ଘ ପ୍ରଦର୍ଶନୀ ଦେଲେ । ଏହା ଏତେ ସୁନ୍ଦର ହୋଇଥିଲା ଯେ ପ୍ରାୟ ଦୁଇ ହଜାର ଦର୍ଶକ ପ୍ରଥମ ଥର ପାଇଁ ଯେପରି ଏହି ସୌନ୍ଦର୍ଯ୍ୟର ପ୍ରଥମ ଦର୍ଶନ ପାଇଲେ । x x x

 

ଏଇଠି ଗୋଟିଏ କଥା ପଠକପାଠିକାମାନେ ଟିକେ ଲକ୍ଷ୍ୟ କରନ୍ତୁ, ନ୍ୟାସନାଲ୍‌ ମ୍ୟୁଜିକ୍‌ ଆସୋସିଏସନ୍‌ ୧୮ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କହିଲେ, ‘‘ଶ୍ରୀମତୀ ଇନ୍ଦ୍ରାଣୀ ରହେମନ ଓଡ଼ିଶା ନୃତ୍ୟ ପ୍ରଦର୍ଶନ କରି ନ ଥିଲେ ।‘’ ଏହି ସାମ୍ୱାଦିକ ସମ୍ମିଳନୀର ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ଡ. ମାୟାଧର ମାନସିଂହ ଅନ୍ୟତମ ବୋଲି ତା୧୯।୪।୫୮ ରିଖରେ ସମାଜ ପତ୍ରିକାରେ ପ୍ରକାଶିତ । ତା ୨୧।୪।୫୮ ରିଖ ପ୍ରଜାତନ୍ତ୍ର ପତ୍ରିକାରେ ଡା. ମାନସିଂହଙ୍କ ନିକଟକୁ ଡା. ଚାର୍ଲସ୍‌ ଫାବ୍ରୀ ଯେଉଁ ପତ୍ର ଦେଇଥିଲେ ତାହା ପ୍ରକାଶ ପାଇଛି । ଏଥିରେ ଲେଖା ଅଛି ଯେ, ସୋମବାର ଦିନ ଇନ୍ଦ୍ରାଣୀ ଓଡ଼ିଶୀର ଏକ ଦୀର୍ଘ ପ୍ରଦର୍ଶନୀ ଦେଲେ..... ଇତ୍ୟାଦି ।

 

ମାତୃଭୂମି ତା ୩୦।୪।୫୮

 

‘‘ଓଡ଼ିଶୀ ନୃତ୍ୟ ଓ ଘରକଳି’’

 

ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ବୋଲି ଦିଲ୍ଲୀରେ ଭାରତ ସଙ୍ଗୀତ ନାଟକ ଏକାଡେମୀ ଘୋଷଣା କଲେ । ଦିଲ୍ଳୀରେ ସମ୍ବାଦପତ୍ରମାନଙ୍କରେ ଏହା ପ୍ରକାଶ ପାଇଲା, ଓଡ଼ିଶା ପକ୍ଷରେ ଏହା ଗୌରବର ବିଷୟ; କିନ୍ତୁ ଦୁଃଖର କଥା, ନିଜର ପଛେ ସମୂହ କ୍ଷତି ହେଉ, କିନ୍ତୁ ଅନ୍ୟର ଅନିଷ୍ଟ ହେଉ, ଏହି ନୀତି ଓଡ଼ିଶାର ଜାତୀୟ ଜୀବନ ବିକାଶରେ ସବୁବେଳେ ଯେପରି ଅନ୍ତରାୟ ହୋଇ ଠିଆ ହୋଇଛି, ଏ କ୍ଷେତ୍ରରେ ମଧ୍ୟ ତାହାହିଁ ହେଲା । ଦିଲ୍ଲୀରେ ଶୁଣାଗଲା ଯେ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏହି ସଫଳତାରେ କେନ୍ଦ୍ର ସରକାରରେ ଥିବା ଜଣେ ବିଶିଷ୍ଟ ଓଡ଼ିଆ ନେତା ନିଜକୁ ଗୌରବାନ୍ୱିତ ମନେ ନ କରି (କାରଣ ତାଙ୍କର ପୁତ୍ର ଓଡ଼ିଶାର ଏକ ନୃତ୍ୟ ସଙ୍ଗୀତ ଅନୁଷ୍ଠାନରେ ଅଛନ୍ତି) ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ରୂପେ ଯେପରି ଗ୍ରହଣ କରା ନ ଯାଏ, ତାହାର ଉଦ୍ୟମ କଲେ ।

 

‘‘କୃଷକ’’ ତା ୨୫।୪।୫୮

 

ଦେଶର ଗତି କୁଆଡ଼େ ?

 

ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟରୂପେ ଭାରତ ସଙ୍ଗୀତ ନାଟକ ଏକାଡେମୀ ସ୍ୱୀକାର କରିବାନେଇ ବର୍ତ୍ତମାନ ଖବରକାଗଜ ପାଠକ ଓ ନୃତ୍ୟ ସଙ୍ଗୀତପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଖୁବ୍‌ ଗୋଟାଏ ଆଲୋଡ଼ନ ଦେଖା ଦେଇଛି । କଥାଟି ହେଉଛି ଯେ ଭାରତ ସଙ୍ଗୀତ ନାଟକ ଏକାଡେମୀ କିଛିଦିନ ତଳେ ଓଡ଼ିଶୀ ସଙ୍ଗୀତ ସମ୍ପର୍କରେ ଏକ ସନ୍ଦର୍ଭ ପାଠ କରିବାକୁ ଓଡ଼ିଶାର ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ଓ ସେ ସନ୍ଦର୍ଭ ପାଠ କରିଥିଲେ ଏବଂ କଳାବିକାଶ କେନ୍ଦ୍ରର ଜଣେ ଛାତ୍ରୀ ଓ ଦୁଇଜଣ ଶିକ୍ଷକ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଏକ ଡେମୋନଷ୍ଟ୍ରେସନ୍‌ ଦେଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ସନ୍ଦର୍ଭ ଏବଂ କଳା-ବିକାଶ କେନ୍ଦ୍ରର ଡେମୋନଷ୍ଟ୍ରେସନ୍‌ ମୁଗ୍ଧ ହୋଇ ସେଦିନ ଉତ୍ସବର ସଭାପତି ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ଦୃଷ୍ଟିରୁ ତାକୁ ଶାସ୍ତ୍ରୀୟ ନୃତ୍ୟରୂପେ ଘୋଷଣା କରିଥିଲେ ।

 

ଓଡ଼ିଶୀ ନୃତ୍ୟର ଏଭଳି ସ୍ୱାତନ୍ତ୍ର୍ୟ ସ୍ୱୀକୃତି ଓଡ଼ିଶାବାସୀଙ୍କ ପାଇଁ ଏକ ସୁସମ୍ବାଦ ହୋଇଥିଲେ ମଧ୍ୟ ନ୍ୟାସନାଲ୍‌ ମ୍ୟୁଜିକ ଆସୋସିଏସନ୍‌ ବୋଲି କଟକର ଏକ ନୃତ୍ୟ ସଙ୍ଗୀତ ଅନୁଷ୍ଠାନର କୁଆଡ଼େ ଏଥିରେ ଦେହ ସହିଲା ନାହିଁ । ଓଡ଼ିଶୀ ନୃତ୍ୟର ଏ ଗୌରବ କାଳେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ କଳାବିକାଶ କେନ୍ଦ୍ର ନେଇଯିବେ, ସେଥିପାଇଁ ସେମାନେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟରୂପେ ସ୍ୱୀକୃତି ମିଳି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଚାର ଚଳାଇଲେ । ତା’ର କିଛିଦିନ ପରେ ସମ୍ବାଦ ପ୍ରକାଶ ପାଇଲା ଯେ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟରୂପେ ସ୍ୱୀକାର କରାଯାଇଥିବା କଥା ଦିଲ୍ଲୀରେ ବିଶିଷ୍ଟ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଛି-

 

X X X

 

‘‘କୃଷକ’’ ପତ୍ରିକା ପ୍ରକାଶିତ ବାକି ଅଂଶତକ ଲେଖିବାକୁ ମନବଳୁ ନାହିଁ । ସମୟ କେତେବେଳେ କି ଅବସ୍ଥାରେ କାହାକୁ କ’ଣ କରେ । ହୁଏତ ନିଜ କର୍ମ ଲାଗି ମଣିଷ ପଛରେ ପସ୍ତାଏ, ତେଣୁ ଏତିକିରେ ଥାଉ ।

 

ଦିଲ୍ଲୀ ପାର୍ଲାମେଣ୍ଟ ଭବନରେ ଓଡ଼ିଶୀ ନୃତ୍ୟର ଆଲୋଚନା ସଭାପରେ ଆଉ କେତେକ ସଙ୍ଗୀତାନୁଷ୍ଠାନ ମୋତେ ଡାକି ନେଇଥିଲେ । ଓଡ଼ିଶୀ ନୃତ୍ୟ ସମ୍ବନ୍ଧେ ନାନା ଆଲୋଚନା ହେଲା । ‘ଓଡ଼ିଶୀ ନୃତ୍ୟ’’–ଏହି ନାମକରଣ ଘେନି ବହୁ ସଙ୍ଗୀତ ବିଦ୍ୱାନ୍‌ ବିଭିନ୍ନ ତାତ୍ତ୍ୱିକ ପ୍ରଶ୍ନମାନ କରିଥିଲେ-। ମୁଁ ଠିକେ ସେ ସମସ୍ତେ ଆଲୋଚନାର ଉତ୍ତର ତଳେ ଲେଖୁଛି ।

 

୧୯୫୫ ରେ ଉତ୍କଳ ନୃତ୍ୟ ସଙ୍ଗୀତ ନାଟ୍ୟକଳା ପରିଷଦରେ ମୁଁ ସଭ୍ୟ ଥିଲି । ସେତେବେଳେ ଓଡ଼ିଶୀ ନୃତ୍ୟ (Odissi Dance) ସମ୍ବନ୍ଧେ ଖଣ୍ତିଏ ଇଂରାଜୀ କ୍ଷୁଦ୍ର ପୁସ୍ତିକା ଲେଖି ପରିଷଦର ଆଲୋଚନା ଚକ୍ରରେ ଭେଟିଥିଲି । ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ଆମର ବହୁ କାଳର ପ୍ରଚଳମାନଙ୍କ ମଧ୍ୟରୁ କେତେକ କହି ତାହା ହିନ୍ଦୀ ଏବଂ ଇଂରାଜୀରେ ବୁଝାଇଥିଲି । ଆମର ଗୋଟିଏ ପ୍ରବଚନ ଅଛି–

 

‘‘ହାତ ଯେଉଁଠି ଆଖି ସେଇଠି

ଚଉକି ଚିରା ଲକ୍ଷି ବଇଠି

ଚଉରସକରି ଭାଙ୍ଗିବ କାଠି

ତାଳ କାଳ ମାନି ମାର ଗୋଇଠି ।’’

 

ଆମ ସଙ୍ଗୀତ ଶାସ୍ତ୍ରର ବାକ୍ୟ (ସଂସ୍କୃତ ଶ୍ଳୋକ) ସହିତ ଏ କଥା କିପରି ମିଳି ଯାଉଛି ତାହା ବୁଝାଇ କହିଥିଲି ଯେ, ଓଡ଼ିଶୀ ନୃତ୍ୟର ଏହିପରି ନାନା ବିଭାଗ ଶାସ୍ତ୍ର ଅନୁସରଣରେ ପ୍ରଚଳିତ । ଅଭିନୟ ଦର୍ପଣର ୩୭ ଶ୍ଳୋକରୁ ଧାଡ଼ିଏ ଦେଖନ୍ତୁ–

 

‘‘ଯତୋ ହସ୍ତସ୍ତତୋ ଦୃଷ୍ଟି ର୍ଯତୋ ଦୃଷ୍ଟି ତତୋ ମନଃ’’

 

ସାଧାରଣ କଥାରେ ଏହିପରି ପ୍ରବଚନମାନ କାଳକାଳରୁ ଚଳି ଆସୁଥିବା ଦୁଷ୍ଟିରୁ ଓଡ଼ିଶୀ ନୃତ୍ୟର ସମାଦର ଆମ ଦେଶରେ କେତେ ତାହା ସହଜରେ ଅନୁମେୟ ।

 

ଆହୁରି କହିଲି ଆଜି ଯେଉଁ ଓଡ଼ିଶୀ ନୃତ୍ୟ ଆମେ ଦେଖୁଛୁଁ, ତାହାର ସୃଷ୍ଟ କାଳ ଠିକଣା କରି କହି ନ ପାରିଲେ ମଧ୍ୟ, ମୋର ବିଶ୍ୱାସ ଯେ ଦେବଦାସୀ ବା ମାହାରୀ ନୃତ୍ୟ ଏହାର ମୂଳ । ଦେବଦାସୀମାନେ କେବଳ ଶ୍ରୀମନ୍ଦିରରେ ଶ୍ରୀମାନ୍‌ ଜଗନ୍ନାଥ ଦେବଙ୍କ ଶ୍ରୀଛାମୁରେ କେତେକ ନିର୍ଦ୍ଦିଷ୍ଟ ସମୟରେ ଏହି ନୃତ୍ୟ ପରିବେଷଣ କରିବାର ପରମ୍ପରା ବିଧି ରହିଛି । ତେଣୁ ଏହି ନୃତ୍ୟ, ସେବା ନୃତ୍ୟ । ଏହା ସାଧାରଣଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ । ଶ୍ରୀମନ୍ଦିର ଭିନ୍ନ ଏହି ନୃତ୍ୟ ଅନ୍ୟତ୍ର ପ୍ରଦର୍ଶନ କରିବାକୁ ଦେବଦାସୀମାନଙ୍କୁ ନିଷେଧ ଥିଲା । ଶ୍ରୀମାନ୍‌ ଜଗନ୍ନାଥଙ୍କୁ ନିଜର ସ୍ୱାମୀ ଜ୍ଞାନରେ ଅତି ପବିତ୍ର ଭାବରେ ଦେବଦାସୀ ମନ୍ଦିରକୁ ଯାଇ ଭକ୍ତିଭାବ ସମନ୍ୱିତ ଏହି ନୃତ୍ୟ ପ୍ରଦର୍ଶନ କରୁଥିଲେ ।

 

ଏ ସମ୍ବନ୍ଧେ ଅନେକ କଥା କହିବାକୁ ଅଛି । ପୂର୍ବରୁ ପୂଜ୍ୟପାଦ ମୁନିଋଷିମାନେ ଶ୍ଳୋକ, ଛନ୍ଦ ବୃତ୍ତରେ ରଚନା କରୁଥିଲେ । ଉତ୍କଳର ବିଶିଷ୍ଟ ଭକ୍ତକବି ସଙ୍ଗୀତଜ୍ଞ ଜୟଦେବ ପ୍ରଥମେ ସଙ୍ଗୀତ ରଚନା କଲେ । ଶ୍ଳୋକ ବୃତ୍ତ ପ୍ରଭୃତି ଆବୃତ୍ତି ଲାଗି ଏବଂ ସଙ୍ଗୀତ ଗାୟନ ଲାଗି ଉଦ୍ଦିଷ୍ଟ । କାରଣ ସଙ୍ଗୀତ ‘ସ୍ୱର ତାଳ’ ନିୟନ୍ତ୍ରିତ ଏବଂ ତାହା ମୁଖ୍ୟତଃ ଭାବାନୁସାରୀ ।

 

ଭକ୍ତକବି ଜୟଦେବଙ୍କର ରଚିତ ଶ୍ରୀଗୀତଗୋବିନ୍ଦ ଗୀତସହ ତାଙ୍କ ପତ୍ନୀ ଭକ୍ତିମତୀ ଦେବୀ ପଦ୍ମାବତୀ ଶ୍ରୀଜୀଉଙ୍କ ଶ୍ରୀଛାମୁରେ ନୃତ୍ୟ ପରିବେଷଣ କରୁଥିଲେ । ଶ୍ରୀଗୀତଗୋବିନ୍ଦରୁ ଏହାର ପ୍ରମାଣ ମିଳେ ।

 

Unknown

‘‘ବାଗ୍‌ଦେବତା–ରଚିତ ବିଚିତ୍ର–ଚିତସଦ୍ମା

ପଦ୍ମାବତୀ ଚରଣ–ଚାରଣ ଚକ୍ରବର୍ତ୍ତୀ ।

ଶ୍ରୀ ବାସୁଦେବ–ରତିକେଳି କଥାସମେତ–

ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧମ୍‌ ।’’

 

ଦେବଦାସୀ ନୃତ୍ୟ ସହିତ ଗୀତର ଏଠାରେ ସମାବେଶ ଦେଖାଯାଏ । ଏହି ଦେବଦାସୀ ବା ମାହାରୀ ନୃତ୍ୟ ଭକ୍ତି ନିବେଦନ ଲାଗି ଉଦ୍ଦିଷ୍ଟ ।

 

ପରେ ଲୋକ ମନୋରଞ୍ଜନ ପାଇଁ ପୁରୀର ସାହିମାନଙ୍କରେ ଆଖଡ଼ା ପିଲା ଏବଂ ପରେ ପରେ ଗୋଟିପୁଅ ବା ସଙ୍ଗୀତ ପିଲାଦଳ ସୃଷ୍ଟି ଘଟିଲା । ଏତେବେଳେ ଓଡ଼ିଶୀ ନୃତ୍ୟର ବିଭିନ୍ନ ବିଭାଗମାନ ସ୍ଥିରୀକୃତ ହେଲା । ଓଡ଼ିଶାର ଏହି ସୃଷ୍ଟି ଓଡ଼ିଶୀ ନୃତ୍ୟ ବୋଲାଇ ବହୁ କାଳରୁ ଚଳି ଆସୁଅଛି ।

 

ଓଡ଼ିଶାର ସଙ୍ଗୀତ ଶାସ୍ତ୍ର ‘ଗୀତ ପ୍ରକାଶ’, ‘ସଙ୍ଗୀତ ନାରାୟଣ’, ‘ସଙ୍ଗୀତ ସରଣୀ’, ‘ନାଟ୍ୟ ମନୋରମା’, ‘ଅଭିନୟ ଦର୍ପଣ ପ୍ରକାଶ’, ‘ଅଭିନୟ ଚନ୍ଦ୍ରିକା’ ପ୍ରଭୃତିରେ ଓଡ଼ିଶୀ ଗୀତ-ବାଦ୍ୟ-ନୃତ୍ୟର ବିଶେଷ ବର୍ଣ୍ଣନା ଦୃଷ୍ଟ ହୁଏ ।

 

ଏ ସମ୍ବନ୍ଧେ ବିଶେଷ ଆଲୋଚନା ସମୟସାପେକ୍ଷ । ଏହିପରି ନାନା ବିଷୟ ମୁଁ ବୈଠକମାନଙ୍କରେ ଦର୍ଶାଇଥିଲି । ଓଡ଼ିଶୀ ନୃତ୍ୟକୁ ସଙ୍ଗୀତ ନାଟକ ଏକାଡେମୀ ଶାସ୍ତ୍ରୀୟ ନୃତ୍ୟ ରୂପେ ସ୍ୱୀକୃତି ଦେଇ, ପୁଣି ପଛରେ ମତାନ୍ତର ପ୍ରକାଶ କରିବା ନିତାନ୍ତ ପରିତାପର ବିଷୟ ବୋଲି ଭାରତର ବିଶିଷ୍ଟ–ନୃତ୍ୟ-ସଙ୍ଗୀତବିତ୍‌ କଳାକାରମାନେ ପ୍ରକାଶ କରିଥିଲେ ।

 

ଏ ସବୁ ବିଷୟ ଲେଖିବାକୁ ଯାଇ ସ୍ଥଳବିଶେଷରେ ବାଧ୍ୟ ହୋଇ ପୁନରାବୃତ୍ତି ଘଟିଅଛି, କେତେକ ବିଷୟ ସ୍ପଷ୍ଟ କରି ଦେବାକୁ ।

 

ସହୃଦୟ ପାଠକପାଠିକାଙ୍କୁ ଏ କଥା ବିଚାର କରିବାକୁ ମୋର ବିନୀତ ଅନୁରୋଧ ।

 

କଟକରେ ଓଡ଼ିଶୀ ନୃତ୍ୟ ଆଲୋଚନା (୧୯୫୮)

 

ଶ୍ରୀ ମୋହନ ଖୋକର–ଦିଲ୍ଲୀର ନୃତ୍ୟ ସେମିନାରରେ ଶ୍ରୀ ମୋହନ ଖୋକରଙ୍କ ସହିତ ଆଳାପ ପରିଚୟ ହୁଏ । ସେତେବେଳେ ସେ Head of the Department, Dance, Baroda University ର ହୋଇଥାଆନ୍ତି । ଦିଲ୍ଲୀ ସେମିନାରର ସେ ଏକ ତଥ୍ୟମୂଳକ ସୁନ୍ଦର ପ୍ରବନ୍ଧ ପାଠ କରିଥିଲେ । ମୁଁ ଦିଲ୍ଲୀରୁ ଫେରିବା ପରେ ସେ ତା ୩୦।୫।୫୮ ରିଖରେ ହଠାତ୍‌ କଟକ ଆସି ମୋ ବସାରେ ପହୁଞ୍ଚିଲେ । କଟକ ଆସି ଓଡ଼ିଶୀ ନୃତ୍ୟ ସମ୍ବନ୍ଧେ ସେ ବିଶେଷ ଆଲୋଚନା କରିବେ ବୋଲି ଦିଲ୍ଲୀରେ ମୋତେ କହିଥିଲେ, ମାତ୍ର ଶୀଘ୍ର ଆସିବେ, ଏ କଥା ମୁଁ ଜାଣି ନ ଥିଲି । କଟକରେ ଆସି ମୋ ବସାରେ ରହି ସେ ଓଡ଼ିଶୀ ନୃତ୍ୟର ଗବେଷଣାରେ ଲାଗି ପଡ଼ିଲେ । ତାଙ୍କୁ କେତେକ ପୋଥିରୁ ତଥ୍ୟ ବତାଇଲି, ବିଶେଷତଃ ଅଭିନୟ ଦର୍ପଣ ପ୍ରକାଶର ନୃତ୍ୟତଥ୍ୟ ଶୁଣି ସେ ଆମ ପୂର୍ବାଚର୍ଯ୍ୟମାନଙ୍କୁ ହାତ ଯୋଡ଼ିଲେ ।

 

ଶ୍ରୀ ଦେବପ୍ରସାଦ ଦାସ, ସେ ସମୟରେ ମୋ ପାଖରୁ ଓଡ଼ିଶୀ ନୃତ୍ୟ ଅଭିନୟ ଇତ୍ୟାଦି ଶିଖୁଥିଲେ । ଶ୍ରୀ ଖୋକର, ଶ୍ରୀ ବାବୁଲାଲ ଯୋଷୀଙ୍କ ପାଖେ ମଧ୍ୟ ଦିନ ଚାରି ଛଅ ରହିଲେ । ତାଙ୍କୁ କୋଣାର୍କ ନେଇଯାଇ ନୃତ୍ୟର କେତେକ ବିଶେଷ ଭଙ୍ଗି ଏବଂ ଅଭିନୟ ଦେଖାଇ ଆମ ନୃତ୍ୟଶାସ୍ତ୍ର ସହିତ କିପରି କୋଣାର୍କ ମନ୍ଦିର ମୂର୍ତ୍ତିମାନଙ୍କର ସାମ୍ୟ ଅଛି, ତାହା ସ୍ପଷ୍ଟଭାବେ ବୁଝାଇ କହିଲି । ତା ୫।୬।୫୮ ରିଖ ଦିନ କୋଣାର୍କରେ ସେ କେତେକ ଫଟୋଚିତ୍ର ଗ୍ରହଣ କଲେ ।

 

କୋଣାର୍କଠାରୁ ତାଙ୍କୁ ସଙ୍ଗରେ ନେଇ ମୁଁ ପୁରୀ ଯାଇ ଗଜପତିଙ୍କ ସହିତ ଦେଖା କରାଇଲି । ମୁଁ ସବୁବେଳ ସବୁଠାରୁ ବେଶି ଡରେ ସ୍ମୃତିକୁ । ପୁରୀର ଗଜପତି ରାଜା ଏତେବେଳେ ଶ୍ରୀ ଦିବ୍ୟସିଂହ ଦେବ । ଶ୍ରୀନଅର ଦେଖି, ଆଖି ଆଗରେ ମୋର ନାଚି ଉଠିଲା ଗତ ଦିନର କଥା । ଶ୍ରୀ ରାମଚନ୍ଦ୍ର ଦେବ ଥାଆନ୍ତି ପୁରୀର ରଜା, ରାଣୀ ରହସ୍ୟମଞ୍ଜରୀ ଥିଲେ ମୋର ଛାତ୍ରୀ, ଏଇଠି ମୁଁ ବର୍ଷ ବର୍ଷ ବିତାଇଛି । ଶ୍ରୀ ଜଗନ୍ନାଥଙ୍କର ଚାମର ସେବା ଇତ୍ୟାଦି ଏଇ ରାମଚନ୍ଦ୍ର ଦେବ ମୋତେ ଦେଇଥିଲେ । ସେ ଆଜି ନାହାନ୍ତି, ୧୯୫୬ ମସିହା ନଭେମ୍ବର ତା ୧୫ ରିଖରୁ ସେ ସ୍ୱର୍ଗାରୋହଣ କଲେଣି ।

 

ଡ. ଚାର୍ଲସ ଫାବ୍ରୀ ଯୋଗକୁ ପୁରୀ ଆସିଥିଲେ । ଆମେ ରାଜାଙ୍କୁ ଭେଟିବାବେଳେ ସେ ଶ୍ରୀନଅରରେ ଥିଲେ । ମନ୍ଦିର, ମୂର୍ତ୍ତି, କଳା ଓ ନୃତ୍ୟ ସମ୍ବନ୍ଧେ ବହୁ ସମୟ ଧରି ନାନା ଆଲୋଚନା ହେଲା । ଡ. ଫାବ୍ରୀ ତ ଦିଲ୍ଲୀର ନୃତ୍ୟ ସମାରୋହବେଳେ ସେଠାରେ ସମସ୍ତ ଘଟଣା ଜାଣନ୍ତି । ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ସମ୍ବନ୍ଧେ ମୋର ପ୍ରମାଣ ପ୍ରଦାନରେ ସେ ଜଣେ ବିଶିଷ୍ଟ ଦ୍ରଷ୍ଟା ଏବଂ ସାହାଯ୍ୟକାରୀ । ଶ୍ରୀ ଖୋକରଙ୍କ ଓଡ଼ିଶା ଆଗମନ ଓ ଓଡ଼ିଶୀ ନୃତ୍ୟ ଆଲୋଚନାକୁ ଡ. ଫାବ୍ରୀ ଏବଂ ପୁରୀ ରାଜା ବଡ଼ ପସନ୍ଦ କଲେ ।

 

ତା ୭।୬।୫୮ ରିଖରେ ଶ୍ରୀ ଖୋକର ମାନ୍ଦ୍ରାଜ ଯାତ୍ରା କଲେ ।

 

କଟକରେ ସଙ୍ଗୀତାନୁଷ୍ଠାନ (୧୯୫୮)

 

ଶ୍ରୀ ବାବୁଲାଲ ଯୋଷୀ ଓଡ଼ିଆ ବଜାରରେ ଗୋଟିଏ ସଙ୍ଗୀତ ଅନୁଷ୍ଠାନ ସ୍ଥାପନ କରିବାର ବ୍ୟବସ୍ଥା କଲାଦିନୁ, ମୋ ସହିତ ବେଳେବେଳେ ନାନା ପରାମର୍ଶ କରୁଥାଆନ୍ତି । କେନ୍ଦ୍ର ପାଇଁ ଗୋଟିଏ ସ୍ୱତନ୍ତ୍ର ଘର ତୋଳାଇବା ତାଙ୍କର ଉଦ୍ଦେଶ୍ୟ ସେ ମୋତେ ଦିନେ ଜଣାଇଲେ । ଏ ପ୍ରସ୍ତାବରେ ମୁଁ ବଡ଼ ଆନନ୍ଦିତ ହେଲି । ତା୯।୩।୫୮ ରିଖରେ ସେ ଓ ମୁଁ ଖାଲି ପାଦରେ କଟକରେ ପ୍ରଥମେ ଜଷ୍ଟିସ୍‌ ଶ୍ରୀ ହରିହର ମହାପାତ୍ରଙ୍କ ଘରକୁ ଚାଲି ଚାଲି ଯାଇ ତାଙ୍କ ଆଶୀର୍ବାଦ ଓ ସହାୟତା ଲୋଡ଼ିଲୁ । ଶ୍ରୀ ମହାପାତ୍ର ବଡ଼ ଆଦରରେ ଆମ କଥା ଶୁଣି ସାହାଯ୍ୟ ଦେବାଲାଗି ସ୍ୱୀକୃତି ଦେଲେ-

 

ଏଥି ପୂର୍ବରୁ ତା ୭।୩।୫୮ ରିଖରେ ଏହି କେନ୍ଦ୍ରରେ ଘର ଲାଗି ଖଣ୍ତିଏ ଜମି ପାଇଁ ଆମେ ସେତେବେଳର କଲେକ୍ଟର ଓ ପୋଲିସ ସୁପରିଣ୍ଟେଣ୍ତେଣ୍ଟକୁ ନିବେଦନ କରିବାକୁ ଯାଇଥିଲୁଁ-। ସେ ଦୁହେଁ ମଧ୍ୟ କେନ୍ଦ୍ରର ଘର ପାଇଁ ଜମି ବ୍ୟବସ୍ଥା କରି ଦେବାକୁ ଭରସା ଦେଲେ ।

 

ତା ୧୫।୪।୫୮ ରିଖରେ କେନ୍ଦ୍ରର ଘରତୋଳା ଲାଗି ଭିତ୍ତି ସ୍ଥାପିତ ହେଲା । ମନେଅଛି, ଡ. ମହତାବ୍‌ ସେଦିନ ଉପସ୍ଥିତ ଥିଲେ । ଅଳ୍ପ କେତେ କାଳ ଗଲାପରେ ଗୋଟିଏ ସୁରମ୍ୟ ପକ୍‌କାଘର ତୋଳାଇ ପାରିଲେ ବାବୁଲାଲବାବୁ । କଟକରେ କଳାବିକାଶ କେନ୍ଦ୍ରଠାରୁ ପୁରାତନ ଆଉ ଦୁଇଟି ଅନୁଷ୍ଠାନ ଥିଲେ ମଧ୍ୟ ସେମାନଙ୍କର ସ୍ୱତନ୍ତ୍ର ସଙ୍ଗୀତ ଶିକ୍ଷାଳୟ ନାହିଁ । ଅବଶ୍ୟ ନ୍ୟାସନାଲ୍‌ ମ୍ୟୁଜିକ ଆସୋସିଏସନ୍‌ ଗୋଟିଏ ସ୍ୱତନ୍ତ୍ର ଶିକ୍ଷାଳୟ ଲାଗି ଘର ତୋଳିବାର ପ୍ରଚେଷ୍ଟା କରିଛନ୍ତି । କିନ୍ତୁ କେବଳ କିଛି ଉଚ୍ଚ କାନ୍ଥି ତୋଳା ହୋଇ ସେହିପରି ଖଣ୍ତିଆ ହୋଇ ରହିଛି ।

 

ସଙ୍ଗୀତ ସମାଜ ବିଧି ଭଡ଼ାଘରେ ଚାଲିଛି । ବାବୁଲାଲବାବୁଙ୍କ ଅଦମ୍ୟ ଚେଷ୍ଟା ଓ ନିଷ୍ଠା ବଳରେ କଳାବିକାଶ କେନ୍ଦ୍ର ସ୍ୱତନ୍ତ୍ର ଘର ଓ ଗୋଟିଏ ସୁନ୍ଦର ମଞ୍ଚ ମଧ୍ୟ ନିର୍ମାଣ କରି ସାରିଲେଣି ।

 

ଏହା ବ୍ୟତୀତ ଆଉ କେତୋଟି ଛୋଟ ବଡ଼ ଅନୁଷ୍ଠାନ ମଧ୍ୟ ଭଡ଼ାଘରେ ଚଳୁଅଛି ।

 

କଳାବିକାଶ କେନ୍ଦ୍ର ପରେ ସ୍ମୃତିକଳା ମଣ୍ତଳ ନିଜର ଗୋଟିଏ ଘର ଓ ମଞ୍ଚ ନିର୍ମାଣ କରିଛନ୍ତି । ସେଠାରେ ଗୀତ ନୃତ୍ୟ ଶିକ୍ଷାର ବ୍ୟବସ୍ଥା ଅଛି ।

 

ଉତ୍କଳ ସଙ୍ଗୀତ ସମାଜ ପ୍ରାରମ୍ଭ କାଳରୁ ନିରବଚ୍ଛିନ୍ନଭାବେ ନୃତ୍ୟ ଗୀତ ଶିକ୍ଷାଦାନରେ ବ୍ରତୀ ହୋଇ ରହିଛି । ନାନା ସ୍ଥାନ ପରିବର୍ତ୍ତନ ପରେ ଏବେ କାଠଯୋଡ଼ି କୂଳର ଏହି ଅନୁଷ୍ଠାନଟି ଚଳୁଅଛି ।

 

କଳାଭବନ ନାମକ ଅନ୍ୟ ଏକ ଅନୁଷ୍ଠାନ ଶ୍ରୀ ଦୟାନିଧି ଦାସ ନିଜର ପ୍ରଚେଷ୍ଟା ବଳରେ ଚଳାଇ ଆସୁଅଛନ୍ତି । ଦୟାନିଧି ନିଜେ ଜଣେ ନୃତ୍ୟଗୁରୁ । ବି.ଏ. ପଢ଼ିଛନ୍ତି । ତେଣୁ ଆମର ପୁରୁଣା ନୃତ୍ୟଶାସ୍ତ୍ରରୁ କିଛି ତଥ୍ୟ ସଂଗ୍ରହ କରିପାରିଛନ୍ତି ସେ । ଏ ଅନୁଷ୍ଠାନଗୁଡ଼ିକ ସହିତ ମୁଁ ସାମୟିକ ଭାବେ ସମ୍ପୃକ୍ତ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଏମାନେ ଆର୍ଥିକ ସାହାଯ୍ୟ ପାଇ ଆସୁଅଛନ୍ତି ।

 

ଉତ୍କଳ ନାଟ୍ୟ ସଂଘ :

 

ମୁଁ ୧୯୫୪ ସାଲରେ ମୋଟର ଦୁର୍ଘଟଣା ଭୋଗି ଦରଭଙ୍ଗା ଦେହ ନେଇ କଟକ ହାସପାତାଳରୁ ଆସି ଘରେ ପଡ଼ି ରହିଥାଏ । ସମୟ ଅନୁସାରେ ଡାକ୍ତର ବିଭୂତି ତ୍ରିପାଠୀ ଆସି ଇନ୍‌ଜେକସନ୍‌ ଦେଉଥାଆନ୍ତି । ଦେହରୁ ପଟି ଫିଟିଥାଏ ମାତ୍ର ବିଛଣାରୁ ଉଠି ଚଳପ୍ରଚଳ ହେବାର ଆଦୌ ଶକ୍ତି ନ ଥାଏ ମୋର ।

 

ଦିନେ ଲେଖକ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି (ପୁଲିସ ଇନସ୍‌ପେକ୍ଟର) ଆସି ମୋତେ କହିଲେ ଯେ ଶ୍ରୀମତୀ କମଳା ଦେବୀ ଚଟ୍ଟୋପାଧ୍ୟାୟ ମୋ ବସାକୁ ଆସିବେ । ସେ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡେମୀର ନାଟକ ସବ୍‌କମିଟିର ଚେୟାରମ୍ୟାନ୍‌ ତଥା ଥିଏଟର ସେଣ୍ଟର୍‌ ଇଣ୍ତିଆର ସଭାନେତ୍ରୀ । ଓଡ଼ିଶାରେ ଗୋଟିଏ ଶାଖା ଉନ୍ମୋଚନ କରିବା ତାଙ୍କ କଟକ ଆସିବାର ଅଭିପ୍ରାୟ । ତା ୩୧।୧୨।୫୪ରେ ମୋ ବସାରେ କମିଟିଟିଏ ବସିଲା । କଥାବାର୍ତ୍ତା ପରେ ଓଡ଼ିଶାରେ ନାଟ୍ୟ ଶାଖା ଉନ୍ମୋଚନର ପ୍ରସ୍ତାବ ହେଲା । ମୁଁ ‘ଥିଏଟର୍‌ ସେଣ୍ଟର୍‌’ ନାମ ବଦଳରେ ‘ଉତ୍କଳନାଟ୍ୟ ସଂଘ’ ନାମ ରଖିବାକୁ କହିଲି । ଶ୍ରୀମତୀ ଚଟ୍ଟୋପାଧ୍ୟାୟ ଏବଂ ତାଙ୍କ ସହିତ ଆସିଥିବା ଆଉଜଣେ ଭଦ୍ରମହିଳା ମୋ ପ୍ରସ୍ତାବକୁ ଅନୁମୋଦନ କଲେ । ଗୋଟିଏ ସମିତି ଗଠିତ ହେଲା । ମୁଁ ଅନୁଷ୍ଠାନର ସଭାପତି ରହିଲି । ଶ୍ରୀ ବସନ୍ତ କୁମାର ମହାନ୍ତି ଏହାପରେ ନାଟ୍ୟସଂଘର ସମ୍ପାଦକ ରୂପେ କାର୍ଯ୍ୟ କଲେ । ଶ୍ରୀ ଧୀରେନ୍ଦ୍ର ବିଶ୍ୱାଳ ପ୍ରଭୃତି କେତେଜଣ ସଭ୍ୟ ରହିଲେ ଉତ୍କଳ ନାଟ୍ୟ ସଂଘରେ । ଓଡ଼ିଶାର କେତେକ ସ୍ଥାନରେ ଶାଖାମାନ ଉନ୍ମୋଚିତ ହେଲା । ଫିସ୍‌ ଇତ୍ୟାଦି ଓ ଅନ୍ୟାନ୍ୟ ହିସାବପତ୍ର ରଖନ୍ତି ବସନ୍ତବାବୁ ।

 

ଦିଲ୍ଲୀ ଯାତ୍ରା :

 

ଦିଲ୍ଲୀଠାରେ ‘ଥିଏଟର୍‌ ସେଣ୍ଟର୍‌ ଇଣ୍ତିଆ’ର ଏକ ସମ୍ମିଳନୀ ହେଉଥିଲା । ଏଠା ଉତ୍କଳ ନାଟ୍ୟସଂଘର ସେକ୍ରେଟେରୀ ବସନ୍ତବାବୁ ଓ ମୁଁ ଦିଲ୍ଲୀଗଲୁ ତା ୧୪।୧।୫୯ ରେ । ଦିଲ୍ଲୀ ଆଗ୍ରା ହୋଟେଲରେ ସେତେବେଳେ ଆଡ଼ଭୋକେଟ୍‌ ଶ୍ରୀ ମଧୁସୂଦନ ମହାନ୍ତି ରହୁଥାଆନ୍ତି । ଆମେ ଦୁହେଁ ତାଙ୍କରି ଅତିଥି ହେଲୁଁ । ୧୭ ତାରିଖରେ କମଳା ଦେବୀ (ଚଟ୍ଟୋପାଧାୟ)ଙ୍କ ସହିତ ସାକ୍ଷାତ୍‌ ହେଲା । ୧୮ ତାରିଖରେ ଥିଏଟର ସେଣ୍ଟର ଇଣ୍ତିଆର ସଭାରେ ମୁଁ ଭାଇସ୍‌ ପ୍ରେସିଡେଣ୍ଟ ମନୋନୀତ ହେଲି । ସେଇ ସଭାରେ ମୋର ପ୍ରସ୍ତାବ କ୍ରମେ ‘‘ଥିଏଟର୍‌ ସେଣ୍ଟର୍‌ ଇଣ୍ତିଆ’’ ନାମ ‘‘ପରିବର୍ତ୍ତେ ଭାରତୀୟ ନାଟ୍ୟ ସଂଘ’’ ନାମ ରଖାଗଲା ।

 

ମଥୁରା–ବୃନ୍ଦାବନ :

 

୨୧।୧।୫୯ରେ ମଧୁବାବୁ ଓ ମୁଁ ମଥୁରା ଏବଂ ବୃନ୍ଦାବନ ଗଲୁଁ । ଏଠାରେ ଆମ ଓଡ଼ିଶାର ବାୟାବାବାଙ୍କଦ୍ୱାରା ପ୍ରତିଷ୍ଠିତ ‘ରମଣରତି’ ଅନୁଷ୍ଠାନରେ ରହିଲୁ । ବଡ଼ ଆନନ୍ଦ ଲାଗିଲା । ଏଠି ଦିବାନିଶି ଅଖଣ୍ତ ନାମ କୀର୍ତ୍ତନ ଚାଲିଛି । କେତେ ପୂର୍ବ ସ୍ମୃତି ଗତ ଦିନର ଇତିହାସକୁ ମନରେ ଚେତାଇ ଦେଲା, ବୃନ୍ଦାବନର ସେ ସୁନ୍ଦର ସୁନ୍ଦର କୁଞ୍ଜ ଆଉ ହରିଦାସ ଠାକୁରଙ୍କ ସମାଧି ସ୍ଥଳ ଇତ୍ୟାଦି ଓ ଦିଅଁଦର୍ଶନ ସାରି ବାଟରେ ମଥୁରା ଦେଖି ଦିଲ୍ଲୀରୁ ଫେରିଲୁ । ବାଟରେ ମୋର ପୂର୍ବବନ୍ଧୁ ଶ୍ରୀ ପ୍ରଜେଶ ବାନାର୍ଜୀଙ୍କ ଘର ଆଲ୍ଲାହାବାଦ୍‌ର ଟୁକୁନଭିଲା (ଆଲେନଗଞ୍ଜ) କୁ ଗଲୁଁ । ପ୍ରଜେଶବାବୁ ଆମଠାରୁ ଆଗରୁ ଖବର ପାଇ ଷ୍ଟେସନରୁ ଆମକୁ ନେଇଗଲେ । ଆଲ୍ଲାହାବାଦରେ ମ୍ୟୁଜିକ୍‌ କଲେଜକୁ ଡାକରା ପାଇ ଗଲି । ସେଠାରେ ବିବିଧ ଯନ୍ତ୍ର ସଂରକ୍ଷଣ ଇତ୍ୟାଦି ଆୟୋଜନ ଦେଖି ମୋର ଓଡ଼ିଶାର ସଙ୍ଗୀତ ଚର୍ଚ୍ଚା ଓ ଶିକ୍ଷାଳୟ କଥା ମନେପଡ଼ିଲା । ଆମେ ବାସ୍ତବରେ କ’ଣ କରିଛୁଁ, ସଙ୍ଗୀତର ଉନ୍ନତି କଳ୍ପେ ? ସେଠା କଲେଜ ମଧ୍ୟକ୍ଷ ସେଠି ଗୋଟିଏ ଓଡ଼ିଶା ସଙ୍ଗୀତ ଶ୍ରେଣୀ ଖୋଲି ମୋତେ ମଧ୍ୟେ ମଧ୍ୟେ ସେଠାକୁ ଯିବାଲାଗି ଅନୁରୋଧ କଲେ । ଓଡ଼ିଶୀ ସଙ୍ଗୀତ ସମ୍ବନ୍ଧେ ପ୍ରାୟ ଦୁଇଘଣ୍ଟା ଆଲୋଚନା ଚାଲିଲା । ଏସବୁ ପ୍ରଜେଶବାବୁଙ୍କ ଯୋଗାଡ଼ । ତାଙ୍କ ଭଦ୍ରତା, ତାଙ୍କ ସଙ୍ଗୀତ ଚର୍ଚ୍ଚା ପ୍ରତି ଆଦର ଓ ସ୍ନେହ ସହାନୁଭୂତି ଦେଖି ବାସ୍ତବରେ ମୁଗ୍ଧ ହୋଇଗଲି । ଯୋଗ୍ୟ ସନ୍ତାନ ହିସାବରେ ପ୍ରଜେଶଙ୍କ ପୁଅ ପାର୍ଥସାରଥୀ ମଧ୍ୟ ଅତି ବିନୟୀ ଯୁବକ ।

 

କଟକ ବାହୁଡ଼ା :

 

କଟକ ଫେରିବା ବାଟରେ କଲିକତା ବହୁବଜାର ୧୧ ନମ୍ବର ଆଙ୍ଗୋଲ ଓଡ଼ିଆ ପ୍ରେସର ମାଲିକ ଶ୍ରୀ ଆକୁଳି ମିଶ୍ରଙ୍କ ଘରକୁ ଏବଂ ହିନ୍ଦୁସ୍ଥାନ ରେକର୍ଡ଼ିଂ କମ୍ପାନୀକୁ ଗଲି । ଆକୁଳିବାବୁ ଗୋଟିଏ ବ୍ଲଡ଼-ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ମନସ୍ଥ କରି, ଆସନ୍ତା ମାର୍ଚ୍ଚ (୧୯୫୯)ରେ କଲିକତାରେ ବ୍ଲଡ଼ ବ୍ୟାଙ୍କର ସାହାଯ୍ୟାର୍ଥେ ଏକ ସମ୍ମିଳନୀ ଡକାଇ ମୋତେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭାର ନେବାକୁ ଅନୁରୋଧ କଲେ । ରାତ୍ରିରେ କଟକ ଫେରିଲି, ଏକ୍ସପ୍ରେସ ଗାଡ଼ିରେ ।

 

ଓଡ଼ିଶୀ ବେଶପୋଷାକ ଓ ପଲ୍ଲୀନୃତ୍ୟ :

 

ତା ୧୨।୨।୫୯ ରିଖରେ ଭାରତୀୟ ନାଟ୍ୟ ସଂଘରୁ ଶ୍ରୀ ଇନ୍ଦର ରାଜଦାନ ଓଡ଼ିଶାର ପୁରୁଣା ପୋଷାକପତ୍ର ଓ ଯନ୍ତ୍ରପାତି ସମ୍ବନ୍ଧେ ତଥ୍ୟ ସଂଗ୍ରହ କରିବାକୁ କଟକ ଆସିଥିଲେ । ତହିଁ ପରଦିନ ସେହି ସଂଘର ସାଉଣ୍ତ ଇଞ୍ଜିନିୟର୍‌ ଶ୍ରୀବାସ୍ତବ ଓ ମୁଣ୍ତକୁର ମଧ୍ୟ ଆସି ପହୁଞ୍ଚିଲେ । ତା ୨୧ ରିଖରେ ଓଡ଼ିଶାର କେତେକ ସ୍ଥାନ ବୁଲାଇ ଓଡ଼ିଶୀ ନାଟ୍ୟକଳା ଓ ପୋଷାକପତ୍ର ଦେଖାଇବା ପାଇଁ ସେମାନଙ୍କୁ ଘେନି ମୁଁ କଟକରୁ ବାହାରିଲି । ସେତେବେଳକୁ ଡ. ମହତାବ ଥାଆନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ତ ଜଣେ କଳାଭକ୍ତ । ମୋର ଅନୁରୋଧରେ ସେ ଗାଡ଼ିଟିଏ ଯୋଗାଇ ଦେଲେ । ପବ୍ଲିସିଟି ବିଭାଗର କର୍ତ୍ତା ଶ୍ରୀ ସୁଧୀର ଘୋଷ ସମସ୍ତ ବ୍ୟବସ୍ଥା କରିଦେଲେ, ଡ. ମହତାବଙ୍କ ନିର୍ଦ୍ଦେଶରେ ।

 

ମୁଁ ରାଜଦାନ ପ୍ରଭୃତିକୁ ଘେନି ବାଲୁଗାଁ ବାଟେ ଗଞ୍ଜାମ ଗସ୍ତରେ ବାହାରି ବ୍ରହ୍ମପୁର, ନରେନ୍ଦ୍ରପୁର, ଆସିକା, ଧରାକୋଟ, ହିଞ୍ଜିଳକାଟୁ, କବିସୂର୍ଯ୍ୟ ନଗର ଓ ରମ୍ଭା ସାବିଳିଆ ପ୍ରଭୃତି ସ୍ଥାନ ବୁଲାଇ ସେଠାର କଳାକାର ଓ କଳାନୁଷ୍ଠାନମାନ ଦେଖାଇଲି । ସେମାନେ ବିଭିନ୍ନ ପୋଷାକପତ୍ର ଓ ଯନ୍ତ୍ରାଦିର ତଥ୍ୟ ସଂଗ୍ରହ କରି କେତେକ ଫଟୋ ଗ୍ରହଣ କଲେ ।

 

ପାଇକ ନାଚ :

 

୧୭।୨।୫୯ ସକାଳେ ନରେନ୍ଦ୍ରପୁର ଯାଇ ସେଠା ସ୍କୁଲରେ ପାଇକ ନାଚ ଦେଖି ବ୍ରହ୍ମପୁର ବାଟେ ହିଞ୍ଜଳିକାଟୁ ଗଲୁ ।

 

ରାଧା ପ୍ରେମ ଲୀଳା :

 

ହିଞ୍ଜଳିକାଟୁରେ ତା ୧୮।୨।୫୯ ରିଖ ରାତିରେ ରାଧା ପ୍ରେମଲୀଳା ଦେଖିବାର ଆୟୋଜନ କରାଗଲା । ଅଭିନୟ, ସାଜସଜ୍ଜା ଓ ସଙ୍ଗୀତର ମଧୁର ସ୍ୱରରେ ସେମାନେ ମୁଗ୍ଧ ହୋଇଗଲେ ଏବଂ ବହୁ ଫଟୋ ନେଲେ ।

 

ପ୍ରହ୍ଲାଦ ନାଟକ :

 

ଆସିକାରେ ପ୍ରହ୍ଲାଦ ନାଟକ ପ୍ରଦର୍ଶନର ବ୍ୟବସ୍ଥା କରାଇଲି । ସେମାନେ ଏପରି ନିଖୁଣ ଅଭିନୟ ଓ ସାଜସଜ୍ଜା ଦେଖି ଆମ ଓଡ଼ିଶାର କଳା ଓ ସଂସ୍କୃତିର ବିଶେଷ ପ୍ରଶଂସା କଲେ । ଏଠାରେ ମଧ୍ୟ ବିବିଧ ଅଭିନେତା ଓ ମଞ୍ଚ ପ୍ରଭୃତିର ଫଟୋ ନେଲେ । (୧୯।୨।୫୯)

 

କବିସୂର୍ଯ୍ୟନଗର :

 

ଏଠାରେ ଓଡ଼ିଶୀ ନୃତ୍ୟ, ଗୀତ ଓ ବୀଣା ବାଦନର ଉତ୍କର୍ଷତା ସେମାନଙ୍କୁ ବିଶେଷ ଆନନ୍ଦ ଦେଲା । ସେଠା ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ତାରିଣୀ ପାତ୍ର ସେମାନଙ୍କୁ ଗୋଟି ଗୋଟି କରି ଓଡ଼ିଶୀ ଯନ୍ତ୍ର ଓ ନୃତ୍ୟର ତାତ୍ପର୍ଯ୍ୟ ବୁଝାଇଲେ ।

 

ଢଣ କୋଇଲା :

 

ରମ୍ଭା (ସାବିଳିୟା)ଠାରେ ଗୋଟିଏ କ୍ଷୁଦ୍ର ସଙ୍ଗୀତ ଅନୁଷ୍ଠାନରେ ‘ଢଣ କୋଇଲା’ ଯନ୍ତ୍ର ବାଦନ ଓ ତହିଁ ସହିତ ଓଡ଼ିଶାର ପୁରାତନ ପଲ୍ଲୀଗୀତର ଗାୟନ ଶୁଣି ସେମାନେ ଏହା ଏକ ଅଭିନବ ଦୃଶ୍ୟ ଏବଂ ‘ଢଣ କୋଇଲା’ ଯନ୍ତ୍ର ଭାରତର ଅନ୍ୟ କେଉଁଠି ଦେଖି ନ ଥିବାର କହିଲେ । ଢଣ କୋଇଲା ଯନ୍ତ୍ର ଆମ ଓଡ଼ିଶାରୁ ପ୍ରାୟ ଲୋପ ପାଇଗଲାଣି । ଗୋଟିଏ ଧନୁରେ ସଂଯୋଜିତ ଜ୍ୟା (ସରୁ ଦଉଡ଼ି) କୁ ସଞ୍ଚାଳନ କରି ବାଦକ ଗୀତର ଅନୁସରଣ କରନ୍ତି । ଧନୁ ଅଗ୍ରଭାଗରେ ଘୁଙ୍ଗୁର ବନ୍ଧା ହୋଇଥାଏ । ଏ ଅପୂର୍ବ ସଙ୍ଗୀତ ରାଜଦାନ ପ୍ରଭୃତିଙ୍କ ଆଖିରେ କେବେ ପଡ଼ି ନ ଥିବା କଥା ତାଙ୍କଠାରୁ ଶୁଣିଲି ।

 

ମାର୍ଚ୍ଚ ତା ୧୧ ରିଖରେ କଟକ ଫେରି ସେମାନେ ପୁରୀ ଗଲେ ବସନ୍ତବାବୁଙ୍କ ସହିତ । ଫେରିଆସି କଟକରେ ଓଡ଼ିଶୀ ନୃତ୍ୟ ଦେଖି ତା ୧୩।୩।୫୯ ରିଖରେ ଦଳ ଦିଲ୍ଲୀ ଫେରିଗଲେ ।

 

ପୁଣି ଦିଲ୍ଲୀ :

 

ଏହାର ପ୍ରାୟ ଦୁଇମାସ ପରେ ମୋତେ ଦିଲ୍ଲୀରୁ ଶ୍ରୀମତୀ ଚଟ୍ଟୋପାଧ୍ୟାୟ ଡକାଇଲେ । ମୁଁ ଶ୍ରୀ ରାଜଦାନ ପ୍ରଭୃତି ଓଡ଼ିଶାରୁ ନେଇଥିବା ଫଟୋଗୁଡ଼ିକର ବିସ୍ତାରିତ ବିବରଣୀ ଗୋଟିଏ ସଭାରେ ବୁଝାଇ କହିଲି । ଓଡ଼ିଶାର ସଙ୍ଗୀତ-କଳା ପ୍ରତି ସଭାସ୍ଥ ବ୍ୟକ୍ତିମାନେ ବିଶେଷ ସମ୍ମାନ ପ୍ରଦର୍ଶନ କଲେ ଓ ଏ ସମ୍ବନ୍ଧେ ମୋତେ ଗୋଟିଏ ପ୍ରବନ୍ଧ ଲେଖିବାକୁ ଅନୁରୋଧ କଲେ । ମୁଁ କଟକ ଫେରି ପ୍ରବନ୍ଧଟିଏ ଲେଖି ଶ୍ରୀମତୀ ଚଟ୍ଟୋପାଧ୍ୟାୟଙ୍କ ନିକଟକୁ ପଠାଇ ଦେଲି, ଇଂରାଜୀରେ-

 

କଟକରେ ନୃତ୍ୟ-ନାଟ୍ୟ ସମାରୋହ :

 

ଏଇବର୍ଷ ଜୁନ୍‌ମାସରେ ଉତ୍କଳ ନାଟ୍ୟସଂଘ ପକ୍ଷରୁ କଟକରେ ଗୋଟିଏ ଏକାଙ୍କିକା ପ୍ରତିଯୋଗିତା ଏବଂ ନୃତ୍ୟ ଗୀତ ସମାରୋହ କରାଇବାର ଆୟୋଜନ କରାଇଲି । ପ୍ରଜେଶ ଓ ଚୋପ୍ରା ପ୍ରଭୃତିଙ୍କୁ କଟକ ଆସିବାକୁ ଲେଖିଲି । ସେମାନେ ଓ ଦୁଇଟି ଝିଅ କାନପୁରରୁ ଆସିବାକୁ ସ୍ୱୀକୃତି ଦେଲେ । ତା ୧୦।୬।୫୯ ରିଖ ଦିନ ସକାଳେ ପ୍ରଜେଶ ବାନାର୍ଜୀ ଆଉ ସଞ୍ଜରେ ବିନୋଦ ଚୋପ୍ରା ଆସି ମୋ ବସାରେ ପହୁଞ୍ଚିଲେ ।

 

ବାଙ୍କାବଜାର ଜନତା ରଙ୍ଗମଞ୍ଚ ଭଡ଼ାକୁ ନିଆଯାଇ ତା ୧୪–୬ ରେ ଏକାଙ୍କିକା ପ୍ରତିଯୋଗିତା ଆରମ୍ଭ ହେଲା । ସେଇ ମଞ୍ଚରେ ଦିନେ ଦୁଇଦିନ ପୂର୍ବରୁ କଳାବିକାଶ କେନ୍ଦ୍ରର ନୃତ୍ୟ ପ୍ରଦର୍ଶିତ ହେଉଥିଲା । ମନେଅଛି, ଜନତାମଞ୍ଚରୁ କଳାବିକାଶ କେନ୍ଦ୍ରର ନାଲି ସାଲୁକନାରେ ଲେଖା ବିଜ୍ଞାପନ ସେତେବେଳକୁ ବାହାର କରିନେଇ ନ ଥାନ୍ତି ।

 

କଳାବିକାଶ କେନ୍ଦ୍ର ସେ ସମୟରେ ବାଙ୍କାବଜାରର ସ୍ୱର୍ଗତ ରାୟବାହାଦୁର ରାଜକିଶୋର ଦାସଙ୍କ ଘରେ କ୍ଳାସ୍‌ ଇତ୍ୟାଦି କରୁଥାଆନ୍ତି । ତା ୧୫।୬ ରିଖରେ କାନପୁରରୁ ଉଷା ଓ ଉମା ଆସି ମୋ ଘର ଠିକଣା ଜାଣି ନ ପାରି କଳାବିକାଶ କେନ୍ଦ୍ରରେ ପହଞ୍ଚିଲେ । ମୋତେ କିଏ ଜଣେ ଆସି ଖବର ଦେଲା–ମୁଁ ସେଠାକୁ ଗଲି ଓ ତାଙ୍କୁ ମୋ ଘରକୁ ନ ଆସି ଏଠାକୁ କିପରି ଆସିଲେ ବୋଲି ପଚାରିବାରୁ ସେଠାରେ କେନ୍ଦ୍ରର ଜଣେ କାରପଟ୍‌ଦାର୍‌ କହିଲେ ଯେ କଟକରେ ଆଉ କେଉଁଠି ସଙ୍ଗୀତ ଅନୁଷ୍ଠାନ ଅଛି ଯେ ସେମାନେ ସେଠାକୁ ଯାଆନ୍ତେ ? ମନେ ମନେ ଟିକିଏ ଭାବିଲି ତାଙ୍କ କଥା ଶୁଣି–କେତେ ଗର୍ବ ସେମାନଙ୍କର ! ମୋ ଘରକୁ ନେଇ ଆସିଲି ମୋ ବନ୍ଧୁକନ୍ୟା ଦୁହିଁଙ୍କୁ । ସେ ଦୁହେଁ ଭାରତନାଟ୍ୟମ୍‌ ପ୍ରବୀଣା ।

 

ତହିଁ ପରଦିନ (ତା ୧୬।୬) ଶ୍ରୀ ଚୋପ୍ରା ଜନତା ମଞ୍ଚରେ ନୃତ୍ୟ ପ୍ରଦର୍ଶନ (demonstration) ଓ ବକ୍ତୃତା ଦେଲେ । ପ୍ରଜେଶବାବୁ ନୃତ୍ୟ ଆଲୋଚନା କରି କେତେକ ଉପାଦେୟ କଥା କହିଲେ । ତା ୧୭।୬ ରିଖରେ ଉଷା ଓ ଉମାଙ୍କ ନୃତ୍ୟ ଏବଂ ପ୍ରଜେଶବାବୁଙ୍କ ବକ୍ତୃତା ପରେ ଉତ୍କଳ ନାଟ୍ୟସଂଘର ଜନତା ମଞ୍ଚରେ ହେଉଥିବା ନୃତ୍ୟ ସମାରୋହ ଶେଷ ହେଲା । ଏଭଳି ଚାରିଦିନ ବ୍ୟାପୀ ନୃତ୍ୟ, ଏକାଙ୍କିକା ଓ ବକ୍ତୃତା ଅନୁଷ୍ଠାନ ଲୋକରେ ଖୁବ୍‌ ପ୍ରଶଂସିତ ହେଲା-

 

ଶେଷଦିନ ଅର୍ଥାତ୍‌ ତା ୧୭।୬ ରିଖରେ ଦେବଦାସଙ୍କୁ ଓଡ଼ିଶୀ ନୃତ୍ୟ ପରିବେଷଣ ଲାଗି ମୁଁ ଆଗରୁ ଅନୁରୋଧ କରିଥିଲି ଏବଂ ସେ ସ୍ୱୀକୃତି ଦେଇଥିଲେ । ବିଦେଶାଗତ କଳାକାରମାନେ ଓଡ଼ିଶୀ ନୃତ୍ୟର ସ୍ୱତନ୍ତ୍ରତା ଓ ବିଶେଷତ୍ୱ ଯେପରି ଭଲଭାବରେ ହୃଦୟଙ୍ଗମ କରିପାରିବେ, ସେଭଳି ବ୍ୟବସ୍ଥା କରିବାକୁ ଦେବଦାସଙ୍କୁ କେତେକ କଥା କହିବାକୁ ମୁଁ ସେହିଦିନ ସକାଳେ ଦେବଦାସଙ୍କ ପେଟିନ୍‌ ସାହିର ବସାକୁ ଗଲି । ବସା ଦୁଆର ମୁହଁରୁ ତାଙ୍କୁ ଡାକମାରି ଭିତରକୁ ପଶିଯିବାବେଳେ ଘର ଭିତରୁ ଗୋଟାଏ କ’ଣ ପଡ଼ିବା ପରି ମନେହେଲା । ଘର ଭିତରେ ଦେଖିଲି ଦେବଦାସ ଖଣ୍ତିଏ ସପରେ ଗଡ଼ୁଛନ୍ତି । ତାଙ୍କ ପେଟକୁ ମାରୁଛି କହି, ସେଦିନ ମଞ୍ଚକୁ ଆସିପାରିବେ ନାହିଁ ବୋଲି କହିଲେ । ମୁଁ ବାରିପାରିଲି ଯେ ଏହା ଏକ ଛଳନା । କଟକରେ ଥିବା ନୃତ୍ୟ-ସଙ୍ଗୀତ ନାଟ୍ୟକଳା ଅନୁଷ୍ଠାନ ପକ୍ଷରୁ ଦେବ ମାସକୁ ଚାଳିଶ ଟଙ୍କା ବୃତ୍ତିପାଇ ମୋ ତତ୍ତ୍ୱାବଧାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରୁଥିଲେ । ତେଣୁ ତାଙ୍କୁ ନୃତ୍ୟର ବିଭିନ୍ନ ବିଭାଗ ପ୍ରଦର୍ଶନ କରାଇବାକୁ ମୋର ଏକାନ୍ତ ଇଚ୍ଛା ପଣ୍ତ ହେଲା ।

 

ଶ୍ରୀ ବିନୋଦ ଚୋପ୍ରା ଜଣେ ବିଶିଷ୍ଟ ନର୍ତ୍ତକ । ସେ ଓଡ଼ିଶୀ ନୃତ୍ୟ ଶିଖିବାକୁ ବଡ଼ ଆକାଙ୍‌କ୍ଷା କରି ଓଡ଼ିଶାକୁ ଆସିଥିଲେ । ଦେବଦାସଙ୍କୁ କହିଥିଲି ଚୋପ୍ରାଙ୍କୁ ଓଡ଼ିଶୀ ନୃତ୍ୟଶିକ୍ଷା ଦେବାପାଇଁ । ଦେବ ତ ନୃତ୍ୟ ପରିବେଷଣ ପାଇଁ ଆସିଲେ ନାହିଁ, ଅଧିକନ୍ତୁ ଚୋପ୍ରାଙ୍କୁ ଶିଖାଇବା ପାଇଁ ମଧ୍ୟ ଧରାଛୁଆଁ ଦେଲେ ନାହିଁ । ପରେ ଶୁଣିଲି ଜଣେ କେହି ପଟ୍ଟନାୟକଙ୍କ ବ୍ୟବସ୍ଥାପନାରେ ଦେବ, କେଳୁ ଓ ଆଉ କେତେଜଣ ଗୋଟିଏ ନୃତ୍ୟାନୁଷ୍ଠାନ ଗଢ଼ିଛନ୍ତି ଏବଂ ସେମାନେ ମୋ ସହିତ ସହଯୋଗ ନ କରିବାକୁ ପ୍ରତିଜ୍ଞାବନ୍ଧ ହୋଇଛନ୍ତି ।

 

ତା ୧୮।୬।୫୯ ରିଖରେ ପୁରୀରେ ନୃତ୍ୟାଦି ପ୍ରଦର୍ଶନ ଲାଗି ପ୍ରଜେଶବାବୁ ଓ ଚୋପ୍ରା ପ୍ରଭୃତିଙ୍କୁ ବସନ୍ତବାବୁଙ୍କ ସହ ପଠାଇଲି । ପୁରୀରୁ ଫେରି ପ୍ରଜେଶବାବୁ, ତାଙ୍କ ଭଉଣୀ ମାୟା ବାନାର୍ଜୀ, ଉଷା ଓ ଉମା ପ୍ରଭୃତି ବାହୁଡ଼ିଗଲେ ଏବଂ ବିନୋଦ ଚୋପ୍ରା ମୋ ନିକଟରୁ ଓଡ଼ିଶୀ ନୃତ୍ୟର ସ୍ୱତନ୍ତ୍ରତା ଇତ୍ୟାଦି ଶିଖିବାକୁ ମୋ ଘରେ ରହିଲେ । ମୁଁ ତାଙ୍କୁ ଓଡ଼ିଶୀ ନୃତ୍ୟର ଅଭିନୟ ଇତ୍ୟାଦି ଶିଖାଇଲି ଏବଂ ସ୍ୱତନ୍ତ୍ରତା ବୁଝାଇଲି । ଯୋଗକୁ ସେତେବେଳେ ଦିଲ୍ଲୀରୁ ମନ୍ତ୍ରୀ ଅଧ୍ୟାପକ ହୁମାୟୁନ କବୀର ଭୁବନେଶ୍ୱର ଆସିଥାଆନ୍ତି, ମୁଁ ସେ ସମୟରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଡା. ମହତାବଙ୍କୁ ଭେଟି ଉତ୍କଳ ନାଟ୍ୟସଂଘ ପକ୍ଷରୁ ଭୁବନେଶ୍ୱରରେ ଗୋଟିଏ ‘ଭେରାଇଟି ସୋ’ର ବ୍ୟବସ୍ଥା ଲାଗି ଅନୁରୋଧ କଲି । ଡା. ମହତାବ ଆନନ୍ଦରେ ମୋ ପ୍ରସ୍ତାବ କଲେ । ଲୋକସମ୍ପର୍କ ବିଭାଗର କର୍ତ୍ତା ଶ୍ରୀ ସୁଧୀର ବୋଷଙ୍କୁ ମହତାବବାବୁ ଏହାର ବ୍ୟବସ୍ଥା କରିବାକୁ ଆଦେଶ ଦେଲେ । ସୁଧୀରବାବୁ ମୋ ସହିତ ପରାମର୍ଶ କରି ଆୟୋଜନରେ ଲାଗିଗଲେ ।

 

ସେ କାଳର ଏହି ‘ଭେରାଇଟି ସୋ’ ବିଜ୍ଞପ୍ତିର ଗୋଟିଏ ପ୍ରସ୍ତ (Copy) ଅଦ୍ୟାପି ମୋ ପାଖରେ ଅଛି ।

 

ବିଜ୍ଞପ୍ତି ପତ୍ରଟି ଇଂରାଜୀରେ ଟାଇପ୍‌ ହୋଇଅଛି ।

 

ଲେଖାଅଛି–Programme of the variety show to be held in the Utkal Krushi Mohabidyalaya Hall on the 5th July, 1959 at 6-30 p.m.–ପ୍ରୋଗ୍ରାମର ଓଡ଼ିଆ ଅନୁବାଦ ହେଉଛି–

 

୧. ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡା. ହରେକୃଷ୍ଣ ମହତାବଙ୍କ ପ୍ରାରମ୍ଭିକ ଭାଷଣ (Address of Welcome) ।

 

୨. ମନୋରଞ୍ଜନ କାର୍ଯ୍ୟକ୍ରମର ଉପସ୍ଥାପନା–ଶ୍ରୀ କାଳୀଚରଣ ପଟ୍ଟନାୟକ, ସଭାପତି, ଭାରତୀୟ ନାଟ୍ୟସଂଘ, ଓଡ଼ିଶା ଶାଖା ।

 

୩. ଶ୍ରୀ ବିନୋଦ ଚୋପ୍ରାଙ୍କଦ୍ୱାରା ତୁଳନାତ୍ମକ ବିଚାରରେ ଓଡ଼ିଶୀନୃତ୍ୟ ପ୍ରଦର୍ଶନ (demonstration) ।

 

୪. ଅଧ୍ୟାପକ ହୁମାୟୁନ କବୀରଙ୍କ ବକ୍ତବ୍ୟ ।

 

୫. ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି–

 

ଡା. ଲକ୍ଷ୍ମୀନାରାୟଣ ସାହୁଙ୍କ ଦ୍ୱାରା ଧନ୍ୟବାଦାର୍ପଣ,

 

ଏହାଛଡ଼ା ମୁଁ ଶ୍ରୀ ଚୋପ୍ରାଙ୍କ ପରିଚୟ ପ୍ରଦାନ କରିବାକୁ ଯାଇ କ୍ଷୁଦ୍ର ପ୍ରବନ୍ଧଟିଏ ପାଠ କରିଥିଲି, କାର୍ଯ୍ୟକ୍ରମ ସୁଚାରୁରୂପେ ପରିବେଷିତ ହୋଇ ଦର୍ଶକମାନଙ୍କ ପ୍ରଶଂସା ଲାଭ କରିଥିଲା ।

 

ଶ୍ରୀ ଚୋପ୍ରାଙ୍କୁ ଖଣ୍ତଗିରି, କୋଣାର୍କ ଓ ପୁରୀ ପ୍ରଭୃତି ସ୍ଥାନ ବୁଲାଇ ବିଦାୟ ଦିଆଗଲା ।

 

୧୯୬୦ ଜୁଲାଇ ଶେଷରେ ଭାରତୀୟ ନାଟ୍ୟସଂଘ ପକ୍ଷରୁ ଶ୍ରୀ ଇନ୍ଦର ରାଜଦାନଙ୍କ ଚିଠିପାଇ ସେଠାରେ ବ୍ୟାଲେ ନୃତ୍ୟପାଇଁ ନୂଆଗଡ଼ରୁ ମୋ ଭାଣିଜୀ ସମ୍ପର୍କୀୟା ଟୁଷୀ ଟିମୀ ଓ ଭଣଜା ଯୋଗୀଙ୍କୁ ସାଙ୍ଗରେ ନେଇ ଅଗଷ୍ଟ ଚାରି ତାରିଖରେ ଦିଲ୍ଲୀ ଯାତ୍ରା କଲି । ବାଟରେ କଲିକତାରେ ଓହ୍ଲାଇ ଆମେ ସବୁ ହିନ୍ଦୁସ୍ତାନ ରେକର୍ଡ଼–କମ୍ପାନୀକୁ ଯାଇ ସେଠାରେ ଖିଆପିଆ ସାରି, ଅଗଷ୍ଟ ଛଅ ତାରିଖରେ ଦିଲ୍ଲୀରେ ପହୁଞ୍ଚିଲୁଁ ।

 

ରାଜଦାନ ଦିଲ୍ଲୀ ରେଳଷ୍ଟେସନକୁ ଆସି ନ ଥିବାରୁ ବଡ଼ ହଇରାଣ ହେବାକୁ ପଡ଼ିଲା । ତାଙ୍କ ବସା ଠିକଣାରେ ଆଜି ମଧ୍ୟ ତାଙ୍କୁ ନ ପାଇ ନଂ ୧୯ ସାଉଥ୍‌ ଆଭିନ୍ୟୁରେ ଶ୍ରୀ ନୃସିଂହ ସାମନ୍ତସିଂହାରଙ୍କ ବସାରେ ରହିଲୁଁ । ବହୁ କଷ୍ଟରେ ନାଟ୍ୟସଂଘକୁ ଫୋନ୍‌କଲାପରେ ବ୍ୟାଲେ ଟ୍ରେନିଂ ସେଣ୍ଟର୍‌ର ଅଧ୍ୟକ୍ଷା ଶ୍ରୀମତୀ କମଳାଲାଲ ଆସି ଆମ୍ଭମାନଙ୍କୁ ଟ୍ରେନିଂ ସେଣ୍ଟରକୁ ନେଇଗଲେ । ସେଇଠି ରାଜଦାନଙ୍କ ସହ ଦେଖାହେଲା । ମୁଁ ଆଠ ତାରିଖ ଦିନ ବ୍ୟାଲେ ରିହର୍ସାଲ ଦେଖି ଟୁଷୀ ଓଗେରଙ୍କୁ ସେଠାରେ ଛାଡ଼ିଲି ।

 

ତା ୯।୮।୬୦ ରିଖରେ ଶ୍ରୀ ଭାଗୀରଥୀ ମହାପାତ୍ର ଓ ଶ୍ରୀ ରଘୁମଣି ପଟ୍ଟନାୟକଙ୍କ ସାକ୍ଷାତ । ମନେଅଛି, ଭାଗୁବାବୁ ମୋତେ ବିଦ୍ୟାପତି ଓ ଚଣ୍ତୀଦାସଙ୍କ କୀର୍ତ୍ତନ ପଦାବଳୀ ଖଣ୍ତିଏ ସେଦିନ ଉପହାର ଦେଲେ ।

 

ରାଜଦାନ ମୋତେ ବହୁତ ସାହାଯ୍ୟ କଲେ ଓ କଟକକୁ ଟିକେଟ୍‌ ଇତ୍ୟାଦି କରିଦେଲେ-। ତା ୧୧।୮ ରିଖରେ ଦିଲ୍ଲୀରୁ କଲିକତାବାଟ ହୋଇ ଫେରିବାବେଳେ ‘ସୁରଲେଖା’ ରେକର୍ଡ଼ ହିନ୍ଦୁସ୍ଥାନରେ ଜମାଥିବା ହିସାବପ୍ରତ୍ର ଦେଖି କଟକ ଫେରିଲି ।

 

ଉତ୍କଳ ନାଟ୍ୟସଂଘର ଖ୍ୟାତି କେତେକ ଈର୍ଷାପର ଲୋକଙ୍କ ଦେହରେ ଗଲା ନାହିଁ । ପୁଣି ଇତିପୂର୍ବରୁ ଦିଲ୍ଲୀ ବିଜ୍ଞାନ ଭବନରେ ଓଡ଼ିଶୀ ନୃତ୍ୟ ସମ୍ବନ୍ଧେ ପ୍ରବନ୍ଧପାଠ ଓ ନୃତ୍ୟ ପ୍ରଦର୍ଶନୀର ପ୍ରଶସ୍ତି ଶୁଣି କଟକର କେତେଜଣ ନର୍ତ୍ତକ ଜଣେ କଳା ବିଶେଷଜ୍ଞ ବୋଲି ଢୋଲ ପିଟୁଥିବା ବ୍ୟକ୍ତିଙ୍କ ପ୍ରରୋଚନାରେ ଗୋଟିଏ ଦଳ ଗଢ଼ି ମୋ ସହିତ କୌଣସି ସହଯୋଗ ନ ରଖିବାକୁ ସ୍ଥିର କରିଥିଲେ, ଯାହାଫଳରେ ଦେବଦାସ ମୋତେ କଥା ଦେଇ ମଧ୍ୟ କଟକର କଳା ପ୍ରଦର୍ଶନୀରେ ଯୋଗ ଦେଲେ ନାହିଁ । ବର୍ତ୍ତମାନ ପୁଣି ମୋଦ୍ୱାରା ଆୟୋଜିତ ସଭାମାନଙ୍କରେ ମୁଁ ଅଣାଇଥିବା କଳାକାରଙ୍କ ନୃତ୍ୟାଦି ପ୍ରଶଂସିତ ହେବାର ଦେଖି ମୋ ପ୍ରତି ଆଉ କେତେକଙ୍କର ଈର୍ଷା ବଢ଼ିଗଲା । ଏମାନେ ମନେକଲେ ଏବଂ ତାଙ୍କ ଭଳି ଲୋକ ଦଳରେ ପ୍ରଚାର କଲେ ଯେ ମୁଁ ଦିଲ୍ଲୀ ଭାରତୀୟ ନାଟ୍ୟସଂଘରୁ ପ୍ରଚୁର ଅର୍ଥ ଯୋଗାଡ଼ କରି ଆଣି ଏ ସମସ୍ତ ଆୟୋଜନ କରୁଛି ଏବଂ ତଦ୍ଦ୍ୱାରା ଯଥେଷ୍ଟ ଲାଭବାନ୍‌ ହୋଇଅଛି ।

 

କିନ୍ତୁ, ତାଙ୍କୁ ଜଣାନାହିଁ ଯେ ବିଦେଶାଗତ କଳାକାରମାନେ ମୋର ବନ୍ଧୁ । ସେମାନେ ମୋର ‘ଆତିଥ୍ୟ’ ଗ୍ରହଣ କରି ଏଠାରେ ରହିଥିଲେ । ମୋ ଘରେ ସେମାନଙ୍କର ଚରଚା ଛଡ଼ା କେବଳ ପ୍ରଥମ ଶ୍ରେଣୀ ରେଳଖର୍ଚ୍ଚ ଓ ବିଦାୟବେଳେ କଟକ ତାରକସି କାମର କେତୋଟି ଗୋଲାପ ଫୁଲ ଉପଢ଼ୌକନ ମାତ୍ର ମୁଁ ସେମାନଙ୍କୁ ଦେଇଥିଲି ଓ ସେମାନେ ଖୁସି ମନରେ ବିଦାୟ ନେଇଥିଲେ । ଏଥିଲାଗି ଭାରତୀୟ ନାଟ୍ୟସଂଘରୁ କିଛି ସାହାଯ୍ୟ ମୁଁ ନେଇ ନାହିଁ ପରେ ଏ କଥା ଲେଖିଛି ।

 

ଏଇ ଈର୍ଷାପର କେତେଜଣ ବ୍ୟକ୍ତି ‘ଉତ୍କଳ ନାଟ୍ୟସଂଘ’ ମୋ ତତ୍ତ୍ୱାବଧାନରୁ ହସ୍ତାନ୍ତରିତ ହେବା ଉଦ୍ଦେଶ୍ୟରେ ନାନାପ୍ରକାର ଆୟୋଜନ କଲେ । ମୁଁ ଏହାର ସନ୍ଧାନ ପାଇ ଅଯଥା ଶ୍ରମ ସାଧନ ଓ ବ୍ୟୟରୁ ଦୂରେଇ ଯିବାର ସ୍ଥିର କଲି ଏବଂ ଉତ୍କଳ ନାଟ୍ୟସଂଘର ସବୁ ସମ୍ପର୍କ ତୁଟାଇ ଦେଲି ।

 

କଳାବିକାଶ କେନ୍ଦ୍ରର ବାହାର ପଟର ଗୋଟିଏ ପଛପଟ ଘରେ ଉତ୍କଳ ନାଟ୍ୟସଂଘ ଅନୁଷ୍ଠାନର ଅଫିସ୍‌ ବସିଲା ।

 

ଉତ୍କଳ ନାଟ୍ୟସଂଘର ମୂଳଦୁଆ ମୁଁ ଦେଇଥିଲେ ମଧ୍ୟ ମୁଁ ଏଣିକି ସବୁ ସମ୍ପର୍କ ଛାଡ଼ିଲି ।

 

ସତରେ ଏକା ଦୋଷଟା ମୋର । ଦିଲ୍ଲୀରେ ଆୟୋଜିତ ନୃତ୍ୟ ସମାରୋହରେ ମୋ ଓଡ଼ିଶୀ ନୃତ୍ୟ ସନ୍ଦର୍ଭ ପାଠ, ତା’ ସାଙ୍ଗକୁ କୁମାରୀ ଜୟନ୍ତୀର ନୃତ୍ୟ ଡିମନ୍‌ଷ୍ଟ୍ରେସନ୍‌, ଶ୍ରୀମତୀ ଇନ୍ଦ୍ରାଣୀ ରହେମାନଙ୍କୁ ଗୀତଗୋବିନ୍ଦର କେତୋଟି ଗୀତର ନୃତ୍ୟାଭିନୟ ଶିକ୍ଷା ଦେବା ଆଉ କଟକର ନ୍ୟାସ୍‌ନାଲ ମ୍ୟୁଜିକ୍‌ ଆସୋସିଏସନ୍‌ଦ୍ୱାରା ପ୍ରଦର୍ଶିତ ମୋ ଲେଖା ‘ଗୀତଗୋବିନ୍ଦ’ ଓ ‘ରାଧିକା’ ନୃତ୍ୟନାଟିକାରେ ସହଯୋଗ ଦେବାପାଇଁ ଜୟନ୍ତୀକୁ ବାରଣ କରିବାଟାରେ ମୋର ଯାହା ଭୁଲ୍‌ ତ୍ରୁଟି ରହିଗଲା, ସେ ସବୁପାଇଁ ମୋର ନିର୍ବୁଦ୍ଧିପଣିଆଁ ଦାୟୀ । ଏହି ନୃତ୍ୟ ସମାରୋହରେ କେଜାଣି କାହିଁକି ଭାରତର ବିଶିଷ୍ଟ ସଙ୍ଗୀତ ଶିଳ୍ପୀଙ୍କ ସମାଦର ପାଇଁ ମୁଁ କିନ୍ତୁ ଅନ୍ୟ ପକ୍ଷରେ ଧନ୍ୟ ହେଲି ଓ କେତେକଙ୍କ ସହିତ ମୋର ବନ୍ଧୁତା ଘନାଇ ଉଠିଲା ।

 

ଏହି ବନ୍ଧୁତା ଫଳରେ ଉତ୍କଳ ନାଟ୍ୟସଂଘର ଗୋଟିଏ ଗୀତ-ନୃତ୍ୟ–ସମାରୋହରେ ଶ୍ରୀ ପ୍ରଜେଶ ବାନାର୍ଜୀ, ଶ୍ରୀ ବିନୋଦ ଚୋପ୍ରା ଓ କାନପୁରରୁ ମୋର ଜଣେ ବନ୍ଧୁ ତାଙ୍କ କନ୍ୟାଙ୍କ ସହ ମୋ ଅନୁରୋଧ ରକ୍ଷାକରି ଯୋଗ ଦେଲେ । ବେଶ୍‌ ସମାରୋହରେ ସଙ୍ଗୀତ ପ୍ରଦର୍ଶନୀ ସମାହିତ ହେଲା । ସେସବୁ କଥା ତ ୟା’ ଆଗରୁ ଲେଖିଛି । ସ୍ୱାର୍ଥ ଘେନି କଟକରେ ସଙ୍ଗୀତ ନୃତ୍ୟ ଅନୁଷ୍ଠାନ ଗଢ଼ୁଥିବା କେହି କେହି ଅସହଣୀଙ୍କର ଏ ସମାରୋହର ସଫଳତା ହେଲା ଆଖିର କଣ୍ଟା । ତା ୨୩।୭।୬୦ ରିଖରେ କେତେକ ବନ୍ଧୁଙ୍କ ଆଗରେ ଏପରି ଜଣେ ଅଧେ ବ୍ୟକ୍ତି ମୋର ତୀବ୍ର ନିନ୍ଦା କରିବାର ଶୁଣିଲି । ତାଙ୍କ କହିବାର ବଡ଼ କଥା ହେଲା ଯେ ଭାରତୀୟ ନାଟ୍ୟସଂଘରୁ ବହୁତ ଟଙ୍କା ମୁଁ ପାଇ ଏଭଳି ଆୟୋଜନ କରିଛି । ଆଗନ୍ତୁକ ଶିଳ୍ପୀମାନେ ଅବଶ୍ୟ ଟଙ୍କା ନେଇଥିବେ ଓ ମୋର ମଧ୍ୟ ଭଲକରି ହାତ ଚିକ୍‌କଣ ହୋଇଥିବ ।

 

ମାତ୍ର ତାଙ୍କୁ ତ ଜଣା ନାହିଁ ଯେ ଆଗନ୍ତୁକ କୃତୀ କଳାକାରମାନେ ମୋ ବନ୍ଧୁତ୍ୱ ଦଉଡ଼ିରେ ଟଣାହୋଇ ଆସିଛନ୍ତି ।

 

ଏଇ ଦିନରୁ ଦେହ ଜଳିଗଲା ପରଶ୍ରୀକାତରଙ୍କର । ମୋତେ କିପରି ନାଟ୍ୟସଂଘରୁ ଦୂରେଇ ଦେବେ, ସେଥିପାଇଁ କେତେ ବୈଠକ ବସିଲା, ନାନାବିଚାର ପଡ଼ିଲା । ମୁଁ ସେମାନଙ୍କ ନାମ ଜାଣିଲି; କିନ୍ତୁ କାହିଁକି କେଜାଣି ମନ ହେଉ ନାହିଁ ସେମାନଙ୍କ ନାଆଁ ଲେଖି ତାଙ୍କୁ ଚିହ୍ନା ପକାଇ ଦେବାକୁ । ଯୋଗକୁ ପୁଣି ଏଇ ନିନ୍ଦା ରଟନାବେଳେ ଆଉ ଏକ ଘଟଣା ଘଟିଲା ।

 

ଦିଲ୍ଲୀରେ ଗୋଟିଏ ବ୍ୟାଲେଟ୍ରୁପ (କୃଷ୍ଣଲୀଳା) ଗଢ଼ିବାର ମସୁଧା ଚାଲିଥାଏ, ଉତ୍କଳ ନାଟ୍ୟସଂଘର ବିଶିଷ୍ଟ କାରପଟ୍‌ଦାର ଶ୍ରୀ ଇନ୍ଦର ରାଜଦାନ ମୋତେ ଏ ଟ୍ରୁପ ଗଢ଼ାରେ ସାହାଯ୍ୟ ଦେବାକୁ ଚିଠି ଲେଖିଲେ । ମୁଁ ସମ୍ମତି ଦେବାରୁ ଏଠାରୁ ଜଣ କେତେ ଶିକ୍ଷାର୍ଥୀ ଶିଳ୍ପୀଙ୍କୁ ଦିଲ୍ଲୀ ନେଇ ଯିବାକୁ ଶ୍ରୀ ରାଜଦାନ ସେମାନଙ୍କ ବାଟଖର୍ଚ୍ଚ ତା ୨୫ ।୭ ରିଖରେ ଅଢେଇଶହ ଟଙ୍କା ଅଗ୍ରିମ ରୂପେ ପଠାଇ ଲେଖିଲେ–ଆଉ ଯାହା ଖର୍ଚ୍ଚ ପଡ଼ିବ ଦିଲ୍ଲୀରେ ଦିଆଯିବ । ଶୀଘ୍ର ସଦଳବଳେ ମୋତେ ଦିଲ୍ଲୀ ଯିବା ବ୍ୟବସ୍ଥା କରିବାକୁ ହେବ । ପ୍ରସ୍ତୁତ ହେଲି, ମୋର ନିକଟ ବନ୍ଧୁ ନୂଆଗଡ଼ର ବାଞ୍ଛାନିଧି ପଟ୍ଟନାୟକଙ୍କ ପୁଅ ଓ ଝିଅ ଦୁଇଟିଙ୍କୁ ସଙ୍ଗରେ ନେଇ ତା ୩ ।୮ ।୬୦ ରିଖରେ ଦିଲ୍ଲୀ ରମାନା ହେଲି ।

 

ଦିଲ୍ଲୀ ବ୍ୟାଲେଟ୍ରୁପ୍‌ :

 

ତା ୬ ।୮।୬୦ ରିଖରେ ଦିଲ୍ଲୀ କଲିକତାଠାରୁ ରାଜଦାନଙ୍କୁ ତାର ଓ କଟକରୁ ଚିଠି ଦେଇଥିଲି । ଦିଲ୍ଲୀ ଷ୍ଟେସନରେ କିନ୍ତୁ ତାଙ୍କର ଦେଖା ନାହିଁ । ଝିଅ ପିଲାମାନେ ମୋ ସାଙ୍ଗରେ ଅଛନ୍ତି । ଦିଲ୍ଲୀରେ କେଉଁଠିକି ଯିବାକୁ ହେବ ଅବା ଝିଅମାନଙ୍କୁ କେଉଁଠି ଛାଡ଼ିବି; କିଛି ଜଣା ନାହିଁ ମୋତେ । ଭାରି ଅଡ଼ୁଆରେ ପଡ଼ିଲି । ଶେଷରେ ଶ୍ରୀ ନୃସିଂହ ସାମନ୍ତସିଂହାର, ଏମ୍.ପି.ଙ୍କ ବସାକୁ ଗଲି । ବହୁ କଷ୍ଟରେ ବହୁବାର ଫୋନ୍‌କରି ଶେଷରେ ବ୍ୟାଲେଟ୍ରୁପ୍‌ର ପରିଚାଳିକା–ଶ୍ରୀମତୀ କମଳାଲାଲଙ୍କୁ ପାଇ, ତାଙ୍କୁ ସବୁ କଥା କହିଲି । ସେ ନିଜେ ଆସି ଟୁଷୀ, ଟମୀ ଓ ଯୋଗୀଙ୍କୁ ସଙ୍ଗରେ ନେଇଗଲେ । ଅନେକ ଖୋଜାଖୋଜି ପରେ ଜଙ୍ଗପୁରାରେ ଇନ୍ଦର ରାଜଦାନଙ୍କ ବସା ଠିକଣା କଲି । ସୁନ୍ଦର ଛୋଟ ଘରଟିଏ, ଇନ୍ଦର ରାଜଦାନଙ୍କ ବାପା S.P ରାଜଦାନ ଜଣେ ଭଲ ଜ୍ୟୋତିଷ, ଲୋକଙ୍କୁ ଆଦର କରି ଆପଣାର କରିବାରେ ପଟୁ । ରାଜଦାନଙ୍କ ସାଙ୍ଗରେ ତହିଁ ପରଦିନ ବ୍ୟାଲେ ସେଣ୍ଟରର ରିହର୍ସାଲକୁ ଗଲି । ଭାରି ସୁନ୍ଦର ଥାନଟି, ହଲ୍‌ ସାମନାରେ ବିରାଟ ଏକ ଘାସପଡ଼ିଆ । ପଡ଼ିଆ ଆରପଟରେ ବଣବୁଦା । ମୟୂରଗୁଡ଼ିଏ ସେଠି ବୁଲୁଥାଆନ୍ତି । କିଏ ପୁଚ୍ଛ ଟେକି ନାଚୁଛି ପୁଣି କୋଉଠି ଡାଳରେ ବସି ରାବ ଦେଉଛି । ସେଭଳି ଏକ ଶୋଭନୀୟ ସ୍ଥାନମାନ ପାସୋରା ହେଉ ନାହିଁ ଆଜିବି ।

 

ଶ୍ରୀମତୀ କମଳାଲାଲ ରିହର୍ସାଲ ପରିଚାଳନା କରୁଥାଆନ୍ତି । ତାଙ୍କ କଥାବାର୍ତ୍ତା ଓ ବ୍ୟବହାର ଦେଖି ମୋର ମନେହେଲା ସେ ବଡ଼ ଗର୍ବୀ ।

 

୨।୩ ଦିନ ରହି ମୁଁ କଲିକତାରେ ହିନ୍ଦୁସ୍ତାନ ରେକର୍ଡିଂ କମ୍ପାନୀରେ ଦିନଟାଏ ରହିଲି । ଏଇଠି ମୋର ସୁରଲେଖା ରେକର୍ଡ଼ର ଲେବଲକୁ S.L.O ରୁ S.O.L କରି ବଦଳାଇ ଦର ଦସ୍ତୁର ଠିକ୍‌ କରିସାରି ଫେରିଲି କଟକ ।

 

କହିଛି ତ କଟକରେ ମୁଁ ଉତ୍କଳ–ନାଟ୍ୟସଂଘ ପକ୍ଷରୁ ସଙ୍ଗୀତ ସମାରୋହ କରାଇବା ପରେ ପରେ କେତେ ଜଣଙ୍କର ଇର୍ଷା ହେଲା । ବାସ୍ତବରେ ମୁଁ ଦିଲ୍ଲୀ ଭାରତୀୟ ନାଟ୍ୟସଂଘରୁ ଟଙ୍କା ସାହାଯ୍ୟ ନେଇ ନ ଥିଲେ ମଧ୍ୟ ଅସୂୟାବଶ ହୋଇ ସେମାନେ ମନେକଲେ, ମୁଁ ବହୁତ ଟଙ୍କା ଦିଲ୍ଲୀରୁ ଆଣି ଖାଇଯାଇଛି । ସବୁ କଥା ମୋ କାନରେ ବାଜୁଥିଲେ ବି–ମୁଁ ତୁନି ହୋଇଥାଏଁ ।

 

ଜଣକେତେଙ୍କର କୁମନ୍ତ୍ରଣା ଚାଲିଲା । ୧୯୬୧ ଅପ୍ରେଲ ମାସର ଘଟଣା । ସେଦିନ ତା ୨୯ରିଖ । କଳାବିକାଶକେନ୍ଦ୍ରରେ ଶ୍ରୀ ବାବୁଲାଲ ଯୋଶୀ–ଶ୍ରୀ ଗୋବିନ୍ଦ ମିଶ୍ର ଓ ବୃନ୍ଦାବନ ରଥ ପ୍ରଭୃତି କେତେଜଣ ଥାଆନ୍ତି । ଗୋଟିଏ ବୈଠକ ହେଲା । ଏହା ପୂର୍ବରୁ ଥରେ ପିଠାପୁରଠାରେ ମଧ୍ୟ ଗୋଟିଏ ବୈଠକ ବସିଥିଲା, କଳାବିକାଶ କେନ୍ଦ୍ରରେ ଏଇ ତା ୨୯ରିଖ ବୈଠକରେ ମୁଁ ଉତ୍କଳ ନାଟ୍ୟସଂଘର ସଭାପତି ପଦ ଛାଏଁ ଛାଡ଼ିଲି । ମୁଁ ଏ ଅନୁଷ୍ଠାନ ଆରମ୍ଭ କରିଥିଲି, ଶ୍ରୀମତୀ କମଳା ଦେବୀଙ୍କ ଅନୁରୋଧରେ । ନାଆଁ ରଖିଥିଲି ଉତ୍କଳ ନାଟ୍ୟସଂଘ । ରୋପିଲା ଗଛ ମଉଳି ଯିବାର ଦେଖିଲେ ବାଧେ । ମୋତେ ବି କଷ୍ଟ ହେଲା, ମାତ୍ର ତୁଚ୍ଛାରେ ଟଣାଭିଡ଼ା ଭିତରେ ପଶିବାକୁ ମୁଁ ସୁଖ ପାଏ ନାହିଁ । ଅନୁଷ୍ଠାନରୁ ସେହିଦିନୁ ଓହରି ଗଲି ।

 

ଭଗାରି ମା’ ପେଟରେ :

 

୧୯୫୯ ସାଲର ନାନା ଘଟଣା ଭିତରେ ମୁଁ ମୋର କେତେକ ବନ୍ଧୁଙ୍କ ପରାମର୍ଶ ଅନୁସାରେ ଶିଶୁ ଶ୍ରେଶୀର ପାଠ୍ୟପୁସ୍ତକ ଲେଖିଲି । ଶିଶୁସାହିତ୍ୟ ଲେଖାରୁ ତ ମୋର ଲେଖକ ଜୀବନ ଆରମ୍ଭ । ୧୯୧୩ ସାଲର ‘‘କଳାହାଣ୍ଡିଆ ମେଘ’’ ଏହାର ପ୍ରମାଣ । ଅନ୍ୟାନ୍ୟ କାମ ଭିତରେ ଶିଶୁ ସାହିତ୍ୟ ଲେଖାଲେଖିରେ ଲାଗିଗଲି ମୁଁ । ଗୁଡ଼ିଏ ମୋ ଲେଖା ବହି ପାଠ୍ୟପୁସ୍ତକ ରୂପେ ମନୋନୀତ ହେଲା, ସରକାରୀ ସ୍କୁଲ ବିଭାଗଦ୍ୱାରା । ଜୀବନସାରା ଅଜମାଇଁ ଆସୁଛି ବାପ ପୁଅର ମଙ୍ଗଳ ଚାହିଁଲା ପରି ଏକ ଅଜଣା ଅଦେଖା ହାତ ସବୁବେଳେ ଆଶୀର୍ବାଦ କରେ ମୋତେ । ମୂଳ ହେଲା ଆମର ବିଶ୍ୱାସ, ନିର୍ଭରଶୀଳତା ଆଉ–ଆତ୍ମସମର୍ପଣ । କେତେ କେତେ ନାଟକ, ଏକାଙ୍କିକା, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ସଙ୍ଗୀତ, ନୃତ୍ୟନାଟିକା ଓ ଗୀତନୃତ୍ୟ ସମ୍ୱନ୍ଧୀୟ ଆଲୋଚନାମୂଳକ ପ୍ରବନ୍ଧ ଇତ୍ୟାଦି ଇତ୍ୟାଦି ଲେଖିବା ପରେ ମୋର ଏଇ ଚଳାଚଳର ନିତାନ୍ତ ଅଭାବ ଅସୁବିଧା ବେଳେ ମୋତେ ଏ ଶିଶୁ ପାଠ୍ୟପୁସ୍ତକ ଲେଖାଇବା ସେଇ ବାପର ନିର୍ଦ୍ଦେଶନା ଛଡ଼ା ଆଉ କ’ଣ ହୋଇପାରେ ?

 

ଧନୀଘର–ପିଲା ନୋହିଲେ କ’ଣ ହେବ ମାନୀ ଘରର ପିଲା ମୁଁ । ଆଜି ମଧ୍ୟ ବାଙ୍କି ଲୋକେ କହନ୍ତି, ‘‘କରଣ ମଧ୍ୟରେ ଶରଣାପନ୍ନହାକେ’’ । ପ୍ରାୟ ଶହେବର୍ଷ ପୂର୍ବେ ଏହି ଶରଣ ବା ପ୍ରଭୁ ଶରଣ ପଟ୍ଟନାୟକ ଥିଲେ ବାଙ୍କିର ଜଣେ ଅତି ପ୍ରସିଦ୍ଧ ବ୍ୟକ୍ତି, ସେଇ ବଂଶରେ ମୋର ଜନ୍ମ । କାହିଁକି କେଜାଣି ସେଇ ସମ୍ମାନ ମୁଁ ପାସୋରି ପାରି ନାହିଁ । ତେଣୁ ସେ ଟାଣ ରଖିବାକୁ ଯାଇ, ‘ଚାକିରି ଝାକମାରୀ’ ଗୀତଟି ମୁଁ ଗାଇଛି ଏଚ୍.ଏମ୍.ଭି ରେକର୍ଡ଼ରେ । ପୁରୀ ରାଜାଘର ଚାକିରି ମୋର ଚାକିରି ଜୀବନର ଶେଷ ଅଧ୍ୟାୟ । ତା’ପରେ ରାସଦଳ ଓ ଥିଏଟର ଦଳ ଇତ୍ୟାଦି ଗଢ଼ିଲି । ବିଧି ଇଚ୍ଛାରୁ ସେ ମଧ୍ୟ ଉଭାନ ହୋଇଯାଇଛି । ବଂଶ–ଗୌରବ ଓ ଆତ୍ମମର୍ଯ୍ୟାଦା ରକ୍ଷା ବିଚାରରୁ ଭିକ୍ଷାଥାଳ ଧରିବାଟା ଅସମ୍ଭବ । ଏଇସବୁ ଅବସ୍ଥାବେଳେ ମୁଁ କିନ୍ତୁ ଦିନକଲାଗି ହେଲେ ଭାଙ୍ଗି ନ ପଡ଼ି, ଘୋଷି ହୋଇଛି–‘‘ଯାହା କରିବେ ସାଇଁ ’’ ।

 

ସେଇ ସାଇଁ ମୋତେ ଏତେବେଳେ ଏଇ ବାଟ ଧରାଇ ସୁରୁଖୁରୁରେ ଗୁଜୁରାଣ ମେଣ୍ଟାଇ ଦେଲେ । ଏଇଭଳି ଅବସ୍ଥା ଭିତରେ କିନ୍ତୁ ମୁଁ ସଙ୍ଗୀତକୁ ଜୀବନରୁ ପାସୋରି ପାରି ନାହିଁ । ଆମ ଜାତିର ମହତ୍ତ୍ୱ ରକ୍ଷାପାଇଁ ମୁଁ ବେଳକାଳ ଦେଖି କମର କଷି ବାହାରି ପଡ଼େ । ସେଇଥିପାଇଁ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟର ଟେକ ବଜାୟ ରଖିବା ଦିଗରେ ଲାଗି ପଡ଼ିଥାଏଁ ।

 

ଆଜି ସିନା ପୁରୁଣା କଥାକୁ ଥୋକେ ମନ–ପାସୋରା କରି ବସୁଛନ୍ତି, ହେଲେ ଆମ ପୂର୍ବପୁରୁଷ ଅଳ୍ପକରେ କଳ୍ପକ ସଜାଡ଼ି ସାଇତି ଥୋଇ ଯାଇଛନ୍ତି । ସହଜରେ ମନେ ରହିଯିବା ଭଳି ଅଳ୍ପ କଥା ଭିତରେ ଗଭୀର ତତ୍ତ୍ୱମାନ ରଖିଦେଇ ଯାଇଛନ୍ତି, ସେମାନେ ତାଙ୍କ ଭାବି–ବଂଶଧର–ଆମରିମାନଙ୍କ ପାଇଁ । ତାଙ୍କରି ପଦାଙ୍କ ଅନୁସରଣ କରି ଦିଲ୍ଲୀରେ ବହୁ ମାନ-ଅପମାନ ସହି, ଆମ ଓଡ଼ିଶୀ ନୃତ୍ୟକୁ ଭାରତୀୟ ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟ ରୂପେ ସମ୍ମାନିତ କରାଇ ପାରିଲି । ଓଡ଼ିଶୀ ନୃତ୍ୟ, ନାଟ୍ୟଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଆଙ୍ଗିକ ବାଚିକ, ଆହାର୍ଯ୍ୟ ଓ ସାତ୍ତ୍ୱିକ ଅଭିନୟ ବିଭାଗମାନ ଘେନି ମହୀୟାନ୍ । ଓଡ଼ିଶୀ ନୃତର ‘ବାଚିକ’ ଅଂଶରେ ଯେଉଁ ଗୀତଗାଇ ପାତ୍ର ଆଙ୍ଗିକ ଅଭିନୟ ପ୍ରଦର୍ଶନ କରନ୍ତି, ସେ ଗୀତର ଭାଷା ଓଡ଼ିଆ ନିଶ୍ଚୟ । ଏହାର ଗାୟନ ରୀତି ବା ଶୈଳୀ ଓଡ଼ିଶାର ପରମ୍ପରା ଘେନି ପ୍ରଚଳିତ । ଯାହା ଓଡ଼ିଆ ବା ଓଡ଼ିଶାର ପରମ୍ପରା ତାହାକୁ ‘ଓଡ଼ିଶୀ’ ବୋଲି କୁହାଯାଏ । ଖିଆପିଆ, ପୁଣ୍ୟ ପର୍ବ, ଚାଲି-ଚଳଣି ଇତ୍ୟାଦି ସବୁଥିରେ ଆମର ସ୍ୱତନ୍ତ୍ରତା ରହିଛି, ରହିବା ସ୍ୱାଭାବିକ ।

ଆମ କଥାକୁହା ଢଙ୍ଗ, ଅନ୍ୟ ପ୍ରଦେଶଠାରୁ ସ୍ୱତନ୍ତ୍ର । ଆମର ରସ-ପ୍ରକାଶ ଭଙ୍ଗି, ସ୍ୱର ବ୍ୟବହାର ଇତ୍ୟାଦି ସବୁଥିରେ ସ୍ୱତନ୍ତ୍ରତା ରହିଛି । ଓଡ଼ିଶୀ ନୃତ୍ୟରେ ବ୍ୟବହୃତ ଗୀତଗୁଡ଼ିକ ମଧ୍ୟ ସେହିପରି ଆମ ଦେଶକୁ ଚାହିଁ ସ୍ୱର-ତାଳରେ ରଚିତ ।

ଓଡିଶୀ ନୃତ୍ୟର ସ୍ୱତନ୍ତ୍ରତା ଅଛି, ବିଶେଷତ୍ୱ ଅଛି ବୋଲି ପ୍ରତିଷ୍ଠିତ ବା ସ୍ୱୀକୃତ ହେବା ପରେ, ଯେଉଁ ସ୍ୱର ଓ ତାଳ ଘେନି ଏହି ନୃତ୍ୟ ପରିଚାଳିତ, ତାହାର ସ୍ୱତନ୍ତ୍ରତାକୁ ବିଚାରବନ୍ତ ଅବଶ୍ୟ ସ୍ୱତନ୍ତ୍ର ରୀତିର ବୋଲି ସ୍ୱୀକାର କରିବେ । ଅତଏବ ଓଡ଼ିଶୀ ଗୀତର ଧାରାରେ କିପରି ସ୍ୱତନ୍ତ୍ରତା ନାହିଁ ବୋଲି କୁହାଯିବ ? ତେଣୁ ଓଡ଼ିଶୀ ନୃତ୍ୟର ବିଶେଷତ୍ୱ ପ୍ରତିଷ୍ଠା ସହିତ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ରତା ଓ ପ୍ରତିଷ୍ଠା ନିଃସନ୍ଦେହରେ ପ୍ରତିଷ୍ଠିତ ବୋଲି କହିବା ସ୍ୱାଭାବିକ । ମୋର ଦୃଢ଼ମତ ଯେ ଆମ ସଙ୍ଗୀତ ଆମ ଦେଶ ପ୍ରଚଳିତ ରୀତିକୁ ମନାଇଁ ସ୍ୱତନ୍ତ୍ର ଧାରାରେ ନିୟନ୍ତ୍ରିତ ଓ ପ୍ରଚଳିତ । ଆମର ପୂଜ୍ୟ ସଙ୍ଗୀତଶାସ୍ତ୍ର–ପ୍ରଣେତାମାନଙ୍କ ରଚିତ ଗ୍ରନ୍ଥମାନ ପଢ଼ିଲେ ଓ ବୁଝିଲେ ମୋ କଥା ସହଜରେ ପ୍ରମାଣିତ ହେବ । ସେଥିମଧ୍ୟରୁ ଗୁଡ଼ିଏ ଗ୍ରନ୍ଥ ଅବଧି ପୋଥିପୃଷ୍ଠାରେ ରହିଛି ଏବଂ ତାହାର ଭାଷା ସଂସ୍କୃତ । ତେଣୁ ସେଗୁଡ଼ିକର ସଂଗ୍ରହ, ପଠନ, ଅର୍ଥବୋଧ, ପ୍ରକାଶ ଓ ପ୍ରଚାର ପାଇଁ ବିହିତ ଶ୍ରମ ସାଧନା ଆବଶ୍ୟକ ।

ଆଗରୁ ତ କହିଛି ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ପ୍ରମାଣ ବାଢ଼ିବାବେଳେ ଆମରି ଓଡ଼ିଆ ଲୋକେ ବହୁ ବିଘ୍ନ ଘଟାଇଥିଲେ । କିନ୍ତୁ ସୁନାଟା ପିତ୍ତଳ ହେବ କିପରି ?

ଏବେ ଓଡ଼ିଶୀ ସଙ୍ଗୀତ (ଗୀତ-ବାଦ୍ୟ) ଆମର ପାରମ୍ପରିକ ସ୍ୱତନ୍ତ୍ରତା ଘେନି ପରିଚାଳିତ ବା ରଚିତ ବୋଲି ମୁଁ ପ୍ରଚାର କରି ବସିବାବେଳେ ସେହିପରି ଦୁର୍ଦ୍ଦଶା ଭୋଗିବାକୁ ହେଲା ।

 

ଏଇ ୧୯୬୦ର କେତେକ ସଂଖ୍ୟା ଝଙ୍କାରରେ ଓଡ଼ିଶୀ ସଙ୍ଗୀତ ସମ୍ୱନ୍ଧୀୟ ମୋ ଲେଖା ପ୍ରକାଶିତ ହୋବରୁ ଶ୍ରୀ ନୀଳମାଧବ ପାଣିଗ୍ରାହୀ ଅଯଥା ଗୁଡ଼ିଏ ପ୍ରତିବାଦ ଲେଖା ପ୍ରକାଶ କଲେ । କେତେକ ବନ୍ଧୁଙ୍କ ଅନୁରୋଧରେ ମୁଁ ତା ୨୮।୭।୬୦ ରିଖରେ ତାଙ୍କ ଲେଖାର ପ୍ରତିବାଦ ଲେଖି ପଠାଇଲି ଝଙ୍କାରକୁ ।

 

ତା ୪।୩।୬୦ ରିଖରେ ‘‘ପିପଲସ୍‌ ଉଏଲଫେୟାର’’ କମିଟି ପକ୍ଷରୁ ବ୍ରହ୍ମପୁରରେ ଅନୁଷ୍ଠିତ ଏକ ସଭାରେ ମୁଁ ପ୍ରଧାନ ବକ୍ତା ରୂପେ ଯୋଗ ଦେଇଥିଲି । ସେଠାରେ ସର୍ବଶ୍ରୀ ଅନନ୍ତ ମିଶ୍ର ଏବଂ ସତ୍ୟନାରାୟଣ ରାଜଗୁରୁ ଓଡ଼ିଶୀ ସଙ୍ଗୀତ ଓ ଗୀତର ବିଶେଷତ୍ୱ ପ୍ରଚାର ପ୍ରତିଷ୍ଠା ସମ୍ୱନ୍ଧେ ଦେଇଥିବା ମୋ ବକ୍ତୃତାର ଅନେକ ପ୍ରତିବାଦ କଲେ । କିନ୍ତୁ ସେହି ସଭାରେ ଉପସ୍ଥିତ ଶ୍ରୀ ମଣିବର୍ଦ୍ଧନ ମୋ କଥାରେ ସମର୍ଥନ କଲେ ।

 

ପୁଣି ତା ୧୦।୯।୬୦ ରିଖରେ ଭୁବନେଶ୍ୱରରେ ସଙ୍ଗୀତ-ନାଟକ ଏକାଡେମୀର ଏକ ବୈଠକରେ ‘ଓଡ଼ିଶୀ’ ସଙ୍ଗୀତ ବୋଲି ନାମ ରଖିବାକୁ ଶ୍ରୀ ଅନନ୍ତ ପାତ୍ର ଏବଂ ଶ୍ରୀ ଅନନ୍ତ ମିଶ୍ର ମଧ୍ୟ ଘୋର ବିରୋଧ କରି ମୋର କୁତ୍ସାରଟନା କରିବାକୁ ପଛାଇଲେ ନାହିଁ । ଏ ଦୁଇ ବନ୍ଧୁଙ୍କ ଘର ପାରଳାଖେମୁଣ୍ଡିରେ । ଓଡ଼ିଶାର ଏଇ ଦକ୍ଷିଣ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ପବନର ଛିଟା ବାଜୁଛି । ମୁଁ ସେମାନଙ୍କୁ କହିଲି ଯେ କର୍ଣ୍ଣାଟକୀ ସଙ୍ଗୀତ କମ୍ପନ ବହୁଳ । ତେଣୁ ରାଗର ସ୍ଥିରତା କିପରି ରହିବ ? ତା’ ଛଡ଼ା ବାଦୀ ସମ୍ୱାଦୀର ନାଁ ଗନ୍ଧ ନାହିଁ । ରସ ବିକାଶ କିପରି ବାରିହେବ ?

 

ଓଡ଼ିଶୀ ସଙ୍ଗୀତ :

 

ଏହି ନାମରେ ବିଲୋପ ଲାଗି ଏବଂ ଏହା କର୍ଣ୍ଣାଟକୀ ସଙ୍ଗୀତ ଧାରାରେ ପରିଚାଳିତ ବୋଲି ପ୍ରଚାର କରିବାକୁ ଏହିପରି କେତେକ ତଥାକଥିତ ସଙ୍ଗୀତଜ୍ଞଙ୍କ ଚେଷ୍ଟା ଏବେ ମଧ୍ୟ ଚାଲିଛି ବୋଲି ମୋର ମନେହୁଏ । ଆମରି ଲୋକଙ୍କଦ୍ୱାରା ଆମରି ସଙ୍ଗୀତ ଆମରି ଘରେ ଅବମାନିତ ହେଉଛି । ହଁ–କଥାରେ ତ ଅଛି ‘ଭଗାରି ମା’ ପେଟରେ’ ।

 

ମୁଁ ହାରିଲି (୧୯୬୧)

ଆମ ଛାନ୍ଦ :

ଅତି ପିଲାଦିନରୁ ‘କଳାମାଣିକ’ ଛାନ୍ଦ ମୋ ବୋଉ କଣ୍ଠରୁ ଶୁଣି ଭୋରରେ ପାରିଶୁଆରୁ ଉଠିବାଟା ପାସୋରି ନାହିଁ । ସେହିଦିନରୁ ଛାନ୍ଦ ସହିତ ମୋର ଘନିଷ୍ଠ ସମ୍ପର୍କ ।

ପରେ ଗୀତ ଗାଇ ଜାଣିବା ଓ ସଙ୍ଗୀତ ଶିକ୍ଷାବେଳରୁ ଛାନ୍ଦ ସମ୍ୱନ୍ଧେ ତଥ୍ୟ ବାରିବାକୁ ମନ ବଳିଲା । ଦେଖିଲି, ଛାନ୍ଦ ଆମ ଓଡ଼ିଶାର ଏକାନ୍ତ ବିଶେଷତ୍ୱ, ସାରା ଭାରତରେ କାହିଁ କେଉଁଠି ଛାନ୍ଦ ଭଳି ସଙ୍ଗୀତ ରଚନା ନାହିଁ । ଆମ ପୋଥିପତ୍ର ଆଡ଼େଇ ଯେତିକି ମୋଦ୍ୱାରା ସମ୍ଭବ ହୋଇଛି, ଦେଖୁଛି ଯେ ଆମ ଛାନ୍ଦର ମୂଳଦୁଆ ହେଉଛି ସଂସ୍କୃତ ଶ୍ଳୋକର ଛନ୍ଦ । ଅବଶ୍ୟ ସବୁତକ ଛାନ୍ଦର ତିଆରି ସମ୍ୱନ୍ଧେ ଆଲୋଚନା କରିବାର ସୌଭାଗ୍ୟ ଘଟିନାହିଁ ମୋର, ତଥାପି କେତେଗୁଡ଼ିଏ ଛାନ୍ଦର ରଚନା ରୀତି ମୁଁ ବିଶ୍ଳେଷଣ କରିଛି । ସେ ସମ୍ୱନ୍ଧେ ଲେଖିବସିଲେ ତାହା ଖଣ୍ଡିଏ ସ୍ୱତନ୍ତ୍ର ଗ୍ରନ୍ଥ ହେବ ।

ଛନ୍ଦରୁ ଛାନ୍ଦ । ଛନ୍ଦକୁ ଆମ ପୂର୍ବପୁରୁଷେ ଆପଣାର କରି ଓଡ଼ିଆରେ ଛାନ୍ଦ ରଚନା କରିଛନ୍ତି । ଏଥିରେ ପୁଣି ଆଉ ଗୋଟିଏ ବିଶେଷ ଚତୁରତା ମିଶାଇଛନ୍ତି, ସଙ୍ଗୀତର ସ୍ୱର ପରଜଣା ଦେଇ ।

ଏ ସ୍ୱର କଳ୍ପନା ରସାନୁସାରୀ । ମୋଟ ଉପରେ ଛନ୍ଦ ଆଉ ସଙ୍ଗୀତର ରାଗରାଗିଣୀକୁ ମିଶାଇ, ରସକୁ ମନାଇଁ ଛାନ୍ଦ ରଚିଛନ୍ତି, ଆମ ପୂଜ୍ୟପାଦ ଯୋଗଜନ୍ମା ପୂର୍ବପୁରୁଷେ । ଏଥୁଁ ବୁଝନ୍ତୁ ଆମ ଜାତିର ଛନ୍ଦ ଓ ସଙ୍ଗୀତ ଚର୍ଚ୍ଚାର କିଭଳି ସମାଦର ଥିଲା ।

 

ଧରନ୍ତୁ ‘ଚୋଖୀ’ ଆମର ଏକରୀତିର ଛାନ୍ଦ ରାଗର ନାମ ଚୋଖି, ଅର୍ଥ–ଚୋଖ ବା ଉତ୍କୃଷ୍ଟ । ପଞ୍ଚଚାମର ବୃତ୍ତର ଅନୁସରଣରେ ଏହା ରଚିତ । ସଙ୍ଗୀତ ଶାସ୍ତ୍ର ନିର୍ଦ୍ଦେଶିତ କୌଣସି ରାଗବିଶେଷର ଧରାବନ୍ଧା ସ୍ୱରାନୁସାରୀ, ଏହି ଛାନ୍ଦ ରଚିତ ନୁହେଁ ତେଣୁ ନାଆଁ ଦିଆ ହୋଇଛି ‘ଚୋଖୀ’ ।

 

ପୁଣି ରସ ଭାବକୁ ଅନାଇଁ ଆମ ପୂର୍ବ ରସଜ୍ଞ ଛାନ୍ଦକାରମାନେ ଶାସ୍ତ୍ରୀୟ ନିର୍ଦ୍ଦିଷ୍ଟ କେତେକ ରାଗ ଗଠନର ନିର୍ଦ୍ଦେଶିତ ଆରୋହାବଭୋହ ସ୍ୱର ସହ ଈପ୍‌ସିତ ରସ ଫୁଟାଇବାକୁ ଆଉ କେତୋଟି ସ୍ୱର ମିଶାଇ ଅସୀମ ଚତୁରତା ଫୁଟାଇ ଯାଇଛନ୍ତି ।

 

ଏଭଳି ପରିକଳ୍ପନା, ସଂଯୋଜନା ଅନ୍ୟ ପ୍ରଦେଶର ସଙ୍ଗୀତରେ ଏକାନ୍ତ ଦୁର୍ଲଭ । ମୁଁ ସେଥିମଧ୍ୟରୁ ଅଳ୍ପ କେତୋଟି ଆଲୋଚନା କରି ତଟସ୍ଥ ହୁଏଁ । ଏ ସମ୍ୱନ୍ଧେ ଯେଉଁ ବିଶିଷ୍ଟ ଓଡ଼ିଆ ସଂସ୍କୃତି–ପ୍ରାଣ ବ୍ୟକ୍ତିଙ୍କ ସହିତ ମଧ୍ୟେ ମଧ୍ୟେ ମୁଁ ବିଚାର ଆଲୋଚନା କରେଁ ସେ ହେଉଛନ୍ତି ବିଚ୍ଛନ୍ଦ ଚରଣ ପଟ୍ଟନାୟକ ।

 

ବିଚ୍ଛନ୍ଦବାବୁଙ୍କ ସହିତ ଦୀର୍ଘକାଳର ପରିଚୟ, ମୋର ଅପାସୋରା । କହିଛି ତ ସ୍ମୃତି ବଡ଼ ମାରଣା । ‘କୁମ୍ଭାରଚକ’ ଲେଖି ବସୁ ବସୁ ତାଙ୍କ ଦରହସା ମୁହଁ ଆଖି ଆଗେ ନାଚି ଯାଉଛି । ତେଣୁ ଠିକେ ଠିକେ ତାଙ୍କ ସମ୍ପର୍କରେ ଦି’ପଦ ନ ଲେଖି ରହିପାରୁ ନାହିଁ ।

 

ବିଚ୍ଛନ୍ଦ ଚରଣ :

 

ତା ୧୪।୧।୬୧ ରିଖରୁ ସେପୁରକୁ ଗଲେଣି; କିନ୍ତୁ ତାଙ୍କୁ ଓଡ଼ିଆ ଭୁଲିପାରିବ ନାହିଁ ବୋଲି ମୋର ବିଶ୍ୱାସ ।

 

୧୯୦୧ ମାଘ ଶୁକ୍ଳ ଚତୁର୍ଥୀରେ ଖୋରଧାର ଜାଆଁଳା ଗ୍ରାମରେ ତାଙ୍କର ଜନ୍ମ । ତାଙ୍କ ବାପାଙ୍କ ନାଆଁ ଗୋଲକକୃଷ୍ଣ ପଟ୍ଟନାୟକ ଓ ବୋଉଙ୍କ ନାଆଁ ରାଧାଦେବୀ । ବଡ଼ଭାଇ ପଦ୍ମଚରଣ ଓ କାଳୀଚରଣ । ପଦ୍ମଚରଣ ବା ଚରଣବାବୁ ମୋର ନିଜର ମଉସା । ତେଣୁ ଏ ବଂଶ ସହିତ ମୋର ଘନିଷ୍ଠତା ଥିଲା । ବିଶେଷତଃ ବିଚ୍ଛନ୍ଦ ମଉସାଙ୍କ ଦାଦା ଗୌରକୃଷ୍ଣ ପଟ୍ଟନାୟକ ଥିଲେ ସଙ୍ଗୀତପ୍ରେମୀ ଓ ସଙ୍ଗୀତ ରଚୟିତା । ଏଥିଲାଗି ମୋର ତାଙ୍କ ସହିତ ବେଶି ମିଳାମିଶା ଥିଲା । ବିଚ୍ଛନ୍ଦ ମଉସା ତାଙ୍କ ଘରର ସଙ୍ଗୀତ ସାହିତ୍ୟ ଚର୍ଚ୍ଚା ଭିତରେ ବଢ଼ି ଆସିଥିଲେ ।

 

ମୋ ବାପାଙ୍କ ସଙ୍ଗାତ ଗୋପାଳ ପ୍ରହରାଜଙ୍କ ଭାଷାକୋଷ ସମ୍ପାଦନାବେଳେ ବିଚ୍ଛନ୍ଦ ମଉସା ତାଙ୍କ ସହଯୋଗୀ ଥିଲେ । ମୁଁ ମଧ୍ୟ ଭାଷାକୋଷର କିଛି କିଛି କାମରେ ଯୋଗ ଦେଉଥିଲି । ଏଇଠି ବିଚ୍ଛନ୍ଦ ମଉସାଙ୍କ ସହିତ ଆମ ସଙ୍ଗୀତ, ଛାନ୍ଦ ଓ ଚଉତିଶା ସମ୍ୱନ୍ଧେ ଆଲୋଚନା କରିବାର ସୁଯୋଗ ଘଟିଲା ।

 

ବିଚ୍ଛନ୍ଦ ମଉସାଙ୍କୁ ମୁଁ ଏକ ବିଶିଷ୍ଟ ଓଡ଼ିଆ ପ୍ରାଣର ଉଗ୍ରପନ୍ଥୀ ପୁରୁଷ ବୋଲି ଜ୍ଞାନ କରେ-। କାହାରି ତୁଣ୍ଡରୁ ଆମ ସଙ୍ଗୀତ, ସାହିତ୍ୟର ବିରୋଧରେ ପଦେ କଥା ଶୁଣିଲେ ସେ ତାତି ଉଠନ୍ତି-। ଦୈବ ତାଙ୍କୁ ଛୋଟା କରି ଜନ୍ମ ଦେଇଥିଲା । ବାଡ଼ି ନ ଧରିଲେ ଚାଲିପାରୁ ନ ଥିଲେ ସେ-। ଓଡ଼ିଆ ସାହିତ୍ୟ ଓ ଓଡ଼ିଆ କବିମାନଙ୍କ ନିନ୍ଦା ସେ ମୋଟେ ସହିପାରନ୍ତି ନାହିଁ । ତାଙ୍କ ବାଡ଼ି ଠକ୍‌ ଠକ୍‌ ହୋଇ ଭୂଇଁରେ ବାଡ଼େଇ ଗର୍ଜି ଉଠନ୍ତି ।

 

୧୯୧୮ରେ ସେ ବି.ଏ ପାସ୍‌ କଲେ; କିନ୍ତୁ ୧୯୨୧ରୁ ଅସହଯୋଗ ଆନ୍ଦୋଳନର ସେ ଥିଲେ ଜଣେ ଭକ୍ତ ।

 

ଓଡ଼ିଆ ସାହିତ୍ୟରେ ଯେପରି ପ୍ରବୀଣତା ଥିଲା, ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ସେହିପରି ଅଧିକାର ଥିଲା । ଓଡ଼ିଆରେ ସେ ବହୁ ଗୀତ ଓ ଛାନ୍ଦ ରଚନା କରିଛନ୍ତି । ଓଡ଼ିଆ ଛାନ୍ଦମାନଙ୍କର ସୁନ୍ଦର ଇଂରାଜୀ ଅନୁବାଦ କରିଛନ୍ତି । ମୋର ଖଣ୍ଡିଏ ଛୋଟ ସ୍ୱଦେଶପ୍ରେମ କବିତା ‘ଜାତୀୟ ସଙ୍ଗୀତ’ ବହିର ସେ ଇଂରାଜୀ ଅନୁବାଦ କରିଛନ୍ତି ଛନ୍ଦରେ । ଆହୁରି ଏହିପରି ଅନେକ ଓଡ଼ିଆରୁ ଅନୂଦିତ ଇଂରାଜୀ ଭାଷାରେ କବିତା ତାଙ୍କର ଅଛି । ‘କବିତା–କୁମୁଦ’ ନାମକ ପ୍ରକାଶିତ ପୁସ୍ତକଟି ତାଙ୍କ କୃତିତ୍ୱର ପରିଚାୟକ । ସେ ଜଣେ ବିଶିଷ୍ଟ ଜଗନ୍ନାଥ ଭକ୍ତ । ଆମ ପୁରୁଣା କବିମାନଙ୍କର ଭକ୍ତି ସଙ୍ଗୀତ ଗୁଡ଼ିଏ ସଂଗ୍ରହ କରି ସେ ଖଣ୍ଡିଏ ବହି ସଙ୍କଳନ କରିଛନ୍ତି–‘‘ଶ୍ରୀଜଗନ୍ନାଥ ଜଣାଣ ଭଜନ ।’’ (କଳିଙ୍ଗଭାରତୀ ଗ୍ରନ୍ଥମାଳା ଗୀତ କଳ୍ପତରୁ ୨ୟ ଶାଖା)-

 

ଚାଲି ବୁଲି ନ ପାରି ମଧ୍ୟ ସେ ଚେଷ୍ଟା କରି ୧୯୪୩ ‘ଉତ୍କଳ ଛାତ୍ର ସାହିତ୍ୟ ସମାଜ’ ଗଢ଼ିଲେ । ୧୯୪୪ରେ କଳିଙ୍ଗଭାରତୀ ପ୍ରତିଷ୍ଠା କଲେ ସେ । ପୂଜ୍ୟ ଅମର କବି ଉପେନ୍ଦ୍ର ଭଞ୍ଜଙ୍କ ପ୍ରଥମ ଜୟନ୍ତୀ ସେ ଆୟୋଜନ କରି ଉତ୍କଳ ସାହିତ୍ୟ ସମାଜ (ଶ୍ରୀରାମଚନ୍ଦ୍ର ଭବନ)ରେ ବିରାଟ ସଭା କରାଇଥିଲେ । ମୋର ତ ଧାରଣା ଯେ ଭଞ୍ଜକବିଙ୍କୁ ସେ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆ ଚିତ୍ତରେ ଚେତାଇ ରଖିଲେ ସେ ।

 

ଓଡ଼ିଶୀ ସଙ୍ଗୀତ ଓ ଛାନ୍ଦ ସମ୍ୱନ୍ଧେ ବହୁ ସମୟରେ ଆମେ ଦୁହେଁ ଆଲୋଚନା କରୁଁ । ଆମ ମଉସା ପୁତୁରାଙ୍କର କିନ୍ତୁ ଗୋଟିଏ ବିଷୟରେ ମତର ଅମେଳ । ସେ ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ୍‌ କହନ୍ତି ଓ ମୁଁ କହେ–ଆଗେ ସଙ୍ଗୀତ ସମ୍ରାଟ୍‌, ପଛେ କବି ସମ୍ରାଟ୍‌ ସେ ।

 

ଭଞ୍ଜକବି ଗଦ୍ୟ ବା କବିତା ଲେଖି ନାହାନ୍ତି । ସେ ରଚନା କରିଛନ୍ତି ଛାନ୍ଦ । ଛାନ୍ଦକୁ ଗାଇବାକୁ ହୁଏ । ଛାନ୍ଦ ଆମ ସଙ୍ଗୀତ । ଛାନ୍ଦ–ଗେୟ ତେଣୁ ଉପେନ୍ଦ୍ରଭଞ୍ଜ, ଗୀତିକବି । ତାଙ୍କୁ ପ୍ରଥମେ ସଙ୍ଗୀତ ସମ୍ରାଟ୍‌ ଓ ପରେ କବି ସମ୍ରାଟ୍‌ ରୂପେ ପୂଜା କରାଯାଉ ବୋଲି ମୁଁ ମଉସାଙ୍କୁ କହିଲି ।

 

ମଉସାଙ୍କ ଉତ୍ତର :

 

ମଉସା ମୋତେ କହିଲେ, ‘‘କେବଳ କାବ୍ୟ, କବିତା, ଉପନ୍ୟାସ ବା ଗଳ୍ପ ଇତ୍ୟାଦି ଯେ ଲେଖିବେ ସେ ଏକା କବି ବୋଲାଇବେ ? ତୁମେ ଯେଉଁ ସଙ୍ଗୀତ ରଚନା କଥା କହୁଛ ସେ ସଙ୍ଗୀତ ମଧ୍ୟରେ ତ ସାହିତ୍ୟ ଅଛି, କବିତା ଅଛି । ତେବେ ସଙ୍ଗୀତ କ’ଣ କବି–କୃତି ନୁହେଁ । ଭଞ୍ଜ କବିଙ୍କ ଛନ୍ଦରେ ସ୍ୱର ତାଳ ନିଶ୍ଚୟ ଅଛି । ତାହା ଗାଇବା ପାଇଁ ରଚିତ; କିନ୍ତୁ ଛାନ୍ଦ ମଧ୍ୟରେ କବିତା ଅଛି କି ନାହିଁ ?

 

ଆଚ୍ଛା, କହିଲ ଦେଖି, କବିସୂର୍ଯ୍ୟଙ୍କୁ ତେବେ କବି ବୋଲି କହିବା କାହିଁକି ? ସେ ତ କେବଳ ଚଉତିଶା, ଚୌପଦୀ ଇତ୍ୟାଦି ସଙ୍ଗୀତ ଲେଖିଛନ୍ତି ।

 

ଛାଡ଼ ସେ କଥା, ତୁମ ନିଜ କଥା କହ–ତୁମେ ତ କବିଚନ୍ଦ୍ର । ଆମର ଯେଉଁ ପୁରୀ ଠାକୁର ରାଜା ଗଜପତିଙ୍କଠାରୁ ବଳଦେବ ରଥେ କବିସୂର୍ଯ୍ୟ ଉପାଧି ପାଇଥିଲେ ତୁମେ ତ ସେଇ ବଂଶର ଠାକୁର ରାଜାଙ୍କଠାରୁ କବିଚନ୍ଦ୍ର ଉପାଧି ପାଇଛ । ତୁମେ ଜଣେ ପ୍ରଖ୍ୟାତ ନାଟ୍ୟକାର, ମୁଁ ଜାଣେ ତୁମେ ନାଟକ, ଉପନ୍ୟାସ, ଗଳ୍ପ, କବିତା, ଛାନ୍ଦ, ଚୌପଦୀ ଇତ୍ୟାଦି ଇତ୍ୟାଦି ଲେଖିଛ । ଏଥିମଧ୍ୟରୁ କେଉଁ ବିଭାଗ ଲେଖି ତୁମେ ‘କବିଚନ୍ଦ୍ର’ ବୋଲାଉଛ ?

 

ବିଚାର କରି ଦେଖ କବି କାବ୍ୟ, ଗଦ୍ୟ, ସଙ୍ଗୀତ, ଏସବୁ ଲେଖେ । ତେଣୁ ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ୍‌ କୁହାଯିବା ସଙ୍ଗତ । ସାହିତ୍ୟର ପ୍ରତ୍ୟେକ ବିଭାଗୀୟ ଲେଖକକୁ କବି କହିବା ଅସମୀଚୀନ ନୁହେଁ । କହିଲ ଏ ବିଚାର ଠିକ୍‌ କି ନାହିଁ ?

 

ମୁଁ ମୋ ଅବୁଝା ପଣିଆ ଲାଗି ହାରମାନି ପ୍ରଣାମ କଲି । ମଉସା ଟିକିଏ ହସିଦେଇ ମୋତେ ପାଖକୁ ଟାଣିନେଲେ । ଏ ମୋର ଏକ ଅଭୁଲା ସ୍ମୃତି ।

 

ବାସ୍ତବରେ ଆମ ସାହିତ୍ୟ–ସଂସ୍କୃତି ଲାଗି ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦାନ ଯଥେଷ୍ଟ । ଆଜି ଯେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭଞ୍ଜଜୟନ୍ତୀ ସମାରୋହରେ ପାଳିତ ହେଉଛି, ତାହା କବିସମ୍ରାଟ୍‌ଙ୍କ ସହିତ ବିଚ୍ଛନ୍ଦବାବୁଙ୍କ ସ୍ମୃତି ସ୍ମରଣ ନୁହେଁ କି ?

 

ଆମେ, ବିଶେଷତଃ ମୁଁ ତାଙ୍କୁ ହରାଇ ଭାରି ଦୁଃଖୀ । ଏକଥା ତାଙ୍କ ପୁଅ ପୁରୁଷୋତ୍ତମ (କିଶୋରୀ)କୁ ଭେଟିଲେ ବାରବର କହୁଛି ।

 

ଭଞ୍ଜଜୟନ୍ତୀ ସଭା ଅନୁଷ୍ଠାନରେ ଯୋଗଦେଲେ ମୋର ପ୍ରଥମେ ମନେ ପଡ଼ିଯାଏ–‘ସତରେ ମୁଁ ହାରିଲି’ ।

 

ଚିତ୍ର–ଅଭିନେତା (୧୯୬୨)

 

ନାରୀଚିତ୍ର–କ୍ୟାପିଟାଲ୍‌ ସିନେମା ସ୍ୱତ୍ୱାଧିକାରୀ ଶ୍ରୀ ନରେନ୍‌ ମିତ୍ରଙ୍କ ସହିତ ମୋର ବହୁବର୍ଷ ତଳୁ ଭାବାଳାପ ଥିଲା । ସେ ଖଣ୍ଡିଏ ଚଳଚ୍ଚିତ୍ର କରିବାପାଇଁ ମୋ ବସାକୁ ଆସି ପ୍ରସ୍ତାବ ବାଢ଼ିଲେ । କଥାବସ୍ତୁ ମୋ ଆଗରେ ଠିକେ ଠିକେ ବୟାନ କଲେ । କେଉଁଠି କେମିତି ଟିକିଏ ଅଧେ ବଦଳା ବଦଳି କଲେ ଭଲ ହେବ ବୋଲି କହିଲି । ବନ୍ଧୁ ନରେନ ମୋର ପୂରା ସହଯୋଗ ଲୋଡ଼ିଲେ । ମୁଁ ‘ହଁ’ ଭରିଲି । ତା ୧୩ ।୬ ।୬୨ ରିଖ ବେଳବୁଡ଼େ ଚଣ୍ଡୀମନ୍ଦିରକୁ ଯାଇ ପୂଜା କରାଗଲା । ‘‘ଚଣ୍ଡୀ’’ ପ୍ରଡ଼କ୍‌ସନ୍‌ ନାଁ ଦେବାର କଥାହେଲା । ତା ୧୬ ।୯ ।୬୨ରିଖରେ ‘ନାରୀ’ର ପ୍ରଥମ ଚିତ୍ର ଗ୍ରହଣ ଲାଗି ନରେନ୍‌ ଆସିଲେ । ତା ୨୩ରେ ନାରୀଛବି ପ୍ରସ୍ତୁତି ଲାଗି ମୁଁ କଲିକତା ଗଲି । ସେଠି ନରେନ୍‌ ମୋତେ ବାଧ୍ୟ କଲେ ପ୍ଲେ ବ୍ୟାକ୍‌ରେ ଗୀତ ଗାଇବାକୁ । କୀର୍ତ୍ତନ ଗୀତଟିଏ ଗାଇଲି । ତା’ପରେ ଚିତ୍ରରେ ଉଦାସୀ ବାବା ଅଂଶନେଇ ବହୁ ବର୍ଷ ପରେ ରଙ୍ଗବୋଳି ହେଲି ଏ ୬୩ ବର୍ଷ ବୁଢ଼ାଦିନେ ଏଇ ୧୭।୧୧।୬୨ରେ । ନାରୀଚିତ୍ର ଏ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇଲା-। ନରେନ ଓ ମୁଁ ଦିଲ୍ଲୀ ଗଲୁଁ । ତା ୨୫।୩।୬୪ ରିଖରେ ଦିଲ୍ଲୀ ବିଜ୍ଞାନ ଭବନରେ ମୁଁ ରାଷ୍ଟ୍ରପତିଙ୍କଠାରୁ ଉପାୟନ ଗ୍ରହଣ କଲି ।

 

ଗୀତଗୋବିନ୍ଦ ସମାରୋହ :

 

ଦିଲ୍ଲୀ ତା (୧୫।୩।୬୬)

 

ପିଲାଟି ଦିନରୁ ବୋଉ ତୁଣ୍ଡରୁ ‘‘ପ୍ରିୟେ ଚାରୁଶୀଳେ’’ ଗୀତଟି ଶୁଣି ଶୁଣି ଗୀତଗୋବିନ୍ଦ ପ୍ରତି ମୋ ମନରେ ଅତୁଟ ମାୟା ବଳିଥିଲା । ସେଇଦିନୁ ଗୀତଗୋବିନ୍ଦର ବିଭିନ୍ନ ଟୀକା, କବିବର ଜୟଦେବଙ୍କ ଜୀବନୀ ଇତ୍ୟାଦି ସୁବିଧା ସୁଯୋଗ ପାଇଲେ ବରାବର ପଢ଼େଁ ।

 

ମୋର ସାକ୍ଷିଗୋପାଳ ନାଟ୍ୟସଂଘ ଚାଲୁଥିବାବେଳେ ମୁଁ ‘‘ଗୀତଗୋବିନ୍ଦ’’ର ସ୍ୱରଛନ୍ଦ ଓ ତାଳ ଅନୁସାରୀ ଓଡ଼ିଆ ଅନୁବାଦ କରି ନାଟ୍ୟରୂପ ଦେଇ ପରଷି ଥିଲି, ୨୧।୮।୩୫ରେ । ଜୟଦେବଙ୍କୁ ବଙ୍ଗଳାର ବୋଲି ବଙ୍ଗୀୟ କେତେକ କବି, ଲେଖକ ପ୍ରଚାର କରୁଥିବାରୁ, ବାସ୍ତବ ତଥ୍ୟ ଆହରଣ କରି ‘ଜୟଦେବ’ ନାଟକ ଲେଖି ତାହାର ପ୍ରଚାରକଳ୍ପେ ମଞ୍ଚସ୍ଥ କରାଇଲି ମୋର ଓଡ଼ିଶା ଥିଏଟର୍ସ ଚାଲୁଥିବାବେଳେ, ୧୯୪୩ ସାଲରେ ।

 

ଯୋଗକୁ ୧୯୭୬ ମସିହା ମାର୍ଚ୍ଚ ମାସରେ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ଅନୁଷ୍ଠିତ ଗୀତଗୋବିନ୍ଦ ସେମିନାରରେ ଯୋଗ ଦେବାପାଇଁ ଡାକରା ପାଇ, ମନ ଆନନ୍ଦରେ ନାଚି ଉଠିଲି । ସେ ସମାରୋହରେ ପଢ଼ିବା ପାଇଁ ମୁଁ ଇଂରାଜୀରେ ‘‘Gitagobinda in Odissi dance’’ ନାମରେ ଖଣ୍ଡିଏ ପୁସ୍ତିକା ଲେଖିଲି ।

 

ଏଇଠାରେ ‘‘ମେଘୈର୍ମେଦୁର’’ ଶ୍ଳୋକର ମୋର ଓଡ଼ିଆ ଅନୁବାଦ ପାଠ ଓ ‘‘ଲଳିତା ଲବଙ୍ଗଲତା’’ ‘‘ଦଶବତାର’’ ଗୀତ ‘‘ରତି ସୁଖସାରେ’’ ଏବଂ ‘‘ପଶ୍ୟତି ଦିଶି ଦିଶି’’ ପ୍ରଭୃତି ଗୀତର ରାଗ ଓ ତାଳ ଲକ୍ଷଣ ଇତ୍ୟାଦି ବୁଝାଇ କହିଥିଲି ।

 

ତହିଁପରେ ଶ୍ରୀ ବାଳକୃଷ୍ଣ ଦାସ ‘‘ବଦସି ଯଦି କିଞ୍ଚିଦପି’’ ଗୀତର ମୋଦ୍ୱାରା ସ୍ୱରଛନ୍ଦାନୁସାରୀ ଅନୁବାଦିତ ଓଡ଼ିଶୀ ସଙ୍ଗୀତ ଗାଇ ଉପସ୍ଥିତ ସୁଧୀବୃନ୍ଦଙ୍କୁ ମୁଗ୍ଧ କରିଥିଲେ ।

 

ଏତିକିରେ ସକାଳର ବୈଠକ ଶେଷ ହେଲା ।

 

ସନ୍ଧ୍ୟା ସାତଟାରେ ଏକାଡେମୀ ହତା ଭିତରେ ନିର୍ମିତ ଏ ମନୋରମ ରଙ୍ଗମଞ୍ଚରେ ଗୀତନୃତ୍ୟ ପରିବେଷିତ ହୋଇଥିଲା ।

 

ଏଠାରେ କୁମାରୀ କୁଙ୍କୁମ ଦାସ ଓଡ଼ିଶୀ ଶୈଳୀରେ ଗୀତଗୋବିନ୍ଦର ‘ଲଳିତା ଲବଙ୍ଗଲତା’, ‘ରତିସୁଖସାରେ’ ଏବଂ ‘ପଶ୍ୟତି ଦିଶି ଦିଶି’ ନୃତ୍ୟ ପରିବେଷଣ କଲେ । କଟକରୁ ଯାଇଥିବା ଗାୟକ ଓ ଯନ୍ତ୍ରୀମାନେ ସୁନ୍ଦର ଭାବେ ନୃତ୍ୟର ସହଯୋଗ କରିଥିଲେ ।

 

ସେଠାରେ ପରିବେଷିତ ବିଭିନ୍ନ ଶୈଳୀର ନୃତ୍ୟ ଅପେକ୍ଷା କୁମାରୀ କୁଙ୍କୁମଙ୍କର ଓଡ଼ିଶୀ ଦୃତ୍ୟ ଦର୍ଶକ ମଣ୍ଡଳୀଙ୍କଠାରେ ଉଚ୍ଛ୍ୱସିତ ପ୍ରଶଂସା ଲାଭ କରିଥିଲା ।

 

ଗୀତଗୋବିନ୍ଦ ପୁସ୍ତକ ତଥା ଓଡ଼ିଶୀନୃତ୍ୟର ବହୁ ପ୍ରଶଂସା ଇଂରାଜୀ ଓ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହୋଇ ଚହଳ ପକାଇ ଦେଇଥିଲା ।

 

ଯଶମାନ ଅର୍ଜନ କରି ଆମେମାନେ ଆନନ୍ଦରେ କଟକ ବାହୁଡ଼ିଲୁଁ । ସେଥର ମଧ୍ୟ ମୋର ଗୀତଗୋବିନ୍ଦର ଓଡ଼ିଆ ଅନୁବାଦର ଅଳ୍ପ କେତେକ ଅଂଶ ଲେଖି ଗୋଟିଏ କ୍ଷୁଦ୍ର ପୁସ୍ତିକା ଛପାଇ ଦିଲ୍ଲୀ ନେଲି ଓ ମୋଦ୍ୱାରା ସଂଗୃହୀତ ଅତି ପୁରାତନ ଖଣ୍ଡିଏ ତାଳପତ୍ର ପୋଥିର କେତେଗୋଟି ଚିତ୍ରର ଫଟୋ ଗ୍ରହଣ କରାଇ ବ୍ଳକ କରି ସେହି କ୍ଷୁଦ୍ର ପୁସ୍ତକରେ ସନ୍ନିବେଶିତ କଲି ।

 

ଦିଲ୍ଲୀ ଗୀତଗୋବିନ୍ଦ ସେମିନାରରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୀତଗୋବିନ୍ଦ ପ୍ରଦର୍ଶନ ଲାଗି, କୁମାରୀ କୁଙ୍କୁମ ଦାସ, ନୃତ୍ୟଗୁରୁ ଶ୍ରୀ କେଳୁଚରଣ ମହାପାତ୍ର, ବେହେଲା ବାଦକ ଶ୍ରୀ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସହିତ ଗାଇବାପାଇଁ ଶ୍ରୀ ରାଖାଲ ମହାନ୍ତି ମୋ ସହିତ ଦିଲ୍ଲୀ ଗଲେ । ମୋ ସନ୍ଦର୍ଭ ପାଠ ସହିତ ସ୍ୱତନ୍ତ୍ର ଭାବେ ଗାଇବାକୁ ଶ୍ରୀ ବାଳକୃଷ୍ଣ ଦାସଙ୍କୁ ସଙ୍ଗରେ ନେଲି । ଆମେମାନେ ତା ୧୫ ।୩ ।୬୭ ରିଖରେ ଦିଲ୍ଲୀ ଗଲୁଁ ।

 

ଦିଲ୍ଲୀରେ ଗୀତଗୋବିନ୍ଦ ସମାରୋହ :

 

୧୯୬୭ ମସିହା ମାର୍ଚ୍ଚ ମାସ ୧୮, ୧୯ ଓ ୨୦ ତାରିଖରେ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡେମୀରେ ବୈଠକ ବସିଲା ।

 

୧୮ ତାରିଖ ସକାଳ ୧୦ଟାରେ ପ୍ରୋଗ୍ରାମ୍‌ ଆରମ୍ଭହେଲା । ସଭାପତି ଥିଲେ ଶ୍ରୀ ଟି. ଏଲ ଭେଙ୍କଟରମଣମ୍ । ପ୍ରବନ୍ଧ ପଢ଼ିଲେ ଅଧ୍ୟାପକ ଏନ୍‌.ଏସ୍‌. ରାମଚନ୍ଦ୍ରନ୍‌, ଅଧ୍ୟାପକ ସି.ଏସ୍‌. ପନ୍ତ, ଡ. ଶ୍ରୀମତୀ ପ୍ରେମଲତା ଶର୍ମା ଓ ଶ୍ରୀ ଦିଲ୍ଲୀପ କୁମାର ମୁଖାର୍ଜୀ । ଆଲୋଚ୍ୟ ବିଷୟ ଥିଲା, ‘‘ଭାରତୀୟ ସଙ୍ଗୀତକୁ ଗୀତଗୋବିନ୍ଦର ଦାନ ଏବଂ ଏହାର ସାଙ୍ଗୀତିକ ଗଠନ । (Contribution of Gitagobinda to Indian Music and its musical structure)

 

ରାତି ୭ଟାରୁ ୯ଟାଯାଏ, ଏକାଡେମୀ ହତାରେ ତିଆରି ମଞ୍ଚରେ ଗୀତଗୋବିନ୍ଦର ଗୀତ ଓ ନୃତ୍ୟ ପରିବେଷିତ ହେଲା । ଆଡ଼ାୟାର କଳାକ୍ଷେତ୍ରର ଶ୍ରୀ ରାମଗୋପାଳନ୍‌ ଶ୍ରୀକୃଷ୍ଣ ଏବଂ ଶ୍ରୀମତୀ କୃଷ୍ଣାବେଣୀ–ରାଧିକା ଭୂମିକାଂଶରେ ଭାରତ ନାଟ୍ୟମ୍‌ ପ୍ରଦର୍ଶନ କଲେ, ଗୀତଗୋବିନ୍ଦର ଗୀତ ଗାଇ ।

 

କୁମାରୀ କୁଙ୍କୁମ ଦାସ ଗୀତଗୋବିନ୍ଦର ‘‘ଲଳିତ ଲବଙ୍ଗଲତା’’ ଓ ‘‘ସଖୀ ହେ ! କେଶୀ ମଥନ ମୁଦାରମ୍‍’’ ‘‘ରତିସୁଖସାରେ’’ ଏବଂ ‘‘ପଶ୍ୟତି ଦିଶି ଦିଶି’’ ଗୀତଗୁଡ଼ିକର ଓଡ଼ିଶୀ ଶୈଳୀରେ ନୃତ୍ୟ ପରିବେଷଣ କଲେ ।

 

ଦ୍ୱିତୀୟ ଦିନ (୧୯ ତାରିଖ) ସେହିପରି ସକାଳ ଦଶଟାରେ ବୈଠକ ଆରମ୍ଭ ହେଲା । ମୁଁ ଥିଲି ସଭାପତି, ଆଲୋଚ୍ୟ ବିଷୟ ଥିଲା–‘‘ଭାରତୀୟ ନୃତ୍ୟରେ ଗୀତଗୋବିନ୍ଦର ସ୍ଥାନ’’ (Place of Gitagobinda in Indian dance) । ଆଲୋଚନା ପ୍ରବନ୍ଧ ପାଠ କଲେ ଶ୍ରୀମତୀ ରୁକ୍ମିଣୀ ଦେବୀ ଅରୁଣ୍ଡେଲ, ଶ୍ରୀ ବନ୍ଦା କନକ ଲିଙ୍ଗେଶ୍ୱର ରାଓ । ଅଧ୍ୟାପକ ନୀଳକଣ୍ଠ ସିଂ ଗାଇଲେ ଗୀତଗୋବିନ୍ଦର ‘‘ବଦସି ଯଦି କିଞ୍ଚିଦପି ଦନ୍ତରୁଚି କୌମୁଦ’’ ଗୀତଟି, ଏବଂ ଏହାପରେ ଏହି ଗୀତଟିର ମୋର ଓଡ଼ିଆରେ ଅନୁବାଦିତ ସମସ୍ୱରୀ ସମଛନ୍ଦୀ ଗୀତ–

 

ମଞ୍ଜୁ ମଧୁ ଭାଷିଲେ ସରସ ରଜ ଚନ୍ଦ୍ରିକା

ହରଇ ମନ ମନ–ତିମିର–ଯାମେ,

ଚନ୍ଦ୍ର–ବଦନା ଅଧର ମଧୁର–ମଧୁଧାର ଗୋ

ନୟନ ତ ଚକୋର ସରି କାମେ ।

ପ୍ରିୟେ ଚାରୁଶୀଳେ ! ତେଜ ମନୁ ମାନିନି ! ଗୁମାନେ

କାମ–ଖର–ତାପ ସହି ! ଦହଇ ମମ ମାନସେ

ଦାନକର ବଦନ ମଧୁପାନେ ।। ଘୋଷା ।।

 

X X X

 

ଗୀତର ରାଗ–ଦେଶବରାଡ଼ି ଏବଂ ତାଳ–ଅଷ୍ଟତାଳୀ ବୋଲି ଗୀତଗୋବିନ୍ଦରେ ନିର୍ଦ୍ଦେଶିତ । ଅଷ୍ଟତାଳୀ ବା ଆଠତାଳୀ ତାଳ ଓଡ଼ିଶା ଭିନ୍ନ ଭାରତର ଅନ୍ୟତ୍ର କୁତ୍ରାପି ପ୍ରଚଳିତ ନୁହେଁ । ଏକଥା ମୁଁ ବୈଠକରେ ତାଳ, ମାତ୍ରା ଓ ଉକୁଟ ସହ ପରିଷ୍କାର ବୁଝାଇଥିଲି ।

 

ମୋର ପ୍ରବନ୍ଧ :

 

ପ୍ରବନ୍ଧଟି ଇଂରାଜୀରେ ଲେଖିଥିଲି, ଦିଲ୍ଲୀ ସେମିନାରରେ ସମସ୍ତେ ବୁଝିବେ ବୋଲି । ଛପା ବହିଟିର ପ୍ରଚ୍ଛଦ ପୃଷ୍ଠାରେ ‘‘ଲଳିତ ଲବଙ୍ଗଲତା’’ ଗୀତ ସହିତ ଓଡ଼ିଶୀ ନୃତ୍ୟ ଭଙ୍ଗୀର ପୁରୀର ଜଣେ ଦେବଦାସୀ (ମାହାରୀ)ଙ୍କ ନୃତ୍ୟଭଙ୍ଗୀ ଫଟୋର ବ୍ଳକ ଛପାଇଥିଲି । ଡିମାଇ ସାଇଜ୍‌ର ଏ ପୁସ୍ତକଟି ଛପାରେ ମୋଟ ୩୧ ପୃଷ୍ଠା ମାତ୍ର ।

 

ପ୍ରଥମ ଦିବସର ବୈଠକରେ କେତେକ ବିଜ୍ଞବ୍ୟକ୍ତିଙ୍କର ଗୀତଗୋବିନ୍ଦ ସମ୍ୱନ୍ଧେ ପଠିତ ପ୍ରବନ୍ଧ ପରେ ଦ୍ୱିତୀୟ ଦିବସରେ ସଭାପତିରୂପେ ମୋର ପ୍ରବନ୍ଧ ପାଠ ପୂର୍ବରୁ ଗୋଟିଏ ସୂଚନା ଲେଖି ପାଠ କରିଥିଲି । ସେହି କ୍ଷୁଦ୍ର ସୂଚନା ଲେଖାର ଅବିକଳ ନକଲ ନିମ୍ନରେ ଲେଖୁଛି–

 

I am rather being forced to speak about a matter of some controversy. In yesterday's Seminar proceedings of the music section some eminent scholars spoke about the birth place of Sri Joydev. From my paper my learned audience may find out that I have scrupulously avoided any reference to this particular controversy. I shall however crave their indulgence and placed that a careful perusal of my paper will give a definite answer to this of repeated controversy. Inquisitive students may refer to Bhakta Mala, Prithwiraj Raso and the introduction attached to Rana Kumbha's Rasika Priya (printed edition) etc. Many authentic historical data and photos collected by me since long have conclusively proved that the birth place of sage and savant joydev was in the village Kendubillwa or kenduli in the Dt. of Puri (Orissa), A stone image of Joydev with the inscription of Jay Jay Deva Hare–dated sometimes in the 12th century A.D. and the deity he worshipped–Radha–Madhab–was unearthed from beneath an earth–mound in that village. Those stone images have been accepted by the Archaeological Dept. of the Orissa Govt. and they too prove my contention. Photos of Joydev image etc. are in my personal collection.

 

ଏହାପରେ ମୁଁ ମୋର ଇଂରାଜୀରେ ଲେଖା ଛାପା ପ୍ରବନ୍ଧଟି (Gitagobinda in Odissi dance) ପାଠ କରିଥିଲି । ତାହାର ପରିଚ୍ଛେଦଗୁଡ଼ିକ ମାତ୍ର ଏଠାରେ ଲେଖୁଛି, କୁମ୍ଭାର ଚକର କଳେବର ବୃଦ୍ଧି ଭୟରେ ।

 

‘‘ଭକ୍ତୋ ବିଚିତ୍ରୈଲଳିତେଃ କାରିତୈ ର୍ବା ସ୍ୱାୟଂ କୃତଃ

ଗୀତୈର୍ବାଦ୍ୟେଶ୍ଚ ନୃତୈଶ୍ଚ ଶ୍ରୀକୃଷ୍ଣଂ ପରିତୋଷୟେତ୍‌ ।’’

 

(ନାଟ୍ୟ ମନୋରମା–ଖ୍ରୀ. ୧୬୧୩)

 

Why and when to ? –ପରେ

 

ଏହି ଶ୍ଳୋକ ପାଠରୁ ମୁଁ ମୋର ସନ୍ଦର୍ଭ ପାଠ ଆରମ୍ଭ କରିଥିଲି ।

 

ପରବର୍ତ୍ତୀ ସୂଚନାଗୁଡ଼ିକ ହେଲା–

 

The reason behind the name–

 

‘‘Why is it that the Kavya written to please Sri Krishna is named Gita Govinda’’ ?

 

Why was it not named Gita Madhaba of Gita Srikrishna, etc. ? Or else in the tradition of the Oriya poet's love for aliterations, the name of the book could have been Gita Gopala x x x When we try to analyse the name we find–

 

ଗାଂ ବିନ୍ଦତି ଇତି ଗୋବିନ୍ଦ । ଗୋବିନ୍ଦ ଗାଂ ବାଚଂ ବିନ୍ଦତି ଜାନାତି ଇତି ।

 

ଏହିପରି ଭାବରେ ଆଲୋଚନା କରାଯାଇଛି, ଏହା ପରେ ପରେ–

 

Lyrical Poetry–

 

X X X

 

Kavya–rasa–

 

x

x

 

 

 

 

Sammilan–Union– (Radha–Krishna)

 

x

x

 

 

 

 

Prabandha–

x

x

x

 

 

 

 

Dedication–

x

x

x

 

 

 

 

First appointment in Srimandir

 

x

x

 

 

 

 

Religion follows the Ruler–

 

x

x

 

 

 

 

Royal acceptance–

 

x

x

 

 

 

 

Exposition and Explanation–

 

x

x

 

 

 

 

Odissi dance and Geeta Govinda–

 

x

x

 

 

 

 

Raga and Tala–

 

 

 

 

 

 

 

The key to its Papularity–

 

 

 

 

 

 

 

Geeta Govinda to the medium of Odissi Sangeeta and

 

 

 

 

 

 

 

Dance

x

x

x

 

ଫେଲୋସିପ୍‌ :

 

ଦିଲ୍ଲୀ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ଡା. ସୁରେଶ ଅଗସ୍ତିଙ୍କ ସହିତ ମୋର ପୂର୍ବରୁ ପରିଚୟ ଥାଏ । ୧୯୬୮ ସାଲ ନଭେମ୍ୱର ମାସରେ ମୁଁ ସେଇ ଏକାଡେମୀର କେତେକ ପରିଚିତ ବନ୍ଧୁଙ୍କଠାରୁ ଏକାଡେମୀ ମୋତେ ସମ୍ମାନିତ କରିବାର ସ୍ଥିର କରିଛନ୍ତି ବୋଲି ଚିଠି ପାଇଲି ।

 

ତା୧୭।୧୧।୬୮ ରିଖରେ ଏକାଡେମୀରୁ ତାର ପାଇ ଫେଲୋସିପ୍ ଗ୍ରହଣରେ ସମ୍ମତି ଦେଲି । ପରେ ପରେ ଡା. ଅଗସ୍ତି ମଧ୍ୟ ପତ୍ର ଦେଲେ ।

 

ତା ୨୦।୧।୬୯ରିଖରେ କେନ୍ଦ୍ର ଏକାଡେମୀ ମୋତେ ତା ୨୫।୨।୬୯ ରିଖରେ ଫେଲୋସିପ୍‌ରେ ସମ୍ମାନିତ କରିବେ ବୋଲି ଚିଠି ପାଇଲି । ଦିଲ୍ଲୀ ଯାଇ କେଉଁଠି ଏଥର ରହିବି ବୋଲି ଏଠାରେ କେତେକ ବନ୍ଧୁଙ୍କ ସହ ପରାମର୍ଶ କଲି । ସେମାନଙ୍କ କଥାମତ ଭୁବନେଶ୍ୱର ଯାଇ ଦିଲ୍ଲୀର ଓଡ଼ିଶା ହୋମ୍‌ରେ ରହିବାର ଅନୁମତି ଆଣିଲି, ସମ୍ପୃକ୍ତ ବିଭାଗରୁ । ମୋତେ ‘ଓଡ଼ିଶା ହୋମ୍‌’ର ୭ ନମ୍ୱର ସିଟ୍‌ ମିଳିଲା ।

 

ତା ୨୧।୨।୬୯ରିଖ ଦିନ ଦିଲ୍ଲୀ ଯିବାର ସ୍ଥିର କଲି । ମୋର ପୁତ୍ରପ୍ରତିମ ମହମ୍ମଦିଆ ବଜାରର ସ୍ୱର୍ଣ୍ଣକାର ଶ୍ରୀ ରାମଚନ୍ଦ୍ର ସାହୁଙ୍କୁ ସଙ୍ଗରେ ନେବାର ସ୍ଥିର କଲି । ରାମ ଅଗ୍ରିମ ସ୍ଥାନ ସଂରକ୍ଷଣ କରି ରେଳ ଟିକେଟ ଆଣି ଦେଲେ । ତା ୨୧ ।୨ ।୬୯ରିଖ କଲିକତା ଏକ୍ସପ୍ରେସରେ ଦିଲ୍ଲୀ ଯିବାର ସ୍ଥିର ହେଲା ।

 

ମୋର ଅଭ୍ୟାସମତେ ଅନୁକୂଳ ବେଳା ଧରି ସନ୍ଧ୍ୟା ୫ଟାରେ ବସାରୁ ବାହାରି ଗାଡ଼ିରେ ଚଢ଼ିବାକୁ ଗଲାବେଳେ ଶ୍ରୀ ଅର୍ଜୁନ ଯୋଷୀ ଭୁବନେଶ୍ୱରରୁ ମୋଟର ଯୋଗେ ପହୁଞ୍ଚିଲେ ।

 

ସରକାରୀ ସାହାଯ୍ୟ :

 

ଏଥିପୂର୍ବେ ମୁଁ ଦିଲ୍ଲୀ ଗୀତଗୋବିନ୍ଦ ସମାରୋହରେ ଯୋଗଦେବା ପାଇଁ ଗଲାବେଳେ ଖଣ୍ଡିଏ ପୁସ୍ତିକା ଲେଖି ତାହାକୁ ଛପାଇବା ପାଇଁ ସରକାରୀ ସାହାଯ୍ୟ ମାଗିଥିଲି । ଶ୍ରୀ ଅନିରୁଦ୍ଧ ଦାସ ଆଇ.ଏ.ଏସ୍‌ ସେହି ପୁସ୍ତିକା ପ୍ରକାଶନ ନିମିତ୍ତ ମୁଁ ମାଗିଥିବା ସାହାଯ୍ୟ ପଠାଇଛନ୍ତି ବୋଲି ଶ୍ରୀ ଯୋଷୀ ମୋତେ ପନ୍ଦର ଶହ ଟଙ୍କାର ଗୋଟିଏ ବ୍ୟାଙ୍କ ଡ୍ରାଫ୍ଟ ହସି ହସି ବଢ଼ାଇ ଦେଲେ । ବିଚାରିଲି ଅନୁକୂଳଟା ଠିକ୍‌ ବେଳରେ ହୋଇଛି ।

 

ଓଡ଼ିଶା ହୋମ୍‌ :

 

୨୧।୨ ସନ୍ଧ୍ୟାରେ ମୁଁ ଯୋବ୍ରା ନିଗମାନନ୍ଦ ଆଶ୍ରମକୁ ଯାଇ ଠାକୁରଙ୍କୁ ପ୍ରଣାମ କରି ଷ୍ଟେସନ୍‌ରେ ଗାଡ଼ି ଚଢ଼ିଲି । ତା ୨୩ ।୨ରେ ଦିଲ୍ଲୀରେ ପହୁଞ୍ଚି ଓଡ଼ିଶା ଭବନରେ ରହିଲୁଁ । କଟକରୁ ଦିଲ୍ଲୀର କେତେକ ପରିଚିତ ବନ୍ଧୁଙ୍କ ପାଖକୁ ଚିଠି ଦେଇଥିଲି । ଦିଲ୍ଲୀ ରେଳ ଷ୍ଟେସନକୁ କେତେକ ବନ୍ଧୁ ଆସିଥିଲେ । ମୋର ବନ୍ଧୁ ଖୋରଧା ବେରବୋଇ ଗ୍ରାମର ଡାକ୍ତର ନାୟକଙ୍କ ପୁତ୍ରବଧୂ ଶ୍ରୀମତୀ ରାଣୀ କର୍ଣ୍ଣା ଜଣେ ପ୍ରସିଦ୍ଧା ନର୍ତ୍ତକୀ ।

 

ସେ କଟକରେ ତାଙ୍କ ଶ୍ୱଶୁରଘରକୁ ମଧ୍ୟେ ମଧ୍ୟେ ଆସନ୍ତି ଏବଂ ମୋଠାରୁ ଓଡ଼ିଶୀ ନୃତ୍ୟର ଭଙ୍ଗୀ ଓ ଅଭିନୟ ଇତ୍ୟାଦି ଶିକ୍ଷା କରନ୍ତି । ତାଙ୍କ ସ୍ୱାମୀ ଦିଲ୍ଲୀରେ ଜଣେ ବିଶିଷ୍ଟ ଅଫିସର-। ଶ୍ରୀମତୀ ରାଣୀ ତାଙ୍କ ସ୍ୱାମୀଙ୍କ ସହ ମୋଟରରେ ଆସି ଷ୍ଟେସନ୍‌ରୁ ଆମ୍ଭ ଦୁହିଁଙ୍କୁ ଉତ୍କଳ ହୋମ୍‌କୁ ଘେନିଗଲେ । ସେଠାରୁ ତାଙ୍କ ବସାକୁ ଗଲି ଓ ଶ୍ରୀ ମାୟାଧର ରାଉତ ଇତ୍ୟାଦି ବସି ଓଡ଼ିଶୀ ନୃତ୍ୟ ସମ୍ୱନ୍ଧେ କେତେକ ଆଲୋଚନା କଲୁଁ । ଶ୍ରୀମତୀ ରାଣୀ ଓଡ଼ିଶୀ ନୃତ୍ୟର ବାଣୀ କିଛି ଲେଖିନେଲେ-। ଏକାଡେମୀକୁ ଯାଇ ସମାରୋହ (Festival)ର ପ୍ରବେଶ ପତ୍ର ଇତ୍ୟାଦି ସଂଗ୍ରହ କଲି ।

 

ଏକାଡେମୀ :

 

ତା୨୫।୨।୬୯ରିଖ ସକାଳେ ଡା. ଅଗସ୍ତି ଏକାଡେମୀକୁ ଡକାଇଲେ । ସେଦିନ ସମାରୋହ (Festival)ରେ ସନନ୍ଦ ଗ୍ରହଣରେ ରିହର୍ସାଲ, ପ୍ରେସ କନ୍‌ଫରେନ୍‍ସ ଏବଂ ଆକାଶବାଣୀର ଇଣ୍ଟାରଭିଉ ଇତ୍ୟାଦି ସାରି ପ୍ରାୟ ୨ଟାରେ ବସାକୁ ଫେରିଲି । ସନ୍ଧ୍ୟା ୭ଟାରେ ଡ. ଭି.ଭି. ଗିରି, ଉପ-ରାଷ୍ଟ୍ରପତିଙ୍କଠାରୁ ପ୍ରଥମେ ମୁଁ ଯାଇ ଫେଲୋସିପ୍‌ ସନନ୍ଦ ଗ୍ରହଣ କଲି । ପରେ ଅନ୍ୟାନ୍ୟ କୃତି କଳାକାରମାନେ ସମ୍ୱର୍ଦ୍ଧିତ ହେଲେ ।

 

ଏହି ସନନ୍ଦର ଗୋଟିଏ ଫଟୋ ‘କୁମ୍ଭାର ଚକ’ରେ ପ୍ରକାଶିତ ହେଉଛି । ଏକାଡେମୀର ସମ୍ୱର୍ଦ୍ଧନା ପତ୍ରର ନକଲ ତଳେ ଲେଖୁଛି–

 

AKADEMI AWARDS 1968,

 

Presented by the Vice-President of India

Fellowship to Shri Kali Charan Patnaik.

I Present to you, Sir, Shri Kalicharan Patnaik.

 

Born in 1899 in the Cuttack District of Orissa, Shri Patnaik has spent all his life in the promotion of music dance and drama. He has been a pioneer in the revival of the performing arts in Orissa and has greatly contributed to their promotion and development. He combines in him the qualities of a creative artist and a scholar and while he himself has been an actor, dancer and a musician, he has trained many artists in all three fields.

 

He established in 1939 the Orissa Theatres in Cuttack which was the first professional Oriya company.

 

He has written many Mythological and Social plays which have been very popular on the Oriya stage. He has also written poems and several collections of his verses have been published. in recognition of his poetic talent, he received the title of Kabichandra from the Gajapati Maharaja, Puri, He has received many other titles and honours from various cultural bodies. He has also been associated for nearly three dacades which a large number of cultural and academic institutions. He is the Vice-President of the Orissa Sangeet Natak Akademi.

 

In the scholarly field, his most significant contribution is the editing of several rare manuscripts in Oriya on music, dance and drama. Some of these edited manuscripts are : Ragachitra and Abhinaya Darpana Prakasa. His other books on music are : Sapta Swari and Suralekha.

 

His Oriya translation of Gita–Govinda has been highly acclaimed.

 

For his eminence in the field of performing arts and his contribution to their enrichment, Shri Kali Charan Patnaik has been elected Fellow of the Sangeet Natak Akademi.

 

ସନନ୍ଦ :

 

ତା ୨୫ ।୨ ।୬୯ ରିଖ ଦିନ ଦିଲ୍ଲୀ ରବୀନ୍ଦ୍ର ଭବନରେ ଏକ ମନୋଜ୍ଞ ସଭା ମଣ୍ଡପରେ ଭାରତର ବହୁ ସଙ୍ଗୀତ, ନୃତ୍ୟ ଏବଂ ନାଟ୍ୟର ତେରଜଣ ବିଶେଷଜ୍ଞମାନଙ୍କୁ ପୁରସ୍କୃତ କରାଗଲା ଏବଂ ମୋତେ ସଙ୍ଗୀତ-ନୃତ୍ୟ ଓ ନାଟକର ରତ୍ନ ସଦସ୍ୟ (Fellow) ମନୋନୀତ କରାଯାଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱାକ୍ଷରିତ ତାମ୍ରଫଳକ ଲେଖା ପ୍ରଦତ୍ତ ହେଲା । ଏହି ସନନ୍ଦଟି ଭାରତର ଉପ-ରାଷ୍ଟ୍ରପତି ଡା. ଭି.ଭି. ଗିରି ମୋତେ ପ୍ରଦାନ କଲେ ।

 

ସଙ୍ଗୀତ ନାଟକ ଏକାଡେମୀରେ ଏହି ବର୍ଷର ଉତ୍ସବ ତା ୨୫।୨ ରୁ ତା ୫।୩ ।୬୯ରିଖ ପର୍ଯ୍ୟନ୍ତ ପାଳିତ ହୋଇଥିଲା । ଭାରତର କୃତି କଳାକାରମାନେ ଏକ ସୁସଜ୍ଜିତ ରଙ୍ଗପୀଠରେ ସେମାନଙ୍କ କୃତିତ୍ୱ ପ୍ରଦର୍ଶନ କରି ସହସ୍ରାଧିକ ଦର୍ଶକଙ୍କୁ ମୁଗ୍ଧ କରିଥିଲେ ।

 

ଏହି ସମାରୋହ ଅବସରରେ ଓଡ଼ିଶାର ସୁବିଖ୍ୟାତ ନୃତ୍ୟଶିଳ୍ପୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ମୋର ଗୀତଗୋବିନ୍ଦରୁ ଓଡ଼ିଆ ଭାଷାରେ ଅନୁବାଦିତ ଦୁଇଟି ଗୀତର ଅପୂର୍ବ ଅଭିନୟ ସହିତ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବିଶେଷ ପ୍ରଶଂସିତ ହୋଇଥିଲେ । ନୃତ୍ୟ ସହିତ କଣ୍ଠ ସହଯୋଗ କରିଥିଲେ ଶ୍ରୀମତୀ ସଂଯୁକ୍ତାଙ୍କ ସ୍ୱାମୀ ସୁଗାୟକ ଶ୍ରୀ ରଘୁନାଥ ପାଣିଗ୍ରାହୀ ।

 

ଉପସ୍ଥିତ ଦର୍ଶକମଣ୍ଡଳୀ ଗୀତଗୋବିନ୍ଦର ଏଭଳି ଅନୁବାଦ ତଥା ଶ୍ରୀମତୀ ସଂଯୁକ୍ତାଙ୍କ ନୃତ୍ୟର ଅପୂର୍ବ ଭଙ୍ଗିମାର ଭୂୟସୀ ପ୍ରଶଂସା କରିଥିଲେ ।

 

ଆଟହୋମ୍‌ ପାର୍ଟି :

 

୨୬ ତାରିଖ ଦିନ ଘ ୪।୪୫ ମିନିଟ୍‌ରେ ରାଷ୍ଟ୍ରପତି ଭବନରେ ଆମ୍ଭମାନଙ୍କୁ ଏକ ଆଟ୍‌ହୋମ (At home) ପାର୍ଟିରେ ସମ୍ୱର୍ଦ୍ଧିତ କରାଯାଇଥିଲା ।

 

ସମ୍ୱର୍ଦ୍ଧନା :

 

Natya Institute of Choriography ପକ୍ଷରୁ ଭାରତୀୟ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ବହୁ ବିଦ୍ୱଜ୍ଜନଙ୍କ ଉପସ୍ଥିତିରେ ଶ୍ରୀମତୀ ମାୟା ରାଓଙ୍କ ଦ୍ୱାରା ତା ୨୭।୨।୬୯ ରିଖ ଦିନ ଏଗାରଟାବେଳେ ଏବଂ ସେଦିନ ଇଣ୍ଟର୍‌ନ୍ୟାସନାଲ୍‌ କଲ୍‌ଚରାଲ୍‌ ସେଣ୍ଟର୍‌ ପକ୍ଷରୁ ଶ୍ରୀମତୀ ରେଖାବେନ୍‌ ମୋତେ ସମ୍ୱର୍ଦ୍ଧିତ କରିଥିଲେ ।

 

ଏହାଛଡ଼ା ଦିଲ୍ଲୀର ଅନ୍ୟ କେତୋଟି ଅନୁଷ୍ଠାନ ମୋତେ ଅଭିନନ୍ଦିତ କରିଥିଲେ ।

 

ଅବିସ୍ମରଣୀୟ ପରାମର୍ଶ :

 

ମୋର ବହୁକାଳର ପରିଚିତ ସଙ୍ଗୀତଜ୍ଞ ବନ୍ଧୁ ଶ୍ରୀ ସୁନୀଲ ବୋଷ ମୋତେ ତାଙ୍କ ଦିଲ୍ଲୀ ରହଣୀ ଘରକୁ ଡାକି ନେଇ ସମ୍ୱର୍ଦ୍ଧନା ଜଣାଇବା ଅବସରରେ ଗୋଟିଏ ସୁଚିନ୍ତିତ ପରାମର୍ଶ ଦେଲେ । ‘ସେ ମୋର ସ୍ୱରଛନ୍ଦାନୁସାରୀ ଗୀତଗୋବିନ୍ଦର ଓଡ଼ିଆ ଅନୁବାଦ ଶୁଣିଥିଲେ ଏବଂ ୩ ।୩ ।୬୯ ତାରିଖରେ ତାଙ୍କ ଘରେ ସମ୍ୱର୍ଦ୍ଧନା ଦେବା ଦିନ ତାଙ୍କର କେତେକ ବନ୍ଧୁଙ୍କୁ ଶୁଣାଇବାକୁ କହିଲେ । ମୁଁ ଗୀତଗୋବିନ୍ଦର ଅନୁବାଦିତ କେତୋଟି ଗୀତ ନିଜେ ଗାଇଲି । ଶ୍ରୀ ବୋଷ ମୋତେ କହିଲେ, ଭବିଷ୍ୟତ୍‌ରେ ହୁଏତ କିଏ କହିବ ଏହା ମୋଦ୍ୱାରା ଅନୁବାଦିତ ନୁହେଁ, ତେଣୁ ଗୀତମାନଙ୍କରେ ଜୟଦେବଙ୍କ ପରେ ମୋ ନାମ ଭଣତି ସଂଯୋଗ କରିବି । ବହୁତ ଭାବିଚିନ୍ତି ତା ୧୦।୪।୬୯ରେ ମୁଁ ମୋ ନାମ ଭଣତି ପଦ ଯୋଡ଼ିଲି । ସୁନୀଲ ବୋଷ କଟକ ରେଡ଼ିଓ ଷ୍ଟେସନର ଡିରେକ୍ଟର ଥିଲେ ।

 

ତାଙ୍କର ଏହି ସୁଚିନ୍ତିତ ପରାମର୍ଶ ଲାଗି ମୁଁ ଆଜୀବନ ଋଣୀ ।

 

ଅଭୁଲା କଥାରୁ କିଛି :

ମାତୃ ସମ୍ୱତ୍ସର :

 

ନିହାତି ପିଲା । ପାରିଶୁଆରୁ ଉଠି ନ ଥାଏଁ । ବୋଉ ମୋର ଘର ଭିତରରେ ଜିନିଷପତ୍ର ସାଇତା ସଜଡ଼ା କରୁଥାଏ ପାହାନ୍ତାରୁ । ସେତିକିବେଳେ ଗାଏ ‘କଳାମାଣିକ ଛାନ୍ଦ’ । ଛାଏଁ ଛାଏଁ ନିଦଟା ଭାଙ୍ଗିଯାଏ, ସେଇଦିନୁ ମୋର ଛାନ୍ଦ ସଉକୀ । ପରେ ପରେ ଗୀତ ଟିକିଏ ଟିକିଏ ଗାଇଲି, ରେକର୍ଡ଼ ଗୀତ ଶୁଣି । ବର୍ଷ ଯେତେବେଳେ ମୋତେ ଏଗାର କି ବାର, ସେତେବେଳର ପହିଲି ଗୀତ ଲେଖାଟି ଆମ ବଂଶର ଇଷ୍ଟଦେବୀଙ୍କ ଜଣାଣ–‘ଦେବୀ ଗୋ, ପରମାନନ୍ଦ ଦାୟିନୀ’ ବୋଉ କଥା ମାନି ଦେବୀ ଚର୍ଚ୍ଚିକାଙ୍କୁ ଶୁଣାଇଲି । ଦେବୀଙ୍କ ମଥାରୁ ଫୁଲ ଖସିଲା । ବୋଉର ଆନନ୍ଦ କହିଲେ ନ ସରେ, ସେତିକିବେଳୁ ଗୀତ ଲେଖି ବେଳେ ବେଳେ ବୋଉକୁ ଦେଖାଏଁ, ସେ ଭୁଲତକ ବାରିଦିଏ । ଏମିତିକି ମୋ ନାଟକରୁ କେବେ କେବେ ଗୋଟେ ଅଧେ ଦୃଶ୍ୟ, ବିଶେଷତଃ ଗାଁ ଗଣ୍ଡାର କଥାବାର୍ତ୍ତା ଥିବା ଦୃଶ୍ୟ, ତାକୁ ପଢ଼ି ଶୁଣାଏଁ । ସେ କେତେଠା ବଦଳାବଦଳି କରିଦିଏ । ମୋଟ ଉପରେ ମୋ ଲେଖକ ଜୀବନର ଗୁରୁ ମୋ ବୋଉ ।

 

ସେଇ ବୋଉ ମୋତେ ଛାଡ଼ି ଚାଲିଗଲା ୧୯୪୯ ମସିହା ଜାନୁୟାରୀ ଆରମ୍ଭରେ । ଓଡ଼ିଶା ଥିଏଟର୍ସ ଦଳ ସେତେବେଳେ ଟାଟାରେ ଥାଏ । ମୁଁ ବୋଉର ଦେହ ଦୁଃଖ ଖବର ପାଇ କଟକ ଆସିଲି । ସାମାନ୍ୟ ସେବାର ସୁଯୋଗ ପାଇଛି । ବୋଉ ଚାଲିଗଲା ସ୍ୱର୍ଗପୁର । ସେଦିନ ମଗୁଶୀର ମାସ ମାଣବସା ଗୁରୁବାର ।

 

ଲୋକେ କହନ୍ତି, ‘‘ମାତୃ ସମ୍ବତ୍ସର’ ବଡ଼ ଦୁଃଖଦାୟକ । କଥାଟା ମୋ ଜୀବନରେ ଏକାବେଳେ ସତ ଫଳିଛି । କଟକରେ ବୋଉ ପାଖେ କେହି ନ ଥିବାରୁ, ମୁଁ ସୁମତୀକୁ ସାଥିରେ ଘେନି ଆସିଲି । ଆସିବାର ଆଠ ଦଶ ଦିନ ପରେ ମାତୃହରା ହେଲି । ଦୁଃଖ ଏକୁଟିଆ ଆସେ ନାହିଁ–ଆସେ ବନ୍ଧୁ କୁଟୁମ୍ୱଙ୍କୁ ସାଥିରେ ନେଇ, ଏକଥା ଯିଏ କହିଛନ୍ତି, ତାଙ୍କୁ କୋଟି ଜୁହାର ।

 

ପେଣ୍ଡାଲ ଭାଙ୍ଗିପଡ଼ିଲା :

 

ମନ ଦୁଃଖରେ ଥାଏଁ, ହଠାତ୍‌ ଦିନେ ବାଙ୍କାବଜାରର ରଙ୍ଗମଞ୍ଚ ତା ଛାଏଁ ତଳିଛୁଆ ହୋଇଗଲା । ତା’ପରେ ଆଉ ଜମି ମାଲିକଙ୍କଠାରୁ ଅନୁମତି ମିଳିଲା ନାହିଁ ଘର ତୋଳିବାକୁ । ସେତେବେଳେ ଟାଟାରୁ ଆସି ସୋର ଗାରେ ଦଳ ଥାଏ । କାଶୀ ମହାନ୍ତି ମ୍ୟାନେଜରଙ୍କ ଅବ୍ୟବସ୍ଥାରୁ ଦଳ ଭାଙ୍ଗିଗଲା । ଜିନିଷପତ୍ର ବନ୍ଧା ବିକ୍ରି ହେଲା । ଏଇଠୁ ଓଡ଼ିଶା ଥିଏଟର୍ସ ଇତି ।

 

ବୋଉ ଯିବା ପଛେ ପଛେ ମୁଁ ଲକ୍ଷ୍ମୀଛଡ଼ା ହେଲି । ଏକଥା ଭୁଲିବି କେମିତି ?

 

ପ୍ରହରାଜ ମଉସା :

 

ବାପାଙ୍କ ସଙ୍ଗାତ ଥିଲେ ସ୍ୱନାମଧନ୍ୟ ଲେଖକ ଓକିଲ, ସଂଗ୍ରାହକ, ଭାଷାକୋଷ ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ । ୧୯୧୭ ସାଲରେ ମୁଁ ରେଭେନ୍ସା କଲେଜରେ ପଢ଼ା ଆରମ୍ଭ କଲାବେଳୁ ବାପା ମୋତେ କଟକରେ ପ୍ରହରାଜ ମଉସାଙ୍କ ଆଖି ତଳେ ଛାଡ଼ି ଦେଇଥିଲେ । ଲେଖାଲେଖି ତ ମୋର ଅଭ୍ୟାସ ଥାଏ । କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ମୋତେ ସୁବିଧା ଜୁଟିଗଲା । କଟକ ଲାଲବାଗ ଦେହୁଡ଼ିରେ ବସାକରି ରହିଲି । ଗୀତ, କବିତା, ଗପ ପ୍ରଭୃତି ଯାହା ଯେବେ ଲେଖେ, ମଉସାଙ୍କୁ ଦେଖାଏଁ, ସେ ସଂଶୋଧନ କରିଦିଅନ୍ତି, କୋଉଠି କେମିତି ଭୁଲ୍‌ଭାଲ୍‌ ଥିଲେ ବତାଇ ଦିଅନ୍ତି ।

 

ସାକ୍ଷିଗୋପାଳ ନାଟ୍ୟସଂଘ ବେଳର ରାସ ଓ ତାଙ୍କ ଥିବା ଯାଏ ଓଡ଼ିଶା ଥିଏଟର୍ସ ସମୟରେ ମୋ ଲେଖା ନାଟକଗୁଡ଼ିକ ମଧ୍ୟରୁ ଅଧିକାଂଶରେ ତାଙ୍କ କଲମ ମୁନ ବାଜିଛି । ସେ ଉଭୟ ସଂସ୍ଥାର ମୁଖ୍ୟ ଉପଦେଷ୍ଟା ଥିଲେ । ସ୍ୱର, ଛନ୍ଦ ଓ ତାଳ ମନାଇଁ ମୋର ଗୀତଗୋବିନ୍ଦର ଓଡ଼ିଆ ଅନୁବାଦରେ ତାଙ୍କରି ଆଶୀର୍ବାଦ ଘେନିଛି ମୁଁ । ମୋର ଭଲରେ ମନ୍ଦରେ ତାଙ୍କରି ଉପଦେଶ ନିଏଁ । ଭୁଲି ପାରୁ ନାହିଁ ତାଙ୍କୁ ।

 

ମୋ ହୀନକପାଳକୁ ତା ୧୬।୫।୪୫ ରିଖରେ ସେ ଦେହ ଛାଡ଼ିଲେ । ବାପାଙ୍କ ବଦଳି ବାପାଙ୍କୁ ହରାଇଲା ପରି ଲାଗିଲା ।

 

ଆଉ ଜଣ କେତେ :

 

ପ୍ରହରାଜ ମଉସାଙ୍କ ଛଡ଼ା ଶଶିଭୂଷଣ ରାୟ ଏବଂ ଲକ୍ଷ୍ମୀନାରାୟଣ ସାହୁଙ୍କ ଉପଦେଶ ନେଉଥିଲି ଅନେକ ସମୟରେ । ଦୁହିଁଙ୍କୁ ଦୁହେଁ ମୋତେ ବଡ଼ ଆଦର କରୁଥିଲେ । ଏହିପରି ଆଉ ଜଣେ ଥିଲେ ବ୍ରଜସୁନ୍ଦର ଦାଶ ।

 

ଏଇମାନଙ୍କ ନିକଟକୁ ମୁଁ ବରାବର ଯା’ଆସ କରୁଥିଲି, ସ୍ନେହ ଆଶୀର୍ବାଦ ପାଉଥିଲି । ଗୋଟି ଗୋଟି ହୋଇ ଆଗପଛ ସମସ୍ତେ ମୋତେ ଛାଡ଼ି ଚାଲିଗଲେ । ଲେଖାଲେଖି ବା ଚଳାଚଳ ଇତ୍ୟାଦି ସବୁଥିରେ ନିଜକୁ ବଡ଼ ଅସହାୟ ମଣିଲି । ଏ ଦୁଃଖ, ଏ ସ୍ମୃତି ଭୁଲି ହୁଏ ନାହିଁ ।

 

କେଜାଣି କାହିଁକି ମୁଁ ବଡ଼ ସଙ୍ଗଲୋଭୀ । ସବୁଠାରୁ ବେଶି ଡରେ ସ୍ମୃତିକୁ, ଆମ ଚଳନ୍ତି କଥାରେ ଯାହା କହନ୍ତି–‘ଯହିଁକି ଡରେ–ତହିଁରେ ମରେ । ଏଇଟା ମୋର ଜୀବନର ଅଙ୍ଗଲଗା ହୋଇ ରହିଛି । ଏହିପରି ଆଉ ଯୋଡ଼ିଏ ବଡ଼ ବାଧୁଣିଆ ଧକ୍‌କା କଥା କହୁଛି–

 

ଉଡ଼ା ଚଢ଼େଇ :

 

ଓଡ଼ିଶା ଥିଏଟର୍ସ ଆରମ୍ଭ କରି ବସିଲି ୧୯୩୯ ମସିହାରେ । ଓଡ଼ିଶା ମଞ୍ଚକଳାରେ ଗୋଟାଏ ନୂଆ ଭିଆଣ ପ୍ରବର୍ତ୍ତାଇବି ବୋଲି ବିଚାରି, ସାମାଜିକ ନାଟକ ଲେଖି ଦଳରେ ଅଭିନେତ୍ରୀ ରଖିବା ପ୍ରସ୍ତାବ କଲି । ଖୋଜା ଚାଲିଲା ଅଭିନେତ୍ରୀ । ଖବର ପାଇଲି ବାଲେଶ୍ୱରର ଗୃହୀ ବାବାଜୀ ବାବୁରାମ ଦାସଙ୍କର ସୁମତୀ ବୋଲି ଗୋଟିଏ ଝିଅ ଅଛି–ସେ ଗାଇପାରେ । ସେ ବିବାହିତା ଓ ପୁତ୍ରବତୀ କିନ୍ତୁ କୌଣସି କାରଣରୁ ପତି–ପରିତ୍ୟକ୍ତା । ସେତେବେଳେ ମୋ ଦଳର କଳାକାର ମଧୁସୂଦନ ଦତ୍ତଙ୍କୁ ବାଲେଶ୍ୱର ପଠାଇ ସୁମତୀକୁ ଅଣାଇଲି । ଓଡ଼ିଶା ଥିଏଟର୍ସରେ ସେ ଦିନାକେତେ ଦରମା ନେବା ରସିଦ ବହିରେ ସୁମତୀ ସେନାପତି ବୋଲି ସ୍ୱାକ୍ଷର କରୁଥିଲା । ପରେ କିନ୍ତୁ ଲେଖିଲା ସୁମତୀ ଦେବୀ । ୧୯୩୯ରେ ସେ ଦଳରେ ଯୋଗଦେଲା । କିଛି ବର୍ଷ ପରେ ତା’ର ଗୋଟିଏ ପୁଅ ଜନ୍ମ ହେଲା । ଏହାକୁ ପ୍ରେମଫଳ ନ କହି କାମଫଳ କହିଲେ ଚଳିବ । ଯାହାହେଉ ପିଲାଟିକୁ ପାଳିଲି । ବିଚାରିଲି ତା’ର କି ଦୋଷ ? ତାକୁ ମଣିଷ କରିବାକୁ ଯତ୍ନ ନେଲି-। ଗୃହଶିକ୍ଷକ ନିଯୁକ୍ତି କରି ଏଇଠି କଲେଜିଏଟ୍‌ ସ୍କୁଲରେ ନାମ ଲେଖାଇ ପଢ଼ାଇଲି ।

 

ଇତିମଧ୍ୟରେ ୧୯୫୦ରେ ଦଳ ଭାଙ୍ଗିଗଲା । ଆଗରୁ ତ ଥୋକେ ଦଳଛଡ଼ା ହୋଇଥିଲେ । ଏବେ ଦଳ ଭାଙ୍ଗି ଯିବା ପରେ ଯିଏ ଯାହା ରାହା ଦେଖିଲେ । ସୁମତୀ କିନ୍ତୁ ମୋ ପାଖେ ରହିଲା । ତା’ ପୁଅ ରାଜୁଟି ପଢ଼ୁଥାଏ ।

 

ଗୟାର ଉପରଡିହୀ ନିବାସୀ ସ୍ୱନାମଧନ୍ୟ ସଙ୍ଗୀତ ଓସ୍ତାଦ୍‌ ବନଓ୍ୱାରୀ ମିଶ୍ର ମୋର ଅନ୍ୟତମ ସଙ୍ଗୀତ ଗୁରୁ । ବହୁବର୍ଷ ମୁଁ ତାଙ୍କୁ ମୋ ପାଖରେ ରଖି ସଙ୍ଗୀତ ଶିଖୁଥିଲି । ବିମଳ ମିଶ୍ର ବୋଲି ତାଙ୍କର ଜଣେ ପୁତୁରା ଓ ଆଉ ଦୁଇଜଣ ଗାୟକ ବ୍ୟବସାୟୀ ଭାବେ ସଙ୍ଗୀତ ଦଳ ଗଢ଼ିଥାନ୍ତି । ମୋର ପରିଚୟ ଜାଣି ସେମାନେ ତା ୧୫।୧୦ ।୫୫ ରିଖରେ କଟକ ଆସି ମୋ ପାଖେ ପହଞ୍ଚିଲେ । ମୁଁ କେତେକ ଜାଗାରେ ତାଙ୍କର ସଙ୍ଗୀତ ଆସରର ବ୍ୟବସ୍ଥା କରିଦେଲି । ମୋର ଗୁରୁଭାଇ ସଙ୍ଗୀତଜ୍ଞ ଶ୍ୟାମସୁନ୍ଦର ଧୀର ମଧ୍ୟ ସେମାନଙ୍କୁ କିଛି ରୋଜଗାର କରାଇଦେଲେ-

 

ତା ୧୯।୧୧।୫୫ ରିଖରେ ଉତ୍କଳ ସଙ୍ଗୀତ ନୃତ୍ୟକଳା ପରିଷଦ ପକ୍ଷରୁ ଦିଲ୍ଲୀରେ ପ୍ରଥମ ଓଡ଼ିଆ ନୃତ୍ୟନାଟିକା ମୋ ଲେଖା ‘ସାକ୍ଷିଗୋପାଳ’ ପରିବେଷିତ ହେଲା । ପରିଷଦର ସଭ୍ୟ ଓ ନାଟିକା ଲେଖକ ଭାବେ ମୁଁ ଦଳ ସହିତ ଦିଲ୍ଲୀ ଗଲି । ପ୍ରାୟ ଦଶଦିନ ରହି ଫେରିବାବେଳେ ମୁଁ କଲିକତାରେ ରେକର୍ଡ଼ି ପାଇଁ ଲାଗି ରହିଲି । ଏହି ଅବସ୍ଥାରେ ଗୟାର ଆଗତ ପ୍ରୋକ୍ତ ସଙ୍ଗୀତ ଦଳ କଟକରୁ ଚାଲିଗଲେ । କେବଳ ମୋ ଓସ୍ତାଦଙ୍କ ପୁତୁରା ବିମଳ ମିଶ୍ର ମୋ ବସାରେ ରହିଥାନ୍ତି । ସୁମତୀ ସହିତ ତାଙ୍କର ପ୍ରଣୟ ବଢ଼ିବାର ସୂଚନା ପାଇଲି ଦିଲ୍ଲୀ ଓ କଲିକତାରୁ ଫେରିଆସି ।

 

ପ୍ରୀତି ବଢ଼ୁ ବଢ଼ୁ ଶେଷରେ ତା ୫।୬ ।୫୭ ରିଖ ଦିନ ବିବାହିତ ଓ ସନ୍ତାନର ପିତା ହେଲେ ମଧ୍ୟ ବିମଳ ମିଶ୍ର ନୂଆ ପ୍ରେମ ଫାଶରେ ବନ୍ଧାହୋଇ ସୁମତୀ ଓ ତା’ର ପୁଅକୁ ଘେନି ଓଡ଼ିଶା ଛାଡ଼ିଲେ । ଓଡ଼ିଶାରୁ ଯାଇ, ସେମାନେ ବିହାରର ଉଓଁରାରେ ରହିଲେ । ସୁମତୀ ମୋ ପାଖକୁ ଚିଠି ଦେଲା । ମୁଁ ସେମାନଙ୍କ ଅବସ୍ଥା ବୁଝି ଜଟଣୀର ଗୁରୁବାରୀ ବୋଲି ମାରଓ୍ୱାଡ଼ିଙ୍କୁ କହି, ସେଠାରେ ଗୋଟିଏ ସଙ୍ଗୀତ ଅନୁଷ୍ଠାନ ଆରମ୍ଭ କରାଇ, ସେମାନଙ୍କୁ ଜଟଣୀ ଡକାଇ ଅଣାଇ ସେଇଠି ରଖାଇ ଦେଲି । ଏବେ ମଧ୍ୟ ସେମାନେ ଜଟଣୀରେ ରହିଛନ୍ତି । ଅନେକ ଦିନୁ ଆଉ ମୋ ସହିତ କୌଣସି ସମ୍ପର୍କ ନାହିଁ ।

 

ଆଉ ଏକ ଉଡ଼ାପକ୍ଷୀ :

 

ସୁମତୀ ଯାଇ ନ ଥାଏ ମୋ ବସାରୁ, ୧୯୫୬ ସାଲ, ମେ ମାସ ଚାରି ତାରିଖ ଉପରବେଳା, ମୁଁ ଗଲାଦିନ ଦିଲ୍ଲୀରୁ ବାହୁଡ଼ି ଅଳସ ମେଣ୍ଟାଉଥାଏଁ ମୋ ଉପର ଘର ଚାଳ ତଳେ : ଏତିକିବେଳେ ଅଚିହ୍ନା କଳାରଙ୍ଗର ପାଞ୍ଚହତା ଜଣେ ଭଦ୍ରଲୋକ ଝିଅଟିଏ ସାଥିରେ ନେଇ ପହୁଞ୍ଚିଲେ । ଭଦ୍ରତା ଖାତିରରେ ଚୌକିରେ ବସିବାକୁ କହିଲି । ଭଦ୍ରଲୋକଙ୍କ ପରିଚୟ ପଚାରି ବୁଝିଲି ଯେ ତାଙ୍କ ଘର ପଟିଆ ଗ୍ରାମରେ–ସେ ରାଜବଂଶୀୟ କ୍ଷତ୍ରିୟ, ନାଆଁ ରାମଚନ୍ଦ୍ର ରାୟ, ଚାକିରି କରନ୍ତି ଟାଟାରେ, ଅବସ୍ଥା ସେତେ ଭଲ ନୁହେଁ । ଝିଅଟି ଟାଟାରେ ଥାଇ ମାଟ୍ରିକ୍ ପାସ୍ କରିଛି । ଜଣେ ହିନ୍ଦୁସ୍ତାନୀ ଓସ୍ତାଦଙ୍କଠାରୁ ଗୀତ ମଧ୍ୟ ସେ ଶିଖିଛି । ରାମବାବୁ ନିଜେ ଜଣେ ତବଲା ବାଦକ । କଟକ ରେଡ଼ିଓ ଷ୍ଟେସନରେ ଗୀତ ଅଡ଼ିସନ୍ ଦେବାପାଇଁ ଆସିଛି ଝିଅଟି–ନାମ ଅଙ୍ଗୁରବାଳା ରାୟ । ଓଡ଼ିଶୀ, ଭଜନ ଓ ପଲ୍ଲୀସ୍ୱର ଗୀତ କିଛି ମୋ ପାଖରୁ ଶିଖିବାକୁ ରାମଚନ୍ଦ୍ର ରାୟ ତାକୁ ଏଠିକି ନେଇ ଆସିଛନ୍ତି । ଅଙ୍ଗୁରଠାରୁ ଗୀତ ଶୁଣିଲି–ମଧୁର ଗଳା, ଗାଇବାର ଢଙ୍ଗ ମଧ୍ୟ ଭଲ । ଓଡ଼ିଆଣୀ ଝିଅଟିଏ ଅଲୋଡ଼ା ଅପଚରା ଏଇଠି ରହି ଦେବାକୁ ରାମବାବୁ ତାକୁ ଛାଡ଼ି ଦେଇଗଲେ । ମୁଁ ବେଳ ଦେଖି ତାକୁ ଓଡ଼ିଶୀ, ଆଧୁନିକ, ଭଜନ, ଜଣାଣ ଓ ପଲ୍ଲୀସୁର ଗୀତ ଇତ୍ୟାଦି ଶିଖାଇଲି । ସେ ମଧ୍ୟ ଖୁବ୍ ଶୀଘ୍ର ଆୟତ୍ତ କରିପାରିଲା । ଦେଖିଲି ଉପଯୁକ୍ତ ଶିକ୍ଷା ପାଇଲେ ଝିଅଟି ଆମ ସଙ୍ଗୀତ କଳାର ମର୍ଯ୍ୟାଦା ରଖିପାରିବ । ଆଡ଼ିସନରେ ପାସ୍ କଲା ସେ । ଏଠି କଟକରେ କିଛିଦିନ ଓ ପଟିଆରେ କିଛିଦିନ ରହୁଥାଏ । ଦେଖିଲି ତା’ର ସଙ୍ଗୀତ ଶିଖିବାର ବଡ଼ ମନ ଅଛି । ଗାଆଁରେ ଅଭ୍ୟାସ କରିବା ଅବା ଶିଖିବାର ସୁବିଧା କାହିଁ ? କ୍ରମେ ଗାଆଁରେ ଅଳ୍ପ ସମୟ ରହି ମୋ ବସାରେ ଅଧିକ ସମୟ ରହିବାର ମନ ଦେଖିଲି ତା’ର ।

 

ଇତି ମଧ୍ୟରେ ସୁମତୀ, ବିମଳ ମିଶ୍ର ସହିତ ଚାଲିଯିବା ପରେ ସେ ଏଠି ରହି ସଙ୍ଗୀତ ଶିକ୍ଷା ସଙ୍ଗେ ସଙ୍ଗେ ପାଠ ପଢ଼ିବାର ଇଚ୍ଛା କରି ବୋଧହୁଏ ତା’ ଦଦେଇ (ପିତା)ଙ୍କ ସହିତ ପରାମର୍ଶ କଲା । ହଠାତ୍ ରାମବାବୁଙ୍କଠାରୁ ନିଜର ମାଟ୍ରିକ୍ ସାର୍ଟିଫିକେଟ୍ ସହ ଖଣ୍ଡିଏ ଅନୁରୋଧପତ୍ର ଘେନି ତା ୨୭ ।୩ ।୫୭ରେ ଅଙ୍ଗୁର ପଟିଆରୁ ଆସିଲା । ଦେଖିଲି ରାମବାବୁ ତା’ର ପାଠପଢ଼ା, ସଙ୍ଗୀତ ଶିକ୍ଷା ଓ ବିବାହାଦି ଭବିଷ୍ୟତ୍ ଜୀବନର ସମସ୍ତ ଭାର ମୋତେ ଦେଇ ଚିଠି ଖଣ୍ଡିକ ଲେଖିଛନ୍ତି । ବହୁତ ଭାବିଲି । ସୁମତୀ ତ ଚାଲିଯାଇଥାଏ । ମୋତେ ମଧ୍ୟ ବଡ଼ ଏକା ଏକା ଲାଗୁଥାଏ । ସଙ୍ଗୀତ ଚର୍ଚ୍ଚାଟା ହେବ ଓ ସମୟ ସମୟରେ ମୋ ଲେଖା ଉତ୍ତରାରେ ବି ସାହାଯ୍ୟ ମିଳିବ ବୋଲି ଭାବି ଝିଅଟିକି ଆଶ୍ରୟ ଦେଲି । ମଝି ମଝିରେ ନାନା ସ୍ଥାନରେ ସଙ୍ଗୀତ ବୈଠକକୁ ତାକୁ ସଙ୍ଗରେ ନିଏଁ, ଲୋକେ ମଧ୍ୟ ତା’ ଗୀତକୁ ପସନ୍ଦ କରୁଥାଆନ୍ତି । ଥରେ ୧୯୫୭ରେ ମୋ ସହିତ କଳାବିକାଶ କେନ୍ଦ୍ର ମାନ୍ଦ୍ରାଜ ଯାତ୍ରାବେଳେ ସେ ମୋ ସଙ୍ଗେ ଯାଇ ସେଠାରେ ପ୍ରଶଂସା ଅର୍ଜନ କଲା । ଧୀରେ ଧୀରେ ତା’ର ଆଦର ବଢ଼ିବାରୁ କେତେକ ଅସହଣି ଲୋକଙ୍କର ମୋ ପ୍ରତି ଓ ତା’ ପ୍ରତି ଅସୂୟା ଭାବ ଜାଗିଲା । ଏପରିକି ମୋତେ ଏଥିଲାଗି ନାନା ଅପବାଦ ମଧ୍ୟ ସହିବାକୁ ପଡ଼ିଲା । ମୁଁ ଏ ସବୁ ଶୁଣି, ଓଡ଼ିଶା ଥିଏଟର୍ସରେ ପ୍ରଥମ କରି ଅଭିନେତ୍ରୀ ଗ୍ରହଣ କରିବା ବେଳର ନିନ୍ଦା ଅପବାଦକୁ ସ୍ମରଣ କରେଁ ଓ ମନକଥା ମନେ ମନେ ମାରି ତୁନି ହୋଇ ରହି ଜଗନ୍ନାଥଙ୍କୁ ଜଣାଏଁ । ଏଭଳି କେତେକ ଲୋକଙ୍କର ପଛକୁହା ନିନ୍ଦା ଶୁଣି ମୋର ଜିଦ୍ ବଢ଼ିଲା ଏବଂ ଶେଷରେ ଅଙ୍ଗୁରକୁ ମୋ ନିକଟରେ ରଖି ତା’ର ଭବିଷ୍ୟତ୍ ଉଜ୍ଜ୍ୱଳ ଜୀବନ ଗଢ଼ିବା ସଂକଳ୍ପ କରି, ତା ୧୯।୭।୫୭ ରିଖରେ କଟକ ଶୈଳବାଳା ମହିଳା କଲେଜରେ ତା’ର ନାମ ଲେଖାଇ ଦେଲି ।

 

ନିଜେ ତାକୁ ଓଡ଼ିଆ ସାହିତ୍ୟ ପଢ଼ାଇଲି ଏବଂ ସଙ୍ଗୀତ ଶିକ୍ଷାଦେବା ଲାଗି ଶ୍ରୀ କୁଣ୍ଡଳ ଆଦି ନାରାୟଣଙ୍କୁ ନିଯୁକ୍ତି କଲି । ମୋ ଅନୁରୋଧରେ କଟକ ରେଡ଼ିଓ ଷ୍ଟେସନର ସଙ୍ଗୀତ ପ୍ରଡ୍ୟୁସର ନାଟକର୍ଣ୍ଣୀ ତା ୨୧।୪।୫୭ ରିଖରୁ ତାକୁ ସଙ୍ଗୀତ ଶିକ୍ଷା ଦେଲେ ଏବଂ ସୁଗାୟକ ବାଳକୃଷ୍ଣ ଦାଶଙ୍କୁ ମଧ୍ୟ ବେଳେ ବେଳେ ତାକୁ ଓଡ଼ିଶୀ, ଆଧୁନିକ ଓ ଭଜନ ଇତ୍ୟାଦି ଶିଖାଇ ଦେବାକୁ ଅନୁରୋଧ କଲି । ୧୮।୨।୫୮ରେ କଳାବିକାଶ କେନ୍ଦ୍ରରେ ତା’ର ନାମ ଲେଖାଇଦେଲି-। ସଙ୍ଗୀତଜ୍ଞ ଶ୍ରୀ କ୍ଷିତୀଶ ମିତ୍ର ତା’ର କଣ୍ଠ ଓ ଗାଇବା ଢଙ୍ଗ ଦେଖି ଆଗ୍ରହରେ ସଙ୍ଗୀତ ଶିକ୍ଷା ଦେଲେ ।

 

ଅଙ୍ଗୁର ପ୍ରଥମଥର ଆଇ.ଏ. ପରୀକ୍ଷାରେ ଫେଲ ହେଲା । ସ୍ୱର୍ଗତ ଅଧ୍ୟାପକ ଗିରିଜା ଶଙ୍କର ରାୟଙ୍କୁ ଟିଉସନ୍ ମାଷ୍ଟର ରୂପେ ନିଯୁକ୍ତ କଲି । ପରବର୍ଷ ସେ ଆଇ. ଏ. ପାସ୍ କଲା ।

 

ମୁଁ ଅନେକ ସମୟରେ ନାନା ସ୍ଥାନରେ ଡାକରାରେ କଟକରୁ ବାହାରକୁ ଯାଏଁ । ବସାରେ ଅଙ୍ଗୁର ଏକା ରହେ । ଇତିମଧ୍ୟରେ କଟକ ରେଡ଼ିଓ ଷ୍ଟେସନର ବଂଶୀବାଦକ ଶ୍ରୀ ହରିପ୍ରସାଦ ଚୌରାଶିଆ ତା’ ପାଖକୁ ଯିବା ଆସିବା କରୁଥିଲେ । ଚୌରାଶିଆ ମୋ ବସା ନିକଟ ବୁଢ଼ୀଠାକୁରାଣୀ ଗଳିରେ ସପରିବାର ରହୁଥିଲେ ଏବଂ ରେଡ଼ିଓ ଷ୍ଟେସନରୁ ତାଙ୍କ ଯିବାଆସିବାବେଳେ ବାଟରେ ମୋ ବସା ପଡ଼ୁଥିବାରୁ ପ୍ରାୟ ପ୍ରତ୍ୟହ ସେ ମୋ ବସାକୁ ଆସି ଅଙ୍ଗୁର ସହ ଆଳାପ କରନ୍ତି । ଜଣେ ବଂଶୀବାଦକ ଏବଂ ଜଣେ ଗାୟିକାଙ୍କର ଏଭଳି ଦେଖା ସାକ୍ଷାତ୍, ମିଳାମିଶା ଓ ଆଳାପ ପରିଚୟ ମନ୍ଦ ନୁହେଁ ବୋଲି ମୁଁ ବିଚାରିଲି । ହଠାତ୍ ମେ ଆଠ ତାରିଖ (୧୯୫୮) ସକାଳେ ପଟିଆରୁ ରାମଚନ୍ଦ୍ର ରାୟଙ୍କ ପୁଅ ଲଲାଟ ଆସି ତା’ ଦଦେଇ (ବାପା) ପକ୍ଷାଘାତ ରୋଗାକ୍ରାନ୍ତ ହୋଇଥିବାର କହିଲା । ସେହିଦିନ ରାତିରେ ରାମବାବୁଙ୍କୁ ଅଣାଇନେଲି । ସାମ୍ବାଦିକ–ଶ୍ରୀ ରାମଚନ୍ଦ୍ର ଦାସ ଆମ୍ବୁଲାନ୍ସ ମଗାଇ ଦେଲେ । ଶ୍ରୀ ରାୟଙ୍କୁ ମେଡ଼ିକାଲରେ ରଖାଇ ଦିଆଗଲା । ମୁଁ ଓ ଅଙ୍ଗୁର ବରାବର ମେଡ଼ିକାଲ୍ ଯାଇ ତାଙ୍କ ଚିକିତ୍ସା ଓ ସେବାଶୁଶ୍ରୂଷାର ବିହିତ ବ୍ୟବସ୍ଥା କରୁଥାଉଁ । ୧୯୫୮ ମେ ୧୫ ତାରିଖ ସକାଳେ ଶ୍ରୀ ରାୟ ଶେଷ ନିଃଶ୍ୱାସ ତ୍ୟାଗ କଲେ ମେଡ଼ିକାଲରେ । ବିଚାରୀ ଅଙ୍ଗୁରର ଆଖିର ଧାରା ବନ୍ଦ ହେବାକୁ ନାହିଁ । ଅନ୍ତ୍ୟେଷ୍ଟିକ୍ରିୟା ଶେଷ କରିବା ଭାବନା ପଡ଼ିଲା ମୋର । ତେଣୁ ଏଣେ ତେଣେ ଦୌଡ଼ି, ରେଡ଼ିଓ ଷ୍ଟେସନରୁ ଶ୍ରୀ ଗତିକୃଷ୍ଣ ପଟ୍ଟନାୟକ କଳାବିକାଶ କେନ୍ଦ୍ରରୁ ଶ୍ରୀ ରାଖାଲ ମହାନ୍ତି, ଓଡ଼ିଶା ଥିଏଟର୍ସର ଅଭିନେତା ଶ୍ରୀ ମଧୁସୂଦନ ଦତ୍ତ, ଶ୍ରୀ ଦୟାନିଧି ଦାଶ, ଳକ୍ଷ୍ମୀଧର, କେଳୁଚରଣ ମହାପାତ୍ର, ମାୟାଧର ରାଉତ ଏବଂ ଗୋପାଳ ପ୍ରଭୃତିଙ୍କୁ ଡକାଡକି କରି ଆଣିଲି । ଶବଦାହ ପରେ ଗତିପଟ୍ଟନାୟକଙ୍କ ସହ ଅଙ୍ଗୁରକୁ ପଟିଆ ପଠାଇ ଦେଲି ଏବଂ ଶୁଦ୍ଧିକ୍ରିୟା ଲାଗି କିଛି ଟଙ୍କା ମଧ୍ୟ ଦେଲି ।

 

ଶୁଦ୍ଧିକ୍ରିୟା ପରେ ୨୫।୫।୫୮ ସଞ୍ଜରେ ଅଙ୍ଗୁର ମୋ ପାଖେ ଲୁହଝରା ଆଖି ନେଇ ପହଞ୍ଚିଲା । ବହୁତ ବୁଝାଇଲି ତାକୁ । ରାତିରେ ସେଦିନ ଶୋଇବା ପୂର୍ବରୁ ଅଙ୍ଗୁରର ଭବିଷ୍ୟତ୍ କଥା ଅନେକ ଭାବିଲି । ସେ ବର୍ତ୍ତମାନ ନିତାନ୍ତ ଦୁଃଖିନୀ । ବାପ ଗଲେ । ଘରର ଅବସ୍ଥା ସ୍ୱଚ୍ଛଳ ନୁହେଁ । ମୋ ପାଖେ ରହି ପଢ଼ୁଛି । କିପରି ବି.ଏ. ହେଲେ ପାସ୍ କରିବ । ତା’ର ବିବାହଭାର ମୋର ମୁଣ୍ଡ ଉପରେ ପଡ଼ିଲା । ଏସବୁ କିନ୍ତୁ ତାକୁ ଘୂଣାକ୍ଷରରେ ମଧ୍ୟ ଜାଣିବାକୁ ଦେଲି ନାହିଁ ।

 

ଅଙ୍ଗୁର ବି.ଏ. ପରୀକ୍ଷା ଦେଇସାରି କିଛି ଦିନପାଇଁ ତା’ର ବିଧବାମାତା ଓ ଭଉଣୀ ଭାଇଙ୍କ ପାଖେ ରହିବାକୁ ପଟିଆ ଗଲା । ଏଣେ ମୁଁ ତା’ ଲାଗି ବର ଖୋଜିବାରେ ଲାଗିଥାଏଁ । ଏଇ ଅବସରରେ ଚୌରାଶିଆଙ୍କ ସହିତ ତା’ର ଅବାଧ ମିଳନର ସୁବର୍ଣ୍ଣ ସୁଯୋଗ ଘଟିଲା । ଚୌରାଶିଆ କଟକରୁ ପଟିଆଯାଇ ଅଙ୍ଗୁରର ଘରେ କିଛିଦିନ କଟାନ୍ତି । ଏଥିରେ ଅଙ୍ଗୁରର ମାଆଙ୍କର ଆପତ୍ତି ନ ଥିବାର ଜାଣିଲି ।

 

ଇତି ମଧ୍ୟରେ ଚୌରଶିଆ କଟକ ରେଡ଼ିଓ ଷ୍ଟେସନରୁ ବମ୍ବେକୁ ବଦଳି ହୋଇଗଲେ । ମୁଁ ଅଙ୍ଗୁରର ବିବାହ ପାଇଁ ବରପାତ୍ର ଠିକଣା କଲାବେଳକୁ ମୋର ଅସମୟ ବନ୍ଧୁ ଶ୍ରୀ ନଟବର ମହାନ୍ତି ମୋତେ ଖବର ଦେଲେ ଯେ ଅଙ୍ଗୁର ଗାଁରୁ ଆସି ଯୋବ୍ରାରେ ତା’ର ମାଉସୀ ଘରେ ରହିଛି-। ମନଟା ନିହାତି ଖରାପ ହେଲା । ସଙ୍ଗେ ସଙ୍ଗେ ପୁଣି ଜଗନ୍ନାଥଙ୍କୁ ପ୍ରଣାମ କରି ଧନ୍ୟବାଦ ଦେଲି ଯେ ମୁଁ ବରପାତ୍ର ଠିକଣା କରି ଅପଦସ୍ଥ ହେବା ପୂର୍ବରୁ ଏ ସମ୍ବାଦ ମୋତେ ମିଳିଗଲା-

 

ପୁଣି ‘ନାରୀ’ ଚିତ୍ରରେ ଅଙ୍ଗୁରକୁ ଗାଇବା ଓ ଅଂଶ ନେବା ବ୍ୟବସ୍ଥା କରୁଥିଲି । ସବୁ ବନ୍ଦ କରିଦେଲି । ମୋ ଘରେ ଥିବା ଅଙ୍ଗୁରର ଲୁଗାପଟା ଓ ବହିପତ୍ର ଇତ୍ୟାଦିକୁ ଓଡ଼ିଶା ଥିଏଟର୍ସରେ ବୁକିଂକ୍ଲର୍କ ରୂପେ ଥିବା ମୋ ଘର ଆଗ ଛାମୁଆଁ ଭ୍ରମର ବେହେରା ହାତେ ପଟିଆ ପଠାଇ ଦେଲି ।

 

ଏ ଘଟଣାର କିଛିଦିନ ପରେ ଶୁଣିଲି ଚୌରାଶିଆ ବମ୍ବେରୁ ଆସି ଅଙ୍ଗୁରକୁ ତାଙ୍କ ସହିତ ବମ୍ବେ ନେଇଗଲେ, ଏହା ତା ୧୧ ।୩ ।୬୩ର ଘଟଣା, ତା’ ପରେ ଆଉ ସାକ୍ଷାତ୍ ନାହିଁ ।

 

ସୁମତୀ ଓ ଅଙ୍ଗୁର ଦୁହେଁ ଦୁହିଁଙ୍କୁ ବାଟ ଧରିଲେ । ହଁ, ଦଇବ ବିଚାରେ ଆନ ମଣିଷ ବିଚାରରେ ଆନ–ୟେ ତ ସତକଥା । ‘‘ଉଡ଼ାପକ୍ଷୀ ଉଡ଼ିଗଲେ ।’’

 

ସଙ୍ଗୀତ ଶିଶୁକବିତା ଲେଖା :

 

ପିଲାଦିନ, ବଡ଼ାମ୍ବାଗଡ଼ରେ ମୋର ଜନ୍ମ । ସେତେବେଳର ବଡ଼ାମ୍ବା ରାଜା ବିଶ୍ୱମ୍ବର ମଙ୍ଗରାଜ ମହାପାତ୍ରେ ଆମ ବଂଶକୁ ବଡ଼ ଆଦର କରୁଥିଲେ । ମୋ ବାପା ତାଙ୍କର ଜଣେ ବଡ଼ ପ୍ରିୟବନ୍ଧୁ ଥିଲେ । ସେଥିପାଇଁ ପରେ ରାଜ୍ୟାନ୍ତରିତ ହେଲେ ଭଗବାନ୍ ମହାପାତ୍ର ଦେଓ୍ୱାନଙ୍କ କୂଟ ଚକ୍ରାନ୍ତରେ । ମୁଁ ପ୍ରତିନିତ୍ୟ ଉଆସକୁ ଯାଉଥିଲି । ନୂଆକରି ଗ୍ରାମୋଫୋନ୍ ମଗାଇଥାଆନ୍ତି ରାଜା । ରେକର୍ଡ଼ ଗୀତ ସବୁ ଶୁଣି, ଗୀତ ଲେଖିବାକୁ କେଜାଣି କେମିତି ମନ ବଳିଲା । ମୋ ବୟସ ସେତେବେଳେ ପ୍ରାୟ ୯ କି ୧୦ । ମୋର ଜଣେ ସାଙ୍ଗ ଥିଲେ, ତାଙ୍କର ଘର ଖଣ୍ଡପଡ଼ା ଗୁଣ୍ଠୁଣୀ ଗାଁରେ । ତାଙ୍କ ନାଆଁ ଚକ୍ରଧର ପଟ୍ଟନାୟକ । ସ୍ୱାଧୀନଚେତା, ସୁ-ସାହିତ୍ୟିକ ନାରାୟଣ ସୁମନ୍ତ ପଟ୍ଟନାୟକଙ୍କର ସେ ବନ୍ଧୁବାନ୍ଧବ । ସୁମନ୍ତ ପଟ୍ଟନାୟକେ ବନ୍ଧୁ ସମ୍ପର୍କରେ ମୋର ଜେଜେବାପା । ସେ ମଧ୍ୟ ରାଜ୍ୟାନ୍ତରୀ ହୋଇଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କର ସେ ଅନ୍ୟତମ ବନ୍ଧୁ । ତାଙ୍କରି ପୁଅ ସ୍ୱନାଧନ୍ୟ କବି ବୈକୁଣ୍ଠ ଚରଣ ପଟ୍ଟନାୟକ । ଚକ୍ରଧର ତାଙ୍କ ଘରେ ରହିଥାଆନ୍ତି, ବଡ଼ାମ୍ବା ସ୍କୁଲରେ ଆମେ ଦୁହେଁ ଥିଲୁଁ ସହପାଠୀ ।

 

ମୁଁ ଓ ସେ ଲେଖାଲେଖି ଆରମ୍ଭ କରିଦେଲୁଁ । ମୁଁ ଲେଖିଲି ଗୀତ, ସେ ଲେଖୁଥାନ୍ତି କବିତା । ମୋ ଜେଜେବାପା ନିମାଇଁ ଚରଣ ପଟ୍ଟନାୟକ ଜଣେ ଛାନ୍ଦ ରସିକ ଓ ସଂସ୍କୃତ ପଣ୍ଡିତ । ସେ ମୋତେ ପଢ଼ାଇବା ପାଇଁ ଅମରକୋଷ ଅଭିଧାନର ଓଡ଼ିଆ ଅନୁବାଦ କରି ଘୋଷାଉ ଥାଆନ୍ତି-। ମୁଁ ରେକର୍ଡ଼ରୁ ଗୀତ ଓ ବୋଉଠାରୁ ଛାନ୍ଦ ଶୁଣି ଗାଉଥାଏଁ । ବାଡ଼ି କୂଅ ମୂଳେ ସାଇ ପିଲାଙ୍କୁ ଧରି ଯାତ୍ରା କରାଏଁ । ଗୀତ ବି ଲେଖେଁ । ଏଇଭଳି ଅବସ୍ଥାରୁ ମୋର ଗୀତଲେଖା ଆରମ୍ଭ-। ଚକ୍ରଧରଙ୍କୁ ମୁଁ ମୋ ଲେଖା ଦେଖାଏଁ, ସେ ମୋତେ ତାଙ୍କ ଲେଖା ଦେଖାନ୍ତି । ମନକୁ ନ ପାଇଲେ ଦୁହେଁ ଦୁହିଁଙ୍କ ଲେଖା କଟାକଟି ଓ ବଦଳା ବଦଳି କରୁଁ, ଦୁହେଁ ତ ସେତେବେଳେ ମହାପଣ୍ଡିତ-! ତଥାପି ଦୁହେଁ ଦୁହିଁଙ୍କ ଲେଖାଗୀତ ଓ କବିତା ଦେଖାଦେଖି କରୁଁ ।

 

ତା’ ପରେ କେତେ ବର୍ଷ ବିତିଗଲାଣି, ମୁଁ ଚର୍ଚ୍ଚିକା ମାଇନର ସ୍କୁଲର ଅପର ପ୍ରାଇମେରୀ ଶ୍ରେଣୀର ଛାତ୍ର ଥିବାବେଳେ ଦିନେ, ଆମ ବଂଶର ଇଷ୍ଟଦେବୀ ଚର୍ଚ୍ଚିକା ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୀତ ଲେଖି ବୋଉକୁ ଦେଖାଇଥିଲି । ତା’ ପରବର୍ତ୍ତୀ ଘଟଣା ତ ମୁଁ ଆଗକୁ ଲେଖିଛି । ସେଇ ଗୀତଟି ମୋର ପ୍ରଥମ ସଙ୍ଗୀତ ଲେଖା ବୋଲି ଧରିବାକୁ ହେବ । ଗୀତଟିର ଘୋଷା ପଦ ହେଲା ।

 

ପରେ ପରେ ଅନେକ ଗୀତ ଲେଖିଛି । ସେକାଳର ଲେଖା ଖାତାମାନ ମୋର ଅସାବଧାନତା ଅବା ବେଖାତିରିଆ ଦୋଷରୁ କୁଆଡ଼େ ହଜିଗଲାଣି ।

 

ସେଇଠୁ ଖୋରଧା ହାଇସ୍କୁଲରେ ପଢ଼ୁଥିବାବେଳେ ଗୁଡ଼ିଏ ଗୀତ ଲେଖିଥିଲି । ସେ ଖାତାଟି ସ୍ୱର୍ଗତ ମୋହନ ଗୋସାଇଁ ନେଇ ଆଉ ଫେରାଇଲେ ନାହିଁ । ଖୋରଧାରେ ଛାତ୍ର ଥିବାବେଳେ ସୁପ୍ରସିଦ୍ଧ ମଞ୍ଚ, ଆଲୋକ ଆଉ ଚିତ୍ର-ଶିଳ୍ପୀ ପୁରୀର ଶ୍ରୀକୃଷ୍ଣ ଦାସ ମୁଖାର୍ଜୀଙ୍କ ସହିତ ମୋର ଘନିଷ୍ଠତା ଜନ୍ମିଲା । ସେ ତାଙ୍କ ସଙ୍ଗୀ ଭାଗବତ ସୁନ୍ଦର ରାୟଙ୍କ ବରୁଣାଇ ସାହି ବସରେ ଅନେକ ସମୟ ଆସି ରହନ୍ତି । ତାଙ୍କ ବସାଠାରୁ ପ୍ରାୟ ୪।୫ ଘର ଛଡ଼ା ସ୍ୱର୍ଗତ କୃଷ୍ଣ ମହାରାଜଙ୍କ ଘରେ ମୁଁ ମୋ ଦାଦା କ୍ଷେତ୍ରମୋହନ ପଟ୍ଟନାୟକଙ୍କ ସହିତ ରହୁଥାଏଁ । ମୁଁ ମୋ ଲେଖା ଗୀତ ସବୁ କୃଷ୍ଣଦାଦାଙ୍କୁ ଓ ମୋ ଗୁରୁଦେବ ପଣ୍ଡିତ କୃପାସିନ୍ଧୁ ହୋତାଙ୍କୁ ବରାବର ଗାଇ ଶୁଣାଏଁ । ଏଇ ଖୋରଧାରେ ମୋ ସଙ୍ଗୀତ ଗୁରୁ ବାସୁଦେବ ମହାପାତ୍ରଙ୍କଠାରୁ ମୁଁ ଗୀତ ଶିଖିବାବେଳେ ଗୀତମାନ ମଧ୍ୟ ଲେଖୁଥାଏଁ । ସ୍ୱର୍ଗତ ପ୍ରତାପଚନ୍ଦ୍ର ନାୟକ ମୋତେ ନୂଆ ନୂଆ ଗୀତ ଲେଖି ଗାଇବା ପାଇଁ ପ୍ରବର୍ତ୍ତାନ୍ତି । ଗୁରୁଜଙ୍ଗ ଗାଁର ଗୋବିନ୍ଦ ନନ୍ଦଙ୍କର ଗୋଟିଏ ସଙ୍ଗୀତ ଆଖଡ଼ାଦଳ ଥାଏ । ନନ୍ଦଙ୍କ ସହିତ ମୋର ପରିଚୟ ଘଟିଲା । ସେଇଠୁ ତାଙ୍କ ଆଖଡ଼ା ପିଲାଏ ଗାଇବା ପାଇଁ ଓଡ଼ିଶୀ ଗୀତମାନ ଲେଖିଲି । ଏସବୁ ଗୀତ ରାଧାକୃଷ୍ଣ ରସ ବା–ଶୃଙ୍ଗାର ରସାତ୍ମକ । ଏଭଳି ଧରଣର ଗୀତ ଲେଖା ମୋର ଖୋରଧାରୁ ଆରମ୍ଭ । ଆମ ପୁରୁଣା ଯୋଗଜନ୍ମା କବି ବନମାଳୀ, କବିସୂର୍ଯ୍ୟ ଓ ଗୋପାଳକୃଷ୍ଣଙ୍କୁ ଗୀତଗୁଡ଼ିକ ମୋ ଗୀତ ଲେଖାର ଆଦର୍ଶ । ବିଶେଷତଃ କବିସୂର୍ଯ୍ୟଙ୍କ ଗୀତକୁ ମୁଁ ବେଶି ଅନୁସରଣ କରେଁ । ଓଡ଼ିଶୀ ରାଗ ରାଗିଣୀରେ ଗୀତ ଲେଖି, ଗାଇ, ଗୋବିନ୍ଦ ନନ୍ଦଙ୍କ ଆଖଡ଼ା ପିଲାଙ୍କୁ ଶିଖାଏଁ ।

 

କାଳ ବିତିଗଲା, ବାପାଙ୍କର କାଳ ହେଲା । ସେ ସମୟରେ ଗଡ଼ଜାତରେ ରଜା ମହାରଜାମାନଙ୍କ ରାଜୁତି ଚଳୁଥାଏ । ଗଞ୍ଜାମର ଜମିଦାରମାନଙ୍କୁ ରାଜାବୋଲି କୁହାଯାଉଥିଲା । ଏମାନେ ସମସ୍ତେ ପ୍ରାୟ ଅଳ୍ପେ ବହୁତେ ଥିଲେ କଳାପ୍ରେମୀ, କବି । କଳାକାରମାନଙ୍କୁ ଏମାନେ ପାରିତୋଷିକ ଦେଇ ସମ୍ବର୍ଦ୍ଧନା କରୁଥିଲେ । ଆଜି ମୋ କଥାକୁ ଯେ ଯାହା ମନେ କରନ୍ତୁ, ହେଲେ ମୁଁ କହିବି ଏଇ ରାଜାରାଜୁଡ଼ାଙ୍କ ଉତ୍ସାହ ଓ ଅନୁଗ୍ରହ ପାଇ କବି, କଳାକାର ବଞ୍ଚୁଥିଲେ ଓ କଳାର ଉନ୍ନତି ଘଟୁଥିଲା । ଉତ୍କଳର ‘ଉତ୍କଳା’ ନାମର ଟେକ ରହିଥିଲା ଏଇମାନଙ୍କ ଯୋଗୁଁ । ମୁଁ ଗାୟକରୂପେ ଗଡ଼ଜାତମାନଙ୍କୁ ଯାଉଥିଲି ଓ ଆଦର ପାଉଥିଲି । ଉତ୍ସାହ ଦେଉଥିଲେ ଏଇମାନେ, ତେଣୁ ଏମାନଙ୍କ ମନଲାଖି ଗୀତମାନ ଲେଖିଲି । ରାଜାରାଜୁଡ଼ାଙ୍କ ରୀତି ନୀତି ଓ ମରଜି ମନାଇଁ ସ୍ଥାନ କାଳ-ପାତ୍ର ଜଗି କେବେ ଭକ୍ତିରସର ଜଣାଣ, ଭଜନ, କେବେ ପ୍ରେମିକ-ପ୍ରେମିକାଙ୍କର ବିରହ-ମିଳନ, ବିଶେଷତଃ ରାଧାକୃଷ୍ଣ ଲୀଳା ବର୍ଣ୍ଣିତ ଗୀତମାନ ଓଡ଼ିଶୀ ରାଗ ତାଳରେ ଲେଖି, ଗାଇ, ଶୁଣାଇଁ ‘ବାହାବା’ ପାଏ, ଧନ ମଧ୍ୟ ଅରଜେଁ । ଅନେକ ଗୀତ ଆମର କବିସୂର୍ଯ୍ୟଙ୍କ ଅନୁସରଣରେ ଲେଖି ରାଜାମହାରାଜାଙ୍କ ନାମରେ ଭଣତି କରେ ।

 

୧୯୨୫ ସାଲରେ ପୁରୀରେ ଗଜପତି ମହାରାଜା ରାମଚନ୍ଦ୍ର ଦେବ ମୋତେ ‘କବିଚନ୍ଦ୍ର’ ଉପାଧି ଦେଲେ, ସେଇବର୍ଷ ସୁନିଆଁ ଦିନ । ମୁଁ ତାଙ୍କ ନାମ ଭଣତିରେ ଗୁଡ଼ାଏ ଗୀତ ଲେଖିଲି । ଅଧିକାଂଶ ଗୀତ ଶୃଙ୍ଗାର ରସାତ୍ମକ । ଜଗନ୍ନାଥଙ୍କୁ କିନ୍ତୁ ପାସୋରି ନ ଥାଏଁ । ଗୁଡ଼ିଏ ଭକ୍ତିଭାବାପନ୍ନ ଗୀତ ନିଜର ତୃପ୍ତି ଓ ଆତ୍ମନିବେଦନ ଲାଗି ବରାବର ଲେଖୁଥାଏଁ ଏବଂ ଶ୍ରୀମନ୍ଦିରରେ ଦିଅଁଙ୍କ ଶ୍ରୀଛାମୁରେ ଦୁଇଧାର ଲୁହ ଝରାଇ ଗାଏଁ ।

 

ଏହାପରେ ଏଚ୍.ଏମ୍.ଭି. ରେକର୍ଡ଼ରେ ମୁଁ ୪।୫ଟି ଗୀତ ଗାଇଲି । ‘‘ଚାକିରି ଝକମାରୀ-।’’ ଗୀତଟି ଆଧୁନିକ ଧରଣର ସ୍ୱର । ଏଇଟିକୁ ଲୋକେ ପସନ୍ଦ କଲେ । ବେଶି ପସନ୍ଦ କଲେ ‘‘ରସିକ, ତୁମେ ପରା ମୋର ଜୀବ ଅଧିକ’’ ଗୀତକୁ । ଏଇଟି ଓଡ଼ିଆ ରେକର୍ଡ଼ ମଧ୍ୟରେ ପ୍ରଥମ ‘କମିକ୍’ ରେକର୍ଡ଼ ।

 

୧୯୨୮।୨୯ ବେଳକୁ ମୁଁ ବ୍ୟବସାୟୀ ରାସଦଳ ଗଢ଼ିଲି । ଏଥିରେ ସଂଯୋଗ ଲାଗି ରାଧାକୃଷ୍ଣଙ୍କ ମାନ–ମିଳନ ଘେନି ଅନେକ ଗୀତ ରଚନାକରି, ସ୍ୱର ଦେଇ ଛାତ୍ରମାନଙ୍କୁ ଶିଖାଇଲି । ଏଥିରେ ବହୁଳାଂଶ ଗୀତ ଓଡ଼ିଶୀ କାଟର । ଆଦର୍ଶ ମୋର ବନମାଳୀ, କବିସୂର୍ଯ୍ୟ ଓ ଗୋପାଳକୃଷ୍ଣ ପ୍ରଭୃତି ଅମର କବିଙ୍କ ରଚନା । ଦେଖିଲି, କେବଳ ଓଡ଼ିଶୀ ଢାଞ୍ଚାର ଗୀତ ଲେଖିଲି ତ ସବୁ ଦେଖଣାହାରିଙ୍କ ମନଲାଖି ହେବ ନାହିଁ । ତା’ ଛଡ଼ା ବିଷୟ ଅନୁସାରେ ଓ ପାତ୍ର ବିବେଚନାରେ କେବଳ ଓଡ଼ିଶୀ ଧରଣ ଅନୁସରଣ କଲେ ତ ଚଳିବ ନାହିଁ । ଏଇଟା ଯେ ରଙ୍ଗମଞ୍ଚ–ଏହା ସାର୍ବଜନୀନ ହେବା ଆବଶ୍ୟକ । ତେଣୁ ସ୍ଥାନ-କାଳ-ପାତ୍ର ଦେଖି ହିନ୍ଦୁସ୍ଥାନୀ ଠୁମରୀ ଓ ଖେମଟା ଗୀତ ଛାୟାରେ ଗୀତ ରଚନା କରି ପରଷିଲି । ଗଜଲ୍ ସୁନ୍ଦର ଗୀତ ମଞ୍ଚରେ ପ୍ରଥମ ଥରପାଇଁ ଯୋଗାଡ଼ି ଦେଖିଲି, ଲୋକେ ଆଦର କଲେ । କେବେ କେମିତି ବାଟଘାଟରେ ମଧ୍ୟ ସେ ଗୀତମାନ ଲୋକେ ଗାଇଲେ ।

 

ଯୁଗ ତ ବଦଳେ–ମୋତେ ଯୁଗ ରୁଚି ସହିତ ତାଳ ଦେବାକୁ ହେବ । ବିଶେଷତଃ ଏହା ଥିଲା ମୋର ବ୍ୟବସାୟୀ ଦଳ । ପେଟକୁ ପାସୋରିଲେ ଚଳିବ କି ? ମୋର ଗୋଟିଏ ସୁବିଧା ହେଉଛି ଯେ, ମୁଁ ଟିକିଏ ଗାଇପାରେଁ । ତେଣୁ ଭାବରସ ଅନୁଯାୟୀ ଏବଂ ସରଳ ମଧୁର ଶବ୍ଦ ଖଞ୍ଜି ଗୀତ ରଚନା କରିବା ମୋ ପକ୍ଷେ ସମ୍ଭବ ହେଲା । ଏସବୁ ସତ୍ତ୍ୱେ ମୁଁ ଆମ ପରମ୍ପରା ଓ ସସ୍କୃତିକୁ ସବୁବେଳେ ସମ୍ମାନ ଦେଇଥାଏଁ ।

 

ସବୁ କରେଁ ଯେ, ମୋର କିନ୍ତୁ ବରାବର ମନେଥାଏ, ଆଉ କିଏ ଜଣେ ଅଛି ଯିଏ ଅଦେଖାରେ ଥାଇ ମୋତେ ଡିକ୍‌ଟେସନ୍ ଦିଏ ଓ ମୁଁ ଷ୍ଟେନୋଗ୍ରାଫର୍ ମାତ୍ର । ନିଜେ ଲେଖିବାର ଗର୍ବ ଆସିଲେ, ମୁଁ ସଙ୍ଗେ ସଙ୍ଗେ ଚେତା ପାଇ ମନେ ମନେ ଭୁଲ ଲାଗି କ୍ଷମା ମାଗେଁ–ଶରଣ ମାଗେଁ ମାଆଙ୍କ ଚରଣ ତଳେ ।

 

ଏହାପରେ ନାଟକ ଲେଖିଲି । ସେଥିରେ ସ୍ଥାନ ଦେଖି ଗୀତମାନ ଖଞ୍ଜିଲି । ଓଡ଼ିଶୀ, ଆଧୁନିକ ଭଜନ, ଜଣାଣ, କୀର୍ତ୍ତନ ଓ ପଲ୍ଲୀସ୍ୱର ଗୀତସବୁ ଲେଖିବାକୁ ପଡ଼ିଲା ।

 

ଦିନେ କଟକ ଇଉନାଇଟେଡ଼ ବୁକ୍–ହାଉସର ସ୍ୱତ୍ୱାଧିକାରୀ ମୋର ପ୍ରିୟ ବନ୍ଧୁ ଶ୍ରୀ ଗୋକୁଳ ଚନ୍ଦ୍ର କର ଆସି ମୋ ଗୀତଗୁଡ଼ିକର ପ୍ରକାଶ ଲାଗି ଅନୁରୋଧ କଲେ । ଗୀତ ଲେଖା ତ ବହୁତ ଅଛି । ସେଥିରୁ ସଂଖ୍ୟାରେ ଅଢ଼େଇଶ କରି ଛାପିବାର ବ୍ୟବସ୍ଥା କଲେ ସେ । ନାଆଁ ଦେଲେ ‘କବିଚନ୍ଦ୍ର ଗୀତାବଳୀ ।’ ଏହା ବର୍ତ୍ତମାନ ସୁଦ୍ଧା ଚାରିଖଣ୍ଡରେ ପ୍ରକାଶିତ ହୋଇଛି । ଯଥା–ଓଡ଼ିଶୀ ଖଣ୍ଡ, ଲଘୁ ସଙ୍ଗୀତ (ଆଧୁନିକ) ଖଣ୍ଡ, ଭଜନ ଜଣାଣ ଖଣ୍ଡ ଓ ପଲ୍ଲୀଗୀତ ଖଣ୍ଡ । ଭଜନ, ଜଣାଣ ଖଣ୍ଡରେ ଅନ୍ୟ ଖଣ୍ଡମାନଙ୍କ ପରି ଅଢ଼େଇଶ ଗୀତ ପ୍ରକାଶିତ ନ ହୋଇ ଦୁଇଶ ଅଶୀଟି ଗୀତ ଛପା ହୋଇଛି । କହିଛି ତ ଭଜନ–ଜଣାଣ ମୋର ପ୍ରାଣର ସଙ୍ଗୀତ ଓ ଏଇ ଭକ୍ତି ସଙ୍ଗୀତ ରଚନାରୁ ମୋର ଗୀତ ଲେଖା ଅନୁକୂଳ ହୋଇଛି । ଓଡ଼ିଶୀ, ଭଜନ, ଜଣାଣ, ଲଘୁ ସଙ୍ଗୀତ ଓ ପଲ୍ଲୀସ୍ୱର ଗୀତ ପ୍ରଭୃତି ତ ଲେଖେଁ, ଏହା ବ୍ୟତୀତ କୀର୍ତ୍ତନ ଓ ଦେଶାତ୍ମବୋଧ ଗୀତ ଅନେକ ସମୟରେ ରଚନା କରିଛି । ବେଳକାଳକୁ ଚାହିଁ ଦେଶ ଓ ଜାତିର ଅବସ୍ଥା ଏବଂ ବିଚ୍ଛିନ୍ନାଞ୍ଚଳ ଘେନି ଅନେକ ଗୀତ ରଚନା କରି ମୋ ନାଟକମାନଙ୍କରେ ଖଞ୍ଜିଛି ଓ ସାଧାରଣ ବୈଠକରେ ଗାଇବା ପାଇଁ ମଧ୍ୟ ଗୀତ ଲେଖିଛି । ନାଟକମାନଙ୍କରେ ଓ ଅଲଗା ସଙ୍ଗୀତ ବହିମାନଙ୍କରେ ଏଭଳି ଅନେକ ଗୀତ ଛପାଯାଇଛି । ବହୁ ଗୀତ ଲେଖା ଅଦ୍ୟାପି ଛପି ରହିଛି । ଗୀତ ଲେଖାରୁ ମୋର କବି ଜୀବନ ଆରମ୍ଭ ବୋଲି କହିହେବ । କୀର୍ତ୍ତନ ଗୀତଗୁଡ଼ିକ ଅବଧି ପ୍ରକାଶିତ ହୋଇପାରି ନାହିଁ । ଦେଖେଁ ଗୀତସବୁର ଛପାବହି ମୋ ଜୀବଦ୍ଦଶା ଭିତରେ ଦେଖିପାରିବି ନାହିଁ ।

 

ଶିଶୁ କବିତା :

 

ମୋ ଗୀତ ଲେଖା ଆରମ୍ଭବେଳରୁ ମୁଁ ଶିଶୁ କବିତା ଲେଖା ମଧ୍ୟ ଆରମ୍ଭ କରିଥିଲି ପ୍ରାୟ ୧୯୧୧ ।୧୨ରୁ । ୧୯୧୩ରେ ମୋ ଜୀବନର ପ୍ରଥମ ଶିଶୁ କବିତା ‘‘କଳାହାଣ୍ଡିଆ ମେଘ’’ ବହି କଟକ ଅରୁଣୋଦୟ ଛାପାଖାନାରେ ଛପାଇଲି । ଏହାପରେ ଦତ୍ତ ପ୍ରେସରେ ‘ବାୟାଧନଟି’ ଘୁମୁରେ ପାରା’ ଓ ପ୍ରିଣ୍ଟିଂ କମ୍ପାନୀରେ ‘ବଉଳବେଣୀ’ ପ୍ରଭୃତି ବହି ୧୯୬୧ ଭିତରେ ଛପା ହୋଇଛି-

 

ଗୀତ ଲେଖାବେଳେ ମୁଁ ଆମ ପରମ୍ପରାକୁ ଅନୁସରଣ କରି ଦେଖେଁ । ଅବଶ୍ୟ ପରିସ୍ଥିତିକୁ ଚାହିଁ ଲେଖାରେ ଶବ୍ଦ ଯୋଜନା ଓ ସ୍ୱର ସଂଯୋଗ କରି ଆସିଛି, ପୁରୋଦୃଷ୍ଟି ଦେଇ; କିନ୍ତୁ ଗୋଟିଏ କଥା ଯେ ମୁଁ ଆମ ଓଡ଼ିଶାର କଳା କୀର୍ତ୍ତିକୁ, ଆମ କୋଣାର୍କକୁ ପାସୋରି ଦେବାଟା ଆଦୌ ପୁଅପଣିଆଁ ବୋଲି ବିଚାରେ ନାହିଁ । ମୋଟ ଉପରେ ମୁଁ ଆମ ପରମ୍ପରାକୁ ଜୁହାରି, ପରିସ୍ଥିତିକୁ ମନାଇଁ, ଆଉ ପୁରୋଦୃଷ୍ଟିକୁ ଅନାଇଁ ସଙ୍ଗୀତ ଲେଖିବାକୁ ପସନ୍ଦ କରେଁ ।

 

ଓଡ଼ିଶା ରଙ୍ଗମଞ୍ଚ :

 

କିଛି କାମ ନ କରି ଖାଲିଟାରେ କାଳ ବିତାଇବାକୁ ମୁଁ କେବେ ପସନ୍ଦ କରେ ନାହିଁ । ମୋ ବିଚାରରେ ମୁଁ ଜଣେ ମୂଲିଆ, ମୂଲିଆ, କର୍ମକୁଢ଼ୀ ହୋଇ ବସି, ଗୁଣ୍ଡା ମାରିବା, ମାଲିକ ପାଖରେ ନିମକହାରାମ ହେବା ସାଥିରେ ସମାନ । ଦାନାଦାର ତ ଜଣେ–ତାଙ୍କ ବରାଦୀ କାମ କଲେ ସେ ବଳେ ପେଟ ମୁଣ୍ଡ କଥା ବୁଝିବେ । ସବୁବେଳେ ମୋର ଏଇଟା ନିରାଟ ଧାରଣା ।

 

ମୁଁ ଧନୀ ନୁହେଁ । ଅଭାବ ଯେ ମୋ ଜୀବନରେ ଅନୁଭବ କରି ନାହିଁ, ଏକଥା ମଧ୍ୟ ନୁହେଁ । କିନ୍ତୁ ସେ ଅଭାବ କେଜାଣି କେମିତି କୋଉ ଅଦେଖା ହାତ କିଭଳି ସଜରେ ମେଣ୍ଟାଇ ଦିଅନ୍ତି । ନିଷ୍କର୍ମା ହୋଇ ବସିରହିବାକୁ ମୁଁ ପସନ୍ଦ ତ କରେ ନାହିଁ, ବରଂ ଘୃଣା କରେଁ ।

 

ଦୀର୍ଘ କୋଡ଼ିଏ ବର୍ଷରୁ କିଛି ବେଶି କାଳ ମୋର ନିଜର ନାଟ୍ୟଦଳ ସହିତ ସମ୍ପର୍କ । ନାଟକ ଲେଖେଁ, ଗୀତ ସ୍ୱର ଯୋଗାଡ଼େ ମୁଁ । ମୋର ଏଭଳି ମଞ୍ଚସମ୍ପର୍କ ବେଳକୁ ନାଟକର ଗୀତଗୁଡ଼ିକ ପାଇଁ ସ୍ୱରକାର ପ୍ରାୟ ନ ଥିଲେ ବୋଲି କହିଲେ ଚଳେ । ରାସ ଆଉ ଥିଏଟର ଦଳରେ ଏମିତି କେତେ ପୁଅଝିଅ ଥିଲେ, ଯାହାଙ୍କର ଅକ୍ଷର ଚିହ୍ନା ମଧ୍ୟ ନ ଥିଲା । ମୁଁ ତାଙ୍କୁ ସବୁ ପାଠ ପଢ଼ାଏ, ଗୀତ ଶିଖାଳିଙ୍କୁ ଗଳା ସଧାଏଁ, ଅଭିନୟ ଶିଖାଏ, ନାଚ ବତାଏଁ, ଏଇମିତି ନାନା କାମରେ ଲାଗି ସକାଳ ସାତଟାରୁ ରାତି ବାରଟା ଯାଏଁ ତର ନ ଥାଏ ମୋର ।

 

ଅବଶ୍ୟ ଏ ଖାଟୁଣୀର ମୂଲ ଯେ ନ ପାଏ, ସେ କଥା ନୁହେଁ । ଦଳର ମୋର ବିଶେଷ କିଛି ଅଭାବ ନ ଥାଏ । ୧୯୫୦ରେ ଥିଏଟର୍ ଦଳ ଭାଙ୍ଗିଯିବା ପରେ ପରେ ମୁଁ ନିକମା ହୋଇ ବସି ନ ଥିଲି । ପାଠ୍ୟପୁସ୍ତକ ଲେଖା, ଗୀତ ରଚନା, ସ୍ୱରଲିପି ଓ ସଙ୍ଗୀତର ତଥ୍ୟାତ୍ମକ ବହି ଲେଖା ଏବଂ କେବେ କେମିତି ନାଟକ, ଏକାଙ୍କିକା, ପାଲା ଓ ଦାସକାଠିଆ ଇତ୍ୟାଦି ଲେଖାରେ ସମୟ କଟାଏଁ ।

 

ଏଭଳି ସମୟରେ ଆମ ରଙ୍ଗମଞ୍ଚର ଏକ ଧାରାବାହିକ ଇତିହାସ ଲେଖା ମନ କଲି ।

 

ଓଡ଼ିଶା ରଙ୍ଗମଞ୍ଚ :

 

ମୁଁ ସିନା ମୋର ମଞ୍ଚ ସମ୍ପର୍କ କଥା ଜାଣିଛି, ତା’ ପୂର୍ବରୁ ଓଡ଼ିଶାର ରଙ୍ଗମଞ୍ଚ ସମ୍ବନ୍ଧେ ବିଶେଷ କିଛି ନ ଜାଣିଲେ ବିଷୟ ପୂରା ହେବ କେମିତି ? ତେଣୁ ପୁରୁଣା ମଞ୍ଚ ସମ୍ବନ୍ଧେ ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ଖୋଜି ତାଙ୍କ ଅଭିଜ୍ଞତା ଶୁଣିବା ପାଇଁ ଚେଷ୍ଟା କଲି । ଏଥିଲାଗି ୧୮୯୪ରେ କଟକରେ ମାଗନେଟିକ୍ ଥିଏଟର୍ ପ୍ରତିଷ୍ଠାତା ସ୍ୱର୍ଗତ ନାଟୁ ସରକାର (ସତୀଶଚନ୍ଦ୍ର ସରକାର)ଙ୍କ ପୁଅ ସ୍ୱର୍ଗତ ବଙ୍କିମ ସରକାର ଓ ତାଙ୍କ ଭାଇ ହାବୁ (ସୁରେଶ) ସରକାର, ପୁରୀ ଜଗନ୍ନାଥ କ୍ଳବ ପ୍ରତିଷ୍ଠା କାଳର ଅନ୍ୟତମ ସକ୍ରିୟ କର୍ମୀ ଶ୍ରୀ କୃଷ୍ଣଦାସ ମୁଖାର୍ଜୀ, କଟକର ବାସନ୍ତୀ ଓ ରାଧାକୃଷ୍ଣ ଥିଏଟରର ପରିଚାଳକ ଓ ମଞ୍ଚଶିଳ୍ପୀ ଫନିବାବୁ ଏବଂ ତାଙ୍କ ଭାଇ ମନିବାବୁ, ବଳଙ୍ଗାର ରାଧାକୃଷ୍ଣ ଥିଏଟର୍ ପ୍ରତିଷ୍ଠାତା ସ୍ୱର୍ଗତ ବନମାଳି ପତିଙ୍କ ସହିତ ସମ୍ପର୍କ ଥିବା ଶ୍ରୀ ବଳିରଥ, ବାସନ୍ତୀ ରଙ୍ଗମଞ୍ଚର ପ୍ରତିଷ୍ଠାତା ସ୍ୱର୍ଗତ କୁଞ୍ଜବାବୁ (ବୋଷ)ଙ୍କ ସମ୍ପର୍କିତ ଶ୍ରୀ ଅଦ୍ୱୈତବଲ୍ଲଭ ରାୟ, ଉଷା ଥିଏଟର୍ ସହ ସମ୍ପୃକ୍ତ ସ୍ୱର୍ଗତ ଜଗନ୍ନାଥ ଘୋଷଙ୍କ ପୁଅ ଶ୍ରୀ ବିମଳ ଘୋଷ, ପୁରାତନ ମଞ୍ଚ ଅଭିନେତା ନୃତ୍ୟ ଶିକ୍ଷକ ସାଧୁବାବୁ (ସାରଦା ପ୍ରସାଦ ଦଳବେହେରା), ପାରଳା ଗଜପତି ରଙ୍ଗାଳୟ ଇତିହାସ ଲାଗି ଶ୍ରୀ ଯୁଗଳ ପାଣିଗ୍ରାହୀ, ଚିକିଟି ରଙ୍ଗମଞ୍ଚ ଇତିହାସ ଲାଗି ଚିକିଟି ରାଜକୁମାର ପ୍ରଖ୍ୟାତି ଚିତ୍ରଶିଳ୍ପୀ ସ୍ୱର୍ଗତ ସାଇବ ଦେଓ (ଶରତଚନ୍ଦ ଦେବ) ସୁରଙ୍ଗୀ ରାଜଭ୍ରାତା ଓ ଭିଙ୍ଗାରପୁରର ମୋର ବନ୍ଧୁ ସଙ୍ଗୀତଜ୍ଞ ସ୍ୱର୍ଗତ କୃଷ୍ଣ ଚଉଧୁରୀ ପ୍ରଭୃତି ଅନେକ ଅନେକ ମଞ୍ଚପ୍ରେମୀ, ମଞ୍ଚଶିଳ୍ପୀ ଓ ମଞ୍ଚସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କଠାରୁ ନାନା ସମ୍ବାଦ ଓ ପରାମର୍ଶ ଲୋଡ଼ି ୧୯୬୨।୬୩ରୁ ମଞ୍ଚ ଇତିହାସ ଲେଖାରେ ଲାଗିପଡ଼ିଲି ।

 

ମାତୃଭୂମିରେ ସପ୍ତାହକୁ ଥରେ ଧାରାବାହିକ ରୂପେ ଏ ଲେଖା ପ୍ରକାଶିତ ହେଲା ।

 

ଘର ପାଖ ଏବଂ ପୁରୁଣା ବନ୍ଧୁ ହୋଇଥିବାରୁ ଅନେକ ସମୟରେ ମୁଁ ସାଧୁବାବୁଙ୍କୁ ଲେଖା ପଢ଼ାଏଁ ଏବଂ ତାଙ୍କ ଅଭିଜ୍ଞତାର ସୁଯୋଗ ନିଏଁ ।

 

ହରନାଥ ପ୍ରେସର ମାଲିକ ମୋର ବନ୍ଧୁ ପ୍ରଖ୍ୟାତ ନାଟ୍ୟକାର ସ୍ୱର୍ଗତ ଅଶ୍ୱିନୀ କୁମାର ଘୋଷଙ୍କ ସାନଭାଇ ସ୍ୱର୍ଗତ ଅଜୟ ଘୋଷ ସେତେବେଳେ ଜୀବିତ ଥିଲେ । ସେ ମୋତେ ପତ୍ରିକାରେ ପ୍ରକାଶନ ଅପେକ୍ଷା ‘ଓଡ଼ିଶା ରଙ୍ଗମଞ୍ଚ’ ନାମରେ ପୁସ୍ତକାକାରରେ ଏ ଲେଖାଗୁଡ଼ିକ ଛପାଇ ଦେବାକୁ ପରାମର୍ଶ ଦେଲେ । ଅଜୟବାବୁ ବିନୋଦବିହାରୀର ଜଣେ ପ୍ରକାଶକଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ସ୍ୱୀକୃତି ପରେ ଓଡ଼ିଶା ରଙ୍ଗମଞ୍ଚ ତାଙ୍କ ଛାପାଖାନାରେ ଛପାଇବା ଆରମ୍ଭ କଲେ ।

 

ତା ୧୯।୩।୬୮ ରିଖ ସକାଳ ପ୍ରାୟ ୧୦ଟା ବେଳେ ମୋ ଘରକୁ ଆସିଥିଲେ ମୋର ପରମବନ୍ଧୁଙ୍କ ସୁଯୋଗ୍ୟ ପୁତ୍ର ସୁପରିଚିତ କଳାକାର ଅଧ୍ୟାପକ ଶ୍ରୀ ଶରତଚନ୍ଦ୍ର ପୂଜାରୀ । ଆଉ କେତେଜଣ ଲେଖକ ଓ କଳାକାର ମଧ୍ୟ ମୋ ଘରେ ବସିଥାଆନ୍ତି । ସେତିକିବେଳେ ଆସି ପହୁଞ୍ଚିଲେ ଜଣେ ପ୍ରକାଶକଙ୍କ ପୁଅ ।

 

ଓଡ଼ିଶା ରଙ୍ଗମଞ୍ଚର ଦୁଇଟି ଫର୍ମା ସେତେବେଳକୁ ଛପା ସରିଥାଏ । ରଙ୍ଗମଞ୍ଚର ଇତିହାସ ଲେଖାରେ ମୁଁ ସେ ସମୟର ଗୀତ-ଲେଖାର ଧରଣ ଓ ଭାଷା ଜଣାଇବା ପାଇଁ ଗୀତରୁ ପଦେ ଦି’ପଦ ଲେଖାଏଁ ନମୁନା ସ୍ୱରୂପ କୋଉଠି କେମିତି ଦେଇଥିଲି । ସେଥିରୁ ଏ ଛପା ଫର୍ମାରେ ଛପା ହୋଇଛି ଦୁଇ ତିନୋଟି । ପ୍ରକାଶକଙ୍କ ପୁତ୍ର ସେଗୁଡ଼ିକ ମୋତେ ଦେଖାଇ ରଙ୍ଗମଞ୍ଚ ଇତିହାସରେ ଗୀତ ରହିବା ଅନାବଶ୍ୟକ ବୋଲି କହି, ଲେଖାରୁ ଏପରି ଗୀତ ବାଦ୍ ଦେବାକୁ କହିଲେ । ମୁଁ ଆଗର ଓ ପଛର ବିଷୟମାନ ପଢ଼ି, ଗୀତ ପଦେ ଅଧେ ଦେଇଥିବାର କାରଣ ବୁଝାଇଲି । ଉପସ୍ଥିତ ବନ୍ଧୁମାନେ ମଧ୍ୟ ଗୀତ ରହିବାକୁ ଉଚିତ୍ ମଣିଲେ । ପ୍ରକାଶକଙ୍କ ପୁତ୍ର ଏ ମନ୍ତବ୍ୟ ଶୁଣି କହିଲେ ଯେ, ‘‘ବହି ବଢ଼ିଯିବ, ଲେଖା ସିନା ଲେଖକଙ୍କର, ଟଙ୍କା ତ ଆମର । ଅଯଥା ଖର୍ଚ୍ଚ ବେଶି ହେବ ।’’ ମୁଁ କିଛି ଉତ୍ତର ଦେଲି ନାହିଁ । ସେ ଚାଲିଗଲେ ।

 

ମୋତେ ଓ ଶରତ ପୂଜାରୀ ପ୍ରଭୃତି ଉପସ୍ଥିତ ବନ୍ଧୁମାନଙ୍କୁ ପ୍ରକାଶକ ପୁତ୍ରଙ୍କ ଏ ଟଙ୍କା ଗରମ କଥାଟା ବଡ଼ କଦର୍ଯ୍ୟ ଲାଗିଲା । ସ୍ଥିର କଲି ଯେ ଆଉ ପାଣ୍ଡୁଲିପି ଦେବି ନାହିଁ । ରଙ୍ଗମଞ୍ଚ ଛପା ସେଇଦିନୁ ବନ୍ଦ ରହିଲା ।

 

ଏ ମଧ୍ୟରେ ଅନେକ କାଳ ବିତିଗଲା । ସାଧୁବାବୁ ମଝିରେ ମଝିରେ ବହି ଛପା କେତେଦୂର ଗଲା ବୋଲି ପଚାରନ୍ତି, ମୁଁ ତାଙ୍କୁ ପ୍ରକାଶକଙ୍କ ବ୍ୟବହାର ଜଣାଇ ଛପା ବନ୍ଦ ଅଛି କହି ଦୁଃଖ କରେଁ ଓ ପରେ ଦେଖିବା ବୋଲି କହେଁ ।

 

ଛପା ସେତିକିରେ ରହିଯାଏ । କାହିଁକି କେଜାଣି ଏଥକୁ ମୋର ଟିକିଏ ଅବହେଳା ଘଟିଲା ।

 

ମଞ୍ଚଧାରା :

 

ଏଇ ସମୟରେ ମଞ୍ଚଧାରା ଲେଖିବା ଆରମ୍ଭ କଲି । ଭାବିଲି ଯେ ପ୍ରଥମେ ମଞ୍ଚର ତଥ୍ୟ ସମ୍ବନ୍ଧେ ଆଲୋଚନା କରିବି, ତା’ପରେ ଓଡ଼ିଶା ରଙ୍ଗମଞ୍ଚ ଛପାଇବାର ବ୍ୟବସ୍ଥା କରାଯିବ । ଓଡ଼ିଶା ରଙ୍ଗମଞ୍ଚ ମାତୃଭୂମିରେ ସପ୍ତାହକେ ଥରେ ଧାରାବାହିକ ରୂପେ ବର୍ଷକରୁ ଅଧିକ କାଳ ଛପା ସରି, ବାକିତକ ପାଣ୍ଡୁଲିପି ଆକାରରେ ରହିଛି, ତେଣୁ ଟିକିଏ ଆଉ ଥରେ ଅଧେ ଆଖି ବୁଲାଇ କାମ ସାରିଦେବି ।

 

ଆଜିଯାଏଁ ରଙ୍ଗମଞ୍ଚର ତଥ୍ୟାତ୍ମକ ବିବରଣୀ ଓଡ଼ିଶାରେ କେହି ଲେଖି ନାହାନ୍ତି ବୋଲି ମଞ୍ଚଧାରା ଲେଖା ଆରମ୍ଭ କଲି । କଟକ ଷ୍ଟୁଣ୍ଡେଣ୍ଟସ୍ ଷ୍ଟୋର ଆଗ୍ରହରେ ତାକୁ ଛପାଇଛନ୍ତି ।

✽✽✽

 

Unknown

ଓଡ଼ିଶା ରଙ୍ଗମଞ୍ଚ ଇତିହାସ

 

ଇତି ମଧ୍ୟରେ ଶୁଣିଲି ଯେ ସାଧୁବାବୁ ମୋର ପଢ଼ାସାଥୀ ଶ୍ରୀ ନାରାୟଣ ଷାଠିୟା ଓ ଶ୍ରୀ କଣ୍ଠ ରାଓ ପ୍ରଭୃତିଙ୍କ ମେଳରେ ଓଡ଼ିଶା ରଙ୍ଗମଞ୍ଚର ଇତିହାସ ଲେଖା ଆରମ୍ଭ କରିଛନ୍ତି ।

 

ଆହୁରି ଶୁଣିଲି ଯେ ଶ୍ରୀ ନାରାୟଣଚନ୍ଦ୍ର ଦାସ, ପୁସ୍ତକ ପ୍ରକାଶକ ସାଧୁବାବୁଙ୍କ ରଙ୍ଗମଞ୍ଚର ଇତିହାସ ଲେଖିବାକୁ ବିଶେଷ ଭାବେ ପ୍ରଚେଷ୍ଟା କରୁଛନ୍ତି । ନାରାୟଣବାବୁ ୧୯୪୦ ସାଲରୁ ମୋର ପରିଚିତ ।

 

ମୁଁ ବାଙ୍କାବଜାରରେ ଓଡ଼ିଶା ଥିଏଟର୍ସ ଆରମ୍ଭ କରି ଗାର୍ଲସ୍କୁଲ ନାଟକ ମଞ୍ଚସ୍ଥ କଲାବେଳେ, ସେ ପ୍ରାୟ ପ୍ରତ୍ୟହ ସେଠାକୁ ଯା’ଆସ କରୁଥିଲେ । ସେ ମୋ ଗାର୍ଲସ୍କୁଲର ନାଟକ ଛପାଇବା ଲାଗି ବିଶେଷ ଆକାଂକ୍ଷିତ ହୋଇ ମୋତେ ମୋର କେତେକ ବନ୍ଧୁମାନଙ୍କ ଜରିଆରେ ଅନୁରୋଧ କରାଇଲେ । ତହିଁ ପୂର୍ବରୁ ମୋର ତାଙ୍କ ସହିତ ପରିଚୟ ନ ଥିଲା କିମ୍ବା ସେ ଜଣେ ପ୍ରକାଶକ ବା ପୁସ୍ତକ ବିକ୍ରେତା ବୋଲି ମୁଁ ଜାଣି ନ ଥିଲି । ଓଡ଼ିଶା ଥିଏଟର୍ସର ଗାର୍ଲସ୍କୁଲ ନାଟକ ପ୍ରଦର୍ଶନରେ ଜନମୁଖରୁ ପ୍ରଶଂସା ଶୁଣି ସେ ମୋ ସହିତ ପରିଚିତ ହେବାକୁ ଆସିବା କଥା ମୋର ଅନେକ ବନ୍ଧୁ ଜାଣନ୍ତି ।

 

ଗାର୍ଲସ୍କୁଲ ପ୍ରକାଶନ ପରେ ଆଉ କେତେଖଣ୍ଡି ନାଟକ ଛପାଇଲେ ନାରଣବାବୁ । ସେତେବେଳେ ମୋ ପେଣ୍ଡାଲରେ ବିସ୍ତର ଲୋକଗହଳି ହେଉଥାଏ । ଏହାଦ୍ୱାରା ନାରାୟଣବାବୁଙ୍କର ବହି ବିକ୍ରି ସୁବିଧା ହେଲା ଏବଂ ଲୋକରେ ସେ ପରିଚିତ ହେବାର ଭଲ ସୁଯୋଗ ମଧ୍ୟ ପାଇଲେ ।

 

ଆଉ ଜଣେ ହେଲେ ଏ ଓଡ଼ିଶା ରଙ୍ଗମଞ୍ଚ ଇତିହାସ ବହିର ସମ୍ପାଦକ ଶ୍ରୀ ବୃନ୍ଦାବନ ରଥ-। ଉତ୍କଳ ନାଟ୍ୟସଂଘର ପ୍ରତିଷ୍ଠା ଓ ମୋର ସଂଘ ସହିତ ସମ୍ପର୍କ ତ୍ୟାଗ ସମ୍ବନ୍ଧେ ସବୁକଥା ଏଥିପୂର୍ବରୁ ଲେଖିଛି । ମୁଁ ସମ୍ପର୍କ ତୁଟାଇବା ପରେ ଶ୍ରୀ ବାବୁଲାଲ ଯୋଷୀ କଳାବିକାଶ କେନ୍ଦ୍ରର ଗୋଟିଏ ପାଖ ଘରେ ନାଟ୍ୟସଂଘର କୌଣସି ସଭାସମିତିରେ ଉତ୍କଳ ନାଟ୍ୟସଂଘ କେବେ ବା କାହାଦ୍ୱାରା ପ୍ରତିଷ୍ଠିତ ହେଲା ସେକଥା ବୃନ୍ଦାବନବାବୁ ନ କହି ସଂଘ ୧୯୬୧ରେ ସ୍ଥାପିତ ବୋଲି କୁହନ୍ତି । ଏବେ, ଏଇ ୧୯୭୫ର ୨୯ ତାରିଖ ମାର୍ଚ୍ଚ ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ବିଶ୍ୱନାଟ୍ୟ ଦିବସ ପାଳନ ସଭାରେ ଏ ସମସ୍ତ ଇତିହାସ ସ୍ପଷ୍ଟ ଭାବେ ମୁଁ ଉପସ୍ଥିତ ଜନତାଙ୍କ ଆଗେ ବଖାଣିଛି-। ଏ ସମ୍ବନ୍ଧୀୟ ଲେଖାଲେଖି ରେକର୍ଡ଼ ମଧ୍ୟ ମୋ ପାଖେ ଅଛି ।

 

ଆଉ ଶ୍ରୀ ନାରାୟଣ ପ୍ରସାଦ ଷାଠିୟା ଓ ଶ୍ରୀକଣ୍ଠରାଓ ଦୁହେଁ ମୋର ସହପାଠୀ । ଏଇମାନଙ୍କ ସହଯୋଗରେ ବହିଟି ଲେଖା ଓ ଛପା ହୋଇଛି । ମୁଁ ମଝି ମଝିରେ ଟିକିଏ ଏଭଳି ଉଡ଼ା ଖବର ପାଉଁଥାଏ । ହଠାତ୍ ଦିନେ ଶ୍ରୀ ନରେଶଚନ୍ଦ୍ର ସରକାର (ହାବୁ) ମୋତେ ତା ୧୮।୧୨।୭୧ରିଖରେ ‘ଓଡ଼ିଶା ରଙ୍ଗମଞ୍ଚ ଇତିହାସ’ ନାମକ ବହି ଖଣ୍ଡିଏ ନାରଣବାବୁଙ୍କର ପରିଚିତ ଧର୍ମଗ୍ରନ୍ଥ ଷ୍ଟୋର କର୍ତ୍ତୃତ ପ୍ରକାଶିତ ହୋଇଥିବା ସମ୍ବାଦ ଦେଲେ । ଶ୍ରୀ ପ୍ରସନ୍ନ କୁମାର ଦାଶଙ୍କ ଦ୍ୱାରା ସେହିଦିନ ବହି ଖଣ୍ଡିଏ କିଣିଆଣି ପଢ଼ା ଆରମ୍ଭ କରି ଦେଖିଲି ଯେ ଅନେକ ଭ୍ରମାତ୍ମକ ସମ୍ବାଦ ସେଥିରେ ସ୍ଥାନ ପାଇଛି । ବିଶେଷତଃ ମୋ ସମ୍ପର୍କରେ ଯେଉଁ କେତେକ ନିରାଟ ବିଭ୍ରାନ୍ତିକର ମିଥ୍ୟା ସମ୍ବାଦ ଲେଖା ଯାଉଅଛି, ସେ ସମ୍ବନ୍ଧେ ମାତ୍ର ଦୁଇଟି ମତାମତ ଦେଖନ୍ତୁ–

 

ପୁସ୍ତକ ସମାଲୋଚନା :

 

ଏହି ପୁସ୍ତକର ଆଲୋଚନା କରିବାକୁ ଯାଇ ଶ୍ରୀ ବନବାସୀ ତ୍ରିପାଠୀ (ରାଷ୍ଟ୍ରଭାଷାରତ୍ନ) ତା ୫ ।୧ ।୭୨ ରିଖ ସ୍ୱରାଜରେ ଲେଖିଛନ୍ତି ଯେ–

 

X X X

 

‘‘ଓଡ଼ିଶା ରଙ୍ଗମଞ୍ଚ ସମ୍ବନ୍ଧେ ଯାହା ଯାଇଅଛି, ତନ୍ମଧ୍ୟରୁ ବହୁଳାଂଶ ଧାରାବାହିକ ରୂପେ ଦୈନିକ ମାତୃଭୂମିର ୧୯୬୩ ମସିହାରେ ପ୍ରକାଶିତ ହୋଇସାରିଛି । ଏହା ଲେଖିଥିଲେ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ବର୍ତ୍ତମାନ ପ୍ରକାଶିତ ଗ୍ରନ୍ଥଟି ପ୍ରୋକ୍ତ ପ୍ରକାଶନର ଏକ ଚର୍ବିତଚର୍ବଣ ବା ଅନୁଲିଖନ ବୋଲି କୁହାଯାଇପାରେ । ଏ ଗ୍ରନ୍ଥରେ ସ୍ଥଳବିଶେଷରେ ଅଧିକ କେତେଗୋଟି ସଙ୍ଗୀତ ମାତ୍ର ସଂଯୋଗ କରାଯାଇଅଛି; କିନ୍ତୁ ମଞ୍ଚର ଇତିହାସ ଆଲୋଚନା ସମ୍ବନ୍ଧେ ଏ ସଙ୍ଗୀତଗୁଡ଼ିକର ବିଶେଷ ଉପଯୋଗିତା କେତେ, ତାହାହିଁ ବିଚାର୍ଯ୍ୟ ।

 

ପୁସ୍ତକର ପ୍ରାରମ୍ଭରେ ଶ୍ରୀ ବୃନ୍ଦାବନଚନ୍ଦ୍ର ରଥ ରଙ୍ଗମଞ୍ଚ ସମୀକ୍ଷା ଲେଖିଛନ୍ତି, ରଚନାର ଭାଷା ଅନେକ ସ୍ଥଳରେ ଦୁର୍ବୋଧ୍ୟ ଏବଂ ଏପରି କେତେଗୋଟି ଶବ୍ଦ ସେ ସୃଷ୍ଟି କରିଛନ୍ତି, ଯାହା ଓଡ଼ିଆ ଭାଷାରେ କାହିଁହେଲେ ବ୍ୟବହୃତ ହେଉଥିବାର ଜଣା ନାହିଁ । ଉଦାହରଣସ୍ୱରୂପ ଅଳ୍ପ କେତେଗୋଟି ଶବ୍ଦ ଏ ସ୍ଥଳରେ ଉପସ୍ଥାପିତ କରାଯାଉଅଛି । ଯଥା–‘ସାଜକରଣ’, ‘ପ୍ରହୋତ୍ସାହନ’, ‘ଭାବରାଜିଗୁଡ଼ିକ’, ‘ଜୀବନର ଜୀବନ୍ତ ବାସ୍ତବ ଘଟଣା’ ଇତ୍ୟାଦି ଇତ୍ୟାଦି ।

 

ନାଟକ ଶ୍ରେଣୀରେ ସେ ଗ୍ରହଣ କରିଛନ୍ତି ‘ନାଟ୍ୟ ମନୋରମା’ (ଯାହା ଏକ ସମ୍ପୂର୍ଣ୍ଣ ସଙ୍ଗୀତଗ୍ରନ୍ଥ) ‘ବିଚିତ୍ର ରାମାୟଣ’ ଗୁଡ଼ିଆ ଶଙ୍କର ପାଲା... ! ‘ଉଗ୍ରତାରା ପାଲା’ ‘ଭ୍ରମରବର ପାଲା ଇତ୍ୟାଦି ଇତ୍ୟାଦି । ସୁଧୀ ପାଠକ ବିଚାର କରିବେ ଯେ ନାଟ୍ୟ ବା ନାଟକ ସମ୍ବନ୍ଧେ ସମୀକ୍ଷଣକାରୀଙ୍କ ବିଚାର କିପରି ଅଯଥାର୍ଥ ।

 

ଅତ୍ୟନ୍ତ ଦୁଃଖର କଥା ଯେ, ଏହି ମହାଶୟ ଗ୍ରନ୍ଥର ଷାଠିଏ ପୃଷ୍ଠାରେ ଲେଖିଛନ୍ତି–‘‘x x x ଗୋଦାବରୀ ନଦୀ କୂଳରେ ରାୟ ରାମାନନ୍ଦ ଶ୍ରୀ ଚୈତନ୍ୟଦେବଙ୍କ ଭେଟି ତାଙ୍କରିଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କଲେ’’ । ଏପରି ଏକ ବିଚିତ୍ର ଧାରଣା କେବଳ ଏହି ସମୀକ୍ଷାକାରଙ୍କ ପରି ସୁଯୋଗ୍ୟ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହୋଇପାରେ; କିନ୍ତୁ ଦେଶ ଓ ଜାତିପକ୍ଷେ ଏହା ଏକାନ୍ତ ମାରାତ୍ମକ ଭ୍ରାନ୍ତ ମତ ପ୍ରକାଶ । ବାସ୍ତବରେ ଘଟଣା ଏହାର ସମ୍ପୂର୍ଣ୍ଣ ବିପରୀତ ।

 

ଏ ଶିଷ୍ୟତ୍ୱ ଗ୍ରହଣ ସମ୍ବନ୍ଧେ ସ୍ୱାମୀ ଓଁକାରନନ୍ଦ ସରସ୍ୱତୀ (ହୃଷୀକେଶ)ଙ୍କ ପ୍ରଣୀତ ‘ବ୍ରହ୍ମବିଦ୍ୟା ସାଧନ’ ନାମକ ପୁସ୍ତକର ୧୦୨ ପୃଷ୍ଠାଠାରୁ ୧୦୬ ପୃଷ୍ଠା ମଧ୍ୟରେ ମୁଦ୍ରିତ ପାଠ୍ୟ ତଥା ଚୈତନ୍ୟ ଚରିତାମୃତର ‘ରାୟରାମାନନ୍ଦ ସଂଗୋତ୍ସବ’ ନାମକ ମଧ୍ୟଲୀଳା ଦ୍ରଷ୍ଟବ୍ୟ ।

 

ସ୍ୱାମୀ ଓଁକାରନନ୍ଦ ଲେଖିଛନ୍ତି–

 

‘‘ଏକ ସାଧାରଣ ଶୂଦ୍ରକେ ଗୁରୁବଲିୟା ସ୍ୱୀକାର କରାୟ ତାହାଁଦେର ମହାପ୍ରଭୁତେ ଆରୋପିତ ଭଗବାନତ୍ୱେର ପାଛେ ହାନି ହୟ, ତାହାର ଜନ୍ୟ ଭାଷାର ମଧ୍ୟ ଦିୟା ଐ କଲଙ୍କ ଧୁଇୟା ଫେଲିବାର ନିମିତ୍ତ ବହୁ ପ୍ରକାର ଚେଷ୍ଟା ଚଲିୟାଛେ ।’’

 

ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାର ଅଷ୍ଟମ ପରିଚ୍ଛେଦରେ ଲିଖିତ–

 

‘‘କିବା ବିପ୍ର, କିବା ନ୍ୟାସୀ,

ଶୁଦ୍ର କେନ ନୟ

ଯେଇ କୃଷ୍ଣ ତତ୍ତ୍ୱବେତ୍ତା

ସେଇ ଗୁରୁହୟ ।’’

 

ଶ୍ରୀ ଚୈତନ୍ୟଙ୍କଠାରୁ ଏହି କଥା ଶୁଣି, ରାୟ ରାମାନନ୍ଦ ତାହାଙ୍କୁ (ଶ୍ରୀ ଚୈତନ୍ୟଦେବଙ୍କୁ) ଆତ୍ମତତ୍ତ୍ୱରେ ଦୀକ୍ଷାଦାନ କଲେ ଏବଂ ପରେ ସାଧନା–ରାଜ୍ୟର ଗୂଢ଼ତତ୍ତ୍ୱ ସମୂହ ବୁଝାଇଲେ । ଏ ସମ୍ବନ୍ଧେ ସ୍ୱାମୀ ଓଁକାରନନ୍ଦ ସରସ୍ୱତୀ ଲେଖିଛନ୍ତି–

 

ଇହାକେଇ ଅନ୍ୟ ଛାଁଚେ ଢାଲିୟା ଚୈତନ୍ୟ ଚରିତାମୃତକାର କୃଷ୍ଣଦାସ୍ କବିରାଜ ଓ ଚୈତନ୍ୟ–ଭାଗବତକାର ବୃନ୍ଦାବନ ଦାସ ବହିରେ ପ୍ରକାଶ କରିଲେନ୍; କିନ୍ତୁ ଏତ କୌଶଳ ସତ୍ତ୍ୱେ ଓ ଚୈତନ୍ୟ ଚରିତାମୃତକାର ଅବ୍ୟାହତି ପାନ ନାଇଁ ।’’

 

ଏ ସମ୍ବନ୍ଧେ କଟକ ଦାସ ବ୍ରଦର୍ସଙ୍କଦ୍ୱାରା ପ୍ରକାଶିତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କୃତ ଶ୍ରୀ ଗୀତଗୋବିନ୍ଦର ଆଲୋଚନା ସହ ସ୍ୱରଚ୍ଛନ୍ଦାନୁସାରୀ ଉତ୍କଳାନୁବାଦ ପୁସ୍ତକର ପୃ ୧୬୫।୬୬ ଷ୍ଠା ଦ୍ରଷ୍ଟବ୍ୟ’ ।

 

ସୁଯୋଗ୍ୟ ସମୀକ୍ଷାକାରଙ୍କ ଯୋଗ୍ୟତା, ଜାତି ଓ ଦେଶର ସୁଧୀ ପାଠକଗଣ ବିଚାର କରିବେ ।

 

‘‘ଓଡ଼ିଶା ରଙ୍ଗମଞ୍ଚ ଇତିହାସ’ ପୁସ୍ତକର ବହୁ ପ୍ରମାଦ ମଧ୍ୟରୁ ଏହା ଅନ୍ୟତମ ଅକ୍ଷମଣୀୟ ତ୍ରୁଟି ।’’

 

ଆଉ ଗୋଟିଏ ସମାଲୋଚନା :

 

ଏହି ପୁସ୍ତକର ଆଲୋଚନା କରିବାକୁ ଯାଇ ଆଉ ଜଣେ ସ୍ୱନାମଧନ୍ୟ ବିଶିଷ୍ଟ ମଞ୍ଚଅଭିନେତା ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂହ, ମାଳିସାହୀ–ପୁରୀ, ତା ୫।୨।୭୨ ରିଖ ପ୍ରଜାତନ୍ତ୍ରରେ ‘ଓଡ଼ିଶା ରଙ୍ଗମଞ୍ଚରେ ଓଡ଼ିଶା ଥିଏଟର୍ସର ଭୂମିକା’ ଶିରୋନାମାରେ ନିଜର ମତାମତ ବ୍ୟକ୍ତ କରି ଲେଖିଛନ୍ତି ଯେ–

 

‘‘କବିଚନ୍ଦ୍ରଙ୍କ ପ୍ରଚେଷ୍ଟା ଓ ଅଧ୍ୟବସାୟ ତଥା ବ୍ୟକ୍ତିଗତ ଉଦ୍ୟମରେ ୧୯୩୯ ମସିହାରେ ଓଡ଼ିଶା ଥିଏଟର୍ସ ଆତ୍ମପ୍ରକାଶ କରି ନିରବଚ୍ଛିନ୍ନ ଭାବେ ୧୯୪୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ରଙ୍ଗମଞ୍ଚରେ ଅଶେଷ ଶିଳ୍ପୀ ସୃଷ୍ଟି ହୋଇ ଆଜି ଓଡ଼ିଶାର ପୁରପଲ୍ଲୀରେ ସର୍ବୋପରି ଅନ୍ନପୂର୍ଣ୍ଣା ଓ ଜନତା ରଙ୍ଗମଞ୍ଚ ଇତ୍ୟାଦିରେ ପ୍ରସିଦ୍ଧି ଲାଭ କରି କଳାକୁ ବଞ୍ଚାଇ ରଖିବା ଅତି ଗୌରବର ବିଷୟ ।

 

ଏବେ ଓଡ଼ିଆରେ ଗୋଟିଏ ପୁସ୍ତକ ‘ଓଡ଼ିଶା ରଙ୍ଗମଞ୍ଚ ଇତିହାସ’ ଶ୍ରୀ ସାରଦା ପ୍ରସାଦ ଦଳବେହେରା (ସାଧୁବାବୁ)ଙ୍କ ଲେଖନୀରୁ ପ୍ରକାଶ ପାଇଛି । ଉକ୍ତ ପୁସ୍ତକରେ ଶ୍ରୀ ଦଳବେହେରା ଓଡ଼ିଶା ଥିଏଟର୍ସ ସମ୍ପର୍କରେ କେତେକ ଭୁଲ ତଥ୍ୟ ପରିବେଷଣ କରିଥିବାରୁ ମୁଁ ସତ୍ୟ ଘଟଣା ନିମ୍ନରେ ବର୍ଣ୍ଣନା କରୁଛି–

 

ଶ୍ରୀ ସାରଦାପ୍ରସାଦ ଦଳବେହେରା (ସାଧୁବାବୁ)ଙ୍କ ଓଡ଼ିଶା ରଙ୍ଗମଞ୍ଚ ଇତିହାସର ୩୦୨ ଓ ୩୦୩ ପୃଷ୍ଠା ପଢ଼ି କେତେକ ଭୁଲ ମୋର ଆଖିରେ ପଡ଼ିଲା । ସେ କବିଚନ୍ଦ୍ରଙ୍କ ଓଡ଼ିଶା ଥିଏଟର୍ସ ବିଷୟରେ ଶ୍ରୀ ନାରୟଣଚନ୍ଦ୍ର ଦାସଙ୍କ ସମ୍ବନ୍ଧେ ଲେଖିଛନ୍ତି ଯେ, ତାଙ୍କ ପ୍ରରୋଚନା ଓ ଉଦ୍ୟମରେ ଓଡ଼ିଶା ଥିଏଟର୍ସ ଗଢ଼ା ହୋଇଥିଲା ।

 

୧୯୨୬–୨୭ ସାଲରେ କବିଚନ୍ଦ୍ର ପ୍ରଥମେ ରାସଦଳ ଆରମ୍ଭ କଲାବେଳୁ ମୁଁ ତାଙ୍କର ଛାତ୍ର । ଓଡ଼ିଶା ଥିଏଟର୍ସ ଗଢ଼ାହେଲା ୧୯୩୯ରେ ଓ ରାସଦଳର ମଧ୍ୟ ସେହି ସମୟରେ ପ୍ରାୟ ଶେଷବେଳକୁ ପରୀକ୍ଷାମୂଳକଭାବେ ‘କ୍ଷେତ୍ରବାସ’ ନାଟକ ମାତ୍ର ୫।୭ ରାତ୍ର ଅଭିନୀତ ହୋଇଥିଲା-। କବିଚନ୍ଦ୍ର ସେତେବେଳେ ସାଧୁବାବୁଙ୍କୁ ଡାକି ବାସୁ ଦାସ ପାର୍ଟ ଦେଇଥିଲେ । କେତେକ ବିଶେଷ କାରଣରୁ ଦୁଇ ରାତ୍ର ପରେ ତାଙ୍କ ବଦଳରେ ଜଗନ୍ନାଥ ବଲ୍ଲଭର ଶ୍ରୀ ନିମାଇଁ ଚରଣ ସିହ୍ନା ସେହି ପାର୍ଟ କଲେ ।

 

ରାସଦଳ ବା ଓଡ଼ିଶା ଥିଏଟର୍ସ ‘ଢୋକେ ପିଇ ଦଣ୍ଡେ ଜୀଇବା’ ଅବସ୍ଥା କେବେ ଘଟି ନାହିଁ । ସବୁ ବିଷୟ ମୁଁ ଭଲଭାବେ ଜାଣେ । ଆହୁରି ମଧ୍ୟ ଶ୍ରୀ ନାରାୟଣ ଚନ୍ଦ୍ର ଦାସଙ୍କ ପ୍ରରୋଚନା ଓ ଉଦ୍ୟମରେ ଓଡ଼ିଶା ଥିଏଟର୍ସ ଆଦୌ ଗଢ଼ା ହୋଇ ନାହିଁ । ସ୍ୱର୍ଗତ ବଙ୍କିମ ସରକାର, ନରେଶ (ହାବୁ) ସରକାର, ସୁଧୀର ସେନ (କାଲୁବାବୁ) ପ୍ରଭୃତି ଓଡ଼ିଶା ଥିଏଟର୍ସ ଆରମ୍ଭରେ ସହଯୋଗ କରିଛନ୍ତି । ଏ ସମୟରେ ସାଧୁବାବୁ କିମ୍ବା ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଅନୁଷ୍ଠାନ ଗଢ଼ା ବା ପରିଚାଳନାରେ କୌଣସି ଭାଗ ନେଇ ନ ଥିଲେ । ନାରାୟଣବାବୁ କେବଳ କବିଚନ୍ଦ୍ରଙ୍କର କେତେକ ନାଟକ ପ୍ରକାଶ କରିବା ଲାଗି ତାଙ୍କ ଘରକୁ ଯାତାୟତ କରୁଥିଲେ, ସେ ପୁଣି ଅନୁଷ୍ଠାନ ଆରମ୍ଭର ଦୁଇବର୍ଷ ପରେ ।

 

ବେକାର ନାଟକର ରେଳଷ୍ଟେସନ ଦୃଶ୍ୟରେ ସାଧୁବାବୁ ଯାତ୍ରୀରୂପେ ଓହ୍ଲାଇ ସେଠାରୁ ଭିତରକୁ ଚାଲିଯିବା ଅଭିନୟ ଦୁଇଦିନ କଲା ପରେ–‘କ୍ଷେତ୍ରବାସ’ ନାଟକ ପରି ବିଶେଷ କାରଣ ଯୋଗୁଁ ଅନ୍ୟଲୋକ ସେ ଅଭିନୟ କରିଥିଲେ । ଏକଥା ମୁଁ ଏକା ନୁହେଁ, ଆମ ଦଳ ଭିତରୁ ପ୍ରାୟ ସମସ୍ତେ ଜାଣନ୍ତି ।’’

 

(ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂହ, ମାଳିସାହି, ପୁରୀ)

 

ଓଡ଼ିଶା ରଙ୍ଗମଞ୍ଚ ଇତିହାସରେ ସ୍ୱର୍ଗତ ସାଧୁବାବୁଙ୍କ ସ୍ୱରଚିତ ଗୁଡ଼ିଏ ଗୀତ ସ୍ଥାନ ପାଇଛି-। ଏଗୁଡ଼ିକ ରଙ୍ଗମଞ୍ଚ ସହିତ ସମ୍ପୃକ୍ତ କି ନୁହେଁ, ପାଠକପାଠିକା ବିଚାର କରିବେ ।

 

ଏହାଛଡ଼ା ମଞ୍ଚ ସମ୍ବନ୍ଧେ ମୋ ସମ୍ପର୍କରେ କେତେଗୁଡ଼ିଏ ଭ୍ରମପୂର୍ଣ୍ଣ ବିଷୟ ସେଥିରେ ଲେଖା ଯାଇଅଛି । ସେ ସମସ୍ତକୁ ସ୍ଥାନ ଦେଲେ ଓ ବିଚାର କଲେ ତାହା ଓଡ଼ିଶା ରଙ୍ଗମଞ୍ଚ ଇତିହାସର ଏକ ଆଲୋଚନା ଗ୍ରନ୍ଥ ହେବ । ତେଣୁ ଏତିକିରେ ନିରବ ରହିଲି ।

 

ମୋର ବହୁକାଳର ବନ୍ଧୁ ସ୍ୱର୍ଗତ ସାଧୁବାବୁ ଏବଂ ସମ୍ପାଦକ ମହୋଦୟଙ୍କର ମୋ ପ୍ରତି ଏଭଳି ସ୍ନେହାନୁରାଗ ଲାଗି ବିଶେଷ ଧନ୍ୟବାଦ ଜଣାଉଛି ।

✽✽✽

 

ଡାଏରୀରୁ ଯତକିଞ୍ଚିତ୍

 

୧୯୩୨ ସାଲରୁ ମୁଁ ରୀତିମତ ଡାଏରୀ ଲେଖେ । ମଉସା ଗୋପାଳ ପ୍ରହରାଜେ ଫି ବର୍ଷ ଖଣ୍ଡିଏ ଲେଖାଏଁ ଡାୟରୀ ମୋତେ ଦେଇ, ଏ ଅଭ୍ୟାସ କରାଇଛନ୍ତି । ସେ ପୁଣି ଏଭଳି ଛାଟଧାରା ଅବଧାନ ଯେ ବର୍ଷ ଶେଷରେ ମୁଁ ନିତି ଡାଏରୀ ଲେଖୁଛି କି ନାହିଁ ଜଣାଇବାକୁ ତାଙ୍କୁ ମୋ ଲେଖା ଡାଏରୀ ଦେଖାଇ ଆଗାମୀ ବର୍ଷର ଡାଏରୀ ଖଣ୍ଡିଏ ତାଙ୍କ ପାଖରୁ ନେବା ଲାଗି କଡ଼ା ତାଗିଦା କରିଥାନ୍ତି । ଏବେ ସେଇ ସବୁ ପୁରୁଣା ଡାଏରୀ ‘କୁମ୍ଭାର ଚକ’ ଲେଖାକୁ ବଡ଼ ସାହାଯ୍ୟ କରୁଛି । ଆଜି ଅଙ୍ଗେ ଅଙ୍ଗେ ନିଭାଉଛି ଯେ ବଡ଼ ବଡ଼ଙ୍କ କଥା ମାନି ଚଳିଲେ ଜୀବନର କି ଉପକାର ହୁଏ । ମଉସାଙ୍କୁ ଝୁରି ନ ହେବି କେମିତି ? ସେ ତା ୨୭।୯।୧୮୭୪ ରିଖରେ ଭୂଇଁକୁ ଆସି ତା ୨୬ ।୫ ।୧୯୪୯ରିଖରେ ଭୂଇଁ ଛାଡ଼ି ଚାଲିଗଲେ ।

 

ଡାଏରୀକୁ ଭରସା କରି କୁମ୍ଭାର ଚକରେ ଏ ଫଟାକପାଳିଆ ଜୀବନର ଯାହାସବୁ ମୁଁ ବିଶେଷ ଘଟଣା ବୋଲି ମନେକରି, ଟିକେ ଟିକେ ତାକୁ ବାଢ଼ି ବସୁଛି । ସବୁ ବଖାଣିବା ତ ସମ୍ଭବ ନୁହେଁ । ସେ ଖଣ୍ଡିଏ ଗ୍ରନ୍ଥ ହୋଇଯିବ ବୋଲି ଡର ।

 

ଜନ୍ମ ଜୟନ୍ତୀ–ପ୍ରଥମ ବର୍ଷ :

 

ତା ୧୧।୧।୫୬ରିଖରେ ଶ୍ରୀମତୀ ସରଳା ଦେବୀ ଶ୍ରୀରାମଚନ୍ଦ୍ର ଭବନରେ ପ୍ରଥମ ଥରପାଇଁ ମୋର ଜୟନ୍ତୀ ସଭା ଆରମ୍ଭ କଲେ । ପିଲାଦିନେ ସରଳା ଦେଈ ତାଙ୍କ ପିତୃବ୍ୟ ବାଙ୍କିରେ ସେତେବେଳର ଡେପୁଟି କଲେକ୍ଟର ସ୍ୱର୍ଗତ ବାଳମୁକୁନ୍ଦ କାନୁନଗୋଙ୍କ ପାଖରେ ରହୁଥିଲେ । ସରଳାଦେଈଙ୍କ ଡାକ ନାଆଁ ‘ଦୁଃଖୀ’ । ଚର୍ଚ୍ଚିକା ମାଇନର ସ୍କୁଲରେ ସେ ତଳ ଶ୍ରେଣୀରେ ଓ ମୁଁ ଉପର ଶ୍ରେଣୀରେ ପଢୁଥାଉଁ । ଦୁଃଖୀଦେଈଙ୍କୁ ବାଳମୁକୁନ୍ଦବାବୁ ଟିକିଏ ସଙ୍ଗୀତ ଶିକ୍ଷା ଦେବାକୁ ଇଚ୍ଛା କଲେ । ବାଙ୍କିରେ ପାଟପୁର ଗ୍ରାମର ଜଣେ ବେହେଲା ବାଦକ ଦୁଃଖୀଦେଈଙ୍କୁ ବେହେଲା ଶିଖାଉଥିଲେ । ଆମ ଘରକୁ ବାଳମୁକୁନ୍ଦବାବୁଙ୍କ କୋଠି ଖୁବ୍ ପାଖ । ଆମ ଘରୁ ତାଙ୍କ ବସାକୁ ଓ ତାଙ୍କ ବସାରୁ ଆମ ଘରକୁ ପରିବାରମାନେ ଯିବାଆସିବା କରନ୍ତି । ମୋ ବାପାଙ୍କର ବାଳମୁକୁନ୍ଦବାବୁଙ୍କ ସହ ବନ୍ଧୁତ୍ୱ ଥାଏ । ଦୁଃଖୀ ଦେଈଙ୍କର ମୁଁ ସେଇକାଳୁ କାଳୀଭାଇ ।

 

କୌଣସି ସ୍କୁଲ, କଲେଜରେ ବେଶି ପାଠ ପଢ଼ି ନ ଥିଲେ ମଧ୍ୟ ଦୁଃଖୀ ଦେଈଙ୍କ ଜ୍ଞାନ ଊଣା ନୁହେଁ । ସେ ‘ଭାରତ ଛାଡ଼’ ଆନ୍ଦୋଳନବେଳେ କାରାବରଣ କରିଥିଲେ ।

 

‘ରାୟ ରାମାନନ୍ଦ’ ପ୍ରଭୃତି କେତେଖଣ୍ଡି ବହି ତାଙ୍କରି ଲେଖା । ଓଡ଼ିଆ ସାହିତ୍ୟ ଛଡ଼ା ସଂସ୍କୃତ କିଛି କିଛି ମଧ୍ୟ ସେ ପଢ଼ିଛନ୍ତି । ମୋର ଓଡ଼ିଶା–ଥିଏଟର୍ସ ଚାଲୁଥିବାବେଳେ ସେ ମୋତେ ବରାବର ନାନାଭାବରେ ସାହାଯ୍ୟ କରିଛନ୍ତି ।

 

ସେ ବିଶେଷ ଆୟୋଜନ କରି ଶ୍ରୀରାମଚନ୍ଦ୍ର ଭବନରେ ମୋର ଜନ୍ମଜୟନ୍ତୀ ପାଳନର ବ୍ୟବସ୍ଥା କଲେ । ମୋର ଧର୍ମପିତା ସ୍ୱର୍ଗତ ଚିନ୍ତାମଣି ଆଚାର୍ଯ୍ୟେ ସଭାରେ ସଭାପତି ହୋଇଥିଲେ । ଡଃ. ହରେକୃଷ୍ଣ ମହତାବ ସେତେବେଳେ ଥିଲେ ବମ୍ବେର ରାଜ୍ୟପାଳ । ସେ ଦୁଃଖୀଦେଈଙ୍କଠାରୁ ନିମନ୍ତ୍ରଣ ଚିଠି ପାଇ ଶୁଭେଚ୍ଛାପତ୍ର ସହ ଗୋଟିଏ ରୁପା ପାନଡିବା ପାର୍ଶଲ କରି ପଠାଇଲେ । ୧୧।୧।୫୬ ତାରିଖ ଦିନ ଡିବାଟି ଦୁଃଖୀଦେଈ ଜୟନ୍ତୀ ସଭାରେ ମୋତେ ଉପହାର ଦେଲେ । ଶ୍ରୀ ଭାଗୀରଥୀ ମହାପାତ୍ରେ ଓ ସ୍ୱର୍ଗତ ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖ ବହୁ ଶୁଭାକାଂକ୍ଷୀ ବନ୍ଧୁ ମୋତେ ନାନା ଉପହାର ଦେଇ ଶୁଭକାମନା କଲେ । ଶ୍ରୀ ଅଦ୍ୱୈତ ମହାନ୍ତି ସ୍ୱରଚିତ କବିତା ଛପାଇ ବାଣ୍ଟିଥିଲେ, ଗୋଟିଏ ଛୋଟ ସ୍ମରଣିକା ମଧ୍ୟରେ । ବହୁ ବିଶିଷ୍ଟ ସାହିତ୍ୟିକ, ସଙ୍ଗୀତ ଗାୟକ ଓ ପଦସ୍ଥବ୍ୟକ୍ତି ଜୟନ୍ତୀ ସଭାରେ ଯୋଗଦେଇ ମୋ ପ୍ରତି ସ୍ନେହ ସମାଦର ପ୍ରକାଶ କରିଥିଲେ ।

 

ଏହାପରେ ୧୯୬୮–୬୯ରୁ ଡଃ. ହରେକୃଷ୍ଣ ମହତାବଙ୍କ ପୌରୋହିତ୍ୟରେ ସର୍ବଶ୍ରୀ ନଗେନ ବେଉରିଆ, ସାମ୍ବାଦିକ ରାମହରି ମିଶ୍ର, ବସନ୍ତ ଦାସ, ଶୁଭେନ୍ଦ୍ର ବର୍ମା, ବିଭୂତି ତ୍ରିପାଠୀ ଓ ନିମାଇଁ ଚରଣ ପାଣି ପ୍ରଭୃତି ମୋର ଶୁଭେଚ୍ଛୁ ବନ୍ଧୁମାନେ ଜନ୍ମଜୟନ୍ତୀ କଟକରେ ପାଳି ଆସିଛନ୍ତି । କଟକ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଜୟନ୍ତୀ ପାଳିତ ହୋଇଆସୁଛି ।

 

ଏକ ବିଚିତ୍ର ସମ୍ବାଦ :

 

୧୯୭୩ ଏକ ବିଚିତ୍ର ସମ୍ବାଦ ‘କବିଚନ୍ଦ୍ର ସ୍ମରଣିକା’ ୧୯୭୩ରେ ପ୍ରକାଶିତ ହେଲା । ଏହାର ସମ୍ପାଦକ ଥିଲେ ଶ୍ରୀ ରବିନାରାୟଣ ମହାପାତ୍ର । ଏହି ସ୍ମରଣିକାର ପୃ୨୧ଷ୍ଠାରେ ମୋର ଅପରିଚିତ ଜଣେ ଭଦ୍ରବ୍ୟକ୍ତି–‘କବିଚନ୍ଦ୍ର ଓ ସୂତାହାଟ’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଛନ୍ତି, ସେଥିରୁ ଅଳ୍ପାଂଶ ଉଦ୍ଧାର କରାଯାଉଛି ।

 

X X X

 

‘‘ବହୁତଦିନ ତଳର କଥା । ମସିହା ମନେ ନାହିଁ । ଏହା ୧୯୪୨ କିମ୍ବା ୧୯୪୩ ହେବ-। କାଳୀବାବୁ ତାଙ୍କର ସ୍ୱହସ୍ତ ଲିଖିତ ପ୍ରଥମ ନାଟକ ‘ଚୁମ୍ବନ’ ମଞ୍ଚସ୍ଥ କରିଥାଆନ୍ତି– ବାଙ୍କାବଜାରରେ-। ତାଙ୍କର ପ୍ରେକ୍ଷାଳୟର ନାମ ରଖିଥାଆନ୍ତି–‘ଓଡ଼ିଶା ଥିଏଟର୍ସ’ । ଚୁମ୍ବନ ପରେ ମଞ୍ଚସ୍ଥ ହେଲା ଗାର୍ଲସ୍କୁଲ ଓ ତା’ପରେ ପରେ ଜୟଦେବ । ‘ଜୟଦେବ’ ଆଣିଲା ତାଙ୍କର ଜୟ ଜୟକାର-

 

ପ୍ରେକ୍ଷାଳୟରେ ଦର୍ଶକବର୍ଗ ହେଲେ ମୁଗ୍ଧ ଓ ବିଭୋର । ନବ ଭାରତର ସମ୍ପାଦକ ଓ କର୍ମଚାରୀମାନଙ୍କର ନଜର ପଡ଼ିଲା କାଳୀବାବୁଙ୍କ ଉପରେ । ସେମାନେ କାଳୀବାବୁଙ୍କଠାରେ କବି ପ୍ରଭାର ଆଭା ଦେଖିପାରିଲେ । ଶ୍ରୀ ସଦାଶିବ ନନ୍ଦ ବାଣୀଭୂଷଣ ଶର୍ମାଙ୍କ ନେତୃତ୍ୱରେ ନବଭାରତ କର୍ମଚାରୀମାନଙ୍କ ଭିତରୁ କେତେକ ଅଧୀନ ଲେଖକର ସୂତାହାଟ ମୁକାମସ୍ଥ ଗୃହର ପ୍ରାଙ୍ଗଣରେ ମିଳିତ ହୋଇ ନିଷ୍ପତ୍ତି କଲେ–କାଳୀବାବୁଙ୍କୁ–‘କବିଚନ୍ଦ୍ର’ ଉପାଧିରେ ଭୂଷିତ କରି ତାଙ୍କୁ ଉତ୍ସାହିତ କରିବାକୁ ହେବ । ମାନପତ୍ର ଲେଖା ହେଲା । ସେହିଦିନ ରାତ୍ରିରେ ଜୟଦେବ ନାଟକର ପ୍ରଥମ ଅଙ୍କ ପରେ ପରେ ରଙ୍ଗମଞ୍ଚରେ ଆବିର୍ଭୂତ ହେଲେ ସ୍ୱନାମଧନ୍ୟ ପଣ୍ଡିତ ସ୍ୱର୍ଗତ ନୀଳକଣ୍ଠ ଦାଶ । ତାଙ୍କ ପଛେ ପଛେ ଆସିଲେ ସଦାଶିବବାବୁ ଓ କାଳୀବାବୁ । ମାନ୍ୟବର ପଣ୍ଡିତ ମହାଶୟ ଜୟଦେବଙ୍କ ବିଷୟରେ ସଂକ୍ଷିପ୍ତ ଭାଷଣ ଦେଇ ଶ୍ରୋତୃବର୍ଗଙ୍କୁ ମୁଗ୍ଧ କଲେ । ସେହି ମୁହୂର୍ତ୍ତରୁ କାଳୀବାବୁ ‘କବିଚନ୍ଦ୍ର’ ନାମରେ କବି ସମାଜରେ ପରିଚିତ ଓ ଆଦୃତ ।

 

କାଳର ଗତି ବଡ଼ ବିଚିତ୍ର । ଯେଉଁ ସୂତାହାଟ କାଳୀବାବୁଙ୍କ ପାଇଁ କବିଚନ୍ଦ୍ର ଉପାଧି ଉପଯୁକ୍ତ ବୋଲି ଠିକ୍ କରିଥିଲା, ସେହି ସୂତାହାଟର ଅଧିବାସୀ ତରୁଣ କବି ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କର ଜୟନ୍ତୀ ପାଳିତ ହେଉଅଛି । ସୂତାହାଟ ପକ୍ଷରେ ଏହାଠାରୁ ବଳି ଆନନ୍ଦର କଥା ଆଉ କ’ଣ ଥାଇପାରେ ?’’

 

X X X

 

ପଦେ କହୁଛି :

 

ଲେଖକ ମହାଶୟ ଲେଖୁଛନ୍ତି ‘ଚୁମ୍ବନ’ ମୋର ପ୍ରଥମ ନାଟକ ଏବଂ ଏହାପରେ ଗାର୍ଲସ୍କୁଲ ଓ ଜୟଦେବ ।

 

ମୁଁ ତ କହିବି ଯେ ଲେଖକ ମହାଶୟ ସଜ୍ଞାନରେ ଥାଇ ଏ କଥା ବୋଧହୁଏ ଲେଖି ନାହାନ୍ତି । କାରଣ ‘ଗାର୍ଲସ୍କୁଲ’ ଓଡ଼ିଶା ରଙ୍ଗମଞ୍ଚର ପ୍ରଥମ ଅଭିନୀତ ନାଟକ ବୋଲି ଲୋକେ ଜାଣିଛନ୍ତି ଓ ଦେଖିଛନ୍ତି । ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାଶ ‘ଚୁମ୍ବନ’ ନାଟକ ସମ୍ବନ୍ଧେ ତାଙ୍କ ସମ୍ପାଦିତ ‘ନବଭାରତ’ ପତ୍ରିକାରେ ବିରୁଦ୍ଧ ମତ ପ୍ରକାଶ କରିଥିଲେ । ଏ ସମ୍ବନ୍ଧୀୟ ଘଟଣା ମୋର ପ୍ରକାଶିତ ‘ଚୁମ୍ବନ’ ନାଟକରେ ବର୍ଣ୍ଣନା କରିଛି ।

 

‘ଜୟଦେବ’ ନାଟକ ପ୍ରଦର୍ଶନ କାଳରେ ‘କବିଚନ୍ଦ୍ର ଉପାଧି ମୋତେ ଦିଆଯାଇଥିବା କଥା ଯାହା ଲେଖିଛନ୍ତି ଶ୍ରୀପତି, ତାହା ପ୍ରଳାପ ଭିନ୍ନ ଆଉ କିଛି ନୁହେଁ ।

 

ଜୟଦେବ ନାଟକର ଅଭିନୟ କାଳ ୧୯୪୩ ସାଲ ମେ ମାସ ପ୍ରଥମ ସପ୍ତାହ :

 

ଏ ସମ୍ବନ୍ଧରେ ଏଠାରେ ବିସ୍ତାର ଆଲୋଚନା କରି ଅଯଥା ପୁସ୍ତକର ପୃଷ୍ଠା ବଢ଼ାଇବା ସମୁଚିତ ମଣୁ ନାହିଁ । ନିମ୍ନରେ ତା ୧୪।୨।୭୩ରିଖ ମାତୃଭୂମିରେ ପ୍ରକାଶିତ ଶ୍ରୀମତୀ ସରଳାଦେବୀଙ୍କ ପ୍ରତିବାଦଟି ପାଠ କଲେ ସହୃଦୟ ପାଠକ ପାଠିକା ସହଜରେ ବାରିପାରିବ ଯେ ଏ ବିଚିତ୍ର ରଚନା କାହାର ବା ଏହାର ମୂଳରେ କିଏ ।

 

ମାତୃଭୂମି–ତା ୧୪–୨–୭୩

କାଳୀଚରଣ ଓ କବିଚନ୍ଦ୍ର

 

ମହାଶୟ, କବିଚନ୍ଦ୍ର ସ୍ମରଣିକା ୧୯୭୩ ଦେଖିଲି । ଏଥିରେ ‘କବିଚନ୍ଦ୍ର’ ଓ ‘ସୂତାହାଟ’ ନାମକ ଏକ ପ୍ରବନ୍ଧରେ ଶ୍ରୀ ପ୍ରଭାସଚନ୍ଦ୍ର ପତି ଲେଖିଛନ୍ତି ଯେ ୧୯୪୨ ବେଳକୁ ସୂତାହାଟର କେତେକ ଭଦ୍ରବ୍ୟକ୍ତି ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସ ଓ ଶ୍ରୀ ସଦାଶିବ ବାଣୀଭୂଷଣ ପ୍ରମୁଖଙ୍କ ଦ୍ୱାରା ସୂତାହାଟରେ କବିଚନ୍ଦ୍ର ଉପାଧିରେ ଶ୍ରୀ କାଳୀଚରଣ ପଟ୍ଟନାୟକ ଭୂଷିତ ହେଲେ; କିନ୍ତୁ ଭୁଲ କଥା । ସେ ବିଷୟରେ ତଥ୍ୟ ସଂଗ୍ରହ ନ କରି ଲେଖକ ଏକ କପୋଳକଳ୍ପିତ ନିବନ୍ଧ ଲେଖିବା ଅଯୌକ୍ତିକ ହୋଇଛି ।

 

ମୁଁ କାଳୀବାବୁଙ୍କୁ ମୋର ବାଲ୍ୟବସ୍ଥାରୁ ଜାଣେ । ସେ ପୁରୀ ଗଜପତିଙ୍କ ଗହଣରେ ଥିବାବେଳେ ସ୍ୱର୍ଗତ ଗଜପତି ଶ୍ରୀ ରାମଚନ୍ଦ୍ର ଦେବ ତାଙ୍କର କାବ୍ୟକବିତା ଓ ସଙ୍ଗୀତରେ ଉତ୍କୃଷ୍ଟ ରଚନା ପାଠକ କରି ତାଙ୍କୁ ୧୯୨୪–୨୫ ସୁନିଆଁ ଦିନ ‘କବିଚନ୍ଦ୍ର’ ଉପାଧିରେ ଭୂଷିତ କରି ମାଦଳା ପାଞ୍ଜିରେ ତାହା ଉଲ୍ଲେଖ କରାଇଥିଲେ । ତହିଁ ପରେ ସେ ୧୯୪୬ ସାଲରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ବୋଲି ସନନ୍ଦରେ ଲେଖି ତାଙ୍କୁ ଶ୍ରୀ ଜଗନ୍ନାଥଙ୍କର ଚାମର ସେବା କରିବାର ଅଧିକାର ସହିତ ମରଣାନ୍ତେ ବୈଷ୍ଣବାଗ୍ନି ପ୍ରାପ୍ତିର ସୌଭାଗ୍ୟ ଦେଲେ । ଏହି ସନନ୍ଦର ଗୋଟିଏ ଫଟୋଷ୍ଟାର୍ଟ କପି କାଳୀବାବୁଙ୍କ ‘ଗୀତଗୋବିନ୍ଦ’ ନାଟକରେ ପ୍ରକାଶିତ ହୋଇଅଛି । କଟକର ସୂତାହାଟରୁ କବିଚନ୍ଦ୍ର ଉପାଧି ପାଇଥିଲେ, ତାହା ପୁରୀ ଗଜପତିଙ୍କ ସନନ୍ଦରେ ସ୍ଥାନ ପାଇଥାନ୍ତା କି ?

 

ଏହାଛଡ଼ା ୧୯୨୬ ସାଲରେ ପ୍ରକାଶିତ କାଳୀବାବୁଙ୍କ ‘ସଙ୍ଗୀତ ସାର’ ପୁସ୍ତକରେ ଏହା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ରଚିତ ବୋଲି ଛପା ହୋଇଅଛି । ପୁସ୍ତକଟି ଏପର୍ଯ୍ୟନ୍ତ କାଳୀବାବୁଙ୍କ ଲାଇବ୍ରେରୀରେ ରହିଛି । ଏହାର ପ୍ରକାଶକ ପୁରୀର ତଦାନୀନ୍ତନ ଜମିଦାର ସ୍ୱର୍ଗତ ଶ୍ରୀ ରାଧାଚରଣ ପଟ୍ଟନାୟକ ।

 

ଏତେସବୁ ପ୍ରମାଣ ଥିବା ସତ୍ତ୍ୱେ କବିଚନ୍ଦ୍ରଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବା ଉଚିତ ହେଲା କି ?

 

ଶ୍ରୀମତୀ ସରଳାଦେବୀ, କଟକ ।

 

ଟିକିଏ ବିଚାରକୁ ଆସୁ :

 

ମୋର ‘କବିଚନ୍ଦ୍ର’ ଉପାଧି ଲାଭ ସମ୍ବନ୍ଧେ ୧୯୭୩ରେ ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକାରେ ଶ୍ରୀ ପ୍ରଭାସ ଚନ୍ଦ୍ର ପତି ଲେଖିଥିବା ନିତାନ୍ତ ଭ୍ରାନ୍ତ ଓ ଅମୂଳକ ସମ୍ବାଦ ପ୍ରଚାର ଆମ ଭାବୀ ବଂଶଧର ବା ଦାୟାଦକୁ କିପରି ଭଦ୍‌ଭ୍ରାନ୍ତ କରାଇ ପାରେ ତାହାର ଏକ ପ୍ରମାଣ ଦେଖନ୍ତୁ ।

 

ତା ୮।୨।୭୫ ରିଖରେ ମୋ ନାଟକ ଅଭିଯାନର ଗୋଟିଏ ଆଲୋଚନା ପୁସ୍ତକ କିଣି ଆଣିଲି । ନିର୍ଦ୍ଦିଷ୍ଟ ନାମ ନ ଥାଉ ‘ଅଧ୍ୟାପକ ମଣ୍ଡଳୀ’ ଏ ପୁସ୍ତକଟିର ଲେଖକ ବୋଲି ଛପା ହୋଇଅଛି । ପୁସ୍ତକଟିର ପ୍ରକାଶକ ବୁକ୍ସ ଏଣ୍ଡ ବୁକ୍ସ, ବିନୋଦ ବିହାରୀ, କଟକ । ମୂଲ୍ୟ ତିନିଟଙ୍କା ପଚାଶ ପଇସା । ୨ୟ ସଂସ୍କରଣ ୧୯୪୭ ।

 

ସେଥିରେ ଆଲୋଚନାର ସ୍ଥଳବିଶେଷର ୨୦ ପୃଷ୍ଠାରେ ୬।୭ ଧାଡ଼ିରେ ଲେଖାଯାଇଅଛି ଯେ–‘ନବଭାରତ’ ପତ୍ରିକା ଆନୁକୂଲ୍ୟରେ ତାଙ୍କୁ ‘କବିଚନ୍ଦ୍ର’ ଉପାଧିରେ ଭୂଷିତ କରାଯାଇଥିଲା ।

 

ପ୍ରଜାତନ୍ତ୍ର ତା ୨୧।୨।୭୫ ରିଖ, ଶୁକ୍ରବାର

ସାଧୁ ! ସାଧୁ !

 

ମହାଶୟ,

 

ବେଳେବେଳେ ଓଡ଼ିଆ ପାଠ୍ୟରୂପେ ନେଇଥିବା କେତେକ ଛାତ୍ର ଓଡ଼ିଆ ସାହିତ୍ୟ ବୁଝିବାକୁ ମୋ ପାଖକୁ ଆସନ୍ତି । ଗଲା ତା ୮।୧।୭୫ରିଖରେ ଦି’ଜଣ ଛାତ୍ର ଆସି ମୋତେ ଖଣ୍ଡିଏ ‘ଅଭିଯାନ ସମାଲୋଚନା’ ବହି ଦେଖାଇଲେ । ବହିର ଲେଖକ–ଅଧ୍ୟାପକ ମଣ୍ଡଳୀ ଓ ପ୍ରକାଶକ–ବୁକ୍ସ ଏଣ୍ଡ ବୁକ୍ସ, ବିନୋଦ ବିହାରୀ, କଟକ ।

 

ଦେଖିଲି ସମାଲୋଚକ ଅଧ୍ୟାପକମାନେ ନାଟକଟି ଭିତରେ ଗଭୀର ଭାବରେ ପ୍ରବେଶ କରିଛନ୍ତି । ସମାଲୋଚନାଟି ଭାରି ସୁନ୍ଦର ଲାଗିଲା । ଛାତ୍ରମାନେ ମୋତେ ପଚାରିଲେ–ମୁଁ କ’ଣ ‘ନବଭାରତ’ ପ୍ରେସ ଆନୁକୂଲ୍ୟରୁ ‘କବିଚନ୍ଦ୍ର’ ଉପାଧି ପାଇଛି ? ଶୁଣି ତାଟକା ହେଲି । ପୁରୀର ଗଜପତି ରାଜା ସ୍ୱର୍ଗୀୟ ରାମଚନ୍ଦ୍ର ଦେବ ୧୯୨୭ ସାଲ ସୁନିଆଁ ଦିନ ମୋତେ ‘କବିଚନ୍ଦ୍ର’ ଉପାଧି ଦେଇ ମଥାରେ ଶିରୋପା ବାନ୍ଧିଦେଲେ । ସେ ବର୍ଷର ମାଦଳା ପାଞ୍ଜି ଦେଖିଲେ ବଳେ ଏ କଥାର ପ୍ରମାଣ ମିଳିବ । ସନନ୍ଦ ମୋ ପାଖରେ ମଧ୍ୟ ଅଛି । ୧୯୨୭ ଓ ତା’ ପରବର୍ତ୍ତୀ ମୋ ଗୀତ ଓ ନାଟକ ବହିମାନଙ୍କରେ ଲେଖକ–କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ବୋଲି ଛପା ହୋଇଛି । ନବଭାରତ ପ୍ରେସର ପ୍ରତିଷ୍ଠା ହେଲା ବହୁପରେ (୧୯୩୭) ଲେଖକ ମଣ୍ଡଳୀ ତାଙ୍କ ମନ ଇଚ୍ଛା ମୋ କବିଚନ୍ଦ୍ର ଉପାଧି ନବଭାରତ ପ୍ରେସରୁ ପାଇବାର ଲେଖିଛନ୍ତି । ବହିଟି ଛପା ହୋଇଛି । ଛାତ୍ରମାନେ ପଢ଼ୁଛନ୍ତି । ସେମାନେ ଆମ ଭାବୀ ବଂଶଧର । ଏପରି ଅପପ୍ରଚାର କରି ସେମାନଙ୍କ ମନରେ ଭ୍ରାନ୍ତଧାରଣା ଜନ୍ମାଇବା କ’ଣ ଅଭିଯାନ ସମାଲୋଚକ ଅଧ୍ୟାପକମାନଙ୍କ ପକ୍ଷେ ସମୁଚିତ ହେଲା । ମୁଁ ସେମାନଙ୍କୁ ଏହାର ବିହିତ ବିଚାର କରିବାକୁ କହୁଛି ।

 

ବହିର [୨ୟ ସଂସ୍କରଣ] ୨୦ ପୃଷ୍ଠା ୯ ଧାଡ଼ିରେ ଏଭଳି ପ୍ରମାଦପୂର୍ଣ୍ଣ ଲେଖା ପ୍ରକାଶିତ (୧୯୪୭) ।

 

ଏହାଛଡ଼ା ଆଉ ଏକ ହାସ୍ୟାସ୍ପଦ ସମ୍ବାଦ ସେ ବହିର ପୃଷ୍ଠା ୨୪ ଧାଡ଼ିରେ ପ୍ରକାଶ ପାଇଛି । ମୁଁ କୁଆଡ଼େ ମୋ ଥିଏଟର ଦଳ ଭାଙ୍ଗିବା ପରେ ଅନ୍ନପୂର୍ଣ୍ଣା ଥିଏଟର୍‌ରେ ସଂଶ୍ଳିଷ୍ଟ ହେଲି !

 

ଏକଥା ସତ କି ମିଛ ସଭିଏଁ ଜାଣନ୍ତି, ଅଧ୍ୟାପକ ସମାଲୋଚକମାନଙ୍କ ବିଜ୍ଞବୁଦ୍ଧିକୁ ହସି ହସି ସାଧୁବାଦ ଜଣାଉଛି ।

 

କାଳୀଚରଣ ପଟ୍ଟନାୟକ ।

 

ଅଧ୍ୟାପକମଣ୍ଡଳୀ ବୋଧହୁଏ ମୋର ‘କବିଚନ୍ଦ୍ର’ ଉପାଧିଲାଭ ସମ୍ବନ୍ଧେ ଅପପ୍ରଚାରଦ୍ୱାରା ବା ଏହି ୧୯୭୩ରେ ପ୍ରକାଶିତ ସ୍ମରଣିକା ପାଠକରି ଏପରି ପ୍ରମାଦପୂର୍ଣ୍ଣ କଥାଟାଏ ଲେଖିଛନ୍ତି । ଅଭିଯାନ ନାଟକ କଲେଜରେ ପାଠ୍ୟରୂପେ ଅନୁମୋଦିତ । ଆମରି ପିଲାଏ ଏଭଳି ଏକ ସମାଲୋଚକ ପୁସ୍ତକ ପଢ଼ୁଛନ୍ତି ।

 

ଆମରି ବଂଶଧରଙ୍କ ମନରେ ମୋ ସମ୍ବନ୍ଧେ ଏଭଳି ଏକ ନିତାନ୍ତ ଅମୂଳକ ଧାରଣା ଜନ୍ମାଇବା ମୂଳରେ କିଏ ତାହା ସହୃଦୟ ପାଠପାଠିକା ବିଚାର କରିବାକୁ ଅନୁରୋଧ ମୋର ।

 

ନୂତନ କବିଚନ୍ଦ୍ର :

 

ତା ୪।୧।୭୪ ରିଖରେ ଶ୍ରୀ ରବିନାରାୟଣ ମହାପାତ୍ର ଓ ଶ୍ରୀ ରବି ସିଂହ ପ୍ରମୁଖ ଚାରି ପାଞ୍ଚଜଣ ବନ୍ଧୁ ଜୟନ୍ତୀ ସଭା କଲେ ଶ୍ରୀରାମଚନ୍ଦ୍ର ଭବନରେ । ଶ୍ରୀ ରବି ସିଂହଙ୍କ ପ୍ରସ୍ତାବ ଅନୁସାରେ ଶ୍ରୀ ରବିନାରାୟଣ ମହାପାତ୍ର ସଭାପତି ଆସନ ଗ୍ରହଣ କଲେ ।

 

ସେହି ସଭାରେ ସଭାପତିଙ୍କ ପ୍ରସ୍ତାବକ୍ରମେ ଶ୍ରୀ ପରମାନନ୍ଦ ଅଧିକାରୀଙ୍କୁ ସେ ‘ନୂତନ କବିଚନ୍ଦ୍ର’ ଉପାଧି ପ୍ରଦାନର ପ୍ରସ୍ତାବ କଲେ । ସେଦିନ ସଭାରେ ଡ. ଶ୍ରୀରାମଚନ୍ଦ୍ର ଦାଶ ପ୍ରମୁଖ ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥିଲେ । ସଭାପତିଙ୍କର ଏବଂବିଧ ପ୍ରସ୍ତାବରେ ଉପସ୍ଥିତ ଦର୍ଶକଙ୍କର ମୁରୁକିହସା ଦେଖିଛି ଏ ଆଖି ।

 

କଟକରେ ସପ୍ତଧାରା ଓ ନୀଳଶୈଳ ପ୍ରଭୃତି ଅନୁଷ୍ଠାନ ଓ କଟକ ବାହାରେ ମଧ୍ୟ ଅନ୍ୟାନ୍ୟ ଗୁଣଗ୍ରାହକ ଶୁଭେଚ୍ଛୁମଣ୍ଡଳୀ ଜୟନ୍ତୀ ପାଳନ କରି ଶ୍ରୀରାମଚନ୍ଦ୍ର ଭବନର ଏବଂ ବିଧି ଅପୂର୍ବ ପ୍ରସ୍ତାବକୁ ଉପହାସ କଲେ ।

 

ଏବେ ଜନ୍ମଜୟନ୍ତୀ ଉତ୍ସବ (ସ୍ୱନକ୍ଷତ୍ର) ଦିଲ୍ଲୀ, କଲିକତା ପ୍ରଭୃତି ଦୂର ଦୂରାନ୍ତର ଏବଂ ଓଡ଼ିଶାର ପଶ୍ଚିମାଞ୍ଚଳର ସମ୍ବଲପୁର, ଟିଟିଲାଗଡ଼, ରାଉଲକେଲା, ବ୍ରହ୍ମପୁର ତଥା କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ପ୍ରଭୃତି ନାନା ସ୍ଥାନରେ ବର୍ଷକୁ ବର୍ଷ ପାଳନ କରୁଛନ୍ତି, ମୋର ଶୁଭେଚ୍ଛୁମାନେ । ମୁଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

 

କବିଚନ୍ଦ୍ର କର୍ଣ୍ଣର୍‌ :

 

ତାଳପତ୍ର ପୋଥି ଏବଂ ବହୁ ପୁରାତନ ଓ ନୂତନ ପୁସ୍ତକ ଇତ୍ୟାଦି ସଂଗ୍ରହ କରିବା ମୋର ଅଭ୍ୟାସ । ସେଇ ପୋଥି ସଂଗ୍ରହ ଫଳରେ ମୁଁ ‘ରାଗଚିତ୍ର’ ନାମକ ଏକ ଅମୂଲ୍ୟ ପୁସ୍ତକ ପ୍ରକାଶ କରିପାରିଛି । ଏ ପୋଥିଟିରେ କାଳ ପୋଥିର ପ୍ରଥମ ପୃଷ୍ଠାରେ ଲେଖା ଅଛି । ସଂସ୍କୃତ ଶ୍ଳୋକର ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଅନୁବାଦ ସହ ପୁସ୍ତକଟି ପ୍ରକାଶିତ । ଏଭଳି ପୁସ୍ତକଟିଏ ଅବଧି କାହିଁହେଲେ ପ୍ରକାଶିତ ହୋଇ ନାହିଁ । ଏହା ଆମ ଜାତିର କଳାକୃଷ୍ଟିର ଏକ ଅପ୍ରତିଦ୍ୱନ୍ଦ୍ୱୀ ପ୍ରକାଶ । ଉତ୍କଳର ଉତ୍‌ + କଳା ନାମ ସାର୍ଥକତାର ଏହା ପ୍ରକୃଷ୍ଟ ପ୍ରମାଣ ।

 

ଏହିପରି କେତେକ ଚିତ୍ର ସମ୍ବଳିତ ପୋଥି ଏବଂ ଅବଧି ଅପ୍ରକାଶିତ ତାଳପତ୍ର ଲେଖା ମୁଁ ବହୁ ଶ୍ରମ ସାଧନା ଓ ବ୍ୟୟରେ ସଂଗ୍ରହ କରିଛି । ରାଗଚିତ୍ର ପୋଥିଟି ରାଜ୍ୟ ସଂଗ୍ରହାଳୟରେ ରହିଛି ।

 

ଏହିସବୁ ସମ୍ବାଦ ପାଇ ରାଜ୍ୟ ସରକାରରେ ସେତେବେଳେ ମନ୍ତ୍ରୀଥିବା ସ୍ୱର୍ଗତ କାନ୍ତକବିଙ୍କର ସୁଯୋଗ୍ୟ ସନ୍ତାନ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, ଗବେଷକ ତଥା ଲେଖକ ଶ୍ରୀ ଅନିରୁଦ୍ଧ ଦାସ I.A.S. ଏବଂ ଶ୍ରୀ ଅର୍ଜୁନ ଯୋଷୀ ତା ୧୬।୧।୬୯ ରିଖ ଦିନ ମୋ ଘରକୁ ଆସିଲେ । ମୋ ସଂଗୃହୀତ ବହି ଓ ପୋଥିଗୁଡ଼ିକ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ରେ ରଖି ତାହା ‘କବିଚନ୍ଦ୍ର କର୍ଣ୍ଣର୍‌’ ନାମରେ ନାମିତ କରିବାକୁ ସେମାନେ ପ୍ରସ୍ତାବ ଦେଲେ ଏବଂ ସରକାରଙ୍କୁ ଲେଖିବେ ବୋଲି କହିଲେ । ମୋର ଖଣ୍ଡିଏ ଫଟୋ ସେମାନେ ନେଲେ, ତାହାକୁ ଏନ୍‌ଲାର୍ଜ (enlarge) କରାଇ ମ୍ୟୁଜିୟମ୍‌ର ଏହି କର୍ଣ୍ଣର୍‌ରେ ରଖିବାକୁ । ଆମର ଏ ମିଳନର ଗୋଟିଏ ଫଟୋ ମଧ୍ୟ ସେମାନେ ନେଲେ ।

 

ଏହାପରେ ଶ୍ରୀଯୁକ୍ତ ଅନିରୁଦ୍ଧବାବୁଙ୍କୁ କେତେଖଣ୍ଡି ପୋଥି ଦେଇଛି । ପୁଣି ମ୍ୟୁଜିୟମର କ୍ୟୁରେଟର ଶ୍ରୀ ନିଳମଣି ମିଶ୍ରେ ମୋଠାରୁ ତାଲିକା ଓ ପ୍ରାପ୍ତ ସ୍ୱୀକାର ରସିଦ ଦେଇ ୨୫ ଖଣ୍ଡି ପୋଥି ନେଲେ ।

 

ସେହିଦିନୁ କବିଚନ୍ଦ୍ର କର୍ଣ୍ଣର୍‌ ସମ୍ବନ୍ଧେ ମୁଁ କେତେଥର କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ (୧୯୭୫ ସୁଦ୍ଧା) ସେ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଛି ।

 

‘କାହାକୁ କହିବା ?’

✽✽✽

 

ପଦ୍ମଶ୍ରୀ

 

ପଦ୍ମଶ୍ରୀ :

 

୧୯୭୪ ଜାନୁୟାରୀ ୨୬ ତାରିଖ ଦିନ ସକାଳେ କଟକ ରେଡ଼ିଓ ସମ୍ବାଦରୁ ଶୁଣିଲି ଯେ ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ଶ୍ରୀ କେଳୁଚରଣ ମହାପାତ୍ର ଓ ମୁଁ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ଉପାଧିରେ ଭୂଷିତ ହେଲୁଁ । ପରେ ପରେ ଦିଲ୍ଲୀରୁ Home secretary ଶ୍ରୀଯୁକ୍ତ N.K. Mukherjeeଙ୍କଠାରୁ ତାର ପାଇଲି । ଲେଖାଥିଲା–‘‘I offer my congratulation on the award of Padmashree to you by the President. Regards’’.

 

କେତେ ବନ୍ଧୁ ବଧାଇ ଜଣାଇଲେ ଏ ସମ୍ବାଦରେ ।

 

ମୋର ମନେ ପଡ଼ିଗଲା । ପୁରୁଣା ଡାଏରୀ ଆଡ଼େଇଲି । ଦେଖିଲି ତା ୨୧।୧୦।୬୪ ରିଖରେ କିଲଟରସାହେବ ମୋତେ ପଦ୍ମଶ୍ରୀ ଦେବା ପ୍ରସ୍ତାବ ଘେନି ଥରେ ଚିଠି ଲେଖିଥିଲେ । ସେ କଥା ସେତିକିରେ ବନ୍ଦ ।

 

ତା ୪।୨।୭୪ ରେ ପଦ୍ମଶ୍ରୀ ପ୍ରଦାନ ସମ୍ବନ୍ଧେ ମଧ୍ୟ ଦିଲ୍ଲୀରୁ Home Secy., Minister, Information and Brodcasting ଏବଂ ଶ୍ରୀଯୁକ୍ତ ଉମାଶଙ୍କର ଦୀକ୍ଷିତ ପ୍ରଭୃତିଙ୍କଠାରୁ ଚିଠିମାନ ପାଇଲି । ମୁଁ ସେମାନଙ୍କ ନିକଟକୁ ସସମ୍ମାନେ ଉତ୍ତର ଦେଲି । ମୋ ଚିଠିଗୁଡ଼ିକ ଏକା ଭାବର; ତେଣୁ ଖଣ୍ଡକର ନକଲ ଲେଖୁଛି–

 

Cuttack

1st feb., 1974

 

To

 

The Home Secretary,

Government of india.

New Delhi.

 

Sir,

 

I must thank you From the core of my heart for your kind wire congratulating me on the occassion of my being awarded the 'Padmashree' Upadhi by the Rastrapati in the Republic day of 1974. In this connection I am However very sorry to state that I am unable to accept this distinction conferred on me.

 

Please let me explain myself–I am now at the fag-end of my life. (I am 75 years) Throughtout my whole life I have been a devotee of the Unique art, and culture of Orissa–Popularly termed–Odissi Music, Dance and Drama. My own country–men have recognised my activities by endearingly calling me–Kavichandra and Natyacharya since more than a quarter of century and the sangit Natak Akademi, New delhi has honoured me by Awarding fellowship in the yaer 1968. So at this ripe old age, honours from the state or the Rastrapati seems to be redundant. Plase therefore excuse me for my inability to accept this 'Rastriya Samman'. This may be conveyed to the prooer quarters.

 

Thanking you.

Yours faithfully,

Sri kali charan patnaik

(kabichandra kali charan patnaik)

 

ଦିଲ୍ଲୀ, ବମ୍ବେ, ଆହ୍ଲାହାବାଦ, ଅହମଦାବାଦ ଏବଂ କଲିକତାରୁ ବହୁ ବନ୍ଧୁ ଓ ଖରବକାଗଜ ମୋର ଏ ପ୍ରତ୍ୟାଖ୍ୟାନ ସମ୍ବାଦରେ ବଧାଇ ଜଣାଇଲେ ।

 

ଓଡ଼ିଶା ଓ ଓଡ଼ିଶା ବାହାରୁ ଭାରତର ଅନେକ ବନ୍ଧୁ ମଧ୍ୟ ମୋତେ ଏଥିପାଇଁ ପ୍ରଶଂସାସୂଚକ ଚିଠିମାନ ପଠାଇଲେ ।

 

ଓଡ଼ିଆ ଖବରକାଗଜରେ ମଧ୍ୟ ଏ ସମ୍ବାଦ ପ୍ରକାଶିତ ହୋଇଥିଲା । ସେଥିରୁ ଗୋଟିଏ ସମ୍ବାଦର ନକଲ ଲେଖୁଛି–

 

(ପ୍ରଜାତନ୍ତ୍ର ତା ୯।୨। ୭୪ ରିଖ–ପୃଷ୍ଠା ୩)

 

କବିଚନ୍ଦ୍ର କାଳୀଚରଣଙ୍କ ‘ପଦ୍ମଶ୍ରୀ’ ଉପାଧି ପ୍ରତ୍ୟାଖ୍ୟାନ ।

 

କଟକ, ୮।୨–କଟକ ଜଗନ୍ନାଥବଲ୍ଲଭରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଜଣାଇଛନ୍ତି–କେନ୍ଦ୍ର ସରକାର ଏବର୍ଷ ସ୍ୱାଧିନତା ଦିବସରେ (ଜାନୁୟାରୀ ଛବିଶ) ମୋତେ ପଦ୍ମଶ୍ରୀ ଉପାଧି ଦେଲେ ବୋଲି ତାର, ବେତାର ଓ ପତ୍ର ମାଧ୍ୟମରେ ଜାଣିପାରିଲି ।

 

ଏ ସମ୍ବନ୍ଧରେ ନିବେଦନ ଏତିକି ଯେ ୧୯୨୬।୨୭ରେ ପୁରୀରେ ଗଜପତି ମହାରାଜାଙ୍କଦ୍ୱାରା ‘କବିଚନ୍ଦ୍ର’, ୧୯୩୮ରେ ଉତ୍କଳ ସାହିତ୍ୟ ସମାଜଦ୍ୱାରା ‘ନାଟାଚାର୍ଯ୍ୟ’ ଏବଂ ୧୯୬୮ ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ଭାରତର ‘ରତ୍ନ ସଦସ୍ୟ’ (ଫେଲୋ) ଉପାଧିରେ ଭୂଷିତ ହୋଇ ମୁଁ ମୋ ଦେଶବାସୀଙ୍କଠାରୁ ଆଦର ପାଇଆସୁଛି ।

 

ଏବେ ମୋର ଏହି ୭୫ ବର୍ଷ ବୟସବେଳେ ଭାରତ ସରକାର ମୋତେ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଥିବାରୁ ମୁଁ ଏ ଉପାଧି ବ୍ୟାଧିରୁ ମୁକ୍ତ ହେବା ପାଇଁ ବିନୀତ ଭାବେ ତାହା ପ୍ରତ୍ୟାଖ୍ୟାନ କରି ସରକାରଙ୍କୁ ଜଣାଇ ଦେଇଛି ।

 

ମୋଟ ଉପରେ ବାରିଲି ଯେ ମୋର ଏ ପଦ୍ମଶ୍ରୀ ପ୍ରତ୍ୟାଖ୍ୟାନରେ ମୋର ବନ୍ଧୁବାନ୍ଧବ, ସ୍ନେହପ୍ରୀତି ସଭିଏଁ ଖୁସି ।

 

ପଦେ କଥା :

 

ମୋର ପଦ୍ମଶ୍ରୀ ପ୍ରତ୍ୟାଖ୍ୟାନ ଓ ଏବେ ଡକ୍ଟରେଟ୍‌ ବରଣ ଶୁଣି ପ୍ରାୟ ଦୁଇତିନିଜଣ ପଛକୁହା ନାକ ଟେକିବାର ଶୁଣିଲି ।

 

ମୁଁ ତ ଏଥିପୂର୍ବରୁ ପଦ୍ମଶ୍ରୀ ପ୍ରତ୍ୟାଖ୍ୟାନ ସମ୍ବନ୍ଧେ କାରଣ ସବୁ କହିଛି ।

 

ଏବେ ଡକ୍ଟରେଟ୍‌ ବରଣ କଥା କହୁଛି–ମୋର ବୟସ, ପରିସ୍ଥିତି, ପରିବେଶ ଇତ୍ୟାଦି ବିଚାରରେ ପଦ୍ମଶ୍ରୀ ଉପାଧିକୁ ଦୂରଫିଙ୍ଗା କରିଛି ଆଉ ମୋ ଭାଇ ଘରର ଆଦର ପରଷା ଶାଗ ପଖାଳକୁ ଆନନ୍ଦରେ ଆଦରି ନେଇଛି । ଏଥକୁ କ’ଣ ଭୁଲ କଲି ? ସହୃଦୟ ପାଠକ ପାଠିକାଙ୍କ ବିଜ୍ଞ ବିଚାର ତଳେ ମୁଁ ମଥା ନୁଆଇଁବାକୁ ରାଜି ।

✽✽✽

 

ଡକ୍ଟରେଟ୍‌

 

ଡକ୍ଟରେଟ୍‌ :

 

ଥରେ ମୋର ମନେହେଉଛି, ୧୯୭୧।୭୨ ରେ ମୋର ଜୟନ୍ତୀ କଟକରେ ପାଳିତ ହେଉଥିବାବେଳେ ସେହି ସଭାରେ ଡ. ବିଚିତ୍ରାନନ୍ଦ ମହାନ୍ତି ଉତ୍କଳ ଇଉନିଭର୍‌ସିଟି ମୋତେ ଡି.ଲିଟ୍‌ ଦିଅନ୍ତୁ ବୋଲି ଏକ ପ୍ରସ୍ତାବ ବାଢ଼ିଥିଲେ । ଏହା ମଧ୍ୟ ସଭାସ୍ଥ କେତେକ ବିଶିଷ୍ଟ ବିଦ୍ୱାନ୍‌ ଅନୁମୋଦନ କରିଥିଲେ । ସେ ଦିନ, ସେ କଥା ଗଲାଣି । ଆଉ କେତେକ ଅନୁଷ୍ଠାନ ମଧ୍ୟ ଜନ୍ମ ଜୟନ୍ତୀରେ ଏ ପ୍ରସ୍ତାବ ଉଠାଇଥିଲେ ।

 

ଏବେ ୧୯୭୪ ନଭେମ୍ବର ତା ୨୬ ରିଖରେ ଖବରକାଗଜ (ପ୍ରଜାତନ୍ତ୍ର) ଓ ତହିଁପରେ ରେଡ଼ିଓ ସମ୍ବାଦରୁ ଶୁଣିଲି ଯେ ସମ୍ବଲପୁର ଇଉନିଭର୍‌ସିଟି ମୋତେ ଏବଂ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କୁ ଅନରାରୀ ଡି.ଲିଟ୍‌ ଉପାଧି ଦେଉଛନ୍ତି । ପରେ ପରେ ଏ ସମ୍ବନ୍ଧେ ଜ୍ୟୋତିବିହାରରୁ ଚିଠି ମଧ୍ୟ ପାଇଲି ।

 

ତା ୨୩।୧।୭୫ ରିଖରେ ସମ୍ବଲପୁର ଇଉନିଭରସିଟିର ରେଜିଷ୍ଟ୍ରାର ଅଧ୍ୟାପକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ମିଶ୍ରେ କଟକ ଆସି, ମୋ ଜୀବନୀ ଟିପି ନେଇ ତା ୨୦।୨।୭୫ ରିଖରେ ଭୁବନେଶ୍ୱରଠାରୁ ଶ୍ରୀଯୁକ୍ତ ଚାନ୍‌ସେଲର୍‌ଙ୍କ ସ୍ୱୀକୃତି ମିଳିଥିବାର ମୋତେ ଜଣାଇଦେଲେ । ୨୮।୨ରେ ଶ୍ରୀଯୁକ୍ତ ଭାଇସ୍‌ଚାନସେଲର ମୋ ପାଖକୁ ଏକଥା ଲେଖି ଚିଠି ଦେଲେ ସମ୍ବଲପୁର ଇଉନିଭର୍‌ସିଟି, ଜ୍ୟୋତିବିହାରରୁ ।

 

୨୮।୩ରେ ଶ୍ରୀଯୁକ୍ତ ବ୍ରଜବାବୁ, ଅପ୍ରେଲ ୧୦।୪।୭୫ ତାରିଖରେ ମୋତେ କଟକରୁ ନେବାଲାଗି ଉପରଓଳି ଗାଡ଼ି ଆସିବ ବୋଲି ଭୁବନେଶ୍ୱରଠାରୁ ଫୋନ୍‌ କଲେ ଓ ତାଙ୍କ କଥାମତ ୧୦ ତାରିଖରେ ଗାଡ଼ି ଆସିବାରୁ ମୁଁ ୧୧।୪ ସକାଳେ ବୁର୍ଲା ଯାତ୍ରା କଲି । ବୁର୍ଲାରେ ଇଉନିଭର୍‌ସିଟି ପକ୍ଷରୁ ମୋର ରହଣି ଇତ୍ୟାଦି ବ୍ୟବସ୍ଥା କରାଯାଇଥିବାର ପତ୍ର ମଧ୍ୟ ପାଇଥିଲି ।

 

ଗୋପାଳଜୀ ମଠ :

 

ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ଶ୍ରୀ ନୀଳାମ୍ବର ଦାଶ ମୋର ସଙ୍ଗୀତ ଛାତ୍ର । ତାଙ୍କ ସହିତ ୧୯୨୯ ସାଲରୁ ମୋର ସମ୍ପର୍କ । ସେ ନିଜେ ଗୋଟିଏ ସଂସ୍କୃତ ଟୋଲ୍‌ ମଠରେ ଚଳାନ୍ତି । ଏହାଛଡ଼ା କେତେକ ଛାତ୍ର ତାଙ୍କର ସମ୍ପୂର୍ଣ୍ଣ ସାହାଯ୍ୟରେ କଲେଜରେ ପଢ଼ୁଛନ୍ତି । ପ୍ରତି ଶନିବାର ଦିନ ରାତ୍ରିରେ ମଠରେ ସଙ୍ଗୀତ ବୈଠକ ବସାଇ ଗାୟକ, ବାଦକ ଓ ଶ୍ରୋତାମାନଙ୍କୁ ଗୋପାଳଜୀଙ୍କ ପ୍ରସାଦରେ ଆପ୍ୟାୟିତ କରନ୍ତି । ନିଜେ ମହନ୍ତ ମହାରାଜ ଜଣେ ଗାୟକ ଏବଂ ବାଦକ । ଓଡ଼ିଶୀ ସଙ୍ଗୀତର ସେ ଜଣେ ପରମଭକ୍ତ । ଓଡ଼ିଶା ବାହାରୁ ମଧ୍ୟ ସମୟେ ସମୟେ ଆସୁଥିବା ଓସ୍ତାଦମାନଙ୍କୁ ସେ ମଠରେ ରଖାଇ ସମସ୍ତ ବ୍ୟବସ୍ଥା କରି ଦିଅନ୍ତି ।

 

ଏହି ମହନ୍ତ ମହାରାଜ ମୋର ବୁର୍ଲା ଯିବା କଥା ଶୁଣି ଜ୍ୟୋତିବିହାରରେ ଇଉନିଭର୍‌ସିଟି କର୍ତ୍ତାମାନଙ୍କ ସହିତ ମୋର ବୁର୍ଲାରେ ରହଣି ପ୍ରସ୍ତାବ ବଦଳରେ ସମ୍ବଲପୁରରେ ମୋ ରହିବାର ବ୍ୟବସ୍ଥା ସ୍ଥିର କଲେ । ଇଉନିଭର୍‌ସିଟିର ରେଜିଷ୍ଟ୍ରାର ମଧ୍ୟ ଏଥିରେ ରାଜି ହେଲେ ।

 

ସମ୍ବଲପୁରରେ ମୋର ସାନଭାଇ ସମ୍ପର୍କ ଶ୍ରୀ ଚୈତନ୍ୟ ଦାସଙ୍କ ଜ୍ୱାଇଁ ଶ୍ରୀ ଶ୍ୟାମସୁନ୍ଦର ମହାନ୍ତି ଟେଲିଗ୍ରାଫ୍‌ ବିଭାଗର ଏସ୍‌.ଡ଼ି.ଓ । ସେ ଫୋନ୍‌ କରି ମୋତେ ସବୁ କଥା ଜଣାଇଦେଲେ ।

 

୧୧ ତାରିଖ ପାହାନ୍ତାରେ ମୁଁ ବୁର୍ଲାରୁ ଆସିଥିବା ପ୍ରହ୍ଲାଦ ପଣ୍ଡାବାବୁ, ମୋର ସେବାକାରୀ ବନମାଳୀ ଏବଂ ପୁରୀ ଜିଲ୍ଲା ଗୋପ ଥାନା, ବେଗୁନିଆଁ ଗ୍ରାମର ପେନସନ୍‌ ଭୋଗୀ ଶ୍ରୀ ହରିପ୍ରସାଦ ମିତ୍ର (D.S.P) ଙ୍କ ସାନପୁଅ ଶ୍ରୀ ମଳୟ ମିତ୍ରକୁ ସାଙ୍ଗରେ ନେଇ ସମ୍ବଲପୁର ବାହାରିଲି । ମଳୟର ମାଆ ମୋତେ ଧର୍ମପୁଅ କରିଥିବା ପୋଲିସ ଇନ୍‌ସପେକ୍ଟର ସ୍ୱର୍ଗତ କ୍ଷେତ୍ରମୋହନ ଦାସଙ୍କ ଝିଅ । ଏଇ ସମ୍ପର୍କରେ ମଳୟ ମୋର ଭଣଜା । ସେ ମୋର ବଡ଼ ଅନୁଗତ-। ମୁଁ ତ ପ୍ରାୟ ଦେଢ଼ ବର୍ଷ ହେବ ଜଣକର ଭରସା ଛଡ଼ା ଚାଲିବାକୁ ଅସମର୍ଥ; ତେଣୁ ଏ ଦୁହିଙ୍କୁ ସାଥିରେ ନେଇଗଲି । ଆମେ ପ୍ରାୟ ଦିନ ଗୋଟାକବେଳେ ସମ୍ବଲପୁର ଗୋପାଳଜୀ ମଠରେ ପହଞ୍ଚିଲୁଁ । ଖବର ପାଇ ମହନ୍ତ ମହାରାଜ ସଙ୍ଗେ ସଙ୍ଗେ ଆସି, ଆଗରୁ ସେ ବନ୍ଦୋବସ୍ତ କରିଥିବା ‘ନଟରାଜ’ ଲଜିଙ୍ଗ୍‌ ହାଉସରେ ଆମକୁ ରଖାଇଦେଲେ । ଏ ଲଜିଙ୍ଗ୍‌ ହାଉସର ମାଲିକ ଜଣେ ମାରଓ୍ୱାଡ଼ି ଭଦ୍ରଲୋକ, ନାମ ଶ୍ରୀ କୁବେର; ବଡ଼ ସ୍ନେହୀ, ମିଷ୍ଟଭାଷୀ । ସେ ନିଜେ ଆସି ମୋର ସମସ୍ତ ବ୍ୟବସ୍ଥା କରି ଦେଇଗଲେ ।

 

ରାତି ପ୍ରାୟ ଗୋଟାକବେଳେ ଶୁଣିଲି କବାଟ ବାଡ଼ିଆ ଶବ୍ଦ । ପ୍ରଚଣ୍ଡ ଖରାରେ କଟକରୁ ସମ୍ବଲପୁର ଯାଇ ଭଙ୍ଗା ଦେହଟା ଆହୁରି ବାଧୁଣିଆ ହୋଇ ପଡ଼ିଥାଏ । ତଥାପି କବାଟ ଫିଟାଇ ଦେଖିଲାବେଳକୁ ଟିଟିଲାଗଡ଼ରୁ ସୁପରିଚିତ ନାଟ୍ୟକାର ଶ୍ରୀ ଚିନ୍ତାମଣି ଜେନା ଓ ମଞ୍ଚଶିଳ୍ପୀ ଶ୍ରୀ ନୀଳମଣି ଆସି ଉପସ୍ଥିତ, ଏବେ ରାତିରେ । ଶ୍ରୀମାନ ଚିନ୍ତାମଣି ପଶ୍ଚିମ ଓଡ଼ିଶା ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ଏବଂ ସଭାପତି ହେଉଛନ୍ତି ମହନ୍ତ ଶ୍ରୀ ନୀଳାମ୍ବର ଦାଶ । ମହନ୍ତ ମହାରାଜଙ୍କ ସହିତ ପରାମର୍ଶ କରି ତାଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼କୁ ମୁଁ ଯାଇ ନ ପାରିବା ପ୍ରସ୍ତାବରେ ଶ୍ରୀମାନ୍ ଚିନ୍ତାମଣି ଗୋପାଳଜୀ ମଠରେ ମୋତେ ଗୋଟିଏ ମାନପତ୍ର ଦେଲେ ।

 

ସେଥିରେ ଟିଟିଲାଗଡ଼ର କଳାପରିଷଦ ସଂସ୍ଥା ପକ୍ଷରୁ ‘ସଙ୍ଗୀତ ରତ୍ନ’ ଉପାଧି ଦେବାର ଉଲ୍ଲେଖ କରାଯାଇଛି ।

 

ବାର ତାରିଖ ଦିନ ଶନିବାର । ମୁଁ ପ୍ରାୟ ୩୦ ବର୍ଷ ହେଲା ଶନିବାର ଉପବାସ ପାଳି ଆସୁଛି । ମହନ୍ତ ମହାରାଜଙ୍କର ମଧ୍ୟ ଉପବାସ । ଶ୍ରୀଯୁକ୍ତ ବ୍ରଜବାବୁ ଆମ ଦୁହିଁଙ୍କୁ ସକାଳେ ତାଙ୍କ ବସାରେ ଖାଇବାକୁ ଡାକିଥିଲେ । ଦିନ ଏଗାରଟାବେଳେ ବୁର୍ଲାରୁ ଗାଡ଼ି ଆସିଲା । ମୁଁ ମହନ୍ତ ମହାରାଜ ଓ ଶ୍ୟାମବାବୁ ପ୍ରଭୃତି ମିଶି ବୁର୍ଲା ଗଲୁଁ । ପ୍ରଥମେ ମୁଁ ଠାକୁର ନିଗମାନନ୍ଦଙ୍କର ବୁର୍ଲାସ୍ଥିତ ଆଶ୍ରମକୁ ଯାଇ ପ୍ରଣତି ଜଣାଇଁ ବ୍ରଜବାବୁଙ୍କ ବସାକୁ ଗଲି । ବ୍ରଜବାବୁଙ୍କୁ ଆମର ଉପବାସ କଥା ଜଣାଇଲୁଁ । ବ୍ରଜବାବୁଙ୍କ ପିତା ଜଣେ ସନ୍ନ୍ୟାସୀ । ବଡ଼ ଉଚ୍ଚ ଧରଣର ଧର୍ମଜ୍ଞାନୀ ।

 

କିଛି ସମୟ ପରେ ବ୍ରଜବାବୁଙ୍କ ଗୃହିଣୀ ଶ୍ରୀମତୀ ମିଶ୍ର ମୋତେ ଖାଇବାକୁ ଜଳଖିଆ ପରିଷିଲାବେଳେ, ମୋର ଗତ ସ୍ମୃତି ଜାଗି ଉଠି ମନ ବିକଳ କରି ପକାଇଲା । ଆଉ ଖାଇବି କ’ଣ-? ଚାଖିଲି ମାତ୍ର ।

 

ମାଲିକ–ଗୋଲାମ :

 

ଶ୍ରୀମତୀ ମିଶ୍ର ମୋର ପ୍ରିୟ ସହପାଠୀ ସ୍ୱର୍ଗତ ବାମଦେବ ମିଶ୍ରଙ୍କ କନ୍ୟା ହେମ । ବାମଦେବ, ଯାଜପୁରର ବିଖ୍ୟାତ ନାଟ୍ୟକାର ସ୍ୱର୍ଗତ କାମପାଳ ମିଶ୍ରଙ୍କ ବଂଶଧର । ମୁଁ ତାଙ୍କୁ ‘ମାଲିକ’ ଓ ସେ ମୋତେ ‘ଗୋଲାମ’ ବୋଲି ଡକାଡକି ହେଉଁ । ଆଠମଲ୍ଲିକରେ ସେ ଦେଓ୍ୱାନ୍‌ ଥିବାବେଳେ ମୋର ରାସଦଳ ସେଠାକୁ ଡକରା ପାଇ ଯାଇଥିଲା । ଗଡ଼ଜାତ ମିଶ୍ରଣ ପରେ ବାମଦେବବାବୁ କଟକରେ ଏ.ଡ଼ି.ଏମ୍‌. ଥାଇ ଅବସର ଗ୍ରହଣ କଲେ ।

 

ସେ କଟକ ଆସିଲା ଦିନୁ ପ୍ରତିବର୍ଷ ମୁଁ ତାଙ୍କୁ ଖଣ୍ଡିଏ ଡାଏରୀ ଭେଟେଁ ।

 

ଏ ବର୍ଷ ମୋର ଡାଏରୀ ଭେଟିବାରେ ବିଳମ୍ବ ହେଲା । ୧୯୪୭ ଜାନୁୟାରୀ ତା ୧୪ ତାରିଖ ଦିନ ମୁଁ ମୋ ଘରର ବାରଣ୍ଡାରେ ବସି ନିତ୍ୟ ନୈମିତ୍ତିକ ଭାବେ ଲେଖାଲେଖି କରୁଥିବାବେଳେ ହଠାତ୍‌ ପ୍ରାୟ ସକାଳ ସାଢ଼େ ଆଠଟାରେ ବାମଦେବବାବୁ ଉପସ୍ଥିତ ହେଲେ । ଅଗଣାରେ ଛିଡ଼ା ହୋଇ ବାଡ଼ି ଠକ୍‌ଠକ୍‌ କରି କହିଲେ–

 

କିରେ ଗୋଲାମ, ତୋତେ କ’ଣ ଚାକିରି ପିତା ଲାଗିଲାଣି କି ? ତୋତେ ବରଖାସ୍ତ କରିବି ।

 

ମୁଁ ହାତଯୋଡ଼ି କହିଲି–ମାଲିକ ! ମୋର ଅପରାଧ କ’ଣ ?

 

ମାଲିକ କହିଲା–ତୁ ଆଜିଯାଏ ଏ ବର୍ଷର ଡାଏରୀ ମୋତେ ଭେଟି ନାହୁଁ ।

 

ମୁଁ ଦୋଷମାଗି ଦିନଟିଏ ସମୟ ଦେବାକୁ କହିଲି ।

 

‘ହଉ’ ବୋଲି କହି ମାଲିକ ଚାଲିଗଲା, କ’ଣ କାମ ଅଛି ବୋଲି ।

 

ବାମଦେବବାବୁଙ୍କ ସାଥିରେ ଯେଉଁମାନଙ୍କର ଜଣାଶୁଣା ଅଛି, ସେମାନେ ଜାଣନ୍ତି ସେ କିପରି ସର୍ବଦା ସରସ ଓ ରହସିଆ ଲୋକ ।

 

ସେ ବଡ଼ ସ୍ନେହୀ ବନ୍ଧୁ, କଳାପ୍ରେମୀ, ସାହିତ୍ୟିକ ଓ ସୁବକ୍ତା ।

 

ମୁଁ ମୋ ମାଲିକର ତାଗିଦା ଓ ମୋ ପ୍ରତିଶ୍ରୁତି ମୁତାବକ ତା ୧୭।୧।୭୪ ରିଖରେ ଖଣ୍ଡିଏ ଡାଏରୀ ସଂଗ୍ରହ କରି ୮ ତାରିଖ ଦିନ ସକାଳେ ଯାଇ ଦେଇଆସିବି ବୋଲି ସ୍ଥିର କରିଥିଲି; କିନ୍ତୁ ଅତି ଦୁଃଖର କଥା ମୋ ମାଲିକ ତା’ ଗୋଲାମକୁ ଛାଡ଼ି ୧୭ ତାରିଖ ରାତି ପ୍ରାୟ ୧୨ଟାରେ ସେପୁରକୁ ଚାଲିଗଲା ।

 

ସବୁ ଘଟଣା ଆଖି ଆଗେ ଜଳଜଳ ହୋଇ ଦିଶିଲା । ଝିଅଙ୍କୁ ସବୁ କଥା କହିଲି । ଦୀର୍ଘ ନିଃଶ୍ୱାସ ମାରି ଲୁହ ଛଳଛଳ ଆଖିରେ ବିଚାରିଲି ।

 

‘‘–ହଁ, ଗଲେଣି ତୋ ସଙ୍ଗରୁ ଯେତେକ ଜନ’’

 

ଶ୍ରୀମତୀ ମିଶ୍ରଙ୍କ ଆଖି ଛଳଛଳ ହୋଇ ଉଠିଲା । ଆଉ ଖିଆ ରୁଚିଲା ନାହିଁ । ହାତ ଧୋଇଲି ।

 

ବ୍ରଜବାବୁଙ୍କ ବସାରୁ ଅଢ଼େଇଟାରେ ଗେଷ୍ଟ ହାଉସ୍‌କୁ ଗଲୁଁ । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ମଧ୍ୟ ସେଠାକୁ ଆସିଲେ । କୃତାର୍ଥବାବୁଙ୍କ ସହିତ ପ୍ରାୟ ୧୯୩୬ରୁ ମୋର ପରିଚୟ ଥିଲା ।

 

ପ୍ରାୟ ସାଢ଼େ ତିନିଟାରେ ଇଉନିଭ୍‌ର୍‌ସିଟିର ବିଧି ଅନୁସାରେ ବେଶପଟୁକା ବାନ୍ଧି କନ୍‌ଭୋକେସନ୍‌ ମଣ୍ଡପରେ ଚାରିଟାବେଳେ ହାଜର ହେଲି ।

 

କୃତାର୍ଥବାବୁ ଚାନ୍‌ସେଲରଙ୍କ ନିକଟକୁ ଯାଇ ଡକ୍ଟରେଟ୍‌ ଉପାଧି ଲେଖା ଗ୍ରହଣ କଲେ । ପରେ ପରେ ଭାଇସ୍‌ଚାନ୍‌ସେଲର ଶ୍ରୀଯୁକ୍ତ ବେହେରା ମହୋଦୟ ମୋତେ ଚାନ୍‌ସେଲରଙ୍କ ନିକଟକୁ ଯିବାପାଇଁ ଠାରି ଜଣାଇଲେ ।

 

ଚାନ୍‌ସେଲର ମହୋଦୟ କିନ୍ତୁ ତାଙ୍କ ଆସନରୁ ହାତ ଦେଖାଇ ମୋତେ ତାଙ୍କ ନିକଟକୁ ଯିବାକୁ ବାରଣ କଲେ ଏବଂ ମୋ ବସିଥିବା ସ୍ଥାନକୁ ସ୍ୱୟଂ ଆସି ଡକ୍ଟରେଟ୍‌ ଖେତାବ ଦେଇଗଲେ ।

 

ଆଉ ଏକ ପଛଫେରା ସ୍ମୃତି :

 

ସଭା ଭାଙ୍ଗିଲା । କୁଳପତି ଶ୍ରୀଯୁକ୍ତ ବେହେରା ଓ ରେଜିଷ୍ଟ୍ରାର ଶ୍ରୀଯୁକ୍ତ ମିଶ୍ର ଚାନ୍‌ସେଲର୍‌(ଗଭର୍ଣ୍ଣର)ଙ୍କୁ ବିଦାୟ ଦେବାକୁ ଗଲେ ।

 

ମୁଁ ମୋ ଚଉକିରେ ବସିଛି, ଏତିକିବେଳେ ଦୁଇଜଣ ଭଦ୍ରମହିଳା ହସି ହସି ମୋ ନିକଟକୁ ଆସି ପ୍ରଣାମ କଲେ ।

 

ସାନଜଣକ ପଚାରିଲେ–‘‘ମୋତେ ଚିହ୍ନି ପାରୁଛନ୍ତି ?’’ ମୁଁ ମୁହଁକୁ ଚାହିଁ ରହିଲି ।

 

ସେ ସେହିପରି ହସ ମୁହଁରେ କହିଲେ–‘‘ମୁଁ ପରା ଭରତ ନାୟକଙ୍କ ଝିଅ । ବାପା କଟକରେ ଥିବାବେଳେ ମୁଁ ରେଭେନ୍ସା କଲେଜରେ ପଢ଼ୁଥିଲି । ଆପଣ ମୋତେ ଗୀତ ଶିଖାଇଥିଲେ । ସେ ଗୀତ ଗାଇ ମୁଁ କଲେଜରେ ବହୁ ପ୍ରଶଂସା ପାଇଲି ।’’

 

ଆଖି ଆଗେ ସ୍ୱର୍ଗତ ଭରତବାବୁଙ୍କ ସ୍ନେହମଖା ମୁହଁ ନାଚି ଉଠିଲା ।

 

ସେଇ ଝିଅଟି ଆଜି ଶ୍ରୀମତୀ ବେହେରା–ସମ୍ୱଲପୁର ଇଉନିଭର୍‌ସିଟିର କୁଳପତିଙ୍କ ସହଧର୍ମିଣୀ । ବଡ଼ଜଣକ ଶ୍ରୀମତୀ ବେହେରାଙ୍କ ବଡ଼ ଭଉଣୀ । ବହୁତ ଭୁଲାଦିନର କଥାବାର୍ତ୍ତା ପରେ ବିଦାୟ ନେଲେ ସେ ଦୁହେଁ ।

 

ରାତିରେ ଡିନ୍‌ର ପାର୍ଟିରେ ଯୋଗଦେଇପାରିବି ନାହିଁ ବୋଲି ଚାନ୍‌ସେଲର ଶ୍ରୀଯୁକ୍ତ ଆକବର ଅଲି ଖାଁ ଓଡ଼ିଶା ରାଜ୍ୟପାଳଙ୍କୁ କ୍ଷମା ମାଗି ବିଦାୟ ନେଲି ।

 

ସମ୍ୱଲପୁର :

 

ବହୁ କବି, କଳାକାର ମୋତେ ନଟରାଜରେ ଅପେକ୍ଷା କରିଥିଲେ । ନାନା ବିଷୟକ ଆଳାପ ପରେ ରାତି ପ୍ରାୟ ଗୋଟାକବେଳେ ସେମାନେ ବିଦାୟ ନେଲେ ।

 

ତେର ତାରିଖ ଦିନ ସକାଳେ ବୁର୍ଲାରୁ ମୋତେ କଟକ ଆଣିବାକୁ ଇଉନିଭର୍‌ସିଟି ପକ୍ଷରୁ ଗାଡ଼ି ଆସିଲା । ମହନ୍ତ ମହାରାଜା ଏଥିରେ ଅସମ୍ମତ ହେଲେ । ଏତେଦିନ ପରେ ମୋତେ ପାଇ ସମ୍ୱର୍ଦ୍ଧନା ନ କରି କଟକ ଫେରିଯିବାକୁ ସେ ପସନ୍ଦ କଲେ ନାହିଁ । ମହନ୍ତ ମହାରାଜ ମୋର କଟକ ଫେରିବା ବ୍ୟବସ୍ଥା ସେହିଦିନ ରାତି ପାହାନ୍ତାରେ କରିବେ ବୋଲି କହିଲେ । ଗାଡ଼ି ଫେରିଗଲା ।

 

ସମ୍ୱଲପୁର ଓ ବୁର୍ଲାର ଯାବତୀୟ ବ୍ୟବସ୍ଥାରେ ସହାୟକ ଥିଲେ ମୋର କନିଷ୍ଠ ଭ୍ରାତାପ୍ରତିମ ସାମ୍ୱାଦିକ ଶ୍ରୀ ବିଶ୍ୱକେଶନ ବହିଦାର ଏବଂ ଭୁବନଶ୍ରୀ ପତ୍ରିକାର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମିଶ୍ର । ଆଉ ଶ୍ରୀମାନ ଶ୍ୟାମ ମୋ ସଙ୍ଗେ ସଙ୍ଗେ ବରାବର ରହି ମୋର ଯିବାଆସିବା ଓ ସୁବିଧା ଅସୁବିଧାକୁ ଦେଖୁଥିଲେ ।

 

ତେର ତାରିଖ ସକାଳ ପ୍ରାୟ ସାଢ଼େ ନଅଟାରେ ସମ୍ୱଲପୁରର ପଗତି ସଂଘ ପକ୍ଷରୁ ଗୋଟିଏ ସଭାକରି ମୋତେ ସମ୍ୱର୍ଦ୍ଧିତ କରାଗଲା । ସୁଲେଖକ ଶ୍ରୀ ପ୍ରଭାକର ପାଣିଗ୍ରାହୀ, ସ୍ୱରଚିତ ସମ୍ୱର୍ଦ୍ଧନା ଗୀତିକା ପାଠକଲେ ଏବଂ ତାଙ୍କ ଗ୍ରନ୍ଥାବଳୀ ମୋତେ ଉପହାର ଦେଲେ । ଅନ୍ୟାନ୍ୟ ଲେଖକମାନଙ୍କ ମଧ୍ୟରେ ଶ୍ରୀ ଭବାନୀ ଶଙ୍କର ପ୍ରଧାନ ‘‘କୃଷ୍ଣ ବନ୍ଦନର ବଂଶୀ ଧ୍ୱନୀ’’ ନାମକ ତାଙ୍କ ରଚିତ କବିତା ପୁସ୍ତିକା, ଶ୍ରୀ ସୁରେନ୍ଦ୍ରନାଥ ମିଶ୍ର ତାଙ୍କ ଲେଖା ‘‘ଆମରି ଭିତରେ ଜଣେ, ନୃପତିଦହେରୀ ‘ଝରନ୍‌’ ପତ୍ରିକା (ସମ୍ୱଲପୁରୀ ଓଡ଼ିଆ ଭାଷାରେ ରଚିତ କବିତା,) ଶ୍ରୀ ବିନୋଦ କୁମାର ପଶାୟତ୍‌ ସମ୍ୱଲପୁରୀ ଓଡ଼ିଆ ଭାଷାରେ ତାଙ୍କ ଲିଖିତ ଓ ପ୍ରକାଶିତ ‘କୟା ବଏଠା’ କବିତା ପୁସ୍ତକ ଏବଂ ଶ୍ରୀ ସତ୍ୟନାରାୟଣ ବହିଦାର ତାଙ୍କ ରଚିତ ଗୋଟିଏ ସମ୍ୱର୍ଦ୍ଧନା କବିତା ଉପହାର ଦେଲେ । ସଂଘ ପକ୍ଷରୁ ମୋତେ ଖଣ୍ଡିଏ ସୁନ୍ଦର ସମ୍ୱଲପୁରୀ ଅଙ୍ଗଛା (ଗାମୁଛା) ସହ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କଲେ ।

 

ବାବା ମାଆ :

 

ପ୍ରଗତି ସଂଘ ସଭାରୁ ବାହୁଡ଼ିବାବେଳକୁ ନଟରାଜ ଲଜିଙ୍ଗ୍‌ରେ ଅପେକ୍ଷା କରିଥିଲେ ମୋର ଧର୍ମପିତା ସୁଲେଖକ ଶ୍ରୀ ଲକ୍ଷ୍ମୀନାରାୟଣ ମହାରଣା O.A.S. । ସେ ସମ୍ୱଲପୁରରେ କମ୍ପେନ୍‌ସେସନ୍‌ ଅଫିସର ଅଛନ୍ତି । ତାଙ୍କ ସହଧର୍ମିଣୀ ଶ୍ରୀମତୀ ତିଳୋତ୍ତମା ମହାରଣା, ଏମ୍‌. ଏ. ଅଧ୍ୟାପିକା ଚାକିରିରୁ ଇସ୍ତଫା ଦେଇଛନ୍ତି । ମୁଁ ଏ ଦମ୍ପତ୍ତିଙ୍କର ଧର୍ମପୁଅ । ବାବା ମୋତେ ତାଙ୍କ ବସାକୁ ଖାଇବା ପାଇଁ ଡାକିନେଲେ ।

 

ମାଆ ମୋତେ ହାତରେ ଖୁଆଇ ଦେଇ ତାଙ୍କର କୃଷ୍ଣ ଠାକୁରଙ୍କ (ଯାହାଙ୍କୁ ସେ ‘କାହ୍ନୁ’ ବୋଲି କହନ୍ତି) ଫଟୋ ଆଣି ପ୍ରଣାମ କରିବାକୁ କହିଲେ । ମାଆ ଶ୍ରୀକୃଷ୍ଣଙ୍କୁ ତାଙ୍କର ପୁଅ ବୋଲି କହନ୍ତି ଏବଂ କଥାବାର୍ତ୍ତା ହେଲା ପରି ବ୍ୟବହାର କରନ୍ତି ।

 

ମୋତେ କୃଷ୍ଣ ଚରଣ ତଳେ ପ୍ରଣାମ କରାଇ, ମୋ ମଥା ଆଉଁଶି କହିଲେ, ‘‘କାହ୍ନୁରେ, ମୋତେ ପୁତ୍ର କଷ୍ଟ ଦେବୁ ନାହିଁ ।’’ ସେତେବେଳେ ତାଙ୍କ ଆଖି ଛଳଛଳ ହୋଇ ଲୁହ ବହି ପଡ଼ୁଥାଏ-। ମୁଁ ମାଆଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲି । ଏ ଅପୂର୍ବ ଘଟଣା, ଏ ମାତୃ ଆଶୀର୍ବାଦ, ଏ ସ୍ନେହ, ମାୟା, ମମତା କ’ଣ ମନରୁ ପାସୋରି ପାରିବି ?

 

ହୀରାକୁଦ :

 

ମୁଁ ବାବା ମାଆଙ୍କ ପାଖରୁ ବିଦାୟ ନେଇ ନଟରାଜକୁ ଆସିବାବେଳକୁ ମୋର ଛାତ୍ର ଶ୍ରୀ ବରାଦ ଚନ୍ଦ୍ର ଦେଓ ଗାଡି ନେଇ ଉପସ୍ଥିତ । ସେ ହୀରାକୁଦ ଜଗନ୍ନାଥ ମନ୍ଦିର ହତା ଭିତରେ ଥିବା କେତୋଟି ଘରେ ଏକ ସଙ୍ଗୀତ ବିଦ୍ୟାଳୟ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ ପ୍ରାୟ କୋଡ଼ିଏ ବାଇଶଜଣ । ସମସ୍ତେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରୁଛନ୍ତି । ସେମାନେ ସେଠାରେ ଗୋଟିଏ ସଭାରେ ମୋତେ ସମ୍ୱର୍ଦ୍ଧିତ କଲେ । ହୀରାକୁଦରୁ ପ୍ରାୟ ସାଢେ ଛଅଟାରେ ଫେରିଲି ।

 

ଗୋପାଳଜୀ ମଠ :

 

ସଞ୍ଜ ସାତଟାରେ ମହନ୍ତ ମହାରାଜ ଏକ ବିରାଟ ଆୟୋଜନ କରିଛନ୍ତି ମଠରେ ।

 

ବହୁ ସାହିତ୍ୟିକ, ନାଟ୍ୟକାର, କବି, ସଙ୍ଗୀତଜ୍ଞ, ଗାୟକ ଓ ବାଦକଙ୍କ ଉପସ୍ଥିତିରେ ସଭା ହେଲା । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କୁ ଓ ମୋତେ ପଶ୍ଚିମ ଓଡିଶା ସାଂସ୍କୃତିଙ୍କ ପରିଷଦ ପକ୍ଷରୁ ମାନପତ୍ର ଦିଆଗଲା । ଡକ୍ଟର ଆଚାର୍ଯ୍ୟ ଓ ମୁଁ କିଛି କିଛି କହିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ସୁଗାୟିକା ଶ୍ରୀମତୀ ନାଗମଣି ମହାନ୍ତି ପ୍ରାରମ୍ଭରେ ମୋର ଗୋଟିଏ ଓଡ଼ିଶୀ ଗୀତ ଗାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କଲେ । ପରେ ମହନ୍ତ ମହାରାଜ ମୋ ରଚିତ କୋତୋଟି ଗୀତ ଗାଇଲେ ଏବଂ ତବଲା ବାଦନ କଲେ । ସୁପରିଚିତ ସଙ୍ଗୀତକାର ଓ ଶିକ୍ଷକ ଶ୍ରୀ ଅରୁଣ ସେଠ୍‌ ଇତ୍ୟାଦି ବହୁ ଗାୟକ, ମୋ ରଚିତ ଓଡ଼ିଶୀ ଭଜନ ଜଣାଣ ଇତ୍ୟାଦି ଗାୟନ ବାଦନ କଲେ । ଶେଷରେ ସମ୍ବଲପୁରୀ ଗୀତ ପରିବେଷିତ ହୋଇ ବୈଠକ ବନ୍ଦ ହେଲା । ମହନ୍ତ ମହାରାଜ ବୈଠକରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ଶ୍ରୀ ଗୋପାଳଜୀଉଙ୍କ ପ୍ରସାଦ ସେବନ କରାଇବା ପରେ ପ୍ରାୟ ରାତି ବାରଟାବେଳେ ମୁଁ ସେମାନଙ୍କଠାରୁ ବିଦାୟ ନେଲି ।

 

ଭୋର ସାଢ଼େ ଚାରିଟାରେ ମହନ୍ତ ମହାରାଜଙ୍କ ବରାଦୀ ଟାକ୍ସିରେ ଆମ୍ଭେମାନେ ସମ୍ୱଲପୁରରୁ କଟକ ଫେରି ତା ୧୪।୪।୭୫ରିଖ ୧୧ଟାରେ କଟକରେ ପହଞ୍ଚିଲୁ ।

✽✽✽

 

ବିଦାୟ ମାଗୁଣି

 

କୁମ୍ଭାର ଚକ :

 

ଆମେ ସଭିଏଁ କୁମ୍ଭାରର ଚକରେ ଗଢ଼ା । କୁମ୍ଭାର ମାଟି ଦଳିଚକଟି ସରା, ଠେକି, ମାଠିଆ, ହାଣ୍ଡି, ବଢ଼ା ଓ ପତୁଲି ଇତ୍ୟାଦି ଯାହା ତା’ ମନକୁ ଆସେ, ଗଢ଼େ । ମୋ ବିଚାରରେ ଆମେ ସବୁ ସେଇମିତି କୁମ୍ଭାର ଚକରେ ଗଢ଼ା ଘଡ଼ି-ମାଠିଆ ବା ହାଣ୍ଡି-ଆଟିକା । ଯୁବା ବୟସରୁ ମୋ ମନରେ ଏଇ ଧାରଣା ରହିଛି । କୁମ୍ଭାରଚକ ପହିଲେ ସେତେବେଳର କଳିଙ୍ଗ ପତ୍ରିକା, ପରେ ଆସନ୍ତାକାଲି ଓ ଶେଷରେ ସହକାର ପତ୍ରିକାରେ ପ୍ରକାଶିତ ହେଉଥିଲା । ହଠାତ୍‌ ଦିନେ କଟକ ଷ୍ଟୁଡ଼େଣ୍ଟସ ଷ୍ଟୋରର ମାଲିକ ମୋର କନିଷ୍ଠ ଭାତୃପ୍ରତିମ ଶ୍ରୀ ଅନନ୍ତ ମିଶ୍ରଙ୍କ ପୁଅ ଶ୍ରୀମାନ୍‌ ରଘୁନାଥ ଆସି ମୋତେ କହିଲେ–‘‘ଦଦେଇ ! ଖଣ୍ଡି ଖଣ୍ଡି କରି ଛପାଇବାଠାରୁ ‘କୁମ୍ଭାର ଚକ’କୁ ଖଣ୍ଡିଏ ବହି କରିଦେଲେ ଭଲ ହୁଅନ୍ତା ।’’

 

ମୁଁ ରଘୁନାଥଙ୍କ ପ୍ରସ୍ତାବରେ ଖୁସି ହୋଇ ରାଜି ହେଲି । ବାସ୍ତବରେ ରଘୁନାଥଙ୍କର ଯତ୍ନ ଓ ପ୍ରସ୍ତାବ ଭିନ୍ନ ‘କୁମ୍ଭାର ଚକ’ ଅଳିଆ ଗଦାରେ ପଡ଼ିଥାଆନ୍ତା । ଜଗନ୍ନାଥେ ରଘୁନାଥଙ୍କୁ ନିରାମୟ ଦୀର୍ଘ ଜୀବନ ଦିଅନ୍ତୁ–ଏ ମୋର ମନର ଏକାନ୍ତ ନିବେଦନ ।

 

ଫଟାକପାଳ ନେଇ ତ ମୁଁ ଭୂଇଁ ଛୁଇଁଛି । ସୁଖଠାରୁ ଦୁଃଖ ଅନୁଭୋଗ ମୋ ଜୀବନରେ ଅଧିକ; କିନ୍ତୁ ଗୋଟିଏ ବଡ଼କଥା ବାରି ଆସିଛି ମୁଁ–ଦଳାଚକଟାବେଳେ ମାଟିକି ବାଧୁଥିବାଟା ନିଶ୍ଚିତ; କିନ୍ତୁ କୁମ୍ଭାର ଯେତେବେଳେ ଚକଟା ମାଟିକି ନାନାରୂପେ ଗଢ଼ି ପୋଡ଼ଦେଇ ହାଣ୍ଡି, ଆଟିକା ଇତ୍ୟାଦି ତିଆରି କରିଦିଏ, ଆଉ ସେଇ ହାଣ୍ଡି ଆଟିକା ଲୋକର ଟିକିଏ କିଛି ଉପକାରରେ ଲାଗେ, ମାଟି ସେତେବେଳେ ପାଏ ଆନନ୍ଦ । ଏଇ କଥାଟା ମନକୁ ଆସେ ମୋର । ଦୁଃଖ ପାଏଁ ସତ; କିନ୍ତୁ ତା’ ପଛେ ପଛେ କୁମ୍ଭାରର ଅଦେଖା ହାତରୁ ଛୁଆଁ ବାରେଁ, ମଥା ଉପରେ ମୋର । ସେଇ ଭରସା, ସେଇ ଦମ୍ଭରେ ବାଟ ଚାଲି ଚାଲି ଆଜି ଛଅସ୍ତରି ବର୍ଷର ବୁଢ଼ା ମୁଁ ।

 

ଏବେ ଦି’ ବର୍ଷ ହେଲା ଚଲା-ବୁଲାକୁ ତ ମୁଁ ଅକ୍ଷମ, ଏଥକୁ ଜଣକର ଭରସା ଲୋଡ଼ା, ଯାହା କାମଦାମ ବା ଲେଖାପଢ଼ା କରୁଛି ବସି ବସି, ଖଟଟି ଉପରେ । ଭାବୁଛି ସବୁ ସେଇ କୁମ୍ଭାରର ଇଚ୍ଛା ସିନା ! ‘‘ଯାହା କରିବେ ସାଇଁ, ତା’ କାହାରି ହାତରେ ନାଇଁ ।’’

 

ଗୁରୁଦାସ :

 

ନାଟକ, ନାଟିକା, ଗଳ୍ପ ଉପନ୍ୟାସ, ନୃତ୍ୟନାଟିକା, ପାଲା ଓ ଦାସକାଠି ପ୍ରଭୃତି ନାନାପ୍ରକାର ଲେଖା ଓ ବିଭିନ୍ନ ରସର ବହୁ ସଙ୍ଗୀତ ଲେଖିଛି ମୁଁ । ହେଲେ ସଂଖ୍ୟାଗଣନା ଦିଗରୁ ବିଚାର କଲେ ଭଜନ ଜଣାଣର ପରିମାଣ ଅଧିକ ହେବ ।

ଲେଖା ସଂଶୋଧନ କରିଦେବା, ଗୀତର ସ୍ୱର କରିଦେବା ଏବଂ ବିବିଧ ବିଷୟକ ଚର୍ଚ୍ଚା ଇତ୍ୟାଦି ଲାଗି ସକାଳୁ ରାତିଯାଏ ମୋ ଘରେ ବହୁଲୋକ ରୁଣ୍ଡ ହୁଅନ୍ତି ।

୧୯୬୬ ସାଲର ସେପ୍ଟେମ୍ବର ଅଠେଇଶ ତାରିଖ ଦିନ କେତେକ କଳାକାରଙ୍କ ମେଳରେ ବସିଥିବାବେଳେ ଚୈତନ୍ୟବାବୁ ମୋ ଘରେ ଆସି ପହୁଞ୍ଚିଲେ । ଏଇ ଚୈତନ୍ୟ ଚରଣ ଦାସ ମୋ ଘର ପାଖରେ ଗୋଟିଏ ବସାଘରେ ରହୁଥିଲେ । ମୁଁ ଟିକିଏ ଟିକିଏ ବାଇଓକେମିତି ଔଷଧ କାହାକୁ କେମିତି ବେଳେ ବେଳେ ଦିଏଁ । ବହୁବର୍ଷ ପୂର୍ବରୁ ଚୈତନ୍ୟବାବୁ ମୋ ପାଖକୁ ଔଷଧ ନେବାପାଇଁ ଆସନ୍ତି । ମୁଁ ମନେକଲି ସେଇଥିପାଇଁ ସେ ଆସିଛନ୍ତି । ଏଥର ତାଙ୍କ ଆସିବାଟା କିନ୍ତୁ ଔଷଧ ପାଇଁ ନୁହେଁ । ଚୈତନ୍ୟବାବୁ ମୋ ହାତକୁ ତିନି ଖଣ୍ଡି ଲେଖା କାଗଜ ବଢ଼ାଇଦେଲେ । ପ୍ରଖ୍ୟାତ ସମାଜ ଅନୁଷ୍ଠାନ ପ୍ରାୟ ଆରମ୍ଭବେଳୁ ଚୈତନ୍ୟବାବୁ ତହିଁ ସହିତ ସମ୍ପୃକ୍ତ । ତେଣୁ ବିଚାରିଲି, ସମାଜ ପତ୍ରିକା ସମ୍ବନ୍ଧୀୟ ଏ କିଛି ଲେଖା ବୋଧହୁଏ; କିନ୍ତୁ ତା’ ନୁହେଁ । ତିନିଖଣ୍ଡି କାଗଜରେ ତିନୋଟି ଗୀତ ଲେଖା ୟେ ।

ଚୈତନ୍ୟବାବୁ କହିଲେ–ଆପଣ ତ ଠାକୁର ନିଗମାନନ୍ଦ ସ୍ୱାମୀଙ୍କ କଥା ଜାଣନ୍ତି । ପୁରୀରେ ସେ ବହୁକାଳ ରହିଥିଲେ । ସେ ଜଣେ ସିଦ୍ଧପୁରୁଷ । ଓଡ଼ିଶାରେ ତାଙ୍କର ବହୁ ଶିଷ୍ୟ ଅଛନ୍ତି । କଟକରେ ଯୋବ୍ରା ଆଶ୍ରମ ପରି ଭୁବନେଶ୍ୱର ପ୍ରଭୃତି ଓଡ଼ିଶାର ନାନା ସ୍ଥାନରେ ଆଶ୍ରମମାନ ଅଛି । ସେହି ଆଶ୍ରମମାନଙ୍କରେ ଭକ୍ତସଭା, ଧର୍ମଚର୍ଚ୍ଚା ଓ ଠାକୁରଙ୍କ ଗୁଣଗାନ ଓ କୀର୍ତ୍ତନ ଭଜନ ରୀତିମତ୍‌ ହୁଏ; କିନ୍ତୁ ସେଗୁଡ଼ିକର ଭାଷା ବଙ୍ଗଳା । ଆପଣ ସଂଘରେ ଗୀତ ହେବାଲାଗି ଓଡ଼ିଆ ଭାଷାରେ ଏହି ଗୀତର ଭାବରେ ଭକ୍ତିସଙ୍ଗୀତ ଲେଖିଦିଅନ୍ତୁ । ଏତିକି ମୋର ଅନୁରୋଧ ।

‘‘ହଉ ଦେଖିବି, ପାରିଲେ କରିଦେବି । ପଅରିଦିନ ଆସନ୍ତୁ’’–କହି ଚୈତନ୍ୟବାବୁଙ୍କୁ ବିଦାୟ କରିଦେଲି । ଆମ ବୈଠକ ଚାଲିଲା । ସେହିଦିନ ଦି’ପହରେ ମୁଁ ସେ ବଙ୍ଗଳା ଗୀତଗୁଡ଼ିକ ଦେଖି ତା’ର ଓ ମୋ ମନକୁ ଆସୁଥିବା ମୋର ଭାବ ଅନୁସାରେ ଗୋଟିଏ ଗୀତ ଲେଖିଲି । ରସାନୁସାରୀ ଭାଷା ଓ ସ୍ୱର ଦେଇ ଲେଖିଥିବା ଏ ଗୀତଟି ହେଉଛି ନିଗମାନନ୍ଦ ସଂଘର ପ୍ରଥମ ଓଡ଼ିଆ ଭାଷାର ସଙ୍ଗୀତ । ଘୋଷା ପଦକ ଲେଖୁଛି–

‘‘ପରାଣ ମଧୁପ ନ ରସିଲା ଯେବେ କମଳ ଚରଣେ ତବ,

କହ ଦୟାମୟ । ଜୀବନରେ ଆଉ କାହିଁ ସୁଖ ବଇଭବ ?’’

କଥା ଅନୁସାରେ ଠିକ୍‌ ଦିନେ ଛାଡ଼ି ତା ୩୦ ରିଖ ଦିନ ସକାଳ ପ୍ରାୟ ୯ଟାରେ ଚୈତନ୍ୟବାବୁ ଉପସ୍ଥିତ । ଗୀତଟି ଗାଇ ଶୁଣାଇଲି । ଚୈତନ୍ୟବାବୁଙ୍କର ଆନନ୍ଦର ସୀମା ନାହିଁ । ସେ କହିଲେ–‘‘ବହୁଦିନର ବାଞ୍ଛା ଠାକୁରେ ଆଜି ପୂରଣ କଲେ । ଏଥର ସଂଘ ବୈଠକରେ ଆମ ଓଡ଼ିଆ ଭକ୍ତି ସଙ୍ଗୀତ ଚାଲିବ । ଭକ୍ତଭାଇ ଓ ମାଆମାନେ ବଡ଼ ଖୁସି ହେବେ ।’’

 

‘‘ମୁଁ କହିଲି–ଆପଣଙ୍କ ମନକୁ ପାଇଲା ତ ?’’ ଚୈତନ୍ୟବାବୁ କହିଲେ–‘‘ଏକଥା ଆଉ ପଚାରୁଛନ୍ତି ? ଠାକୁରଙ୍କ ଦୟା । ଆପଣ ଆଉ ଦୁଇଟି ଗୀତ କେବେ ଦେବେ ? ମୁଁ ଉତ୍ତର ଦେଲି–‘‘ଗୀତ ଲେଖାରୁ ମୂଲ୍ୟ ପାଇଲେ ଆଉ ଲେଖିବି ।’’ ଚୈତନ୍ୟବାବୁ ଚମକିବା ପରି ମୋତେ ଚାହିଁ ଟିକିଏ ବେଳପରେ କହିଲେ, ‘‘ମୂଲ୍ୟ ! କେତେ ?’’

 

ମୁଁ କହିଲି–‘‘ମୁଁ ମାହାଳିଆ ପରିଶ୍ରମ କରି ଲେଖିଦେବି ନାହିଁ । ଆପଣ ବଚନ ଦେଲେ ମୂଲ୍ୟ କହିବି ।’’ ଚୈତନ୍ୟବାବୁ ଟିକିଏ ଥଙ୍ଗ ଥଙ୍ଗ ହୋଇ କହିଲେ–‘‘ହଉ କୁହନ୍ତୁ । ମୁଁ ଆମ ଓଡ଼ିଶା ଶାଖାର ସମ୍ପାଦକ ଦୁର୍ଗାଚରଣଭାଇଙ୍କୁ କହିବି । ଦାମ୍‌ ଦିଆଯିବ ।’’ ପଚାରିଲି–‘‘ସେ ପୁଣି କିଏ ? ମୁଁ ତ ତାଙ୍କୁ ଜାଣି ନାହିଁ । ଚୈତନ୍ୟବାବୁ କହିଲେ–‘‘ସେ ଆମ ଠାକୁରଙ୍କର ପରମ ଭକ୍ତ । ଘର, ପୁରୀ ଜିଲ୍ଲା ବେଗୁନିଆଁ ପାଖ ବୀରତୁଙ୍ଗ ଗ୍ରାମରେ । ଓଡ଼ିଶାରେ ଠାକୁରଙ୍କ ଭକ୍ତ ସଂଘସେବକ ମଣ୍ଡଳୀର ସେ ସୁଯୋଗ୍ୟ ସମ୍ପାଦକ । ଆପଣ ଲେଖାର ମୂଲ୍ୟ କହନ୍ତୁ, ମୁଁ ତାଙ୍କୁ କହି ଆଣିଦେବି ।’’ ମୁଁ କହିଲି–‘‘ଲେଖାର ମୂଳ ଗୋଟିଏ ସର୍ତ୍ତ–ସେଇଟି ହେଲା ଯେ–ସଂଘଲାଗି ଲେଖିଦେବା ସଙ୍ଗୀତଗୁଡ଼ିକ ମୋର ରଚନା ବୋଲି ପ୍ରକାଶିତ ବା ପ୍ରଚାରିତ ହେବ ନାହିଁ, ଭକ୍ତମାନେ ମୁଁ ଲେଖିଛି ବୋଲି ଜାଣିବେ ନାହିଁ । ମୋ ନାମ ଆପଣ କହିବେ ନାହିଁ । ଏଇ ହେଲା ମୋ ଲେଖାର ମୂଲ୍ୟ, ଏଥକୁ ରାଜିହେଲେ ମୁଁ ଗୀତ ଲେଖିଦେବି । ଲୁହ ଛଳଛଳ ଆଖିରେ ଚୈତନ୍ୟବାବୁ କହିଲେ–‘‘ମୋ ତୁଣ୍ଡରୁ ବଚନ ବାହାରୁ ନାହିଁ, ମୁଁ ଯାଉଛି । ଦିନେ ଦି’ଦିନ ପରେ ଆସିବି ।’’ ଏତିକି କହି ଗୀତଟି ନେଇ ହଠାତ୍‌ ଉଠିଗଲେ ସେ । ‘‘ଶୁଣନ୍ତୁ, ଶୁଣନ୍ତୁ’’ ବୋଲି ଯେତେ ଡାକିଲେ, ଆଉ ବାହୁଡ଼ିଲେ ନାହିଁ-

 

ଭାଇ ଦୁର୍ଗାଚରଣ ମହାନ୍ତି ଚୈତନ୍ୟବାବୁଙ୍କଠାରୁ ସବୁ କଥା ଶୁଣି, ଦିନେ ମୋ ପାଖକୁ ଆସି ମୋତେ କୁଣ୍ଢାଇ ପକାଇଲେ । ମୁଁ ତାଙ୍କୁ କହିଲି, ‘‘ଭାଇ, ଗୀତ ଲେଖକର ନାମ ପ୍ରକାଶ ପାଇବ ନାହିଁ–ମୋର ଏତିକି ଅନୁରୋଧ ।’’ କିଛି ଆଳାପ ଆଲୋଚନା ପରେ ସେ ବିଦାୟ ନେଲେ । ମୁଁ ୧୯୬୭ ସାଲରୁ ସଂଘପାଇଁ ବରାବର ଗୀତ ଲେଖୁଛି, ପୂର୍ବୋକ୍ତ ସର୍ତ୍ତରେ ।

 

କେତେକ ଲେଖକଲେଖିକା ଓ ବନ୍ଧୁବାନ୍ଧବୀ ଖବର ଶୁଣି ମୋତେ ମୋ ନାମ ଲୁଚାଇବା ବିଚାରରେ ବହୁ ବିରୋଧ–ଯୁକ୍ତି ବାଢ଼ିଲେ । ମୁଁ କିନ୍ତୁ ମୋ କଥାରେ ସ୍ଥିର ରହିଲି । ମୁଁ ବିଚାରିଲି ଯେ–କାହିଁକି ଏବଂ କିଏ ଚୈତନ୍ୟବାବୁଙ୍କୁ ମୋ ପାଖକୁ ପଠାଇଲେ ? କେତେ ତ ଗୀତ ଲେଖାଳି ଅଛନ୍ତି, ମୋତେ କାହିଁକି ଚୈତନ୍ୟବାବୁ ଠାକୁରଙ୍କ ସଂଘପାଇଁ ଗୀତ ଲେଖିବାକୁ କହିଲେ–କାହାର ଏ ନିର୍ଦ୍ଦେଶ ? ମନେ ପଡ଼ିଗଲା ସେ ପିଲାଦିନର ଯୋଗୀ ଗୀତ–‘‘ଧନୁ ଧରିବେଟି ସିଏ’’

 

ତେବେ ସବୁ ତ ‘ସେଇ’ । ‘‘ସେ ଡାକୁଛନ୍ତି–ମୁଁ ଲେଖୁଛି । ଏଥିରେ ମୋର ବାହାଦୁରି କୋଉଠି ରଖିଲା ?’’ । ଏହାକୁ ମୁଁ ମୋ ‘ରଫ୍‌’ ଖାତାରେ ତା ୫। ୧୧। ୬୬ ରିଖରେ ଲେଖି ରଖିଲି । ତଳେ ଗୀତ ଲେଖିଛି–

 

‘ସମାଜ ଅଫିସ ଚୈତନ୍ୟବାବୁଙ୍କ ଅନୁରୋଧରେ ଏ ସଙ୍ଗୀତଗୁଡ଼ିକ ଲେଖା । ଏଗୁଡ଼ିକ ନିଗମାନନ୍ଦ ସ୍ୱାମୀଙ୍କ ଭଜନ ବହିରେ ଛପାଇବାକୁ ନେଇଛନ୍ତି ସେ । ଏ ଗୀତଗୁଡ଼ିକର ବା ଛାପା ବହିରେ ମୋ ନାମ ଦେବାକୁ ମୁଁ ମନା କରିଦେଇଛି । କାହିଁକି ମୋର ପ୍ରଚାର ?’

 

ତା ୫ । ୧୧ । ୬୬

 

ନିରାଜନା :

 

ଠାକୁରଙ୍କ ଜନ୍ମଦିନ ଉପଲକ୍ଷେ ଖଣ୍ଡିଏ ଭଜନ କୀର୍ତ୍ତନ ପୁସ୍ତକ ସଂଘପକ୍ଷରୁ ଛପାହେବାର ସ୍ଥିର ହେଲା । ନାଁ ଦିଆଗଲା ‘ନିରାଜନା’ । ପ୍ରୁଫ୍‌ଦେଖାର ଭାର ମୋ ଉପରେ ଥାଏ । ମୁଖବନ୍ଧରେ ଦୁର୍ଗାଚରଣଭାଇ ଲେଖକ ନିକଟରେ କୃତଜ୍ଞତା ପ୍ରକାଶ କରିବାକୁ ଯାଇ ମୋ ନାଆଁଟି ଦେଇଥିଲେ । ମୁଁ ଦୁଃଖ କରି ଚୈତନ୍ୟବାବୁଙ୍କ ହାତରେ ଦୁର୍ଗାଚରଣଭାଇଙ୍କି ଖବର ଦେଲି ଓ ତାଙ୍କ ମୁଖବନ୍ଧ ବଦଳାଇ ଦେଇ ଲେଖିଲି–

 

‘‘ଗୁରୁ ସେବାପଣେ ଅଯୋଗ୍ୟ ଜଣେ ମୁଁ

ଘେନିବେ ମୋ ଅନୁନୟ

ଗୁରୁ ସେବକର ଅଧମ ଦାସ ମୁଁ

ଏହି ମୋର ପରିଚୟ ।’’

 

ବହି ଉପରେ ଲେଖକର ନାମ ଦେବାକୁ ଦୁର୍ଗାଚରଣଭାଇ ଓ ଅନ୍ୟାନ୍ୟ ଭକ୍ତଭାଇମାନେ ଭାରି ଜିଦି ଲଗାଇଲେ ।

 

ପରିଶେଷରେ ମୁଁ ଲେଖକର ନାମ ରଖିଲି–‘‘ଗୁରୁଦାସ ।’’

 

ଏହାପରେ ଯେଉଁ ଦି’ ତିନିଖଣ୍ଡ ବହି ପ୍ରକାଶି ପାଇଛି, ସେଥିରେ ନାମ ରହିଛି ଗୁରୁ ଦାସ । ତଥାପି କେଜାଣି କାହିଁକି ସତ୍ୟପ୍ରିୟଭାଇ (ମହାନ୍ତି) ଠାଏ ଠାଏ ଭକ୍ତ ସମ୍ମିଳନୀରେ ବକ୍ତୃତା ଦେଉ ଦେଉ ଜାଣିକରି ହେଉ ଅବା ଅଜାଣତରେ ହେଉ, ଗୀତଲେଖା ସମ୍ବନ୍ଧେ କହୁ କହୁ, ମୋତେ ଚିହ୍ନାପକାଇ ଦିଅନ୍ତି । ମୋତେ ଦୁଃଖ ଲାଗେ ।

 

ଜଣେ ଡାକନ୍ତି–ମୁଁ ଲେଖିଛି । ଏଥିରେ ମୋର ବହାଦୁରିଟା କୋଉଠି ରହିଲା ? ତେଣୁ ମୋ ନାଆଁ ଗାଆଁ ଲେଖି ବୁକୁ ଫୁଲାଇବି ଭଲା କାହିଁକି ? ସଂଘଲାଗି ଏ ଲେଖା ଲେଖିଲାବେଳେ ତ ମୋ ମନ, ଚୈତନ୍ୟ ଯେ ଲେଖାନ୍ତି ତାଙ୍କ ପାଖେ ଥାଏ । ସେତିକି ତ ମୋର ପରମ ସୌଭାଗ୍ୟ-। ମୋ ଲେଖା ଗୀତ ସର୍ବସ୍ୱତ୍ୱ ତେଣୁ ସେଇ ଠାକୁରଙ୍କ ଚରଣରେ ସମର୍ପି ଦେଇ ଜଣାଉଛି–ମୋତେ ଗୁରୁଦାସ ହେବାର ସୌଭାଗ୍ୟ ଦିଅନ୍ତୁ ସେ ।

 

ଶେଷରେ :

 

ପଞ୍ଚସ୍ତରି ବର୍ଷର କଥା । ବହୁତ ତ ଲେଖିବାର ଥିଲା, ବହି ବଢ଼ିଯିବ ବୋଲି ଡର । ସମସ୍ତେ ଜାଣନ୍ତି ମୁଁ ଗୀତ ଲେଖେଁ । ଆଗେ କିନ୍ତୁ ଜଣେ ଗାୟକରୂପେ ମୁଁ ଜଣାଶୁଣା ଥିଲି । ଓଡ଼ିଶା ଓ ଗଞ୍ଜାମର ଅଧିକାଂଶ ରାଜଦରବାରକୁ ଯାଉଥିଲି, ଗାଉଥିଲି ଓ ମୂଲ୍ୟ ପାଉଥିଲି । ଏହିପରି କେତେଜଣ ଗୁଣଗ୍ରାହକ ରାଜା ମୋତେ ସାଲିଆନା ଖଞ୍ଜାଲେଖ ଦେଇଥିଲେ । ସେଗୁଡ଼ିକ ସ୍ମୃତି ରୂପେ ସାଇତି ରଖିଛି । ସେ କାଳ ଗଲାଣି, ଆଉ କାହିଁକି ?

 

ପହିଲେ ପହିଲେ ଉପନ୍ୟାସ ତିନି ଚାରିଖଣ୍ଡ ଲେଖିଥିଲି । ସେଗୁଡ଼ିକ ଅବଧି ଛାପାଖାନା ମୁହଁ ଦେଖି ନାହିଁ । ତା’ ଛଡ଼ା କେତେ ଲେଖା ପଡ଼ି ରହିଛି, ଦେହଛପା ଦେଇ ।

 

ଅନେକ ସମୟରେ ମୁଁ ଗୀତରେ ମୋ ମନକଥା ଜଣାଏଁ । କୁମ୍ଭାରଚକ ଲେଖାରୁ ବର୍ତ୍ତମାନ ପାଇଁ ଛୁଟି ନେବାବେଳେ ମୋର ଅନ୍ତରର ବନ୍ଧୁ ସୁପରିଚିତ ବିଶିଷ୍ଟ ଗାଳ୍ପିକ ଓ ଔପନ୍ୟାସିକ ଶ୍ରୀ ବିଭୂତିଭୂଷଣ ତ୍ରିପାଠୀ I.A.S.ଙ୍କ କଥା ମନେପଡ଼ି ଯାଉଛି ।

 

ଭେଟ ହୋଇଗଲେ ମୋ ଦରଦୀବନ୍ଧୁ ବିଭୂତିବାବୁ ମୋର ଗୋଟିଏ ଗୀତକୁ ଆବୃତ୍ତି କରନ୍ତି । ସେ ଗୀତଟି ହେଲା–

 

ଯେବେ ଜୀବନ ମେଘରେ ଘନାଇଁ ଆସିବ ସଞ୍ଜ,

ଯେବେ ମଉଳି ଶେଷେ ଶୁଖିଯିବ ସଜ କଞ୍ଜ ॥

 

(ଯେବେ) କାଳ ବୈଶାଖୀ

ମୁଦିଦେବ ଆଖି

ବିଜୁଳି ହେବ ତା’ ସାକ୍ଷୀ

ତୁମରି ଚକ୍ର–ଘର୍ଘର ଘୋଷ ଶ୍ରବଣରେ ମୋର ରଞ୍ଜ ।୧ ।

 

(କେବେ ମାଗି ନାହିଁ କିଛି

‘ମଗା’ ମଣେ ଛି ଛି

କହୁଛି ମନେ ଯା’ ଅଛି–

କାଢ଼ି ନେବି ନାହିଁ ଯଷ୍ଟି କରରୁ କବିଶଶୀ ପରା ଖଞ୍ଜ ।୨ ।

 

ଆଉ ପଦେ :

 

କେବେ କେମିତି ଏକୁଟିଆରେ ଥିବାବେଳେ ବିଭୂତିବାବୁଙ୍କ କଥା ଓ ଏ ଗୀତଟି ବରାବର ମନେପଡ଼େ ।

 

ଖରାଦିନେ, ଦିନେ ଭୁବନେଶ୍ୱରରୁ ଟ୍ୟାକ୍ସିରେ ଏକୁଟିଆ କଟକ ଫେରୁଥାଏଁ । ପଶ୍ଚିମ ମେଘ କାନ୍ଥି ତଳେ ସୂର୍ଯ୍ୟ ବୁଡ଼ି ଯାଉଥାଏ, ଏଣେ ପୂର୍ବମେଘ କୋଣରେ ଜହ୍ନ ଉଇଁ ଆସୁଥାଏ । ସେଦିନ ପୁନେଇଁ । ବାଟରେ ବିଭୂତିବାବୁ ଓ ତାଙ୍କ ଗାଇବା ଗୀତ ହଠାତ୍‌ ମନେ ପଡ଼ିଗଲା ।

 

ଫୁଲନଖରା ଛକ ପାଖ । ସେଠି ଗୋଟିଏ ପାଣିଡୋଭା ଅଛି । ତା’ରି କୂଳରେ କେତୋଟି ଆମ୍ବଗଛ–ମନେହୁଏ ଯେମିତି ଭାଇବନ୍ଧୁ ସାଥିରେ ନେଇ ରହିଛନ୍ତି । ଅଳ୍ପ ଦୂରରେ ଗୋଟିଏ ଏକୁଟିଆ ତାଳଗଛ ଛିଡ଼ା ହୋଇଛି । ପାଖରେ ସତେ ଯେମିତି କେହି ବନ୍ଧୁ-କୁଟୁମ୍ବ ନାହାନ୍ତି ତା’ର ।

 

ଭାବିଲି, ମୁଁ ତ ଏଇମିତି ଏକୁଟିଆ । ଏଇ ଜହ୍ନ ଆଲୁଅରେ, ଏଇ ଏକୁଟିଆ ତାଳଗଛ ମୂଳେ ନିଛାଟିଆରେ ଗେରୁଆ ପିନ୍ଧି ବସି ଏକତାରାଟିଏ ଧରି ଗୀତ ଗାଇ କୁମ୍ଭାରକୁ ମନକଥା ଶୁଣାଇଲେ ଭାରି ଭଲ ହୁଅନ୍ତା; କିନ୍ତୁ କ’ଣ ଗାଇବି ?

 

ଅଧା ଆଲୁଅ, ଅଧା ଅନ୍ଧାରରେ ପକେଟ ଅଣ୍ଡାଳି ଖଣ୍ଡେ କାଗଜରେ ଗୀତଟିଏ ଟିପିଲି । ବାକି ଯେତିକି ରହିଗଲା ଘରେ ପହୁଞ୍ଚି ସାଙ୍ଗେ ସାଙ୍ଗେ ପୂରଣ କରି ଗୁଣୁଗୁଣୁ କରି ଗାଇଲି–

 

ମନରେ,

କାଲି ହେବ ଖାଲି ତୋ ପଞ୍ଜୁରି ।

ଯେତେ ବାଟ ମୁଦିଲେ ତୁ

ଯିବ ସେ ବାହାରି ॥ ୦॥

କେବେ ଖଟି, କେବେ ଲୁଟି

କେବେ ନିଜ ପେଟ କାଟି

ସରାଗେ ତୁ ପାଳିଥିଲୁ ଶାରୀ,

କୁହା ନାହିଁ, ବୋଲା ନାହିଁ

ପଞ୍ଜୁରୀ ବାଟ ଫିଟାଇ

ପଳାଇବ ନିଜ ରାହା ଧରି ॥ ୧॥

ଆହା ବୋଲି ବାହୁନିବ

କିଏ ମଥା କଚାଡ଼ିବ

ସାଇ-ଭାଇ, ପୁଅ, ଝିଅ, ନାରୀ ।

ସବୁ ସୁଆଗ ତୁଟାଇ

ସବୁରିକି ପଛିଆଇ

ଉଡ଼ିଯିବ ସେ ତ କାଳବାରି ॥ ୨॥

ଶାରୀଟି ଗଲେ ବାହାରି

ଅଛୁଆଁ ହେବ ପଞ୍ଜୁରି

ମଶାଣିର କୋଳଯିବ ପୂରି ।

ପଞ୍ଜୁରିରେ ଥିଲା ଦିନେ

ନ ହେଜିବେ କେହି ମନେ

ଓଲଟି ରୋଧିବେ ଘରବାରି ॥ ୩॥

ଆସିବାର ଯିବା ପାଇଁ

ଏଥୁଁ ବଳି ସତ ନାଇଁ

ରଖି ନ ପାରିବ କେହି ଧରି ।

କବିଚନ୍ଦ୍ର କହେ ରାଇ

ବାଉଳା ତୁ ହୁଅ ନାଇଁ

ପୋଷା ଶାରୀ ନୁହଇ କାହାରି ॥ ୪॥

–ଏମିତି କେତେ କଥା, କେତେ ଘଟଣା ତ ଜୀବନ ସାରା ଆଜମାଇଛି । କ’ଣ ବା କେତେ ଲେଖିବି ? ଦୁନିଆ ଭିତରେ ମୁଁ ସବୁଠୁଁ ବେଶି ଡରେଁ ସ୍ମୃତିକି, ସେଇଥିପାଇଁ ଥରେ ଲେଖିଥିଲି–

 

‘‘କାଲି ରଖି ପଛପଟେ

ବିଶ୍ୱ ଚାଲେ ତା’ ବାଟେ–

ପଛଫେରା କରି ପଥୁକୀରେ ତୁ ଯେ–

ବସାଇ ପାସୋରା–ଘରେ ।

ଗତ ମଧୁଧାର ଚଖାଇ ରସାଉ

ସ୍ମୃତି ଗୋ ! ତେଣୁ ଜୁହାରେ’’

 

ସେଇ ସ୍ମୃତି ବିକଳ କରୁଛି ମତେ, କୁମ୍ଭାରର ଚକ ତ ଗଡ଼ି ଚାଲିଛି । କେତେଦିନ ଚାଲିବ କିଏ ଜାଣେ ? ଆଜି ୧୯୭୫ ମେ ମାସ ପାଞ୍ଚ ତାରିଖରେ ଏ ଲେଖା ବନ୍ଦ କରିବା ସମୟକୁ ବେଳ ରତରତ ହୋଇ ଆସୁଛି ।

 

ଫୁଲନଖରା ଛକ ପାଖରେ ସେଇ ଏକୁଟିଆ ତାଳ ଗଛର ସ୍ମୃତି ଚେତିଉଠିଲା ହଠାତ୍‌ । ହେଲେ ଆଜି ଆଉ ସେ ଫଗୁଆ ମେଘ ନାଇଁ କି ରୁପେଲି ଜହ୍ନ ନାଇଁ । ପଛଫେରା କଥା ଛାଏଁ ଛାଏଁ ମୋତେ ଗୁଆଇଲା ‘‘ମନରେ ! କାଲି ହେବ ଖାଲି ତେ ପଞ୍ଜୁରି ।’’

 

କୁମ୍ଭାରର ଶ୍ରୀଚରଣ ତଳେ ମୁଣ୍ଡିଆଟିଏ ମାରି ଆଖି ଲୁହ ପୋଛିଲାବେଳେ, ମନକୁ ମନ କହି ହୋଇଗଲା–

 

‘‘ସୁଧା ଗରଳର ଘର ମୁଖ ତୋର

ନ ଫିଟାଅ ତା’କୁ ଆରେ ଭିଖାରି !

ମନ ଜାଣି ଦେବ, ଅଛି ଜଣେ ତାକୁ–

ମାଗ ଖାଲି ଦୁଇହାତ ପସାରି’’

 

କାଳୀଚରଣ

ତା ୫।୫।୭୫ ରିଖ

ବେଳବୁଡ଼

Image